Unknown

 

 

 

 

 

 

 

 

 

ଅଙ୍ଗେ ଯାହା ନିଭାଇଛି

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ

 

Image

 

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ

 

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ-ଜନ୍ମ ଖ୍ରୀ ୧୯୦୧ ଶ୍ରାବଣ ଶୁକ୍ଳପ୍ରତିପଦ । ଭୁବନେଶ୍ୱର ପୂର୍ବକୁ ଆଠମାଇଲ ବିଶ୍ୱନାଥପୁର । ଅଳ୍ପ ବୟସରୁ ସାହିତ୍ୟ ସାଧନା ଆରମ୍ଭ– ଦିନଲିପି, କବିତା, ଗଳ୍ପ, ଉପନ୍ୟାସ, ନାଟକ ଓ ପ୍ରବନ୍ଧ । ପ୍ରଥମ ସମ୍ପାଦିତ ପତ୍ରିକା ପ୍ରକାଶନ ‘ଛାତ୍ର ଦର୍ପଣ’ (୧୯୧୯)-। ପ୍ରଥମ ପ୍ରକାଶିତ ଗ୍ରନ୍ଥ- ‘ଭକ୍ତକବି ମଧୁସୂଦନ’ ( ୧୯୨୮ ) । ସମବାୟ ପତ୍ରିକା ‘କଲ୍ୟାଣୀ'ର ସମ୍ପାଦନା–ଉକ୍ତ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ‘ସବୁଜ ସାହିତ୍ୟ’ ସମିତି ସଙ୍ଗଠନ (୧୯୩୦) । ମିଳିତ ପ୍ରକାଶନ ‘ସବୁଜ କବିତା’ । ‘ବାସନ୍ତୀ’ ଉପନ୍ୟାସର ଉତ୍କଳ ସାହିତ୍ୟ ପତ୍ରିକାରେ ଧାରାବାହିକ ପ୍ରକାଶନ ଓ ପୁସ୍ତକ ଆକାରରେ ମୁଦ୍ରଣ । ‘ମାଟିର ମଣିଷ’ ( ୧୯୩୧) । ‘ମୁକ୍ତାଗଡ଼ର କ୍ଷୁଧା’ ଓ ‘ଅମର ଚିତା’ (୧୯୩୨) । ‘ଦ୍ୱାଦଶୀ’ କ୍ଷୁଦ୍ରଗଳ୍ପ ସଂକଳନ । ମୟୂରଭଞ୍ଜ ରାଜ୍ୟ ସରକାର ପ୍ରକାଶିତ ‘ଭଞ୍ଜ ପ୍ରଦୀପ’ ଓ ମୟୁରଭଞ୍ଜ କ୍ରନିକୁ’ (ଇଂରାଜୀ ) ସମ୍ପାଦନା । ସାମ୍ବାଦିକ ପ୍ରତିନିଧି ‘ଷ୍ଟେଟସ୍‍ମ୍ୟାନ’ ଓ ଏସୋସିଏଟେଡ଼ ପ୍ରେସ- ବାରିପଦାରେ ସାହିତ୍ୟ ସମାଜ ସଙ୍ଗଠନ-‘ପ୍ରିୟଦର୍ଶୀ’ ନାଟକ ପ୍ରକାଶନ (୧୯୩୩-୩୮) । ‘ମନେ ନାହିଁ’, ‘ଛୁରୀଟିଏ ଲୋଡ଼ା’ ‘କ୍ଷଣିକ ସତ୍ୟ’ ଓ ‘ମହାଦୀପ’ କବିତା ସଂକଳନ ।

 

“ଯତ୍ କରୋଷି ଯଦଶ୍ନାସି

ଯଜ୍ଜୁହୋଷି ଦଦାସି ଯତ୍

ଯତ୍ତପସ୍ୟସି କୌନ୍ତେୟ !

ତତ୍ କୁରୁଷ୍ଵ ମଦର୍ପଣମ୍ ।’’

(ଗୀତା—୯ମ-୨୭ )

 

ପଦେଅଧେ

 

ନିଜ କଥା ଲେଖିବା ଲାଗି କଲିକତାରୁ ପ୍ରକାଶିତ ‘କଳନା’ ମାସିକ ପତ୍ରର ସମ୍ପାଦକ ଶ୍ରୀ କଣ୍ଡୁରି ଚରଣ ଦାସ ଓ ଔପନ୍ୟାସିକ ଶ୍ରୀ ବିଭୂତିଭୂଷଣ ପଟ୍ଟନାୟକ ମୋ ଘରେ ପାଦ ପକାଇ ପ୍ରଥମେ ଉତ୍ସାହ ଦିଅନ୍ତି । ‘କଳନା’ରେ ୧୯୬୫ ପୂଜାସଂଖ୍ୟାରୁ ତହୁଁ ତାହା ଧାରାବାହିକ ଭାବରେ ପ୍ରକାଶିତ ହୋଇ ଏକାଧିକ ପାଠକ ବନ୍ଧୁଙ୍କ ଦୃଷ୍ଟି ଆକର୍ଷଣ କରେ । ସେମାନଙ୍କ ପତ୍ରାବଳୀ ମଧ୍ୟ ମୋର ଅଙ୍ଗେନିଭା କଥାର ଅପରିହାର୍ଯ୍ୟ ଅଂଶବିଶେଷ ହୋଇପଡ଼େ । ତହୁଁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ଆଗ୍ରହୀ ହୁଅନ୍ତି କଟକ ଷ୍ଟୁଡେଣ୍ଟସ୍ ଷ୍ଟୋରର ସ୍ଵତ୍ୱାଧିକାରୀ, ମୋର ସୁପରିଚିତ ପ୍ରକାଶକ ବନ୍ଧୁ, ଶ୍ରୀ ଅନନ୍ତ ମିଶ୍ର । ଷ୍ଟୁଡେଣ୍ଟସ୍ ଷ୍ଟୋର କଟକରେ ଅବସ୍ଥାପିତ ହେବା ସମୟରୁ ଅନନ୍ତବାବୁ କେବଳ ମୋର ପ୍ରକାଶକ ବନ୍ଧୁ ନୁହନ୍ତି, “ରାଜଦ୍ୱାରେ ଶ୍ମଶାନେ ଚ” ଭଳି ଜୀବନର କେତେ ଉଠାଣି ଗଡ଼ାଣିରେ ତାଙ୍କ ବନ୍ଧୁତାରୁ ମୁଁ ବଞ୍ଚିତ ହୋଇନାହିଁ ପାରିବାରିକ ଦୁଃଖ ସୁଖର ଘଟଣାବଳୀ ମଧ୍ୟରେ ସୁଦ୍ଧା ।

 

ଜୀବନବ୍ୟାପୀ ବହୁ ଘଟଣା ଦୁର୍ଘଟଣା ଓ ଏକାଧିକ ବନ୍ଧୁ ସ୍ଵଜନଙ୍କ ସ୍ନେହସାହଚର୍ଯ୍ୟ, ସ୍ପର୍ଶ-ଆଘାତ, ଅବହେଳା-ଅନୁକମ୍ପା, ଈର୍ଷା-ପ୍ରେମରେ ଗଢ଼ା ଏଇ ଜୀବନର ସମସ୍ତ ତ୍ରୁଟି ଓ ସାଫଲ୍ୟ ଲିପିବଦ୍ଧ କରିବା ଅବଶ୍ୟ ସମ୍ଭବପର ନୁହେଁ । ଏକାଧିକ ନିକଟତର ବନ୍ଧୁଙ୍କୁ ଛାଡ଼ି ଦୂରତରଙ୍କ ନାମୋଲ୍ଲେଖ କରିବା ଆଦି ତ୍ରୁଟି ସମୂହ ସମ୍ଭବପର । ମୋର ଜନ୍ମ ସ୍ଥାନ ଗାଁର କେତେ ଜୀବିତ ବା ମୃତ କୁଟୁମ୍ବଙ୍କୁ ମୁଁ ଛଦ୍ମନାମ ଦେଇଛି ମଧ୍ୟ ।

 

      ପ୍ରତ୍ୟେକ କ୍ଷେତ୍ରରେ ମୋର ବିଚାର-ନିତି ଅଭ୍ରାନ୍ତ, ନିରପେକ୍ଷ ବୋଲି ମଧ୍ୟ ମୁଁ ଦାବୀ କରି ନ ପାରେଁ । ଅଳ୍ପୋକ୍ତି, ଅତିରଞ୍ଜନ ଓ ଦ୍ୱିରୁକ୍ତି ଆଦି ବାରମ୍ବାର ଜୀବନବ୍ୟାପୀ ଘଟଣାବଳୀରେ ଯେପରି ଲକ୍ଷଣୀୟ, ସେଇପରି ସୂଚନା ମଧ୍ୟ ବର୍ଣ୍ଣନା କ୍ରମରେ ଗ୍ରନ୍ଥରେ ରହିଯିବା ସ୍ୱାଭାବିକ । ରସାମୋଦୀ ଚିହ୍ନରା ଗ୍ରାହକମାନେ ଦୋଷାଦୋଷ ବିଚାର କରି ‘ଶୁଦ୍ଧ ଅଶୁଦ୍ଧ ପୂରାଇ ଗାଇବ-ଲେଖକ ଦୋଷ ନ ଧରିବ’ ନ୍ୟାୟରେ ହଂସ ଭଳି ପାଣିରୁ ଦୁଗ୍ଧ ଛାଣି ପାନ କରିଥାନ୍ତି କେବଳ । ଜୀବନ-କଥା ବଖାଣିଲା ବେଳେ ଏଇଭଳି ‘କ୍ଷମାସାଗର’ ଭରସା ହିଁ ଲେଖନୀ ଚାଳନାରେ ମୋତେ ଅସୀମ ପ୍ରେରଣା, ଦମ୍ଭ, ସାହସ ଯୋଗାଇ ଆସିଛି ।

 

ଯୋଗାଇ ଆସିଛି ମୋତେ ଗୋଟାଏ ଦୁନିଆକୁ ଆପଣାର କରି ପାଇବା ପାଇଁ ବିପୁଳ ବିଶ୍ୱାସ । ଇଚ୍ଛା କିମ୍ବା ଅନିଚ୍ଛାରେ ଯେତେ ଶତ୍ରୁ, ବା ଯେତେ ବନ୍ଧୁ, ଅର୍ଜିଲି, ସମସ୍ତଙ୍କୁ ଭଲ ପାଇବାରେ ହିଁ ନିଃଶେଷ ହେଉ ମୋର ଅନ୍ତିମ ନିଃଶ୍ୱାସ । ଦୁନିଆକୁ ଭଲ ପାଇବା ଅପେକ୍ଷା ଆଉ ବଡ଼ ହୋଇ କିଛି ହେଲେ ନାହିଁ ! ପୃଥିବୀଜୟୀ ଆଲେକ୍‍ଜାଣ୍ଡାର ଖାଲି-ହାତରେ ପରା ଦୁନିଆରୁ ଶେଷବିଦାୟ ନେଇଛନ୍ତି ! ମୋର ଦୁଇହାତକୁ କିନ୍ତୁ ପୂର୍ଣ୍ଣ କରିବାକୁ ଲୋଡ଼େଁ ମୁଁ କେବଳ ସ୍ନେହ, ପ୍ରେମ ଓ ପ୍ରାଣରେ ଏଇ ଉପାୟରେହିଁ ଆଲେକ୍‍ଜାଣ୍ଡାରଙ୍କଠାରୁ ବଡ଼ ବିଜୟୀ ହେବାରୁ ମୋର ବିଶ୍ୱାସ ରହିଛି ବୋଲି ପାଠକମାନଙ୍କୁ ନ ହସିବାପାଇଁ ଅନୁରୋଧ ।

 

କଟକ

୩୧-୩-୧୯୭୩

 

ଲେଖକ

 

ଦୁଇପଦ

 

ଲବ୍‍ଧପ୍ରତିଷ୍ଠ ସାହିତ୍ୟିକ ପଦ୍ମଭୂଷଣ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଶା ତଥା ଭାରତରେ ସୁପରିଚିତ । ତାଙ୍କ ଶିକ୍ଷା ଓ କର୍ମମୟ ଜୀବନର ପ୍ରାରମ୍ଭରୁହିଁ ଓଡ଼ିଆ ସାହିତ୍ୟର ଅର୍ଦ୍ଧ ଶତାବ୍ଦୀର ଉର୍ଦ୍ଧ୍ୱ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ । କୈଶୋରରୁ ସେ ସାହିତ୍ୟ ସାଧନା କରି ଆସୁଛନ୍ତି ଏବଂ ବର୍ତ୍ତମାନ ବାସ୍ତରୀ ବର୍ଷ ବୟସରେ ମଧ୍ୟ ସେଥିରୁ ସେ ବିରତ ନୁହନ୍ତି । ମଝିରେ ମଝିରେ ‘ନବଭାରତ’ ମାସିକ ପତ୍ରିକାରେ ପ୍ରକାଶିତ ‘‘ଓଡ଼ିଆରେ ଲେଖିବି କାହିଁକି ?” ପରି ପ୍ରବନ୍ଧ ଲେଖି ସେ ନିଜର ବ୍ୟକ୍ତଗତ ଶଙ୍କା ଓ ଦୁଃଖ କଥା ଉଠାଇଥିଲେ ମଧ୍ୟ ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ସେ ଛାଡ଼ି ପାରି ନାହାନ୍ତି କି ଓଡ଼ିଆ ଭାଷା ଓ ସାହିତ୍ୟ ତାଙ୍କୁ ଛାଡ଼ି ପାରି ନି । ୧୯୩୦ ରେ ତାଙ୍କ ଉଦ୍ୟମରେ ଓଡ଼ିଆ ସାହିତ୍ୟର ନବଜାଗରଣ ପାଇଁ ‘ସବୁଜ ସାହିତ୍ୟ ସମିତି’ ଗଠିତ ହୋଇଥିଲା । ସେହି ସମିତିର ପ୍ରଥମ କାଳୀନ ସଭ୍ୟ ଓ ଉଦ୍ୟୋକ୍ତାମାନେ ସେତେବେଳେ ଓଡ଼ିଆ ସାହିତ୍ୟକୁ ବହୁ ଅମୁଲ୍ୟ ଦାନ ଦେଇଥିଲେ । ପରବର୍ତ୍ତୀ କାଳରେ ସବୁଜ ସାହିତ୍ୟ ସମିତିର ସେହି ସଭ୍ୟବୃନ୍ଦ ବିଭିନ୍ନ କ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତି ରୂପେ ପରିଗଣିତ ହୋଇ ପାରିଛନ୍ତି ।

 

କାଳିନ୍ଦୀ ବାବୁ ଏକାଧାରରେ ଗାଳ୍ପିକ, ଔପନ୍ୟାସିକ, କବି ଓ ପ୍ରାବନ୍ଧିକ । ତାଙ୍କ ଲେଖନୀପ୍ରସୂତ ‘ମାଟିର ମଣିଷ’ ଏକ ଶ୍ରେଷ୍ଠ ଉପନ୍ୟାସ ରୂପେ ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି । ଏହି ଉପନ୍ୟାସଟି ଚଳଚିତ୍ର ମାଧ୍ୟମରେ ମଧ୍ୟ ଆଦୃତ । ତାଙ୍କର ଅନ୍ୟତମ କ୍ଷୁଦ୍ରଗଳ୍ପ ‘ମାଂସର ବିଳାପ’। ଶୀଘ୍ର ଚଳଚ୍ଚିତ୍ର ମାଧ୍ୟମରେ ପ୍ରକାଶିତ ହେବାକୁ ଯାଉଛି । ଏହାର ନାଟ୍ୟ ରୂପ ସବୁ ଭାରତୀୟ ଭାଷାରେ ଆକାଶବାଣୀ ଦ୍ୱାରା ପ୍ରଚାରିତ । ଏବର୍ଷ ଆନ୍ତର୍ଜାତିକ ବର୍ଲିନ୍ ଫିଲମ୍ ଫେୟାରକୁ ଚିତ୍ର ରୂପଟି ମଧ୍ୟ ନିର୍ବାଚିତ । ବ୍ୟାସକବି ଫକୀରମୋହନଙ୍କ ପରେ ଓଡ଼ିଆ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ଆଉ ଯଦି କୌଣସି ଉଚ୍ଚ ଶୃଙ୍ଗ ଦୃଷ୍ଟିକୁ ଆସୁଥାଏ, ସେ ହେଉଛନ୍ତି କାଳିନ୍ଦୀ ଚରଣ, କିନ୍ତୁ ଏତେ ସଫଳତା ପରେ ମଧ୍ୟ ସେ ସବୁବେଳେ ବିନୟୀ, ଧୀର ଓ ଶାନ୍ତ । ତାଙ୍କର ନିର୍ମଳ ଚରିତ୍ର ଓ ସହିଷ୍ଣୁତା ଗୀତାର ସ୍ଥିତପ୍ରଜ୍ଞ କଥା ମନେ ପକାଇ ଦିଏ :

 

“ରାଗଦ୍ୱେଷବିମୁକ୍ତୈସ୍ତୁ ବିଷୟାନିନ୍ଦ୍ରି ୟୈଶ୍ଚରନ୍

ଆତ୍ମବଶୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି !”

 

ବିଗତ ଚାଳିଶି ବର୍ଷ ହେଲା ତାଙ୍କ ସହ ମୁଁ ବହୁ ଭାବେ, ବହୁ କ୍ଷେତ୍ରରେ, ସୁଖ-ଦୁଃଖରେ ସମ୍ପୃକ୍ତ । ତାଙ୍କ ଆତ୍ମଜୀବନୀ “ଅଙ୍ଗେ ଯାହା ନିଭାଇଛି” ଆଜି ପ୍ରକାଶନ ଉପନ୍ୟାସ ପରି ଏହି ଆତ୍ମଜୀବନୀ ସାହିତ୍ୟିକ ମର୍ଯ୍ୟାଦାରେ ବିଭୂଷିତ ହୋଇଥିବାରୁ ପଣ୍ଡିତ ଓ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ବିଶ୍ୱାସ । ମନୁଷ୍ୟ କର୍ମମୟ ଜୀବନର ନାନା ଉତ୍ଥାନ ପତନ ମଧ୍ୟରେ ଗତି କରି ଶେଷରେ ଦିନେ ସଂସାରରୁ ବିଦାୟ ନିଏ । ସେତେବେଳେ ସେ ଅର୍ଜିତ କର୍ମଫଳ ଗୁଡ଼ିକୁ ଛାଡ଼ି ଦେଇ ଯାଏ ଅନ୍ୟମାନଙ୍କ ପାଇଁ; କିନ୍ତୁ ସଂସ୍କାର, ପାପ ଓ ପୁଣ୍ୟ ନେଇଯାଏ ନିଜ ସହିତ । ଓଡ଼ିଆ ସାହିତ୍ୟକୁ କାଳିନ୍ଦୀ ବାବୁଙ୍କ ଦାନ ଭବିଷ୍ୟତରେ ସମାଲୋଚକମାନେ ନିରୂପଣ କରିବେ, କିନ୍ତୁ ନିଜ ଭାଷା ଓ ସାହିତ୍ୟ ପାଇଁ ଅନୁଦିନ ସାଧନାର ପୁଣ୍ୟଫଳ କାଳିନ୍ଦୀ ବାବୁ ନେଇ ଯିବେ; କାରଣ, “ନହି କଲ୍ୟାଣକୃତ୍ କଶ୍ଚିଦ୍ଦୂର୍ଗତଂ ତାତ ଗଚ୍ଛତି ।” ‘ଅଷ୍ଟୋତ୍ତର ଶତ ସମ୍ବତ୍ସର’ ଜୀବିତ ରହି ସେ ସାହିତ୍ୟ ସାଧନାରେ ବ୍ୟାପୃତ ରହନ୍ତୁ- ଏତିକି ମାତ୍ର ଭଗବାନଙ୍କ ନିକଟରେ ପ୍ରାର୍ଥନା ।

 

ପ୍ରଥମ ରଜ : କଟକ

୧୩। ୬। ୭୩

 

ଅନନ୍ତ ମିଶ୍ର

 

ସୂଚୀ

ବିଷୟ

ମୋର କୈଫିୟତ୍

ମୋତେ ସତ ତମକୁ ମିଛ

ମେଉଁ ମେଉଁ, ଦୁଧ ଭାତ କରି ଗୁଣ୍ଡିଏ ଦେଉଁ

ଉଠନିଶି ପାହିଲା ଏଥର

ମକଦ୍ଦମରୁ ମୁର୍ଖବାବୁ

ଆତ୍ମଲିପି କେବେ ସରେନାହିଁ

ଖେଳାଉଡ଼ ବୁଦ୍ଧି ଛାଡ଼ରେ ବାବୁ

ପୁଅଟିଏ ! ପୁଅଟିଏ !

ଏ ଜଗତ ମୋର ଗାଁ

୧୦

ଅଲିଭା ଦାଗ

୧୧

ପ୍ରହାରେଣ ଧନଞ୍ଜୟ

୧୨

ଯୋର ଯାହାର ମୁଲକ ତାହାର

୧୩

ହିସାବ କିତାବ

୧୪

ବ୍ରହ୍ମା ବିଷ୍ଣୁ ମହେଶ୍ୱର

୧୫

ଶୂନ ଗାଡ଼ି ସ୍ୱପ୍ନ

୧୬

ଟୀକାଦିଆ ଆସିଲା

୧୭

ମଣିଷଠାରୁ ମହାନ

୧୮

ଚଷାଭାଇ ଧାନବୁଣ

୧୯

ପୁନରପି ଜନମ

୨୦

ସକଳ ତୀର୍ଥ ତୋ ଚରଣେ

୨୧

ମଧୁ ବାତାଋତାୟତେ

୨୨

“ବାଗର୍ଥ ପ୍ରତିପତ୍ତୟେ”

୨୩

ଦୁଇଟି ଅକ୍ଷର

୨୪

ଯାତ୍ରୀ

୨୫

ସାଗରେ-ଅମ୍ବରେ

୨୬

ନମୋ ଗଣେଶ ବିଘ୍ନେଶ

୨୭

ବଡ଼ ଦେଉଳକୁ ଚାହା ରେ

୨୮

ନିତି ନୂଆ ମଣିଷ

୨୯

ଲଞ୍ଜାତାରା

୩୦

ଅକ୍ଷର ସ୍ୱାକ୍ଷର

୩୧

ଅଶବଦ ଘରୁ ଶବଦ

୩୨

ଯଥା ଅର୍ଥରେ ବି ଅନର୍ଥେ

୩୩

ଆଶ୍ରମ ବିଶ୍ରାମ

୩୪

କୁହୁ କୁହୁ କୁହୁ

୩୫

ନିର୍ମଳ-ବନ୍ଧୁତା

୩୬

ଲାଜ ରାଖୋ ଗିରିଧାରି

୩୭

ଅୟମାରମ୍ଭ

୩୮

ଯଥା ରାବଣସ୍ୟ ମନ୍ଦୋଦରୀ

୩୯

ଜଗବନ୍ଧୁ ଓ ଗୋପବନ୍ଧୁ

୪୦

ଅଚାନକ ଜଣେ ବାଲ୍ୟବନ୍ଧୁ

୪୧

ବର୍ଷକ ଭିତରେ ସ୍ଵରାଜ୍ୟ

୪୨

ବଡ଼ ଦେଉଳ ବଡ଼ ଦାଣ୍ଡ......

୪୩

କଟକ ନଗର ଧବଳ ଟଗର

୪୪

ଲେଖି ଆରମ୍ଭିଲା ବସି ବିନୟ ପତର

୪୫

ରେଭେନ୍‍ସା କଲେଜ

୪୬

ରାଧାନାଥ, ମଧୁସୂଦନ ଓ ବିଶ୍ୱନାଥ

୪୭

ସରୁ ସବୁଜ

୪୮

ଅର୍ଥମନର୍ଥମ୍ ଭାବୟ ନିତ୍ୟମ୍

୪୯

ସବୁଜ ବନ୍ଧୁଙ୍କ ପତ୍ର ବିନିମୟ

୫୦

ପ୍ରତ୍ୟେକ ଦାୟୀ ସବୁରି ପାଇଁ

୫୧

ସହଯୋଗ ସହ ଅସହଯୋଗ

୫୨

କଟକ ସମବାୟ ଶିକ୍ଷାକେନ୍ଦ୍ର

୫୩

ମାଟିର ପିତୁଳା ଗଢ଼ି ରଖିଦେଲି

୫୪

ଯେଉଁ ଡାଳେ ବସେଁ ସେ ଡାଳ ଭାଙ୍ଗେ

୫୫

ଇଚ୍ଛାପୁର ନିଖିଳ ଉତ୍କଳ କବି ସମ୍ମିଳନୀ

୫୬

ପାସୋରି ଦେଲି ରେ ଶିମୁଳି ପାଳ

୫୭

ନବଯୁଗ ସାହିତ୍ୟ ସଂସଦ

୫୮

“ଆଧୁନିକ” ପ୍ରଥମବର୍ଷ

୫୯

ସାଳନ୍ଦୀ କୂଳରେ କାଳିନ୍ଦୀ

୬୧

କଂଗ୍ରେସ ସରକାର ଓ ରବିନ୍ଦ୍ର ସାକ୍ଷାତ୍କାର

୬୨

ଲହୁଢ଼ାଳି ଏବେ ହତିଆର ତୋର ପଜା

୬୩

ଅନ୍ଧାରେ ଅଦ୍ଭୁତ ଆଲୁଅ (୧୯୩୫)

୬୪

ସବୁର୍‍କା ଝାଡ଼ମେ ମେୱା ଫଲତା

୬୫

ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପ୍ରଚାରକ

୬୬

ଯା’ରେ ମନ ଯା’ରେ

୬୭

ଡଗରପଡ଼ାର ଡଗର ଗଲା ରେ କାହିଁ

୬୮

ଅଠାକାଠି ପଞ୍ଜୁରିରେ

୬୯

ଯୋ କୁଛ ହୈ; ସବ୍ ଫେକ୍ ଦୋ

୬୦

ମଙ୍ଗଳମ୍ ସର୍ବମଙ୍ଗଳମ୍

୭୧

ସୁଖେ ଦୁଃଖେ ସମେକୃତା

୭୨

ମୃତ୍ୟୋର୍ମାଽମୃତମ୍ ଗମୟ

୭୩

ଦିଲ୍ଲୀ ଓ ଜୟପୁରରେ ଲେଖକ ସମ୍ମିଳନୀ

୭୪

“ସକଳ ତୀର୍ଥ ତୋ ଚରଣେ’’

୭୫

ଆକାଶବାଣୀର ଆକର୍ଷଣ

୭୬

ନିଖିଳ ଭାରତ ଲେଖକ ସମ୍ମିଳନୀ

୭୭

ଓଡ଼ିଶାରେ ପି: ଇ: ଏନ୍

୭୮

ସାହିତ୍ୟ ସହିତ ରାଜନୀତି

୭୯

ରେଡିଓ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଙ୍କ ସାକ୍ଷାତତ୍କାର

୮୦

ପଲକେ ପଲକେ ପୁଲକ ବିସ୍ମୟ

୮୧

ସମ୍ମାନ ସମ୍ବର୍ଦ୍ଧନା ସଙ୍କଟ

୮୨

ଜନଗଣ ମନ ଅଧିନାୟକ ଜୟ ହେ

୮୩

ଉପୋଦ୍ଘାତ ଓ ଉପସଂହାର

୮୪

ପରିଶିଷ୍ଟ—କମ୍ରେଡ୍‍ ଶ୍ରୀ ରାମକୃଷ୍ଣ ପତି

୮୫

ନାମସୂଚୀ

 

Image

 

୰ ଜନନୀ ସରସ୍ୱତୀ ଦେବୀ

ତିରୋଧାନ ତା ୧ । ୬ । ୧୯୫୧

 

Image

 

୰ ପିତୃଦେବ ସ୍ଵପ୍ନେଶ୍ଵର ପାଣିଗ୍ରାହୀ

ଆବିର୍ଭାବ ତା ୧୪/୨/୧୮୬୦-ତିରୋଧାନ ତା ୨/୮/୧୯୩୫

 

Image

 

ବାପର ଝିଅ

 

Image

 

କଟକ ରେଭେନ୍‍ସା କଲେଜ ଛାତ୍ର ୧୯୨୨

ଆସୀନ, (ବାମରୁ) ଶ୍ରୀ ଶରତ୍ ଚନ୍ଦ୍ର ମୁଖାର୍ଜୀ, ଡାକ୍ତର ସନାତନ ମୁଖାର୍ଜୀ,

ଶ୍ରୀ ଅନ୍ନଦା ଶଙ୍କର ରାୟ, ଶ୍ରୀ ବୈକୁଣ୍ଠ ନାଥ ପଟ୍ଟନାୟକ

ଦଣ୍ଡାୟମାନ (ବାମରୁ) ଶ୍ରୀଗୋପାଳ ଚନ୍ଦ୍ର ଦାସ (ଅବସର ପ୍ରାପ୍ତ ଜଜ୍),

(ମଧ୍ୟରେ) ଲେଖକ, ଶ୍ରୀ ହରିହର ମହାପାତ୍ର (ଅବସର ପ୍ରାପ୍ତ ଜଜ୍‍)

 

Image

 

 

 

ସମ୍ମୁଖେ ଘୋର ବନ ପର୍ବତ

ଚାଲ ଅସୀମର ଯାତ୍ରୀ

ଅତୀତ ସ୍କନ୍ଧେ ବସାଇ ଆଗାମୀ

ଆଲୋକେ ହସାଇ ରାତ୍ରି ।

 

ସ୍ୱର୍ଗତ ଶିଳ୍ପୀ ସାହିତ୍ୟିକ ବନ୍ଧୁ ଶ୍ରୀ ଗୋପାଳ କାନୁନ୍ ଗୋ ସ୍ୱେଚ୍ଛାରେ ମୋର “ମାଟିର ମଣିଷ” ସମେତ ଏକାଧିକ ପୁସ୍ତକକୁ ସଚିତ୍ର କରି ଶେଷରେ ଏହି ଚିତ୍ରଟି ଉପହାର ଦେଇଯାଇଛନ୍ତି-

 

Image

 

ସ୍ୱର୍ଗତ ଅନୁଜ ଭଗବତୀ ଚରଣ ପାଣିଗ୍ରାହୀ

 

Image

 

ତା୧୫|୧୦|୧୯୭୧

ରାଷ୍ଟ୍ରପତି ଶ୍ରୀ ବରାହଗିରି ଭେଙ୍କଟଗିରିଙ୍କ ଦ୍ୱାରା

“ପଦ୍ମଭୂଷଣ” ସମ୍ମାନ ପ୍ରଦାନ- ନିକଟରେ ଆସୀନା ଶ୍ରୀମତୀ ଗିରି ।

 

Image

 

୧୯୭୩ ଜୁଲାଇ

ବାମରୁ : (ପଛପଟେ) : ନାତୁଣୀ ବୋହୂ ପମି କାଖରେ ଅଣନାତି ବୁନୁ,

ନାତି ନଚିକେତା (ନାନୁ) (ସାମନା) : ପୁଅ ଶିଶିର କୋଳରେ ନାତି

ଅରିନ୍ଦମ, ଲେଖକ କୋଳରେ ନାତି ଅନୁପମ, ସ୍ଵପତ୍ନୀ ରମଣି, ନାତୁଣି ପ୍ରାଚୀ,

କନ୍ୟା ନନ୍ଦିନୀ, ପୁଅ ତୁଷାର, ନାତି ଗୌତମ ।

 

Image

 

ବାମରୁଡାହାଣ :—ପଛରେ-୧କୁନି, ୨ଶିଶିର, ୩ଦେବ, ୪ତୁଷାର, ୫ଲୁସି;

ସାମନାରେ—ଲେଖକ, ନାନୁ ( ନାନୁର ବୋଉମା)—୧୯୪୫ମସିହା

 

Image

 

ମୟୂରଭଞ୍ଜ - ବାରିପଦା -୧୯୩୬ ମସିହା

ବାମରୁଡାହାଣ :- ଦଣ୍ଡାୟମାନ-୧, ଦିବ୍ୟ ସିଂହ ୨. ଲେଖକ ୩, ଭଗବତୀ;

୪ .ଭଣଜା ବୃନ୍ଦାବନ ୫ .ସମ୍ପର୍କୀୟ କୁଳମଣି

ଆସୀନ :-୧- କମଳାନାନୀ (କୋଳରେ ଭଗବତୀଙ୍କ ଜ୍ୟେଷ୍ଠା କନ୍ୟା ଖୁସି ),

୨-ଭାଉଜ , ୩-ବୋଉ, ୪-ସହଧର୍ମିଣୀ, (କୋଳରେ ଝିଅ ଲୁସି )

ଭାତୃବଧୂ ‘ସରସ୍ଵତୀ ତଳ ଧାଡ଼ି :– ଭେଜି, ନୀହାର, ଶିଶିର, କୁନି

 

Image

 

ଭୁବନେଶ୍ୱରଠାରେ ଅନୁଷ୍ଠିତ ପି. ଇ. ଏ ନ୍ ନିଖିଳ ଭାରତ ସାହିତ୍ୟ ସମ୍ମିଳନୀରେ

ସମ୍ୱନ୍ଧରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ସମ୍ମିଳନୀର ବ୍ୟାଜ୍‍ ପିନ୍ଧାଇଥିଲା ।

 

Image

 

ବ୍ରହ୍ମପୁରଠାରେ ଅନୁଷ୍ଠିତ ପି.ଇ.ଏନ ସାହିତ୍ୟ ସମ୍ମିଳନୀରେ ଅଧ୍ୟକ୍ଷତା କରନ୍ତି ।

 

Image

 

ତା ୫|୧୧|୧୯୬୧

(ଡାହାଣରେ) ଭାରତର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନୁରୁଲ୍ ହୁସେନଙ୍କ

କେନ୍ଦ୍ରସାହତ୍ୟ ଏକାଡେମୀ “ଫେଲୋ” ସମ୍ମାନ ପ୍ରଦାନ

 

Image

 

ତା ୯|୮|୧୯୭୨ ରେ ଲେଖକର ବାସଗୃହରେ ପଦାର୍ପଣ କରି ସଦୟ ସମ୍ବର୍ଦ୍ଧନା

 

ମୋର କୈଫିୟତ୍

 

ବନ୍ଧୁମାନଙ୍କ ଇଚ୍ଛା, ମୁଁ ନିଜ କାହାଣୀ ଲେଖେ । ମୋର ବି ଏମ‌୍‌ତି ଇଚ୍ଛା ଯେ କେତେ ଥର ହୋଇନି, ତା’ ନୁହେଁ । ତା’ର ଅର୍ଥ–ବନ୍ଧୁମାନଙ୍କ ପରି ନିଜ କଥା ନିଜେ ଜାଣିବାକୁ, ବୁଝି ବିଚାରି ମନେ-ପକାଇବାକୁ, ନିଜକୁ ନିଜେ ଆବିଷ୍କାର କରିବାକୁ, ମୋର ମଧ୍ୟ କୌତୁହଳ ଅଛି । ଆଗ୍ରହ ନଥିଲେ ନଥାଇପାରେ ଅବା !

 

ଚିତ୍ରଶିଳ୍ପୀ ଓ ମୂର୍ତ୍ତିଶିଳ୍ପୀ ନିଜ ପ୍ରତିକୃତି ଗଢ଼ନ୍ତି । ସେଭଳି ଉକୃଷ୍ଟ ଶିଳ୍ପରେ ନିଜେ ନିଜକୁ ଦେଖିବାର ଏକ ଭାବମୟ ପ୍ରକାଶ ଫୁଟିଉଠେ । ତୁଳୀ ନିହଣର ବିନ୍ୟାସରେ ଗୋଟିଏ ଦାଗ ବା ସଂକେତରେ ବହୁତ କଥା କୁହାଯାଇ ପାରେ । ବାହାର ରୂପକୁ ଭେଦକରି ଭିତର ରୁପ ଦେଖାଇବା ହିଁ ଶିଳ୍ପୀର କଳା-କୌଶଳ । ସାହିତ୍ୟ-ଶିଳ୍ପୀ ନିଜେ ନିଜକୁ ଜାଣିବାପାଇଁ ଲେଖନୀମୁନରେ ଆପଣା ରୂପ ଆଙ୍କିବସେ । ମୁଁ ଆପେ ଆପଣାକୁ କେତେ ଦୂର ଜାଣେ, କେତେଦୂର ବୁଝେ, ତା’ ବୋଧହୁଏ ସବୁଠୁ ବେଶି ଦୁରୂହ । ଅନ୍ୟର ଜୀବନୀ ଲେଖିବାଠାରୁ ତ ନିଶ୍ଚୟ ବେଶି ।

 

ଏମ୍‍ତି କେତୋଟି କାରଣରୁ ଆଜିଯାକେ ଏ କାମରୁ ପଛେଇ ଯାଇଥିଲି । ଅସଲ କାରଣ ହେଲା, ଅନ୍ୟ କଥା ଭଳି ନିଜ କଥା ନିଜେ ଲେଖିବା ସହଜ ନୁହେଁ । ନିଜ କଥା ବୋଇଲେ ତ ଭଲ ମନ୍ଦ ସବୁ ଅଛି । ଅନ୍ୟର ଗୋଇ ଖୋଳିବା କି ଭଲ ଗୁଣ ଗାଇବାରେ ବାହାଦୁରି ଜଣା ପଡ଼େ । ପାଣ୍ଡିତ୍ୟ ପରଖ ହୁଏ ପରକୁ ଉପଦେଶ ଦେବାରେ । ଘରକୁ ସେମ‌୍‌ତି ବୁଦ୍ଧି ଦିଶିଲେ ସିନା !

 

ଆଉ ଗୋଟିଏ କାରଣ ହେଲା—କେତେ ବର୍ଷ ବୟସରେ ଆତ୍ମଜୀବନୀ ଲେଖାଯାଏ, ତାହାର କିଛି ସୀମା ଧାର୍ଯ୍ୟ ନାହିଁ, ଓଳିଆରୁ ପଡ଼ି ଗଜା ହେଲା ଭଳି କେହି କେହି ଲେଖକ, ଶାସକ ବା ରାଜନୀତିଜ୍ଞ ଆତ୍ମଜୀବନୀ ଲେଖିବା ଯୋଗ୍ୟତା ଅଳ୍ପବୟସରୁ ଅର୍ଜନକରନ୍ତି; କିନ୍ତୁ ତାଙ୍କ ଭିତରେ ଆତ୍ମଜୀବନୀ ଲେଖିବା ଉଦ୍ୟମ କ୍ୱଚିତ୍ ଦେଖାଯାଏ । ଆଉ କିଏ କଳିଷଠା ଷାଠିଏ ପାର ହେଲେ ବି ତାଙ୍କର ନାବାଳିକା ଦୋଷ କଟିପାରେ ନି—ବେଶି ସଂଖ୍ୟାରେ ବୋଧହୁଏ କବି ଲେଖକମାନଙ୍କର । ଯେହେତୁ ଶିଶୁ ମନର ସହଜ ସରଳତା ହେଲା ପରା ତାଙ୍କର ବିଶେଷତ୍ୱ !

 

ବୟସଟା ପୁଣି ଏତେ ଜଲ୍‍ଦି ଲଗାମ ଛଡ଼ା ହୋଇ ଦୌଡ଼େ ଯେ, ସ୍କୁଲକଲେଜରେ ନାଁ ଲେଖାଠାରୁ ଆରମ୍ଭ କରି ଝିଅଙ୍କ ବାହାଘର ଯାକେ ବାପ, ମା’ ଯେମ‌୍‌ତି ସାବଧାନ ହୁଅନ୍ତି, ପିତୃଭକ୍ତ ସନ୍ତାନଗଣ ମଧ୍ୟ ଚାକିରୀରେ ବୟସ କମାଇ ଲେଖିବାକୁ କଚେରିରେ ଏଫିଡେଭିଟ୍ ପର୍ଯ୍ୟନ୍ତ ଯାଇଥାନ୍ତି । ସାଧାରଣତଃ ଆତ୍ମଜୀବନୀ ଯେ ଲେଖନ୍ତି, ସେ ଯେ ଅନ୍ତତଃ ପୌଢ଼ତ୍ୱ ପାର ହୋଇ ବୃଦ୍ଧତ୍ୱ ଆଡ଼କୁ ଆଗେଇଲେଣି କିମ୍ବା ଖୋଦ୍ ବୃଦ୍ଧତ୍ୱରେ ତ୍ପହଞ୍ଚିଲେଣି ଓ ତାଙ୍କର ଅବସର ନେବା ସମୟ ଆସିଗଲାଣି, ଏଭଳି ଧାରଣା ପାଠକର ଆସିବା ସ୍ଵାଭାବିକ । ତାରୁଣ୍ୟର ଉପାସକ କେଉଁ ଲେଖକ ନିଜେ ନିଜକୁ ଏମ‌ତି ସାର୍ଟିଫିକେଟ ଦେବାକୁ ଛାତି ଦମ୍ଭକରି ବାହାରିବ ?

 

ଆଉ ଗୋଟିଏ ପ୍ରତିବନ୍ଧକ—ଆମ ହିତୋପଦେଶର ବାଣୀ—“ଆୟୁବିତ୍ତ୍ୱଂ ଗୃହଛିଦ୍ରଂ ମନ୍ତ୍ରମୈଥୁନମେବ ଚ”—ତା’ପର ପଦଟା ହଠାତ୍ ପଇଟୁନି । ଶେଷ ପଦକ ହେଲା,—“ନବ ଗୋପ୍ୟାନି ଯନ୍ତ୍ରତଃ” । ପ୍ରଥମ ଧାଡ଼ିରେ ଯେଉଁ ପାଞ୍ଚଟି କଥାକୁ ଯତ୍ନସହକାରେ ଗୋପନ ରଖିବାକୁ ଉପଦେଶ ଦିଆଯାଇଛି, ପ୍ରକୃତ ଆତ୍ମଜୀବନୀ ଲେଖିବସିଲେ ତାହା କ’ଣ ସମ୍ଭବ ? ତେବେ ଆତ୍ମଜୀବନୀରେ ପ୍ରକାଶ କରିବାକୁ ହେବ କ’ଣ ? ବୟସକୁ ବା ଜନ୍ମ ତାରିଖକୁ ସୁଦ୍ଧା ଯଦି ଗୋପନ କରାଯାଏ, ତା’ହେଲେ ସରକାରୀ ଚାକିରିପାଇଁ ଦରଖାସ୍ତ ନ କରି ଆତ୍ମଜୀବନୀ ଲେଖିବାକୁ ଯିବ କିଏ କାହିଁକି ? ତା’ପରେ ବିତ୍ତ ବିଷୟ ପ୍ରକାଶ କଲେ ଅବଶ୍ୟ ଆୟକର ଅଫିସର ନୋଟିସ୍ ଭୟ ମଧ୍ୟ ଅଛି । ଅନ୍ୟ ବିଷୟଗୁଡ଼ିକର ବ୍ୟାଖ୍ୟା ଏଠାରେ ଅତିରଞ୍ଜନ ମାତ୍ର ।

 

ପୁଣି ଜନ୍ମରୁ ବଞ୍ଚିଯିବା ପର୍ଯ୍ୟନ୍ତ ସବୁ କଥା ଠିକେ ଠିକେ ମନେ ପଡ଼ିବା କାଠିକର ପାଠ । ପୁଣି ଆଗକଥା ପଛକୁ ଓ ଅବିକଳ ତା’ର ଓଲଟା ଅବସ୍ଥାଟି ଘଟିବା ବିପଦ ମଧ୍ୟ ପଦେ ପଦେ । ସେଥି ସଙ୍ଗେ ନିଜ କଥା ବୋଲି ଅତିରଞ୍ଜନ ଦୋଷଟାକୁ ମଧ୍ୟ ସବୁବେଳେ କଲମ ଅଗରେ ରଖିବାକୁ ପଡ଼ିବ ।

 

ଅନ୍ୟ କାରଣ ହେଲା, ଲେଖକ ଓ ପାଠକ ଭିତରେ ସମ୍ପର୍କ । ଆଜିଯାକେ ଗଦ୍ୟ ପଦ୍ୟ ରଚନା ଭିତରେ ଯେତିକି ସମ୍ପର୍କ ରହିଥିଲା ବା ଯେତେ ଫାଙ୍କତାଳ ପଡ଼ିଥିଲା, ସେ ଖାଲି ପରୋକ୍ଷରେ—ପାଠକ ସଙ୍ଗେ ଲୁଚକାଳି ଖେଳିଲା ଭଳି— ଟିକିଏ ଅଧେ ଠାରିଦେବ କି ଛୁଇଁ ଦେଲାପରି ।

 

ଏ କିନ୍ତୁ ଏକାବେଳେ ମୁହାଁମୁହିଁ । ପାଠକମାନଙ୍କ ବିଚାର-ଦର-ବାରର ଖୋଦ କାଠଗଡ଼ା ଭିତରେ ! ଯାହା କହିବି ସତ କହିବି । ହଲପ୍ ପ୍ରମାଣେ କିଛି ଲୁଚାଇବି ନାହିଁ । ଆତ୍ମ ଜୀବନୀ କି ଜୀବନୀ ଲେଖିବା ସାହିତ୍ୟର ଗୋଟାଏ ଅବଶ୍ୟ ହାଲ ଫେସନ । ଅତୀତରେ ଏ ଧାରାର ପ୍ରଚଳନ ବିରଳ । କାରଣ ହୁଏତ ଜଣେ ଲେଖକର ଜୀବନ କଳ୍ପନାବହୁଳ ସିନା, ଘଟଣା ବହୁଳ ତ ନୁହେଁ । ତେଣୁ ସମାନ୍ୟକୁ ଅସାମାନ୍ୟ କରିବା ଯେମ୍‍ତି ଲେଖକର ଧର୍ମ ।

 

ପୁଣି ସତ ହେଉ କି ମିଛ ହେଉ, ଆତ୍ମ-ଜୀବନୀ ବୋଇଲେ ଆରମ୍ଭରୁ ଶେଷଯାକେ ଖାଲି ମୁଁ, ମୋର, ମତେ । ବହୁ ଘଟଣା ଓ ବହୁ ଚରିତ୍ର ସୃଷ୍ଟି ଭିତରେ ଗଳ୍ପ, କବିତା ବା ନାଟକ ଭିତରେ କେଉଁ ଲେଖକର ଲେଖା ଅବା ମୁଁ-ମୋର-ମତେରୁ ବିମୁକ୍ତ କି ? ସେଥିଲାଗି ତା’ର ଆତ୍ମଜୀବନୀ ଅନାବଶ୍ୟକ ମନେହୁଏ । ‘ମୁଁ’ ର ଅନ୍ୟ ନାମ ଅହଂକାର । ଅହଂକାରୀ ଦେଖାଏ ନିଜ ବଡ଼ିମା, ଆପଣା ପୌଢ଼ି, ନିଜ ବିଜ୍ଞାପନ । ନିଜ ବଡ଼ିମା ବଖାଣିବା ଅବଶ୍ୟ ମଣିଷର ଗୋଟାଏ ସହଜ ଦୋଷ ବା ଗୁଣ । ନିଜ ବିଜ୍ଞାପନ ଦେବାକୁ ତ ତା’ ର ଜନ୍ମ ! କଥକ ମାତ୍ରେ, ଲେଖକ ମାତ୍ରେ ଆଉ କ’ଣ କହନ୍ତି ବା ଲେଖନ୍ତି କି ? ତାଙ୍କ ନିଜ ପାଇଁ ସତ ଫଳେଇ ସେ କହିଥାନ୍ତି । ଶୁଣିବା ଲୋକ ପାଖରେ ତାହା ମିଛ ହୋଇପାରେ । ସାଧାରଣ କଥାବାର୍ତ୍ତାରେ ସେଥିପାଇଁ କହିବା ଲୋକ ମୁହଁରୁ ପରା ଶୁଣାଯାଏ, ‘ମତେ ସତ, ତୁମକୁ ମିଛ ।’

 

ନିଜ ଜୀବନକାହାଣୀ ଲେଖିବାକୁ ଏତିକି ମାତ୍ର ସମର୍ଥନ ମୋତେ ମିଳୁଛି—ନିଜର ଦୋଷଗୁଣ, ସତ ମିଛ ନିଜେ ପରଖି ଜାଣିବାପାଇଁ ଏହା ଗୋଟିଏ ବାଟ ହୋଇପାରେ ।

 

ନଇଲେ ପୃଥିବୀରେ ତ କୋଟି କୋଟି ମଣିଷ । ଓଡ଼ିଶାରେ ବି ହାରାହାରି ଦୁଇ କୋଟି । ତାଙ୍କ ଭିତରୁ କେତୋଟି ଆତ୍ମଜୀବନୀ ଅଛି କି ଆମ ସାହିତ୍ୟରେ ? ସେଗୁଡ଼ିକୁ ତ ଆଙ୍ଗୁଠି ଅଗରେ ଗଣିହେବ । ସବୁଠାରୁ ଅଲେଖା ରହିଯାଏ ବେଶି ଲୋକଙ୍କର ଜୀବନୀ । ଅବଶ୍ୟ ତାଙ୍କ ଜୀବନର ଅସଂଖ୍ୟ ଅନୁଭୂତି ଅଭିଜ୍ଞତା ପୁଣି ଅପର୍ଯ୍ୟାପ୍ତ ଘଟଣା ପ୍ରବାହ ହୁଏ କଳା ସାହିତ୍ୟର ଉପଜୀବ୍ୟ ।

 

ଆତ୍ମ-ଜୀବନୀ ଲେଖିବାର ଆଉ ଗୋଟିଏ ସମର୍ଥନ ମଧ୍ୟ ଅଛି । ଆମର ଏଇ ପୃଥିବୀ ଉପରେ କେତେ ମଣିଷ ଆଉ କେତେ ଜୀବଜନ୍ତୁ ନିତି ଜନ୍ମନ୍ତି, ପୁଣି ମରନ୍ତି । ପ୍ରତ୍ୟେକର ରୂପ ଆଉ ଚେହେରା ଅନ୍ୟଠାରୁ ପୁଣି ଅଲଗା । ଚାଲିଚଳନ ବାପା ମାଆଙ୍କଠାରୁ ପୁଅଝିଅଙ୍କ ଚେହେରାରେ ଟିକିଏ ସାମଞ୍ଜସ୍ୟ ଥିଲେ ବି ଫରକ ଅଛି ସେମ୍‍ତି । ଭାଇଭଉଣୀଙ୍କ ଢଙ୍ଗରଙ୍ଗରେ ବି ସେମ୍‍ତି ଫରକ ବାରି ହୋଇପଡ଼େ, ଜଣକଠାରୁ ଆଉ ଜଣକର ।

 

ପୁରୁଣା ଲୋକେ ସେ ଫରକ ବା ସମାନତାକୁ ସହଜରେ ଠଉରେଇ ପାରନ୍ତି । ଆତ୍ମ ଜୀବନୀ ଲେଖିବାଟା ମଧ୍ୟ ଭିତରେ ତାହାର କାମଦାମ ବିଚାର ବିବେଚନା ଭିତରେ, ଆହାର, ନିଦ୍ରା, ଭୟ, ମୈଥୁନ ଭିତରେ ଅପର ଜୀବଜନ୍ତୁଙ୍କଠାରୁ କି କି ଫରକ ରହିଛି, ଆତ୍ମ-ଜୀବନୀ ଲେଖିବସିଲେ ସେଇ ଫରକର ସମ୍ମୁଖୀନ ହେବାକୁ ପଡ଼େ ଅତି ନିର୍ଦ୍ଦୟ ରୂପରେ ।

 

ସମ୍ମୁଖୀନ ହେବାକୁ ପଡ଼େ, ମୂର୍ଖ-ପଣ୍ଡିତ, ମାଲିକ-ମୂଲିଆ, ଶାସକ-ଶାସିତ, ଧନୀ-ନିର୍ଦ୍ଧନ, ପଶୁପକ୍ଷୀ, କୀଟପତଙ୍ଗ, ଜଳଚର, ସ୍ଥଳଚର ଓ ଆକାଶଗାମୀ ମଣିଷ ତଥା ଅନ୍ୟାନ୍ୟ ଜୀବଜନ୍ତୁ ସହିତ ରୋକଠୋକ୍ ମୁକାବିଲା କରିବାପାଇଁ । ଏମାନଙ୍କ ସାଥିରେ ଆପଣାର ରୀତିନୀତି, ଆଚାର ବିଚାର ଓଜନ କରିବା ପାଇଁ ଆତ୍ମ-ଜୀବନୀ ଲେଖିବାଟା ଏକ ଉପାୟ ।

 

ଅତି ବିଚିତ୍ର, ଅତି ଅଦ୍ଭୁତ ମୁହୁର୍ମୁହୁ ବିବର୍ତ୍ତମାନ ଏଇ ସୃଷ୍ଟିରେ ମଣିଷ, ପଶୁପକ୍ଷୀ, କୀଟପତଙ୍ଗ ଭିତରେ ଆହାର, ନିଦ୍ରା, ଭୟ, ମୈଥୁନ ବା ଜାଗରଣରେ ଯେମ୍‍ତି ସମାନତା, ସେମ୍‍ତି ରୂପଗୁଣ ବିଚାରରୁ ପ୍ରତ୍ୟେକ ଠାରୁ ଅନ୍ୟର ପ୍ରାର୍ଥକ୍ୟ । ମୋର ଏହି ଆତ୍ମଜୀବନୀ ସେହି ସାମ୍ୟ ଓ ବ୍ୟତିକ୍ରମରେ କିଞ୍ଚିତ୍ ମାତ୍ର ଅଧ୍ୟୟନ ହୋଇ ପାରିଲେ ସାର୍ଥକ ହେବ ବୋଲି ମୁଁ ବିଚାର କରେଁ ।

 

ଜନ୍ମା-ବଧି ଖାଲି ତ ବାପାମାଆ ଭାଇ ଭଉଣୀ, ବନ୍ଧୁ କୁଟୁମ୍ୱଙ୍କ ମେଳରେ ମୁଁ ବଢ଼ି ଆସିନି, ହେତୁ ହେବା କାଳୁଁ କେତେ ଯେ ପିମ୍ପୁଡ଼ି ଜନ୍ଦାଙ୍କ କାମୁଡ଼ା, କେତେ ଯେ ବିରାଡ଼ି କୁକୁରଙ୍କ ରାମ୍ପୁଡ଼ା ମୁଁ ସହିନି, କେତେ ଯେ ବଣି ଝିଣ୍ଟିକା, ବିଛା, ବେଙ୍ଗ ସାପ, ଶୁଆଶାରୀ, ଛେଳି ବାଛୁରୀ ମୋର ସାଙ୍ଗସାଥି ହୋଇ ମୋ ଜୀବନକୁ ଗଢ଼ି ନାହାନ୍ତି—କେତେ ଘୋଡ଼ା ହାତୀ, ବାଘ ସିଂହ, ଗାଡ଼ି ମଟର, ଉଠାଣିଗଡ଼ାଣି-ଧୂଳିମାଟି, ପାଣିପବନ, କାଦୁଅପଙ୍କ, ବଣପାହାଡ଼, ଆଲୁଅଅନ୍ଧାର, ସୂର୍ଯ୍ୟଚନ୍ଦ୍ର, ତାରାଆକାଶ । ଯେତେ ବଖାଣିଲେ ସେ କାହାଣୀ କ’ଣ ସରିବ, କି କେବେ ସରିଚି ଭଲା !

 

ହାଣ୍ଡିକ ଭାତରୁ ଗୋଟିଏ ଚିପିଲା ପରି ଲିଖିତ ଜୀବନୀ ବା ଆତ୍ମ-ଜୀବନୀରୁ ଅଲେଖା ଜୀବନୀଗୁଡ଼ିକର ବି କେତେ କଥା ଜାଣିହୁଏ । ଲେଖା-ଅଲେଖା ସବୁ ଜୀବନୀର ଆରମ୍ଭଟା ପ୍ରାୟ ସମାନ । ପୁଣି ହୁଏ ତ ଶେଷଟା ।

 

ଆରମ୍ଭରୁ ସବୁ ଘର ସବୁ ଦେଶ କଅଁଳା ପିଲାଙ୍କ କୁଆଁ କୁଆଁ, ହସ କାନ୍ଦ, କି ହାତ ଗୋଡ଼ ଛାଟିବାରେ କିଛି ଫରକ ନାହିଁ । ଦିନକୁ ଦିନ ସେହି ପିଲାର ରୂପ ରଙ୍ଗ ବଦଳିଯାଏ । ଗୋଟିକଠାରୁ ଅନ୍ୟଟିକୁ ବାରିହୁଏ । ଆମ ସମାଜରେ ଏକୋଇଶିଆ, ଗଣାପୋଛା, ନାଁ ଦିଆ ପରି ଅନ୍ୟ ସମାଜରେ ବି ତାକୁ ଗୋଟିଏ ନୂଆ ମଣିଷ ହିସାବରେ ଚିହ୍ନଟ କରିବାକୁ ପ୍ରଥା ଅଛି ।

 

ତହୁଁ ସେ ମା’ ବାପ, ପରିବାରଙ୍କ ମୁହଁରୁ ଶିଖେ ଗୋଟିଏ ଭାଷା । ତେବେ ବି ପୃଥିବୀର ସବୁ ପିଲାଙ୍କର ପେଟେଇବା, ଗୁରୁଣ୍ଡିବା ବା ଠିଆ ଚାଲି ଦୌଡ଼ ପ୍ରାୟ ସମାନ । ବଡ଼ ହେଲେ ବି ଖିଆପିଆ, ଶୁଆ,ଉଠା, ହସ-କାନ୍ଦ, ନାଚ-ଗୀତ ସବୁ ଦେଶ ମଣିଷଙ୍କ ଭିତରେ ରହିଛି । ସ୍ତ୍ରୀ ପୁରୁଷ ପରିବାର, ବାହାପୁନିଅ, ତୀର୍ଥ ବ୍ରତ କେଉଁଠି ନ ଥାଇ ତ ନାହିଁ ।

 

ଦେଶକେ ଫାଁକ୍ ରହିଲା ଭଳି ଭାଷା, ପୋଷାକ, ରୀତିନୀତି, ଧର୍ମ ସଂପ୍ରଦାୟର ଫରକ ତାକୁ ଗୋଷ୍ଠୀ ବା ଦଳ ଭିତରେ ଚିହ୍ନାଇଦିଏ । ଆହୁରି ବି ଚିହ୍ନାଇ ଦିଏ ଭଲ-ମନ୍ଦ, ଦୁଷ୍ଟ ଶିଷ୍ଟ, ସାଧୁ-ଲମ୍ପଟ, ଭଦ୍ର-ଚୋର, ପାଠୁଆ-ମୂର୍ଖ, ଧନୀ-ନିର୍ଦ୍ଧନ, ଶାସକ-ଶାସିତ, ଶୋଷକ- ଶୋଷିତ, ମାଲିକ-ମୂଲିଆ ଭେଦ ବିଚାର ।

 

ଶ୍ରେଣୀବିଭାଗର ଏହା ଅଳ୍ପ କେତୋଟି ନମୁନାମାତ୍ର । ଏଥିରେ ଅଛି ମଣିଷର ଗୁଣ ଦୁର୍ଗୁଣ ପୁଣି ଅବସ୍ଥାଭେଦର ସୂଚନା । ଜନ୍ମରୁ ସବୁପିଲାଙ୍କ ପ୍ରକୃତି ସମାନ ଥାଇପାରେ, ଅବସ୍ଥା ଭେଦରେ ଗୁଣ ଦୁର୍ଗୁଣ ଜଣାପଡ଼େ । ଭଲମନ୍ଦ ବା ଦୁଷ୍ଟ-ଶିଷ୍ଟ ଭାବରେ ସେ ପରିଚିତ ହୁଏ । ପାରିବାରିକ ଓ ସାମାଜିକ ବେଷ୍ଟନୀର ପ୍ରଭାବଦ୍ଵାରା ଗଢ଼ି ଉଠେ ତା’ର ଚରିତ୍ର । ସେଥିଲାଗି ତା’ର ନିଜ କୃତିତ୍ୱ ଖୁବ୍ ବେଶି ଥାଇ ନ ପାରେ ।

 

କୌଣସି ଚରିତ୍ରକୁ ଖାଲି ଭଲ ବା ଖାଲି ମନ୍ଦ କହିବା ମଧ୍ୟ ଠିକ୍ ନୁହେଁ । ଗୋଟିଏ ଚରିତ୍ରରେ ସବୁ ଗୁଣ ବା ଦୁର୍ଗୁଣଗୁଡ଼ିକ ଅଳ୍ପ ବହୁତ ରହିଥାଏ । ଯେତେବେଳେ ଯେଉଁ ଗୁଣ ବା ଦୁର୍ଗୁଣଟା ସେହିପରି ଅବସ୍ଥାର ପ୍ରଭାବରେ ଅଧିକ ହୋଇପଡ଼େ, ସେତେବେଳେ ତଦନୁରୂପ ବିଶେଷଣଦ୍ୱାରା ସେ ଚରିତ୍ରଟି ଚିହ୍ନିତ ହୁଏ ।

 

ବ୍ୟତିକ୍ରମର ଅଭାବ ମଧ୍ୟ ନାହିଁ । ପ୍ରତିକୂଳ ଅବସ୍ଥା ଭିତରେ ସୁଦ୍ଧା ଅନେକ ସତ୍ ଚରିତ୍ର ଜନ୍ମଲାଭ କରେ । ପୁଣି ଅନୁକୂଳ ବାତାବରଣ ଭିତରେ ବି ଅସତ୍ ଚରିତ୍ରର ଢେର ଉଦାହରଣ ଅଛି-। ଆତ୍ମଜୀବନୀ ଲେଖିବାକୁ ଗଲାବେଳେ ନିଜ ଜୀବନରେ ଏଇସବୁ ଗୁଣ ଦୁର୍ଗୁଣ ବିଚାର ଆସି ପହଞ୍ଚେ । ସେଥିମଧ୍ୟରୁ କେଉଁଟି ପ୍ରକାଶ୍ୟ ବା ପ୍ରକାଶ୍ୟ ନୁହେଁ, ତାହା ମଧ୍ୟ ଭାବିବା କଥା ।

 

ଖାଲି ଭଲ ଦିଗଟାକୁ ପ୍ରକାଶ କଲେ ତ ପକ୍ଷପାତ ଦୋଷ । ଆଉ ଯଦି ମନ୍ଦ ଦିଗଟି ପ୍ରକାଶ କରାଯାଏ ? ସତ୍ୟକୁ ଗୋପନ ରଖିବା ମଧ୍ୟ ମିଥ୍ୟାଚାର ସଙ୍ଗେ ସମାନ ନୁହେଁ କି ? ବରଂ ତାହା ଅଧିକ ଦୋଷାବହ । କାରଣ ଲୁଚାଇ ରଖିବାଟା ଯେ ଆଉରି ଅଧିକା ଦୋହରା ଅପରାଧ ! ଅଧା ଲୁଚାଇ ‘ନରେ ବା ଗୁଞ୍ଜରେ ବା’ କହିଲେ ବି ନରକ- ଦର୍ଶନ ଯୋଗ ।

 

ତଥାପି—

 

ଅପ୍ରିୟ ସତ୍ୟ ବୋଲି କଥାଟିଏ ଅଛି । ଯେଉଁ ସତ୍ୟ କହିଲେ ପରିବାର,ସମାଜ ବା ରାଷ୍ଟ୍ରର ଅପ୍ରିୟ ହେବାକୁ ପଡ଼ିବ, ତାହା ବର୍ଜୟେତ୍ । ସତ୍ୟଟା ସେଠାରେ ନ୍ୟାୟଠାରୁ ଦୋସରା । ଯେଉଁ ସତ୍ୟପ୍ରକାଶ ପରିବାର, ସମାଜ ବା ରାଷ୍ଟ୍ରର ବିରୋଧୀ, ତାହା ପ୍ରକୃତରେ ଅନ୍ୟାୟ । ଅଶ୍ଳୀଳ, ଅସାମାଜିକ ବା ରାଷ୍ଟ୍ର ବିରୋଧୀ ଲେଖା ମଧ୍ୟ ସେଇ ବିଚାରରୁ ଦଣ୍ଡନୀୟ । ପାଠକ ଗୋଷ୍ଠୀରେ ବି ତାହାର ସମାଦର ଲାଭର ସମ୍ଭାବନା ଅତି କମ୍ । ତାହାହେଲେ ସେହିଭଳି ଉଲଗ୍ନ ସତ୍ୟ ପ୍ରକାଶ କରି ଲାଭ କ’ଣ ? ଅଶ୍ଳୀଳ ଓ ରାଷ୍ଟ୍ରବିରୋଧୀ ସାହିତ୍ୟର ପରିଣାମ କେବଳ ନିନ୍ଦନୀୟ ଓ ବାଜେୟାପ୍ତ ହେବା । ଲେଖକ ସିନା ପାଠକ ପାଇଁ ଲେଖେ; ବାଜେୟାପ୍ତ ହେବାକୁ କି ନିନ୍ଦା ଶୁଣିବାକୁ ତ କଦାପି ନୁହେଁ ।

 

ଆତ୍ମ-ଜୀବନୀ-ଲେଖକର ଆହୁରି ଏକ ବିପଦ ହେଲା, ସେ ଯେତେ ସବିନୟ ନିବେଦନ କରୁ ପଛେ ସେ ବିନୟର ଅସଲ ମର୍ମ କେବଳ ତେତିକି ଆତ୍ମ ପ୍ରଶସ୍ତି । ସେଥିରୁ ଅବଶ୍ୟ ଆତ୍ମପ୍ରସାଦ ମିଳେ, ସାହସ ଆସେ, ଆଉ ମଧ୍ୟ ଆତ୍ମ-ପ୍ରଶସ୍ତିର ଅର୍ଥ ହେଲା, ଅବଶ୍ୟମ୍ଭାବୀ ପତନ-। ମୋର ଏଇ ପତନ ପାଇଁ ମୁଁ ଓ ମୋର ବନ୍ଧୁମାନେ ଦାୟୀ । ଏଥିରୁ ଉଦ୍ଧାରପାଇଁ ମଧ୍ୟ ଆମେ ଉଭୟ ଦାୟୀ ।

 

ସତ୍ୟାସତ୍ୟ ନ୍ୟାୟ ଅନ୍ୟାୟର ଯେତେ ରକମ ବିରୁଦ୍ଧ ବିଚାର ଅଛି, ତା’ ଭିତରେ ଏଇ ଆତ୍ମ-ପ୍ରସାଦ ହିଁ ଲେଖକକୁ ଲେଖାଏ । ଗଲାକଥାଗୁଡ଼ିକୁ ମନଗହନରୁ ଓଟାରି ଆଣିବାରେ ମଧ୍ୟ ଏକ ପ୍ରକାର ତୃପ୍ତି ଅଛି, ଆନନ୍ଦ ଅଛି—ଅଖଣ୍ଡ ଅବିନଶ୍ଵର ଆନନ୍ଦ । ସେ ଆନନ୍ଦ ଭିତରେ ଥାଏ ଗଭୀରତମ ବ୍ୟଥା ଆଉ ଦରଦ । “ଗୋଡ଼ ଖସି ପାଦ, ହେବାରୁ ଦରଦ ଯିବାର ଉପାୟ କହରେ ସଙ୍ଗାତ—ଗଲାଣି ତ ଗଲା କଥା !” ଏ ଦରଦ ଭିତରେ ପୁଣି କେତେ ମାଧୁର୍ଯ୍ୟ ! ସେ ବ୍ୟଥା ବଳିପଡ଼ିଲେ ଖାଲି ପ୍ରିୟ ପାଠକ ଆଗେ ଗୁପତରେ କହିବାକୁ ହୁଏ-ଯେଉଁ ବ୍ୟଥା ଆଉ ଦରଦ ନ ଥିଲେ ଆନନ୍ଦ ହୁଏ ଅସଂପୂର୍ଣ୍ଣ ,ଅର୍ଥହୀନ । ଦୁଃଖ ସୁଖ ଦୁଇଟିକୁ ଘେନି ସବୁରି ଉପରେ ତାହା ଜାଜ୍ଜ୍ଵଲ୍ୟମାନ ସୂର୍ଯ୍ୟ । ସୂର୍ଯ୍ୟ ସହିତ ଛାୟା ପରି ଆନନ୍ଦ ସଙ୍ଗେ ସୁଖ-ଦୁଃଖର ସମ୍ପର୍କ ଜଡ଼ିତ । ଦୁଃଖ ସୁଖର ନିବିଡ଼ତମ ଅନୁଭୂତି ହିଁ ଆନନ୍ଦ ଉତ୍ପତ୍ତିର ମୁହାଣ ! ସୁଖ ଦୁଃଖର ଅନୁଭୂତି ଅଛି, ଆନନ୍ଦ କେବଳ ଉପଲବ୍‍ଧିର ବସ୍ତୁ । ସେଇ ଆନନ୍ଦର ଉପଲବ୍ଧି ପାଇଁ ସାନବଡ଼ ସୁଖ ଦୁଃଖର ବିଲୁପ୍ତ ଘଟଣାଗୁଡ଼ିକୁ ଭାଷାରେ ଗୁନ୍ଥି ଆତ୍ମଜୀବନୀ ଲେଖିବାରେ ମଧ୍ୟ କିଛି ଯଥାର୍ଥ୍ୟ ଥାଇପାରେ ।

 

ଅତୀତର ବିଷୟ, ବିଗତର ବିବରଣ ବଖାଣେ ଆତ୍ମଜୀବନୀ; ଅଥଚ ଅତୀତର ବହୁ ଘଟଣା କଳ୍ପନାରେ ପରିଣତ ହୋଇପଡ଼େ । ବିସ୍ମୃତିର ପର୍ଦ୍ଦା ଉହାଡ଼ରେ ଲୁଚିଯାଏ ମଧ୍ୟ ଅନେକ । ପ୍ରତି ପ୍ରଭାତ ଜୀବନ-ଗ୍ରନ୍ଥର ନୂଆ ନୂଆ ପୃଷ୍ଠା ଓଲଟାଏ, ଉଦ୍‍ଘାଟନ କରେ ନବୀନ ଆଲୋକର ଦ୍ୱାର, ପୁଣି ଶୁଣାଏ ନୂତନ ବାଣୀ । ସେ ପୃଷ୍ଠାକୁ ପଢ଼ିବା ପାଇଁ ଯେ ଆଖି ଫିଟାନ୍ତି, ସେ ବାଣୀ ଶୁଣିବାକୁ କାନ ଡେରନ୍ତି, ତାଙ୍କରି କେବଳ ଜନ୍ମେ ଆଲୋକସନ୍ଧାନର ଯୋଗ୍ୟତା

 

କେତେ କର୍ମ-ଯୋଜନା, କେତେ ସଂକଳ୍ପ, କେତେ ଆଶା-ନିରାଶାର କାହାଣୀରେ ପରିପୂର୍ଣ୍ଣ ସେଇ ଜୀବନ-ଗ୍ରନ୍ଥର ପ୍ରତି ପୃଷ୍ଠା ! ଆକାଶ ଧରଣୀର କେତେ ରୂପ ରଙ୍ଗ ରସରେ ତାହା ସଚିତ୍ର ବିଚିତ୍ର ! ପୁଣି ତାହାର ଅଭିନବ ବାଣୀରେ ଜୀବନ-ମରଣର କେତେ ନବ ନବ ଛନ୍ଦ, କେତେ ଅହେତୁକ ତଥ୍ୟର ଆବିଷ୍କୃତ ! କେତେ ସରଳ କୁଟିଳ ହେତୁ; ଆଉ ଅପୂର୍ବ ପୁଲକ ସ୍ପନ୍ଦନ ! ସେଇ ଆଲୋକ ଭିତରେ ପୁଣି କେତେ ତରଳ ଚଞ୍ଚଳ ଛାୟା, କେତେ ନିବିଡ଼ ଗଭୀର ଅନ୍ଧକାର, ହସ କାନ୍ଦ, ମିଳନ, ବିଚ୍ଛେଦ ! କେତେ ହିଂସାଦ୍ୱେଷ, ପ୍ରେମ-ପ୍ରଣୟର ଜୁଆର–ଭଟ୍ଟା ! କେତେ ଜୟ ପରାଜୟ, ସାର୍ଥକତା ଆଉ ବ୍ୟର୍ଥତା, କେତେ ଦୃଶ୍ୟ ଅଦୃଶ୍ୟ, ଶ୍ରୁତଅଶ୍ରୁତ, କଳ୍ପନା ଜଳ୍ପନା, ଅବାସ୍ତବ ବାସ୍ତବର ବିଚାର ! ସତ୍ୟାସତ୍ୟ ନ୍ୟାୟ ଅନ୍ୟାୟର କେତେ ଅଦ୍ଭୁତ ସିଦ୍ଧାନ୍ତ ! କେତେ ମର୍ମଭେଦୀ ଦୀର୍ଘଶ୍ୱାସ, ଗଗନଭେଦୀ ହାହାକାର, କେତେ ବାଙ୍ମୟ ବାଚାଳତା, କେତେ ନିଘୋଡ଼ ନୀରବତା କେତେ ବିମୋହ, କେତେ ବିସ୍ମୟ ! ପୁଣି କେତେ...! ପ୍ରତି ପ୍ରଭାତ ପ୍ରତି ମୁହୂର୍ତ୍ତର ପଦକ୍ଷେପରେ ଧ୍ୱନିତ, ନୀରବିତ ସେଇ ଜୀବନ-ଗ୍ରନ୍ଥର ପ୍ରତିପୃଷ୍ଠା ।

 

ନୂଆ ପୁରୁଣା ଲିଖିତ ଭାଷାର ଗ୍ରନ୍ଥମାନଙ୍କରେ ଆତ୍ମଜୀବନୀ ଦେଖାଯାଏ । ସେଥିମଧ୍ୟରୁ ଅଧିକାଂଶ ବୋଧହୁଏ କବି ଲେଖକମାନଙ୍କର । ବାଣିଜ୍ୟ-ବ୍ୟବସାୟ, ଭ୍ରମଣ-ଆବିଷ୍କାର ରାଜନୀତି, ସମରନୀତି, ରାଷ୍ଟ୍ର ବା ସମାଜର ନାନା କ୍ଷେତ୍ରରେ ଅନେକେ କାମ କରନ୍ତି । ତାଙ୍କ ଭିତରେ ବହୁ ବିଚିତ୍ର ଘଟଣାବହୁଳ ଜୀବନ ଅଛି; ମାତ୍ର ଲେଖିବାର ଅଭ୍ୟାସ ଅଭାବରୁ ତାଙ୍କ ଆତ୍ମଜୀବନୀ ଅଲେଖା ରହିଯାଏ; କିନ୍ତୁ ତାଙ୍କ କର୍ମ ଓ ଆଦର୍ଶ ପ୍ରେରଣା ଯୋଗାଏ ଜୀବନୀ-ଲେଖକମାନଙ୍କୁ । ସେମାନେ ନିଜେ ନିଜ ଜୀବନୀ ନ ଲେଖିଲେ ବି ଅନ୍ୟମାନଙ୍କଦ୍ୱାରା ଲେଖାନ୍ତି । ତା’ଫଳରେ ବାଲ୍ମୀକି ବ୍ୟାସଙ୍କଠାରୁ ବେଶି ପୂଜା ପା’ନ୍ତି—ରାମ ସୀତା ବା ରାଧା କୃଷ୍ଣ—ସେଇପରି ପୁଣି ବୃଦ୍ଧ ଯିଶୁ ବା ମହମ୍ମଦ ।

 

ସେମାନଙ୍କ ଭଳି କବି–ଲେଖକର ଜୀବନ ପ୍ରାୟ ଲୌକିକ ବା ଅଲୌକିକ ଘଟଣାରେ ପୂର୍ଣ୍ଣ ନୁହେଁ; ଅଥଚ କବି-ଲେଖକର ମାନସରାଜ୍ୟହିଁ ଅସଂଖ୍ୟ ଘଟଣାମୟ । ସେଇଠି ସବୁ ଦ୍ଵନ୍ଦ ଓ ସଂଘର୍ଷର ଅଭିଜ୍ଞତା; ତେଣୁ ତାଙ୍କ ଆତ୍ମ-ଜୀବନୀରେ ଘଟଣା ଅପେକ୍ଷା କଳ୍ପନାର ବିଳାସ ଅଧିକ ହେବା ସ୍ୱାଭାବିକ । ସେଥିଲାଗି ଜର୍ମାନ କବି ଗ୍ୟେଟେ ସ୍ଵୀୟ ସୁବିଖ୍ୟାତ ଆତ୍ମ-ଜୀବନୀର ନାମକରଣ କରିଥିଲେ, “କବିତା ଓ ସତ୍ୟ” । ଲେଖକ-ଜୀବନକୁ ଏପରି ଏକ ଅର୍ଥପୂର୍ଣ୍ଣ ସଂକ୍ଷିପ୍ତ ସୂତ୍ରରେ ନିବଦ୍ଧ କରିବାର ଅନ୍ୟ ଉଦାହରଣ ନାହିଁ ।

 

ଯଥାର୍ଥରେ ଆତ୍ମ-ଜୀବନୀ ଗୋଟିଏ କାବ୍ୟ ବିଶେଷ । ସେ କାବ୍ୟର ବିଶେଷତ୍ୱ—ତାହା ସତ୍ୟ ଘଟଣାସମ୍ବଳିତ । କବିତା ପୁଣି ଇତିହାସର ଏକ ଜୀବନ୍ତ ସାଲିସ୍ । କବିତାର କଳ୍ପନା-ବିଳାସ ସହିତ ଇତିହାସର ମିଳନ କ୍ଷେତ୍ର ସେପରି ଆଉ କାହିଁ ଦେଖାଯାଏ ନାହିଁ । ଇତିହାସ କହିଲେବି ଖାଲି ତ ସନ ତାରିଖର ଶୁଷ୍କ ଘଟଣାପୂର୍ଣ୍ଣ ବିବରଣୀ ନୁହେଁ ! ଲେଖକର କଳ୍ପନା-ଚାତୁର୍ଯ୍ୟମୟ ଜୀବନ ସଙ୍ଗେ ଐତିହାସିକ ସତ୍ୟାନୁସନ୍ଧିତ୍ସାର ଏକ ଦୈବାତ୍ ସମାବେଶ ଘଟେ ସେହି କ୍ଷେତ୍ରରେ ।

 

କବିତାରେ ଆତ୍ମ-ଜୀବନୀ ରଚନା ଉଦ୍ୟମ ଏ ଯୁଗର କବିମାନଙ୍କଠାରେ କ୍ୱଚିତ୍ ଦେଖାଯାଏ; ମାତ୍ର କବି-ଜୀବନକୁ ରସାଳତର କରିବାପାଇଁ ଏହା ଗୋଟିଏ ଉତ୍ତମ ଦିଗ । ଅବଶ୍ୟ କବିର ସାନବଡ଼ କବିତାଗୁଡ଼ିକ ଏକ ଛନ୍ଦୋମୟ ଜୀବନର ଅଙ୍ଗବିଶେଷ । ପରୋକ୍ଷରେ ତାହା କବିର ରସାନୁଭୂତି ଓ ଅଭିଜ୍ଞତାର ଲିପିକା ମାତ୍ର । ପୁଣି ଏକ ଅନ୍ତରୀଣ, ସ୍ଵେଚ୍ଛା-ବନ୍ଦୀ ବିପ୍ଳବୀ ସୈନିକର ଆତ୍ମିକ ସଂଘର୍ଷର ପରିଚୟ ମଧ୍ୟ । ଅତୀତରୁ ଆଜି ପର୍ଯ୍ୟନ୍ତ ଏଇ ବନ୍ଦୀ-ଜୀବନର ମର୍ମନ୍ତୁଦ କାହାଣୀରେ ବିଶ୍ୱ ସାହିତ୍ୟ ରକ୍ତ-ରଞ୍ଜିତ ହୋଇଉଠିଚି ।

 

କବି ଶିଳ୍ପୀମାତ୍ରେ ନିଜ ଜୀବନରୁ ଯାହା ଲୋଡ଼େ, ତାହାର ସର୍ବୋପରି ହେଲା ଏକ ମୁକ୍ତ ଅବାଧ ନିର୍ଭୀକ ଆତ୍ମପ୍ରକାଶ । ସେ ପ୍ରକାଶ ଅସ୍ଵୀକାର କରେ ରାଷ୍ଟ୍ରସମାଜର ନୀତି-ନିୟମ-ଜର୍ଜରିତ ନିଗଡ଼ ବନ୍ଧନକୁ, ସୂର୍ଯ୍ୟ ଯେପରି ଅନ୍ଧାରକୁ ଅସ୍ଵୀକାର କରେ ।

 

ଯେଉଁ ଦୁଇଟି ମହାକାବ୍ୟକୁ ମୂଳଦୁଆ କରି ଭାରତର ସାହିତ୍ୟ-ସୌଧ-ସୃଷ୍ଟିରେ ଆଜି ସୁଦ୍ଧା ବିରାମ ନାହିଁ, ତାହାର ଉଭୟ କବି ନିଜ କୃତିରେ ହିଁ ଆତ୍ମଜୀବନୀର କିଞ୍ଚିତ୍ ସୂଚନା ଦେଇଛନ୍ତି । ତା’ରି ଭିତରେ କବିତା ଓ ସତ୍ୟର ଅପୂର୍ବ ସମାବେଶ ଦେଖାଯାଏ । ସେ ସତ୍ୟ ସମାଜ-ରାଷ୍ଟ୍ରର କୌଣସି ବନ୍ଧନକୁ ଯେପରି ଭ୍ରୁକ୍ଷେପ କରିନାହିଁ । ତାହା ଆଧୁନିକ ବିଚାରରେ ସୁଦ୍ଧା ବିସ୍ମୟକର । ତହିଁରେ ରାଷ୍ଟ୍ର ପୁଣି ସମାଜବିରୋଧୀ ଘଟଣାଗୁଡ଼ିକର ଯେଉଁ ସମର୍ଥନ ଅଛି, ସେ ଦୃଷ୍ଟିରେ ନିନ୍ଦିତ ଓ ବାଜେୟାପ୍ତ ହେବା ଛଡ଼ା ତ ତାହା ପ୍ରତି ଅନ୍ୟ ସୁବିଚାର ନାହିଁ !

 

ଜଣେକବି (ଆଦିକବି) ନିଜ ଜୀବନର ପ୍ରାରମ୍ଭିକ ପରିଚୟ ଦେଲେ-ସେ ଥିଲେ ମଣିଷମାରୁ ଡକାଏତ ! ଆର ଜଣକ (କବୀଶ୍ଵର) ଅଜାତି ଜାରଜ—ନିଜ ପିତା ମୁନି ପରାଶରଙ୍କର ଅବିବାହିତା କୈବର୍ତ୍ତ କନ୍ୟା ମତ୍ସ୍ୟଗନ୍ଧା ସଙ୍ଗେ ଅବୈଧ ସଙ୍ଗମରୁ ତାଙ୍କର ଜନ୍ମ । ସେ ପୁଣି ନାମକରଣ ଦେଲେ ମହାପୂଣ୍ୟଭୂମି ଭାରତର । ଭାରତକୁ ଗଢ଼ିଲେ ‘ମହା ଭାରତ’ କରି ।

 

ଯାହାଙ୍କ ନାମରେ ସେ ଭୂମି ନାମିତ ହେଲା, ସେ ମଧ୍ୟ ଥିଲେ ଅବୈଧ ଗାନ୍ଧର୍ବ ବିବାହର ସନ୍ତାନ । ପୁଣି ସେଇ ଭରତଙ୍କ ମା’ ? ବିଶ୍ୱ-ରୂପସୀ ବିଶ୍ୱ ସାହିତ୍ୟର ବନ୍ଦନୀୟା ଶକୁନ୍ତଳା ? ସ୍ଵର୍ବେଶ୍ୟା ମେନକା ସଙ୍ଗେ ବିଶ୍ୱାମିତ୍ରଙ୍କ ଅବୈଧ ସମ୍ପର୍କରୁ ଜନ୍ମ ତାଙ୍କର । ଜନ୍ମ ପରେ ତେଣୁ ପକ୍ଷୀମାନଙ୍କ ଜିମା ଅରଣ୍ୟ-ପଥପ୍ରାନ୍ତରେ ପରିତ୍ୟକ୍ତା ସେ ।

 

ଆମର ପବିତ୍ର ମହତ୍ ମନ୍ଦିରମୟ ଦେବଭୂମି କଳିଙ୍ଗ ? ପର ସ୍ତ୍ରୀ ଔରସରେ ସନ୍ତାନ—ଦୀର୍ଘତମା ଋଷିଙ୍କ ସଙ୍ଗେ ବଳି ରାଜାଙ୍କ ରାଣୀ ସୁଦେଷ୍ଣାଙ୍କ ଗୋପନ ସହବାସର ଫଳ !

 

କହିବାକୁ ପଛେ ଜିଭ ନ ଲେଉଟୁ—ଆମେ ଭାରତବାସୀ, କଳିଙ୍ଗବାସୀ ସମସ୍ତେ ପଛେ ଜାରଜ ବୋଲାଉଁ—ଯେଉଁ କବିମାନେ ସତ୍ୟପ୍ରକାଶରେ ଅକୁଣ୍ଠିତ, ବିଶ୍ୱସାହିତ୍ୟରେ ଆଦର୍ଶ ତାଙ୍କର ଅତୁଳନୀୟ । ନିଃସଙ୍କୋଚରେ ସେମାନେ ନିଜ ନିଜ ଜୀବନୀର ସତ୍ୟ-ସୂରୁପ ଯେପରି ଦେଖାଇଛନ୍ତି, ଅତ୍ୟାଧୁନିକ ସାହିତ୍ୟରେ ବି ତାହା ବିରଳ । ଯେ ପର୍ଯ୍ୟନ୍ତ ବେଦ ବେଦାନ୍ତ ରାମାୟଣ ମହାଭାରତକୁ ଆମେ ନିଜର ବୋଲି ନଜିର୍ ବାଢ଼ୁଥିବୁଁ, ତା’ ଭିତରୁ ସତ୍ୟ ସୃଷ୍ଟିର ଏଇ ନଜିରଟି ଛାଡ଼ିଦେଲେ ପୃଥିବୀରେ ଆଉ ପାଦ ରଖିବାକୁ ବା ସ୍ଥାନ କାହିଁ ଆମର ? ସାଧାରଣ ବିଚାରରେ ଏଇ ଅସାମାଜିକ ବିଶୃଙ୍ଖଳ ଘଟଣାଗୁଡ଼ିକୁ ଅତିରିକ୍ତ ବୋଲି ବିଚାରିଲେ ମଧ୍ୟ ତାହା ଯେ ଆମ ସଂସ୍କୃତିର ମୂଳପିଣ୍ଡ ! ସତ୍ୟ ଯେ ସବୁ କାଳରେ ଅତିରିକ୍ତ, ଅସାଧାରଣ, ପୁଣି ଅବାନ୍ତର ବୋଧହୁଏ—ଅବ୍ୟକ୍ତିକ ଓ ଅସାମାଜିକ !

 

ପରସ୍ପର ବିରୋଧୀ କର୍ମ-ଧାରା ଓ ଭାବଧାରାର ସମଷ୍ଟିରୁ ପୁଣି ସଂଘର୍ଷରୁ ଅବଶ୍ୟ ମନୁଷ୍ୟ-ସଂସ୍କୃତି ଗଢ଼ା । ବିଶ୍ୱାସ ସଂଶୟର ଦ୍ୱନ୍ଦମୟ ପ୍ରକାଶ ତାହା, ପଜିଟିଭ ନେଗେଟିଭ୍‍ ଦୁଇଟି ତାରରୁ ବିଜୁଳି ଶକ୍ତି ଉତ୍ପନ୍ନ ହେଲା ଭଳି । ତେଣୁ କୌଣସି ଆତ୍ମ–ଜୀବନୀ ଜଣେ କେହି ବ୍ୟକ୍ତିର କେବଳ ହୋଇ ନ ପାରେ–ପାରିପାର୍ଶ୍ୱିକ ବହୁ ବ୍ୟକ୍ତିଙ୍କ ଜୀବନର ତାହା ସମଷ୍ଟି ମାତ୍ର । ସାମାଜିକ ପ୍ରାଣୀ ମନୁଷ୍ୟକୁ ତା’ର ପ୍ରାକୃତିକ କିମ୍ବା କୃତିମ ବେଷ୍ଟନୀ ଭିତରୁ ଅଲଗା କରି ହେବ ନାହିଁ । ସେ ବେଷ୍ଟନୀରେ ଖାଲି ଚିହ୍ନା ଅଚିହ୍ନା ମନୁଷ୍ୟ ତ ନଥାନ୍ତି—ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତା, ନଦୀଗିରି, ହ୍ରଦ ଅରଣ୍ୟ, ଆକାଶ, ଚନ୍ଦ୍ର-ସୂର୍ଯ୍ୟ-ତାରା, ଶୀତ ଗ୍ରୀଷ୍ମ ନାହିଁ କ’ଣ ତା’ ଭିତରେ ?

 

ଆତ୍ମ-ଜୀବନୀକୁ ତେଣୁ ବାସ୍ତବ ଅବାସ୍ତବ ଘଟଣାସମ୍ବଳିତ ନାଟକ-ଉପନ୍ୟାସ ସଙ୍ଗେ ମଧ୍ୟ ତୁଳନା କରାଯାଇଥାଏ ।

 

ନାଟକ-ଉପନ୍ୟାସର ପ୍ରଧାନ ନାୟକ ଗଢ଼ିଉଠେ ଏକାଧିକ ଚରିତ୍ର ପୁଣି ପରିସ୍ଥିତିକୁ ଘେନି-। ପରସ୍ଥିତିର ସବୁ ମୁହୂର୍ମୁହୁ ପରିବର୍ତ୍ତିତ ବୈଚିତ୍ର୍ୟ ଭିତରେ ପାରିପାର୍ଶ୍ଵିକ ଗୌଣ ଚରିତ୍ରଗୁଡ଼ିକ ବିକଶିତ ହୁଅନ୍ତି । ପୁଣି ସବୁରି ପ୍ରଭାବରେ ପ୍ରଧାନ ନାୟକ-ନାୟିକାଙ୍କର ଜୀବନ୍ୟାସ । ସବୁରି ଅଭିଜ୍ଞତାରୁ ଉତ୍ପନ୍ନ ହୁଏ କେନ୍ଦ୍ର ଚରିତ୍ର । ଆଧୁନିକ ନାଟକ ଉପନ୍ୟାସରେ ଅବଶ୍ୟ ଏହି ନିୟମର ବ୍ୟତିକ୍ରମ ଲାଗି ଉଦ୍ୟମ ହୋଇଛି । ପ୍ରଧାନ ନାୟକ ବା କେନ୍ଦ୍ର ଚରିତ୍ରକୁ ସାଧାରଣ ଗତାନୁଗତିକ କରିବା ହେଲା, ଆଧୁନିକତାର ଗୋଟିଏ ଲକ୍ଷଣ । ମାତ୍ର ତାହା ଲେଖକମାନଙ୍କର ବିନୟ ପ୍ରକାଶ ବା ରାଜନୀତିଜ୍ଞମାନଙ୍କ ବନ୍ଧୁତା ଭଳି ଗୋଟିଏ କଳା-କୌଶଳ ମଧ୍ୟ ହୋଇପାରେ । ଅସାଧାରଣର ସ୍ଥାନ ସାହିତ୍ୟରେ ସହଜ ସୁଲଭ । ଅସାଧାରଣପାଇଁ ବର୍ଣ୍ଣନା କଳ୍ପନାର ଅଭାବ ନାହିଁ । ସାଡ଼ମ୍ବର ଭାଷା, ଉପମା ଅଳଙ୍କାର ସବୁ ତାହାଲାଗି ସୁସଜ୍ଜିତ, ମାତ୍ର ସାଧାରଣପାଇଁ ନୀରସ ନିରାଭରଣ ଭାଷାକୁ ମନୋଜ୍ଞ କରିବା ସବୁଠାରୁ କଠିଣ ।

 

ନିଜ ଜୀବନ-କଥା ଲେଖିବାକୁ ଗଲାବେଳେ ଏହା ମୋର ବେଶି ମନେପଡ଼େ । ଏହା ହିଁ ମୋର ବଡ଼ ଭୟ ମଧ୍ୟ । ପ୍ରଧାନ ନାୟକ ନାୟିକାଙ୍କୁ ବାଦ୍ ଦେଇ ସାହିତ୍ୟ ସୃଷ୍ଟିରେ ମୁଁ ଅନଗ୍ରସର—ପୁଣି ସାହିତ୍ୟ ସୃଷ୍ଟି ବୋଇଲେ ମଧ୍ୟ ଦାବି ମୋର ଯେ କେଡ଼େ ସାମାନ୍ୟ ! ଆତ୍ମଜୀବନୀ ରଚନାରେ ଆପଣାକୁ ଗୋଟିଏ ସାଧାରଣ ଚରିତ୍ର କରି ଦେଖାଇ ପାରିବାରେ ହିଁ ଖୁବ୍ ସାର୍ଥକତା ଅଛି । ତହିଁକି ମୋର ଯୋଗ୍ୟତା ବିଷୟରେ କିନ୍ତୁ ଘୋର ସନ୍ଦେହ । ପରାଜିତ ମନୋଭାବର ଏହା ଏକ ଲକ୍ଷଣ । ଏଇ ମନୋଭାବ ହିଁ ବାରମ୍ବାର ମୋତେ ଦଂଶନ କରୁଛି । ପୁଣି ସେ ଦଂଶନରେ ଛଟପଟ ହୋଇ ଆଜି ମୋର ଏଇ ଉଦ୍ୟମର ସୂତ୍ରପାତ ।

 

କାବ୍ୟ ନାଟକ ଉପନ୍ୟାସରେ ପ୍ରଧାନ ନାୟକ ନାୟିକା ଅବା ଚରିତ୍ରଚିତ୍ରଣକୁ ବାଦ ଦେବାଟା ଖାଲି ଅବଶ୍ୟ ଫାଁକି ଓ ବାହାଫୁଟ୍‍କି ପରି ମନେ ହୁଏ । ରାଜତନ୍ତ୍ର, ଗଣତନ୍ତ୍ର, ସମାଜବାଦ ବା କମ୍ୟୁନିଜିମ୍ କୌଣସି ପ୍ରକାର ରାଷ୍ଟ୍ରରୁ ତ ପ୍ରଧାନ ନାୟକ ବାଦ୍ ନୁହନ୍ତି । ଟିକିଏ ଯାହା ପ୍ରକାରଭେଦ ସିନା ! ସାଧାରଣକୁ ଅସାଧାରଣ, ଛୋଟକୁ ବଡ଼ କରିବା ପ୍ରୟାସ ଓ ପ୍ରଯତ୍ନ ତହିଁରେ ସୁଷ୍ପଷ୍ଟ ।

 

ମୋ ଭଳି ଜଣେ ଲେଖକର ଆତ୍ମଜୀବନୀ-ପ୍ରକୃତ କିଛି ମୂଲ୍ୟ ଅଛି କି ନା, ଏ ପ୍ରଶ୍ନର ସମାଧାନ ଦୂରେ ଥାଉ, କୌଣସି ଉପାୟରେ ତହିଁରୁ ତ୍ରାହି ପାଇବା ହିଁ ଅସଲ ଚିନ୍ତା । ଆତ୍ମ-ମର୍ଯ୍ୟାଦା ଉପରେ ଆଞ୍ଚ ଆଣିଲା ଭଳି ଘଟଣାଗୁଡ଼ିକୁ ସଂକ୍ଷିପ୍ତ କରି ଆପଣାକୁ ମର୍ଯ୍ୟାଦାବନ୍ତ ଭାବରେ ଦେଖାଉଥିବା ଘଟଣାକୁ ପ୍ରକ୍ଷିପ୍ତ କରିବା ହିଁ ନିଜ କଥା ବଖାଣିବା ଲୋକର ଗୋଟିଏ ସାଧାରଣ ତ୍ରୁଟି ବା ଗୁଣ । ଏହା ଖାଲି ସାଧାରଣ ନୁହେଁ ତ ସ୍ୱାଭାବିକ ମଧ୍ୟ । ଓଡ଼ିଆରେ ପରା ପ୍ରବଚନ ଅଛି, “ଆରେ ସଖି, ଆପଣା ମହତ ଆପେ ରଖି ।”

 

ସ୍ଵୟଂ ଗୀତାରେ ମଧ୍ୟ—

ଉଦ୍ଧରେଦାତ୍ମନାତ୍ମାନମ୍ ନାତ୍ମାନଂ ଅବସାଦୟେତ୍

ଆତ୍ମୈବ ହ୍ୟାତ୍ମନୋ ବନ୍ଧୁ-ରାତ୍ମୈବ ରିପୁରାତ୍ମନଃ ।

 

ଆତ୍ମଜୀବନୀ ଲେଖିବାପାଇଁ ଏହାଠୁଁ ବଳି ବଡ଼ ପରାମର୍ଶ ନାହିଁ । କେବଳ ଆତ୍ମାଦ୍ୱାରା ଆତ୍ମାକୁ ଉଦ୍ଧାର କର । କାରଣ ନିଜେ ହିଁ ନିଜକୁ ଉଦ୍ଧାର କରିପାର, ଆଉ କେହି ନୁହେଁ । ପୁଣି କଦାପି ନିଜକୁ ଅବସାଦ- ଗ୍ରସ୍ତ କରନାହିଁ, କୌଣସି କାରଣରୁ ଦୁଃଖ ଦିଅ ନାହିଁ । ନିଜେ ତୁମେ ନିଜର ବନ୍ଧୁ, ପୁଣି ନିଜେ ହିଁ ନିଜର ଶତ୍ରୁ । ଆଉ କେହି ତୁମର ବନ୍ଧୁ ଅଥବା ଶତ୍ରୁ ହୋଇ ନ ପାରେ । ବାହାରର ସେଭଳି ବନ୍ଧୁତା ବା ଶତ୍ରୁତାର ମୂଲ୍ୟ ଯେମ‌୍‌ତି ସାମାନ୍ୟ, ତା’ର ସ୍ଥାୟିତ୍ୱ ମଧ୍ୟ ଅଳ୍ପ । ପୁଣି ପରମ ବନ୍ଧୁ ସୁଦ୍ଧା ପରକ୍ଷଣରେ ଶତ୍ରୁ ପାଲଟି ଯାଇପାରେ । ଆଉ ଠିକ୍ ତା’ର ଓଲଟା ମଧ୍ୟ । ତେଣୁ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ହିଁ ନିରାପଦ । ତେବେ ସେ କ’ଣ ସହଜ ? ସହଜ ନୁହେଁ ବୋଲି ତ ଏହି ଉପଦେଶ !

 

କେତେ ଦେଶରେ ନୂଆ ନୂଆ ଆବିଷ୍କାର କରାଯାଇ ପୃଥିବୀ-ସଭ୍ୟତା ଗଢ଼ି ଉଠିଛି । ମେରୁ ଆବିଷ୍କାର, ଆମେରିକା ଆବିଷ୍କାର, ଗ୍ରହ ଉପଗ୍ରହ, ପୁଣି ଶିକ୍ଷା କୃଷି ଶିଳ୍ପ ଚିକିତ୍ସା ନାନା କ୍ଷେତ୍ରରେ ବହୁ ବିଚିତ୍ର ଆବିଷ୍କରଣ ଫଳରେ ମନୁଷ୍ୟ ଆପଣା ସୁଖ ସମୃଦ୍ଧି ବଢ଼ାଇଛି । ମାତ୍ର ଭାରତବର୍ଷ କରିଛି ଆତ୍ମାର ଆବଷ୍କାର—ଯେଉଁ ଆବଷ୍କାର ବ୍ୟତିରେକେ ସବୁ ସୁଖ ସମୃଦ୍ଧି ସତ୍ତ୍ୱେ ଶାନ୍ତି ଓ ଆନନ୍ଦ ମିଳେ ନାହିଁ ।

 

ଆତ୍ମାର ସେହି ଆବିଷ୍କୃତି ଲାଗି ଭାରତର କୁଢ଼ କୁଢ଼ ପୁରାଣ, ଇତିହାସ, କାବ୍ୟ, ସାହିତ୍ୟ, ଦର୍ଶନ, ବିଜ୍ଞାନ ନିୟୋଜିତ । ଆତ୍ମଜୀବନୀ ରଚନା ତାହାରି ଗୋଟିଏ ଅଙ୍ଗବିଶେଷ । ମଣିଷର ଜନ୍ମ ହୁଏ କାହିଁକି, କାହିଁକି ସେ ବଞ୍ଚିରହେ, ପୁଣି କାହିଁକି ବା ତା’ର ମୃତ୍ୟୁ ? ସବୁ ଆବିଷ୍କାର ସତ୍ତ୍ୱେ ଏହି ଚିରନ୍ତନ ପ୍ରଶ୍ନର ତ ଉତ୍ତର ମିଳିଲା ନାହିଁ—ପ୍ରତି ମଣିଷର ଶରୀରଗଠନ ଯେମ୍‍ତି କି ଗୋଟିଏ ଦୀର୍ଘ ପ୍ରଶ୍ନବାଚକ ଚିହ୍ନ । ସେ ଚିହ୍ନର ଉପର ଭାଗଟି ମଣିଷର ମୁଣ୍ଡ, ମଝିଟି ଦେହ, ଆଉ ତଳେ ତା’ର ପାଦ ।

 

ଯୁଗେ ଯୁଗେ ସେଇ ପ୍ରଶ୍ନଟା ! ! କରୁଛି, ତଥାପି ତାହା ଅନୁତ୍ତରିତ ।

 

ମୋ ଆଗରେ ଆତ୍ମ-ଜୀବନୀ ଗୋଟାଏ ବଡ଼ କୈଫିୟତ୍ ହୋଇ ଠିଆ ହୋଇଛି ସେହି ଦୃଷ୍ଟିରୁ ।

 

ପୃଥିବୀ-ଇତିହାସର ଏକ ଅଶ୍ରୂତପୂର୍ବ ଅଭୁତପୂର୍ବ ଅଚିନ୍ତନୀୟ ଘଟଣାପ୍ରବାହ ଭିତରେ ବଞ୍ଚଲି ମୁଁ । ଦୁଇଟା ମହାସମର ସଙ୍ଗେ ବିଜ୍ଞାନର ଅସମ୍ଭବ ଅଗ୍ରଗତି, ଭାରତର ସ୍ଵାଧୀନତା ପୁଣି ଓଡ଼ିଶାର ସ୍ୱାତନ୍ତ୍ର୍ୟ । ସେଥିଲାଗି ଯେଉଁ ସାଧନା ଓ ଫାଁକି, ତ୍ୟାଗ ଓ ଭୋଗ, ସାହସ ଓ ଭୀରୁତା, ବୀରତ୍ୱ ଓ ଦୁର୍ବଳତା ପୁଣି ଆତ୍ମବଳି ବା ଲାଭକ୍ଷତି—କୌଣସି ତାଲିକାରେ ହୁଏତ ମୋ ନାମଟା ବିଶେଷ ଉଲ୍ଲେଖଯୋଗ୍ୟ ନୁହେଁ । ତେଣୁ ମାନସ ଲୋକରେ ବା ଚିନ୍ତା-କ୍ଷେତ୍ରରେ ଯଦି କିଛି ‘ଏଡ଼ ଭେଞ୍ଚର୍’ ବା ଦୁଃସାହସ ଥାଏ, ସେତିକି ମୋର ସମ୍ବଳ । ତାକୁଇ କେବଳ ଭାଷା ଆଉ କଳ୍ପନାରେ ଗୁନ୍ଥି ସଜାଇ ଥୋଇବା ଛଡ଼ା ତ ଅନ୍ୟ ଉପାୟ ନାହିଁ ।

 

ଆଗରୁ କିନ୍ତୁ କହି ରଖିଛି,ଯେତେ ବିନୟ ପ୍ରକାଶ କଲେ ବି ନିଜ ସଫେଇଟା ହେଲା ଆତ୍ମଜୀବନୀ । ନିଜକୁ ରକ୍ଷା କରିବାର କୈଫିୟତ୍— ଆମ୍ବାନମ୍ ସତତମ୍ ରକ୍ଷେତ୍ । ନିଜ ରକ୍ଷଣେ ଅସମ୍ଭବ, ସେ କାହୁଁ ପରକୁ ରଖିବ ? ପରକୁ ରଖିବା ପ୍ରଶ୍ନଟା ଆଗ ନୁହେଁ । ଆଗ ହେଲା ଆପଣାକୁ ରଖିବା, ଆପଣାକୁ ଉଦ୍ଧାର କରିବା ।

 

ସନ୍ତାନକୁ ପ୍ରଥମେ ମା ଧାରଣା କରନ୍ତି ନିଜ ଗର୍ଭରେ । ତା’ପରେ ଯେଉଁ ଦିନ ମାତୃଗର୍ଭରୁ ତା’ର ପତନ, ସେ ଦିନ ତାକୁ ଧାରଣ କରେ—ଧରଣୀ, ମାତ୍ର ଏହି ‘ଧାରଣ’ର ଅର୍ଥ ‘ଉଦ୍ଧାର’ ନୁହେଁ-। ପୃଥିବୀ ଉପରେ ତା’ର ଯେଉଁ ପତନ, ତହିଁରେ ସେ ନିଜକୁ ନିଜେ ଉଦ୍ଧାର କରେ । ଲେଖକପକ୍ଷରେ ଆତ୍ମ-ଜୀବନୀ ଲେଖିବା ଏହି ଉଦ୍ଧାରର ଏକ ଉପାୟ ମାତ୍ର ।

 

ତାହା ଏକ ସ୍ୱୀକାରୋକ୍ତି, ମୃତ୍ୟୁ ଓଆରଣ୍ଟ ଉପରେ ଶେଷ ଦସ୍ତଖତ୍ । ଆଜି ପର୍ଯ୍ୟନ୍ତ ମୁଁ ଏଇ ଓଆରଣ୍ଟରେ ସହି କରିବାକୁ ପଛେଇଥିଲି । ଏହାକୁ ଆଡ଼େଇ ଚାଲିଥିଲି; ମାତ୍ର ଗୋଟିଏ ପଦାର୍ଥକୁ ଆଡ଼େଇ ଯିବା ସାଧ୍ୟ ନାହିଁ ।

 

ସେ ମୋର ଜନ୍ମ-ଜାତକ । ଦେଢ଼ ଇଞ୍ଚ ଚଉଡ଼ା, ସାଢ଼େ ଆଠ ଇଞ୍ଚ ଲମ୍ବ ଖଣ୍ଡିଏ ତାଳପତ୍ର, ଲେଖନ ମୁନରେ ଖୋଳା ହୋଇଛି ସାନ ସାନ ସୁନ୍ଦର ଓଡ଼ିଆ ଅକ୍ଷର । ବୋଧ୍ୟ ଅବୋଧ୍ୟ କେତେକ ଶବ୍ଦ ସହିତ ତହିଁରେ ଲେଖା ଅଛି—“ବୀରଶ୍ରୀ ଗଜପ୍ତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ୍ୟେତ୍କଳ ବର୍ଗେଶ୍ୱର ବିରାଧିବିରବର ପ୍ରତାପ ଶ୍ରୀ ମୁକୁନ୍ଦଦେବ ନୃପ ଯୌ ବିଜେ ଶୁଭ ରାଜ୍ୟେଶମସ୍ତୁ ଚା ୨୪ ଙ୍କ ସ୍ନ୧୩°୮ ସାଲେ ମିଥୁନ ଦି ୧୯ନ ଶ୍ରାବଣ କୃଷ୍ଣ ପ୍ରତିପଦ ମଙ୍ଗଳବାର । ଏ ଦିନ ଦିନାର୍ଦ୍ଧ ୧୬।୧୮କୁ ଦିନମାନ ଦ୩୨।୫୬ପ୍ତା । ନିଶାର୍ଦ୍ଧ ଦ୧୩।୩୨କୁ ନିଶା ମାନବ ୨୭।୪ପ୍ତା । ଅହୋରାତ୍ର ଦ୬°ଣ୍ଡକୁ ୟେ ଦିନ ସୂର୍ଯ୍ୟୋଦୟାଦି ବେଳ ଭୋଗ ଯାଇଁ ରାତ୍ର ଦ୯।୫ ଲିପ୍ତା ଭିତରେ । କୁମ୍ଭଲଗ୍ନେ ଶନୌଙ୍କ କ୍ଷେତ୍ରେ । ରବଚଂ ହୋ ରା଼ତ୍ରେ x x x ଏବଂ ଶଡ଼ବର୍ଗଶା ଧନେ । ଗଣେକ ଉକ୍ତି ପ୍ରମାଣେ ଶ୍ରୀ ନନ୍ଦନନ୍ଦନ ପଦାରବିନ୍ଦ ମକରନ୍ଦ ସ୍ଵାଦୁ କାଳ ଭୃଙ୍ଗ କରଦ୍ଧେ ତସ୍ମିନ ଲୋକିତବେ ମୟା-। ଶ୍ରୀମତ୍ତ ଶ୍ରୀମାନବ ବୀପ୍ର ଶ୍ରୀ ବେଦ ମୃତୟ ଶ୍ରୀ ଶ୍ରୀ ମକଦ୍ଦମ ଶ୍ରୀ ସପନେସ୍ୱର ପାଣିଗ୍ରାହୀଙ୍କର ସପତ୍ନୀ ଉଦରେ ଦଶମ ଗର୍ଭ ୧୦କୁ ଶୁଭ କୁମାର ପୁତ୍ର ଜନ୍ମ । ତସ୍ଵ ରାଶି ପୂର୍ବାଶାଢ଼ ୨୦।୯ଧନୁ ରାଶିରେ ଯାତୌମାନୁଶ ଗଣ ଗଣ୍ଡ ରିଷ୍ଟ ନାସ୍ତି । ପିତୃ ମାତୃଙ୍କୁ ଅବୀରୋଧ-। ଜାତକ ନାମ ଭୋଳାନାଥ । ଧନେଶ୍ୱର, ଧର୍ମରାଜ । ଶ୍ରଦ୍ଧା ନାମ କାଳିନ୍ଦୀ । ପରମାୟୁ ବ୧୦୮ର୍ଷ-।’’ ଇତ୍ୟାଦି ।

 

ଏହି ଭାଷାର ଶୁଦ୍ଧିପତ୍ର ବା ସନ ତାରିଖର ଇଂରାଜୀ ରୂପାନ୍ତର ଖୁବ୍ ଲୋଡ଼ା ବୋଲି ମୁଁ ଭାବୁ ନାହିଁ । କେବଳ ଭାବୁଛି, ୧°୮ ବର୍ଷ ଯଦି ପରମାୟୁ ହୁଏ, ମୋର ଆତ୍ମ-ଜୀବନୀଟି ଅପୂର୍ଣ୍ଣ ରହିଯିବ ସିନା ! ସେ ହିସାବରେ ତ ଏବେ ମଧ୍ୟ ମୋର ବାକି ଅଛି ବହୁ ଦୂର ! ସାନ୍ତ୍ୱନା ଏତିକି, ସବୁ ଜାତକରେ ବୋଧହୁଏ ‘ଅଷ୍ଟୋତ୍ତର ଶତସମ୍ବତ୍ସର ଜୀବିକା’ ଲେଖାଥାଏ ଖାଲି ଗୋଟିଏ ଆଶୀର୍ବାଦ ପରି; ଅଥଚ କେତେ ଜାତକ ଏହି ପରମାୟୁର ପ୍ରଥମ ଅଙ୍କରୁ ମଧ୍ୟ ପୋଛା ହୋଇଯାଏ-। ଯଥାର୍ଥରେ ଏହା ମଣିଷର ସାଧାରଣ ଆୟୁ ନୁହେଁ, ପରମାୟୁ ।

 

ଜାତକ ଅନୁଯାୟୀ ଯେଉଁ ‘ଗଣେକଙ୍କ ଉକ୍ତି ପ୍ରମାଣେ’ ମୋର ଏଇ ପରମାୟୁ ସଂଖ୍ୟା ଦ୍ୱାରା ଆତ୍ମସନ୍ତୋଷ ଆସିଥାଏ, ସେ ଗଣେକଙ୍କୁ ପରେ କେତେ ଥର ଦେଖିଚି ଓ ଚିହ୍ନିଚି ମୁଁ । ମୋ ପରି ଆଉ କେତେ ଜଣଙ୍କର ଜାତକ ସେ ତିଆରି କରିଛନ୍ତି । ମାତ୍ର ଆମ ଗାଁରେ ସବୁଠୁଁ ବେଶୀ ଲୋକଙ୍କର ଜାତକ ନାହିଁ, ତଥାପି ସେହି ଗଣକଙ୍କୁ ସମସ୍ତେ ଜାଣନ୍ତି ଶ୍ରୀନିବାସ ଅବଧାନ ବୋଲି ।

 

ଆମ ଗାଁରୁ ଅଳ୍ପ ଦୂରରେ ଘର ତାଙ୍କର ବାଲି ପାଟଣା । ଗାଁ କୁ ଗାଁ ଲାଗିଛି । ମୁଣ୍ଡ ଉପରେ ତାଳପତ୍ର ଛତା, ହାତରେ ଖଣ୍ଡେ ବାଉଁଶ ବାଡ଼ି, କାନ୍ଧରେ ଗାମୁଛା, କାଖରେ ତାଳପତ୍ର ପୋଥି ବିଡ଼ାଏ ଜାକି ଶ୍ରୀନିବାସ ଅବଧାନ ଦାଣ୍ଡ ମଝିରେ ଚାଲିଗଲା ବେଳେ ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ସବୁରି ଆଖି ତାଙ୍କ ଉପରେ ପଡ଼େ । କଳା ଦେହରେ ଧୋବ ଫରଫର ପଇତା, ବେଶି ଡେଙ୍ଗା କି ଗେଡ଼ା ନୁହନ୍ତି, କୋଦା କି ପତଳା ନୁହନ୍ତି, ମୁହଁଯାକ ବସନ୍ତ ଚିହ୍ନ । ଗଳାଟି କୋକିଳ ପରି ମଧୁର ।

 

ଅଖି ତୃତୀୟା ଦିନ ବିଲକୁ ଅଖିମୁଠି ବୁହା ବେଳେ ପୁଣି ବିଭା ବ୍ରତ ପୂଣ୍ୟପର୍ବ ଶୁଦ୍ଧଶ୍ରାଦ୍ଧରେ ତାଙ୍କ କଣ୍ଠର ମଙ୍ଗଳାଷ୍ଟକ ଶ୍ଳୋକ ଆଜି ବି କାନରେ ବାଜି ଯାଉଛି, ଶଙ୍ଖ ଶବ୍ଦ ଭିତରେ—‘ମଙ୍ଗଳମ୍ ଭଗବାନ୍ ବିଷ୍ଣୋ ମଙ୍ଗଳଂ ମଧୁସୂଦନମ୍ !’ ତା’ଛଡ଼ା ଦୋଳପୂର୍ଣ୍ଣମୀ ଦିନ ଗାଁ ଦୋଳବେଦୀ ଉପରେ ପାଦଯୋଡ଼ି ଦିଅଁଙ୍କ ଆଗରେ ଠିଆ ହୋଇ ଚସମାରେ ସୂତା ଗୁଡ଼ାଇ ନୂଆ ପାଞ୍ଜି ପଢ଼ିବା—‘ୟେ ରାଜା ଭୋଗ କଲେ—ବରଷ । ଜନ୍ଦା ପାଞ୍ଚଭାଗ, ପିମ୍ପୁଡି ଦଶଭାଗ ଇତ୍ୟାଦି-।’ ଦୋଳ-ବେଦୀ ଉପରେ ବସିଥିବା ଶ୍ରୋତାମାନେ ସେ ବର୍ଷର ଫସଲ ପାଳକ ଆଉ ନିଜ ନିଜ ରାଶି-ନକ୍ଷେତ୍ରରେ ଲାଭ କ୍ଷତିର ହିସାବ ଶୁଣି ଟିପ୍ପଣୀ କରିବା—

 

ଆଜି ମଧ୍ୟ ଶ୍ରୀନିବାସଙ୍କ ପୁଅ ପୁତୁରା ଗାଁକୁ ଆସି ଘର ଘର ବୁଲି ଯା’ନ୍ତି, ତିଥି ବାର ନକ୍ଷତ୍ର କହି ତାଙ୍କ ପଡ଼ି ଆଦାୟ କରନ୍ତି; କିନ୍ତୁ ଜ୍ୟୋତିଷ ହିସାବରେ ଶ୍ରୀନିବାସ ଯାହାକୁ ଯାହା କହନ୍ତି, କୁଆଡ଼େ ‘ନ ହରି ଶଙ୍କରୋ ବ୍ରହ୍ମା’—କେହି ବଦଳାଇ ପାରିବେ ନାହିଁ । ଜାତକ ସାଧିବାରେ ମଧ୍ୟ ସେ କୁଆଡ଼େ ଦୋରସ୍ତ । ପୂର୍ବଜନ୍ମ ବା ପରଜନ୍ମ କଥା ସେ କହନ୍ତି କି ନାହିଁ କେଜାଣି, ମୁଁ କିନ୍ତୁ ମୋର ଜାତକର ଜନ୍ମ ତାରିଖଟି ଛଡ଼ା ଆଉ କାହିଁରେ ଖୁବ୍ ଆଗ୍ରହୀ ହୋଇପାରି ନାହିଁ । ବରଂ ଆଗ୍ରହୀ ହୋଇଥିଲି ଯୋଡ଼ିଏ ବିଷୟରେ, ଯାହା ଜାତକରେ ନ ଥାଏ ।

 

ପୂର୍ବଜନ୍ମ ଆଉ ପରଜନ୍ମ କଥା । ଏ ଜନ୍ମ ଆଗରୁ ମୁଁ କ’ଣ ହୋଇ କେଉଁଠି ଥିଲି, ପୁଣି ପରଜନ୍ମରେ କ’ଣ ହେବି । ପୃଥିବୀ ଜନ ସଂଖ୍ୟାର ବେଶି ଭାଗ ଜନ୍ମାନ୍ତରବାଦରେ ବିଶ୍ୱାସୀ ନୁହନ୍ତି, ମାତ୍ର ଆମ ଶାସ୍ତ୍ରପୁରାଣ ତା’ରି ଉପରେ ଜୋର୍ ଦେଇଛି । ଶାସ୍ତ୍ର ପଢ଼ି ନଥିବା ଲୋକଙ୍କର ଅତୁଟ ବିଶ୍ୱାସ ମଧ୍ୟ ସେଥିରେ ଅଛି । ବୌଦ୍ଧ ଜାତକ ଗଳ୍ପ ପଢ଼ି ନ ଥିଲେ ବି ପିଲାଦିନୁଁ ମୋର କୌତୁହଳ କଳ୍ପନା ସେ ଦିଗରେ ଦୌଡ଼ିଯାଏ । ତା’ପରେ ଜାତକର ରାଶି ନକ୍ଷତ୍ର ଆଉ ଜନ୍ମାନ୍ତର ଉପରେ ମୁଁ ଯେ ବିଶ୍ୱାସ ଖାଲି କରିନାହିଁ, ତା ନୁହେ, ଅବିଶ୍ୱାସ କରିଛି ପୂରାପୂରି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ପୁଣି ସେ ବିଷୟରେ ସଂଶୟ ଜନ୍ମିଛି, ବିଶ୍ୱାସ ହୋଇଛି; ପୁଣି ଅବିଶ୍ୱାସ ଓ ବିଶ୍ୱାସ ।

 

ବିଷ ଆଉ ଅମୃତ । ଗୋଟିକୁ ଚାଖିବାର ତ ସାହସ ନାହିଁ । ଆରଟି ପୁଣି କେଉଁଠି ମିଳେ ଅଜଣା । ଶୁଣାଯାଏ, ତାହାର ସ୍ଥାନ ସ୍ଵର୍ଗରେ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ପୁର । ଆମେ ରହୁ ମଝିଟିରେ । ବାକି ଗୋଟିଏ କାହିଁ ଉପରେ ତ ଶେଷଟି ସେମ୍‍ତି କାହିଁ ତଳେ । ପୃଥିବୀରେ ତ ଅମୃତ ନାହିଁ । ସେଥିଲାଗି ତା’ର ନାମ ମର୍ତ୍ତ୍ୟ । ପିଲା ଦିନର ସେଇ ତିନି ପୁର କଳ୍ପନା ଆଜି ଅବଶ୍ୟ ବଦଳିଗଲାଣି । ସେଥିପାଇଁ ମୋର ଲଜ୍ଜା ନାହିଁ । କେଉଁ ଦେଶରେ କେଉଁ ଯୁଗରେ ଏମ୍‍ତି କଳ୍ପନା ଜଳ୍ପନା, ବିଶ୍ୱାସ ଅବିଶ୍ୱାସ ନଥିଲା ଅବା ନାହିଁ କି ?

 

ମୋ ଜନ୍ମ ସମ୍ବନ୍ଧରେ ମଧ୍ୟ ସେମ୍‍ତି ଗୋଟିଏ କାଳ୍ପନିକ କାହାଣୀ ମୁଁ ଶୁଣିଛି ପିଲାଦିନେ । ଭଉଣୀମାନେ କହନ୍ତି, ମୁଁ କୁଆଡ଼େ ଗୋଟାଏ ହାଣ୍ଡି ଭିତରେ ଭାସି ଯାଉଥିଲି ନଈ ମଝିରେ । ମୋର ପ୍ରକୃତ ଜନ୍ମଦାତ୍ରୀ ମାଆ କୁଆଡ଼େ ମୋତେ ଜନ୍ମ କରିସାରି ଏକ ହାଣ୍ଡିରେ ଭସାଇ ଦେଇଥିଲେ । ବୋଉ ମୋତେ ସେ ହାଣ୍ଡିରୁ ତୋଳିଆଣି ପାଳିଲେ । ପ୍ରକୃତରେ ସେ ମୋତେ ଜନ୍ମ କରି ନାହାଁନ୍ତି, ମୋର ସତ ବୋଉ ଆଉ ଜଣେ ! ବୋଉଙ୍କ ମୁହଁରୁ କିନ୍ତୁ କେବେ ଏପରି ଘଟଣାର ସମର୍ଥନ ଶୁଣିଲା ପରି ମନେ ପଡ଼ୁନି ।

 

ଗୋଟିଏ କଥା କିନ୍ତୁ ମନେପଡ଼ୁଚି ମୋ ଜନ୍ମ ବିଷୟରେ । ବୋଉ କହିଥିବା କଥା । ପୃଥିବୀ ଉପରେ ମୋର ପତନ ଘଟିବା ପୂର୍ବରୁ ଓ ଜାତକ ତିଆରି ଆଗରୁ ଜନନୀଙ୍କୁ ମୁଁ ଗର୍ଭ-କଷ୍ଟ ଦେଇଥିଲି ଏକୋଇଶ ଦିନ ! ମୋ ଆସିବା ପୂର୍ବରୁ ଯେଉଁ ନଅଜଣ, ପୁଣି ପରେ ଯେଉଁ ଜଣକ ଏକାଦଶ ଗର୍ଭରେ ଜନ୍ମି ଥିଲେ; ତାଙ୍କ ଭିତରୁ କାହାରି ବିରୁଦ୍ଧରେ ଏଭଳି ଅପବାଦ ଶୁଣି ନାହିଁ ।

 

ଆରମ୍ଭରୁ ନିଜ ଜନନୀ ପ୍ରତି ଏଇ ଇଚ୍ଛା ବା ଅନିଚ୍ଛାକୃତ ଅଜ୍ଞାତ ଅପରାଧ ଲାଗି କ୍ଷମା କେଉଁଠି ? ଘରେ ନ ପଶୁଣୁ ଚାଳ ବାଜିଲା ଭଳି ଏହା ଏକ ଦୁର୍ଘଟଣା ନୁହେଁ କି ? ଆଶ୍ଚର୍ଯ୍ୟ କଥା—ଜୀବନଟାଯାକ ସେମ୍‍ତି ମୋର ବହୁ ଦୁର୍ଘଟଣା ଭିତରେ ହିଁ ବିତିଯାଇଛି, ଜନ୍ମଟା ମଧ୍ୟ ଯେମ୍‍ତି ‘ଅୟମାରମ୍ଭ ଶୁଭାୟ ଭବତୁ’ ହୋଇପାରି ନାହିଁ ।

 

ମୋତେ ସତ ତମକୁ ମିଛ

 

ଦିନ-ରାତି ଆଲୁଅ ଅନ୍ଧାର—ସମୟର ଆରମ୍ଭରୁ ଚାଲିଛି ଅବିକଳ ଗୋଟାଏ ମେସିନ୍ ଚକ ଭଳି । କେଉଁଠି ଧାପେ ହେଲେ ଓଲମ୍ ବିଲମ୍ ନାହିଁ । ଯୋଡ଼ିକ ଭିତରେ ପୁଣି ଯେତିକି ବିୟୋଗ, ସେତିକି ଯୋଗ ।

 

ଆଲୁଅ ପଛରେ ଛାଇ ଲାଗିଲାଭଳି ଅନ୍ଧାରରେ ହସେ ଫୁଲଝରି ! ପୁଣି ସେଇ ଆଲୁଅର ଯେତେ ରଙ୍ଗ, ଆଉ ଅନ୍ଧାରର ଯେଉଁ ରୂପ ! ଫଗୁଆ ଶାଗୁଆ ସକାଳ, ଧୂସର ଊଷର ସଞ୍ଜ—ତା’ ପରେ କେତେ ତାରା ଖଦ୍ୟୋତର ଦୀପାବଳୀ, ସାନ ବଡ଼ ଜହ୍ନର ବଙ୍କା ଗୋଲ ଚିତା ତିଳକ !

 

ଘର ପଛପଟେ ସାନ ପୋଖରୀ । ପୋଖରିହୁଡ଼ା ଉପର କଣ୍ଟା-ବାଉଁଶର ଝାଡ଼ ଭିତରୁ କୁମ୍ଭାଟୁଆର ତୁଆକୁ ତୁଆ ଡାକ, ପୁଣି ପହରିକିଆ ଚଢ଼େଇଙ୍କର ଝାଞ୍ଜ ମୃଦଙ୍ଗ ସଂକୀର୍ତ୍ତନ । ରାତି ଅଧସରିକି ଚୌକିଦାରର ପହରା–ହୁସିଆର ! ହୁସିଆର ! ତା ପଛକୁ ବିଲୁଆ-ନନାର ହୁକେ ହୋ !

 

ପାହାନ୍ତାପହରୁ ଖଟୁଆ ଘର ଚୂଡ଼ାକୁଟା ଦୁମ ଦୁମ୍ ସାଥୀକୁ କୁକୁଡ଼ାର ‘ଚକ୍ରଧର ରଖ’ ! ଭୋର ହୋଇ ଫସର ଫାଟିଲେ ଦୁଆରେ ଦୁଆରେ କୁଆ କା କା, କୋଇଲି ତରବରୀର ‘ଉଠ ଲୋ, ଉଠ ଲୋ, ଉଠ ଲୋ ।”

 

ନିଦରୁ ଉଠାଇ ଦେବାକୁ ସେଇ ସ୍ଵର, ପୁଣି ଫଗୁଣ ଚୈତ୍ରରେ ଘଞ୍ଚ ଆମ୍ବଗଛ ଡାଳରୁ ବି ସେଇଆ । ନୂଆ ବୋହୁଙ୍କ ଚୁଁ ଭଳି ଭାରି ମିଠା, ପୁଣି ତାଙ୍କରି ଭଳି ଚେହେରାଟି ତା’ର କାହିଁ କେଉଁଠି ଛପି ରହିଯାଏ ।

 

ବୋହୁ, ଭୁଆସୁଣୀଙ୍କର ଘରଲିପା, ବାସନମଜା ବାସି ପାଇଟି । ବୁଢ଼ୀ ଦରବୁଢ଼ୀଙ୍କ ଦାଣ୍ଡ ଖରକା । ହଳିଆର ହଳଯୋଚା । ଘଣ୍ଟା କଣ୍ଟା ଭଳି ସବୁ ଚାଲେ । ତେବେ ସେ କାମକୁ ତ ଘଣ୍ଟା-କଣ୍ଟା ଚଳାଏ ନି । ଘଣ୍ଟା-କଣ୍ଟାକୁ ଚଲାଏ ସେ—ଏତିକି ଯାହା ଫରକ ।

 

ସହର ବଜାରର ଘଣ୍ଟା ଠଣ ଠଣ, କଳକାରଖାନାର ସାଇରେନ ବଦଳରେ ଆମ୍ବ ଅଶ୍ୱତ୍ଥର ଗହଳି ଫାଙ୍କରୁ ଆଲୁଅ ମାରେ ପିଚ୍‍କାରୀ । ସେଇ ଆଲୁଅର ଚକା ଥାଳୀଟା ଉପରକୁ ଉଠେ ଚାହୁଁ ଚାହୁଁ । ଆଉ ତେଣିକି ଚାହିଁ ହୁଏ ନି । ସେ ଏକାବେଳେ ମହାପ୍ରତାପାଦିତ୍ୟ ବିରାଧୀ-ବୀରବର ନବକୋଟି ବ୍ରହ୍ମାଣ୍ଡେଶ୍ଵର ସାଜି ସଭା ଉପରେ ପ୍ରଚଣ୍ଡ ତେଜରେ ଉଭା ହୁଏ।

 

ଦାଣ୍ଡ ବାରି ପୀଢ଼ା ପିଣ୍ଡା ଅଗଣାରେ ଜଳି ଉଠେ ସେଇ ଆଲୁଅ । ସେଇ ଆଲୁଅରେ ଡେଣାପିଟି ତିଖ ନଡ଼ିଆଗଛର ବାହୁଙ୍ଗା ଉପରେ ଶଙ୍ଖଚିଲଟା ରହି ରହି ଚିତ୍କାର କରେ । ସକାଳୁ ଶଙ୍ଖଚିଲ ମୁହଁ ଚାହିଁଲେ ଶୁଭ ।

 

ରୋଜ ଏମ୍‍ତି ନିଦ ଭାଙ୍ଗିଯାଏ ଗାଁଟିର । ଗୋଟାଏ କୋଥଳୀ ଭିତରୁ ସତେ ଅବା ଦର୍ପଣ ପାନିଆ ଚିତା ତିଳକ ଗୀତା ରୁଦ୍ରାକ୍ଷ ଅବା ବଟୁଆ ଭିତରୁ ପାନ ଗୁଆ ଗୁଣ୍ଡି ଚୂନଖାଇ ଭଳିକି ଭଳି ଚିଜମାନ ବାହାରି ଆସିଲା ପରି ପଶୁ ପକ୍ଷୀ, କୀଟ ପତଙ୍ଗ, ଗଛ ଲତା, ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ଦିନବେଳେ ବାହାରି ଆସି ସଞ୍ଜ ହେଲେ ପଶିଯାନ୍ତି ତା’ରି ଭିତରେ । ସେ ଯେମ୍‍ତି ଜଣେ ଭୁଜବିଦ୍ୟା କେଳାର ହଟ ଚମଟ । ଥଳୀରୁ ତା’ର କାଉଁରୀ ହାଡ଼ ‘ଅଦିଆ ଗୋପୀ ମିଶ୍ର’ କଣ୍ଟା ସୂତା, ପାରା ତାସ ହରେକ ଜିନିଷ ବାହାରି ନାନା ଖେଳ କୌତୁକ ଦେଖାଇ ସେଇ ଥଳୀରେ ସବୁ ଲୁଚିଗଲା ପରି !

 

ସେଇ ଥଳୀରୁ ବାହାରିଆସେ ଛ ଋତୁର ନୂଆ ନୂଆ ରୂପ, ରଙ୍ଗ, ଗୀତ । କାହିଁରେ ଆଖି ଝଲସି ଯାଏ ତ କାନରେ କୁହୁକ ଲାଗେ, ଆଉ କାହିଁରେ ଦୁଲୁକି ଉଠେ ଛାତି ।

 

ଏମ‌୍‌ତି ଗୋଟାଏ ଘୋର ଦୁର୍ଦ୍ଦିନ ଶ୍ରାବଣ ରାତି । ଆକାଶର ବ୍ଲାକବୋର୍ଡ଼ରୁ ସବୁ ଅକ୍ଷର କିଏ ଗୋଟାଏ ଡଷ୍ଟର ଧରି ଯେମ‌୍‌ତି ଅବା ଘଷି ଘଷି ନିଭାଇ ଦେଇଛି । ପୁଣି ତା’ରି ଉପରେ ମଝିରେ ମଝିରେ ଟାଣି ଦେଉଛି ଗୋଟିଏ ଲେଖାଏଁ ଅଙ୍କାବଙ୍କା ଲମ୍ବ ଗାର । ଦଣ୍ଡକ ପାଇଁ ଆଲୁଅ ହୋଇଯାଏ ସେଇ ବ୍ଲାକବୋର୍ଡ଼ଟା । ତା ପଛକୁ ଶୁଭେ ଛାତିଫଟା ଗର୍ଜନ ।

 

‘ଆଷାଢ଼ସ୍ୟ ପ୍ରଥମ ଦିବସେ’ ନୁହେଁ, ଶ୍ରାବଣସ୍ୟ ପ୍ରଥମ ରାତ୍ରେ ଗୋଟିଏ ସାନ ଘରର ଚାଳ କାନ୍ଥକୁ ଭେଦ କରି ଶୁଣାଗଲା ଆଉରି ଏକ ଗର୍ଜନ—ନୂଆ ପୁଅର କୁଆଁ କୁଆଁ ! ବର୍ଷ କେତୁଟାର ପିଲା ଭେଣ୍ଡା, ଅଧାବୁଢ଼ା ହେଇ ଏମ‌୍‌ତି ଖାଲି ହାତଗୋଡ଼ ଛାଟି ପିଟି ସେ ଗର୍ଜନ ତର୍ଜନ କରିବ ବୋଲି । ଏକୋଇଶଟି ଦିନ ଗର୍ଭଯନ୍ତ୍ରଣା ଭୋଗି ତା’ ଠାରୁ ଉଦ୍ଧାର ପାଇଲେ କି ସେ ପାଇଲା ଜନନୀ-ଗର୍ଭର ଅନ୍ଧାରରୁ ଆଲୁଅକୁ ଆସି, ତା’ କିଏ କହିବ ?

 

ପ୍ରଥା ଅନୁଯାୟୀ ଶିଶୁଟିର ଏକୋଇଶିଆ ଗଣା-ପୋଛା କରଯାଏ । ଧାରିବାହିକ ଭାବରେ ଏଇ ଆତ୍ମଲିପି ପ୍ରଥମେ ୧୯୬୫ ଖ୍ରୀଷ୍ଟାବ୍ଦରେ କଲିକତାରୁ ଶ୍ରୀ କଣ୍ଡୁରୀଚରଣ ଦାସଙ୍କ ସମ୍ପାଦନାରେ ପ୍ରକାଶିତ “କଳନା” ପତ୍ରିକାରେ ଓ ପରେ କଟକରୁ ଶ୍ରୀ ରାମଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ ପ୍ରକାଶିତ “ଡଗର” ପତ୍ରିକାରେ ୧୯୬୮-୬୯ରେ ଧାରବାହିକଭାବେ ସ୍ଥାନ ପାଏ । ପାଠକ କିମ୍ବା ଲେଖକ ଏ ପ୍ରଥାରେ ବିଶ୍ୱାସ କରନ୍ତୁ କି ନାହିଁ “ଡଗର” ସମ୍ପାଦନା ମହଲରୁ ପୁଣି ପାଠକ ଓ ଜ୍ୟୋତିଷ-ମହଲରୁ ମଧ୍ୟ ବରାଦ ଆସିଲା, ଏଠାରେ ସେହି ନବଜାତ ଶିଶୁଟିର କୁଣ୍ଡଳୀ ରାଶିଚକ୍ର ଉଲ୍ଲେଖ କରିବାପାଇଁ । ସତ କହିଲେ—ମୁଁ ନିଜେ ଏଥିରୁ କିଛି ବୁଝେନି ଯଦିବା; ମୋ ଜୀବନର ଭଲ ମନ୍ଦ ବିଷୟ ଅନ୍ୟ ମୂଖରୁ ଶୁଣିବାକୁ ମୋର କୌତୂହଳ ରହିବା ସ୍ଵାଭାବିକ।

 

“ଜନ୍ମ ସ୍ନ ୧୩୦୮ ସାଲ ମିଥୁନ ୧୯ ଦିନ ଶ୍ରାବଣ କୃଷ୍ଣ, ପ୍ରତପଦ ।

ରାତ୍ର ଦ୯ । ୫

ଶୁକ୍ର ମହାଦଶାରୁ ବାକିସ୍ଥ ତ ମା ୯ । ୧୨”

 

 

 

 

ର ୭

୧୫୮ । ୪୮

ର ୭

୧୦୪୪      । ୨୨

୫ର

 

ଲ୧

ସୋ ୨୦

୯୫୯ । ୫୦

ବୁଶୁ

୨୦

୧୨

ମ ୧୨

୧୬୫୫ | ୧

 

 

ବୁ ୭

୨୨୮ | ୩୬

 

 

ବୃ ୨୦

୧୬୪୯ | ୫୩

୮ମ

ରା

୧୦

ଶୁ ୮

୧୯

 

 

ଶ୍ମ ୨୦

ଦିନାହ

 

 

 

ରା ୧୬

୧୬ | ୨୮

 

 

 

କେ ୨୩

 

ଜାତକକୁଣ୍ଡଳୀ ବା ଚକ୍ରଟା କୁଆଡ଼େ ସେଇ ଶିଶୁର ପରବର୍ତ୍ତୀ ଜୀବନର ଗତିକୁ ଅବିକଳ ଘଣ୍ଟା-କଣ୍ଟା ଭଳି ସବୁବେଳେ ଘୂରାଉଛି ! ତାହା ଯଦି ଠିକ୍ କିମ୍ବା ଭୁଲ ମଧ୍ୟ ହୋଇଥାଏ, ତଥାପି ଏଇ ଉଦ୍ଭାବନ କିଛି ତ କମ୍ ଆଶ୍ଚର୍ଯ୍ୟର କଥା ନୁହେଁ ! ଏଥିରୁ ପୁଣି “ଜାତକ ସାଧିବା” ବିଦ୍ୟା ଅଛି-। ତଦ୍ଦ୍ଵାରା ଏଇ ଚକ୍ର ସାହାଯ୍ୟରେ ମୋର ଜନ୍ମାବଧୀ ଯାହା ଯାହା ଦୈନନ୍ଦିନ ଘଟଣା ଘଟିଯାଉଛି, ପୁଣି ଭବିଷ୍ୟତରେ ଯାହା ବା ଯେଉଁ ଦିନ ଘଟିବ, ସବୁ କଥା କୁଆଡ଼େ ଜଣାପଡ଼େ ! ଏମ‌୍‌ତି କି କଲିକତା ଫୁଟ୍‍ପାଥ ଉପରେ ବସିଥିବା ଚନ୍ଦନଚର୍ଚ୍ଚିତ ଚିତାତିଳକ-ଶୋଭିତ ଗଣକ ଓ ଦିଲ୍ଲୀ କନଟ୍ ପ୍ଲେସରେ ବୁଲୁଥିବା ଚିତା-ପଗଡ଼ି-ମାଳି ପିନ୍ଧା ଗୈରିକ-ବସନଧାରୀ ସନ୍ନ୍ୟାସୀମାନେ ସୁଦ୍ଧା ଖାଲି ମୁହଁକୁ ଓ ପାପୁଲିକୁ ଚାହିଁ ଓକିଲ ମହକିଲକୁ ଚାହିଁଲା ପରି ସବୁ ଗତ ଆଗତ କଥା ଅନର୍ଗଳ କହିଯାନ୍ତି । ସେଥିରୁ କେତେ ସତ, କେତେ ମିଛ; କିନ୍ତୁ ଯେଉଁ ବିଷୟରେ ଆମେ ନିଜେ ଅଜ୍ଞ, ତାକୁ ମିଛ ଓ ଠାସକମରା କଥା ବୋଲି କହିଦେବା ହିଁ ସହଜ ପରା !

 

ଏଇ ରାଶିଚକ୍ରଟି ଯେତେ ଅବିଶ୍ୱାସ୍ୟ ବା ପରିହାସ୍ୟ ହେଉ ପଛେ, ପ୍ରାପ୍ତବୟସ୍କ ଅବସ୍ଥାରେ କନ୍ୟା-ନିର୍ବାଚନ, ତିଥିବାର ନକ୍ଷତ୍ର- ନିର୍ଦ୍ଧାରଣଦ୍ୱାରା ବ୍ରତ-ବିବାହ-କର୍ମରେ ସେଇ ଶିଶୁର ପରବର୍ତ୍ତୀ ସଂସାର-ନିର୍ମାଣ କ୍ଷେତ୍ରରେ ଏହା ତା’ର ମାତା ପିତାଙ୍କୁ ଓ ନିଜକୁ ମଧ୍ୟ ଯେ ଯଥେଷ୍ଟ ସାହାଯ୍ୟ କରୁଛି, ତାହା ସେ ଆଜି କଦାପି ଅସ୍ୱୀକାର କରିପାରିବ ନାହିଁ—ଠିକ୍ ଯେମ‌୍‌ତି ସେ ଅସ୍ୱୀକାର କରିପାରିବ ନାହିଁ ନିଜକୁ ଓ ନିଜ ଜନ୍ମଦାତ୍ରୀଙ୍କୁ, ନିଜର ଅତୀତକୁ, ନିଜ ଶୈଶବ ଓ ଯୌବନକୁ । ପୁଣି ସେଇ ଶୈଶବର ପ୍ରଧାନ ରଙ୍ଗମଞ୍ଚ ଓ କ୍ରୀଡ଼ାମଞ୍ଚ ତା’ର ଜନ୍ମସ୍ଥାନ ଗାଁଟିକୁ ।

 

ଛୋଟ ନୁହେଁ କି ବଡ଼ ନୁହେଁ—ଆଖପାଖ ଚାରି ପାଞ୍ଚଟି ପଡ଼ାକୁ ମିଶାଇ ମଧ୍ୟଭଳି ଗାଁଆଟି । ଛତିଶ ପାଟକ ପ୍ରାୟ ସବୁ ଜାତିର ଲୋକଙ୍କ ବାସସ୍ଥାନ । ଲୋକସଂଖ୍ୟା ସମ୍ପର୍କରେ ସାନି ଜନଗଣନା ହିସାବ ଅବଶ୍ୟ ପାଖରେ ମୋର ନାହିଁ । ପଞ୍ଚାୟତ ନିର୍ବାଚନରେ ଠିଆ ହୋଇଥିଲେ ଗାଁଟାର ଅନ୍ତତଃ ସାବାଳକ ଭୋଟର ସଂଖ୍ୟା ଜାଣିଥାନ୍ତି । କିନ୍ତୁ ସେ ସୁଯୋଗ ମୋର ତ ଜୁଟିନି । ତେବେ ସବୁ ପଡ଼ାକୁ ମିଶାଇ ଦୁଇ ଶହ କି ଅଢ଼େଇ ଶହ ଘର । ଗଉଡ଼ ସାହି, ବଣିଆ ସାହି, ଭୋଇ ସାହି, ତେଲି ସାହି, ଗଡ଼ ସାହି, ସୋବନି, ସାତକାବାଦ, ଫକୀରପଡ଼ା, ସାହାଣି ସାହି ସମେତ ଗାଁଆଟିର ନାମ ମୌଜେ ବିଶ୍ୱନାଥପୁର, ପୋଷ୍ଟ ବାଲିପାଟଣା, ପ୍ରଗଣେ କୋଠଦେଶ, ଜିଲେ ପୁରୀ । ଆମ୍ବ ନଡ଼ିଆ ତାଳ ପୁନାଗ ବେତ ବାଉଁଶ ଗହଳି ଭିତରେ ଲୁଚି ଯାଇଥିବା ସେଇ ଗାଁଆର ପ୍ରାୟ ଦେଢ଼ ଫୁଟ ଲମ୍ବ ଛ’ଇଞ୍ଚ ଚୌଡ଼ା ମାଟି ଚଟାଣ ହୁଏ ପିଲାଟିର ଜନ୍ମସ୍ଥାନ । ପରେ ତାକୁ ମିଶାଇ ଅନେକ ଅଞ୍ଚଳ ହୁଏ ଜନ୍ମଭୂମି ।

 

ସେଇ ଗାଁଆରେ ମଧ୍ୟ ତା’ର ମା ବାପଙ୍କର ଜନ୍ମ ।

 

ପିତା ସ୍ଵପ୍ନେଶ୍ଵର, ମାତା ସରସ୍ୱତୀ । ପିତାମହଙ୍କ ନାମ ନରୋତ୍ତମ ଓ ଅଜା ମୃତ୍ୟୁଞ୍ଜୟ ଶତପଥୀ । ପିଲାଟିର ମାମୁଁ ଘର ନିଜ ଘରଠାରୁ ମାତ୍ର ପ୍ରାୟ ପାଞ୍ଚ ଶହ ହାତ ଦୂରରେ ।

 

ସାନବଡ଼ ପ୍ରତି ଗାଁଆ ଭଳି ବିଶ୍ୱନାଥପୁର ଗାଁଆଟିର ଗୋଟିଏ ଇତିହାସ ଅଛି । ଇତିହାସ ଅବା ନାହିଁ କେଉଁଠି ? ମାଟି ଉପରେ ତ ଜାଣି, ମାଟି ତଳେବି ଯେଉଁଠି ରାମ୍ପୁଡ଼ିଲେ ସେଠାରେ ବାହାରିବ ଇତିହାସ । ଶୁଣାଯାଏ ଗାଁଆଟିର ନାଁ ଥିଲା ପ୍ରଥମ ବନ୍ଦୋବସ୍ତରେ ବିଷ୍ଣୁଦାସପୁର, ତା’ପରେ ସେ ଗ୍ରହଣ କଲା ଆଉ ଗୋଟିଏ ନାଁ—ବିଶ୍ୱନାଥପୁର । ସେ ଗାଁଆରେ ଯେଉଁମାନେ ଆଧିପତ୍ୟ ବିସ୍ତାର କରିଥିଲେ ତାଙ୍କର କୌଶକ ପଦବୀ ଥିଲା ‘ପାଣି’, ପରେ ସେମାନେ ବୋଲାଇଲେ ‘ପାଣିଗ୍ରାହୀ’ । ଆଉ କୁଆଡ଼େ ଏସବୁ ନାମ ପରିବର୍ତ୍ତନ ପାଇଁ ଦାୟୀ ଥିଲେ ଲେଖକଙ୍କ ଜନକ—ଗାଁଟିର ସର୍ବପ୍ରଥମ ଇଂରାଜୀ ଶିକ୍ଷିତ ଓ ଆଇନ୍‌ଜୀବୀ ।

 

ବାପା ଥାନ୍ତି ପୁରୀରେ ମୁକ୍ତାର । ପ୍ରତି ଶନିବାର କଚେରି କାମ ସାରି ରାତି ଗାଡ଼ିରେ ବାହାରନ୍ତି ଗାଁଆକୁ । ସେଠାରୁ ରବିବାର ରାତିରେ ଫେରି ସୋମବାର ପୁଣି କଚେରିରେ ସେ ଯୋଗ ଦିଅନ୍ତି । ବିଶ୍ୱନାଥପୁରକୁ ବଳି ବିଶ୍ୱ ବ୍ରହ୍ମାଣ୍ଡରେ ଆଉ କୌଣସି ସ୍ଥାନ ଅଛି ବୋଲି ବାପାଙ୍କର ବିଶ୍ୱାସ ନୁହେଁ । ବାରମ୍ବାର କହନ୍ତି, ଯେତେ ଯୁଆଡ଼େ ବୁଲି କାମ କରି ଖାଅ, ବିଶ୍ୱନାଥପୁରକୁ ସବୁବେଳେ ଚାହିଁ ଥିବଟି ! ସେ ତମର ମାନ ଇଜ୍ଜତ୍‌ର ମୂଳପିଣ୍ଡ ।

 

ଷୋଳପଣି ମକଦମି ମାହାଲ ବିଶ୍ୱନାଥପୁର ଗାଁଆଟି ପ୍ରାୟପ୍ରତି ବର୍ଷ କଡ଼ାଏ ଦି’କଡ଼ାର କେହି ମକଦମ ଖଜଣା ନ ଦେବାରୁ ନିଲାମ ଉଠିବା ଭୟ ଥାଏ । ମାହାଲ ନିଲାମ ଯାଇ ପାଣିବଂଶ ମହତ ତଳେ ପଡ଼ିଯିବ, ଏହା ବାପାଙ୍କର ଅସହ୍ୟ । ବଡ଼ ବଡ଼ ଜମିଦାରମାନେ ସବୁବେଳେ ତକେଇଥାନ୍ତି, କେବେ ସେ ମାହାଲ ନିଲାମ ଉଠିଲେ, ନିଲାମ ଧରିବେ ବୋଲି । ଥରେ ଜଣେ ବଡ଼ ଜମିଦାର ପୁରୀ ମୁକ୍ତାରଖାନାକୁ ଆସି ବାପାଙ୍କ ସଙ୍ଗେ ତର୍କ କରି କହିଲେ—

 

“ଏଥର ବିଶ୍ୱନାଥପୁର ନିଶ୍ଚେ ନିଲାମ ଉଠିବ।”

 

“ନିଲାମ ଉଠିଲେ ଆପଣଙ୍କର ଲାଭ ?” ବାପା ପଚାରିଲେ ।

 

“ମୁଁ ନିଲାମ ଧରିବି, ମୁକ୍ତାର ବାବୁ !”

 

“କଦାପି ନୁହେ”—ବାପା ଦୃଢ଼ତାର ସହିତ କହିଲେ ।

 

“ବାଜି ମାରନ୍ତୁ—ଆଚ୍ଛା କହନ୍ତୁ, ମୁଁ ନିଲାମ ନେଲେ କ’ଣ

 

ଆପଣ ଛାଡ଼ିଯିବେ ?”—ଜମିଦାର ନିଜେ ପାପୁଲି ଦେଖାଇଲେ ।

 

“ମୋର କିଛି ଛାଡ଼ିଯିବା ପ୍ରଶ୍ନ ଉଠୁନି ତ । ବିଶ୍ୱନାଥପୁର ମାହାଲ ଚାଲିଗଲେ ମୋର ଆଉ ଥିବ କ’ଣଯେ, ମୁଁ ଆପଣଙ୍କୁ ଛାଡ଼ିଯିବି ? କିନ୍ତୁ କେତେ ଟଙ୍କା ଆପଣଙ୍କର ଅଛି ଯେ, ମୋ ସଙ୍ଗେ ଆପଣ ବାଜି ମାରିବେ, ପୁଣି ବିଶ୍ୱନାଥପୁର ମାହାଲଟା ନିଲାମରେ ଧରିବେ ?” ବାପା ପଚାରିଲେ କୌତୁକ କଲାପରି ।

 

ମୁକ୍ତାରଖାନାର ସବୁ ମୁକ୍ତାର, ମୋହରିର, ମକ୍‍କେଲ ସାଗ୍ରହ କୌତୁହଳରେ ଜଣେ ବଡ଼ ଜମିଦାର “ଚୌଧୁରୀ”ଙ୍କ ସଙ୍ଗେ ବାପାଙ୍କର ଏଇ ଯୁକ୍ତି ତର୍କ ଶୁଣୁଥାନ୍ତି । ଚୌଧୁରୀ ମହାଶୟ ବାପାଙ୍କ ପ୍ରଶ୍ନରେ ଉତ୍ତ୍ୟକ୍ତ ହୋଇ ପଡ଼ି କହିଲେ, ବିଶ୍ୱନାଥପୁର ଷୋଳପଣି ମାହାଲରୁ ଆପଣଙ୍କର ତ ମୋଟେ ପଣେକି ଦି’ପଣ ହକିୟତ୍ । ସେଥିରେ ଏତେ ଜିଗର କାହିଁକି ?”

 

ବାପାଙ୍କର ଗୋଟିଏ ବଡ଼ ଗୁଣ ଥିଲା ସେ କ୍ଵଚିତ୍ ରାଗିଯାଆନ୍ତି । ବରଂ ରାଗିବା ସ୍ଥଳରେ କୌତୁକ କରିବା ଥିଲା ତାଙ୍କର ବାହାଦୁରୀ । ସେ କହିଲେ, “ଆପଣଙ୍କର ତ ସେଇ ପଣେ କି ଦି’ପଣ ନଥାଇ ସୁଦ୍ଧା ପୂରାପୂରି ଗୋଟିକ ଯାକ ମାହାଲ ନିଲାମ ଧରିବାକୁ ସାହସ ରହିଛି !”

 

“ସାହସ ଖାଲି ରହିଛି, ନା ବର୍ଷ ବର୍ଷ ଧରି, ମୁଁ ଏଥିପାଇଁ ତକେଇ ଆସିଛି ! ଏଥର କିନ୍ତୁ ଜିଦି ମାରୁଛି, ମୋ ସ୍ତ୍ରୀକି ବିକ୍ରି କରି ବି ପଛେ, ବିଶ୍ୱନାଥପୁର ନିଲାମ ଧରିବି—ନିଶ୍ଚେ, ନିଶ୍ଚେ,ନିଶ୍ଚେ ତିନି ବାର ସତ୍ୟ !” ଚୌଧୁରୀ ବେଶ୍ ଉତ୍ତ୍ୟକ୍ତ ହୋଇପଡ଼ିଥାନ୍ତି ।

 

ଧୀର ଭାବରେ ବାପା ଜଣାଇଲେ, ଆଚ୍ଛା ଚୌଧୁରୀ ମହାଶୟ ! ଆପଣ କେତେ ବଡ଼କଥାଟାଏ କହିଲେଣି । ତେବେ କଣ କି—ଆପଣଙ୍କ ସ୍ତ୍ରୀଙ୍କୁ ଯେ ଖରିଦ କରିବେ, ବିଶ୍ୱନାଥପୁର ମାହାଲଟାକୁ ସେ ନିଲାମ ନଧରି ଆପଣ ଧରିବେ କିମିତି ?”,

 

ହାସ୍ୟରୋଳରେ ସେ ଦିନ ମୁଖରିତ ହୋଇଥିଲା ପୁରୀର ମୁକ୍ତାରଖାନା ?

 

ବିଷ୍ଣୁ ଦାସପୁରକୁ ‘ବିଶ୍ୱନାଥପୁର’ ପୁଣି ‘ପାଣିକୁ’ ‘ପାଣିଗ୍ରାହୀ’ କରିବା ମୂଳରେ ଅସଲ ମତ୍‌ଲବ୍ ହେଲା, ଗାଁଆଟିକୁ ବ୍ରାହ୍ମଣ ଶାସନ ଓ ସେଠାରେ ରହୁଥିବା ବ୍ରାହ୍ମଣମାନଙ୍କୁ ‘ଶାସନୀ ବ୍ରାହ୍ମଣ’ ରୂପେ ପରିଚିତ କରାଇବା । ଯେହେତୁ ଅଢ଼େଇ ଶହ ତିନି ଶହ ବ୍ରାହ୍ମଣେତର ଜାତିଙ୍କ ଉପରେ ମାତ୍ର ପନ୍ଦର କି କୋଡ଼ିଏଟି ଘର ବ୍ରାହ୍ମଣ ଶାସନ କରନ୍ତି । ମକଦମ ମାହାଲ ବିଶ୍ଵନାଥପୁର ମୌଜାର ସେଇ ପନ୍ଦର କୋଡ଼ିଏଟି ଘର ହେଲେ ମକଦମ—ହର୍ତ୍ତା କର୍ତ୍ତା ବିଧାତା । ପୁରୀ ରାଜାମାନେ ଷୋହଳ ଶାସନ ବତ୍ରିଶ କରବାଡ଼ ବ୍ରାହ୍ମଣ ଗ୍ରାମ ବସାଇ ସେଠାରେ ତାଙ୍କ ହାତରେ ଯେମ୍‍ତି ଗ୍ରାମ ଶାସନ କ୍ଷମତା ଦେଇଥିଲେ, ସେହି ଅନୁକ୍ରମରେ ହିଁ ଏସବୁ ଗାଁଆ ଗଢ଼ା ହେଲା ବୋଲି ମଧ୍ୟ ମନେହୁଏ ।

 

ଓଡ଼ିଶାକୁ କେତେକ ବ୍ରାହ୍ମଣ ଲକ୍ଷ୍ନୌ ପରି ଉତ୍ତରାଞ୍ଚଳରୁ ଅଣାଯାଇ ଯଯାତିକେଶରୀଙ୍କ ନିର୍ଦ୍ଦେଶରେ ପରେ ଯାଜପୁର ବୈତରଣୀ ନଦୀକୂଳରେ ଯଜ୍ଞ କରନ୍ତି ! ସେମାନଙ୍କ ସମେତ କେତେକ ଯାଜ୍ଞିକ ବ୍ରାହ୍ମଣଙ୍କୁ ଆଣି ପୁରୀ ନିକଟବର୍ତ୍ତୀ ବ୍ରାହ୍ମଣ ଶାସନ ମାନ ଗଢ଼ା ହୁଏ । କିନ୍ତୁ ବିଶ୍ଵନାଥପୁରକୁ ଯେଉଁମାନେ ଶାସନ କଲେ, ସେମାନଙ୍କୁ କୌଣସି ରାଜା ନିମନ୍ତ୍ରଣ କରି ଆଣିଥିବାର ଜଣା ପଡ଼େନାହିଁ । ସେମାନେ ସ୍ୱୟଂ ଆସି ଯାଇଥିଲେ ।

 

ଶୁଣାଯାଏ, ଗଣି ପାଣି ଓ ଅନାମ ପାଣି ନାମରେ ଦୁଇଟି ଭାଇ ଥୋଡ଼ିବଳଦ ଉପରେ ଧାନବସ୍ତା ଲଦି ଏ ଅଞ୍ଚଳରେ ଆସି ବ୍ୟବସାୟ କରନ୍ତି । ତାଙ୍କ ଘର ଲକ୍ଷ୍ନୌ କିମ୍ବା ପାଟଳୀ ପୁତ୍ର ନୁହେ, ଦୁହେଁଯାକ ସମ୍ବଲପୁରର ପୁତ୍ର । ସେତେବେଳେ ଅବଶ୍ୟ ସମ୍ବଲପୁର କୋଶଳ ରାଜ୍ୟର ଅନ୍ତଭୁକ୍ତ ଥିଲାକି ନାହିଁ, ତାହାର ଗବେଷଣା ଐତିହାସିକ ପଣ୍ଡିତମାନଙ୍କର କାମ । ନିଜ କୁଟୁମ୍ବମାନଙ୍କ ମୁହଁରୁ ମୁଁ ଯେତିକି ଶୁଣିଛି, ସେତିକି ମାତ୍ର ଏଠାରେ ନିବେଦନ କରୁଛି ।

 

ଗଣି, ଅନାମ ଦୁଇ ଭାଇ ପ୍ରଥମେ ବିଶ୍ୱନାଥପୁରରୁ ତିନି ଚାରି ମାଇଲ୍ ପଶ୍ଚିମରେ ଭାର୍ଗବୀ କୂଳରେ ଝିଇଁଟି ଗାଁଆକୁ ଆସନ୍ତି । ସେଠାରେ ତାଙ୍କ ବଂଶଧରମାନଙ୍କ ମଧ୍ୟରୁ କେତେ ଘର କୁଟୁମ୍ବ ଏବେବି ଅଛନ୍ତି । ଆହୁରି ଘରେ ଦି’ଘର ବି ରହିଛନ୍ତି ବିଶ୍ୱନାଥପୁରକୁ ଲାଗି ସିଶୋଲ । ଗାଁଆରେ । ଥୋଡ଼ିବଳଦର ନାକରେ ଦଉଡ଼ା ଫୋଡ଼ି ଓ ପିଠିରେ ତା’ର ବସ୍ତା ଲଦି ସେମାନେ ଯେମ‌୍‌ତି ଶେଷରେ ଏ ଅଞ୍ଚଳର କେତେକ ଗାଁ ଦଖଲ କରିନେଲେ, ତାଙ୍କୁ ସୁଯୋଗ୍ୟ ବଂଶଧରମାନଙ୍କ ମଧ୍ୟରୁ ମଣିଷକୁ ମଧ୍ୟ କେହି କେହି ଠିକ୍ ଥୋଡ଼ି ବଳଦ ଭଳି ବ୍ୟବହାର ନ କଲେ ସୁଦ୍ଧା ସେମତି ଟିକିଏ ରକ୍ତଗତ ଅଭ୍ୟାସ ତାଙ୍କଠାରେ ରହିଯିବା ସ୍ଵାଭାବିକ । ତାଙ୍କର ଅନ୍ୟତମ ବଂଶଧର ହେଲି ସ୍ଵୟଂ ମୁଁ—ସମ୍ବଲପୁର ଅର୍ଥାତ୍ ପୌରାଣିକ କୋଶଳ-ସଭ୍ୟତାର ଜଣେ କୁଶଳୀ କଳାକାର ହେବାକୁ ବ୍ୟର୍ଥପ୍ରୟାସୀ—ପୁଣି ଜଣେ କୌଶଳୀ ବଂଶଧର ହେବାକୁ ମଧ୍ୟ—ଖାଲି ବଂଶଧର କାହିଁକି, ବିଷଧର ପରି ଫଣା ଟେକି, ଲହ ଲହ-ଜିହ୍ଵା ହୋଇ ତୁଚ୍ଛା ତଳୁଟାରେ ଅକାରଣ ଚୋଟମାରି ଓ ସମସ୍ତଙ୍କୁ ଭୀତ ତ୍ରସ୍ତ କରି ଆତ୍ମ‌ସନ୍ତୋଷ ପାଇବାକୁ ମୁଁ କମ୍ ଲୋଡ଼େଁ ନାହିଁ ତ !

 

“ବିଶ୍ୱନାଥପୁର ପାଣିବଂଶ” ପଦବୀଟା ମକଦମି ଉଠି ସାରିଲା ପରେ ମଧ୍ୟ ଏକ ପ୍ରଚଣ୍ଡ ସମ୍ମାନ ଓ ଅହଂକାର ବିଷୟ ହୋଇରହିଛି । ପ୍ରଜା ପାଟକମାନଙ୍କଠାରୁ ଖଞ୍ଜଣା ଅସୁଲ ଓ ସେଥି ସହିତ ସାରୁ ବିଶାଏ, ନଡ଼ିଆ କଡ଼ାଏ, ଖଡ଼ା ଗଛେ, ଜହ୍ନି ଟାଏ, କାକୁଡ଼ି କଷିଟାଏ, ମାଛ ପୁଞ୍ଜାଏ କି କଦଳୀ ଫେଣା ଏ ମୁନାଫା ଆଣିବାର ବାଟ ଅବଶ୍ୟ ଅନେକ ବନ୍ଦ ହୋଇଗଲଣି । ତଥାପି ସେଇମାନେ ଆଜି ଗାଁଆରେ ବଡ଼’ ଚାଷୀ, ବେଶୀ ପାଠୁଆ, ବେଶି ବୁଦ୍ଧିଆ, ମାମଲତକାର, ହାକିମ, ଓକିଲ, ଶିକ୍ଷକ, କିରାନି, ଲେଖକ, ପୋଲିସ, ମନ୍ତ୍ରୀ, ପାର୍ଲାମେଣ୍ଟସଦସ୍ୟ, ପଞ୍ଚାୟତ- ଚେୟାରମ୍ୟାନ । ପୁଣି ମକଦମିଟା ଉଠିଗଲା ତ ହେଲା କ’ଣ ? ମକଦମା ତ କିଛି ଉଠିନାହିଁ ।

 

ସେଇମାନେ ଆଜି ପୁଣି ଅନ୍ୟ ରୂପରେ ଅନ୍ୟ ଦେଶରେ ବିଶ୍ୱନାଥପୁର ଶାସନରୁ ବାହାରି ଦେଶ ଶାସନ କରୁଛନ୍ତି; ଅଥଚ ପଚାଶ ବର୍ଷ ତଳେ ବିଶ୍ୱନାଥପୁର ପ୍ରାଇମେରି ସ୍କୁଲଘରଟି ଯେଉଁ ଅବସ୍ଥାରେ ରହିଥିଲା, ତା’ଠାରୁ ଏବେ ବେଶି ଖରାପ ହୋଇଛି ସିନା, ଆଉ କିଛି ଉନ୍ନତି କରି ପାରିନାହିଁ । ସେଇ ପନ୍ଦର କୋଡ଼ିଏଟି ଉଚ୍ଚ ଜାତିରେ ଲୋକଙ୍କ ଭିତରୁ କେତେକ ଆଗେ ଯେମ‌୍‌ତି ମେଦିନୀପୁରରେ ଭିକ ମାଗି ଓ କଲିକତାରେ ରୋଷେଇ କରି ଚଳୁଥିଲେ, ବେଶି ଦୂର ନ ଗଲେ ମଧ୍ୟ କେହି କେହି ଆଜି କଟକ ଭୁବନେଶ୍ୱରରେ ସେହି କାମ କରି ଚଳୁଛନ୍ତି । ତଥାପି ଗାଁଆକୁ ଆସି ଗଲେ ତାଙ୍କ ମର୍ଯ୍ୟାଦା ପ୍ରତିପତ୍ତି ଊଣା ପଡ଼ିନାହିଁ ତିଳେ ହେଲେ । ତାଙ୍କ ଭିତରୁ କେତେ ଘର ସହରରେ ଦୋଘରା କରି ରହିଲେ ମଧ୍ୟ ଗାଁଆର ମାୟା ପୂରାପୂରି ତୁଟାଇ ଦେଇପାରି ନାହାନ୍ତି । କାରଣ ସେ ତ ଖାଲି ମାୟା ନୁହ, କାୟା ଧାରଣ ଲାଗି କିଛି ଉପାଦାନ ମଧ୍ୟ ଯୋଗାଇଥାଏ । ନିଜ ଭିତରେ ତାଙ୍କର ଥରକୁ ଥର ମାରପିଟ୍ ମାଲି-ମକଦ୍ଦମା ପ୍ରାୟ ଲାଗି ରହିଛି । ଶାସକ କୁଳ ଏଇ ପନ୍ଦର କୋଡ଼ିଏ ଘର ଭିତରେ ପରସ୍ପର କଳିକଜିଆ ମାରପିଟ୍ ଲାଗିଲେ, ବାକି ଅଢ଼େଇ ଶହ କି ତିନି ଶହ ଘର ଲୋକଙ୍କର ପକ୍ଷ ସମର୍ଥନ ଦେଖାଦେଇଛି, ଦେଖାଦେଇଛି ଅସଭ୍ୟ କଳିତକରାଳ, ମାରପିଟ, ମାଲିମକଦମା, ଅସଂଖ୍ୟଅନ୍ୟାୟ; ଅନାଚାର, ଅତ୍ୟାଚାର, ବଭ୍ୟିଚାର । ଶେଷରେ ପୁଣି ସବୁ ମେଣ୍ଟାମେଣ୍ଟି ହୋଇ ଯଥା ପୂର୍ବଂ ତଥା ପରମ୍ ।

 

ବିଶ୍ୱନାଥପୁର ଶାସନର ଏହି ପୁରୁଷାନୁକ୍ରମେ ଅଧିଷ୍ଠିତ ଶାସକମାନଙ୍କ ବଂଶଲତା ଦେଶ-ମହାଦେଶଗୁଡ଼ିକର ଇତିହାସ ବର୍ଣ୍ଣିତ ଶାସକମାନଙ୍କ ବଂଶଲତାଠାରୁ କୌଣସି ଅଂଶରେ ଉଣା ବୋଲି ତ ମନେ ହୁଏ ନାହିଁ—ଯଦି ବା ଇତିହାସ ପଢ଼ିଲାବେଳେ ସନ ତାରିଖ ସହିତ ଏହି ବଂଶଲତାଟାହିଁ ମୋର ସବୁଠାରୁ ବେଶି ବିରକ୍ତିକର ବିଷୟ ଥିଲା । ତାହା ଧାର୍ମିକ ଲୋକେ ନାମାବଳୀ ଘୋଡ଼ାଇ ହେଲା ଭଳି କୌତୂହଳ, କୌତୁକ ଓ କିପରି ଗୋଟିଏ ବିରକ୍ତିକର ବିତୃଷ୍ଣା ଭାବ ମୋ ମନରେ ଜଣାଉଥିଲା । ଅଥଚ ମୁଁ ଯେ ଆପେ ଏମ‌୍‌ତି ଗୋଟିଏ ବଂଶଲତାର ବିରାଟ ନାମାବଳୀ ଘୋଡ଼ାଇ ହୋଇ ବୁଲୁଛି, ତାହାତ କାହାର ଆଖି ଆଗରୁ ଲୁଚାଇବାର ଉପାୟ ନାହିଁ । ତେଣୁ ମୋର ପୂର୍ବପୁରୁଷଙ୍କ ନାମୋଦ୍ଧାର କରି ବଂଶଲତାର ଆଂଶିକ ଚିତ୍ରଟି ଏଠାରେ ଦେବାକୁ ପାଠକଙ୍କ ଅନୁମତି ପ୍ରାର୍ଥନୀୟ ।

 

Image

 

ସମ୍ପୂର୍ଣ୍ଣ ବଂଶାବଳୀ ଦେବାକୁ ଏଠାରେ ସ୍ଥାନାଭାବ

 

ମୋତେ ସତ ତମକୁ ମିଛ

ବିବରଣୀଟି ଯୋଗାଇଛନ୍ତି, କଳ୍ପତରୁଙ୍କ ପୁତ୍ର ଓ ମୋର ପିତୃବ୍ୟ ୰ଗୋପିନାଥ ପାଣିଗ୍ରାହୀ-। ବଂଶଲତାଟିରେ ଅଧିକାଂଶ ବଧୂ ଓ କନ୍ୟାଙ୍କର ନାମୋଲ୍ଲେଖ ନାହିଁ, ଯେଉଁମାନେ ବଂଶବୃଦ୍ଧିରେ ପୁରୁଷମାନଙ୍କ ତୁଳନାରେ ଅବଶ୍ୟ କମ୍ ସାହାଯ୍ୟ କରି ନଥାନ୍ତି; ଅଥଚ ସବୁ କ୍ଷେତ୍ରରେ ଆପଣାକୁ ଲୋକଲୋଚନ ଅଗୋଚରରେ ପର୍ଦ୍ଦା ଉହାଡ଼ରେ ଢାଙ୍କି ରଖନ୍ତି । ଉଲ୍ଲିଖିତ ନାମାବଳୀରୁ ମଧ୍ୟ ଅଧିକାଂଶ ପୁରୁଷ ଆଜି ମୃତ୍ୟୁର ପର୍ଦ୍ଦା ଉହାଡ଼ରେ । ମାତ୍ର ଅତୀତରୁ ଆଜି ସୁଦ୍ଧା ପୁରୁଷ ପୁରୁଷ ଧରି ଏଇମାନେ ହେଲେ ଗାଁଆଟିର ରକ୍ଷକ ଓ ଭକ୍ଷକ, ଶାସକ ଓ ଶୋଷକ ବା ପାଳକ ଓ ଚାଳକ; ବାକି ଯାହାଙ୍କର ବଂଶଲତା ଅନାବଶ୍ୟକ, ସେଇମାନଙ୍କ ସଂଖ୍ୟା ହେଲା ଗାଁ ଭିତରେ ପଶୁପକ୍ଷୀ କୀଟ ପତଙ୍ଗ ସଂଖ୍ୟାଠାରୁ କମ୍ ସିନା, କିନ୍ତୁ ମଣିଷଙ୍କ ସଂଖ୍ୟା ତୁଳନାରେ ସେମାନେ ବହୁ ଗୁଣରେ ଅଧିକ; ଯଦିବା ମଣିଷ ମଧ୍ୟରେ ସେଇମାନେ ବିଶେଷ୍ୟ-ପଦବାଚ୍ୟ ନୁହନ୍ତି, ବିଶେଷଣ ମାତ୍ର, ଅର୍ଥାତ୍ ସେମାନେ ହେଲେ ରକ୍ଷକ ଭକ୍ଷକ, ଶାସକ, ଶୋଷକ ଓ ପାଳକ, ଚାଳକମାନଙ୍କର ରକ୍ଷିତ, ଭକ୍ଷିତ, ଶାସିତ ଶୋଷିତ, ଚାଳିତ ଓ ପାଳିତ । ଏଇ ବିଶେଷଣ ପଦଗୁଡ଼ିକ ସେମାନଙ୍କର ବିଶେଷ୍ୟ- ପଦକୁ ସୁନ୍ଦର ଶୋଭନୀୟ ଗୌରବମୟ ମହନୀୟ କରିଥାନ୍ତି । ବିଶେଷ୍ୟ ପଦ ବ୍ୟତିରେକ ତାଙ୍କର ସ୍ୱତନ୍ତ୍ର ସ୍ଥିତି କିମ୍ବା ସତ୍ତା ନାହିଁ । ପୁଣି ବିଶେଷ୍ୟ ପଦମାନଙ୍କର ଜନ୍ମାନ୍ତର ବାଦରେ ପ୍ରଗାଢ଼ ବିଶ୍ୱାସ ଥିବା ହେତୁ ବୋଧହୁଏ ତାଙ୍କର ପ୍ରତିପତ୍ତି ଏବେ ସୁଦ୍ଧା ଅକ୍ଷୁର୍ଣ୍ଣ ରହି ଆସିଛି—ଅର୍ଥାତ୍ ବିଶ୍ୱନାଥପୁରରେ ଜନ୍ମି ମୃତ୍ୟୁଲାଭ କଲେ ତାଙ୍କର ଆଦି ସ୍ଥାନ ସମ୍ବଲପୁରରେ କାହାରି ଆଉ ପୁନର୍ଜନ୍ମ ହେବନି, ହେବ କେବଳ ସେହି ବିଶ୍ୱନାଥପୁରରେ । କଟକ ଭୁବନେଶ୍ୱର ଆଦି ସବୁ ସହର ଓ ସବୁ ଗାଁଆରେ ସବୁ କାଳେ ବୋଧହୁଏ ବାହାର ଲୋକଙ୍କ ପ୍ରତିପତ୍ତି ବେଶି ।

 

ମୁଁ ହେଲି ସେଇ ବଂଶ-ଲତାର ନରାଧୀପମାନଙ୍କ ଭିତରୁ ଜଣେ ନରଧାମ ଯେ କି ଗାଁଆ ଛାଡ଼ି ସହରବାସୀ ହେଲାଣି । ଯେ କି ଗାଁଆର ନରାଧିପମାନଙ୍କ କଳିତକରାଳରୁ ବାହାରି ସହର କଳିତକରାଳରେ ପଶି ଗଲାଣି; ତଥାପି ଗାଁଆର ଲୋଭ ଛାଡ଼ି ପାରିନି । ରକ୍ତଟା ଯେ କେବଳ ଲାଲରଙ୍ଗର ତରଳ ପଦାର୍ଥ ନ ହୋଇ କିମ୍ବା ପଶୁପକ୍ଷୀଙ୍କର ନ ହୋଇ ମନୁଷ୍ୟ ରକ୍ତ—ସେ ମଣିଷର ଚମଡ଼ାର ରଙ୍ଗ ଯାହା କିଛି ହେଉ ପଛକେ—ଏହି ଛଡ଼ା ତା’ର ବିଶୁଦ୍ଧତା ବିଷୟରେ ଅନ୍ୟ ସାକ୍ଷ ପ୍ରମାଣ ଦେଇପାରନ୍ତି ଅବା ବ୍ଲଡ୍ ବ୍ୟାଙ୍କର ବିଶେଷଜ୍ଞ ଡାକ୍ତର । ମାତ୍ର ଇତିହାସ ଆରମ୍ଭରୁ ମଣିଷ ଯେମ‌୍‌ତି ଗୋଟାଏ ଭ୍ରାମ୍ୟମାଣ ଜୀବ ବୋଲି ଆମେ ପଢ଼ିଆସିଲୁଁ, ଏବେ ପୁଣି ଉଦ୍‍ବାସ୍ତୁଙ୍କ ଥଇଥାନ ବ୍ୟାପାରରେ ଦେଖିଆସିଲୁଁ, ତହିଁରୁ ଜାତିଧର୍ମ ଭାଷା କିମ୍ବା ରକ୍ତର ବଶୁଦ୍ଧତା ବିଷୟରେ ଗୋଟିଏ ମୋଟା-ମୋଟି ଧାରଣା ହେବା ଆମର ସ୍ଵାଭାବିକ । ସେହି ବିଚାରରୁ ପୃଥିବୀ-ଗୋଟାକର ସବୁ ମଣିଷ ତ ସବୁଦେଶର ହିଁ ପୋଷ୍ୟପୁତ୍ର, ଯାହାକୁ ସେମାନେ ଜନ୍ମଭୂମି ବୋଲି ଗର୍ବ କରିଥାନ୍ତି; ଅଥଚ କୌଣସି ଭୂମି, କୌଣସି ଦେଶ କାହାର ହେଲେ ମୌରସୀ ନୁହେଁ ତ ! ପୁଣି ଯେଉଁମାନେ ଆଦିବାସୀ ବୋଲି ପରିଚିତ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପୃଥିବୀ ତମାମ ତାଙ୍କ ଭିତରେ ବି ଗତାଗତ କିଛି କମ୍ କି ?

 

ଅତଏବ ମୋର ପାଞ୍ଚ ପୁରୁଷ ଆଗରୁ ଯଦି ଥୋଡ଼ିବଳଦ ବେପାର କରିବାକୁ ସମ୍ବଲପୁରରୁ ଆସି ଶେଷରେ ସ୍ମାର୍ତ୍ତ, ଶ୍ରୋତ୍ରୀୟ କିମ୍ବା ଶାସନୀ ବ୍ରାହ୍ମଣରେ ଆମେ ପରିଚିତ ହୋଇଥାଉଁ—କିମ୍ବା ଆହୁରି ଦଶ ପୁରୁଷ ଆଗରୁ ଥୋକାଏ ନେଫା ଲାଦାଖ ଅଞ୍ଚଳରୁ କି ଆହୁରି କେତେ ପୁରୁଷ ଆଗରୁ ମଧ୍ୟ ସୁଦୂର ଏସିଆରୁ ଆସି ଶେଷରେ ସମ୍ବଲପୁର ବାଟେ ପୁରୀ ଜିଲା ବାଲିପାଟଣା ଥାନା ବିଶ୍ୱନାଥପୁରରେ ବସବାସ କରିଥାଉଁ—ସେଥିରେ ତ ଆଶ୍ଚର୍ଯ୍ୟ ହେବାର କିଛି ହିଁ ନାହିଁ !

 

ପ୍ରସଙ୍ଗକ୍ରମେ ମନେପଡ଼େ—ଥରେ ଗୋଟିଏ ଦେଶୀୟ ରାଜ୍ୟରେ ମୁଁ-ଅତିଥି ହୋଇଥାଏଁ-। ରାଜଦର୍ଶନ ପୂର୍ବରୁ ଦର୍ଶନ ମିଳିଲା ଅତିଥି ଭବନର ଖାନ୍‍ସମାଙ୍କ ସହିତ । ଚେହେରାଟି ଗୋଲଗାଲ, ସେଥି ସହିତ ମୁଖ ମଣ୍ଡଳରେ ବିପୁଳ ବର୍ତ୍ତୁଳ ଦାଢ଼ି । ଦାଢ଼ି ଭିତରୁ ବାହାରି ଆସୁଥାଏ ରାଜକୀୟ ଅତିଥି ପରାୟଣ ଭାଷା । ଅବିମିଶ୍ର ଖାଣ୍ଟି ଓଡ଼ିଆରେ ନିଜର ସେ ସବିନୟ ସଂକ୍ଷିପ୍ତ ପରିଚୟ ଦେଲେ ଯେ, ଖୋଦ୍ ସମ୍ରାଟ ଔରଙ୍ଗଜେବ୍‌ଙ୍କର ଜଣେ ସହଜ ବଂଶଧର-! ଓଡ଼ିଶା ଗଡ଼ଜାତକୁ ତାଙ୍କର ପୂର୍ବପୁରୁଷ କି ଭାବରେ ଆସିଲେ, ତାହାର ସବିଶେଷ ବିବରଣ ମଧ୍ୟ ସେ ଅନର୍ଗଳ କହିଗଲେ ।

 

କେହି କେହି କହନ୍ତି, ଥୋଡ଼ିବଳଦ-ବ୍ୟବସାୟୀ ସମ୍ବଲପୁରୀ ଗଣି ପାଣି ଓ ଅନାମ ପାଣି ଥିଲେ ଝାଡ଼ୁଆ ବ୍ରାହ୍ମଣ । ପ୍ରଚଳିତ ଝାଡ଼ୁଆ ଶବ୍ଦଟିର ବିଶୁଦ୍ଧ ରୂପ ହେଲା—ଆରଣ୍ୟକ । ଅର୍ଥାତ୍ ବୈଦିକ ଅଥବା ପ୍ରାଗ୍ ବୈଦିକ ଯୁଗରେ ଯେଉଁ ଋଷିମାନେ ଅରଣ୍ୟରେ ଆଶ୍ରମ କରି ରହୁଥିଲେ ଓ ପରେ ସଂଗଠିତ ନଗରମାନଙ୍କୁ ନ ଆସି ନିଜ ରକ୍ତର ବିଶୁଦ୍ଧତା ରକ୍ଷା କରିଥିଲେ, ସେମାନଙ୍କ ବଂଶଧର । ସମ୍ବଲପୁରକୁ ଆଉ କେଉଁଠୁ ସେମାନେ ଆସିଥିଲେ, ତାହାର ଇତିହାସ ବି ଖୋଜିବାକୁ ପଡ଼ିବ । ମୋଟ ଉପରେ ସମସ୍ତ ଅନ୍ୟ ସ୍ଥାନରୁ ଆସନ୍ତୁ ଏବଂ ପରେ ଏକ ଭୂମିଖଣ୍ଡକୁ ଜନ୍ମଭୂମି, ମାତୃଭୂମି, ସ୍ଵଦେଶ କିମ୍ବା ସ୍ଵାଧୀନତା କହି ଭାଗବଣ୍ଟୁଆରା କରନ୍ତି, ଦେଶପ୍ରେମ କବିତା ବା ସଂଗୀତ ଲେଖନ୍ତୁ, ଜାତି ଓ ରକ୍ତର ବିଶୁଦ୍ଧତା ପ୍ରମାଣ ପାଇଁ ନିୟମ କଟକଣା କରନ୍ତି ।

 

ରକ୍ତର ଏଇ ତଥାକଥିତ ବିଶୁଦ୍ଧତା ରକ୍ଷା କରିବା ପାଇଁ ଲଣ୍ଡନର ରାଜା ଅଷ୍ଟମ ଏଡଓଆର୍ଡ଼ଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା । ପୁଣି ଭାରତବର୍ଷର ମୁକ୍ତ ପ୍ରଜାଶାସନରେ ବି ଜାତିଆଣ ଶୁଦ୍ଧିପତ୍ରର ବିଚାର ଏ ପର୍ଯ୍ୟନ୍ତ ନିର୍ମୁଳ ହୋଇନାହିଁ । ଚାରିଟି ଜାତି ହେଲେ ବି ବ୍ରାହ୍ମଣଭିତରେ ଆରଣ୍ୟକ, ଶୋତ୍ରୀୟ, ସ୍ମାର୍ତ୍ତ, ସାମନ୍ତ, ବୈଦିକ, ହଳୁଆ, ସାରୁଆ, ଦାନୁଆ, ପଣ୍ଡା, ମାସ୍ତାନ ପରି ସବୁ ଜାତିରେ ଶତ ଶତ ବିଭାଗ—ଶାଖା ପ୍ରଶାଖା ଗୋତ୍ର । ଏଇ ଗୋତ୍ରମାନେ ହେଲେ ଜଣେ ଜଣେ ଋଷି— ଆତ୍ରେୟ, ଭରଦ୍ୱାଜ, ବତ୍ସସ, ହାରିତ, ବଶିଷ୍ଠ ପ୍ରତ୍ୟେକ ଋଷିଙ୍କର ଲକ୍ଷ ଲକ୍ଷ ବଂଶଧର । ରକ୍ତ ଶୁଦ୍ଧି ରକ୍ଷା ଲାଗି ଏକଗୋତ୍ରରେ ବିବାହ ସମ୍ପର୍କ ସ୍ଥାପନ ନିଷିଦ୍ଧ !

 

ମୋର ପ୍ରପିତାମହ ଶ୍ରୀନିବାସଙ୍କ ପୂର୍ବେ ଯେଉଁ ବୃଦ୍ଧ ପ୍ରପିତାମହଙ୍କ ନାମାବଳୀ ଯାଇ ଛିଣ୍ଡିଛି ଭରଦ୍ୱାଜ ଋଷି ଆଶ୍ରମରେ, ସେ ଭରଦ୍ୱାଜଙ୍କ ପିତା ପିତାମହାଦିଙ୍କର ଉତ୍ପତ୍ତି ସ୍ଥଳ ସ୍ଵୟଂ ବ୍ରହ୍ମାଙ୍କ ମୁଖ ।

 

ଚାରି ମୁଖରୁ ଚାରି ବେଦ । ଶ୍ରୀନିବାସ ଥିଲେ ଯଜୁର୍ବେଦୀ ଭରଦ୍ୱାଜ ଗୋତ୍ରୀ । ଭରଦ୍ୱାଜ ଋଷି ଧନୁର୍ବେଦର ଶିକ୍ଷକ । ତାଙ୍କ ପୁତ୍ର ଦ୍ରୋଣ ଓ ପାଞ୍ଚାଳ ରାଜକୁମାର ଦ୍ରୁପଦ—ବାଳକ ବୟସରେ ଦୁହେଁ ଭରଦ୍ୱାଜ ଆଶ୍ରମରେ ଅସ୍ତ୍ରବିଦ୍ୟା ଶିକ୍ଷା କରନ୍ତି । କଥାରେ ଅଛି, ଇଂଲଣ୍ଡର ଇଟନ୍ ଓ ହ୍ୟାରୋ ବିଦ୍ୟାଳୟ ଖେଳ ପଡ଼ିଆରେ ହିଁ ଓଆଟର୍‍ଲୁ ଯୁଦ୍ଧ ହୋଇଥିଲା । ତା’ପରେ ଏଇଠୁ ବାହାରନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ, ପୁଣି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ।

 

ଭରଦ୍ୱାଜ ଆଶ୍ରମର ଖେଳ ପଡ଼ିଆରେ ସେମ‌୍‌ତି ହୋଇଥିଲା ମହାଭାରତ ଯୁଦ୍ଧ; ଦ୍ରୋଣ ଗୁରୁଙ୍କ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ । ଭରଦ୍ୱାଜ-ଗୋତ୍ରୀ ଶ୍ରୀନିବାସ ନିଜେ ଧନୁର୍ବିଦ୍ୟା ଆୟତ୍ତ କରିଥିଲେ କି ନାହଁ କିଏ ଜାଣେ, କିନ୍ତୁ ତାଙ୍କ ବଂଶଧରମାନେ ଧନୁରେ ବାଟୁଳି ଖଞ୍ଜି ରାମଭକ୍ତ ବାନର ସେନାଙ୍କୁ ଆକ୍ରମଣ କରୁଥିଲେ ! ରେରେକାର ଶବ୍ଦରେ ତାଙ୍କୁ ଘଉଡ଼ାଇ ଦେଉଥଲେ । ମୁଁ ମଧ୍ୟ ଅତି ଅଳ୍ପ ବୟସରୁ ବାଟୁଳି ଓ ବାଟୁଳିଖଡ଼ା ପ୍ରତି ଆକୃଷ୍ଟ ହୋଇ ଏଇ ସୈନ୍ୟଛାଉଣିରେ ଯୋଗ ଦେଇଥିଲି । ଏଥିରେ ମୋର ଗୁରୁ ଥିଲେ ଭୋବନି ଭାଇନା, ବାପାଙ୍କ ଭଣଜା, ଘରେ ମୋର ମୁରବୀ ଓ ଶିକ୍ଷାଦୀକ୍ଷାର ଆଦିଗୁରୁ । ଛଣପଟ ଦଉଡ଼ି ବଳାଯାଇ ବାଉଁଶ ବତାରେ ବାଟୁଳିଖଡ଼ା କିମିତି ତିଆରି ହୁଏ, ପୁଣି ଚିକିଟା ମାଟିରେ ଗୁଳି କରାଯାଏ, ତାଙ୍କରି ଠାରୁ ମୁଁ ଶିଖିଥିଲି ।

 

ବିଶ୍ୱନାଥପୁରର ଜମିଦାର ଥାନ୍ତି, ନିମାପଡ଼ା ରାଟ୍ ସିଂହ ବଂଶ । ତାଙ୍କରି ଅଧୀନରେ ବିଶ୍ୱନାଥପୁର ଗାଁ ମକଦମି ମାହାଲର ଖଜଣା ଅସୁଲ କରି ଜମିଦାର କଚେରିରେ ଦାଖଲ କରୁଥିଲେ ଶ୍ରୀନବାସ । ଦିଅଁ ଦେଉଳ, ସେବା ପୂଜା, ଛତିଶ ପାଟକ ନିଯୋଗ ମୁତୟନ କରି ଓ ସବୁରି ପାଇଁ ଜମି ଜାଗିରି ଖଞ୍ଜି ସେ ଗାଁଟିକୁ ଭଲକରି ଗଢ଼ିଲେ । ଜମିଦାରି ଉପରେ ଜମିଦାରଙ୍କ କତ୍ତୃତ୍ୱ ଭଳି ଗାଁଆ ମକଦମାନଙ୍କର ପ୍ରଜାପାଟକ ଉପରେ ସେହି ଅନୁପାତରେ ହାକିମି ଜାହିର ଥାଏ । ଗାଁ ଭିତରକୁ କମିଦାରଙ୍କ ପିଆଦା ଆସିଲେ କିମ୍ବା ବାକି ଖଞ୍ଜଣା କ୍ରୋଖ ପରୱାନା ଧରି ଅଦାଲତ ପିଅନ ଆସିଲେ, ଚହଳ ପଡ଼ିଯାଏ । ପଡ଼ିଯାଏ କେତେ ତାଟି କବାଟ ।

 

କୋଠଦେଶ ଜମିଦାରି ମାହାଲଟି ଆଡ଼େ ଦୀର୍ଘେ ବତିଶ କୋଶ । ନିମାପଡ଼ା ଜମିଦାରି କଚେରୀ ଆଗରେ କେହି ହେଲେ ଯୋତା ମାଡ଼ିକି ଛତା ଟାଣି ଚାଲିଯିବାକୁ ମନା । ଅଜାଣତରେ କିଏ ସେମ‌୍‌ତି ଅପରାଧ କଲେ ସଙ୍ଗେ ସଙ୍ଗେ ଦଣ୍ଡ ପ୍ରହାର ଜୋରିମାନା । କାରଣ ତାହା ଖୋଦ୍ ଜମିଦାରଙ୍କ ପ୍ରତି ଅପମାନ ! ଛତା କିମ୍ବା ଜୋତାରେ କେବଳ ତାଙ୍କରି ଅଧିକାର । କୋଠଦେଶ ପ୍ରଗଣାର ଏକାଙ୍ଗଚକ୍ରବର୍ତ୍ତୀ ରାଟ୍‌ସିଂ।

 

ତାଙ୍କର ସବାରି ବିଜେ ହେଲେ ଗର୍ଭିଣୀ ଗାଈ ବାଟ ଛାଡ଼ି ଦେଉଥିଲା । ଗର୍ଭିଣୀ ଗାଈ ବୋଧହୁଏ ବଡ଼ ନିର୍ଭୀକା, ଗର୍ବିତା ଓ ମାରଣା ବୋଲି ଏହି ପ୍ରବଚନଟି ଅଛି । ରାଜଧାନୀ ନିମାପଡ଼ାଠାରୁ ପୁରୀ ଜଗନ୍ନାଥ ଦର୍ଶନକୁ ବାହାରିଲେ, ସେ ନିଜ ରାଜ୍ୟ ଛଡ଼ା ଆଉ କାହାରି ଜମିରେ ପାଦ ଦିଅନ୍ତି ନାହିଁ ।

 

ପ୍ରବାଦ ଅଛି, ପୁରୀ ପାଖ ବାଲିଘାଈରେ କୋଠଦେଶ ଜମିଦାରଙ୍କ ସବାରି ଦିନେ ଯାଇ ପହଞ୍ଚିଲେ । ଘାଟପାରିଆ ଜମିଦାରି ବେଠି ଖଟେ । କିନ୍ତୁ ଆଉ ସମସ୍ତଙ୍କ ପାଖରୁ ନଈ ମାସୁଲ ଆଦାୟ କରେ । ଜମିଦାରଙ୍କ ଲୋକ ତାକୁ ପରିଚୟ ଦେଇ ପାରି କରିବାକୁ କହିବାରୁ ସେ ଗୋଟିଏ ପ୍ରଶ୍ନ କଲା—

 

‘‘ବାର କଣା ତେର ଲୋ ।

ତେବେ ଜାଣିବି କୋଠଦେଶ ପୋ ।”

 

‘‘ବାର କଣା” ଅର୍ଥାତ୍ ଟୁସିକଣା, ସର କଣା ଆଦି ବାରଟି ଗାଁ ପୁଣି ରଟିଲୋ, ପମ୍ପାଲୋ, ଅରିଲୋ ନାମରେ ତେରଟି ଗାଁ କୋଠଦେଶ ଭିତରେ ଅଛି । ଜମିଦାର ନିଜେ ସେଗୁଡ଼ିକୁ କହିଦେବାରୁ ନାଉରୀ ତାଙ୍କୁ ଚିହ୍ନି ପାରିଲା । ଭଲ ପ୍ରଶ୍ନ କରିଥିବାରୁ ତା’ ମୁଣ୍ଡରେ ବନ୍ଧାହେଲା ଜମିଦାରଙ୍କ ପାଟଶାଢ଼ୀ ।

 

ଜମିଦାରି ଉପରୁ ରାଟ୍‌ସିଂଙ୍କ କର୍ତ୍ତୃତ୍ୱ ଚାଲିଗଲା ଅତି ସାମାନ୍ୟ କାରଣରୁ । ଥରେ ତାଙ୍କ ନଅର ଦେଖିବାକୁ ଯାଇଥାଉଁ ବନ୍ଧୁ କେତେଜଣ ଛାତ୍ରାବସ୍ଥାରେ । ନଅର ପାଚେରୀର ବିରାଟ ଜାଉଁଳି ପିତଳ କବାଟ ସେତେବେଳକୁ ଥିଲା କି ନାହିଁ ମନେ ପଡ଼ୁନି । ସେ କବାଟ ଖୋଲାଗଲେ କି ବନ୍ଦ ହେଲେ କୁଆଡ଼େ ତା’ର ଶବ୍ଦ ଆଠ ଦଶ ମାଇଲ ଦୂରରେ କୋଣାର୍କ ପର୍ଯ୍ୟନ୍ତ ଶୁଣା ଯାଉଥିଲା । ନଅର ଭିତର ଘର ସବୁ ଭାଙ୍ଗିରୁଜି ଯାଇଥାଏ । ଜମିଦାର ସା’ନ୍ତଙ୍କର ଜଣେ ବଂଶଧର କହିଲେ, ତାଙ୍କ ଜମିଦାରି ଚାଲିଯିବାର କାହାଣୀ—

 

ଦୁଇ ଭାଇଙ୍କ ଭିତରେ କଳିରେ ଆରମ୍ଭ ହୁଏ ପାରା ଘେନି । ଏ ଭାଇର ପାରା ଉଡ଼ିଯାଇ ସେ ଭାଇ ଚାଳରେ ବସିଲା । ସେ ଭାଇର ପିଲାଏ ପାରାକୁ ଧରନ୍ତି । ସେଇଠୁ ଲାଗେ ମକଦ୍ଦମା । କଟକର ବଲ୍ଲିଭଗତ, ପୁରୀ ଏମାର ମଠ ମହନ୍ତ ପୁଣି ଭିଙ୍ଗାରପୁର ଚୌଧୁରୀ ଯୋଗାନ୍ତି ମକଦ୍ଦମା ଖର୍ଚ୍ଚ କରଜ ସୂତ୍ରରେ । ପାରା ମକଦ୍ଦମାରେ ଡିଗ୍ରୀ କାହାର, ଡିସମିସ୍ କାହାର, ପାରା ଶେଷକୁ କେଉଁ ଆକାଶରେ ଉଡ଼ିଗଲା । ମହାଜନମାନେ ନାଲିସ କରନ୍ତି ତାଙ୍କ ଋଣ ଟଙ୍କା ପାଇଁ । ଲାଟ୍ ଯାଏ ନିଲାମରେ ।

 

କ୍ରୋଧ ଆସେ । ଜମିଦାର ଶୁଣନ୍ତି, ତାଙ୍କ ଜମିଦାରି ଚାଲିଯାଉଛି ଅନ୍ୟ ହାତକୁ ! ମୁହଁରେ ହସ ଫୁଟିଉଠେ । ବେପରୁଆ ହସ— ଜମିଦାରଟା କ’ଣ ତମ୍ବା,; ପିତଳ, କଂସା, ଲୋଟା ହୋଇଛି କି ଆମ ହାତରୁ ଆଉ ଜଣେ ଘେନି ପଲେଇବ ! ଆମେ ଯେମ‌୍‌ତି ଅଛୁଁ, ଆମ ଜମିଦାର ବି ସେମିତ ରହିଥିବ । ପୁରୀ କଲେକ୍ଟରଙ୍କୁ ସେତେବେଳେ ଖାଲି ପଦୁଟିଏ କଥା କହି ଦେଇଥିଲେ, ଚାରିଅଣା ଜମିଦାରିରୁ କରଜ ଶୁଝଟ ହେଇ ବାକିତକର ମାଲିକ ହୋଇ ସେ ରହିଥାନ୍ତେ । ମାତ୍ର ତାହା ହେଲାନାହିଁ । ଜମିଦାରି ଖଣ୍ଡିଆ ହେବନି, ଯେମ‌୍‌ତି ଥିଲା ସେମ‌୍‌ତି ରହିବ, ଆମେ ବି ଯେମ‌୍‌ତି ଅଛୁଁ ସେମ‌୍‌ତି ।

 

ସେଇ ଜମିଦାରଙ୍କ କଚେରୀରେ ବିଶ୍ୱନାଥପୁର ମୌଜାର ସାଲିଆନା ଦାଖଲ କରୁଥାନ୍ତି ଶ୍ରୀନବାସ । ବାପାଙ୍କଠାରୁ ଶୁଣିଛି, ଥରେ କୁଆଡ଼େ ଜିଲା କଲେକ୍ଟର ଆମ ଅଞ୍ଚଳକୁ ଗସ୍ତରେ ଆସିଥାନ୍ତି । ଗୋରା ସାହେବଙ୍କୁ ଦେଖିବାପାଇଁ ଗାଁଲେକେ ଆସି ଜମା ହୋଇଗଲେ ।

 

ସାହେବ ହିନ୍ଦୀରେ ପଚାରିଲେ—“ଫସଲ କେମ୍‌ତି ହୋଇଛି ?” ଫସଲ ଭଲ ହୋଇ ନ ଥାଏ । ପ୍ରଜାମାନେ ବାକି ଖଜଣା ଦେଇପାରୁ ନ ଥାନ୍ତି । ସେଥିଲାଗି ଖଜଣା ରିହାତି ମିଳିବାକୁ ଶ୍ରୀନିବାସ କଲେକ୍ଟରଙ୍କୁ ଦରଖାସ୍ତ କରିଥାନ୍ତି; ମାତ୍ର ଖୋଦ୍ ସର୍‌ଜମିନ୍‍ରେ ଆସି କଲେକ୍ଟର ଦେଖନ୍ତି, ଚାରିଆଡ଼େ ପାଚିଲା ଧାନ-କେଣ୍ଡାରେ କିଆରି ସବୁ ହସୁଛି ।

 

ଦରଖାସ୍ତକାରୀକୁ ସାହେବ ତଲବ କଲେ । ଶ୍ରୀନିବାସ ଉପସ୍ଥିତ ଥାନ୍ତି । ଲୋକେ ତାଙ୍କୁ ଚିହ୍ନାଇ ଦେଲେ । ସାହେବ ତାଙ୍କୁ କଟମଟ କରି ଚାହିଁ ଧମକ ଦେଲେ—

 

ଝୁମ୍ ଝୁଟା ଲେଖା—କେସା ଢାନ ହୁଆ ଡେଖୋ ।

 

ଶ୍ରୀନିବାସ ବୁଝାଇଦେଲେ, “ନାହିଁ ସାହେବ, ମୋଟେ ଚାରିଅଣାରେ ଫସଲ ହୋଇଛି ଏ ବର୍ଷ ।”

 

ସାହେବ କିନ୍ତୁ ବୁଝିବାକୁ ନାରାଜ । ଚିଲା ଚିଲା ଆଖିରେ ଶ୍ରୀନିବାସଙ୍କ ଆଡ଼କୁ ତରାଟି ଚାହିଁ କହିଲେ—

 

ଝୁମ୍ ଝୁଟା ବୋଲାଟା । ବହୋଟ୍ ଢାନ୍ ହୁଆ ।

 

କାହାରି ଡରାଣରେ ଶ୍ରୀନିବାସ ଦବିଯିବା ପାତ୍ର ନୁହନ୍ତି, ଗୋରା ହାକିମ କି କଳା ହାକିମ ଯେ ହୁଅନ୍ତୁ ପଛେ । ସେ ଏକଜିଦ୍ ଧରି ବସିଲେ, ଯାହା ଦରଖାସ୍ତ କରିଛନ୍ତି, ସବୁ ସତ—କିଛି ମିଛ ନୁହେଁ । ସାହେବର ମଧ୍ୟ ଏକା ଜିଗର । ଦାନ୍ତରେ ଚୁରୁଟ୍ କାମୁଡ଼ି ଧୂଆଁ ଛାଡ଼ି ପଚାରିଲେ—

 

“ବଟାଓ ହମ୍‍କୋ, କୈସା ଟୁମ୍ ସଚ୍ ହୈ ।”

 

ଆଉ କିଛି ଉପାୟ ନ ଦେଖି ସାହେବଙ୍କୁ ଟିକିଏ ଅପେକ୍ଷା କରିବାକୁ କହି ଶ୍ରୀନିବାସ ଗହୀର ମଝିରେ ପଶିଗଲେ । ଶହ ଶହ ଗାଁଆ ଲୋକ ଭୟ ବିସ୍ମୟରେ ତାଟକା ହୋଇ ପଡ଼ିଥାନ୍ତି । ଏକା ତୁଠରେ ବାଘ ଛେଳିକୁ ପାଣି ପିଆଇବା ଇଂରେଜ ଅମଳ । ଶ୍ରୀନିବାସ ମିଛ ଦରଖାସ୍ତ କରିଥିବା ହେତୁ ତାଙ୍କ ହାତରେ ହୁଏତ ହାତକଡ଼ି ପଡ଼ିବ ଏକ୍ଷଣି । ପାଖେ ପାଖେତ ପୁଲସ୍ ଫୌଜ ଚାଲିଛନ୍ତି ।

 

ଦୂରରେ ଶ୍ରୀନିବାସଙ୍କୁ ଗହୀର ମଝିରେ କିଆରି କିଆରି ବୁଲୁଥିବା ଦେଖା ଯାଉଥାଏ । ଦଶବାରଟା କିଆରିରୁ କେଣ୍ଡାଏ ଲେଖାଁ ଦଶବାର କେଣ୍ଡା ଧାନ ଉଞ୍ଛି ଆଣି ସେ ପହଞ୍ଚିଲେ ସାହେବଙ୍କ ପାଖରେ । ତାଙ୍କୁ ସବୁ କଥା ବୁଝାଇଦେଇ କେଣ୍ଡାଗୁଡ଼ିକରୁ ଧାନତକ ହାତରେ ମକଚି ଅଲଗା କରି ଜମା କଲେ । ପୋଷରେ ରଖି ତାକୁ ଫୁଙ୍କି ଧାନରୁ ବାହାରକଲେ ଅଗାଡ଼ି । ତା’ପରେ ଧାନ ଓ ଅଗାଡ଼ି ଅଲଗା ରଖି ସାହେବଙ୍କ ଆଗରେ ପ୍ରମାଣ କରି ଦେଖାଇ ଦେଲେ ଯେ, ଅଗାଡ଼ି ବାହାରିଛି ବାରପଣ, ଧାନ ଚାରିପଣ !

 

ଖୁସ୍ ହୋଇ ସାହେବ ତାଙ୍କ ପିଠିରେ ହାତମାରି କହିଥିଲେ— “ଟୁମ କାଲାଚାଣ୍ଡ୍ ହୋ” ।

 

ପୁଣି ଏଇ ଘଟଣାଟିକୁ ସାହେବ କୁଆଡ଼େ ପୁରୀ-କଚେରୀ ମହାଫିସ୍ ଖାନା ରେକଡ଼ରେ ଦରଜ କରିଥିଲେ । ପୁରୀ ଜିଲ୍ଲାସ୍କୁଲରେ ମୁଁ ପଢ଼ୁଥିବାବେଳେ କୁଆଡ଼ୁ ବିଡ଼ିରୁ ନିଆଁ ଲାଗି ରେକଡ଼ସବୁ ପୋଡ଼ି ଭସ୍ମସାତ୍ ହୋଇଗଲା ।

 

‘କାଲା ଆଦ୍‍ମି’ ବଦଳରେ ସାହେବଙ୍କ ମୁହଁରୁ ‘କାଲାଚାନ୍ଦ’ ଉପାଧି ପାଇଲେ ଶ୍ରୀନିବାସ; କିନ୍ତୁ ପରେ ବାକି ଖଜଣା ଅସୁଲ କରି ନ ପାରି ତାଙ୍କୁ କେତେକ ମାସ ସିଭିଲ୍ ଜେଲ୍ ଖଟିବାକୁ ପଡ଼ିଥିଲା । ଜେଲ୍ ଭିତରେ ଥାଇ ସେ ଅତିବଡ଼ି ଜଗନ୍ନାଥ ଦାସଙ୍କର ବାରଖଣ୍ଡିଯାକ ଶ୍ରୀମଦ୍ ଭାଗବତ ତାଳପତ୍ର-ଖେଦାରେ ନକଲ କରିଥଲେ । ମାଛମଞ୍ଜି ପରି ଗୋଲ ଗୋଲ ସୁନ୍ଦର ଅକ୍ଷରରେ ଲେଖା ସେହି ସବୁ ତାଳପତ୍ର ପୋଥି ଆଜି ପର୍ଯ୍ୟନ୍ତ ଆମ ଘରେ ଖଟୁଲିରେ ପୂଜା ପାଉଛନ୍ତି । କାରଣ ସେ ସବୁକୁ ପଢ଼ିବା ଲୋକ ଆଉ ଅଳ୍ପ ଅଛନ୍ତି ।

 

ଗ୍ରାମରେ ଯେଉଁ ବାଲୁକେଶ୍ଵର ଦେଉଳ ସେ ତୋଳାଇଥିଲେ, ତାହା ମଧ୍ୟ ଏବେ ଅଛି । ପ୍ରତି ଅମାବାସ୍ୟାରେ ଦେଉଳ ଉପରକୁ ମହାଦୀପ ଉଠିଲା ବେଳେ ‘ଶ୍ରୀନିବାସ ପାଣି-କୁଳ ଉଜ୍ଜ୍ୱଳ ହେଉ’ ବୋଲି ଡାକରା ହୁଏ ।

 

ଶ୍ରୀନିବାସ ଥିଲେ ଚାରି ଭାଇ । (ବଂଶଲତା ଦ୍ରଷ୍ଟବ୍ୟ) ବିଶ୍ୱନାଥପୁରରେ ତାଙ୍କର ସମୁଦାୟ ସମ୍ପତ୍ତି ସେ ଚାରିଭାଇଙ୍କ ଭିତରେ ସମାନ କରି ବାଣ୍ଟି ଦେଇଥିଲେ । ତାଙ୍କ ମୃତ୍ୟୁଶଯ୍ୟାରେ ଝିଅ ପୁଅମାନେ ବସି ଯେତେବେଳେ ପଚାରନ୍ତି; ‘ବାପା ଆମପାଇଁ କ’ଣ ରଖିଚ-?’ କ୍ଷୀଣ କଣ୍ଠରେ ସେ ଉତ୍ତର ଦେଇଥିଲେ, ‘ତୁମପାଇଁ ଧର୍ମ ।’ ଏଇ କଥାଟି ‘ମୁଁ ‘ମାଟିରମଣିଷ’ ଉପନ୍ୟାସର ପ୍ରଧାନ ବୁଢ଼ା ମୁହଁରେ କୁହାଇ ଦେଇଛି । ଏ କଥାର ଅନେକ ଉଦାହରଣ ଅଛି, ଆମ ପୋଥି ପୁରାଣରେ । ବୁଦ୍ଧିଲାଭ କରି ବୁଦ୍ଧଦେବ ଯେବେ ଦଶ ସହସ୍ର ଭିକ୍ଷୁକଙ୍କ ସହିତ ନିଜ ରାଜ୍ୟକୁଫେରନ୍ତୁ, ସେତେବେଳେ ତାଙ୍କ ପତ୍ନୀ ପିତାଙ୍କଠାରୁ ଉତ୍ତରାଧିକାର ମାଗିବା ପାଇଁ ପୁଅକୁ ଶିଖାଇ ପଠାନ୍ତି । ବୁଦ୍ଧଦେବ ନିଜ ଗୈରିକ ଉତ୍ତରୀୟ ଖଣ୍ଡି ଉତ୍ତରାଧିକାରସୂତ୍ରେ ପୁଅକୁ ଦିଅନ୍ତି । ଏହାହିଁ ପୃଥିବୀରେ ସବୁ ଧର୍ମର ନୀତି ହୋଇ ରହିଛି ।

 

ନିଜକୁ ଉଚ୍ଚ ସ୍ତରର ବାହ୍ମଣରୂପେ ପରିଚୟ ଦେବାପାଇଁ ଶ୍ରୀନିବାସ ତାଙ୍କ ଝିଅପୁଅମାନଙ୍କୁ ପୁରୀଜିଲା ରାହାଙ୍ଗ-ଶାସନମାନଙ୍କରେ ସାମନ୍ତ ବ୍ରାହ୍ମଣଘରେ ବିବାହ ଦେଇଥାନ୍ତି । ଆଜିକାଲି ଶିକ୍ଷିତ ରୋଜଗାରକ୍ଷମ ବରପାତ୍ରଙ୍କ ଦର ଯେମ‌୍‌ତି ବେଶୀ, ସେତେବେଳେ ଉଚ୍ଚ ଜାତିର ଦର ଥିଲା ସେମ‌୍‌ତି । ନିଜ ଜାତିର ଟେକ ରଖିବାକୁ ଲୋକେ ଗରିବ ହେବାକୁ ଡରୁ ନ ଥିଲେ, ତେଣୁ ସାମନ୍ତ ବ୍ରାହ୍ମଣମାନେ ଅଧିକାଂଶ ଥିଲେ ଗରିବ ।

 

ଧନୀ ଲୋକେ ତାଙ୍କ ସଙ୍ଗେ ବିବାହ ସମ୍ପର୍କ ରଖିବାକୁ ମଧ୍ୟ ବେଶୀ ଆଗ୍ରହୀ ହୋଇ ଅନେକ ସମ୍ପତ୍ତି ଦିଅନ୍ତି; ମାତ୍ର ସେ ଧନ ଅଳ୍ପ ଦିନରେ କୁଆଡ଼େ ଉଭେଇଯାଏ । ସେମାନେ ପୁଣି ଯେଉଁ ଗରିବକୁ ସେଇ ଗରିବରହିଯାନ୍ତି । ଧନର ପ୍ରକୃତ ଯତ୍ନ ବୋଧ ହୁଏ ଖାଲି ଧନୀ ଲୋକଙ୍କୁ ହିଁ ଭଲରୂପେ ଜଣା । ସେତକ ଜାଣି ନ ଥିବାରୁ ଅନ୍ୟମାନେ ଦରିଦ୍ର । ସେଥିପାଇଁ ତେଲିଆ ମୁଣ୍ଡରେ ତେଲ କଥାଟା ଅଛି । ଧନ ବେଶୀ ଆସେ ଧନୀ ହାତକୁ । ନିର୍ଦ୍ଧନ ହାତକୁ ଆସିଲେ ଧନର ଅମର୍ଯ୍ୟାଦା ହୁଏ ।

 

ଅପାତ୍ରରେ ଦାନ ଦେଇ ଧନୀଲୋକେ ଭଲ ଜାତିରେ ଝିଅମାନଙ୍କୁ ବିବାହ କରାଉଥିଲେ-। ଏମ‌୍‌ତି ଜଣେ ଧନୀ ପିତା ଝିଅ ଘରକୁ ଯାଇ ‘ଝିଅ କ’ଣ କରୁଚୁ’ ବୋଲି ପଚାରନ୍ତେ ଉତ୍ତର ମିଳେ, ‘ଜାତି ଚାଟୁଚି ।’ ସେତେବେଳେ ଝିଅ ବେଲାଏ ପଖାଳ ତୋରାଣି ଘେନି ମାତ୍ର ଫଡ଼ାଏ ଆମ୍ବୁଲ ଚାଟି ଖାଉଥାଏ ।

 

ଧନୀଘରେ ବିବାହ କରି ଦରିଦ୍ର ହେଲେ ହେଁ ସେମାନଙ୍କର ଜାତ୍ୟଭିମାନ ଖୁବ୍ ଥାଏ । ଶ୍ରୀନିବାସଙ୍କ ମୃତ୍ୟୁପରେ ଶୁଦ୍ଧି କ୍ରିୟାରେ ଯୋଗ ଦେବାପାଇଁ ଜ୍ୱାଇଁ କୁଣିଆମାନେ ଆସିଥାନ୍ତି । ବ୍ରାହ୍ମଣ ଭୋଜିପାଇଁ ଗାଁଆ ଚାରିପଟୁ ଅନେକ ବ୍ରାହ୍ମଣ ମଧ୍ୟ ନିମନ୍ତ୍ରିତ ହୋଇଥାନ୍ତି । ସେତେବେଳେ କେହି ଧନୀ ଲୋକ ମରିଗଲେ ବ୍ରାହ୍ମଣ ଗୋଷ୍ଠୀ ସବୁଠାରୁ ବେଶୀ ଖୁସି ହୁଅନ୍ତି । କାରଣ ‘ବ୍ରାହ୍ମଣପଣ’କୁ ନିମନ୍ତ୍ରଣ । ଭୋଜନ ସାଙ୍ଗକୁ ଦକ୍ଷିଣା । ପୁଣି ଗୋଟିଏ ପାର୍ଶ୍ୱ ପତ୍ରରେ ଚୁଡ଼ା ଉଖୁଡ଼ା ଗହମଖିରୀ ଗୁଡ଼ ଦହି ସମେତ ଆହାର ଗାମୁଛାରେ ବନ୍ଧାହୋଇ ଘରକୁ ଆସେ । ଘରେ ରୋଷେଇ ଆଗରୁ ବନ୍ଦ ଥାଏ । ‘ବ୍ରାହ୍ମଣପଣ’ରେ ଅନୁପସ୍ଥିତ ଥିବା କିମ୍ବା ଆଦୌ ଜନ୍ମି ନଥିବା ପୁଅ-ପୁତୁରାଙ୍କ ନାମ କହି ମଧ୍ୟ ତାଙ୍କପାଇଁ ବେଶୀ ଦକ୍ଷିଣା ମିଳେ ।

 

ଉଚ୍ଚ ସ୍ତରର ବ୍ରାହ୍ମଣମାନଙ୍କ ଶୁଦ୍ଧିକ୍ରିୟାରେ କିନ୍ତୁ ବ୍ରାହ୍ମଣପଣରେ ଦକ୍ଷିଣା ଦିଆ ହୁଏ ନାହିଁ । ଶ୍ରୀନିବାସଙ୍କ କୁଳ ସେ ସ୍ତରରେ ନ ଥିବାରୁ ତାଙ୍କ ବଂଶରେ ବ୍ରାହ୍ମଣଙ୍କୁ ଦକ୍ଷିଣା ଦେବା ପ୍ରଥାଟି ରହିଥାଏ । ରାହାଙ୍ଗବାଡ଼ର କୁଣୁଆମାନେ ତାହା ଜାଣି ପାରି ଅଡ଼ି ବସିଲେ ଯେ, ଦକ୍ଷିଣା ଦିଆଗଲେ ସେମାନେ ତାଙ୍କ ଘରେ ଆଉ ଜଳ ସ୍ପର୍ଶ କରିବେ ନାହିଁ । ତହୁଁ ତାଙ୍କର ସୁପୁତ୍ର ଓ ଲେଖକର ପିତାମହ ନରୋତ୍ତମ ଦକ୍ଷିଣା ନ ଦେବାକୁ ସ୍ୱୀକୃତି ଦେଲେ ।

 

ନିମନ୍ତ୍ରିତ ବ୍ରାହ୍ମଣମାନଙ୍କ ଜିଦ୍ ହେଲା—ଚିର କାଳ ସେମାନେ ଏଠାରୁ ଦକ୍ଷିଣା ପାଇ ଆସୁଛନ୍ତି । ଭୋଜନ ପରେ ଦକ୍ଷିଣା । ତା’ ନା ହେଲେ ପ୍ରେତାତ୍ମାର ମୁକ୍ତି ନାହିଁ । ପ୍ରେତାତ୍ମାର ମୁକ୍ତି ନ ହେଲେ କେବଳ ‘ତୃପ୍ୟନ୍ତେ ଭୋଜନେ ବିପ୍ରାଃ’ ହୋଇ ନ ପାରେ ।

 

ଡଙ୍ଗା ଡଙ୍ଗା ହୋଇ ବସାଦହି, ମୁଣ୍ଡା ମୁଣ୍ଡା ଛେନା, ଘରଟାରେ ଘରେ ଚୁଡ଼ା ହୁଡ଼ମ୍ବ,ଉଖୁଡ଼ା ଚୂଡ଼ାପୁଆ—ବ୍ରାହ୍ମଣ-ଭୋଜନ ସାମଗ୍ରୀ । ଶ୍ରୀନିବାସଙ୍କ ଜ୍ୟେଷ୍ଠ ପୁତ୍ର ନରୋତ୍ତମ, କନିଷ୍ଠ ନୀଳାଦ୍ରି ଓ ତାଙ୍କର କକେଇ ପୁଅ କଳ୍ପତରୁ, କୃପାସିନ୍ଧୁ ପ୍ରଭୃତି ମହା ଭାବନାରେ ପଡ଼ିଲେ ।

 

ବହୁତ ବିଚାର ପରେ ‘ରକ୍ତ ହିଁ ପାଣିଠାରୁ ବହଳିଆ’ ହେଲା । ଚିରଦିନ ପାଇଁ ବନ୍ଧୁସମ୍ପର୍କ ତ କାଟି ଦେଇ ହେବ ନାହିଁ । ଅତଏବ ଦକ୍ଷିଣା ପ୍ରଥା ବନ୍ଦ କରାଯାଉ । ନିରାଶ ହୋଇ ଖାଲି ହାତରେ ଦକ୍ଷିଣା ନ ପାଇ ଶହ ଶହ ବାହ୍ମଣ ଫେରିଗଲେ; କିନ୍ତୁ ସମସ୍ୱରରେ ଅଭିଶାପ ଦେଇଗଲେ—‘ତୋର କୁଳ ବୁଡ଼ୁ’ ! ବାଲେଶ୍ୱର ଦେଉଳ-ଦଧିନଉତି ଉପରେ ମହାଦୀପ ଟେକା ହୋଇ ‘କୁଳ ଉଜ୍ୱଳହେଉ’ ସାଙ୍ଗକୁ ‘କୁଳ ବୁଡ଼ୁ’ କଥାଟିରେ ସଂଘର୍ଷ ଘଟିବା ଫଳରେ ନରୋତ୍ତମଙ୍କର ବହୁ ସନ୍ତାନ ନଷ୍ଟହେଲେ ।

 

ସବୁ ପୂଜା ହୋମ ଆରାଧନା ବ୍ୟର୍ଥ ହେଲା । ମୋର ଜେଜେମା’ଙ୍କ ଆଖିରୁ ଲୁହ ଶୁଖିଲା ନାହିଁ । କିଏ ମାସେ, କିଏ ଛ ମାସ, କିଏ ବର୍ଷେ ବା ଦି’ବର୍ଷ । ଜଣକ ପରେ ଜଣେ ଆସି ବିଦାୟ ନେଲେ । ଥରେ କୁଆଡ଼େ ଡାମରା କୁଆଟାଏ ଆସି ଆମ ଚାଳ ଉପରେ ବସିଲା । ଥଣ୍ଟରେ ତାର ଗୋଟିଏ କଅଁଳା ପିଲାର ଖଣ୍ଡେ ହାତ ! ଜେଜେମା ବେହୋସ ହୋଇପଡ଼ିଲେ, ଜେଜେବାପା ଦାଣ୍ଡପିଣ୍ଡାରୁ ଆଉ ତଳକୁ ଓହ୍ଲାଇଲେ ନାହିଁ ।

 

ପାଖରେ ଥାଏ ଗୋଟିଏ ନାସଘୋଟା ପଥର କୁଣ୍ଡୀ, ଆଉ ଖଣ୍ଡେ ନାରଙ୍ଗ ବାଡ଼ି । ଧୂଆଁ ପତ୍ର ଉଷୁମ ହୋଇ ଆସି କୁଣ୍ଡିରେ ପଡ଼େ । ସେଥିରେ କେତେ ଟୋପା ଖାଣ୍ଟି ସୋରିଷ ତେଲ ପରୀକ୍ଷା ହୋଇ ନାସ ଘୋଟାଯାଏ । ନରୋତ୍ତମ ସେଇଠି ବସି ସବୁତକ ନାସ ଶୁଙ୍ଘି ସାରି ତା’ପରେ ଗାଧୋଇ ଯା’ନ୍ତି । ଧୂଆଁ ପତ୍ରଟା ସେ ପର୍ଯ୍ୟନ୍ତ ତାହାର ନାମର ପୁର୍ଣ୍ୟ ସାର୍ଥକତା ଆମ ଗାଁ ବ୍ରାହ୍ମଣଙ୍କ ଭିତରେ ଦେଖାଇ ପାରି ନ ଥାଏ । କେବଳ ଚୂନପତ୍ର ଓ ନାସ ବ୍ୟତୀତ ତାହାର ଅନ୍ୟ ରୂପ ସବୁ ସେ ପର୍ଯ୍ୟନ୍ତ ଫୁଟି ନଥିଲା, ଯେମ‌୍‌ତି ଫୁଟିଲା ଆମ ଅମଳକୁ ।

 

ବହୁତ ଦିଅଁ ଦେବତା ଓଷାବ୍ରତ ମାନସ ପରେ ଜେଜେମାଙ୍କ ଗର୍ଭରୁ ଜାତ ହେଲେ ଗୋଟିଏ କନ୍ୟା ଓ ତାଙ୍କ ପରେ ଏକ ପୁତ୍ର । କନିଷ୍ଠ ନୀଳାଦ୍ରିଙ୍କର ମଧ୍ୟ ଦୁଇଟି ପୁଅ ଥିଲେ, କିନ୍ତୁ ତାଙ୍କର କନ୍ୟା ବ୍ୟତୀତ ପୁତ୍ରକୁଳ ଲୁପ୍ତ ହୋଇଛି ।

 

ଆମେ ଯେଉଁ କୁଳଟି ବୁଡ଼ୁ ବୁଡ଼ୁ ଟିକିଏ ଭାସି ଉଠିଲୁଁ, ସେ ଭାସିବା ଅର୍ଥ ଆମେ ଜାଣୁ; କିନ୍ତୁ ମୁଁ ଜାଣେ ନାହିଁ । ଏ ସବୁ କଦାପି ମୋର ଅଙ୍ଗେ-ନିଭା କଥା ନୁହ—ଶୁଣିବା କଥା , ଖାଲି ମୋର ଗୁରୁଜନଙ୍କ ମୁହଁରୁ ।

 

“ଯାହା ନ ଦେଖିବ ଦୁଇ ନୟନେ, ପରତେ ନ ଯିବ ଗୁରୁବଚନେ !” ତଥାପି ଔରଙ୍ଗଜେବ ପରା ନିଜ ଦାଢ଼ିକୁ ଦେଖି ସୁଦ୍ଧା ବିଶ୍ୱାସ କରୁ ନ ଥିଲେ ! ପୁଣି ବାପା ମା’ଙ୍କ କଥାକୁ ବିଶ୍ୱାସ ନ କଲେ, ଆପଣାର ଜନ୍ମ ପୁଣି ସ୍ଥିତିକୁ ମୁଁ ବିଶ୍ୱାସ କରିବି କାହିଁକି ?

 

ହଁ, କହିବି ପରା ମୋ ଜୀବନର ସବୁ ଦୁର୍ଘଟଣା ? ଅଥଚ ମୋର ବାପ, ବଡ଼ ବାପ, ଗୋସେଇଁ ବାପଙ୍କ ଅମଳରୁ ଯେମିତି ବୋଧହୁଏ ଖାଲି ଦୁର୍ଘଟଣା ଗୁଡ଼ାଏ ଆମକୁ ଗୋଡ଼ାଇଛନ୍ତି, ଆଉ ତାଙ୍କ କବଳରୁ କଷ୍ଟେମଷ୍ଟେ ବର୍ତ୍ତିଯାଇ ଆମେ ସବୁ ଟିକିଏ ଏଠାରେ ଜାତହୋଇ ବଞ୍ଚି ରହିବାକୁ, ପୁଣି ଗୋଟାଏ କୁଳ ବୁଡ଼ି ଯାଉଥିବାବେଳେ ତାକୁ କିଛି ସମୟପାଇଁ ଧରି ରଖିବାକୁ ଯେ ଯାହା ପାରୁପର୍ଯ୍ୟନ୍ତ ଲାଗିପଡ଼ିଛୁଁ ।

ମୋର ଜନ୍ମ ହୋଇସାରି ହାତଗୋଡ଼ ଛାଟି ରଡ଼ି ଛାଡିବା, ପୁଣି ପେଟେଇବା ଅବସ୍ଥାରେ ମଧ୍ୟ ଆଉ ଗୋଟାଏ ଗୁରୁତର ଦୁର୍ଘଟଣା ଘଟିଥିଲା, ତହିଁରୁ କେମ୍‌ତି ଯେ ମୁଁ ରକ୍ଷା ପାଇଗଲି, ସେ କଥା ଆଜି ଏଇ ସ୍ପେସ୍ ସ୍ପୁ୍ଟନିକ୍ ଯୁଗରେ ସୁଦ୍ଧା ଭାବି ବସିଲେ ମତେ ଆଶ୍ଚର୍ଯ୍ୟ ବୋଧ ହୋଇଥାଏ-

 

Unknown

ମେଉଁ ମେଉଁ, ଦୁଧଭାତ କରି ଗୁଣ୍ଡିଏ ଦେଉ

 

ଶୈଶବର ଯେଉଁ ସବୁ ଦୁର୍ଘଟଣା ଅଙ୍ଗେ ନିଭାଇଛି, ତାହା ଭିତରୁ ଅଧିକାଂଶ ଅନୁଭୂତି ଆଜି ବିସ୍ମତିର ଅନ୍ଧକାର ଅତଳରେ । ନିଜ ଜନ୍ମ-ବୃତ୍ତାନ୍ତ ଭଳି ଅନ୍ୟଠାରୁ ଶୁଣି ତାହା ବିଶ୍ୱାସ କରଯାଏ । ସେଥି ମଧ୍ୟରୁ ଗୋଟିକର ଚିହ୍ନ ମୁଁ ଅନେକ ବର୍ଷ ପର୍ଯ୍ୟନ୍ତ ନିଜ ଅଙ୍ଗରେ ଧାରଣ କରିଥିଲି । ଆଜି ତାହା ନିଭି ଗଲାଣି ।

 

ଚିହ୍ନଟା ଥିଲା ମୋର ଡାହାଣ ଆଖିତଳକୁ ଗାଲ ଉପରେ ଗୋଟାଏ ଈଷତ୍ ସରଳ ରେଖା-

 

ସ୍କୁଲ କଲେଜରେ ଛାତ୍ର ଥିବାବେଳେ ସାଙ୍ଗମାନେ ମୋତେ କାରଣ ପଚାରନ୍ତି । ଯାହା ଶୁଣିଥିଲି, ସେତିକି କହି ପକାଏଁ ନିତାନ୍ତ ନିରୀହ ଆଉ ସରଳ ଭାଷାରେ । ତା’ପରେ ଅବାକ୍ ହୁଏଁ , ମୋ ଦୁଃଖରେ ବନ୍ଧୁମାନଙ୍କ ସହାନୁଭୂତି ବଦଳରେ ଥଟ୍ଟା ତାମସା କରିବା ଦେଖି ।

 

ଅଥଚ ସେଥିଲାଗି ମୁଁ କି ଆମ ଘରର ଆଉ କେହି ଦାୟୀ ନୋହୁଁ । ଦାୟୀ କେବଳ ଘରର ଏକ ମାର୍ଜାରଶିଶୁ । ତାହାର ମଧ୍ୟ ଦୋଷ ନାହିଁ । ମୁଁ ପେଟଉଁଥାଏ । ଉପର ଭଉଣୀ ଉଜ୍ଜ୍ଵଳ ନାନୀକୁ ମୋର ସାମୟିକ ଶରୀରରକ୍ଷୀରୂପେ ନିଯୁକ୍ତ କରି, ବୋଉ ଟିକିଏ ବାହାରକୁ ଗଲେ; ଅଳ୍ପ ସମୟ ପରେ ଚିତ୍କାର ଶୁଣି ଆସି ଦେଖନ୍ତି, ମୋର ମୁହଁଯାକ ରକ୍ତ । ଶରୀର-ରକ୍ଷୀର କୌଣସି ପତ୍ତା ନାହିଁ । ବିରାଡ଼ିଟି କିନ୍ତୁ କୁଆଡ଼େ ନ ଯାଇ ଅନୁଗତ ବନ୍ଧୁ ଭଳି, ଅଳ୍ପ ଦୂରରେ ଜିଭ ଚାଟି ମେଉଁ ମେଉଁ ହେଉଛି କିଛି ନ ଜାଣିଲା ପରି ।

 

ଘଟଣାର ଗୁରୁତ୍ୱ ଓ ସାମାନ୍ୟ ସ୍ନେହର ପରିଣତିରେ ଆଦୌ ବିଚଳିତ ନ ହୋଇ, ଠିକ୍‍ ରୂପେ ନିଜ କାମ ତୁଲାଇ ଥିବାରୁ ଯେମ‌୍‌ତି ଅବା ସେ ମାଗୁଛି, “ମେଉଁ ମେଉଁ, ଦୁଧଭାତ କରି ଗୁଣ୍ଡିଏ ଦେଉଁ !” ବୋଉ ଯିବାର ଦଣ୍ଡକ ପରେ ମୋର ଶରୀରରକ୍ଷୀ ଉଜ୍ଜ୍ୱଳ ନାନୀ ଦାୟିତ୍ୱ ପାସୋରି ଦେଇ ବାହାରିଯାଏ । ବିନା ନିଯୁକ୍ତିରେ ମାର୍ଜାରଟି ନିଜ ଉଦାରତାବଶରୁ ଆସି ତା’ର ସ୍ଥାନ ପୂରଣ କରେ । ସଙ୍ଗେ ସଙ୍ଗେ ଆମ ଦୁହିଁଙ୍କ ଭିତରେ ଦୋସ୍ତି ଓ କାନ୍ଧରେ ହାତ ପକାଇକି ! ସେହି ଖେଳରେ ମାର୍ଜାର ବିଚାରାର ଅଜାଣତରେ ଥାବା ଭିତରୁ କେତୁଟା ନଖ ବାହାରି ଆସି ମୋ ଗାଲରେ ଗେଲ କରିବାକୁ ଯାଇ ଏଇ ଅବସ୍ଥା । ସେ ମଧ୍ୟ କିଛି ବୁଝି ନ ପାରି ମେଉଁ ମେଉଁ ହେଉଛି-। ବୁଝିଥିଲେ ଆଉ କିଏ ରହେ, ନା ସେ ହେଲେ ରହନ୍ତା !

 

ସେଇ ଖେଳର ଚିହ୍ନଟାକୁ ଅନେକ ବୟସ ପର୍ଯ୍ୟନ୍ତ ଗାଲରେ ଘେନିଥିଲି ଏକ ଲଞ୍ଜାତାରା ଭଳି । ଖେଳଟା ଆଉ ଟିକିଏ ପ୍ରଗାଡ଼ ହୋଇଥିଲେ ଡାହାଣ ଡୋଳାଟି ଉପାଡ଼ି ହୋଇ ଆସିଥାନ୍ତା । ଅଥଚ ସାଙ୍ଗସାଥୀ ସହାଧ୍ୟାୟୀ-ମହଲରୁ କାହିଁ ସେଥିପାଇଁ ଥରେ ହେଲେ ତ ‘ଆହା’ ପଦ ଶୁଣିବାକୁ ମିଳିଲା ନାହଁ; ବରଂ ତାଙ୍କୁ କୌତୁକ ଉପହାସରେ ମୋର ଲଜ୍ଜା ଅପମାନ ହିଁ ସାର ହୋଇଛି । ସେତେବେଳେ ତାହା ବୁଝିବାକୁ ମୁଁ ଅବାକ୍ ହୁଏଁ ।

 

ଭାଗ୍ୟକୁ ଆଜି ସେ ଚିହ୍ନଟା ଲିଭିଗଲାଣି । ସ୍ତ୍ରୀ କନ୍ୟା ପୁତ୍ର ପୌତ୍ରୀଙ୍କ ଆଗରେ ଦେଖାଇବାପାଇଁ ମୋ ଶୈଶବର ସ୍ନେହ ସାହସ ବୀରତ୍ୱର ଧୂମକେତୁ ଆଜି ଆଉ ନାହିଁ ।

 

ଲୁପ୍ତ ଅତୀତର ସେଇ ମୋର ପ୍ରଥମ ସାଥୀ ଆଜି ବଞ୍ଚିଥିଲେ, ତାକୁ ପଚାରିବାକୁ ଇଚ୍ଛା ହୁଏ ତୁ ମୋର ଚମ ଉପରେ ଯେଉଁ ଦାଗ କାଟିଦେଲୁ, ତାହା ବନ୍ଧୁତା କି ଶତ୍ରୁତାର ମୁଁ ଜାଣେ ନା; କିନ୍ତୁ ଯେ ତାକୁ ଦେଖି ତା’ର ଇତିହାସ ଶୁଣିଲେ, ସେ ହସିଲେ । ତା’ପରେ ତୋଠାରୁ ବହୁତ ବେଶୀ ବୁଦ୍ଧିମାନ୍ ମୋର ଶ୍ରେଣୀର କେତେ ଜୀବ ତ ସେଇ ଚମତଳେ ଛାତିଭିତରେ କେତେ ଦାଗ କାଟିଦେଲେ, ଆଉ ତା’ର ପ୍ରତିଦାନ ଦେବାକୁ ମୁଁ ମଧ୍ୟ ଯେ କିଛି ଉଦ୍ୟମ କରି ନାହଁ, ତାହା ବି ନୁହଁ-। ସେ ସବୁ ମଧ୍ୟ ବନ୍ଧୁତା କି ଶତ୍ରୁତାର ଦାଗ, ବତାଇ ଦେଇପାରିବୁ କି ମତେ ? ଜୀବନ-ସ୍ମୃତିର ପ୍ରଥମ ପର୍ଯ୍ୟାୟରେ ମୋତେ ରକ୍ତାକ୍ତ କରିଥିବା ହେତୁ, ତୋ ଆଡ଼କୁ ଯେମ‌୍‌ତି ଆଜି ସ୍ନେହ ମମତା ଝରିପଡ଼େ ସେମ‌୍‌ତି ମୋର ସାଥୀ ସହଯାତ୍ରୀଙ୍କ ଆଘାତ ଅପମାନ ପାଇଁ ଝରିବ ନି କି ? ତୁ ଦେଇଥିବା ଦାଗକୁ ଦେଖି ଅନ୍ୟମାନେ ଯେପରି ଉପହାସ କରନ୍ତି, ସେମାନେ ଦେଇଥିବା ଦାଗପାଇଁ କୌତୁହଳ କୌତୁକ କରିବା ଲୋକ ଅଭାବ କି ? ପୁଣି ସେ ସବୁ ଦାଗପାଇଁ ପ୍ରକୃତରେ ମୁଁ ଦାୟୀ, କି ସେମାନେ ?

 

ଉତ୍ତର ଦେବାକୁ ହୁଏତ ସେଦିନ ପରି ଆଜି ସେ ମୋରି ପାଖରେ ବସି କିଛି ମୋର ନ ହେଲା ଭଳି ଲାଙ୍ଗୁଳ ହଲନ୍ତା । ନିର୍ବୋଧ ଆଖିରେ ଚାହିଁ ପୁଣି ଦୁର୍ବୋଧ୍ୟ ଭାଷାରେ କହନ୍ତା—“ମେଉଁ, ମେଉଁ, ଦୁଧ ଭାତ କରି ଗୁଣ୍ଡିଏ ଦେଉଁ ।” ସେତିକି ପାଇଲେ ସେ ସବୁ ଗୁପ୍ତକଥା ଫିଟାଇ କହିଦେବ !

 

ଆହୁରି ଯେବେ ତାକୁ ପଚାରନ୍ତି –ତୋତେ ଯେମ‌୍‌ତି ନିରୁପାୟ ହୋଇ କ୍ଷମା ଦେଇଛି, ଅନ୍ୟମାନଙ୍କୁ ହୁଏତ ସେମ‌୍‌ତି । କ୍ଷମାଟା ବୋଧହୁଏ ନିରୁପାୟ, ଆଉ ପ୍ରତିଶୋଧ ହେଲା ଉପାୟ , ନୁହେଁ କି ? ଏ ପ୍ରଶ୍ନର ଉତ୍ତରରେ ମଧ୍ୟ ସେଇ ତା’ର ବୋଧ ହୁଏ ଗୋଟିଏ ମାତ୍ର ଜବାବ । ଫରକ ଭିତରେ ଏତିକି-କେତେବେଳେ ଦୁଧ ଭାତ, ଆଉ କେବେ ତାହା ମାଛ ଭାତ, ନଇଲେ ଡାଲି ଭାତ କି ରୁଟି ଭାତ ।

 

ସବୁ ରାମ୍ପୁଡ଼ା କାମୁଡ଼ା ମୂଳରେ ତର୍ଜନ ଗର୍ଜନ କାନ୍ଦବୋବାଳି ପଛରେ ଯେ ୟା’ଛଡ଼ା ଦୁନିଆରେ ଆଉ କିଛି ଜବାବ ନାହିଁ ।

 

ମୁହଁରୁ ମୋର ବିରାଡ଼ି-ରାମ୍ପୁଡ଼ା ଦାଗ ଲିଭିଗଲା ପରି ମନ ଭିତରୁ କେତେ ଆଘାତର ଦାଗ ଲିଭି ଗଲାଣି । ଆହୁରି କେତେ କଟା ଦାଗ ଦେହରେ, ପୁଣି ମନରେ ହୁଏତ ରହିଛି । ଅଥଚ ଦରଜ ଆଉ ତା’ର ନାହିଁ । ସେମ‌୍‌ତି ଆଉ ଗୋଟିଏ ଘଟଣା—

 

ବୟସ ବୋଧହୁଏ ଚାରି କି ପାଞ୍ଚ । ଗାଁଆରେ ଆମେ ଭାଇ ଭଉଣୀ ତିନି ଚାରି ଜଣ । ବାପା ଓ ବଡ଼ ଭାଇନା ଦିବ୍ୟସିଂହ ଥା’ନ୍ତି ପୁରୀରେ । ବାପାଙ୍କର ମୁକ୍ତାରି କାମ । ଭାଇନା ସେଠାରେ ପଢ଼ୁଥା’ନ୍ତି । ପ୍ରତି ଶନିବାର ଗାଁଆରୁ ଶଗଡ଼ ଯାଏ ଭୁବନେଶ୍ୱର ଷ୍ଟେସନକୁ । ବାପା ଆସି ପରଦନ ଫେରିଯାନ୍ତି । ତାଙ୍କ ସ୍କୁଲ୍ ଛୁଟି ହେଲେ ଭାଇନା ଦେଖା ମିଳେ । ଆମ ଉପରେ ସେ ଖୁବ୍ ମୁରବୀପଣ କରନ୍ତି । ସେତେବେଳେ ତାଙ୍କ ସ୍ଵଭାବ ଟିକିଏ କଡ଼ାପରି ମନେ ହୁଏ । ସବୁ ପିଲାଙ୍କର ତାଙ୍କୁ ଡର । ଖାଲି ତ ପିଲାଏ ନୁହନ୍ତି, ଗାଁ ଭିତରେ ସମସ୍ତଙ୍କର ତାଙ୍କ ପ୍ରତି ଯଥେଷ୍ଟ ସମ୍ଭ୍ରମ ଥାଏ । କୁଟୁମ୍ବରେ ବୟୋଜ୍ୟେଷ୍ଠ ଗୁରୁଜନମାନେ ସୁଦ୍ଧା ଦିବ୍ୟସିଂହଙ୍କୁ ‘ସିଂହବାବୁ’ ବୋଲି ଡାକନ୍ତି । କାରଣ ବୋଧହୁଏ ସେ ଏକମାତ୍ର ଇଂରାଜୀ ପଢ଼ୁଆ । ରୂପ ଭଳି ସ୍ୱଭାବ ଚରିତ୍ର ମଧ୍ୟ ସୁନ୍ଦର ।

 

ବାପାଙ୍କର କେବେହେଲେ ତାଙ୍କୁ ‘ତୁମେ’ ଛଡ଼ା ‘ତୁ’ କହି ନାହାନ୍ତି । ଏପରି କି ଶେଷ ଆଡ଼କୁ ପିତାପୁତ୍ରଙ୍କ ମଧ୍ୟରେ ଖୁବ୍ ମନୋମାଳିନ୍ୟ ଘଟି କଥାବାର୍ତ୍ତା ପ୍ରାୟ ବନ୍ଦ ହୋଇଯାଇଥିଲେ ସୁଦ୍ଧା କେବଳ ଜ୍ୟେଷ୍ଠ ପୁତ୍ରଙ୍କ ପ୍ରତି ନୁହେଁ, ଆମ ସମସ୍ତଙ୍କ ପ୍ରତି ବାପାଙ୍କର ପ୍ରଗାଢ଼ ସ୍ନେହ । ସ୍ନେହର ମାତ୍ରାଟା କିନ୍ତୁ ତାଙ୍କ ପ୍ରତି ଅଧିକ ବୋଲି ଜଣାପଡ଼ିଯାଏ । ପୁଣି ବଡ଼ ପୁଅଙ୍କ ପ୍ରତି ତାଙ୍କର ସ୍ନେହ ସଙ୍ଗେ ସମ୍ମାନ ମଧ୍ୟ ଥାଏ । ତହିଁରେ ଆମ ଭିତରୁ କେହି ଈର୍ଷାନ୍ୱିତ ହେବାର ଅବକାଶ ନ ଥାଏ । ସେ ଯେଣୁ ଆଗ, ସୁନାପାଗ ।

 

ଗାଁରେ ରହି ବୋଉ ଉପରେ ଆମର ସବୁ ଅଳିଝଳି । ଅନ୍ୟମାନଙ୍କ ତୁଳନାରେ ମୋର ବୋଧହୁଏ ଟିକିଏ ବେଶୀ । ତା’ର କାରଣ ଭାଇନାଙ୍କ ପରେ ତିନି ଝିଅ, ତାଙ୍କ ତଳେ ମୁଁ ହୋଇଥାଏ ସବା ସାନପୁଅ । ମୋ ପରେ ‘ଭଗବତୀ’ ଆସି ନ ଥାନ୍ତି । ପାଞ୍ଚ ଛଅ ବର୍ଷ ପର୍ଯ୍ୟନ୍ତ ବୋଉଙ୍କ କୋଳରେ ଦୁଗ୍ଧପୋଷ୍ୟ ହୋଇ ମୁଁ ବଢ଼ିଚି । ଦଣ୍ଡେ ହେଲେ କୁଆଡ଼େ ତାଙ୍କୁ ଛାଡ଼ିବାକୁ ମୁଁ ନାରାଜ ।

 

ଏକ ସ୍ଥାନରେ ତାଙ୍କୁ ବସି ରହିବାକୁ ଆଦେଶ କରି ମୁଁ ଖେଳିବାକୁ ଯାଏଁ । ଫେରି ଆସି ସେଠାରେ ତାଙ୍କୁ ନ ଦେଖିଲେ ଚିତ୍କାର କରି ଘରଦ୍ୱାର କମ୍ପାଏଁ । କେବଳ ଚିତ୍କାର ତ କରେନା, ଆଉ ଗୋଟାଏ ଉପାୟ ମୁଁ ଉଦ୍ଭାବନ କରିଥାଏଁ । ତାହା ବଡ଼ ବିଚିତ୍ର । ମୋ ଜିଦ୍‍ଟା ନ ରହିବା ପର୍ଯ୍ୟନ୍ତ ନିଜ ପେଟ ଓ ଛାତିକୁ ଦୁମ୍ ଦୁମ୍ କରି ବିଧା ମାରେଁ । ଆଜି ଷାଠିଏ ବର୍ଷରୁ ଅଧିକ କାଳ ପରେ ଡାକ୍ତର କହନ୍ତୁ ମୋ ପେଟରେ ପିତ୍ତକୋଷ (gall bladder) ଓ ଛାତି ଭିତରେ ହୃଦ୍‌ରୋଗ (Coronary Thrombosis) ଅଛି । ତେଣୁ ଆଜି ଆଉ ସେଇ ଅଭ୍ୟାସର ପୁନରାବୃତ୍ତି କରିବାକୁ ଅନେକ କାରଣ ଉପୁଜୁଥିଲେ ମଧ୍ୟ ମନରେ ଅବା ଦେହରେ ସେମ‌୍‌ତି ଦମ୍ଭ କି ସାହସ ନାହିଁ । ସେହି ଦମ୍ଭ ସାହସ ପିଲାଦିନୁଁ ମୋ ଭିତରେ ଜମାଇ ଦେବାପାଇଁ ବୋଉ ମତେ ଖୁବ୍ ଲଗାମଛଡ଼ା କରି ପକାଇଥାନ୍ତି । ବଡ଼ଭାଇ ପାଠପଢ଼ି ସାଧୁ ନିରୀହ ହୋଇ ପଡ଼ିଥିବା ହେତୁ ମୁଁ ଦୁଷ୍ଟ ହେବାକୁ ସେ ବରଂ ପ୍ରଶ୍ରୟ ଦେଉଥିଲେ । ପ୍ରଜା ପାଟକ, ମୂଲିଆ ଚାକରଙ୍କ ଉପରେ ହାକିମି ଜାହିର୍‍ କରିବାପାଇଁ ମୋତେ ସେ ଉତ୍ସାହିତ କରୁଥିଲେ । କାରଣ ଆମ ଘର ମୁରବିମାନେ ତ ରହିଲେ ବିଦେଶରେ, ଅର୍ଥାତ୍ ପୁରୀରେ । ଗାଁଆଁରେ ରହି ହାକିମି ନକଲେ ଲୋକେ ଆମକୁ ମାନିବେ କାହିଁକି ?

 

ମନେ ଅଛି, ରୋଜ ସକାଳୁ ମୂଲିଆ ମାନଙ୍କୁ ଚିତ୍କାର କରି ଡାକିବାପାଇଁ ବୋଉ ମତେ ଶିଖାଇ ଦିଅନ୍ତି । ବାରିଆଡ଼ ପୋଖରୀ ଆରପଟେ ବାଉରୀସାହି । ମୋ ଡାକରେ ତାଙ୍କ ଭିତରୁ କାହାର ନିଦ ଭାଙ୍ଗେ, ମୁଁ ଜାଣେ ନାହିଁ; କିନ୍ତୁ ଏତିକି ଜାଣେ ଯେ, ମୋ ଶିକ୍ଷାର ପ୍ରତିଫଳନ ଭସ୍ମାସୁର ବର ଭଳି ଅଧିକ ପଡ଼ିଛି ସ୍ୱୟଂ ମୋର ଶିକ୍ଷୟିତ୍ରୀ ଜନନୀଙ୍କ ଉପରେ । ଆଉ ଯେଉଁମାନଙ୍କଠାରେ ସେ ବରକୁ ପ୍ରୟୋଗ କରିବାକୁ ଯାଇଛି, ତାଙ୍କଠାରୁ ଅନେକ ସମୟରେ ପାଇଛୁ ପରିହାସ, ଉପହାସ, ଲଜ୍ଜା ।

 

ବାରିଆଡ଼େ କିଆ ବୁଜା ହୋଇଥାଏ । ବାଡ଼ ମଝିରେ ଗୋଦାକରି କିନ୍ତୁ ଲୋକେ ଯା ଆସ କରନ୍ତି । ମନାକଲେ ମାନୁଛି କିଏ ? ଲୋକଙ୍କର ଏପରି ଅନଧିକାର ଚର୍ଚ୍ଚାରେ ବୋଉ ଖୁବ୍ ବିରକ୍ତ ଥିବା ଜାଣିପାରି ସେ ଦାୟିତ୍ୱଟା ନିଜ ହାତକୁ ନେଲି । ଦିନେ ସନ୍ଧ୍ୟାରେ ଦେଖିଲି, କିଏ ଜଣେ ବାଡ଼ ଡେଇଁ ବାଡ଼ି ପଟୁ ଦାଣ୍ଡ ଆଡ଼କୁ ଯାଉଛି ।

 

କ୍ରୋଧରେ ଗର୍ଜନ କଲି, “କିଏ ସେ ?”

ଜବାବ ମିଳିଲା, “ମଣିଷ !”

“ଆମ ବାଡ଼ିଟା କ’ଣ ବାଟ ?”

“ହଁ, ଏଇବାଟେ ତ ସବୁଦିନ ଯାଉଛୁଁ !”

ଆହୁରି ରାଗିଯାଇ ପାଟିକଲି, “କିଏ ସେ ତୁମେ ?”

ଲୋକଟା ମୋ କଥାରେ ଦବି ଯା’ନ୍ତା କ’ଣ ଓଲଟି ସାହସ କରି ମତେ ପଚାରିଲା, “ତୁମେ କିଏ ?”

 

ରାଗରେ ଅସ୍ଥିର ହୋଇପଡ଼ି ପୁଣି ଚିତ୍କାର କଲି “କ’ଣ ଚିହ୍ନିପାରୁନୁ କି ?’’

ସେମ‌୍‌ତି ବେଖାତିର କରି ଏଥର ମଧ୍ୟ ସେ ଜବାବ ଦେଲା, “ଖୁବ୍ ଚିହ୍ନିପାରୁଚି । ଯୋଡ଼ିଏ ଲେଖା ସାନ ସାନ ହାତ ଆଉ ଗୋଡ଼ । ତିନି ଚାରିଖଣ୍ଡର ମଣିଷଟିଏ !”

 

କ୍ରୋଧଜର୍ଜରିତ ହୋଇ ବୋଉ ଆଗରେ ନାଲିସ୍ କଲି; କିନ୍ତୁ ଆଶ୍ଚର୍ଯ୍ୟ ! ବୋଉ ମଧ୍ୟ ନ ରାଗି ଓଲଟି ହସି ପକେଇଲେ । ସାନ ବୋଲି ମତେ ତାହେଲେ ସମସ୍ତଙ୍କର ଏମ‌୍‌ତି ବେଖାତିର୍ ! ବଡ଼ କାହିଁକି ନ ହେଲି ବୋଲି ମନ ଭିତରେ ଭାରି ଅବଶୋଷ ଆସିଲା । ବଡ଼ ନ ହେବାଯାକେ କେହି ତେବେ ମାନିବେ ନାହିଁ । ସମସ୍ତଙ୍କୁ ବାଟ ଛାଡ଼ିଦେବାକୁ ହେବ ! ଯେ ଯାହା ଅନ୍ୟାୟ କରନ୍ତୁ ପଛେ ପାଟି ଫିଟାଇବାକୁ ହେବ ନାହିଁ ? ସେଟା ଖାଲି ବଡ଼ମଣିଷଙ୍କର ଏକଚାଟିଆ ? ବୟସଟାର ମୂଲ୍ୟ କ’ଣ ଏତେ ବେଶୀ ?

 

ସେଇଥିପାଇଁ କି କ’ଣ ବୟସରେ ବଡ଼ ହେଲା ପରେ ବି ମନରେ ସାନ ହୋଇ ରହିଗଲି-। ମନର ଦୁର୍ବଳତା ହେତୁ ଠିକ୍ ଭୁଲ୍, ନ୍ୟାୟ ଅନ୍ୟାୟ ବିଚାରରେ ନିଜକୁ ପୁଣି ଅନ୍ୟମାନଙ୍କୁ ବାଟ ଛାଡ଼ିଦେଲି । ନିଜର ପୁଣି ଅନ୍ୟମାନଙ୍କ ଭୁଲ୍ କିମ୍ବା ଅନ୍ୟାୟ ବିରୁଦ୍ଧରେ ଯେଉଁଠି ଯେତେ ପ୍ରତିବାଦ କରିଛି, ସେଇଠି ତାହା ଯେ ଯେମ‌୍‌ତି ଅଟକି ଯାଏ କଥାରେ କେବଳ, କାମରେ କିନ୍ତୁ ପ୍ରାୟ କିଛି ଫଳ ହୁଏ ନାହିଁ । ଆଉ ମଧ୍ୟ ପ୍ରାୟ ସବୁ କ୍ଷେତ୍ରରେ ଠିକ୍ କ’ଣ, ଭୁଲଟା କେଉଁଠି, ତାହା ମୋ ପକ୍ଷରେ ଦୁର୍ବୋଧ୍ୟ ହୋଇପଡ଼ିଲା । ଭୁଲ୍ ଟା ଯେ ସବୁବେଳେ ଅନ୍ୟାୟ ନୁହେ, ନିଜେ ଭୁଲ କରି ମଧ୍ୟ ମଣିଷ ଦେଶକାଳପାତ୍ର ବିଚାରରୁ ନ୍ୟାୟବନ୍ତ ବୋଲାଇ ପାରେ, ପୁଣି ଜଣକପାଇଁ ଠିକ୍ କରିବାକୁ ଯାଇ ଅନ୍ୟପ୍ରତି ଅନ୍ୟାୟ କରିପାରେ । ବଡ଼ହେଲା ପରେ କେତେ ଏମ‌୍‌ତି ଆପେକ୍ଷିକ ବିଚାର-ଦ୍ୱନ୍ଦ ମନରେ ମୋର ଆଲୋଡ଼ନ ସୃଷ୍ଟି କରେ । ସେଥିପାଇଁ ବୋଉ କି ଆଉ କାହାରି ବ୍ୟବହାରକୁ ମୁଁ ଦାୟୀ କରିପାରେ ନାହିଁ ।

 

ସେମାନେ ମଧ୍ୟ ତାଙ୍କ ପିଲାଦିନେ ବଡ଼ମାନଙ୍କଠାରୁ ସେମ‌୍‌ତି ବ୍ୟବହାର ପାଇଥିବେ । ସେ ଦିନ ବୋଉ ସାଙ୍ଗରେ କିଛି ଯୁକ୍ତିତର୍କ କରି ନ ଥିଲି, ମାତ୍ର ବୋଉ ଉପରେ ମୋର ଆବ୍‍ଦାର ବଢ଼ିଲା ସିନା, କମିଲା ନାହିଁ । ବୋଉ ହେଲେ ବି ନିଜେ ପସନ୍ଦ କରୁ ନଥିବା କଥାକୁ ମୁଁ ପ୍ରତିବାଦ କଲେ ହସି ଉଡ଼ାଇ ଦେବାର କାରଣ କ’ଣ ?

 

ମେଉଁ ମେଉଁ.........

ଶ୍ରୀନିବାସଙ୍କ ସମେତ ଚାରିଭାଇଙ୍କ ଘର ଭିନେଭାନ୍ ହୋଇ ଆଠ ଦଶ ଘର ହୋଇପଡ଼ିଥାଏ । ଆଜି ବି ଆହୁରି ବେଶି ସଂଖ୍ୟାରେ ଘର ହେଲାଣି । ଗାଁ ମଝିରେ ସବୁ ଘର ଧାଡ଼ିମୂଳିଆ । ଆଜିଯାକେ କିନ୍ତୁ ନାମ ରହିଛି, ଚାରିଘରିଆ ସାହି । ବାରିପଟେ ସବୁ ଘରକୁ ଯା’ ଆସ କରିବାପାଇଁ ବାଟଥାଏ । ଆମ୍ବ, ନଡ଼ିଆ, କଇଁଆ ଗଛର ଛାଇ । କଣ୍ଟାବଣ ବେତବୁଦାରେ ଖରାଦିନେ ପେନ୍ଥା ପେନ୍ଥା ବେତକୋଳି ପାଚେ । ଆଛୁ ପୁନାଗରେ ଫୁଲ ଫୁଟିଲେ ଘର ଘର ମହକି ଉଠେ ।

 

ବାରିପଟେ ଢିଙ୍କିଶାଳ । ବଡ଼ ବଡ଼ ହାଣ୍ଡି ନଉତିରେ ଧାନ ଉଷୁଆଁ ହୋଇ ଢିଙ୍କିଶାଳରେ କୁଟା ହୁଏ । ବାରିପଟ ପୋଖରୀତୁଠରେ ଝିଅ ବୋହୂଙ୍କର ମେଣ୍ଟ ବସେ । ସେ ପାଖଟାରେ ପ୍ରାୟ ସେଇମାନଙ୍କର ଗତାଗତ । ପୁରୁଷ ଲୋକ କେବେ କେମିତି-ଆସନ୍ତି । ଶାଗ ତିଅଣ ଦିଆନିଆ ହୁଏ । ଅବଶ୍ୟ ବୋହୂ ଭୁଆସୁଣୀମାନଙ୍କୁ ଯିବାପାଇଁ ମନା । ପିଲାମାନଙ୍କୁ ତ ସାତଖୁଣ ମାଫ୍ । ସେଇ ବାଡ଼ିବାଟରେ ବୋଉ ସାଥିରେ ମୁଁ ଯାଇଥାଏ ,ରାମ ଭାଇନାଙ୍କ ଘରକୁ ।

 

ଚାରିଘରିଆ ସାହିର ପୂର୍ବସୀମାରେ ଆମ ଘର । ପଶ୍ଚିମ ସୀମାରେ ତାଙ୍କ ଘର । ମଝିରେ ବାକି ଅନ୍ୟ ଭାଇମାନଙ୍କର; କିନ୍ତୁ The West is West, the East is East, And the twin can never meet— ଇଂରେଜ କବି (Rudyard Kipling) କିପଲିଂଙ୍କର ଏଇ ସୁପରିଚିତ କଥାଟି ନିରବିଚ୍ଛିନ୍ନ ଭ୍ରାତୃବିବାଦରେ ପ୍ରତିଫଳିତ ହୋଇଥିଲା । ପୂର୍ବ ପଶ୍ଚିମର ମିଳନ କେବେହେଲେ ସମ୍ଭବ ହେଲା ନାହିଁ । ଇଂରେଜ କବିଙ୍କର ସେ ଉକ୍ତିଟିକୁ ସାମ୍ରାଜ୍ୟବାଦୀ ଚିନ୍ତାଧାରାର ପ୍ରତୀକରୂପେ ସମାଲୋଚନା କରାଗଲେ ହେଁ ପୂର୍ବ ପଶ୍ଚିମର ସାମ୍ୟବାଦ ପୁଣି ଗଣତନ୍ତ୍ରରେ ସୁଦ୍ଧା ସେ କଥା ପ୍ରୟୋଗ କରାଯାଇପାରୁଛି,’ ରୁଷ୍, ଚୀନ୍ ଓ କାଶ୍ମୀର ସମ୍ପର୍କରେ ଭାରତ ଇଂଲଣ୍ଡର ମତଭେଦ ଭିତରେ ।

 

ଆମଗାଁ ଭାଇଚାରା ଭିତରେ ବି ସେମ୍‍ତି ଅପଡ଼ । ତେବେ ନାରୀମହଲରେ ତାହା ସେତେ ଉଗ୍ର ହୋଇପାରେ ନାହିଁ । ପୁରୁଷଙ୍କର, ଯେତେ ମନାନ୍ତର ମତାନ୍ତର ଥିଲେ ହେ । ସ୍ତ୍ରୀଲୋକମାନଙ୍କ ଦିଆନିଆ ଖିଆପିଆ ଚାଲେ ।

 

ରାମ ଭାଇନା ଲୋକନାଥ କକେଇଙ୍କ ବଡ଼ ପୁଅ । କକେଇ ଆମର ବିପକ୍ଷ । ତାଙ୍କ ନେତୃତ୍ୱରେ ଆମର ଗୋଟିଏ ବିରୋଧୀ ଦଳ ଗଢ଼ାହୋଇଥାଏ । ବୋଉ ସାଙ୍ଗରେ ତାଙ୍କ ଘରକୁ ଯାଇଁ ଦେଖେଁ, ରାମଭାଇନା ଗୋଟିଏ କଟୁରୀ ଧରି ନଡ଼ିଆ ଛଡ଼ାଉଛନ୍ତି । କଟୁରୀଟାର ବେଣ୍ଟ ମଧ୍ୟ ଲୁହାରେ ତିଆରି । ଆମ ଗାଁ ଅନା କମାର ବଢ଼ିଆ କାରିଗର । ତା’ର ଲୁହାଶାଳ ମୁଁ ଦେଖିଛି । ଚମଡ଼ା-ଥଳୀଭିତରୁ ପବନ ଯାଇ ଶାଳନିଆଁ, ହୁତୁ ହୁତୁ ହୋଇ ଜଳିଉଠେ । ସେଥିରେ ସେ ଲଙ୍ଗଳଲୁହା, କୋଡ଼ି, କାଙ୍କ, କଟୁରୀ, ଗୁଆକାତି ତତାଇ ଗୋଟିଏ ବଡ଼ ହାତୁଡ଼ିରେ ପିଟି ତିଆରି କରେ । ସେତେବେଳେ ତା’ର ଗୋଲ ଗୋଲ ମସ୍ତ ବାହା ଦୁଇଟାକୁ ମୁଁ କାବାହୋଇ ଚାହିଁ ରହେଁ । ଗାଁ ଦାଣ୍ଡରେ ସେ ଗଲାବେଳେ ତା’ର ମଜବୁତ୍ ଦେହଟାକୁ ଚାହିଁ ମନେ ମନେ ଖୁବ୍ ତାରିଫ୍ କରେଁ-। ଅଥଚ ଗାଁ ମକଦ୍ଦମାମାନଙ୍କ ପାଖରେ ସେ ଯେମ‌୍‌ତି କାକୁସ୍ଥ ହୋଇ ଠିଆ ହୁଏ, ତାହା ଦେଖି ମତେ ଆଶ୍ଚର୍ଯ୍ୟ ଲାଗେ । ଏତେ ବଡ଼ ଶକ୍ତିଶାଳୀ ଲୋକଟି ପାଖରେ, ଯେ କି ଲୁହା ପରି ଟାଣୁଆ ବସ୍ତୁକୁ ନିଜ ଇଚ୍ଛାନୁସାରେ ଲମ୍ବାଚୌଡ଼ା ବଙ୍କା ସଳଖ କରିଦେଇ ପାରୁଛି, ଜଣେ ହେଲେ ମକଦ୍ଦମ ତ ଲାଭ ଦିଆଯାଇ ପାରିବେ ନାହିଁ । ଅଥଚ ସେ ତାଙ୍କରି ଆଗରେ ଏତେ ନକସ୍ଥକ ହେଇ ରହିଛି କାହିଁକି ! ଏହାର କାରଣ ଖୋଜି ମୁଁ ପାଏ ନାହିଁ ସେତେବେଳେ । ପରେ ପାଏଁ ।

 

ସେଇ ଅନାକମାର ତିଆରି କଟୁରୀଟାକୁ ରାମ ଭାଇନାଙ୍କ ହାତରେ ଦେଖି ମୋର ଲୋଭ ବଳିଲା । ଆଜି ପର୍ଯ୍ୟନ୍ତ ସବୁ କଟୁରୀରେ ତ କାଠବେଣ୍ଟ । କଟୁରୀ ସହିତ ବେଣ୍ଟ ମଧ୍ୟ ସେଇ ଲୁହାରେ ତିଆରି ହୋଇଥିବା ମୋ ଦେଖନ୍ତରେ ଏଇ ପ୍ରଥମ । ରାମଭାଇନା ବି ମୋର କୌତୁହଳରେ ଆହୁରି ଆଗ୍ରହୀ ହୋଇପଡ଼ିଲେ । କଟୁରୀ ଧାରରେ ନିଜ ଟିପ ପରଖ କରି କହିଲେ, “ଖୁରପରି ଧାରଟା ହୋଇଛି । ଖୁରରେ ଯେମତି ଦାସିଆ ଭଣ୍ଡାରି ଜାଗିର୍ ଜମି ପାଇ ମକଦ୍ଦମମାନଙ୍କ ତିନି ମାସର ମୋଟା ରୁଢ଼କୁ ଚାଞ୍ଛି ସଫା କରିପକାଏ, ନଡ଼ିଆକତାକୁ ଏ କଟୁରୀ ଖଣ୍ଡକ ସେମ‌୍‌ତି ବାଇ ।”

 

କହୁ କହୁ ସେ ଗୋଟାକ ପରେ ଆଉ ଗୋଟାଏ ନଡ଼ିଆ ଛଡ଼େଇ ଲାଗିଥାନ୍ତି । ବୋଧହୁଏ ମତେ ତାଙ୍କ କଟୁରୀ ଆଉ ତହିଁରେ ନଡ଼ିଆ ଛଡ଼େଇବାର ବାହାଦୂରିଟା ଦେଖାଇବା ହେଲା ଅସଲ ଉଦ୍ଦେଶ୍ୟ । ନଡ଼ିଆ ଛଡ଼େଇ ସାରି ଯେତେବେଳେ ସେ ପଇଡ଼ ଛେଇ ବସିଲେ, ତାହା ତ ଆହୁରି ମଜା ! କଟୁରୀର ଧାରଟା ବାଜି ପଇଡ଼ରୁ ଛେଲାଏ କତା ବାହାରି ଆସେ । ସେଥିରେ ଭଲା କାହା ମନ ସମ୍ଭାଳି ହୁଏ !

 

ଇଚ୍ଛା କଲି, କଟୁରୀଟାକୁ ଟିକିଏ ଘରକୁ ନେବାପାଇଁ । ହେଲେ ରାମଭାଇନା କ’ଣ ଆପଣା ଜିନିଷ ଛାଡ଼ିବା ପାତ୍ର ! କଟୁରୀଟା ମୁହଁ ପାଖକୁ ଆଣି ଏଡ଼େ ଏଡ଼େ ଡୋଳା ବାହାର କରି ମୁରବିପଣିଆ ଦେଖାଇଲେ— “ପିଲାମାନେ କ’ଣ ଏମ‌୍‌ତି ଦାଢ଼ୁଆ କଟୁରୀ ଧରନ୍ତି ? ଏଥିରେ ବିପଦ ଅଛି, ଜାଣୁ ?” କହୁ କହୁ ଗୋଟିଏ ନଡ଼ିଆ ବାହୁଙ୍ଗା କି ଆମ୍ବଡାଳ ଧରି ଏକା ଚୋଟରେ ତାକୁ ଦି’ଗଡ଼ କରି ପକାଇଲେ । ପିଲା ବୋଲି ମୁଁ ଏ ଅଭିନୟଦ୍ଵାରା ଡରିଯିବି କି କଟୁରୀ ପାଇଁ ଆଗ୍ରହ ମୋର ଦୁଇଗୁଣ ହେବ, ତାହା ସେ ବିଚାରି ପାରିଲେ ନାହିଁ । ଏକା ଜିଗର ଧଇଲି, ଟିକିଏ ସେ ଅଦ୍ଭୁତ ଅସ୍ତ୍ରଟାକୁ ସଙ୍ଗରେ ନେବାପାଇଁ । ସେ କିନ୍ତୁ ଛାଡ଼ିବାକୁ ଏକାବେଳେ ନାରାଜ ।

 

ଶେଷରେ ତାଙ୍କ ବୋଉ ଅର୍ଥାତ୍ ମୋ ଖୁଡ଼ୀ ସୁପାରିଶ କଲେ, ଆଉ ମୋ ବୋଉ ମୁଝାମି ହେଲେ । ଘଣ୍ଟାକ ସକାଶ କଟୁରୀଟି ଦେବାକୁ ରାମ ଭାଇନା ରାଜି ହେଲେ । ଗାଁରେ ଘଣ୍ଟା ବା କାହାର ଅଛି ? ଖାଲି ତାଙ୍କ ନଡ଼ିଆଗଛ ଅଗରୁ ଖସି ସିଶୋଲ ବରଗଛ ସେ’ପଟେ ସୂର୍ଯ୍ୟ ଲୁଚି ଗଲେ ଘଣ୍ଟାଏ ।

 

ନଡ଼ିଆ କଟୁରୀ ଧରି ହାଣ୍ଡିଶାଳ ଅଗଣାରେ ବସିପଡ଼ିଲି । ଦି’ଚାରିଫଡ଼ା କତା ଛଡ଼େଇଛି କି ନାହିଁ, ଏ କ’ଣ ! ବାଁ ହାତ ବିଶି ଆଙ୍ଗୁଠିଟା ଜଳିଉଠିଲା କାହିଁକି ? ଏତେ ରକ୍ତ ବୋହିଲା କୁଆଡ଼ୁ-? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ମୁଁ । ହାଣ୍ଡିଶାଳ ଭିତରୁ ବାହାରିଆସି ବୋଉ କାଖେଇ ପକେଇଲେ ‘ମୋ ପୁଅ, ମୋ ପୁଅ ବୋଲି ବିକଳ ହୋଇ । ଦାଣ୍ଡ-ଅଗଣାରୁ ବାପା ଦଉଡ଼ି ଆସିଲେ-। ବୋଉଠାରୁ ଛଡ଼ାଇନେଇ ମୋତେ ଛାତିରେ ଧଇଲେ । ତା’ପରେ ବୋଉ ଉପରେ ବର୍ଷିଲା ତାଙ୍କର ଗାଳି । ତାଙ୍କ ଆଖିରେ ଆଉ କାହାର କିଛି ନୁହ, ବୋଉଙ୍କର ଖାଲି ସବୁ ଦୋଷ । ଅଥଚ ତାଙ୍କ ମନା ନ ମାନି ମୁଁ ଜିଗର କରି କଟୁରୀ ଆଣିଲି, ହାତ ହାଣିଲି, ଅନା କମାର କଟୁରୀ ତିଆରି କଲା । କାହାରି ଦୋଷ ନୁହେ, ଏକା ବୋଉଙ୍କର ! ପୁଥିବୀରେ ସମସ୍ତେ ସମସ୍ତଙ୍କୁ ଗାଳି ଦିଅନ୍ତୁ; କିନ୍ତୁ ମୋର ବୋଉଙ୍କୁ ନୁହେଁ ।

 

ଏଭଳି ଅନ୍ୟାୟ ଅତ୍ୟାଚାର ମୋ ପକ୍ଷରେ ଅସହ୍ୟ । ତେଣୁ ବାପାଙ୍କର ବୋଉ ଉପରେ ଗାଳି ବର୍ଷଣ ସାଙ୍ଗକୁ ତାଙ୍କ ଛାତିରେ ପଡ଼ି ପିଠି ଉପରେ ଚାଲିଥାଏ ମୋର ମୁଷ୍ଟି ବର୍ଷଣ—ଆଉ ଏକାଦିକ୍ରମେ ଗ୍ରାମ୍ୟ କୁଭାଷାରେ ବାପାଙ୍କୁ ଭର୍ତ୍ସନା ! ଜୀବନ-ବ୍ୟାପୀ ଅସଂଖ୍ୟ ଗ୍ଲାନି ଓ ଲଜ୍ଜାଭିତରେଏ ଲଜ୍ଜାପାଇଁ ତ ଆଜି କୌଣସି ପ୍ରତିକାର ନାହିଁ ।

 

ବାପାଙ୍କୁ ସେ ଦିନ ଯେତେ ମାରିଥିଲି, ଆଉ କାହାକୁ ତ ସେତେ ମାରି ନି ! ସେତେ କାହିଁକି, କାହାରିକି କେବେ ଆଉ ମାରିଛି ବୋଲି ତ ମନେ ପଡ଼ୁନି, ଏକା ମୋର ବାପାଙ୍କ ଛଡ଼ା । ହୁଏତ ମୋର ଏମ‌୍‌ତି ସାଧୁ ସ୍ୱଭାବ ପାଲଟି ଯିବାର ବହୁତ କାରଣ ଅଛି । ମାଡ଼ ଦେଲେତ ମାଡ଼ ଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼େ । ସେଭଳି ପ୍ରସ୍ତୁତି ପାଇଁ ମୁଁ ଦେହ ଓ ମନରେ ହୁଏତ ଅସମର୍ଥ ଥିଲି । ଆଉ ବାପାଙ୍କୁ ମାରିବାରେ ତ ସେଭଳି ପ୍ରସ୍ତୁତ ଆଦୌ ଲୋଡ଼ା ନଥିଲା । ସେଥିଲାଗି ପୁଣି ଅନେକଆଗରୁ ମଧ୍ୟ ସଞ୍ଚିତ ରହିଥିଲା ମୋ ପାଇଁ ଅଯାଚିତ ଅସରନ୍ତି କ୍ଷମା—ଯାହା ପୃଥିବୀରେ ଅନ୍ୟତ୍ର ଅସମ୍ଭବ । ଆହୁରି ବୋଧ ହୁଏ କାହାର ଉପରେ କୌଣସି କାରଣରୁ ରାଗ ହେଲେ କିମ୍ବା କାହାରିକୁ ହାତ, ଉଞ୍ଚାଇ ମାରିବାକୁ ଗଲେ, ମୋର ଅବଚେତନ ମାନସରେ ଅତୀତ ଶୈଶବର ସେଇ ଦୁର୍ଘଟଣାର ପ୍ରଭାବ ମୋତେ ଦୁର୍ବଳ କରିପକାଏ । ଯାହାଙ୍କୁ ମାରବି ବୋଲି ଧମକାଏଁ, ସେ ଯେମ‌୍‌ତି ବା ମୋରି ବାପାଙ୍କ ଭଳି ମତେ କୋଳରେ କାଖେଇ ସ୍ନେହ କରୁଛନ୍ତି !

 

ଦୁର୍ଘଟଣାଟିକି ବଖାଣିବାକୁ ଯାଇ ମୁଁ ଜଣେ ମହାପୁରୁଷ ହୋଇ ପଡ଼ିଚି ବୋଲି ସୂଚାଇ ଦେବା ଅବଶ୍ୟ ମୋର ମତ୍‌ଲବ୍ ନୁହେଁ । ଆଉ, ମହାପୁରୁଷର ଆଧୁନିକ ସଂଜ୍ଞା ତ ବହୁତ ବଦଳିଗଲଣି । ଏଇ ଦୁର୍ବଳତା ବରଂ ମନରେ ମୋର ଅନେକ ସମୟରେ ଅବଶୋଷ ଆଣିବାର କାରଣ ହୁଏ । ସବୁ କ୍ଷେତ୍ରରେ ମୋର ଅକ୍ଷମତା ଲାଗି ତାହାହିଁ ଯେମ‌୍‌ତି ମୋ ଭିତରେ ଭିତରେ ସାହାଯ୍ୟ କରେ । ମନେ ହୁଏ ଯେ, ଏଇ ଦୁର୍ବଳତା ମୋ ପେଟରେ ଗୋଳେଇ ଘାଣ୍ଟି ହେଉ ନ ଥିଲେ ପୁଣି ବାପା ବୋଉ ମୋତେ କାଖେଇ କୁଣ୍ଢେଇ ବୁଝାଇ ସୁଝାଇ ମୋଠାରୁ ଆଉରି ବେଶୀ ବିକଳ ବ୍ୟସ୍ତ ନ ହୋଇ ଦମ୍ଭ ସାହସ ଦେଇଥଲେ, ମୁଁ ତା’ପରେ ଖାଲି ଅନା କମାର–ତିଆରି କଟୁରି କାହିଁକି, କାରଖାନାର କେତେ ବଡ଼ ବଡ଼ ଆଧୁନିକ ମାରଣାସ୍ତ୍ର ବ୍ୟବହାର କରି ନଡ଼ିଆ ବଦଳରେ ଅନେକ ମଣିଷ ମୁଣ୍ଡ ଛେଲି ପକାଇ ଆଜି ହୁଏତ, ବୀର, ମହାବୀର କିମ୍ବା ପରମ ବୀରଚକ୍ର ପାଇଁ ଉତ୍ସାହିତ ହୁଅନ୍ତି । ଅଥବା ସୁଦର୍ଶନଚକ୍ର ଆଢ଼ୁଆଳରେ ରହି “ନୀଳଚକ୍ରେ ହୋ ଦେଖ ଉଡ଼ୁଚି ବାନା” ବୋଲି ଡକାପାରି କୌଣସି ପ୍ରକାର ଅଭାବ ଅସୁବିଧା ଦୁଃଖ ବିପଦକୁ ପରବାୟ-ଲେଦୁ କରୁଥାନ୍ତି ।

 

ବୋଉ ବାପାଙ୍କ ଛଡ଼ା ମୋର ସେଦିନ ଦୁର୍ଘଟଣାରେ ସଂପୃକ୍ତ ଥିବା ତୃତୀୟ ବ୍ୟକ୍ତି ବୋଧହୁଏ ଭାଇନା । ତାଙ୍କ ସ୍କୁଲ ଛୁଟି ଥାଏ କି କ’ଣ ବାପାଙ୍କ ସାଙ୍ଗରେ ପୁରୀରୁ ଆସିଥାନ୍ତି । କଟା ଆଙ୍ଗୁଠିର ପ୍ରାଥମିକ ଚିକତ୍ସା ଭାଇନା କରିଥିଲେ ବୋଲି ଟିକିଏ ହେଜ ହେଉଛି । ତାଙ୍କ ଭିତରୁ ଜଣେ ହେଲେ କେହି ଆଜି ନାହାନ୍ତି, ବାଁ ହାତ ବିଷି ଆଙ୍ଗୁଠି ଅଗରେ ରହି ଯାଇଥିବ । ଏହି କଟା ଓ ଫୁଲା ଦାଗର ସାକ୍ଷ୍ୟ ଦେବା ପାଇଁ । ଅନା କମାର, ରାମ ଭାଇନା, ବୋଉ, ବାପା, ଭାଇନା କେହି ନାହାନ୍ତି । ଅଛି ଖାଲି ବାଁ’ ହାତ ବିଷି ଆଙ୍ଗୁଠି ଅଗରେ ସେଇ କଟା ଦାଗ ଓ ଫୁଲା ନଖ !

 

ପେଟଉଥିବା ସମୟରେ ସେଇ ବିରାଡ଼ିଟି ଯଦି ପୁଣି ଚତୁର୍ଥ ସାକ୍ଷୀ ରୂପେ ସେ ଦିନର ଘଟଣା ଦେଖିଥାନ୍ତା, ତେବେ ହୁଏତ କହନ୍ତା, ମେଉଁ, ମେଉଁ ଦୁଧ ଭାତ କରି ଗୁଣ୍ଡିଏ ଦେଉଁ—ସେ ଦିନ ମୁଁ ଗେଲ ଖେଳୁଁ ଖେଳୁ ଟିକିଏ ରାଞ୍ଚୁଡ଼ି ହୋଇଗଲା ଅଜାଣତରେ ବୋଲି ପରା କେତେ ଗାଳି ଘଉଡ଼ା କରୁଥିଲ ମୋତେ ? ଆଜି ହେଲା କ’ଣ ? ଆପଣା ହସ୍ତେ ଜିହ୍ୱା ଛେଦି, କେ ତା’ର ଅଛି ପ୍ରତିବାଦୀ ।’

 

ଇତିହାସ ପରା ନିଜର ପୁନରାବୃତ୍ତି କରେ ! ଅଥବା କାର୍ଲ ମାର୍କସ୍‍ଙ୍କ ଥିଓରୀ ଅନୁଯାୟୀ ଠିକ୍ ପୁନରାବୃତ୍ତି କରେ ନାହିଁ, ସ୍ପାଇରାଲ୍ ସ୍ପ୍ରିଂ ଭଳି ବୃତ୍ତାକାରରେ ବୁଲି ବୁଲି ଉପରକୁ ଉଠେ । ସେଇପରି ପ୍ରାୟ ମୋର ବୟସରେ ‘କୁନୀ’ (ମୋର ବଡ଼ ଝିଅ ନନ୍ଦିନୀ) ନିଜ ହାତଗୋଡ଼ ହାଣି ନ ଥିଲେ ବି ଗୋଟିଏ ସାନ ଶିଶିରେ ଅଧ ଶିଶିଏ ମେଥିଲେଟେଡ୍‍ ସ୍ପିରିଟ୍ ପିଇ ସାରି ନଶ୍ଚିନ୍ତରେ ଖେଳୁଥିଲା, ଆଉ ସେଥିପାଇଁ ଆମକୁ ଡାକ୍ତର ଡାକିବାକୁ ପଡ଼ିଥିଲା । ତାକୁ ଜଗିଥିବା ‘ବନା’ ନାମଧେୟ ବାଳକଟି ତା’ରି ଆଦେଶ ଓ ଜିଗରକୁ ମାନି ସ୍ପିରିଟ୍ ଶିଶି କାନ୍ଥ ଆଲମାରିରୁ କାଢ଼ି ଦେଇଥିବାରୁ ସମସ୍ତଙ୍କଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ । କୁନି ମଧ୍ୟ ସଂଖ୍ୟାଗରିଷ୍ଠର ପକ୍ଷ ସମର୍ଥନ କରି ସବୁରି ସାଥିରେ ସ୍ୱର ମିଳାଇ ସ୍ଲୋଗାନ ଝାଡ଼େ,“ବନା ! ବନା ପରା ଅସଲ ମଣିଷମାରୁ !” ସେଇ ବନା ଆଜି ଇହଜଗତରେ ନାହିଁ । ବନା ଥିଲା ମୋର ରକ୍ତ-ସମ୍ପର୍କ ଭାଇ । ସେ ଦିନ ଦୋଷୀ ସାବ୍ୟସ୍ତ ହୋଇ ସେ ନିରୁତ୍ତର ରହିଥିଲା । ‘ମୌନଂ ସମ୍ମତି ଲକ୍ଷଣମ୍‍’ ପ୍ରକାଶ କରିଥିଲା; ମାତ୍ର ସେଇ ଶଙ୍ଖୀ ବିରାଡ଼ି ଥିଲେ ସବୁ ଦୋଷ ଗୁଣ ଠିକେ ଠିକେ କହି ଦେବାପାଇଁ ମାଗି ଥାଆନ୍ତା—ମେଉଁ ମେଉଁ ଦୁଧ ଭାତ କରି ଗୁଣ୍ଡାଏ ଦେଉଁ । ସେତକ ନ ମିଳିବା ପର୍ଯ୍ୟନ୍ତ ଠିକ୍ ଭୁଲ୍ କି ସତ ମିଛ ପ୍ରକାଶ କରିବା ପାଇଁ କେହି ଯେମ‌୍‌ତି ନାରାଜ !

 

ଆଜି ଲାଗୁଛି, ମୋତେ ମିଶାଇ ଦୁନିଆସାରା ଯେମ‌୍‌ତି ଆମେ ଦୁଧଭାତ କି ମାଛଭାତ ପାଇଁ ଖାଲି ମେଉଁ ମେଉଁ ରଡ଼ି ଛାଡ଼ନ୍ତି । ପୁଥିବୀ ଗୋଟାକର ଗୁପ୍ତ ଘରବଖୁରିଟିର ଚାବି କାଠି ଯେମ‌୍‌ତି ଫିଟିଯାଏ ଦୁଧଭାତ ଗୁଣ୍ଡାଏ ଦେଇପାରିଲେ; ଉପନିଷଦର ସେଇ ଋଷି—ଯେ କି ସବୁବେଳେ ଘୋଷି ହେଉଥିଲେ, ଜଗତ୍ ମିଥ୍ୟା, ବ୍ରହ୍ମ ହିଁ ସତ୍ୟ—ତାଙ୍କୁ ଯେତେବେଳେ ଦିନାକେତେ ଜଗତରୁ ଉତ୍ପନ୍ନ କୌଣସି ଦ୍ରବ୍ୟ ଆହାର କରିବାକୁ ଗତି ନଯାଏ—ସେତେବେଳେ ତାଙ୍କ ମଗଜ କିମ୍‍ତି ଠିକ୍ ଓଲଟା ଗତି ଧରଲା—ଅର୍ଥାତ୍ ଜଗତ୍ ସତ୍ୟ, ବ୍ରହ୍ମ ମିଥ୍ୟା—‘ଯାବତ୍ ଜିବେତ୍ ସୁଖଂ ଜିବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍।’

 

ପୁଣି ଋଣ କଲେ ବି ଘିଅ ପିଇବା ତେଣିକି ଥାଉ, ଶୁଙ୍ଘିବାକୁ ଟୋପାଏ ମିଳନ୍ତା ହେଲେ ..... !

 

ଉଠ ନିଶି ପାହିଲା ଏଥର

 

ଜଣକ ଦୋଷପାଇଁ ଯେ ଆଉ ଜଣେ ଦାୟୀ ହୁଏ, ଦଣ୍ଡ ପାଏ, ଏ ସତ୍ୟଟା ଅତି ପିଲାଦିନୁଁ ମୋତେ ଶିଖିବାକୁ ହୋଇଛି । ଆହୁରି ଶିଖିବାକୁ ହୋଇଛି, ଦୋଷ ବୋଧହୁଏ କାହାରି ନୁହେଁ । ବିରାଡ଼ି–ରାମ୍ପୁଡ଼ା ପାଇଁ ମୋତେ ଜଗିଥିବା ସାନ ଭଉଣୀ, ତାକୁ ଜଗାଇ ଯାଇଥିବା ବୋଉ କିମ୍ବା ବୋଉଙ୍କର ବାହାରେ ପଡ଼ିଥିବା କାମ, କିଏ ଦୋଷୀ ? ଆଙ୍ଗୁଠି ହଣାପାଇଁ ରାମଭାଇନା କି କଟୁରୀ ତିଆରି କରିଥିବା ଅନା କମାର, କି ତା’ର ବ୍ୟବସାୟ ବୃତ୍ତି ? ସ୍ପିରିଟ୍ ପିଆପାଇଁ ସେମ‌୍‌ତି କଣ ‘ବନା’ ? ଏଇ ପ୍ରଶ୍ନବାଚକ ଚିହ୍ନଠେଇଁ ସବୁ କଥା ଶେଷ କରିଦେଲେ ବି ଚଳନ୍ତା ପରା !

 

x      x      x

 

ମୋ କଥାଟି ସରିଲା

ଫୁଲ ଗଛଟି ମରିଲା

 

ଫୁଲ ଗଛ କାହିଁକି ମଲୁ ? କାଳୀ ଗାଈ ମୋତେ ଖାଇଗଲା ! କାଳୀ ଗାଈ କାହିଁକି ଖାଇଲୁ ? ଗଉଡ଼ ମୋତେ ଜଗିଲା ନାହିଁ । ଗଉଡ଼ ଜଗେ ନାହିଁ ବଡ଼ବୋହୁ ଭାତ ନ ଦେବାରୁ । ବଡ଼ବୋହୁ କାହିଁକି ଭାତ ଦେଲୁ ନାହିଁ ? ପୁଅ କାହିଁକି କାନ୍ଦିଲୁ ? ମତେ ଭୂଇଁଜନ୍ଦା କାମୁଡ଼ିଲା ।

 

ଦୋଷ ଗଡ଼ି ଗଡ଼ି କେଉଁଠି ଯାଇ ଯେ ପହଞ୍ଚେ, ପିଲାଦିନୁ ଶୁଣିଥିବା ସବୁ କଥା ଶେଷରେ ଏଇ ଭଣିତାରୁ ଗୋଟାଏ ମୋଟାମୋଟି ଧାରଣା ମନଭିତରେ ମୋର ବସାବାନ୍ଧି ରହେ । ଅନେକ ପରେ ଜାଣିଲି, ମଣିଷର ଦୋଷାଦୋଷ ବିଚାର ବିଷୟରେ ଏଇ ଲୋକଗାଥାଟି ଖାଲି ଆମ ଓଡ଼ିଶା କାହିଁକି, ଭାରତବର୍ଷର ସବୁ ଭାଷାରେ ଅଛି । ଟିକିଏ ଯାହା ଏପାଖ ସେପାଖ ହୋଇ ତାହା ପ୍ରଚଳିତ । ଖାଲି ସେତିକି ନୁହେ ତ ! ଇଂରାଜୀ ଓ ପୃଥିବୀର ଅନ୍ୟାନ୍ୟ ଭାଷା ଜାଣୁଥିବା ପିଲାମାନେ ବି ଏଇ ଛନ୍ଦ ପୁଣି ଭାଷା-ଅର୍ଥର କିଛି ରୂପାନ୍ତର ଶୁଣିଥାନ୍ତି । ଆଉ ବଡ଼ ହୋଇ ସାରି ବିଜ୍ଞ ବିଚାରକ, ଶାସକ ବା ବିବେଚକ ହେଲେ ଏହାକୁ ନିଶ୍ଚିନ୍ତରେ ପାସୋରି ପକାନ୍ତି । ଯେଉଁମାନେ ପାସୋରି ପାରନ୍ତି ନାହିଁ, ସେମାନେ ବୋଧ ହୁଏ ବଡ଼ହୋଇ ପାରନ୍ତି ନାହଁ ! ଚିରକାଳ ରହିଯାନ୍ତି ବଳହୀନ ହୋଇ ! ଶିଶୁ ପରି ଖାଲି କାନ୍ଦନ୍ତି ମଧ୍ୟ । କାରଣ ସବୁ କଥାରେ ତାଙ୍କୁ ଭୁଇଁଜନ୍ଦା କାମୁଡ଼େ-!

 

ଭୁଇଁଜନ୍ଦା କାମୁଡ଼ିଲୁ ?

 

ଭୁଇଁ ତଳେ ତଳେ ଥାଏ, କଅଁଳ ମାଉଁସ ଟିକିଏ ପାଇଲେ ରୁଟ୍‍କିନା ଖାଏ ।

 

ଶେଷକୁ ଦୋଷ ଯାଇ ପହଞ୍ଚେ କଅଁଳ ମାଉଁସରେ, ଟାଣ ମାଉଁସକୁ ଭୁଇଁଜନ୍ଦା ନା ତା’ ବାପା ! :

 

ବନା ଓରଫ୍ ବନମାଳୀ କିନ୍ତୁ ଏ ଦୁଇ ଶ୍ରେଣୀ ଭିତରୁ କୌଣସିଟିର ଅନ୍ତର୍ଭୁକ୍ତ ନୁହେଁ । ନିଜର ଭୁଲ୍ ଠିକ୍ ନିଜେ ବିଚାର ବୁଝିବାକୁ ତା’ର ସାମର୍ଥ୍ୟ ନ ଥିବାରୁ ସେ କେବଳ ଭୁଲ୍ କରେ । ଆଉ ସମସ୍ତେ ଠିକ୍ କରନ୍ତି । ଖାଲି ଯେମ‌୍‌ତି ଭୁଲ୍‍ରୁ ତା’ର ଜନ୍ମ । ସେଥିପାଇଁ ସେ, ତା’ର ବଡ଼ ଭାଇ ବୃନ୍ଦାବନ, ବୋଉ,ବାପା,ପୁଣି ଘରବାଡ଼ି ସମସ୍ତ ଆଜି ଭୁଲ୍ । ହୋଇଗଲାଣି ଅନ୍ୟର ଘର ବାଡ଼ିରେ ନିଜ ଘର ବାଡ଼ି ମିଶିଯାଇ ।

 

ମୁଣ୍ଡଟି ନଡ଼ିଆ ପରି ଗୋଲ । ସେଥିରେ ତା’ର ନାକ, କାନ, ଆଖି, ଓଠ ଅଙ୍କା ହୋଇ ବସନ୍ତ ପଞ୍ଚମୀ ଚିତ୍ର–ନଡ଼ିଆ ଭଳି ଦିଶେ ! ଶୋଲ କଣ୍ଢେଇ ପରି ତା’ର ଲମ୍ବ ଲମ୍ବ ଗୋଡ଼ ହାତ ଚାରିଟା ଯେମ‌୍‌ତି ଅଣଢଣିଆ ଦେହଟାର ଦି’ପଟେ ଖୋଷା ହୋଇଥାଏ । ସେଇ ଗୋଡ଼ରେ କିନ୍ତୁ ମେଦିନୀପୁର ଜିଲା କାନ୍ଥି ଇଲାକାରେ ଗାଁ ଗାଁ ବୁଲି ସେ ଭିକ ମାଗେ । ସେଇ ହାତରେ କେଉଁଠୁ ସ୍ପିରିଟ ବୋତଲ, କେଉଁଠୁ କ’ଣ କାଢ଼ିଆଣେ ଆଉ ସେହି ମୁହଁରେ ହସେ ! ବନାର ବଡ଼ଭାଇ ପୁଣି ତା’ର ବୋଉଙ୍କର ବି ସେମ‌୍‌ତି ଲମ୍ବା ହାତ ଗୋଡ଼, ସେମ‌୍‌ତି ଢ଼େଗା ଢ଼େଗା ଆଖି । ସେଇ ଆଖିରେ ମୋ ଉପରେ ବୋଉ ତା’ର ଦୃଷ୍ଟି ପକେଇ କୁଆଡ଼େ ଦିନେ କହିଥିଲା “ସିଂହ-ବୋଉଙ୍କର ଏ ପୁଅଟି ଆମ ଗାଁ ଯାକରୁ ବାହାର ।” ବୋଉଙ୍କୁ ଗାଁର ଭାଇଆଳୀ ସ୍ତ୍ରୀଲୋକମାନେ ବଡ଼ପୁଅ ଦିବ୍ୟସିଂହଙ୍କ ନାମ ଅନୁସାରେ ‘ସିଂହବୋଉ’ ? ବୋଲି ଡାକନ୍ତି—ବାପା ମଧ୍ୟ । ନିଜ ପିଲାଝିଲା ଛଡ଼ା ସ୍ତ୍ରୀ-ଲୋକଙ୍କର ଅନ୍ୟ ପରିଚୟ ନଥାଏ । ବନାବୋଉ ଖୁଡ଼ୀଙ୍କର ସେଇ ମନ୍ତବ୍ୟ ପରେ କୁଆଡ଼େ ମୋର ନାଥୁଲୁ ନୁଥୁଲୁ ଗୋଲଗାଲ ଚେହେରାଟା ଏକାବେଳେ ଶୁଖିଯାଇ କଳାକାଠ ପଡ଼ିଗଲା ।

 

ମୋ ପିଲାଦିନେ ବନାବୋଉ, ପୂଣି ମୋ ଝିଅର ପିଲାବେଳେ ସ୍ଵୟଂବନା ! କିଏ ଦୃଷ୍ଟି ପକାଇ ଆଉ କିଏ ସ୍ପିରିଟ୍ ପିଆଇ ଆମକୁ ଶୁଖାଇ ମାରିବାକୁ ଯେମ‌୍‌ତି ତାଙ୍କର ମତ୍‍ଲବ ! ଗାଁ ଭିତରେ ଅଧିକାଂଶ ଲୋକଙ୍କ ପରି ଆଉ ତାଙ୍କରି ପରି, ବାକି ଆମ କେତେଜଣଙ୍କୁ ଧଡ଼ିଆ ସୁକୁଟା କରିବାକୁ ଯେ ସେମାନେ ଲାଗିପଡ଼ିଛନ୍ତି । ଅଥଚ ଆମର ଦୋଷ କେଉଁଠି ? ଆମେ କେତେ ମକଦମର ଘର ଟିକିଏ ଭଲ ଖାଇ ପିନ୍ଧି ଚଳିବାଟା କ’ଣ ଦୋଷ ? ତାଙ୍କୁ ସେମ‌୍‌ତି ମକଦମ ହୋଇ ଚଳିବାକୁ କିଏ ମନା କଲା କି ? କଥାଟିଏ ମନେପଡ଼େ । ପ୍ରସିଦ୍ଧ ଇଂରାଜୀ ସାହିତ୍ୟିକ ଜି.କେ ଚେଷ୍ଟର୍ ଟନ୍‍ଙ୍କ ଚେହେରା ଥିଲା ବେଶ୍ ପୃଥୁଳ ଓ ଗୋଲଗାଲ । ଥରେ ସେ ବର୍ଣ୍ଣାଡ଼ଟ’ଶଙ୍କୁ ପରିହାସ କରି କହିଲେ, ‘ବ୍ରିଟେନକୁ କେହି ଆଗନ୍ତୁକ ଆସି ଆପଣଙ୍କୁ ଭେଟିଲେ, ତାଙ୍କର ଏ ଦେଶ ବିଷୟରେ ଗୋଟାଏ ଖରାପ ଧାରଣା ହେବ ଯେ, ବ୍ରିଟିଶ ଜାତିଟା ହିଁ ଆପଣଙ୍କ ପରି ଜୀର୍ଣ୍ଣ ଶୀର୍ଣ୍ଣ ଦୁର୍ବଳ ।’ ବର୍ଣ୍ଣାଡ଼ସ ସଙ୍ଗେ ସଙ୍ଗେ ଜବାବ ଦେଇଥିଲେ, ‘ତାହା ପରେ ଉକ୍ତ ଆଗନ୍ତୁକ ଆପଣଙ୍କୁ ଭେଟିଲେ ବୁଝି ପାରିବେ ଯେ, ଆପଣ ହିଁ ତାହାର କାରଣ !’

 

ଯେଉଁ କାରଣରୁ ହେଉ, ବନାଙ୍କ ପରିବାରଟିରେ ଯେମ‌୍‌ତି ଖାଲି ଦୈର୍ଘ୍ୟ ଅଛି, ପ୍ରସ୍ଥ ନାହିଁ-। ସୂର୍ଯ୍ୟ ଅସ୍ତ ଗଲାବେଳର ଲମ୍ବ ଲମ୍ବ ଛାଇ ପରି କାହିଁ ସେମାନେ ଉଭେଇ ଗଲେଣି । ବନାର ମାଉସୀ ମଧ୍ୟ ସେମ‌୍‌ତି ଡେଙ୍ଗା ମଣିଷ ଥିଲେ ।

 

ମଝିରେ ମଝିରେ ଆମ ଗାଁ ବନା-ମାଉସୀ ଆସନ୍ତି । ହାତରେ ଗୋଟିଏ ସାନ ତାଳପତ୍ର ଖେଦା । କି ପୁରୁଷ କି ସ୍ତ୍ରୀ ସବୁରି ସାଥିରେ ତାଙ୍କର ପରିଚୟ । ସବୁରି ସାଥିରେ ହାସ ପରିହାସ କରି କଥାକହନ୍ତି । ଖାଲି ତ କଥା କହନ୍ତି ନି, ଗୀତ ବୋଲନ୍ତି ସେଇ ତାଳପତ୍ର ଖେଦାକୁ ଫିଟାଇ । କଳା ଧୂସୁରା ଦେହ ସାଙ୍ଗକୁ କୋକିଳ ପରି ତାଙ୍କ କଣ୍ଠସ୍ୱର ଏବେବି ସତେ ଅବା କାନ ମୂଳରେ ବାଜି ଯାଏ ! ଘରଘର ବୁଲି ବାର ଅଗଣା ବା ଢିଙ୍କିଶାଳରେ ବୁଢ଼ୀ ଭୁଆସୁଣୀମାନେ ଯେମ‌୍‌ତି ରୁଣ୍ଡ ହୋଇ ତାଙ୍କ ଗୀତ ଶୁଣନ୍ତି, ଦାଣ୍ଡରେ ଶୁଣନ୍ତି ସେମ‌୍‌ତି ପୁରୁଷ ଲୋକେ ଏଇ ବିଧବା ନିରାଭରଣା ନାରୀ କଣ୍ଠରୁ ସ୍ୱ-ରଚିତ କବିତା । ମୋ ଜୀବନର ସର୍ବ ପ୍ରଥମ କବି–ପରିଚିତି ।

 

ପଦେ ହେଲେ ସେ କବିତାରୁ ମନେ ନାହିଁ, ଅଛି ଖାଲି ତା’ର ମୂର୍ଚ୍ଛନା । ତାହା ଆଗରୁ ଯେଉଁ କବିତା ମୁଁ ଶୁଣିଥିଲି, ପୁଣି ଏବେ ସୁଦ୍ଧା ଯାହା ପାସୋରି ଯାଇ ନାହିଁ, ସେ ହେଲା ନିଜ ବୋଉଙ୍କ ମୁହଁରୁ । ରାତି ଫସରଫାଟି ଆସୁଥାଏ । କୁଆ କୋଇଲି ନ ଡାକୁଣୁ ବୋଉଙ୍କ କୋଳରେ ଶୋଇ ଯତେବେଳେ କାନରେ ବାଜିଉଠେ ତାଙ୍କରି ସ୍ୱର—

 

“ଉଠ ନିଶି ପାହିଲା ଏଥର ହେ ବଂଶୀଧର !”

 

ମନେହୁଏ ସେତେବେଳେ ପୃଥିବୀରେ ଗୋଟିଏ ମାତ୍ର ବଂଶୀଧ୍ୱନି, ଆଉ କିଛି ନାହିଁ । ପୁଣି ସଂସାରଟାକୁ ରାତି ପୁହାଇ ଉଠାଇ ଦେବା ହେଲା ରୋଜ ତା’ରି କାମ । ମୁଁ କିନ୍ତୁ ଉଠି ନ ପଡ଼ି ଆହୁରି ଆହୁରି, ବୋଉ କୋଳରେ ଲାଗିଯାଏଁ , ପୁଣି ସେଇ ବଂଶୀ ଶବ୍ଦ ଶୁଣିବାପାଇଁ । ପୁଣି ଶୁଣେଁ—

 

ମନ୍ଦିରେ ରାବିଲେ କାକ,            ଗଗନେ ରାବିଲେ ଶୁକ

କୁହୁ କୁହୁ କଲେ ପିକ,

କୁକ୍କୁଟ ଡାକିଲେ ପରଖର ହେ ବଂଶୀଧର !

 

ସବୁଠାରୁ ବେଶୀ ମଜା ଲାଗେ ଶୀତ-ସକାଳରେ ବୋଉଙ୍କ କଣ୍ଠରୁ ସେଇ ଗୀତ ଶୁଣିବାପାଇଁ । ପୃଥିବୀରେ ବୋଧେ ତା’ଠୁଁ ବଳି ସୁଖ ମୁଁ ଆଉ କିଛି ପାଇନି ଜୀବନଯାକ । ଅକ୍ଷର ପରିଚୟ ନ ହେଉଣୁ ଯେଉଁ ଗୀତ ଆଜିଯାକେ ମନ ଭିତରେ ଆଙ୍କି ହୋଇ ରହିଚି, ଆଉ ଆପେ ଆପେ ବାହାରି ଆସୁଚି । ଅଥଚ ଅକ୍ଷର ଚିହ୍ନିବା ପରଠାରୁ କେତେ ବହି, କେତେ ଗୀତ ଆଜିଯାକେ ମନ ଭିତରେ ଆଙ୍କି ହୋଇ ରହିଚି, ଆଉ ଆପେ ଆପେ ବାହାରି ଆସୁଚି । ଅଥଚ ଅକ୍ଷର ଚିହ୍ନିବା ପରଠାରୁ କେତେ ବହି କେତେ ଗୀତ କବିତା ପଢ଼ିଲି । ତାକୁ ସବୁ ମନେ ପକାଇବା ତ ଏଡ଼େ ସହଜ ନୁହେ ! କେତେ ସ୍ଵର, କେତେକଣ୍ଠ-ସଂଗୀତ ଭିତରେ ସେ ଯେମ‌୍‌ତି ଆଜି ଛାଏଁ ଜୀଇଁ ରହିଛି ସବୁ ବିସ୍ମୃତି ଉପରେ ବିଜୟର ନିଶାଣ ଟେକି—

 

“ଉଠ ରାମ ବନମାଳୀ

ଶ୍ରୀମୁଖ ଦେବି ପଖାଳି

ଝରୀରେ ରଖିଛି ବାସ ନୀର ହେ ବଂଶୀଧର

ଉଠ ନିଶି,

ଉଠ ନିଶି ପାହିଲା ଏଥର ହେ ବଂଶୀଧର !”

 

ବିରାମ ନାହିଁ ସେ ବଂଶୀର । ସବୁରି ମୁହଁରେ ସେ ବାଜି ଉଠେ ସବୁ ସକାଳରେ । ବୋଉଙ୍କ କଣ୍ଠରୁ କେତେ ଅସରନ୍ତି ଛନ୍ଦ ଆଉ କେତେ ଗଳ୍ପ ଆକାରରେ ମୁଁ ଶୁଣିଛି ସେଇ ବଂଶୀ-ସ୍ୱର ! ସେଇ ମୋର ପ୍ରଥମ କବିତା, ପ୍ରଥମ ଗଳ୍ପ, ପୁଣି ବୋଧହୁଏ ଶେଷ ! ଆସ ଗୋ ଆସ ଗୋ କଲରାଈ ଫୁଲ, ବେଦୀରେ ବର ତ ବୁଢ଼ା ହୋଇଲା, ବେଦୀତଳେ ପାଣି ଆଣ୍ଠୁଏ ହେଲା ।” “କି ପୀଢ଼ା ପକେଇଛୁ ତରା , ଏ ତ ନ ଦିଶଇ କାଠସଞ୍ଚାର ପରା”, “ବାନ୍ଧ୍ ଦଉଡ଼ି ପିଟ୍ ଠେଙ୍ଗା”—ଗପ ଶୁଣୁ ଶୁଣୁ ଆଖି ଜକେଇ ଆସେ, ହସି ହସି ପେଟ ଉଲୁସି ପଡ଼େ ।

 

ବେଙ୍ଗୁଲୀ କଥାରୁ ଆଗ ଆରମ୍ଭ ହୋଇ, ତା’ପରେ କେତେ ରଜା ପୁଅ, ମନ୍ତ୍ରୀପୁଅ, କଟୁଆଳପୁଅ, ସାଧବଝିଅ, ସାଧବପୁଅ ପକ୍ଷୀରାଜ ଘୋଡ଼ାରେ ଚଢ଼ିଯା-ଆସ କରନ୍ତି ନିତି ଆକାଶରେ । କେତେ ମନପବନ ଡଙ୍ଗା ସାତ ସମୁଦ୍ର ତେର ନଈ ପାର ହୋଇ ଭାସି ଭାସି ଚାଲେ-। କେତେ ବାଘ ଛେଳି ବିଲୁଆ ନନା, କେତେ “ଚେଁ କାନ୍ଦେ, ଭେଁ, କାନ୍ଦେ, କାନ୍ଦଇ ନତେଇ ପୁଷି” ଗପର ମୂଷା, ବିରାଡ଼ି, କେତେ ଓଲେଇ ଗାଈ, ଗୋରୁ ମଇଁଷି, ମାଙ୍କଡ଼ରଜା ପୁଣି ଭୂତ-ପ୍ରେତ, ଡାହାଣୀ-ଚିରିଗୁଣୀ, ଅସୁର–ଅସୁରୁଣୀଙ୍କ ସଙ୍ଗେ ପରିଚିତ ହେବାପାଇଁ ଦିନ-ରାତି, ସଞ୍ଜ-ସକାଳ ଅଣ୍ଟେ ନାହିଁ । କେଉଁ “ଅଗନା ଅଗନି ବନସ୍ତ ଭିତରେ” କିଏ ପୁଣି କାହିଁ ହଜଯାନ୍ତି । ଆଉରି ସେ ବାହାରନ୍ତି ବି !

 

ସବୁ କଥା ସବୁ ଗୀତର ପରିସର ମାତ୍ର ପାଞ୍ଚ ଶହ ହାତ—ଆମ ଘର ଆଉ ମାମୁଁ ଘର ଭିତରେ ଯେତିକି ତଫାତ୍ । ଆମ ଘରକୁ ବୋଉ କହନ୍ତି, ‘ମୋ ଘର’, ମାମୁଁ ଘରକୁ ‘ଆମଘର’ । ମାମୁଁ ଡାକଟା ବୋଧହୁଏ ଅତି ନିକଟକୁ ବୁଝାଉ ଥିବାରୁ ଖୁବ୍ ଦୂର, ଖୁବ୍ ଭୟଙ୍କରକୁ ମଧ୍ୟ ଆପଣାର କରିବାପାଇଁ ‘ଜହ୍ନମାମୁଁ ’, “ବାଘମାମୁଁ କଥା ଅଛି । ଟୁଆଁ-ଟୁଇଁଙ୍କର ‘କାଠ ହାଣୁ ଠୋ ଠା, ‘ବାଘମାମୁଁ’ ତୁ ଅଳପେଇସି ଯା।’ ତା’ ସାଙ୍ଗକୁ ‘କଳସା ଚଉତିଶା’, ‘କେଶବ କୋଇଲି’ । କେବେ ବୋଉ ଆଉ କେବେ ବଡ଼ ମାଉସୀଙ୍କ ମୁହଁରୁ ମୁଗ୍‌ଧ ହୋଇ ଶୁଣେ । ସ୍ଵର ମାଧୁର୍ଯ୍ୟରେ ଦୁହିଁକି ଦୁହେଁ ସରିସା ।

 

ବଡ଼ ମାଉସୀ ଘର ପୁରୋହିତପୁର । ଆମ ଗାଁରୁ ବାଟ କୋଶେ । ମୋ ବୋଉ ପରି ସେ ବହି ଧରି ଗୀତ ବୋଲି ପାରନ୍ତି ନାହିଁ ସିନା, ସବୁ, ତାଙ୍କର ମୁଖସ୍ଥ । ଗୋରା ତକତକ ଦେହ, ପାନ ଖାଇଲା ଭଳି ଓଠ ଯୋଡ଼ିକ ସବୁବେଳେ ଲାଲ । ଗୋବିନ୍ଦ ମଉସାଙ୍କ ଚେହେରା ମଧ୍ୟ ସେମିତ ତେଜୀୟାନ୍ । ବାପା କହନ୍ତି, ସେମାନେ ସାମନ୍ତ ବ୍ରାହ୍ମଣ ଥିବାରୁ ଏତେ ଉନ୍ନତ ତାଙ୍କର ବ୍ୟବହାର । ମୋର ପିଲା ବୟସରେ ସୁଦ୍ଧା ବଡ଼ ମଉସାଙ୍କର ମୋ ପ୍ରତି ସ୍ନେହ ସମ୍ମାନର ହେତୁ ପଚାରିଲେ ବାପାଙ୍କଠାରୁ ଏହିପରି ଉତ୍ତର ପାଏ ।

 

ଚାରି ମାମୁଁ ତିନି ମାଉସୀ । ତାଙ୍କ ଭିତରୁ ଜଣେ ମାମୁଁ ଜଣେ ମାଉସୀ ମୋର ହେତୁ ହେବା ଆଗରୁ ବିଦାୟ ନେଇଥିଲେ ପୃଥିବୀରୁ । ବାକି ଯାହାଙ୍କ ପାଖରେ ବଢ଼ିଥିଲି, ସେମାନେ ସମସ୍ତେ ପ୍ରାୟ ସମାନ ଉଚ୍ଚ । ଦେଖିବାକୁ ଗେଡ଼ା ସିନା, ଆମ ପାଣିବଂଶଠାରୁ ଜାତରେ ସେମାନେ ଉଚ୍ଚ ବ୍ରାହ୍ମଣ । ସ୍ଵଭାବ ସେମ‌୍‌ତି ୠଜୁ ଓ ନମ୍ର, ପାଣିବଂଶ ମକଦ୍ଦମମାନଙ୍କ ପରି ବକ୍ର ନୁହେ ବା କଠୋର ନୁହେ । ସେଥିଲାଗି ତାଙ୍କ ଭିତରୁ କେହି ଜଣେ ଶକୁନି ମାମୁଁ କିମ୍ବା କଂସ ମାମୁଁ ହୋଇ ପାରି ନାହାନ୍ତି । ଅଜା ମୃତୁଞ୍ଜୟଙ୍କୁ ମୁଁ ଦେଖିବା ଆଗରୁ ମୃତ୍ୟୁ ତାଙ୍କୁ ଜୟ କରି ସାରିଥିଲା । ତାଙ୍କ ସାନ ଭାଇ କୃତ୍ତିବାସଙ୍କୁ ଅନେକ ଥର ଦେଖିଥିଲେ ହେଁ, ସମ୍ପର୍କଟା ବୁଝିବାକୁ କିନ୍ତୁ ମୋର ବିଳମ୍ବ ହୋଇଥିଲା । କାରଣ ଅଜା–ନାତି ସମ୍ପର୍କରୁ ସେ ଅନେକ ଦୁରେଇ ଯାଇଥିଲେ । ସେଇ ସୁଦୀର୍ଘ, କ୍ଷୀଣକାୟ ପୁରୁଷଙ୍କ ପଦତଳେ ଅନେକ ଥର ମୁଣ୍ଡ ଲଗାଇଛି, ଆଉ ସମସ୍ତଙ୍କୁ ନମସ୍କାର ଦୁଇ ହାତ ଯୋଡ଼ି । ସମସ୍ତେ ତାଙ୍କୁ ଡାକନ୍ତି ‘ସ୍ୱାମୀ’। ଭୁବନେଶ୍ୱର ଦୋଳବେଦୀକୁ ଲାଗି ତାଙ୍କର ମଠ । ମଠ ଦୋତଲା ଉପରେ ରହନ୍ତି ସେ । ଚନ୍ଦନ, ଜାଗର, ଅଶୋକାଷ୍ଟମୀ, ମକର ସଂକ୍ରାନ୍ତି ପ୍ରାୟ ସବୁ ଯାତ୍ରାକୁ ମାମୁଁ–ପୁଅଭାଇମାନଙ୍କ ସାଥିରେ ମୁଁ ଭୁବନେଶ୍ୱର ଯାଏଁ । ସମସ୍ତେ ରହୁଁ ମଠରେ । ସାନ ମାଉସୀଙ୍କ ଘର ବି ସେଇ ଭୁବନେଶ୍ୱର । ସେଇ ଥିଲା ପିଲାଦିନର ବଡ଼ ସହର, ବଡ଼ ଆକର୍ଷଣ ।

 

ଏବର ରାଜଧାନୀ ଥିଲା ଚନ୍ଦକା ଜଙ୍ଗଲ, ବାଘ ହାତୀଙ୍କର ବିହାରସ୍ଥଳୀ । ରେଳ ଷ୍ଟେସନକୁ ଯିବା ବାଟ ରାତିରେ ଭୀତି ଉପୁଜାଏ ।

 

ଖରାଦିନେ ଚାରିଆଡ଼ ତାତିଗଲେ, ମଠର କୋଠା ଛାତ ଉପରେ ଜହ୍ନ ଆଲୁଅରେ ସୁଲୁ ସୁଲୁ ଶୀତଳ ବାଆ ବୋହିଯାଏ—ବିଶାଳ ବିନ୍ଦୁ ସାଗର ପୁଷ୍କରିଣୀର ଜଳ ଉପରେ ସୃଷ୍ଟିକରେ ଅହରହ ନିତ୍ୟରତ କ୍ଷୁଦ୍ର କ୍ଷୁଦ୍ର ବୀଚିମାଳା । କେତେ ‘କୁଣ୍ଡ, ‘ମଠ’ ପ୍ରଶସ୍ତ ଦାଣ୍ଡ, ଅସଂଖ୍ୟ ଦେଉଳ, ସବୁରି ସାଥିରେ ପିଲାଦିନର ଘନିଷ୍ଠ ପରିଚୟ ।

 

ସ୍ୱାମୀ ନିଜେ ବେଶୀ କଥା କହନ୍ତି ନାହିଁ; ଯାହା ଅନ୍ୟମାନଙ୍କଠାରୁ ତାଙ୍କ କଥା ମୁଁ ଶୁଣେଁ—ସ୍ତ୍ରୀ ବିୟୋଗ ପରେ ନିଃସନ୍ତାନ କୃତ୍ତିବାସ ସଂସାରତ୍ୟାଗୀ ହେଲେ । ଭୁବନେଶ୍ୱର ଆସି ସେ କେଦାରଗୌରି ନିକଟ ଜଙ୍ଗଲରେ ତପସ୍ୟାରତ ହୁଅନ୍ତି, କୌଣସି ସନ୍ନ୍ୟାସୀଙ୍କର ଶିଷ୍ୟ ଭାବରେ । ତାଙ୍କ ପାଖରେ ସାପ ବାଘ ଏମ‌୍‌ତି କେତେ ହିଂସ୍ର ଜନ୍ତୁ ଯାଆସ କରନ୍ତି । ଭୋଗପାଇଁ ରଖାଯାଇଥିବା ଦୁଧକୁ ଗୋଟିଏ ନାଗ ସାପ ଆସି ପିଇଯାଏ । ପୁଣି କେବେ ତାଙ୍କ ଦେହରେ ଗୁଡ଼ାଇ ହୋଇ ମୁଣ୍ଡ ଉପରକୁ ଉଠେ । ଏଭଳି ବିଷୟ ଆଜି ଅବଶ୍ୟ କାହାଣୀର ପର୍ଯ୍ୟାୟଭୁକ୍ତ; କି ଓଡ଼ିଶା ରାଜଧାନୀ ନିର୍ମିତ ହୋଇ ସେଠାରେ ସରକାରୀ ଦପ୍ତର ଭଳି ଭୟଜାତ ହେବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ବୋଧହୁଏ ଥିଲା ବାଘ ଭୟ, ପୁଣି ସାପଟା ତ ହେଲା ପୃଥିବୀପୃଷ୍ଠରେ ସାରା ଭାରତର ଏକ ବିଶିଷ୍ଟ ପରଚୟ ! କେଦାରଗୌରୀର ସେବକଠାରୁ କୃତ୍ତିବାସଙ୍କ ତପଶ୍ଚର୍ଯ୍ୟାର ଏହି ବର୍ଣ୍ଣନା ଶୁଣି ମଠାଧୀଶ ତାଙ୍କୁ ଶିଷ୍ୟରୂପେ ଗ୍ରହଣକଲେ ।

 

କଷାୟ-ବସ୍ତ୍ର ପରିହିତ ମୁଣ୍ଡିତ ମସ୍ତକ ଦଣ୍ଡ-କମଣ୍ଡଳୁଧାରୀ କ୍ଷୀଣକାୟ ସ୍ୱାମୀଙ୍କର ଦେହର ରଙ୍ଗ ଥିଲା ମଧ୍ୟ ନାଗସାପ ପରି । ମୋର ସାଥି ସହଚର ମାମୁଁପୁଅ-ଭାଇମାନଙ୍କ ଚଗଲାମିରେ ଚିଡ଼ି ଉଠିଲା ବେଳେ ତାଙ୍କ ପ୍ରକୃତି ମଧ୍ୟ ସେମ‌୍‌ତି ଜଣା ପଡ଼େ । ମୋ ପ୍ରତି କେବେହେଲେ ତାଙ୍କ ରୁଷ୍ଟତା ମୁଁ ଦେଖି ନାହିଁ । ତଥାପି ଅନ୍ୟ ସମସ୍ତଙ୍କ ତୁଳନାରେ ତାଙ୍କ ପ୍ରତି ମୋର କିପରି ଏକ ଭୟ ଓ ସମ୍ଭ୍ରମ ଜନ୍ମି ଯାଇଥିଲା । ସେ ଯେ ଜଣେ ଅଦ୍ଭୁତକର୍ମା ଅସାଧାରଣ ଅତି ମନୁଷ୍ୟ, ଏହି ଧାରଣା ହିଁ ମୋ ଭିତରେ ବଦ୍ଧମୂଳ ହୋଇପଡ଼ିଥାଏ ପିଲାଦିନୁ ।

 

ଉପର ମହଲା ଘରଟିରେ ସେ ଏକୁଟିଆ ରହନ୍ତି । ଯେତେବେଳେ ସେତେବେଳେ କେହି ତାଙ୍କ ପାଖକୁ ଯିବା ପାଇଁ ମନା; ସବୁବେଳେ ସେ ଧ୍ୟାନମଗ୍ନ ରହି ଯୋଗାଭ୍ୟାସ କରନ୍ତି ବୋଲି ମୁଁ ଶୁଣେ । ଆହୁରି ଦେଖେଁ ଯେ କାନ୍ଧରେ ତାଙ୍କର ପଇତା ନାହିଁ । ଶଙ୍କର ପଲ୍ଲୀମାନେ ଦୀକ୍ଷା ଗ୍ରହଣ ପରେ ତ ଉପବୀତ ମଧ୍ୟ ତ୍ୟାଗ କରନ୍ତି । କିନ୍ତୁ ନିଜେ ଏପରି ଆଦର୍ଶ ଦେଖାଇ ସୁଦ୍ଧା ଜାତିଭେଦ ସ୍ୱୀକାର କରନ୍ତି କି ନାହିଁ ? ତାଙ୍କ ସମ୍ପର୍କରେ କେତେ ଅଦ୍ଭୁତ କଳ୍ପନା ଓ କେତେ ପ୍ରଶ୍ନ ମୋ ମୁଣ୍ଡରେ ଖେଳିଯାଏ । ନିଜେ ତ ନିଜର ନାମଧାମ ଆଦି କଳ୍ପିତ ପରିଚୟକୁ ଫିଙ୍ଗିଦେଇ ଗ୍ରହଣ କରନ୍ତି ସତ୍ୟକୁ—ସନ୍ନ୍ୟାସ-ସତ୍‍ନ୍ୟାସ । ସେଇପରି ବୋଧହୁଏ ମୃତ୍ୟୁକୁ ସୁଦ୍ଧା ଅସ୍ୱୀକାର କରନ୍ତି ସେ ।

 

ମଠର ବାଡ଼ିପଟେ ସ୍ୱାମୀମାନଙ୍କର ସମାଧି ମନ୍ଦିରଗୁଡ଼ିକୁ ଦେଖି ସେ ବିଷୟରେ ମୁଁ ଉତ୍ସୁକ ହୁଏଁ । ତାଙ୍କ ଭିତରୁ ଯୋଗାସନରେ ବସିବା ଅବସ୍ଥାରେ ହିଁ ଦେହତ୍ୟାଗ କରନ୍ତି କେହି କେହି-। ଅନ୍ୟମାନଙ୍କୁ ସେଇପରି ଆସନରେ ବସାଇ ସମାଧି ଦେବାର ବିଧି ଅଛି । ଦାହ କରାଯାଏ ନାହିଁ-! ମୋର ସାନ ଅଜା ସ୍ୱାମୀ କୃତିବାସଙ୍କୁ ସମାଧି ଦେଲାବେଳେ ତାଙ୍କର ଶବ ଛାଏଁ ଯୋଗାସନରେ ବସିଯିବା ଘଟଣାକୁ ଦେଖିଥିବା ଲୋକଙ୍କଠାରୁ ଶୁଣିଛି ମଧ୍ୟ ସନ୍ଦେହ-ବିସ୍ମୟରେ ।

 

ଗୁଣ-କର୍ମ-ବିଭାଗଦ୍ୱାରା ଚତୁବର୍ଣ୍ଣ ସୃଷ୍ଟିର ଯେଉଁମାନେ ଉଦ୍‍ଗାତା, ସେମାନେ ସ୍ୱୟଂ ପଇତା ଛାଡ଼ିବେ, ତାଙ୍କ ଦେହର ଦାହ କ୍ରିୟା କରା ନ ଯାଇ ଖ୍ରୀଷ୍ଟାନ ବା ମୁସଲମାନଙ୍କ ଭଳି କବର ଦିଆଯିବ, ଏ ସବୁର ତଥ୍ୟ ବୁଝିବାକୁ ମୁଁ ଅସମର୍ଥ ହୁଏଁ । ପୁଣି ତାଙ୍କ ବିଷୟରେ ଯେଉଁ ସବୁ ପ୍ରଥା ଅଛି, ତାହା ଶୁଣି ବିସ୍ମୟ ମୋର ଆହୁରି ବଢ଼ିଯାଏ । ତାଙ୍କପକ୍ଷରେ‘ ମୃତ୍ୟୁ ଶବ୍ଦ ପ୍ରୟୋଗ କରିବା ମଧ୍ୟ ଦୋଷାବହ । ‘ଦେହ ତ୍ୟାଗ କଲେ’ ବା ନାରାଗଣ ହେଲେ’ ବୋଲି କହିବା ହିଁ ବିଧି । ଆମ୍ବା ଅବନାଶୀ, ଆତ୍ମା ଓ ପରମାତ୍ମାର ମିଳନ ସଙ୍ଗେ ସଙ୍ଗେ ମୃତ୍ୟୁହୀନ ଅମୃତତ୍ୱର ସୂଚନା ପାଇଁ ଏ ସବୁ ପ୍ରଥାରେ ରହି ଯାଇଛି ! ସେବା କାରଣରୁ ତାଙ୍କର ପରଲୋକ ଯାତ୍ରାରେ କାହାର ଶୋକ କରିବାକୁ ମଧ୍ୟ ନିଷେଧ ! ଅଦାହ୍ୟୋଯମ୍ ଅଶୋଚ୍ୟାୟମ କଥା ଗୁଡ଼ିକ ବୋଧହୁଏ ଏହି ଭାବରେ ପାଳନ କରଯାଇଥାଏ । ଅନ୍ୟଧର୍ମରେ ବି ଅଛି, ଶୋକ କଲେ ମୃତବ୍ୟକ୍ତିର ଆତ୍ମା କଷ୍ଟଭୋଗ କରେ ।

 

ସମାଧି ମନ୍ଦିର ଗୁଡ଼ିକର ଏବେ ସୁଦ୍ଧା ସେଇ ମଠବାଡ଼ିରେ ସଂଖ୍ୟା ବୃଦ୍ଧି ଘଟୁଛି । ମୋର ସାନ ଅଜା ସେହି ସ୍ୱାମୀଙ୍କ ପରେ ମୋର ବଡ଼ ମାମୁଁ ମଧ୍ୟ ଉତ୍ତରକାରୀସୂତ୍ରେ ସ୍ୱାମୀ ହୋଇଥିଲେ । ତା’ପରେ ମଠ ସହିତ ଆମର ସମ୍ପର୍କ ପୂରାପୂରି ବିଚ୍ଛିନ୍ନ ହୋଇଗଲା । ହେବା ମଧ୍ୟ ସମୀଚୀନ । ତଥାପି ମଠବାଡ଼ିର ଗହୀରା କୂଅପାଖରେ ବଡ଼ ବଡ଼ କନିଅର ଗଛର ପେନ୍ଥା ପେନ୍ଥା ନାଲିଫୁଲ ଗହଳିରେ ସମାଧିମନ୍ଦିରଗୁଡ଼ିକ ସେତେବେଳେ ମନ ଭିତରେ ମୋର ଯେଉଁ ନିବିଡ଼ ରହସ୍ୟର ତରଙ୍ଗ ରଚନା କରିଥିଲେ; ଆଜିସୁଦ୍ଧା ସେ ରହସ୍ୟ ଜାଲକୁ କିଛି ଭେଦ କରିପାରିଛି ବୋଲି ତ ମନେ ହୁଏ ନାହିଁ ! ଆଉ ଗୋଟିଏ ରହସ୍ୟ ଭେଦ କରିପାରି ନାହିଁ ଯେ, ଏଇ ନିରାଡ଼ମ୍ବର ପ୍ରଥାର ଆଦର୍ଶକୁ ଟିକିଏ ଅନୁସରଣ କରି ଆମର ମୃତ୍ୟୁଶଯ୍ୟାର ପାରିପାର୍ଶ୍ୱିକ କାନ୍ଦ ବୋବାଳି ଓ ଶୋକସଭାର ଅଭିନୟକୁ କିଞ୍ଚିତ୍ କମାଇ ଦେଲେ କ୍ଷତି କ’ଣ ହୁଅନ୍ତା ? କାରଣ ଶୋକସଭାରେ ମୃତ ବ୍ୟକ୍ତିଙ୍କ ପ୍ରତି ଯେଉଁ ସମ୍ମାନ ପ୍ରଦର୍ଶିତ ହୁଏ, ତାହାକୁ ଅନେକ ସମୟରେ ଶୋଚନୀୟ କି ହାସ୍ୟାସ୍ପଦ—କିଛି ହେଲେ ତ କୁହାଯାଇ ପାରେ ନାହିଁ !

 

ମୃତ୍ୟୁଶଯ୍ୟାର ଏମ‌୍‌ତି ଗୋଟିଏ ପ୍ରହସନ ଦେଖିଥିଲି ମୋର ଜଣେ ବଡ଼ବାପାଙ୍କ ପ୍ରୟାଣରେ । ବୁଢ଼ାମାନଙ୍କୁ ଚିଡ଼େଇବା ମଧ୍ୟ ପିଲାଙ୍କର ଗୋଟାଏ ଖେଳ । ସତେ କି ସେମାନେ ନିଜେ ଜମାରୁ ବୁଢ଼ା ହେବେ ନି ଦିନେ ହେଲେ ! ନିଜେ ବୁଢ଼ା ହୋଇ ମୋର ଆଜି ଚେତାପଶୁଛି ! —ଚିଡ଼ିଲେ ତାଙ୍କ ବଳିଷ୍ଟ ଦେହ ଉପରେ ଗୌରବର୍ଣ୍ଣ ଲାଲ୍ ଟକ୍ ଟକ୍ ମୁହଁଟି ରାଗରେ ଆହୁରି ଲାଲ୍ ହୋଇଯାଏ । ତାଙ୍କପାଇଁ ମୃତ୍ୟୁ –ଶଯ୍ୟା ଦାନର ବ୍ୟବସ୍ଥା ହୋଇଥିଲା । ଏ ଦାନ ଅତ୍ୟନ୍ତ ବ୍ୟୟସାପେକ୍ଷ ଥିବାରୁ କେବଳ ଧନୀଲୋକଙ୍କ ପକ୍ଷରେ ଏହା ସମ୍ଭବପର ହୋଇଥାଏ । ସେହିପରି ବୃଷଭ-ଉତ୍ସର୍ଗରେ ମଧ୍ୟ; କିନ୍ତୁ ଯେଉଁ ବ୍ୟକ୍ତି ମୃତ୍ୟୁ ଶଯ୍ୟା ଦାନ ଗ୍ରହଣ କରନ୍ତି, ତାଙ୍କୁ ମୃତ ବ୍ୟକ୍ତିଙ୍କର ସମସ୍ତ ଅଭିନୟ କରିବାକୁ ହୁଏ । ତାଙ୍କ ପାଇଁ ନୂଆ ଖଟ, ଶେଯ, ତକିଆ, ଗଦି ଓ ବ୍ୟବହାର-ଉପଯୋଗ ସବୁ ଉପକରଣ ଯୋଗାଇବାକୁ ପଡ଼େ । ଛତା, ବାଡ଼ି, ଲୁଗାପଟା, ବାସନ, ପାନବଟା କୌଣସିଟି ଜିନିଷ ବାଦ୍ ଯାଏ ନାହିଁ । ଝିଅ, ଜ୍ୱାଇଁ, ପୁଅ, ବୋହୂ, ଆଦି ଜ୍ଞାତିବର୍ଗ ଯେ ଯାହାର ଶକ୍ତି ଅନୁସାରେ ମଧ୍ୟ ଅର୍ଥଦାନ କରନ୍ତି । ତାଙ୍କୁ ସେହି ଖଟ ଉପରେ ଅବିକଳ ମୁର୍ଦାର ଭଳି ଦେହ-ମୁଣ୍ଡ ଲୁଗା ଘୋଡ଼େଇ ଶୋଇ ରହିବାକୁ ହୁଏ ଓ ଝିଅ, ବୋହୂମାନେ ମଧ୍ୟ ତାଙ୍କ ପାଦ ପାଖରେ ବସି ଅବିକଳ ମୂର୍ଦାର ପାଖରେ କାନ୍ଦିଲା ଭଳି ବାହୁନି କାନ୍ଦନ୍ତି !

 

ଶେଷରେ ଆସନ୍ତି ‘ମାଲଭାଇ’—ମୁର୍ଦ୍ଦାର କାନ୍ଧେଇଯିବା କୁଟୁମ୍ବମାନେ ଏହି ନାମରେ ପରିଚିତ । ଖଟସମେତ ଦାନ ଗ୍ରହୀତାଙ୍କୁ ସେମାନେ କାନ୍ଧରେ ଉଠାଇ ‘ରାମନାମ ସତ୍ୟ ହେ’ ଡାକି ଯାତ୍ରା କରନ୍ତି । ମଝିରେ ଯଦି କେତେବେଳେ ନିଜ ଅସାବଧାନତା ଯୋଗୁଁ ଦାନଗ୍ରହୀତା ହଲଚଲ ହୁଅନ୍ତି କିମ୍ବା ମୁହଁରୁ ଲୁଗା କାଢ଼ି ଦିଅନ୍ତି, ତେବେ ମହା କୌତୁକରେ ତାକୁ ବେଢ଼ି ରହିଥିବା ପିଲାମାନେ ତାଳି ମାରି, ପାଟି କରି ଉଠନ୍ତି “ମୁହଁ କାଢ଼ିଲେ ! ମୁହଁ କାଢ଼ିଲେ !”

 

କୁଳ-ପୁରୋହିତଙ୍କ ଅପେକ୍ଷା ତାଙ୍କୁ ଅଳ୍ପ ପରିଶ୍ରମରେ ଅଧିକ ମିଳୁଥିବା ହେତୁ ସେ ମଧ୍ୟ କଡ଼ା ନଜର ରଖିଥାନ୍ତି ! ଚମକି ଆସି ଧମକ ଦିଅନ୍ତି, ବୃଦ୍ଧାଙ୍ଗୁଠି ହଲାଇ, ‘ତା’ହେଲେ ଦାନ ସାଙ୍ଗକୁ ଆଉ ଦକ୍ଷିଣା ଦିଆଯିବ ନାହିଁଟି ! ମୃତ୍ୟୁଶଯ୍ୟା ଦାନ ନେଇ ପୁଣି ମୁହଁ କାଢ଼ିଲ କାହିଁକି ?’

 

ଦକ୍ଷିଣା ପଇସା ବେଶ୍ ମିଳିଥାଏ । ଜ୍ଞାତି କୁଟୁମ୍ବ, ବନ୍ଧୁ-ବାନ୍ଧବ ସମସ୍ତେ ପ୍ରାୟ ତାଙ୍କ ଅନ୍ତିମ ଶ୍ରଦ୍ଧାର ସ୍ମାରକରୂପେ କିଛି କିଛି ଅର୍ଥଦାନ କରିଥାନ୍ତି । ଦାନୁଆ ବ୍ରାହ୍ମଣଙ୍କ ପକ୍ଷରେ ସେତକ ହରାଇବା କଦାପି ସମ୍ଭବ ନୁହେଁ । ଚକ୍ଷୁ ପଲକରେ ସେ ନିଜ ମୁହଁରେ ଲୁଗା ଘୋଡ଼ାଇ ପକାନ୍ତି ଆବାଳବୃଦ୍ଧ ସବୁର ହାସ୍ୟ କୋଳାହଳ ଭିତରେ ! ଏହି ଶୋକସଭାର ପୁରୋଧା ଅର୍ଥାତ୍ କୁଳପୁରୋହିତ ମହାଶୟ କେବଳ ହାସ୍ୟ ଦମନ କରି ମୌଖିକ କ୍ରୋଧ ପ୍ରକାଶ କରୁଥାନ୍ତି । କାରଣ ତାଙ୍କର ନିର୍ଦ୍ଦେଶରେ ହିଁ ଶୁଦ୍ଧି-କ୍ରିୟାର ସମସ୍ତ ଆୟୋଜନ ପରିଚାଳିତ ।

 

ତା’ପରେ କ୍ଷୌର, ସ୍ନାନ ଓ ମୁଖାଗ୍ନି ପ୍ରଭୃତି କର୍ମର ଅଭିନୟ ମଧ୍ୟ ଗ୍ରାମ ସୀମାରେ ବା ଶ୍ମଶାନରେ କରି ତାଙ୍କୁ ରଖି ଆସନ୍ତି । ଏହା ଦାନୁଆ ବ୍ରାହ୍ମଣମାନଙ୍କୁ ନମସ୍କାର କରିବା ମଧ୍ୟ ନଷିଦ୍ଧ, ପ୍ରେତାତ୍ମା ବିଚାରରେ ।

 

ମାମୁଁଘରେ କାହାରିପାଇଁ ମୃତ୍ୟୁଶଯ୍ୟା ଦାନ ଦେବାର ସମ୍ବଳ ନ ଥିଲା । ସେମାନେ କେବେ ହେଲେ ବୋଧହୁଏ ଧନୀ ନ ଥିଲେ । କେବଳ ତାଙ୍କ ବଂଶରୁ ଜଣେ ଭୁବନେଶ୍ଵର ମଠର ସ୍ୱାମୀ ହେବା ଫଳରେ ମଠ ଇଲାକା ବୁଝାଶୁଝା କରି ସେମାନଙ୍କ ଅବସ୍ଥା ଟିକିଏ ସ୍ୱଚ୍ଛଳ ହୋଇପାରିଥିଲା । ଚାରି ଭାଇର ଘର । ଖୁବ୍ ଗହଳ ଚହଳ । ମାମୁଁମାନଙ୍କର ଶ୍ରଦ୍ଧା ସ୍ନେହ ସଙ୍ଗେ ମାଇଁ ମାନେ ତ ଭଣଜା ବୋଲି ମୋତେ ମାନ୍ୟ କରନ୍ତି ମଧ୍ୟ । ଆଈଙ୍କୁ ଦେଖିଛି, ଚମ ଧୁଡ଼ୁ ଧୁଡ଼ୁ ପାତଳ ଚେହେରା । ମାମୁଁ-ପୁଅ ଭାଇମାନଙ୍କୁ ଆକଟ କରି ସେ ମୋ ଉଦାହରଣ ଦେଖାଇ କହନ୍ତି, ‘ଦେଖିଲ ରେ, ଚାଟଘର ପୁଅ ଚାଟ । ଭାଟ ଘର ପୁଅ ଭାଟ । ତୁମେଗୁଡ଼ାକ ଖାଲି କୁଳାଙ୍ଗାର ବାଳୁଙ୍ଗା । ତାକୁ ଦେଖିବ, ସେ ଆମ ଗାଁ ଇସ୍କୁଲ ମାଷ୍ଟର ହେବ ।’

 

ଗାଁର ଉ:ପ୍ରା : ସ୍କୁଲ ମାଷ୍ଟର—ଉଃ ! କି କ୍ଷମତା, କି ପ୍ରତିପତ୍ତି !

 

ପୁରୁଣା ହାକିମ ଯାଇ ନୂଆ ହାକିମ କି ପୁରୁଣା ମନ୍ତ୍ରୀ ଯାଇ ନୂଆ ମନ୍ତ୍ରୀ ଆସିଲେ ଯେମ‌୍‌ତି ଚହଳ ପଡ଼େ, ପୁରୁଣା ମାଷ୍ଟର ଯାଇ ନୂଆ ମାଷ୍ଟର ଆସିଲେ ପିଲାଙ୍କ ଭିତରେ ସେମ‌୍‌ତି କେତେ ବିଚାର !

 

ଗାଁ ଇସ୍କୁଲ ମାଷ୍ଟର ହେବା ଯୋଗ୍ୟତା ମୋଠାରେ ଅଛି ଜାଣି ଭାରି ମୋତେ ଖୁସି ଲାଗେ-। ବାପା ମୋତେ ସାଙ୍ଗରେ ନେଇ ସେଇ ସ୍କୁଲ୍‍ରେ ନାଁ ଲେଖାଇ ଆସନ୍ତି । ସାଥିରେ ନଡ଼ିଆ ଚାଉଳ ଆଦି ଗୁରୁ ଦକ୍ଷିଣା ନେଇଥାଏଁ କି ନୁହେ ତାହା ସୁଦ୍ଧା ଏବେ ପାସୋରି ଗଲାଣି । ମାଷ୍ଟ୍ରେ ଆଗ ଖଡ଼ି ଧରି ମାଟିଚଟାଣ ଉପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ନାମରେ ତିନିଗୋଟି ବଡ଼ ବଡ଼ ‘ଠ’ ଲେଖିଦେଲେ, ଆଉ ତା’ରି ଉପରେ ଖାଦି ବୁଲାଇବାକୁ ମୋତେ କହିଲେ । ସେହି ଗାର ଉପରେ ମୋର ଗାର ନ ଚାଲିବାରୁ ନିଜେ ମୋ ହାତ ଧରି ବୁଲାଇ ଦେଲେ । ପୁଣି ପାଟି କରି ଘୋଷିବାକୁ କହିଲେ—‘କହ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ।’

 

ସେତେବେଳେ ମୋ ହାତ ଉପରେ ତାଙ୍କ ଟାଣୁଆ ହାତଟା ଲାଗି ମାଟିରେ ଘୋରିହୋଇ ଟିକିଏ କାଟିଥିଲା । ପୁଣି ତାଙ୍କ ପ୍ରତି ଆହୁରି ଭୟ ଓ ସମ୍ଭ୍ରମ ମଧ୍ୟ ବଢ଼ି ଯାଇଥିଲା । ବୋଧହେଲା, ଯେମ‌୍‌ତି ଏହି ତିନିଟି ‘ଠ’ ଲେଖିବା ଜୀବନରେ ମୋର କେବେହେଲେ ସମ୍ଭବ ହେବ ନାହିଁ । ପ୍ରାଥମିକ ଅକ୍ଷର ପରିଚୟର ଏଭଳି ଲିଖନପ୍ରଣାଳୀ ଭାରତର ଆଉ କେଉଁ ଅଞ୍ଚଳରେ ସେତେବେଳେ ପ୍ରଚଳିତ ଥିଲା କି ନାହିଁ ମୁଁ ଜାଣେ ନାହିଁ, ମାତ୍ର ଓଡ଼ିଶାରେ ତା’ର କିଛି ବୈଜ୍ଞାନିକ କାରଣ ଥିଲା ଭଳି ଅନୁମାନ କରା ଯାଇପାରେ । କାରଣଟି ହେଲା, ଓଡ଼ିଆ ଅକ୍ଷର ଆକାରରେ ଗୋଲ ଥିବା ହେତୁ ତା’ର ଶିକ୍ଷାପାଇଁ ଏହାହିଁ ଉପଯୁକ୍ତ ପ୍ରାରମ୍ଭିକ ଅଭ୍ୟାସ । ପୁଣି ତ ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ସବୁ ଗୋଲ !

 

ମକଦମରୁ ମୂର୍ଖବାବୁ

 

ସ୍କୁଲରେ ନାମ ଲେଖାହେଲା, ବିଧି ଅନୁଯାୟୀ କାନଫୋଡ଼ା ପରେ । ଛେନାଗୁଡ଼ ଖାଇବାକୁ ଦେଇ ସେହି ଅବସରରେ ବାରିକ କାନ ଫୋଡ଼ିଦିଏ । ତା’ପରେ ପୁରୋହିତଙ୍କ ‘ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୁ, ମମ ବିଘ୍ନ ଵିନାଶାୟ ଗଣାଧିପତୟେ ନମଃ’ ମନ୍ତ୍ରପାଠ ସଙ୍ଗେ ୧୦୮ କଡ଼ା ଅଥବା ତା’ର ଅଧା କିମ୍ବା ଚଉଠା ଭାଗ ନଡ଼ିଆ ଭାଙ୍ଗିବାକୁ ହୁଏ । ନଡ଼ିଆତକ ଅବଶ୍ୟ ପୁରୋହିତଙ୍କ ପ୍ରାପ୍ୟ ।

 

ଚୁଡ଼ା-କର୍ମ ପରେ ବିଦ୍ୟାରମ୍ଭ ହେଲେ ମଧ୍ୟ ପାଠ ଯେ ମୋର କେତେ ବାଟ ଆଗେଇଲା, ତାହାର ହିସାବ ରଖିବାକୁ ଘରେ କେହି ସେମ‌୍‌ତି ମୁରବୀ ନ ଥାନ୍ତି । ବାପା ଓ ଭାଇନା ତ ପୁରୀରେ-। ଗାଁରେ ଖାଲି ବୋଉ, ମୁଁ, ଆଉ ମୋର ଉପର ତିନି ଭଉଣୀ । ସେ ସମସ୍ତଙ୍କ ଉପରେ ବରଂ ମୋର ଚାଲେ ମୁରବୀପଣ । ପୁଅ ବୋଲି ସବୁ ବିଷୟରେ ମୋର ଅଧିକାର ବେଶୀ । ସବୁରି ଉପରେ ହୁକୁମ ଚଳାଇବାକୁ ମଧ୍ୟ ମୋତେ ସୁଯୋଗ ଦିଆ ଯାଇଥାଏ । ସବୁଠାରୁ ବେଶୀ ହାକିମି କରେଁ, ନିକଟତମ ‘ଉଜିନାନୀ’ ଉପରେ । ନାମ ପରି ତା’ର ରୂପ ମଧ୍ୟ ଥିଲା ଉଜ୍ଜ୍ଵଳ । ଭଉଣୀମାନଙ୍କ ଭିତରେ ସେ ଯେମ‌୍‌ତି ସବା ସାନ, ସମସ୍ତଙ୍କ ଭିତରେ ମୁଁ ସେମ‌୍‌ତି । ଦୁହିଁଙ୍କ ଭିତରେ ବାଦବୁଦିଆ ଲାଗିବାଟା ଥିଲା ସ୍ୱାଭାବିକ ।

 

ଉଜ୍ଜ୍ଵଳ ନାନୀର ରୂପଟା ଏତେ ଉଜ୍ଜ୍ୱଳ ଯେ ତା’ ଦେହକୁ ଛୁଇଁଦେଲେ ଯେମ‌୍‌ତି ରକ୍ତ ବାହାରି ପଡ଼ିବ । ଗୁଣଟି ମଧ୍ୟ ସେମ‌୍‌ତି । ପଦେ କଥାରେ ତାକୁ କାଟେ । ଟିକିଏ ହାତ ବାଜିଗଲେ ସେ କମ୍ପି ଉଠେ ! ତା’ପରେ ବାହାରେ ତା’ର ତାଳୁଫଟା ଚିତ୍କାର—ମରିଗଲି ମରିଗଲି ! ସୁକୁମାରପଣରେ ବି ସରିଥାଏ ସେ । ଖାଇ ବସିଲାବେଳେ ପଦେ କିଛି ଅସନା କଥା କିଏ କହିଦେଲେ କି ସେ ନିଜେ ଦେଖି ପକାଇଲେ, ଭାତଥାଳି ଛାଡ଼ି ଉଠିଯିବ, ଅ ଅ ହୋଇ ବାନ୍ତି କରି ପକାଇବ । ପଦୁଟାଏ କୌତୁକ କଥାରେ ବି ସେମ‌୍‌ତି ହସି ହସି ଗଡ଼ିଯିବ । ତେଣୁ ତାକୁ କନ୍ଦାଇବା, ହସାଇବା କିମ୍ବା ଖାଇବା ଥାଳିରୁ ଉଠାଇଦେବା ଥିଲା ମୋର ଗୋଟାଏ ସହଜ ବିଳାସ ।

 

ତା’ ଉପର ନାନୀ ଦୁହିଁଙ୍କର ବିଭାଘର ସରିଥାଏ । ଶାଶୁଘରକୁ ସେମାନେ ଗଲାବେଳେ ମୁଁ କୁଣିଆ ହୋଇଯାଏଁ । ଆମ ଘରୁ ବାହାରି ସବାରିଭିତରେ ବସିବା ଆଗରୁ ଯେମ‌୍‌ତି ସେମାନେ ବାହୁନି କାନ୍ଦନ୍ତି, ପୁଣି ତାଙ୍କ ସାଙ୍ଗରେ ବୋଉଙ୍କ କାନ୍ଦଣା ଦେଖି ଶୁଣି ମୁଁ କୋହ ସମ୍ଭାଳି ପାରେ ନାହିଁ; କିନ୍ତୁ ଭାଇନାଙ୍କୁ ଧରି ବାହୁନିବାକୁ ଆସିଲେ, କାହିଁକି କେଜାଣି ରାଗ ଆଉ ବିରକ୍ତିରେ ସେ ଗର୍ଜନ କରିଉଠନ୍ତି । ଏତେ କାନ୍ଦବୋବେଇ କାହିଁକି ସେମାନେ ଯେ ଶାଶୁଘରକୁ ଯା’ନ୍ତି, ନ ଗଲେ କ’ଣ ବା କ୍ଷତି ହୁଅନ୍ତା, ତାହା ବୁଝିବା ମୋ ପକ୍ଷରେ କଷ୍ଟକର ହୁଏ; ତାଙ୍କ ନଣନ୍ଦ ଦିଅରମାନେ ମୋ ସାଥିରେ ଯେଉଁସବୁ ଥଟ୍ଟା ନକଲ କରନ୍ତି, ତାହା ବୁଝିବା ବି ଆହୁର କଷ୍ଟକର ।

 

ଅନେକ ସମୟରେ ଇଚ୍ଛା ହୁଏ, ନାନୀ ଦୁହିଁଙ୍କୁ ଘରକୁ ଘେନି ଆସିବା ପାଇଁ । ସେମାନେ ବି ତାଙ୍କ ଶାଶୁଘରେ ବେଶୀ ଦିନ ରହନ୍ତି ନାହିଁ । ମୋତେ ପଠାଇ ବୋଉ ତାଙ୍କୁ ଘେନି ଆସନ୍ତି । ଆମ ଘରେ ଅଧେ ଦିନ ରହିଲେ ତ ବାକି ଅଧିକ ତାଙ୍କ ଶାଶୁଘରେ । ଆଣିବାପାଇଁ ତାଙ୍କ ଶାଶୁଘରକୁ ଗଲେ ସେଠାରେ କେତେ ନୂଆ ଲୋକଙ୍କ ସାଥିରେ ଦେଖାହୁଏ । ପାଠ ବିଷୟ ବି ଆଲୋଚିତ ହୁଏ । କେହି କେହି ପଚାରନ୍ତି, “ତିନିକାହାଣ ଦୁଇପଣ କେଉଁଠି ଅଛି, କହିଲ ?’ ମୁଁ ପଚିଶିକ ପର୍ଯ୍ୟନ୍ତ ମୁଖସ୍ଥ କରିଥିଲେ ହେଁ ହଠାତ୍ ଏମିତ ପ୍ରଶ୍ନର ଉତ୍ତର ଦେଇପାରେଁ ନାହିଁ । ଲାଜରେ ମୋର ମୁହଁ ତଳକୁ ହୋଇଯାଏ । ଆଉ କିଏ କେତେ ଅଶ୍ଳୀଳ ଓ ଗ୍ରାମ୍ୟ ପରିହାସ ମଧ୍ୟ କରନ୍ତି । ସେଥିରେ ମୁଁ ଆହୁରି ଅପଦସ୍ଥ ହୁଏଁ ।

 

ବଡ଼ ଭଉଣୀ ଡୁଙ୍ଗେଇ ନାନୀର ଶଶୁରଘର ନିମାପଡ଼ା ନିକଟ ରଟିଲୋ ଗାଁଆରେ । ଆମ ଗାଁକୁ ବାର ଚୌଦ ମାଇଲ ବାଟ । ତା’ରି ପହିଲି ପାଳିକୁ ମଧ୍ୟ ମୁଁ ଯାଇଥାଏଁ କୁଣିଆ ହୋଇ । ନରଦା ଗାଁ ଟପିଯିବା ପରେ ବେଳ ବୁଡ଼ିଗଲା । ଚାଁହୁ ଚାଁହୁ ଘୋଟି ଆସିଲା ଅନ୍ଧାର । ମୁହଁକୁ ମୁହଁ ଦିଶିଲା ନାହିଁ । ସବାରି, ଶଗଡ଼, ଭାରୁଆ, ବୋଝିଆ, ଶଙ୍ଖୁଆ, ମହୁରିଆ ଡକାହକା ହୋଇ ଚାଲିଥାନ୍ତି । “ହୁଁ ଭାଇରେ ହୁମୁରା ଭାଇରେ, ମଟାଳ ମାଟିରେ, ଡାହଣ ଛାଡ଼ରେ, ବାଁଆକୁ ଧରରେ, ଉଠାଣି ବାଟରେ—’’ ସବାରି ବେହେରା ଡାକ ଦୂର ବିଲ ପାଟ ତୋଟାବାଡ଼ି କିଆଗୋହିରୀରେ ଉଠାଉଥାଏ ତୁମୂଳ ପ୍ରତିଧ୍ୱନି ।

 

ରଟିଲୋ ଗାଁ ଭିତରକୁ ଯିବାକୁ ହେଲେ ଏକ ଗଡ଼ଖାଇ ପରି ନାଳଭିତରେ ପଶି ପାରି ହେବାକୁ ପଡ଼େ । ତା’ ଉପରେ ପଡ଼ିଥାଏ ଲମ୍ବ ହୋଇ ଗୋଟିଏ ନଡ଼ିଆ ଗଛର ଗଣ୍ଡି । ତାହାରି ଉପରେ ବ୍ୟାଲାନ୍‍ସ ରଖି ଚାଲି ଚାଲି ଯିବାକୁ ହୁଏ । ସର୍କସରେ ଯେମ‌୍‌ତି ତାର ଉପରେ ଝିଅମାନେ ଚାଲନ୍ତି ଛତା ଟାଣି । ଶଗଡ଼କୁ ବିଲ ବାଟରେ ବହୁତ ବୁଲାଣି ବୁଲି ଯିବାକୁ ହୁଏ କିମ୍ବା ଗାଁ ଭିତରକୁ ନ ଆସି ନାଳ ସେପାଖେ ଅଟକି ଯିବାକୁ ପଡ଼େ ।

 

ଗାଁ ମୁଣ୍ଡରୁ ଶଙ୍ଖମହୁରୀ ବାଜି ଉଠିଲା, ଆମର ଆଗମନୀ ଘୋଷଣା କରି । ଚେଇଁ ଉଠିଲା ନିଶୂନ ଗାଁଟି । ସବାରି, ଶଗଡ଼, ବୋଝିଆ, ଭାରୁଆଙ୍କ ଆସିବାରେ ଲାଗିଲା ଗହଳ ଚହଳ । ମୋତେ ଘର ଭିତରକୁ ନେଇଗଲେ । ଘରଭିତରେ ବହୁତ ଝିଅପିଲା ରୁଣ୍ଡ ହୋଇଥାନ୍ତି । ପିଲା ଲୋକ । ରାତି ହେଲାଣି, ମୁଁ ଶୋଇବି । ମୋତେ ଶୋଇବାପାଇଁ ଝିଅମାନେ ଡାକି ଆସିଲେ । ଏକା ମୋର ନାନୀ ଛଡ଼ା ସବୁରି ମୁହଁତ ଅପରଚିତ । ନାନୀ କିନ୍ତୁ ନୂଆ ବୋହୂ । ଘରକଣରେ ଦେହ ମୁଣ୍ଡ ଘୋଡ଼ି ହୋଇ ସେ ବସି ରହିଥାଏ ।

 

ମୋତେ କିଛି କଥା କହିବାକୁ ଝିଅଙ୍କ ମେଣ୍ଟରେ ତା’ର ସୁଯୋଗ କାହିଁ ? ଏଇ ଅପରିଚତା ସ୍ତ୍ରୀଲୋକମାନଙ୍କୁ ଦେଖି ମୋତେ ଭାରି ଅଡ଼ୁଆ ଲାଗିଲାଣି । ତାଙ୍କର ସବୁ ଆଦର ଅଭ୍ୟର୍ଥନା ମୋ ଭିତରେ କ୍ରୋଧ ବିରକ୍ତି ସୃଷ୍ଟି କଲାଣି । ମୋ ବଡ଼ ନାନୀ ତ ଆମ ଘରେ ଥିଲା ବେଳେ ବୋଉ ପଛରୁ ସବୁରି ଉପରେ ମୁରବୀ ହୋଇଥିଲା । ସମସ୍ତଙ୍କୁ ଆକଟ କରୁଥିଲା । ଏଠାକୁ ଆସି ସେ ଏମ୍‍ତି ଲୋଚିକୋଚି ହୋଇ ବସି ରହିବ କାହିଁକି ? ଏମାନେ କିଏ ମୋ ଉପରେ ମୂରବିପଣିଆ କରିବାକୁ ! ରାଗ ଅଭିମାନରେ ମୁଁ କାହାରି ଡାକରାକୁ କାନ ଦେଲି ନାହିଁ ।

 

କିରେ ଆ, ସେ ଘରେ ଶୋଇବୁ । ମୁଁ କେତେ ଭଲ ଭଲ କଥା ଜାଣିଛି, କହିବି ତତେ—ଜଣେ ଝିଅ ମତେ ଆଦର କରି ଡାକିଲା ।

 

ନା, ମୁଁ ଯିବି ନି—ଜବାବ ଦେଲି ତାକୁ ।

 

ତେବେ ଆଉ କରିବୁ କ’ଣ ? ଆଉ ଜଣେ ପଚାରେ ।

 

ମୁଁ ଏଇଠି ରହିବି ।

 

ଶୋଇବୁ ନି ?

 

ଏଇ ଘରେ ଶୋଇବି ।

 

ସବୁଯାକ ଝିଅ ହୋ ହୋ ହସିଉଠନ୍ତି । ତାଙ୍କ ହସିବା କାରଣ ବୁଝି ନ ପାରି ରାଗ ଓ ଘୃଣାରେ ମୁଁ ଆହୁରି ବିଚଳିତ ହୋଇପଡ଼େ । ମତେ ତା’ହେଲେ ଏମାନେ ତୁଚ୍ଛ ତାଚ୍ଛଲ୍ୟ କରୁଛନ୍ତି ! ବଡ଼ ନାନୀର କିଛି ହେଲେ ସାମର୍ଥ୍ୟ ନାହିଁ, ସେ ଉଠିଆସି ମତେ ରୁଝାଇବ—ସବୁବେଳେ ଯେମ‌୍‌ତି ଆମ ଘରେ ବୁଝାଇ ମତେ ଗେଲକରେ । ସେ ଏଠାରେ କିନ୍ତୁ ନିରୁପାୟ ନିଶ୍ଚଳ ହୋଇ ବସିଚି ସର୍ବାଙ୍ଗ ବସ୍ତ୍ରାବୃତା ହୋଇ ।

 

ଝିଅମାନଙ୍କ ହସରେ ମୁଁ ଭୋ ଭୋ କାନ୍ଦି ପକାଇଲି । ତା’ ସଙ୍ଗେ ଚାଲିଲା ମୋର ସେଇ ପିଲାଦିନର ଅଭ୍ୟାସ—ପେଟ ବାଡ଼ିଆ, ଛାତି ବାଡ଼ିଆ ଆପଣା ହାତରେ । ସେ ଅଭିନୟ ଦେଖି ଝିଅଙ୍କ ଭିତରେ ହାସ୍ୟରୋଳ ଆହୁରି ବଢ଼ିଲା ସିନା, କମିଲା ନାହିଁ । ନାନୀ ସୁଦ୍ଧା ମୋର ଉଠି ଆସି ମତେ ଆଉ କାଖେଇଲା ନି କି ବୁଝେଇଲା ନି ! ସେ ତେବେ କ’ଣ ଆଜିଠାରୁ ମୋର ଆଉ କେହି ନୁହେଁ ? ଏକା ଦିନକେ ପର ହୋଇଗଲା ? ମୋର ଭିଣୋଇ ଦୈତ୍ୟାରି ଆଚାର୍ଯ୍ୟ କିମ୍ବା ତାଙ୍କ ଖୁଡ଼ୁତାପୁଅ ସାନ ଭାଇ ଗୋବିନ୍ଦ ଆଚାର୍ଯ୍ୟ ବୋଧହୁଏ ଆସି ସେଠାରୁ ମତେ କାଖେଇ ଘେନି ଯାଇଥିଲେ ।

 

ମଝିଆଁ କମଳାନାନୀର ପହିଲିପାଳିକୁ ସେମ୍‍ତି ଯାଇଥାଏଁ ତା’ ଶଶୁରଘରକୁ ଲକ୍ଷ୍ମୀନାରାୟଣପୁର । ତା’ର ଶ୍ୱଶୁର କେଳେଇ ରଥେ ଆମ ଘରକୁ ଗୋଟାଏ ଧଳା ଘୋଡ଼ାରେ ଚଢ଼ି ଆସିବାର ମନେପଡ଼େ । ସେ ମଧ୍ୟ ଡୁଙ୍ଗେଇ ନାମ ଶ୍ୱଶୁର ଭଳି ତାଙ୍କ ଗାଁଆର ମୁଖିଆ ଧନୀ ଲୋକ ଥିଲେ । ତାଙ୍କ ଗାଁଆର ମଧୁପୁର ପଞ୍ଚଦୋଳ ମେଳନ ଯାତ୍ରାର ଆମ ଅଞ୍ଚଳରେ ଖୁବ୍ ନାଁ ଡାକ । ବାଣ, ବାଜା, ଚଇତିଘୋଡ଼ା ମେଢ଼ ଆଲୁଅରେ ଜମିଲାବେଳେ ସେ ମେଳନକୁ ମୁଁ ଦେଖିଚି ।

 

ମହୁଫେଣା ଭଳି କମଳା ନାନୀର ଶ୍ୱଶୁରଘରେ ଅନେକ ଭାଇଙ୍କ ପରିବାର ରହିଥାନ୍ତି । ଘରେ ଝରକା ପ୍ରାୟ ନ ଥିବାରୁ ଦିନ ଦିପହରେ ସୁଦ୍ଧା ତା’ ଭିତରକୁ ଆଲୁଅ ପଶିପାରେ ନାହିଁ । ତା’ର ଦେଢ଼ଶୁରଙ୍କ ନାମ ବନମାଳୀ । ସ୍ଵାମୀ ପ୍ରାଣକୃଷ୍ଣ ମତେ ଭାରି ଭଲପାନ୍ତି । ଦିଅରମାନଙ୍କ ନାମ ଗଦେଇ, ସଦେଇ ଓ ଲିଙ୍ଗରାଜ । ସବୁରି ଚେହେରା ଗୋରା ଓ ସୁନ୍ଦର । ସମସ୍ତେ ମତେ ଭଲପାନ୍ତି । ମଧୁପୁର ମେଳନ ଯାତକୁ ମୋତେ ଦେଖାଇ ନିଅନ୍ତି; କିନ୍ତୁ ନାନୀର ଜଣେ ନଣନ୍ଦ କାହିଁକି କେଜାଣି ମତେ ଭାରି ଗାଳିଦିଏ । ସେ ଗାଳିର ଭାଷା ବୋଧହୁଏ ଜୀବନରେ ମୁଁ ଆଉ କେବେ କାହିଁ ଶୁଣି ନ ଥିବି । ତାକୁ କିଛି ଜବାବ ଦେଇ ନ ପାରି ମୁଁ କାନ୍ଦିପକାଏଁ । କମଳା ନାନୀ ଘରକୁ ଯିବାପାଇଁ ମୁଁ ଆଦୌ ମଙ୍ଗେ ନାହିଁ । ସମସ୍ତେ ମତେ ବୁଝାନ୍ତି, ନାନୀର ନଣନ୍ଦ ମୋତେ ପରିହାସ କରିବା କଥା ! ଯେହେତୁ ମୁଁ ତା’ର ଭାଇର ଶଳା ।

 

ତେବେ ପରିହାସଟା ସିନା ହସେଇବାକୁ କରାଯାଏ, କନ୍ଦେଇବାକୁ ତ କଦାପି ନୁହେଁ ! ମୋର କିନ୍ତୁ କାନ୍ଦିବାଟା ଯେ ଭୁଲ୍, ଆଉ ସେ ମୋତେ ଅକଥ୍ୟ ଭାଷାରେ ଗାଳି ଦେବାଟା ଯେ ଠିକ୍, ସବୁରି ଏମତି ବୁଝାମଣା ଶୁଣି ମୁଁ ସେମାନଙ୍କ ସଙ୍ଗେ ଏକମତ ହୋଇପାରେଁ ନାହିଁ ।

 

ଭିଣୋଇ ପ୍ରାଣକୃଷ୍ଣ ମୋତେ ଆସି ବହୁତ ବୁଝାନ୍ତି । ପୁରୀରେ ରହି ସେ ଭାଇନାଙ୍କ ସଙ୍ଗେ ପଢ଼ୁଥିଲେ; କିନ୍ତୁ ଏନ୍‍ଟ୍ରାନ୍‍ସ ପର୍ଯ୍ୟନ୍ତ ନ ଯାଇ ଅଧାରୁ ପାଠ ଛାଡ଼ିଦେଲେ । ଘରେ ରହି ଜମିବାଡ଼ି ବୁଝନ୍ତି ।

 

ସ୍ଵଭାବ ବଡ଼ ମାର୍ଜିତ । ବାପା ଭାଇନା ତାଙ୍କୁ ବେଶୀ ଭଲପାନ୍ତି । କିନ୍ତୁ ସାନ ଭିଣୋଇ ହରିହର ରଥେ ଟିକଏ ବଗୁଲିଆ ସ୍ଵଭାବର । ସତ୍ୟବାଦୀ ନିକଟ ଜୀପୁର ତାଙ୍କ ଘର । ସେ ମଧ୍ୟ ପୁରୀରେ ବାପାଙ୍କ ପାଖରେ ରହି ପାଠ ପଢ଼ୁଥିଲେ । ଥରେ କ’ଣ ତାଙ୍କୁ ପାଠ ନ ଆସିବାରୁ ଭାଇନା ତାଙ୍କ କାନ ମୋଡ଼ିଦେଲେ ।

 

ସେତିକିରେ ତାଙ୍କ ପାଠ ଶେଷ ! ଅନେକ ଦିନ ପରେ ପ୍ରାୟ ବୁଢ଼ା ବୟସରେ ତାଙ୍କୁ ମୁଁ ଏମ‌୍‌ତି ପାଠ ଛାଡ଼ି ଦେବାଟା ଠିକ୍ ହେଲା ନି ବୋଲି କହିଥିଲି । ଉତ୍ତର ମିଳିଲା,—“ଶଳା ହୋଇ କାନ ମୋଡ଼ିଲେ କିଏ ଭଲା ପାଠ ପଢ଼େ, ନା ମୁଁ ପଢ଼ନ୍ତି?”

 

ତାଙ୍କ ବଡ଼ଝିଅ ମୋର ଭାଣିଜୀ ମାଳିଆର ବିଭାଘରକୁ ମୁଁ ଯାଇଥାଏଁ ବନ୍ଧୁ ଭାବରେ । ବଡ଼ଝିଅର ବେଶ୍ ଜାକ ଜମକରେ ବିଭାଘର ସେ କରୁଥାନ୍ତି । ଅନେକ ବାଜାବଜନ୍ତ୍ରୀ, ବରଯାତ୍ରୀ, ସଙ୍ଗୀତ ଆଖଡ଼ା । ସକାଳୁ ସନ୍ଧ୍ୟାଯାକେ ଘୋଟା ଚାଲିଥାଏ ପାଚକପାଣି । ଅମ୍ବାଲୁ, ପୁରକାକରା, ଲୁଣୀମହୁର, ଝଡ଼ାବେସର, ଖିରି, କାନିକା, ପାଣିକଖାରୁ ଶାକର ଆମ୍ବିଳ,

ପୁଣି ବୋଇତିକଖାରୁ ମଧୁରୁଚିର ବାସ୍ନାରେ ଲାଳାୟତ ସବୁରି ଜିହ୍ୱା ।

 

ମକଦମରୁ ମୂର୍ଖବାବୁ

ବନ୍ଧୁ-ବାନ୍ଧବ ଭକ୍ଷଭୋଜୀ କୁଟୁମ୍ବସଂଖ୍ୟା କମ୍‍ସେ କମ୍ ଦୁଇ ଶହ ବ୍ରାହ୍ମଣଙ୍କର ପତ୍ରପାଣି ହୋଇ ଆହାର ସାମଗ୍ରୀ ପରଷା ହୋଇଗଲା । ତା’ ପରେ କିଏ ଜଣେ ପଚାରି ବସିଲେ, “କିହୋ, ବରଯାତ୍ରୀମାନେ କାହାନ୍ତି କି ?”

 

“ଏଁ ! ବରଯାତ୍ରୀ ଆସି ନାହାନ୍ତି ? ବରଯାତ୍ରୀ ନ ଆସିଲେ ସଭା ବସିବ କେମିତି ? କନ୍ୟାକର୍ତ୍ତା ଗଲେ କୁଆଡ଼େ ?”—ଆଉ ଜଣେ ସେଇ କଥା ଉପରେ ଯୋର ଦେଇ ପଚାରିଲେ ।

 

କନ୍ୟାକର୍ତ୍ତା ମୋର ଭିଣୋଇଁ ଶ୍ରୀହରିହର ରଥ ଟିକିଏ ବେଶୀ ପରିମାଣରେ ଦେଶୀଭାଙ୍ଗ ପିଇଦେଇ ଟୁଳୁଟୁଳୁ ହେଉଥିଲେ । ଏହି ସମ୍ବାଦରେ ହଠାତ୍ ବିଛା କାମୁଡ଼ିଲା ପରି ସେ ଚମକି ପଡ଼ିଲେ । ତାପରେ କରଯୋଡ଼ି ମହାଜନମାନଙ୍କୁ ଜଣାଇଲେ—

 

“ଆରେ, ସତେ ତ ! ଆପଣମାନେ ଆଜ୍ଞା ଟିକିଏ ଅପେକ୍ଷା କରନ୍ତୁ । ଦଣ୍ଡକ ଭିତରେ ସବୁ ବରଯାତ୍ରୀଙ୍କୁ ମୁଁ ଡାକି ଆଣୁଛି ।” ଜଣେ ପୁରୁଖା ଲୋକ ଟିପ୍ପଣୀ କଲେ, “ବରଯାତ୍ରୀ ନ ଆସିଲେ ତ ମୋ ଉପରେ ସଭା ହୋଇ ପାରିବନି । ସେମାନେ ଯଦି ଅଡ଼ି ବସିବେ, ତେବେ ତ ଆମ ସମସ୍ତଙ୍କୁ ନ ଖାଇ ଉଠିଯିବାକୁ ପଡ଼ିବ ଯେ !”

 

“ଆଜ୍ଞା, ମହାଜନମାନେ ! ଟିକିଏ ଖାଲି ହାତ ଟେକି ବସି ରହନ୍ତୁ । ଆଖିପିଛୁଳାକେ ଚଳୁ ଲାଗିବା ଆଗରୁ ସମସ୍ତଙ୍କୁ ମୁଁ ଡାକି ଆଣୁଛି ।” ହରି ରଥେ ପୁଣି ଥରେ ମିନତି କରି ସଙ୍ଗେ ସଙ୍ଗେ ବାହାରି ଗଲେ ।

 

ସମସ୍ତେ ଅପେକ୍ଷା କରି ବସିଥାନ୍ତି । ବାକି ରହିଲା ଚଳୁ ଲାଗିବାକୁ ! ନିମିତ୍ୟର କର୍ତ୍ତା ଶ୍ରୀ ହରି ରଥେ ବରଯାତ୍ରୀମାନଙ୍କୁ ସଙ୍ଗରେ ଘେନି ବାହୁଡ଼ିଲେ ସିନା ଚଳୁ ଲାଗିବ !

 

ଅଧ ଘଣ୍ଟାଏ ବିତିଗଲାଣି, କିନ୍ତୁ ହରିରଥେ କାହାନ୍ତି ? କାହାନ୍ତି ବରଯାତ୍ରୀମାନେ ? ବଗିଚା ଘରକୁ ଲୋକ ଦଉଡ଼ିଲେ । ବରଯାତ୍ରୀମାନେ କିଛି କ’ଣ ଅଡ଼ିବସିଲେ କି; କିନ୍ତୁ ସେମାନେ ଯାଇ ସେଠାରେ ପହଞ୍ଚି ଦେଖିଲା ବେଳକୁ ବରଯାତ୍ରୀଙ୍କ ଭିତରୁ ଜଣେ ପଖାଉଜ ଧରି “ଧାତିରିକିଟି ଧାତିରିକିଟି ଧାଧା” କହି ପିଟି ଲାଗିଛନ୍ତି । ଆଉ ହରିରଥେ ମୁଣ୍ଡ ହଲାଇ ପୁଣି ଦୁଇ ହାତର ପାଞ୍ଚ ଆଙ୍ଗୁଠି ଗୋଟିକ ସାଥିରେ ଆଉ ଗୋଟିକୁ ଯୋଡ଼ି ତାଳ ଦେଇ ସଂଗୀତ ବୋଲୁଛନ୍ତି—ଆରେ କି ହେଲାରେ, କହିତ ନୁହଇ ଭାରତୀରେ !

 

କି ହେ ରଥେ ଆପଣ, ବାଃ ବାଃ ! ରଥେ ଆପଣେ ସଙ୍ଗୀତ ବନ୍ଦରଖି ଚାହାନ୍ତି ମନ୍ଦାର ଫୁଲିଆ ଭାଙ୍ଗୁଆ ଆଖିରେ ।

 

ପାଣୁ କିଓ ? ଆସ ଆସ, ନିଗୁଦି ଟିକିଏ ହେଉ । ଅସଲ ଦେଶୀ, ବୁଝିଲ ? ଖଣ୍ଡେ ସୁଦ୍ଧା କଲି ମିଶିନି ।

 

ନିଗୁଦି ଅର୍ଥାତ୍ ଚିକ୍କଣ ବଟା ଭାଙ୍ଗ ଖଣ୍ଡେ କଦଳୀପତ୍ରରେ ଥୁଆ ହୋଇଥାଏ । ନିଶା କମି ଆସିଲେ ସେଥିରେ ମେଞ୍ଚାଏ ନଇଲେ ଅଫିମ ଟେଳାଏ ପାଟିକି ପକେଇ ନିଶାକୁ ଜମେଇ ରଖିବାକୁ ହୁଏ ।

 

ପାଣୁ ମିଶ୍ରେ ବିରକ୍ତ ହୋଇ ପଡ଼ନ୍ତି—କି ହୋ ନିଗୁଦି କ’ଣ ? ତେଣେ ପରା ମହାଜନମାନେ ଠା-ପୀଢ଼ାରେ ତକେଇ ବସିଛନ୍ତି । ଆପଣ କନ୍ୟାକର୍ତ୍ତା ହୋଇ ବରଯାତ୍ରୀ ଡାକି ଆସି—ବାଃ !

 

ରଥଙ୍କ ମୁହଁ କେସରା ପଡ଼ିଯାଏ , କହନ୍ତି—

 

ଆରେ ସତେ ତ ! ହେ ପାଣୁ ! ମୋର ଖିଆଲ ନ ଥିଲା । ବରଯାତ୍ରୀମାନଙ୍କ ଭିତରୁ ଜଣେ ବାହାରି ଜବାବ ଦିଅନ୍ତି—କାହିଁ, ରଥେ ତ ଆମକୁ ସେ କଥା କିଛି କହିଲେ ନି ! ତେଣୁ ଆସି ତ ଆମକୁ ଡାକି ବୈଠକି ଗାଉଣାରେ ବସିପଡ଼ି ନିଜେ ଆଗ ଗୋଟିଏ ଗୀତ ଆରମ୍ଭ କରିଦେଲେ ।

 

ସେଇ ହରିରଥଙ୍କୁ ଲକ୍ଷ୍ୟ କରି ମୋର କନିଷ୍ଠ ଭଗବତୀ ଉଜ୍ଜ୍ୱଳନାନୀକୁ ଥରେ ଚିଠି ଲେଖିଥିଲେ—

 

“ଉଜ୍ଜ୍ୱଳ ନାନୀକୁ ନମସ୍କାର । ଆମ୍ଭର ଏଠାରେ ସର୍ବେବ କୁଶଳ । ତୁମ୍ଭ କୁଶଳକୁ ଶ୍ରୀ ହରିରଥେ ଅଛନ୍ତି ।” ଆଜି ହସୁରୀ ଉଜ୍ଜ୍ଵଳ ନାନୀ, ହସୁରା ଭଗବତୀ ଓ ଭାଙ୍ଗୁଡ଼ି ହରିରଥେ କେହି ନାହାନ୍ତି ।

 

ଉଜ୍ଜ୍ୱଳ ନାନୀର ବଡ଼ ନଣନ୍ଦ ମୋଠାରୁ ଦଶ ପନ୍ଦର ବର୍ଷ ବଡ଼ହୋଇ ଓ ଦୁଇ ତିନିଟି ସନ୍ତାନର ଜନନୀ ହୋଇ ସୁଦ୍ଧା ମୋ ସଙ୍ଗେ ପରିହାସରେ ନିଜର ବିବାହ ପ୍ରସ୍ତାବ କରନ୍ତି, ଆହୁରି ପ୍ରାୟ ହସ କୌତୁକରେ ମାତିଥିବା ଆଠ ଦଶ ଜଣ ସ୍ତ୍ରୀଙ୍କ ମଝିରେ ବସି । ସେତେବେଳେ ନିଜକୁ ଯେପରି ନିଃସହାୟ ବୋଧ କରିଛି, ଜୀବନର ଆଉ କୌଣସି ଅବସ୍ଥାରେ ସେପରି ନୁହେ । ସେଭଳି ଅବସ୍ଥାର ସମ୍ମୁଖୀନ ହେବାପାଇଁ ଯାହାଙ୍କଠାରୁ ସାହସ ପାଉଥିଲି, ତାଙ୍କ ଭିତରେ ସବୁଠାରୁ ବଡ଼ ଥିଲେ ଭୋବନି ଭାଇନା—ବାପାଙ୍କର ନିଜ ଭଣଜା । ଗାଁରେ ରହି ଜମିବାଡ଼ି, ଖଞ୍ଜଣାପତ୍ର ଚାଷ-ଲଗୁତି ହିସାବ ସେଇ ଏକା ବୁଝନ୍ତି । ତାଙ୍କରି ସାଥିରେ କି ବନ୍ଧୁବାନ୍ଧବ ଘରକୁ ମୁଁ ଯା-ଆସ କରେଁ । ମୋ ନିଜ ଭାଇନାଙ୍କ ଠାରୁ ମଧ୍ୟ ସେ ବଡ଼ । ଏକା ବୋଉଙ୍କୁ ଛାଡ଼ି ଘରେ କି ବାହାରେ ଭୋବନି-ଭାଇନାଙ୍କ ଅପେକ୍ଷା ଆଉ କିଏ ମୋତେ ବେଶୀ ଭଲ ପାଏ ବୋଲି ତ ମୁଁ ଜାଣି ନାହିଁ । ପୁଣି କାହିଁକି ଏତେ ସେ ଭଲପାନ୍ତି ସେ, ତାହାର କାରଣ ଖୋଜି ଖୋଜି ଆଜିଯାକେ ଏତିକି ମାତ୍ର ବୁଝିଛି ଯେ, ପ୍ରକୃତ ଭଲ ପାଇବାର କାରଣ କିଛି ହିଁ ନ ଥାଏ । କାରଣ ଥିଲେ, ତାକୁ ଭଲ ପାଇବା କୁହାଯିବ ନାହିଁ, ଆଉ ଯାହା କିଛି କୁହାଯାଉ ପଛେ ।

 

ନଡ଼ିଆପତ୍ରରେ ପେ ପେଁକାଳୀ ତିଆରି କରିବାଠାରୁ ଆରମ୍ଭ କରି ହାଟବାଟ, ବିଲବାଡ଼ି, ଚାଷୀମୂଲିଆ, ବନ୍ଧୁ ବାସ, ଗଛମାଛ, ପଡ଼ାକୁଟୁମ୍ବ, ଯାତ୍ରାମେଳନ ସବୁରି ସାଥିରେ ମୋତେ ପରିଚୟ କରାଇବା ଓ କେଉଁଠି କିପରି ବ୍ୟବହାର କରିବାକୁ ହୁଏ, ତାହା ମୋତେ ଶିଖାଇବାରେ ଭୋବନି ଭାଇନା ଥିଲେ ଦାୟୀ । ତା’ଛଡ଼ା ସେ ଯେମ‌୍‌ତି ପୋଥି ପୁରାଣ ପଢ଼ନ୍ତି, ପୁଣି ଲେଖନ ତାଳପତ୍ର ଧରି ମୂଲିଆ ମୂଲ ହଳା ହିସାବ ସବୁ ଅବଲୀଳା କ୍ରମେ ଲେଖିଯାନ୍ତି, ତାହା ମୋ ମନରେ ବିସ୍ମୟ ସୃଷ୍ଟି କରେ ।

 

ମୋତେ ଇସ୍କୁଲ ପଠାଇ ମୋର ଲେଖାପଢ଼ା ଦେଖିବା ଦାୟିତ୍ୱ ମଧ୍ୟ ଥାଏ ତାଙ୍କରି ଉପରେ; କିନ୍ତୁ ସେଇ ଦାୟିତ୍ୱଟି ତୁଲାଇବାକୁ ସେ କେତେ ଦୂର ସମର୍ଥ ହୋଇଥିଲେ କେଜାଣି ! ବାପା ଓ ଭାଇନା ଗାଁକୁ ଆସିଥାନ୍ତି । ମୋର ପଢ଼ାରେ ଅମନୋଯୋଗ ଓ ଦୁଷ୍ଟାମିରେ ଗଭୀର ଅଭିନିବେଶ ଭାଇନାଙ୍କ ଦୃଷ୍ଟି କୁ ଏଡ଼ିପାରେ ନାହିଁ ।

 

ଥରେ ଗ୍ରୀଷ୍ମଛୁଟିରେ ଭାଇନା ଆସିଥାନ୍ତି । ମୁଁ ଦୁଷ୍ଟାମି କରି । ଏଣେତେଣେ ଦଉଡ଼ୁ ଥିବାରୁ ଖଟ ଖୁରାରେ ମୋତେ ସେ ବାନ୍ଧି ପକାଇଥିଲେ । ଦୈବାତ୍ ବାପା ଆସି ପହଞ୍ଚିଗଲେ ଓ ମୋର ଦୁର୍ଦ୍ଦଶା ଦେଖି ଭାଇନାଙ୍କୁ କୌତୁକ ଆକଟ କରି କହିଥିଲେ, “ଏମ‌୍‌ତି ତୁମେ କ’ଣ ନିଜ ଭାଇକୁ ଚଳାଇବ କି ?”

 

ସେଇ ଦିନୁଁ ଭାଇନା ମୋତେ ଆଉ ଦଣ୍ଡ ଦିଅନ୍ତି ନାହିଁ । ବାପା ମଧ୍ୟ ଭାଇନାଙ୍କ ପିତ୍ରାଜ୍ଞା ପାଳନ କଥା ଅନେକ ଥର କହି ପ୍ରଶଂସା କରନ୍ତି । ଅତଏବ ଲେଖାପଢ଼ା ବିଷୟରେ ମୁଁ ଆହୁରି ବେ-ପରୁଆ ହୋଇପଡ଼େଁ । ସମସ୍ତଙ୍କର ଏକ ପ୍ରକାର ଭାବନା ହୋଇପଡ଼ିଲା ଯେ, ମୋ ହାତରେ ଆଉ ସବୁ କାମ ହୋଇପାରେ, ଏକା ପାଠ ଛଡ଼ା ।

 

ଭାଇନା ସେଥିଲାଗି ବୋଉ ପୁଣି ବାପାଙ୍କୁ ମଧ୍ୟ ଦାୟୀ କରନ୍ତି । ଦିନେ ସନ୍ଧ୍ୟାରେ ବାପା, ବୋଉ, ଭାଇନା, ଭୋବନି ଭାଇନା ଓ ଭଉଣୀମାନେ ବସି ମୋର ଦୁଷ୍ଟାମି କଥା ବିଚାର କରୁଥାନ୍ତି, ମୁଁ ଖେଳି ସାରି ଆସି ପହଞ୍ଚିଗଲି । ଭୋବନି ଭାଇନା କହିଲେ, ତତେ ତ ଯେତେ ପଣିକିଆ ଶିଖାଇଲି, ସବୁ ପାସୋରି ପକାଇଲୁ । ପଢ଼ିବାକୁ କେତେବେଳେ ଟିକିଏ ହେଲେ ମନ କଲୁ ନାହିଁ କି ଘଡ଼ିଏ ବସିଲୁ ନାହିଁ । ତୋପାଇଁ ମାମୁଁ ମତେ ଗାଳି ଦେଉଛନ୍ତି । ପାଠ ପଢ଼ିଲେ ସିନା ଜଣେ ‘ବାବୁ’ ହୁଅନ୍ତୁ ।

 

ତାଙ୍କ ମାମୁଁ, ଅର୍ଥାତ୍ ମୋ ବାପା ସେଠାରେ ଗମ୍ଭୀର ହୋଇ ବସିଥାନ୍ତି । ଭାଇନା ରାଗରେ ପଚାରିଲେ, ତୁ ପାଠ ନ ପଢ଼ିଲେ କରିବୁ କ’ଣ ?

 

ସିଧା ସଳଖ ତାଙ୍କୁ କିଛି କହି ପାରେଁ ନାହିଁ । ଆଜି ବାପା ବୋଉ ସମସ୍ତେ ପାଖରେ ଥିବାରୁ ଭାଇନାଙ୍କଠାରୁ କାନମୋଡ଼ାରୁ ରକ୍ଷା ମିଳିବ ବୋଲି ନିର୍ଭୟରେ ଭାବି ଚିନ୍ତି ଠିକଣା ଜବାବ ଦେଇଥିଲି—

 

“କାହିଁକି ? ମୁଁ ହେବି ଜଣେ ମୂର୍ଖ ବାବୁ !”

 

ବାପା ଓ ବୋଉଙ୍କ ସାଙ୍ଗରେ ସମସ୍ତେ ଠୋ ଠୋ ହସି ଉଠିଲେ ।

 

ମୁଁ କିନ୍ତୁ ନିଜ ବିଷୟରେ ଠିକ୍ ଭବିଷ୍ୟତ୍ ବାଣୀ ଦେଇଥିଲି ସେ ଦିନ । ସେ କଥାର ମର୍ମ ଆଜି ଅକ୍ଷରେ ଅକ୍ଷରେ ଅନୁଭବ କରି ମୋର ସେଇ ଚପଳ ଶୈଶବର ବିଚାରକୁ ଯଥେଷ୍ଟ ତାରିଫ୍ କରିଥାଏଁ ।

ଆତ୍ମଲିପି କେବେ ସରେ ନାହିଁ

 

ପ୍ରତି ମୁହୂର୍ତ୍ତରେ ନିତି ନୂଆ ନୂଆ ଅସରନ୍ତି ଘଟଣାପ୍ରବାହ ଭିତରେ ଭାସିଚାଲେ ଏଇ ଜୀବନ । ପ୍ରତି ମୁହୂର୍ତ୍ତରେ ସବୁ କଥା ଟିପି ରଖିଲେ ତ ନିଅଣ୍ଟ ଧରେ ଦୁନିଆଯାକର ସ୍ୟାହୀ କାଗଜ-। ପୁଣି ଗଲା କଥାଗୁଡ଼ିକରୁ କେତୋଟି ଆଜି ବା ସ୍ମୃତି ପଟରେ ଅଲିଭା ହୋଇ ରହିପାରେ ! ଆରମ୍ଭ ତା’ର କେଉଁଠି-କାହିଁ ପୁଣି ତା’ର ଶେଷ ? ମୂଳ କିଏ, ଅଗ କିଏ ? ଅକଳନ କାଳ-ବକ୍ଷରେ ଉର୍ଦ୍ଧ୍ଵମୂଳ ଅଧଃଶାଖ ହୋଇ ତାହା ଯେମ‌୍‌ତି ଦ୍ରୁମାୟିତ ଲତାୟିତ ପୁଣି ପୁଷ୍ପାୟିତ ! ତହିଁରୁ କେତୋଟି ଫୁଲ ବା ତୋଳି ଆଣି ପାରି କି ଭାଷାରେ ମୁଁ ସଜାଇ ରଖିବି ? ନାଁଆ ବାଛି ଦେବି କେଉଁ ରଙ୍ଗ ଆଉ ରୂପର ? କେଉଁ ହସ କେଉଁ କାନ୍ଦର ? କେଉଁ ଭୟ ଅବା ବିସ୍ମୟର ?

 

ଆରମ୍ଭରୁ ପାଠକ, ଲେଖକ ଓ ସମ୍ପାଦକ ବନ୍ଧୁମାନଙ୍କର ଯେଉଁସବୁ ଶୁଭେଚ୍ଛା ଆର୍ଶୀବାଦ ଉତ୍ସାହ ଓ ସମାଲୋଚନା ମିଳିଛି, ତାହା ଆତ୍ମଜୀବନୀ-ରଚୟିତା ପକ୍ଷରେ ଶ୍ରେଷ୍ଠ ପାଥେୟ । ସେଥି ମଧ୍ୟରୁ କେତେକ ଲିଖିତ, ଆଉ କେତେକ ମୌଖିକ ଓ ବାକିଗୁଡ଼ିକ ନୀରବ ।

 

ସଭାମଞ୍ଚରେ, ରଙ୍ଗମଞ୍ଚରେ, ନୃତ୍ୟ-ମଞ୍ଚରେ ବା କ୍ରୀଡ଼ାମଞ୍ଚରେ ଶ୍ରୋତା ବା ଦର୍ଶକମାନଙ୍କୁ କରତାଳି ପରି ବକ୍ତା, ଅଭିନେତା, ନର୍ତ୍ତକ, ନର୍ତ୍ତକୀ ବା କ୍ରୀଡ଼ା-ପ୍ରତିଯୋଗୀମାନଙ୍କୁ ତାହା ଉତ୍ସାହ ଯୋଗାଇଥାଏ । ପାଠକ ସମାଲୋଚକ ବା ଟୀକାକାରଙ୍କୁ ସେ କୌଣସି ଲେଖାରୁ ଓ ଲେଖକଠାରୁ ବାଦ୍ ଦେଇ ହେବ ନାହିଁ ।

 

ବ୍ୟାକରଣରେ ପଢ଼ିଥିଲି, ବାକ୍ୟ କହିଲେ ବୁଝାଏ, ଯାହାର ଆରମ୍ଭରେ କର୍ତ୍ତା, ମଧ୍ୟରେ କର୍ମ ଓ ଶେଷରେ କ୍ରିୟା ପଦ ଥାଏ । ତାହା ପରେ କ୍ରିୟାର ପ୍ରକାର; ଯଥା—ସମାପିକା, ଅସମାପିକା, ସକର୍ମକ ଓ ଅକର୍ମକ, କିନ୍ତୁ କ୍ରିୟାର ଯେ ଗୋଟିଏ ‘ପ୍ରତିକ୍ରିୟା’ ଅଛି, ତାହା ଜାଣିଲି ବ୍ୟାକରଣ ନିୟମଗୁଡ଼ିକୁ ପାସୋରି ଦେବା ପରଠାରୁ । ପୁଣି ଯେବେ ସେଗୁଡ଼ିକୁ ମନେ ପକାଇଲି, ଅର୍ଥାତ୍ ‘ଅପାଠ୍ୟ’କୁ ଛାଡ଼ି କେବଳ‘ପାଠ୍ୟ ପୁସ୍ତକ ଲେଖିବାରେ ବନ୍ଦୀ’ ହୋଇ, *ସେତେବେଳକୁ ଦେଶର ସ୍ଵାଧୀନତା ଆସିଯାଇ ପ୍ରତିକ୍ରିୟାର ଧୂଆଁ ବାଣ ଦିଗ୍‍ବିଦିଗ ଘୋଟିଗଲାଣି । ସଙ୍ଗେ ସଙ୍ଗେ ପୁଣି ଭାରତବର୍ଷ ଏତେ ବେଶୀ ପ୍ରଗତିଶୀଳ ହୋଇ ପଡ଼ିଲାଣି ଯେ ତା’ଭିତରେ ରହିଥିବା ଲୋକେ ପ୍ରତ୍ୟେକ ଅନ୍ୟକୁ ପ୍ରତିକ୍ରିୟାଶୀଳ ବୋଲି ଚିହ୍ନଟ କରି ସାରିଲେଣି !

 

କି ରାଜନୀତି, କି ସାହିତ୍ୟ, କେଉଁଠି ଯେମ‌୍‌ତି କାହାରି ଏ ଦୁଇଟାରୁ ଗୋଟାଏ ନ ହୋଇ ତ୍ରାହି ନାହିଁ । ତେଣୁ ମୋ ଭଳି ଲୋକକୁ ସୁଦ୍ଧା ପଛ ପଟୁ ପ୍ରଗତି ଓ ଆରପଟୁ ପ୍ରତିକ୍ରିୟାର ଠେଲା କେଞ୍ଚା ଖାଇ ନ ଯଯୌ-ନ-ତସ୍ଥୌ ଅବସ୍ଥାରେ ତ୍ରିଶଙ୍କୁ ପରି ଅଟକି ଯିବାକୁ ପଡ଼ିଲା ଅନାସକ୍ତ ହୋଇ । ପାଠ୍ୟପୁସ୍ତକର ପ୍ରତି ରଚନା ଶେଷରେ ଖାଲି ସକର୍ମକ-ଅକର୍ମକ ଓ ସମାପିକା-ଅସମାପିକା କ୍ରିୟା ଉପରେ ମୁଁ ଧ୍ୟାନ ଦେବାକୁ ହେଲା, ଯେ ପର୍ଯ୍ୟନ୍ତ ସେ ଧ୍ୟାନକୁ ଭଙ୍ଗ କରିବା ସକାଶେ ପାଠ୍ୟ ପୁସ୍ତକ ଜାତୀୟକରଣ ଦିଗରେ ଖୋଦ୍ ଓଡ଼ିଶା-ସରକାର ଆଗଭର ହୋଇପଡ଼ି ନଥିଲେ ।

 

ଟେକ୍‌ଷ୍ଟ ବୁକ୍‌ କମିଟିର ସରକାରୀ ମୋହରଦିଆ ପାଠ୍ୟପୁସ୍ତକ । ଭିତରେ ବେଶ୍ ନିଶ୍ଚିନ୍ତରେ ଉବୁଟୁବୁ ହେଉଥାଏଁ । ଧରାବନ୍ଧା ପାଠକ ବା ଗ୍ରାହକ ଓ ପ୍ରକାଶକମାନଙ୍କ ଉତ୍ସାହ ମଧ୍ୟ କେବଳ ମୌଖିକ ନୁହେ, ଆର୍ଥିକ । ଲେଖାର ଭଲମନ୍ଦ ବିଷୟରେ ପାଠକମାନଙ୍କର କିଛି କହିବାର ନାହିଁ । କାରଣ ତାଙ୍କୁ ଆଗ ପାଠକ ରୂପେ ଗଢ଼ିବା ହେଲା ପାଠ୍ୟ ପୁସ୍ତକ । ଲେଖାର ମୂଳ ଲକ୍ଷ୍ୟ ଅକ୍ଷର ଚିହ୍ନି ସାରି ପାଠକ ହେବାପରେ ସିନା ପାଠ୍ୟ ଉପରେ ବିଚାର ପ୍ରଶ୍ନ ଉଠିବ !

 

ରାଜା କେବେ ହେଲେ ଭୁଲ୍ କରିପାରନ୍ତି ନାହିଁ ବୋଲି ଇଂରାଜୀରେ ଗୋଟିଏ ପ୍ରବାଦ ଅଛି । ସେହି ରାଜା ବା ସରକାରୀ ବାହୁଛାୟା ତଳେ ପାଠ୍ୟପୁସ୍ତକ ଲେଖି ଓଡ଼ିଆ ପାଠକସଂଖ୍ୟା ବୃଦ୍ଧି କରିବାରେ ମୁଁ ବ୍ରତୀ ହୋଇଥିଲି । କାରଣ ପାଠ୍ୟପୁସ୍ତକର ପାଠକମାନେ ସେଥିରେ ବିବ୍ରତ ହୋଇ ଅନ୍ୟ ପୁସ୍ତକ ପଢ଼ିବାକୁ ଆଗ୍ରହୀ ହେବାକୁ ସ୍ୱାଭାବିକ । ପୁଣି ଗୋଟାଏ ସୁବିଧା ହେଉଛି, ପାଠ୍ୟପୁସ୍ତକର ପାଠକ ସଂଖ୍ୟା ମଧ୍ୟ ସବୁଠାରୁ ବୋଧହୁଏ ବେଶୀ ଓ ଏକ ପ୍ରକାର ବାଧ୍ୟତାମୂଳକ । ଅତଏବ ନିନ୍ଦା-ପ୍ରଶଂସାର ଉର୍ଦ୍ଧ୍ୱରେ ରହି ଜୀବିକାର୍ଜନରେ ଏଇ ନିରାପଦ ପନ୍ଥାକୁ ବାଛି ନେବାଟା ମତେ ମନ୍ଦ ଲାଗିଲା ନାହିଁ । ସେଥି ସହିତ ପାଠକ ସଂଖ୍ୟା ବଢ଼ାଇବା ଭଳି ଦେଶ ସେବା ପୁଣି ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକମାନଙ୍କ ଉନ୍ନତିକଳ୍ପେ !

 

* ସ୍ୱର୍ଗତ ଶ୍ରଦ୍ଧେୟ କବି ଗୋଦାବରୀଶ ମହାପାତ୍ର ତାଙ୍କର ଗୋଟିଏ କବିତାରେ

“ଆହେ କାଳିନ୍ଦୀ ହେଲ କି ବନ୍ଦୀ ପାଠ୍ୟପୁସ୍ତକ ରଚନାରେ”ବୋଲି ମୋ ପ୍ରତି ବ୍ୟଙ୍ଗୋକ୍ତି ପ୍ରକାଶ କରିଥିଲେ ।

 

ନିନ୍ଦା ପ୍ରଶଂସାର ଉର୍ଦ୍ଧ୍ୱରେ ରହି ଯେ ମୁଁ ପାଠ୍ୟପୁସ୍ତକ ରଚନା କାର୍ଯ୍ୟରେ ଅବତୀର୍ଣ୍ଣ ହୋଇଥିଲି, ତାହା କଦାପି ଠିକ୍ ନୁହେଁ ! ବରଂ ସେଇ କାରଣରୁ ମୋ ବିରୁଦ୍ଧରେ ଅଭିଯୋଗ ଓ ଅନୁଯୋଗର ମାତ୍ରା ଯେତେ ପରିମାଣରେ ପୁଞ୍ଜୀକୃତ ହୋଇଉଠିଥିଲା, ମହାନୁଭବ ଓଡ଼ିଶା ସରକାର ଯଦି ପାଠ୍ୟପୁସ୍ତକ ଜାତୀୟକରଣ ଦ୍ୱାରା ତହିଁରୁ ମୋତେ ଉଦ୍ଧାର କରି ନ ଥାନ୍ତେ, ତା’ହେଲେ ଶେଷକୁ ମୋର ଜାତି ଯାଇଥାନ୍ତା ସିନା, ପେଟ ତ ଯେମ‌୍‌ତି ଅଛି ସେମ‌୍‌ତି !

 

କ୍ରିୟାର ଗୋଟିଏ ପ୍ରତିକ୍ରିୟା ହେଲା ନିନ୍ଦା ଆଉ ପ୍ରଶଂସା “ନିନ୍ଦନ୍ତୁ ନୀତି ନିପୁଣା ଯଦି ବା ସ୍ତୁବନ୍ତୁ” କହି ଆମେ ଯେତେ ‘ମନବୋଧ ଚଉତିଶା’ ରଚନା କରୁ ପଛେ, ସେ ଦୁଇଟିରୁ ନିସ୍ତାର ନାହିଁ କେବେ ହେଲେ; କିନ୍ତୁ ଦୁଇଟିରୁ ଯେଉଁ ଉପକାର ମିଳେ, ମୂଲ୍ୟ ତାହାର ଅସାମାନ୍ୟ । ପ୍ରଥମ ପରିଚ୍ଛେଦ ‘ମୋର କୈଫିୟତ୍’ କେତେକ ନବୀନ ଓ ପ୍ରବୀଣ ବନ୍ଧୁଙ୍କର ଦୃଷ୍ଟି କର୍ଷଣ କରେ ସ୍କୁଲ କଲେଜ ଶିକ୍ଷାୟତନରେ, ପୁଣି ହାଓଡ଼ା ଷ୍ଟେସନ ପ୍ଲାଟଫର୍ମ ବହି ଦୋକାନରେ ମଧ୍ୟ । ତା ଛଡ଼ା ସମ୍ପାଦକ ଓ ପ୍ରକାଶକମାନେ ତ ଅଛନ୍ତି !

 

ପ୍ରକୃତ ଆତ୍ମଜୀବନୀକୁ ନ ଆସି ମୁଁ ତୁଚ୍ଛା ଗୁଡ଼ିଏ ବାକ୍‍ଚାତୁରୀ ବାଲିଙ୍ଗି ବାହାର କରୁଚି ବୋଲି କେହି କେହି ମଧ୍ୟ ମୋତେ କୋବଲେଇଛନ୍ତି । ଆଉ କିଏ ତାଙ୍କ ନିଜ ଜୀବନର ପ୍ରତିଛାୟା କିଛି କିଛି ଏଥିରୁ ପାଇଥିବା ସୂଚାଇ ମଧ୍ୟ ଉତ୍ସାହିତ କରିଛନ୍ତି ।

 

ଡକ୍ଟର କୁଞ୍ଜ ବିହାରୀ ଦାଶ ପ୍ରମୁଖ କବି ସାହିତ୍ୟମାନଙ୍କ ସଶ୍ରଦ୍ଧ ନିରପେକ୍ଷ ମତାମତ ଶୁଣି ଯେପରି ମୁଁ ଉପକୃତ, ନାଟ୍ୟକାର ଶ୍ରୀ ଗୋପାଳ ଛୋଟରାୟ ଓ ସୁପରିଚିତ ପ୍ରାବନ୍ଧିକ ତଥା ସାହିତ୍ୟ ସମାଲୋଚକ ଶ୍ରୀ ପଠାଣି ପଟ୍ଟନାୟକଙ୍କ ଉତ୍ସାହ ଓ ପ୍ରଶଂସାରେ ସେଇପରି ଉଲ୍ଳସିତ । ଗୋପାଳ ବାବୁ ‘ପାକ୍-ଭାରତ ଯୁଦ୍ଧ ବିରତି ଦିବସ’ରେ ଲେଖିଛନ୍ତି—

 

 

ଆଲମଚାନ୍ଦ ବଜାର, କଟକ-୨

୨୨/୯/୬୫

 

“ଦଶହରା ସଂଖ୍ୟା ‘କଳନା’ରୁ ପ୍ରଥମେ ମୋ ପୁଅ ଦେବଦାସର କବିତାଟି ପଢ଼ିଲା ପରେ ଆପଣଙ୍କ ଲେଖା ‘ଅଙ୍ଗେ ଯାହା ନିଭାଇଛି’ ପଢ଼ିଲି । ଆପଣଙ୍କର ପ୍ରାୟ ସମସ୍ତ ପ୍ରକାଶିତ ଲେଖା ମୁଁ ପଢ଼ିଚି । ଏ ଲେଖାଟି ପଢ଼ି ମୋର ମନେ ହେଲା, ଏହା ଆପଣଙ୍କର ସର୍ବଶ୍ରେଷ୍ଠ ରଚନା । ନିଜ କଥା ବୋଲି କ’ଣ ଏପରି ଉଚ୍ଚକୋଟୀର ବିଶ୍ଳେଷଣାତ୍ମକ ଲେଖା ଲେଖିଚନ୍ତି ??-------‘କଳନା’ରେ ତ ମାତ୍ର ଗୋଟିଏ ପରିଚ୍ଛେଦ ପ୍ରକାଶ ପାଇଚି; କିନ୍ତୁ ଲେଖା ଶେଷରେ ‘କ୍ରମଶଃ’ ନ ଥିବାରୁ ଦ୍ୱନ୍ଦରେ ପଡ଼ିଲି । ଯାହା ହେଉ, ଓଡ଼ିଆ ପାଠକମାନଙ୍କ ତରଫରୁ ମୋର ବିନୀତ ଅନୁରୋଧ, ଆପଣ ଲେଖାଟିକୁ ସମ୍ପୂର୍ଣ୍ଣ କରି ପ୍ରକାଶ କରାନ୍ତୁ । ମୋର ଦୃଢ଼ ଧାରଣା, ଏହା ଆମ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ ।

 

ଲେଖାପାଇଁ ଅଭିନନ୍ଦନ ଜଣାଇ ଓ ଆପଣଙ୍କ ଦୀର୍ଘ ଜୀବନ କାମନା କରି ରହିଲି ।”

 

ଜଣେ ପାଠକଙ୍କୁ ଗୋଟିଏ ଲେଖା ଭଲ ଲାଗିରେ ଆଉ ଜଣଙ୍କୁ ସେ ମନ୍ଦ ଲାଗେ, ଗୋଟିଏ ପଟୁ ପ୍ରଶଂସା ଆସିଲେ ଆର ପଟୁ ଯେ ନିନ୍ଦା, ଆପଣାର ଲେଖକ ଅଭିଜ୍ଞତାରୁ ଗୋପାଳବାବୁ ଏଇ ବୈଚିତ୍ର୍ୟ ନିଶ୍ଚୟ ଭଲ କରି ବୁଝିଥିବେ । ତଥାପି ସ୍ଵଭାବସୁଲଭ ସ୍ନେହାତିଶଯ୍ୟର ବଦାନ୍ୟତାଗୁଣରୁ ପୁଣି ଲେଖକସୁଲଭ ଭାବ ପ୍ରବଣତା ଯୋଗୁଁ ମୋତେ ଏମ‌୍‌ତି ଉଚ୍ଛ୍ୱସିତ ଅଭିନନ୍ଦନ ଜଣାଇଛନ୍ତି । ଏହା ପ୍ରକାଶ କରିବାରେ ମୋର ମଧ୍ୟ ସେମ‌୍‌ତି ଆତ୍ମପ୍ରସାଦ ନିହିତ ଅଛି । ତାଙ୍କଠାରୁ କି ଆଉ କାହାଠାରୁ ମୁଁ ଯଦି ଏଇ ପରିମାଣ ନିନ୍ଦା ପାଇଥାନ୍ତି, ତା’ହେଲେ ତାଙ୍କରି ଭାଷାରେ ‘ଆତ୍ମବିଶ୍ଳେଷଣ’ ବଦଳରେ ହୁଏତ ଦୁଃଖ-କ୍ରୋଧଜନିତ ପ୍ରତିଶୋଧ ନେବାର ସହଜ ପ୍ରବୃତ୍ତି ମୋର ବେଶୀ ହୋଇପଡ଼ନ୍ତା !

 

ଆଗେ କବି ଲେଖକମାନେ ବୋଧହୁଏ ସେଇ କଥାଟାକୁ ଏବେଠାରୁ ବେଶୀ ବୁଝୁଥିଲେ—କି ଓଡ଼ିଆ, କି ସଂସ୍କୃତ, କି ଇଂରାଜୀ । ସେତେବେଳେ ସର୍ବସ୍ୱତ୍ୱସଂରକ୍ଷଣ ଆଇନଜାରି ନ ଥିଲା-। ଜଣକ ଲେଖାକୁ ଆଉ ଜଣେ ନିଜର ବୋଲି ଦାବୀ କରିବାରେ ବାଧା ନ ଥିଲା । ତଥାପି ସାରଳାଦାସ, ଉପେନ୍ଦ୍ର, କାଳିଦାସ, ସେକ୍ସପିୟର ଆଦି ଶତାବ୍ଦୀଗୁଡ଼ିକୁ ତ ଅବାଧରେ ଡେଇଁ ଚାଲିଛନ୍ତି !

 

ତାଙ୍କ ଭିତରେ ଆଉ ଗୋଟିଏ ଚତୁରତା ମଧ୍ୟ ଲକ୍ଷ୍ୟ କରାଯାଏ । ରଚନା ଶେଷରେ ସେମାନେ ନିଜ ନାମରେ ଭଣିତା ସିନା ରଖୁଥିଲେ, ଆରମ୍ଭରେ ତାହା ଖାଲି ଦେବଦେବୀଙ୍କ ଅନୁଗ୍ରହ ଅନୁକମ୍ପା କିମ୍ବା ପ୍ରସାଦ ବୋଲି ଜୋର୍ ଦେଉଥିଲେ । ସେ ଦେବଦେବୀମାନେ ତାଙ୍କ କଣ୍ଠରେ ବସି ପଦମାନ କହି ଦିଅନ୍ତି । ତାକୁଇ ସେମାନେ ଟିପି ରଖନ୍ତି ମାତ୍ର । ସାରଳା ଦାସ ସେଥିଲାଗି ନିଜକୁ ସମ୍ପୂର୍ଣ୍ଣ ମୂର୍ଖ ବୋଲି ଘୋଷଣା କରି ଗଲେ । ତୁଳସୀଦାସ, ଉପେନ୍ଦ୍ର ଭଞ୍ଜଙ୍କ ଆଗରେ ସ୍ଵଂୟ ଶ୍ରୀରାମ, ପୁଣି କାଳିଦାସଙ୍କ ସମକ୍ଷରେ ସାକ୍ଷାତ୍ ବାଗ୍‍ଦେବୀ ସରସ୍ୱତୀ ବିଜେ ହୋଇ— ଆହୁରି ପ୍ରଥମ ଇଂରେଜ କବି କେଡ଼୍‌ମନଙ୍କୁ ଆକାଶ ବାଣୀ ଶୁଣାଯାଇ... ମଣିଷ ଭିତରେ କି କଳ୍ପନା, କି ସୃଷ୍ଟି, କି ପ୍ରଳୟ !

 

କିଟ୍‌ସ, ଓଆଡ଼ସ୍‌ଓଆର୍ଥ, ଇଟ୍‌ସ, ରବୀନ୍ଦ୍ରନାଥଙ୍କ ପର୍ଯ୍ୟନ୍ତ ସ୍ପିରିଟ୍, ମ୍ୟାଜିକ୍, ରହସ୍ୟ, ଅଜ୍ଞେୟ ହେଲା କବି ଲେଖକର ଲେଖନୀମୁନର ମାଲିକ । ଆଉ କ’ଣ ବିଜ୍ଞାନ ଯୁଗର ଆତ୍ମପ୍ରତିଷ୍ଠା, ପୁରୁଷକାର ? କେଉଁ ଲେଖକ ନିଜ ଛାତିରେ ଆଜି ହାତ ଦେଇ କହିପାରିବେ, ଗୋଟିଏ ଲେଖାକୁ ତାଙ୍କ ପାଠକମାନେ ଭଲ କହିଲେ, ସେମ‌୍‌ତି ଆଉ ଗୋଟିଏ ଲେଖିପାରିନ୍ତିନି କାହଁକି ? ସେକ୍ସପିୟର ଆଉ ଖଣ୍ଡେ ହ୍ୟାମଲେଟ୍, କାଳିଦାସ ଆଉ ଖଣ୍ଡେ ଶକୁନ୍ତଳା, ଉପେନ୍ଦ୍ର ଭଞ୍ଜ ଆଉ ଖଣ୍ଡେ ଲାବଣ୍ୟବତୀ ଲେଖି ପାରିଲେ ନି ତ ? ଅଥଚ ସେମାନେ ଆହୁରି ଅନେକ ଲେଖିଛନ୍ତି, ନିଜ ଶ୍ରେଷ୍ଠକୃତୀର ପ୍ରତିଦ୍ୱନ୍ଦିତା ପାଇଁ ଯେପରି ! ଇସ୍, ଢିଙ୍କିଶାଳରୁ ଢେଙ୍କାନାଳ !

 

ନିଜକଥା ଲେଖିବାର ନିର୍ଲଜ୍ଜତା ବରଣ କରିବାକୁ ଗଲାବେଳେ ଗୋପାଳ ବାବୁଙ୍କଠାରୁ ଏ ଦମ୍ଭ ଓ ସାହସ ପାଇ ମୁଁ ଆହୁରି ନିର୍ଲଜ୍ଜ ଉଲଗ୍ନ ହେବାକୁ ମଧ୍ୟ ବାହାରିଚି । ଆତ୍ମଜୀବନୀ–ଲେଖକର ସେ ପରା ଗୋଟିଏ ସ୍ୱାଭାବିକ ପାସ୍‌ପୋର୍ଟ ! ଯେଉଁଠି ଯାହା ଉଦାହରଣ ମନେପଡ଼ିବ ତାକୁ ଆଣି ଥୋଇ ଦେଲେ ଦୋଷ ନାହିଁ । ଆତ୍ମଜୀବନୀ ହେଲା, ଅହଂକାର, ଆତ୍ମବଡ଼ିମାର ଅବତାର କି ନା ! ତେଣୁ ଆଉ ଟିକିଏ ଆତ୍ମସନ୍ତୋଷ ଲାଗି ଅଧ୍ୟାପକ ଶ୍ରୀମାନ୍ ପଠାଣି ପଟ୍ଟନାୟକଙ୍କ ପତ୍ରରୁ ଉଦ୍ଧାର କରେ ।

 

 

୧।୧o।୧୯୬୫

ସିଦ୍ଧେଶ୍ୱର ସାହି,—କଟକ-୧

 

‘କଳନା’ ପୂଜାସଂଖ୍ୟାରେ ଆପଣଙ୍କୁ ଆତ୍ମଚରିତ ପଢ଼ି ଏ ଚିଠି ଲେଖିବା ପାଇଁ ଉତ୍ସାହିତ ହେଲି । ଆପଣ ଧାରବାହିକ ଭାବରେ ଆପଣଙ୍କର ଜୀବନ ଚରିତ ପ୍ରକାଶ କରନ୍ତୁ । ଓଡ଼ିଶାର ଅସଂଖ୍ୟ ସାହିତ୍ୟ ପ୍ରେମୀ ଏହି ଲେଖାକୁ ସ୍ୱାଗତ କରିବେ । ଦୀର୍ଘ ଅର୍ଦ୍ଧଶତାବ୍ଦୀର ଓଡ଼ିଶାର ସାଂସ୍କୃତିକ ଜୀବନର ଏକ ପରିଚୟ ଏବଂ ତାହା ସହିତ ଭାରତୀୟ କ୍ଷେତ୍ରରେ ସାଂସ୍କୃତିକ ଆନ୍ଦୋଳନର ରୂପ ରେଖ ସମ୍ପର୍କରେ ଓଡ଼ିଆ ସାହିତ୍ୟର ପାଠକ ଏକ ମୂଲ୍ୟବାନ୍ ଇତିହାସ ପାଠ କରିବାକୁ ସୁଯୋଗ ପାଇବେ । ଏ ଲେଖା ଚାଲୁରଖିବେ ବୋଲି ଜଣେ ପାଠକ ଭାବରେ ଆପଣଙ୍କୁ ଆନ୍ତରିକ-ଅନୁରୋଧ କରୁଛି ।”

 

ଶ୍ରୀ ପଟ୍ଟନାୟକ ତାଙ୍କର ସ୍ଵାଗତିକା ସହିତ ଏକ ସ୍ମରଣିକାର ସୂଚନା ଦେଇଛନ୍ତି ସ୍ଵୀୟ ଅଧ୍ୟାପକତ୍ୱ ଦୃଷ୍ଟିଭଙ୍ଗୀରୁ, ମାତ୍ର ପିଲାଦିନୁଁ ମୁଁ ଯେମ‌୍‌ତି ଶିକ୍ଷକ ଅଧ୍ୟାପକମାନଙ୍କର ଅବାଧ୍ୟ ହୋଇ ଆସିଛି, ତାଙ୍କ ନିର୍ଦ୍ଦେଶ ମାନିବାକୁ କେତେ ପରିମାଣରେ ଯେ ସମର୍ଥ ହେବି, ଜାଣେ ନାହିଁ ।

 

ଆଉ ଖଣ୍ଡେ ଚିଠି ପାଇଛି । ତାହା ବେନାମୀ । କେବଳ ତାରିଖ ଅଛି, ୧୦।୧୨।୧୯୬୫; କିନ୍ତୁ ସ୍ଥାନର ଉଲ୍ଲେଖ ନାହିଁ । କଟକ ପୋଷ୍ଟ ଅଫିସର ମୋହର ହେଲା—୨୮।୧୨।୧୯୬୫ରେ । ସେ ଲେଖିଛନ୍ତି—

 

“କଳନା’ରେ ପ୍ରକାଶିତ ହେଉଥିବା ‘ମୋତେ ସତ ତମକୁ ମିଛ’ ପଢ଼ି ସାରିବା ପରେ ଏ ଚିଠି ଲେଖୁଛି । ଜଣେ ସାହିତ୍ୟିକର ଜୀବନ-କାହାଣୀ ଯେତେବେଳେ ତା’ର ନିଜ ଲେଖନୀରୁ ଫୁଟିଉଠେ, ସେତେବେଳେ ଜଣେ ବ୍ୟକ୍ତିର ଜୀବନ-କଥା ହିସାବରେ ମାମୁଲି ଭାବରେ ଏହା ପ୍ରକାଶ ନପାଇ ମନ ଭିତରୁ, ସ୍ମୃତିର ଅଳିଆଗଦା ତଳୁ ଅନେକ ଅଙ୍ଗେ ନିଭାଇଥିବା ଆଳିମାଳିକା କଥା ସ୍ଵତଃସ୍ଫୂର୍ତ୍ତ ଭାବରେ ବହିର୍ଜଗତକୁ ଚାଲି ଆସେ । ଜାତି, ସାହିତ୍ୟ, ସଂସ୍କୃତିର ପରିପ୍ରେକ୍ଷିରେ ସେ ସବୁର ମୂଲ୍ୟ ଅକଳନ।

 

“କେତେ ଜଣା ନ ଥିବା ଘଟଣା, କେତେ ଲେଖା ନ ହୋଇଥିବା ଲେଖା, କେତେ କୁହା ନ ହୋଇଥିବା କଥା—ଆଲୋକର ଦିଗନ୍ତ ଭିତରକୁ ଆସିଯାଏ । ଓଡ଼ିଶାର ବିଭିନ୍ନ କର୍ମକ୍ଷେତ୍ରରେ କୃତି ଅର୍ଜନ କରିଥିବା ସବୁ ପ୍ରତିଷ୍ଠିତ ବ୍ୟକ୍ତି ଯଦି ନିଜର ‘ମତେ ସତ ତମକୁ ମିଛ’ ଲେଖି ବସନ୍ତେ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ, କେତେ ତଥ୍ୟ, କେତେ ରହସ୍ୟ, କେତେ ସତ କଥା ଫୁଟି ଉଠନ୍ତା, ତା’ର କଳନା ନାହିଁ ।

 

“ଫକୀରମୋହନ, ଗୋଦାବରୀଶ, ନୀଳକଣ୍ଠ, ମହତାବ୍, କାଳିବାବୁ କେତେ ଅଙ୍ଗେ ନିଭାଇଥିବା କଥା ନ ଲେଖିଛନ୍ତି । ତଥ୍ୟମୂଳକ ଓ ପ୍ରାମାଣିକ ଗ୍ରନ୍ଥ ହିସାବରେ ଓଡ଼ିଶାର ଇତହାସକ୍ଷେତ୍ରରେ ଏସବୁ ଗୋଟିଏ ଗୋଟିଏ ମାଇଲଖୁଣ୍ଟ । ଆପଣଙ୍କର ଉଲ୍ଲିଖିତ ଆତ୍ମ-କାହାଣୀ ଯେପରି ମଧୁରତର ଓ ଶୈଳୀରେ ଅଧିକ ଆକର୍ଷଣୀୟ ହୋଇ ଆମ ଆଗକୁ ଆସିବ—ଏହାହିଁ ଆଶା କରୁଛୁଁ ।

 

“ତେବେ ଗୋଟିଏ ଅନୁରୋଧ—ଅତୀତର ଅନେକ ଘଟଣା, ଅନେକ କଥା, ଅନେକ ପରିଚିତ ମୁହଁ, ଅନେକ ପରିଚିତ ଜାଗା ହୁଏ ତ ଭୁଲି ହୋଇଯିବଣି । ହୁଏ ତ ଅନେକ... ଆଜି ମନେ ନ ପଡ଼ିପାରେ, ଲେଖନୀରେ ନ ଫୁଟିପାରେ— ଯାହା କି ଚିର ଦିନ ପାଠକ-ସମାଜର ଦୃଷ୍ଟିର ଅନ୍ତରାଳରେ ରହିଯିବ । ‘ସ୍ୱପ୍ନପୁରୀ’ରେ ବହୁ ସ୍ୱପ୍ନର ଅବକାଶ ଥିଲେ ମଧ୍ୟ ଆମେ ତ ଆପଣଙ୍କଠାରୁ ‘ସ୍ୱପ୍ନ’ ଆଶା କରୁନୁଁ— ଆଶା କରୁଛୁଁ ଅଙ୍ଗେ ନିଭାଇଥିବା ଅଜସ୍ର କଥା । ତେଣୁ ଥରେ ଆପଣଙ୍କର ସେ ପରିଚିତ ପ୍ରିୟ-ଜନମମାଟି ବିଶ୍ୱନାଥପୁରରେ ପାଦ ପକାନ୍ତୁ ।

 

“ଦେଖନ୍ତୁ, ସମୟର ଅବଲୀଳାକ୍ରମେ ଏ ଜାଗାଟିର କଣ ନ ହୋଇ ଯାଇଛି । ତିନୋଟି ଯୋଜନା ପରେ ଏ ଅଞ୍ଚଳର ରୂପ କି କଦର୍ଯ୍ୟଭାବେ ବଦଳି ଯାଇଛି । ଏ ଅଞ୍ଚଳର ବଳିଷ୍ଠ ରାଜନୀତିକ ନେତୃତ୍ୱ ନାହିଁ କେତେକ ନ୍ୟସ୍ତସ୍ଵାର୍ଥ ଟାଉଟରଙ୍କର ଛକାପଞ୍ଝା ଖେଳ ଭିତରେ ଆଜିର ଏ ଯୋଜନା ଓ ପ୍ରଗତିଯୁଗରେ ଏ ଅଞ୍ଚଳ କେତେ ପଛେଇ ଯାଇଛି ।

 

ନୂଆ କିଛି ତ ଆସି ପାରି ନାହିଁ---ପୁରୁଣା ସଂସ୍କୃତି ବି ଉଜୁଡ଼ି ଯାଇଛି । ଉପଯୁକ୍ତ ନେତୃତ୍ୱ ଓ ଆନ୍ତରିକ ଉଦ୍ୟମ ଥିଲେ ହୁଏ ତ ରାଜଧାନୀ ଭୁବନେଶ୍ୱରର ନିକଟବର୍ତ୍ତୀ ଏ ଅଞ୍ଚଳରେ ଅନ୍ତତଃ ଗୋଟିଏ ଭଲ ରାସ୍ତା, ଗୋଟିଏ କଲେଜ, ଗୋଟିଏ ଉନ୍ନତ ଧରଣର ଡାକ୍ତରଖାନା ହୋଇ ପାରିଥାଆନ୍ତା; କିନ୍ତୁ ହୋଇ ପାରିନି ଏସବୁ । ‘ବାଲିପାଟଣା ବ୍ଲକର ଅଜସ୍ର, ଅପବ୍ୟୟ ସତ୍ତ୍ୱେ ପ୍ରଗତିର କାଉଁରୀ କାଠି ଆମ ଏ ଅଞ୍ଚଳକୁ ଛୁଇଁ ଯାଇ ପାରିଲାନାହିଁ ! ଆସନ୍ତୁ ଦେଖନ୍ତୁ, ଆମକୁ ଚିହ୍ନନ୍ତୁ— ଆମର ଚିନ୍ତାଧାରା ସହ ପରିଚିତ ହୁଅନ୍ତୁ ସେଇ ବାଳକାଟି, ପୁରଣ, ନରଦା, ଅଠାନ୍ତର, ବନମାଳୀ ପୁର ଆଜି କେଉଁ ଅବସ୍ଥାରେ ?

 

“କିଏ ଥିଲା ଏ ରାଜ୍ୟ, କି ହୋଇଛି ଆଜ’ ଠିକ୍ ବୁଝିପାରିବେ, ଦେଖିପାରିବେ ଲେଖକ ହିସାବରେ ଏ ଅଞ୍ଚଳକୁ ଆପଣ ନେତୃତ୍ୱ । ଦିଅନ୍ତୁ, (ରାଜନୀତିକ ନେତୃତ୍ୱ ତ ପାଇ ପାରିନୁ, ଅନ୍ତତଃ intellectual ନେତୃତ୍ୱ ତ ପାଇପାରିବୁଁ) । ଆପଣଙ୍କ ଲେଖନୀରେ ଏ ଅଞ୍ଚଳର ସବୁ ସତକଥା ଫୁଟି ଉଠି ଓଡ଼ିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରୁ । ଅବହେଳା ଅପେକ୍ଷାରେ ଏ ଅଞ୍ଚଳ କ’ଣ ନ ହୋଇ ଯାଇଛି ସତେ ! କୁଶଭଦ୍ରା ଓ ପ୍ରାଚୀର ତରଙ୍ଗରେ ଆଜି ଉଚ୍ଛ୍ଵାସ ନାହିଁ । ବିଶ୍ୱନାଥପୁରର ବଡ଼ ଗହୀରର ଧାନ ଜମି ଉପରେ ଶିରି ଶିରି କାଲୁଆ ପବନ ପରଶ ନାହିଁ, ଅଛି କେବଳ କେତୋଟି ଲୁଚି ଯାଉଥିବା ଘଟଣା ଓ ସ୍ମୃତିର ଅବଶିଷ୍ଟାଂଶ ।

 

“ଘର ଛାଡ଼ି ବାହାରେ, ଜନମ-ମାଟି ଛାଡ଼ି ବିଦେଶରେ ରହିଲେ ପଛେ ରହନ୍ତୁ, ଜନମ-ମାଟିର କଥା ଯେତେବେଳେ ଲେଖିଛନ୍ତି, ମନଭିତରୁ ନ ଲେଖି ଆଖି ଆଗରୁ ଲେଖନ୍ତୁ ଆଜିର କଥା । ଅତୀତର କଥା ତ ମନ ଭିତରୁ ହିଁ ଆସିବ । ତେବେ ଆଖି ଆଗରେ ଅନେକ ଭୁଲି ଯାଇଥିବା ଘଟଣା ହୁଏତ ଉଜ୍ଜୀବିତ ହୋଇପାରେ । ଏଇ ଅଞ୍ଚଳର ମାଟିର ମଣିଷକୁ ଥରେ ଦେଖି ଯାଆନ୍ତୁ । ତେବେ ବୋଧହୁଏ ଆତ୍ମକାହାଣୀ ବିସ୍ତୃତ ଓ ବ୍ୟାପକ ହୋଇପାରିବ ।

 

“ସମ୍ମାନ ନେବେ । ରହିଲି । ଇତି ।

 

 

ଆପଣଙ୍କର

ଜଣେ ଗାଁ ପାଖ ଲୋକ

 

 

ଏ ଚିଠି ଖଣ୍ଡିକ ଲେଖକ ବା ଲେଖିକା ନିଜ ପରିଚୟ ନ ଦେଇ ମୋତେ ଯେମ‌୍‌ତି ବିସ୍ମିତ କରିଛନ୍ତି, ସେଥିରୁ ତାଙ୍କର ରହସ୍ୟାବୃତ କବିସୁଲଭ ହୃଦୟର ମଧ୍ୟ ପରିଚୟ ସେମ‌୍‌ତି ମିଳୁଛି । କବି ଲେଖକଗଣ ନିଜ ନାଁ ବଦଳାଇ ଅନ୍ୟ ନାମ ନେଇ ଅଥବା ଖାଲି ଗୋଟିଏ ‘ଶ୍ରୀ’ରେ ଆରମ୍ଭ ଓ ଶେଷକରି ଆତ୍ମଗୋପନ କରିବା ପ୍ରଥା ଏବେ ମଧ୍ୟ ସବୁ ଦେଶରେ ପ୍ରଚଳିତ । ରୁଷ୍‌ର ‘ମାକ୍‌ସିମ୍ ଗର୍କୀ’ ସେମ‌୍‌ତି ଗୋଟିଏ ଛଦ୍ମ ନାମ । ଆଧୁନିକ ହିନ୍ଦୀ ସାହିତ୍ୟର କବି ଲେଖକଗଣ ମଧ୍ୟରୁ ସେହପରି ‘ନୀରାଲା’, ‘ସୁମନ’ ‘ଅଜ୍ଞେୟ’ ‘ଦିନକର’ ଆଦି ଅନେକେ ନିଜର ସଂକ୍ଷିପ୍ତ ନାମକରଣ କରିଥାନ୍ତି ।

 

ଆମର ତ ସ୍ଵୟଂ ଆଦି କବି ସିଦ୍ଧେଶ୍ୱର ପରିଡ଼ାରୁ ସାରଳାଦାସ ହେଲେ । ପୁଣି ଏହି ଦାସ ସଂଜ୍ଞାରେ କି ମୋହ ରହିଛି କେଜାଣି, ସାରଳାଙ୍କ ପରି ବତ୍ସା ଦାସ, ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ଦୀନକୃଷ୍ଣ, ଭକ୍ତଚରଣଙ୍କ ପର୍ଯ୍ୟନ୍ତ ଆସିବା ପରେ କିଛି ଫାଙ୍କ୍ ମଝିରେ ମଝିରେ ରହିଯାଇ ଶେଷକୁ ଗୋପବନ୍ଧୁ, ନୀଳକଣ୍ଠ ଯେମ‌୍‌ତି ଅବା ତୁଳସୀ ଦାସ, କବୀର ଦାସ, ଚଣ୍ଡୀ ଦାସ, ସୁର ଦାସଙ୍କ ଧାଡ଼ିରେ ରହିଯାଇ ଭାରତୀୟ ସାହିତ୍ୟରେ ଏକ ଦାସବଂଶର ବିସ୍ତୃତି ଘଟାଇଛନ୍ତି । ମୋର “ଗାନ୍ଧାରୀର ଆର୍ଶୀବାଦ” କବିତାଟି ଯେଉଁ ପତ୍ରିକାରେ ପ୍ରଥମେ ପ୍ରକାଶିତ ହୁଏ, ତାହା ତଳେ ବି ଅତର୍କିତଭାବରେ ଗୋଟିଏ ଛଦ୍ମ ନାମ ରଖିଥିଲି, ‘ବାବାଜୀ ଯମୁନା ଦାସ’ । ଅବଶ୍ୟ ଯମୁନାର ପ୍ରତିଶବ୍ଦରୂପେ ମୋ ନାମକୁ ବୁଝାଉଥିବା ହେତୁ ଓ ‘ଚରଣ’ ଶବ୍ଦଟିରୁ ଦାସତ୍ୱର ସୂଚନା ମିଳୁଥିବାରୁ ଏଭଳି ଗୋଟିଏ ଛଦ୍ମନାମ ମୁଁ ବାଛି ନେଇଥିଲି । ଅଥଚ ଦୈବାତ୍ ତାହା ଏକ ପାରମ୍ପରିକ ପର୍ଯ୍ୟାୟ ଭିତରେ ପଡ଼ିଗଲା ! ମଝିରେ ମଝିରେ ଯେମ‌୍‌ତି କେତେକ ଅଦ୍ଭୁତ ସାମଞ୍ଜସ୍ୟର ଆମେ ସମ୍ମୁଖୀନ ହେଉଁ । ବୋଧହୁଏ କବି ସାହିତ୍ୟିକ ବହୁତ ନାମ ଓ ବିଶେଷଣ ଘେନି କାରବାର କରୁଥିବାରୁ ନିଜ ନାମକୁ ସୁଦ୍ଧା ସଂକ୍ଷିପ୍ତ, ବିକ୍ଷିପ୍ତ କିମ୍ବା ଆବୃତ କରନ୍ତି । ସେମ‌୍‌ତି ସନ୍ୟାସୀମାନେ ମଧ୍ୟ ବିବେକାନନ୍ଦ, ବିଶୁଦ୍ଧାନନ୍ଦ, କେବଳାନନ୍ଦ, ବାୟାବାବା, ପାଗଳାବାବା ପ୍ରଭୃତି ନାମରେ ଅଭିହିତ ହେବା ସଚରାଚର ଦୃଷ୍ଟିଗୋଚର ହୋଇଥାଏ । ନାମଟା ଖାଲି ମିଥ୍ୟା ଓ କଳ୍ପିତ ବୋଲି କେହି କେହି କୌଣସି ନାମ ଗ୍ରହଣ ନ କରି ପରମହଂସ ବା ଅବଧୁତ ନାମରେ ନିଜ ପରିଚୟ ଦିଅନ୍ତି । ଆଉ କିଏ ପ୍ରତ୍ୟହ ‘ବିଷ୍ଣୁ ସହସ୍ର, ନାମ’ ପାରାୟଣ କରି ସର୍ବାଙ୍ଗ ନାମାବଳୀ-ଚିତ୍ରିତ ଚାଦର ଘୋଡ଼ାଇ ହୁଅନ୍ତି । ନାଁଟାରେ ଯେମ‌୍‌ତି କିଛି ମୂଲ୍ୟ ନାହିଁ, ଅଥଚ ସବୁ ଅଛି ! ଅନ୍ଧର ପଦ୍ମଲୋଚନ ନାମ କରଣ ପରି ଏଇ ନିରର୍ଥକ; କିନ୍ତୁ ଅର୍ଥପୂର୍ଣ୍ଣ । ସେକ୍ସପିୟରଙ୍କ ଭାଷାରେ, “What is there in a name ?” ଇତ୍ୟାଦି ପରି ।

 

ପତ୍ରପ୍ରେରକ ନିଜ ନାମ ପ୍ରକାଶ ନ କଲେ ମଧ୍ୟ କେତୋଟି କଥାର ଉତ୍‌ଥାପନ କରିଛନ୍ତି, ଯାହା ଏଇ ଆତ୍ମଜୀବନୀ ରଚନାରେ କ୍ରମାନ୍ଵୟେ ଅବଶ୍ୟ ଉଲ୍ଲେଖ କରିବି । ତା’ ଭିତରୁ ଗୋଟିଏ କଥା ହେଲା—ସ୍ଵପ୍ନପୁରୀର ସ୍ଵପ୍ନ । ଯେଉଁ ଘରଟିରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କ୍ଷଣରେ ସ୍ୱପ୍ନ ଭାଙ୍ଗି ଯାଏ ! ସ୍ଵପ୍ନ ଭାଙ୍ଗି ଯାଏ ଦିନ ରାତି ଚବିଶ ଘଣ୍ଟା ! ଆଉ ସେହି କାରଣରୁ ହିଁ ତା’ର ଏମ‌୍‌ତି ନାମକରଣ । ଇତିହାସ ଯାହାର ଯେତିକି ବିଚିତ୍ର, ସେତିକି ବିକଳାଙ୍ଗ । ସେଇ ସ୍ଵପ୍ନପୁରୀର ସ୍ୱପ୍ନ ଯେ ପତ୍ରପ୍ରେରକ ବନ୍ଧୁଙ୍କ ବାସ୍ତବତା ଠାରୁ ଆହୁରି କେଡ଼େ ନଗ୍ନ ଓ ମର୍ମନ୍ତୁଦ, ଟିକିଏ ଧର୍ଯ୍ୟ ଧରି ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ ।

 

ସ୍ଵପ୍ନପୁରୀରେ ଦାଣ୍ଡରାସ୍ତାରେ ମାଲଗୋଦାମ ଫେରନ୍ତି, ବୋଝେଇ ଶଗଡ଼ମାନଙ୍କର ଅହରହ ଧକଡ଼ ଚକଡ଼ ସାଙ୍ଗକୁ ବିରାଟ ଟ୍ରକଗୁଡ଼ିକର ଧୂମାୟିତ ଗର୍ଜନ; ମ୍ୟୁନିସିପାଲଟି ନାଳକଡ଼ରେ ରିକ୍ସା ବା ସାଇକେଲ ପତନ ଓ ଆରୋହୀମାନଙ୍କୁ କ୍ରନ୍ଦନକୁ ଛାଡ଼ି ଆଉ ଥରେ ନିଜ ଜନ୍ମସ୍ଥାନକୁ ଫେରି ପାସୋରି ଯାଇଥିବା ଅଜସ୍ର କଥା ମନେ ପକାଇବାକୁ ପାଠକବନ୍ଧୁ ମୋତେ ନିମନ୍ତ୍ରଣ କରିଛନ୍ତି, ମାତ୍ର ଥରେ କାହିଁକି ବହୁତ ଥର ତ ଯାଉଛି ! ତେବେ ଆଉ ସେ ବଳଦବେକରେ ଘଣ୍ଟି ବନ୍ଧା, ବାଲି- ପାଟଣା-ଚମାର ହାତତିଆରି ତାଳପତ୍ର ତାଟଗାଡ଼ିରେ ନୁହେ । ଦିନରାତି ଚାଲିଲାଣି ବନମାଳୀପୁର ପୁଣି ଭିଙ୍ଗାରପୁର ବସ୍ । କଚା ସଡ଼କ ପକା ହେଲାଣି । ଭାର୍ଗବୀ ଉପରେ ସେତୁ, ପୁଣି ବାଳକାଟି ମୁଣ୍ଡରେ କେନାଲ ।

 

ଚାରି ପାଞ୍ଚମାଇଲ ଭିତରେ ତିନି ଚାରିଟା ହାଇସ୍କୁଲ । ଧୋତିଶାଢ଼ୀ ବଦଳରେ ପୁଅ, ଝିଅଙ୍କ ଦେହରେ ଜାମା, ପେଣ୍ଟ, ବ୍ଳାଉଜ, ସେମିଜ, ଆଉ କ’ଣ ଦୁଧ ଘିଅ ପନିପରିବା ? ଆମ ଗାଁ ମୁଣ୍ଡ ସଡ଼କ ଉପରୁ ତ ଭୁବନେଶ୍ୱର ରାଜଧାନୀର ନେଳି ଆଲୁଅ ଦିଶିଲାଣି । ବିଜୁଳି ତାରଖୁଣ୍ଟ ପୋତା ହେଲାଣି ଆମ ଦାଣ୍ଡ ଦୁଆରଯାକେ । ବାକି ଯାହା ହୋଇ ନ ପାରିଛି— ଗାଁର ସ୍କୁଲ ତୋଳା ହେଲାନି, କି ଗାଁ ଦାଣ୍ଡ କାଦୁଅ ଅସନା ହେଲା, ସେଥିପାଇଁ ଆମେ ନିଜେ ଦାୟୀ ନା ଆଉ କିଏ ? ଗୋଡ଼ ବଢ଼େଇଲେ ତ ଭୁବନେଶ୍ୱର ରାଜଧାନୀ, ପୁଣି ହାତ ବଢ଼େଇଲେ ବାଲିପାଟଣା ବ୍ଲକ୍ ଅଫିସ-!

 

ଗାଁରେ ତ ଆଜି ଆଉ ସା’ନ୍ତ ମକଦ୍ଦମ ଜଣେ କେହି ନାହାନ୍ତି, ସମସ୍ତେ ବାବୁ ! ଅଥଚ ସେ ଦିନ ବାବୁ ନ ଡାକି ମକଦ୍ଦମ ଡାକିଥିଲା ବୋଲି ବିଚାରା ଫକୀର ସାଥୁଆ କି ଆଉ କିଏ ଜଣେ ପିଲାବେଳର ଖେଳସାଥି ମାଡ଼ ଖାଇଥିଲା ଭଗୁଭାଇନାଙ୍କ ହାତରୁ । ମୁଁ ମଧ୍ୟ ଦାବୀ କରିଥିଲି ସ୍ୱୟଂ ଜଣେ- ‘ମୂର୍ଖ’ ବାବୁ’ ହେବି ବୋଲି ପରା !

 

ନାଁ ସାଙ୍ଗକୁ ଅଧିକା ‘ବାବୁ’ ପଦଟା ଗାଁ ଭିତରେ ବୋଧହୁଏ ପ୍ରଥମେ ପ୍ରବର୍ତ୍ତିଲା ଆମରି ଘରୁ । ଅନ୍ୟ କୁଟୁମ୍ୱମାନଙ୍କ ପରିଚୟ ମକଦ୍ଦମ ଥିବା ସ୍ଥଳେ ବାପାଙ୍କୁ ଡାକନ୍ତି ମୁକ୍ତାରବାବୁ, ଭାଇନାଙ୍କୁ ‘ସିଂହବାବୁ’ । ଇଂରାଜୀ କିଛି ପଢ଼ିବା ଛଡ଼ା ବାବୁର ଆଉ ଗୋଟିଏ ସ୍ଵରୂପ ଥିଲା, ଲଣ୍ଡା ହୋଇ ଜାମା କୁର୍ତ୍ତା ପିନ୍ଧିବା ।

 

ଗାଁ ମକଦ୍ଦମମାନଙ୍କର ସେତେବେଳେ ସବୁରି ମୁଣ୍ଡରେ ବେଙ୍କାଏ ଲେଖାଁ ଚୁଟି । ବରଂ ଲଣ୍ଡା ହେବାଟାକୁ ମୁଖୁରୀ ବିଧର୍ମୀ ବୋଲି କେହି କେହି ଦୋଷ ଦେଉଥିଲେ । ସେଥିଲାଗି ବ୍ରତ କିମ୍ବା ଶୁଦ୍ଧି କ୍ରିୟାରେ ମୁଣ୍ଡଯାକ ଖିଅର ହୋଇ ମରୁଭୂମିର ଓସିସ୍ ପରି ତାଳୁ ଉପରେ ଟିକିଏ ଚୈତନ ଚୁର୍କି ରଖାଯାଏ । ତା’ପରେ ସେ ଆହୁରି ବେଶୀ ବଢ଼ି ଉଠି ଗୋଟିଏ ଚିକ୍କଣ ଗଣ୍ଠି ଆକାରରେ ଶୋଭା ପାଏ । ତା’ ତଳକୁ ମକଦମମାନଙ୍କର କୋଟ୍ କମିଜ ।

 

ମୂଲିଆ ମଜୁରିଆ ବା ପ୍ରଜା ପାଟକ ଉପରେ ରାଗି ଯାଇ ବିକିଲାବେଳେ ସମୁଦାୟ ଦୋହଲି ଯାଇ ମୁଣ୍ଡ ଏପରି ଘନ ଘନ ସଞ୍ଚାଳିତ ହୁଏ ଯେ, ତାହା ଫଳରେ ସେଇ ସେଇ ଗଣ୍ଠିଟି ଫିଟି ପଡ଼େ, ନଟରାଜଙ୍କ ପ୍ରଳୟ ନୃତ୍ୟ ସମୟରେ ଜଟା ବନ୍ଧନ ପରି । ନନ୍ଦରାଜାଙ୍କ ସଭାରେ ଚାଣକ୍ୟ କିମ୍ବା କୁରୁ ସଭାତଳେ ଦୌପଦୀଙ୍କ ପରି ଶତ୍ରୁ ଉପରେ ପ୍ରତିଶୋଧ ନେବାଲାଗି । ତାହାକୁ ଅବଶ୍ୟ ସେମାନେ ଫିଟାଇ ରଖନ୍ତି ନାହଁ; ମାତ୍ର ଗାଳିଟା ଯେତେବେଳେ ମାଡ଼ରେ ପରିଣତ ହେବାକୁ ଯାଏ ସେତେବେଳେ ମାଡ଼ ଖାଇବାର ଲୋକ ମୁଣ୍ଡର ଚୁଟି କେରାକ ମାଡ଼ ମାରିବା ଲୋକକୁ ବେଶ୍ ସାହାଯ୍ୟ କରେ । ଆମେ କିନ୍ତୁ ବାବୁ ହେବୁଁ ବୋଲି ସେ ଚୁଟି ଆଉ ଓଡ଼ିଶାମୁଲକରେ ଏଣିକି ଦେଖିବାକୁ ପ୍ରାୟ ବିରଳ; ଅଥଚ ସେଇ ଚୁଟିରେ ପାନିଆ ଖୋଷି ଶିଖ୍‍ମାନେ ଆଜି ଭାରତ ବର୍ଷରେ ମହାବୀର ପୁଣି ପିଗ୍‍ଟେଲ ଝୁଲାଇ ଚୀନାମାନେ ପୃଥିବୀରେ ସୁଦ୍ଧା କାହାରିକି ମାନିବା ପାଇଁ ନାରାଜ !

 

ଖାଲି କ’ଣ ଆମରି ଗାଁ ଲୋକେ ? ଗାଁ ଭିତରକୁ ଯେ ଆସନ୍ତି, ସବୁରି ମୁଣ୍ଡରେ ତ ଚୁଟି । କାଚରା ଆସେ କାଚ ବିକି, ମୁଣ୍ଡରେ ଚୁଟି, କାନରେ ସୁନା ନୋଳି, ନାକତଳେ ନିଶ, ବାହାରେ ରୁପା ଅନନ୍ତ, ହାତରେ ଛେରା ଖଡ଼ୁ । କାନ୍ଧରେ ଖଣ୍ଡେ ଚିକ୍‍କଣ ବାହୁଙ୍ଗି ଦି’ ପଟେ ଝୁଲୁଥାଏ ଦୁଇଟି ଟୋକେଇ-ଭର୍ତ୍ତି ନାନା ରଙ୍ଗର ଆଖିଝଲସା କାଚର ବୋଝ । ପାଟରା ଆସେ ପିଠିରେ ଖଣ୍ଡେ ଦସିଆ କନାର ବୋକଚା ଗୁଡ଼ାଇ, ଅଳ୍ପ ଟିକିଏ ନଇଁ ନଇଁ । ଦସିଆ କାନିଟା ପିଠି ବୋକଚାରୁ ଆସି ଛାତିରେ ପଡ଼ିଥାଏ ଫାଶ, ହାତ ଯୋଡ଼ିକୁ ପୂରାପୂରି ମୁକ୍ତ କରି । ସେଇ ହାତରେ ଲୁଗା ଫେରପାଖ ଖୋଷଣିତଳୁ ବାହାରି ଆସେ ରୁପାଭୁଣ୍ଡି ଲୁଗା ବଟୁଆ । ତହିଁରୁ ଅବଲୀଳାକ୍ରମେ ଚୂନପତ୍ର ପାପୁଲିକୁ ଆସି ପାଟିରେ ପଡ଼େ ଓ କଣ୍ଠରୁ ଏକ ଛନ୍ଦାୟିତ ସ୍ଵର ନିର୍ଗତ ହୁଏ—ନବ, ମାଳି ପାଟଫୁଲି !

 

କାନ୍ଧରେ ସାନବଡ଼ ନୂତନ ପଞ୍ଜିକା, ନୃସିଂହ ପୁରାଣ, ହରିବଂଶ, ଶାଶୁବୋହୂ-କଳି, ଦିଅର-ଭାଉଜରହସ୍ୟ, ଜେମାଦେଈ-କାନ୍ଦ ବା ସଂଗୀତ ପାଚିଲାକଦଳୀ ଓ ଦେଉଳତୋଳା ବହିଗୁଡ଼ିକୁ ଦେଉଳ ପରି ଉଚ୍ଚ କରି ବହିବିକାଳୀ “ଚାଟଶାଳୀ ପାଠ”ରୁ ବୋଲି ବୋଲିକା ଚାଲେ—

 

“କହନ୍ତି ମାଏ ଯେ ଶ୍ରୀକୃଷ୍ଣ ଆଗେ

କଥା ଶୁଣ ବାବୁ ଅତି ସରାଗେ ।

ଖେଳୁଆଡ଼ ବୁଦ୍ଧି ଛାଡ଼ରେ ବାବୁ ।

ଖଡ଼ି ଛୁଇଁଲେ ତୁ ବିଦ୍ୟା ପଢ଼ିବୁ ।

ଗୁରୁଙ୍କ ଆଗେ ଓଳଗିବୁ ଯାଇ

ଗୋବିନ୍ଦ ସୁମରି ଲେଖିବୁ ଭୂଇଁ ।”

 

ପୁଣି କେବେ ସେଇ ସ୍ଵରଟି ସୁଦୀର୍ଘତର ହୋଇ ବାହାରେ—

 

“ଆରେ ବାବୁ ଶ୍ୟାମଘନ             ତୁ ଗଲେ ମଧୁଭୂବନ

କାହା ମୁଖ ଅନାଇ ବଞ୍ଚିବି !” ଇତ୍ୟାଦି ।

 

ଆମେ ସେତେବେଳେ ଯେମ‌୍‌ତି ‘ବାବୁ’ ହେବାକୁ ବାହାରିଥିଲୁଁ, ଏ ସବୁ ପୁରୁଣା ଗୀତରେ ସେ ବାବୁ ଶବ୍ଦର ଅର୍ଥ ଅବଶ୍ୟ ଏକାବେଳେ ଫରକ । ତାହା ଖାଲି ବାତ୍ସଲ୍ୟ ରସରେ ସ୍ନେହବଶରୁ ପ୍ରୟୋଗ କରା ଯାଉଥିଲା, ଆଜିକାଲି ପରି ସମ୍ଭ୍ରମ ଅଥବା ଭୟବଶରୁ ନୁହେଁ । ସେତେବେଳର ପୁଣି ଆଜିର ସେହିପରି ପ୍ରାୟ ସବୁ ବାବୁଙ୍କ ମୁଣ୍ଡରେ ମଧ୍ୟ ଚୁଟି ଥାଏ, ଠାକୁରଙ୍କ ପାଖେ ଆଗରୁ ମାନସିକ ହୋଇ ତାହା କଟା ନ ଯିବା ପର୍ଯ୍ୟନ୍ତ; ମାତ୍ର ବାବୁ କହିଲେ ଯଦି ସେତେବେଳେ କିମ୍ବା ଆଜି ମଧ୍ୟ ଖାଲି ସାନ ସାନ ପୁଅ ନାତିଙ୍କ ପ୍ରତି ସ୍ନେହ ସମ୍ବୋଧନକୁ ବୁଝାନ୍ତା, ତା’ ହେଲେ ସମାଜରେ କେତେ ଜଣ ପ୍ରତିଷ୍ଠିତ ବ୍ୟକ୍ତି ତାହାକୁ ଆଗ୍ରହ ସହିତ ଗ୍ରହଣ କରନ୍ତେ, କେଜାଣି !

 

“ବାବୁଙ୍କ” ଉପରେ “ସାହେବ” ବୋଲି ମଧ୍ୟ ଆଉ ଏକ ଶ୍ରେଣୀର ସୃଷ୍ଟି ହୋଇଛି; ଦୁହିଁଙ୍କ ଭିତରେ ଏକ ମଧୁର ସାଲିସ ସ୍ଥାପନ କରିଛି “ବାବୁ ସାହେବ” ଶବ୍ଦଟି । ପତ୍ରପ୍ରେରକ ମହାଶୟ ବା ମହାଶୟା ନିଜ ନାମଧାମ ଗୋପନ ରଖିଥିବା ହେତୁ ତାଙ୍କୁ କେବଳ ଏଇ ଶେଷ ସମ୍ବୋଧନଟି କରିବା ଛଡ଼ା ମୁଁ ଅନ୍ୟ ଉପାୟ ଦେଖୁ ନାହିଁ ।

 

ତାଙ୍କୁ ଏତିକି ଜଣାଇ ଦେବାକୁ ମୁଁ ଚାହେଁ ଯେ, ଓଡ଼ିଶାରେ ଗାଁ ପରିମଳ ଧୋବାତୁଠରୁ ଜଣା ପଡ଼ିଲା ଭଳି ସହର ପରିମଳ ରେଳଷ୍ଟେସନ ପାଖରୁ ! ଆପଣ ମୋତେ ସହର ଛାଡ଼ି ଗାଁକୁ ଯିବାପାଇଁ ଡାକୁଥିଲା ବେଳେ ତରୁଣ ଗାଳ୍ପିକ ଓ ଔପନ୍ୟାସିକ ବନ୍ଧୁ ଶ୍ରୀମାନ୍ ବିଭୂତି ପଟ୍ଟନାୟକ ପ୍ରମୁଖ ଇଚ୍ଛା କରନ୍ତି, ପଲ୍ଲୀ ପରିବେଶ ଛାଡ଼ି ମୁଁ ଜଲ୍‍ଦି ମୋର ଆତ୍ମଜୀବନୀରେ ସାହିତ୍ୟ ପରିବେଶକୁ ବାହୁଡ଼ି ଆସେଁ । ତେଣୁ, ମୁଁ ମୋର ହାତ ଗୋଡ଼ ଓ ମନର ଜୋର ଅନୁସାରେ ଆପଣମାନଙ୍କର ସର୍ବେବ ନିର୍ଦ୍ଦେଶ ମାନିବାକୁ ପ୍ରସ୍ତୁତ । କାରଣ ଗାଁକୁ ଗଲେ ଗାଁ କଥା ବେଶି ମନେପଡ଼ିବା ଦୂରେ ଥାଉ,

ଓଲଟି ବେଶୀ ପାସୋର ହୋଇ ଯାଇ ଖାଲି ସହରକଥା ମନେ ପଡ଼ୁଛି । ବରଂ ସ୍ୱପ୍ନପୁରୀରେ ରହି ଦାଣ୍ଡ ସେପାଖେ ପାଚିଲା ଧାନ କିଆରିକୁ ଲାଗି ଆହୁରି କେତେ ଦୃଶ୍ୟ ଦେଖି ଗାଁ କଥା ମନେ ପଡ଼ୁଚି ଅଧିକରୁ ଅଧିକ !

 

ମନେ ପଡ଼ୁଚି ପାଚିଲା ଧାନକିଆରି ସାଥିରେ ମୋ ପିଲା ଦିନଟା କେମିତି ଛନ୍ଦା ହୋଇଯାଇଥିଲା । ଆଜି ବି ସେ ଦୃଶ୍ୟ ଆଖି ଆଗରେ ପଡ଼ିଗଲେ ଦେହମନ ଉଲସିଉଠେ । ପାଚିଲା ଧାନକେଣ୍ଡାର ଓଜନରେ ଶୋଇପଡ଼ିଥିବା ଧାନଗଛସବୁ ଗାଁଆକୁ ଯିବା ବାଟରେ ଦୁଇକଡ଼ରେ ଯେମ‌୍‌ତି ଓଳଗି ହୁଅନ୍ତି ମୋତେ ! ଆଉ ମୋର ପାଦ ଦି’ଟାକୁ କାକରଭିଜା ଧାନ କେଣ୍ଡାଗୁଡ଼ାକ ଯେମ‌୍‌ତି ଜାବୁଡ଼ି ଧରି ରହସ୍ୟାବୃତ ପ୍ରିୟ ପତ୍ରଲେଖକଙ୍କ ପରି ମୋତେ ମଧୁର ଭର୍ତ୍ସନା କରି କହନ୍ତି— “ଏତେ ଦିନକେ ହେ ମନେ ପଡ଼ିଲା କି ଆଜ ?”—କ’ଣ ବାଟବଣା ହୋଇ ଇଆଡ଼େ ଆଜି ଗଡ଼ି ପଡ଼ିଲ ପରା ?

 

ମୁଁ ତାଙ୍କୁ ହସି ହସି ଯବାବ ଦିଏଁ—ନା’ ନା ମୁଁ ଯେବେ ଅନ୍ଧ ହୋଇଯାଏଁ, ତେବେ ସୁଦ୍ଧା ତ ଏ ବାଟରେ ବଣା ହେବି ନି ! ଯଦିବା ବାଟବଣା ହେବାଟା ମୋର ସବୁ ଦିନର ଦୁର୍ଭାଗ୍ୟ କି ଆଉ କିଛି !       

 

ଏଥର ଠିକ୍ ଛାପାଖାନାକୁ ଯିବା ଆଗରୁ ସେମ‌୍‌ତି ଆଉ ଖଣ୍ଡିଏ ସାନ ଚିଠି ପାଇଲି ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନ ବିଶ୍ଵଭାରତୀରୁ । ଚିଠିଖଣ୍ଡ ଲେଖିଛନ୍ତି ସ୍ନେହାସ୍ପଦ ଅଧ୍ୟାପକ ଡକ୍ଟର ନରେନ୍ଦ୍ରନାଥ ମିଶ୍ର ବଡ଼ଦିନର ଅଭିବାଦନ ଜଣାଇ ।

 

 

ଶାନ୍ତିନିକେତନ

୧୮ ରତନ ପଲ୍ଲୀ

ତା୨୫-୧୨-୧୯୬୮

 

“ଆପଣଙ୍କ ଜୀବନ କଥା ‘ଯାହା ଅଙ୍ଗେ ନିଭାଇଛି’ ଓଡ଼ିଆ ଜୀବନର ଆଉ ଏକ ଅନ୍ତରଙ୍ଗ ଚିତ୍ର ଅଙ୍କନ କରୁଛି । ଏହା ଆସନ୍ତା ବର୍ଷରେ ପୂର୍ଣ୍ଣ ହେଉ, ଏହାର ସାହ୍ୟିତିକ ସଫଳତା ଓଡ଼ିଆ ସର୍ଜନ ସାହିତ୍ୟକୁ ବିଶ୍ୱସାହିତ୍ୟ ଅଙ୍ଗନରେ ନୂତନ ଗୌରବ ଦାନ କରୁ, ଏହା ହିଁ ମୋର ଆନ୍ତରିକ କାମନା ।”

 

ଖେଳପଡ଼ିଆରେ ଖେଳୁଆଡ଼ମାନଙ୍କୁ ଉତ୍ସାହବାଣୀ ଶୁଣାଇଲେ ସେମାନଙ୍କ ଗୋଡ଼ ଯେମତି ତଳୁ ଚାଖଣ୍ଡେ ଉଠିଯାଇ ଦ୍ରୁତତର ହୋଇଥାଏ, ଜଣେ ବିଶିଷ୍ଟ ଲେଖକଙ୍କଠାରୁ ଉତ୍ସାହ ପାଇଲେ ଆଉ ଜଣେ ଲେଖକର ହାତ ମଧ୍ୟ ସେମ‌୍‌ତି ସହଳ ଚାଲିବା ଆଶା କରାଯାଏ । ଏଣିକି ମୁଁ କିନ୍ତୁ ସହଳ ଚାଲିଲେ ଝୁଣ୍ଟି ପଡ଼ିବାର ଆଶଙ୍କା ହେଲାଣି ପରା ! ତେଣୁ ନରେନ୍ଦ୍ରବାବୁ ଯେ ଆଶା କରୁଛନ୍ତି, ଏହା ଆସନ୍ତା ବର୍ଷରେ ପୂର୍ଣ୍ଣ ହେବ, ମୋହ ପକ୍ଷରେ ସେ ଆଶା ପୂରଣ କରିବା କେତେ ଦୂର ସମ୍ଭବପର, ତାହା ଆଉ କାହାରିକି ଜଣା ଥିଲେ ଥାଇପାରେ, ମୋତେ କିନ୍ତୁ ଜଣା ନାହିଁ ।

 

ଯେ ହେତୁ ଏହା ଯେ ନରେନ୍ଦ୍ର ବାବୁଙ୍କ ଭାଷାରେ ହିଁ ମୋର ‘ଜୀବନକଥା !’ ‘ଜୀବନ’ଟା ରହିଥିବାଯାକେ ପୁଣି ମୁଁ କଥା କହୁଥିବା ପର୍ଯ୍ୟନ୍ତ ଏହା ସରିବ କିମିତି ? ମାତ୍ର ବର୍ଷକ ଭିତରେ ଜୀବନଟାକୁ ମୋର ମାରିଦେବାକୁ ଓ କଥାଯାକ ମୋର ସାରିଦେବାକୁ ମୋର ପ୍ରିୟ ପତ୍ରପ୍ରେରକ କିମ୍ବା ମୁଁ କଦାପି ରାଜି ହେବୁଁ କି ?

 

ପ୍ରସଙ୍ଗକ୍ରମେ ଗୋଟିଏ ଘଟଣା ମନେ ପଡ଼ିଲା । ଘଟଣା ଏବର । ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ କମିଟି ବୈଠକ ଦିଲ୍ଲୀର ‘ବୈଦେଶିକ ମନ୍ତ୍ରଣାଳୟ କମିଟି' ଗୃହରେ ବସିଥାଏ । ସଭାପତି ପଣ୍ଡିତ ଜବାହାରଲାଲ ନେହରୁ, ଉପସଭାପତି ଡକଟର ରାଧାକୃଷ୍ଣନ୍‍ଙ୍କ ସମେତ ଭାରତୀୟ ସଂବିଧାନସମ୍ମତ ପ୍ରତି ଭାଷାର ପ୍ରତିନିଧିମାନେ ଉପସ୍ଥିତ ଥାନ୍ତି । ବିଚାର୍ଯ୍ୟ ବିଷୟ ଥାଏ, ସେ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ବିଭିନ୍ନ ଭାଷାର ଶ୍ରେଷ୍ଠ ପୁସ୍ତକ ସମ୍ପର୍କରେ ସିଦ୍ଧାନ୍ତ ଗ୍ରହଣ । ସମ୍ବିଧାନ-ସମ୍ମତ ବିଭିନ୍ନ ଭାଷାର କେତେକ ପୁସ୍ତକକୁ ପୁରସ୍କାର ଦେବା ନ ଦେବା ସ୍ଥିର କରାଯାଉଥାଏ । ଓଡ଼ିଆ ପାଇଁ ମୁଁ ସୁପାରିସ କରିଥାଏଁ ସ୍ଵର୍ଗତ ଗୋଦାବରୀଶ ମିଶ୍ରଙ୍କ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ବହିଖଣ୍ଡକୁ । ଅଥଚ ବହିଟିର ଏକ ପ୍ରଧାନ ତ୍ରୁଟି, ଏହା ସମ୍ପୂର୍ଣ୍ଣ, ନୁହେ । କେବଳ ପ୍ରଥମ ଭାଗର ଆଂଶିକମାସ ପ୍ରକାଶିତ ହୋଇଥାଏ । ବାକି ଅଂଶର ପୁଣି ଅପ୍ରକାଶିତ ବିଷୟ ଭାଗର ମଧ୍ୟ ବିଷୟ-ସୂଚୀ ମାତ୍ର ପୁସ୍ତକଟିରେ ସ୍ଥାନ ପାଇଥାଏ । ସେ ତ୍ରୁଟି ଦର୍ଶାଇ ପୂର୍ବରୁ ବିଚାରକମାନେ ବହିଟିକୁ ନାକଚ କରି ଦେଇଥାନ୍ତି ।

 

ଶେଷ ବିଚାର ବୈଠକରେ ସେ ଦିନ ମୋତେ ପଚରାଯାଇଥିଲା—ବହିଟିରେ କେତେକ ଗୁରୁତର ତ୍ରୁଟି ରହିଯାଇଛି । ଆପଣଙ୍କ ମତ କ’ଣ ?

 

ଉତ୍ତର ଦେଇଥିଲି, ଆଗରୁ ତ ଏ ବହିକୁ ସୁପାରିସ କରିଥିଲି, ଏବେ ମଧ୍ୟ କରୁଛି । କୌଣସି ବହିକୁ ସାହିତ୍ୟ ଏକାଡେମୀ ପୁରସ୍କାର ଦେବା ନ ଦେବା ବିଚାର କଲାବେଳେ ବହିର ଲେଖକଙ୍କ ସ୍ଥାନ ଓ ଅନ୍ୟାନ୍ୟ ଲେଖାରେ କୃତିତ୍ୱ କଥା ମଧ୍ୟ ବିଚାରକୁ ନେବା ଉଚିତ ବୋଲି ମୋର ମତ ।

 

ତା ’ପରେ ପ୍ରଶ୍ନ ହେଲା—ଏ ବହିଟି ଯେ ଅସମ୍ପୂର୍ଣ୍ଣ । ତାହା ଛଡ଼ା ଦ୍ୱିତୀୟ ଭାଗ ମଧ୍ୟ ଅପ୍ରକାଶିତ ।

 

ଏଥି ପୂର୍ବରୁ ଅନ୍ୟ କେତେକ ବହି ଏହିପରି କାରଣରୁ ଅନୁପଯୁକ୍ତ ହୋଇ ସାରିଥାଏ । ସଭ୍ୟମାନଙ୍କ ମତ ଯେ ଏହା ମଧ୍ୟ ସମଦଶାପନ୍ନ ହେବା ଉଚିତ । ଏକାଡେମୀ ସେକ୍ରେଟାରୀ କଲମ ଧରି ବାହାରିଥାନ୍ତି ସେଇ ନିଷ୍ପତ୍ତି ଲିପିବଦ୍ଧ କରିବାପାଇଁ ।

 

ତାହା ଲକ୍ଷ୍ୟ କରି ମୁଁ ଠିଆ ହୋଇ ପଡ଼ି କହିଲି— ଶେଷରେ ମୋତେ ପଦେ କଥା କହିବାକୁ ଅନୁମତି ମିଳୁ ।

 

ସେକ୍ରେଟାରୀ ସମେତ ଗୋଲ ଟେବୁଲକୁ ଘେରି ବସିଥିବା ସଭ୍ୟମାନେ ବିସ୍ମୟରେ ମୋତେ ଚାହିଁଲେ ।

 

ନମ୍ରତାର ସହିତ ଜଣାଇଲି, ଏ ବହିଟିର ବିଶେଷତ୍ୱ ହେଲା ଯେ, ଏହା ଏକ ଆତ୍ମ ଜୀବନୀ । ଲେଖକ ତା’ର ଇହଲୋକରେ ଆଜି ନାହାନ୍ତି । ଲେଖକ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଆତ୍ମଜୀବନୀ କେବେହେଲେ ସମ୍ପୂର୍ଣ୍ଣ ହୋଇପାରେ କି ?

 

ଶୀତତାପ-ନିୟନ୍ତ୍ରିତ କମିଟି ଗୃହଟି ଉଚ୍ଛ୍ଵସିତ ହାସ୍ୟରୋଳରେ ମୁଖରିତ ହୋଇ ଉଠିଲା । ସଭାପତି ନେହେରୁ ଓ ତାଙ୍କ ବାଁ ପାଖେ ବସିଥିବା ଡକ୍ଟର ରାଧାକୃଷ୍ଣନ୍‍ଙ୍କ ମୁହଁକୁ ଚାହିଁଲି । ସେମାନେ ଆଉ କୌଣସି ବୈଠକରେ ଏ ଗୃହରେ ଏମ‌୍‌ତି ହସିବାର ଦେଖି ନଥିଲି ।

 

ଡକ୍ଟର ରାଧାକୃଷ୍ଣନ୍ ହସି ହସି କହୁଥାନ୍ତି, ଯଥାର୍ଥ କଥା । ଏହା ତ ଅନ୍ୟ କାହାରି ଜୀବନୀ ନୁହେଁ, ଖୋଦ୍ ଆତ୍ମଜୀବନୀ । ଲେଖକ ବଞ୍ଚି ଥାଉଁ ଥାଉଁ ତାଙ୍କ ଆତ୍ମଜୀବନୀ ସେ ସମ୍ପୂର୍ଣ୍ଣ କରି ପାରିବା ତ ଏକାବେଳେ ଅସମ୍ଭବ !”

 

ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଆତ୍ମଜୀବନୀ ରଚୟିତା ସ୍ୱୟଂ ଜବାହାର ଲାଲଙ୍କ ମୁହଁରେ ସେ ଦିନର ଲାଲଗୋଲାପୀ ହସ ଆଜି ପର୍ଯ୍ୟନ୍ତ ମନରୁ ମୋର ଲିଭିନାହିଁ । ଆଉ ସେହି ହସଭିତରେ ମୋ କାମଟି ହାସଲ ମଧ୍ୟ ହୋଇଯାଇଥିଲା । ଗାନ୍ଧୀ-ନେହେରୁ ସୁଦ୍ଧା ଯେଉଁ ଆତ୍ମଜୀବନୀ ଶେଷ କରିପାରିଲେ ନାହିଁ, ସେ ଦୃଷ୍ଟିରୁ ଅନ୍ୟେ ପରେ କା-କଥା !

 

ଶେଷରେ ପୁଣି ମୋର ଏଇ ଆତ୍ମଜୀବନୀ ପୁସ୍ତକ ଆକାରରେ ମୁଦ୍ରଣାଳୟରେ ପ୍ରବେଶ କରିବା ପରେ ଆଉ ଖଣ୍ଡିଏ ଚିଠି ପାଇଲି ଶ୍ରଦ୍ଧେୟ ଲେଖକ ସମ୍ବଲପୁରର ଶ୍ରୀଯୁକ୍ତ ଶ୍ରଦ୍ଧାକର ସୁପକାର, ପାର୍ଲାମେଣ୍ଟ ସଦସ୍ୟଙ୍କଠାରୁ । ତାହା ପ୍ରକାଶ ନ କଲେ ତାଙ୍କ ପାଖରେ ଅପରାଧୀ ହୋଇପଡ଼ିବି ।

 

“ଆପଣଙ୍କ ଆତ୍ମଜୀବନୀ ଏବେ ‘ଡଗର’ରେ ପ୍ରକାଶ ପାଉଥିବା ଖୁବ୍ ଆନନ୍ଦର କଥା । ଏହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବ ବୋଲି ଆଶା କରେ । ପୂର୍ବରୁ ଯେତେ ଆତ୍ମଜୀବନୀ ପ୍ରକାଶ ପାଇଛି, ସେଥିରେ ରାଜନୀତି ବା ଶିକ୍ଷା ଜଡ଼ିତ ଅଛି । ଏକ ବିଶୁଦ୍ଧ ସାହିତ୍ୟିକ ଆତ୍ମାଜୀବନୀରୂପେ ଆପଣଙ୍କର ଆତ୍ମଜୀବନୀ ନିଶ୍ଚୟ ଓଡ଼ିଆ ସାହିତ୍ୟର ମୁକୁର ହେବ ବୋଲି ଆଶା କରେ । ଇତି ।

 

 

ବିନୀତ

ଶ୍ରଦ୍ଧାକର ସୂପକାର ।’

 

ଏହି ପତ୍ରଖଣ୍ଡି ତା ୨୨।୧୦।୧୯୬୯ ରିଖର । ଶ୍ରୀଯୁକ୍ତ ସୂପକାରଙ୍କ “ଓଡ଼ିଆ ସାହିତ୍ୟର ମୁକୁର” ମନ୍ତବ୍ୟଟିରୁ ୫୦ ବର୍ଷ ତଳର କଥାଟିଏ ମନେପଡ଼େ । ପୁରୀଜିଲା ସ୍କୁଲରେ ପଢ଼ୁଥିବାବେଳେ ବନ୍ଧୁମାନଙ୍କ ସହିତ ପତ୍ରିକାଟିଏ ପ୍ରକାଶ କରେ । ପତ୍ରିକାଟିର ନାମ ଦେଇଥାଉଁ , ‘ଛାତ୍ରଦର୍ପଣ’ । ସେତେବେଳେ ସ୍ୱର୍ଗତ ବ୍ରଜସୁନ୍ଦର ଦାସ ଓ ବିଶ୍ୱନାଥ କରଙ୍କଦ୍ୱାରା ସମ୍ପାଦିତ ଯଥାକ୍ରମେ ‘ମୁକୁର’ ଓ ‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକା ଦୁଇଟି କଟକରୁ ପ୍ରକାଶ ପାଇଥାଏ । ‘ମୁକୁର’କୁ ମୁଁ ବହୁ ସାଧନା କରି ପୌରାଣିକ ‘ପ୍ରହ୍ଲାଦ’ ଗଳ୍ପଟିର ଅବଲମ୍ବନରେ ଏକ କବିତା ପଠାଇ ତାହା ଫେରସ୍ତ ପାଇଥାଏ । ସେଥିସହିତ ପାଇଥାଏ ମାନନୀୟ ସମ୍ପାଦକଙ୍କଠାରୁ ଖଣ୍ଡିଏ ସାନ୍ତ୍ୱନା ଓ ଉର୍ତ୍ସାହସୂଚକ ପ୍ରବୋଧ-ବାର୍ତ୍ତା ।

 

ଏବେ ‘ଛାତ୍ରଦର୍ପଣ’ର ସ୍ଵୟଂ ସମ୍ପାଦକ ହୋଇ ଅର୍ଥାତ୍ ତାହାର ମଲାଟ ଉପରେ ସମ୍ପାଦକ ଭାବରେ ମୋର ନାମ ଛାପା ହେବାଦ୍ୱାରା ମନ ଭିତରେ ଆସିଯାଇଥାଏ ଖୁବ୍ ଗୋଟାଏ ଦମ୍ଭ । ନିଜ ନାଆଁଟାକୁ ଛାପା ଅକ୍ଷରରେ ଦେଖି କାହା ମନ ଭଲା ଉଲୁସି ନ ଉଠେ ! ପୁଣି ‘ମୁକୁର’ ସାଙ୍ଗକୁ ‘ଛାତ୍ରଦର୍ପଣ’ ! ପତ୍ରିକା ଦୁଇଟିର ନାମ ମଧ୍ୟରେ ଦୈବାତ୍ ଏଇ ସାମଞ୍ଜସ୍ୟଟା ମନରେ ମୋର ଆଣିଦେଇଥାଏ ଗୋଟାଏ ଅବଚେତନ ଆତ୍ମତୃପ୍ତି ।

 

ଉତ୍କଳ ଗୌରବ ମଧୁସୂଦନ ସେତିକିବେଳେ ପୁରିକୁ ଆସିଥାନ୍ତି । ପୁରୀ ଆସିଲେ ସେ ରହନ୍ତି ନିଜ ଘର ‘ଶୈଳନିବାସ’ରେ । ଘର ପୁରୀଜିଲ୍ଲା ସ୍କୁଲର (ବର୍ତ୍ତମାନ କଲେଜ) ନିକଟରେ । ‘ଛାତ୍ରଦର୍ପଣ’ ଖଣ୍ଡିଏ ଧରି ବନ୍ଧୁମାନଙ୍କ ସଙ୍ଗେ ବାହାରିଲି ମଧୁସୂଦନଙ୍କୁ ଭେଟିବାପାଇଁ । ମଧୁବାବୁ କ୍ଷୌର ହେଉଥାନ୍ତି ।

 

ନିଃସଂଙ୍କୋଚରେ ଆମେ ଯାଇ ଠିଆ ହେଲୁଁ ଝରକା ପାଖରେ । ନିତ୍ୟକର୍ମ କରୁଥିବା ବେଳେ କେହି ଭଦ୍ରଲୋକଙ୍କ ପାଖରେ ଆଗରୁ ଖବର ନ ଦେଇ ପହଞ୍ଚିଯିବାଟା ଯେ ଭଦ୍ରତା ନୁହେଁ, ସେ ବିଚାର ଆମର ନ ଥାଏ ।

 

ମଧୁସୂଦନ ପଚାରିଲେ, “କିଏ ତୁମେମାନେ ?”

 

“ଆମେ ଏଇ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ।”

 

“ଆଚ୍ଛା, ମୋତେ ମାଫ୍ କର ବାବୁମାନେ, ସେ ପାଖ ବୈଠକ ଖାନାରେ ଟିକିଏ ବସ କି, ମୁଁ ଆସୁଛି”

 

ଏଭଳି ଭାଷା ଓ ଭଦ୍ରତା ସହିତ ଆମେ ସେତେବେଳେ ଅଭ୍ୟସ୍ତ ନ ଥିଲୁଁ । ସେଥିପାଇଁ ଆଜି ବି ସେଇ ଭାଷା ମୋର ମନେ ରହିଯାଇଛି । ଆମେ ଯେ ସାଧାରଣ ପ୍ରଥା ଅନୁସାରେ ଆଗରୁ ତାଙ୍କୁ ଖବର ନ ଦେଇ ସିଧା ତାଙ୍କ କ୍ଷୋର କକ୍ଷ ସାମନାରେ ଠିଆ ହେଲୁ ଓ ସେଥିଲାଗି ବରଂ ସେ ଆମକୁ ମାଫ୍ କରିବା କଥା, ତାକୁ ହିଁ ଓଲଟାଇ ଦେଇ ଆମକୁ ସେ ଗୋଟିଏ ଶିକ୍ଷା ଦେଲେ ବୋଲି ଆଜି ସରିକି ଘଟଣାଟିର ପଚାଶ ବର୍ଷ ପରେ ମୁଁ ବୁଝିଲି ।

 

ଅଳ୍ପ ସମୟ ପରେ ମଧୁବାବୁ ଆସି ଆମ ସାମନାରେ ବସିଲେ । “କୁଆଡ଼େ ସବୁ ଆସିଗଲ ?” ଅଳ୍ପ ହସି ହସି ସେ ପଚାରନ୍ତି ।

 

ତାଙ୍କ ସାଙ୍ଗରେ ବା କି କଥା କହିବୁଁ ଆମେ ! ‘ଛାତ୍ର-ଦର୍ପଣ’ରୁ ଗୋଟିଏ ତାଙ୍କ ହାତକୁ ବଢ଼ାଇଦେଇ କହିଲି, “ଏଇ ପତ୍ରିକାଟି ଆମେ ପ୍ରକାଶ କରିଛୁଁ ?”

 

ପତ୍ରିକାଟିକି ସେ ଏ ପାଖ ସେପାଖ ଓଲଟାଇଲେ । ତାଙ୍କ ପାଖରେ ଉପସ୍ଥିତ ଆମେ ଚାରି ପାଞ୍ଚଜଣଙ୍କୁ ଗୋଟିଏ ସାଧାରଣ ସଭା ଜ୍ଞାନରେ ଭାଷଣ ଦେଇ କହିଲେ, “ତୁମେ ଏଇ ପତ୍ରିକାଟିର ଭଲ ନାଁ ଟିଏ ଦେଇଛ—‘ଛାତ୍ର ଦର୍ପଣ’— ବେଶ୍ ବେଶ୍; କିନ୍ତୁ ଗୋଟିଏ କଥା ଜାଣକି—ଭାରତବର୍ଷକୁ ଯେତେବେଳେ ଦର୍ପଣ ଆସି ନ ଥିଲା, ସେତେବେଳ ଏ ଦେଶର କି ସ୍ତ୍ରୀ କି ପୁରୁଷ ପ୍ରତ୍ୟେକ ଲୋକ ବିଚାରୁଥିଲା, ସେଇ କେବଳ ଆଉ ସମସ୍ତଙ୍କଠାରୁ ବେଶୀ ସୁନ୍ଦର । ତା’ ନିଜ ମୁହଁ ଭଳି ସୁନ୍ଦର ମୁହଁ ଆଉ କାହାରି ନୁହଁ । ତା’ ପରେ ଯେବେ ଦର୍ପଣ ଆସିଗଲା, ସେତେବେଳେ ସମସ୍ତେ ଯେଝା ମୁହଁ ଦର୍ପଣ ଭିତରେ ଦେଖି ପାରିଲେ । ସେଥିସଙ୍ଗେ ଅନ୍ୟ ମୁହଁକୁ ଚାହିଁ ବୁଝି ପାରିଲେ । ତୁମେ ସବୁ ସେମ‌୍‌ତି ଏଇ ‘ଛାତ୍ର ଦର୍ପଣ’ ପତ୍ରିକାଟିକି ବାହାର କରି, ଏଥିରେ ନିଜ ନିଜ ଲେଖା ପ୍ରକାଶ କରି ଦେଖିପାରୁଛ ତ ତୁମ ଲେଖାଠାରୁ ଆଉ କାହା ଲେଖା ବେଶୀ ସୁନ୍ଦର କି ଅସୁନ୍ଦର ?”

 

ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଆମକୁ କିଛି ବୁଦ୍ଧିବାଟ ଦିଶିଲାନି । ପୁଣି “ଛାତ୍ର ଦର୍ପଣ” ନାଁଆଟି ଭିତରେ ଏତେ ଅର୍ଥ ରହିଛି ବୋଲି ବି ଆମର ତ ଆଦୌ ଖିଆଲ ନ ଥିଲା !

 

ଏବେ ସେଇ ଦର୍ପଣଭିତରେ ଆପଣା ମୁହଁକୁ ଯେତେ ଚାହିଁଲେ ବି ନିଜକୁ ନିଜେ ଚିହ୍ନିବା ହେଲାଣି ତ କାଠିକର ପାଠ! କେଉଁକାଳେ ଏଇ ଚିହ୍ନିବାଟା ମୋର ଯେ ଶେଷ ହେବ ? ଶେଷ ହେବ ଏଇ ଆତ୍ମଲିପି !

 

ଖେଲାଉଡ଼ ବୁଦ୍ଧି ଛାଡ଼ରେ ବାବୁ

 

“ଆରେ, କୁଆଡ଼େ ଗଲା କି କାଳନ୍ଦୀ ?” ଖାଇ ବସିଲା ବେଳେ ବାପା ପଚାରନ୍ତି, ଖୁବ୍ ଯେମ‌୍‌ତି ବ୍ୟସ୍ତ ହୋଇପଡ଼ି ।

 

“ଯିବ କୁଆଡ଼େ ମ ! ଏଇଠି ପରା ଖେଳୁଥିଲା ।” ହାଣ୍ଡି ଶାଳ ଭିତରୁ ଜବାବ ଦିଅନ୍ତି ବୋଉ ।

 

ବାପା ପୁଣି ଆଶ୍ଚର୍ଯ୍ୟ ହେଲା ଭଳି କହନ୍ତି—

 

“ହଁ, ଖେଳୁଥିଲା ତ, ଖେଳୁ ଖେଳୁ କୁଆଡ଼େ ପଳେଇଲା କେଜାଣି । ତାକୁ ତ ପାରିହେବ ନି ଆଉ ।”

 

ହାଣ୍ଡିଶାଳ ଅଧାକାନ୍ଥି ସେ ପାଖରେ ବୋଉଙ୍କ ସାନ ରୁପଟି ଲୁଚି ଯାଇଥାଏ । ଖାଲି ଯାହା ତାଙ୍କ କଥା ଶୁଣାଯାଉଥାଏ, ‘‘ନାହିଁ, ଭାରି ଚଗଲା ହେଲାଣି ସେ । ଏଣିକି ତାକୁ ତ ଇସ୍କୁଲକୁ ନ ତଡ଼ିଲେ ନ ହୁଏ । ତମେ ତ ତାକୁ ସବୁବେଳେ ଗେହ୍ଲା କରି ଏମ‌୍‌ତି ମୁହଁବଢ଼ିଆ କରି ପକେଇଲ-। ସେ କ’ଣ ଆଉ କାହାରିକି ମାନୁଛି ?’

 

“ପୁଅ କ’ଣ ମାମୁଁ ଘରକୁ ଗଲା ଭାରି କି ?” ପୁଣି ପଚାରନ୍ତି ବାପା ।

 

ହାଣ୍ଡିଶାଳ ମଝିରେ ଅଧାକାନ୍ଥି । ଦୁଆରମୁହଁପଟେ ଖାଇ ବସିବା ଖଲୁରୀ ଘର । ମଝି ଅଧାକାନ୍ଥି ଆର ପାଖେ ଚୁଲୀ, ତେଙ୍ଗେଡ଼ା, ହାଣ୍ଡି, ତେଲୁଣି, କଡ଼େଇ ଆଦି ରୋଷେଇ ସରଞ୍ଜାମ । ତା’ରି ଭିତରେ ବୋଉ । ରୋଜ ଗାଧୋଇ ସାରି ହାଣ୍ଡି ଶାଳ ଲିପିପୋଛି ଚୁଲୀ ତେଙ୍ଗେଡାରେ ମୁରୁଜ ଦେଇ ଭାତ ତିଅଣ ରାନ୍ଧିବା ହେଲା ତାଙ୍କର ନିତ୍ୟକର୍ମ । ପାଖ ଖାଇବା ଘରେ ବସି ଖିଆପିଆ କରିବା ହେଲା ଆମ କାମ । ସେଇ ଘରେ ବାପା ଖାଇବସି ମୋ କଥା ପଚାରୁଥାନ୍ତି, ଅଧାକାନ୍ଥି ଆରପଟୁ ବୋଉଙ୍କ ଉତ୍ତର ଆସୁଥାଏ । ଘରକୁ ନୂଆବୋହୁମାନେ ଆସିଲେ ଏହି ଅଧାକାନ୍ଥିଟି ଏକ ଅପୂର୍ବ ରହସ୍ୟ ରଚନା କରେ ଠିକ୍ ଗୋଟିଏ ପର୍ଦ୍ଦା ଭଳି ।

 

ଓଢ଼ଣାତଳେ ମୁହଁ ଲୁଚାଇ ବୋହୂ ଭୂଆସୁଣୀଙ୍କ ଚୁଁ ମରା, ଦିଅର ନଣନ୍ଦେଇଙ୍କ ସାଥିରେ ଥଟ୍ଟା ପରିହାସ, ହଳଦୀପାଣି, ଠା’ପୀଢ଼ା, ଚିତା ମୁରୁଜ !

 

ସମାନ୍ତରାଳ ହୋଇ ତିନି ଦାଣ୍ଡି ଚାଳଘର । ଦାଣ୍ଡ ଅଗଣାରେ ପୁରୁଷମାନଙ୍କର ବେଶି ଗତାଗତ । ମଝି ଅଗଣାରେ ଆଡ଼ି ବଖରାଟି ହାଣ୍ଡି ଶାଳ । ତଳ ଅଗଣାରେ କାଠକୁଟା ଧାନଉଷୁଆଁ ଚୁଲୀ । ଶେଷରେ ବାରିପଟେ ଢିଙ୍କିଶାଳ, ଟିକିଏ ଦୂରରେ ଗାଧୁଆ ପୋଖରୀ । ଦାଣ୍ଡ ଅଗଣାକୁ ଲାଗି ପୂର୍ବ ଆଡ଼କୁ ଖଳାବାଡ଼ି, ଖଳାବାଡ଼ିକୁ ଲାଗିଛି ଗୋରୁ ଗୁହାଳ ।

 

ପୁଅ କୁଆଡ଼େ ଗଲାବୋଲି ବୋଉଙ୍କ ମନରେ ଆତଙ୍କ ସୃଷ୍ଟି କରି ବାପା ଦିଅନ୍ତି ମାମୁଁଘର ଉଲୁଖା । ମାମୁ-ପୁଅ ଭାଇମାନେ ମଠରେ ଖାଇ ଖଟରେ ଶୋଇ ବିଗିଡ଼ି ଯାଇଛନ୍ତି, ମୁଁ ମଧ୍ୟ ତାଙ୍କ ସାଙ୍ଗରେ ମିଶି ଚଗଲା ହେଉଛି । ଏଇ କଥା ଉପରେ ବୋଉ ବାପାଙ୍କ ଭିତରେ ଅନେକ ଯୁକ୍ତିତର୍କ ହୋଇ ରଗାରଗି ପର୍ଯ୍ୟନ୍ତ ଚାଲେ । ସ୍ଵଭାବତଃ ବୋଉଙ୍କ ସମର୍ଥନ ଯେତିକି ପରିମାଣରେ ମାମୁଁଘର ପ୍ରତି ଢଳୁଥାଏ, ବାପାଙ୍କ ପ୍ରତିବାଦ ସେତିକି ଉଗ୍ର ହୋଇଉଠେ । ମୋ ଅଜାଙ୍କ ସାନଭାଇ ସନ୍ନ୍ୟାସୀ ସ୍ଵାମୀ କୃତ୍ତିବାସ ଭୁବନେଶ୍ୱରରେ ମଠାଧୀଶ ହୋଇଥିବାରୁ, ସେଇ ମଠ ଉପରେ ହିଁ ମାମୁଁଘର ପରିବାର ପ୍ରାୟ ସମ୍ପୂର୍ଣ୍ଣ ନର୍ଭର କରି ଚଳନ୍ତି । ନିଜ ଚାଷବାସ ଉପରେ ସେମାନଙ୍କର ପ୍ରାୟ ନଜର ନ ଥାଏ । ଚାଷଜମି ମଧ୍ୟ ଅତି କମ୍ ।

 

“ମୁଁ କ’ଣ ତାକୁ ମାମୁଁ ଘରକୁ ଯିବାକୁ କହିଦେଲି ?” ଅଧାକାନ୍ଥ ଆରପଟେ ଶାଗ ଖରଡ଼ୁ ଖରଡ଼ୁ ବୋଉ ବିରକ୍ତ ହୁଅନ୍ତି ।

 

“ଆଉ ତେବେ କହିଲା କିଏ ? କେଉଁ ଗେଲୀ ନାନୀ ଗାଧୋଇବାକୁ ଯାଇ ବାପଘରେ ଉଠେ ଭଲା ?” ବାପା ହସନ୍ତି ।

 

ବୋଉ ଯେ ଟିକିଏ ଫୁରସତ୍ ପାଇଲେ ମାମୁଁ ଘରେ ଯାଇ ହାଜର, ସେଇ କଥାକୁ ମଝିରେ ମଝିରେ ଟିହାଇ ଦେବା ହେଲା ବାପାଙ୍କର କାମ, ପୁଣି ସେଇ କଥାରେ ଚିଡ଼ିବା ମଧ୍ୟ ବୋଉଙ୍କର ହେଲା ଏକ ପ୍ରକାର ସାଧାରଣ ଅଭ୍ୟାସ ।

 

କରଚୁଲୀରେ ଶାଗ ଖରଡ଼ା ଧରି ଅଧାକାନ୍ଥି ସେପଟୁ ବୋଉ ଆସି ଦେଖନ୍ତି, କାଳିନ୍ଦୀ ଝୁଲୁଚି ବାପାଙ୍କ ପିଠି ଉପରେ ଲାଉ ହୋଇ, ଦି’ହାତକୁ ତାଙ୍କ ଗଳାରେ ଛନ୍ଦି ! ଯେଉଁ ପୃଷ୍ଠ ଦେଶରେ ସେ ବହୁ ନିର୍ମମ ମୁଷ୍ଠ୍ୟାଘାତ କରିଥିଲା, ରାମ ଭାଇନାଙ୍କ କଟୁରୀରେ ନିଜ ଆଙ୍ଗୁଠି ହାଣିବା ଦିନ ।

 

“ହଇ ରେ ! ତୁ ଏଇଠି ଅଛୁ ପାଟିତୁଣ୍ଡ ନ କରି ? ଆଉ ହବ ନି, ହବ ନି, ଏଡ଼ିକି ଚଗଲା ତୁ ହେଲୁ ରେ !”

 

କୌତୁକ ଆକଟ କରନ୍ତି ବୋଉ ।

 

“କାହିଁ, କିଏ କେଉଁଠି ଅଛି ମ, ମୁଁ ଜାଣିନି ତ !”

 

ବାପା ମଧ୍ୟ ଯୋଗ ଦିଅନ୍ତି କିଛି ନ ଜାଣିଲା ପରି ।

 

କାଳନ୍ଦୀ ତହୁଁ ବାପାଙ୍କ ବେକସନ୍ଧାରେ ନିଜ ମୁହଁଟି ଗଳାଇ ତାଙ୍କ ମୁହଁକୁ ଚାହେଁ, ନିଜ ସ୍ଥିତିକୁ ପୂରାପୂରି ପ୍ରତିଷ୍ଠିତ କରିବାପାଇଁ ବାପାଙ୍କୁ ସୁଦ୍ଧା ସେ ଠକି ଦେଇପାରିଛି ! କମ୍ ବାହାଦୁରୀ !

 

“ଆରେ ସତେ ତ ! ଏଇଠି ଅଛି ପୁଅ, ମୁଁ ଖୋଜି ଲାଗିଛି, କୁଆଡ଼େ ଗଲା ବୋଲି ।” ବାପା କହନ୍ତି ଆହୁରି ଆଶ୍ଚର୍ଯ୍ୟ ହେଲା ଭଳି । ତା' ପରେ ପୁଅ ଯେ ତାଙ୍କର ଜଗତଯାକ କେତେଆଡ଼ ବୁଲି ଆସିଲାଣି, ସେଥିଲାଗି ଅନୁମତି ଦେବାକୁ କି ଆକଟ କରିବାକୁ ବାପା ଆଉ ନାହାନ୍ତି । ପୁଅ ଭାବୁଛି, ସେ କୁଆଡ଼େ ନ ଯାଇ ବାପାଙ୍କ ପିଠି ଉପରେ ଲାଉ ହୋଇଛି ପରା ଆଜି ପର୍ଯ୍ୟନ୍ତ !

 

ସେତେବେଳେ କିନ୍ତୁ ଗର୍ବରେ ପୁଅର ଛାତି କୁଣ୍ଢେମୋଟ ହୋଇଯାଏ । ବାପାଙ୍କଠାରୁ ସେ ଯେ ବେଶି ବୁଦ୍ଧିମାନ୍, ଏଥିରେ ତା’ର ଆଉ ସନ୍ଦେହ ରହେ ନାହିଁ । ଖାଇସାରି ବାପା ଖରାବେଳେ ଟିକିଏ ବିଶ୍ରାମ ନିଅନ୍ତି ମଝି ସାହାଲା ଆଟୁଘରେ । ପୁଅକୁ ଜବତ୍ କରି ପାଖରେ ଶୁଆଇ ରଖନ୍ତି—“ନା, ଖରାରେ ତୁ କୁଆଡ଼େ ଯିବୁ ନି । ଥିର୍ ହୋଇ ଶୋଇପଡ଼ ।”

 

ଦି’ ପହରଟା ଯେ ସବୁଠୁ ବେଶି ଖେଳିବା ବେଳ ! ସେତେବେଳେ ପୁଣି ଶୋଇବ କିଏ ? ବାରିତଳ ଚକାମ୍ବ ଗଛରେ ଡାଳମାଙ୍କୁଡ଼ି ଝୁଲିବା; ଷୋଳଗୁଣ୍ଠ ନଡ଼ିଆ ବାଡ଼ିରେ ଢେଲା ମାରି ନଡ଼ିଆ ପାରିବା, କଞ୍ଚଗର ଉପର କିଆବାଡ଼ରେ ନିଆଁ ଲଗାଇବା, ପୁଣି ପାଣପଣ୍ଡା ବେତବଣରୁ ବେତକୋଳି ତୋଳିବା—କେତେ ଖେଳ ନାଚିଯାଏ ଆଖି ଆଗରେ । ସେଥିରେ ପୁଅ ଆଖିକି ନିଦ ଆସିବ କେମତି ଭଲା ! ବାପାଙ୍କ ବୋଲ ମାନି ଆଖି ମୁଦିବାକୁ ଯେତେ ଚେଷ୍ଟା କଲେ ବି ଆପେ ଆପେ ଅଖିପତା ମେଲା ହୋଇଯାଏ ।

 

ଖେଳ-ସାଥୀମାନେ ଜଣ ଜଣକା ଆସି ଦୁଆର କବାଟ ପାଖରେ ମୁହ ଦେଖାନ୍ତୁ ଆସ୍ତେ ଆସ୍ତେ । ମାମୁଁପୁଅ ଭାଇ ଶିରୁ ଭାଇନା, ଶିନୁ ଭାଇନା, ବନୁ ଭାଇନା ପୁଣି ଦଦେଇ ପୁଅ ମାଗୁ ଭାଇନା । ମାମୁଁ ପୁଅ ଭାଇମାନେ ତାଙ୍କ ପିଉସାଙ୍କୁ ଡରନ୍ତି, ତାଙ୍କ ଆଗେ ବେଶୀ ପାଖକୁ ଆସନ୍ତି ନି—ଭାଇ ମାଗୁ ଅର୍ଥାତ୍ ମାଗୁଣିଆ ଟିକିଏ ବୋକା ଢଙ୍ଗର । ସେ ଆସି ସିଧା ସଳଖ କବାଟପାଖରେ ଠିଆ ହେଲା । ମୁହଁରେ ଖଣ୍ଡେ ଚାଦର ପକାଇ ବାପା ବିଶ୍ରାମ କରୁଥାନ୍ତି । ମାଗୁ ଭାଇନା ମୋ ସାଥିରେ କ’ଣ ଟିକିଏ ଠରାଠରି ହେବାରୁ ତାହା ଜାଣି ପାରି ସେ ମୁହଁରୁ ଚାଦର କାଢ଼ି ଧମକ ଦେଲେ—

 

‘‘କିରେ ମାଗୁ ? ଖରାବେଳରେ ଆସିଚୁ କାହିଁକି ? ଯା ଶୋଇବୁ ଯା ।’’ ତା’ ପରେ ମତେ ମଧ୍ୟ କୋବଲାନ୍ତି “ତୁ ଶୋଇପଡ଼ ।’’ ଛଦ୍ମ ସମର୍ଥନ ଜଣାଇ ମୁଁ ମଧ୍ୟ ମାଗୁ ଭାଇନାକୁ ଖେଳିବାପାଇଁ ମନା କରିଦେଇ ଆପେ ଶୋଇବାର ଛଳନା କରେଁ ।

 

ବାପାଙ୍କ ଧମକରେ କାଳେ ଖସି ପଳାଇବ ସେ ! ତେଣୁ ବରାବର ତାକୁ ମୁଁ ଆଖି ମିଟିକା ମାରୁଥାଏଁ । ବାପା ପୁଣି ତାଙ୍କ ମୁହଁରେ ଚାଦର ଘୋଡ଼ାଇ ଶୁଅନ୍ତି । ଧମକ ପାଇ ମାଗୁଣିଆ ଟିକିଏ ଆଡ଼େଇ ଯାଇ ପୁଣି ଆସି ଦୁଆରମୁହଁରେ ହାଜର !

 

ହଁ ପରା ! ବାପା ଏଥର ଶୋଇ ଗଲେଣି, ଘୁଙ୍ଗୁଡ଼ି ମାରିଲା ପରି ତ ଜଣାପଡ଼େ । ଧୀରେ ଧୀରେ ମୁହଁ ଟେକି ମାଗୁଣିଆକୁ ମୁଁ ଠାର ଭାଷାରେ କହେଁ, “ଗୁଣିଆମା ଛରେମି !” ଅର୍ଥାତ୍ ମାଗୁଣିଆ, ମୁଁ ମିଛରେ ଶୋଇଥିଲି ।

 

ମୁହଁରୁ ଚାଦର କାଢ଼ି ବାପା ଠୋ ଠୋ ହସିଉଠିଲେ । କିଛି ସମୟପାଇଁ ଖେଳିବାକୁ ମଧ୍ୟ ଅନୁମତି ମିଳିଗଲା ମୋର ଏଇ ଚତୁରତାର ପୁରସ୍କାର ସ୍ୱରୁପ; କିନ୍ତୁ ବଡ଼ ହୋଇ ସାରି ବାପାଙ୍କ ମୁହଁରୁ ଅନ୍ୟମାନଙ୍କ ଆଗରେ ଏଇ ଘଟଣାର ପୁନରାବୃତ୍ତି ଶୁଣି କେତେ ଥର ମୁଁହ ମୋର ରଙ୍ଗା ପଡ଼ିଯାଇଛି ।

 

ଖେଳର କ’ଣ ସୀମା ଅଛି ? ବାପାଙ୍କ ଅନୁମତି ପାଇ ଘରୁ ପାଦ କାଢ଼ିବା ମାତ୍ରେ ଦାଣ୍ଡଦୁଆରେ ଭିକାରୁଣୀ କେଲୁଣୀ ଗୀତ ଶୁଣାଯାଏ—“ରାମ ବୋଉ ଶାମ ବୋଉ ଲୋ, ହରି ବୋଉ ପରି ବୋଉ ଲୋ, ନିଧିଆ ବୋଉ ବୁଦ୍ଧିଆ ବୋଉ ଲୋ, ମଣି ବୋଉ ରାଣୀ ବୋଉ ଲୋ, ଦିଅ ଲୋ !”

 

ଦାଣ୍ଡଦୁଆରେ ତକେଇ କରି ରହିଥାନ୍ତି, ଆଉ ସବୁ ଖେଳସାଥି । କାଠଘର ବାଡ଼ିରେ ବହୁତ ଆମ୍ବ । ଚଇତି-ପବନରେ ଗୋଟି ଗୋଟି ‘ଗଛପାଚିଲା’ ଆମ୍ବ ଝଡ଼େ । ତେବେ ଖୁବ୍ ସାବଧାନରେ ଆମ୍ବ ଗୋଟାଇବାକୁ ହେବ । କାଠଘର ଖୁଡ଼ୀ କେଉଁଠି ଜଗିଥିବ, ଗାଳି ଦେବଟି ! ଖବରଦାର ! ଗଛକୁ କେହି ଟେକା ମାରିବନି । ତଥାପି ଶିନୁ ଭାଇନା, ଶିରୁ ଭାଇନା କ’ଣ କାହାରି କଥା ଶୁଣିବେ !

 

“କିଏ ଟେକା ମାରୁଛି ରେ ! ଗଛ ଜଳା…ଅଳପେଇଷ…”

 

କିଲିକାଲିଆ ହୋଇ କିଏ ଯେ କୁଆଡ଼େ ପଳାଉଁ ! ଦଣ୍ଡକ ପରେ ସମସ୍ତେ ଯାଇଁ ଏକାଠି ହେଉଁ ବଣାହୁଡ଼ା ପାଖରେ । ତାହାର ତୁରନ୍ତ ସଂକେତ ମିଳେ ଯେତେବେଳେ କିଆବୁଡ଼ା ବେତବୁଦାରୁ କୁଣ୍ଡଳାକାର ଧୂଆଁ ପଛକୁ ନାଲି ଜିଭ ବାହାର କରି ନିଆଁ ଜଳି ଉଠେ ଚଡ଼ଚଡ଼ ଶବ୍ଦରେ ! ଉଦୁଉଦିଆ ଦି’ପହର ଖରାରେ ଚାରିଆଡ଼ ବିଲ ପାଟ ମଝିରେ ସେ ଦୃଶ୍ୟ ଦେଖି ନାଚି ଉଠନ୍ତି ପିଲାଯାକ । ଗାଁ’ମୁଣ୍ଡ ସଡ଼କ ଉପରୁ କିନ୍ତୁ କାହାର କର୍କଶ ପାଟି ଶୁଣାଯାଏ—“ହଇ ରେ, ଏ କ’ଣ ହେଉଛି !” ସେଠାରୁ ପୁଣି ଦେ ଦଉଡ଼ କକେଇ ଘର ବାଡ଼ି ଗଡ଼ିଆକୁ !

 

ଗଡ଼ିଆଟା ଖୁବ୍ ଗହୀର । ଖରାଦିନେ ପାଣି ଶୁଖି ନେଳି ପଡ଼ିଯାଇ ଥିଲେ ବି ପୁରୁଷକରୁ କମ୍ ନୁହେଁ । ପୋଖରୀ ବନ୍ଧର ବୁଢ଼ା ନଡ଼ିଆ ଗଛଟା ଉପୁଡ଼ିଯାଇ ଲମ୍ବହୋଇ ଶୋଇ ପଡ଼ିଥାଏ ଗଡ଼ିଆ ମଝି ପାଣି ଉପରେ । ପଥର ପାହଚରେ ଓହ୍ଲାଇ ପଡ଼ି ତା’ପରେ ପାଣିରେ ପହଁରି ପହଁରି ପିଲାଯାକ ସେଇ ନଡ଼ିଆ ଗଛ ଉପରେ ଯାଇ ଘୋଡ଼ା ଚଢ଼ୁଛନ୍ତି, ପୁଣି ତା’ ଉପରୁ ବାଦୁଡ଼ିପରି ଓହଳି ପାଣିରେ ପଡ଼ୁଛନ୍ତି, ବନ୍ଧ ଭାଙ୍ଗୁଛନ୍ତି । ଛୋଟ ଗଡ଼ିଆଟିର ପାଣିମୁନ୍ଦାକ ତାଙ୍କ ଉତ୍ପାତରେ ଗୋଟାଏ ଲୋଭନୀୟ ଛଳ ଛଳ ଶବ୍ଦ ସୃଷ୍ଟି କରୁଥାଏ ଲହଡ଼ି ଉଠାଇ । କେମିତି ମଜା ! ମୁଁ କିନ୍ତୁ ପହଁରା ଶିଖି ନ ଥିବାରୁ ନିରାଶ ମୁହଁରେ ଠିଆହୋଇ ଚାହିଁଥାଏ ଗଡ଼ିଆ-ପାହାଚ ଉପରେ । ଜଣ ଜଣ କରି ସାଙ୍ଗ ପିଲାଏ ପାଣି ଉପରେ ମୁଁହମାଡ଼ି ହାତଗୋଡ଼ ପାଣିରେ ଛାଟି ପହଁରି ଯାଉଛନ୍ତି । ମୁହିଁ ଏକା କାତର ହୋଇ ଚାହିଁଛି ନିରୂପାୟଦୃଷ୍ଟିରେ ।

 

ଶିରୁ ଭାଇନା କହିଲେ ସାହସ ଦେଇ, “ଦେଖ୍, ମୁଁ କେମିତି ପହଁରୁଛି । ଖୁବ୍ ସହଜ । ଏମ‌୍‌ତି ପାଣି ଉପରେ ମୁହଁ ମାଡ଼ି ଶୋଇ ପଡ଼ିବୁ । ତା’ପରେ ଚଢ଼େଇ ଉଡ଼ିଲା ପରି ହାତ ଯୋଡ଼ିକ ଗୋଡ଼ ଯୋଡ଼ିକ ପାଣିରେ ଛାଟିବୁ, ବୁଝିଲୁ ?’’ ସେ ନିଜେ କରି ମୋତେ ଦେଖାଇ ଦିଅନ୍ତି । ପରିଷ୍କାର ପ୍ରାକ୍‌ଟିକାଲ ଟ୍ରେନିଂ !

 

“ନାହିଁ, ନାହିଁ, ପାଣି ଉପରେ ମୁହଁ ମାଡ଼ି ପଡ଼ିଲା କ୍ଷଣି ତ ମୁଁ ବୁଡ଼ିଯାଉଛି । ପୁଣି କିମିତି ନିଃଶ୍ୱାସ ବି ରୁନ୍ଧି ହେଇଆସୁଛି।” ସତରେ ମୋତେ ଡରମାଡ଼େ ଖୁବ୍ ବେଶୀ ।

 

ଶିରୁ ଭାଇନା ହସନ୍ତି, ତାଚ୍ଛଲ୍ୟ ହସ—“ଆରେ ନାହିଁରେ ବୋକା, କିଛି ହବ ନି । ଖାଲି ଆହୁଲା ମାରିଲା ପରି ହାତ ଗୋଡ଼ ଛାଟିବୁ, ଏମ‌୍‌ତି ।”

 

ପୁଣି ମତେ ସେ ବଢ଼ାଇ ଦିଅନ୍ତି । ପୋଖରୀକୂଳରେ ଅଣ୍ଟାକ ପାଣିରେ ଆଗ ପହଁରା ଶିଖିଲି । ହେଲେ ବେଶି ପାଣିକି ଯିବାକୁ ଛାତି ଥରୁଥାଏ । ଶିରୁ ଭାଇନା ଚାରି ପାଞ୍ଚ ଥର ମୋତେ ପହଁରା ଶିଖାଇଦେଲେ । ନିଜେ ଚାରି ପାଞ୍ଚ ଥର ଗଡ଼ିଆଟାର ଏମୁଣ୍ଡରୁ ସେ ମୁଣ୍ଡଯାକେ ମୋ ଆଗରେ ପହଁରି ଗଲେ । ଚିତି ପହଁରା, ଠିଆ ପହଁରା, ପୁଣି ପାଣି-କୁଆ ପରି ବୁଡ଼ା ପହଁରା, ଦଣ୍ଡ ବୈଠକ, ବାଗୁଡ଼ି, ମାଳକୁସ୍ତି ସବୁଥିରେ ଶିରୁ ଭାଇନା ଓସ୍ତାଦ୍ । ମୁଁ କୁଆଡ଼େ ତାଙ୍କୁ ପାରିବି ! କହିଲି ନାହିଁ ମୁଁ ଏହି କୂଳରେ ପହଁରୁଛି ।”

 

ପୋଖରୀ ଉପରେ ପଡ଼ିଥିବା ନଡ଼ିଆ ଗଛ ଉପରୁ ପିଲାଯାକ ତାଳି ମାରି ପାଟି କଲେ, “ଆରେ ଏଇଟା କୂଳବୁଡ଼ାଟା ରେ, କୂଳବୁଡ଼ାଟାରେ !” ଅର୍ଥାତ୍ ମୁଁ ପୋଖରୀକୂଳରେ ବୁଡ଼ୁଚି, ଭିତରକୁ ଯାଇ ପାରୁନି ।

 

ଶିରୁ ଭାଇନା ପୁଣି ସାହସ ଦେଇ ଡାକ ଛାଡ଼ିଲେ, “କିଛି ପରବାୟ ନାହିଁ, ଚାଲିଆ ଏଥର-। କୂଳରେ ଯେମ‌୍‌ତି ପହଁରୁଛୁ, ଠିକ୍ ସେମ‌୍‌ତି ! କିଛି ହବ ନି ! କିଛି ହବ ନି !”

 

ପଛରୁ ଅନ୍ୟମାନଙ୍କ ଲଜ୍ଜା ଅପମାନ ଓ ଆଗରେ ଶିରୁଭାଇନାଙ୍କର ସାହସ ପାଇ ଡେଇଁ ପଡ଼ିଲି ପାଣିଭିତରକୁ । ଦି’ ଚାରି ହାତ ପହଁରିଛି କି ନାହିଁ, ହାତ କି ଗୋଡ଼ କାହିଁକି କେଜାଣି ଚଳିଲା ନି ! ପାଣି ଭିତରଟା ଖାଲି ଲାଲ ଦିଶୁଛି । ପିଲାଙ୍କ ପାଟି ଯେମ‌୍‌ତି ଦୂରରୁ ଦୂରକୁ ଶୁଣା ଯାଉଥାଏ । ମୁହଁ ଟେକିବାର ଉପାୟ ନାହିଁ । ନିଃଶ୍ୱାସ ରୁନ୍ଧି ହୋଇ ଆସିଲାଣି । କେତେ ଢୋକ ପାଣି ପେଟ ଭିତରକୁ ଗଲାଣି ଜାଣେ ନି । ନା, ଆଉ ନୁହେ, ଏଥର ସବୁ ଶେଷ ।

 

କିନ୍ତୁ ଏ କ’ଣ ? କିଏ ଯେମ‌୍‌ତି ମୋ ଗୋଡ଼ ଯୋଡ଼ାକୁ ଧରି ଟାଣୁଛି । ଆଉ ମୁଣ୍ଡଟା ମୋର ତଳକୁ ନ ଯାଇ ଉଠୁଛି ଉପରକୁ ! ପୁଣି ମୁଁ ଏବେ ଭଲକରି ଛାଡ଼ି ପାରୁଛି ନିଃଶ୍ୱାସ, ଦେଖି ପାରୁଚି ଖରା ଆଲୁଅ ! ମୁହଁରେ ମୋର ଫୁଟି ଉଠିଚି ହସ । ଜଣକ ଉପରେ କନ୍ଧୂଅ ହୋଇ ମୁଁ ପୋଖରୀକୂଳ ଆଡ଼କୁ ଚାଲିଛି । ସେ ଜଣକ ଆଉ କେହି ନୁହନ୍ତି, ମୋର ମାମୁଁ ପୁଅ ଭାଇ ଶିରୁଭାଇନା—ଶ୍ରୀକର ଶତ୍‌ପଥୀ ।

 

ଶିରୁଭାଇନା ନ ଥିଲେ ସେ ଦିନ ମୋର ନିଶ୍ଚୟ ସଲିଳ-ସମାଧି ହୋଇ ପୃଥିବୀ ଉପରୁ ସବୁ ସତ୍ତା ନିଭି ଯାଇଥାନ୍ତା । ସେଇ ସମାଧିରୁ ମୋତେ ଉଦ୍ଧାର କରି ସେ ଠିକ୍ କଲେ, କି ଭୁଲ କଲେ, ଆଜି ଅବଶ୍ୟ କପାରିବି ନି । ପୁଣି ସେଥିଲାଗି ତାଙ୍କ ପାଖେ ମୁଁ ଋଣୀ କି ନୁହେଁ, ଆଉ ସେ ଋଣର କିଛି ସୁଧମୂଳ ଅଛି କି ନାହିଁ, ଅଥବା ତାହା ପରିଶୋଧ କରାଯାଇ ପାରେ କି ନାହିଁ, ଏ ସବୁ ବିଚାର ବାଢ଼ିବା ପାଇଁ ଶିରୁଭାଇନା ମୋ ପାଖରେ ନାହାନ୍ତି—ପୃଥିବୀର ଆଉ କାହାରି ପାଖେ ବି ସେ ନାହାନ୍ତି । ତେବେ ଆଉ ସବୁ ଦୁର୍ଘଟଣା ପରି ଏଇ ଚରମ ଦୁର୍ଘଟଣାରୁ ମଧ୍ୟ ସେ ଥରକ ମୁଁ ଉତୁରିଗଲି ଦୈବାତ୍ ! ଏହି କୃତଘ୍ନ ସ୍ୱୀକାରୋକ୍ତି ଲାଗି ସ୍ୱର୍ଗରେ ଥାଇ ମୋତେ ଶିରୁଭାଇନା ନିଶ୍ଚୟ କ୍ଷମା କରିବେ ବୋଲି ମୋର ବିଶ୍ୱାସ । କାରଣ ତାଙ୍କପାଇଁ ତ ଜୀବନରେ ମୁଁ କିଛି ହେଲେ କରିପାରି ନି !!!

 

ଦୁର୍ଘଟଣାକୁ ପୂରାପୂରି ଗୋପନ ରଖିବାପାଇଁ ସବୁ ପିଲାଙ୍କ ଭିତରେ ମସୁଧା ହେଲା । ମସୁଧାଟାକୁ ସମସ୍ତେ ମାନିଲେ କି ନାହିଁ ଆଜି ମନେ ପକାଇବା ଅସମ୍ଭବ, ମାତ୍ର ଏଇ ଅନିଚ୍ଛାକୃତ ଆତ୍ମହତ୍ୟା ଉଦ୍ୟମ ଲାଗି ମୁଁ କଦାପି ପୂରାପୂରି ଅପରାଧୀ ନୁହେ କିମ୍ବା ଆଉ କିଏ ନୁହନ୍ତି ବୋଲି ମନେହୁଏ । କାରଣ ଏହାକୁ ଆଦୌ କୌଣସି ଦୁର୍ଘଟଣା ବୋଲି ନ ବିଚାରି ପୂର୍ବ ପରି ଜଳକ୍ରୀଡ଼ାରେ କିଛି ହେଲେ ବ୍ୟାଘାତ ଘଟେ ନାହିଁ, ଯେ ପର୍ଯ୍ୟନ୍ତ ପୋଖରୀ ସେ ମୁଣ୍ଡ ବେତବୁଦା ପାଖରେ ଏକ ଅକସ୍ମାତ୍ ନିର୍ଘାତ ପତନ ଶବ୍ଦ ଶୁଣା ନ ଯାଏ ଏବଂ ଏକାଦିକ୍ରମେ ପୁଣି ସେଇ ସୁପରିଚିତ ଚିତ୍କାର –“ହଇ ରେ, ଏ କ’ଣ ହେଉଛି ! ହଉ ଚାଲ, ଆଜି ଦେଖିଦେଉଛୁ ତୁମକୁ ।”

 

ମାଷ୍ଟ୍ରେ! ଇସ୍କୁଲ ମାଷ୍ଟ୍ରେ!!

 

ବରାବର ସେ ଗୋଡ଼େ ଗୋଡ଼େ ଜଗିଛନ୍ତି ! କିଆବାଡ଼ରେ ନିଆଁ ଲଗାଇଲାବେଳେ, ଘରେ ବାହାରେ ଇସ୍କୁଲରେ, କେଉଁଠି ସେ ନାହାନ୍ତି ! ସକାଳୁ ଇସ୍କୁଲ ଯିବାପାଇଁ ତାଙ୍କ ଡାକରା । ଘରେ ଠିକ୍ ବେଳରେ ପିଲା ଖାଇଲା କି ନାହିଁ ସେ କଥା ବି ପଚରା । ମଝିରେ ମଝିରେ ଏମ‌୍‌ତି କେତେ କଥାରେ ବାପ ମା’ ଅଭିଭାବକ ଓ ମାଷ୍ଟରଙ୍କ ଭିତରେ ମଧ୍ୟ କେତେ ବିଚାର-ଝଗଡ଼ା ! ଆଉ ତା’ର ଫଳସ୍ଵରୁପ ପୋଖରୀ-ବନ୍ଧ ବେତବୁଦା ମୂଳେ ମାଷ୍ଟରଙ୍କ ନିର୍ଘାତ କଚଡ଼ା ।

 

ତାହାର ଅସଲ କାରଣ ହେଲା, ସେଠାକୁ ସେ ଆସିବେ ବୋଲି ଆଗରୁ କେବଳ ଜାଣି ପାରିଥିଲେ ଭବିଷ୍ୟଦ୍ରଷ୍ଟା ଶିରୁ ଭାଇନା । ଜାଣିପାରି ବେତନଟୀରେ ଫାଶ ପକାଇ ରଖିଥଲେ ଶିକ୍ଷକଙ୍କୁ ଶିକ୍ଷା ଦେବାପାଇଁ । ଶିକ୍ଷକ ପୁଣି ଆମର ଗାଁର ଅଲା ଭାଇନା—ମୋର ଲଗ୍ନିକ ଭିଣୋଇ ଶ୍ରୀ ଅଲେଖଚନ୍ଦ୍ର ଶତ୍‌ପଥୀ । ଗୋଲଗୋଲ ଦେହଟି, ସାବନା ରଙ୍ଗ । ରସକଲ୍ଲୋଳ, ବିଦଗ୍ଧଚିନ୍ତାମଣି, ପ୍ରେମସୁଧାନିଧି, ଲାବଣ୍ୟବତୀରୁ ଅନେକ ଛାନ୍ଦ ତାଙ୍କର ମୁଖସ୍ଥ । ସେମ‌୍‌ତି କେଉଁ ପିଲା କୁଆଡ଼େ ଗଲା, ତାହା ମଧ୍ୟ ତାଙ୍କୁ ଆଗରୁ ଜଣା ।

 

ଖାଲି ତ ଇସ୍କୁଲ ନୁହେ, ଘରେ ଘରେ ପଶି ଅମାନିଆ ପିଲାଙ୍କୁ ଶାସନ, ମା’ କାନିରୁ ଝିଙ୍କି ଆଣି ନିସ୍ତୁକ ପ୍ରହାର-ଆଉ ସେଥିଲାଗି କେତେ ପ୍ରତିବାଦ, ଅଭିଯୋଗ । ଦେଶ-ବିଦେଶରେ ଆଜି ଛାତ୍ର ଆନ୍ଦୋଳନ-ବା ଛାତ୍ର ବକ୍ଷୋଭ କଥା ପଡ଼ିଲେ, ପୁଣି ସେଥିଲାଗି କିଏ ଦାୟୀ ବୋଲି ପ୍ରଶ୍ନ ଉଠିଲେ, ସେତେବେଳେ ଜଣେ ଶିକ୍ଷକ ତାଙ୍କର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେବାର ଗୋଟିଏ ଅତୀତ ବିଚାର ମନକୁ ଆସେ । ଉକ୍ତ ଶିକ୍ଷକ ଥରେ ଗୋପନରେ ରହି ଦୁଇଟି ପିଲାଙ୍କର ଏହିଭଳି କଥୋପକଥନ ଶୁଣନ୍ତି—

 

ଜଣେ ପିଲା କଠିନ ବେତ୍ରାଘାତ ଖାଇ ସାରି ଏକାନ୍ତରେ ତା’ର ବନ୍ଧୁକୁ ଡାକି କହୁଛି, “କ’ଣ କରିବା ? ଇସ୍କୁଲ ଘରେ ନିଆଁ ଲଗାଇ ଦେବା କି ?”

 

ଦ୍ୱିତୀୟ ଛାତ୍ର ତା’ର ଯୁକ୍ତିକୁ ଖଣ୍ଡନ କରି କହେ, “ଧେତ୍ ବୋକା, ଇସ୍କୁଲଘରେ ନିଆଁ ଲଗାଇଦେଲେ ହେବ କ’ଣ ? ପୁଣି ଇସ୍କୁଲ ଘର ତୋଳା ହେବ ନି କି ? ଆଉ ତୋଳା ହେବାଯାକେ ତୁମେ ଦାଣ୍ଡଘରେ କି ଆମ ଦାଣ୍ଡଘରେ ସ୍କୁଲ କ’ଣ ବସି ପାରିବ ନି ?”

 

“ତେବେ କ’ଣ ଗାଁ ଯାକ ସବୁରି ଘରେ ନିଆଁ ଲଗେଇ ଦେବା ?”

 

“ପୁଣି ସେମ‌୍‌ତି ସବୁରି ଘର ନୂଆ ହୋଇ ତୋଳା ହେବନି !”

 

“ତା’ହେଲେ ମାଷ୍ଟର ମରିଯାନ୍ତେ କି—’’

 

ଦ୍ୱିତୀୟ ଛାତ୍ରଟି ଏଥର ଟିକିଏ ଚିନ୍ତା କରି କହିଲା, “ଆରେ, ମାଷ୍ଟର ମରିଗଲେ ହବ କଣ ମ ! ପୁଣି ତ ନୂଆ ମାଷ୍ଟର ଆସିବେ । ତେବେ ଗୋଟିଏ ମାତ୍ର ଉପାୟ ଅଛି—’’

 

“କ’ଣ ଉପାୟ କହିଲୁ ? ହତାଶ ବନ୍ଧୁଟି ଉତ୍ସାହିତ ହୋଇ ପଚାରିଲା—

 

ଆଉ ଟିକିଏ ସ୍ୱର ନୂଆଁଇ ଦେଇ ଓ ଡୋଳାଯୋଡ଼ିକୁ ଚାରିପଟେ ବୁଲାଇ ଆଣି ପିଲାଟି ଅତି ବିଶ୍ୱାସରେ ଜଣାଇଲା—

 

“ଉପାୟ କ’ଣ ଜାଣୁ ? କାହାରି ଆଗରେ କହିବୁ ନି ତ ?”

 

“ନା, କେଭେଁ ନୁହେ ।” ବନ୍ଧୁଟି ତାକୁ ନିର୍ଭର ଜବାବ ଦିଏ.ନିଜ ଆଖି ଛୁଇଁ ଓ ରାଣ ପକେଇ ।

 

“ତେବେ ଶୁଣ୍—ବାପା ମରିଯାନ୍ତେ କି !”

 

“ଏଁ, କ’ଣ କହିଲୁ ?” ଆର ପିଲାଟି ଚମକିପଡ଼ିଲା ।

 

“ହଁ ରେ, ବାପା ମରିଗଲେ ଆଉ ଜଣେ ବାପା ଆସିବେ ନା ମତେ କି ତତେ ଇସ୍କୁଲକୁ ଆଉ ପଠାଇବେ ।”

 

ବାପା କିନ୍ତୁ ମରନ୍ତି ନାହିଁ କି ମାଷ୍ଟରଙ୍କର ବଦଳି ହୁଏ ନି । ଶିରୁ ଭାଇନାଙ୍କ ପିଠିରେ ହାତ ମାରି ପିଲାଏ ଖୁସି ହୁଅନ୍ତି ।

 

“ସାବାସ୍ ଭାଇ, କେମିତି ଭଲା ଜାଣିଥିଲୁ ମାଷ୍ଟ୍ରେ ଏଇ ବେତବୁଦା ପାଖକୁ ଆସିବେ ବୋଲି ?”

 

ଶିରୁ ଭାଇନାଙ୍କୁ ଜବାବ ଦେବାକୁ ପଡ଼େ ନାହିଁ । ଆଉ ଜଣେ ପିଲା ଉପରେ ପଡ଼ି କହେ, “ଆରେ ସେ ଜାଣିବ ନି ତ ଆଉ କିଏ ? ଉଡ଼ିଗଲା ଚଢ଼େଇର ପର ଗଣିଦେବଟି ସେ । ଠିକ୍ ହେଇଛି, ଆଛା ହେଇଛି।”

 

ତୃତୀୟ ବନ୍ଧୁ ବାହାରିପଡ଼ି ଯୋଗ ଦିଅନ୍ତି, ‘‘ଯେମ‌୍‌ତି ଦିଅଁଙ୍କୁ ସେମ‌୍‌ତି ପୂଜା, ବାଲିଗରଡ଼ାକୁ ଚାଉଳଭଜା । ଶିରୁ ଭାଇନାଙ୍କ ହାଣ୍ଡି ଶାଳ ଘରେ ପଶି—ସବୁ ପିଲା ମାଇପେ ହା ହା କରୁଛନ୍ତି—ସେ ଦିନ କେମିତି ମାଷ୍ଟ୍ରେ ତା’ ଉପରେ ନିସ୍ତୁକ ବିଧାମାଡ଼ କୁଟି ପକେଇଲେ ଶୁଣି ନାହୁଁ ? ସାଇପଡ଼ିଶା ତିନି ଘର ପରା ଦୁଲୁକି ଉଠିଲା ।”

 

ଆଉ ଜଣେ କହେ, ‘‘ଆରେ ହଁ, ଉଧାର ସେରକ ତ ପାଞ୍ଚପା, ଯିବ କୁଆଡ଼େ ? ଶିରୁ ଭାଇନା ବେତନଟୀରେ ଫାଶ ପକେଇଥିଲେ ବୋଲି ମାଷ୍ଟ୍ରେ ସିନା ସେଇ ଗଡ଼ିଆ ବନ୍ଧ ଉପରେ ପଡ଼ି ଅଟକିଗଲେ । ନଇଲେ ତ ବନ୍ଧତଳକୁ ଗଡ଼ିଗଡ଼ିକା ପୋଖରୀ ଭିତରେ ପଡ଼ି ଉବୁଟୁବୁ ହେଉଥାନ୍ତେ ।’’

 

ହସି ଉଠନ୍ତି ସବୁ ପିଲାଯାକ ।

 

ସତ କହିଲେ, ଏମ‌୍‌ତି କିଛି କାମ ନାହିଁ ଜଗତରେ, ଯାହା କି ଶିରୁ ଭାଇନାଙ୍କର ଅସାଧ୍ୟ ବୋଲି ବୋଧହୁଏ, ଖାଲି ପାଠକୁ ଛାଡ଼ି । ଗଛ ଚଢ଼ା, ମାଛଧରା, ମହୁମରା, ବାଣ ଲଗେଇବା ସବୁ କାମକୁ ସେ ଧୂରନ୍ଧର । ବନ୍ଧ ଭାଙ୍ଗିବା, ବାଗୁଡ଼ି, ମାଲକୁସ୍ତି, ନାଗାଭିଡ଼ା ତ ଛାଡ଼ । ଖଞ୍ଜଣି ଭଜନରେ ବି କିଛି କମ୍ ନୁହନ୍ତି ସେ । ପୁଣି ଯେଉଁ ଭୁଜବିଦ୍ୟା କେଳା ଗାଁ ଭିତରେ ଡିବି ଡିବି ଡମ୍ବରୁ ବଜାଇ ମୁଣିଭିତରୁ କାଉଁରୀ ହାଡ଼, ଅଦ୍ୟା-ଗୋପୀ-ମିଶ୍ର, ବାଉଁଶନଳା ପୁଣି କେତେ କ’ଣ ହଟଚମଟ ବିଦ୍ୟା ଦେଖାଇ ସମସ୍ତଙ୍କୁ ବୋକା ବନେଇଦିଏ, ଶିରୁଭାଇନା ଥରଟାଏ ଖାଲି ଚାହିଁଦେଲେ ନିଜେ ସେ ସବୁ କରିପାରନ୍ତି ।

 

ସେ ଥର କିନ୍ତୁ ମାଛମରାରେ ପଡ଼ିଥାଏ ମୋର ପାଳି । ଭୋଦୁଅ ମାସ ଖରାରେ ଆମ ବାଡ଼ି ଗଡ଼ିଆର ଭରା ପାଣି ଜକ ଜକ ଦିଶୁଚି । ସେ ବର୍ଷ ବହୁତ ମାଛ । ଆମେ ଦଶବାର ଜଣ ଗଡ଼ିଆବନ୍ଧରେ ବସି ବନ୍‌ସିକଣ୍ଟା ପକାଇ ମାଛ ଧରୁଛୁଁ । ମୋର ପିଉସୀ ପୁଅ ଭୋବନି ଭାଇନା ବୋଧହୁଏ ଗୋଟାଏ ଭଲ ବନ୍‌ସି କଣ୍ଠା ମୋ ପାଇଁ ବାଛି କିଣି ଦେଇଥାନ୍ତି । ସେ ଦିନ କି ଯୋଗ କେଜାଣି, ପ୍ରତି ଚାରି ପାଞ୍ଚ ମିନିଟ୍‍ରେ ମୋ ବନ୍‌ସିରେ ଗୋଟାକୁ ଗୋଟା ସାନବଡ଼ ମାଛ ଉପରେ ଆସି ପଡ଼ୁଥାନ୍ତି । ଅଥଚ ଆଉ ସମସ୍ତେ ବସିଥାନ୍ତି ମୁହଁ ଶୁଖାଇ । ସବୁ ଥର ମୋ ବିଜୟରେ ଉଲ୍ଲସିତ ଶିରୁ ଭାଇନାଙ୍କ ଉତ୍ସାହ ବାଣୀ ଶୁଣାଯାଏ—“ସାବାସ୍ ! ସାବାସ୍ ! ପୁଣି ଚାଲୁ ଥୋପଗୁନ୍ଥା ।”

 

କେତେ ଜଣ ସାନ ପିଲା ଆସି ଆମ ପାଖରେ ମାଛଧରା ଦେଖୁଥାନ୍ତି । ଅଳ୍ପ ଦୂରରେ ଢିଙ୍କିଶାଳ । ଶରଧୀ ମା’ ଓ ଆଉ ଦି’ଜଣ ସ୍ତ୍ରୀ-ଲୋକ ଧାନକୁଟାରେ ବ୍ୟସ୍ତ । ବୋଉ ମଧ୍ୟ ସେଇଠି ଜଗି ଥାନ୍ତି ! ଶରଧୀ ମା’ର ସାନ ଝିଅ ପାସୋରୀଟା ଆସି ପିଲାଙ୍କ ମେଣ୍ଟରେ ଠିଆ ହୋଇ ମାଛଧରା ଦେଖୁଥାଏ ।

 

ବିଜୟ ଉଲ୍ଲାସରେ ସେତେବେଳକୁ ମୋର ବନ୍‌ସିଖଡ଼ାଟା ସପାତ୍ ସପାତ୍ ଶବ୍ଦ କରି ପାଣିଭିତରୁ ମାଛ ଟାଣି ଲାଗିଛି । ଆଉ ସୂତାଟା ଘୁରି ଯାଉଛି ମୋର ଚାରିପଟେ । ପିଲଗୁଡ଼ାଙ୍କୁ ସାବଧାନ କରି ମୁଁ ଡାକି ଦେଉଥାଏଁ, ଆଡ଼େଇ ଯିବାକୁ ଦେଖ—ପିଲାଏ, ସମସ୍ତେ ଦୁରକୁ ଆଡ଼େଇ ଯାଅ । ଏ ବନ୍‌ସି କଣ୍ଟା ଭାରିମୁନିଆ ଟି ! ଦେଖୁଛ ତ—ଯେଉଁ ମାଛ ଛୁଉଁଛି, ସାଥୀ ସାଥୀ ତୋଟିରେ ତା’ର ଲାଖିଯାଉଛି କିମତି୍ !” ସେମାନେ ବି ମୋ ଡାକରେ ଦୂରେଇ ଯାଉଥାନ୍ତି ।

 

ପିଲାଙ୍କ ଭିତରେ ସବୁଠାରୁ ବୋକୀ ସେଇ ପାସୋରିଟା । ଯେତେ ରାଗି ମାଗି ତା ଉପରେ ପାଟିତୁଣ୍ଡ କଲେ ବି ସେ ଓଲଟି ମୋ ଆଡ଼କୁ କେତେବେଳେ ଲାଗି ଆସିଛି, ମୁଁ ଜାଣିନି । ବନ୍‌ସି କଣ୍ଟାକୁ ଏଥର ଯେଉଁ ମାଛଟା ଧରିଛି, ସେ ନିଶ୍ଚୟ ଭାରି ଛେଉକା । ପାଣି ଉପରେ ଭାସୁଥିବା ଧଳା କାଠିଖଣ୍ଡି କେତେ ରୂପରେ ନାଚି ଉଠୁଚି । କେତେବେଳେ ପିଲାଙ୍କ ପାପୁଲି ଉପରେ ବଡ଼ମାନେ ଆଙ୍ଗୁଠି ମାରି “ଟୁଉକୁ ମୂଷି” କଲା ଭଳି, ଅବା ବୁଢ଼ା ନଡ଼ିଆଗଛ ଚେର ଉପରେ ବସି କଶରା ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରିଲା ଭଳି—ପୁଣି କେତେବେଳେ କାଠିଖଣ୍ଡିକୁ ବୁଡ଼ାଇ ନେଇ ବନ୍‌ସିକଣ୍ଟାକୁ ଗିଳିଲା ଭଳି ଛଳନା କରୁଚି; ଅଥଚ ପର ମୁହୂର୍ତ୍ତରେ ଛାଡ଼ିଦେବାରୁ କାଠି ଖଣ୍ଡିକ ଭାସି ଉଠୁଚି; ସବୁ ଥର ତାକୁ ଝିଙ୍କିବାକୁ ମୁଁ ଚେଷ୍ଟା କରି ବିଫଳ ହେଲିଣି ।

 

ଭୋଦୁଅ ମାସର ଧଳା ବଉଦ ମଝିରେ ମଝିରେ ଟିକିଏ ଛାଇ ପକାଇ ପୁଣି ଭାସି ଯାଉଛି-। ଟାଇଁ ଟାଇଁଆ ଖରା । ଗଡ଼ିଆର ନିର୍ମଳ ପାଣିରେ ନୀଳ ଆକାଶ ନିଜର ମୁହଁ ଦେଖୁଚି; ପାଣି ଭିତରେ ବନ୍‌ସିର ଧଳା କାଠି ଖଣ୍ଡ ଦୂରକୁ ଦୂରକୁ ପଶି ଯାଉଛି । ସେଥି ସଙ୍ଗେ ବନ୍‌ସି-ସୂତାଟା ଟାଣି ହୋଇଯାଇ ବନ୍‌ସିଖଡ଼ାଟା ଧନୁ ପରି ବଙ୍କା ହୋଇ ଗଲାଣି । ଏଇ ଥର ନିଶ୍ଚେ ସେଇ ମାଛଟାର ଚତୁରତା ଆସି ପଦାରେ ପଡ଼ିଯିବ । ପାଗ ଭିଡ଼ାହେବ ମାଛ-ଶିକାରୀ ମୁଣ୍ଡରେ !

 

ଦେହର ସବୁତକ ଜୋର୍ ଖଟାଇ ବନ୍‌ସି-ସୂତାକୁ ଝାଙ୍କି ଆଣିଲି, କିନ୍ତୁ ଏ କ’ଣ ! ପୋଖରୀଭିତରୁ ବନ୍‌ସି କଣ୍ଟାରେ ମାଛ ଲାଗିବା ବଦଳରେ ପୋଖରୀ ଉପରେ ଆସି ଲାଗିଲା ଠିକ ପାସୋରୀ ଗଳାରେ ! ସେଥି ସଙ୍ଗେ ତା’ର ଛାତିଫଟା ଚିତ୍କାର—‘ବୋଉ ଲୋ ମରିଗଲି !’

 

ପାସୋରୀ ଉପରେ ରାଗି ଯାଇ ମୁଁ ବ୍ୟସ୍ତବିବ୍ରତ । ମୋର ପ୍ରତିଦ୍ୱନ୍ଦୀ ମତ୍ସ୍ୟଶିକାରୀମାନେ ଯେ ଯାହା ବନ୍‌ସିଖଡ଼ା ଛାଡ଼ି ଆସି ତାଟକା ହୋଇ ପଡ଼ିଲେଣି; କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ମୋର ବନ୍‌ସିଖଡ଼ା ଛାଡ଼ି ନାହିଁ । ଛାଡ଼ିଦେଲେ ପାସୋରୀ ବିଚାରୀର ଦଶା କ’ଣ ହୁଅନ୍ତା ! ସେ “ବୋଉଲେ ମରିଗଲି’’ ଡକା ପକେଇ ଆଗେ ଆଗେ ଚାଲିଛି ବନ୍‌ସିକଣ୍ଟା ଲଗାଇ ଗଳାରେ । ସୂତା ସହିତ ବନ୍‌ସିଖଡ଼ା ଧରି ମୁଁ ତା’ର ପଛେ ପଛେ ! ଢିଙ୍କିଶାଳ ପାଖେ ପହଞ୍ଚିଲା କ୍ଷଣି ପାସୋରୀ ବୋଉ “ମୋ ଝୁଅ ମୋ ଝୁଅଲୋ” ବାହୁ ନା ପକେଇ ତଳେ ଆସି ଲୋଟିପଡ଼ିଲା ।

 

ଶିରୁ ଭାଇନା ଭଳି ଚାଲାଖ ପିଲା ସୁଦ୍ଧା ବନ୍‌ସିକଣ୍ଟାକୁ ପାସୋରୀଗଳାରୁ କାଢ଼ିବାକୁ ଅସମର୍ଥ ହେଲେ । କଣ୍ଟା ପାଖରୁ ପାଖରୁ ରକ୍ତଧାର ବୋହିପଡ଼ୁଥାଏ ପାସୋରୀର ଗୋରା ତକତକ ଚମ ଉପରେ । ଯେ ଯାଇ କଣ୍ଟା କାଢ଼ିବାକୁ ବାହାରିଲେ, କଣ୍ଟା ସହିତ ପୁଳାଏ ମାଉଁସ ଉଠି ଆସିବାକୁ ଉପକ୍ରମ ହେଉଛି ଓ ତା’ ସାଥିରେ ପାସୋରୀର ବିକଳ ଚିତ୍କାର !

 

କ’ଣ ହେଲା କ’ଣ ହେଲା ବୋଲି ଗାଁଟାର ଏମୁଣ୍ଡ ସେମୁଣ୍ଡଯାକେ ହୁରିପଡ଼ିଗଲା । ସବୁଠାରୁ ବିଚକ୍ଷଣ ସୁନାରୂପା କାରିଗର ବାଞ୍ଛା ବଣିଆ । ବାହା ପୁଆଣିରେ ଗହଣା ଗଢ଼େଇବାକୁ ତା’ ଦୁଆରେ ଦିନରାତି ଭାରିଭିଡ଼ । ତା’ଛଡ଼ ଦାନ୍ତମୂଳ ଦରଜ ହେଲେ ଦାନ୍ତମାଢ଼ିରେ ଗରମ ସେକ ଦେବାଠାରୁ ଆରମ୍ଭ କରି ଘାଆ ବଥ ଫୋଡ଼ିବା ପର୍ଯ୍ୟନ୍ତ ଅସ୍ତ୍ର ଚିକିତ୍ସାରେ ସେ ନିପୁଣ । ପୁଣି ତୋଟିରେ କାହାରି ମାଛ କଣ୍ଟା ଲାଗିଲେ କି କାନ ଭିତରେ ବିଛା ପଶିଲେ, ତାକୁ ଚିମୁଟା ଧରି ବିନା ଯନ୍ତ୍ରଣାରେ ସେ କାଢ଼ି ଆଣିପାରେ ।

 

ଖବର ଗଲା, ତା’ ପାଖକୁ । ବାଉଁଶକଣି ପରି ପତଳା ଚେହେରା । ଚାଲିଲା ବେଳେ ଗୋଡ଼ ଆଙ୍ଗୁଠି ତା’ର ଟୁକ୍ ଟୁକ୍ ଫୁଟେ । ଅନ୍ଧାର ଘରେ ଦାଣ୍ଡ ମଝିରେ ଚେହେରାଟା ତା’ର ନ ଦେଖି ସୁଦ୍ଧା ଲୋକେ ତାକୁ ଆଙ୍ଗୁଠି ଫୁଟାରୁ ଚିହ୍ନି ପାରନ୍ତି । ବାଞ୍ଛା ବଣିଆ ନିଶ୍ଚୟ ବନ୍‌ସିକଣ୍ଟା କାଢ଼ି ଦେବ ବୋଲି ସବୁରି ଦୃଢ଼ ବିଶ୍ୱାସ, ମାତ୍ର ସେ ଆସି ଯେତେ ଚେଷ୍ଟା କଲା, କାହିଁରେ କିଛି ହେଲାନି-। ମା’ ଝିଅଙ୍କ କାନ୍ଦବୋବାଳି ମଧ୍ୟ ଆହୁରି ବେଶି ବେଶି ଶୁଣାଗଲା । କିଏ ସବୁ କୁହାକୁହି ହେଲେ, ପାସୋରୀ ଆଉ ବଞ୍ଚିବନି । ଏକାବେଳେ ତୋଟି ଭିତରେ କଣ୍ଟା ଲାଖିଛି, ବାହାରିଲେ କ’ଣ ପ୍ରାଣ ଆଉ ତା’ର ରହିବ !

 

ମନର ଅବସ୍ଥା ମୋର ସେତେବେଳେ କିପରି ଥିଲା, ତାହା ଲେଖିବା ତ ଦୂରେ ଥାଉ, କହିବା ମଧ୍ୟ କଦାପି ସମ୍ଭବପର ନୁହେ । ବନ୍‌ସିଖଡ଼ା ଛାଡ଼ିଦେଇ ଚୋର ପରି ମୁଁ ସେଠାରୁ ଖସି ଆସି ଦାଣ୍ଡ-ଅଗଣା ଚାଳିତଳେ ଆଖି ବୁଜି ପଡ଼ିଥାଏଁ । ଆଉ ଯେମ‌୍‌ତି ଶୁଭୁଥାଏ, ଛାତିଟା କେମ୍‌ତି ମୋର ଦୁଲ୍ ଦୁଲ୍ ହୋଇ ଢିଙ୍କିପରି ପଡ଼ୁଛି ! ଗାଁ’ରୁ କେତେ ଲୋକ ସେହି ବାଟେ ବାଡ଼ି ପଟକୁ ଯା’ ଆସ କରୁଥାନ୍ତି । କଣ୍ଟା କେମ୍‌ତି ତୋଟିରୁ ତା’ର ବାହାରିବ, ସେଇ ଆଲୋଚନା ସବୁରି ମୁହଁରୁ ଶୁଣିବାକୁ ମୁଁ କାନେଇ ଥାଏଁ । ସବୁରି କଥାରେ ଆତଙ୍କ— ପାସୋରି ଆଉ ବଞ୍ଚିବନି ! କାହିଁକି ଏମ‌୍‌ତି ହେଲା, କାହିଁକି !

 

ତାଙ୍କ ଭିତରେ ଶୁଣାଗଲା, ଏକ ପରିଚିତ ଗଳା, ତାହା ମାଷ୍ଟରଙ୍କର ! ‘କ’ଣ ହୋଇଛି ଦେଖି’ ବୋଲି କହି ବାଡ଼ି ଅଗଣାକୁ ସେ ପଶିଗଲେ । କିଛି ସମୟ ପରେ ଗାଁଆର କେତେ ଜଣ ପୁରୁଖା ଲୋକଙ୍କ ସାଥିରେ ସେଠାରୁ ଲେଉଟି ଆସି ହସି ହସି କହିଲେ—

 

“ଏତିକି ବୁଦ୍ଧି କାହାରିକୁ ତୁମକୁ ପଇଟିଲା ନାହିଁ ! ଦେଖିଲ ତ ? ବନ୍‌ସି କଣ୍ଟାକୁ ପଛକୁ ଓଟାରିଲେ ସେ ଭଲା ଶିରା ମାଉଁସ ଦୁହିଁ ନ ଆଣି ଖାଈ ବାହାରି ଆସିପାରେ ? ତାକୁ ଆଗକୁ ଠେଲି ବାର ସିନା କଥା । ଦେଖିଲ ତ, କେଡ଼େ ସହଜରେ ବାହାରି ଆସିଲା ?”

 

ବୁଲି କକେଇ ସେ ଦିନ ଗୋଟାଏ ବିରାଟ ବନ୍‌ସି ଖଡ଼ା ଧରି ମୋ ସାଙ୍ଗରେ ମାଛ ମାରୁଥିଲେ, କିନ୍ତୁ କିଛି ନ ପାଇ ସେ ହତାଶ ହୋଇ ପଡ଼ିଥିଲେ ମୋ ଭଳି ପିଲାଟା ପାଖରେ ହାରିଯାଇ । ଶେଷରେ ପରିହାସର ଗୋଟାଏ ଆଳ ତାଙ୍କୁ ମିଳିଗଲା । କହିଲେ “ଯା’ ହେଉ, ପାଣିଭିତରୁ ମାଛ ନ ଧଇଲେ ହେଲା କ’ଣ । ବନ୍ଧ ଉପରୁ ତ ଗୋଟାଏ ବଡ଼ ମାଛ ଧରା ପଡ଼ିଲା ।’’

 

ସମସ୍ତେ ହସିଉଠନ୍ତି ।

 

ଆଉ କିଏ ଜଣେ କହିଲେ, “ଏଇଠି ଦେଖୁନ, ମାଛଶିକାରୀ ନିଶ୍ଚିନ୍ତରେ ଶୋଇପଡ଼ିଛନ୍ତି କେମିତି !”

 

“ପିଲାଲୋକ, ଛାନିଆ ହୋଇପଡ଼ିଥିବ କି ନା । ସେ କ’ଣ ଜାଣିକରି ଏହା କରିଛି ।” ମାଷ୍ଟରଙ୍କ ସ୍ୱର ! ମୁଁ ଚେଇଁ ଶୋଇବା ଅବସ୍ଥାରେ ତାହା ବାରିପାରିଲି । ସେ ପୁଣି ଏଡ଼େ ଭଲ ମଣିଷ, ମତେ ଏପରି ବିପଦ ଓ ମନସ୍ତାପରୁ ଉଦ୍ଧାର କରି ସୁଦ୍ଧା ମୋ ଦୋଷର କ୍ଷମା ଦେଇସାରିଛନ୍ତି ! ତାଙ୍କ କଡ଼ା ପ୍ରକୃତି ଓ ଛାତ୍ରମାନଙ୍କୁ କଥାକଥାକେ ପ୍ରହାର କରିବା ଅଭ୍ୟାସ ଲାଗି ମୋର ଯେଉଁ ବିଦ୍ଵେଷମୂଳକ ଧାରଣା ତାଙ୍କ ବିରୁଦ୍ଧରେ ଜନ୍ମି ଥିଲା ତାହା ଅକସ୍ମାତ୍ ଏଇ ଗୋଟିଏ ଘଣାରେ ହିଁ ଅପସାରିତ ହୋଇଗଲା । ପୁଣି ଶ୍ରଦ୍ଧା, ଭକ୍ତି ଓ ବିନୟରେ ପରିପୂର୍ଣ୍ଣ ହୃଦୟ ମୋର ମୋର ତାଙ୍କ ଆଡ଼କୁ ଢଳିପଡ଼ିଲା । ସେଇ କଠୋର କର୍କଶ ହୃଦୟ ପୁଣି କେଡ଼େ ଭଲ, କେଡ଼େ ପରୋପକାରୀ ! ଜାବନଯାକ ଏମ‌୍‌ତି ମୋର କେତେ ଯେ ବିଚାର ଭ୍ରମ ଘଟିଛି !!

 

ଅନେକ ଦିନ ପର୍ଯ୍ୟନ୍ତ କିନ୍ତୁ ପାସୋରୀର ତୋଟି ଘାଆଟା ଶୁଖିଲା ନାହିଁ । ପୁଣି ସେଇଟା ଶୁଖିଗଲା ପରେ ମଧ୍ୟ ଚିହ୍ନଟା ତା’ର ରହି ଯାଇଥାଏ । ଆଉ ସେ ଫୁଲଦାଗ ହୋଇ ତୋରାଣି ପିଇଲାବେଳେ ସେଇବାଟେ କେତେ ଟୋପା ତୋରାଣି ମଧ୍ୟ ଥପି ଥପ ହୋଇ ବହିଆସେ । ମନହୁଏ ମୋର ଆପଣା ତୋଟିକୁ କଣା କରୀ ଫୁଟାଇ ଦିଅନ୍ତି କି !

 

ପାସୋରୀର ପରିଚ୍ଛେଦଟି କିନ୍ତୁ ମୋ ଜୀବନରେ ଏତିକିରେ ସରିଗଲା ନାହିଁ । କେଉଁ ଦିନ ସେ ବିଭା ହୋଇଗଲା, ବୋଉ ତା’ର ସଂସାରରୁ ବିଦାୟ ନେଲା, ପୁଣି ଆମ ଦାଣ୍ଡଦୁଆରେ ଥିବା ଚାଳିଖଣ୍ଡି ତାଙ୍କର ମାଟିରେ ମିଶି ଶାଗପଟାଳିରେ ପରିଣତ ହେଲା, ଗାଁ ଛାଡ଼ି ଦୂରରେ ରହି ତାହା ମୁଁ ଲକ୍ଷ୍ୟ କରି ନି । ଦିନେ କିନ୍ତୁ ଅତି ଅପ୍ରତ୍ୟାଶିତ ଭାବରେ ମୋର ଭେଟ ହୋଇଯାଏ ପାସୋରୀ ସାଥିରେ ।

 

କର୍ମକ୍ଷେତ୍ରରୁ ମୁଁ ସସ୍ତ୍ରୀକ ଫେରୁଥାଏଁ ଗ୍ରାମ ଅଭିମୁଖରେ । ବାଟରେ ଲିଙ୍ଗିପୁର ନଈକୂଳ ଆମ୍ବ ତୋଟାରେ କିଛି ସମୟ ଶଗଡ଼ରୁ ଓହ୍ଲାଇ ବିଶ୍ରାମ କଲୁଁ । ନଈବନ୍ଧରେ କେତେ ଜଣ ପିଲା ଗାଈ ଚରାଉ ଥା’ନ୍ତି । ପଚାରିଲି, ‘‘କିରେ ପିଲେ, ଗାଁ ତମର ଏଠାରୁ କେତେ ବାଟ ?” ସେଠାରେ ଟିକିଏ ସମୟ କଟାଇବାକୁ ଖାଲି ଏଇ ପ୍ରଶ୍ନ ।

 

ଗୋଟିଏ ପିଲା ଅଣ୍ଟିରେ ମୁଢ଼ି ଭର୍ତ୍ତି କରି ମୁଠାକୁ ମୁଠା ନେଇ ପାଟିରେ ପକାଉଥାଏ । ମୁଢ଼ି ଚୋବାଉ ଚୋବାଉ ସେ କଲା, ‘‘ହେଇଟି ପରା, ଏଇ ବନ୍ଧ ଉପରକୁ ଦିଶୁଚି ଆମ ଗାଁ । ତମ ଗାଁ କୁଆଡ଼େ କି ?”

 

“ଆମ ଗାଁ ବିଶିନାଥପୁର ।’’ ଆମ ଗାଁ ର ବିଶୁଦ୍ଧ ଗ୍ରାମ୍ୟ ଉଚ୍ଚାରଣ କରି ପିଲାଟିକୁ ଜଣାଇଦେଲି ଆଶ୍ଚର୍ଯ୍ୟ ହୋଇ ଦେଖିଲି, ସେ ବଡ଼ ବଡ଼ ଡୋଳା ବାହାର କରି କହୁଛି—‘‘ବିଶିନାଥପୁର ?”

 

“ହଁ, କାହିଁକି ? କ’ଣ ହେଲା କି ?” ପଚାରିଲି ତାକୁ !

 

ପିଲାଟି ଖୁସି ହୋଇ ଜଣାଇ ଦେଲା, ‘‘ବିଶିନାଥପୁର ପରା ମୋର ମାମୁଁଘର ଗାଁ ।”

 

“ତୁ ଯାଇଛୁ ବିଶିନାଥପୁର ?”

 

“ହଁ, ମୋ ବୋଉ ନା ପରା ପାସୋରୀ ! ତୁମେ ତାକୁ ଚିହ୍ନ ?”

 

“ଖୁବ ଚିହ୍ନେ । ତୋ ବୋଉକୁ ଡାକି ଆଣି ପାରିବୁ ?”

 

‘‘ହଁ, ହେଇଟି ବନ୍ଧ ଉପରେ ପରା ଆମ ଘର ଦୁଉଚି । ଟିକିଏ ରହ, ବୋଉକୁ ମୁଁ ଡାକି ଆଣୁଚି ।”

 

ଗାଈଜଗା ପାଞ୍ଚଣ ଖଣ୍ଡି ବୁଲାଇ ସତକୁ ସତ ପିଲାଟି ବନ୍ଧେ ବନ୍ଧେ ଦୌଡ଼ିଲା । ଖଣ୍ଡେ କୋତରା ଲୁଗାରେ ଦେହକୁ ଘୋଡ଼ାଇ ପାସୋରୀ ଆସି ଠିଆ ହେଲା ବନ୍ଧ ଉପରେ । ସେ ବଡ଼ ବଡ଼ ଆଖି ଯୋଡ଼ାକ, ତା’ରି ବୋଉ ପରି ଲମ୍ବା ଲମ୍ବା ହାତଗୋଡ଼ ଓ ଚେହେରା । ମୁଣ୍ଡବାଳ ସେମ‌୍‌ତି ଫର୍ ଫର୍ । ତେବେ ତା’ର ଗୋରା ଚମଟା ଏକାବେଳେ ତମ୍ବାଟି ପଡ଼ିଯାଇଛି । ତା’ରି ଭିତରୁ ହାତର ନେଳି ଶିରାଗୁଡ଼ାକ ବି ବାରିହୋଇ ପଡ଼ୁଥାଏ ।

 

ପାସୋରୀ ଆସି ସେଇ ବନ୍ଧ ଉପରେ ତା’ ପୁଅ ପାଖରେ ସଙ୍କୋଚରେ ଠିଆ ହେଲା । ତଳକୁ ଓହ୍ଲାଇଲା ନାହିଁ ।

 

ହସି ହସି କହିଲି, ‘‘ପାସୋରୀ, ଆଜି ତ ମୁଁ ବନ୍‍ସୀ ପକାଉନି ! ତୁ ଏତେ ଦୂରରେ ଠିଆ ହୋଇ ରହିଲୁ କାହିଁକି ?”

 

ଟିକିଏ ହେଲେ ସେ କହିଲା ନି କି ପାଟି ସୁଦ୍ଧା ଫିଟାଇଲା ନି । କିନ୍ତୁ ତା’ର ଢେଗା ଢେଗା ଡୋଳା ଯୋଡ଼ାକରୁ ଗଙ୍ଗା-ଯମୁନା ଭଳି ଦୁଇ ଧାର ଲୁହ ଗଡ଼ିପଡ଼ିଲା-ଠିକ୍ ଯେମ‌୍‌ତି ପଛପଟେ ତା’ର ବୋହିଯାଉଥାଏ ବୈଶାଖର କୁଆଖାଇ ନଈଟି ଦୟା ଭାର୍ଗବୀର ଯୋଡ଼ିଏ ସୂକ୍ଷ୍ମ ଧାରରେ !

 

ପରେ ସେଇ ଘଟଣାର ପ୍ରଧାନ ସାକ୍ଷୀ ମୋର ଗୃହିଣୀ ମୋଠାରୁ ଅତୀତର ବନ୍‌ସି ମାଛଧରା କାହାଣୀ ଶୁଣି କିଏ ତାଚ୍ଛଲ୍ୟ ସ୍ୱରରେ କହିଲେ, “କେତେ ଲୋକଙ୍କ ସାଥିରେ ଯେ ତମର କେତେ ପ୍ରକାରର ଭାବଲାଭ !’’

 

ମାତ୍ର ଦୁନିଆ ଭିତରେ ଯେତେ ଲୁହ ବା ଯେତେ ହସର ହେତୁ ମୁଁ ଆଜିଯାକେ ବୁଝି ପାରି ନି, ପାସୋରୀର ସେ ଦିନର ଲୁହଧାର ତା’ର ଭିତରୁ ଗୋଟିଏ ।

 

ଆଜି ମୋର ମନେହୁଏ, ସେ ଲୁହଧାର ଦୁର୍ବଳର ନୁହେ, ସବଳର । ତାହା ହିଁ ସ୍ମୃତି ନାମ ଘେନି ଚିରନ୍ତନ । ଆଉ ପାସୋରୀର ଦାରିଦ୍ର୍ୟ ମଧ୍ୟ ସେହି ସ୍ମୃତି ଘେନି ଆଜି ବଳିଷ୍ଠ, ନିର୍ମଳ, ସୁନ୍ଦର, ମଧୁର ଓ ନିଷ୍ପାପ । ଅର୍ଦ୍ଧାଧିକ ଶତାବ୍ଦୀ ପୂର୍ବେ ଶୈଶବର ସେଇ ଅନାବିଳ ପରିଚୟ ଭିତରେ ରହି ସୁଦ୍ଧା ଅବସ୍ଥାର ଯେଉଁ ଅପ୍ରତିହତ ଦାରିଦ୍ର୍ୟ ମନର ବଳିଷ୍ଠତା ପୁଣି ଅନ୍ତରର ଐଶର୍ଯ୍ୟକୁ ଅକ୍ଷୁର୍ଣ୍ଣ ଓ ଭେଦଶୂନ୍ୟ କରି ରଖି ଆସିଛି । ସମୟର ସୁଦୀର୍ଘ ବ୍ୟବଚ୍ଛେଦକୁ ସ୍ୱୀକାର କରି ନାହିଁ ତିଳଧାନ ମାତ୍ର !

 

***

 

Unknown

ପୁଅଟିଏ ! ପୁଅଟିଏ !

 

ବନ୍‌ସି ପକାଇବାଟା ମୋର ଏକ ପ୍ରକାର ବିଳାସ ଓ ଅଭ୍ୟାସ ହୋଇ ପଡ଼ିଥାଏ । ମାଛ ଧରିବାର ଯେତେ ଉପାୟ ଅଛି, ବନ୍‌ସି ହେଲା ସବୁଠାରୁ ସୋଜା । ପାଣି ଭିତରେ ଗୋଡ଼ ନ ଦେଇ ବି କେତେ ଗହୀରରୁ ଦେଖା ନ ଯାଉଥିବା ମାଛକୁ ଛାଣିଆଣି ହୁଏ । ପୁଣି ତାହା ବନ୍‌ସିକଣ୍ଟାର ଫାଶିରେ ଝୁଲି ଛଟପଟ ହେଉଥିଲା ବେଳେ ଦେଖିବାକୁ କି ମଜା ! କିଏ କେବେ ଏଇ ବିଚିତ୍ର ଯନ୍ତ୍ରର ଉଦ୍ଭାବନ କଲେ, ବିଶ୍ୱ ଇତିହାସରେ ତାଙ୍କ ନାମ ଲେଖା ନାହିଁ । ପ୍ରସ୍ତର ଯୁଗରେ ମଣିଷ ଯେବେ ପଥରରେ ଲଙ୍ଗଳ ଓ ହାତ ହତିଆର ବ୍ୟବହାର କରୁଥିଲା, ସେତେବେଳେ ସୁଦ୍ଧା ପଥର ତିଆରି ବନ୍‌ସି ଥିଲାବୋଲି ଅନେକ ପରେ ଜାଣିଲି ।

 

ଆହାର ଖୋଜିବାକୁ ମଣିଷ ତ ଜଳ ସ୍ଥଳ ଆକାଶ କିଛି ହେଲେ ବାକି ରଖି ନି । ପଶୁ ପକ୍ଷୀ ମାଛ ସବୁ ତ ତା’ର ଶିକାର ସାମଗ୍ରୀ । ‘ସ୍ୱଚ୍ଛନ୍ଦ ବନଜାତେନ ଶାକେନାଽକିପି ପ୍ରପୂର୍ଯ୍ୟତେ’ ବୋଲି ହିତୋପଦେଶରେ ଥିଲେ ବି କିଏ ଭଲା ଜଣା କି ଅଜଣାରେ ନିଜ ଦଗ୍‌ଧୋଦର ଲାଗି ପାତକ ନ କରି ରହିପାରେ ?

 

ଗଣେଶ କକେଇ ହରି ଭକ୍ତିଆ । ଅଲେଖ-ଦୀକ୍ଷା ନେଇଥାନ୍ତି କୁମ୍ଭୀପଟୁଆ ବାବାଜୀଙ୍କଠାରୁ । ସେମାନେ ଅଣ୍ଟାରେ ଗେରୁଆ କନା ବା ମୋଟା ଦଉଡ଼ି ଗୁଡ଼େଇ ବଡ଼ ବଡ଼ ତାଳ ପତ୍ର ପଙ୍ଖ। କାନ୍ଧରେ ଥୋଇ ମଝିରେ ମଝିରେ ଆମ ଗାଁକୁ ଆସନ୍ତି । ଗଣେଶ କକେଇଙ୍କ ସଙ୍ଗେ ଆଉ କେତେ ଜଣ ତାଙ୍କ ପାଖରେ ଯାଇ ରୁଣ୍ଡ ହୁଅନ୍ତି ।

 

ବାବାଜୀମାନେ ବାହାରିଯିବା ପରେ ଗଣେଶ କକେଇ ନିଜ ଝିଅ ଧନୀକୁ ଡାକିନେଇ ଦାଣ୍ଡପଟ ବଣିଆ-ଗଡ଼ିଆକୁ ମାଛ ଚିମୁଟିବା ପାଇଁ ଯାନ୍ତି । ଧନୀ ଜଗିବସେ ଗଡ଼ିଆ ବନ୍ଧ ଉପରେ । ବାପା ତା’ର ଗୋଟିକ ପରେ ଗୋଟିଏ ଲେଖାଁ କଉ ଗଡ଼ିଶା, କେରାଣ୍ଡି ପୋହଳା, ସାନ ମାଛ ଚିମୁଟି ଆଣି ବନ୍ଧ ଉପରକୁ ଫିଙ୍ଗିଦେଇ ଡାକନ୍ତି, “ଧନୀ ଲୋ ମାର୍ ।” ଭାବନ୍ତି ଏ କାର୍ଯ୍ୟରେ ଯେଉଁ ଜୀବ ହତ୍ୟା ଦୋଷ ହେଲା, ସେଥିପାଇଁ କାହାରି ଦାୟିତ୍ୱ ନାହିଁ ।

 

ସେ’ତ ନିଜେ ପାଣିରୁ ଛାଣି ଉପରକୁ ଫିଙ୍ଗିଦେଲେ ନ ମାରି । ଧନୀ ମଧ୍ୟ ପିଲାଲୋକ, ସେ ଅବା ଜାଣେ କ’ଣ । ପିଲାଙ୍କୁ ତ ସାତଖୁଣି ମାଫ୍ । ମାର୍କଣ୍ଡେୟ ପୁରାଣରେ ପରା ଅଛି, ଯମପୁରୀରେ ଗୋଟିଏ ପିଲାକୁ ଶୁଳି ଖୁଣ୍ଟରେ ବସାଇ ଯମଦୂତମାନେ ଦଣ୍ଡ ଦେଉଥିଲେ ।

 

ମାର୍କଣ୍ଡେୟ ଋଷି ଯମପୁରୀ ଦେଖିବାକୁ ଯାଇ ପଚାରନ୍ତି, ସେ ପିଲାଟିର ଦୋଷ କ’ଣ । ଯମଦୂତ କହିଲେ, ସେ ପିଲା ଗୋଟିଏ ଝିଣ୍ଟିକାକୁ କଣ୍ଟାରେ ଫୋଡ଼ି ଖେଳୁଥିବା ହେତୁ ସେପରି ଦଣ୍ଡ ପାଉଛି । ଋଷି ବୁଝାଇଦେଲେ, ଏହା ଅନ୍ୟାୟ । କାରଣ ଜଗତରେ ସବୁ ବିଷୟବସ୍ତୁର ବର୍ଣ୍ଣନା ଅଛି, କେବଳ ପିଲାଙ୍କ ଖେଳ ଯେ ଅବର୍ଣ୍ଣନୀୟ ବିଶ୍ୱଦ୍ରଷ୍ଟା ମାର୍କଣ୍ଡେୟଙ୍କ ଯୁକ୍ତି ଶୁଣି ଯମରାଜା ପିଲାଟିକୁ ଦଣ୍ଡରୁ ମୁକ୍ତି ଦେଇଥିଲେ ।

 

ଏଇ କାରଣରୁ ବୋଧହୁଏ ପୃଥିବୀର ଅନେକ ପ୍ରାପ୍ତ ବୟସ୍କ ଲୋକ ଖାଲି ତ ପିଲାଙ୍କୁ ଭଲ ପାଇ ତାଙ୍କ ସଙ୍ଗେ ମିଶନ୍ତି ନାହିଁ, ନିଜେ ପିଲା ହେବାକୁ ବି ଲୋଡ଼ନ୍ତି । ତା’ଫଳରେ ସେମାନେ ଭିଆଇଥିବା ବଡ଼ ବଡ଼ ଦୋଷ, ତ୍ରୁଟି, ପାପ, ଅପରାଧ ଯେମ‌୍‌ତି ଅବା ଯମରଜା କ୍ଷମା କରିବେ ! ଆଉ ମୋର ପିଲା ଦିନ କଥା ବର୍ଣ୍ଣିବାରେ ଅବଚେତନ ମାନସରେ ସେଇ ଭାବ ଅବା ଲୁଚି ନ ଥିବ କାହିଁକି-ସଦିବା ମୁଁ ବଡ଼ ଲୋକ ଯାହାକୁ କହନ୍ତି, ତାହା ନୁହେଁ ?

 

ଲୋକନାଥ କକେଇ କହନ୍ତି, “କିନ୍ତୁ ନୃସିଂହପୁରାଣରେ ଅଛି, ମାଛ ମାରିବା ମହାପାପ । କିନ୍ତୁ ମାଛଠାରୁ ନିରୀହ ପ୍ରାଣୀ ସଂସାରରେ ଆଉ ନାହିଁ; କିନ୍ତୁ ଛେଳି, ମେଣ୍ଢା, ହରିଣ ପଶୁଜନ୍ତୁମାନେ ବାଡ଼ି ବଗିଚା ଜମି ଫସଲ ନଷ୍ଟ କରନ୍ତି । ଚଢ଼େଇମାନେ ବି ସେମ‌୍‌ତି । ହେଲେ ମାଛ ତ କାହାରି କିଛି ଲୋକସାନ କରେ ନାହିଁ, କିନ୍ତୁ ଓଲଟି ତାହା ପାଣିରୁ ପୋକ ମାଛି ଖାଇ ତାକୁ ପରିଷ୍କାର ରଖେ-। ସେଭଳି ଜୀବକୁ ହତ୍ୟା କଲେ କିନ୍ତୁ ତା’ଠାରୁ ବଡ଼ ପାପ ଆଉ କିଛି ନାହିଁ ।

 

ବହୁତ ‘କିନ୍ତୁ’ ଲଗାଇ ସେ କଥା କହନ୍ତି ଓ କୌଣସି ଦିନ ମାଛ ତରକାରୀ ନ ହେଲେ ତାଙ୍କୁ ଭାତ ରୁଚେ ନାହିଁ । ବୋଧହୁଏ ଆପତ୍ତି ତାଙ୍କର ଖାଲି ମାଛ ମାରିବାରେ, ଖାଇବାରେ ନୁହେଁ-। ମାତ୍ର ଦୀନବନ୍ଧୁ ସ୍ୱାଇଁ ମାରିବା ଓ ଖାଇବା ଦୁଇଟିଯାକ କ୍ରିୟାକୁ ପୂରା ସମର୍ଥନ ଜଣାଇ ଏକାବେଳେ ଜଗନ୍ନାଥ ଦାଶଙ୍କ ଶ୍ରୀମଦ୍ ଭାଗବତରୁ ପଦ ଉଦ୍ଧାର କରି କହେ, “ଆଜ୍ଞା—

 

‘ଜୀବ ମାରିଣ ମାଂସ ଖାଇ

ସେ ଜୀବ ବୈକୁଣ୍ଠେ ବସଇ ।’

 

ଦୀନବନ୍ଧୁ କେବଳ ମାଛ ମାରିବାରେ ଓସ୍ତାଦ୍ ନୁହେଁ । ବେଶୀ ଓସ୍ତାଦ୍ ଛେଳି ମେଣ୍ଢା ମାରିବାରେ । ରଜ ଦଶହରାରେ ଗାଁ ଭିତରେ ଭୋଜିଭାତ ହେଲେ ଖାସି କାଟିବା ଦରକାର ପଡ଼େ-। ସେ କାର୍ଯ୍ୟପାଇଁ ଦୀନବନ୍ଧୁ ହୁଏ ଅଗ୍ରଣୀ । କାଟିଦେଲେ ତ ରକ୍ତ ବାହାରିଯାଇ ମାଂସ ସୁଆଦ ହେବ ନି । ଦୀନବନ୍ଧୁକୁ ସେ କାଇଦାଟି ଭଲରୂପେ ଜଣା । ଛେଳିର ଜିଭ ତଳେ ସାହାଡ଼ାପତ୍ର ଗୁଂଜି ଏମ‌୍‌ତି ଖଞ୍ଜରେ ସେ ତା’ର ବେକ ମୋଡ଼ିଦିଏ ଯେ, ସ୍ଵର ଶବ୍ଦ କିଛି ନାହିଁ । ପୁଣି ଏମ‌୍‌ତି ଜୋରରେ ତାକୁ ମାଡ଼ିବସେ ଯେ, ଗୋଡ଼ ଖାଲି ତା’ର ଅଳ୍ପ ଛଟପଟ ହେଉଥିବା ଦେଖାଯାଏ-

 

ନୃଶଂସ ଦୀନବନ୍ଧୁର କାର୍ଯ୍ୟକୁ ନା-ପ୍ରସନ୍ଦ କରନ୍ତି ସ୍କୁଲମାଷ୍ଟର ଅଲାଭାଇନା—“ଆରେ ମୂର୍ଖ ! ତୁ ଭାବିଛୁ, ଏମ‌୍‌ତି ଜୀବ ମାରି ଆଉ ତା’ର ମାଂସ ଖାଇ ତୁ ବୈକୁଣ୍ଠରେ ବସିବୁ ପରା ! ସମସ୍ତେ ହସି ପକାନ୍ତି । ଭାଗବତର ଠିକ୍ ଅର୍ଥ କିନ୍ତୁ ଦୀନବନ୍ଧୁ ବୁଝେ, ଯଦିବା ସେ ମାଷ୍ଟରଙ୍କ ପାଖେ କେଉଁ ଦିନ ବସି ଖଡ଼ି ଧରି ନାହିଁ । ସେ କର ଯୋଡ଼ି ଜଣାଏ ।

 

“ନାହିଁ ତ ଆଜ୍ଞା, ମୁଁ କ’ଣ ସେ କଥା କହିଲି ! ମୁଁ କହେଁ କ’ଣକି ଯେଉଁ ଜୀବକୁ ମାରି ପୁଣି ତା’ର ମାଂସ ଖାଇ ମୁଁ ତାକୁ ବୈକୁଣ୍ଠରେ ବସାଇଦେଲି, ମୋ ମଲାପରେ କ’ଣ ମତେ ଟିକିଏ ବୈକୁଣ୍ଠରେ ବସାଇବାକୁ ସେ ସୁପାରିସ୍ କରିବନି ! ଅଲବତ୍ କରିବ । ନୁହେଁ କି ?

 

ରୋକଠୋକ୍ ମାମଲତ କଥା କହିବାରେ ଦୀନବନ୍ଧୁ ଖୁବ୍‍ ପାରଙ୍ଗମ । ବେହେରା ଆଣି କକେଇଙ୍କ ପାଖେ ଦାନ୍ତକାଠି ପାଣିଢାଳେ ଥୋଇଦେଇ ଯାଏ ।

 

“ଚୁପ କର ଦୀନା । ତୁ ଯେ ଗୋଟାଏ କଂସେଇ, ସେ କଥା ଭଲା କିଏ ନ ଜାଣେ । ବ୍ରାହ୍ମଣପିଲା ହୋଇ ବନ୍‌ସି ପକେଇ ମାଛ ମାରିବା କଥା ପଡ଼ିଛି, ତୁ ଯାଇ ଉଠିଲୁଣି ଛେଳି ମରାଠେଇଁ ।” ଲୋକନାଥ କକେଇ ତାଙ୍କ ବିଷିଆଙ୍ଗୁଠି ଦେଖାଇ ଦୀନାକୁ ତୁନି କରାନ୍ତି, ଦୀନା ତାହାର ବାଉଁଶ ଠେଙ୍ଗାଟି ଗୋଡ଼ ପାଖକୁ ଗଡ଼ାଇ ଆଣି ବସି ରହେ ନୀରବ ନିର୍ବିକାର ହୋଇ ।

 

“ଆଚ୍ଛା, କହିଲ ମାଷ୍ଟ୍ରେ , ତୁମେ ତ ଏତେ ଶାସ୍ତ୍ର ପୁରାଣ ପଢ଼ିଚ, ବନ୍‌ସି ପକାଇବା କଥା ଭଲ କେଉଁ ଶାସ୍ତ୍ରରେ ଲେଖା ଅଛି ?’’ ପଚାରନ୍ତି ଲୋକନାଥ କକେଇ । ବନ୍‍ସିଟା ଯେ ମଣିଷର ଆଦିମ ଆବିଷ୍କାର ପୁଣି ଆଧୁନିକ ଯୁଗରେ କଳବନ୍‌ସି ଆଦି କେତେ ପ୍ରକାର ବୈଜ୍ଞାନିକ ଉନ୍ନତି ତା’ର ଘଟିଲାଣି ଏବଂ ୟାଙ୍ଗ୍‌ଲିଂଟା ପୃଥିବୀର ସବୁ ଦେଶରେ ଏକ ପ୍ରଗତିଶୀଳ ବ୍ୟସନ, ତାହା ସେମାନେ ଜାଣି ନ ଥିଲେ ।

 

ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ ସଙ୍ଗୀତ ମାଷ୍ଟରଙ୍କର ମୁଖସ୍ଥ । ସେ କହନ୍ତି, “ନାହିଁ କାହିଁକି, ସବୁ ସାହିତ୍ୟର ମୂଳ କଥା ହେଲା ପ୍ରେମ ଆଉ ଶେଷ କଥା ହେଲା ତ ଭକ୍ତି । ଏ ଦୁଇଟିଯାକ କଥାରେ ତ ବନ୍‌ସି ଉପମାଟା ଦିଆ ଯାଇଛି !”

 

“ସତେ ନା କଣ ? ବୋଇଲ ଦେଖି ପଦୁଟିଏ ।” କକେଇଙ୍କର ଆଗ୍ରହ ବଢ଼େ । ଦୀନବନ୍ଧୁ ତାଙ୍କୁ ସମର୍ଥନ କରି ଅବା ତାଳି ଦୁଇଟା ମାରିଦିଏ; କିନ୍ତୁ ସେ ତାଳିରେ ତା’ ନାକ ପାଖରେ ଅକାରଣ ଗୀତ ଗାଇ ଉଡ଼ୁଥିବା ଗଣଗଣିଆ ମାଛଟାକୁ ଭାରି ବିରକ୍ତ ହୋଇ ସେ ହତ୍ୟା କରେ । ବହୁ ଅକାରଣ କବିଙ୍କ ପରି ମାଛିଟା ଆପଣା ଗୀତ ଆପେ ଶୁଣି ଆଉ ଅଲକ୍ଷ୍ୟରେ ଅନ୍ୟର ବିରକ୍ତି ଜନ୍ମାଇ ଧୂଳିରେ ମିଶିଯାଏ ।

 

ଗଣଗଣିଆ ମାଛିଠାରୁ ଢେର ଖରାପ ଘାଗଡ଼ା ଗଳାରେ କିନ୍ତୁ ମାଷ୍ଟ୍ରେ ‘ବିଦ୍ଗଧ ଚିନ୍ତାମଣି’ରୁ ଗୋଟିଏ ପଦ ସ୍ୱର ଲମ୍ବାଇ ବୋଲନ୍ତି ।

 

“ନୁହଇ ବଡ଼ଶୀ, ବଳେ ମନ ମୀନ ନିଏ ଆକର୍ଷି’’—ଲୀଳାମୟ ରାଧା କୃଷ୍ଣ ପ୍ରେମକୁ ଏଠାରେ ବଡ଼ଶୀ ସହିତ ପୁଣି ମନକୁ ମାଛ ସହିତ ତୁଳନା କରା ଯାଇଛି ।” ବ୍ୟାଖ୍ୟା କରି ଅର୍ଥ ବୁଝାଇ ଦିଅନ୍ତି ମାଷ୍ଟର ଆପଣେ ।

 

“ବାଃ; ଖାସା ପଦୁଟିଏ ତ ବୋଲିଲ । ଏମ‌୍‌ତି ଗୀତ ସବୁ ଅଛି ନା ?”

 

ଉତ୍ସାହିତ ହୋଇ ମାଷ୍ଟ୍ରେ କହନ୍ତି, “କ’ଣ ନାହିଁ ଆମ ପ୍ରାଚୀନ ସାହିତ୍ୟରେ, କହିଲ । ହେଲେ ଆଜିକାଲି ପାଠପଢ଼ୁଆ ଲୋକ ଏସବୁକୁ ସୁଖ ପାଉ ନାହାନ୍ତି ।”

 

“କାହିଁକି ?”

 

“କାହିଁକି ଆଉ କ’ଣ ମ ! ଯେ ପକ୍ଷୀ ଉଡ଼େ ଯେତେ ଦୂର—ସେ ଜାଣେ ତହିଁର ବିଚାର । ଅସଲ କଥା, ତା’ ଭିତରକୁ ଗମିଲେ ସିନା ! ଆଜିକାଲି ତ କବିତା ଲେଖା ହେଉଛି—

 

ସଜନା ଗଛ ମୂଳେ କୁଢ଼େଇଲି ପାଉଁଶ

କାହିଁ ଗଲୁ ଲୋ ଝୁର୍ ଝୁରୀ ମୁଣ୍ଡୀ ।

 

ଦୀନବନ୍ଧୁ ଏମ‌୍‌ତି ମୁହଁ ମେଲା କରି ହସେ ଯେ, ଡାକ୍ତରଙ୍କୁ ସେତେବେଳେ ପରିଷ୍କାର ତା’ର ଘଣ୍ଟିକା ଦେଖି ପରୀକ୍ଷା କରିବାକୁ ବି ଖୁବ୍ ସହଜ ହୁଅନ୍ତା । କକେଇଙ୍କ ଦାନ୍ତମୂଳେ ଅର୍ଦ୍ଧଚର୍ବିତ ଦାନ୍ତକାଠି-ଖଣ୍ଡ ସୁଦ୍ଧା ପଦାକୁ ଦେଖାଯାଏ ।

 

ଉତ୍ସାହିତ ମାଷ୍ଟ୍ରଙ୍କ ମୁହଁରୁ ପୁଣି କଥା ବାହାରେ—କଥା ନୁହେ ତ ଗୀତ—

 

“କିଶୋରୀଙ୍କର ମନ “ମା ମୀନକୁ ଏ ବଚନ-

ମିଷ ବଡ଼ିଶ ଲାଠି ଛାଟିଲା ରେ ।”

 

ସାଧୁ କକେଇ, ବାଞ୍ଝା କକେଇ, ଶିନୁ ଭାଇନା, ସଦେଇ ବାରିକ ସଡ଼କ ଉପରୁ ଆସି ଦାଣ୍ଡରେ ଗଲାବେଳେ ପିଣ୍ଡା ଉପରକୁ ଉଠି ଆଲୋଚନାରେ ଯୋଗଦିଅନ୍ତି । ସାଧୁ କକେଇ ନିଜେ ଜଣେ ବିଖ୍ୟାତ ଗାୟକ । ଆମ ଗାଁକୁ ଲାଗି ‘ଗାରଡ଼ି ପଞ୍ଚାଣ ଗୋଟିପୁଅ’ ସଙ୍ଗୀତ ଦଳରେ ସେ ବେହେଲା ବଜାଇଲାବେଳେ ତାଙ୍କ କଣ୍ଠ ଆଉ ବେହେଲା ସ୍ଵରର ଫରକ ବାରି ହୁଏ ନାହିଁ ।

 

“କହିଲ ଦେଖି ସାଧୁ, ଏ ପଦଟା କେଉଁଠୁ ଆସିଛି, କିଏ ସେ ତା’ର କବି ?” ଦାନ୍ତ ଘଷିସାରି ଲୋକନାଥ କକେଇ ଦାନ୍ତକାଠିଟାକୁ ଦି’ଫାଳ କରି ଚିରିଦେଇ ପିଣ୍ଡାତଳକୁ କୁଳୁକୁଞ୍ଚା ପକାନ୍ତି । ଜିଭ ଛେଲିବା କାମଟା ବାକିଥାଏ ।

 

ମୁରୁକି ହସି ସାଧୁ କକେଇ କହନ୍ତି, “ଏ ପଦ ଆଉ ଆସିବ କେଉଁଠୁ ? ଏ ତ ଜଣେଇ ଜଣା—କବିସୂର୍ଯ୍ୟଙ୍କ ପଦ ପରା ! କବି ସିନା ନିଜ ନାରେ ଭଣିତା କରି ନାହାନ୍ତି, ହେଲେ ନିଜେ କ’ଣ ଲୁଚି ପାରିବେ !’’

 

‘‘ନିଜ ନାଁରେ ଭଣିତା କରି ନାହାନ୍ତି, ଆଉ ତେବେ କାହା ନାଁରେ ମ ?

 

ଲୋକନାଥ କକେଇଙ୍କୁ ହରିବଂଶ, ନୃସିଂହପୁରାଣ, ରାମାୟଣ, ମହାଭାରତ ଛଡ଼ା ଆଉ କବିଙ୍କ ରଚନା ବିଷୟ ବେଶୀ ଜଣା ନାହିଁ । ତାଙ୍କୁ କୌତୁହଳ ନିବୃତ୍ତିପାଇଁ ସାଧୁ କକେଇ ଗୀତର ଶେଷ ପଦଟିକୁ ପୂରଣ କରି ଘୋଷାଟିକୁ ମଧ୍ୟ ବୋଲି ଦିଅନ୍ତି—

 

“କିଶୋରୀଙ୍କର ମନ-ମୀନକୁ ଏ ବଚନ

ମିଷ-ବଡ଼ିଶ ଲାଠି ଛାଟିଲା ରେ

ଅଷ୍ଟ ଦୁର୍ଗ ଭୂପତି            ମିଳିନ୍ଦ ସେ ଦମ୍ପତି

ପଦାବ୍‌ଜ ମକରନ୍ଦ ଚାଟିଲା ରେ—

ଚରଣାୟୁଧବୃନ୍ଦ ରଟିଲା ରେ

ଅରବିନ୍ଦ ହିଁ ବନ୍ଧୁ ଫୁଟିଲା ରେ

କର କରୁଣା ବୋଲି        ଯେତେ ଚାଟୁ ରଚିଲି ।

ଗୁମାନ-ଗଣ୍ଠିଟି ନ ଫିଟିଲା ରେ ।”

 

ବାଞ୍ଛା କକେଇ ଗାମୁଛାଟିକୁ ଗୁଡ଼େଇ ଦି’ଗୋଡ଼କୁ ଯାକି ଏମ‌୍‌ତି ଖଞ୍ଜରେ ପିଠିପଟୁ ଆଣି ଫାଶଟାଏ ପକାଇଥାନ୍ତି ଯେ, ସତେ ଯେମ‌୍‌ତି ସେ ନିଜକୁ ଗୋଟିଏ ଚୌକି ତିଆରି କରିଛନ୍ତି । ସେଇ ଫାଶଟାକୁ ଫିଟାଇ ଗାମୁଛାରେ ପିଠି ଝାଡ଼ିହୋଇ ବାଞ୍ଛା କକେଇ କହନ୍ତି, “ପ୍ରକୃତରେ ସାଧୁଆ ନା କଣ୍ଠରେ ଗଛରୁ ପଡ଼ର ଖସିପଡ଼ିବ । ଏଇ ଦେଖିଲ ପିଣ୍ଡାତଳେ ଗାଈ ବାଛୁରୀଗୁଡ଼ାକ ବନ୍ଧା ହୋଇ କାନ ଡେରିଛନ୍ତି କେମ୍‌ତି !”

 

କୌଣସି ସଙ୍ଗୀତ ଆଖଡ଼ା ଦଳରେ ନ ଥିଲେ ବି ବୈଠକୀ ଗାଉଣାରେ ବାଞ୍ଛା କକେଇ ଜଣେ ଭଲ ଗାୟକ । ଦେଖିବାକୁ ଯେମ‌୍‌ତି ଲମ୍ବା ଚୌଡ଼ାରେ ପସନ୍ଦିଆ, କଥାବାର୍ତ୍ତାରେ ସେ ବଡ଼ପାଟିଆ । ବାଟୁଳିଖଡ଼ା ଧରି ନଡ଼ିଆବାଡ଼ିରେ ସେ ପଶିବା ମାତ୍ରେ ହନୁମାଙ୍କଡ଼- ଗୁଡ଼ାକ ହୁଙ୍କାର ଛାଡ଼ି ଏ ଗଛରୁ ସେ ଗଛକୁ ଡେଇଁ ପଳାନ୍ତି । ଚୈତ୍ର ପୂର୍ଣ୍ଣମୀ ମେଳନ ରାତିରେ ନାଗାଭିଡ଼ା ହୋଇ ତାଙ୍କୁ ପାହୁଲ ସାଥିକୁ ମୁଛମୋଡ଼ା ପୁଣି ଆଖି ମୁରାଟ ଦେଖି ଡମାଭୋଇ ଭଳି ସାହସୀ ଲୋକ ବି ଚମକିପଡ଼େ । ବାଟୁଳିଖଡ଼ା, ବନ୍‌ସିଖଡ଼ା, ନାଗାଭିଡ଼ା, ଗୀତବୋଲା, ପଖାଉଜବଜା ସବୁଥିକି ସେ ପାରଙ୍ଗମ । ରାତି ଘଡ଼ିକ ସରିକି ବିଲରୁ ଲେଉଟି ଗାଁମୁଣ୍ଡ ବଣାଗଡ଼ିଆ ତୁଠରେ ଗୋଡ଼ ଧୋଉ ଧୋଉ ଗଳାରୁ ତାଙ୍କର ବାହାରିଆସେ—“ବିତ୍ତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ” ଛାନ୍ଦଟି । ଆଉ ଗାଁ ଗୋଟାକ ସେ ସ୍ଵରରେ ଦୁଲ୍‍କି ଉଠେ । ପ୍ରକାଣ୍ଡ ଗୋଡ଼ ଯୋଡ଼ାକ ଧୋଇସାରି ଗାମୁଛାରେ ପୋଛିହେଲା ବେଳେ ସତେ ସେ ସ୍ୱୟଂ—

 

ବଢ଼ାଇ ଦେଲେ ପୟର

ଭାବଗ୍ରାହୀ ରଘୁବୀର

ପୟରେ କ୍ଷାଳିତ କରି ବସନେ ପୋଛି !”

 

ଖାଲି ତ ଗୀତ ବୋଲିଦେଇ ବାଞ୍ଛା କକେଇ ସନ୍ତୁଷ୍ଟ ରହନ୍ତି ନାହିଁ, ତା’ର ଅର୍ଥ ବୁଝିବାକୁବି ତାଙ୍କର ଚେଷ୍ଟା ଥାଏ ।

 

“ଆଚ୍ଛା ସାଧୁଆ ନା, ବଡ଼ଶୀ ହେଲା ତ ବନ୍‌ସି, ମନ-ମୀନ କାହିଁକି କହିଛି ?” ପଚାରନ୍ତି ସେ ।

 

ସାଧୁ କକେଇ ପରିହାସ କରି କହନ୍ତି, ତୁ ନିତି ରାତିରେ ଶୋଇଲା ବେଳେ ମନ ତୋର କେଉଁଠି ଥାଏ କହିଲୁ ? ମୀନ ଆଉ ବନ୍‌ସିରେ ନୁହେଁ କି ? ପାଣପଣ୍ଡା ଗଡ଼ିଆରେ ମାଛ କେମ୍‍ତି ବଉଳୁଥିବେ ସେଇୟା କ’ଣ ତୁ ନିଦରେ ଦେଖୁନି କି ?

 

ସମସ୍ତେ ହସିପକାନ୍ତି ।

 

ସଂଶୋଧନ କରନ୍ତି ମାଷ୍ଟ୍ରେ ବେଶ୍ ଗମ୍ଭୀର ହୋଇ, “ଆହେ, ତା’ ନୁହଁ । ଭଗବାନଙ୍କ ଆଦି-ଅବତାର ହେଲା ମୀନ ଅବତାର—

 

ପ୍ରଳୟ ପ୍ରୟୋଧିଜଳେ ଧୃତବାନସି ବେଦମ୍

ବିହିତ ବହିତ୍ର ଚରିତ୍ରମଖେଦମ୍

କେଶବଧୃତ ମୀନଶରୀର ଜୟ ଜଗଦୀଶ ହରେ ।

 

ମୀନ ଅବତାର ହୋଇ ପ୍ରଳୟ ଭିତରୁ ସେ ବେଦକୁ ଉଦ୍ଧାର କରିଥିଲେ, ଅତଏବ ସେହି ପ୍ରଳୟ କାଳରୁ ବେଦ ସହିତ ଭଗବାନଙ୍କୁ ଉଦ୍ଧାର କରିବାପାଇଁ ବନ୍‌ସି ପକାଇବା ଆରମ୍ଭ ହେଲା ।” ସାଧୁ କକେଇଙ୍କୁ ବ୍ୟାଖ୍ୟାରେ ଚିଡ଼ିଉଠି ମାଷ୍ଟ୍ରେ ବାହାରି ଯାଆନ୍ତି ସ୍କୁଲକୁ । କାରଣ ସେ ମୋଟେ ପରିହାସ ବୁଝି ପାରନ୍ତି ନାହିଁ ।

 

ସେତିକିବେଳେ ଶୁଣାଯାଏ ଏକାଦିକ୍ରମେ ‘‘ଅଅ ଆଆ ଇଈ ଉଊ ଏଐ ଓଔ’’ ଢଙ୍ଗରେ ଗୋଟାଏ ଗର୍ଜନ; କିନ୍ତୁ ତାହା ମାଷ୍ଟରଙ୍କ ଡରରେ ପିଲାଙ୍କ ବିଦ୍ୟାଭ୍ୟାସ ନୁହେଁ କି ଓଡ଼ିଆ ଚ୍ଛାନ୍ଦ ଅଥବା କୌଣସି ସଙ୍ଗୀତର ପ୍ରାରମ୍ଭିକ ଆଳାପ ନୁହେ—ଲୋକନାଥ କକେଇଙ୍କର ଦାନ୍ତ ଘଷିବା ପରେ ବାକି ପଡ଼ିଯାଇଥିବା ଜିଭ ଛେଲିବା ଶବ୍ଦ ।

 

ଆଜି ବୁଝୁଚି, ମୋର ବନ୍‌ସି ପକାଇବା ଭିତରେ ପୁଣି ଏତେ ସାହିତ୍ୟ କବିତା ଲୁଚି ରହିଥିଲା । ଆଉ ହୁଏ ତ ସେହି କ୍ରୀଡ଼ା ଭିତରେ ହିଁ ଗଢ଼ା ହେଉଥିଲା ମୋର ଭବିଷ୍ୟର ସାହିତ୍ୟ ଛଦ୍ମରୂପ ଘେନି । ବନ୍‌ସିପକାରୁ ଆଉ ଗୋଟିଏ କଥା ଶିଖିଲି ଯେ, ଗୋଟିଏ ଜୀବକୁ ମାରିବାପାଇଁ ତାକୁ ପ୍ରଲୋଭନ ଦେଖାଇବାକୁ ହୁଏ, ଆଉ ଗୋଟିଏ ହତ୍ୟା କରି । ସେଥିଲାଗି କେଉଁଠି ବିରୁଡ଼ି ବସା, କିଆନାଡ଼ ଖୋଳି ଖୋଳି ବାହାର କରିବାକୁ ପଡ଼େ । ତା’ ଛଡ଼ା ମାଛ ପୁଣି ମାଛ ଖାଇବାକୁ ବେଶି ଆଗ୍ରହୀ । ସେଥିପାଇଁ “କେରାଣ୍ଡି ଗୁନ୍ଥିଲେ ଶେଉଳ ପଡ଼େ ?’ ବୋଲି କଥା ରହିଛି । କେଉଁ ଯୁଗରୁ ମଣିଷ ଏ ସବୁ ଆବିଷ୍କାର କଲାଣି । ମାଛ ସଙ୍ଗେ ତା’ର ଏତେ ଦୋସ୍ତି ଯେ, ମଣିଷକୁ ଠକିବାପାଇଁ ଖୁବ୍ ଚାଲାକ ଚତୁର ମାଛର ବି ଅଭାବ ନାହିଁ ।

 

କେତେ ଥର ଉଦୁଉଦିଆ ମୁଣ୍ଡଫଟା ଖରାରେ ପୁଣି ଝୁପୁ ଝୁପୁ ଅବା ଅଜସ୍ର ବର୍ଷାରେ ଅସୀମ ଧୈର୍ଯ୍ୟ ଧରି ପୋଖରୀବନ୍ଧରେ ବସି ରହିବାକୁ ହୁଏ ବନ୍‌ସି ଖଡ଼ା ଘେନି, ଆଉ ଗଭୀର ଏକାଗ୍ରତା ସହ ପାଣି ଉପରେ ଭାସୁଥିବା ତେରଣ୍ଡା କାଠିକୁ ଚାହିଁ ଚାହିଁ । କାଠିଟା ଟିକିଏ ଦୋହଲିଗଲେ ସାଫଲ୍ୟ ଆଶାରେ ମନ ଖୁସି ହୋଇଉଠେ; ଅଥଚ ସୂତାକୁ ଝିଙ୍କିଆଣି ଦେଖିଲେ, ସେଥିରେ କିଛି ନାହିଁ ! କେବେ ତେରଣ୍ଡା କାଠିଟା ନାଚିଉଠେ ତାଳ ପକାଇ, ପୁଣି ପାଣି ଉପରେ ଠିଆ ହୋଇଯାଏ ସଳଖ ହୋଇ । ଝିଙ୍କିବା ମାତ୍ରେ ଦେଖାଯାଏ କଣ୍ଟାରୁ ଆହାରତକ ଖତମ କରି ଶିକାର ଭାଗିସ୍ ! ପୁଣି କେବେ କାଠଖଣ୍ଡି ଧୀରେ ନାଚି ନାଚି ଖୁବ୍ କରି ପାଣି ଭିତରେ ବୁଡ଼ିଯାଏ । ଟାଣି ଆଣିଲେ କଣ୍ଟାରେ ଝୁଲୁଚି ଗୋଟାଏ କୁଜିଗେଣ୍ଡା ! ପାଖରେ ବସି ବସି ପକାଉଥିବା ଦୁବ ଭାଇନା ପରିହାସ କରନ୍ତି—

 

ସାତ ଚକଟା ପୋଳୁହ ଘଣ୍ଟା

ବିଭୁତ ଭୂଷଣ ଗାଲ୍ ସି କଟା

ଚିଲ ପ୍ରସାଦରୁ ସରଗ ଦେଖିଲି

ତୁ ପୁଣି ହଲାଉ ବନସି କଣ୍ଟା !

 

ପ୍ରଥମ ଉତ୍ପତ୍ତି ଅବସ୍ଥାରେ ମଣିଷ ଯେ ଏକ ପ୍ରକାର ମାଛ ଆକାର ଘେନି ଜଳମଗ୍ନ ପୃଥିବୀରେ ବିଚରଣ କରୁଥିଲା, ତା’ପରେ ମର୍କଟାଦି ରୂପ ଧାରଣ କଲା । ଏବେ ସୁଦ୍ଧା ସେ ମତ୍ସ୍ୟାଶୀ ରହିଥିବା ତା’ର ଗୋଟିଏ କାରଣ ହୋଇପାରେ । ଏବେ ସୁଦ୍ଧା ପର୍ବ ନମିତ୍ତ, ଭୋଜୀ ଭାତରେ ମାଛ ନ ଲାଗିବାଟା ବଡ଼ ଅଭାବ ରୂପେ ଅନୁଭୂତ ହୁଏ ।

 

ବାପା ଭାଇନାଙ୍କ ଅମଳରୁ ମାଛହିଁ ଆମ ଘରର ଶ୍ରେଷ୍ଠ ବିଳାସ । ମୋର ବନ୍‌ସି ପକାଇବାରେ ତାହା ଯଥେଷ୍ଟ ଉତ୍ସାହ ଯୋଗାଇଥାଏ, କିନ୍ତୁ ଗୋଟିଏ ଘଟଣାରେ ମୁଁ ସେ ଦିଗରେ ଏକାବେଳେ ନିରୁତ୍ସାହିତ ହୋଇପଡ଼ିଲି ।

 

ଭୋଦୁଅ କି ଅଶିଣ ମାସ । ବାପା, ଭାଇନା ଦୁହେଁ ଆସି ଥାଆନ୍ତି ଗାଁକୁ । ବନ୍‌ସିଖଡ଼ା ଧରି ମୁଁ ବାଡ଼ିଗଡ଼ିଆ ତୁଠରେ । ଓଉଗଛ ଛାଇରେ ଗଡ଼ିଆ ପାଣି କାଚପରି ନିର୍ମଳ । ନାଲି କଇଁ ବୁଦାଟିର ମୂଳଯାକେ ପାଣି ଭିତରେ ଦିଶୁଚି । ବନ୍ଧ ଚାରିପଟ ବୁଲି ଦେଖିଲି, ମାଛ କାହିଁ ଆଜି ଧରୁ ନାହାନ୍ତି ! ବାପା, ଭାଇନା ଖାଇବସିଲେ, ତାଙ୍କ ପାଖରେ ତଟକା ମାଛ ପହଞ୍ଚାଇ ପାରିଲେ କେଡ଼େ ଖୁସି ନ ହେବେ ସେ !

 

ତୁଠ ପାଖ ଓଉଗଛ ତଳକୁ ଆସିଲି । ଚମତ୍କାର ! କଇଁବୁଦା-ମୂଳେ ଅସଂଖ୍ୟ ମାଛ ଜାଆଁଳ ! ପବନରେ ଟିକିଏ ଓଉଗଛଟା ଦୋହଲି ଗଲେ ତାଙ୍କ ଉପରେ ସୂର୍ଯ୍ୟକିରଣ ପଡ଼ୁଛି । ସେତେବେଳେ ସେମାନେ କେତେ ପ୍ରକାର ବନ୍ଧ ଭାଙ୍ଗି ଖେଳୁଛନ୍ତି, ଆଉ ଝଟକି ଉଠୁଛି ପିନ୍‍କଣ୍ଟା ପରି ତାଙ୍କର ଟିକି ଟିକି ଦେହଟିମାନ ।

 

ତାଙ୍କର ମଝିରେ ପଡ଼ିଲା ମୋର ବନ୍‌ସିକଣ୍ଟା । ଆଖି ପିଛୁଳାକେ କଇଁବୁଦା ମୂଳରୁ ଚିହିଁକି ଆସି କଣ୍ଟାଟିକୁ ଗିଳି ପକେଇଲି ଗୋଟାଏ ବଡ଼ ମାଛ । ତା’ ସାଥିରେ ପାଣିଭିତରକୁ ତେରଣ୍ଡା କାଠିଟା ଟାଣିହୋଇ ଯିବାର ପରିଷ୍କାର ଦିଶୁଥାଏ ।

 

ଗୋଟିଏ ଝିଙ୍କାରେ ମାଛଟାକୁ ଉପରକୁ ଆଣିଲି । କଣ୍ଟାରେ ଝୁଲି ସେ ଛଟପଟ ହେଉଥାଏ, ଧନୁଷ୍ଟଙ୍କାର ରୋଗୀ ପରି । ଫୁଲି ଉଠିଲା ଛାତିଟା ମୋର ବିଜୟ-ଗର୍ବରେ । ବନ୍‍ସୀଖଡ଼ା ସମେତ ମାଛଟାକୁ ସେଇ ଅବସ୍ଥାରେ ଝୁଲାଇ ଘରଭିତରେ ପଶିଲି । କେଡ଼େ ଖୁସି ହେବେ ବାପା, ଭାଇନା ତଟକା ମାଛଭଜା ଖାଇ !

 

ସତକୁସତ ଦୁହେଁ ଯାଇ ଖାଇ ବସିଥିଲେ । ବନ୍‌ସୀସୂତାରେ ମାଛକୁ ଝୁଲାଇ ତାଙ୍କ ଆଗରେ ଠିଆହେଲି । ଛଟପଟ ହୋଇ ମାଛ ଟିକିଏ କୁଁ କୁଁ ଶବ୍ଦ କଲା ପରି ଶୁଣାଯାଉଥାଏ । ଆଉ ମୋର ଆଖିରେ ଯେ ପୁରି ଉଠୁଥାଏ ଆଖିଏ ହସ ଓ ବାହାଦୁରୀ !

 

“କିରେ ଏ କ’ଣ ?” କି ଭାତ-ଥାଳୀରୁ ମୁହଁ ଟେକି ବାପା, ଭାଇନା ଦୁହେଁ ମୋତେ ଚାହିଁଲେ ।

 

ଠିକେ ଠିକେ ବର୍ଣ୍ଣନା କଲି ମାଛଟାକୁ ମୋର ଧରିବା କୌଶଳ ।

 

ଭାତଥାଳିରୁ ହାତ ଟେକି ବାପା ଯେମ‌୍‌ତି ମହା ଦୁଃଖ ଓ ବିସ୍ମୟରେ କହିଲେ, ଏଡ଼ିକି ଚଣ୍ଡାଳ ତୁ ! ମା’ ତା’ର ଜାଆଁଳ ଖେଳାଉଥିଲା । ତାକୁଇ ଧରି ଆଣିଲୁ, ପିଲାଏ ତା’ର ବଞ୍ଚିବେ କେମିତି ! ତୁ ଏକାବେଳେ ଗୋଟାଏ ବାଳୁଙ୍ଗା ହୋଇଗଲୁ ।”

 

ମାଛ ତରକାରୀ ନ ହେଲେ ଯାହାଙ୍କର ଚଳେନି, ମାଛ ପିଲାଙ୍କ ପାଇଁ ତାଙ୍କର ଏପରି ଅନୁକମ୍ପା ବୁଝିବା ମୋ ପକ୍ଷରେ ସେ ଦିନ କଷ୍ଟକର ହୋଇଥଲା । ବାପା କିନ୍ତୁ ଏତେ ବିରକ୍ତ ହୋଇ ପଡ଼ିଥିଲେ ଯେ, ଭାତ ଥାଳିରୁ ହାତ ଟେକି ସେ ବସିରହିଲେ । ଦୁର୍ଯ୍ୟୋଗକୁ ବନ୍‌ସି ଝୁଲୁଥିବା ମାଛଟା ମଧ୍ୟ ଅତି ଆସ୍ତେ କୁଁ କୁଁ ଶବ୍ଦ କଲା ।

 

“ନା, ତୋ ଜାଳାରେ ଆଉ ଭାତ ନେଇ ହବ ନି ମୁହଁକୁ ।”

 

ବାପାଙ୍କ ଅବସ୍ଥା ଦେଖି ଭାଇନା ମଧ୍ୟ ମୋତେ ଆଖି ଦେଖାଇ କହିଲେ, “ଚାହିଁଚୁ କଣ କି ରେ ବୋକା ! ଯା, ସେ ମାଛକୁ ଯେଉଁଠୁ ଧରିଥିଲୁ ସେଇଠି ଛାଡ଼ିଦେଇ ଆ।”

 

ଭାଇନାଙ୍କ କଥା ନ ମାନିଲେ ତ ରକ୍ଷା ନାହିଁ ।

 

ମାଛଟାକୁ ତୁରନ୍ତ ବନ୍‌ସିକଣ୍ଟାରୁ ମୁକ୍ତି ଦେଲି । କାଚପରି ନର୍ମଳ ପାଣିଭିତରେ ପଡ଼ି ସେ କେଡ଼େ ଛଟକରେ କୁଆଡ଼େ ଯାଇ ଲୁଚିଗଲା । ତାହା ଦେଖି ମନଟା ମୋର ଉଲ୍ଲସି ଉଠି ବାପାଙ୍କ ବିରକ୍ତି ଓ ଭାଇନାଙ୍କ ନାଲି ଆଖି ଦଣ୍ଡକ ଭିତରେ ପାସୋର ହୋଇଗଲା ।

 

ଗଡ଼ିଆ କୂଳରୁ ଲେଉଟି ହାଣ୍ଡିଶାଳ ଭିତରୁ ବୋଉଙ୍କ ପାଟି ଶୁଣି ପାରିଲି, ‘‘ମାଛ ନ ହେଲେ ତ ଦିନେ ତୁମ ପାଟିକୁ ଗୁଣ୍ଡା ଯାଇନାହିଁ । ପୁଅ ମୋର କେତେ କଷ୍ଟ କରି ଏଡ଼େ ଖରାରେ ମାଛଟାଏ ଧରି ଆଣିଲା ଯେ, ତାକୁ ତୁମେ ଗାଳିଦେଲ । କାହିଁକି, ସେ ତୁମପାଇଁ ଆଣିଥିଲା ନା ତା’ ନିଜପାଇଁ ?”

 

“ସବୁ କଥାରେ ତାକୁ ଏମ‌୍‌ତି ମୁହଁ ବଢ଼ିଆ କରିଦବାଟା ଭଲ । ନୁହେଁ, ବୋଉ !” ଭାଇନା କହନ୍ତି ଭାତଥାଳୀ ପାଖରେ ବସି ।

 

“ମୁହଁ ବଢ଼ିଆ ନ କଲେ ଏ ଗାଁ’ରେ ଚଳିହବ ଟି ! ତମେ ତ ବାପ ପୁଅ ଦିହେଁ ଦୂରରେ ରହିଲ । ସେ ମୋର ନ ଥିଲେ କିଏ ଭଲା ଆମକୁ ମାନନ୍ତା !”

 

ବୋଉଙ୍କ କଥାରେ ବାପା ଭାଇନା ଦିହେଁ ହସନ୍ତି । ଭାଇନା କହନ୍ତି, ସେଥିପାଇଁ ତାକୁ ଦୁଷ୍ଟ ହେବାକୁ ଶିଖାଇବା ଦରକାର ପରା?”

 

‘‘ନିଶ୍ଚେ ଦରକାର, ଦୁଷ୍ଟ ନ ହେଲେ ଦୁଷ୍ଟଲୋକଙ୍କୁ ପାରିବ କିଏ ? ତୁ ପାଠ ପଢ଼ିଲୁ ବୋଲି ତ ତୋ ମୁହଁରୁ ଦିନେ ‘ଶଳା’ ବୋଲି ପଦେ ବାହାରିବ ନି । ଶଳା ନ କହିଲେ ଭଲା କିଏ କାହାକୁ ମାନିଲାଣି ନା କେଉଁ କାମଟା ହେଲାଣି !”

 

ଯାହା ଯେ କହନ୍ତୁ ପଛେ, ମୋର କଥାରେ କାମରେ ସବୁ ଦୁଷ୍ଟାମି ପାଇଁ ଉତ୍ସାହ ଦେବା ପୁଣି ସମର୍ଥନ କରିବା ଲୋକ ବୋଉ ଛଡ଼ା ଆଉ କେହି ନୁହେଁ ! ଯେତେ ଯୁଆଡ଼େ ଖେଳେ ବୁଲେଁ, ଘରକୁ ଫେରି ବୋଉଙ୍କୁ ନ ଦେଖିଲେ ସବୁ ଶୂନ୍ୟ । ସେତେବେଳେ ଆଉ କାହାରି-ରକ୍ଷା ନାହିଁ ଘରଭିତରେ କିମ୍ବା ବାହାରେ ।

 

ଉପର ଭଉଣୀ ଉଜ୍ଜ୍ୱଳନାନୀର ସବୁବେଳେ ମୋ ମାଡ଼କୁ ଭୟ । ତାକୁ ଖାଲି ତ ଛୁଇଁ ଦେଲେ ଛ’ଘା । ମଝିଆଣୀ ଓ ବଡ଼ ନାନୀର ଦଶା ମଧ୍ୟ କହିଲ । ଦିନବେଳେ ମୋତେ ଶୁଆଇ ବୋଉ ଗଡ଼ିଆତୁଠକୁ ଗଲେ ନିଦ ଭାଙ୍ଗିବା କ୍ଷଣି ଯେମ୍‍ତି ଚିତ୍କାର କରେଁ, ରାତିରେ ମଧ୍ୟ ସେମ‌୍‌ତି । ଏହିରୂପେ ସାତ ବର୍ଷ ପର୍ଯ୍ୟନ୍ତ ମାତୃ-ସ୍ତନ୍ୟପାୟୀ ହୋଇ ରହିଥିଲି ବୋଲି ଭଉଣୀମାନଙ୍କ ଉଲୁଖା ପରେ ଶୁଣିଲି ।

 

ଥରେ ରାତି ପାହାନ୍ତାରେ ନିଦ ଭାଙ୍ଗିଗଲା—ବୋଧହୁଏ ମୋର ସବୁଠାରୁ ବଡ଼ ସ୍ୱର୍ଗ ବୋଉ କୋଡ଼ରେ ନ ଶୋଇ ଥିବାରୁ । ଚିତ୍କାର କଲି, “ବୋଉ ! ବୋଉ !’ ବଡ଼ନାନୀ, ମଝିଆଣୀ ନାନୀ ଦୁହେଁ ଆସି କେତେ ବୁଝାଇଲେ । ଖାଲି ବୁଝାଇଲେ କ’ଣ ନିଦ ଆସେ କି ! ବାପା କି ଭାଇ ଭଉଣୀ, ସାଙ୍ଗସାଥି, ଖେଳ-କୌତୁକ, ଘର-ଦୁଆର ସବୁ ଛାଡ଼ିଦେଇ ପାରେଁ ସିନା, ବୋଉକୁ ତ ଦଣ୍ଡେ ହେଲେ ନୁହଁ ।

 

ମୋର କାନ୍ଦବୋବାଳି ଗର୍ଜନ ତର୍ଜନ ଭିତରେ ରାତିଟା ଫସର ଫାଟି ସକାଳ ହେଲା । ଅଗଣା ମଝିରେ ନିଃଶବ୍ଦରେ ଝରିପଡ଼ିଲା ଶହ ଶହ ଗଙ୍ଗଶିଉଳି ଫୁଲ । ମହକି ଉଠିଲା ଦୁଆର ଘର-। ‘ବୋଉ’ ‘ବୋଉ’ ଡାକି ଉଠି ଆସିଲି ଶେଯରୁ । ଦାଣ୍ଡପଟ ଦିଅଙ୍କ ଘରୁ ମଝିଆଣୀ ନାନୀ ଖୁସି ହୋଇ ଦୌଡ଼ି ଆସି ପାଟିକଲେ—“ପୁଅଟିଏ ! ପୁଅଟିଏ !”

 

ବଡ଼ନାନୀ ମତେ ସାଙ୍ଗରେ ନେଇ ଦିଅଁଙ୍କ ଘର ଦୁଆରମୁହଁ ଦେଖାଇ ଦେଲେ—“ଏଡ଼େ ଟିକିଏ ପତଳା, ଗଙ୍ଗ ଶିଉଳୀ ଡେମ୍ଫ ପରି ନାଲି ଟହ ଟହ କଅଁଳା ପିଲା ଗୋଡ଼ ହାତ ଛାଟି କୁଆଁ କୁଆଁ କାନ୍ଦୁଚି । ପାଖରେ ତା’ର ମୋ’ର ବୋଉ ! ତା’କାନ୍ଦ ଶୁଣି ମୋ କାନ୍ଦ ବନ୍ଦ ହୋଇ ଗଲା । ସାତ ବର୍ଷ ବୟସରେ ବୁଝି ପାରିଲି, ଏ ପିଲାଟା ବୋଉକୁ ମୋର ବନ୍ଦୀ କରି ନେଲା ଆଜିଠାରୁ । ପିଲାଟା କେଉଁଠି ଥିଲା, କେମିତି ଆସିଲା, କିଛିହେଲେ ମୁଁ ବୁଝି ପାରୁ ନଥାଏଁ । ଆଜିଠାରୁ ସେ ମୋତେ ଯେ ବୋଉକୋଳରୁ ଚିର ଦିନପାଇଁ ବେଦଖଲ କଲା, ସେଥିଲାଗି ତା’ର ଦୁର୍ବଳ ରୂପକୁ ଚାହିଁ ହିଂସା ବଦଳରେ ଦୟା ଓ ବିସ୍ମୟ ଜାତ ହେଲା ।

 

ପୁରୀରୁ ବାପା ଆସିଲେ । ପିଲାଟିକୁ ଦେଖିସାରି କହିଲେ, “ଭାଗବତ ଘରେ ତା’ର ଜନ୍ମ ହୋଇଛି, ନା ତା’ର ଭାଗବତ ।” ସମସ୍ତେ ତାକୁ ସେଇ ନା’ରେ ପୁଣି ଆମ ଘରେ ବଡ଼ମାନେ ‘ଭାଗୁ’ ବୋଲି ଡାକିଲେ ମାସ କେତେକ ବର୍ଷ ପରେ ସ୍କୁଲ କଲେଜରେ, ଥାନା କଚେରୀରେ, ଛାପାଖାନାରେ, ଜେଲଖାନାରେ ଓ ଶେଷକୁ ପୁଣି କଟକ ବଡ଼ଡାକ୍ତର ଖାନାରେ ତା’ରି ନାମ ଲେଖାଗଲା, “ଶ୍ରୀ ଭଗବତୀଚରଣ ପାଣିଗ୍ରାହୀ ।”

 

***

 

‘‘ଏ ଜଗତ ମୋର ଗାଁ ପୁଣି, ସବୁ ମଣିଷ ମୋ ବନ୍ଧୁ’’

 

ବୋଉ-କୋଳକୁ ଆଉ ଜଣେ ଆସି ଦଖଲ କଲାରୁ ପଦାରେ ମୋର ଉତ୍ପାତର ମାତ୍ରା ବଢ଼ିଗଲା । ସେଥିସଙ୍ଗେ ଦୁର୍ଘଟଣା ସଂଖ୍ୟା ମଧ୍ୟ ।

 

ଦାଣ୍ଡକଡ଼ରେ ଥୁଆହୋଇଥାଏ ଶଗଡ଼ । ସେଥିରେ ଚାଲେ ପିଲାଙ୍କ ଖେଳ । ବଳଦ ବଦଳରେ ଆମେ କେତେ ଜଣ ଟାଣୁଁ, ଆଉମାନେ ବସନ୍ତି । ପୁଣି ତା’ର ଅଦଳବଦଳ ଚାଲେ । ତା’ପରେ ଶଗଡ଼ଝୁରା ଉପରେ କେତେ ଜଣ ବସି ଅନ୍ୟମାନେ ଦଣ୍ଡାରେ ଓହଳି ଝୁରାଟାକୁ ଟେକନ୍ତି-। ଏମ‌୍‌ତି ‘କିଳୋତ୍ପାଟୀବ ବାନର କ୍ରୀଡ଼ା’ ଭିତରେ ସମସ୍ତେ ମାତି ଥିଲା ବେଳେ ଗାଦି-ଦୁଆରପଟୁ ହଠାତ୍ ଶୁଣାଯାଏ ଘଡ଼ଘଡ଼ି ପରି ଏକ ଭୟାନକ ଗର୍ଜନ ।

 

“ବଡ଼ଷଣ୍ଢ ! ବଡ଼ଷଣ୍ଢ !” କହି ପିଲାଯାକ କିଲିବିଲି ହୋଇ ଏ ଯେ କୁଆଡ଼େ ପଳାନ୍ତି ! ପ୍ରକୃତରେ ବଡ଼ ଷଣ୍ଢ ଥିଲା ଗାଁ ଭିତରେ ଶ୍ରଦ୍ଧା, ଭକ୍ତି, ସମ୍ମାନ, ସମ୍ଭ୍ରମ, ଭୟ ଓ ଆତଙ୍କର ଏକ ସମ୍ପୂର୍ଣ୍ଣ ବିଗ୍ରହ । ବଡ଼ଷଣ୍ଢ ବୋଇଲେ ଯେ କୌଣସି ଥାନା କଚେରୀର ବଡ଼ ମୁନ୍‍ସୀ, ବଡ଼ ହାକିମ, ବଡ଼ ବାବୁ ପୁଣି ଗାଁ ଭିତରେ ଯେ କେହି ବଡ଼ ମକଦମଙ୍କଠାରୁ ସୁଦ୍ଧା ବେଶୀ ଖାତିର୍, ପ୍ରଚଣ୍ଡ ପ୍ରତାପ ତା’ର ।

 

ନାମ ଅନୁସାରେ ପ୍ରକାଣ୍ଡକାୟ । ପାଦ ପକାଇଲାବେଳେ ପୃଥିବୀ ଅବା ଆଉରି ତଳକୁ ଦବିଯାଏ । ହେଣ୍ଟାଳ ଛାଡ଼ିଲେ ଗାଁ-ଦାଣ୍ଡଟା ଯେମ‌୍‌ତି ଆପେ ଆପେ ପରିଷ୍କାର—ଆଡ଼େଇଯାନ୍ତି ପଶୁ ମନୁଷ୍ୟ ସମସ୍ତେ । ସାମ୍ନା ପଟେ ରାଜଦଣ୍ଡ ଭଳି ଠିଆ ଶିଙ୍ଘ । ତା’ ପଛକୁ ଦେଉଳ ମୁକୁଶାଳି ଭଳି ଚୂଳ । ବିଶାଳ ଆଖି, ବିରାଟ ନାକ, ବିସ୍ତୃତ ଓO । ସେଇ ଶିଙ୍ଘ ବଳରେ ଭାରି ବୋଝେଇ ଶଗଡ଼ମାନ ବଳଦ ଓ ଶଗଡ଼ିଆ ସମେତ ଅବଲୀଳାକ୍ରମେ ଉର୍ଦ୍ଧ୍ୱଗାମୀ ହୋଇ ପରମୁହୂର୍ତ୍ତରେ ଭୂତଳରେ ଲୁଣ୍ଠିତ ହୁଅନ୍ତି । ଚିତାଏ ଉଚ୍ଚରେ ବଢ଼ି ଉଠିଥିବା ଧାନ କି ହରଡ଼ କିଆରୀ ଭିତରେ ବଡ଼ଷଣ୍ଡର ଚୂଳ ଦେଖାଗଲେ, ସେ ଚାଷୀର କପାଳ ଫାଟିଲା ବୋଲି । ଜଗନ୍ନାଥଙ୍କ ପହଣ୍ଡି ବିଜେ ଭଙ୍ଗିରେ ଚାଲିଲାବେଳେ ସେଇ ଚୂଳଟି ଆଗକୁ ପଛକୁ ଦୋହଲେ ।

 

ଗାଁ-ଲୋକେ କୁହାକୁହି ହୁଅନ୍ତି, ରୋଜ ରାତିରେ ବାଲୁକେଶ୍ଵର ମହାଦେବଙ୍କୁ ପିଠିରେ ବସାଇ ବଡ଼ଷଣ୍ଢ କେତେଆଡ଼ ବୁଲାଇଆଣେ ! ତା’ପରେ ଗାଦି ଗୋସେଇଁଙ୍କ ପାଖରେ ନିଏ ବିଶ୍ରାମ । ବାଞ୍ଛୁ କକେଇ କହନ୍ତି, “ଖବରଦାର ପିଲାଏ, ଦିଅଁଙ୍କ ଷଣ୍ଢ ସେ । ଟେକା ପଥର ପକେଇବା କଥା ଛାଡ଼, ଖାଲି ଟିକିଏ ହାତ ଉଞ୍ଚେଇଲେ ସେ କ’ଣ କରିବ ଜାଣ ଟିକି ?”

 

“କ’ଣଟା କରିବ ମ ! ଆମେ ଦୌଡ଼ିଯାଇ ଘରେ ଲୁଚିଯିବୁ ନି !” ଶିନୁଭାଇନା ତାଙ୍କୁ ତେଢ଼ି ଦେଇ ଭଡ଼ଙ୍ଗ ଦେଖାନ୍ତି ।

 

“ବୁଝିଲୁ ରେ ଶିନୁ, ତୋର ସେ ସବୁ ପିଲାଳିଆ ଚଗଲାମି ବଡ଼ଷଣ୍ଢ ପାଖେ ଚଳିବ ନି । ଦେଖିଚୁ ତ, ବୁଲାନା’ ଭଳି ପାଞ୍ଚହାତି ମର୍ବ୍ଦ— ଖାଲି ଟିକିଏ ହିର୍‌ର୍ ବୋଲି କହିଦେଲାରୁ କି ଗୋଡ଼ିଆ ତାକୁ ନ ଗୋଡ଼େଇଲା, ଗହୀର ବିଲ-ଗୋଟାଯାକ ? ପୁଣି ସେଇ ରାଗରେ ତା’ର ଫଳନ୍ତି କୋଳଥ କିଆରିଟାକୁ ବି ଚାଟି-ଚୁଟି ଲାଣ୍ଡୁ କରିଦେଲା । ବୁଲାନା ବିଚାରା ତିନି ଦିନଯାକେ ଘରୁ ବାହାରି ନି ଟି !”

 

ବାଞ୍ଛୁ କକେଇଙ୍କ କଥାକୁ ସଦେଇ ବାରିକ ସମର୍ଥନ କରେ, ବଡ଼ଷଣ୍ଢ ନ ଥିଲେ ଏ ଗାଁ ଭଲା ଦଣ୍ଡେ ଚଳନ୍ତା କି ! ଖାଲି କ’ଣ ତା’ରି ସାଥିରେ ଲାଗିଲେ ସେ ରାଗିଯାଏ । ଗାଁ ଭିତରେ କିଏ ଦୁଷ୍ଟ, କିଏ ସନ୍ଥ କେଉଁ କଥା ତାକୁ ଭଲ ଜଣା ନାହିଁ !

 

“ଦୁଷ୍ଟ ନିବାରି ସନ୍ଥ ପାଳୁ

ତୁ ନାଥ ପରମ ଦୟାଳୁ।’’

 

“କାହା ବିଲବାଡ଼ି କେଉଁଠି ସବୁରି ଜମି ସେ ଠଉରେଇ ରଖିଚି । ଦେଖିଲ ତ ଦୀନା ଗୋବିନ୍ଦା ଦି’ଭାଇଙ୍କ ଭିତରେ ଯେଉଁ ଜମିଖଣ୍ଡକ ପାଇଁ ଏତେ ଟଣା ଓଟରା ଲାଗିଲା, ସେହି ଶଙ୍ଖମୁହଁ ପାଚିଲା ଧାନ କିଆରୀଟା ଆର ଦିନ ସକାଳୁ ଏକାବେଳେ ପଦା ।”

 

ବାଞ୍ଛୁ କକେଇ କହନ୍ତି, “ଠିକ୍ କରିଛି । ଦୀନା, ଗୋବିନ୍ଦା ଦି’ଟା ଯେମ‌୍‌ତି ମୂର୍ଖ, ସେ ଦିନ ମୁଣ୍ଡ ଫଟାଫଟି ହୋଇ ମରିଥାନ୍ତେ । ବଡ଼ଷଣ୍ଢ ଗାଦି ଦୁଆରେ ଶୋଇ ସବୁ କଥା ଏମ‌୍‌ତି ବୁଝୁ ଥାଏ ବୋଲି କିଏ ଜାଣେ ! ସେଥର ପୁଣି ଦେଖିଲୁଟି ? ବୋଧଖଣ୍ଡି ଷଣ୍ଢଟାକୁ ଆମ ଅଚୁତା କିଆରୀରୁ କେମିତି ଘଉଡ଼େଇଲା ? ବଡ଼ଷଣ୍ଢ ନ ଥିଲେ ଭଲା ଘାସ ପୁଳାଏ ଆମକୁ ମିଳନ୍ତା ?”

 

ସେଇ ବଡ଼ଷଣ୍ଢର ଆଗମନରେ ଆମ ଶକଟକ୍ରୀଡ଼ା ଭାଙ୍ଗି ଯାଇ ଦାଣ୍ଡଟା ଶୁନ୍ୟ ହୋଇଗଲା ; କିନ୍ତୁ ଏ କିଏ ? ଦାଣ୍ଡମଝିରେ ମୁହଁ ମାଡ଼ି ସାଷ୍ଟାଙ୍ଗ ପ୍ରଣିପାତ କଲାଭଳି ଶୋଇଛି ? ଆମେ ସବୁ ପିଣ୍ଡାରେ ଠିଆ ହୋଇ ତାଟକା ହୋଇ ଚାହିଁଥାଉଁ ।

 

“ଶୀରୁ ! ଶୀରୁ !” ବିକଳ ହୋଇ ଡାକଛାଡ଼ିଲେ ତାଙ୍କ ବଡ଼ଭାଇ ବନମାଳୀ ।

 

ସେମ‌୍‌ତି ପଡ଼ିରହି ଶୀରୁଭାଇନା କହିଲେ, “କିଛି ପରବାୟ ନାହିଁ, କିଛି କରିବ ନି ସେ ମୋର ।”

 

କିଛି କରିବ ନି ! ବଡ଼ଷଣ୍ଢର ଗୋଟିଏ ଖୋଜ ତାଙ୍କ ପିଠି ଉପରେ ପଡ଼ିଲେ ଯେ ପେଟଭିତରୁ ଅନ୍ତବୁଜୁଳା ବାହାରି ଆସିବ !

 

କିନ୍ତୁ—କିନ୍ତୁ ଏ କ’ଣ ? ନିଶ୍ଚଳ ହୋଇ ପଡ଼ିଥିବା ଶୀରୁଭାଇନାଙ୍କୁ ଆଡ଼େଇଯାଇ ବଡ଼ଷଣ୍ଢ ଧୀରେ ଧୀରେ ଦାଣ୍ଡମଝିରେ ସବୁ ଦିନ ପରି ଚାଲିଗଲା । ଛାତି ଆମର ଦପ୍ ଦପ୍ ପଡ଼ୁଥାଏ, ଉଠୁଥାଏ ।

 

ସମସ୍ତେ ଆସି ଶୀରୁ ଭାଇନାଙ୍କୁ ସାବାସ୍ ସାବାସ୍ କହି ଘେରିଗଲୁଁ । ପୁଣି ଚାଲିଲା ଶଗଡ଼ଖେଳ; ମାତ୍ର ସମସ୍ତେ ମିଳି ଶଗଡ଼ଟାକୁ ଟାଣି ନେଉଥିବାବେଳେ ମୁଁ ପଡ଼ିଗଲି ଚକତଳେ । ଚକଟା ଠିକ୍ ମୋର ଅଣ୍ଟା ଉପରେ ଚାଲିଯାଇ ଅଣ୍ଟା ସୂତାଟା ଚିପି ହୋଇଗଲା । କିଛି ଦିନପାଇଁ ଚାଲିପାରିଲି ନାହିଁ । ଆହୁରି ବେଶୀ କଷ୍ଟ ହେଲା, ବୋଉଙ୍କ ବିକଳ ଦେଖି । ସେଥିସଙ୍ଗେ ଚାଲିଲା କେତେ କ’ଣ ମାଲିସ୍ ପୁଣି ଔଷଧଖିଆ । ଘିକୁଆଁରୀ, କୁକୁଡ଼ା ଅଣ୍ଡା, ଘିଅ, ଗୋଲମରିଚ ।

 

କେତେ ଦିନଯାକେ ଦରଜଟା କମିଲା ନାହିଁ । ତେବେ ଯା’ ହେଉ, ଚୈତ୍ର ପୂର୍ଣ୍ଣମୀକୁ ତାଜାହୋଇ ଉଠିଲି । ଚୈତ୍ର ପୂର୍ଣ୍ଣମୀ ଦିନ ଗାଁ ବଇଷମ ତୋଟାରେ ଦିଅଙ୍କ ମେଳନ । ବାଞ୍ଛୁ କକେଇ, ଶିନୁ ଭାଇନା, ବାଉଭାଇନା ନାଗାଭିଡ଼ା ହେବେ ବୋଲି ସାଜପୋଷାକ ଆଣିବାରେ ଲାଗିଥାନ୍ତି । ଆଉ କେଉଁ ଗାଁ’ରୁ ଭଲ ଯାତ୍ରାଦଳ ଆଣିବାକୁ ବଇନା ଦିଆ ସରିଲାଣି ।

 

ଅଲେଖ କକେଇ ଭଲ ବାଣୁଆ । ତୋପ, ବମ୍ବାଜି, ରସକଦମ୍ବ, ଗଛ, ଫୁଲଚମ୍ପା, ହାବେଳି, ପାଣି କିମ୍ଭିରିଆ ସବୁ ପ୍ରକାର ବାଣର ଭାଗମାପ ତାଙ୍କୁ ଜଣା । ନିଜ ଘରେ ତାଙ୍କର ପୋଥି ଅଛି । କଟକରୁ ଗନ୍ଧକ ହରିତାଳ ରୂଖ କିଣା ହୋଇ, ସଡ଼କ ଉପରୁ ଅରଖ ଗଛ ଅଣାଯାଇ ତାକୁ ପୋଡ଼ି ଅଙ୍ଗାର କରି ବାଣ ତିଆରି ହୁଏ । ଛଣି ଦଉଡ଼ିରେ ବାଣ ଭିଡ଼ା, କାଠ ହାତୁଡ଼ିରେ ବାଣ ବାଡ଼ିଆ ପୁଣି ତା’ ସାଥିକି ଗୀତ । ଦିନ ରାତି ଖିଆପିଆ ଭୁଲି ସମସ୍ତେ ଲାଗିପଡ଼ନ୍ତି ଏଇସବୁ କାମରେ ।

 

ସେଥିପାଇଁ କିଏ ନିକମା ହେଲା ବୋଲି ମଜୁରି ଦାବି କରେ ନାହିଁ । ଏ ତ ହେଲା ଗାଁ ଯାକ ସବୁରି ସାଧାରଣ କାମ । ଚୈତ୍ର ପୂର୍ଣ୍ଣମୀ ଯାତ୍ରାକୁ ଗାଁ ଚାରିପଟୁ ବହୁତ ଦୋଳ ବହୁତ ଲୋକ ଆସି ରୁଣ୍ଡ ହୁଅନ୍ତି । ପଞ୍ଚୁ ଦୋଳ ପରେ ଏହା ଭାରତ ମେଳନ । ସବୁ ଦୋଳରେ ଭାଗବତ, ହରିବଂଶ, ମହାଭାରତ, ରାମାୟଣ, ଏମ‌୍‌ତି କେତେ ପୋଥି ସଜା ହୋଇଥାଏ । ଝାଞ୍ଜ ମୃଦଙ୍ଗ ଘଣ୍ଟାମାଦଳ ବଜାଇ ଆମ ଚାରି ପାଖରୁ ଗୋଟିକ ପରେ ଆଉ ଗୋଟିଏ ଦୋଳ ଗହୀର ବିଲକୁ ଚିତ୍ରିତ କରି ଚାଲିଥାଏ ।

 

ଶିଶୋଲ, ବୋଧଖଣ୍ଡି, ଫକୀରପଡ଼ା, ମମଦଲା, ଗାରଡ଼ିପଞ୍ଚାଶ, ତେଲିସାହି, କିଆଯୋଡ଼ି, ଅଞ୍ଚିରା, ବାରିଜଙ୍ଗ, ସରାଟ, ଚଣାହଟା—ଏମତି କେତେ ଗାଁ’ର ଦୋଳ ସବୁ ପୋଥିବୋଝେଇ କରି ଆମ ଗାଁ । ବୈଷମ ତୋଟା ଆମ୍ବଗଛ ଛାଇରେ ଏକାଠି ହୁଅନ୍ତି । ପୋଥିଗୁଡ଼ିକ କେବଳ ପୂଜା ହୁଏ । ସେସବୁକୁ ଫିଟାଇ ଦେଖିବାର ବ୍ୟବସ୍ଥା ନାହିଁ, ଯେମ‌୍‌ତି ବ୍ୟବସ୍ଥା ଅଛି ଆଧୁନିକ ପୁସ୍ତକ ପ୍ରଦର୍ଶନୀମାନଙ୍କରେ; କିନ୍ତୁ ସେସବୁ ପୁସ୍ତକ-ପ୍ରଦର୍ଶନୀ କେତୋଟି ସହର ବଜାର ଭିତରେ । ଏମ‌୍‌ତି ଗାଁ-ଗାଁରେ ତାହା କେବେ ହେବ, ଜାଣିବା ତ ସହଜ ନୁହେଁ; ଭାଗବତ-ମେଳଣ ସେମ‌୍‌ତି ଜଗନ୍ନାଥ ଦାଶଙ୍କ ଭାଗବତ ରଚନା ସମୟରୁ କିମ୍ବା ଆଉ କେଉଁକାଳୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଚି, ତାହା ଅନୁସନ୍ଧାନସାପେକ୍ଷ ।

 

ନାଚ ତାମ୍‌ସା ଛଡ଼ା ଚୈତ୍ର ପୂର୍ଣ୍ଣମୀକୁ ଆମେ ବି କିଛି ଆମୋଦପ୍ରମୋଦର ଯୋଗାଡ଼ କରିଥାଉଁ । ଶୀରୁ ଭାଇନା ଅବଶ୍ୟ ସେ ଦିଗରେ ଆମର ଅଗ୍ରଣୀ । ଯାହା ତାଙ୍କୁ କହିବ, ଯାହା ସେ ଅନ୍ୟଠାରୁ ଦେଖିବେ, ସଙ୍ଗେ ସଙ୍ଗେ ସେମ‌୍‌ତି ନିଜେ କରିଦେବେ । ଢିଙ୍କିଶାଳ ପଛପଟେ ମୁଣ୍ଡରେ ଜରିଟୋପି ପିନ୍ଧି ସୁଆଙ୍ଗ-ନାଚ ଗୀତ ଯୋଗାଡ଼ରେ ଯେମ‌୍‌ତି ସେ । ଧୁରନ୍ଧର, ସେମ‌୍‌ତି ସେ ଗୋଟିଏ ଲଟାରୀ ଖେଳ ବି ତିଆରି କରିଥାନ୍ତି । ଖଣ୍ଡେ ଗୋଲ ପଟାରେ ଛଅଟି ଘର କଟାଯାଇ ଛଅ ପ୍ରକାର ରଙ୍ଗ ବୋଳା ହୋଇଥାଏ । ଯେଉଁ ଘରେ ଯେ ଯେତେ ପଇସା ଲଗାଇବେ, ଗୋଲ ପଟାଟି ଘୁରି ଘୁରି ଗୋଟିଏ ଘରେ ଅଟକିଲେ, ତାଙ୍କୁ ଦି’ଗୁଣ ପଇସା ମିଳିବ । ଜଣକ ପଇସା ଏମ‌୍‌ତି ଆଉ ଜଣକୁ ଦିଆ ଯାଇ ଶେଷରେ ଖେଳାଇବା ଲୋକକୁ ନିଶ୍ଚୟ କିଛି ଲାଭ ମିଳେ । କେବେ ହେଲେ ତା’ର ଲୋକସାନ୍ ନାହିଁ । ଏମ‌୍‌ତି ଖେଳରେ ଆମର ଯାତ୍ରା-ଖର୍ଚ୍ଚଟା ଉପରୁ ଉଠିଯାଏ ।

 

ତା’ପରେ ପୁଣି ମ୍ୟାଜିକ୍ । ମ୍ୟାଜିକ୍ ବହି ଖଣ୍ଡେ ମଗାଇ ଶୀରୁଭାଇନାଙ୍କୁ ତାହା ପଢ଼ି ମୁଁ ଶୁଣାଇ ଦିଏ । ତା’ପରେ କାଚଗ୍ଲାସ କିଣା ହୋଇ ତା’ ଭିତରେ ଖଣ୍ଡେ କଳାକନା ରଖି ଓ ସେଥିରେ ଖଣ୍ଡେ ସରୁସୂତା ବାନ୍ଧି କଳାସ୍ୟାହୀକୁ ଧଳା ପାଣି କରି ଦେଖାଇ ଦିଆଯାଏ । ରୁମାଲ କାନିରେ ମୁଦିଟା ବାନ୍ଧି ଆଉ ଗୋଟିଏ ସେମ‌୍‌ତି ମୁଦି ଖଣ୍ଡେ ସରୁବାଡ଼ିରେ ପୁରାଉଁ । ତାକୁ ମୁଠାଭିତରେ ଲୁଚାଇ ରୁମାଲ-କାନିକୁ ବାଡ଼ିରେ ଗୁଡ଼ାଇ ସେଇ ମୁଦିଟା ମନ୍ତ୍ରବଳରେ ବାଡ଼ିକୁ ଆସିବା ଦେଖି ଦର୍ଶକମନେ ଚମକି ପଡ଼ନ୍ତି । ସେମ‌୍‌ତି ପରମାନନ୍ଦ ପାଟିରୁ ଗୋଟିକ ପରେ ଆଉ ଗୋଟିଏ ଲେଖାଁ ସାତଟି କୁକୁଡ଼ା-ଡିମ୍ବ ମୁଁ ବାହାର କରେଁ । ପୁଣି କେତେ ପ୍ରକାର ତାସ୍ ମ୍ୟାଜିକ୍ !

 

ମ୍ୟାଜିକ୍ ପେଡ଼ିଟା ସୂତା, ଫିତା, ଡିମ୍ବ, ତାସ୍, ମୁଦି, ରୁମାଲ, କାଠି, ନଳ, କାଉଁରୀ ହାଡ଼ରେ ଭର୍ତ୍ତି ହୋଇଯାଏ । ଶୀରୁଭାଇନା ବଣାହୁଡ଼ାରୁ ଖଣ୍ଡେ ସରୁ ହାଡ଼ ଗୋଟାଇ ଆଣନ୍ତି । କାଉଁରୀ-ହାଡ଼ ବା କୁମାରୀ ଝିଅର ହାଡ଼ ସେ । ହାଡ଼ଖଣ୍ଡକ ଦେଖିଲେ କି ଛୁଇଁଲେ ମୋ ମନରେ ଯାହା ଟିକିଏ ଭୟ ବା ବିକାର ଆସେ । ସେ ଦିନ କିନ୍ତୁ ମୁଁ ଜାଣି ନ ଥିଲି ଯେ ମ୍ୟାଜିକ୍ ଭିତରେ ହିଁ ଗୋଟାଏ ଛନ୍ଦ ଓ ରହସ୍ୟ ଅଛି; ଆଉ କବିତାର ଜନ୍ମ ଏଇ ମ୍ୟାଜିକ୍‍ରୁ ! ମନ୍ତ୍ର-ସ୍ତୋତ୍ରରୂପରେ ଏଇ ମ୍ୟାଜିକ୍ ଅଦୃଶ୍ୟକୁ ଦୃଶ୍ୟ କରେ, ଅବ୍ୟକ୍ତକୁ ବ୍ୟକ୍ତ କରେ, ଉଦ୍‍ଘାଟନ କରେ ଗୂଢ଼ ରହସ୍ୟ, ପୁଣି ମୃତକୁ ଅମୃତ କରେ, ଆଉ ମର୍ତ୍ତ୍ୟମଣ୍ଡଳରେ ରଚନା କରେ ସ୍ୱର୍ଗ ! ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ର ମୁଖବନ୍ଧ-ଲେଖକ ଇଟ୍‌ସ୍ (W.B. Yeats) ପ୍ରମୁଖ ତିନି ଜଣ ସର୍ବଶ୍ରେଷ୍ଠ କବି ମ୍ୟାଜିକ୍ ଶିକ୍ଷା କରିଥିଲେ । ତା’ର ଅବଶ୍ୟ ଅର୍ଥ ନୁହେଁ ଯେ ମ୍ୟାଜିକ୍ ନ ଜାଣି କେହି କବି ହୋଇପାରନ୍ତି ନି !

 

ଚୈତ୍ର ପୂର୍ଣ୍ଣମୀ ମେଳନଯାତ୍ରା ସରିଯାଏ । ପିଲାଙ୍କ ଯାତ୍ରା ସରେ ନାହିଁ । ଯେଉଁସବୁ ବାଣଫୁଟକା ଫୁଟି ନ ଥାଏ, ତାକୁ ପୁଣି ଶୁଖାଇ ମରାମତ କରି ଫୁଟାଇବା ପାଳିପଡ଼େ ପିଲାଙ୍କର । ଏହି କାମରେ ନେତୃତ୍ୱ ନେଇ ଥରେ ଆମ ଦାଣ୍ଡ ସାହାଲ ଚାଳଘରଟିକୁ ମୁଁ ଭସ୍ମସାତ୍ କରିଦେବାକୁ ଯାଉଥିଲି; ଚାଳଉପରୁ ଧୂଆଁ ବାହାର ହେଉଥିବାର ଦେଖି ଭୋବନିଭାଇନା ଓ ଆଉ କେତେ ଜଣ ଉଠି ଚାଳଯାକ ଓଲାରି ପକାଇଲେ ।

 

ବାଣ-ନିଆଁରୁ ସିନା ଘରଟା ରକ୍ଷା ପାଇଗଲା, ମୋତେ ସେଥିରୁ ରକ୍ଷା ମିଳିଲା ନାହିଁ । ଆଉ ଥରେ ଫୁସ୍‍କି ଯାଇଥିବା ଫୋଟକା ଧରି ଆମେ ସବୁ ଫୁଟାଉ ଥାଉଁ । ମୋ ହାତରେ ଯେଉଁଟା ଥାଏ, ତା’ଭିତରେ ନିଆଁ ମୋଟେ ଧରିଲା ନାହିଁ । ଅନ୍ୟମାନଙ୍କ ପରି ମୁଁ ତାକୁ ଫୁଙ୍କିବାକୁ ଲାଗିଲି । ଆଉ ଜୋର୍‍ରେ—ଆଉ ଜୋର୍‌ରେ । ତା’ପରେ…

 

ହଠାତ୍ ଜଳି ଉଠି ଯେମ‌୍‌ତି ସେ ଫୁଟିଲା, ସେତେବେଳେ ମୋର ନାକ, ଆଖି, କାନସମେତ ମୁହଁ ଗୋଟାକ ଯେ କେଉଁଠି ଥିଲା, ବୁଝି ପାରିଲି ନାହିଁ । ପରେ ବୁଝି ପାରଲି ଯେଉଁ ଦିନ ଆଖି ମେଲି ଚାହିଁଲି, ବୋଉ କୋଳରେ ମୁଁ ଶୋଇଛି ।

 

ରଜବେଳକୁ ସବୁ ଭଲ । ପୁଣି ସବୁ ପାସୋରି ଯାଇଥାଏ । ଗାଁ ଭିତରେ ରଜମଉଜ ପରି ଆଉ ତ କିଛି ମଉଜ ନାହିଁ ! କି ପୁରୁଷ କି ସ୍ତ୍ରୀ ସବୁରି ସବୁ କାମ ବନ୍ଦ । ବାଗୁଡ଼ି, ପଶା, ଆଠପଚିଶ, ତା’ସ, ବାଘଛେଳି ଘରେ ବାହାରେ ଚାଲିଛି । କଟା ବଟା ଛାଡ଼ି ଆଗ ରାତିରୁ ବୋଉ ଚୂଲୀ ଉପରେ ପୋଡ଼ପିଠା ବସାଇ ଦେଇଥାନ୍ତି । ସକାଳୁ ଗାଧୁଆ ସାରି ପୋଡ଼- ପିଠାଖିଆ, ବାଗୁଡ଼ି ଖେଳ, ରଜବୁଲା, ରଜଦୋଳି ।

 

ଦିନକ ଆଗରୁ ଝିଅମାନେ ଖଡ଼ୁ, ପାହୁଡ଼, ଚୁଡ଼ି, ବାଜୁ, ନୋଥବସଣୀ ତିନ୍ତୁଳି କି ଆମ୍ବୁଲପାଣିରେ ପକାଇ ମଜାମୁଠାରେ ମାଜିମୁଜି ଚିକ୍ ଚିକ୍ କରି ରଖିଥାନ୍ତି । ରଜ-ସକାଳୁ ଗାଧୋଇ-ପାଧୋଇ ସେସବୁ ପିନ୍ଧାଯାଏ । ତା’ ସାଥିକୁ ରଙ୍ଗଢଙ୍ଗ ପେଡ଼ିଲୁଗା ।

 

ବିଲବାଡ଼ି ତୋଟା ବଗିଚା ଡେଇଁ ଯେଉଁପଟେ ସୂର୍ଯ୍ୟଦେବତା ନିତି ଯା’ନ୍ତି ମା’ କୋଳକୁ, ଗାଁ-ମୁଣ୍ଡରୁ ସେଇପଟେ ଦିଶେ ଆକାଶତଳେ ପାଉଁଶିଆ ହୋଇ ଗୋଟାଏ ପାହାଡ଼ । ଆଉ ଯେଉଁପଟେ ସେ ନାଲି ଟହ ଟହ ହୋଇ ଆମ୍ବ ନଡ଼ିଆଗଛ ଉପରକୁ ଚଢ଼ନ୍ତି ସେପଟେ ଗୋଟାଏ ଭଙ୍ଗା ଦେଉଳ—ଧଉଳି ପାହାଡ଼ ଆଉ ବୁଦ୍ଧନାଥ ମନ୍ଦିର । ରଜ ତିନି ଦିନ ଏ ଦୁଇଜାଗାରେ ହୁଏ ଲୋକଗହଳି, ଭୋଗରାଗ ।

 

ଗାରଡ଼ିପଞ୍ଚାଶ ଗାଁର ବୁଦ୍ଧନାଥ ମନ୍ଦିରରେ ବୌଦ୍ଧଯୁଗର କିଛି ସ୍ମୃତି ଅଛି କି ନାହିଁ, ସେ ଦିନ ତାହା ଜାଣି ନ ଥିଲି । ଜାଣି ନ ଥିଲି ବୁଦ୍ଧଙ୍କ ସଙ୍ଗେ ଥାଳ ଘେନି ବୁଲୁଥିବା ନାଥମାନଙ୍କର କୌଣସି ଆନୁମାନିକ ସମ୍ପର୍କ; ପୁଣି ବୁଦ୍ଧଙ୍କ ପରେ ଶଙ୍କରାଚାର୍ଯ୍ୟ ଆସି ବୌଦ୍ଧ ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠାର କିଛି ହେଲେ ତଥ୍ୟ ବିଚାର ।

 

ଧଉଳି ପାହାଡ଼ରେ ଅଶୋକ-ଶିଳାଲେଖ ସେମ‌୍‌ତି ଥିଲା ସେତେବେଳେ ମୋର ଅଜଣା । ଧଉଳିର ଚୁଡ଼ା ଉପରେ ମଧ୍ୟ ଭଙ୍ଗା ଦେଉଳ । ତା’ଭିତରେ ଶିବଲିଙ୍ଗ । ସେଇଠି ଦିଶେ ଚିତ୍ରପଟ ପରି ଅତି ପାଖରେ ମନ୍ଦିରମୟ ଭୁବନେଶ୍ଵର । ପୁଣି ଖଣ୍ଡଗିରି ଉପରେ ଜୈନ ମନ୍ଦିର । ପୁରୀ ଦେଉଳ ବି ଦେଖାଯାଏ ବୋଲି କେହି କେହି କହନ୍ତି । ମୁଁ କେବେ ଦେଖିପାରି ନାହିଁ । ବିଚାରି ମଧ୍ୟ ପାରି ନାହିଁ । ଏଇ ଗୋଟିଏ ଅଞ୍ଚଳ ଭିତରେ ଶୈବ, ବୈଷ୍ଣବ, ଜୈନ, ବୌଦ୍ଧ ସବୁରି କିପରି ଏକତ୍ର ସମାବେଶ—ରାଜନୀତିର ସବୁ ମତବାଦ ବିଧାନସଭା ଅବା ପାର୍ଲ୍ୟାମେଣ୍ଟର ଚାରିକାନ୍ଥ ଭିତରେ ପ୍ରକାଶ ପାଇଲା ଭଳି ।

 

ମୋର ପ୍ରଥମ ପର୍ବତାରୋହଣ ଏହି ଧୌଳି । ଛୋଟ ହେଲେ ବି ଆମ ଅଞ୍ଚଳରେ ସବୁଠୁ ଉଚ୍ଚା ଆଉ ତା’ର ବିଶେଷତ୍ୱ, ଛୋଟା ଅନ୍ଧ ସମେତ ସମସ୍ତେ ଉଠିପାରନ୍ତି ସେ ଉଚ୍ଚତାକୁ । ସେଇ ସାନ ମୁଣ୍ଡିଆ ଉପରକୁ ପଡ଼ିଚି ସରୁ ସରୁ ଚଲାବାଟ । ବୁଢ଼ା, ପିଲା, ଝିଅ-ପୁଅ ରଙ୍ଗଢଙ୍ଗିଆ ଲୁଗା ପିନ୍ଧି ସାଧବବୋହୂ, ପରି ସେଇ ବାଟରେ ଚଢ଼ି ତଳକୁ ଓହ୍ଲାନ୍ତି । ବାଟ-କଡ଼ଯାକ ତିନିଖଣ୍ଡି ଢିମା ପଥର ଉପରେ ଆଉ ଖଣ୍ଡେ, ପଥର ଥୁଆ ହୋଇଛି । ଧଉଳି ଉପରେ ଚଢ଼ିଲେ ଆରୋହୀମାନେ ଏମ‌୍‌ତି ସାନ ସାନ ଦେଉଳ ତୋଳିବା ବିଧି ଅଛି ।

 

ବିଶ୍ୱନାଥ ମୁଣ୍ଡିଆ କି ଲଳିତଗିରି, ପୁଷ୍ପଗିରି ଆଉ କେଉଁସବୁ ପାହାଡ଼ରେ ଏ ଦେଉଳ ତୋଳିବାଟା ଆରୋହୀମାନଙ୍କର ଧର୍ମକାର୍ଯ୍ୟ -ରୂପେ ଗଣାହୁଏ । ଏହାର ହେତୁ ହେଲା ବୋଧହୁଏ ଓଡ଼ିଶା ବୋଇଲେ ବେଶୀ ବୁଝାଏ ଦେଉଳକୁ ଅର୍ଥାତ୍ ଧର୍ମକୁ; ଆଉ ଦେଉଳତୋଳା କାମରେ ଏବେ ସୁଦ୍ଧା ଭୋଟ ଅଛି ସବୁରି !

 

ବଶିଷ୍ଠଙ୍କ ପରେ ରାମରାଜ୍ୟ, ଶ୍ରୀକୃଷ୍ଣଙ୍କ ପରେ ଅର୍ଜୁନ, ବୁଦ୍ଧଙ୍କ ପରେ ଅଶୋକ, ଗାନ୍ଧିଙ୍କ ପରେ ନେହେରୁ, ମାର୍କସ୍‍ଙ୍କ ପରେ ଲେନିନ୍—ଜଣେ ନୂତନ ତଥ୍ୟର ଓଦ୍‍ଗାତା, ଆର ଜଣକ ତା’ର କର୍ମକ୍ଷେତ୍ରରେ ପରୀକ୍ଷକ, ବ୍ୟାଖ୍ୟାକାର, ନିର୍ମାତା ।

 

ଧଉଳି ପାହାଡ଼ ତଳେ ହାତୀଗୁମ୍ପା । ଦୁଇ ହଜାର ବର୍ଷରୁ ବେଶୀ ଅଶୋକ-ଅନୁଶାସନ । ତରବାରିର ଜୟ, ଜୟ ନୁହେଁ ; ଧର୍ମର ଜୟ ହିଁ ଜୟ ମନୁଷ୍ୟର ଧର୍ମ ମନୁଷ୍ୟତ୍ୱ—ସେ କେବଳ ଅହିଂସା । ଆଉ ହିଂସା ହେଲା ପଶୁତ୍ୱ—ପଶୁର ଧର୍ମ । ଅହିଂସା ପରମୋଧର୍ମ । ସଂସାରକୁ ଧାରଣ କରେ ଧର୍ମ—ଅହିଂସା; ଧ୍ୱଂସ କରେ ହିଂସା ।

 

ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ସେଇ ଅହିଂସାର ବିଚାରଫଳରେ ବହୁ ରକ୍ତପାତ, ପୁଣି କଳିଙ୍ଗ ରଣ-ପ୍ରାଙ୍ଗଣରେ ବହୁ ରକ୍ତପାତ କରେ, ସେଇ ଅହିଂସାର ବିଜୟ । ଏଇ ଧଉଳି ଖଣ୍ଡଗିରିର ଆଖପାଖରେ କେଉଁଠି ଲାଗିଲା କଳିଙ୍ଗ ସମର । ଟଳି ପଡ଼ିଲେ ଲକ୍ଷ ଲକ୍ଷ କଳିଙ୍ଗ-ସୈନ୍ୟ, ରକ୍ତରେ ତିନ୍ତାଇ ଦେଲେ ଏଇ ମାଟି । ସେଇକାଳୁ ଯେମନ୍ତେ ଏ ମାଟିର ରଙ୍ଗ ଗେରୁଆ ହୋଇପଡ଼ିଚି ।

 

ଯୁଦ୍ଧ ହୋଇ ନ ଥିଲେ ମଧ୍ୟ ଆଜିଯାକେ କେ ବଞ୍ଚି ନ ଥାନ୍ତେ, ବଞ୍ଚି ନ ଥାନ୍ତେ ଶୋକଶୂନ୍ୟ ଅଶୋକ; ଚଣ୍ଡାଶୋକ ହୁଅନ୍ତେ ନାହିଁ ଧର୍ମାଶୋକ । ଭାରତେଶ୍ୱର ହୁଅନ୍ତେ ନାହିଁ ଯୁଗ ଯୁଗ ଧରି ଅଧେ ପୃଥିବୀର ଅଧୀଶ୍ୱର । ଏଇ ପଥରରେ ଲେଖନ୍ତେ ନାହିଁ, ସବୁ ମଣିଷ ମୋ ପୁଅ—ସମସ୍ତେ ମୋରି ଅନ୍ଧକୁ ନାଳ ! ମୋର ଝିଅ ସମସ୍ତେ—ସଂଘମିତ୍ତା ! ସଂଘମ୍ ଶରଣମ୍ ଗଚ୍ଛାମି, ଧର୍ମ୍ମଂ ଶରଣଂ ଗଚ୍ଛାମି ।

 

ଏ କଥା ସିନା ଧର୍ମ ପ୍ରଚାରକର, କ୍ଷମତାସୀନ ଶାସକର ତ ନୁହେ । ଅଶୋକର ସେଇ ଚୀନ୍, ସେଇ ଭିଏତ୍‌ନାମ୍ ଆଜି ଚାଲିଛି ଅବା ପୃଥିବୀ ଆଉ ଏକ ରକ୍ତସ୍ନାନର ରଣାଙ୍ଗନ ହେବାକୁ-!-! ବୁଦ୍ଧ ଯେପରି କି ଆଜି ବୁଦ୍ଧିର ଶରଣ ଯୋଗାଇବାକୁ ଅକ୍ଷମ; ତଥାପି ଅଶୋକ ବିଜୟୀ ହୋଇ ରହିଲେ ଆଜି ସୁଦ୍ଧା—ତରବାରି ତ୍ୟାଗ କରି । ପାର୍ଥିବ ନିୟମର ବ୍ୟତିକ୍ରମ ! ଇତିହାସର ଆଶ୍ଚର୍ଯ୍ୟ-!

 

ରଜଦିନ ଧଉଳି ଉପରେ ଚଢ଼ୁଁ । ଢିମା ପଥରରେ ଦେଉଳ ତୋଳୁଁ । ଏସବୁ କଥା ଜଣା ନ ଥାଏ ସେତେବେଳେ । ଲେଖା ହୋଇ ନ ଥାଏ—“ଧଉଳି ପାହାଡ଼ ! ଧଉଳି ପାହାଡ଼ !

 

କି କଥା କହିଲ ରାଜାଙ୍କ କାନେ !”

 

କବି ପଦ୍ମଚରଣ ! ତାଙ୍କ ଜନ୍ମସ୍ଥାନ ପାଞ୍ଚଗାଁ ଏଠାରୁ ବେଶୀ ବାଟ ନୁହେଁ । ଆମ ଗାଁକୁ ଧଉଳି ଯେମ‌୍‌ତି ଦିଶେ ତାଙ୍କ ଗାଁକୁ ସେମ‌୍‌ତି ଦିଶୁଥିବ । ହେଲେ ଆଉ କେଉଁ ଗାଁ’ରୁ ଏମ‌୍‌ତି ଧଉଳି କବିତା ବାହାରି ପାରି ନି ପରା !

 

ବହୁତ ଦୂରକୁ ଦିଶେ ଧଉଳି ଉପର ଭଙ୍ଗା ଦେଉଳ । ତଳେ ବୋହିଯାଏ କ୍ଷୀଣତୋୟା ଦୟା—ଅଶୋକ-ହୃଦୟର ଦୟା, ପ୍ରିୟଦର୍ଶୀର ପ୍ରାଣର କରୁଣା ।

 

ଏହି ଦୟା ନଦୀର ପୌରାଣିକ ନାମ ଥିଲା ପରା ଦଧିଭଦ୍ରା ! ତ୍ୟାଗବୀର ଦଧୀଚି ମହର୍ଷିଙ୍କ ଆଶ୍ରମ ଏହାର କୂଳରେ ଥିବାର କିମ୍ବଦନ୍ତୀ । ଧଉଳିର ବିପରୀତ ଦିଗରେ ପୁଣି ଗଙ୍ଗରଜାଙ୍କ ଚରମ କଳଙ୍କ–ନିନ୍ଦିତ । ଘୃଣିତ କୌଶଲ୍ୟାଗାଙ୍ଗ ହ୍ରଦ ! ଯାହାର ସତ୍ୟ ମିଥ୍ୟା ଏବେ ଅପ୍ରମାଣିତ; ପୁଣି ଯେଉଁ କିମ୍ବଦନ୍ତୀକୁ ‘ପାର୍ବତୀ’ କାବ୍ୟର ବିଷୟବସ୍ତୁ କରି କବିବର ରାଧାନାଥ ବହୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି—ସତ୍ୟଂ ବୃୟାତ୍ ପ୍ରିୟ ବୃୟାତ୍ ମା ବୃୟାତ୍ ସତ୍ୟମ୍ ପ୍ରିୟମ୍ । ଅପ୍ରିୟ ସତ୍ୟ କହିଲେ ସବୁ ବିପଦ !

 

“ଦୟା ଅବତାର            ବୁଦ୍ଧ ଦେବଙ୍କର

ବିଶ୍ୱବନ୍ଦ୍ୟ ବିଧିମାନ,

ଅକ୍ଷୟ ଅକ୍ଷରେ            ଯେଉଁ ଶୈଳଭାଲେ

ହେଉଅଛି ଦୀପ୍ୟମାନ ।”

 

ଉତ୍କଳର ଅପରୂପ ସୌନ୍ଦର୍ଯ୍ୟ-କବି, ମାଧୁର୍ଯ୍ୟ-କବି ରାଧାନାଥ । ତାହାର କଦର୍ଯ୍ୟ କଳ୍ମଷରେ ସେମ‌୍‌ତି ସେ ବ୍ୟଥା ଓ ଘୃଣାରେ ଜର୍ଜରିତ । ଏଇ ଅତି ବାସ୍ତବ ଅତି ନିର୍ମମ ଦୃଷ୍ଟିର ମୁଲ୍ୟ ତାଙ୍କୁ ତ ଅଳ୍ପ ଦେବାକୁ ହୋଇ ନାହିଁ ସମାଲୋଚନାର ବିଷୋଦ୍‍ଗାରରେ ! କିନ୍ତୁ କବିତା କ’ଣ ସୁନ୍ଦର ପାଖରୁ ସତ୍ୟ ଓ ଶିବକୁ ଛାଡ଼ି ପାରେ କି ?

 

ପିଲାଦିନେ ରଜବୁଲି ଯିବାବେଳେ ଏସବୁ କଥା ତ ଜଣା ନ ଥାଏ । ଚାରିଆଡ଼େ “ତମାଳ-ତାଳୀ-ବନରାଜିଲୀଳା” ଭିତରେ ଧଉଳି ଥାଏ ଗୋଟିଏ ଏକୁଟିଆ ରହସ୍ୟମୟ ପର୍ବତ । ତାକୁ ଦେଖିଲେ ଯେମ‌୍‌ତି, ତା’ଉପରେ ଚଢ଼ିଲେ ବି ସେମ‌୍‌ତି ଛାତିଟା କାହିଁକି ଉଲୁସିଉଠେ ।

 

ଘରକୁ ଲେଉଟି ଦେଖେଁ, ବାପା ବସି ଗପ କରୁଛନ୍ତି । ପାଖରେ ତାଙ୍କର କେତେ ଜଣ ସାଙ୍ଗ-ସାଥି । ତାଙ୍କ ଭିତରୁ ମୁଁ ସଦେଇ ବାବୁଙ୍କୁ ଭଲକରି ଚିହ୍ନେ । ଗେଡ଼ା ଧେଡ଼ଙ୍ଗା ହୋଇ ମଣିଷଟିଏ । ବେକପାଖରୁ ଟିକିଏ ନଇଁ ପଡ଼ିଲାପରି । ଗୋଟିଏ ଆଖି ନଷ୍ଟ ହୋଇ ଡୋଳାଟି ଧଳା ଦିଶୁଥାଏ । ଛାମୁ ଦାନ୍ତରୁ କେତୋଟି ଭାଙ୍ଗିଯାଇ ଗୋଟିଏ ଦାନ୍ତ ଓଠ ଉପରକୁ ବାହାରି ପଡ଼ିଥାଏ । ସଦେଇ ବାବୁଙ୍କ ଘର ଆମ ଗାଆଁରୁ ପାଞ୍ଚ ଛ’କୋଶ ଦୂର । ମୋର ବଡ଼ ନାନୀଘର ଗାଁ ପାଖ–କୁମ୍ଭାରପଡ଼ା ।

 

ସଦେଇବାବୁଙ୍କୁ ଜ୍ୟୋତିଷ, ଆଗତଭବିଷ୍ୟ ବହୁତ କଥା ଜଣା । ମାଳିକା, ଅମରଜୁମର, ଅଚ୍ୟୁତାନନ୍ଦଙ୍କ ଶୂନ୍ୟ-ସଂହିତା, ନନ୍ଦ ଦାସଙ୍କ ଅଣାକାର-ସଂହିତା—କେତେ ବହି କେତେ ବିଷୟର ଚର୍ଚ୍ଚା ହୁଏ । ଖଣ୍ଡଗିରି-ଗୁମ୍ପାରୁ, ହିମାଳୟ-ପର୍ବତରୁ ଯୋଗୀଋଷିମାନେ କିମିତି ବାହାରିବେ । ଚଣ୍ଡୀ-ଚାମୁଣ୍ଡାମାନେ ଖଣ୍ଡାଖର୍ପର ଧରି ଗାଁ ଗାଁ ବୁଲିବେ, ଦୁଷ୍ଟଲୋକଙ୍କୁ ମାରି ତାଙ୍କ ରକ୍ତ ପିଇବେ । ଜାତିବର୍ଣ୍ଣ କିଛି ବିଚାର ରହିବ ନାହିଁ—

 

“ସର୍ବେ ହୋଇବେ ଏକାକାର ।

ନ ଥିବ ବେଦର ବିଚାର ।

 

“ପ୍ରଳୟ ! ପ୍ରଳୟ ! ବୁଝି ଲେ ମୁକ୍ତାରବାବୁ ! ପ୍ରଳୟ ବେଳ ଆସିଗଲା ଏଣିକି ।” ଏଡ଼େ ଧୀର ସହଜ ଓ ସାଦାସିଧାଭାବରେ ସଦେଇବାବୁ କଥାଗୁଡ଼ିକ କହନ୍ତି ଯେ, ମୋ ଭଳି ଚଞ୍ଚଳମତି ବାଳକ ସୁଦ୍ଧା ଖେଳ କଥା ଭୁଲି ଏଣିକି ତେଣିକି ଚାହେଁ, କେଉଁ ବାଟେ ପ୍ରଳୟ ଆସୁଛି !

 

“ଆଚ୍ଛା, ସଂସାର ଭିତରେ ସତ ଅଛି କେଉଁଠି ଭଲା କହିଲ ?” ହଠାତ୍ ଏକ ପ୍ରଶ୍ନ କରନ୍ତି ଆଉ ଜଣେ । ମୁହଁଯାକ ତାଙ୍କର ଘୋଡ଼େ ହୋଇ ପଡ଼ିଥାଏ ବହଳିଆ ଧଳା ଦାଢ଼ିରେ । ତା’ରି ଭିତରୁ ଦିଶୁଥାଏ ଖାଲି ଜୁଳୁ ଜୁଳୁ ଆଖି ଦିଓଟି ଆଉ ପାନଖିଆ ନାଲି ଓଠ । ପାନ ଚୋବେଇଲେ ସେଇ ଦାଢ଼ୀ ତାଳେ ତାଳେ ନାଚିଲା ପରି ଜଣାପଡ଼େ । ଟୁସିକଣା କି ଆଉ କେଉଁ ମଠର ବାବାଜି ସେ । ତାଙ୍କ ପ୍ରଶ୍ନରେ ସବୁରି ଆଖି ଓଟାରି ହୋଇଯାଏ ସେଇ ଦାଢ଼ି ଉପରକୁ ।

 

“ସତ ଆଉ ଅଛି କେଉଁଠି—ତରକି ଥିବୁ ତେଏରକୁ, ଚଉଦ ପନ୍ଦର କେହି ନ ରହିବେ ସତ ଉପୁଜିବ ସତରକୁ ।” ଏ କଥା କ’ଣ କେବେ ଅନ୍ୟଥା ହେବ ! ତୃତୀୟ ବ୍ୟକ୍ତି ସତ ଫଳେଇ କହନ୍ତି ।

 

ଗଣନା କରିବାରେ ସଦେଇ ବାବୁ ଧୁରନ୍ଧର । ସେ କହନ୍ତି, “ବୁଝିଚ ଆଗ, ଚଉଦ ପନ୍ଦର କ’ଣ, ପୁଣି ସତର କ’ଣ ? ଖାଲି କହିଦେଲେ କ’ଣ ହେବ କି ? ଏଇଠି ତ ରହିଛି ଗଣ୍ଠି । ଏ ଗଣ୍ଠିକୁ ଫିଟାଇବ କିଏ କହିଲ ?”

 

ଅନେକ ଯୁକ୍ତିତର୍କ ପରେ ଗଣ୍ଠି ଫିଟାଇ ଦିଅନ୍ତି ସ୍ୱୟଂ ସଦେଇ ବାବୁ । “ସନ୧୩୭୩ ହେଲା ଚଉଦ, ବୁଝିଲଟି ! ବୁଝି ପାରୁ ନ ? ସେ ଚାରିଟା ଅଙ୍କକୁ ମିଶାଇ ଦେଲ ଦେଖି—ତିନି ଏକ ଚାରି ସାତ ଏଗାର, ଯୁକ୍ତ ତିନି ଚଉଦ—ବୁଝଲ ତ ଏଥର? ଏଡ଼େ ସହଳ କୁଆଡ଼ୁ ସଂହାରବେଳ ଆସିଯିବ ମ ! ସେମ‌୍‌ତି ସନ ୧୩୭୪ ସାଲକୁ ମିଶାଇ ଦେଖ; ହେବ ପନ୍ଦର । କଳିଯୁଗ ଶେଷ ସେତିକିବେଳେ ।

 

ବାବାଜି କହନ୍ତି ହସି ହସି, “ଅସଲ ସଂହାରବେଳ ତ ସେଇ–ତା’ର ତିନି ବର୍ଷ ପରେ ସନ ୧୩୭୬ ସାଲର ଅଙ୍କଗୁଡ଼ିକୁ ମିଶାଇଲେ ହେଲା ସତର—ସତ୍ୟଯୁଗ । ସେଇ ସଂହାରରେ ଗାଁ ଗାଁ ଖାଲି ହୋଇଯିବ । ଗାଁ-ଦାଣ୍ଡରେ ବୋହିବ ଲୁହ-ସୁଅ । ତା’ପରେ—

 

“ଝାଡ଼ ବାଡ଼ ଧରି ଯେ ଅବା ରହିବେ ।

ବିହନ ହୋଇବେ ସେଇ ।”

 

ତୃତୀୟ ବ୍ୟକ୍ତି ନିସ୍ପୃହ ହୋଇ ଟିପ୍ପଣି କରନ୍ତି, “ଯେ ରହନ୍ତୁ, ଆମେ ତ ନ ଥିବା ।”

 

ପାନ ଚୋବାଇବା କ୍ରିୟା ଫଳରେ ବାବାଜିଙ୍କ ଦାଢ଼ି ଆହୁରି ସଂଚାଳିତ ହୁଏ । “ଆମେ ନ ଥିଲେ ହେଲା କ’ଣ । ଯାହା ଘଟିବା କଥା, ସେ କ’ଣ ଆମ ତୁମକୁ ଅପେକ୍ଷା କରିଛି କି ? ମୁଁ କ’ଣ କହୁଥିଲି କି, ସତ୍ୟଯୁଗ ଯେତେବେଳେ ଆସୁଛି, ଆସୁ ପଛେ—ଏ କଳିଯୁଗରେ ବି ଯେତିକି ସତ ରହିଛି, ତାହା ସୁଦ୍ଧା ଟଳ ମଳ ହେଲାଣି ।’’

 

ସମସ୍ତେ ଚାହାନ୍ତି ତାଙ୍କ ଆଡ଼କୁ । ମୁଁ କିନ୍ତୁ ଚାହିଁଥାଏଁ କାନ୍ଥରେ ଡେରା ହୋଇଥିବା ସଦେଇବାବୁଙ୍କ ଛୋଟ ମହଣଛତାଟିକୁ—ବାଉଁଶର ବେଣ୍ଟ ଖଣ୍ଡି । ଅଗଟି ତା’ର କି ସୁନ୍ଦର ବଙ୍କା । କିମିତି ତାହା ଏଡ଼େ ଯତ୍ନରେ ବଙ୍କା ହେଲା !

 

କହି ଚାଲିଥାନ୍ତି ବାବାଜି—“ଏଇ ଦେଖ, ସଂସାରରେ ସତ୍ୟ ଯଦି କିଏ ରଖିଥାଏ ତ ତାହା ସମୁଦ୍ର । ଆମର ଧନୁଆ କି କୁଶଭଦ୍ରାରେ ପାଣି ମୁନ୍ଦାଏ ଆସିଲେ ରାତିରେ ଚୁଲୀ ଜଳୁନି କି କାହାରି ଆଖିକୁ ନିଦ ଆସୁନି । କେଉଁଠି ବନ୍ଧ ଟିକିଏ ମେଲା ହୋଇଗଲେ ପ୍ରଳୟ; ମାତ୍ର କେତେ କୁଶଭଦ୍ରା, ଗଙ୍ଗା, ଯମୁନା, ଗୋଦାବରୀ ପାଣି ଯାଇ ଢଳା ନ ହେଉଛି । ସମୁଦ୍ରରେ ! ଆଚ୍ଛା ଦିନେ ହେଲେ ତାହା ବଢ଼ିଲାଣି କି ଶୁଖିଲାଣି ଭଲା ? ସବୁବେଳେ ଯେମ‌୍‌ତି କି ସେମ‌୍‌ତି ! କେବେହେଲେ ସେ କୂଳ ଲଙ୍ଘିଲାଣି ନା ତା’ପାଇଁ ବନ୍ଧ ବାନ୍ଧିଲାଣି କିଏ କେଉଁଠି ? କିନ୍ତୁ ହେଲା କ’ଣ ସେ ଦିନ ରାତିରେ ? ନୋଳିଆ ସାହିଟା ଭାସୁଛି, ସିଂହଦୁଆରଯାକେ ଚିହିଁକି ଆସିଲା ଲହଡ଼ି !”

 

କାନ୍ଥରୁ ଛତାଟିକୁ ଅକାରଣ ଉଠେଇ ସଦେଇବାକୁ କହନ୍ତି—

 

“ଖାଲି ତ ସେତିକି ନୁହେଁ—

ବଡ଼ ଦେଉଳରୁ ନିଶ୍ଚେ ଖସିବ ପଥର

ବସିବ ଯେ ଗୃଧ୍ରପକ୍ଷୀ ଅରୁଣ ଖୁମ୍ବର ।

 

ବଡ଼ ଦେଉଳରୁ ତ ସେ ଦିନ ପଥର ଖସିଲା, ପୁଣି ତ ଶାଗୁଣା ମଧ୍ୟ ବସିଗଲା ଅରୁଣଖମ୍ବ ଉପରେ । କେଉଁ କଥାଟା ଆଉ ବାକି ରହିଲା କି ! ସବୁ ସୂଚକ ତ ମିଳିସାରିଲାଣି । ଆମେ ସିନା ନ ଥିବା, ଏହି ଟିକିବାବୁଟି ଆମର ସବୁ ଦେଖିବେ ଯେ ।”

 

ମୋତେ ଉଦ୍ଦେଶ୍ୟ କରି ସଦେଇବାବୁ ଯାହା କହନ୍ତି, ପ୍ରକୃତରେ ତହିଁରୁ ମୁଁ ଖୁସି ହେବାର କିଛି ଉପାଦାନ ପାଏଁ ନାହିଁ । ବରଂ ତାଙ୍କ ଛତାଟିକି ଚାହିଁ ଭାରି ଖୁସି ଲାଗୁଥାଏ ମୋତେ । ସେ ପର୍ଯ୍ୟନ୍ତ ମୁଁ ତାଳପତ୍ର-ଛତା ସଙ୍ଗେ ବେଶୀ ପରିଚିତ । ସେ’ତ ସବୁବେଳେ ଖୋଲା । ଏ କିନ୍ତୁ ବନ୍ଦ ହୁଏ ପୁଣି ଖୋଲଯାଏ ମଧ୍ୟ ।

 

ତାଙ୍କ ଭିତରେ ଆଉ କେତେ କଥା ଆଲୋଚନା ବି ହୁଏ । କେଉଁ ମାଳିକା କି ସଂହିତାରେ କୁଆଡ଼େ ଲେଖା ହୋଇଛି—ଅମୁକ ଜାଗାରେ ଅମୁକ ଘରେ କେଉଁ ସବୁ ମହାପୁରୁଷ ଜନ୍ମ ନେବେ-। ମୁଁ କୁଆଡ଼େ ତାଙ୍କରି ଭିତରୁ ଜଣେ ! ବାପ୍‍ରେ—ସତେ ନା ? ମୁଁ ବି ଜାଣେ ?

 

ସେ ସବୁ କଥା କିନ୍ତୁ ମୋର ଏ କାନରେ ପଶି ସେ କାନରେ ବାହାରି ଯାଏ । ଧ୍ୟାନ ରହିଥାଏ ଖାଲି ସେଇ ଛତାଟି ଉପରେ । ବାବାଜୀ ତାଙ୍କର ବିସ୍ମୟବାଚକ ଶୁଭ୍ର ଶ୍ମଶ୍ରୁକୁ ଟିକିଏ ସାଉଁଳି ଦିଅନ୍ତି ହାତମାରି । ତା’ରି ଭିତରୁ ଯେମ‌୍‌ତି କି କଥା ବାହାରେ—ଏସବୁ ପରା ଠ ଅକ୍ଷର ପରି ଦିଶୁଚି ମୁକ୍ତାର ବାବୁ । ଏଇ କୁଶଭଦ୍ରା କୂଳେ ତ ‘ଶିଶୁ ମଠ’ ଆଜିଯାକେ ରହିଛି ବାଲିପାଟଣା ‘ଶିଶୁ ମଠ’ । ଶିଶୁ ଅନନ୍ତଙ୍କ ଜନ୍ମସ୍ଥାନ । ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ଜଗନ୍ନାଥ, ବଳରାମ—ପଞ୍ଚସଖାଙ୍କ ଭିତରୁ ଜଣେ ହେଲେ ଶିଶୁ ଅନନ୍ତ । ସେଇଠି ବାଲିପାଟଣା କୁଶଭଦ୍ରା ବନ୍ଧ ପାଖରେ ତ ଏଇ ବିଷ୍ଣୁ ଦାସ ପୁର । ଶ୍ରୀ ଅଚ୍ୟୁତି ଗୋସାଇଁଙ୍କ ଆଗତ ଭବିଷ୍ୟ ମାଳିକା ଦ୍ୱିତୀୟ ବାଣୀରେ ତ ସଫା ଲେଖା ରହିଛି—

 

“ବଢ଼ି ନ କହେ ଅଚ୍ୟୁତ,

ବାଲିପାଟଣା ପାଇବ ସଂକେତ,

ବନ୍ଧ ତଳୁ ଆଜ୍ଞା ହୋଇବ ତ ?”

 

ଶୁଣିଲେ ଟି ? ଏ ପରା ଗୁରୁ-ବଚନ । କେବେହେଲେ କ’ଣ ଅନ୍ୟଥା ହେବ ? ତା’ପରେ କୌତୂହଳ ଓ ଗାମ୍ଭୀର୍ଯ୍ୟ ସହ ସବୁରି ଆଖି ଯେମ‌୍‌ତି ମୋର ଉପରେ ଆସି ପଡ଼େ ।

 

“ହଁ, ବାବାଜୀଙ୍କ ମଠରେ ଯେଉଁ ଗୁପ୍ତ ମାଳିକା ଅଛି, ତା’ରି କଥା ସେ କହୁଛନ୍ତି ପରା !” ଆଉଜଣଙ୍କଠାରୁ ସମର୍ଥନ ମିଳେ । ବାବାଜୀ ସଂଶୋଧନ କରି କହନ୍ତି,“ଗୁପ୍ତ ମାଳିକା କାହିଁକି, ଏ ତ ପଞ୍ଚସଖା ଭିତରୁ ଆଉ ଜଣେ ସଖା—ସ୍ଵୟଂ ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ।”

 

ସଦେଇବାବୁ ଜାଣି ନ ଜାଣିଲା ପରି ପଚାରନ୍ତି, “ଆଚ୍ଛା, ନାଁ’ଟି ତାଙ୍କର ଶିଶୁ ଅନନ୍ତ କାହିଁକି ?”

 

“ଶିଶୁ ଅନନ୍ତ ? ସେ ପରା ସ୍ଵୟଂ ଭଗବାନ ଶ୍ରୀକୃଷ୍ଣଙ୍କର ଶିଶୁ ଅବତାର—ବାତ୍ସଲ୍ୟ ରସଠାରୁ ମଧୁର ନିର୍ମଳ ନିଷ୍ପାପ ଆଉ କ’ଣ ଅଛି କି ?” ବାବାଜୀ ଉତ୍ତର ଦିଅନ୍ତି, ‘‘ଜଗନ୍ନାଥ ଦାଶ ଶ୍ରୀମଦ୍ ଭାଗବତକୁ ଓଡ଼ିଆରେ ଲେଖିଲେ । ପାରାୟଣ କଲେ ଶ୍ରୀମନ୍ଦିର-ବଟମୂଳେ ନାରୀମାନଙ୍କ ଗହଣରେ । ସେବକ-ବ୍ରାହ୍ମଣମାନେ ଆପତ୍ତି କଲେ ରାଜାଙ୍କ ଛାମୁରେ । ଅତିବଡ଼ି ଗୁରୁତର ଦୋଷରେ ସୁପର୍ଦ ହେଲେ । ଅପରାଧଟା ଲମ୍ପଟ ସ୍ଵଭାବ । ଉତ୍ତର କଲେ ଭାଗବତକାର—

 

“କାହାର ସଙ୍ଗେ ସଙ୍ଗ ନୁହେଁ,

ସମେ ବସଇଁ ସର୍ବ ଦେହେ ।

ଆନନ୍ଦେ ଭ୍ରମଇଁ ସଂସାରେ,

ସ୍ପରଶ ନ କରି କାହାରେ ।

ଏଣୁ ଆକାଶ ଗୁରୁ ମୋର,

ଏବେ ହୋ ଶୁଣ ନୃପବର ।”

 

ବ୍ରାହ୍ମଣ ସେବକମାନେ ଜିଗର କଲେ—ଏହା ଖାଲି ଛଳନା, ବାକଚାତୁରୀ । ପରୀକ୍ଷା ଦରକାର, ପ୍ରମାଣ ଲୋଡ଼ା । କି ପରୀକ୍ଷା ଦେବେ ଅବଧୂତ ଗୋସାଇଁ ? ନାରୀ ପୁରୁଷର ଫରକ ଯେ ତାଙ୍କୁ ଅଜଣା ! ଅନୁଭୂତିର ବାହାରେ ! ରାଜାଦେଶ ହେଲା, ଜଗନ୍ନାଥ ଦାଶ ଏକୁଟିଆ ଗୋଟିଏ ଘରେ ସାତ ଦିନ ବନ୍ଦୀ ରହିବେ । ସାତ ଦିନଯାକ ଯୋଗୀ ଜଗନ୍ନାଥ ରହିଲେ ନିର୍ଜନ, ନିରନ୍ନ, ନୀରବ ।

 

ସାତ ଦିନ ପରେ ବନ୍ଦୀଶାଳାର ଦ୍ଵାର ଫିଟିଲା । ପାତ୍ର-ମନ୍ତ୍ରୀ, ବ୍ରାହ୍ମଣ-ସେବକ ଗହଣରେ ଅବାକ୍ ରାଜା ଦେଖନ୍ତି—ଦାଶଙ୍କର ନାରୀ ସୂରୁପ, ନୟନରେ ବ୍ରୀଡ଼ା, ଅଧରରେ ମୃଦୁ ମନ୍ଦହାସ, ବକ୍ଷଦେଶ ସ୍ତନଭାର ରେ ଆନତ ! ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁରାଜା—ମାୟା, ଇନ୍ଦ୍ରଜାଲ—ଯାଦୁ ! ସନ୍ନ୍ୟାସୀମାନେ ସେସବୁ ବିଦ୍ୟାରେ ପାରଙ୍ଗମ ।

 

ଖବର ବ୍ୟାପିଲା ଚାହୁଁ ଚାହୁଁ । ରୁଣ୍ଡ ହେଲେ ଆସି ଶତ ଶତ ଶ୍ରୀକ୍ଷେତ୍ରବାସୀ । ସବୁରି ମୁଖରେ ସଂଶୟ । ପୁଣି କ’ଣ ପରୀକ୍ଷା ? ସତୀ ସୀତାଙ୍କର ଅଗ୍ନି ପରୀକ୍ଷା ତ ଏକା ଥରେ ଶେଷ ହୋଇ ନି । ସନ୍ଦେହୀ ମନ କ’ଣ ସହଜେ ବୁଝେ ? ନାରୀରୂପୀ ଅତିବଡ଼ିଙ୍କ ଅଧରରୁ ସେ ହସ ନିଭିଲା ନାହିଁ, କରୁଣାର ହସ !

 

ଜନଗହଳିଭିତରୁ ଅକସ୍ମାତ୍ ବାହାରି ଆସିଲେ ଜଣେ ଯୁବକ । ସୁଶାନ୍ତ ସୁନ୍ଦର ଅକଳୁଷ ବଦନ । ଦୁଇ ଆଖିରୁ ଅସରନ୍ତି ଅନର୍ଗଳ ଅଶ୍ରୁ । ‘ମାଆ’ ‘ମାଆ’ କ୍ରନ୍ଦନରାବରେ ଫାଟି ପଡ଼ିଲା ବଡ଼ଦାଣ୍ଡ । ଅଧିର ଆବେଗରେ ଉଡ଼ିଲା ନୀଳଚକ୍ର ଉପରେ ଫର ଫର ହୋଇ ପତିତପାବନବାନା-। ଅଟ୍ଟହାସରେ ଗର୍ଜନ କଲା ମହୋଦଧି । ସେଇ ଯୁବକକୁ ତକ୍ଷଣେ କୋଳରେ ତୋଳି ଧରି ଆଦର କଲେ ଅତିବଡ଼ି । ସ୍ତନଦେଶରୁ ଉଚ୍ଛୁଳିଝରିଲା ଦୁଗ୍ଧଭାଣ୍ଡ । ସେ ସ୍ତନକୁ ପାନକଲେ ପରମ ଆଲ୍ଲାଦରେ ଯୁବକ । ଜନନୀ ଯଶୋଦା-କୋଳରେ ତୃପ୍ତ ଯେପରି ତୃଷିତ କହ୍ନାଇ । ସେଇ ଦିନୁଁ ହେଲେ ସେ ଶିଶୁ ଅନନ୍ତ ।’’

 

“ଆଜିକାଲି ଲୋକେ ଏହା ଅସମ୍ଭବ ମଣିବେ” ସଦେଇବାବୁ କହନ୍ତି, ‘‘କିନ୍ତୁ ସେ ଦିନ ପରା ‘ଦୀପିକା’ରେ ପଡ଼ିଲେ ମୁକ୍ତାରବାବୁ । ବୃନ୍ଦାବନର ସେଇ ଯେ ଗୋସ୍ଵାମୀ ଜଣକ—ନାଁ ତାଙ୍କର କ’ଣ ତ ! ଏମ୍.ଏ. ପାସ୍ କରି ଚିର ବ୍ରହ୍ମଚାରୀ । ବୃନ୍ଦାବନରେ ଗୋଟିଏ ଘରେ ଏକା ରହନ୍ତି । ନାମ ସଂକିର୍ତ୍ତନ ଛଡ଼ା ଆଉ କିଛି ଜାଣନ୍ତି ନାହଁ । ଏବେ ତାଙ୍କର ସର୍ବାଙ୍ଗରେ କୁଆଡ଼େ ନାରୀତ୍ୱର ଚିହ୍ନ ପ୍ରକଟିତ ।”

 

‘ଉତ୍କଳଦୀପିକା’ ଥାଏ ଓଡ଼ିଆ ସାପ୍ତାହିକ ଖବର କାଗଜ । ବାପା କହନ୍ତି, “ଜଣେ କାହିଁକି, କେତେ ଜଣଙ୍କ କଥା ମୁଁ ଜାଣିଛି । ଆଦୌ ଏହା ତ ବିଚିତ୍ର ନୁହେ । ଗୋପୀଭାବ, ରାଧାଭାବ ଏ ସବୁ ହେଲା ବୈଷ୍ଣବଧର୍ମର ଅସଲ କଥା । ପୁଣି ସହଜ ପନ୍ଥା ।”

 

ବାପା କେବେହେଲେ ବୈଷ୍ଣବ କିମ୍ବା କୌଣସି ସମ୍ପ୍ରଦାୟର ସମର୍ଥକ ନ ଥିଲେ; କିନ୍ତୁ ଗୀତା ଭାଗବତ ଥିଲା ତାଙ୍କର ଶ୍ରେଷ୍ଠ ସାହିତ୍ୟ । କୌଣସି ମନ୍ଦିରକୁ ଯାଇ ପୂଜା ଦର୍ଶନ କରିବା ତାଙ୍କୁ ମୁଁ ଦେଖି ନାହିଁ । ଚିତା ଘେନିବା କିମ୍ବା ସନ୍ଧ୍ୟା କରିବା ଆଦି ଦୈନନ୍ଦିନ କ୍ରିୟାରୁ ବରଂ ବିରତ ଥିବାରୁ ସେ ସମାଲୋଚିତ ହୁଅନ୍ତି । ସେଥିପ୍ରତି ତାଙ୍କର ଭ୍ରୂକ୍ଷେପ ନ ଥାଏ । କେବଳ ଗାଧୋଇ ସାରି ନୀରବରେ ଗୋଟିଏ ଘଣ୍ଟା ଜପରେ ବସନ୍ତି ଓ ଗୀତା ପାଠ କରନ୍ତି । ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ମଧ୍ୟ ତାଙ୍କୁ ଅନୁସରଣ କରୁଥିଲି, କିନ୍ତୁ ଯେଉଁ ସମୟର କଥା ଲେଖୁଚି, ସେତେବେଳେ ମୋର ଏକମାତ୍ର ‘ଗୀତା’ ଥିଲା ଖେଳ କୌତୁକ ଚଗଲାମି ।

 

ମୋତେ ଟିକିଏ ବାଟକୁ ଆଣିବାପାଇଁ ବାପା ମୋ ନାଁରେ “ଉତ୍କଳଦୀପିକା” ମଗାଇ ଦେଇଥାନ୍ତି । ପ୍ରତି ହାଟପାଳିରେ ମୋ ନାଁ ଲେଖା ହୋଇ ଖଣ୍ଡେ ପତ୍ରିକା ଆସେ । ତାକୁ ଫିଟାଇ ସେଥିରୁ ମୁଁ ଖବର ପଢ଼ିବା ଅପେକ୍ଷା ବେଶି ପଢ଼େଁ ବିଜ୍ଞାପନଗୁଡ଼ିକୁ । ଗୋଟିଏ ଟଙ୍କାରେ ତା’ସ, ସପ୍ତସ୍ଵର, ଘଣ୍ଟା, କଲମ, ଜଳଛବି କେତେ କ’ଣ ଜିନିଷ; ମାତ୍ର ଟଙ୍କାଟିଏ ପାଇବି କେଉଁଠୁ ? ମନ ଖାଲି ଛଟପଟ ହୁଏ । ସଦେଇବାବୁଙ୍କ ଛତାକୁ ଚାହିଁ ସେମ‌୍‌ତି ମନ ହେଲା ।

 

ଶେଷକୁ ଆଉ ସମ୍ଭାଳି ପାରିଲିନି । ଆସ୍ତେ ଆସ୍ତେ ଯାଇ ଛତାଟିକୁ ଧରିଲି । ପରୀକ୍ଷା କଲି କେମ୍‌ତି ତାହା ଫିଟିଯାଏ । ସଦେଇବାକୁ ପଚାରନ୍ତି, “କଣ, ଫିଟାଇ ପାରୁନ କି ? ଏଇ ଦେଖ-।”.

 

ଏହା କହି ସେ ଫିଟାଇଦେଲେ । ଭିତରେ ତା’ର ସରୁ ସରୁ ଲୁହା କାଠି !! ମୁଦିଲାବେଳକୁ କାଠିଗୁଡ଼ିକ ଜାକି ହୋଇଯାଏ ! କେଡ଼େ ମଜା !! ବାପାଙ୍କ ପାଖକୁ ଯାଇ ତୁନୀତୁନୀ କହିଲି ଛତାଟି ନେବାକୁ । ସଦେଇବାବୁ କିମିତି ଜାଣିପାରି ପଚାରିଲେ, “କଣ ଛତାଟିକି ରଖିବ ? ହଉ ତେବେ ନିଅ ।”

 

ବାପାଙ୍କୁ ଭାରି ଅଡ଼ୁଆ ଲାଗିଲା । କହିଲେ, ‘‘ନା, ନା, ତୁମେ ଏତେ ବାଟ ଯିବ କିମିତି । ଏଥର ତା’ପାଇଁ ଖଣ୍ଡେ ଛତା କଣି ଆଣିବି ପୁରୀରୁ ।”

 

ପୁରୀରୁ ! ବାପାଙ୍କର କ’ଣ ମନେ ରହିବ ! ମୁହଁଟା ମୋର ଶୁଖିଗଲା । ଏଡ଼େ ସୁନ୍ଦର ସାନ ଛତାଟିଏ । ଆଉ କଣ କେଉଁଠି ମିଳିବ କି ! ମୋ ମନ କଥା ଜାଣିଲା ପରେ ସଦେଇବାକୁ କହିଲେ, “ନା, ନା, ମୋର କିଛି ଅସୁବିଧା ହେବନି । ଛତାଟି ତୁମେ ରଖ ।”

 

ବାପାଙ୍କ ସାଙ୍ଗମାନେ ସତେ କେଡ଼େ ଭଲ ମଣିଷ ! କାହିଁକି କେଜାଣି ଭାଇନା ସେମାନଙ୍କ ବିରୁଦ୍ଧରେ କେତେ କଥା କହନ୍ତି । “ପ୍ରଳୟ ସଂହାର—ସେଗୁଡ଼ାକ ଖାଲ ଗୁଲିଖଟି ଗପ-।” ବାପ ପୁଅଙ୍କ ଭିତରେ ବହୁତ ଯୁକ୍ତି ତର୍କ ହୁଏ ।

 

“ଗୁଲିଖଟି ଗପ ! ! ଏ ସବୁ କଥା ତ ପୋଥିରେ ଲେଖା ରହିଛି ।”—ଭାଇନାଙ୍କ କଡ଼ା କଥାରେ ବାପା ଟିକିଏ ବ୍ୟଥିତ ହେଲା ପରି କହନ୍ତି ।

 

“ପୋଥିରେ ଯାହା ଲେଖା ଅଛି, ସବୁ କଣ ସତ । ତା’ ଭିତରୁ ବହୁତ କଥା ଖାଲି ଚିଲମ ଜୋରରେ ଲେଖା ।” ଭାଇନା ତର୍କ କରନ୍ତି ।

 

“ତେବେ ତୁମେ ଯେଉଁ ସବୁ ଇଂରାଜୀ ବହି ପଢ଼ୁଚ ? ସେଗୁଡ଼ାକୁ ସିନା ମଦ, ଅଫମ, ପିଙ୍କା, ସିଗ୍ରେଟ ଲେଖଉଥିବ ? କି ପାଠ ସେଗୁଡ଼ା ? କେଉଁଠି ଆମ ପିଲାଏ ପଢ଼ୁଥିଲେ ‘କମଳଲୋଚନ ଶ୍ରୀହରି, କରେଣ ଶଙ୍ଖଚକ୍ର ଧରି’, ଏବେ ପଢ଼ୁଛନ୍ତି, The cock has wings !” ଏଇ ତ ପାଠ, କୁକୁଡ଼ାର ଡେଣା ଗଣିବା ପାଠ !’’ ହସିଉଠନ୍ତି ବାପା, “କୁକୁଡ଼ା ନ ହେଲେ ତ ଇଂରାଜୀ ପାଠ ହେବନି !”

 

“ନାଇଁ ସେଗୁଡ଼ା କିଛି ପାଠ ନୁହେ, ପାଠ ହେଲା ଖାଲି କେଉଁଠୁ କେତେ ଡାଙ୍କିଣୀ, ଚିରିଗୁଣୀ ବାହାରି ଚାରିଆଡ଼େ ଗାଁ ଗାଁ ବୁଲି ରକ୍ତପିଇବେ ଦୁଷ୍ଟ ଲୋକଙ୍କର । ଭକ୍ତମାନଙ୍କୁ ଭୈରବୀଚକ୍ର ରକ୍ଷା କରିବ । ପୁଣି ‘ଖଣ୍ଡଗିରି ସିଦ୍ଧ ସ୍ଥାନରେ ଯେତେ ଅଛନ୍ତି ଋଷି । ସକଳେ ବାହାର ହୋଇବେ ପ୍ରଭୁ ନାମକୁ ଘୋଷି ।’—ଭାଇନା ମଧ୍ୟ ହସି ପକାଇ ଅଚ୍ୟୁତାନନ୍ଦ ‘ମାଳିକା’ରୁ ଉଦ୍ଧାର କରି କହନ୍ତି ।

 

ମନୁସଂହିତାରୁ କେତେ କଥା ଉଦ୍ଧାର କରନ୍ତି ବାପା । ମନୁଷ୍ୟମାନଙ୍କ ପ୍ରଥମ ପ୍ରପିତାମହ ମନୁ । ସେ ଗୋଟିଏ ମାଛଠାରୁ ଶୁଣିଲେ ଯେ, ପ୍ରଳୟ ଆସୁଛି । ତହୁଁ ସେ ଗଢ଼ିଲେ ଗୋଟିଏ ନୌକା । ପ୍ରଳୟ ଶେଷରେ ଜନ୍ମହେଲା ଜଣେ ନାରୀ ।

 

“ସେମ‌୍‌ତି ଗପ କେଉଁ ଦେଶରେ ନାହିଁକି ? ପୃଥିବୀର ସବୁରି ଧର୍ମ ଶାସ୍ତ୍ରରେ ଉଣା ଅଧିକେ ସେ କଥା ଅଛି । ହିନ୍ଦୁମାନଙ୍କ କିମ୍ବଦନ୍ତୀରେ, ବେବିଲୋନ୍‍ରେ ଆଉ ଗ୍ରୀସ୍‍ର ଏପୋଲୋ ଡୋରେସ୍ ଯେଉଁ ଗପ ଲେଖିଛନ୍ତି, ସେଥିରେ ବି ଅଛି ମହା ପ୍ରଳୟର କାହାଣୀ—ପୁଣି ଖ୍ରୀଷ୍ଟିଆନ୍ ଓଲ୍‌ଡ୍‌ ଟେଷ୍ଟାମେଣ୍ଟରେ, ଚୀନ୍, ମିସର—”

 

ଭାଇନାଙ୍କ କଥା ନ ସରୁଣୁ ବାପା କହନ୍ତି, “ସେ ସବୁ ଆମରିଠାରୁ ଆମରି ଭାରତବର୍ଷରୁ ନିଆ ହୋଇଛି । ତାଙ୍କର ସଭ୍ୟତା ବୋଇଲେ ତ ମୋଟେ ଦି’ହଜାର ବର୍ଷ ପୂରିନି । ଯୀଶୁଖ୍ରୀଷ୍ଟଙ୍କ ଆଗରୁ ସମସ୍ତେ ଥିଲେ ବିଧର୍ମୀ, ବର୍ବର, ଅସଭ୍ୟ । ଆମ ଦେଶର ଅନାର୍ଯ୍ୟମାନଙ୍କଠାରୁ ବି ଆହୁରୀ ବେଶୀ । ତାଙ୍କ ପୂର୍ବ ପୁରୁଷଙ୍କୁ ବି ସେଇମାନେ କହନ୍ତି ମୂର୍ଖ ବର୍ବର । ଆଉ ତାଙ୍କରି ସାହିତ୍ୟ ଇତିହାସ ପଢ଼ି ତମର ସବୁ ମୁଣ୍ଡଗୁଡ଼ିକ ବିକୃତ ହୋଇ ସାରିଲାଣି । ଆଜିକାଲି ଶିକ୍ଷାର ଏହି କୁଫଳ-।”

 

ଏସବୁ ଯୁକ୍ତିତର୍କ ଭିତରୁ କେତେ ମୋର ମନେ ଅଛି, ଆଉ କେତେ ମନଗଢ଼ା, ତାହା ଆପଣଙ୍କ ଅନୁମାନକୁ ଛାଡ଼ିଦେଲି । ଆପଣଙ୍କୁ ଆଜି ଯେମ‌୍‌ତି ଏହା ସୁଖ ଲାଗୁ ନ ଥିବ, ମତେ କିନ୍ତୁ ସେମ‌୍‌ତି ସୁଖ ଲାଗୁଥିଲା, ସେତେବେଳେ ଖାଲି ସେଇ ଛତାଖଣ୍ଡି ।

 

ଛତାଖଣ୍ଡିକୁ ଓଲଟ ପାଲଟ କରି, ଫିଟାଇ ବନ୍ଦ କରି ସେସବୁ ଯୁକ୍ତିତର୍କର ଜଙ୍ଗଲ ଭିତରୁ ପଦାକୁ ବାହାରି ଯାଇ ନିଃଶ୍ୱାସ ମାରିଲି । ସେଇ ଛତାଖଣ୍ଡି ଧରି ଭୋବନି ଭାଇନାଙ୍କ ସାଙ୍ଗରେ ବିଲକୁ ଯାଏଁ । ଧାନବୁଣା, ବିଲ ବଛା, ଧାନ କଟା, ହଳାହିସାବ, ମୁଗଉପୁଡ଼ା ସବୁ କାମରେ ଥିଲା ସେ ମୋର ସଦାସହଚର । ତା’ ଆଗରୁ ଯେଉଁ ଗରୁଆ ମୋଟା ବାଉଁଶ ବେଣ୍ଟର ତାଳପତ୍ର ଛତାରେ କୋଇଲିସୁତା ବାନ୍ଧି ଏକତାରା ବଜାଉଥିଲି, ତାକୁ ଆଉ ପଚାରିଲି ନାହିଁ ।

 

କନାଛତାର ଆଉ ଗୋଟିଏ ନାଁ ହେଲା ମହଣ ଛତା । କନାରେ ତା’ର ମହଣ ଦିଆ ହୋଇଥିବାରୁ ଏପରି ନାମକରଣ ହୋଇଥିବ ଅବା ! ସେଥିରେ ସିନା ସୂତା ବାନ୍ଧି ବାଜା ବଜାଇ ହୁଏ ନାହିଁ, ତେବେ ନେବା ଆଣିବାକୁ ଭାରି ସୁବଧା । ଛତାଖଣ୍ଡିକୁ କାଖରେ ଜାକି ବାଡ଼ିଦୁଆରେ ପହଞ୍ଚି ଡାକ ଛାଡ଼େଁ—

 

“ସାଆନ୍ତାଣି, ଭାତ ଗଣ୍ଡାଏ ଦିଅ ।”

 

ଧଡ଼ପଡ଼ ହୋଇ ବୋଉ ଓ ନାନୀମାନେ ଆସି ଦେଖନ୍ତି, ମୁଁ ବାଡ଼ିଦୁଆରେ ଖଣ୍ଡେ କଦଳୀପତ୍ର ପକାଇ ବସିଛି ।

 

ବୋଉ ହସି ହସି ଡାକନ୍ତି, “କି ରେ, ଘର ଭିତରକୁ ଆ । ଏଇଠି ଖାଇବୁ କାହିଁକି ?”

 

“ନା, ନା, ମୁଁ ପରା ବଇଷମ ବେହେର। । ବେହେରାମାନେ କ’ଣ ଘର ଭିତରେ ଖା’ନ୍ତି ? ମତେ ଏଇଠି ଦିଅ ।” ମୁଁ ଏକା ଜିଗର କରେଁ । କମଳା ନାନି ବିରକ୍ତ ହୋଇ କହେ, “ହଉ ତା'ହେଲେ ଏଇଠି ଖା । ଆଉ ତୁ ଆମ ଘରଭିତରକୁ ଆସିବୁନି ।”

 

ଭାତ ତରକାରୀ ଦିଆହୁଏ ସେଇଠି ବାରିପଟେ ଢିଙ୍କିଚାଳିଆରେ । ଖାଇ ସାରି ସଙ୍ଖୁଡ଼ି ଗୋଟାଇ ପତର ପକାଇ ପାଣି ପକାଇ ଜାଗାଟିକି ଲିପିଦିଏଁ ! ଛତାଟି ଧରି ପୁଣି ବାଡ଼ି ଗଡ଼ିଆ ବନ୍ଧ ଉପରକୁ ଯାଏଁ ବାଛୁରୀ ଚରାଇବାପାଇଁ । ବାଛୁରୀଟିଏ ପାଳିଥାଏଁ ମୁଁ ।

 

ଧଳା ବାଛୁରୀ । ଯେମ‌୍‌ତି ଟାଣୁଆ ସେମ‌୍‌ତି ତରକା । ଲାଞ୍ଜରେ ଗୋଛାଏ ଚଅଁର । ମତେ ସେ ଏମ‌୍‌ତି ମାନେ ଯେ, ଗୋଟିଏ ଡାକରେ ପାଖକୁ ଚାଲିଆସେ । ଖରା ଟାଇଁ ଟାଇଁ ମାରୁଛି । ଗୋଟିଏ ହାତରେ ମୋର ବାଛୁରୀ ପଘା, ଆର ହାତରେ ଛତା ।

 

ଗୋଟାଏ ହାତକୁ ଟିକିଏ ଉଶ୍ୱାସ କରିବାକୁ ଇଚ୍ଛା ହେଲା । ବାଛୁରୀଟାର ଲାଙ୍ଗୁଳଅଗ ଚଅଁରରେ ଛତାର ବଙ୍କୁଲିବେଣ୍ଟକୁ ଭଲ କରି ଗଣ୍ଠି ପକାଇ ବାନ୍ଧିଲି । ଏଥର ତା’ହେଲେ ପଘାଟା ଛାଡ଼ିଦେଲେ ଗୋଟାଏ ହାତ ମୋର ମୁକ୍ତି ପାଇବ-ଅବିକଳ ଆଜି ଏ କଥା ମନେ ଅଛି ମୋର ।

 

ମାତ୍ର ଏ କ’ଣ ! ହାତରୁ ମୋର ପଘାଟା ଟିକିଏ ଖସିଚି କି ନାହିଁ ବାଛୁରୀର ପଛଗୋଡ଼ ଯୋଡ଼ିକ ମୋ ଉପରକୁ ଛିଟିକି ଆସିଲା, ଆଉ ମୋତେ ଝଙ୍କାଟାଏ ଦେଇ ସେ ମାରିଲା ଗୋଟାଏ ଚିଲା ।

 

ହତାଶ ହୋଇ ତା’ ପଛରେ ଦୌଡ଼ିଲି; କିନ୍ତୁ ଚାହୁଁ ଚାହୁଁ ସେ ଚାରି ଖେପାରେ ଗଡ଼ିଆ ବନ୍ଧଟାକୁ ପାର ହୋଇ ଗୋଟାଏ ବେତ ବୁଦା ଓ କିଆବାଡ଼କୁ ଡେଇଁ ଦଉଡ଼ିଛି । ଲାଙ୍ଗୁଡ଼ ଅଗରେ ଖୁବ କସା ହୋଇ ବନ୍ଧାଯାଇଥିବା ମହଣ ଛତାଟି କେତେବେଳେ ଫିଟି ଯାଉଛି ତ ପୁଣି କେତେବେଳେ ବନ୍ଦ ! କି ଚମତ୍କାର ସେ ଦୃଶ୍ୟ ପୁଣି କେଡ଼େ ହତାଶାଜନକ !

 

ବାଛୁରୀ ତ ଗଲା, ଗଲା । ବଳେ କ’ଣ ଧରା ହୋଇ ଆସିବ ନିକି ! କିନ୍ତୁ ଛତାଟି ଆଉ ପାଇବି କାହୁଁ ! ମନଦୁଃଖରେ ପଛେ ପଛେ ତା’ର ଗୋଡ଼ାଇଲି, କିନ୍ତୁ ଦଣ୍ଡକରେ ସେ ଭୋଇସାହି ଭିତରେ ପଶି କାହିଁ ଅଦୃଶ୍ୟ ହୋଇଗଲାଣି !

 

ତଥାପି ଛତା ଲୋଭ ମୋର ଛାଡ଼ୁ ନ ଥାଏ । କେତେ କଷ୍ଟରେ ତାକୁ ପାଇଥିଲି ନିକି ସଦେଇ ବାବୁଙ୍କଠାରୁ ! କେତେ ଧର୍ମଶାସ୍ତ୍ର, ଦର୍ଶନ ଶାସ୍ତ୍ରଭିତରୁ, କେତେ ଅପ୍ରାକୃତ ପ୍ରେମ, କେତେ ଶ୍ରଦ୍ଧାଭକ୍ତି, ଜ୍ଞାନମିଶ୍ରା ଭକ୍ତି ଭିତରୁ । ଶେଷରେ ପୁଣି ତା’ରଏଇ ଦଶା !

 

ଗୋଡ଼େଇଲି ବାଛୁରୀ ପଛେ ପଛେ । ଭୋଇସାହି ଭିତରେ ପଶି ତାଟକା ହୋଇଗଲି ! ବାଛୁରୀଟାର ତ ଚିହ୍ନ ନାହିଁ, ତା’ ବଦଳରେ କାହା ଘରେ କାନ୍ଦବୋବାଳି, ଆଉ କିଏ ବାଛୁରୀ ସମେତ ତା’ର ମୁନିବର ସପ୍ତପୁରୁଷ ଉଦ୍ଧାର କରୁଛି ଲାଗିପଡ଼ି । କାହାଘରେ ପିଲା ଖେଳୁଥିଲେ ତାଙ୍କ ଦେହରେ ବସିଛି ନାତ । ମେଲାରେ କାହା ଚୁଲିରେ ଭାତହାଣ୍ଡି ବସିଥିଲା, ହାଣ୍ଡି ଫାଟି ଅଗଣାଯାକ ବିଞ୍ଚିହୋଇ ପଡ଼ିଚି ଦହଡ଼ ଭାତ । କାହାର ମେଣ୍ଢାପଲ ଯାଇ ବଣଭିତରେ, କାହାର ଗର୍ଭିଣୀ ଗାଈ ପଘା ଛିଣ୍ଡାଇ କୁଆଡ଼େ ପଳାଇଲାଣି । କୁକୁରଗୁଡ଼ାକ ଭୁକି ଭୁକି ଗୋଡ଼େଇଛନ୍ତି । କୁକୁଡ଼ା ମା’ ତା ଛୁଆପଲ ସାଙ୍ଗେ କକ୍ କକ୍ ଡାକି ପଳେଇଛି ।

 

ଯା’ ହେଲା ପଛେ ହେଲା । ଛତାଟି ମୋର କାହିଁ ? ପଚାରି ପଚାରି ମୁଁ ଭୋଇସାହିଯାକ ବୁଲୁଚି, ମାତ୍ର ମୋ କଥାକୁ କାନ ଦେଉଛି କିଏ ? ଶେଷରେ ଶୁଣିଲି ଅପର୍ତ୍ତି ଭୋଇ ପାଖରେ ଅଛି । ଅପର୍ତ୍ତି ବେଶ୍ ମୋଟା ମଜବୁତିଆ ଧୂସରା ମଣିଷ । ସେଥିପାଇଁ ତା’ ମୁହଁର ଠାକୁରାଣୀ ଦାଗ ବେଶୀ ଦେଖାଯାଏ ନାହିଁ ।

 

ପଚାରିଲି ଯାଇ ତାକୁ । ଛତା ବିଷୟ କିଛି ନ କହି ସେ ଖାଲି ମତେ ଏଡ଼େ ଏଡ଼େ ଆଖି ଦେଖାଇ କଟମଟ କରି ଚାହିଁଲା ।

 

ତା’ପରେ ଧମକ ଦେଲାପରି କହିଲା, “କଣ ହେଉଛି ଏ ସବୁ ?”

 

ଭାରି ଅପମାନ ହେଲା ମୋତେ । କାନ୍ଦି କାନ୍ଦି ଆସି ବୋଉଙ୍କ ପାଖରେ ଅଭିଯୋଗ କଲି-। ଭାଇନା ଆସିଲେ ପୁରୀରୁ । ମୋତେ ଆଗ ଆକଟ କରି ପରେ ଡକରା ହେଲା ଅପର୍ତ୍ତି ଭୋଇକୁ-। ସେ ଆସି ତା’ର ସଫେଇ ଦେଲା, ଦୋଷ ମାଗିଲା ।

 

ଆଗରୁ ଆଣି ସେ ଛତାଖଣ୍ଡି ଦେଇଯାଇଥାଏ ବୋଉଙ୍କ ଯିମା । ଛତାକୁ ଦେଖି ମନଟା ମୋର ବେଶି ଖରାପ ହୋଇପଡ଼ିଲା । ତା’ର ବେଣ୍ଟ କାଠି କନା କ’ଣ ଯେ କିମିତି ହୋଇପଡ଼ିଥାଏ, ଆଉ ତ ତାକୁ ମୋଟେ ଚିହ୍ନି ହେଲାନି ! ହାୟ ! ହାୟ ! କି ଦୁଃଖ କି ଦୁର୍ଯ୍ୟୋଗର ଦିନ ସେ !

 

ପରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଥିବାବେଳେ ଇଂରେଜ କବି ଉଇଲିୟମ କାଉପରଙ୍କ ‘ଜନ୍ ଗିଲ୍ ପିନ୍’ କବିତାଟି ପଢ଼ି ବିଚାରିଲି, ତାହାକୁ ମୁଁ ବାଛୁରୀ ଲାଙ୍ଗୁଡ଼ରେ ଛତା ବାନ୍ଧି ପିଲାଦିନୁ ନିଜ ଅଙ୍ଗେ ନିଭାଇ ସାରିଛି ।

 

The dogs did bark

the children screamed

Up flew windows all.

And every soul cried out, well done !

As loud as he could baul

 

କୁକୁର ଭୁକିଲେ ପିଲାଏ ଛାଡ଼ିଲେ ରଡ଼ି

ସହସା ସବୁରି ଝରକା ଗଲା ଯେ ଫିଟି

ସାବାସ୍ ! ସାବାସ୍ ! କଲେ ଚିତ୍କାର ସବୁ

ଯେତେ ଯୋରେ ଯାହା ଚିତ୍କାର ପାରେ ବଢ଼ି ।

 

***

 

ଅଲିଭା ଦାଗ

 

ମଝି ସାହାଲା ଆଟୁଘର ମାଟି କାନ୍ଥରେ ଝୁଲୁଥାଏ ଛଅ ସାତଟା ବଡ଼ ବଡ଼ ଫଟୋ । ନାନା ରଙ୍ଗ ପୋଷାକରେ ଚିତ୍ରିତ କେତେ ସ୍ତ୍ରୀ, ପିଲା, ଯୁବକ, ବୁଢ଼ା । ସବୁରି ଚେହେରା ବେଶ୍ ସୁନ୍ଦର, ପୁରି କରି ଯେମ‌୍‌ତି ଫାଟି ପଡ଼ୁଚି । ଗାଲଗୁଡ଼ିକରେ ଫୁଟିଛି ଗୋଲାପ ଫୁଲ । ଦେହରେ ନୀଳ ପୁଣି ସବୁଜ ଜରିପୋଷାକ ।

 

ପୁରୀ କି କଲିକତାରୁ ଭାଇନା ସେ ସବୁ ଚିତ୍ରପଟ ଆଣିଥାନ୍ତି । ପୁରୀରୁ ଏଣ୍ଟ୍ରାନ୍ସ ଓ କଟକରୁ ବି.ଏ. ପାସ୍ କରି ଭାଇନା ପଢ଼ୁଥାନ୍ତି କଲିକତାରେ । ମୋର ସହର ଦେଖା ଭିତରେ ଗାଁରୁ ଭୁବନେଶ୍ୱର ଯାଇ ଅଶୋକାଷ୍ଟମୀ ରଥ ଯାତ ବା ଜାଗର ଯାତ ଦେଖିବା, ନଇଲେ ଦି’ଚାରି ଦିନପାଇଁ ଯାଇ ବାପାଙ୍କ ପାଖରେ ରହିବା । ପୁରୀକୁ ଯାଇ ଜଗନ୍ନାଥ ଚିତ୍ରକିଣି ଆଣିଛି; କିନ୍ତୁ ଆମ ଆଟୁଘରେ ଝୁଲୁଥିବା ଏତେ ବଡ଼ ବଡ଼ ସୁନ୍ଦର ଛବି କେଉଁଠି ହେଲେ ତ ଦେଖି ନ ଥିଲି !

 

ଖାଲି ତ ସୁନ୍ଦର ନୁହନ୍ତି, ସତେ ଅବା ଅବିକଳ ଜୀଅନ୍ତା ମଣିଷ ! କିନ୍ତୁ ବଡ଼ମାନଙ୍କ ମୁହଁରୁ ଶୁଣେ, ସେମାନେ ସମସ୍ତେ ମରିଯାଇଛନ୍ତି । ରୋଗରେ ପଡ଼ି ନୁହେ, ତାଙ୍କୁ ମାରିଦିଆଯାଇଛି; ଆଉ ମାରିଛନ୍ତି କେହି ଚୋର ଡକେଇତ ନୁହେ । ତାଙ୍କରି ଆପଣା ଦେଶର ଲୋକମାନେ ।

 

କାହିଁକି ମାରିଲେ ? କି ଦୋଷ କରିଥିଲେ ସେମାନେ ? ମଣିଷକୁ ମଣିଷ କାହିଁକି ମାରିପକାଏ ?

 

ଅନେକ ପ୍ରଶ୍ନ ମନ ଭିତରେ ଚେଇଁଉଠେ । ମନଟା ଭାରି ଗୋଳେଇଘାଣ୍ଟି ହୁଏ । ବାପା ଭାଇନାଙ୍କ କଥାବାର୍ତ୍ତା ଶୁଣେ । ଭଉଣୀ- ମାନେ ସେ କଥାକୁ ପୁନରାବୃତ୍ତି କରନ୍ତି—

 

ଛବିରେ ଯେତେ ପୁଅଝିଅ, ସ୍ତ୍ରୀ ପୁରୁଷ ଅଛନ୍ତି, ସେମାନେ ସମସ୍ତେ ରୁଷ୍ ଦେଶର ରାଜା ରାଣୀ, ଆଉ ତାଙ୍କ ପିଲାପିଲି ପୁଅଝିଅ— ରାଜବଂଶର ଲୋକ ! ସେ ଦେଶର ରାଜା କୁଆଡ଼େ ବଡ଼ ଅତ୍ୟାଚାରୀ । ପ୍ରଜାମାନଙ୍କୁ ସେ ଘୋଡ଼ା ଟାପୁରେ କୁଦେଇ, ଚାବୁକ ମାରି, ଘୋଡ଼ା ଗୋଡ଼ରେ ବାନ୍ଧି, ଘୋଷାରି ପୁଣି ବନ୍ଧୁକ ଗୁଳିରେ ମାରି ପକାନ୍ତି ।

 

ଶାଶୁ ପାଳି ଗଲେ, ବୋହୁ ପାଳି ଆସେ । ଶେଷରେ ପ୍ରଜାମାନେ ମେଳି ହୋଇ ରାଜାଙ୍କୁ ପୁଣି ରାଜବଂଶର ସମସ୍ତଙ୍କୁ ମାରି ନିପାତ କରିଦେଲେ । ଆଶ୍ଚର୍ଯ୍ୟ ହୋଇ ମୁଁ ଥରକୁ ଥର ସେଇ ଛବିଗୁଡ଼ିକୁ ଚାହେଁ । କି ସୁନ୍ଦର ରୂପ ସେଇ ରାଜାଙ୍କର ! ହସ ହସ ମୁହଁ, ନାଲି ଓଠ, କେଡ଼େ କଅଁଳ ଆଖି ! ମଣିଷମାରୁ ଚେହେରା ବୋଲି ତ ମୋଟେ ସନ୍ଦେହ ହୁଏ ନି ! ପୁଣି ତାଙ୍କ ରାଣୀ—ଅପସରାମାନେ କ’ଣ ତାଙ୍କଠାରୁ ଆହୁରି ସୁନ୍ଦରୀ ?

 

ରାଣୀମାନେ ଆଉ ତାଙ୍କର ସାନ ବଡ଼ ପୁଅଝିଅମାନେ କିଏ କାହାଠାରୁ ବେଶୀ ସୁନ୍ଦର ବାରିହୁଏ ନି । କିଏ ବସିଛନ୍ତି, କିଏ ଠିଆ ହୋଇଛନ୍ତି ବାପମାଆଙ୍କୁ ଘେରି । ଏଇ ସବୁ ମା ପୁଅ ଝିଅ–ସେମାନେ କାହାର କି ଦୋଷ କରିଥିଲେ ? କେଉଁ ପ୍ରଜାଙ୍କୁ କଷ୍ଟ ଦେଇଥିଲେ, କାହାକୁ ମାରିଥିଲେ ସେମାନେ ? ସମସ୍ତଙ୍କୁ ନିର୍ମୁଳ କରିଦେବା କ’ଣ ପାପ ନୁହେ ? ମହା ପାପ ?

 

ପ୍ରଶ୍ନ ଉପରେ ପ୍ରଶ୍ନବାଣ କୁଢ଼େଇ ହୋଇପଡ଼େ ମୁଣ୍ଡଭିତରେ । ପ୍ରଜାମାନେ ଭାରି ଅନ୍ୟାୟୀ—ନିଶ୍ଚୟ, ନିଶ୍ଚୟ, ଭାରି ଦୁର୍ଦ୍ଦାନ୍ତ, ପାଜି, ବଦମାସ୍ !

 

ଆମରି ଗାଁ ପ୍ରଜାମାନେ କ’ଣ କମ୍ କି ! ମୂଲିଆ ମୂଲଆଣୀଙ୍କ ପ୍ରକୃତି ତ ତହୁଁ ବଳି ! ଟିକିଏ ଆଖି ଆଡ଼େଇ ଦେଲେ ସେମାନେ ତ ସବୁ ବୋହି ଲୁଟ କରିନେବେ । ଗାଁ ଭିତରେ ମୋର ଜଣେ ମାମ୍‍ଲତକାର କୁଟୁମ୍ବ କହନ୍ତି, “ବୁଝିଲ ବାବୁ, ଆମ ଗାଁ ବିଶ୍ୱନାଥ ପୁର ନୁହେ, ବିଷମ-ନାଥପୁର । ଏ ଗାଁରେ ଯାହାକୁ ‘ଶଳା’ ବୋଲି ନ ବକିବ, ଉଠୁଣୁ ବସୁଣୁ ଗାଲରେ କି ପିଠିରେ ତା’ର ଗୋଟିଏ ଅଧେ ନ ଥୋଇବ, ତା’ ମୁହଁ ପରା ଏଡ଼େ !”

 

ତାଙ୍କ କହିବା ଅର୍ଥ ହେଲା, ଲୋକେ ଚାହାନ୍ତି ଯେ, ତାଙ୍କୁ ତୁମେ ମାରି ପିଟି ଯବତ୍ କର । ସେତକ କରି ନ ପାରିଲେ ତୁମେ ନିହାତି ଅକ୍ଷମ, ଅସମର୍ଥ ଓ ଅଯୋଗ୍ୟ ! ଯେ ତାହା କଲେ, ସେଇ ପ୍ରକୃତ ସମର୍ଥ । ସବୁ ଖାତିର ସମ୍ମାନ ତାଙ୍କରି କେବଳ ପ୍ରାପ୍ୟ । ବାକି ସବୁ ପାସଙ୍ଗରେ ପଡ଼ିବା ଯୋଗ୍ୟ ନୁହନ୍ତି । ଏଇ ଦର୍ଶନ ବଳରେ ସେ ନିଜେ ଜଣେ ବଡ଼ ଅତ୍ୟାଚାରୀ ଥିଲେ । ସେଥିପାଇଁ ଲୋକେ ତାଙ୍କୁ ମୁହଁ ଉପରେ ଯେମ‌୍‌ତି ଖାତିର ଦେଖାନ୍ତି, ପଛରେ ସେମ‌୍‌ତି ଗାଳି ଫଜ୍ଜିୟତି କରନ୍ତି । ତେବେ ଗାଁ ଭିତରେ ଜଣେ ଅଧେ ମୁଖିଆ, ପୁଣି ଗୋଟାଏ ଦେଶର ରାଜା—କେତେ ବଡ଼ ଫରକ ତାଙ୍କ ଭିତରେ !

 

ରୁଷିଆ ଦେଶ କେଉଁଠି, ଆମ ଗାଁରୁ ସେ କେତେ ବାଟ, ସେ ସବୁ ବିଷୟରେ ମୋର କିଛି ଧାରଣା ନ ଥାଏ । ପରେ ଯେତେବେଳେ ବଡ଼ ବଡ଼ ପଣ୍ଡିତ, ଭାବୁକ ଲେଖକମାନେ ଏହି ହତ୍ୟାକୁ ସମର୍ଥନ କରୁଥିବା ଯୁକ୍ତି ସବୁ ପଢ଼ିଲି, ତା’ ଭିତରୁ କେତେ କଥା ! ଭଲ ଲାଗିଲା, ଆଉ କେତେ ଲାଗିଲାନି । ତା’ର ବିରୁଦ୍ଧ ମତଗୁଡ଼ିକ ମଧ୍ୟ ପରଖିଲି । ମଣିଷ ସମାଜକୁ ସୁସ୍ଥ, ସୁନ୍ଦର, ସୁଖୀ କରିବାକୁ ହେଲେ ଧାନ ବିଲରୁ ଘାସ ବାଳୁଙ୍ଗା ଉପାଡ଼ି ନିର୍ମୁଳ କରିବା ଯେମ‌୍‌ତି ଲୋଡ଼ା, ଏହା ସେ ଗୋଟିଏ ଉପାୟ ମାତ୍ର । ତା’ ଭିତରେ ଭାବପ୍ରବଣତାର ସ୍ଥାନ ନାହିଁ ।

 

ଘାସ ବାଳୁଙ୍ଗା ଉପାଡ଼ି ବିଲ ବଛା ନ ହେଲେ ଯେ ଧାନ କଦାପି ଉଧେଇ ପାରିବନି । ସେମ‌୍‌ତି ମଣିଷ ସମାଜକୁ ନଷ୍ଟଭ୍ରଷ୍ଟ କରୁଥିବା ଶ୍ରେଣୀର ଲୋକଙ୍କୁ ନିପାତ ନ କଲେ କାହାରି ରକ୍ଷା ନାହିଁ । ଗୀତା, ବାଇବ୍ଳ , କୋରାନର ତ ସାର କଥା ଏହାହିଁ । ପୃଥିବୀର ସବୁ ଭାଷାରେହିଁ ଯେତେ ସଂଖ୍ୟକ କାବ୍ୟ, ନାଟକ, ଉପନ୍ୟାସ, ସାହିତ୍ୟ ଲେଖା ଯାଇଛି, ଧର୍ମ ନାମ ଘେନି ଯେତେ ସମ୍ପ୍ରଦାୟର ସୃଷ୍ଟି ହୋଇଛି; ଯେତେ ଦର୍ଶନ ବିଜ୍ଞାନ ମନୁଷ୍ୟର କିର୍ତ୍ତିରାଜି ପ୍ରଚାର କରୁଛି—ସବୁଗୁଡ଼ିକର ମୌଳିକ ତାତ୍ପର୍ଯ୍ୟ ଏହାଠାରୁ ଆଉ ତ କିଛି ନୁହେଁ ! ଭାଗବତ ବାଣୀ ତ ରହିଛି—

 

‘ଦୁଷ୍ଟ ନିବାରି ସନ୍ଥପାଳୁ, ତୁ ନାଥ ପରମ ଦୟାଳୁ ।’

 

ତଥାପି—ତଥାପି ମନ ତ କାହିଁକି ମାନିବାକୁ ନାରାଜ ହୁଏ । ଯେତେ ଯୁକ୍ତିସଂଗତ ହେଲେ ବି ଯେତେ ସୁବିଚାର ଓ ସଦୁଦ୍ଦେଶ୍ୟ ଥିଲେ ବି, ଯେତେ ନ୍ୟାୟ ବିଚାର କଲେ ମଧ୍ୟ ଜଣେ ଆଉ ଜଣକୁ ପ୍ରହାର କରିବା ଦେଖି ଆତ୍ମସନ୍ତୋଷ ପାଇବା କି ଖୁସି ହେବାର ଗୋଟିଏ ହେଲେ ଘଟଣା ପିଲା ଦିନୁ ବୁଢ଼ା ହେବା ଯାକେ ମନେ ପକାଇବା କଷ୍ଟକର । ପୁଲିସ ହାତରେ ଚୋର ଉପରେ ପ୍ରହାର ହେବା ଦେଖିଛି, ନିସ୍ତୁକ ପ୍ରହାର । ତଥାପି ତାହାକୁ ସମର୍ଥନ କରିବା ବାଟ ଖୋଜି ପାଇନାହିଁ ।

 

ଚୋର ଗୋଟିଏ ଅଦ୍ଭୁତ ପ୍ରାଣୀ ପରି ମତେ ବୋଧହୁଏ । କେତେ ଚୋରଙ୍କୁ ଧରା ପଡ଼ିଯିବା ଦେଖିଛି । କିଏ ଧାନ, ମୁଗ, ଆଉ କିଏ ନଡ଼ିଆ ଅବା ଆଉ କିଛି ଫଳ ଫୁଲୁରି ଚୋରି କରି ଧରା ହୋଇଆସନ୍ତି । ମଫସଲ ଗାଁରେ ଆଉ କାହା ଘରେ କି ବିଲ ବାରିରେ ଥାଏ କଣ ଯେ ଚୋରି ଯିବ ? ଟଙ୍କା ପଇସାର ସଂଖ୍ୟା ତ ଏତେ ବେଶୀ ବଢ଼ି ନ ଥାଏ । ଅଥଚ ସେଇ ସାମାନ୍ୟ ଚୋରି ପାଇଁ କେତେ ଯେ ମାଡ଼ ଗାଳି ବିଧା ଗୋଇଠା ଚୋର ବିଚରାକୁ ଖାଇବାକୁ ପଡ଼େ !

 

ଯେ ଶୁଣିଲେ, ସେ ଆସି ଥୋଡ଼ା ଗାଳିଫଜିତି ସଙ୍ଗେ ଚୋର ଉପରେ କିଛି ଉତ୍ତମ ମଧ୍ୟମ କରିଗଲେ । ହାତ ଗୋଡ଼ ବନ୍ଧା ହୋଇ ସେ ଖାଲି ଗୋଟାଏ ପଶୁ ଜନ୍ତୁ ଭଳି ଜଳ ଜଳ ଚାହିଁ ରହିଥାଏ । ଉଉଁ ଚୁଉଁ ପଦେ ହେଲେ କଥା ମୁହଁରୁ ତା’ର ବାହାରେ ନାହିଁ । ଗାଁ ଭିତରେ ସେମ‌୍‌ତି କେତୁଟା ଦାଗୀ ଚୋର ରହିଥାନ୍ତି । ଚୋରି ଧରା ନ ପଡ଼ିଲେ ବି ସେଇମାନଙ୍କୁ ଆଗ ତଲବ ହୁଏ । ଚୌକିଦାର ଘର ଥାଏ ଆମରି ଗାଁଆରେ । ଚୋରମାନଙ୍କର ସେ ଯମ । ରାତି ଅଧରେ ତା’ର “ହଇ ହଇ ହୁସିଆର” ରଡ଼ିରେ କିଏ ଚମକି ନ ପଡ଼େ, କାହା ନିଦ ଭାଙ୍ଗି ନ ଯାଏ ! ପୁଣି କେତେ କୁହାକୁହି ହୁଅନ୍ତି—ଚୌକିଦାର ଯେଉଁ ଗର୍ଜନ କରେ, ସେ ଖାଲି ତା’ର ଛଳନା । ଚୋରଙ୍କ ସାଙ୍ଗେ ତା’ର ଭିତିରି ସହ୍ଲା । ତାଙ୍କୁ ଏଣେ ସାବଧାନ କରି ଦେଇ, ତେଣେ ଚୋରି ମାଲରୁ ଗୋଟାଏ ଭାଗ କୁଆଡ଼େ ଚୌକିଦାରର ! ଏଣେ ମକଦ୍ଦମମାନଙ୍କଠାରୁ କିଛି ପାଉଣା ମଧ୍ୟ ଧରାବନ୍ଧା । ନଡ଼ିଆ ପରା ହେଲେ, ଧାନ କଟା କି ମୁଗ ବିରି କୋଳଥ ଉପୁଡ଼ା ହେଲେ ତହିଁରୁ ଯେତେ କମ୍ ହେଲେ ବି ଗୋଟାଏ ପାଉଣା ତା’ର ଥାଏ ।

 

ଠିକ୍ ଚୋରୀ ନୁହେ । କିନ୍ତୁ ସେମ‌୍‌ତି ଗୋଟାଏ ଘଟଣା ମନେ ପଡ଼ୁଚି । ଦିନେ ହଠାତ୍ ଦାଣ୍ଡ ମଝିରେ ଗୋଟାଏ ବଡ଼ ପାଟିତୁଣ୍ଡ ଶୁଣାଗଲା । ଦାଣ୍ଡ ଦୁଆରକୁ ଦଉଡ଼ି ଆସି ଦେଖେଁ, ଅଣ୍ଟାରେ ଖାଲି ଖଣ୍ଡେ ଲେଖେଁ ଚିରାକନା ଗୁଡ଼େଇ ହୋଇ କେତେ ଜଣ ଲୋକ ଖତଗଦା କରକୁ ବସିଛନ୍ତି । ଗାଁର ମକଦମ ମାମଲତକାରମାନେ ପିଣ୍ଡାରେ ବସି ମୁଣ୍ଡ ହଲାଇ ତର୍ଜନ ଗର୍ଜନ ଛାଡ଼ିଛନ୍ତି । ପିଲା ବୁଢ଼ା ଟୋକା ଟାକଳିଆମାନେ ରୁଣ୍ଡ ହୋଇଛନ୍ତି ଅନେକ ।

 

ଘଟଣା ହେଲା କଣ କି—ବୁଲି କକେଇଙ୍କ କାଳୀ ଗାଈଟି ହଠାତ୍ ମରିଯାଇ ଥାଏ । କେହି କେହି ସନ୍ଦେହ କଲେ, ତାକୁ ଲମ୍ବା ଜନ୍ତୁ, ଅଥାତ୍ ସାପ ଦଂଶିଛି । ବୁଲି କକେଇଙ୍କର କିନ୍ତୁ ପୁରା ବିଶ୍ୱାସ, କେହି ବିଷ ଦେଇମାରିଛି । ଆଉ କିଏ ବିଷ ଦିଅନ୍ତା, ଯେ ତା’ର ମାଉଁସ ଖାଇଛନ୍ତି, ସେଇ ମାନଙ୍କ ଛଡ଼ା ? ସେଇ ଦୁଧିଆଳୀ ଗାଈଟିକୁ ଝୁରି ଦି’ଦିନ ହେଲା ବୁଲି କକେଇଙ୍କ ଘରେ ଚୁଲ୍ଲୀ ଜଳି ନାହିଁ । ଯେ ଶୁଣୁଚି, ସେ ହାଇ ହାଇ କରି ଜିଭ କାମୁଡ଼ୁଚି ।

 

କାହିଁକି ନା, ବୁଲି କକେଇଙ୍କ କାଳୀଗାଈକି ଚାଲିଗଲା ବାଟୋଇ ଦଣ୍ଡେ ଠିଆ ହୋଇ ନିଶ୍ଚେ ଚାହିଁବ । ଦେହରୁ ଯେମ‌୍‌ତି ତା’ର ମାଛି ଖସି ପଡ଼ୁଛି—ଏମ‌୍‌ତି ସେ ଚିକ୍କଣ କଳା । ବୁଲି କକେଇ ନୀଜେ ତା’ପାଇଁ ଘାସ ଆଣି, ରୋଜ ତା’ ଦେହକୁ ଘଷିମାଜି ଖୁବ ହେପାଜତରେ ପାଳି ଥିଲା । ଗାଈଟି ମରିଯିବାରୁ ବୋଉ ତାଙ୍କର ଯେତେ ବାହୁନି କାନ୍ଦିଛନ୍ତି; ନିଜ ସ୍ଵାମୀ ମଲା ଦିନ ହୁଏତ ଏତେ କାନ୍ଦି ନ ଥିବେ ବୋଲି ଲୋକେ କୁହାକୁହି ହେଉଥାନ୍ତି । ମାତୃଭକ୍ତ ବୁଲି କକେଇ ସବୁ ଶୁଣି ତୂନୀ ରହିଥାନ୍ତି ।

 

ଦାଣ୍ଡ ପାରିଆ ଖତଗଦା କଡ଼ରେ ଯେଉଁ କେତେ ଜଣ ଫୁଙ୍ଗୁଳା ମଣିଷ ବସିଥାନ୍ତି, ସେମାନେ ଖାଲି ହାତ ଯୋଡ଼ି ନେଉରା ହେଉଥାନ୍ତି ଯେ, ତାଙ୍କର କିଛି ଦୋଷ ନାହିଁ । ସବୁ ମଡ଼ା ଗୋରୁଙ୍କୁ କାଟି ସେମାନେ ଯେମତି ଚମ ମାଉଁସ ନେଇ ଆହାର କରନ୍ତି, ତାଙ୍କ କାଳୀଗାଈର ମୃଦାର ପ୍ରତି ମଧ୍ୟ ସମାନ ବ୍ୟବହାର କରିଛନ୍ତି । ତହିଁରୁ କିଛି ହେଲେ କମ୍ ନୁହଁ କି ବେଶୀ ନୁହ ।

 

ଖଣ୍ଡେ ଦୁଇହାତିଆ ଠେଙ୍ଗା ଧରି ବୁଲିକକେଇ ହଠାତ୍ ଚିହିଁକି ଉଠିଲେ । ତା’ ପରେ ଦେଖାଗଲା ସେ ଅଧା ଲଙ୍ଗଳା ମଣିଷଗୁଡ଼ାକ ବେଙ୍ଗ ପରି ଫକ୍ ଫାକ୍ ଡେଉଁଛନ୍ତି । ଆଉ ତାଙ୍କ ଗୋଡ଼ ହାତ ପିଠି ବେକ ଚାରିଆଡ଼େ ବୁଲିକକେଇଙ୍କର ସେଇ ବାଡ଼ିଟା ବୁଲିଯାଇ ଠକ୍ ଠକ୍ ବାଜୁଛି-! “ଓହୋ ମରିଗଲି ମରିଗଲି ସାଆନ୍ତେ !” ଶବ୍ଦରେ ଫାଟିପଡ଼ୁଚି ଗାଁ ଦାଣ୍ଡଟା ।

 

ପୁରୁଖା ଲୋକ କେତେ ଜଣ ଡାକ ଛାଡ଼ିଥାନ୍ତି, “ହା, ହାଁ, ଆରେ ବୁଲା ! ସେତିକି ଥାଉ, ସେତିକି ଥାଉ ।” ଆଉ କେତେ ଜଣ ଥଟ୍ଟାକରି କହୁଥାନ୍ତି, “ଆରେ ଗାମୁଛା ପାଲଟିଛୁ ତ ? ନୁଆ ପଇତା ପିନ୍ଧି ତତେ ପଞ୍ଚଗବ୍ୟ ପିଇ ପ୍ରାଶ୍ଚିତ କରିବାକୁ ପଡ଼ିବ ଜାଣୁତ ? ତାଙ୍କର କ’ଣ କ୍ଷତି ହୋଇଯିବ କି ? ତୋ ଗାଈ କଲିଜା ତରଳେଇ ଖାଇଲେ ତ ତାଙ୍କର ଦେହ ଦରଜ ରହିବ ନାହିଁ ।”

 

“ଚୁପ୍ କର, ଚୁପ୍ କର” ତୃତୀୟ ବ୍ୟକ୍ତି କୋବଲାନ୍ତି । ଯେଉଁ କଥା ତୁଣ୍ଡରେ ଧରିବାର ନୁହେଁ, ସେମ‌୍‌ତି କଥା ପୁଣି ତୁ କହୁଛୁ ବାହ୍ମୁଣ ହୋଇ ! ତାଙ୍କର କ’ଣ କ୍ଷତି ହେବ କି ? ବୁଲା ହାତରେ ମରିଗଲେ ତ ବ୍ରାହ୍ମଣଲୋକ ପ୍ରାପ୍ତି ହେବ ତାଙ୍କର । ମ୍ଲେଚ୍ଛ ଜନ୍ମରୁ ଉଦ୍ଧାର ପାଇଯିବେ ସେମାନେ !”

 

ଜଣେ ହେଲେ ଗୋଖାଦକର ଅବଶ୍ୟ ସେମତି ସୌଭାଗ୍ୟ ଯୁଟିଲା ନାହିଁ, ବ୍ରାହ୍ମଣ ହାତରେ ନିହତ ହୋଇ ସ୍ଵର୍ଗକୁ ଯିବାପାଇଁ । ଜଣେହେଲେ କେହି ସେମ‌୍‌ତି ପୁଣ୍ୟ ଅର୍ଜନ କରି ନଥିଲେ, ପୂର୍ବଜନ୍ମ କି ଇହ ଜନ୍ମରେ । ଗୋଡ଼ହାତ ମୁଣ୍ଡପିଠି ଆଉଁସି ‘‘ହୁ ହା ମା’ଲୋ ବାପଲୋ’’ ‘‘ମରିଗଲି ସା’ନ୍ତ” ରଡ଼ି ଛାଡ଼ି ଛାଡ଼ି ସେମାନେ ପଳାଇଲେ ।

 

ଗାଁଆର ମଶାଣି ତରଫରେ ସେମାନେ ରହନ୍ତି ଗଛମୂଳେ । ତାଙ୍କ ବାସସ୍ଥାନକୁ କୁଡ଼ିଆ କହିଲେ ବି ‘କୁଡ଼ିଆ’ ଶବ୍ଦଟିର ଅବମାନନା କରାଯାଏ । ‘ବସା’ କହିଲେ ବି ଚଢ଼େଇମାନେ ତା’ ଠାରୁ ଭଲ ବସା ତିଆରି କରି ରହନ୍ତି । ହଳ ପାଳ ଚାଷକାମ କିଛି କରନ୍ତିନି ସେମାନେ । ବେତ ବାଉଁଶରେ ଟୋକେଇ ପାଛିଆ କୁଲା ବାଉଁଶିଆ ବୁଣିବା ତାଙ୍କର କାମ । ଶୁଭ ଅଶୁଭ କାର୍ଯ୍ୟରେ ଢୋଲ ମହୁରୀ, ଯୋଡ଼ିନାଗରା, ଅହିଅଡେଙ୍ଗୁରା ବଜାଇ ତାଳେ ତାଳେ ଅଙ୍ଗ ଭଙ୍ଗି କରି ନାଚିବାରେ ଦୋରସ୍ତ କଳାକାର ସେମାନେ ।

 

ଝଡ଼ି ବତାସ କି ବଢ଼ିପାଣି ଆସିଲେ ତାଙ୍କ ତାଟିପଲା ସମେତ କୁଆଡ଼େ ସେମାନେ ରହନ୍ତି, ତାହାର ଖବର କେହି ରଖେ ନାହିଁ । ପୁଣି ଯେବେ ଗାଁ ଭିତରେ ଟୋକେଇ ପାଛିଆ କି ଢୋଲ ମହୁରି ଲୋଡ଼ା ହୁଏ, କୁଆଡ଼ୁ ଆସି ଯୁଟିଯାନ୍ତି । ସେଥିଲାଗି ତାଙ୍କୁ ବେଶୀ ଖୋଜାଖୋଜି କରିବାକୁ ହୁଏନି । ଯୋଡ଼ି ନାଗରାରେ ଗାଁ ଦାଣ୍ଡ ଉଛୁଳି ପଡ଼େ । ମହୁରୀ ଭିତରେ ଓଡ଼ିଶୀ ଛାନ୍ଦ ସବୁ କାନଅତଡ଼ା ପକାଏ ।

 

ଶୀତବର୍ଷାରେ କୋଇଲି ଯେମ‌୍‌ତି ଲୁଚିଯାଇ ବସନ୍ତଋତୁରେ ସ୍ୱର ବାହାରକରେ, ସେମାନଙ୍କ ଗତି ବିଧି ମଧ୍ୟ ଅଳ୍ପ ବହୁତ ସେମ‌୍‌ତି । ମକଦମମାନଙ୍କ ପଡ଼ିଆ ପନ୍ତରା ହିଡ଼ ଉପରେ ରହିଥିବାରୁ ବାହାପୁଆଣି, ଶୁଦ୍ଧଶ୍ରାଦ୍ଧରେ ସେମାନେ ତାଙ୍କ ଦୁଆରେ ବେଗାର ଖଟନ୍ତି । ତାଙ୍କରି ମଲା ଗୋରୁ ଚମଡ଼ାରେ ଢୋଲ ଚାଙ୍ଗୁ ମୃଦଙ୍ଗ, ପଖାଉଜ ଛପର କରନ୍ତି । ସେଇ ମଲା ଗୋରୁର ମାଂସ ଖାଇ ବଞ୍ଚନ୍ତି ମଧ୍ୟ ।

 

କାଳକ୍ରମେ ଚଳିଆସୁଥିବା ପ୍ରଥାର କାହିଁ ଯେମ‌୍‌ତି ଟିକଏ ହେଲେ ଏପାଖ ସେପାଖ ହୁଏ ନାହିଁ । ଏଇସବୁ ସ୍ୱରସାଧକ, ପ୍ରାରମ୍ଭିକ ତାଳ ଲୟରେ ନିରକ୍ଷର ପେଶାଦାରମାନେ ବ୍ରାହ୍ମଣ ଶାସନରୁ ଯେତିକି ଅସ୍ପୃଶ୍ୟ ଉପେକ୍ଷିତ ହୋଇ ଦୂରରେ ରହନ୍ତି, ସେତିକି ତାଙ୍କର ଲୋଡ଼ା ହୋଇଥାଏ ମଧ୍ୟ । ମାତ୍ର ଲୋଡ଼ା ହେବାଟା ଯେମ‌୍‌ତି ଅବା ବେଶୀ ବିଚାରଯୋଗ୍ୟ ନୁହେଁ । କାରଣ ତାଙ୍କରି ଭିତରେ ଗୋହତ୍ୟା ଚୋରି ଡକାୟତିର ପ୍ରାଦୁର୍ଭାବ ଅଧିକ ବୋଲି ତଥାକଥିତ ଉଚ୍ଚ ଜାତିମାନଙ୍କର ବିଶ୍ୱାସ । ସେମାନଙ୍କର ଧର୍ମ କର୍ମ କିଛି ନାହିଁ, କିନ୍ତୁ କାହିଁକି ନାହିଁ ? କିଏ ସେଥିଲାଗି ଦାୟୀ ? ବୁଦ୍ଧି ବିଚାର ଚାଲିଚଳନରେ ସେମାନେ ଏତେ ପଛୁଆ ହୋଇରହିଗଲେ କିପରି ?

 

ସମାଜବିଜ୍ଞାନରେ ଏସବୁ ପ୍ରଶ୍ନର ଉତ୍ତର ଖୋଜାଯାଇଛି । ସମାଧାନର ବାଟ ମଧ୍ୟ ଠିକ୍ କରାହୋଇଛି । ସେତେବେଳେ କିନ୍ତୁ ମୋ ମୁଣ୍ଡରେ ସମାଜବିଜ୍ଞାନର ସ୍ଥାନ ନ ଥିଲା । ମନଗହନରେ ଏସବୁ ପ୍ରଶ୍ନ ଉଁକି ମାରିଲେ ତାହାକୁ ଖାଲି ଅବସ୍ଥାପନ୍ନ ଉଚ୍ଚ ଜାତିମାନଙ୍କର ଅନ୍ୟାୟ, ଅବିଚାର ବୋଲି ଭାବୁ ନ ଥିଲି କହିଲେ ବି ଠିକ୍ ହେବନାହିଁ । ଭାବିବାର ଶକ୍ତି କିମ୍ବା ଅବସର ମୋର ନ ଥିଲା; କିନ୍ତୁ ସାମାଜିକ ଅସାମ୍ୟଗୁଡ଼ିକ ମୋ ମନରେ ପିଲାଦିନୁଁ ଗୋଟାଏ ଦାଗ କାଟି ଦେଉଥିଲା । ସେଥିଲାଗି ଆଜିସୁଦ୍ଧା ସେଗୁଡ଼ିକର ସ୍ମୃତି ଜାଗରୂକ ରହିଛି । ଏବେ କିନ୍ତୁ ସେ ସବୁ ଅସାମ୍ୟ ଏତେ ବେଶୀ ଦିହଘଷା ହେଲାଣି ଯେ ସାମ୍ୟବାଦ ଖାଲି ଲେଖା ଓ ବକ୍ତୃତା ଛଡ଼ା ଆଉ ଯେମ‌୍‌ତି କେଉଁଠି ନାହିଁ !

 

ଆମରି ଛୋଟ ଗାଆଁଟିରେ ପ୍ରାୟ ସବୁ ପ୍ରଧାନ ଜାତିର ଲୋକଙ୍କ ବାସ । ପୁଣି ପ୍ରତି ଜାତିର କେତେକ ଉପଜାତି ମଧ୍ୟ । ଧନ କ୍ଷମତା ସଙ୍ଗେ ବିଦ୍ୟା, ବୁଦ୍ଧି, ଧମକଚମକ, ଜୋରଜୁଲୁମ ଠୁଳ ହୋଇଥାଏ କିନ୍ତୁ ‘ପାଣିବଂଶ’ ବାହ୍ମଣଙ୍କ ହାତରେ । ସେମାନଙ୍କଠାରୁ ଜାତିରେ ଉତ୍କୃଷ୍ଟ ବ୍ରାହ୍ମଣମାନେ ଅପେକ୍ଷାକୃତ ଦରିଦ୍ର । ପୁରୋହିତ ହୋଇ ଜୀବିକାର୍ଜନ କରିବା ତାଙ୍କର ପେଶା । ତାଙ୍କଠାରୁ ନିମ୍ନରେ ରହନ୍ତି ପୂଜକ ସେବକମାନେ । ଦିଅଁ ଦେଉଳପାଇଁ ଖଞ୍ଜା ହୋଇଥିବା ଜମିର ଉତ୍ପନ୍ନ ଶସ୍ୟ ଭୋଗ ପୂଜା କରି ସେମାନେ ଚଳନ୍ତି ।

 

କରଣ, ନାହାକ, ଖଣ୍ଡାୟତ, କୃଷକ, ବଣିଆ, ବଢ଼େଇ, କମାର, ତେଲି, ଗୋପାଳ, ରଜକ, ନାପିତ, ସବୁ ଜାତିର ଲୋକଙ୍କ ଉପରେ ପାଣିବଂଶ ବ୍ରାହ୍ମଣମାନଙ୍କର ପ୍ରଭାବ ପ୍ରତିପତ୍ତି ହିଁ ଅଧିକ । ପ୍ରଥମେ ଗ୍ରାମର ପ୍ରଧାନ ଭୂମ୍ୟଧିକାରୀ ହୋଇସାରି ସେମାନେ ତାଙ୍କ ଚାଷବାସ ଧର୍ମକର୍ମ ଦେଖିବାପାଇଁ ଅନ୍ୟ ଜାତିର ଲୋକଙ୍କୁ ନିଯୁକ୍ତ କରନ୍ତି । ଗୋଟିଏ ହାତରେ ତାଙ୍କର କ୍ଷମତାର ଦଣ୍ଡ, ଆର ହାତରେ ଅର୍ଥର ଶକ୍ତି, ଭୟ ଓ ପ୍ରଲୋଭନ—ଆଉ ମୁଖରେ ଧର୍ମଶାସ୍ତ୍ର ସଙ୍ଗେ ନ୍ୟାୟାନ୍ୟାୟର ଅହିଫେନ !

 

ସେଥିଲାଗି ଅବଶ୍ୟ ସେମାନେ କଦାପି ଦାୟୀ ନୁହନ୍ତି । ଦାୟୀ କେବଳ ଯୁଗ ଯୁଗ ଧରି ଗଡ଼ିଆସୁଥିବା ଗତାନୁଗତିକତା ଓ ସାମାଜିକ ପରମ୍ପରା । ସେଇ ଗତାନୁଗତିକ ସୁଅର ମୋଡ଼ ଯେଉଁଠି ଭାଙ୍ଗିଯାଏ, ଆବହମାନ ପରମ୍ପରାର ସଂଶୋଧିତ ସଂସ୍କରଣ ପ୍ରକାଶ ପାଏ, ସେହିଠାରେ ହିଁ ଦେଖାଦିଏ ବିପ୍ଳବ—ତଳଉପର, ଉପରତଳ, ଓଲଟପାଲଟ ।

 

ଚରମ ଦାରିଦ୍ର୍ୟ ସତ୍ତ୍ୱେ ଭାରତରେ ତାହା ସମ୍ଭବପର ନ ହେବାର କେତେକ କାରଣ ଅଛି-। ପ୍ରଧାନ କାରଣ ବୋଧହୁଏ—ଏ ଦେଶରେ ଧନୀ, ଦରିଦ୍ର, ମାଲିକ ମୂଲିଆଙ୍କ ଚାଲିଚଳନ, ଆହାର ପରିଚ୍ଛଦ ଭିତରେ ତଫାତ୍ ଟା ସେମ‌୍‌ତି ଖୁବ ଚୌଡ଼ା ନୁହେ । ବିଲବଛା, ଧାନକଟା, ପାଣିବୁହା, ହଳ, ମଇ ସବୁ କାମରେ ପ୍ରାୟ ଦେଖାଯାଏ ମାଲିକ ମୂଲିଆ ଏକ ସଙ୍ଗେ ଲାଗି ପଡ଼ିଛନ୍ତି । ବେଶୀ ଫରକ୍ ଦୁହିଙ୍କ ଭିତରେ ନ ଥିବା ହେତୁ ସ୍ପଷ୍ଟ ଭାବରେ ଦୁଇଟା ଶ୍ରେଣୀରେ ସେମାନେ ବୋଧହୁଏ ବିଭକ୍ତ ହୋଇପାରନ୍ତି ନାହିଁ । ସେଇ କାରଣରୁ ପରା ଏ ଦେଶରେ ଶ୍ରେଣୀସଂଘର୍ଷ ତୀବ୍ରତର ନୁହେ ।

 

ମୂଲିଆମାନଙ୍କ ଉପରେ ମାଲିକମାନଙ୍କର ଅତ୍ୟାଚାର ଅନ୍ୟାୟ ଦେଖି ମୁଁ ଜର୍ଜରିତ ହୋଇ ପଡ଼େଁ, : ଅଥଚ, ଆମେ ମଧ୍ୟ ସେଇ ମାଲିକଶ୍ରେଣୀର ଅନ୍ତର୍ଭୁକ୍ତ । ତାହାର କାରଣ ହୁଏ ତ ଏହା ମଧ୍ୟ ହୋଇପାରେ ଯେ ମୁଁ ଓ ଆମ ପରିବାର ଲୋକେ ଠିକ୍ ସେଇ ଅର୍ଥରେ ମାଲିକପଣିଆ ଜାହିର କରିବାକୁ ଅଯୋଗ୍ୟ ଅସମର୍ଥ ଓ ଅକ୍ଷମ । ପୁଣି ସେଇ ଅକ୍ଷମତା ଦୋଷରୁ ହିଁ ଅନ୍ୟ ଭାଇମାନଙ୍କ ସହିତ ଆମର ବିରୋଧ ଉପୁଜି ଥାଇପାରେ । ଆଉ ଗୋଟିଏ କାରଣ ହେଲା, ସେହିମାନେ ପ୍ରକୃତରେ ଆମ ଗାଁର ସ୍ଥାୟୀ ଅଧିବାସୀ । ଆମେ ରହୁ ଅଧିକାଂଶ ସମୟ ବାହାରେ ସହର ବଜାରରେ ।

 

ଗାଁଆର ଭାବଲାଭ ଦିଅଁ ଦେଉଳ, ପୁନିଅପରବ, ଧୋଇ ମରୁଡ଼ି ପୁଣି ଗାଁଲୋକଙ୍କର ସୁବିଧା ଅସୁବିଧା ସଙ୍ଗେ ସେଇମାନେ ଆମଠାରୁ ବେଶୀ ପାଖରେ ରହି ବେଶୀ ପରିଚିତ । ଗାଆଁର ଜମିବାଡ଼ି ପଡ଼ିଆ ପଞ୍ଜର ଗଛ ମାଛ, ପ୍ରତ୍ୟେକ ଘରର ଲୋକବାକ ଗୋରୁଗାଈ ଛେଳି ମେଣ୍ଢାଙ୍କ ସଂଖ୍ୟା ତାଙ୍କ ନଖ ଦର୍ପଣରେ । ତେଣୁ ତାଙ୍କ ଗ୍ରାମ ଶାସନ କାର୍ଯ୍ୟରେ ଆମେ ବାହାରୁ ଆସି ହସ୍ତକ୍ଷେପ କରିବାଟା ଅନଧିକାର ଚର୍ଚ୍ଚାଭଳି ଅଲଗା ପଡ଼ିଯାଏ । ତାଙ୍କୁ ମଧ୍ୟ ସେସବୁ ସୁଖ ଲାଗିବ କିମ‌୍‌ତି ?

 

ବାହାରେ ରହିଲେ ସୁଦ୍ଧା ଗାଁ ସମ୍ପର୍କ ଏକାବେଳେ ତୁଟାଇ ଦେବା ମଧ୍ୟ ଆମ ପକ୍ଷରେ ସମ୍ଭବପର ନୁହେଁ । ଗାଁଆରେ ଆମ ଜମିବାଡ଼ି ଘର ଯେଉଁମାନେ ରକ୍ଷଣାବେକ୍ଷଣ କରନ୍ତି, ତାଙ୍କ ପ୍ରତି ଆମର ବେଶୀ ସହାନୁଭୂତି ହେବା ତ ସ୍ଵାଭାବିକ । ପୁଣି ଗାଁଆର ଯେଉଁ ମକଦ୍ଦମମାନେ ଦରିଦ୍ର ଦୁର୍ବଳ, ସେମାନେ କେବେ ଆମ ପଟକୁ ତ ଆଉ କେବେ ଅନ୍ୟ ପଟକୁ ଆଉଜି ପଡ଼ନ୍ତି, ନିଜ ନିଜ ସୁବିଧା ସୁଯୋଗ ଦେଖି । ଏଇ ଭାବରେ ମାଲିକ ମୂଲିଆଙ୍କ ଭିତରେ ସଂଘର୍ଷ ଦଳାଦଳି ଜନ୍ମେ-। ଆମ ଭଳି କେତେକ ଅନୁପସ୍ଥିତ ସହରିଆ ମାଲିକ ମଧ୍ୟ ମୂଲିଆଙ୍କ ଉପରେ ପ୍ରାୟ ପୂର୍ଣ୍ଣ ନିର୍ଭର କରୁଥିବା ହେତୁ ଗାଁ ମାଲିକଙ୍କ ପକ୍ଷ ସମର୍ଥନ କରିବା ସ୍ଵାଭାବିକ ।

 

କଳିକଜିଆ ଓ ମାଲି ମକଦମା ଲାଗେ । ମାଲିକମାନେ ସିଧାସଳଖ ପରସ୍ପରକୁ ଆକ୍ରମଣ ନ କରି ଅପେକ୍ଷାକୃତ ଦରିଦ୍ର ଓ ମୂଲିଆ ଶ୍ରେଣୀର ଲୋକଙ୍କୁ ପକ୍ଷ କରି ମିଛ ମକଦ୍ଦମାମାନ ଯୋଡ଼ନ୍ତି । ଅଦାଲତରେ ଜମି ସଂକ୍ରାନ୍ତ ମକଦ୍ଦମା ଅପେକ୍ଷା ଫୌଜଦାରୀ କୋଟରେ ମକଦ୍ଦମାର ସଂଖ୍ୟା ବେଶୀ । ଦାନ୍ତଭଙ୍ଗା, ହିଡ଼ହଣା, ଗଛକଟା ଆଦିମକଦ୍ଦମାରେ ଥାନା ପୋଲିସର ସରଜମିନ ଓ ଡାକ୍ତରମାଇନା ସାର୍ଟିଫିକେଟ ପାଇଁ ଧାଁଦଉଡ଼ କରିବାକୁ ହୁଏ । ସେ ସମୟରେ ଗାଁଆଟା ବେଶ୍ ସରଗରମ ହୋଇଉଠେ ଗାଁ ଟାଉଟରଙ୍କ ମିଛ ମକଦ୍ଦମା ତଦ୍‌ବିରରେ ।

 

ବ୍ରାହ୍ମଣସାହୀ ବାରିପଟେ ଭୋଈସାହୀ । ବ୍ରାହ୍ମଣ ମାଲିକମାନଙ୍କ ଜମି ଉଠିଆ କରି ଧାନବୁଣାଠାରୁ ଧାନ ବେଙ୍ଗଳା ପର୍ଯ୍ୟନ୍ତ ସବୁ କାମ ଭୋଇ ଭୋଇଆଣୀମାନେ ହିଁ କରନ୍ତି । ସେଇମାନେ ହିଁ ସବୁ ଚୋରି କରି ନିଅନ୍ତି ବୋଲି ପୁଲିସ ହାତରେ ମାଡ଼ ଧମକ ଖାଆନ୍ତି । ମେଣ୍ଟ ବାନ୍ଧି କାମ ବନ୍ଦ କରନ୍ତି । ହାତକଡ଼ି ପଡ଼ି କଚେରିକୁ ଘୋଷରା ହୁଅନ୍ତି । ଜେଲ୍ ଖଟି ଘରକୁ ଫେରନ୍ତି । ତା’ପରେ ‘ଦାଗୀ’ ହୋଇଥିବାରୁ ସବୁ ଚୋରି ଘଟଣାରେ ଅନ୍ୟମାନଙ୍କ ସଙ୍ଗେ ତାଙ୍କୁ ମଧ୍ୟ ଥାନାକୁ ତଲବ ହୁଏ । ଥାନା ବୋଇଲେ ଭୟ, ଅତ୍ୟାଚାର, କାୟିକ ଦୁର୍ବ୍ୟବହାର ଓ ବାଚନିକ ଭର୍ତ୍ସନାର ଚୂଡ଼ାନ୍ତ । ଗାଁ ମାମଲତକାର, ସାହୁକାର ବା ମକଦ୍ଦମମାନେ କଚେରି ଅଦାଲତ ଜଜ୍ ଓକିଲଙ୍କ ପ୍ରତିନିଧିତ୍ଵ କରନ୍ତି ଓ ସେଇମାନଙ୍କଠାରୁ ରିସ୍‌ପତ ଖାଇ ପୁଲିସ ଜୁଲମ ଚାଲେ ତଳିଆ ଶ୍ରେଣୀଙ୍କ ଉପରେ ।

 

ପୋଲିସ ଦାରୋଗା କିମ୍ବା ସିପାହି ଆସିଲେ ଗାଁଆର ଅବସ୍ଥା ସେହିପରି ଅତି ବିଭତ୍ସ ହୋଇପଡ଼େ । ଗାଁ ମାମଲତକାରମାନେ ଯାହାଙ୍କୁ ଯବତ କରିବାକୁ ଇଚ୍ଛା କରନ୍ତି, ସେଇସବୁ ଲୋକଙ୍କ ନାମ ଆଗରୁ ପୁଲିସ ଡାଏରୀରେ ଉଲ୍ଲେଖ କରି ଆସିଥାନ୍ତି । ଦାରୋଗା ସିପାହୀମାନେ ଗାଁକୁ ଆସି ସେଇମାନଙ୍କୁ ଆଗ ତଲବ କରି ଆଣନ୍ତି । ଦାଣ୍ଡମଝିରେ ତାଙ୍କୁ ଧାଡ଼ିମଳିଆ ଠିଆ କରାଯାଏ । ତା’ପରେ ଚାଲେ ଧମକ ଚମକ ବେତ ଚାବୁକ ହାତକଡ଼ି ଓ ଥାନା କଚେରୀକୁ ଚାଲାଣ-

 

ସେମାନଙ୍କ ଭିତରେ ଅନେକ ନିର୍ଦ୍ଦୋଷ ଲୋକ ଥିବାର ମୁଁ ଶୁଣେ । କିନ୍ତୁ ଦୋଷୀ ବା ନିର୍ଦ୍ଦୋଷ ଯାହା ହୁଅନ୍ତୁ ପଛେ ପୁଲିସର ଦୁର୍ବ୍ୟବହାର ଦେଖି ମୋର ବାଳକ ହୃଦୟ ବିଦ୍ରୋହ କରି ଉଠେ । ଲୋକଗୁଡ଼ାକ ଅତି ନିରୀହ ବୋଲି ସିନା ଏଭଳି ଅନ୍ୟାୟ ଅତ୍ୟାଚାର ସହିଯାନ୍ତି ! ଅଥଚ ପରୋକ୍ଷରେ ଆମେ ଯେ ଏହି ସବୁ ଅତ୍ୟାଚାରୀ ଶ୍ରେଣୀର ଅନ୍ତର୍ଭୁକ୍ତ, ସେ କଥା ମୁଁ କେବେ ବିଚାରି ପାରି ନାହିଁ ।

 

ଆଟୂ ଘର କାନ୍ଥରେ ଟଙ୍ଗାଯାଇ ଥିବା ରୁଷ୍ ରାଜ ବଂଶର ଛବିକୁ ଚାହିଁ ପୁଣି ପ୍ରଜାମାନଙ୍କ ଉପରେ ତାଙ୍କ ଅତ୍ୟାଚାର କାହାଣୀ ଶୁଣିବା ସଙ୍ଗେ ଏସବୁ ଚାକ୍ଷୁଷ ଘଟଣା ମୋର ମନ ଉହାଡ଼ରେ ଯେଉଁ ଦାଗ କାଟି ଦେଇଥିଲା; ସମୟର ଦାର୍ଘ ବ୍ୟବଧାନ ପରେ ଆଜି ସୁଦ୍ଧା ତାହା ନିଭି ନାହିଁ । ବରଂ ଆଜି ମଧ୍ୟ ସେହିଭଳି କେତେକ ଘଟଣା ଆଖିଆଗରେ ଘଟିଯାଇ ଅତିତର ସେଇ ନ୍ୟାୟାନ୍ୟାୟ ଓ ସତ୍ୟାସତ୍ୟର ଗୋଲକଧନ୍ଦା ଭିତରେ ଅନ୍ତର୍ଦ୍ୱନ୍ଦ ଜାତ ହୋଇଥାଏ । ଯେଉଁ ପଟ୍ଟଭୁମିରେ ଏଭଳି ଚାଞ୍ଚଲ୍ୟକର ଜୈବିକ ଚିନ୍ତାଧାରାର ଉଦ୍ରେକ ହୁଏ, ତାହା କିନ୍ତୁ ସବୁ ଦିନ ସ୍ଥାଣୁ ଓ ଅପରିବର୍ତ୍ତନୀୟ ଯେମ‌୍‌ତି ଅବା !

 

ପ୍ରହାରେଣ ଧନଞ୍ଜୟ

 

ନିତ୍ୟ ନିସ୍ତରଙ୍ଗ ପରିବେଶରେ ନୂଆ ନୂଆ ତରଙ୍ଗ ସୃଷ୍ଟି । ଋତୁପର୍ଯ୍ୟାୟ ଭିତରେ ଗାଁଆଟିର ଆମୋଦ ଉତ୍ସବକୁ ଘେନି ବର୍ଷ ପରେ ବର୍ଷ ଗଡ଼ିଯାଏ । ବୈଶାଖ ମାସ ଅକ୍ଷୟ ତୃତୀୟାରେ ବିଲକୁ ଧାନ ଅନୁକୁଳ ହେବାଠାରୁ ଆରମ୍ଭ କରି ପୁଷ ମାଘରେ ଧାନ କଟା ପର୍ଯ୍ୟନ୍ତ; ତା’ପରେ ଦୋଳ ପର୍ବ ଚୈତ୍ର ପର୍ବ ପାର ହୋଇ ପୁଣି ଚନ୍ଦନ ଯାତ୍ରା ଆରମ୍ଭ ସଙ୍ଗେ ଧାନ ବୁଣା—ବେଶ୍ ଆନନ୍ଦରେ ସବୁ ଗଡ଼ି ଚାଲେ । କିଛି ହେଲେ କେବେ ପୁରୁଣା କି ବିରକ୍ତିକର ବୋଲି ତ ମନେ ହୁଏନି !

 

ମନେ ହୁଏ ଯେମ‌୍‌ତି ଗତାନୁଗତିକତାର ଭିତରେ ହିଁ ନୂତନତାର ସ୍ପର୍ଶ ଉପଭୋଗ୍ୟ । ସେଇ ରଜ, ବାଗୁଡ଼ି, କୁମାର ପୂର୍ଣ୍ଣିମା, ଜହ୍ନି ଫୁଲ ଠୋଠା, ଆକାମାବୈ, ମାଘସ୍ନାନ, ଦୋଳପୂର୍ଣ୍ଣିମା, ଫଗୁଖେଳ, ଚଇତି ଘୋଡ଼ା, ହସକାନ୍ଦ, କଳିଗୋଳ, ଛୁତିକିଆ, ମୃତିକିଆ ବାହା ପୁନେଇ ଆଠ କାଳ ବାରମାସ ଲାଗି ରହି ଗାଁଟିକୁ ସବୁ ଦିନ ତାଜା ସରଗରମ କରି ରଖିଥାଏ । ଗୋଟିକ ପରେ ଆଉ ଗୋଟିଏ ଉତ୍ସବ ଘଣ୍ଟା କଣ୍ଟା ପରି ବୁଲି ଆସେ । ପ୍ରତି ଉତ୍ସବର ଆକାର ପ୍ରକାର ସ୍ୱତନ୍ତ୍ର । କାହିଁରେ ଖେଳ, କାହିଁରେ ନାଚଗୀତ; ଆଉ କାହିଁରେ ପିଠାପଣା !

 

ପ୍ରଚଣ୍ଡ ଖରା ଗ୍ରୀଷ୍ମ ପରେ ଆକାଶରେ ମେଘ ଘୋଡ଼ାଇ ଖରାକୁ ଆବୋରି ରଖେ । କେତେ ଅସରା ବର୍ଷା ହେଲା ପରେ ମାଟି ଓଦା ହୋଇ କଅଁଳ ରହେ । ରଜ ପର୍ବ ଆସେ ଲାଗ ଲାଗ ତିନି ଦିନ । ତିନି ଦିନ ଆଗରୁ ଘରେ ସବୁ କଟା ବଟା କାମ ସରିଥାଏ । ଝିଅବୋହୂମାନଙ୍କ ଅଳଙ୍କାର ପାଣିରେ ବତୁରୀ ମଜା ହୋଇ ଚିକ୍ ଚିକ୍ ଦିଶେ । ପହିଲି ରଜ ସକାଳ ଭୋଜନ ପାଇଁ ରାତିରୁ ଚୂଲି ଉପରେ ପ୍ରକାଣ୍ଡ ପୋଡ଼ ପିଠା ଶିଝା ହୁଏ । କ୍ରିଷ୍ଟମାସ କେକ୍ କିମ୍ବା ବିଲାତି ବିବାହ ଭୋଜିର କେକ୍‌ଠାରୁ ତାହା ଆକାର ଥିବା ଓଜନରେ କମ୍ ହେବନି, ପ୍ରକାରରେ ଅବଶ୍ୟ ହୋଇପାରେ । ବିରି ଚାଉଳ ବଟାଯାଇ ତହିଁରେ ନଡ଼ିଆ ପାତି ଓ ଗୁଡ଼ ମିଶି ସିଝାହୋଇଥାଏ । ବଡ଼ି ସକାଳୁ ଗାଧୋଇ ସାରିଲେ ପୋଡ଼ପିଠା ବାଢ଼ି ଦିଅନ୍ତି ବୋଉ ।

 

ଦୋଳବେଦୀ ପାଖପଡ଼ିଆରେ ହୁଏ ବାଗୁଡ଼ି ଖେଳ । ଓସ୍ତଗଛ ମୂଳରେ ଦର୍ଶକମାନଙ୍କ ସ୍ଥାନ । ପ୍ରଜାପାଟକ ମକଦ୍ଦମ ପିଲା ବୁଢ଼ା ଆସି ରୁଣ୍ଡ ହୁଅନ୍ତି । ଦୌଡ଼ ପୁଣି ବଳ କଷାକଷି ପାଇଁ ବାଗୁଡ଼ି ଗୋଟିଏ ବଢ଼ିଆ ଖେଳ । ସେ ଖେଳରେ ଶକ୍ତିର ପ୍ରତିଯୋଗିତା ପ୍ରଦର୍ଶନ ପାଇଁ ଦ୍ରୁତ ଦୌଡ଼ିବା, ଜଣକୁ ଜଣେ ଅଟକାଇ ଧରି ରଖିବା, ପ୍ରତି ପକ୍ଷ ଖେଳାଳୀର ଗୋଡ଼କୁ ଝିଙ୍କି, ତାକୁ ତଳେ ନିର୍ଘାତ କଚାଡ଼ି ଦେବା ପୁଣି ପ୍ରତି ପକ୍ଷର ଆକ୍ରମଣରୁ ଖସିଯିବାରେ ହସ୍ତପଦର କୌଶଳମାନ ଦେଖାଇ ବିଜୟର ବାହାଦୁରି ନେବାପାଇଁ ଅନେକ ସୁଯୋଗ ଅଛି ।

 

ତଳ ଅଗଣାରେ ନାନାରଙ୍ଗର ଛିଟପାଟ ପେଡ଼ି ଲୁଗାପିନ୍ଧି ତେଲ ହଳଦୀ ଲଗାଇ କେତେ ପିଲା, କେତେ ଝିଅ ଆସି ରୁଣ୍ଡ ହୁଅନ୍ତି ଦୂର ନିକଟ ସାଇ ପଡ଼ିଶା ଘରୁ । ଆହୁରି କେତେ ଝିଅ ପୁଅ ରଜ ବୁଲି ବାହାରନ୍ତି । କେହି କେହି ଗାଁ ପାଖ ବୁଦ୍ଧନାଥ ମନ୍ଦିରକୁ ଭୋଗ ଡାଲା ଧରି, ଆଉ କିଏ ପଶ୍ଚିମ ପଟେ ଦୂର ଆକାଶରେ ଗାଢ଼ ନିଳରଙ୍ଗରେ ଅଙ୍କା ହୋଇ ଚିତ୍ର ପରି ଦିଶୁଥିବା ଧଉଳୀ ପାହାଡ଼କୁ ବାହାରନ୍ତି । ଗାଁ ଦାଣ୍ଡ ଓ ଗାଁ ମୁଣ୍ଡ କଚା ସଡ଼କଟି ନେଳି ନାଲି ହଳଦିଆ ବାଇଗଣି ଆଉ ନାନା ରଙ୍ଗର ଶାଢ଼ୀରେ ଚିତ୍ରିତ ହୋଇ ଉଠେ । ଘର ଭିତରଟା ଦଶ ପଚିଶ କଉଡ଼ି ଖେଳ କିମ୍ବା ବାଘ ବଜାରୀ ଖେଳର ରୁଦ୍ଧ ମଧୁର କଣ୍ଠ ଧ୍ୱନିରେ ମୁଖର ହୋଇପଡ଼େ । ତା ପରେ ବର ଓହଳରେ ଓ ଗଛଡାଳରେ ଦୋଳିଖେଳ । କେଉଁ ସୁଖକୁ ବାହୁନି ବସିବା !

 

ସେଥର ରଜ ପର୍ବଟା କିନ୍ତୁ ବଡ଼ ଦୁର୍ଯୋଗରେ ଆସିଲା । ଦୋଳବେଦୀ ପାଖ ଅଶ୍ୱତଥ୍ ଗଛ ମୂଳେ ଗାଁର ପ୍ରଜାପାଟକ ମକଦ୍ଦମ ମାନେ ରୁଣ୍ଡ ହୋଇଛନ୍ତି ସବୁ ରଜ ପରେ ଯେମ‌୍‌ତି ହୁଅନ୍ତି-। ଦୁଇ ଦଳ ଭେଣ୍ଡା ଟୋକାଙ୍କ ଭିତରେ ଭୁଲ୍‍ରେ ବାଗୁଡ଼ି ଖେଳ । ଖେଳରେ ଆଉ ରଜା ପ୍ରଜାର ବା ଭେଦ କ’ଣ ? ସମସ୍ତେ ମିଳି ମହା ଉସାହରେ ଖେଳୁଛନ୍ତି । ସବୁ ବର୍ଷ ଯେମ‌୍‌ତି ହୋଇଥାଏ ।

 

ନରହରି ସେ ଦିନ ମୋର ଜଣେ କୁଟୁମ୍ବ ଭାଇଙ୍କ ପଛର ଗୋଡ଼ାଇ ହଠାତ୍ ପିଠିରେ ତାଙ୍କର ଗୋଟିଏ ବ୍ରହ୍ମ ଚାପୁଡ଼ା ମାଇଲା । ଚାପୁଡ଼ାଟା ଯେମ‌୍‌ତି ଓ ଦର୍ଶକମାନଙ୍କୁ ଶୁଣାଗଲା, ମୋର କୁଟୁମ୍ୱ ଭାଇ ମଧ୍ୟ ସେମ‌୍‌ତି ନିଜ ହାତକୁ ପଛ ଆଡ଼ିକି ନେଇ ପିଠି ଆଉଁସିବାକୁ ଚେଷ୍ଟା କଲେ । ମାଡ଼ଟା ନିଶ୍ଚୟ ଖୁବ୍ ଯୋରରେ ବସିଛି । ଆମର ଜଣେ କକେଇ ହେଲେ ଗାଁଆର ପ୍ରଧାନ ମାମଲତକାର—ନେତା । ପୁଣିଖେଳରେ ମାଡ଼ ଖାଇ ଥିବା ଭାଇନାଙ୍କର ମଧ୍ୟ ସେ ନିଜ କକେଇ ।

 

ସଙ୍ଗେ ସଙ୍ଗେ ସେ ନରହରିକୁ ଡାକିଲେ,“ ଆରେ ନରିଆ, ଆସିଲୁ ଏଣିକି ।” ନରହରି ପ୍ରଜାଶ୍ରେଣୀର ଲୋକ । କକେଇଙ୍କ ଦାଣ୍ଡ ଦୁଆରେ ତାଙ୍କ ଘର । ଗାଁର ସେମାନେ ଦେଉଳ କରଣ-। ବ୍ରାହ୍ମଣ ସାହିରେ ରହିଥାନ୍ତି ଠିକ୍ କକେଇଙ୍କ ଘର ସାମ୍‍ନା ଦାଣ୍ଡ ଆରପଟେ ।

 

ନରହରି ଭୟ ଓ ସମ୍ଭ୍ରମରେ କକେଇଙ୍କ ପାଖକୁ ଚାଲି ଚାଲି ଆସିଲା । କାରଣ କକେଇ ଥିଲେ ଭୟର ଦୁର୍ଦ୍ଦାନ୍ତ ପ୍ରତିମୂର୍ତ୍ତି । ଦୀର୍ଘ ପ୍ରସ୍ଥରେ ଚେହେରାଟି ରାଜପୁତ୍ର ଭଳି । କଥା କହିବା ତୁଳନାରେ ସେ ହୁକୁମ କରନ୍ତି ବେଶୀ । ନରହରି ତାଙ୍କ ପାଖକୁ ଆସିବା କ୍ଷଣି କକେଇ କହିଲେ, “କିରେ, ତୁ ମୋ ପୁତୁରା ପିଠିରେ ଏଡ଼େ ବଡ଼ ଚାପୁଡ଼ାଟାଏ ମାରିଦେଲୁ ?” କଥା ସଙ୍ଗେ ସଙ୍ଗେ ତାଙ୍କ ହାତ ମଧ୍ୟ ଆହୁରି ଯୋର ଶବ୍ଦ କରି ନରହରି ଗାଲରେ ବସିଲା ।

 

ଚାହୁଁ ଚାହୁଁ ନରହରି ଗାଲରେ ତାଙ୍କର ପାଞ୍ଚଟା ଯାକ ଆଙ୍ଗୁଠିର ଫଟୋ ଯେପରି ଫୁଟିଉଠିଲା । ଆଉ ଗାଲଟା ତା’ ର ଲାଲ ପଡ଼ି ଫୁଲିଗଲା । ପୁଣି ଯେମ‌୍‌ତି ଆପଣା ଅଜାଣତରେ ଆଗରୁ ତା’ର ଥପ୍ ଥପ୍ ହୋଇ ଗୁଡ଼ାଏ ଲୁହ ବୋହିପଡ଼ିଲା । ଦୁଇ ହାତରେ ସେ ମୁହଁକୁ ଲୁଚାଇ ନେଲା । ବୋଧହୁଏ ତାକୁ ଲାଜ ମାଡ଼ିଥିବ, ଭେଣ୍ଡା ଟୋକାଟା ହୋଇ କାନ୍ଦୁଛି ବୋଲି ।

 

ଲୁହଟାର କାରଣ ତ ଖାଲି ଦୁଃଖ କଷ୍ଟ ନୁହେଁ, ଲଜ୍ଜା ଅପମାନ ମଧ୍ୟ । ଯେଉଁମାନେ ଲଜ୍ଜା ଅପମାନର ପ୍ରତିଶୋଧ ନେଇପାରନ୍ତି ନି, ଦୁଃଖ କଷ୍ଟର ପ୍ରତିକାର ପାଇଁ ଆପଣାକୁ ଅକ୍ଷମ ଅସହାୟ ମନେକରନ୍ତି, ସେଇମାନେ ବୋଧହୁଏ ବେଶୀ କାନ୍ଦନ୍ତି । ସେଥିଲାଗି ପିଲାଙ୍କ ଭିତରେ ଏଇ ପ୍ରକ୍ରିୟାଟା ବେଶୀ ଦେଖାଯାଇଥାଏ ।

 

ଖେଳପଡ଼ିଆରେ ଯେ ରଗାରଗିର ପ୍ରଶ୍ନ ନାହିଁ, ଧନୀ ଗରିବର ଫରକ ନାହିଁ, କକେଇଙ୍କର ମାରିବାଟା ଯେ ସମ୍ପୂର୍ଣ୍ଣ ଅନ୍ୟାୟ ଓ ଅନଧିକାର, ତାଙ୍କ ଆଗରେ କେହି ଏକଥା ପ୍ରକାଶ କରିବାକୁ ସାହସ କଲେ ନାହିଁ । କାରଣ ସେତ ଖାଲି ଦୈହିକ ଶକ୍ତିରେ ବଳୁଆ ନୁହନ୍ତି, ଧନରେ ପୁଣି ବୃଦ୍ଧି ଓ ସାହସରେ ମଧ୍ୟ ଗାଳି ଫଜିୟତି କରିବାରେ ଯେ ଧୂରନ୍ଧର, ସେମ‌୍‌ତି ମାମଲାବାଜ୍ ଚତୁର । ଛୋଟ ଗାଁଆଟିରେ ଧମକ ଚମକ ଦେଇ ସମସ୍ତଙ୍କୁ ଡରେଇ ଥରେଇ ରଖିବାରେ, ପୁଣି ରାତି ଅଧରେ କାହାର ଟଙ୍କା ଦରକାର ହେଲେ ତାକୁ କରଜ ଲଗେଇ ଦୁଇ ତିନି ଗୁଣ ଆଦାୟ କରିବାରେ ତାଙ୍କୁ ଭଲ ଦୟାଳୁ ଓ ହିସାବୀ ଲୋକ ଆଉ କେହି ନଥାନ୍ତି ।

 

ମାଡ଼ ଫୌଜଦାରି ଯୋର ଜବରଦସ୍ତି ସାଙ୍ଗକୁ ଗାଁ ଭିତରେ ମେଳା ମଉଛବ, ଯାତ୍ରାପର୍ବ, ଦିଅଁ ଦେଉଳ ସବୁ ସାଧାରଣ କାର୍ଯ୍ୟରେ ତାଙ୍କରି ନେତୃତ୍ୱ ସ୍ୱୀକାର କରିଥାନ୍ତି ପ୍ରାୟ ସମସ୍ତେ । ସାମାନ୍ୟ କାରଣରୁ ବେଜିତ୍ ହବାର ଭୟ ଥିଲେ ସୁଦ୍ଧା ତାଙ୍କୁ ଖୁସି ରଖିବାକୁ, ହସାଇବାକୁ ପୁଣି ତାଙ୍କ କଥାରେ ହସିବାକୁ ଓ ସେ ଯାହା କହିବେ, ତହିଁରେ ହୁ ମାରିବାକୁ ଗାଁ ଲୋକେ ଆସି ଯୁଟନ୍ତି ତାଙ୍କରି ପାଖରେ ।

 

ଯାତ୍ରା ପର୍ବରେ ବିଚିଣା ଗାଁଆରୁ ପାଲାବାଲା, ଯାତ୍ରା ପଞ୍ଝାଙ୍କୁ ବହିନା ଦେଇ ଡକରା ହୁଏ-। ଯାତ୍ରା ସରିଗଲେ ପୂର୍ବ ଯବାବ ଅନୁଯାୟୀ ବାକି ଟଙ୍କା ଦେଲାବେଳକୁ କକେଇଙ୍କ ପାଖକୁ ସମସ୍ତେ ଯାଆନ୍ତି । ଆଗରୁ ସେମ‌୍‌ତି ମଧ୍ୟ ସେ ନିର୍ଦ୍ଦେଶ ଦେଇଥାନ୍ତି ।

 

ତାଙ୍କରି ଆଗରେ ଯବାବ ଟଙ୍କାର ହିସାବ କରଯାଏ । ତହିଁ ସେ ଯୋର ଗଳାରେ ଟୀପ୍‌ପଣି କରନ୍ତି—ଆହେ ରଖ ସେ ସବୁ ହିସାବପତ୍ର । ସେ ସବୁ ହିସାବ ମୋର ଦରକାର ନାହିଁ । ସମସ୍ତେ ତ ତୁମ ଯାତ୍ରା ଦେଖି ମୁହଁ ମୋଡ଼ିଦେଲେ ।

 

ଯାତ୍ରାପାଟିର ଓସ୍ତାଦ ନମ୍ରସ୍ୱରରେ କହନ୍ତି, ନାହିଁଆଜ୍ଞା, ଯାତ୍ରା ପରେ ପାହାନ୍ତା ପହରେ ଦୁଆର ଦୁଆର ବୁଲି ଯେଉଁ ମାଗୁଣି କଲୁଁ, ସେଥିରେ ସମସ୍ତେ ଖୁସି ହୋଇ ଚାରଣା ଆଠଣା ଦେଇଛନ୍ତି ।

 

କଣହେଲା ? ଯାତ୍ରା ପରେ ପୁଣି ମାଗୁଣି କରିଛଟି ? ତେବେ ତ ତୁମେ ତମ ପାଉଣା ସବୁ ଉଠାଇ ନେଇ ସାରିଛ । ଆଉ କଣ ? ତା’ ଛଡ଼ା ବହିନା କଣ ନେଇଛ ପରା ?—କକେଇ ପଚାରନ୍ତି ଗାଁ ଲୋକଙ୍କର ଉତ୍ସୁକ ଦୃଷ୍ଟି ଭିତରେ ।

 

ହଜୁର, ମୋଟେ ପାଞ୍ଚ ଟଙ୍କା ତିନିଅଣା—ହାତ ଯୋଡ଼ି ଯାତ୍ରା ପାର୍ଟିର ଓସ୍ତାଦ ଜଣାଏ ।

 

ଏତେ ଟଙ୍କା ନେଇଛନ୍ତି ? ଆଉ ତେବେ କଣ ? କାଲି ରାତିଟା ଏଠାରେ ତ ଭୋଜନ ବ୍ୟବସ୍ଥା ହୋଇଥିଲା । କିଓ ସୁଦି, ଯାତ୍ରା ପାର୍ଟିଙ୍କ ପାଇଁ ଭଲ ରୋଷେଇବାସ କରିଥିଲ ଟି ?

 

ସୁଦି ଓରଫ ସୁଦର୍ଶନ ମକଦ୍ଦମ ପଦେ କଥା କହିଦେଲେ ସମସ୍ତେ ହସିପକାନ୍ତି । ଏଥର କିନ୍ତୁ କକେଇଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଅତି ଗମ୍ଭୀର ହୋଇପଡ଼ନ୍ତି—ହଁ କକେଇ, କାହିଁକି ସେମାନଙ୍କୁ ପଚାରୁ ନ ?

 

“ଧେତ୍, ତୁ ଗୋଟିଏ କେମ୍‍ତି ବେଅକଲୀ ଲୋକ କହିଲୁ ଭଲା ? ସେମାନେ ହେଲେ ଆମର କୁଣୁଆ ପରା, ତାଙ୍କୁ ପଚାରିବି—କ’ଣ ଖାଇଲପିଇଲ ? ତୁ ପୁଣି ‘ପାଣିବଂଶ’ରେ ଜନ୍ମ ହୋଇ ଏତକ ଅକଲ ତୋର ହେଲା ନାହିଁ ଆଜିଯାକେ ? କଣ ସବୁ ଭଲ ତରକାରି ପତ୍ର ବରାଦ କରିଥିଲ ଟି ?

 

ସୁଦର୍ଶନ କପଟ ମୁହଁ ଶୁଖାଇ ସମ୍ଭ୍ରମ ଛଳନା କରି କହନ୍ତି—କାହିଁକି କକେଇ, ତା’ହେଲେ ନେତି ବୁଢ଼ୀକି ପଚାର, କାଲି ସନ୍ଧ୍ୟା ବେଳେ ତା’ ଦୋକାନରୁ ଅଧସେରେ ପିତା ଶୁଖୁଆ ମୁଁ ନିଜେ ଯାଇ କିଣି ଆଣିଛି କି ନାହିଁ ।

 

ଏକାବେଳେ ନିର୍ମାୟା ପୁରୁଷ ହୋଇ କକେଇ ସବୁ କଥା ଧୀର ସ୍ଥିର ଭାବରେ ଶୁଣନ୍ତି । ତା’ ପରେ ପୁଣି ପଚାରନ୍ତି କିଛି ନ ଜାଣିଲା ପରି—ଆଉ ଶୋଇବା ପାଇଁ ବିଛଣାପତ୍ର ?

 

ଶୋଇବୁଁ ଆମେ ଆଉ କେତେବେଳେ ଆଜ୍ଞା ! ଗାଁରେ ଗୋଡ଼ ଦେଲା ବେଳୁଁ ସଜ ବାଜ ହେବାରେ ଲାଗିଲୁଁ । ହେଁସ ଖଣ୍ଡେ ବସିବାକୁ ଦେଇଥିଲେ ଯେ ଖାଲି ଛାରପୋକରେ ଭର୍ତ୍ତି—ଯାତ୍ରା ପାର୍ଟିର ଓସ୍ତାଦ କହନ୍ତି ।

 

ଧମକ ସ୍ଵରରେ କକେଇ ଆକଟ କରନ୍ତି—ହଇରେ ସୁଦର୍ଶନ ! ତୁ ଆମ ଗାଁଆର ଇଜ୍ଜତ ମହତ ତଳେ ପକେଇଲୁ ।

 

ନାହିଁ କକେଇ ! ଆଚ୍ଛା, କହିଲ ଦେଖି ଓସ୍ତାଦେ, ତମକୁ ଦି’ଖଣ୍ଡ ନଡ଼ିଆ ଛାଞ୍ଚ ଉଛବା ଆଣି ଦେଇଗଲା ନି ?

 

ହଁ ଆଜ୍ଞା, ମୁଁ ନିଜେ ଯାଇ ଦି’ଖଣ୍ଡ ତଟକା ବୁଣା ନଡ଼ିଆ ଚାଞ୍ଚ ଦେଇ ଆସିଛି । କିହୋ ଓସ୍ତାଦେ ? ଉଛବା ଦାନ୍ତ ନିକୁଟି ପଚାରେ ।

 

ସେଥିରୁ ଆମକୁ କଣ ମିଳିବ । ନିଜ ଘର ଗାଁ ଛାଡ଼ି ଆସିଲେ ବିରିଣା ଗାଁରେ କଣ ସବୁ ସୁବିଧା ମିଳେ କି ?

 

ଓସ୍ତାଦ ତା’ ପରେ ସୁଦର୍ଶନଙ୍କ ପ୍ରତି ଥରେ ଦୃଷ୍ଟି ପାତ କରି ଆଉ ଥରେ କକେଇଙ୍କୁ କହନ୍ତି, ହେଉ ଆଜ୍ଞା, ଯାହା ତ ହେବାର ହେଲାଣି, ଯବାବ ଟଙ୍କାଟା ମିଳିଯାଉ, ଆମେ ଭଲା ବିଦା ହୋଇଯାଉଁ, ଘରେ ତେଣେ କେତେ ପାଇଟି ।

 

କିଓ ସୁଦି, କଣ ଯବାବ ହୋଇଥିଲା ? କିନ୍ତୁ ନ ଜାଣିଲା ଭଳି କକେଇ ପୁଣି ପଚାରନ୍ତି ।

 

ଯବାବ କଥା ଓସ୍ତାଦ ନିଜେ କହିବେନି । ତଳକୁ ମୁହଁ ପୋତି ଯବାବ ଦିଅନ୍ତି ସୁଦର୍ଶନ ।

 

ଆଜ୍ଞା, ଏକଥା ଆଜି ଆପଣେ କହୁଛନ୍ତି । ରାତିକୁ ଚାଳିଶି ଟଙ୍କା ଯବାବ କଲେ । ପାଞ୍ଚ ଟଙ୍କା ବହିନା ଦେଲେ । ବାକି ଟଙ୍କା କେଇଟା ଦିଅନ୍ତୁ ଆଜ୍ଞା, ଆମର ବହୁତ ଧନ୍ଦା ପଡ଼ିଚି ପରା !—ଓସ୍ତାଦ ବିଚରା ବ୍ୟସ୍ତ ହୋଇପଡ଼େ ।

 

କକେଇ ଏଥର ନିରପେକ୍ଷ ବିଚାର କରି ଅଭିନୟ କରି କହନ୍ତି, ଆଚ୍ଛା, ଚାଳିଶ ଟଙ୍କାରୁ ପାଞ୍ଚଟଙ୍କା ପାଇଲେ ବାକି ତମର ପଇଁତ୍ରିଶ ଟଙ୍କା, ନୁହେ ?

 

ହତାଶ ଓସ୍ତାଦ ପ୍ରାଣରେ ଏ ଆଶାର ସଞ୍ଚାର ହୁଏ । ସେ ଅତି ଆଗ୍ରହରେ କହି ପକାନ୍ତି, ଆଜ୍ଞା ! ସେତିକି ଖାଲି ମିଳିଯାଉ, ଆଉ ପଛେ ବିଦାକୀ କିଛି ନ ହେଲା ନାହିଁ ।

 

ସୁଦର୍ଶନ ମକଦମ ଆଗରୁ ତାଲିମ୍ ହୋଇଥାନ୍ତି । ମୁହଁ ଶୁଖାଇ କହନ୍ତି, ବିଦାକୀ ତୁମେ ତ ଆଗରୁ ଆଦାୟ କରି ସାରିଲଣି । ସେଇଟା ଆଜ୍ଞା ମାଗୁଣି ପରା, ବିଦାକୀ ହେବ ସେ କିମିତି କଲେ-? ଆପଣଙ୍କୁ କ’ଣ ଏ କଥା ଜଣାନାହିଁ ? ମାଗୁଣୀଟା ପୁଣି ବିଦାକୀ ହବ କିମିତି ? ପିଲାଏ ଘର ଘର ବୁଲି ଗୀତ ଗାଇ ଦି’ଅଣା ଚାରଣା ମାଗିବା କଥା ସିନା ।

 

ମଝିରେ କକେଇ କାହିଁକି ପୁଣି ବେଶୀ ବିରକ୍ତ ହୋଇ ପଡ଼ନ୍ତି, ସୁଦର୍ଶନଙ୍କ ଉପରେ ତୁ ଏତେ ଯୁକ୍ତିତର୍କ କରୁଛୁ କ’ଣ ସୁଦି ! ଯାହା ଜବାବ କରଛୁ, ସେତକ ଆଗ ଦେଇ ପକା ।

 

କାକୁସ୍ଥ ଓ ଆପ୍ୟାୟିତ ହୋଇ ଓସ୍ତାଦ କହନ୍ତି, ଆଜ୍ଞା ସେତକ ତ ! ଆମେ ଆଉ କ’ଣ ବେଶୀ ଅଳି କରୁଛୁ କି !

 

ଆଚ୍ଛା, ସବୁ ତ ହେଲା, ଯାହା ଆମେ ଜବାବ କରିନୁ ? କ୍ରମେ ସୁଦର୍ଶନଙ୍କ କଥା ଅବୋଧ୍ୟ ହୋଇପଡ଼େ ।

 

କକେଇଙ୍କ ଚକ୍ଷୁ ତାରକା ଉଜ୍ଜଳ ହୋଇ ଦିଶେ—କ’ଣ ଯବାବ କରିନ କି ?

 

ଏଇ ଧର ପାନଗୁଆ, ଝୋଟ, ନଡ଼ିଆତେଲ, ହାଣ୍ଡିକଲା—ଏଗୁଡ଼ା ତୁ କ’ଣ ଗପିଯାଉଛୁ ସୁଦି ! କକେଇ ଖୁବ୍ ବିରକ୍ତି ଛଳନା କରନ୍ତି ।

 

ମୁଁ କ’ଣ ଏକା ଗପୁଛି । ଗାଁରେ ଆଉ କେହି କିଛି ଜାଣନ୍ତିନି । କିରେ ସ୍ୱାଇଁ ! କହୁନୁ କାହିଁକି ମ, ମତେ ଏକା ବାଘ ମୁହଁକୁ ପେଲି ଦେଇ—ସୁଦର୍ଶନ ମକଦମ ଏକାବେଳେ ନିର୍ମାୟା ପୁରୁଷ ।

 

ବାଘ ବୋଇଲେ ସେଇ ଏକା କକେଇ । ବାଗୁଡ଼ି ଖେଳରେ ଯେ ନରହରିକୁ ବ୍ରହ୍ମଚାପୁଡ଼ା ମାରନ୍ତି ଆତ୍ମ ଅଭିମାନ ପ୍ରକାଶ କରି ତାଙ୍କ ନିଜ ପୁତୁରୁା ପାଇଁ । ସ୍ୱାଇଁ ବି ତାଙ୍କର ପିଆଦା । ପ୍ରଜାପାଟକଠାରୁ ଖଜଣା । ଅସୁଲ, ଧାନ ଦେଢ଼ି, ଖାତକ ଠାରୁ କରଜ ଟଙ୍କା ସୁଧ ମୁନାଫା ଆଦାୟ କରିବା ଦାୟିତ୍ୱ ତା’ରି ଉପରେ । ମଇଁଷି ପଣ୍ଡା ପରି ମଜବୁତିଆ ଦେହ, ହାତରେ ଗୋଟିଏ ତେଲ ପାଲିସ୍ ମୋଟା ବାଉଁଶଠେଙ୍ଗ। ।

 

ହାତଯୋଡ଼ି ସ୍ୱାଇଁ କହେ, ହଁ ହଜୁର, ଏଥିରେ କିଛି ଭୁଲ୍ ନାହିଁ ମୁଁ ନିଜେ ଯାଇ ସାହାଣୀ ଘରୁ ଝୋଟ ଆଣିଦେଇଛି । ତା’ର ଟଙ୍କା ଶୁଝଟ ପଡ଼ିନି । ଏଛୁଣି ମତେ ପରା ଆସିଲା ବାଟରେ ମାଗୁଥିଲା । ସାହାଣୀ କିମ୍‍ତି ରାଢ଼, ଜାଣିନ ?

 

କିରେ ଝୋଟ କ’ଣ ହେଉଥିଲା ଯାତ୍ରାରେ ? ବାଞ୍ଛାନିଧି କିଛି ନ ଜାଣିଲା ଭଳି ପୁଳାଏ ଗୁଣ୍ଡିପତ୍ର ପାପୁଲିରେ ଦଳି ପଚାରନ୍ତି ।

 

ଓଃ ! ତୁ ଯେମ‌୍‌ତି କିଛି ଜାଣିନୁ—ଏକା ବେଳେ ନିର୍ମାୟା ପୁରୁଷ । କିରେ ନାରଦଙ୍କ ଦାଢ଼ି ନିଶ ପାଚିଲାବାଳ—ସୁଦର୍ଶନଙ୍କ ବଡ଼ ଭାଇନା ଚକ୍ରଧର ଚଟ୍‍କରି ବୁଝାଇ କୁହନ୍ତି—ଯାତ୍ରାରେ କ’ଣ ଝୋଟ ଖର୍ଚ୍ଚ ଅଳପ କି ! ମାଇପି ସୁଆଙ୍ଗରେ ତ ସେଇ ଝୋଟରେ ହାଣ୍ଡିକଳା ପୁଣି ତେଲ ଟିକିଏ ବୋଳି ଦେଲେ ବେଣୀ ସୁନ୍ଥା—

 

ଆଉ ନଡ଼ିଆ ତେଲ ?

 

ଆଜ୍ଞା, ନଡ଼ିଆତେଲ ଯାହା ଦେଇଥିଲେ, ଖାଲି ତ କିରାସିନି ମିଶା; ଏତେବେଳଯାକେ ପିଲାଙ୍କ ଦେହରୁ ଗନ୍ଧ ଛାଡ଼ିନି ।

 

ତା’ ପାଇଁ ଆମେ କରିବୁଁ କ’ଣ କହିଲ ? ନରସିଂହ ମାକୁ ବୁଢ଼ୀ ଦୋକାନରୁ ତ ଖାଣ୍ଟି ନଡ଼ିଆ ତେଲ ଆସିଲା । ସେଥିରେ କିରାସିନି ପୁଣି ମିଶାନ୍ତା କିଏ ? ନରସିଂହା ମାକୁ ତଲବ କର ତେବେ । କକେଇ ଆକଟ କରି କହନ୍ତି । ଧେତ୍, ଖାଲି ସେଇ ବଗୁଲିଆ କଥା—

 

ଆମକୁ ବିଦା କର ଆଜ୍ଞା, ମୋର ବିଲଅରାଏ ମୁଗ ଉପାଡ଼ିବାକୁ ଅଛି । ଆଜି ନ କଲେ ଗୋରୁ ଚରିଯିବେ ।

କିଓ ସୁଦି, ବିଦାକର ।

 

ହଁ, ସେମାନେ ବିଦା ହୋଇଯାନ୍ତୁ ।

 

ତା’ ହେଲେ ବିଦାକୀ ?

 

ଆର ଥରକୁ ପାଇବେ ।

 

ଆର ଥର ?

 

ହଁ, ଏଇ ବର୍ଷ ରଜ କି ଗହ୍ମା, ନଇଲେ କୁଆଁରପୁନିଅଁ ।

 

ତା’ ନ ହେଲେ ଆର ବର୍ଷ ଦୋଳ କି ଦଶହରା !

 

ତେବେ ଏ ଟଙ୍କା ଟା । ଆମ ଦିଅଁଙ୍କ ଘର ବାକି ଖାତାରେ ଲେଖି ରଖ ।

 

ଆର ଥର ପାଇଁ ବହିନା କିଛି ଦେବନି ତାଙ୍କୁ ?

 

ବହିନା ତ ଦିଆସରିଛି ।

 

କିହୋ ସେ ସିନା ଏ ବର୍ଷ ପାଇଁ । ଆସନ୍ତା ବର୍ଷ ପାଇଁ କିଛି ହେଲେ—

 

ନା,ନା, ଏଇ ବହିନା ପାଞ୍ଚଟଙ୍କା ତ ତାଙ୍କ ପାଖରେ ଆମର ବାକି ରହିଲା । ବାକି ଖାତାରେ ପୁରା ଚାଳିଶ ଟଙ୍କା ଲେଖାଯାଉ । ବିଚାରକଙ୍କୁ ଘେରି ବସିଥିବା ଜଣକ ପରେ ଆଉ ଜଣେ ଜୁରି ହୋଇ ମନ୍ତବ୍ୟ ପ୍ରକାଶ କରନ୍ତି ।

 

ଆଜ୍ଞା, ହଜୁର, ତା’ ହେଲେ—ମୁହଁ ଶୁଖାଇ ଓସ୍ତାଦ ଆଉ କିଛି କହି ପାରନ୍ତି ନି ।

 

ହଁ ଓସ୍ତାଦେ, ତୁମ ଟଙ୍କା ପାଇଁ କଛି ଭାବନା କରନି । ସେ ଟଙ୍କା ଜାଣ ତମରି ଘରେ ଥୁଆ ହୋଇଛି-ତମରି ବାକ୍‌ସ ଭିତରେ ।

 

ତା’ ହେଲେ ଆଜ୍ଞା କିଛି ବାଟ ଖର୍ଚ୍ଚ ହୁକୁମ ହେଉ ।

 

କିଓ ବିଶ୍ୱନାଥ ! ଚୁଡ଼ା ଗୁଡ଼ କ’ଣ ବଳି ପଡ଼ି ଥିଲା ପରା ? ତା’ ସାଙ୍ଗକୁ ଦି’କଡ଼ା ନଡ଼ିଆ ହେଲେ ଯାତ୍ରା ବାଲାଙ୍କ ବାଟଖର୍ଚ୍ଚ—

 

‘କିଏ ଗାମୁଛା କାନିରେ, କିଏ କାଶି, ଆଉ କିଏ ନାକ ପୋଛି ଓ ପଛପଟକୁ ମୁହଁ ବୁଲାଇ ହସ ରୋକିବାକୁ ଚେଷ୍ଟା କରନ୍ତି ।

 

ସରୁ ଓଳକିଟିଏ ପକାଇ ଓସ୍ତାଦ ନୀରବରେ ବିଦା ହୋଇଯାନ୍ତି । ପଛରୁ ଧନି ମଳିକ ଡାକ ଦିଏ—ଆର ସନକୁ ଯେମ‌୍‌ତି ସହଳ ଦିନ ଥାଉଁ ଥାଉଁ ପହଞ୍ଚିଯିବ । ବୁଝିଲ ତ । ଝୋଟ ପାଇଁ ଆମକୁ ଯେମ‌୍‌ତି ଆଉ ରାତି ଅଧରେ ଧନ୍ଦାଳି ହେବାକୁ ନପଡ଼େ ଟି !

 

ପ୍ରତି ବର୍ଷ ଏମ‌୍‌ତି ଉପାୟରେ ନୂଆ ନୂଆ ଯାତ୍ରାପାର୍ଟି ଗାଁକୁ ଆସନ୍ତି । ଯେ ଥରେ ଆସିଲେ, ତାଙ୍କର ଆଉ ଦ୍ୱିତୀୟ ଥର ଆସିବା ଘଟେ ନାହିଁ । କାରଣ ଯେଉଁ ବାକି ଖାତାରେ ତାଙ୍କ ପାଉଣା ଲେଖା ରହେ ବୋଲି କୁହାଯାଏ; ତାହାର ଦେଖା ଦର୍ଶନ କେବେ ହେଲେ ମିଳେ ନାହିଁ । କ୍ରମେ ଆଖ ପାଖରେ ବିଶ୍ୱନାଥପୁର ଗ୍ରାମର ପ୍ରଚାର ଏପରି ବିସ୍ତୃତ ଆକାର ଧାରଣ କଲାଯେ, କୌଣସି ଯାତ୍ରା ଦଳ ଖାଲି କାହିଁକି, ସାଧାରଣ ଲୋକ ସୁଦ୍ଧା ସେ ଗାଁର ନାଁ ଶୁଣିଲେ ବେଖାତିର ବା ନିନ୍ଦା ଛଡ଼ା ଆଉ କିଛି କରୁ ନଥିଲେ । କାରଣ ଖାତିର ସମ୍ଭମ ସମ୍ମାନ ବୋଧହୁଏ— ବେଶୀ ପରିମାଣରେ ଭୟ ବା ବିପଦର ଆଶଙ୍କାରୁ ଜନ୍ମିଥାଏ । ପୁଣି ସେମ‌୍‌ତି ଭୟ ବିପଦ ଯେ ଜନ୍ମାଇ ପାରନ୍ତି, ସେ କେବଳ ଅଭୟ ଦେଇ ଆପତ କାଳେ ସମୁତ୍‍ପନ୍ନେ ସହାୟ ହୋଇପାରନ୍ତି ।

 

ଯୋର ଯାହାର ମୁଲକ ତାହାର

 

ନାୟମାତ୍ମା ବଳହୀନେନ ଲଭ୍ୟଃ–କିନ୍ତୁ ବିଶ୍ୱନାଥପୁର ଗାଁ ଲୋକେ ଯେଉଁ ବଳର ପରିଚୟ ଦେଉଥିଲେ, ତାହାଦ୍ୱାରା କେବଳ ଆତ୍ମା କାହିଁକି, ପରମାତ୍ମା ପ୍ରାପ୍ତିର ସମ୍ଭାବନା ଥାଏ ଅଧିକ । ସେଥିଲାଗି କେହି କେହି ସେ ଗାଁକୁ ବିଶ୍ୱନାଥପୁର ନୁହେ ଯେ ‘ବିଷମନାଥପୁର’ ବୋଲି କହିଥାନ୍ତି ।

 

ମାରଣ ତାରଣ ସ୍ତମ୍ଭନ ବଶୀକରଣ ସବୁ ବିଦ୍ୟାରେ ସେ ଗାଁଆର ଲୋକେ ଶିକ୍ଷିତ ଓ ଦୀକ୍ଷିତ । ସେଇ ସବୁ କ୍ରିୟା ପ୍ରତିକ୍ରିୟା ଭିତରେ ହିଁ ମୋର ବାଲ୍ୟ ଜୀବନ ଗଢ଼ା ହୁଏ କ୍ରିୟା ନ୍ୟାୟ ସତ୍ୟାସତ୍ୟର ବିଚାର ଓ ବିଶେଷଣ ପାଇଁ ମୋ ମନର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୁଏ ସେଇ ଠାରୁ-। ପାପ ପୁଣ୍ୟ ଧର୍ମ ଅଧର୍ମର ଗଡ଼ ଡାଳିକା ନ୍ୟାୟ ମଧ୍ୟ ମୋ ଉପରେ ପ୍ରଭାବ ପକାଏ ! ଭୁଲ୍ ଠିକ୍‍ର ଫରକ୍ ବୁଝିବାକୁ ମୁଁ ଚେଷ୍ଟା କରେ ।

 

ଖେଳ ପଡ଼ିଆରେ ପିଲାଙ୍କ ଭିତରେ ଜଣେ କେବଳ ଦର୍ଶକ ହୋଇ ଆମର ସେଇ କକେଇଙ୍କ ହସ୍ତକ୍ଷେପ ମୋତେ ଅଯଥା ବୋଧହୁଏ । ଯେଉଁମାନେ ଖେଳୁଥିଲେ, ତାଙ୍କ ଭିତରେ ରଗାରଗି ଧାରା ଧରି ମରା ମରି ହେବାଟା ତ ସ୍ଵାଭାବିକ; କିନ୍ତୁ ତୁମେ ବାହାରୁ ଜଣେ ଦର୍ଶକ ଭାବରେ ଆସି ଏପରି ଦୁର୍ବ୍ୟବହାର କରିବା ଯେ ଘୋର ଅନ୍ୟାୟ, ଏଥିରେ ମୋର ସନ୍ଦେହ ରହିଲା ନାହିଁ । ତାହା ଛଡ଼ା କକେଇଙ୍କର ଗର୍ବ ଦମ୍ଭ ଅଭିମାନ ଅହଂକାର ଓ ହାମ୍‍ବଡ଼ା ଢଙ୍ଗଟାକୁ ନିନ୍ଦା ଓ ପ୍ରତିରୋଧ କରିବାକୁ ଯେତେବେଳେ ଅନ୍ୟମାନେ ଫୁସ୍‍ଫାସ୍ ହୁଅନ୍ତି, ସେତେବେଳେ ମୁଁ ସେମାନଙ୍କୁ ସମର୍ଥନ କଲି ।

 

ଭାଇନା ଆସିଥାନ୍ତି ନୂଆ ଓକିଲ ହୋଇ ପୁରୀକୁ । ଗାଆଁରେ ଗାଁଆର ଜଣେ ପଢ଼ୁଆ ଲୋକ ବାହାରି ପୁରୀରେ କଲେଣି ଓକିଲାତି । କମ୍ କ୍ଷମତା ନୁହେ ତ ! କଳାକୁ ଧଳା କରି ପାରନ୍ତି ସେଇ ଓକିଲ । ସେଇ ଓକିଲ ବାରିଷ୍ଟରମାନେ ପୁଣି ଆଗୁଆ ହୋଇ ଭାରତ ବର୍ଷରେ ଖୋଦ ଇଂରେଜ ସରକାର ସଙ୍ଗେ ଲଢ଼େଇ କଲେ । ଦେଶରେ ତ ସ୍ଵାଧୀନତା ଆଣିଲେ ସେଇମାନେ । ଭାଇନାଙ୍କ ପ୍ରତି ବାପାଙ୍କର ମଧ୍ୟ ଖାତିର କିଛି କମ୍ ନଥିଲା । ଭାଇନା ଓକିଲାତି କରିବେ ବୋଲି ବାପା ତାଙ୍କ ରାମଚଣ୍ଡୀ ସାହି ଭଡ଼ା ଘରଟିକି ଛାଡ଼ି ହେରାଗୋହରୀ ସାହିରେ ଗୋଟିଏ ବଡ଼ ଘରଭଡ଼ା ନେଇଥାନ୍ତି ।

 

ସେ ଥର ବାପା ଭାଇନା ରଜକୁ ଆସିଥାନ୍ତି କି କ’ଣ । ଖେଳ ପଡ଼ିଆରେ କକେଇଙ୍କର ଏଇ ଯବରଦସ୍ତି ଅତ୍ୟାଚାର କଥା ବାପା ଭାଇନା ଶୁଣିଲେ । କକେଇ ତ ଭାଇନାଙ୍କର ପିଲା ଦିନର ସାଙ୍ଗ । ଦୁହେଁ ପ୍ରାୟ ସମ ବୟସୀ । ଭାଇନା ତାଙ୍କଠାରୁ ଅଳ୍ପ କେତେ ମାସ ବଡ଼ ହେବେ ମାତ୍ର । ବୋଉ ଠାରୁ ଶୁଣିଛି, ଭାଇନାଙ୍କ ନାମ ‘ଦିବ୍ୟସିଂହ’ ଦେଇଥିଲେ ସେଇ କକେଇଙ୍କୁ ନିଜ ବଡ଼ ଭାଇ-। କେତେକ ମାସ ପରେ ନିଜର ଗୋଟିଏ ଭାଇ ଜନ୍ମିବାରୁ ସେ କୁଆଡ଼େ ଅନୁତାପ କରିଥିଲେ ଯେ ‘ଦିବ୍ୟସିଂହ’ ସୁନ୍ଦର ନାଁଟି ସେ ତାଙ୍କ ନିଜ ଭାଇପାଇଁ ବାଛିଥିଲେ; କିନ୍ତୁ କାଳେ ତାଙ୍କର ଭାଇ ନ ହୋଇ ଭଉଣୀ ହୋଇପାରେ, ଏହି ସନ୍ଦେହରେ ଆଗରୁ ଭଗାରି ଘର ପୁତୁରା ପାଇଁ ସେଇ ନାଆଁଟି କହି ପକେଇଲେ ସିନା ! ଏଇ ନାଁ ଦିଆରେ ମଧ୍ୟ ଘର ଘର ଭିତରେ ପ୍ରତିଦ୍ୱନ୍ଦିତା ଲାଗିଯାଏ । ଆନନ୍ଦ ପାଣିଙ୍କ ବଡ଼ପୁଅ ନାଁ, ରାମଚନ୍ଦ୍ର ହେଲେ, ଲୋକନାଥ କକେଇ ନିଜ ବଡ଼ ପୁଅନାଁ ‘ରାମ’ ରଖନ୍ତୁ । ଲୋକନାଥଙ୍କ ମଝିଆଁ ପୁଅ ନାଁ ବାଉରୀବନ୍ଧୁ ହେଲେ କୁଳମଣିଙ୍କ (ରାମ କକେଇଙ୍କ ଖୁଡ଼ି ତା ପୁଅ ଭାଇ) ବଡ଼ ପୁଅ ନାଁ ବାଉରିବନ୍ଧୁ । ଏମ‌୍‌ତି ଝିଅ ପୁଅଙ୍କ ଭିତରେ ଆଉ କେତେ ବି ନାଁ–ଲଢ଼େଇ ଚାଲେ ! ରାମ କକେଇଙ୍କ ଘର ଗାଆଁର ପୂର୍ବ ସୀମାରେ । ସେପଟେ ବେଶୀ ସଂଖ୍ୟାରେ ଅନ୍ୟ ଜାତିର ଲୋକ ରହୁଥିବାରୁ ତାକୁ ହାଟ ସାହି କହନ୍ତି । ଗାଆଁର ପୂର୍ବ ସୀମାରେ ଗାଦି ଘର ବଣିଆ ସାହି ଓ ଦକ୍ଷିଣ-ପୂର୍ବ କୋଣରେ ଦକ୍ଷିଣେଶ୍ୱରୀ ଠାକୁରାଣୀଙ୍କ ପାଖକୁ ଯିବା ବାଟରେ ଗେଞ୍ଜସାହି । ଏହି ‘ଗେଞ୍ଜସାହୀ’ ନାମକରଣ ଲାଗି ଗାଆଁର ମୁଖିଆ ଲୋକଙ୍କ ବିରୁଦ୍ଧରେ ସେ ସାହୀର ଯୁବକମାନଙ୍କର ଅଭିଯୋଗ । ଏହା ଦ୍ୱାରା ସେମାନଙ୍କ ପ୍ରତି ଏକ ତାଚ୍ଛଲ୍ୟ ଭାବ ପ୍ରକାଶ ପାଉଥିବାରୁ ୧୯୬୭ ବନ୍ଦୋବସ୍ତ କାଗଜପତ୍ରରେ ସେହି ନାମ ବଦଳାଇବାର ଉଦ୍ୟମ ସେମାନେ କରୁଥିଲେ ।

 

ସେଦିନ ମୋ ଆଗରେ ସେଇ ସାହୀର କେତେକ ଯୁବକ ଆସି କହିଲେ, ଇଲେକଟ୍ରିକ ଖମ୍ବ ଆପଣଙ୍କ ଦାଣ୍ଡ ପର୍ଯ୍ୟନ୍ତ ଆସିଲା । ଆପଣମାନେ ମୁଖିଆ ହୋଇଥିବାରୁ ସବୁ ସୁବିଧା ପାଇବେ । ଆମ ସାହିକୁ ‘ଗେଞ୍ଜସାହି’ କହି ଅନ୍ଧାରରେ ପକାଇ ରଖିଥବେ ?

 

ପିଲାଦିନୁଁ ତ ମୁଁ ‘ଗେଞ୍ଜ ସାହି’ ନାଁ ଶୁଣି ଆସୁଛି, ତାକୁ ବୁଝାଇଦେଲି ।

 

କିନ୍ତୁ ଶୁଣି କରି କେବେ କିଛି ପ୍ରତିକାର କରିଛନ୍ତି କି ?

 

ହସି ଦେଇ ଯୁବକଙ୍କ ପିଠିରେ ହାତ ମାରି କହିଲି, ଭାବି ଚିନ୍ତି ସବୁ କାମ ହୁଏ ନାହିଁ । ଏହା ‘ଗେଞ୍ଜସାହି’ ନାଁଆଟି କୁଆଡ଼ୁ କିପରି ଆସିଲା, କାହା ମୁହଁରୁ ଆଗ ବାହାରିଲା, ସେ କଥା ଅନୁସନ୍ଧାନ କରି ଜାଣିବା ଆଜି ଏକ ପ୍ରକାର ଅସମ୍ଭବ । କିନ୍ତୁ କେହି ଯେକୌଣସି ମତଲବ ରଖି ଏଭଳି ନାମକରଣ କରିଥିଲେ, ସେଥିରେ ତ ଆଦୌ ବିଶ୍ୱାସ ହୁଏ ନାହିଁ । ଯେ ବିଲ ବାଡ଼ ହୁଡ଼ା ପୋଖରୀର ନାମକରଣ ହୋଇଥାଏ; ସେଗୁଡ଼ିକୁ ଚିହ୍ନଟ କରିବା ପାଇଁ—ଏହା ସେମ‌୍‌ତି ଗୋଟିଏ ନାମ ଛଡ଼ା ଆଉ କିଛି ହୋଇ ନ ପାରେ । ଆଚ୍ଛା, କହିଲ ଦେଖି, ତମରି ସାହୀର ଲୋକତ ପୁଣି ଏ ଗାଁଆରେ ସବୁଠାରୁ ବଡ଼ ମୁଖିଆ ମାମଲତ୍‌କାର ଥିଲେ ?

 

ତା’ କିଏ ନାହିଁ କଲା କି ? ଆମର ଜଣେ ଗୋସାଁପ ତ ପୁଣି ନିଜ ଜାଇଁଙ୍କ ଦୁର୍ବ୍ୟବହାରରେ ଉତ୍ୟକ୍ତ ହୋଇ ନଡ଼ିଆ ଗଛରେ ତାଙ୍କୁ ବାନ୍ଧବାଡ଼େଇ ଥିଲେ—ଆଉ ଜଣେ ଯୁବକ ଆଗେଇ ଆସି କହିଲେ, କିନ୍ତୁ ଆଜିଯାକେ କ’ଣ ସେ କାଳ ପଖାଳ ରହିଛି କି ? ଏହି ପରା ଆମ ଗାଁ ପାଖେ ତାଙ୍କର ଏଡ଼େ ଖାନଦାନି ଘର । ଦଶହଳ ବଳଦର ଚାଷ । ହେଲେ କ’ଣ ହେବ । ଏମ‌୍‌ତି ଅବୁଝାମଣା ଲୋକ ଯେ, ପୁଣି ଏଡ଼େ ଅଭିମାନୀ ଯେ ଘର ଭିତରେ ତିନି ତିନିଟା ଭଉଣିଙ୍କୁ ଅବିହାଡ଼ି ରଖି ବୁଢ଼ୀ କଲେ ପଛେ ବିଭା ଦେଲେ ନାହିଁ । କାରଣ ହେଲା କଣ ନା—ଆମେ କାହାରି ‘ଶଳା’ ହେବୁଁ ନାହିଁ । ଆମ ଗାଁଆରେ ବି ସେ ଅହଂକାର, ନିଜେ ବଡ଼ ବୋଲାଇବା ପାଇଁ ଅନ୍ୟକୁ ଛୋଟ କରିବା ନୀତି ଚାଲିଛି ।

 

 

ଗାଁ ଦାଣ୍ଡରେ ବିଜୁଳି ଖୁମ୍ବ ପୋତାଯାଇ ଡାହାଣୀ ଚିରିଗୁଣୀ ପଲେଇଲେ । କିନ୍ତୁ ମଣିଷ ମନ ଭିତରେ ହିଂସା ଦ୍ୱେଷ ରୂପେ ଯେଉଁ ଭୂତପ୍ରେତ—ଡାହାଣୀ ଚିରିଗୁଣୀ ବସାବାନ୍ଧି ରହି ଆସିଛନ୍ତି, ସତେ କେବେ ସେମାନେ ବିଦାୟ ହୋଇ ଯାଇ ପାରବେ ? ସେ ଦିନ ରଜ ପର୍ବରେ ଜଣେ ମକଦମ ନରହରିକୁ ଯେମ‌୍‌ତି ଚାପୁଡ଼ା ମାରି ଗାଲ ଫୁଲାଇ ଦେଇ ଥିଲେ, ଆଜି ଗାଁଆର ଖେଳ ପଡ଼ିଆରେ କୌଣସି ଦର୍ଶକ ହୁଏତ ସେଭଳି ଦୁଃସାହସ କରିବେ ନାହିଁ । ଯଦିବା ସହର ବଜାରରେ ଖୁବ୍ ଆଧୁନିକ ଉନ୍ନତ ଶିକ୍ଷିତ ସମାଜର କ୍ରୀଡ଼ା ବ୍ୟାୟାମ କ୍ଷେତ୍ରରେ ମଧ୍ୟ ଏହାଠାରୁ ବଳି କଦର୍ଯ୍ୟ ବ୍ୟବହାର ତ ଏଯୁଗରେ ସୁଦ୍ଧା ଦେଖା ଦେଇଥାଏ !

 

ସେଇ କକେଇ ଜଣକ ନରହରିକୁ ମାରିବା ସମୟରେ ଗାଁଆରେ ବୋଧହୁଏ ବାପା ଓ ଭାଇନା ଥାନ୍ତି । ଭାଇନା ନୂଆ ଓକିଲ, କଲିକତାରୁ ପାସ କରି ପୁରୀରେ ଓକିଲାତି ଆରମ୍ଭ କରିଛନ୍ତି-। ନରହରି ପକ୍ଷ ଲୋକ ଆସି ଭାଇନାଙ୍କୁ ମତାଇ ଦେଲେ। ନରହରି ଯାଇ ଥାନାରେ ଏତଲା ଦିଏ । ବାପା ଭାଇନା ସେଇ ଗତିରେ ବୋଧହୁଏ ପୁରୀ ବାହାରି ଯାନ୍ତି । କିନ୍ତୁ କେବଳ ନରହରି ମକଦ୍ଦମାରେ ସବୁ ଶେଷ ହେଲା ନାହିଁ । କାର୍ତ୍ତିକ ସାହୁ ନାମକ ଜଣେ ପ୍ରଜାକୁ ସେହି କକେଇ ଶିଖାଇ ଥାନାରେ ଆଉ ଗୋଟାଏ ପୂରା ମିଛ ଏତଲା ଦିଆଇ ଦେଲେ ଯେ, ବାପାଙ୍କ ହୁକୁମରେ ମଧ୍ୟ କାର୍ତ୍ତିକ ସାହୁକୁ ମାଡ଼ ମରା ହୋଇଛି ! କାହିଁକି ସାହୁ ଥାନାରେ ଏତଲା ଦେବାକୁ ବାହାରିବାରୁ ସେ ଘଟଣାକୁ ମିଛ ପ୍ରମାଣ କରିବାପାଇଁ ଆଗରୁ ନରହରିକୁ ଖେଳ ପଡ଼ିଆରେ ମାଡ଼ ହୋଇଥିବାର ଏକ ମିଥ୍ୟା ଏତଲା ଦିଆଯାଇଛି ମାତ୍ର !

 

ପୁଲିସ ଦୁଇଟି ଯାକ ମକଦ୍ଦମାକୁ ପୁରୀ ପଠାଇଦେଲେ । ସତଟା ମିଛ କି ମିଛଟା ସତହେବ, ସେ ବିଷୟରେ ବାପା ତାଙ୍କ ମୁକ୍ତାରି ବ୍ୟବସାୟରେ ଅନେକ ଅଭିଜ୍ଞତା ଅର୍ଜନ କରିସାରି ଥିଲେ । ତେଣୁ ଏକ୍ଷଣି ଉକ୍ତ ବ୍ୟବସାୟ ଛାଡ଼ି ସାରି ପୁଣି ମୁଦେଇ ମୁଦାଲା ଆସାମୀ ହୋଇ କାଠଗଡ଼ା ଭିତରେ ଠିଆ ହେବାକୁ ସେ ରାଜି ହେଲେ ନାହିଁ । ଯୋଗୀ କକେଇଙ୍କ ବଡ଼ ଭାଇ ଲୋକନାଥ କକେଇ ଓ ତାଙ୍କ ପକ୍ଷର ଅନ୍ୟମାନେ ଆମ ପୁରୀ ବସାକୁ ଆସି ଓ ନାନା ଯୁକ୍ତିତର୍କ ଆଲୋଚନା କରି ଦୁଇଟି ଯାକ ମକଦ୍ଦମାକୁ ଉଭୟ ପକ୍ଷ ରାଜି ନାମାରେ କଚେରିରେ ଦରଖାସ୍ତ କରି ଉଠାଇ ଆଣିଥିଲେ ।

 

ସେହି ସମୟରୁ ଯେମ‌୍‌ତି ଗାଁ ଭିତରେ ଦୁଇଟି ଦଳ ହୋଇ ମଝିରେ ମଝିରେ ମୁଣ୍ଡଫଟା, ଦାନ୍ତଭଙ୍ଗା, ଖୁଣି, ଚୋରି, ପୁଣି ଜମି ସଂକ୍ରାନ୍ତ ମକଦ୍ଦମାମାନ ଚାଲିଲା । ମଝିରେ ମଝିରେ ବାଲିପାଟଣା ଥାନା ପୁଲିସଙ୍କ ତଦନ୍ତ ଓ ଅଠାନ୍ତର ଡାକ୍ତରଖାନାରୁ ଡାକ୍ତର ସାର୍ଟିଫିକେଟମାନ ଆଣି ପୁରୀ କଚେରିକୁ ଧାଁ ଧପଡ଼ ବେଶ ଚାଲିଲା । ବାପାଙ୍କ ମୂକ୍ତାରି କିମ୍ବା ଭାଇନାଙ୍କ ଓକିଲାତି ଯେ ଏଥିପାଇଁ କେବଳ ଦାୟୀ, ତାହା କଦାପି ନୁହେ । ଗାଁ ଭିତରେ ମକଦମମାନଙ୍କ ରାଜୁତି ଯେମ‌୍‌ତି ଅବାଧରେ ଆଗରୁ ଚଳି ଆସୁଥିଲା, ତହିଁରେ ମଧ୍ୟ ଏହା ଏକ ବ୍ୟତିକ୍ରମ ଆଣିଲା । ଖଜଣା ନାଲିସ, କରଜ ଟଙ୍କା ନାଲିସ ଆଗରୁ ତ ବରାବର ଧାରାବାହିକ ଭାବରେ ଚାଲୁଥାଏ । ତା’ ଛଡ଼ା ମକଦ୍ଦମଙ୍କ ଘରୋଇ ବିଚାର ଅଦାଲତରେ ଯେଉଁ ସବୁ ପିଆଦା ପାଉଣା ଓ ଜୋରିମାନା ଆଦାୟ ହୁଏ, ତାହାର ପରିମାଣ ଗ୍ରାମ ପଞ୍ଚାୟତ ଶାସନରେ ମଧ୍ୟ ଏବେ ଆହୁରି ବଢ଼ିଲା କି କମିଲା, ସେ ସବୁ ହିସାବ ଭିତରେ ପଶିବା କଷ୍ଟକର ।

 

ମୋଟା ମୋଟି ମାମଲାବାଜ-ମକଦ୍ଦମମାନଙ୍କ ଆୟ ଓ ଅତ୍ୟାଚାର ବଢ଼ିଲା, ବରଂ କମିଲା ନାହିଁ । ତାହାର କାରଣ ଖୋଜି ସ୍ଥିର କରିବା କଷ୍ଟକର । କେଉଁ ବୃଦ୍ଧି, କେଉଁ ବସ୍ତୁର ବା କେଉଁ ବିଦ୍ୟା ବଳରେ ସେ ଥୋକାଏ ଧନୀମାଲିକ ଓ ଅନ୍ୟମାନେ ଶ୍ରମିକ ମୂଲିଆ ହୋଇ ପୁରୁଷ ପୁରୁଷ ଧରି କାଳ କଟାନ୍ତି । କୋଡ଼ିଏ ବର୍ଷର ସ୍ଵାଧୀନତା ପରେ ମଧ୍ୟ ଯାହାର ପରିବର୍ତ୍ତନ ଏତେ ମନ୍ଥର ଓ ଏତେ ଶିଥିଳ ଯେ, ଆଜି ଦେଶୀୟ ରାଜତ୍ୱ ଲୋପ ପାଇ ଜମିଦାର ଓ ମକଦ୍ଦମି ସ୍ୱତ୍ୱ ଉଠି ଯାଇଥିଲେ ବି ମନ ଭିତରେ ମଣିଷ ସେଇ ରଜାପ୍ରଜା ଜମିଦାର ମକଦ୍ଦମ ଓ ରୟତର ଫରକଟାକୁ ପାଶୋରି ଦେବାକୁ ନାରାଜ । ବହୁ ଶତାବ୍ଦୀର ସେଇ ଅଭ୍ୟାସ ନ ଛାଡ଼ିବା ପର୍ଯ୍ୟନ୍ତ ଭାରତର ରାଜନୀତି ଓ ଅର୍ଥନୀତିକୁ କେବଳ ଅନ୍ୟଦେଶର ଛାଞ୍ଚରେ ଓ ବିଦେଶୀ ସାହାଯ୍ୟରେ ତ କଦାପି ଉନ୍ନତି କରାଯାଇ ନ ପାରେ ।

 

‘ଦିଲ୍ଲୀଶ୍ଵରୋ ବା ଜଗଦୀଶ୍ଵରୋବା’ ବୋଲି ଭାରତ ବର୍ଷର ଯେଉଁ ପଣ୍ଡିତ ସର୍ବପ୍ରଥମେ ଉଚ୍ଚାରଣ କରନ୍ତି, ସେ ନିଶ୍ଚୟ ଏହି ଉପ-ମହାଦେଶଟିର ସୁଦୂର ଅତୀତ ଭବିଷ୍ୟତ ଓ ଉପସ୍ଥିତ ବର୍ତ୍ତମାନ କାଳରେ ବ୍ୟାକରଣ ସୂତ୍ର ଆୟତ୍ତ କରି ପୁଣି ଆୟୁର୍ବେଦ ଓ ଜ୍ୟୋତିଃ ଶାସ୍ତ୍ରରୁ ତାହାର ନାଡ଼ି ନକ୍ଷତ୍ର ଆବିଷ୍କାର କରି ସାରିଥିଲେ । ଅର୍ଥାତ୍ ତାଙ୍କ ହିସାବ କିତାବରେ ସେ ବୁଝି ପାରିଥିଲେ ଯେ ଭାରତବର୍ଷର ଭଗବାନ ହେଉଛନ୍ତି ତା’ର ଶାସକ । ମନ୍ତ୍ର ତାଙ୍କର ଅପରିମେୟ, କ୍ଷମତା ତାଙ୍କର ଅଖଣ୍ଡ । ତାଙ୍କ କାର୍ଯ୍ୟ ଓ ବିଧିବିଧାନକୁ ପ୍ରଶ୍ନ କରିବାକୁ ପ୍ରଶ୍ନ ନାହିଁ । ତାଙ୍କୁ ଭୁଲ୍ ଭ୍ରାନ୍ତି ଯେଉଁ ପରିମାଣରେ ସ୍ଵୀକାର୍ଯ୍ୟ, ସେଇ ପରିମାଣରେ ଗ୍ରହଣୀୟ ।

 

କେଉଁ ସୁଦୂର ଅତୀତରେ ସେ ଦିଲ୍ଲୀ ସିଂହାସନରେ ରାଜମୁକୁଟ ରାଜଦଣ୍ଡ ଶୋଭିତ ହୋଇ ଶୋଭା ପାଉଥିଲେ । ଆଜି କିନ୍ତୁ ବିଂଶଶତକ ଅତିକ୍ରାନ୍ତ ହେବାକୁ ଗଲାବେଳେ ତାଙ୍କର ସୁମହାନ ପ୍ରେତାତ୍ମା ହିଁ ପ୍ରତ୍ୟେକ ଭାରତବାସୀ ପ୍ରାଣରେ ବିରାଜମାନ କରୁଛନ୍ତି । କେବଳ ଦିଲ୍ଲୀ, ଲକ୍ଷେ, ବମ୍ବେ, ଅହମ୍ମଦାବାଦ, କଲିକତା, ଗୌହାଟି, ଭୁବନେଶ୍ଵର ବା ମାନ୍ଦ୍ରାଜ, ହାଇଦ୍ରାବାଦ, ତ୍ରୀବାନ୍ଦ୍ରାମ ମହୀଶୂର, ଚଣ୍ଡୀଗଡ଼ ଆଦି ନୂଆ ପୁରୁଣା ରାଜଧାନୀମାନଙ୍କରେ ନୁହେଁ—ପ୍ରତି ଗାଁରେ ଘରେ ଘରେ ସେଇ ପ୍ରେତାତ୍ମା-ଗ୍ରାସରୁ ଦେଶକୁ ମୁକୁଳେଇବା ପାଇଁ ଗୁଣି-ଗାରଡ଼ିର ତ ଅଭାବ ନାହିଁ କି ଉପାୟ ଉଦ୍ଭାବନରେ ବିରାମ ନାହିଁ !

 

କଂଗ୍ରେସ ନେତୃତ୍ୱରେ ଦେଶକୁ ବିଦେଶୀ କବଳରୁ ମୁକ୍ତ କରାଗଲା । କଂଗ୍ରେସର ମିଶ୍ରିତ ରାଜନୈତିକ ଆଦର୍ଶ ଫଳରେ ପ୍ରତିଷ୍ଠିତ ହେଲା ଏକ ସଂବିଧାନ ସମ୍ମତ ଗଣତନ୍ତ୍ର ଶାସନ । ସମ୍ପ୍ରଦାୟ ପନ୍ଥୀ ଜନସଂଘଠାରୁ ଆରମ୍ଭ କରି ବୈପ୍ଲବିକ ପନ୍ଥୀ କମ୍ୟୁନିଷ୍ଟ ପର୍ଯ୍ୟନ୍ତ ଏହି ଗଣତନ୍ତ୍ରରେ ସ୍ଥାନ ହାସଲ କଲେ । ଯେଉଁ ରାଜାମାନଙ୍କୁ ଅତ୍ୟାଚାର ବୋଲି ଲୋକେ ବିଦାୟ ଦେଇଥିଲେ, ସେମାନଙ୍କ ପ୍ରତି ପୁଣି ତାଙ୍କର ସ୍ନେହ ସହାନୁଭୂତି ଢଳିଲା । ସେଇମାନଙ୍କୁ ପୁଣି ଭୋଟ ଦେଇ ଶାସନ ଗାଦିକୁ ତଥାକଥିତ ଅତ୍ୟାଚାର ପ୍ରଜାକୁଳ ଡାକିଆଣି ବସାଇଲେ ।

 

ରାଜନୀତି ଯେ କଳା ସାହିତ୍ୟ ନୁହେ, ତହିଁରେ ଯେ ଭାବପ୍ରବଣତାର ସ୍ଥାନ ନାହିଁ, ମାତ୍ର ତାହା ଯେ ଗୋଟାଏ ଅତି ବାସ୍ତବ ବିଜ୍ଞାନ—ଏ କଥାଟି ଭାରତବର୍ଷରେ ଅନ୍ତତଃ ଅପ୍ରମାଣିତ ହୋଇଛି, ଆଉ କେଉଁ ଦେଶରେ ପଛେ ନ ହେଉ । ଭାରତ ମାଟିର ଖଣ୍ଡେ ଛୋଟିଆ ଟେଳା ହେଲା ଆମ ଗାଁ ମାଟି; ତେଣୁ ତାହା ସେହି ସାଧାରଣ ନିୟମରୁ ଆଦୌ ପଛରେ ପଡ଼ିନାହିଁ ।

 

ଅତି ଅଳ୍ପ ବୟସରୁ ଏ ସବୁ ଘଟଣା ମୋ ମନକୁ ଆଲୋଡ଼ିତ କରି ପକାଏ । ଅବଶ୍ୟ ଏହାର କୌଣସି ପ୍ରତିକାର ମୋରି ଦ୍ୱାରା କିପରି ହୋଇ ପାରିବ, ତାହା ବିଚାରି ମୁଁ ଥଳ କୂଳ ପାଏ ନାହିଁ । ଓକିଲାତି ? ବଡ଼ ଚାକିରୀ ? କଣ କଲେ ? ଆଉ ଯେବେ ଏ ସବୁ ଅନ୍ୟାୟ ବିରୁଦ୍ଧରେ ଖାଲି ଲେଖେଁ ? କୌଣସି ପ୍ରଶ୍ନର ଠିକଣା ଉତ୍ତର ପାଇବା ତ ମୋ ପକ୍ଷରେ ଏକ ପ୍ରକାର ଅସମ୍ଭବ ହୋଇ ଉଠେ ।

 

ହିସାବ କିତାବ

 

ହସ-ଖୁସି ଖେଳ କୌତୁକ ଭିତରେ ପୁଣି ସବୁକଥା ପାସୋର ଯାଏ । ଆଜି ମଧ୍ୟ ହସଖୁସି ଖେଳ କୌତୁକର ରୁପରେଖ ପୂରାପୂରି ବଦଳି ଗଲେ ବି ଗଲା କାଲି କଥା ଆଜିକି ମନେ ରହୁନାହିଁ । ପିଲା ସମୟରୁ ଆଜି କେତେ ଅଜଣା କଥା ଜଣା ଗଲାଣି । କେତେ ସମସ୍ୟାର ସମାଧାନ ସହଜ ହୋଇ ପଡ଼ିଲାଣି । କେତେ ମିଛ ସତ ଓଲଟପାଲଟ ହେଲାଣି ।

 

ଶହେ ଦେଢ଼ ଶହ ପରିବାରଙ୍କର ସେହି ସାନ ଗାଁଆଟିର ବହୁ ଦୁର୍ନାମ ସଙ୍ଗେ କିଛି ସୁନାମ ମଧ୍ୟ ଯୋଡ଼ା ହେଲାଣି । ତଥାପି ଜଣକ ସ୍ଵାର୍ଥକୁ ଆଉ ଜଣେ ଆତ୍ମସାତ୍ କରିବା, ସାଧାରଣ ସମ୍ପତ୍ତିକୁ ନିଜର କରିନେବା କିମ୍ବା ଗାଁ ଭିତରେ ଦୋଫାଙ୍କ ଅମେଳ ଭିଆଇବାର ଅଭ୍ୟାସ ଆଜି ସୁଦ୍ଧା ବନ୍ଦ ହେଲାନାହିଁ । ସେଥିସଙ୍ଗେ ବନ୍ଦ ହେଲାନାହିଁ ଯାନିଯାତ, ଦିଅଁ ଦେଉଳ, ସନ୍ଧ୍ୟାବେଳେ ପୁରାଣ ପାଠ ଏକାଠି କେତେ ଜଣ ବସି ।

 

କେବଳ ଗୋଟିଏ କଥା ବନ୍ଦ ହୋଇଛି କିମ୍ବା ଅନେକ ପରିମାଣରେ କମି ଯାଇଛି—ଲୋଡ଼ା ହେଲା ଅନ୍ୟକୁ କଦର୍ଯ୍ୟ କୁଭାଷାରେ କୁତ୍ସିତ ଗାଳି ଦେବା ଅଥବା ପ୍ରହାର କରିବା ଅତି ନିଷ୍ଠୁର ଭାବରେ । ପ୍ରଥମଟିର କାରଣ ହେଲା, ଶିକ୍ଷା ପ୍ରଭାବରୁ ମାର୍ଜିତ ଭାଷାର ପ୍ରତିପତ୍ତି’ ଦ୍ୱିତୀୟଟିର କାରଣ ଅନଧିକାର ଚର୍ଚ୍ଚାକଲେ ପ୍ରତିପକ୍ଷଠାରୁ ସେଇ ଭଳି, ବ୍ୟବହାରର ଆଶଙ୍କା ।

 

ସେକାଳରେ କିନ୍ତୁ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଥିଲା ଗୋଟାଏ ସାଧାରଣ ବିଷୟ । ତାହା ଖାଲି ଧନୀର ଦରିଦ୍ର ଉପରେ କିମ୍ବା ପଣ୍ଡିତର ମୂର୍ଖ ଉପରେ, ଓ ସାହୁକାର ଜମିଦାରଙ୍କର ଖାତକ ପ୍ରଜା ଉପରେ, ମାଲିକର ମୂଲିଆ ଉପରେ ନିର୍ବିଚାର ଅତ୍ୟାଚାରରେ ଆବଦ୍ଧ-। ଘରେ ଘରେ, ପରିବାର ଭିତରେ, ସ୍ୱାମୀର ସ୍ତ୍ରୀ ଉପରେ ପୁଣି ପିତାର ପୁତ୍ର ଉପରେ ଶାସନ ଅତ୍ୟାଚାର ରୂପେ ଦେଖା ଦେଉଥିଲା ।

 

ଭାଇ ଭାଇ ଭିତରେ ଭିନ୍ନ ହେଲାବେଳେ ମଧ୍ୟ ଯେଉଁ ତୁମୂଳ କାଣ୍ଡମାନ ଘଟିଯାଏ, ପୁଣି ପରସ୍ପର ପ୍ରତି ଯେଉଁ ଭାଷାର ସମ୍ବୋଧନ ଉଚ୍ଚାରିତ ହୁଏ ତାହା ଶୁଣିଲେ ନଶ୍ଚିତ ଧାରଣା ଜନ୍ମେ ଯେ, ଦୁଇ ଭାଇଙ୍କର କଦାପି ଜଣେ ବାପ ଗୋଟିଏ ମାଆ ଓ ଏକା ଭଉଣୀ ହୋଇ ନ ଥିବେ । ମଝିରେ ମଝିରେ ସେ ସବୁ ପୈତୃକ ଅଭ୍ୟାସର ଲକ୍ଷଣମାନ ପ୍ରକାଶ ପାଉଥିଲେ ହେଁ ଆଜି ତାହା ଅନେକ ପରିମାଣରେ ଉଣା ପଡ଼ିଚି ବୋଲି ମୋର ଅନୁମାନ ।

 

ନିଜ ଘର ଭିତରେ ଓ ଗାଁ ଭିତରେ ମୁଲିଆ ଶ୍ରମିକ ଶ୍ରେଣୀର ପୁଣି ଧନୀ ଲୋକଙ୍କର ଦୁର୍ବଳ ନିର୍ଦ୍ଧନ ଲୋକଙ୍କ ପ୍ରତି ଦୁର୍ଭାଶା ଓ ଦୁର୍ବ୍ୟବହାର ଏକ ପ୍ରକାର ସାଧାରଣ ଚାଲିଚଳଣିରେ ପରିଣତ ହୋଇ ପଡ଼ିଥାଏ । କାହାକୁ ଅନ୍ୟାୟ ଆଦେଶ, କାହାକୁ ଧମକ ଚମକ, ଭୟ ପ୍ରଦର୍ଶନ, କାହାକୁ ଫାଁକି ଆଉ କାହାକୁ ପରିହାସ କରି ସେ ଗାଆଁର ଲୋକେ ଆପଣା ପୌଢ଼ୀ ଦେଖାଇବାକୁ ଆଗଭର । ପିଲାଏ ମଧ୍ୟ ବଡ଼ମାନଙ୍କଠାରୁ ସବୁ ପ୍ରକାର ବ୍ୟବହାର ଶିଖିଯିବା ଖୁବ୍ ସହଜ ।

 

ଅବସ୍ଥା ଶେଷକୁ ଏମ‌୍‌ତି ଉପୁଜିଲା ଯେ, ବାହାର ଗାଁରୁ ଆମ ଦାଣ୍ଡରେ ଚାଲିଯିବାପାଇଁ ଲୋକମାନଙ୍କୁ ସାହସ ବାନ୍ଧିବାକୁ ପଡ଼ିଲା । ଆମ ଗାଁରୁ ଭୁବନେଶ୍ୱର ଯିବା ରାସ୍ତାରେ ତିନି ଚାରି ମାଇଲ୍ ଦୂରରେ ପଡ଼େ ବିଖ୍ୟାତ ବାଳକାଟି ଗାଁଟି । ଗାଁ ମୁଣ୍ଡ ସଡ଼କ ଉପରେ ନୀତି ଅନେକ ଲୋକ ଯା’ନ୍ତି ସେଠାକୁ । ଯେ ଯୁଆଡ଼େ ଯାନ୍ତି, ତାଙ୍କ ଗନ୍ତବ୍ୟ ସ୍ଥାନ ପଚାରିବାଟା ଆମ ଗ୍ରାମବାସୀଙ୍କର ଏକ କୁଅଭ୍ୟାସ କିମ୍ବା ସୁ ଅଭ୍ୟାସ; କାରଣ ଅପରିଚିତ ପଥିକ ସହିତ ପରିଚିତ ହେବା ପୁଣି ଦୁଃଖ ସୁଖ ହେବାଟା ବରଂ ସୌଜନ୍ୟ ପ୍ରଦର୍ଶନ ଓ ବନ୍ଧୁତା ପ୍ରତିଷ୍ଠାର ଲକ୍ଷଣ ବୋଲି କେହି କେହି ମନେକରନ୍ତି ।

 

ରୋଜ ସକାଳ ସନ୍ଧ୍ୟାରେ ଗାଁଆର ପିଲା ବୁଢ଼ା ଅନେକେ ଆସି ରୁଣ୍ଡ ହୁଅନ୍ତି ଏଇ ସଡ଼କ ଉପରେ । ଏଇଠୁ ପରିସ୍କାର ଦେଖାଯାଏ ଗାଁ-ଗହିର ଧାନ କିଆରି । କେଉଁ କିଆରିରେ ଗୋରୁ ପଶିଲେ କି ଲୋକ ପଶିଲେ, ତାହା ମଧ୍ୟ ବାରିହୁଏ ଦୂରରୁ । ଏହି ସଡ଼କ ଯାଇଛି ପଶ୍ଚିମରେ ଶିଶୋଲ, ପୁରଣ, ବୁଦ୍ଧିପଡ଼ା ଓ ବାଳକାଟି ଗାଁ । ଭିତରେ ଆଉ ପୂର୍ବପଟେ ଗାରଡ଼ି ପଞ୍ଚାନନ, ଅଠାନ୍ତର, ବନମାଳୀପୁର ଆଡ଼େ । ବନମାଳୀପୁର ଓ ବାଳକାଟି ଦୁଇଟା ବଡ଼ ବ୍ୟବସାୟ ପେଣ୍ଠ । ବୋଝେଇ ଶଗଡ଼ରେ ମାଲ ପତ୍ର ମଧ୍ୟ ଏହିବାଟେ ବୁହାଚାଲେ । ବନମାଳୀପୁର ଆଗକୁ କୁଶଭଦ୍ରା ପାରି ହୋଇ ପ୍ରାଚୀ ନଈ କୂଳରେ ମାଘ ଅମାବାସ୍ୟାରେ ତ୍ରିବେଣୀ ଯାତ୍ରା । ବାଳକାଟି ଆଗକୁ ଦୟା ଭାର୍ଗବୀର ଜନ୍ମସ୍ଥାନ ପାରହୋଇ ଲିଙ୍ଗରାଜ ମନ୍ଦିର, ପୁଣି ଭୁବନେଶ୍ୱର ଆଠ ମାଇଲ ତଫାତ୍‍ରେ । ଗାଁଆର ଅଧିକାଂଶ ଲୋକଙ୍କ ପୃଥିବୀ ପ୍ରାୟ ଏଇ ଅକ୍ଷ ଭିତରେ ହିଁ ବୁଲୁଥାଏ ।

 

କାନ୍ଧରେ ସାନ ବୁଜୁଳାଟିଏ ବାନ୍ଧି କେଉଁ ବାଟୋଇ ଆସି ସଡ଼କ ପାଖ ଆମ୍ବଗଛ ମୂଳେ ହୁଏତ ଟିକିଏ ଦମ୍ଭ ନେଲେ । ରୁଣ୍ଡ ହୋଇଥିବା ଟୋକାଙ୍କ ଭିତରୁ ଜଣେ କିଏ ଗମ୍ଭୀର ହୋଇ ପଚାରି ବସିଲେ—“କୁଆଡ଼େ ଯାଉଛ କି ମାଲିକେ ।”

 

କୌଣସି କାମରେ ଅନୁକୁଳ କଲାବେଳେ ଗନ୍ତବ୍ୟ ସ୍ଥାନର ନାମ ପଚାରିବାଟା ଠିକ୍ ନୁହେଁ-। ସେଥିରେ ଟିକିଏ ବିରକ୍ତ ହୋଇ ପଥିକ ସଂକ୍ଷେପରେ ଉତ୍ତର ଦିଅନ୍ତି—“ବାଳକାଟି ।”

 

ଆଉ ଜଣେ ଯୁବକ ବାହାରି ପଡ଼ି ସାବଧାନ କରିଦିଅନ୍ତି—“ଖବରଦାର ! ସବୁତକ କାଟିବ ନାହିଁ ଟି । କେରିଏ ଅଳ୍ପ କରି ଯେମ‌୍‌ତି ହେଲେ ଛାଡ଼ିଯିବ ।’’

 

ସମସ୍ତେ ହସି ଉଠନ୍ତି । ବାଟୋଇ ବିଚାରାର ମୁହଁ କେସରା ପଡ଼ିଯାଏ । ସେ ନୀରବରେ ଥରେ ସେମାନଙ୍କ ପ୍ରତି କଟମଟ ଚାହିଁ ତା’ପରେ ରାସ୍ତା ଧରନ୍ତି । ଦ୍ୱିତୀୟ ଥର ହୁଏତ ବାଳକାଟି ଗାଁଆର ନାମଟି ଉଚ୍ଚାରଣ କରିବାକୁ ସେ ସାବଧାନ ହୋଇ ପଡ଼ୁଥିବେ ।

 

ସାଧୁ କକେଇ ଆମ ଗାଁଆର ଜଣେ ପ୍ରଧାନ ସଙ୍ଗୀତଜ୍ଞ । ଗୋଟିପୁଅ ନାଚରେ ସେ ବେହେଲା ବାଦକ । କଣ୍ଠ-ସଙ୍ଗୀତରେ କୋକିଳ । ସେମ‌୍‌ତି ପରିହାସ ପ୍ରିୟ ମଧ୍ୟ । ଶୀତ ସନ୍ଧ୍ୟାର ଅନ୍ଧାରରେ ସେ ଏକୁଟିଆ ଗାଁ ଦାଣ୍ଡରେ ଚାଲିଛନ୍ତି । ନିଜ ଦାଣ୍ଡ ପିଣ୍ଡାରେ ମୋର ବଡ଼ମାମୁଁ ବିଶ୍ୱନାଥ “ତୁନି ହୋଇ ବସି ପଚାରିଲେ, କିଏ ଯିବାର ?”

 

“ମୁଁ ସାଧୁ”, ଉତ୍ତର ହେଲା ।

 

“ତେବେ କ’ଣ ଏ ଗାଁଆର ଆଉ ସବୁ ଶଳାଯାକ ଚୋର !”

 

ଟିପ୍‌ପଣୀ ଶୁଣି ସାଧୁ ନୀରବରେ ବାହାରିଗଲେ । କଥାଟି କିନ୍ତୁ ପରେ ହୋଇପଡ଼ିଲା ପ୍ରଧାନ ହସର ସାମଗ୍ରୀ ।

 

ସୁନିଆଁ ପର୍ବରେ ଗାଆଁ ମକଦ୍ଦମମାନେ ଦୁର୍ଗାଠାକୁରାଣୀ ବେଢ଼ାରେ ସବୁ ବର୍ଷ ଭଳି ରୁଣ୍ଡ ହୋଇଛନ୍ତି । ପ୍ରଜାମାନେ ଆଣି ଯମା କରୁଛନ୍ତି ସାଲତମାମୀ ଭେଟି । ଦୁର୍ଗାଠାକୁରାଣୀଙ୍କ ପିଣ୍ଡାରେ ଲେଖନ ତାଳପତ୍ର ଧରି ଦେଉଳ କରଣ ଲେଖିଚାଲିଛନ୍ତି ଭେଟି ତାରକା । କମାର ଦେଉଛି ଛୁରୀ କଟୁରୀ ଗୁଆକାତି ଲୁହାଖଡ଼ିକା; ବଢ଼େଇ ଆଣିଛି ହଳଦୀ-କାଠୁଆ, ମସଲାଦାନି; କୁମ୍ଭାର ରଖୁଛି ହାଣ୍ଡି, ତେଲୁଣୀ, ଠେକି, ଘଡ଼ି ସରା ମାଠିଆ ଇତ୍ୟାଦି ଇତ୍ୟାଦି ।

 

ଦିଅଁଙ୍କ ଆଳତି ଘଣ୍ଟା ବଜାଇ ସାରି ସେବକ ଆଣି ସବୁ ମକଦ୍ଦମଙ୍କ ମୁହଁ ପାଖରେ ଆଳତୀ ଧୂଆଁ ସେବା କରାଇ ଦେଇଗଲେ । ତା’ପରେ ଆଣିଲେ ଫୁଲ ବେଲପତ୍ର ପାଦୁକ । ଶେଷରେ ଆସିଲା କୋରା, ଉଖୁଡ଼ା, କଦଳୀ ଭୋଗ । ଆଳତୀ ଧୂଆଁ ଓ ଫୁଲ, ବେଲପତ୍ର, ପାଦୁକ ପାଣି ସେବା କରିସାରି ଯେମ‌୍‌ତି ଅବା ଏଇ ଭୋଗ ଆଶାରେ ଅପେକ୍ଷା କରି ରହିଥିଲେ ! ସୁଦର୍ଶନ ମକଦ୍ଦମ ସବୁରି ମନ ଜାଣିଲା ପରି ସବୁରି ଆଗକୁ ଯାଇ ସେ କହି ପକାଇଲେ, ବାଃ, ବାଃ, ଖାସାଜିନିଷ ! ୟାରୀ ନାଁ ଯେ ଭୋଗ !

 

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ହସି ଉଠନ୍ତି ସମସ୍ତେ ।

 

ତା’ପରେ ଚାଲିଲା ମକଦ୍ଦମମାନଙ୍କ ଭିତରେ ପହଞ୍ଚି ଥିବା ଭେଟି ସାମଗ୍ରୀର ବଣ୍ଟରା । ‘ଭେଟି’ ଓ ‘ବେଠି’ ଦୁଇଟି ଓଡ଼ିଆ ଶବ୍ଦ ଭିତରେ ଯେମ‌୍‌ତି ଉଚ୍ଚାରଣଗତ ପୁଣି ଅକ୍ଷରଗତ ସାମାନ୍ୟ ଫରକ; ଅର୍ଥଗତ ଫରକ ପ୍ରାୟ ସେମ‌୍‌ତି । ‘ଭେଟି’ ମୂଳରେ ସ୍ଵେଚ୍ଛାକୃତ ଅର୍ଥ ନିହିତ, ଆଉ. ‘ବେଠି’ ମୂଳରେ ଯବରଦସ୍ତି, ଅଲବତ୍ । ମାତ୍ର ସେଇ ସ୍ଵେଚ୍ଛାକୃତ କଥାଟି ଯବରଦସ୍ତିଠାରୁ କୌଣସି ଗୁଣରେ ଊଣା ନୁହେ ବୋଲି ପ୍ରମାଣମାନ ରହିଛି ।

 

ସୁନିଆଁ ‘ଭେଟି’ ନ ଦେଲେ ଜୋରିମାନା, ଗାଳି ଫଜ୍ଜତି ଓ ଶେଷରେ ପ୍ରହାର ପର୍ଯ୍ୟନ୍ତ ଚାଲେ । ରାଜା ଜମିଦାରଙ୍କ ଦୁଆରକୁ ଭାର ଭାର ଆଳୁ କଦଳୀ କୋରା ମିଠେଇରେ ଦାଣ୍ଡ ଚମକି ଉଠେ । ମକଦ୍ଦମଙ୍କ ଧନ କ୍ଷମତା ଅନୁପାତରେ ଯାହା କିଛି ଆସେ, ଷୋଳପଣି ମାହାଲର ପଣ ଗଣ୍ଡା କଡ଼ାକ୍ରାନ୍ତି ହିସାବରେ ପ୍ରତି ମକଦ୍ଦମଙ୍କପାଇଁ ତାହା ବଣ୍ଟରା ହୁଏ । ଜଣେ ଜଣେ ମକଦ୍ଦମଙ୍କ କିସ୍‌ମତ୍ ହିସାବ କରି ତାଙ୍କର ଉଚିତ ଅଂଶ ତାଙ୍କୁ ଦେବାର ବିଧି ରହିଛି ।

 

କଡ଼ାକ୍ରାନ୍ତି ହିସାବ କଲାବେଳେ ଗୋଟାଏ ଲେଖାଁ ମାଟିହାଣ୍ଡି, ପଲମ କିମ୍ବା ଘଡ଼ି ସରାକୁ ଦୁଇ ତିନି ଖଣ୍ଡ କରି ଭାଙ୍ଗିବାକୁ ପଡ଼େ । ସେଇ ଖପରା ଖଣ୍ଡମାନ ଧରି ସେମାନେ ବେଶ ଉତ୍‍ଫୁଲ୍ଲ ଅହଂକାରରେ ନିଜ ନିଜ ଘରକୁ ବାହୁଡ଼ନ୍ତି । କେଉଁ ପ୍ରଜା ହୁଏ ତ ତା’ର ସାଲତମାମୀ ବେଠି ଆଣି ପହଞ୍ଚି ନାହିଁ । ମକଦ୍ଦମଙ୍କ ହୁକୁମ, ତାକୁ ତଲବ କରିଧରି ଆଣିବାକୁ । ସେ ବିଚାରା ଆସି କାକୁସ୍ଥ ହୋଇ କର ଯୋଡ଼ି ଜଣା କରେ ତା’ର ଅପରାଧ ମାର୍ଜନା ପାଇଁ । ତହୁଁ ତା ଉପରେ ବର୍ଷିତ ହୁଏ କଡ଼ାକ୍ରାନ୍ତିରୁ ଆରମ୍ଭ କରି ପଣିକିଆ ମକଦ୍ଦମଙ୍କ ସହିତ ରୁଣ୍ଡ ହୋଇଥିବା ପ୍ରଜାପାଟମାନଙ୍କର ସୁଦ୍ଧା ଅକଥ୍ୟ ଗାଳି—

 

ବର୍ଷକ ଭିତରେ ଗୋଟିଏ ଦିନ ସୁନିଆ ପର୍ବ । ତୁ ଶୋଇଛୁ ଘର ଭିତରେ । ତୋର ପୁଣି ଏଡ଼େ ଦିମାକ୍ ।

 

ଶୋଇନି ହଜୁର, ମୋ ଗାଈଟା ପଘା ଛିଣ୍ଡାଇ ଅମୁକ ମକଦ୍ଦମଙ୍କ ଧାନ କିଆରିରେ ପଶିଥିଲା । ତା’ରି ପଛରେ ଗୋଡ଼ାଉଁ ଗୋଡ଼ାଉଁ—

 

ଅମୁକ ମକଦ୍ଦମ ତାଙ୍କ ଅଂଶରେ ସୁନିଆ ଭେଟିରୁ ପଡ଼ିଥିବା ଖଣ୍ଡେ ଭଙ୍ଗା ସରା ହାତରେ ଧରି ମହା ରାଗରେ ଚାହିଁକି ଆସନ୍ତି–

 

ଏଁ—! କ’ଣ କହିଲୁ ?—ମୋ କିଆରିରେ—!

 

ଆରେ ବାବୁ ! ଆରେ ଟିକିଏ ସତାର କର ଭଲା ।

 

ମାରଣା ଷଣ୍ଢ ଭଳି ସେଇ ମକଦ୍ଦମ ନାକ ଫୁଲାଇ ସଁ ସଁ ନିଃଶ୍ୱାସ ମାରି ଟିକିଏ ସ୍ଥିର ହୁଅନ୍ତି । ତା’ପରେ ମୁଖିଆ ମକଦ୍ଦମଙ୍କର ହୁକୁମ ହୁଏ—

 

ବୁଝିଲୁ ହାଡ଼ିଆ, ତୁ ଆଜି ସୁନିଆଁ ଭେଟି ଦାଖଲ କରିନୁ । ତତେ ଜୋରିମାନା ଦେବାକୁ ପଡ଼ିବ ।

 

ମୋ କିଆରିରେ ସେ ଗାଈ ପୂରେଇଛି । ଖିତି ପୂରଣ ଦାଖଲ କରୁ, ଶହେ ଟଙ୍କାରୁ ଟିପେ ଛାଡ଼ିବି ନି, କହି ଦଉଚି,

 

ହଁ !—ଗର୍ଜି ଉଠନ୍ତି ସେଇ ମକଦ୍ଦମ ।

 

ଆରେ ବାବୁ ! ଆରେ ଟିକିଏ ଥୟ ଧ’ ଭଲା !

 

ଥୟ ଧରିବି କକେଇ । ମୋ ଧାନ କିଆରି ସେ ଉଜାଡ଼ି ଦେଲାଣି, ଏ ବର୍ଷ ମୋର ନୂଆଖିଆ ବନ୍ଦ । ତାକୁ ପୁଣି ମୁଁ ଛାଡ଼ି ଦେବି ? ଶହେ ଟଙ୍କାରୁ ଏକ ଛଦାମ ଉଣା ହେବନି । ଆଗରୁ ସେ କଥା କହି ଦଉଚି, ହିଁ ! ତା’ଉପରେ ତମେ ଯେତେ ଜୋରିମାନା ଆଦାୟ କରୁଛ କର । ସ୍ଵର ତାଙ୍କର ପଞ୍ଚମକୁ ଉଠିଯାଏ ।

 

କି ହୋ ଚକ୍ରଧର ! କେତେ ଜୋରିମାନା କହୁ ନ । ତୁନି ହୋଇ ବସିଚ କାହିଁକି ସମସ୍ତେ ।

 

ପିଲା ବୁଢ଼ା ସବୁ ମକଦ୍ଦମଙ୍କ ଭିତରେ ଟିକିଏ ଚାଞ୍ଚଲ୍ୟ ଖେଳିଯାଏ । ଚିମୁଟା ଚିମୁଟି ଆଖି ମିଟିକା ଚପାହସ ଭିତରେ ଚକ୍ରଧର ଆରମ୍ଭ କରନ୍ତି—

 

ସେ ତ ତା’ର କ୍ଷତି ପୂରଣ ବାବଦ୍ ଶହେ ଟଙ୍କା ଦାବୀ କଲାଣି; ଆମେ ଆଉ କେତେ ଟଙ୍କା ଜରିମାନା କରିବା । ପଚାଶଟା ଟଙ୍କା ଦେଉ । ଗରିବ ଲୋକ, କଣ ସେ ଦେଇ ପାରିବ ।

 

ହାଡ଼ିଆ ତା’ର ଦେହ ଗୋଟାକର ଶିରାପ୍ରଶିରା ହାଡ଼ମାଳ ଲୁଚାଇ ତା’ ଉପରେ ପିନ୍ଧଥାଏ ଗୋଟାଏ ଶୁଖିଲା ଧୂସୁରା ଚମ । କାଖରେ ଖଣ୍ଡେ ସରୁ ପାଞ୍ଚଣ ଜାକି ଠିଆ ହୋଇଥାଏ ହାତ ଯୋଡ଼ି ଜଳ ଜଳ ଚାହିଁ ।

 

ତା’ ହେଲେ ବିଲଉଜୁଡ଼ା କ୍ଷତି ପୂରଣ ଶହେ, ଆମ ଜୋରିମାନା ପଚାଶ, ଏମ‌୍‌ତି ହେଲା ଗାଏମୋଟ ଦେଢ଼ ଶହ ଟଙ୍କା । ବୁଝିଲୁ ହାଡ଼ିଆ ?

 

ନାହିଁ ଆଜ୍ଞା ! ହାଡ଼ିଆ ଜବାବ ଦିଏ ।

 

ଦେଢ଼ଶ କେତେ, ହାଡ଼ିଆ କଣ ବୁଝି ପାରିବ—ଚକ୍ରଧର ବୁଝାଇ ଦିଅନ୍ତି—ବୁଝିଲୁ ହାଡ଼ିଆ, ଶହକ ହେଲା ପାଞ୍ଚ କୋଡ଼ି, ବାକି ପଚାଶ ହେଲା ଅଢ଼େଇ କୋଡ଼ି; ଏମ‌୍‌ତି ଗାଏମୋଟ ସାତ କୋଡ଼ି ଅଧେ ।

 

ଏଁ ! ସାତ କୋଡ଼ି ।

 

ହାଡ଼ିଆର ଦୁଇଟା ଯାକ ହାତ ତା’ର ମୁଣ୍ଡ ଉପରକୁ ଉଠିଯାଏ । ଯେମ‌୍‌ତି କିଏ ସାତକୋଡ଼ି ନଡ଼ିଆ ବୋଝ ତା’ ମୁଣ୍ଡ ଉପରେ ହଠାତ୍. ଆଣି ଲଦି ଦେଲା କି ସେଇ ବୋଝଟାକୁ ଟେକି ଧରିବାକୁ ସେ ଅବା ହାତ ଉଠାଇଛି ଉପରକୁ ! ତା’ ପରେ ସେ ବସି ପଡ଼ି କହେ—

ହଜୁର ମରିଯିବି । ମୋର ଗୋରୁ ଗାଈ ଘରଡ଼ିହ ବିକିଲେ ଭଲା ସାତ କୋଡ଼ି ମୋତେ କିଏ ଦିଅନ୍ତା !

 

ଆରେ ହଁ, ଦେବେନି କାହିଁକି । ଆମରି ଗାଁଆରେ କଣ ଦେବାବାଲା ନାହାନ୍ତି ନା ଦେଉ ନାହାନ୍ତି । ତୁ ତା’ ହେଲେ କେତେ ଦେଇ ପାରିବୁ, କହ ?

 

ନାହିଁ, ହଜୁର ! ମୁଁ ଆଉ ଦେଇ ପାରିବି କଣ ! କଥା ବାହାରେନି ହାଡ଼ିଆ ମୁହଁରୁ, ଥଙ୍ଗେଇ ଥଙ୍ଗେଇ ।

 

କିଛି ଦବୁନି ? ଆଉ କଣ ଖାଲି ମୁହଁ ଦେଖାଇବାକୁ ଆସିଚୁ ? ତୋ ମୁହଁ ଆମେ ଦେଖିନୁ-?

 

କିବେ ତୋ ସୁନିଆ ଭେଟି ଆଣ୍ ‘ଶ’ ‘ଶ’ ପରେ ଅନ୍ୟ ଅକ୍ଷରଟା ଉଚ୍ଚାରିବା ତାଙ୍କର ଲୋଡ଼ା ହୁଏନା । ତହୁଁ ଆଉ ଜଣେ ମକଦ୍ଦମ ଗର୍ଜି ଉଠନ୍ତି—

 

ସେମ‌୍‌ତି କଣ ହଉଚୁ ବେ । ଥୋ ମୋର ଖିତି ପୁରଣ ମଧୁସୂଦନଙ୍କ ଦାଉ ଏଥର ବାହାରେ ସେଇ ମକଦ୍ଦମଙ୍କ ମୁହଁରୁ ।

 

ଆଚ୍ଛା ଆଚ୍ଛା ! ତୋ ବିଲ ଭଲା ତୁ ଦେଖିଚୁ ? ଆଜି ଖାଲି ହାଡ଼ିଆଠାରୁ ଶୁଣି କ୍ଷତିପୂରଣ ଦାବି କରୁଚୁ ନା କଣ ?

 

ତହୁଁ ସେ ମକଦମଙ୍କ ଆଖି ଲାଲ ଧରି ଆସେ ।

 

ତମେ କିଏସ୍ ମତେ କହିବାକୁ ! ତାଙ୍କର ମକଦ୍ଦମିର ପରିମାଣ କଡ଼ାକ୍ରାନ୍ତି ଭିତରେ ରହିଥିଲେ ମଧ୍ୟ ମକଦ୍ଦମର ଅଭିମାନ ଢେର୍ ବେଶୀ ।

 

ହାଡ଼ିଆ ତା’ ପରେ ଦୁର୍ଗାଙ୍କ ବେଢ଼ାରେ ରୁଣ୍ଡ ହୋଇଥିବା ଶହ ଶହ ଲୋକଙ୍କ ସାମ୍ନାରେ ହାତଯୋଡ଼ି ମୁହଁମାଡ଼ି ଶୋଇପଡ଼େ—ହଜୁର ମୋର ବାପ ମା—ମତେ ରକ୍ଷାକର, ନଇଲେ ମରିଗଲି ।

 

ଯାବେ ଶ’—ମରିଗଲି, ରକ୍ଷାକର—ଏତେବେଳକୁ ଛଟା ଗାଳୁଛି । ଜଣେ ମକଦ୍ଦମ ଟିପ୍‌ପଣୀ କରନ୍ତି ।

 

ଦବୁନି କ’ଣ, ତୋ ଘରେ କ’ଣ କିଛି ନାହିଁ । ଖାଲି ତ ଗାଈ ତିନିଟା ବିକି ଦେଲେ ଶହେଟଙ୍କା ।

 

ହାଡ଼ିଆ ସେମ‌୍‌ତି ତଳେ ମୁହଁମାଡ଼ି ପଡ଼ି କହେ, ହଜୁର ତା’ ହେଲେ ମୋ ପିଲା ବାଳକ ...... !

 

ଆବେ ରଖ୍ ତୋ ପିଲା ବାଳକ । ତୋ ପିଲାବାଳକ ମଲେ କେତେ ଥେଲେ କେତେ, ଆଣ ଆଗ ମୋ ଖିତିପୁରଣ ଥୋ, ଚିହ୍ନିଚୁଟି ମତେ, ମୁଁ କିଏ ? ମକଦ୍ଦମଙ୍କ ସେଇ ପାଟି ଗାଁ କମ୍ପାଇ ଦିଏ ।

 

ଗୋଟିଏ ଘଣ୍ଟା ହାଡ଼ିଆ ସେମ‌୍‌ତି ମୁହଁମାଡ଼ି ପଡ଼ିରହେ । ଜରିମାନା ପରିମାଣ ପାଞ୍ଚ ପଚିଶ ହୋଇ ଦେଢ଼ଶହରୁ ଶହେ ଟଙ୍କାକୁ, ଶହେରୁ ପଚାଶ, ପଚାଶରୁ ପଚିଶ ଓ ପଚିଶରୁ ପାଞ୍ଚଟଙ୍କାକୁ କମିଆସେ । ତଥାପି ହାଡ଼ିଆ ମାଟିକାମୁଡ଼ି ପଡ଼ିରହେ ।

 

କ’ଣ ପାଞ୍ଚଟଙ୍କା ବି ଦବୁନି ?

 

ହଜୁର ମରିଯିବି । ମୋର ପାଞ୍ଚଟା ପିଲାବାଳକ । ଭୁଜା ମୁଠାଏ ବି ପାଉନାହାନ୍ତି ।

 

ବଡ଼ ମକଦ୍ଦମଙ୍କ ହୃଦୟରେ ଦୟା ବସେ, ଛଞ୍ଚାଣ ଆସି ପାରା ପାଖରେ ବସିଲା ଭଳି । ଜରିମାନାର ପରିମାଣ ଆହୁରି କମିବାକୁ ଆରମ୍ଭ କରେ । ପାଞ୍ଚ ଟଙ୍କାରେ ଥକା ମାରିଥାଏ, ଏବେ ଖସିଆସି ପହୁଞ୍ଚେ ପାଞ୍ଚ ସିଉକାରେ । ଶେଷକୁ ପାଞ୍ଚଅଣା । ନାହିଁ ନାହିଁ ଅଣାଏ ! ! ତେବେ ସୁଦ୍ଧା ହାଡ଼ିଆ ତଳୁ ମୁଣ୍ଡ ଉଠାଏ ନି । କ’ଣ ହେଲା ! ଅଣାଏବି ତୁ ଦେବୁନି !

 

ତେବେ କ’ଣ ତୁ ଗାଁଯାକ ସବୁ ମକଦ୍ଦମଙ୍କୁ ଅପମାନ କରିବାକୁ ଆସିଚୁ ?

 

ହଜୁର ମୁଁ କି ଛାର,ହଜୁରଙ୍କ ହାତରେ ମଶାଟାଏ ପରି—ମୁଁ ପୁଣି ଅପମାନ ଦେବାକୁ ମୁଣ୍ଡ-? ହଜୁର ଏଡ଼େ କଥା କହୁଛନ୍ତି— ସେମ‌୍‌ତି ମୁହଁ ତଳେମାଡ଼ି ହାଡ଼ିଆ ନିଊନ ହୋଇ ଜଣାଏ ।

 

ଆଉ ତେବେ କ’ଣ ଦବୁ କହ—ମହା ବିରକ୍ତ ହୋଇ ବଡ଼ ମକଦ୍ଦମ ପଚାରନ୍ତି ।

 

ହଜୁର ! ମୁଁ ଅଣାଏ ଦେବି କୁଆଡ଼ୁ ? ମୁଁ କିଏ, ଅଣାଏ କିଏ—ଦେଇ ପାରିବି ନି ଆଜ୍ଞା,ଏଇ ଏତିକି ପଇସା ! ଅଣ୍ଟାରୁ ଚାରିଟା ତମ୍ବା ପଇସା କାଢ଼ି ହାଡ଼ିଆ ନେଇ ଥରି ଥରି ସା’ନ୍ତଙ୍କ ପାଖରେ ଥୋଇଦିଏ । ତା’ପରେ ହାତ ଯୋଡ଼ି ସେ ବସି ରହେ । ଦେହଯାକ ତା’ର ଧୂଳିଲାଗି ବିଭୁତିବୋଳା ବାବାଜୀଙ୍କ ଭଳି ।

 

ହଉ ଯା, ସେଇ ଚାରିପାଇସା ପଛେ ହେଲା । ଅଣାଏ ତତେ ଛାଡ଼ି ଦିଆଗଲା—ଚକ୍ରଧର ମକଦ୍ଦମଙ୍କ ଚକ୍ର ଟ୍ଟିପ୍‌ପଣୀ !

 

ପ୍ରଜାପାଟକ କିଏ ନଡ଼ିଆ କଡ଼ାଏ, କିଏ ଉଖୁଡ଼ା ମୁଠାଏ ଧରି ଘରକୁ ବାହୁଡ଼ନ୍ତି । ମକଦ୍ଦମମାନେ ହାଣ୍ଡି ସରା କଟୁରୀ ଗୁଆକାତି ଅବା ନୂଆ ଲେଖନ ଧରି ହାଡ଼ିଆର ଜୋରିମାନା ଗପକରି ଯେଝା ଘରକୁ ହସି ହସି ଫେରନ୍ତି । ସେହିମାନଙ୍କ ହାସ୍ୟ ପରିହାସ ରାଗରୋଷ ଭିତରେ ବାଲ୍ୟ ଜୀବନ ମୋର ବଢ଼ିଉଠେ । ସେହିମାନଙ୍କ ଗାଳି ଫଜ୍ଜତିର ଭାଷା ମଧ୍ୟ ମୋ ମୁଖରେ ମଧ୍ୟେ ମଧ୍ୟେ ସ୍ଥାନ ପାଏ, ଆଜି ଯେଉଁ ଭାଷାର ଉଚ୍ଚାରଣ ମୋ ପକ୍ଷରେ ଅସମ୍ଭବ । ପୁଣି ସେଇ ବେଷ୍ଟନୀ ଭିତରେ ହିଁ ଆରମ୍ଭ ହୁଏ ମୋର ସର୍ବ ପ୍ରଥମ ଅକ୍ଷର ଶିକ୍ଷା, ଭାଷା ଶିକ୍ଷା, ସେଇ ଦୁର୍ଗାଠାରୁଣୀଙ୍କ ବେଢ଼ା ଭିତରେ ଥିବା ଇସ୍କୁଲ ଘରଟିରେ ।

 

Unknown

ବ୍ରହ୍ମା ବିଷ୍ଣୁ ମହେଶ୍ୱର

 

ବାପାଙ୍କ ଅମଳରେ ଯେଉଁ ମାଟି ବଂଶ ଅବଧାନଙ୍କଠାରୁ ପ୍ରାଥମିକ ଶିକ୍ଷା ପାଇବା ବ୍ୟବସ୍ଥା ଥିଲା, ଆମବେଳକୁ ତାହା ବଦଳି ଗଲାଣି । ତାଳପତ୍ର ଖେଦା ସ୍ଥାନରେ ଛାପା ବହି ଚଳିଲାଣି । ଲେଖନ ବଦଳରେ ପରକଲମ ଓ ସ୍ୟାହି । ଦାଣ୍ଡପିଣ୍ଡାରେ ବସୁଥିବା ଚାହାଳୀ ଯାଇ ଦୁର୍ଗାଙ୍କ ବେଢ଼ାରେ ଖଣ୍ଡେ ଚାଳଘରେ ଇସ୍କୁଲ ନାମଟା ଘେନି ବସୁଥାଏ ।

 

ଛାଇ ଛାଇଆ ମନେପଡ଼େ, ସେଇ ଇସ୍କୁଲକୁ ଦିନେ ବାପାଙ୍କ ସଙ୍ଗେ ଯାଇଥିଲି । ଶିକ୍ଷକ ମୁଣ୍ଡାଏ ଧଳାଖଡ଼ି ମୋ ହାତରେ ଦେଇ ତଳେ ତିନିଟା ବଡ଼ ବଡ଼ ‘ଠ’ ଅକ୍ଷର ଲେଖିଦେଲେ । ତା’ ପରେ ମୋର ହାତ ଉପରେ ନିଜର ଟାଣୁଆ ହାତଟା ରଖି କହିଲେ, “ଘୋଷ୍‍ ଏ ଥର ମୋ ସାଥିରେ—ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ।”

 

ଯନ୍ତ୍ରଚାଳିତ ପରି ସେହି ତିନିଟି ଶବ୍ଦ ମୁଁ ଘୋଷିବାକୁ ଲାଗିଲି । ‘ଠ’ ଗୁଡ଼ାକ ଠିକ୍ ଗୋଲ ଥିଲେ ସୁଦ୍ଧା ମୋ ହାତଟା ସେଇ ଗାର ଉପରେ ନ ଚାଲି ବଙ୍କା ଢଙ୍କା ହୋଇ ପଡ଼ୁଥାଏ । ସେତେବେଳେ ମାଷ୍ଟ୍ରଙ୍କ ଟାଣୁଆ ହାତଟା ମୋ ହାତ ଉପରେ । ଆଙ୍ଗୁଠିଗୁଡ଼ାକ ମାଟିରେ ଘଷି ହୋଇ ଭାରି କାଟୁଥାଏ । ଇଚ୍ଛା ହେଉଥାଏ ଉଠି ପଳାଇବାକୁ । ସେତେବେଳକୁ ବାପା ମତେ ଛାଡ଼ି ଦେଇ ଇସ୍କୁଲରୁ ବାହାରି ଗଲେଣି । ଆଙ୍ଗୁଠିଗୁଡ଼ାକ ଛିଡ଼ିଯାଇ ସତେ ଅବା ରକ୍ତ ବାହାରିବ କି !

 

ସାଙ୍ଗପିଲାମାନେ କିଏ ପାଟି କରି କିଏ ତୁନି ହୋଇ ପଢ଼ାରେ ମନ ଦେଇଥାନ୍ତି । ଆଉ କିଏ, କୁତୁହଳୀ ହୋଇ ମୋର ବ୍ରହ୍ମା ବିଷ୍ଣୁ, ମହେଶ୍ୱରଙ୍କ ଆଡ଼କୁ ଟିକିଏ ଚୋରା ଚାହାଣି ମାଷ୍ଟରଙ୍କ ଭୟରେ ସଶବ୍ଦରେ ନିଜ ପାଠ ମୁଖସ୍ଥ କରିବାରେ ବ୍ୟସ୍ତ । ମନଟା ମୋର ଛଟପଟ ହେଉଥାଏ-ଆଜି ଏ ନୂଆ ବନ୍ଧନରୁ ଟିକିଏ ମୁକ୍ତି ପାଇବା ପାଇଁ ।
 

ଆଜି ମଧ୍ୟ ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ କାଳ ପରେ ସେଇ ଅନୁଭୂତିକୁ ଫାଉଣ୍ଟେନ୍‍ପେନ୍ ଧରି ଲେଖିଲା ବେଳେ ମୋର ହାତ ଉପରେ ପ୍ରଥମ ଅକ୍ଷର-ଶିକ୍ଷକଙ୍କର ସେଇ କର୍କଶ ପାପୁଲିଟା ଯେମ‌୍‌ତି ନିର୍ମମଭାବରେ ଶିଖାଇ ଲାଗିଛି, ରୁପହୀନ ନିରାକାର ତିନିଟା ଶୂନ୍ୟ—ବ୍ରହ୍ମା, ବିଷ୍ଣୁ, ମହେଶ୍ୱର !

 

ଆଜି ମଧ୍ୟ କଲମ ଛାଡ଼ି ଘର ଛାଡ଼ି ପାଠଶାଠ ଛାଡ଼ି କୁଆଡ଼େ କେଜାଣି ପଳାଇ ଯିବାକୁ ମନ ମୋର ବ୍ୟାକୁଳ । ଅଥଚ ସେଇ ଅଦୃଶ୍ୟ ଓଜନଦାର କର୍କଶ ପାପୁଲିଟାହିଁ ହାତଟାକୁ ମୋର ଘୋଷାରି ନେଇ ପୁଣି ଯେମ‌୍‌ତି ଘୋଷାଉଛି—ବ୍ରହ୍ମା, ବିଷ୍ଣୁ, ମହେଶ୍ୱର—ସୃଷ୍ଟି, ସ୍ଥିତି, ପ୍ରଳୟ —ସବୁ ଖାଲି ଗୋଟିଏ ଶୂନ୍—ସବୁ ପାଠ ସବୁ ଶାସ୍ତ୍ର, ସବୁ ଭାଷା, ସବୁ ଭାଷ୍ୟ, ସବୁ ଜ୍ଞାନ, ସବୁ ବିଜ୍ଞାନ !

 

ଆଜି ମଧ୍ୟ ଏତେ ଜଞ୍ଜାଳ ଯୋଡ଼ିସାରି—ପୁଅ ଝିଅ ନାତି ନାତୁଣୀ ଘର ଦ୍ଵାର ଟଙ୍କା ପଇସାର ଜମାଖର୍ଚ୍ଚ କରିସାରି—ଖୋଷାମୋଦ, ତୋଷାମୋଦ, ପ୍ରଭୁତ୍ୱ, ଦାସତ୍ୱ, ସାହସ, ଭୟ, କାପୁରୁଷତା, ବୀରତ୍ୱ, ଦାକ୍ଷିଣ୍ୟ କାର୍ପଣ୍ୟ, ଦୟା, କ୍ରୋଧ ବା ପ୍ରେମ ଓ ଘୃଣାର ବହୁ ଅଭିନୟ ନିଜେ କରି କିମ୍ବା ଅନ୍ୟଠାରୁ ଦେଖିସାରି ସୁଦ୍ଧା ସେଇ ମୋର ପ୍ରଥମ ଶିକ୍ଷକ ହାତଟାକୁ ଯେମ‌୍‌ତି ଆଜି ବି ମୋର ଘୋଷାରି ନିଅନ୍ତି—ଆଉ ଥରେ ସେଇ ତିନିଟା ଶୁନ୍ୟ ଶିଖାଇବାକୁ, ଯହିଁରୁ ଉତ୍ପତ୍ତି ସୃଷ୍ଟି ସ୍ଥିତି ପ୍ରଳୟର । ଓଡ଼ିଆ ଅକ୍ଷରର ଗୋଲାକୃତି ଯୋଗୁଁ ଏହି ‘ଠ’ରୁ ହିଁ ବିଦ୍ୟା ଶିକ୍ଷାର ଆରମ୍ଭ କି କ’ଣ, ତାହା ଲିପିବିଦ୍ ବିଶେଷଜ୍ଞମାନଙ୍କ ବିଚାରବିଷୟ । ମୋତେ କିନ୍ତୁ କିଛି ଦିନ ପାଇଁ ଏହାକୁ ଅଭ୍ୟାସ କରିବାକୁ ପଡ଼ିଥିଲା । ତା’ପରେ ‘ଅ’ ‘ଆ’ ‘କ’ ‘ଖ’ ଇତ୍ୟାଦି । ଅନେକ ବର୍ଷ ପରେ ସେଇ ଚିତ୍ର ମନେ ପକାଇ ପିଲାଙ୍କ ପାଇଁ ଲେଖିଥିଲି “ଗ୍ରାମଚାଟଶାଳୀ’’ କବିତା ।

 

ଗ୍ରାମ-ଚାଟଶାଳୀ

 

ମନେ ଅଛି ମୋର            ଗ୍ରାମ-ଚାଟଶାଳୀ

ଚିହ୍ନିଥିଲି ଯହିଁ ଅକ୍ଷର ଆଗେ,

ସରୁ ଦାଣ୍ଡ କଡ଼େ            ଚାଳ ଘର ଖଣ୍ଡି

ଯାଇଥିଲି ଦିନେ ବାପାଙ୍କ ସାଙ୍ଗେ ।

ଡାକି ନେଇ ପାଶେ       ବସାଇଲେ ଗୁରୁ

ପଚାରିଲେ ନାମ ଆଦର କରି,

ତିନିଗୋଟି ଶୂନ୍ୟ            ଲେଖିଦେଲେ ତଳେ

ଖଡ଼ିମୁଣ୍ଡା ଏକ ହାତରେ ଧରି ।

ତାହାରି ଉପରେ       ବୁଲାଇଲି ଖଡ଼ି

‘ଅ’ ‘ଆ’ ‘କ’ ‘ଖ’ ଶିଖିଲି ପାଠ,

ଭଲ ଗୁଣ ଲାଗି ପାଇଲି ପ୍ରଶଂସା

ମନ୍ଦପାଇଁ କେତେ ଖାଇଲି ଛାଟ ।

ପଢ଼ିଲି ସାହିତ୍ୟ, ଅଙ୍କ, ଇତିହାସ,

ଭୁଗୋଳ, ବିଜ୍ଞାନ ଲାଗେ ନୂତନ,

ଜାଣିବାକୁ ବେଶୀ ଜାଗିଲା ଉତ୍ସାହ

ଶିଖିବାକୁ ବେଶୀ ବଳିଲା ମନ।

ପଢ଼ିବାକୁ ଯେତେ ପାଉଥିଲି ସୁଖ,

ପରୀକ୍ଷା ଲାଗିଲା ସେତିକି ମନ୍ଦ,

ସବୁଠାରୁ ବେଶୀ ସୁଖ ଲାଗିଥିଲା

ସେ ଦିନର ସାଥି ଖେଳ ଆନନ୍ଦ ।

ସୁଖ ଲାଗିଥିଲା ବସନ୍ତ ପଞ୍ଚମୀ

ହରିତାଳିକାର ପୂଜା ଉତ୍ସବ,

ଗ୍ରାମ-ଚାଟଶାଳୀ      ଗୁରୁ ସହପାଠୀ

ଥିଲେ ସେ ମୋହର ବଡ଼ ବିଭବ ।

ଗ୍ରୀଷମ ଖରାରେ ବୁଡ଼ିଥିଲି କେତେ

‘ପ୍ରଧାନ, ପୋଖରୀ’ ଭିତରେ ଯାଇ,

କେତେ କାହିଁ ବୁଲି ତୋଟା ବଗିଚାରେ

ଜାମୁ, ବରକୋଳି ଆସିଛି ଖାଇ ।

ଶୀତ ସକାଳରେ ଚାହାଳୀ ଦୁଆରେ

ଖରାତଳେ ବସି କଷିଛି ଅଙ୍କ,

ବଷା ସଞ୍ଜରେ ଫେରିଛି ଘରକୁ

ଗାଆଁ ଦାଣ୍ଡେ ମାଡ଼ି କାଦୁଅ ପଙ୍କ ।

ଗୁରୁ ସହପାଠୀ            କେ ଗଲେଣି କାହିଁ

ଗୋଟି ଗୋଟି ତାହା ପଡ଼ୁଛି ମନେ;

ହସିଥିଲି କେଉଁ            ବିଲ ପାହାଡ଼ରେ

କାନ୍ଦିଥିଲି ଆମ୍ବ ପୁଲାଙ୍ଗ ବନେ ।

ମନ୍ଦିର ସମାନ            ଗ୍ରାମ-ଚାଟଶାଳୀ

ସବୁ ସ୍ମୃତି ପରେ ଟେକିଛି ମଥା,

ଶିଖିଥିଲି ଯହିଁ            ପ୍ରଥମ ଅକ୍ଷର

ପଢ଼ିଥିଲି ଯହିଁ ପ୍ରଥମ କଥା !

 

ଶିକ୍ଷକ ଥାନ୍ତି ଆମରି ଗ୍ରାମର ଅଲାଭାଇନା ଓରଫ ଅଲେଖଚନ୍ଦ୍ର ଶତ୍‌ପଥୀ । ସେଇ ମୋର ନିକଟ ସମ୍ପର୍କୀୟ ଭିଣୋଇ ! ପଢ଼ାଇବାରେ ଯେମ‌୍‌ତି ଧୁରନ୍ଧର, ଦୁଷ୍ଟ ପିଲାଙ୍କୁ ଶାସନ କରିବାରେ ବି ସେମ‌୍‌ତି ଦୁର୍ଦ୍ଦାନ୍ତ । ମୋର କକେଇ ଦାଶରଥିଙ୍କର ସେ ବଡ଼ଜ୍ୱାଇଁ । ତେଣୁ କି କ’ଣ, ମୋ ପ୍ରତି ତାଙ୍କର ଟିକିଏ ମୂଲାହିଜା ଥାଏ । ମୋର ମଧ୍ୟ ତାଙ୍କ ପ୍ରତି ସମ୍ଭ୍ରମ ଥାଏ ସେମ‌୍‌ତି । ପାସୋରୀ ବେକରେ ବନ୍‌ସି କଣ୍ଟା ଲଗାଇ ସେ ଦିନ ମୁଁ ଅନିଚ୍ଛାକୃତ ଯେଉଁ ନରହତ୍ୟା ଅପରାଧ କରିବାକୁ ଯାଉଥିଲି, ସେଥିରୁ ମୋତେ ସେ ଉଦ୍ଧାରକରି ସୁଦ୍ଧା କୌଣସି ଦଣ୍ଡ ଦେଇ ନଥିଲେ । ଆକଟ କରି କହି ନ ଥିଲେ ପଦେ ହେଲେ ! ସେଇ ଘଟଣାରୁ ହିଁ ମୋ ପ୍ରତି ତାଙ୍କର ଟିକିଏ ପକ୍ଷପାତିତା ମୁଁ ଅନୁଭବ କରିଥିଲି । ତାଙ୍କ ଭଳି ନିଷ୍ଠୁର ନିର୍ମମ ଶିକ୍ଷକ ଯେ ଏତେ ଦୂର ସହନଶୀଳ ଓ କ୍ଷମାଶୀଳ ହୋଇ ପାରନ୍ତି, ତାହାର କାରଣ ମୁଁ ବୁଝିବାକୁ ସେତେବେଳେ ଅକ୍ଷମ ଥାଏଁ ।

 

ଅନ୍ୟ ଛାତ୍ରମାନଙ୍କ ଉପରେ ତାଙ୍କର ନିର୍ମମ ବ୍ୟବହାର ଦ୍ୱାରା ବୀରିମାଡ଼ ଦେଖି କୋଳଥ ଚେପା ହେଲାଭଳି ମଧ୍ୟ ମୁଁ ଶଙ୍କିଯାଇଥାଏଁ । ତାଙ୍କ ଅସମ୍ଭବ କ୍ରୋଧ ପଛରେ ଆଉ ଗୋଟିଏ କାରଣ ଥିଲାବୋଲି ମନେହୁଏ । ତାହା ତାଙ୍କର ଦୈହିକ ଓ ମାନସିକ ବ୍ୟାଧି । ଦେଖିବାକୁ ସୁନ୍ଦର ହୃଷ୍ଟପୁଷ୍ଟ ହେଲେହେଁ ଏଇ ବ୍ୟାଧି ଯୋଗୁଁ ସେ ଅତ୍ୟନ୍ତ କ୍ଷଣକ୍ରୋଧୀ ଥିଲେ । କୌଣସି ପ୍ରକାର ପରିହାସ ସହ୍ୟ କରିବା ତାଙ୍କ ପକ୍ଷରେ ଏକ ପ୍ରକାର ଅସମ୍ଭବ ଥିଲା । ତାଙ୍କ ଘର ସାମ୍‌ନାରେ ଅଲେଖ କକେଇଙ୍କ ଘର । ଦୁହେଁ ପ୍ରାୟ ସମବୟସୀ ଓ ଦୁହିଙ୍କ ନାମ ଅଲେଖ ।

 

ବୀର କକେଇ ତାଙ୍କ ସମ୍ପର୍କରେ ଶ୍ୱଶୁର; କିନ୍ତୁ ବଡ଼ ପରିହାସପ୍ରିୟ । ଅଲେଖ କକେଇ ବୀର କକେଇଙ୍କୁ ପଚାରନ୍ତି, କି ହୋ ବୀର ଭାଇନା, ତୁମେ ଅଲେଖ ମାଷ୍ଟରଙ୍କର କ’ଣ ହୁଅ ?

 

କାହିଁକି, ତୁମେ କ’ଣ ଜାଣନି ଯେ ପଚାରୁଛ—ମୁଁ ପରା ତାଙ୍କ ଶ୍ୱଶୁର ।

 

ଆଚ୍ଛା, ସେ ତମର କ’ଣ ହୁଅନ୍ତି ?

 

ଗମ୍ଭୀର ହୋଇ ବୀର କକେଇ କହନ୍ତି, ସେ ତ ମୋର ଶଳା ! ଆଉ ଗୋଟିଏ ଦିଗରୁ ମଧ୍ୟ ସେ ସମ୍ପର୍କଟା ଭୁଲ୍ ନୁହେ ।

 

ଅଲେଖ ମାଷ୍ଟର ରାଗରେ ଗର୍ଜିଉଠି ଆପଣାର ଦୁଇ ଗାଲରେ ଦୁଇଟି ସଶବ୍ଦ ଚପେଟାଘାତ କରି ସେଠାରୁ ତତ୍‌କ୍ଷଣାତ୍ ଅନ୍ତର୍ହିତ ହୋଇଯା’ନ୍ତୁ । ତାଙ୍କ ପଛରେ ଉଠେ ଅନ୍ୟମାନଙ୍କର ହାସ୍ୟରୋଳ ।

 

ମଝିରେ ମଝିରେ ତାଙ୍କର ମସ୍ତିଷ୍କବିକୃତି ଘଟେ । ମାରଧର ଭଙ୍ଗାରୁଜା କରିବାକୁ ତାଙ୍କୁ ଘର ଭିତରେ ବନ୍ଦକରି ରଖିଦିଅନ୍ତି । ତାହାରି ଭିତରୁ ତାଙ୍କ ଚିତ୍କାର ଓ ଗାଳିଗୁଲଜ ଶୁଣା ଯାଉଥାଏ-। ସ୍କୁଲ ପିଲାଙ୍କୁ ସେ କେତେ ଦିନ ମଧ୍ୟ ପୂର୍ଣ୍ଣ ସ୍ୱାଧୀନତା ମିଳିଯାଏ । କିଛି ଦିନ ପରେ ସେ ଭଲ ହୋଇ ସାରି ସ୍କୁଲକୁ ଆସିଲେ ପୂର୍ବ ପରି ପିଲାମାନଙ୍କ ଭିତରେ ଶୃଙ୍ଖଳା ଫେରି ଆସେ ।

 

ଆଉ ଥରକ ଘଟଣା । ଖଣ୍ଡଗିରିକୁ ଜଣେ ସାଧୁ ଆସିଥାନ୍ତି । ତାଙ୍କ ପାଖକୁ ଗଲେ ଅନେକ ଦୁଃସାଧ୍ୟ ବେମାରି ଭଲ ହୋଇଯାଏ ବୋଲି ଚାରି ଆଡ଼େ ଲୋକେ କୁହାକୁହି ହେଲେ । ଅଲେଖ ଭାଇନା ମଧ୍ୟ ନିଜ ଚିକତ୍ସା ପାଇଁ ସେଠାକୁ ଯାଇଥାନ୍ତି । ଫେରିଆସି ସାଧୁବାବାଙ୍କ ମହିମା ସେ ଗାଁ ଭିତରେ କହୁଥାନ୍ତି । ଅନେକ ରୋଗୀ କିପରି ଭଲ ହେଉଛନ୍ତି, ସାଧୁବାବା କିପରି ଜଣେ ମହାନ୍ ବ୍ୟକ୍ତି ।

 

ଅଲେଖ କକେଇ ପଚାରିଲେ, କ’ଣ ତାଙ୍କୁ ଦେବାକୁ ପଡ଼େ ?

 

କିଛି ନାହିଁ, ଖାଲି ପୂଜାପାଇଁ କଡ଼ାଏ ନଡ଼ିଆ, ଗୋଟିଏ ଗୁଆ, ଭୋଗେଇଏ ଖଇକୋରା ଆଉ ଚାରିଟି ପଇସା—ଉତ୍ତର ଆସେ ମାଷ୍ଟରଙ୍କ ମୁହଁରୁ ।

 

ତା’ ପରେ ? ଏ ସବୁ ସରଞ୍ଜାମ ଦେଇସାରି ତୁମେ କ’ଣ କଲ ?

 

ସମସ୍ତେ ଯାହା କରନ୍ତି ସେୟା କଲି । ସାଧୁବାବାଙ୍କ ହୁକୁମ ହେଉଛି, ପଛକୁ ନ ଚାହିଁ ଏକ ମୁହାଁ ଘରକୁ ଫେରିଯିବ ।

 

ତା’ ହେଲେ ତୁମେ ଅସଲ କଥାଟା ବୁଝିପାରଲ ନି—ଅଲେଖ କକେଇ ପୁଣି କୌତୁକ କରନ୍ତି,—ଅସଲ କଥାଟା କଣ କି, ତୁମେ ଏକମୁହାଁ କିଛି ବାଟ ଆସି ଯେବେ ପଛକୁ ଲେଉଟି ଚାହିଁଥାନ୍ତି, ତା’ହେଲେ ଦେଖିଥାନ୍ତ, ବାବାଜୀ ପଇସା ଚାରୋଟି ଅଣ୍ଟାରେ ଖୋଷି ନଡ଼ିଆକଡ଼ିକ ଭାଙ୍ଗି କୋରା ଉଖୁଡ଼ା ସଙ୍ଗେ ଜଳଖିଆ କରୁଛନ୍ତି । ତା’ ପରେ ଗୁଆଟିକି କାଟି ପାନଭାଙ୍ଗି ବସିଛନ୍ତି-

 

ଏଁ ? କ’ଣ କହିଲ ?—ଉତ୍ତରକୁ ଅପେକ୍ଷା ନ ରଖି ଅଲେଖ ମାଷ୍ଟର ସେଠାରୁ ବାହାରିଯାନ୍ତି । ସ୍କୁଲପିଲାଙ୍କ ଉପରେ ସେଇ ରାଗଟା ଅଳ୍ପ ବେଶୀ ଶୁଝା ହୋଇଯାଏ ।

 

ଥରେ ସେ ଚୌକିରେ ବସି ପାଠ ପଢ଼ାଉଥାନ୍ତି, ହଠାତ୍ ଚୌକିରୁ କାହିଁକି ଉଠି ଆସିଲେ । ତା’ ପରେ ସେ ଭୀଷଣ ଗର୍ଜନ କରି ଉଠିଲେ; ପୁଣି ମୁହଁ ତାଙ୍କର ଏପରି ଭୟଙ୍କର ଭାବରେ ବିକଟ ବିକୃତ ଦେଖାଗଲା ଯେ, ସବୁପିଲା ସ୍କୁଲ ଘର ଛାଡ଼ି ବାହାରକୁ ପଳାଇ ଆସିଲେ ଚିତ୍କାର କରି ।

 

ପିଲାଙ୍କ ପାଟିରେ ବାହାରୁ ଲୋକମାନେ ଦୌଡ଼ି ଆସି ଦେଖନ୍ତି, ମାଷ୍ଟର ମହାଶୟ ତଳେ ପଡ଼ି ଛାଟିପିଟି ହେଉଛନ୍ତି । ତାଙ୍କୁ ଛିଞ୍ଚା ବିଞ୍ଚା କରି କେତେ ବେଳକୁ ଚେତା ଆସିଲା, ତାହା ମୋର ମନେ ନାହିଁ, କିନ୍ତୁ ପରିଷ୍କାର ମନେ ଅଛି, ଅନେକ ମାସ କି ବର୍ଷ ପର୍ଯ୍ୟନ୍ତ ପ୍ରତି ରାତିରେ ମୁଁ ତାଙ୍କର ସେଇ ଭୟଙ୍କର ବିକଟ ବିକୃତ ମୁହଁକୁ ସ୍ୱପ୍ନରେ ଦେଖେଁ । ଆଉ ସେ ମତେ ଯେମ‌୍‌ତି ସେଇ ମୁହଁରେ ଭକ୍ଷଣ କରିବାକୁ ଆସୁଛନ୍ତି ! ସଙ୍ଗେ ସଙ୍ଗେ ନିଦଟା ମୋର ଭାଙ୍ଗିଯାଏ ।

 

ବୋଉ କି ଆଉ କାହାକୁ କିଛି ମୁଁ କହିପାରେ ନାହିଁ । କାରଣ ମୁଁ ଜାଣେ, ଏହା ସ୍ୱପ୍ନ । ଆଉ କା’ ଆଗେ କହିଲେ ସମସ୍ତେ ହସିବେ ସିନା କେହି ତ କିଛି କରି ପାରିବେ ନାହିଁ; ଅଥଚ ପ୍ରତିଦିନ ଶୋଇବାକୁ ଯିବା ଆଗରୁ ସେଇ ସ୍ଵପ୍ନକଥା ପୁଣି ମନେ ପଡ଼ି ଛାତିଟା ମୋର ଥରି ଉଠେ । ଅବସ୍ଥା ଶେଷକୁ ଏତେ ବାଟ ଗଲା ଯେ ଶୋଇବାକୁ ସୁଦ୍ଧା ମୋତେ ଡର ମାଡ଼ିଲା । ଶୋଇବା ମାତ୍ର ସେ ମୁହଁଟା ଯେମ‌୍‌ତି ବିକଟ ଦାନ୍ତକାଢ଼ି ମାଡ଼ ଆସୁଚି ମୋରି ଆଡ଼କୁ !

 

ତାଙ୍କ ପରେ ଆସିଲେ, ଲୋକନାଥ ମାଷ୍ଟର । ଘର ତାଙ୍କର ପୁରୀ ପାଖ ନରସିଂହପୁର । ଆମରି ଦାଣ୍ଡଦୁଆର ଆଗ ଶ୍ରୀମତି ଗୁଡ଼ିଆଣୀ ଘରୁ ଗୋଟିଏ ବଖରାରେ ସେ ରହୁଥାନ୍ତି । ସାବନ ଅର୍ଥାତ୍ ଈଷତ୍ କଳାରଙ୍ଗର ଦେହ ଉପରେ ତାଙ୍କ ଧୋବ ପଇତା ଜକ ଜକ ଦିଶେ । ଯେମ‌୍‌ତି କୁହାଳିଆ, ସେମ‌୍‌ତି ଛାତ୍ରଙ୍କ ଉପରେ ସାକ୍ଷାତ୍ ଯମ ।

 

ସବୁବେଳେ ସେ ବେତ୍ରହସ୍ତ । କାରଣ ଅକାରଣରେ ତାହା କେତେଟା ପିଲାଙ୍କର ହାତ ଗୋଡ଼ ମୁଣ୍ଡ ପିଠି ସବୁଆଡ଼େ ବୁଲିଆସେ । ସେଥି ସଙ୍ଗେ ଚିତ୍କାର ଉଠେ—‘ମାଷ୍ଟ୍ରେ ମରିଗଲି ! ମରିଗଲି !’ ନୋଳା ଫାଟି ସେଇ ବେତ ମୋଟାରେ ଦେହ ତାଙ୍କର ଫଳିଯାଏ । ସେଥିପାଇଁ ମାଷ୍ଟରଙ୍କୁ ପ୍ରତିକାର ମଧ୍ୟ ଜଣା ଥଲା । ସ୍କୁଲ ଘର ପଛପଟେ ବଡ଼ବଡ଼ ସବୁଜ ପତ୍ର ମେଲି ବଣସାରୁ ଗଛ ଉଠିଥାଏ । ସାରୁପତ୍ରରେ କାକର ଜମି ଢଳ ଢଳ ହେଉଥାଏ । ସେଇ କାକର କିମ୍ବା ସାରୁ ପତ୍ରରେ ପାଣି ଅଣାଇ ଆଘାତ ସ୍ଥାନରେ ମାଲିସ୍ କରାଯାଏ । କେତେଜଣ ଅତି ଡରକୁଳା ପିଲା ଥାନ୍ତି । ମାଷ୍ଟ୍ରେ ତାଙ୍କୁ ଖାଲି ପାଖକୁ ଡାକିଲେ ସେମାନେ ଠିଆହେବା କ୍ଷଣି ଡରରେ ତାଙ୍କର ଲୁଗା ଓଦା ହୋଇଯାଏ । ଲକ୍ଷ୍ମଣ ଥିଲା ତାଙ୍କରି ଭିତରୁ ଜଣେ । ଅଗତ୍ୟା ତାକୁ ସ୍କୁଲ ଛାଡ଼ି ଲୁଗା ଧୋଇ ଆସିବାକୁ ଅନୁମତି ମିଳେ । ସ୍କୁଲ ଛୁଟି ପରେ ଲକ୍ଷ୍ମଣ ହୁଏ ପିଲାଙ୍କ ହାସ ପରିହାସର ଗୋଟିଏ ଜୀବନ୍ତ ଉଦାହରଣ ।

 

ବେତ୍ରାଘାତରୁ ରକ୍ଷା ପାଇବାକୁ ମୁଁ ଅବଶ୍ୟ ଆଗରୁ ଖୁବ୍ ସାବଧାନ ଥାଏଁ । ପାଠରେ କିଛି ଖିଲାପ କଲେ ସିନା ବେତ ବସିବ ! ମାତ୍ର ବେତଟା ତା’ର ଅଧିକାର ବଜାୟ ରଖିବାକୁ ପାଠ ଅପାଠ କିଛି ହେଲେ ମାନେ ନାହିଁ । ଦଣ୍ଡ ଦେବାକୁ ଯେମତି ତା’ର ଜନ୍ମ । ସେତକ ନ କଲେ ସେ ଅକାମି ଅପାରଗ । ଦୁନିଆରେ ଯେ ତା’ର ସ୍ଥାନ ନାହିଁ !

 

ମୋ ଦେହରେ ଦିନେ ବେତ ବସିଲା । ହାତ କି ପିଠି ଚାଉଁକିନା ଜଳି ଉଠିଲା । ଥପ ଥପ ହୋଇ ଆଖିରୁ ପାଣି ଗଡ଼ିପଡ଼ିଲା । ଭୋବନି ଭାଇନାଙ୍କୁ କହିଲି । ଘଟଣାଟାକୁ ସେ ଆଦୌ ଗୁରୁତର ବୋଲି ବିଚାରିଲେ ନି । ବୋଉ ମଧ୍ୟ ଶୁଣି ନ ଶୁଣିଲା ପରି ରହିଲେ । ବାପାଙ୍କ ପାଖକୁ ପୁରୀକୁ ପୋଷ୍ଟକାର୍ଡ଼ ପଠାଇଲି । ସେ ସଙ୍ଗେ ସଙ୍ଗେ ମାଷ୍ଟରଙ୍କ ପାଖକୁ ଲେଖିଲେ । ମାଷ୍ଟ୍ରେ ମୋତେ ଡାକି ବୁଝାଇ ଦେଲେ ସ୍ନେହରେ ମୋର ପିଠି ଆଉଁସି । ସେଥିରେ କିନ୍ତୁ ମୋ ମନଟା ବୁଝିଲାନି ।

 

ଶୂନ୍ ଗାଡ଼ି ସ୍ଵପ୍ନ

 

ସଡ଼କ ଉପର ଜାଗା-ଘରେ ସ୍କୁଲ ହେଉଥାଏ, ଗାଁ-ଭିତର ସ୍କୁଲ ଘରଟି ଭାଙ୍ଗିଯିବାରୁ । ଜାଗା-ଘରଟିକୁ ଗାଁ-ମକଦ୍ଦମମାନେ ଭେଦା ଚାନ୍ଦା କରି ତୋଳାଇଥାନ୍ତି, ନିଜ କାନ୍ଧରେ କାଠ ବାଉଁଶ, ବୋହି ମହାଉତ୍ସାହରେ । ପ୍ରତି ସଂକ୍ରାନ୍ତି ରାତିରେ ଜାଗା-ଘରେ ଭୋଜି ହୁଏ—ଚୁଡ଼ା-ଘଷା, ଗହମଖିରି, କଦଳୀଚକଟା ଓ ଭାଙ୍ଗ-ପାଚକ—ପ୍ରତି ସଂକ୍ରାନ୍ତି ଜଣଜଣକର ପାଳି । ଘରକେ ଜଣେ ଲେଖାଁ ଯିବାର ନିୟମ ।

 

ସେ ଥର ପଡ଼ିଥାଏ ଆମ ଘର ପାଳି । ଭାଇନା ଗାଁଆକୁ ଆସିଥାନ୍ତି । ମୁଁ ଯାଇଥାଏଁ ଜାଗା ଘରକୁ । ଘର ପିଛା ଜଣକ ଛଡ଼ା ବେଶୀ ଲୋକ ରହିବା ତ ନିୟମ ନୁହେ । ରାତି ହୋଇ ଯିବାରୁ ଭାଇନା ମୋ ସାଙ୍ଗରେ ଜଣକୁ ଲଣ୍ଠନ ଦେଇ ଘରକୁ ପଠାଇ ଦେଲେ । ସେତେବେଳକୁ ନରସିଂହ ଭାଇନା ଭାଙ୍ଗପିଇ ବାଉଳି ଚାଉଳି ହେଉଥାନ୍ତି । ଭାଙ୍ଗନିଶା ଛଡ଼ାଇବାକୁ ତାଙ୍କୁ ହେଙ୍ଗୁ ସୁଘାଂଇବା ବ୍ୟବସ୍ଥା ଚାଲିଥାଏ । ପରେ ମଧ୍ୟ ତାଙ୍କୁ ଗାଁ । ଭିତରେ ଗୋଟାଏ କୌତୁକିଆ ଉପାଧି ମିଳିଲା—ହେଙ୍ଗୁ ସୁଙ୍ଘା ନର ସିଙ୍ଘା । ମଣିଷ ଆପଣା କୃତିତ୍ୱ-ନିଶାରେ ମସ୍‍ଗୁଲ ହେଲା ବେଳେ, ମୁଣ୍ଡରୁ ତା’ର ସେଇ ନିଶା ଛଡ଼ାଇବା ପାଇଁ ଏମ‌୍‌ତି ହେଙ୍ଗୁ ସୁଙ୍ଘା ଭଳି “ଉପାଧିମାନ” ଆବିଷ୍କୃତ ହୋଇ ନାହିଁ ତ ? ସେଥିରେ କିନ୍ତୁ ଉପାଧି-ନିଶା ଛାଡ଼େ ନା ବଢ଼େ !

 

ଘରକୁ ଲେଉଟି ମୁଁ ବୋଉଙ୍କ ଆଗରେ ସବୁ ଘଟଣା ବଖାଣି ବସେ । ଜାଗାଘରୁ ଯେ ଖୁବ୍ ମନ ଦୁଃଖରେ ଫେରିଥିଲି, ତାହା ବୋଧେ କଦାପି ନୁହଁ । ବୋଉ କିନ୍ତୁ କଥାଟାକୁ ମୋଟ କରି ମାଜି ବାପାଙ୍କ ଆଗରେ କହିଲେ । ବାପା ଗାଁରେ ସମସ୍ତଙ୍କୁ ଆକଟ କରି ଭାଇନାଙ୍କୁ କୋବଲେଇଲେ । ତା’ପରେ ସଂକ୍ରାନ୍ତି ବୈଠକ ବନ୍ଦ ହୋଇ ଯାଇଥିଲା କିନ୍ତୁ ସେଇ ଜାଗାରେ ସ୍କୁଲ ଚାଲିଥାଏ ନିୟମିତ ।

 

ସ୍କୁଲ ସାମନା କଚା ସଡ଼କରେ ବାଳକାଟି ବନମାଳୀ ପୁର ଆଡ଼କୁ କେତେ ମଣିଷ, ତାଟିଶଗଡ଼ ଓ ବୋଝେଇ ଶଗଡ଼ ଯା’ଆସ କରନ୍ତି ପୁରୀ, କଟକ, କଲିକତାଯାତ୍ରୀ । ଧ୍ରୁବମାଳୀ, କାଶୀ ବାରିକ ପୁଣି ଆଉରି ସେମ‌୍‌ତି କେତେଜଣ ସକାଳୁ ବାହାରିଲେ କଅଁଳ ଗାଧୁଆ ବେଳକୁ କଟକ, ପୁଣି ଗାଧୁଆ ବେଳକୁ ପୁରସ୍ତମରେ (ପୁରୀ) ଯାଇ ହାଜର । ସେଇଠୁ କାମସାରି ରାତିକି ଘର ଲେଉଟାଣି । ଆଜି ସେଇ କଚା ସଡ଼କ ପକା ହେଲାଣି, ଦିନ ରାତି ମଟର, ବସ୍, ଟ୍ରକ । ବଳଦଗାଡ଼ିର ସଂଖ୍ୟା ମଧ୍ୟ କମି ଆସିଲାଣି ।

 

ବର୍ଷାଦିନେ ବିଶ୍ୱନାଥପୁର ସଡ଼କ ଫୁଟି ଶଗଡ଼ଟା କାଦୁଅରେ ଗଳିପଡ଼ିଲେ ତାକୁ ଉଠାଇବା ପାଇଁ ଦିନ-ରାତି ବିତିଯାଏ । କେତେ ବଳଦଙ୍କ ଉପରେ ଶଗଡ଼ିଆ ତା’ର ନାନା ସମ୍ପର୍କ ସ୍ଥାପନ କରି ଗାଳିଫଜ୍ଜତି କୁଢ଼ାଇ ନ ପକାଏ ! କେତେ ପାଞ୍ଚଣ ବାଡ଼ି ବଳଦପିଠିରେ ଭାଙ୍ଗି ଚୁର୍‌ମାର୍ ହୋଇ ନ ଯାଏ ! ଶୀତ ଖରାରେ ସୁଦୂର ବିଲ-ହିଡ଼ ସମେତ ସେଇ ସଡ଼କଟା କେତେ ରଙ୍ଗର ଶାଢ଼ୀରେ ପୁଣି ରଞ୍ଜିତ ନ ହୁଏ ! କେତେ ପିଲା ବୁଢ଼ା ଯୁବକମାନଙ୍କ ପାଦକୁ ଧୂଳି ଧୂସରିତ ନକରେ ! ତ୍ରୀବେଣୀ, ଜାଗର,.କୋଣାର୍କ ଅଶୋକାଷ୍ଟମୀ, ଧବଳେଶ୍ୱର ଥାନା ପୁଣି ରଜ ପର୍ବ—ପେଡ଼ି, ଲୁଗା, ପାଟ, ମଠା ସବୁ ବାହାରିବାର ଉତ୍ସବ ଦିନଗୁଡ଼ିକ । ସଡ଼କ ଆର ପାଖ “ବଣା’ ଗଡ଼ିଆରେ ଗୋରୁଗାଈ ଓ ମଣିଷଙ୍କର ସ୍ନାନ ଶୌଚ, କାର୍ତ୍ତିକ ପୂର୍ଣ୍ଣିମାରେ କଦଳୀ ଡଙ୍ଗା ଭସାଣ, ମାଘ ମାସ ଶୀତ ପାହାନ୍ତାରେ ମାଘ-ସ୍ନାନ, ବର୍ଷା ଦିନେ ଇସ୍କୁଲ ପିଣ୍ଡାରୁ ବାରିଜଙ୍ଗ ସେପଟ ଦୁର ଗାଆଁ ତଳେ ଧନୁଆ ନଈର ଫୁଲିଉଠୁଥିବା ଧଳା ପାଣି ସୁଅର ଦୃଶ୍ୟ ନିବିଡ଼ ସବୁଜିମା ଭିତରେ !

 

ଶୁଖିଲା ପାଚିଲା ଦିନରେ ସେଇ ସଡ଼କ ଉପରେ ପୁଣି ଆଉ ଗୋଟିଏ ଅତି ବିଚିତ୍ର ଅତି ଅଦ୍ଭୁତ ବସ୍ତୁର ସାକ୍ଷାତ୍ ମିଳେ, ଯାହାକୁ ଚାହିଁ ଦେହଯାକ ମୋର ଉଲ୍ଲସି ଉଠେ, ଆଖିପତା ପଡ଼େ ନାହିଁ—ଆଗପଛ ହୋଇ ଯୋଡ଼ିଏ ସାନ ସାନ ଚକ । ତା’ଭିତରେ ଛତାକାଠି ପୁରି ସରୁ ସରୁ ଲୁହା କାଠି, ଉପରେ ଜଣେ ମଣିଷ ବସି ଖାଲି ଗୋଡ଼ ଯୋଡ଼ିକୁ ହଲାଇବାକୁ—ଅଥଚ କେଡ଼େ ବେଗରେ ସେ ନ ଚାଲେ ! ସତେ ଅବା ଉଡ଼ି ଉଡ଼ିକା ଧାଇଁଛି !

 

ସେଥିପାଇଁ ନାଁଆଟି ତା’ର ଶୂନ୍‌ଗାଡ଼ି । କେଡ଼େ ମଜା ଶୂନ୍‍ଗାଡ଼ି ଚଳାଇବାକୁ ! ଢିଙ୍କି ଉପରେ ଏ ଗୋଡ଼ ସେ ଗୋଡ଼ ବଦଳାଇ ଧାନ କୁଟିଲା ଭଳି ଖାଲି ଗୋଡ଼ ଯୋଡ଼ିକୁ ଟିକଏ ତଳ ଉପର କଲାକ୍ଷଣି କେଡ଼େ ଜୋରରେ ଚକ ଯୋଡ଼ିକ ସର୍ ସର୍ ହୋଇ ଗଡ଼ି ନ ଯାଏ ! ସେଥିପାଇଁ ଗାଁ-ଭିତରୁ ଇସ୍କୁଲ ଘରଟା ଭଙ୍ଗାଯାଇ ସଡ଼କ ଉପର ‘ଜାଗା’ ଘରେ ତାହା ବସିବାରୁ ପିଲାଙ୍କ ମନ ଭାରି ଖୁସି । ଗାଁ ଦାଣ୍ଡ ଚାରିପଟ ଗଛ ଗହଳ ଘର ବାଡ଼ିବେଢ଼ ଥିବାରୁ ଖାଲି ସବୁବେଳେ କିମ୍‌ତି ଅନ୍ଧାରିଆ ଲାଗେ । ଏଠି ଚାରିଆଡ଼େ ଏକାବେଳେ ଖୋଲା । ସାମ୍‌ନା ପଟେ ଧାନକିଆରି, ପାଟଗହୀରି, ସାତକାବାଦ, ବାରିଜଙ୍ଗ ପର୍ଯ୍ୟନ୍ତ ଦେଖାଯାଏ ।

 

ମଝିରେ ଗୋଟାଏ ବଡ଼ ଛତା ମେଲା ହେଲା ଭଳି ଦିଶେ ତେଲି ଚୌକା ଗାଁ ବରଗଛ । ଆଜିଯାକେ ସେ ବରଗଛ ସତେ ସମ୍‌ତି ଛିଡ଼ା ହୋଇଛି ଏକାଟିଆ—ଚାରିପଟେ ଧାନବିଲ ପୁଣି ଅନେକ ଦୂରେ ଗଛ ଗହଳିରେ ଘୋଡ଼ି ହୋଇ ପଡ଼ିଥିବା ଗାଁ ଗୁଡ଼ିକର କୁହେଳି ସୃଷ୍ଟି କରି !

 

ସେଇ ବରଗଛ ଛାଇ ତଳେ କେତେ ଥର ମୁଁ ଯାଇଛି ପୁରୋହିତପୁର ମାଉସୀ ଘରକୁ । ତା’ ଡାହିରୁ ଓହଳଗୁଡ଼ା ତଳକୁ ଲମ୍ବି ଆସି ମାଟିରେ ପୋତି ହୋଇ ପଡ଼ିଛି ଚାରିଆଡ଼େ । ଭାରି ଆଚମ୍ବିତ କଥା ତ ! ଗଛଗୁଡ଼ା ତଳୁ ଉଠେ ଉପରକୁ—ଏ ଠିକ୍ ତା’ରି ଓଲଟା—ସତେ ଅବା ଗଛଟା ବୁଢ଼ା ହେଇ ଯିବାରୁ ତା’ରି ପିଲାମାନେ ଆସି ଏବେ ଟେକି ଧରିଛନ୍ତି ତାକୁ ! ମୂଳଗଣ୍ଡିଟା ତା’ର ଫମ୍ପା ପୋପରା ହୋଇପଡ଼ିଲେ ବି ମୋଟା ପ୍ରକାଣ୍ଡ ଡାହି ଘେନି ପୁଣି ଓହଳ ସବୁ ଉପରେ ସେ ଉଭା ହୋଇଛି ଆଗ ଭଳି ।

 

ତେଲିଚୌକା ମେଳନ ହୁଏ ସେଇ ଗଛମୂଳେ ପ୍ରତି ବର୍ଷ । ନାଲି, ନେଳି, ଧଳା ହଳଦିଆ ଲୁଗା ଶାଢ଼ୀ ପିନ୍ଧି ଝିଅ ବୋହୂ ବୁଢ଼ାବୁଢ଼ୀ ଆଉ ପିଲାମାନେ ରୁଣ୍ଡ ହୁଅନ୍ତି ସେଇ ଗଛମୂଳରେ । କେତେ ହାଟ ଦୋକାନ ନାଚଗୀତ ବାଜାରେ ଉଛୁଳି ପଡ଼େ ତେଲିଚୌକା !

 

ଇସ୍କୁଲ ଘରକୁ ସେ ଶବ୍ଦ ଶୁଣାଯାଏ ନାହିଁ ଆଦୌ । ଖାଲି ‘ସାଧବବୋହୂ’ ପୋକଭଳି ମଣିଷମାନେ ଯାଆସ କରୁଥିବା ବାରିହୁଏ ସିନା, ବାଜା ଶବ୍ଦ ସୁଦ୍ଧା ଶୁଣାଯାଏ ନି ।

 

ମନହୁଏ ମୋର ମୁଁ ସେଇ ତେଲିଚୌକା ବରଗଛ ହୋଇଥାନ୍ତି ।

 

କେବେ ଦିନେ ସାଇକଲ-ଆରୋହୀ ଇସ୍କୁଲ ଆଗରେ ଓହ୍ଲାଇ ପଡ଼ି ପଚାରନ୍ତି, ‘ଦିବ୍ୟସିଂହ ବାବୁ ଗାଆଁକୁ ଆସିଛନ୍ତି କି?’

 

ମାଷ୍ଟରଙ୍କ ମୁହଁରୁ ନାସ୍ତିବାଣୀ ଶୁଣି ସାରି ସାଇକଲ ଚଢ଼ି ସେ ଚଳାଇ ଯାନ୍ତି । ଗୋଲ ଗୋଲ ଚକଯୋଡ଼ିକ ଭିତରେ ଛନ୍ଦା ସେଇ ସରୁ କାଠିଗୁଡ଼ିକ କ୍ରମେ ଅଦୃଶ୍ୟ ହୋଇପଡ଼େ ! ଚାହୁଁ ଚାହୁଁ ଆରୋହୀ-ସମେତ ସାଇକଲଟି ଗଡ଼ିଗଡ଼ିକା ପୂର୍ବପଟ ବୈଷମ ତୋଟା ଆମ୍ବଗଛ-ଗହଳି ଭିତରେ ଗୋଟିଏ ବିନ୍ଦୁରେ ପରିଣତ ହୋଇ କାହିଁ ମିଳାଇ ଯାଏ !

 

ଗାରଡ଼ିପଞ୍ଚାଣର ପରଲୋକଗତ ସତ୍ୟବାଦୀ ସେନାପତି ମୋ ଭାଇନାଙ୍କର ବନ୍ଧୁ; କିନ୍ତୁ ଭାଇନା ତ କାହିଁ କେବେ ସାଇକଲ ଚଢ଼ନ୍ତି ନାହିଁ ! ତେବେ ସିନା ମୁଁ ଆଉ ଟିକିଏ ଭଲକରି ହେଲେ ଦେଖିଥାନ୍ତି ।

 

ଭଲ କରି ଦେଖିବା କଥା କ’ଣ ? ନିଜେ ତ ସାଇକଲ ଚଢ଼ା ଆରମ୍ଭ କରିଦେଲି ନିତି ରାତିରେ ଶୋଇ ସାରିବା ପରେ ! ପୁଣି ସେଇ ମୋତେ ରକ୍ଷା କରିଦେଲା ଅଲେଖ ମାଷ୍ଟରଙ୍କ ବିକଟ ଦନ୍ତୁରିଚ ମୁଖବ୍ୟାଦାନର ଭୀଷଣ ଆକ୍ରମଣରୁ ! ସେ ମୁହଁଟା ଯେବେ ମୋତେ ଗୋଡ଼ାଇ ଧରିବାକୁ ଧାଏଁ, ସେତିକିବେଳେ ମୁଁ ଗୋଟାଏ ସାଇକଲ ଚଢ଼ି ଛୁଟାଇ ଦିଏଁ । ତଥାପି ତା’ର ବିରାଟ ମୁନିଆ ନଖଗୁଡ଼ାକ ଯେତେବେଳେ ମୋ କାନ୍ଧ ଉପରେ ପଞ୍ଝା ପକାଇବାକୁ ଲମ୍ବି ଆସେ, ଠିକ୍ ସେଇ ମୁହୂର୍ତ୍ତରେ ମୁଁ ପୃଥିବୀକୁ ଛାଡ଼ି ଆକାଶ ମାର୍ଗରେ ଉଡ଼ିବାକୁ ଆରମ୍ଭ କରିଦିଏ । ଏଇ ଉପାୟ ବଳରେ ହିଁ ପ୍ରାୟ ପ୍ରତି ରାତ୍ରିରେ ମୁଁ ସେତେବେଳେ ମୃତ୍ୟୁମୁଖରୁ ଉଦ୍ଧାର ପାଇଛି କେବଳ ଗାଆଁରେ ତ ନୁହେ, ଗାଆଁ ଛାଡ଼ି ସହରକୁ ଆସିବା ପରେ ମଧ୍ୟ ବାଲ୍ୟ ଅବସ୍ଥା ଅତିକ୍ରମ କରି ଯୌବନ ଓ ପୌଢ଼ ଅବସ୍ଥାରେ ପହଞ୍ଚି ସାରି ସୁଦ୍ଧା ଏମ‌୍‌ତି ସ୍ୱପ୍ନ ଦେଖୁଥିଲି ।

 

ଶୁଣିଛି ମଣିଷର ବାତ ପ୍ରକୋପରୁ ଏପରି ସ୍ଵପ୍ନ ଦେଖାଯାଏ; ଫ୍ରଏଡ୍ ମଧ୍ୟ ସ୍ଵପ୍ନର ବୈଜ୍ଞାନିକ । ବିଶ୍ଳେଷଣ କରିଛନ୍ତି । ପିଲାଦିନର ସେଇ ଭୟ ହୁଏ ତ ନାନା ଭାବରେ ମୋ ମନ ଭିତରେ କାର୍ଯ୍ୟ କରିଥିବ । ପୁଣି ମଣିଷର ତାହା ଯେ ଚିର ଚରମ ଭୟ, ଏଥିରେ ଆଜି ମୋର ସନ୍ଦେହ ନାହିଁ । ଜୀବନ ପ୍ରତି ଲୋଭ ଓ ମୃତ୍ୟୁ ଲାଗି ଭୟ—ଏ ଦୁଇଟାରୁ କ’ଣ ଆଜି ସୁଦ୍ଧା ମୋତେ ମୁକ୍ତି ମିଳିଛି ? ଅସ୍ୱୀକାର କଲେ ତାହା ଆତ୍ମପ୍ରବଞ୍ଚନା ଛଡ଼ା କିମ୍ବା ସତ୍ୟର ଅପଳାପ ଛଡ଼ା ଆଉ ତ କିଛି ହୋଇ ନ ପାରେ ।

 

ମନକୁ ମନ ଏସବୁ ଲେଖିଗଲା ବେଳେ ସଙ୍କୋଚ ସଙ୍ଗେ ହସ ବି ମାଡ଼ୁଚି । କଥାରେ କହନ୍ତି, ଜୀବ ଥିଲେ ଲୋଭ ଅଛି । ସେଥିପାଇଁ ଜୀବ ଥାଉଁ ଥାଉଁ ଲୋଭ ମୋହ କ୍ରୋଧ ଆଦି ରିପୁଗୁଡ଼ିକୁ ଦମନ କରିବା ହେଲା ଆପ୍ତ ବାକ୍ୟ; କିନ୍ତୁ ଜୀବନକୁ ଆଗ କରି ଧରି ରଖିବା ଓ ବଞ୍ଚାଇବା ପାଇଁ ସେ ଲୋଭ, ସେ ଜୀବନ କ’ଣ ମୃତ୍ୟୁ ତାକୁ ଜୋର-ଜବରଦସ୍ତି ଛଡ଼ାଇ ନ ନେବା ପର୍ଯ୍ୟନ୍ତ ଆପଣା ଇଚ୍ଛାରେ କେବେ ହେଲେ ଚାଲିଯିବାକୁ ଚାହେଁକି ? ଆଜି ସୁଦ୍ଧା କେବେ କେବେ ମୁଁ ସ୍ୱପ୍ନରେ ଦେଖେ ଯେ, ମରିଯାଇଛି ! ତା’ପରେ ଚେଇଁ ଉଠିଲେ ବୁଝେ ମୁଁ ସ୍ୱପ୍ନ ଦେଖୁଥିଲି । ମନଟା ଖୁସି ହୋଇଯାଏ; କିନ୍ତୁ କିଶୋର ଅବସ୍ଥାରୁ ଗୋଟାଏ ସମୟ ବିତି ଯାଇଛି, ଯେତେବେଳେ ଜାଗରଣଟାକୁ ମଧ୍ୟ ମୁଁ ଅବିକଳ ସ୍ଵପ୍ନ ବିଚାରୁ ଥିଲି । ସେ କଥା ପରେ ଲେଖିବି ।

 

ପିଲା ଦିନେ ଆଉ ଗୋଟାଏ ସାଧାରଣ ଭୟର କାରଣ ଥିଲେ ପ୍ରେତ, ଚଣ୍ଡୀ-ଚାମୁଣ୍ଡା, ବ୍ରହ୍ମରାକ୍ଷସ । କେଉଁ ବରଗଛ, ଆମ୍ବ ତୋଟାରେ ଅଧରାତିରେ ସେମାନେ ମଣିଷକୁ ଆକ୍ରମଣ କରନ୍ତି, ସେ ବିଷୟରେ ଗଳ୍ପର ସଂଖ୍ୟା ତ କମ୍ ନୁହେଁ ! ସାଙ୍ଗ ସାଥିଙ୍କ ମୁହଁରୁ କେତେ ପ୍ରତ୍ୟକ୍ଷଦର୍ଶୀ ବିବରଣ ମଧ୍ୟ ଶୁଣାଯାଏ । ସନ୍ଧ୍ୟା ବେଳେ ଏକାଠି ଚାରିପାଞ୍ଚଜଣ ପିଲା ପିଣ୍ଡାରେ ବସି ଜଣେ ପୁରୁଖା ଲୋକ ମୁହଁରୁ କି ସାଙ୍ଗସାଥିଙ୍କ ମୁହଁରୁ ଭୂତ ଗପ ଶୁଣିବାକୁ ଯେମ‌୍‌ତି ସୁଖ ଲାଗେ, ଶୁଣି ସାରିଲା ପରେ ସେଠାରୁ କୁଆଡ଼େ ଯିବାକୁ ସେମ‌୍‌ତି ଡର ବି ମାଡ଼େ ।

 

ଅପନ୍ତରା ଗହିର ମଝିରେ ରାତି-ଅନ୍ଧାରରେ ଚିରୁଗୁଣୀ ନିଆଁ ଜଳି ଉଠିବା, ମଶାଣି ଉପରେ ଡାହାଣୀମାନେ ମଲା ପିଲାକୁ ଗାତରୁ କାଢ଼ି ଜୀଆଁଇ ଖେଳାଇବା, ଉଲଗ୍ନ ହୋଇ ମୁଣ୍ଡ ତଳକୁ ଗୋଡ଼ ଉପରକୁ ଟେକି କରି ବୁଲିବା ଏମ‌୍‌ତି କେତେ କଳ୍ପନାର କ୍ରୀଡ଼ା, ମାକ୍ ବେଥ ନାଟକର ତିନି ଡାହାଣୀଙ୍କ ଠାରୁ ତାଙ୍କ କରାମତି କିଛିତ କମ୍ ନୁହେଁ ! ଆମ ସାହିତ୍ୟରେ ମଧ୍ୟ ବେତାଳ ପଞ୍ଚବିଂଶତିଠାରୁ ଯଦି ଆରମ୍ଭ କରାଯାଏ—

 

ତା’ ଆଗରୁ, ଏମ‌୍‌ତି କି ସୃଷ୍ଟି ଆରମ୍ଭରୁ ତ ମନ୍ତ୍ର ତନ୍ତ୍ର ଗୁଣି ଗାରେଡ଼ି ଆକାରରେ ସେଇ ଭୂତ ପ୍ରେତ ପ୍ରେତାତ୍ମା ପରମାତ୍ମାଙ୍କ ସ୍ତୁତି ବନ୍ଦନା ଆରାଧନା,—ପୁଥିବୀର ସବୁ ସାହିତ୍ୟର ଜନ୍ମ ପରା ଏହିଠାରୁ ! ବେଦ ବୋଇଲେ ତ ଏଇ ମନ୍ତ୍ରଗୁଡ଼ିକର ସମଷ୍ଟିକୁ ବୁଝାଇଥାଏ । ସାପ କି ବାଘଠାରୁ ଆରମ୍ଭ କରି ଭୂତପ୍ରେତଯାକେ ପୁଣି ଦୁଷ୍ଟ ଦୁର୍ଦ୍ଦାନ୍ତ ମଣିଷଙ୍କୁ ସାଧ୍ୟ କରିବା ପାଇଁ ମଧ୍ୟ ସେଗୁଡ଼ିକର ପ୍ରୟୋଗ ଲୋଡ଼ା, ମଣିଷ ଦେହରେ ରକା ପଶିବା ପୁଣି ହାତ ଗୋଡ଼ ଖଣ୍ଡିଆ ହୋଇ ରକ୍ତବୋହିବାକୁ ବନ୍ଦ କରିବା ଲାଗି ମନ୍ତ୍ରଅଛି । ସ୍କୁଲରେ ପଢ଼ିବା ସଙ୍ଗେ ସଙ୍ଗେ ଏମ‌୍‌ତି କେତୋଟି ମନ୍ତ୍ର ମଧ୍ୟ ଭୋବନି ଭାଇନାଙ୍କ ଠାରୁ ଶିଖି ମୁଁ ତାହା ମୁଖସ୍ଥ କରିଥାଏଁ । ତା’ ଛଡ଼ା ଆମ ଦିଅଙ୍କ ଘର ପୋଥି ଖଟୁଲୀରୁ ଗୋଟିଏ ତାଳପତ୍ରଖେଦାରେ ଏମ‌୍‌ତି କେତୋଟି ମନ୍ତ୍ର ମୋ ଆଖି ଆଗରେ ପଡ଼େ-। କେତୋଟି ମନ୍ତ୍ର ସେଥିରୁ ମୁଁ ଶିଖି ପକାଏଁ । କାହାରି ହାତ କି ଆଙ୍ଗୁଠି କାଟି ରକ୍ତ ବାହାରିଲେ, ସେଇ ମନ୍ତ୍ର ପଢ଼ି ମୁଁ ଫୁଙ୍କି ଦିଏଁ । ତାହା ଫଳରେ ଉପକାର ପାଇବା କଥା ମଧ୍ୟ ମୋତେ କେତେ ଜଣ କହନ୍ତି । ଆତ୍ମସନ୍ତୋଷ ସଙ୍ଗେ ସଙ୍ଗେ ମନେ ମନେ ମୋର ଗର୍ବ ଆସେ ।

 

ଥରେ ମୁଢ଼ି କଣିବାକୁ ଯାଇଥିଲି । ମୁଢ଼ି ବାଲୀ ମୁଢ଼ି ଭାଜି ବସିଥାଏ । ତା’ର ପିଲା ତାକୁ ଝିଙ୍କା ଓଟରା କରୁଥିବାରୁ ସେ ମୋ କଥା ଶୁଣିଲା ନାହିଁ । ତହୁଁ ରାଗିଯାଇ ଧମକ ଦେଲି—ଜାଣୁ, ମୁଁ ମନ୍ତ୍ର କରିଦେଲେ ତୋ ମୁଢ଼ି ଜମାରୁ ଫୁଟିବ ନାହିଁ ?

 

ସେ କିନ୍ତୁ ଖାତିର୍ ନ କରି ମୋତେ ଚାହିଁ ହସି ପକାଇଲା, ତା’ର ରୋଗ ତକତକ ମୁହଁରେ ରାଗରେ; ଫେରି ମୁଁ ମନ୍ତ୍ର ପୋଥି ଫିଟାଇଲି । କେଉଁ ନଟିର ଚେର ନେଇ ତା’ ଚାଳରେ ଖୋସିଲେ ମୁଢ଼ି ଫୁଟିବ ନାହିଁ ବୋଲି ସେଥିରେ ଲେଖା ଥାଏ । ଖୋଜି ଖୋଜି ପଚାରି ସେଇ ଚେର ଆଣିଲି । କେହି ନ ଥିବା ବେଳେ ଯାଇ ମୁଢ଼ି ବାଲୀ ଚାଳରେ ତାକୁ ଖୋସି ଦେଇ ଏକାବେଳେ ଏକ ମୁହାଁ ଦେ ଚମ୍ପଟ୍ ! ତା’ ଆର ଦିନ ମଜା ଦେଖିବାକୁ ଅପେକ୍ଷା କରିଥାଏଁ । ମାତ୍ର ହତାଶ ହେଲି ଯେତେବେଳେ ଦେଖେଁ, ସେ ପୁଣି ମୁଢ଼ି ବିକି ବାହାରିଛି !

 

ତେବେ କ’ଣ ମନ୍ତ୍ର ମୋର କାଟୁକଲା ନାହିଁ ? ପୋଥିରେ କ’ଣ ଭୁଲ୍ ଲେଖାଥାଏ ? କଦାପି ନୁହେଁ । ବୋଧ ହୁଏ ସେଟା ଠିକ୍ ଚେର ନୁହେ । ସନ୍ଦେହ ଓ ନିରାଶାରେ ମନଟା ମୋର ଘାଣ୍ଟି ହେଲା । ଛାଡ଼ ଛାଡ଼ ବୋଲି କାହାର ରାଣ, ନିତେଇ ଧୋବଣୀ ପିତେଇ ସଉରୁଣୀର କୋଟି କୋଟିରାଣ—ଇତ୍ୟାଦି ମନ୍ତ୍ର ପଢ଼ି ତିନିଥର ଫୁଙ୍କି ଦେଲେ ତ ରକ୍ତ ବନ୍ଦ ହୋଇଯାଏ । ଏବେ ଚାଉଳରୁ ମୁଢ଼ି ନ ହେବା ମନ୍ତ୍ରଟା କାଟୁ ନ କଲା କାହିଁକି ?

 

ପିତେଇ ସଉରୁଣୀର ଘର କାଉଁରୀ କାମଚଣ୍ଡୀ । ସେ ଗୋଟିଏ ମସ୍ତବଡ଼ ବରଗଛକୁ ମନ୍ତ୍ର ବଳରେ ଉପାଡ଼ି ତା’ରି ଉପରେ ବସି ଆକାଶରେ ଉଡ଼ି-ଉଡ଼ିକା । ପବନ ବେଗରେ ଯାଉଥାଏ । ନିତେଇ ଧୋବଣୀ ଗଡ଼ିଆ ତୁଠରେ ଲୁଗା କାଚୁଥିଲା । ଉପରେ ସୁ ସୁ ଗର୍ଜନ ଶୁଣି ସେ ମୁହଁ ଟେକି ଚାହିଁଲା, ଲୁଗା ପୁଳାଏ ହାତରେ ଧରି । ତା’ ପରେ !

 

ତା’ପରେ ଏମ‌୍‌ତି ଗୋଟେ ପଦ ବୋଲି ଫୁଙ୍କି ଦିଏ ଯେ, ଦି’ ପଦ ବୋଲି ସାରି ତିନି ପଦ ବେଳକୁ ପିତେଇ ସଉରୁଣୀ ସମେତ ସେଇ ଗଛଟା ଠକ୍ କରି ଆସି ସେଠାରେ ପୋତି ହୋଇଯାଏ-! ତା’ପରେ ଦୁଇ ଗୁଣିଆଙ୍କ ଭିତରେ ଚାଲେ ତୁମୂଳ ଗୁଣି ଲଢ଼େଇ । ଜଣେ ଆଉ ଜଣକ ଉପରେ ବିଛୁଆତି ବାଣ ଛାଡ଼ିଲେ ପ୍ରତି ପକ୍ଷ ତା’ଉପରେ ଛାଡ଼େ ନିଆଁ ବାଣ । ଆଉ ସେ ସବୁ ବାଣକୁ କାଟି ଦେବାପାଇଁ ସେମ‌୍‌ତି ଥାଏ ପ୍ରତିକାର ।

 

ଏମ‌୍‌ତି ଗପ ସବୁ ଗାଁ ଭିତରେ ସାଙ୍ଗସାଥିମାନଙ୍କଠାରୁ ଶୁଣିବାରେ କେତେ ସୁଖ-ସନ୍ଧ୍ୟା ମୋର ବିତି ଯାଇଛି । କେତେ ହସ-କୌତୁକରେ ଗାଁଆର ସରୁ ଦାଣ୍ଡଟି ଯେ ଉଛୁଳି ପଡ଼ିଛି ! ରାତି-ଅନ୍ଧାରି ଦାଣ୍ଡପିଣ୍ଡାରେ ବସି ସାଙ୍ଗସାଥିମେଳରେ ଦୂର ବିଲରେ ଚିରିଗୁଣୀ ଆଲୁଅ ଦେଖି ବା ନ ଦେଖି ଛାତିଟା ଯେ ଧଡ଼ପଡ଼ ନ ହୋଇଛି !
 

ଶିରୁ ଭାଇନା କିନ୍ତୁ ଏମ‌୍‌ତି କେତୁଟା ମନ୍ତ୍ର ଶିଖିଥାନ୍ତି । କେତେ ତିଖ ଆମ୍ବଡାଳ ବାଘୁଆ ମହୁଫେଣାକୁ ତୁଳସୀ ପତ୍ର ଚୋବାଇ ମନ୍ତ୍ରପଢ଼ି ସେ ଫୁଙ୍କି ଦେଲେ ହଜାର ହଜାର ମାଛି ପୋଷା ମାନିଲା ଭଳି ଫେଣା ଛାଡ଼ି ଉଡ଼ି ପଳାନ୍ତି । ତା’ପରେ ମହୁଫେଣା ଭାଙ୍ଗି ବୀର ଦର୍ପରେ ତଳକୁ ଓହ୍ଲାଇ ଆସନ୍ତି ଶିରୁଭାଇନା ! ସେଇ ତଟକା ମହୁ-ଫେଣାରୁ ଖଣ୍ଡେ ଲେଖାଁ ପାଟିକି ପକେଇ ଜିଭ ଅଗରେ ଥୋଇ ଖାଲି ଟିକିଏ ଚାପିଦେଲେ କେଡ଼େ ସୁଆଦ ସେ ମହୁ ! ଯେ ନିଜେ ନ ଚାଖିଛି ତା’ ପକ୍ଷରେ ସମଜି ପାରିବା ଅସମ୍ଭବ ।

 

ଟୀକାଦିଆ ଆସିଲା

 

ଟୀକାଦିଆ ଆସିଲା ଟୀକାଦିଆ ! ପିଲାମାନେ ସିନା ଟୀକା କହିଲେ ଡରନ୍ତି, ଆମ ଗାଁରେ କିନ୍ତୁ ବଡ଼ମାନେ ପୁଣି ବୁଢ଼ାମାନେ ସୁଦ୍ଧା ! ସେଥିପାଇଁ ଆଖପାଖ ସବୁ ଗାଁରେ ଟୀକାଦିଆ ବୁଲି ଟୀକା ଦିଅନ୍ତି । ଆମ ଗାଁଆକୁ ଆସିଲେ ତାଙ୍କୁ ମନାକରି ଦିଆଯାଏ । ମନାକରିବାକୁ ବଡ଼ ମକଦମମାନେ ତ ଜାଣି ଆଗୁଆ ହୋଇ ବାହାରି ପଡ଼ନ୍ତି ।

 

ସେ ବର୍ଷ ଆସିଥାନ୍ତି ଖୋଦ୍ ବଡ଼ ସାହେବ । ରୀତିମତ୍ ଜଣେ ଗୋରା ଡୋଳା ଯୋଡ଼ାକ ନେଳିଆସିଆ ଫିକା—କୋଟ ପ୍ୟାଣ୍ଟ ପୁଣି ଗୋଲ ଟୋପି ପିନ୍ଦା ଲମ୍ବା-ଚୌଡ଼ା ଚେହେରା । ଗାଁ କଣ୍ଡରାସମେତ ବାଲିପାଟଣା ଥାନା ପୁଲିସ ସିପାହି ସଦଳବଳେ ଆସି ହାଜର । ଗାଦିଦୁଆରେ ସମସ୍ତେ ଜମା । ସିପେହି କଣ୍ଡରା ଆସି ଘର ଘର କରି ସମସ୍ତଙ୍କୁ ଡାକି ନେଉଥାନ୍ତି । ଗାଁଟାଯାକ ଚହଳ ପଡ଼ି ଯାଇଥାଏ ସମସ୍ତେ ଭୟରେ ଥରହର ।

 

ଟୋକାଙ୍କ ଭିତରୁ କିଏ ମଝିଗହୀର କିଆବୁଦା ମୂଳେ, କିଏ ଜାମୁଗଛ କି ଆମ୍ବଗଛ ଡାଳରେ ଚଢ଼ି ଲୁଚିଲେ । ଭଗିଆ କଣ୍ଡରା କିନ୍ତୁ କେଉଁ ଘରେ କେଉଁ ପିଲାକୁ ନଚିହ୍ନେ କି ? ତାକୁ ସାହାଯ୍ୟ କରିବାକୁ ପୁଣି ଥାନା ସିପେହି ନାଲି ପଗଡ଼ି ପିନ୍ଧି ! ଭଗି ମଳିକ କେଉଁ ପିଲାକୁ ଟେକାଫିଙ୍ଗି ଜାମୁଗଛ କି ବରଗଛ ଡାଳରୁ, ଆଉ କାହାକୁ ତା’ର ଲମ୍ବା ବାଉଁଶ ଠେଙ୍ଗାରେ କିଆବୁଦାମୂଳେ କେଞ୍ଚାମାରି ପଦାକୁ କାଢ଼ି ଧରିଆଣିଲା । କାହାକୁ ଘସି ଭାଡ଼ି ଉପରୁ କି କୁଟାଗଦାରୁ ଆଉ କାହାକୁ ପୁଣି ଧାନକୋଠି ତଳୁ ସେ ଝିଙ୍କି ଓଟାରି ବାହାର କଲା ।

 

ଏକା ଉଦିଆ ତା’କୁ ପଟାଏ ହିନସ୍ତା କରିଦେଲା । ତା’ ଦାଣ୍ଡକବାଟରେ ଭଗିଆ ଯାଇ ଠେଙ୍ଗାପିଟି ଧକ୍କା ମାରେ । ତହୁଁ ଉଦିଆ ବାଡ଼ିକବାଟ ଫିଟାଇ ଖସି ପଳାଇଲା । ଉଦିଆର କିନ୍ତୁ ଗୋଟାଏ ଦୋଷ ଥିଲା । ତା’ର ପାଦ ତଳିପା ଯୋଡ଼ାକ ଏକାବେଳେ ଚେପ୍‌ଟା ଥିବା ହେତୁ, ସେ ଦୌଡ଼ିଲେ ଚଟି ମାଡ଼ିଲା ଭଳି ଫଟ୍ ଫଟ୍ ଶୁଣାଯାଏ ।

 

ଭଗିଆକୁ ତା’ର ଏଇ ବିଶେଷତ୍ୱଟା ଆଗରୁ ଜଣା । ଉଦିଆ ମେକାପ୍‌ର ପାଦଶବ୍ଦ ସଙ୍ଗେ କବାଟ ଫିଟିବା ଶୁଣି ଭଗି ମଳିକ ଦୌଡ଼େ ବାରିପଟକୁ ! ଦେଖେ. ଉଦି, ମେକାପ୍ ବାରିପଟ ବାଉଁଶ ବୁଦା ପାରି ହୋଇ ଧାଁଇଛି ଗହୀର ମଝିରେ । “ହେ ଉଦିଆ ! ହେ ଉଦିଆ ! ରହିଯା—” ଉଦିଆର ସପ୍ତପୁରୁଷ ଉଦ୍ଧାର କରି କରି ଭଗିଆ ଗୋଡ଼ାଏ, ତା’ର ପଛେ ପଛେ । ଖାଲ, ଢିପ, ବିଲହିଡ଼, କିଆବଣ ଡେଇଁ ଉଦିଆ ଚିରାମାରିଛି ସଡ଼କ ଆଡ଼କୁ । ଭଗିଆର ରାଗ ମଧ୍ୟ ଖରା ତାତିରେ ପଞ୍ଚମକୁ ଉଠିଲାଣି ।

 

ସଡ଼କ ମଝିରେ ଗାଁ ଗହୀରରେ ଗୋଟାଏ ପଥର ପୋଲ । “ଶଙ୍ଖମୁହଁ” ନାମରେ ତାହା ପରିଚିତ । ତଳେ ତାହାର ପାଣି ଯିବାପାଇଁ କେତେ ଗୁଡ଼ିଏ ଶଙ୍ଖ ବା ପୋଲ ଅଛି । ବର୍ଷାଦିନେ ସେଇ ଶଙ୍ଖ ଭିତରେ ସଡ଼କର ଏପାଖ ପାଣି ସେପାଖେ ବାହାରିଯାଏ । ଖରାଦିନେ ଶୁଖିଲା ରହେ-। ନିରୁପାୟ ଉଦିଆ ସେଇ ଶଙ୍ଖର ଗୋଟିଏ ଭିତରେ ପଶିଗଲା ।

 

ଭଗି ମଳିକ ତା’କୁ ଲାଖକରି ଶଙ୍ଖଭିତରକୁ ଠେଙ୍ଗାରେ କେଞ୍ଚିଲା । ବିଲରୁ ଟେଳା ଗୋଟାଇ ଆଣି ଶଙ୍ଖ ଭିତରକୁ ଫିଙ୍ଗିଲା । କିନ୍ତୁ ତାହାର ଲକ୍ଷ୍ୟଭେଦ ହୁଏ ନାହିଁ । ସଂକୀର୍ଣ୍ଣ ସୁଦୀର୍ଘ ଶଙ୍ଖଭିତରେ ଉଦୟନାଥ ଟେକାମାଡ଼କୁ ସହଜରେ ଏଡ଼ିଦିଏ । ବିବ୍ରତ ବିରକ୍ତ ଭଗିମଳିକ ନିରୁପାୟ ହୋଇ ଶେଷକୁ ଗୁରୁଣ୍ଡି ଗୁରୁଣ୍ଡି ପଶେ ଶଙ୍ଖ ଭିତରେ । ଚୋର ଧରିବାରେ ଓସ୍ତାଦ୍ ସେ, ଅଥଚ ଏଇ ଟୋକାଟା ! ଆଜି ସେ ତାହାକୁ ପାଣି ପିଆଇ ଦେଲାଣି ! ଭଗି ମଳିକର ରାଗ ଓ ଜିଦ୍ ମଧ୍ୟ ଏଇ କାରଣରୁ ପଞ୍ଚମକୁ ଉଠି ଗଲାଣି । କିନ୍ତୁ ସେ ଗୋଟିଏ ଶଙ୍ଖ ନଳୀରେ ଗୁରୁଣ୍ଡି ଗୁରୁଣ୍ଡି ଅଧା ପଶିଯିବା ପରେ ଉଦିଆ ବାହାରି ପଡ଼ି ଆଉ ଗୋଟିଏ ନଳୀ ଭିତରେ ସେମ‌୍‌ତି ପଶି ଯାଉଛି ! ଏମିତି ଚାଲିଲା ଶଙ୍ଖ ଭିତରେ ଗୋଡ଼ିଆ ଗୋଡ଼ି କିଛି ସମୟ ପାଇଁ । ଶେଷକୁ ଦୁହେଁ ଥକାମାରି ବାହାରି ଆସନ୍ତି ପଦାକୁ । ଉଦିଆକୁ ଧରି ଭଗି ମଳିକ ହାଜର କରାଏ ଗାଦିଦ୍ୱାର ଠାରେ ।

 

ଗାଁ ଦାଣ୍ଡ ମଝିରେ ଗାଦିଦ୍ୱାରରେ ସେତେବେଳକୁ ଲୋକାରଣ୍ୟ । ବାପାଙ୍କ କକେଇ ପୁଅ ଭାଇ ଦାଶରଥି । ଗାଁ ଲୋକଙ୍କୁ ଏମ୍‌ତି ଜୋରଜବରଦସ୍ତି ଟୀକା ଦେବା ଠିକ୍ ନୁହେଁ ବୋଲି ସେ ଯାଇ ଟୀକାଦିଆ ସାହେବଙ୍କ ପାଖେ ଯୁକ୍ତି କରନ୍ତି । ସେ ଯୁକ୍ତିର ଜବାବ୍ ସ୍ଵରୂପ ତାଙ୍କୁ ଧରି ଜବରଦସ୍ତ ଟୀକା ଦିଆଗଲା । ଘଟଣାଟି ଚାରିଆଡ଼େ ଚହଳ ପକାଇ ଦେଇଥାଏ । ଦାଶରଥି କକେଇ ଗେଡ଼ା ମଣିଷ । ବାତଜ୍ଵରରେ ଗୋଡ଼ହାତ ତାଙ୍କର ଫୁଲା ଫୁଲା ଦିଶେ । ଆଜି ତାଙ୍କ ବଂଶରେ ଦୁଇଟି ଝିଅଙ୍କର ଗୋଟିଏ ଲେଖା ପୁଅ । ସେ ଦୁହିଁଙ୍କ ପରିବାର ଛଡ଼ା ଆଉ କେହି ନାହିଁ । ତାଙ୍କ ଘର, ଡିହ ବାଡ଼ ଆମ ଘର ଡିହବାଡ଼ି ସଙ୍ଗେ ମିଶିଗଲାଣି । ପୁଣି ଆମ ଘର ବୋଇଲେ ଖାଲି ପଡ଼ିଛି । ମଣିଷ ସବୁ ବାହାରେ ।

 

ପିଲାଦିନୁଁ ମୁଁ କେବେ ଭୂତପ୍ରେତ କି ଆଉ କାହାରିକି ଭୟକଲା ଭଳି ତ ମନେ ପଡ଼ୁନି । ଟୀକାଦିଆକୁ ବା ଡରନ୍ତି କାହିଁକି ? ଉଜଳ ନାନୀଟା କିନ୍ତୁ ଟୀକା ନେଇଆସି ଘରଭିତରେ ଛାନିଆ ହୋଇ ଶୋଇପଡ଼େ । ସଙ୍ଗେ ସଙ୍ଗେ ତା’ ଦେହରେ ତବତି ପଶି ଜ୍ୱର ହୁଏ । ମୋର ମାମୁଁ ପୁଅ ଭାଇ ଓ ଅନ୍ୟ ସାଙ୍ଗସାଥୀମାନେ ଆସି ମୋତେ ଦେଖନ୍ତି—ମୁଁ ଟୀକା ନେଇସାରି ହାଣ୍ଡି ଶାଳ ଚାଳରେ ଓହଳି ଖେଳୁଛି ଦୋଳି ।

 

ସେମାନେ ଯେଝା ବାହାରେ ଚିରା ହୋଇଥିବା ରକ୍ତବୋଳା ଟୀକାକୁ ଚାହିଁ “ଆହା ଉହୁ” ହେଉଥାନ୍ତି । ମୋର ଦୋଳିଖେଳ ଦେଖି ସମସ୍ତେ କାବା ! ବୋଉ ତ ମୋତେ ହେତୁ ପାଇଲା ଦିନୁଁ ସବୁବେଳେ ସାହସ ଯୋଗାଇ ଆସିଛନ୍ତି । ଆଜି ମଧ୍ୟ ମୋତେ ଉଲୁଖା କରି ଉଜଳନାନୀ ଓ ଆଉ ପିଲମାନଙ୍କୁ ମୋ’ ଭଳି ନିର୍ଭୟ ହେବାକୁ ସେ ଉପଦେଶ ଦେଉଥାନ୍ତି—“ଦେଖ, ଦେଖ, ପୁଅକୁ ମୋ’ର । କେମିତି ଖୁସିରେ ଦୋଳି ଖେଳୁଛି । ଆଉ ତୁମେ ସବୁ ଏଡ଼େ ଡରକୁଳା ! ଛି, ଛି !”

 

ସେ ସମୟରେ ଯେଉଁ ଗୋବୀଜ ଟୀକା ଦିଆ ହେଉଥାଏ, ତାହା ବଡ଼ କଷ୍ଟଦାୟକ । ପ୍ରତି ବାହାରେ ତିନିଟି ଲେଖାଁ ଏପରି ଦୁଇ ବାହାରେ ଛଅଟି କ୍ଷତକରାଯାଏ । ସେ ପୁଣି ଗୋଟିଏ କରତଭଳି ଦାଢ଼ୁଆ ଛୁରି ସାହାଯ୍ୟରେ । ଗୋଟିଏ ଟୀକାପାଇଁ ସେଇ ଛୁରୀ ଦାଢ଼ରେ ତିନିଟା ଗାରକାଟି ସେ ଗାର ଉପରେ ଆଉରେ ତିନିଗାର ଛକି ପକାଇଲା ଭଳି ଚିରା ହୁଏ । ସେତେବେଳେ ପିଲାଗୁଡ଼ାକ ରଡ଼ି ଛାଡ଼ି ଚିଙ୍ଗୁଡ଼ି ପରି ଛଟପଟ ହୁଅନ୍ତି । ତା’ପରେ ତାଙ୍କ ବାହା ଯୋଡ଼ାକ ବେଙ୍ଗଫୁଲା ପରି ଫୁଲିଯାଏ ।

 

ଦେହରେ ତବତି ହୋଇ ଟୀକା ପାଚେ । ସେତେବେଳେ ନିମପତ୍ର ହଳଦି ବାଟି ଟୀକା ଉପରେ ଲଦାଯାଏ । ଦୁଇଟାଯାକ ହାତ ଅଚଳ ହୋଇପଡ଼େ ଚାରି ପାଞ୍ଚଦିନ ପାଇଁ । ସେଥିରେ କିଛି ଅସୁବିଧା ହୁଏନି । ବୋଉ ତ ଥା’ ନ୍ତି ଖୁଆଇ ଦେବାଠାରୁ ଆରମ୍ଭ କରି ସବୁ କାମ ତୁଲାଇ ଦେବାକୁ । ମୁଁ ଅବଶ୍ୟ ମୁହଁଭଡ଼ଙ୍ଗ କରି ଉଜଳନାନୀ ଆଗରେ ନିଜ ବାହାଦୁରୀ ଦେଖାଏଁ । କିନ୍ତୁ ସେ କଷ୍ଟ ଆଜି ପ୍ରାୟ ଷାଠିଏ ବର୍ଷ ପରେ ମଧ୍ୟ ମୋର ପାସୋର ଯାଇନାହିଁ । ପୁଣି ସେଇ ଚିହ୍ନକୁ ଦୁଇ ବାହାରେ ମୁଁ ଧରି ରଖିଛି ଆଜି ସୁଦ୍ଧା । ତା’ପରେ ଡାକ୍ତରଖାନାରେ ଶେଷ ବର୍ଷ ପର୍ଯ୍ୟନ୍ତ ଗୋଡ଼ ହାତ ପେଟ—କେତେଆଡ଼େ କେତେ ଯେ ଦାଗ, କେତେ ଯେ ଚିହ୍ନ ! ସେମ‌୍‌ତି ପୁଣି ଆଉ କିଏ ନ ଦେଖିଲା ଭଳି ମନ ଭିତରେ !

 

ସେ ସବୁକୁ ଉଖାରି ବସିଲେ ଦେହ ଓ ମନର ଗୋଟିଏ ମାତ୍ର ହୋଇପଡ଼େ—ଦାଗ ! ଖାଲି ଦାଗ !

 

ମଣିଷଠାରୁ ମହାନ୍

 

“ବୁଝିଲ ବାବୁ ! ବିଶ୍ୱନାଥପୁର ନୁହେ ଯେ ବିଷମପୁର, ଏ ଗାଁକୁ ସାହାବ ଟୀକାଦିଆ ନ ଆସିଲେ ଆଉ କିଏ କ’ଣ ପାରନ୍ତା କି ?”

 

ସ୍କୁଲ ମାଷ୍ଟର ନରସିଂହପୁର ଗାଁର ଲୋକନାଥ ମିଶ୍ରଙ୍କ ଟିପ୍ପଣୀ ଶୁଣି ବାଞ୍ଛାକକେଇଙ୍କ ଛାତି କୁଣ୍ଢେ ମୋଟ ହୋଇଯାଏ । ପାନଖିଆ ପାଚିଲା ଦାନ୍ତ ଦେଖାଇ ସେ କହନ୍ତି, “ହଁ ମାଷ୍ଟ୍ରେ, ଏ ଗାଆଁର ସବୁ ଛୁଆ ପରା ବିଛୁଆତି, ବିଶ୍ୱନାଥପୁର ଛୁଆଙ୍କୁ ସାଧ୍ୟ କରିବା ସହଜ ନୁହେଁ । ଗୋରା ସାହେବ ନ ଆସି ଆଉ କିଏ ଆସିଲେ ଦେଖିଥାନ୍ତ, କ’ଣ ହୁଅନ୍ତା । ଯେତେହେଲେ ପରା ବିଲାତି ଲୋକ ସେ ।”

 

ଖୁବ୍ ବେଶି ଡେଙ୍ଗା ନୁହେଁ କି ଗେଡ଼ା ନୁହେଁ, ବରଂ ଉଚ୍ଚରେ କମ୍, ଲମ୍ବରେ ଅଧିକ । ଆଖି ଯୋଡ଼ିକ ଟିକିଏ ବଡ଼ ବଡ଼ ଆଉ ବେଶ୍‍ ଉଜ୍ଜଳ । ସେଇ ଆଖିରେ ଯେମ‌୍‌ତି ସେ ଖାଲି ସବୁରି ବାହାରକୁ ତ ଦେଖେ ନାହିଁ, ଚିହ୍ନିପାରେ ତାଙ୍କୁ ଭିତରକୁ ସୁଦ୍ଧା । ମୋ ଭିତରକୁ ସେ ଏମ‌୍‌ତି ଚିହ୍ନି ପକେଇଥିଲା ଯେ, ବୋଧହୁଏ ସେମ‌୍‌ତି ଆଉ ଆଜିଯାକେ କେହି ପାରିନି । ସେଥିପାଇଁ ତା’ର ସେ ଚିହ୍ନାକୁ ମୁଁ ଯେବେ ଗ୍ରାସ କରି ପକେଇ ଥିଲି ବୋଲି କହେଁ, ତେବେ ବୋଧହୁଏ ଠିକ୍ ହୋଇପାରେ-। ତା’କଥା ଲେଖିଲାବେଳେ ତା’ର ସେଇ ଆଖି ଯୋଡ଼ାକ ଏବେବି ଯେମ‌୍‌ତି ଢଳଢଳ ଛଳଛଳ ହୋଇ ଚାହିଁଛି ମୋତେ । ନଇଲେ ତାକୁ ମୁଁ ପାସୋରି ପାରିନି ଆଜିଯାକେ କାହିଁକି ?

 

ହଁ, ଆଜିଯାକେ ପ୍ରାୟ ଷାଠିଏ ବର୍ଷ ପରେ ସୁଦ୍ଧା ! ମୋର ସେଇ ଆହାର ବିହାର ଶୟନ ସ୍ଵପନର ସାଥୀ । ମୋ ଜୀବନର ତ ସେ ଖାଲି ସତ୍ୟ ନୁହେଁ, ଶିବ ଆଉ ସୁନ୍ଦର । ଯାହାକୁ ଆମରଣ ଅତିକ୍ରମ କରିଯିବା ମୋହ ପକ୍ଷରେ ଅସମ୍ଭବ—ଅସମ୍ଭବ ଏଇ ବିରାଟ ସଂସାର-ଜଞ୍ଜାଳ ମଧ୍ୟରେ ସୁଦ୍ଧା ।

 

ସେହି ମୋର ପିଲା ବୟସର ଚିର ସହଚର ଟିପି ! ରଙ୍ଗଟି ତା’ର କସରା, ରୁମଗୁଡ଼ିକ କଅଁଳ, କାନଯୋଡ଼ିକ ଲମ୍ବ । ଟିକିଏ କେଉଁଠି ଖୁଡ଼୍-ଖାଡ଼୍ ହେଲେ ସେଇ କାନଯୋଡ଼ିକ ଠିଆ ହୋଇଯାଏ ଯେମ‌୍‌ତି ଅବା ଆପେ ଆପେ । ଆଉ ମୋ ମୁହଁରୁ ‘ଟିପି’ ବୋଲି ବାହାରି ପଡ଼ିବାକ୍ଷଣି ଝାଉଁଳି ପଡ଼େ ଲାଜକୁଳୀ ଲତା ଭଳି ଅବିକଳ ।

 

ବାପା ତାହାକୁ ମୋରିପାଇଁ ଆଣି ଦେଇଥାନ୍ତି ପୁରୀରୁ । ତାଙ୍କୁ କେବେହେଲେ ମୁଁ ମାଗିଥିଲି ବୋଲି ତ ମନେ ପଡ଼ୁନି । ତା’ଆଗରୁ କଙ୍କି ଧରି ତା’ ପଛରେ ସିଜୁ ଅଠାରେ ଘାସପତ୍ର ଯୋଡ଼ି ଉଡ଼ାଇବା, ନାନାରଙ୍ଗ ପ୍ରଜାପତି ପଛରେ ଗୋଡ଼ାଇବା, ସାଧବବୋହୂ, ପୋକ ଗୋଟାଇ ସିନ୍ଦୁର ଫରୁଆରେ ସାଇତିବା, ବଣି ଚଢ଼େଇ ଛୁଆକୁ ଧରି ପଞ୍ଜୁରି ଭିତରେ ପୋଷିବା ଥିଲା ମୋ’ର କୌତୁହଳ ଆଉ ଆଗ୍ରହର ସାମଗ୍ରୀ ।

 

ଏଣିକି ସବୁ କାମରେ ଟିପି ହେଲା ମୋ’ର ଚିର ସହଚର । ତା’ର ଖିଆପିଆ ଗାଧୁଆ ପାଧୁଆ ସବୁ କାମ ମୁଁ ତନଖି କରେଁ । ସେ ବି ସେମ‌୍‌ତି ସକାଳୁ ମୋ’ର ଶେଯରୁ ଉଠିବାବେଳୁ ରାତିରେ ଶୋଇବାକୁ ଯିବାଯାକେ ଲାଗି ରହିଥାଏ ପାଖେ ପାଖେ । ଯେଉଁଠି ତାକୁ ବସି ରହିବାକୁ କହିଥିବି ସେଇଠି ଜଗିଥିବ ସେ । ଆଉ ଯେତେ ଯେ କହୁ, ଟିପେ ସେଠାରୁ ସେ ଚଳିବ ନାହିଁ ମୋ’ର ହୁକୁମ ନ ପାଇବାଯାକେ । ପୁଣି ମୋ ମୁହଁରୁ ‘ଟିପି’ ‘ଟିପି’ ଡାକ ବାହାରିବାକ୍ଷଣି ଯେଉଁଠି ଥାଉ, ତୀର ବେଗରେ ଚମକି ଆସିବ ଅବା ରଙ୍ଗମଞ୍ଚରେ ପାତ୍ର-ପାତ୍ରୀଙ୍କ ଆବିଭାର୍ବ ଭଳି । ତା’ପରେ ନାଚି ନାଚି ଲାଙ୍ଗୁଳ ହଲେଇବ–ତା’ର ସେଇ ଚଅଁର ଭଳି ଝାମ୍ପୁଲା ଲାଙ୍ଗୁଳଟିକି । ଆଉ ମୋ’ରି ମୁହଁକୁ ଚାହିଁବ ଅନାବିଳ ଅସରନ୍ତି ସ୍ନେହ ବିଶ୍ୱାସ ଆସ୍ଥା ପୁରି ରହିଥିବା ବଡ଼ ବଡ଼ ଡୋଳା ଯୋଡ଼ିକରେ । ଆଜି ବି ଏଇ ମୂହୁର୍ତ୍ତରେ ଯେମ‌୍‌ତି ଅବା ସେ ଚାହିଁ ରହିଛି ମୁହଁକୁ ମୋ’ର ।

 

ପ୍ରାୟ ଷାଠିଏ ବର୍ଷ ପରେ ସୁଦ୍ଧା ସେଇ ମୁହଁ ଆଉ ଢଳଢଳ ଡୋଳାଯୋଡ଼ିକ ମୋ ଆଖିରେ ଅବା ନାଚୁଛି । ଆଜି ମଧ୍ୟ ଟିପି ପାଇଁ ମୋ’ର ମନ ଭିତରେ ଗୋଟାଏ ଭେକମ୍ ରହି ଯାଇଛି, ଯେଉଁ ଭେକମ୍‌ରେ ଆଉ କାହା କଥା କ’ଣ କହିବା, ପବନର ସୁଦ୍ଧା ସ୍ଥାନ ନାହିଁ—ବାୟୁ ଶୂନ୍ୟ ଆକାଶ—ମହାଶୁନ୍ୟ ଅନ୍ତରୀକ୍ଷ—ଯାହାକୁ ପାର ହୋଇ ମଣିଷ ଆଜି ଚନ୍ଦ୍ରଲୋକରେ ପହଞ୍ଚିଲା ଅଥଚ ଟିପି ଯେଉଁ ଭେକମ୍ ରଖିଗଲା ମୋର ମନଗହନରେ ତାକୁ କେବେହେଲେ ପାର ହେବାକୁ ମୁଁ ଯେ ନିରୁପାୟ, ନିଃସହାୟ ! ସତ କହିଲେ, ଟିପି ଭଳି ମୋତେ ଏମ‌୍‌ତି ଖାତିର୍ ଆଉ କେହି କେଉଁଠି ସେତେବେଳେ କରୁ ନଥିଲେ । ଆଜିଯାକେ ବି କରନ୍ତିନି ତ ସେଇଥିପାଇଁ ସେ ଥିଲା ମୋର ସର୍ବୋତ୍ତମ ଗର୍ବ । ଖାଲିତ ସେ ଖାତିର୍ କରେ ନାହିଁ-ତା’ଭଳି ଏତେ ଭଲ ମୋତେ ଆଉ କିଏ କେବେ ପାଇଛି କି ପୁରାପୁରି ନିଃସ୍ୱାର୍ଥ ଭାବରେ, ଟିକିଏ ସୁଦ୍ଧା ପ୍ରତ୍ୟାଶା ନରଖି ? ପୁଣି ମୁଁ ବି ତା’ଠାରୁ ଆଉ ବେଶି ଭଲ କାହାକୁ ପାଇଛି—ଭଲ କରି ଠିକେ ଠିକେ ତାହା ବୁଝିପାରିବା ମୋ ପକ୍ଷରେ । କଷ୍ଟକର ।

 

ବୋଉ ବାପା ଯେ ତାଙ୍କ ପୁଅ ଝିଅ ନାତି ନାତୁଣୀ କାହାକୁ ବେଶି କାହାକୁ କମ୍ ଭଲ ପାଆନ୍ତି—ବୁଝିବା ମୁସ୍କିଲ; ସେମତି ସ୍ତ୍ରୀ ପୁଣି ପୁତ୍ରକନ୍ୟା ବନ୍ଧୁମାନେ ମଧ୍ୟ । ମାତ୍ର ଟିପିରି ଭଲ ପାଇବା ଯେମ‌୍‌ତି ଅବା ଅହେତୁକ । ଆଜି ମଧ୍ୟ ମନ ଧାଇଁଛି ସେଇ ମୋର ନଅ ଦଶ ବର୍ଷ ବୟସ ପଛକୁ ଲେଉଟି ଯିବା ପାଇଁ, ଆଉ କାହାରିକି ନହେଲେ ସୁଦ୍ଧା ଟିପିକୁ ଥରେ ଭେଟିବା ପାଇଁ । ଭେଟିବାପାଇଁ ସେଇ ତା’ର ଅସୀମ ପ୍ରାଣ-ପ୍ରେମପୂର୍ଣ୍ଣ ଢଳଢଳ ଛଳଛଳ ଉଜ୍ଜ୍ୱଳ ଡୋଳା ଯୋଡ଼ିକୁ ।

 

ଯିବା ବାଟକୁ ମୋ’ର ଓଗାଳି ବସି ତା’ର ସେଇ ସରୁ ସରୁ ଆଗ ଦୁଇଗୋଡ଼କୁ ନମସ୍କାର କଲା ଭଳି ତଳେ ଥୋଇବା ଭାଙ୍ଗିଟିକି, ପଛପଟ ଝଙ୍କା ଲାଙ୍ଗୁଡ଼କୁ ଗୋଲିଆକରି ମୋଡ଼ି । ମୁହଁକୁ ମୋର ଗଭୀର ସ୍ନେହ ଦୃଷ୍ଟିରେ ସେଇ ଚାହିଁ ରହିବା ଠାଣିରେ ଯେମ‌୍‌ତି ଅଟକି ଯାଇଛି ଚିର ଚଞ୍ଚଳ ଅସୀମ ସମୟ !

 

କୁଆଡ଼େ ଟିକିଏ ଘରଛାଡ଼ି ପଦାକୁ ମୁଁ ପାଦ କାଢ଼ିବା କ୍ଷଣି କାହୁଁ ଚମକି ଆସି ବାଟ ଓଗାଳି ନ ଛାଡ଼ିବା ଭଙ୍ଗୀରେ ତା’ର ଅଳି, କେତେବେଳେ ମୋ’ର ଦି’ ଗୋଡ଼ ମଝିରେ ପଶି ଛନ୍ଦି ପକାଇବ, ନଇଲେ ଆଗରେ ସେମତି ବସିପଡ଼ି ଲାଙ୍ଗୁଳ ମୁହଁକୁ ମୋ’ର ଚାହିଁ । ତା’ ପାଖରେ ପୁଣି ଗା ଗୋଟାକର କୁକୁରମାନଙ୍କର କି ଯେ ଖାତିର୍, କି ଯେ ସମ୍ଭ୍ରମ ! ସେମାନେ ସମସ୍ତେ ଯେମ‌୍‌ତି କି ତା’ର ବଚସ୍କର ।

 

ଟିପି ଖାଲି ଗୋଟିଏ ଥର ଚାହିଁଦେଲା କି ଗୋଟିଏ ଥର ଭୁକି ଦେଲା,—ବାସ୍ ସେତିକି ଯଥେଷ୍ଟ । ଗାଁଟାର ସବୁ କୁକୁର, କିଏ ବୁଦା ମୂଳରେ, କିଏ ପୋଖରୀ ହୁଡ଼ାରେ, କିଏ ରାସ୍ତା କଡ଼ରେ ମୁଣ୍ଡ ନୁଆଁଇ ଲାଙ୍ଗୁଳ ହଲାଇ ଧୀରେ ଧୀରେ ଆଗ କିଛି ବାଟ ସନ୍ତର୍ପଣରେ ଚାଲି ତା’ପରେ ଦେ ଚମ୍ପଟ୍ । ମୋ ପାଇଁ ଭାତ ବଢ଼ା ହୋଇଥିବ, ଟିପି ଭୟରେ କେଉଁ ବିରାଡ଼ିର ହସ ଅଛି ଭାତଥାଳୀର ପାଖ ମାଡ଼ିବାକୁ ପୁଣି ! ଟିପି ନଥିବା ବେଳେ ଯେତେ ବିରାଡ଼ି ଭାତଥାଳି ପାଖରେ ନଡ଼ବଡ଼ ହେଉଥିବେ, ତା’ର ପାଦଶବ୍ଦ ଶୁଣିବା କ୍ଷଣି କିଏ କୁଆଡ଼େ ଭାଗିସ୍ । ଗୋରୁ ଗାଈ କୁକୁର ବିରାଡ଼ିଠାରୁ ଆରମ୍ଭକରି ମଣିଷଯାକେ କିଏ ଯେ ନଡ଼ରେ ଟିପିକୁ ।

 

ଘରେ ମୋ’ର ବୋଉ । ପୁଣି ଆଉ ସମସ୍ତେ ବି ଭାରି ସୁଖ ପାଉଥିଲେ ତାକୁ, ଅକ୍ଷିତୃତୀୟା ସକାଳେ ଶଙ୍ଖୁଆର ଶଙ୍ଖଶବ୍ଦ ଭିତରେ ଶ୍ରୀନିବାସ ଅବଧାନଙ୍କର ମଧୁରକଣ୍ଠ “ମଙ୍ଗଳମ୍ ଭଗବାନ୍ ବିଷ୍ଣୋ ମଙ୍ଗଳମ୍ ମଧୁସୂଦନ” ସ୍ଵରଟି ଯୋଡ଼ିହୋଇ ଥାଏ । ବିଲକୁ ଚିତ୍ର ହୋଇଥିବା ଅଖିମୁଠି ଧାନବେତା ଉପରେ ନାସିଲଗା ନଡ଼ିଆ ଥୁଆହୋଇ ସଭା ଉପରେ ନାଲି-ପାଟ ସଜାଇ ବିଲକୁ ବୁହାହୁଏ ।

 

ଚଷା ଭାଇ ଧାନବୁଣ୍

 

ମୁଁ ଚାଲେଁ ବିଲକୁ ପହଲି ଧାନ ବିହନ ମୁଠି ବୁଣିବାକୁ ! ମୋ ପଛେ ପଛେ ସେଇ ଶଙ୍ଖ ମହୁରୀ ରୋଷଣୀ ସାଙ୍ଗରେ ଚାଲେ ଟିପି, ବେଶ୍ ନିରବ ସଂଭ୍ରମରେ ଆସ୍ତେ ଆସ୍ତେ ପାଦ ପକାଇ; ଆଉ ଯେବେ ମୁଁ ଧାନବୁଣା ବେଳେ ବିଲକୁ ଯାଏଁ ତମେଇ ଭୋଇ ସାଥୀରେ, ତା’ପରେ ଗଉଣୀରେ ଧାନ ପୂରାଇ ବିଲଯାକ ବୁଣି ବୁଣିକା ଚାଲିଥାଏଁ ଏମୁଣ୍ଡ ହିଡ଼ରୁ ସେ ମୁଣ୍ଡ ହିଡ଼ିଯାକ ବିଲହିଡ଼ ବେଣାବୁଦା ମୂଳେ କେଉଁଠି ଲୁଚି ଝିଙ୍କାରୀ ଧରିଥାଏ ଗୋଟାଏ ଅଛିଣ୍ଡା ସ୍ୱର । ନେଳି ଆକାଶ ତଳେ ଧଳା ବଉଦର ପାତଳ ପର୍ଦ୍ଦ।ଉହାଡ଼ରେ ଶଙ୍ଖଚିଲ ତା’ର ଗେରୁଆ ଡେଣାକୁ ମେଲିଦେଇ ସେଇ ଅଛିଣ୍ଡା ସ୍ଵର ମଝିରେ ଶୁଣାଏ ତାହାକୁ ତୁହା ତୀବ୍ର ଚିତ୍କାର ।

 

ସେତେବେଳେ ଟିପିର ଦୌଡ଼ ଦେଖିବ କ’ଣ ! ସତେ ଅବା ସେ ଆପଣା ମନ ଖୁସିକୁ ସମ୍ଭାଳି ପାରୁନାହିଁ ମୋଟେ, ଗୋଡ଼ ଚାରିଟା ଯେମ‌୍‌ତି ତା’ର ମାଟିରେ କେଉଁଠି ଲାଗୁନାହିଁ ! ଆଉ ସେ ଖାଲିପବନ-ବେଗରେ ଭାସି ଭାସିକା ଛୁଟିଛି ଆଖି ପିଛୁଳାକେ ଗହୀର ଛୁଟିଛି ଆଖି ଏ କିଆରିରୁ ସେ କିଆରିକୁ !

 

ସେମ‌୍‌ତି ପୁଣି ଧାନବଛା କି ଲଙ୍ଗଳ ମରା ବେଳେ, କିଆରି ଭିତରେ ଆଣ୍ଠୁଏ ପାଣି ଠିଆ ହୋଇଥିବ। ଡମେଇ ଭୋଇ (ଭଲନାଁଟି ତା’ର ବୋଧେ ଡମ୍ବରୁଧର ଅବା ଅପତ୍ୟାଣି ନାଁ ‘ଡମ’ ହୋଇପାରେ; କିନ୍ତୁ ସମସ୍ତେ ଡାକନ୍ତି ଡମେଇ ଭୋଇ) ଲଙ୍ଗଳ କଣ୍ଟିରେ ହାତପକେଇ ପାଣି କାଦୁଅ ଚପର ଚପର ବିଲକୁ ଯିବେ ଏ ମୁଣ୍ଡରୁ ସେ ମୁଣ୍ଡଯାକେ ଛୋଟ ଛୋଟ ଧାନଗଛ ଭିତରେ ଲଙ୍ଗଳ ବୁଲାଇ ଆଣେ, ଟିପି ମଧ୍ୟ ମୋ’ ପାଖରୁ ଖସିଯାଇ ଡେଇଁ ପଡ଼ିବ ହିଡ଼ ଉପରୁ ବିଲ ଭିତରକୁ ଗୋଟାଏ କୁଦା ମାରି—ଆଉ ସେଇ ଚିକିଟା ମାଟିର କାଦୁଅ ପାଣିରେ ଲଟ୍‍ପଟ୍ ହୋଇ ଚାଲିଥିବ ହଳ ସାଥିରେ ପହଁରି ପହଁରି ।

 

ତା’ ପରେ ମୋ’ର ବିରକ୍ତିସୂଚକ ‘ଟିପି ଟିପି‘ ଡାକ ଶୁଣି ସେମ‌୍‌ତି ପାଣି କାଦୁଅ ସରସର ହୋଇ ନିଜ ରୂପରେ ହିଡ଼ ଉପରକୁ ଉଠିଆସି ନୀରବରେ ଶୁଣିବ ମୋ ଗାଳିଗୁଲଜ । ମୋ’ରି ଆଗରେ ଆପଣା ବାହାଦୁରୀଟା ଦେଖାଇବା ହିଁ ଯେମ‌୍‌ତି କି ତା’ର ଅସଲ ମତଲବ । ଆଉ ଯେମ‌୍‌ତି କି ଯାହା କିଛି କରିପାରେ ଏ ଦୁନିଆ ଭିତରେ ମୋତେ ଖାଲିଟିକିଏ ଖୁସି ରଖିବାପାଇଁ ସେ ।

 

ହାଇରେ ନିର୍ବୋଧ ପଶୁ ! ମୋ’ର କେଉଁ ବାଳୁତ ବୟସରୁ ତ ବିଦାୟ ଘେନି ଗଲୁଣି ତୁ ଚିରଦିନପାଇଁ-ଆଉରି ବିଦାୟ ଘେନି ଗଲୁଣି ଏଇ ଅତି ଅଦ୍ଭୁତ ଅତି ବିଚିତ୍ର ଦୁନିଆରୁ ମଧ୍ୟ ! ତୋରି ପରି ଆଉ ଗୋଟିଏ ଚତୁଷ୍ପଦ କି ଦ୍ୱିପଦ ପ୍ରାଣୀ ସଙ୍ଗେ କାହିଁ ଜୀବନରେ ତ ଭେଟ ହେଲାଭଳି ମନେ ପଡ଼େନି, ଯାହାର ଏକମାତ୍ର ଧ୍ୟାନ ମୋତେ ହିଁ ଖୁସି ରଖିବା, ନିର୍ଭୟ କରିବା । ଅଥଚ ଗୋଟାଦୁନିଆ ମୋତେ ଯେ ଖାଲି ଭୟ ଭ୍ରାନ୍ତି ଭିତରକୁ ପେଲି ଦେବା ପାଇଁ ତିଆର !

 

ମନେ ପଡ଼େନି ଆଜି ରୋଜ୍–ସକାଳୁ ମୁଁ ଶେଯରୁ ଉଠିଲା ପରଠାରୁ ତୋ ଛଡ଼ା ଆଉ କାହା ମୁଁହ ଆଗ ଚାହିଁଛି । ଆଉ କିଏ ମୋର ପାଖେ ପାଖେ ଲାଗି ରହିଛି । ରାତିରେ ପୁଣି ମୁଁ ଶେଯ ଉପରକୁ ଯିବା ପର୍ଯ୍ୟନ୍ତ ମୋର ସବୁ ମାଡ଼ଗାଳି ଖାଇ ସୁଦ୍ଧା ଆଉ କିଏ ସେ ଦଣ୍ଡେ ହେଲେ ପାଖ ଛାଡ଼ିନାହିଁ ତୋହ ପରି ?

 

ପବିତ୍ର ଭାଗବତ ଗ୍ରନ୍ଥରେ ପରା ଅଛି—ଧନ ଅର୍ଜିଲେ ଧର୍ମକରି, ଧର୍ମେ ପ୍ରାପତ ନରହରି-। ଜୀବନଯାକ ତ ଯାହା ଧନ ଅର୍ଜିଲି, ତାହା ନିଜ ଖର୍ଚ୍ଚକୁ ନିଅଣ୍ଟ, ତହିଁରୁ ଆଉ ଧର୍ମ କରିବାକୁ ବଳକା ରହିଲା । କେଉଁଠୁ ? ଧର୍ମପାଇଁ ପରା ଧନର କିଛି ନିଅଣ୍ଟ-ବଳକା ବିଚାର କରାଯାଏ ନାହିଁ ? କିନ୍ତୁ କହ ରେ ଟିପି ! ତୋ ସ୍ମୃତି କାହିଁକି ସବୁ ଧର୍ମ ଆଉ ଧନକୁ ବଳିତ ଦାଉ ଦାଉ ହୋଇ ଝଟକି ଉଠିଲା ମୋ ମନଭିତରେ ?

 

କାହିଁକି ସେ ସ୍ମୃତି ନିଭିଲା ନାହିଁତ ଆଜିଯାକେ ଆହୁରି ଅସଂଖ୍ୟ ସ୍ମୃତି ନିଭିଗଲା ଭଳି ! କହିଲୁ ଭଲା କାହିଁକି ? ମାତ୍ର ପୃଥ୍ୱୀସର୍ଜନା କାଳରୁ ଗୋଟାଏ ହେଲେ “କାହିଁକି”ର ଜବାବ୍ ମିଳିଲାନି ବି ଆଜି ପର୍ଯ୍ୟନ୍ତ !

 

ସତେ ସେଇ ଟିପି ଆଜିକି ଷାଠିଏ ବର୍ଷ ପରେ ବି ମୋର ଏ ବୟସରେ ସୁଦ୍ଧା ପଛେ ପଛେ ଗୋଡ଼ାଇଛି ଯେମ‌୍‌ତି ! ଯେତେ ମନା କଲେବି ମାନୁ ନାହିଁ ସେ, ଯେତେ ଖିଙ୍କାରି, ହେଲେ କି ଧମକେଇଲେ ଶୁଣୁନାହିଁ ସେ ଜମାରୁ । ସବୁ ଧିକ୍କାର ଧମକାଣରେ ବି ଆଗ ଭଳି ସେମ‌୍‌ତି ଆସ୍ତେ ଆସ୍ତେ ଚଅଁର ଢାଳିଲା ଭଳି ହଲାଉଛି ତା’ର ଝଙ୍କା ଲୋମଶ ଲାଙ୍ଗୁଳଟିକି । ଆଉ ସେଇ ଗୋଟାଏ ଯାଗାରେ ସେ ରହି ଯାଇଛି ସେ ଅବିକଳ—ଚିର କାଳପାଇଁ–

 

—ଯେଉଁଠି ସ୍ନେହଟା କେବଳ ଅବିକଳ, ଆଉ ପ୍ରେମଟା ନିପଟ ଦୁର୍ବୋଧ୍ୟ !

 

ଚୈତ୍ର ପୂର୍ଣ୍ଣମୀ ମେଲଣଟା ସେ ବର୍ଷ ଖୁବ୍ ଜମିଥାଏ ଆମ ଗାଁରେ । ବର୍ଷକୁ ବର୍ଷ ତ ତହୁଁ ବଳି ତହୁଁ ବଳି । ଚମ୍ପା, ରସକଦମ, ତୋପ, ବୋମା, ଚକ୍ରୀ, ହାବେଳି, ଫୁଲଝାଡ଼, ଚଢ଼େୟା-ଚଢ଼ଉଣୀ ନାଚ, ରାଜାରାଣୀ, ବୁଢ଼ା ବୁଢ଼ୀରୁପ, ବାଣ-ସବୁତ ମାସକ ଆଗରୁ ତିଆରି ପରଖ ହୋଇ ରହି ସାରିଛି ।

 

ଯେତେ ଯାହା ହେଉ ପଛେ ମନଟା ମୋର ସୁଖ ନ ଥାଏ, ଟିପିର ତୋଟି ଉପରେ କିମିତି ଗୋଟାଏ ଘା’ହୋଇ କେତେ ଦିନ ହେଲା ଭଲ ହେଉନି । ସବୁ ଉପାୟ ମୁଁ କରିସାରି ଥକିଲିଣି । ଏବେ ପୁଣି ଦି’ ଦିନ ହେଲା ଶୋଇଲାଠାରୁ ସେ ଉଠିପାରୁନି । ଯାହା କିଛି ଟିକିଏ ଖାଇବାକୁ ତା’ ପାଖରେ ରଖି ଦେଲେ ତାକୁ ଖାଲି ଶୁଙ୍ଘି ଦେଇ ପଡ଼ି ରହୁଛି ନିସ୍ତେଜ ହୋଇ ! ଟିପି ପୁଣି ପଡ଼ି ରହନ୍ତା ଏମ‌୍‌ତି !

 

ଶିରୁ ଭାଇନା, ପରମାନନ୍ଦ ପୁଣି ଆଉସବୁ ସାଙ୍ଗ ମେଳନ ତୋଟାକୁ ଗଲୁଁ । ଝାଞ୍ଜ, ମୃଦଙ୍ଗ, ସଂକୀର୍ତ୍ତନ, ଯାତ୍ରା-ସୁଆଙ୍ଗ, ଦୋକାନ ସଉଦା, ନାଚଗୀତ ଭିତରେ ଚାଲିଲା ପୁଣି ଆମ ପଇସାଖେଳ । ଶିରୁଭାଇନାଙ୍କ ତିଆରି ସେଇ ଛଅ ରଙ୍ଗରେ ଚିତ୍ରଘରମାନ ଅଙ୍କା ହୋଇଥିବା ଥାଳୀଭଳି ଗୋଲାପଟା ଖଣ୍ଡି ଉପରେ ଗୋଟାଏ କଣ୍ଟା ବୁଲି ବୁଲିକା ଯେଉଁ ଘରେ ଅଟକିଯାଏ—ଆଉ ସବୁ ଘର ପଇସାତକ ଆଣି ସେଇ ଜିତାପଟଘରେ ଲାଗିଥିବା ପଇସାର ଦି’ଗୁଣ ପଇସା ଦେବାକୁ ପଡ଼େ । ଶେଷରେ କିନ୍ତୁ ଖେଳାଉଥିବା ଲୋକର ଲାଭ ଛଡ଼ା ଲୋକସାନ ନାହିଁ । ଟିପିକଥା ମୋର ମନକୁ ଛୁଇଁଲା ସେଇ ଖେଳଟା ଜମିଆସିଲା ବେଳକୁ । ଖେଳ ଛାଡ଼ି ଫେରି ଆସିଲି ଘରକୁ । ବୋଉଙ୍କଠାରୁ ଶୁଣିଲି ଟିପି ଆଉ ନାହିଁ ।

 

ଝରଝରହୋଇ ଦି’ ଆଖିରୁ ମୋର ଛାଏଁ କିମିତି ଗଳିପଡ଼ିଲା ଲୁହ ଗୁଡ଼ାକ । ପଇସା ଖେଳରେ ସବୁଲାଭର ମହା ସୁଖ ଯେ ଟିପି ମରିଯିବାର ଏଇ ଗୋଟାଏ ଲୋକସାନରେ ଯେମ‌୍‌ତି ପାଣି ଫାଟିଯାଇ ମିଳେଇ ଗଲା ସେଇ ଲୁହ ଭିତରେ । ତା’ପରେ ଘରବାଡ଼ି, ଯାତ୍ରା ସୁଆଙ୍ଗ, ଝାଞ୍ଜ, ମୃଦଙ୍ଗ ସଂକୀର୍ତ୍ତନ ନାଦ ସୁଦ୍ଧା ଆକାଶ ପବନଠାରୁ ଆହୁରି ବେଶି ଶୂନ୍‍ଶାନ୍ ହୋଇ ପଡ଼ିଲା ଅକସ୍ମାତ୍ ।

 

Unknown

ପୁନରପି ଜନମ

 

ସ୍ମୃତି ! ସ୍ମୃତି ! ସ୍ମୃତି ! ଶ୍ରୂତି ପରିଣତ ହୁଏ ସ୍ମୃତି ରେ । ଶୁଣିବାକଥା, ଦେଖିବା ପୁଣି ଅଙ୍ଗେ ନିଭେଇବା ଘଟଣାରୁ କେତେ ଅଂଶ ଅବାସ୍ଥାନ ପାଇଥାଏ ସ୍ମୃତି ଭିତରେ !

 

ଦୁନିଆ ଉପରେ ପ୍ରତି ମୁହୂର୍ତ୍ତରେ କେତେ ଯେ ସ୍ମୃତିର ଉଦୟ ପୁଣି ବିଲୟ ! ଯେତିକି ପୁଣି ଅବଶେଷ ରହିଯାଏ—ତହିଁରୁ କେତେ ଯେ ଉଭେଇ ଯାଏ କୁଆଡ଼େ—ଡାକ୍ତର ଖାନା କି ପୋଲିସଥାନାର ଜନ୍ମ–ମୃତ୍ୟୁ ତାଲିକାଭଳି।

 

ଅବଶେଷ ହୋଇ ରହିଯାଅ ଖାଲି ତୁମେହିଁ -ସ୍ମୃତି ! ତାହା ସୁଦ୍ଧା କେତେ ବର୍ଷ ପୁଣି କେତେ ଯୁଗ ଅବା କେତେ ଦଣ୍ଡ ? ଏଇ ଅନନ୍ତ କାଳର ବ୍ଲାକ ବୋର୍ଡ଼ଟା ଉପରେ ତାହା ଚକ୍‍ଖଡ଼ିର ଅକ୍ଷର ସିନା, ତଥାପି ତୁମେ ରହିଯାଅ ପରା କ୍ଷୀଣରୁ କ୍ଷୀଣତର ପୁଣି କ୍ଷୀଣତମ ହୋଇ ସୁଦ୍ଧା ।

 

ତୁମକୁ ଘେନି ଇତିହାସ, ବିଜ୍ଞାନ, ଦର୍ଶନ—ଆଉ ସେ ସବୁକୁ ମିଶାଇ ଦେଲେ ହୁଏ ସାହିତ୍ୟ । ତୁମେଇ ପରା ଅତୀତ ଉପରେ ପ୍ରତିଷ୍ଠାକର ବର୍ତ୍ତମାନକୁ-ଗତିଉପରେ ପ୍ରଗତିକୁ, ଅସତ୍ ଉପରେ ସତ୍ୟକୁ । ତୁମେଇ ତ ଛିନ୍ନ କରିଦିଅ ଅତୀତ—ବର୍ତ୍ତମାନ-ପ୍ରବୀଣ -ନବୀନରେ ସବୁ ଫରକ । ତୁମେଇ ପ୍ରଜ୍ଞା, ବିଶ୍ୱର ନିରାଟ ନିବିଡ଼ ନିଘଞ୍ଚ, ଅଜ୍ଞାନ-ଅନ୍ଧକାର ଭିତରେ ଆଲୋକ ସଞ୍ଚାର କର କ୍ଷୀଣରୁ କ୍ଷୀଣତମ ମୃତ୍‍ପ୍ରଦୀପ ହୋଇ ଚିର କାଳ ।

 

ମୋର ନଅ-ଦଶ ବର୍ଷ ବୟସର ଏଇ ପାଳିତ ସାରମେୟ ଟିପିର ସ୍ମୃତି ଅହରହ ମୋତେ ଅନୁସରଣ କରେ ଚବିଶ ପଚିଶ ବର୍ଷ ବୟସ ପର୍ଯ୍ୟନ୍ତ । ଆଉ ସବୁ ସ୍ମୃତି ଭିତରେହିଁ ସେ ଅଧିକ ମାର୍ଜ୍ଜିତ ଜୀବନ୍ତ ହୋଇଉଠେ ଯେମ‌୍‌ତି ! ଆଉ ସେହି ନଅ ଦଶ ବର୍ଷ ବୟସରୁ ପଛେ ପଛେ ମୋର ଗୋଡ଼ାଇ ଶେଷରେ ତା’ର ପୁନର୍ଜନ୍ମ ଘଟେ ଏକ ଅଭାବନୀୟ ପରିବେଶ ମଧ୍ୟରେ । ଏଥିପାଇଁ ପୁନର୍ଜନ୍ମରେ ସଂସ୍କାରଗତ ସୁଦୂର ବିଶ୍ୱାସଟା ମୋର ଆଜି ପର୍ଯ୍ୟନ୍ତ ପରା ପୂରାପୂରି ନିଃଶେଷ ହୋଇପାରି ନାହିଁ ସହସ୍ର ଉଦ୍ୟମ ସତ୍ତ୍ୱେ । ଆଜି ଯେବେ ପ୍ରଥମ ପୃଥିବୀ ପରିକ୍ରମାରେ ବିଜୟୀ ହୁଏ ଗୋଟିଏ ଇତିହାସ ପ୍ରସିଦ୍ଧ ସାରମେୟ ‘ଲାଇକା’ ମନେହୁଏ ଯେମ‌୍‌ତି ସେଇ ଥିଲା ମୋର ଟିପି, ତା’ର ପୂର୍ବଜନ୍ମରେ । ଆଉ ମୁଁ ଏଯାଏ ବିଦେଶଭ୍ରମଣ ନ କଲେ ସୁଦ୍ଧା ମୋ ଟିପି ଯେ ପୃଥିବୀ ଭ୍ରମଣ କରିଛି ପୁଣି ଅନ୍ତରୀକ୍ଷରେ !

 

କଟକ ରେଭେନ୍ସା କଲେଜରୁ ବି.ଏ. ପାଶ୍ କରିବା ସଙ୍ଗେ ସଙ୍ଗେ ୧୯୨୬ରେ ମୁଁ ସମବାୟ ବିଭାଗରେ ମ୍ୟାନେଜର ଚାକିରି ପାଏଁ ଅତି ସହଜରେ । ସେତେବେଳେ ସମବାୟ ବିଭାଗଟି ଥିଲା ଅଧା ସରକାରୀ । ଓଡ଼ିଶାରେ ଉକ୍ତ ବିଭାଗରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍ ଥାନ୍ତି ସ୍ୱର୍ଗତ ଅବ୍‍ଦୁସ୍ ସମଦ୍ ଖାନ୍ । ପୁରୀ ସମବାୟ ବ୍ୟାଙ୍କର ଅଫିସ୍ ଆମ ରାମଚଣ୍ଡୀ ସାହି ଘର ପଡ଼ିଶା; ସେକ୍ରେଟାରୀ ଥାନ୍ତି ମୋର ବାପା ଭାଇନାଙ୍କର ଏକାନ୍ତ ବନ୍ଧୁ ସ୍ୱର୍ଗତ କ୍ଷେତ୍ର ମୋହନ ମହାନ୍ତି । କ୍ଷେତ୍ର ମୋହନ ବାବୁ ମୋତେ ତାଙ୍କର ସାନଭାଇ ଦୃଷ୍ଟିରେ ଦେଖୁଥିଲେ । ସେଇ ଆଗ ଛାଏଁ ମୋ ପାଇଁ ସମବାୟ ବିଭାଗରେ ଚାକିରୀ କରିବା ପ୍ରସ୍ତାବ କରନ୍ତି ।

 

ତା’ ପରେ ମୋତେ ସେ ସାଙ୍ଗରେ ଘେନିଯାନ୍ତି ପୁରୀ ସମୁଦ୍ର କୂଳେ ଆସି ରହୁଥିବା ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍‌ଙ୍କ ପାଖକୁ । ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍ ମୋ ନାଁ ସୁପାରିଶ କରନ୍ତି ବିହାର ପ୍ରଦେଶରେ ଅବସ୍ଥିତ ସାବୁର କୋ-ଅପରେଟିଭ୍ ଟ୍ରେନିଂ ଇନିଷ୍ଟିଚିଉଟ୍‍ରେ ଯୋଡ଼ିଏ ମାସ ସମବାୟ ଶିକ୍ଷା ପାଇବାପାଇଁ ।

 

ଭାଗଲପୁର ନିକଟ ସାବୁର କୃଷିଫାର୍ମଟି ଯେପରି ପ୍ରଶସ୍ତ, ସେଭଳି ମନୋରମ । ସେଠାରେ ଅବସ୍ଥିତ କୃଷିବିଦ୍ୟାଳୟ ଓ ସେଥିସଙ୍ଗେ ଛାତ୍ରାବାସ । ଚାରିଆଡ଼େ କଲମୀ ଆମ୍ବ, ସପେଟା,,ପିଚୁ, ପିଜୁଳିଗଛ ସବୁ ଝାମ୍ପୁରା ହୋଇ ସାବୁରକୁ ଏକ ବନବିଦ୍ୟାଳୟ ରୂପ ଦେଇଥାନ୍ତି ।

 

ଗ୍ରୀଷ୍ମଛୁଟିରେ ସାବୁର ବିଶ୍ୱବିଦ୍ୟାଳୟଟି ବନ୍ଦଥିବା ବେଳେ ସେଇଠି ଯୋଡ଼ିଏ ମାସପାଇଁ ବସେ ଅସ୍ଥାୟୀ ସମବାୟ ଶିକ୍ଷାକେନ୍ଦ୍ର । ବଙ୍ଗ-ବିହାର-ଓଡ଼ିଶାରୁ ଶିକ୍ଷାର୍ଥୀମାନେ ଆସି ଯୁଟିଥାନ୍ତି ସାବୁର କେନ୍ଦ୍ରରେ ନୂଆ ସ୍ଥାନରେ ନୂଆ ନୂଆ ବନ୍ଧୁତା ଜନ୍ମେ ।

 

ବଙ୍ଗ-ବିହାର-ଓଡ଼ିଶା ଆଗରୁ ଗୋଟିଏ ପ୍ରଦେଶ ଭାବରେ ଶାସିତ ହୋଇ ଆସି ପରେ ବିହାର ଓଡ଼ିଶା ବିଚ୍ଛିନ୍ନ ହୋଇଯାଏ ବଙ୍ଗରୁ; ତଥାପି ସାବୁର ସମବାୟ ଶିକ୍ଷାକେନ୍ଦ୍ରରେ ଓଡ଼ିଆ ବିହାର ଓ ବଙ୍ଗାଳୀ ଶିକ୍ଷାର୍ଥୀମାନେ ଏକାଠି ଯୁଟିଥାନ୍ତି । ଏହି ସୂତ୍ରରେ ମୋର କେତେ ଜଣ ବଙ୍ଗୀୟ ଅନ୍ତେବାସୀଙ୍କ ସଙ୍ଗେ ଘନିଷ୍ଠତା ଜନ୍ମେ ।

 

ସେମାନେ ଏହି ପ୍ରାଦେଶିକ ପୁନର୍ଗଠନକୁ ପସନ୍ଦ କରୁ ନଥିଲେ । ବିଶେଷ କରି ବଙ୍ଗ-ଓଡ଼ିଶାର ଭାଷାଗତ ପୁଣି କୃଷ୍ଟିଗତ ନିକଟସମ୍ପର୍କ ହେତୁ ବିହାର-ଓଡ଼ିଶା ଯୋଡ଼ା ହେବାଟା ଏକ ବିଡ଼ମ୍ବନା ବୋଲି ମୁଁ ତାଙ୍କଠାରୁ ଶୁଣେ । ତା’ ଆଗରୁ ଅବଶ୍ୟ ଉତ୍କଳ ସମ୍ମିଳନୀ ଗଢ଼ାଯାଇ ଓଡ଼ିଶାରୁ ବିଭିନ୍ନ ପ୍ରଦେଶରେ ଥିବା ବିଚ୍ଛିନ୍ନ ଅଂଶଗୁଡ଼ିକୁ ଆଣିବା ଆନ୍ଦୋଳନ ଚାଲିଥାଏ । ତା’ରି ଭିତରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବାର ପ୍ରଚ୍ଛନ୍ନ ଅକାଂକ୍ଷା ଥାଇପାରେ; ମାତ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବିଚ୍ଛିନ୍ନାଞ୍ଚଳର ଏକତ୍ରୀକ ରଣା

 

୧୯୨୬ ବେଳକୁ ଭାରତ ସ୍ଵାଧୀନତା ଆନ୍ଦୋଳନର ରୂପରେଖ ଅବଶ୍ୟ ପ୍ରକଟିତ ହୋଇ ଉଠିଲାଣି । ସେଥି ସଙ୍ଗେ ଆଞ୍ଚଳିକ ତଥା ପ୍ରାଦେଶିକ ସଚେତନତା ମଧ୍ୟ ଉଗ୍ର ହେଲାଣି କେତେ କ୍ଷେତ୍ରରେ ।

 

ସାବୁର ସମବାୟ ଶିକ୍ଷାକେନ୍ଦ୍ରରେ ମୋତେ ଜଣେ ବଙ୍ଗୀୟ ବନ୍ଧୁ ପଚାରିଲେ, “ଆପଣମାନଙ୍କର ବଙ୍ଗ ସହିତ ରହିବାକୁ ଇଚ୍ଛା ନା ବିହାର ସହିତ ?”

 

ଓଡ଼ଶା ଚାହେ ସ୍ଵତନ୍ତ୍ର ପ୍ରଦେଶ ହେବାକୁ, କାହାର ସାଥୀରେ ଗୁନ୍ଥା ହୋଇ ରହିବା ପକ୍ଷରେ ଆଦୌ ସୁଖକର ନୁହେ”—ମୁଁ ତାଙ୍କୁ ଉତ୍ତରଦିଏଁ ।

 

ମୋ କଥାଟା ତାଙ୍କ ମନକୁ ଟିକିଏ ଘେନିଲା ଭଳି ସେ କହନ୍ତି—“ବିଲ୍ କୁଲ୍ ଠିକ୍—ଜଣେ ଶୁଖାଇ ଖାଇଲେ ଆଉ ଜଣେ ତିନ୍ତାଇ ଖାଏ । ଏକାବେଳେ ଉତ୍ତରମେରୁ ଓ ଦକ୍ଷିଣମେରୁ ।” କଥାଟିର ମର୍ମହେଲା, ଜଣେ ଛତୁଖୋର ହେଲେ ଆଉ ଜଣେ ଯେ ପଖାଳଖିଆ । ଦୁହେଁ ତା’ ହେଲେ ଏକାଠି ରହିବେ କେମିତି ? କିନ୍ତୁ ଏଭଳି ସଂକୀର୍ଣ୍ଣ ପ୍ରାଦେଶିକତା ସବୁ ଦିନ ମୋ ପକ୍ଷରେ ଘୃଣ୍ୟ ! ତା’ର କାରଣ ହୁଏତ ଆପଣ ପ୍ରାଦେଶିକ ହୀନ ମନ୍ୟତା ।

 

ସେ ଦିନ ସାବୁର ସମବାୟ ଶିକ୍ଷାକେନ୍ଦ୍ରରେ ଓଡ଼ିଆ, ବିହାରୀ ଓ ବଙ୍ଗଳୀ ଶିକ୍ଷାର୍ଥୀମାନଙ୍କର ଗୋଟିଏ ମିଳିତ ଭୋଜିର ଆୟୋଜନ । ଶିକ୍ଷାକେନ୍ଦ୍ରରେ ଶିକ୍ଷକମାନେ ସମବାୟ ଦଶନର ଉଚ୍ଚତମ ଲକ୍ଷ୍ୟ ଉପସ୍ଥାପନ କରି ଜାତି-ଧର୍ମ-ଦଳମତ ନିର୍ବିଶେଷରେ ଏଇ ସଂସ୍ଥାରେ ସାମ୍ୟ ଓ ମୈତ୍ରୀ ଆଦର୍ଶକୁ ବହୁଜନ ହିତାୟ ଓ ବହୁଜନ-ସୁଖାୟ କରି ତୋଳି ଧରିଥାନ୍ତି ।

 

ସମବାୟ ଶିକ୍ଷାକେନ୍ଦ୍ରର ଭୋଜିରେ ହିନ୍ଦୁ ମୁସଲମାନ, ଓଡ଼ିଆ ବଙ୍ଗାଳୀ, ବିହାରି ଆଦି ସବୁ ଶିକ୍ଷାର୍ଥୀଙ୍କର ସହଯୋଗ । ଫିଷ୍ଟଲାଗି ମାଂସ ଯୋଗାଇବା ବେପାରୀଜଣକ ମୁସଲମାନ ! ଛଅ ସାତଟି ଜୀଅନ୍ତା ଛେଳି ଘେନି ସେ ଆସିଥାଏ ! ବୋଧ ହୁଏ ଆମ ହଷ୍ଟେଲ୍‌ର ମୁସଲ୍‌ମାନ୍ ସୁପରିଣ୍ଟେଣ୍ଡଟ୍‍ଙ୍କ ବରାଦ ଅନୁଯାୟୀ ।

 

କାରଣ ସେ ନିଜେ ଉପସ୍ଥିତ ରହି ଭୋଜିର ସବୁ ବ୍ୟବସ୍ଥା ଦେଖୁଥାନ୍ତି । ଟିକିକେ ସେ ରାଗନ୍ତି ପୁଣି ହସନ୍ତି । ତାଳପତ୍ର ତିଆରି ସିପାହୀ ଭଳି ସୁପରିଣ୍ଟେଣ୍ଡେଣ୍ଟଙ୍କ ଚେହେରାଟି ନକନକ ପାତଳା । ସେ ଦିନ ଆମ ଫିଷ୍ଟ୍ ପାଇଁ କେଉଁ ଖାସିଟାରୁ କେତେ ମାଂସ ବାହାରିବ ତାହା ତନଖି କରିବାକୁ ସେ ଖୁବ୍ ଉତ୍ସାହିତ ହୋଇ ପଡ଼ିଥାନ୍ତି । ତାହା ଭିତରେ ଆପଣ କାର୍ଯ୍ୟ ଦକ୍ଷତାର ପ୍ରମାଣ କରିବା ଅବଶ୍ୟ ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ବୋଲି ଆଜି ଅନୁମାନ କରାଯାଇପାରେ ।

 

ଗୋଟି ଗୋଟି କରି ପ୍ରତି ଛେଳିର ପେଟପଟୁ ଦୁଇହାତରେ ଟେକିଧରି ସେ ଓଜନ କଲେ-। ମତଲବ ସବୁରି ଆଗରେ ନିଜ ବାହାଦୂରୀ ପୁଣି ବିଚକ୍ଷଣତା ଦେଖାଇବା ପ୍ରତ୍ୟେକ ଖାସିର ପଛ ଫଡ଼ିଆ ଓ ଆଗ ଫଡ଼ିଆର ମୂଳପଟ ନିଜ ଆଙ୍ଗୁଠିରେ ଚିପି କେତେ ମାଂସ ସେଠାରେ ରହିଛି, ତାହା ଅନୁମାନ କରି ମହାଖୁସିରେ ସେ ଆମ ସମସ୍ତଙ୍କୁ ଚାହୁଁଥାନ୍ତି । ସେତେବେଳେ ସେ ଖାସିଗୁଡ଼ିକଙ୍କର ଆଖିକୁ ଚାହିଁ କିନ୍ତୁ ମୋତେ ଟିକିଏ କେମିତି ଲାଗିଲା ! ସେମାନେ ତାଙ୍କର ଆଶୁ ପରିଣାମ ବୋଧ ହୁଏ ବୁଝିପାରୁଛନ୍ତି । ଫାଶିଖୁଣ୍ଟିକୁ ଯିବା ଆଗରୁ ମଣିଷମାରୁ ଆସାମୀ ଯେମ‌୍‌ତି ଜାଣିପାରେ; କିନ୍ତୁ ଏହି ନିରାମିଷାଶୀ ପ୍ରାଣୀଗୁଡ଼ିକ ଅବା କେଉଁ ଦୋଷରୁ କାହାକୁ ମାରିଥିବା ଯୋଗୁ ଆଜି ଏ ଦଶା ଭୋଗିବାକୁ ଯାଉଛନ୍ତି !

 

ସେତିକିବେଳେ ଦୁଇଟା ଗୋଟାଏ ବୁଲା କୁକୁର ସବୁ କଥା ଜାଣିପାରି ଯେମ‌୍‌ତି ଆସି ଲଙ୍ଗପଙ୍ଗ ହେଉଥାନ୍ତି ଅବା ! ଶେଷ ଆଡ଼କୁ ଛେଳିଟାର ଖଣ୍ଡେ ଅଧେ ଠେଙ୍ଗି ମିଳିଗଲେ ତାକୁ ଧରି ଦାନ୍ତରେ ରେକେଟିବା ପାଇଁ ।

 

ସେ ଦିନର ଦୃଶ୍ୟଟା ମନରେ ମୋର କେଉଁ ଅଚେତନ ଅବସ୍ଥାରେ ଟିପି କୁକୁରର ସ୍ମୃତିକୁ ଓଟାରି ଆଣିଥିଲା । ଆଉ ବଛା ହୋଇଥିବା ଖାସିଟିର ଅସହାୟ ଆଖି ଯୋଡ଼ିକୁ ଚାହିଁ ଯେମ‌୍‌ତି ମୋର ଅନ୍ତରକୁ ଦୁହିଁ ଗୋଟାଏ ବିଳାପ ଧ୍ଵନି ବାଜି ଉଠିଥିଲା । ସେହି ରାତିରେ ସାବୁର ଅନ୍ତେବାସୀମାନଙ୍କ ସାଙ୍ଗରେ ବସି ଭୋଜି ଖାଇଲାବେଳେ ।

 

ସେଇ ପରିସ୍ଥିତିଟା ହିଁ ମୋର କଳ୍ପନାଲୋକରେ ତୁମୂଳ ପ୍ରଳୟ ସୃଷ୍ଟି କରି ପ୍ରାରମ୍ଭିକ ରୂପରେଖ ଘେନି ଥିଲା କ୍ଷୁଦ୍ରଗଳ୍ପ “ମାଂସରବିଳାପ !”

 

ସକଳତୀର୍ଥ ତୋ ଚରଣେ

 

ସେତେବେଳକୁ ମୋର ଜଣ କେତେ ପାଠକ ଜୁଟିଲେଣି । ତାଙ୍କ ଭିତରେ ମୋ ଲେଖା ବିଷୟରେ ଟିକିଏ ଅଧେ ବିଚାର ଆଲୋଚନା ଆରମ୍ଭ ହେଲାଣି ମଧ୍ୟ । ସେଥି ସଙ୍ଗେ ବଢ଼ିଚାଲେ ମୋର ଲେଖିବା ସ୍ପୃହା । କ୍ରମେ ସେଇ ସ୍ପୃହା ଏକ ପ୍ରକାର ନିଶାରେ ପରିଣତ ହେବାକୁ ଉଦ୍ୟତ ହୋଇପଡ଼େ ।

 

ସେଇ ଲେଖିବା-ନିଶା, ପାଠକ ପ୍ରାଣ ସହିତ ଲେଖକ ପ୍ରାଣକୁ ମିଶାଇ ଦେବା, ପାଠକର ଚିନ୍ତାଧାରା ସହିତ ଲେଖକର ଚିନ୍ତାଧାରା ମଧ୍ୟରେ ଯେଉଁ ନିବିଡ଼ ଯୋଗ ସୂତ୍ର ସ୍ଥାପିତ, ତାହାକୁ ନିକଟରୁ ନିକଟତର ପୁଣି ନିକଟତମ କରିପାରିବାର ଚରମ ସାର୍ଥକତା-ମଣିଷ ଚିନ୍ତାର ଅତୀତ–ବର୍ତ୍ତମାନ–ଭବିଷ୍ୟତ ମଧ୍ୟରେ ଯେଉଁ ନିରବଚ୍ଛିନ୍ନ ଛନ୍ଦ ସାହିତ୍ୟର ପରମ ଧର୍ମ ହୋଇ ରହିଆସିଛି, ଏକ ଅଖଣ୍ଡ ସାମଞ୍ଜସ୍ୟ ସ୍ଥାପନ କରି । ସେଇ ଧର୍ମରେ ସର୍ବଧର୍ମରେ ତ୍ୟାଗ ସଙ୍ଗେ ଆପଣାକୁ ସମ୍ପୂର୍ଣ୍ଣରୂପେ ଉତ୍ସର୍ଗ କରିଦେବାର ପ୍ରାଣପଣ ପ୍ରୟାସ ।

 

ସେଥିଲାଗି କେତେକ ଆନୁସଙ୍ଗିକ ଉପାଦାନ ମଧ୍ୟ ଉପହାସ୍ୟ ହୋଇପଡ଼ି ହାସ୍ୟରସର ଉଦ୍ରେକ କରିଥାଏ । କିଏ କଳିବ କେଉଁ ଆଦିମ କାଳରୁ ମଣିଷ ମନରେ ଅଙ୍କୁରିଲାଣି ଧର୍ମ । ପୁଣି ସେଇ ଧର୍ମ ସଙ୍ଗେ ଜଡ଼ିତ ହୋଇ ରହିଲାଣି ଅଫିମ ଗଞ୍ଜେଇ ମଦ ଧୂଆଁ ପତ୍ର ! ଦୁଇଟି ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ପୁଣି ଏତେ ପ୍ରାଚୀନ ଯେ ଧର୍ମଟାକୁ ହିଁ ଶେଷରେ କାର୍ଲମାର୍କସ୍ କହିଗଲେ ମଣିଷର ଅହିଫେନ । ଆଉ ସାହିତ୍ୟ ହେଲା ଯେ ସବୁ ଧର୍ମପ୍ରକାଶର ମୌଳିକ ଭିତ୍ତି !

 

ମାଦକ ଦ୍ରବ୍ୟମାନଙ୍କର ଅବତାର ମଧ୍ୟ ଅନେକ । ଧୂଆଁ ପତ୍ର ଯେମ‌୍‌ତି ବିଡ଼ି ସିଗ୍ରେଟ୍ ଗୁଣ୍ଡି ଗୁଡ଼ାଖୁ ଚୂନପତ୍ର ନାସ ଆଦି ଅନେକ ରୂପ, ଗଞ୍ଜେଇ ସେମ‌୍‌ତି ଭାଙ୍ଗ ମୋଦକ ଚିଲମ ରୁପରେ, ଅଫିମ ଗୁଲି ରୂପରେ ଦେବଦେବୀଙ୍କୁ ସୁଦ୍ଧା ପୂଜା କରାଯାଏ ଆମ ଦେଶରେ ଓ ଧର୍ମରେ ! ଭକ୍ତଗଣ ତା’ପରେ ସେବନ କରନ୍ତି ପ୍ରସାଦ । ଧୂଆଁ ପତ୍ରର କିନ୍ତୁ ଠାକୁରଙ୍କ ସହିତ ପ୍ରାୟ କିଛି ହେଲେ ସମ୍ପର୍କ ନ ଥାଏ । କୀଟ ପତଙ୍ଗ ପଶୁପକ୍ଷୀ ପକ୍ଷରେ ସୁଦ୍ଧା ତାହା ଅସ୍ପୃଶ୍ୟ, କେବଳ ମନୁଷ୍ୟକୁ ଛାଡ଼ି । ସେଥିଲାଗି ତାହା ସବୁମନ୍ତେ ମାରାତ୍ମକ ବୋଲି ଟଲଷ୍ଟୟ ଓ ଗାନ୍ଧି ପ୍ରମୁଖଙ୍କ ଘୋଷଣା ଓ ତାଗିଦ ଉତ୍ତର ପୁରୁଷମାନଙ୍କ ପ୍ରତି । ଅଥଚ ନିଜେ ସେଇ ଟଲଷ୍ଟୟ ତାଗିଦ୍ ନ ମାନି ସୁଦ୍ଧା ବଡ଼ ହେଲେ ଆଉ ଦେଖାଇଗଲେ ଯେ ତାଗିଦ୍ ନ ମାନିଲେ ମଣିଷ ବଡ଼ହୁଏ !

 

ଆମ ଗାଁରେ ଧୂଆଁ ପତ୍ର ଯେପରି ସାର୍ବଜନୀନ ଓ ସର୍ବକାଳୀନ, ଗଞ୍ଜେଇ ଅଫିମ ସେପରି ନୁହେଁ ଅବଶ୍ୟ; କିନ୍ତୁ ପୂଜା ପାର୍ବଣ ମେଳା ମଉଛବରେ ପିଲାଙ୍କ ଭିତରେ ସୁଦ୍ଧା ଭାଙ୍ଗ ପାଚକ ହୁଏ, ବଡ଼ଙ୍କଠାରୁ ଦେଖାଦେଖି । ପୁଣି ଗାଁ ପାଖରେ ଆମର ଶିବତୀର୍ଥ ଭୁବନେଶ୍ୱର । ଭୋଳାନାଥ ଶିବଙ୍କର ତ ଗଞ୍ଜେଇ ହେଲା କୁଆଡ଼େ ଚିରପ୍ରିୟ ବସ୍ତୁ ! ପୁରୀ ବନାରସ ଆଦି କେଉଁ ତୀର୍ଥ ସ୍ଥାନରେ ତା’ର ବହୁଳ ପ୍ରଚଳନ ନାହିଁକି ! ସବୁତୀର୍ଥ ଯେ ସାଧୁ ସନ୍ଥ ଯୋଗୀ ସନ୍ନ୍ୟାସୀମାନଙ୍କ ସାଧନ କ୍ଷେତ୍ର । ପୁଣି ସେ ସବୁ ପୁଣ୍ୟ ସ୍ଥାନରେ ଏଇ ନିରାମିଷ ଶାକଜାତୀୟ ପଦାର୍ଥର ଯେଭଳି ବହୁଳ ପ୍ରଚଳନ, ତୀର୍ଥଯାତ୍ରୀମାନଙ୍କୁ ଦେଖି ତ୍ରୀନାଥ ମେଳା ଓ ଭଜନରତ ଗ୍ରାମବାସୀ ଶାକଜାତୀୟ ଧୂଆଁ ପତ୍ର ବା ଗଞ୍ଜେଇ ଅଫିମକୁ ପ୍ରସାଦ ରୂପେ ସେବନ କରି ବିଚାରିବା ବିଚିତ୍ର ନୁହେଁ—ସକଳତୀର୍ଥ ତୋ ଚରଣେ —ବଦ୍ରିକା ଯିବି କି କାରଣେ !

 

ତ୍ୟାଗୀ ମହାପୁରୁଷ ମାନଙ୍କ ସହିତ ଗଞ୍ଜେଇର ଏତେ ନିବିଡ଼ ସମ୍ପର୍କ ଯେ କେଉଁ ସୂତ୍ରରୁ ପ୍ରତିଷ୍ଠିତ ହୁଏ, କିଏ ଜାଣେ ! ଉତ୍କଳ ମଣି ଗୋପବନ୍ଧୁଙ୍କ ମୁହଁରୁ ଏ ସମ୍ପର୍କରେ ଗୋଟିଏ କୌତୁକ କଥା ଶୁଣିଥିଲି । ପୁରୀ ପଥୁରିଆ ସାହିରେ ସେତେବେଳେ “ସମାଜ” ଅଫିସଟି ଥାଏ । ଦୁଇଜଣ ସନ୍ନ୍ୟାସୀ ଗାନ୍ଧୀଙ୍କ ବିଷୟରେ କଥାବାର୍ତ୍ତା କରୁଥିବାର ସେ ବର୍ଣ୍ଣନା କଲେ । ଉଭୟ ସନ୍ନ୍ୟାସୀ ଚିଲମ ଅଦଳ ବଦଳ କରି ଧୂଆଁ ଛାଡ଼ୁଥାନ୍ତି ।

 

ଜଣେ ସନ୍ନ୍ୟାସୀ କହୁଥାନ୍ତି -ଗାନ୍ଧୀ ତ ଘୋର ସଂସାରୀ, ତାଙ୍କର ସ୍ତ୍ରୀ ପୁତ୍ର ପରିବାର ଅନେକ । ତାଙ୍କୁ ଲୋକେ ତେବେ ତ୍ୟାଗୀ ସନ୍ନ୍ୟାସୀ ମହାତ୍ମା କହନ୍ତି କାହିଁକି ?

 

ଅନ୍ୟ ଜଣକ ତାଚ୍ଛଲ୍ୟ କରି ଉତ୍ତର ଦିଅନ୍ତି—ଆରେ ! ତୁମେ କ’ଣ ଜାଣିନ କି ? ସେ ଆମ ତୁମଠାରୁ ପରା ଢେର ବଡ଼ ସନ୍ନ୍ୟାସୀ, ତାଙ୍କ ଚିଲମ ଆମ ଚିଲମ ପରି ଆଙ୍ଗୁଠି ଲମ୍ବର ନୁହେ ମ, ତାହା ଏତେ ବଡ଼—କହି ଆପଣା ହାତର କହୁଣି ପର୍ଯ୍ୟନ୍ତ ଦେଖାଇ ଦିଅନ୍ତି ।

 

କହୁ କହୁ ଗୋପବନ୍ଧୁଙ୍କ ପ୍ରଗାଢ଼ ଦାଢ଼ି ଭିତରୁ ସୁନ୍ଦର ସୁଶ୍ରୀ ଦାନ୍ତଗୁଡ଼ିକରେ ଶିଶୁସୁଲଭ ଅସାୟିକ ଅକୁଣ୍ଠ ହସ ଯେମତି ଉଛୁଳି ପଡ଼େ । ଗଞ୍ଜେଇକୁ ଧୂମ ରୂପେ ସେବନ କରିବାଟା କିନ୍ତୁ ଉଚ୍ଚ ବଂଶୀୟ ସମାଜରେ ଯେଭଳି ନିନ୍ଦନୀୟ, ଭାଙ୍ଗ ରୂପେ ପାନ କରିବା ସେଇପରି ଚଳନୀୟ; କାରଣଟା ତା’ର କ’ଣ—ସେତେବେଳେ କି ଆଜିସୁଦ୍ଧା ମୁଁ ସମଝି ପାରିନି କିମ୍ବା ସମଝିବାକୁ ଚେଷ୍ଟା କରନି ।

 

ସେ ଯାହାହେଉ, ଭାଙ୍ଗପାଚକ ଥିଲା ସେତେବେଳେ ଆବାଳବୃଦ୍ଧବନିତା ସବୁରି ପକ୍ଷରେ ସେବ୍ୟ । ବିଶେଷ କରି ଭକ୍ତ ଜାତିର ଲୋକଙ୍କ ଭିତରେ ।

 

ଜନ୍ତାଳ ମେଳା ମଉଛବରେ କିଶୋର ପିଲାଙ୍କ ଭିତରେ ସୁଦ୍ଧା ମଝିରେ ମଝିରେ ଭାଙ୍ଗପାଚକ ହୁଏ । ମୋର ମାମୁଁପୁଅ ଭାଇ ଶ୍ରୀନିବାସ ଓ ଶ୍ରୀକର ଆଦି ଭୁବନେଶ୍ୱର ମଠକୁ ତ ବରାବର ଯିବା ଆସିବା କରନ୍ତି । ପୁରୀ, ଗୟା, ବାରାଣସୀ ଆଦି ବିଷ୍ଣୁ ତୀର୍ଥ ଓ ଶିବତୀର୍ଥମାନଙ୍କ ଭଳି ଭୁବନେଶ୍ୱରରେ ମଧ୍ୟ ଭାଙ୍ଗପାଚକ ଅଫିମ ଗଞ୍ଜେଇର ପ୍ରଚଳନ ଯଥେଷ୍ଟ । ସ୍ୱୟଂମଙ୍ଗଳମୟ ମହାଦେବ ଶିବଙ୍କର ତାହା ଚିରପ୍ରିୟ ଭୋଗ୍ୟବସ୍ତୁ ହୋଇଥିବା ହେତୁ ସେ ଭୋଳାନାଥ ନାମରେ ବିଖ୍ୟାତ । ତାଙ୍କ ଦେଖାଦେଖି ପୁଣି ବିଷ୍ଣୁ ମଧ୍ୟ । ଜଣେ ଶ୍ମଶାନବାସୀ ହେଲେ ତ ଅନ୍ୟ ଜଣଙ୍କର ଜଳଧି ଭିତରେ ଅନନ୍ତ ଶୟନ ! ଯେହେତୁ ତାଙ୍କର

 

ଏକ ଭାର୍ଯ୍ୟ ପ୍ରକୃତିମୁଖରା ଦ୍ୱିତୀୟା ସା ଚଞ୍ଚଳା

ପୁତ୍ରପ୍ୟେକୋ ତ୍ରିଭୁବନବିଜୟୀ ମନ୍ନଥୋ ଦୁର୍ନିବାରଃ

 

ଜଣେ ଧର୍ମପତ୍ନୀ ତ ସରସ୍ୱତୀ ସବୁବେଳେ ମୁଖରା କଳିହୁଡ଼ି ! ଆଉ ଜଣକ ମହାଲକ୍ଷ୍ମୀ ଯେ କେତେବେଳେ ବ୍ରିଟିଶ ଏମ୍ପାୟାରକୁ ଛାରଖାର କରି ପୁଣି ଆମେରିକାର ଡୋଲାର ସାମ୍ରାଜ୍ୟ—ଗଢ଼ୁଛନ୍ତି ଚାହୁଁ ଚାହୁଁ ଜଣେ ପୁଅ ମନ୍ମଥ-କନ୍ଦର୍ପ ଯେ, ତାହା ଭଳି ଅବାଧ୍ୟ ଅସଂଯତ ଅଶ୍ଳୀଳ ତ୍ରିଭୁବନ ବିଜୟୀ ଆଉ କେହିହେଲେ ନାହିଁ । ଅତଏବ ସେ ବିଚାର ସ୍ୱୟଂ ପୃଥିବୀ ତ୍ୟାଗୀ ହୋଇ ଓ ସର୍ପଙ୍କ ଭିତରେ ଶେଷ ଶଯ୍ୟା ରଚନାକରି ପୁଣି,

 

ସ୍ମାରଂ ସ୍ମାରଂ ସ୍ଵଗୃହଚରିତଂ ଦାରୁଭୂତୋ ମୁରାରି

 

ନିଜ ଘର କଥା ଭାବିଭାବିକା ଶେଷକୁ କାଠ ପାଲ୍‍ଟିଯାଇ ଦାରୁବ୍ରହ୍ମ ରୂପେ ପୁରୀ ମନ୍ଦିରରେ ପୂଜା ପାଉଛନ୍ତି ସିନା ! ବୋଧହୁଏ ଚତୁ ର୍ମୁଖଙ୍କୁ ଛାଡ଼ି ସ୍ୱୟଂ ବିଷ୍ଣୁ ଓ ମହେଶ୍ୱରଙ୍କର ଏହିଭଳି ଅନ୍ତିମ ଦୁର୍ଦ୍ଦଶା ଯୋଗୁଁ ତାଙ୍କର ତୀର୍ଥସ୍ଥାନମାନଙ୍କରେ ପୁଣି ତାଙ୍କରି ପୂଜକ ଭକ୍ତମାନଙ୍କ ମଧ୍ୟରେ ଗଞ୍ଜିକା ଓ ଅହିଫେନକୁ ଆଦର ମିଳେ ଅଧିକ । ଯାତ୍ରା ପର୍ବରେ ଅବଶ୍ୟ ତାହାର ବ୍ୟାପକତା ବେଶୀ ହେବାଟା ସୁସ୍ପଷ୍ଟ । ସେତେବେଳେ ତାହା ସ୍ୱୟଂ ଠାକୁରଙ୍କୁ ପୂଜାଉତ୍ସର୍ଗ କରାଯାଇ ରୀତିମତ ପବିତ୍ର ପ୍ରସାଦ ରୂପରେ ସେବ୍ୟ ! କାହାରି ହେଲେ ତହିଁରେ କିଛି ଆପତ୍ତି ଅଭିଯୋଗ କିମ୍ବା ବାଦ ପ୍ରତିବାଦ କରିବା ହେଲା ସ୍ୱୟଂ ଭଗବାନଙ୍କ ପ୍ରତି ଦ୍ରୋହାଚାର ଓ ବିରୁଦ୍ଧାଚରଣ !

 

ଏପରିକ ବ୍ରାହ୍ମଣମାନଙ୍କ ମଧ୍ୟରେ ଧୂମ୍ରପାନ ନିଷିଦ୍ଧ ଥିଲେ ମଧ୍ୟ ଭଜନ ଟୁଙ୍ଗିରେ ବସି ଆମ ବିଶି କକେଇ ସବୁ ଜାତିର ଲୋକଙ୍କ ମଧ୍ୟରେ ଚିଲମ ହସ୍ତାନ୍ତର କରି ପ୍ରସାଦ ସେବନ ପରେ ଖୁବ୍ ଜୋର୍‌ରେ ଖଞ୍ଜଣି ପିଟି ମୁଣ୍ଡ ଟୁଙ୍ଗାରି “ଶରୀର ଭେଦ ଭଜନ” ବୋଲନ୍ତି—“ବାୟାମନ, ମିଛ ମାୟାରେ କିମ୍ପା ହେଉ ଲଡ଼ବଡ଼, ଲଡ଼ବଡ଼, ଲଡବଡ଼, ଲଡ଼ବଡ଼ ।” ବ୍ୟାକରଣରେ “ଲଡ଼ବଡ଼” ଟା ଅବ୍ୟୟ ପଦ ବୋଧହୁଏ । ବିଶି କକେଇ ମୁଣ୍ଡ ହଲାଇ ଶବ୍ଦଟାର ପୁନଃ ପୁନରାବୃତ୍ତି କଲା ବେଳେ ମଧ୍ୟ ବିଶ୍ୱାସ ଜନ୍ମେ, ପ୍ରକୃତରେ ସେ ଶବ୍ଦଟାର ବ୍ୟୟ ନାହିଁ ପରା ।

 

ଭଜନଟିର ମର୍ମ ହେଲା—ସଂସାରରେ ମଣିଷ ଜନ୍ମି ଖାଲି ବୃଥାଟାରେ ଘାଣ୍ଟି ହୋଇ ଶେଷକୁ ମରିଯାଏ ସିନା, ତହୁଁ ଜାତି କୁଟୁମ୍ବ ବନ୍ଧୁ ବାନ୍ଧବ ଆସି ବାରଦିନ ପର୍ଯ୍ୟନ୍ତ ଶୁଦ୍ଧ ଶ୍ରାଦ୍ଧ କରି ଶେଷରେ ଯେଝା ଘରକୁ ଯିବା ପାଇଁ ବାହାରନ୍ତି—“ଧଡ଼ପଡ଼, ଧଡ଼ପଡ଼, ଧଡ଼ପଡ଼, ଧଡ଼ପଡ଼ !—ଓଡ଼ିଶାର ଗାଁଗଣ୍ଡା ଅନ୍ଧିସନ୍ଧିରେ ଏମ‌୍‌ତି ମନବୋଧ ଚଉତିଶାର ଦର୍ଶନ । ତହୁଁ ଖାଲି କଳାଶ୍ରୀମୁଖଙ୍କ ଦର୍ଶନ ମିଳିଲେ ସବୁ ମିଳିଗଲା—“ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ—ଘଟ ଛୁଟିଲେ ସର୍ବେ ବୋଲିବେ ଭୂତ ।” ଅର୍ଥାତ୍ ଘରଦ୍ୱାର ଧନସମ୍ପତ୍ତି ଯେତେ କମାଅ ପଛେ, ମଲା ପରେ ତେଣିକି ତ ଆଉ ତୁ ମଣିଷ ନୋହୁ, ଭୂତ ! ତେଣୁ ସବୁ ଛାଡ଼ି ଖାଲି କଳାଶ୍ରୀମୁଖଙ୍କ ପାଖରେ ଦେହ ମନପ୍ରାଣ ସବୁ ସମର୍ପିଦେ ।

 

ବର୍ଣ୍ଣାଡ଼ ଶ’ଙ୍କ ମତରେ ଯେମ‌୍‌ତି ଆମ ସାମ୍ବାଦିକତାର ଶତକଡ଼ା ଅନେଶତ ଭାଗ ମଦ୍ୟରୁ ଜନ୍ମଲାଭ କରେ—ଆମ ଧର୍ମ ଓ ସାହିତ୍ୟରୁ ଅଶୀଭାଗ ସେମ‌୍‌ତି । ଉତ୍ପନ୍ନ କରିଥାଏ ଗଞ୍ଜା ପୁଣି ଅହିଫେନ । ଆହୁରି ଆମ ରାଜନୀତିର ବହୁଳାଂଶ ଯେ କେଉଁ ନିଶା ଦ୍ରବ୍ୟରୁ ଉଦ୍ଭବ ନ ଘଟେ !

 

ପୁରୀରେ ଥରେ ଆମ ମଦ୍ୟପ ପଡ଼ୋଶୀଙ୍କୁ ବାପା ପଚାରିଥଲେ, “ଆଚ୍ଛା ବାବୁ ! ଆପଣ ଦିନରାତି ସବୁବେଳେ ଏ ନିଶାରେ ରହୁଛନ୍ତି କାହିଁକି ?”

 

“ଆପଣ କ’ଣ ଜାଣନ୍ତିନି କି ମୁକ୍ତାର ବାବୁ ! ସେଥିରୁ ଟୋପାଏ ଢୋକି ଦେଲେ ପରା ଷଣ୍ଡଗୁଡ଼ା ଛେଳି ଭଳି ମାଲୁମ୍ ହୁଅନ୍ତି ।”

 

ପିଲାଦିନେ ଆମର ଅବଶ୍ୟ ଷଣ୍ଡକୁ ଛେଳି ପରି ଦେଖିବା କି ମଣିଷକୁ ମେଣ୍ଡା ପରି ଦେଖିବା ଆଶାରେ ଭାଙ୍ଗପାଚକ ହୁଏ ନାହିଁ । ହୁଏ ଖାଲି ଟିକିଏ ଫୁର୍ତ୍ତି ଫାଜିଲାମି କରିବା ପାଇଁ ।

 

ସେଥର ଠିକ୍ ଚୈତ୍ର କି ବୈଶାଖ ମାସ, ମନେ ନାହିଁ । ପାଚକ ପାଣି ପିଇସାରି ପିଲାଯାକ ଚାଲିଲୁଁ ତୋଟାକୁ ମହୁ ଭାଙ୍ଗିବା ପାଇଁ । ସୁଲୁସୁଲିଆ ଚଇତି ବାଆଟା । ଗାଁଆ ମୁଣ୍ଡ ସଡ଼କ ଧୂଳିରେ ଏକ ଖଣ୍ଡିଆ ଭୂତ ସୃଷ୍ଟି କରିଥାଏ । କେତେ ଡାଙ୍ଗ ଶୁଖିଲା ପତ୍ର ଗୋଟାଇ ନେଇ ଚାହୁଁ ଚାହୁଁ ଘୁରି ଘୁରିକା ପୁଣି ହିଡ଼ବିଲ ଡେଇଁ ଡେଇଁକା ସେ ସାତକାବାଦତୋଟା ତଳେ କାହିଁ ଅନ୍ତର୍ଦ୍ଧାନ ହୋଇଯାଏ ।

 

ଆମ ଗୋଡ଼ଗୁଡ଼ାକ ଯେମ‌୍‌ତି ଅବା ସେଇ ଖଣ୍ଡିଆ ଭୂତ ପଛେ ପଛେ ହିଡ଼ ବାଟରେ ଛାଏଁ ଦଉଡ଼ିଯାଏ । ହିଡ଼ ପରେ କେତେ ହିଡ଼ ଡେଇଁ ଶେଷରେ ଆମେ ପହଞ୍ଚିଯାଉ ବାଆବଜା ଆମ୍ବ ତୋଟାରେ ।

 

ମଧୁ ବାତାଋତାୟତେ

 

ସବୁବେଳେ ସେଠାରେ ବାଆ ଖେଳି ବୁଲୁଥିବାରୁ ନାଆଁଟି ବୋଧହୁଏ ତା’ର “ବାଆବଜା”-। ତୋଟା ଭିତରେ ଗୋଟିଏ କୁଡ଼ିଆ—ଜଣେ ବାବାଜୀ କୁଆଡ଼େ ସେଠି କୁଡ଼ିଆ କରି ରହୁଥିଲେ । ପୁଣି ଗୋଟିଏ ସାନ ପୋଖରୀ ବି ଅଛି । ବେଶ୍ ନିଛାଟିଆ, ଭାରି ଭଲ ଲାଗେ ମତେ ସେଠାରେ ।

 

ତୋଟା ଚାରିପଟଯାକ ଖାଲି ବିଲ ପରେ ବିଲ ଲମ୍ବିଯାଇଛି । ଧାନକଟା ସରି କେଉଁଠି ଠାଏ ଦୁଇଠା ମୁଗ କିଆରି ହୋଇଛି । ବିଲ ଶେଷରେ ଗଛ ଗହଳି ଭିତରେ ଖଣ୍ଡେ ଖଣ୍ଡେ ଚାଳ ଛପର ଘର । ଶିଶୋଲ, ବୋଧଖଣ୍ଡି, ସାତକାବାଦ, ତୈଲିଚୌକା, ବାରିଜଙ୍ଗ, ସାହାଣୀ ସାହି, ଫକିରପଡ଼ା—ଏମ‌୍‌ତି କେତେ ଯେ ସାନ ସାନ ଗାଁ ଦୂର ନିକଟ ଗଛ ଗହଳିରେ ଲୁଚକାଳି ଖେଳନ୍ତି ଆମ ଗାଁ ନିଶ୍ଚୟ ସେ ସବୁ ! ତୁଳନାରେ ବଡ଼ । ସେଗୁଡ଼ିକ ଭିତରୁ ଅନେକ ହେଲା ଆମ ଗାଁଆର ପଡ଼ା ମାତ୍ର ।

 

ସୁଲୁସୁଲିଆ ଦକ୍ଷିଣା ପବନରେ ସବୁରି ଡୋଳାଗୁଡ଼ିକ ବେଶ୍ ନାଲିବୁଲି ଆସିଲାଣି ପାଚକ ପିଆ ହୋଇଥିବାରୁ-“ଆମର ନେତା ଶିରୁ ଭାଇନା—ଭୁଲୋ ମତ୍ । ଭୁଲୋ ମତ୍ !” କେତେବେଳେ ଗୋଟାଏ ଗଜା ଆମ୍ବ ଗଛରୁ ଡାଳିମହୁ ଖଣ୍ଡେ ଧରି ଆସି ମୋ ପାଖରେ ହାଜର । କି ମଜା !—ମହୁଫେଣା ଖଣ୍ଡେ ପାଟିରେ ପକାଇ ଜିଭରେ ସାମାନ୍ୟ ଚାପିଦେବା ମାତ୍ର ରସ ଗଳିତମ୍ ଥପମ୍ ଥପା ଏଇ ଅବସରରେ ! ଭିକାରିଟା କେତେବେଳେ ନିଜ ବାହାଦୂରୀ ଦେଖାଇବାକୁ ଯାଇ ଗୋଟିଏ ଗଜ। ଆମ୍ବ ଗଛରେ ଚଢ଼ି ଗଲାଣି । ତେଣିକି କାହାରି ହେଲେ ନିଜର ନାହିଁ । ନଜର ପଡ଼େ, ଯେତେବେଳେ ଶୁଣାଯାଏ ଗୋଟାଏ ବିକଟ ବିରଳ ଚିତ୍କାର ।

 

କିଏ ଭିକାରି ! ହେଲା କ’ଣ କି ?

 

କିଛି ହେଲେ ନାହିଁ ଜବାବ ।

 

ଖାଲି ସେହି ମୁଖ ବ୍ୟାଦାନ କରି କରୁଣ ଆର୍ତ୍ତନାଦ—ଏଁ, ଏଁ !

 

ତଳୁ ଶିରୁ ଭାଇନା ହୁକୁମ୍ କଲେ, କି ରେ ଓହ୍ଲେଇ ଆ ଭିକାରି, ହେଲା କ’ଣ ତୋ’ର ?

 

ଭିକାରୀ ଆସ୍ତେ ଆସ୍ତେ ଗଛରୁ ଖସି ଆସେ । ତାହା ପରେ ମୋ ଆଗରେ ଠିଆ ହୋଇ ସେ ବିକଟ ଲହ ଲହ ଜିହ୍ୱା ଦେଖାଇ ଚିତ୍କାର କରେ—ଏଁ -ଏଁ !

 

ଭୟରେ ଛାତିଟା ମୋର ଧଡ଼କିନା ପଡ଼େ—‘‘ଭିକାରୀଟା କେବେ ତ ଭାଙ୍ଗ ଖାଏନି, ଆଜି ତାକୁ ଦେଲି କାହିଁକି ଭଲା, ଶିରୁ ଭାଇନା ? ତା’ ଜିଭଟା ଆଉ କ’ଣ ପାଟି ଭିତରକୁ ପଶିପାରିବ ?” ଦୁଃଖ, ଲଜ୍ଜା, ଅନୁତାପରେ ମନଟା ମୋର ଭୟାର୍ତ୍ତ ହୋଇପଡ଼େ ।

 

“ଦେଉଥିଲା ସେଇଟାକୁ କିଏ କି, ଆପେ ଆସି ନିକୁଟି ସିକୁଟି ହେଲାରୁ କୁଣ୍ଡି ଧୁଆ ପାଣି ଚଳାଏ ତାକୁ ଦେଇଛି ସିନା, ଟିକିଏ ସତାର କର ସମସ୍ତେ । ଗୋଟିଏ ବ୍ରହ୍ମ ଚାପୁଡ଼ାରେ ସବୁ ପୁଣି ସଜାଡ଼ି ହୋଇଯିବ ଯେ—ଶିରୁ ଭାଇନା ମନ୍ତବ୍ୟ ଦିଅନ୍ତି ।

 

ବିରକ୍ତ ହୋଇ ପରମାନନ୍ଦ ଏଥର ତାକୁ ଆକଟ କରେ— “କି’ରେ ଭିକାରି ! ମହୁଖିଆ କେମିତି ମଜା ?”

 

ମୁକୁନ୍ଦ କହେ, “ସେ ତ ଆଗ କରି ବାହାଦୂରୀଟା ଆପେ ନେବ ବୋଲି କାହାକୁ ନ କହି ଚୁପ୍ ଚାପ୍ ଗଛ ଉପରେ ଚଢ଼ିଗଲା ସିନା, ହେଲେ ପୁଅ କିନ୍ତୁ ବିଛାମନ୍ତ୍ର ନ ଶିଖି ସାପ ଗାତରେ ହାତ ପୁରାଇ ଦେଇଛି । ଏବେ ପାଉଥା ଫଳ, ଖାଉଥା ମହୁ’’ ।

 

ମୋତେ ଏ ପରିହାସ ଆଦୌ ସୁଖ ଲାଗୁ ନ ଥାଏ । ଭିକାରୀ ବିଚରାର ହେଇଛି କ’ଣ ନ ବୁଝି ନ ପଚାରି ଏମ‌୍‌ତି ତାକୁ ଆକଟ କରିବା ନିଷ୍ଠୁରତା ବୋଲି ବନ୍ଧୁମାନଙ୍କ ବିରୁଦ୍ଧରେ ମୁଁ ଅଭିଯୋଗ କରେଁ । ଭିକାରି ପାଖକୁ ଯାଇ ଖୁବ କଅଁଳ ଦରଦଭରା ସ୍ୱରରେ ପଚାରିଲି, “କ’ଣ ହେଲା କି ଭିକାରି ?”

 

ଭିକାରୀ ବିଚରା ତ କିଛି ହେଲେ ଶବ୍ଦ ଉଚ୍ଚାରଣ କରିବା ଅବସ୍ଥାରେ ନ ଥାଏ । କିନ୍ତୁ ତା’ର ମୁଖବ୍ୟାଦାନ, ମଧ୍ୟରେ ଆମୁଳଚୂଳ ଜିହ୍ୱାଟିର ଦୃଶ୍ୟ ଏତେ ସୃଷ୍ପଷ୍ଟ ସ୍ମୃତି ହୋଇ ରହିଛି ଯେ, ଆଜି ମନେହୁଏ, ରୋଗୀର ଘଣ୍ଟିକା ଦେଖିବାକୁ ଉଦ୍ୟତ ଡାକ୍ତରଙ୍କ ପକ୍ଷରେ ଭିକାରୀକୁ ପରୀକ୍ଷା କରିବାକୁ ସେତେବେଳେ ଆଦୌ ଅସୁବିଧା ହୁଅନ୍ତା ନାହିଁ । ଅଥବା “ଏଁ—ଏଁ” କରିବାକୁ ମଧ୍ୟ ପରାମର୍ଶ ଦେବାକୁ ପଡ଼ନ୍ତା ନାହିଁ । ସେ ପର୍ଯ୍ୟନ୍ତ ଅବଶ୍ୟ କେହି ଡାକ୍ତର ମୋ ଆଖିଆଗରେ କିମ୍ବା ମନଭିତରେ ଉଦିତ ହୋଇ ନ ଥିଲେ । ମାତ୍ର ଭିକାରୀର ମୁହଁକୁ ଚାହିଁ ମୋର ମହା ଭୟ ଜାତ ହେଲା—ହୁଏତ ଆଉ କେବେହେଲେ ସେ ଭଲହେବ ନାହିଁ । ସବୁ ଦିନ ପାଇଁ ଜିଭଟା ତା’ର ଏମ‌୍‌ତି ରକ୍ତପାୟିନୀ, ନୃମୁଣ୍ଡମାଳିନୀ କାଳିଠାକୁରାଣୀଙ୍କ ବିକଟମୁହଁ ଭଳି ରହିଗଲା କି ! ସମସ୍ତେ ତାଟକା ! କେହି ହେଲେ ଭିକାରୀର ଏଇ ଅଦ୍ଭୁତ ରୋଗର ଡାଇଗ୍ନୋସିସ କରିପାରୁ ନଥାନ୍ତି ।

 

ସାହସୀ ଶିରୁଭାଇନା କିନ୍ତୁ ଭିକାରି ତୋଟିରେ ହାତ ପୂରାଇଦେଲେ ଚଟକରି । ତା’ ଭିତରୁ ଖଣ୍ଡେ ଅର୍ଦ୍ଧଭକ୍ଷ ମହୁଫେଣା ଆବିଷ୍କାର କରି ସମସ୍ତଙ୍କୁ ଦେଖାଇଲେ—ଦେଖ, ଦେଖ, ଚୋର କିମିତି ଧରାପଡ଼େ ! ଆହା ବିଚାରା ! ସମସ୍ତଙ୍କୁ ଲୁଚାଇ ପ୍ରାଣବିକଳରେ ମହୁଫେଣା ଖଣ୍ଡେ ପାଟିକି ପକେଇଦେଲା ସିନା, ତେଣିକି ଆଉ ଯାଏ କୁଆଡ଼େ ? ସାରୁ ଭିତରେ ମାରୁଥିବାର ତାକୁ କ’ଣ ଜଣାଥିଲା କି ?

 

ତହୁଁ ଭିକାରୀର ତୋଟି ଭିତରୁ ଆବିଷ୍କାର କରିଥିବା ଛୋଟ ମହୁଫେଣା ଖଣ୍ଡିକୁ ସବୁରି ଆଗରେ ଧରି ଶିରୁଭାଇନା କହନ୍ତି—“ଦେଖୁଛଟି ଏଇ ମହୁମାଛିକି ? ପୁଣି ତା’ର ଏଇ ଦାଢ଼ୁଆ ନାହୁଡ଼ଟାକୁ ? ତା’ରି ଯୋଗୁଁ ସିନା ଫେଣାଖଣ୍ଡ ପାଟିରେ ଅଟକି ପେଟଭିତରକୁ ଯାଇ ପାରିଲା ନି ବିଚରାର ହଁ ଦେଖ, ଦେଖ, ତା’ର ଏଇ ଜଳଜଳ ଆଖି ଯୋଡ଼ାକୁ, ଆଉ ତା’ର ଗୋଜିଆ ମୁହଁଟାକୁ—ଯହିଁରେ ବିଚରା ଭିକାରୀର ଠିକ ଘଣ୍ଟିକାକୁ ସେ ଲାଖକରି ବସେଇଛି ଚୋଟ । ସତଟା କେବେହେଲେ ଭଲା ଲୁଚିଗଲାଣି କି ? ଖାଇଲୁ ତ ଖାଇଲୁ—ଏମ‌୍‌ତି ଚୋରେଇ ଖାଇଲୁ କାହିଁକି ଭଲା ରେ ଭିକାରି !

 

କହିସାରି କଅଁଳା ବାଛୁରୀର ମୁହଁ ମେଲାକରି ଓ ଜିଭଟାକୁ ତା’ର ଓଟାରି ଧରି ପୋଟିଭିତରେ ଯେମ‌୍‌ତି ଭାତ ତୋରାଣି ଢଳାହୁଏ, ଭିକାରୀର ଥୋମଣୀକୁ ସେମ‌୍‌ତି ଫିଟାଇ ସିରୁଭାଇନା ଆମ ସମସ୍ତଙ୍କୁ ଦେଖାନ୍ତି— ଦେଖ, ଦେଖ ? ଘଣ୍ଟିକାଟା ତା’ର ବେଙ୍ଗପରି ଫୁଲିଛି କେମିତି ।

 

ସେଇ ଦିନ ବୋଧହୁଏ ମନେମନେ ଆଉ କେବେହେଲେ ଭାଙ୍ଗ ଖାଇବିନି ବୋଲି ମୁଁ ହଲପ ଘେନିଥିଲି । କାରଣ ସେଇଥିପାଇଁ ସିନା ଭିକାରୀ ବିଚାରର ଏତେ ବଡ଼ ଦୁର୍ଦ୍ଦଶା । ମାତ୍ର ଭୁଲାମନ ପୁଣି ଭୁଲିଯାଏ ସବୁ ପ୍ରତିଜ୍ଞା ପାଶୋରି ହେଲାଭଳି ।

 

ମୋର ଭାଙ୍ଗ ଖାଇବା ପୁଣି ଅନ୍ୟକୁ ଖୁଆଇବା ପ୍ରସଙ୍ଗରେ ଗୋଟିଏ ନଗଦ ଘଟଣା ଏଠାରେ ଉଲ୍ଲେଖ କରିବା ସମୀଚୀନ ମନେ କରେଁ—“ଡଗର” ପତ୍ରିକାରେ ପୂର୍ବରୁ ‘କଳନା”ଭଳି ମୋର ଆତ୍ମଜୀବନୀ ଧାରାବାହିକ ପ୍ରକାଶ ପାଉଥିବା ବେଳେ ପାଠକମାନଙ୍କ ପକ୍ଷରୁ ମିଳିଥିବା କେତେକ ପ୍ରଶଂସାପତ୍ର ମଧ୍ୟ ଛାପା ହୋଇଥାଏ । ସେଥିପ୍ରତି ଦୃଷ୍ଟି ଆକୃଷ୍ଟ ହୁଏ ଭୁବନେଶ୍ୱର ଗୋପବନ୍ଧୁ, ନଗରରେ ପ୍ରତିଷ୍ଠିତ “ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର” ସମ୍ପାଦକ ଓ ଯୁବକ ଲେଖକ ସମ୍ମେଳନର କବି ଶ୍ରୀ ଚକ୍ରପାଣି ଶତପଥିଙ୍କର । ସେ ମୋର ଜାତକ ଟିପ୍ପଣା ମଗାଇ ନେଇ ମୋ ପୂର୍ବଜନ୍ମର କେତେକ ଘଟଣା ଗଣନା କରିବାକୁ ମଧ୍ୟ ଉତ୍ସାହିତ ହୁଅନ୍ତି ଖୋଦ୍ “ଭୃଗୁସଂହିତା” ଅନୁଯାୟୀ । ଇହ ଜନ୍ମରେ ମୋ ଜାତକରୁ ଫଳାଫଳ ଉଲ୍ଲେଖ କରିସାରି ମୋ ପୂର୍ବଜନ୍ମର ଏକ ଜ୍ଞାତବ୍ୟ ଘଟଣା ଭୃଗୁସଂହିତାରୁ ଉଦ୍ଧାର କରି ସେ ଲେଖିଛନ୍ତି—

 

“ହେ ପୁତ୍ର ! ଏହି ପୂର୍ବଜନ୍ମରେ ବୃନ୍ଦାବନରେ ମନ୍ଦିରର ଜଣେ ପ୍ରଧାନ ପୂଜକ ଥିଲେ । ଥରେ ଜଣେ ଧନବାନ୍ ଯାତ୍ରିକୁ ଭାଙ୍ଗ ପିଆଇ ଦେଇ ତାହାର ସମସ୍ତ ଧନ ଅପହରଣ କରିନେବା ଫଳରେ ସେ ଅଭିଶାପ ଦେଲା—ତୋର ସାଂସରିକ ସୁଖ ନ୍ୟୂନ ହେଉ ।’’ ଫଳରେ ଏ ଜନ୍ମର ଦଶା-! ପୂର୍ବଜନ୍ମରେ ଜଣେ ଧନବାନ୍ ବୃନ୍ଦାବନ ଯାତ୍ରୀକୁ ଭାଙ୍ଗ ପିଆଇ ତାହାରି ସମସ୍ତ ଧନ ଅପହରଣ କରିନେବା ଫଳରେ ପରଜନ୍ମ ଲାଗି ମଧ୍ୟ ଆହୁରି ଅନେକ ଦୁର୍ଦ୍ଦଶା ଅର୍ଜି ସାରିଲିଣି ଓ ମୋର ଜନ୍ମାନ୍ତର ଲାଗି ଅନେକ ଉପାଦାନ ଯୋଗାଡ଼ କଲିଣି । କେଉଁ ଜନ୍ମରେ ତା’ ହେଲେ ମୋର, ହେ ହେ ଭଗବାନ ବୁଦ୍ଧ ! ନିର୍ବାଣ ଭଲା ସମ୍ଭବପର ? ଆଉ କେତେ ସହସ୍ର ଯୋନି ଏ ଅଧମ ଜୀବକୁ ବିଚରଣ କରିବାକୁ ହେବ ? ମୋର ଏଇ ଅଜ୍ଞ ଅପରାଧରୁ ପରିତ୍ରାଣପାଇଁ କ’ଣ କିଛି ହେଲେ ପ୍ରତିକାର ନାହିଁ ?

 

ପ୍ରତିକାରପାଇଁ ସ୍ଵୟଂ ଭୃଗୁମୁନି ଅବଶ୍ୟ ଏକ ପ୍ରେସ୍‍କ୍ରିପସନ୍ ଦେଇଛନ୍ତି ଯେ, “ଶ୍ରଦ୍ଧା ପ୍ରମାଣେ ବ୍ରାହ୍ମଣଙ୍କୁ ଭୋଜନ ଦେଇ ଗୁପ୍ତଭାବରେ ସ୍ୱର୍ଣ୍ଣଦାନ କଲେ ପୂର୍ବପାପ ଖଣ୍ଡନ ହେବ ।” ଅଥଚ ଲେଖକ ସ୍ଵୟଂ ଜଣେ ବ୍ରାହ୍ମଣ କୁଳୋଦ୍ଭବ ହୋଇଥିବାରୁ ଓ ପ୍ରତ୍ୟହ ଶ୍ରଦ୍ଧା ପ୍ରମାଣେ ଭୋଜନ କରୁଥବାରୁ ଅପର ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ଭୋଜନ ଦେବା ଆବଶ୍ୟକତା ଅନୁଭବ କରିପାରୁ ନାହିଁ । ପୁଣି ସରକାରଙ୍କ ସ୍ୱର୍ଣ୍ଣ-ନିୟନ୍ତ୍ରଣ ଆଦେଶ ବାତିଲ ହୋଇଥିଲେହେଁ ସୁନା ଦୋକାନକୁ ଯାଇ ପ୍ରକାଶ୍ୟରେ ସୁନା କିଣି ଗୁପ୍ତଭାବରେ ବ୍ରାହ୍ମଣକୁ ଦାନ କରିବା ପ୍ରବୃତ୍ତି ତାର ଜନ୍ମୁ ନାହିଁ । ଯାହାହେଉ, ଭୃଗୁମୁନିଙ୍କ ଗଣନାଭିତରେ ଏମ‌୍‌ତି ସବୁ ଅପ୍ରିୟ ସତ୍ୟ ରହିଥିବାରୁ ବୋଧହୁଏ ଆଧୁନିକ ବିଜ୍ଞାନର ପକ୍ଷପାତୀ ଲୋକେ ଜାତକ ପତ୍ରକୁ ପ୍ରକାଶ୍ୟରେ ମାନନ୍ତି ନି ପରା ! ଅପ୍ରକାଶ୍ୟରେ ମାନିଲେ ମାନୁଥିବେ ଅବା କୌତୁହଳ ପରବଶ ହୋଇ ମୋହରି ପରି ।

 

ଭାଙ୍ଗ ନିଶା ଯେ ମୃତ୍ୟୁକୁ ମଧ୍ୟ ପରିହାସ କରିଥାଏ, ସେ ଭଳି ଏକ ଗଳ୍ପ ଶୁଣିଥିଲି ମୋର ସ୍ଵର୍ଗତ କନିଷ୍ଠ ସହୋଦର ପରିହାସପ୍ରିୟ ଭଗବତୀଙ୍କ ମୁଖରୁ । ଶ୍ରୀ ଜଗନ୍ନାଥଙ୍କର ଅନେକ ସେବକ ତ ପୁରୁଷାନୁକ୍ରମେ ସପରିବାର ଭାଙ୍ଗପ୍ରିୟ ! ପୁରୀର ଜାଗା ଘରଗୁଡ଼ିକରେ ଖେଳ କସରତ ସହିତ ଭାଙ୍ଗ ପାଚକର ପ୍ରଚଳନ ମଧ୍ୟ ସୁପରିଚିତ (ଦକ୍ଷିଣ ଭାରତୀୟମାନଙ୍କ ମଧ୍ୟରେ ଗରମ କଫି ପାନୀୟକୁ ପ୍ରସ୍ତୁତ କରିସାରି ଗୋଟିଏ ତାମ୍ରପାତ୍ରରୁ ଅନ୍ୟ ପାତ୍ରକୁ ଉର୍ଦ୍ଧ୍ୱ, ବାହୁ ହୋଇ ଢାଳି ମିଶ୍ରିତ କଲାଭଳି ଭାଙ୍ଗକୁ ମଧ୍ୟ ସେମ‌୍‌ତି ଭଙ୍ଗାଯାଉଥିବାରୁ ବୋଧହୁଏ ସେପରି ନାମକରଣ ହୋଇଛି) । ଥରେ ବାଜି ମରାମରି ହୋଇ କେତେଜଣ ଯୁବକ ଭାଙ୍ଗ ପିଇଲେ । ତା’ପରେ ସେ ଚିର ନିଦ୍ରାରେ ଶୟନ କଲେ ।

 

ଖବର ପାଇ ବାପା ତାଙ୍କର ଏକମାତ୍ର ପୁତ୍ରକୁ ଦେଖିବାପାଇଁ ଆସନ୍ତି ଶେଷ ଶଯ୍ୟାରେ । ପ୍ରଥମେ ଆସି ପୁଅର ଆଖିପତାକୁ ଟେକି ଖୁସି ହୋଇ ପିତା ମନ୍ତବ୍ୟ ଦେଲେ “ଆଃ ! କେଡ଼େ ବଢ଼ିଆ ନାଲି ଉଠିଥିଲାଟି ପତାଯୋଡ଼ିକରେ ! ’’

 

ଆଉରି ଏକ ଗପ ଶୁଣେଁ ଯୌବନର ବନ୍ଧୁ ପୂର୍ଣ୍ଣାନନ୍ଦଙ୍କ ଠାରୁ । ପୁରୀଠାରୁ ଦୁଇ ତିନି କୋଶ ନିକଟବର୍ତ୍ତୀ ହରେକୃଷ୍ଣପୁର ଶାସନର ଜଣେ ବ୍ରାହ୍ମଣ ପୁରୀରେ ପାଚକ ପାନକରି ସନ୍ଧ୍ୟାରେ ସ୍ୱଗ୍ରାମକୁ ବାହୁଡ଼ନ୍ତି । ହରେକୃଷ୍ଣପୁର ଚନ୍ଦନ ପୋଖରୀ ନିକଟରେ ତାଙ୍କୁ ପରିସ୍ରାବ ଦେଖାଏ । ତା’ପରେ ଅତର୍କିତ ଭାବରେ ମୁହଁଟି ତାଙ୍କର ଗ୍ରାମାଭିମୁଖୀ ନ ହୋଇ ପୁରୀ ଅଭିମୁଖୀ ହୋଇପଡ଼େ-। ଶେଷରେ ମନ୍ଦିର ସିଂହଦ୍ୱାରରେ ଅର୍ଥାତ୍ ଯେଉଁଠାରୁ ସେ ଗ୍ରାମାଭିମୁଖୀ ହୋଇଥିଲେ, ସେଇଠାକୁ ଫେରିଆସି ଓ ବିସ୍ମୟରେ ଅଭିଭୂତ ହୋଇ ମନକୁ ମନ କହି ପକାନ୍ତି, “ଆରେ ! ଏତେ ରାତି ହେଲାଣି । ମୁଁ ଆଜି ଗାଁକୁ ଫେରିନାହିଁ !”

 

ପୃଥିବୀକୁ ଅପାର୍ଥିବ ପୁଣି ଜଗତକୁ ସ୍ଵପ୍ନମୟ ମଧୁର ଭାବରେ ଅନୁଭବ କରିବା ପାଇଁ ଏହି ରୂପେ ବହୁ ଉପାୟ ଉଦ୍‍ଭାବିତ । ସେ ଉଦ୍‌ଭାବନର କିଞ୍ଚିତ୍ ସଦୁପଯୋଗ କରିବାର ପରିବେଶ ଭିତରେ ମୁଁ ବଢ଼ିଉଠେଁ ତାହାର କୁପରିଣାମ କିମ୍ବା ସୁପରିଣାମ ଭୋଗ କରି ।

 

“ବାଷାର୍ଥ ପ୍ରତିପତ୍ତୟେ”

 

ଆମ ଅଞ୍ଚଳରେ ଦୋଳପୂର୍ଣ୍ଣିମୀ ହେଲା ଚାଷବର୍ଷର ଆରମ୍ଭ । ନୂଆ ମୂଲିଆ ନମଦ ହୁଅନ୍ତି ସେଇଠୁଁ ପୁଣି ବର୍ଷକପାଇଁ । ଠାକୁରଙ୍କ ପାଖରେ ଭୋଗ ଲାଗିଥିବା ଚଣାଖଜା ନେଇଯିବା ପରେ ମୂଲିଆ ସେଦିନୁଁ ସତ୍ୟକଲାଭଳି ଆଉ ତେଣିକି ତା’ର ଛାଡ଼ିଯିବା ଭୟ ନଥାଏ ।

 

ଠାକୁରଙ୍କ ପାଖେ ନୂଆ ଆମ୍ବକଷି ନ ଲାଗିବାଯାକେ ପଖାଳ ଭାତରେ ଆମ୍ବ ନସି ଭାଙ୍ଗିଖାଇବା ମନା । ସେଥିପାଇଁ ଆମ୍ବକଷି ପେନ୍ଥା ଖୋଜିଆଣି ଦୋଳ ଆଗରେ ଟାଙ୍ଗନ୍ତି । ଗାଁ ଦାଣ୍ଡ ବାଡ଼ିରେ ବାଡ଼ିରେ ଖେଳି ବୁଲୁଥାଏ ଆମ୍ବବଉଳର ମନମତାଣିଆ ମହକ । ଆଉ ତା’ ସାଙ୍ଗକୁ ଭଅଁରର ଭୁଁ-ଭୁଁ ଅଛିଣ୍ଡା ସ୍ୱର ।

 

ଦୋଳପୂର୍ଣ୍ଣମୀକୁ ଗାଁ ଦାଣ୍ଡ ଦୋଳବେଦୀ ଉପରେ ଗରାଏ ଭାଙ୍ଗ ବଟାହୋଇ ପୂଜା କରାଯାଏ । ଗାଁ ଭିତରେ ଫଗୁଦଶମୀଠାରୁ ଦିଅଁ ବାହାରି ସାହି ସାହି ବୁଲି ଭୋଗ ଖା’ ନ୍ତି । ଘରେ ଘରେ ଉଖୁଡ଼ା ହୁଡ଼ୁମ୍ବ ଖଜାଲଡ଼ୁ ବେତାଏ ଲେଖାଁ ଆଗରୁ ତିଆରି ହୋଇ ରହିଥାଏ । ଦାଣ୍ଡ ଦୁଆରେ ଦିଅଁ ବସିବାକୁ ବେଦୀ ଲିପାହୋଇ ତା’ ଉପରେ ନଡ଼ିଆ ଚାଞ୍ଚର ଛାମୁଁଡ଼ିଆ ।

 

ରାତି ଅଧରେ ଘଣ୍ଟାମାଦଳ ଶଙ୍ଖ କାହାଳୀ ପୁଣି ଝାଞ୍ଜ ମୃଦଙ୍ଗ ସଂକୀର୍ତ୍ତନ ଭିତରେ ଦିଅଁ ବିଜେ ହୁଅନ୍ତି ଚଉଦୋଳରେ ବସି । ବୋଉ ମୋତେ ନିଦରୁ ଉଠାଇ ଦିଅନ୍ତି । ନିଦ ମଳମଳ ଆଖିରେ ଦାଣ୍ଡ ପିଣ୍ଡାରେ ବସି ଦିଅଁ ଭୋଗଖିଆ ଦେଖେଁ ।

 

ଭୋଗ ସରିଲେ ଚଣ୍ଡ କାଢ଼ି ନେଇ କୀର୍ତ୍ତନୀଆଁ,ବେହେରା, ଘଣ୍ଟୁଆ, ଢୋଲିଆ, ଛତିତ୍ରାସ ଧରାଳୀ ପୁଣି ପଣ୍ଡା ପୂଜାରୀଙ୍କ ଭିତରେ ତାହା ବଣ୍ଟାଯାଏ ।

 

ତା’ ପରେ ଗୋପନି ପୂଜାରୀ ମାଦଳ ତାଳେ ତାଳେ ମୁଣ୍ଡ ହଲାଇ ଘଣ୍ଟିଆଙ୍କ ଘଣ୍ଟତାଳ ସଙ୍ଗେ ତାଳ ପକାଇ ନାଚିନାଚିକା ଠାକୁରଙ୍କୁ ନେଇ ଅନ୍ୟ ମକଦ୍ଦମଙ୍କ ଦୁଆରକୁ ବାହାରନ୍ତି । ଆଗ ଅବଶ୍ୟ ଠାକୁରେ ଭୋଗ ଖା’ନ୍ତି ବଡ଼ ମକଦ୍ଦମ ଭୋବନିଦଦେଇଙ୍କ ଦାଣ୍ଡଦୁଆରେ ।

 

ଆଜି ତାଙ୍କ ଘର ପୁରୁଷଶୂନ୍ୟ ଓ ଧନହୀନ ହୋଇ ପଡ଼ିଥିଲେ ହେଁ ପୂର୍ବପ୍ରଥାଟି ରହି ଆସିଛି ବଡ଼ ମକଦ୍ଦମଙ୍କ ଦୁଆରେ ଆଗ ଭୋଗ ।

 

ପୁର୍ଣ୍ଣମୀ ଭୋରରୁ ଦୋଳବେଦୀ ପାଖ ନଡ଼ା ତିଆରି ମେଣ୍ଢା କୁଡ଼ିଆରେ ନିଆଁ ଲଗାଯାଇ ତା’ ଚାରିପଟେ ଚଉଦୋଳଟି ଘଣ୍ଟମାଦଳର ତନାଘନା ବାଜା ଓ ଜ୍ୱଳନ୍ତ ମେଣ୍ଢା କୁଡ଼ିଆର ଘମାଘୋଟ ଧୂଆଁ ଭିତରେ କିଛି କ୍ଷଣ ଅଦୃଶ୍ୟ ହୋଇ ତା’ ପରେ ଦୋଳବେଦୀ ଚାରିପଟେ ସାତଘେରା ବୁଲିଆସେ । ତହୁଁ ଠାକୁରେ ଆସି ଦୋଳବେଦୀ ଉପରେ ଦୋଳି ଖେଳନ୍ତି ।

 

ଉପରଓଳି ଗଳବସ୍ତ ନାହାକ ଆସି ଠାକୁରଙ୍କ ଆଗରେ ଠିଆ ହୋଇ ନୂଆପାଞ୍ଜି ପଢ଼ନ୍ତି ।—ଏ ରାଜା ଭୋଗ କଲେ ୧୦୮ ବର୍ଷ,—ଏ ରାଜା ଭୋଗକଲେ ଶହେ ତିରିଶ ବର୍ଷ—ଏ ରାଜାଙ୍କ ଅମଳରେ ନଈରେ ଡଙ୍ଗା ପଡ଼ିଲା ।

 

ଦୋଳବେଦୀ ଉପରେ ଭଙ୍ଗାଘୋଟା ପାଖରେ ବସି ଦର୍ଶକମାନଙ୍କ ଭିତରୁ ଟିପ୍‌ପଣୀ ଶୁଣାଯାଏ—ସେ ପର୍ଯ୍ୟନ୍ତ ତା’ ହେଲେ ମଣିଷମାନେ ଏତେ ଡେଙ୍ଗା ଥିଲେ ଯେ ଡଙ୍ଗାର ଦରକାର ହେଉ ନଥିଲା । ଭାଷାତତ୍ତ୍ୱବିଦ୍ ଯୁକ୍ତି କରିପାରନ୍ତି— ଡେଙ୍ଗା ଓ ଡଙ୍ଗା ଦୁଇଟି ଶବ୍ଦ ସେଇ କାରଣରୁ ହିଁ ଏକା ଧାତୁରୁ ନିଷ୍ପନ୍ନ ପରା !

 

ଜ୍ୟୋତିଷ ସେ ଟିପ୍‌ପଣୀକୁ ସମର୍ଥନ କରି ପଢ଼ିଚାଲନ୍ତି ତାଳପତ୍ର ଖେଦା ଓଲଟାଇ—ଏ ବର୍ଷ ପିମ୍ପୁଡ଼ି ଦଶ ଭାଗ, ଜନ୍ଦା ପନ୍ଦରଭାଗ, ଡାଉଁଶ ତିରିଶ ଭାଗ, ଝିଣ୍ଟିକା ଷାଠିଏ ଭାଗ, ମଶା ଚାଳିଶି ଭାଗ ଇତ୍ୟାଦି ।

 

ତହୁଁ ପୁଣି ଟିପ୍‌ଣୀଚାଲେ— ତା’ ହେଲେ ଧାନ ଫସଲ ଏଥର ଝିଣ୍ଟିକାଦାଉରେ ଆଉ ଉଧେଇବ କ’ଣ ? ପୁଣି ମଶାଙ୍କପାଇଁ ଧୂଆଁ ଦେବାକୁ ଅଟେଇ ତିଆରିଲାଗି କୁଟା ଆଉ ଜଣେ ଟିପ୍ପଣୀ କରନ୍ତି । ପୁଣି ଚାଲେ ନ ହାକଙ୍କ ପାଞ୍ଜିପଢ଼ା—

 

କେଉଁ ରାଜା ପୁରୀ ଦେଉଳ ତୋଳାଇଲେ– ଆଉ କିଏ କୋଣାର୍କ, କିଏ ଭୁବନେଶ୍ୱର, କିଏ କାଠଯୋଡ଼ି ପଥରବନ୍ଧ— ଏମ‌୍‌ତି କେତେ କୀର୍ତ୍ତିଗାଥା ଓଡ଼ିଶାର ।

 

ଶେଷରେ କେଉଁ ରାଶିର ଆୟ କେତେ, ବ୍ୟୟ କେତେ, ତାହାର ସୁଦ୍ଧା ହିସାବ । ଆଉ ସେଇ ହିସାବ ଅନୁସାରେ ପରସ୍ପର ଭିତରେ ଟିପ୍‌ପଣୀ—’’

 

କି ହେ ଯଦୁ ! ତମର ପରା ବିଛାରାଶି ! ଦେଖିଲ ଟିକିଏ ଅବଧାନେ ବିଛାରାଶିର ଆୟ କେତେ ବ୍ୟୟ କେତେ !

 

ଅବଧାନେ ଆଗରୁ ଶିକ୍ଷାପାଇଥାନ୍ତି-ଖେଦା ଓଲଟାଇ ମୁହଁ ଶୁଖାଇ ପଢ଼ନ୍ତି–ବିଛାରାଶିକୁ ତ ଆଜ୍ଞା ଆୟ ପାଞ୍ଚ, ବ୍ୟୟ ତିରିଶ ଲେଖୁଛି । ଟୋକାଗୁଡ଼ାକ ପରିହାସ ବୁଝି ମୁହଁରେ ଗାମୁଛା ଗୁଞ୍ଜି ହସନ୍ତି । କିଏ ନାକପୋଛି ଆଉ କିଏ ତୁଚ୍ଛାଟାରେ କାଶି କିମ୍ବା ଛିଙ୍କ ପକେଇ ହସ ବନ୍ଦକରିବା ବାହାନା କରନ୍ତି ।

 

କ’ଣ କହିଲେ, ଆୟ ପାଞ୍ଚ ବ୍ୟୟ ତିରିଶ ?

ତେବେ ତ ଆୟଠାରୁ ବ୍ୟୟ ପଚିଶ ବଳିପଡ଼ିଲାଣି । କି ହୋ ଯଦୁ ?

 

ଯଦୁ ସେତେବେଳକୁ ରାଗରେ ତମ ତମ ହୋଇ ଉଠିଲେଣି । କିନ୍ତୁ ଏତେଲୋକଙ୍କ ଆଗେ କିଛି କହିପାରୁ ନଥାନ୍ତି । ଆଖିର ଡୋଳା ଯୋଡ଼ାକ ଖାଲି ଏଣିକି ତେଣିକି ଭୁଲିଯାଉଥାଏ ବନ୍ଧୁକ ନଳିର ମୁହଁଭଳି ।

 

ପାଚକପାଣି ଗରାରୁ ଢାଳକୁ ଓ ଢାଳରୁ ଗରାକୁ ଭାଙ୍ଗି ଶ୍ୟାମଭାଇନା କହନ୍ତି—କିରେ କାଳିଅଞ୍ଚ ? ଏ ଅଧିକା ପଚିଶ ତେବେ ଆଣିବୁ କେଉଁଠୁ ? ଏଥର ତା’ହେଲେ ଗାଁଯାକ ସମସ୍ତଙ୍କୁ ବାଡ଼ିବଗିଚା ନଡ଼ିଆ ବଗାତ ଆଉ ଧାନଗଦାସବୁ ଜଗାରଖା କରିବାକୁ ପଡ଼ିବ ସିନା । ରାତିରେ ତେବେ ଆଉ ନିଦ ହେବନି କାହାରିକି ?

 

ଅର୍ଥାତ୍ ଏବର୍ଷ ତାଙ୍କର ଅଭାବ ପୂରଣଲାଗି ସେ ଏଭଳି ଅସଦାଚରଣ କରିବେ—ଯହିଁରେ ଗାଁଯାକ ସମସ୍ତଙ୍କୁ ଦିନରାତି ଜାଗତିଆର ରହିବାକୁ ପଡ଼ିବ ଚୋରଭୟରେ !

 

ଦୁଇଟି ଅକ୍ଷର

 

ପରିହାସ ଭିତରେ ଶ୍ଲେଷ । ଯଦୁଙ୍କ ରଙ୍ଗଟା କଳାବୋଲି ତାଙ୍କପ୍ରତି ଏ ‘କାଳିଅଞ୍ଚ’ ଶବ୍ଦଟି ଶାମଭାଇନା ଗଢ଼ିଥାନ୍ତି । ଚିଡ଼ିଗଲେ ଯଦୁଙ୍କ ମୁହଁରେ କିନ୍ତୁ କିଛି ହେଲେ ବାଡ଼ବତା ରହେନାହିଁ ।

 

ରଘୁବଂଶ ମହାକାବ୍ୟର ମଙ୍ଗଳାଚରଣରେ କବି ଈଶ୍ୱରଙ୍କୁ ଶବ୍ଦବ୍ରହ୍ମରଅର୍ଥ ଓ ପାର୍ବତୀକୁ ବାଗଦେବୀ ବା ସେଇ ଶବ୍ଦ କିମ୍ବା ବାଣୀରୂପେ ବନ୍ଦନା କରନ୍ତି—ବାଗର୍ଥବିବ ସଂପୃକ୍ତୌ ବାଗର୍ଥ ପ୍ରତିପତ୍ତୟେ—ଜଗତଃ ପିତରୌବନ୍ଦେ ପାର୍ବତୀ ପରମେଶ୍ଵରୈ ।’

 

ପ୍ରଥମେ ଆଦ୍ୟାନାରୀଙ୍କୁ ‘ବାକ୍’ ଓ ଆଦିପୁରୁଷଙ୍କୁ ତାହାର ଅର୍ଥରୂପେ ତୁଳନା ଓଡ଼ିଆ ଭାଷାରେ କିନ୍ତୁ “ଶଳା” ଶବ୍ଦଟି ଯେ ପହିଲେ ଆବିଷ୍କାର କଲେ ତାଙ୍କ ଭିତରେ ରସବିରୋଧର କିଭଳି ଚିନ୍ତା ଉଦ୍ରେକ ହୋଇଥିଲା କେଜାଣି,—କିନ୍ତୁ ଆଦିରସ ପୁଣି ହାସ୍ୟରସ ସହିତ ରୌଦ୍ର ରସର ଏପରି ଏକ ଆଶ୍ଚର୍ଯ୍ୟ ମିଳନ ଉତ୍ତର ଭାରତୀୟ ଅନ୍ୟ କେତେ ଭାଷାଭଳି ଓଡ଼ିଆ ଭାଷାର ଆଉ କୌଣସି ଗୋଟିଏମାତ୍ର ଶବ୍ଦରେ ତ କାହିଁ ଏମତି ପ୍ରକାଶ ପାଇନାହିଁ ପରା ! କେବଳ ତସେତିକି ନୁହଁ କଟୂତିକ୍ତାଦି ଷଡ଼ରସ ପୁଣି ଶୃଙ୍ଗାରାଦି ନବରସ ଯେମ‌୍‌ତି ଏଇ ‘ଦୋଅକ୍ଷରୀ’ ବା ଯୋଡ଼ିଏ ମାତ୍ର ଅକ୍ଷରରେ ଠୁଳହୋଇଛନ୍ତି ଅବା ! ପୁଣି ସେ ଶବ୍ଦଟିର ବ୍ୟାପକ ଗଣତାନ୍ତ୍ରିକ ରୂପ ମଧ୍ୟ ବିସ୍ମୟକର । ଆଧୁନିକ ଅର୍ଥରେ ଶିକ୍ଷିତ କଲେ ଯାହାକୁ ବୁଝାଯାଏ, ସେମାନଙ୍କ ମୁହଁରୁ ଅବଶ୍ୟ ଏ ଶବ୍ଦଟି ଖୁବ୍ ବେଶୀ ଉଚ୍ଚାରିତ ହେବା ଔଚିତ୍ୟର ପରଚାୟକ ନୁହେଁ । ପୁଣି ଭାରତର ସ୍ଵାଧୀନତା ପରେ ଶବ୍ଦଟିର ପ୍ରୟୋଗ କମିଗଲା ପରି ହୁଏତ ମନେହୁଏ ପ୍ରତ୍ୟକ୍ଷରେ ଅନ୍ତତଃ । ପରୋକ୍ଷାନୁଭୂତି ଏଠାରେ ଅବଶ୍ୟ ବିଚାର୍ଯ୍ୟ ନୁହେଁ ।

 

ଗାଳି ଫଜ୍ଜିୟତିର ପୂର୍ବରୁପ ମଧ୍ୟ ଏବେ ଅନେକ ବଦଳି ଯାଇଛି । ତଥାପି ମନେକରିବାର ଅନେକ କାରଣ ଅଛି ଯେ, ଦୋ-ଅକ୍ଷର ସମ୍ବଳିତ ଏ ଶବ୍ଦଟାପ୍ରତି ତଥାକଥିତ ଭଦ୍ରସମାଜ ଭୟକରି ଖାଲି ତା’ଠାରୁ ଦୁରରେ ରହିବାକୁ ଲୋଡ଼ିଛି । ତା’ନହେଲେ ଆଧୁନିକ ଗଣତନ୍ତ୍ର ଯୁଗରେ ଏଭଳି ଗଣତାନ୍ତ୍ରିକ ଗୋଟିଏ ସୁଦ୍ଧା ଶବ୍ଦ ଆମ ଅଭିଧାନରେ ବିରଳ ପରା । ସେତେବେଳେ କିନ୍ତୁ “କୃଷ୍ଣ” ନାମବୋଲି ଯେଉଁ ଦି’ଅକ୍ଷର’ ଭଳି ଏଇ ଦୋଅକ୍ଷରୀ ଅନେକଙ୍କ ମୁଖର ଜପାମାଳୀ ହୋଇଥାଏ ।

 

ଏବେ ଅବଶ୍ୟ ମୁହଁରେ ନ ବିକି କିମ୍ବା ହାତରେ ନମାରି ଭିତରେ ମାରିବାର ଅନେକ ବାଟ ଫିଟିଗଲାଣି । ପୁଣି ବୋଧହୁଏ ଏ ଶବ୍ଦର ଅତୀତ ଇତିହାସ ବିଚାରରୁ ଯାହାଙ୍କ ସହିତ ସାକ୍ଷାତ୍ ‘ଶଳା’ ସମ୍ପର୍କ ସ୍ଥାପିତ ହେଉଛି, ତାଙ୍କୁ ସୁଦ୍ଧା ସେଇ ସମ୍ବୋଧନଟି କରଯାଉନାହିଁ । ଯେପରି କରାଯାଉଛି ବାପକୁ, ବାପା ଭାଇକୁ ‘ଭାଇ’, ଭଉଣୀକୁ ‘ଅପା’ କିମ୍ବା ‘ନାନୀ’ ପୁଣି ଦାଦୀ ଖୁଡ଼ୀ ପ୍ରଭୁତିଙ୍କ ପ୍ରତି ସମ୍ବୋଧନରେ । କେତେକ ସ୍ଥଳରେ ବଡ଼ଶଳାଙ୍କୁ “ଭାଇ” କିମ୍ବା ‘ଭାଇନା’ ସମ୍ବୋଧନ ମଧ୍ୟ ଶୁଣାଯାଏ।

 

ଶେଷକୁ ପୁଣି ଶବ୍ଦଟା ଏମ‌୍‌ତି ହୀନମନ୍ୟତା ବା ନ୍ୟୁନତାର ପରିଚୟ ଦେଲା ଯେ, ଆମ ଗାଁପାଖର ଜଣେ ମାତଦ୍ଦର ଲୋକ ତାଙ୍କ ଭଉଣୀମାନଙ୍କୁ ନିଜ ଘରଭିତରେ ବୁଢ଼ୀ କଲେ ପଛେ, ବିବାହ ଦେଇ ନ ଥିଲେ କାହାରି ହେଲେ ‘ଶଳା’ ହେବେନାହିଁ ବୋଲି ! ଆମର ଗାଁରେ ମଧ୍ୟ ବାପପୁଅ, ଭାଇଭାଇ , ଖୁଡ଼ି ତା ପୁତୁରା ସବୁରି ଭିତରେ ସେ ଶବ୍ଦଟାର ଅବାଧ ଗତିବିଧି ରହିଥିଲା-

 

ସେ ଶବ୍ଦଟିର ସାଧୁ ରୂପାନ୍ତର “ଶାଳକ” ହେଲେହେଁ ତାହାର ପ୍ରୟୋଗ ସ୍ଥାନବିଶେଷରେ କେବଳ ପରିହାସ ଛଳରେ ଶୁଣାଯାଇ ଥାଏ । ଆଉ କେଉଁଠି “ପୁଅଙ୍କ ମାମୁଁ” ବା ଗୃହିଣୀଙ୍କ ‘ଭ୍ରାତା’ ବୋଲି ପୟୋଗ କରାଯାଏ । ପୁଣି ନିଜ ପ୍ରତି ମଧ୍ୟ ବିରକ୍ତିରେ ସେଇ ଦୋ-ଅକ୍ଷରୀ ଶବ୍ଦଟି ବାହାରି ପଡ଼େ ବାରମ୍ବାର ।

 

ମନେହୁଏ ଯେମ‌୍‌ତି ସେଇ ଦୋ-ଅକ୍ଷରୀ ଶବ୍ଦଟିର କରାମତି କ୍ରମେ ଅତି ପ୍ରବଳ ହୋଇ ଆମ ସମାଜକୁ ଦୁଇ ଭାଗରେ ଫାଡ଼ି ଅଲଗା କରି ପକାଇଛି, ପୁଣି ପ୍ରକାଶ କରଛି ଆଧୁନିକ ସମାଜବାଦର ଶ୍ରେଣୀସଂଘର୍ଷକୁ । ଭାରତ−ସ୍ୱାଧିନତାର ପ୍ରାକ୍ କାଳରେ ସେଇ ଶ୍ରେଣୀ ସଂଘର୍ଷ ହିଁ ଏ ଦେଶରେ ପ୍ରଭାବ ପକାଇଥିଲା । ତାହାକୁ ହିଁ ଲକ୍ଷ୍ୟ କରି ସେତେବେଳେ ଗୋଟିଏ କବିତା ରଚନା କରେଁ— “କିଏ ଶଳା ସଇତାନ ?” ଶିରୋନାମାରେ ।

 

ଗାଁରେ ପିଲାଦିନଟି କଟାଇ ଏଇ ଶବ୍ଦ ସହିତ କାନ ମୋ’ର ଏତେ ବେଶୀ ଅଭ୍ୟସ୍ତ ହୋଇ ପଡ଼ିଥାଏ ଯେ, ଆଧୁନିକ ଓଡ଼ିଆ କବିତାରେ ସୁଦ୍ଧା ତାହାର ସ୍ଥାନ ନିରୂପଣ କରିବାକୁ ମୁଁ ସଙ୍କୋଚ ବୋଧ କରି ନଥିଲି । ବନ୍ଧୁ ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ ଏହି କବିତାଟି କଥା ମଧ୍ୟ ଉଲ୍ଲେଖ କରନ୍ତି । ତାଙ୍କ ଭଳି ସୁରୁଚିସମ୍ପନ୍ନ କବିଙ୍କୁ ଏହାର ରଚନା-ରୀତି ଅବଶ୍ୟ ଆଘାତ ଦେଇଥିବ କିନ୍ତୁ ଏକ ଉତ୍ତେଜକ ଉପାଦାନ ଭାବରେ ଏହା ଏକାଧିକ ରାଜନୈତକ ସଭା ସମିତିରେ ପଠିତ ଓ ଆବୃତ୍ତ ହୋଇଥିବା ସମ୍ବାଦ ମୁଁ ପାଇଥିଲି ।

 

କବିତାଟିର ପ୍ରଥମ ଦୁଇଧାଡ଼ି ହେଲା—

“ଜନ୍ମ ଆମର ମଣିଷ କୁଳରେ

ନାହିଁ ଇଜ୍ଜତ ମାନ

ଆମ ଝିଅ ବୋହୂ ସବୁରି ଶାଳୀ ହେଁ

ଆମେ ଶଳା ସଇତାନ !’’

 

ତାହା ପରେ ବ୍ୟାଖ୍ୟା କରାଯାଇଛି ପରବର୍ତ୍ତୀ ଧାଡ଼ିମାନଙ୍କରେ—

ବର୍ଷା ଖରାରେ ସଢ଼ୁ ଶୁଖୁଁ ଆମେ

ଯାହାପାଇଁ ଟେକି ଛତି

ନିଜ ଘରେ ଡାକି ଆଣୁ ଅନ୍ଧାର

ଯାହାପାଇଁ ଜାଳି ବତୀ !

ଯାହା ପିଲାପାଇଁ ଭୋଜନ ସଜାଡ଼ୁଁ

ନିଜ ପିଲାମାରି ଭୋକେ

ହଜୁର ମଣିମା ସା’ନ୍ତ ସେମାନେ

ଆମେ ବଜ୍ଜାତ ଲୋକେ !

ତାଙ୍କରି ଝିଅ ବୋହୂ ଜରି ଶାଢ଼ୀ

ପିନ୍ଧିବେ ବୋଲି,ଜାଣ

ଆମ ଝିଅବୋହୂ ସବୁରି ଶାଳୀ ହେ

ଆମେ ଶଳା ସଇତାନ ।”

 

କବିତାଟି ଅବଶ୍ୟ ଏଇଠି ଶେଷ ହୋଇନି । ଆଉରି ଅଛି । ଏହା ମୋର ପ୍ରାପ୍ତ ବୟସରେ ୧୯୪୪-୪୫ର ରଚନା । କଂଗ୍ରେସରେ ସେତେବେଳକୁ ସାମ୍ୟବାଦ ଦେଖାଦେଇ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ଅୟମାରମ୍ଭ । ପୁଣି ସୋସାଲିଜିମ୍ ଠାରୁ ଆହୁରି ଉଗ୍ରତର ଓ ତୀବ୍ରତର କମ୍ୟୁନିଜିମ୍ର ଆବିର୍ଭାବ ମଧ୍ୟ ଘଟିଥାଏ । ଜଣେ ଯୁବକ କଂଗ୍ରେସ ନେତା ସେତେବେଳେ ଥରେ ଏଇ ଶବ୍ଦଟିକି ଏକ ସାଧାରଣ ସଭାରେ ପ୍ରୟୋଗ କରନ୍ତି କୌଣସି ନରମପନ୍ଥି ପୁରୁଖା ଓକିଲ ନେତାଙ୍କ ବିରୁଦ୍ଧରେ । ସେଥିଲାଗି ସେ ସମାଲୋଚିତ ହୋଇପାରନ୍ତି । ପୁଣି ବିଧାନସଭା ଗୃହରେ ଏଇ ଶବ୍ଦଟି ଅବୈଧାନିକ (Unparliamentary) ବୋଲି ବାସନ୍ଦ ହୋଇପାରେ । କିନ୍ତୁ ଓଡ଼ିଆ ଭାଷାରେ ଏହା ମ୍ୟାଜିକ୍ ଭଳି ଆଶ୍ଚର୍ଯ୍ୟ ।

 

ସମ୍ପୂର୍ଣ୍ଣ ଅହିଂସ ରହି ଏଇ ଶବ୍ଦଟାହିଁ କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିଶେଷ ପ୍ରତି ଉଚ୍ଚାରିତ ହେବାକ୍ଷଣି—ସେ ଯେତେ ଉଚ୍ଚରେ ଉଡ଼ନ୍ତୁ ପଛେ—ଟେକା ମାଡ଼ରେ ଆମ୍ବ ଖସିଲା ଭଳି ବା ଗୁଳିଚୋଟରେ ଚଢ଼େଇ ପଡ଼ିଲା ପରି—ତାଙ୍କୁ ତଳକୁ ଝିଙ୍କିଆଣି ଏକାବେଳେ ସର୍ବସାଧାରଣ ସାମ୍ୟବାଦର ସ୍ତରଭୁକ୍ତ କରିପକାଏ । ଏକ ମୁହୂର୍ତ୍ତରେ ଏଇ ଶବ୍ଦଟି—ଅର୍ଥାତ୍ ତୁଣ୍ଡରୁ ଉଚ୍ଚାରିତ ହେବା ମାତ୍ରେ । ଅନ୍ତତଃ ସେଇ ଶବ୍ଦଟାକୁ ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ଶ୍ରେଣୀକୁ ତାକୁ ଓଟାରି ଘେନି ଆସେ । ଜଣେ ଉପର ପାହ୍ୟା ବ୍ୟକ୍ତି ତଳପାହ୍ୟା ଲୋକ ପ୍ରତି ସେଇ ଶବ୍ଦଟିକି ବ୍ୟବହାର କରିବାମାତ୍ରେ ସେଇ ତଳପାହ୍ୟାକୁ ହିଁ ତାଙ୍କୁ ସେ ଶବ୍ଦଟା ହଠାତ୍ ଝିଙ୍କି ଓଟାରି ଖସାଇ ପକାଏ । ଆମ ଗାଁରେ ମଧ୍ୟ ଥରେ ଏମ‌୍‌ତି ଗୋଟିଏ ଘଟଣା ଘଟେ ।

 

ଜଣେ ମକଦ୍ଦମଙ୍କ ମୂଲିଆ ସେ ଦିନ ଉଛୁର କରି କାମକୁ ଆସେ । ସେ ମକଦ୍ଦମ ହେଲେ ଉକ୍ତ ଶବ୍ଦଟିର ଭଣ୍ଡାର । କଥା କଥାକେ ତାହା ତାଙ୍କ ମୁଖରୁ ଅବଲୀଳା କ୍ରମେ ବାହାରିପଡ଼େ—ଏପରିକି ଆପଣା ଭାଇ-ବନ୍ଧୁ ବାପ ଖୁଡ଼ୁତା କୁଟୁମ୍ବ ସମେତ ନିଜପ୍ରତି ମଧ୍ୟ ବିରକ୍ତ ହେଲାବେଳେ ସେଇ ସମ୍ପର୍କଟା ସେ କାରଣ ଅକାରଣରେ ବସାଇ ଦିଅନ୍ତି ।

 

 

 

ପରିହାସପ୍ରିୟ ଗ୍ରାମବାସୀ ସେ ଶବ୍ଦଟିର ଏକ ନାମକରଣ କରନ୍ତି ଅନ୍ୟାନ୍ୟ ଅଶ୍ଳୀଳ ଶବ୍ଦ ଓ ଭର୍ତ୍ସନା ସହିତ—“ଦୋ-ଅକ୍ଷରୀ !”— ସେଇଠୁ ପୁଣି ଜନ୍ମ କୁଆଡ଼େ ‘ରାଧା’ ‘କୃଷ୍ଣ’ ‘ସୀତା’ ‘ରାମ’ ଜପମନ୍ତ୍ରର ! ସେ ଦୋ-ଅକ୍ଷରୀ ପରେ ଏ ଦୋ-ଅକ୍ଷରୀ ଜପ କଲେ ସବୁ ପାପଖଣ୍ଡନ ! କବି ଦୀନକୃଷ୍ଣଙ୍କ ଭାଷାରେ— “କୃଷ୍ଣ ନାମରେ ପାପ କ୍ଷୟ ଯେତେ,—କରି ନ ପାରେ ପାପ ପାପୀ ତେତେ ।”

 

ମୂଲିଆ ଉଛୁର କରି ଆସିବାରୁ ସେଇ ଶବ୍ଦ-ବାଣଟିକି, ସେଦିନ ତାହା ପ୍ରତି ସେ ବାରମ୍ବାର ପ୍ରୟୋଗ କରି ଲାଗିଲେ । ବିଚାରା ମୂଲିଆଟି ଦୁଇ ଆଣ୍ଠୁରେ ମୁହଁ ପୋତି ଚୁପ୍ ଚାପ୍ ବସି ରହେ । ଗାଳି ଉପରେ ଗାଳିବର୍ଷଣ ଚାଲିଥାଏ । ଶେଷରେ ମକଦ୍ଦମ ଗର୍ଜି ଉଠନ୍ତି ।

 

“କିବେ କ’ଣ କାମକୁ ଯିବୁନି ?”

 

“କିମିତି ଯିବି କହିଲ ସା’ନ୍ତ ?” ଶେଷରେ ମୂଲିଆ ମୁହଁରୁ ନରମ ସ୍ୱରରେ କଥା ବାହାରେ-।—“କିମିତି ଯିବି କହିଲ ସା’ନ୍ତ । ଭଉଣୀକି ମୋର ତମ ଘର ଭିତରେ ଛାଡ଼ି ଦେଇ ? ଆଜି ତାକୁ ସାଥୀରେ ନ ନେଲେ ଯିବି କୁଆଡ଼େ ? ବୋଉ ପରା କହିଛି—“ଆଉ ସମ୍ଭାଳି ନ ପାରି ଜବାବ ଦିଏ—“ଉଛୁର କରି ଆସିଲି ପରା ମୋ ଭଉଣୀକୁ ନେବାପାଇଁ ଭିଣୋଇଙ୍କ ଘରୁ ଆମ ଘରକୁ । ବୋଉ କହିଛି—ସହଳ ପଠେଇ ଦିଅ ।” ମକଦ୍ଦମ ତାହାପ୍ରତି ଏ ଶବ୍ଦଟି ବ୍ୟବହାର କରିବାରୁ ହେଲେ ତା’ର ହକ୍‌ରେ ଭିଣୋଇ, ଆଉ ତାଙ୍କ ସ୍ତ୍ରୀ ହେଲେ ତ “ଶଳା”ର ଭଉଣୀ ମଧ୍ୟ ।

 

ସେଇ ଶବ୍ଦକୁ ଆପଣା ପ୍ରତି ବ୍ୟବହାର କଲେ ତହିଁରେ ଥାଏ ଆତ୍ମଧିକ୍କାର, ଅନୁତାପ, ଅନୁଶୋଚନାର ଭାବ— ଯାହା ଫଳରେ ଆତ୍ମସଂଶୋଧନ ବା ଆତ୍ମଶୁଦ୍ଧିର ପ୍ରକ୍ରିୟା ଆରମ୍ଭ ହୁଏ ହୁଏତ । ପୁଣି ନିଜପ୍ରତି ସୁଦ୍ଧା ସେ ଶବ୍ଦର ବ୍ୟବହାର କରିବା ଉଦାହରଣ ତ ବିରଳ ନୁହେ !

 

“କଂଗ୍ରେସର” ଓଡ଼ିଆ ରୂପାନ୍ତର “ସମୂହବାଦ” କରାଗଲେ “ସୋସାଲଜିମ୍”କୁ “ସମାଜବାଦ” ଓ କମ୍ୟୁନିଜିମ୍‍କୁ “ଶ୍ରେଣୀ-ସଂଘର୍ଷବାଦ” କୁହାଯାଇ ପାରେ । କିନ୍ତୁ ଭାରତୀୟ ପ୍ରତି ଆଞ୍ଚଳିକ ଭାଷାରେ ଏ ସବୁର ଅନୁବାଦ କଲେ ଦେଶକେ ଫାଁଙ୍କ ନଈକେ ବାଁଙ୍କ କିଏ ଯେ ଶେଷରେ କୁଆଡ଼େ ଯାଇ ପହଞ୍ଚିବେ ତା’ର କିଛି ପତ୍ତା ରହିବ ନାହିଁ । ତେଣୁ ଏହି ବୈଦେଶିକ ନାମଗୁଡ଼ିକୁ ବି ସ୍ଵଦେଶୀ କରି ନିଆଯାଇଛି ସବୁ ଅଞ୍ଚଳରେ ଅଥବା ସେଇ ଶବ୍ଦଗୁଡ଼ିକ ଯବରଦସ୍ତି ପ୍ରବେଶ କରିଛନ୍ତି—ଅନ୍ୟାନ୍ୟ ଆନ୍ତର୍ଜାତିକ ବା ବୈଦେଶିକ ଆଚାର ବ୍ୟବହାର ପରିଚ୍ଛଦ ଭଳି । ଆଉ ଯେମତି ସ୍ଵଚ୍ଛନ୍ଦରେ ସେମାନେ ଏକାନ୍ତ ଆତ୍ମୀୟ ହୋଇ ପଡ଼ିଛନ୍ତି ମୋ’ର ଦେଶୀ ବିଦେଶୀ ମିଶା ଟିପି କୁକୁର ଭଳି !

 

ଯାତ୍ରୀ

 

ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ଵାସ୍ଥ୍ୟରକ୍ଷା, ଡ୍ରଇଂ ଆଦି ସବୁ ବିଷୟରେ କାଳନ୍ଦୀ ଚରଣ ପାଣିଗ୍ରାହୀ ନାମକ ଛାତ୍ରଟିର ପାରଦର୍ଶିତା ପରୀକ୍ଷା କରି ଦେଖିଲି । ଏହି ଛାତ୍ରଟିକି ବୃତ୍ତି ପରୀକ୍ଷା ପାଇଁ ପଠାଯିବା ଉଚିତ ବୋଲି ମୁଁ ସୁପାରିଶ କରୁଛି ।

 

ବିଶ୍ୱନାଥପୁର ଉ. ପ୍ରା. ବିଦ୍ୟାଳୟର ପରିଦର୍ଶକ ଅବିକଳ ଏଇ ଭଳି ଭାଷାରେ ନ ହେଲେ ସୁଦ୍ଧା ଯେତେଦୂର ମୋର ମନେପଡ଼େ, ଠିକ୍ ଏହି ମର୍ମରେ ସ୍କୁଲ ପରିଦର୍ଶନ ବହିରେ ମନ୍ତବ୍ୟ ଲେଖିଥା’ନ୍ତି । କିନ୍ତୁ କାହିଁକି କେଜାଣି ସେ ପିଲାଟିର ଭାଗ୍ୟରେ ବୃତ୍ତିପରୀକ୍ଷାରେ ବସିବା ସୁଯୋଗ ଯୁଟିଲା ନାହିଁ । ତାହାକୁ ଯିବାକୁ ପଡ଼ିଲା ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇବା ପାଇଁ । ! କେତେ ବଡ଼ ସହର ! ପୁରୀ ପୁଣି ତା’ ଠାରୁ କାହିଁ କେତେ ବଡ଼ ସମୁଦ୍ର ଆଗରୁ ଯାଇ ସେ ଥରେ ଦି’ ଥର ଅବଶ୍ୟ ପୁରୀ ସହର ଦେଖି ଆସିଛି ।

 

କେତେ କୋଠାବାଡ଼ି ଦିଅଁ ଦେଉଳ, କେଡ଼େ ଚୌଡ଼ା ବଡ଼ଦାଣ୍ଡ, କେଡ଼େ ଉଚ୍ଚ ସେ ବଡ଼ ଦେଉଳ !—ଭୁବନେଶ୍ୱର ଲିଙ୍ଗରାଜ ବି ଆହୁରି ବଡ଼ । ପୁଣି ସେଇ ନୀଳ ସମୁଦ୍ର–କାହିଁ, କୁଆଡ଼େ କେତେ ଦୂରେ ତାର ଥଳକୂଳ ! ସେଇ ସମୁଦ୍ରର ଲହଡ଼ି ଭାଙ୍ଗିଲା ପରି ତାହାରି କୂଳ ବାଲି ଉପରେ ସେତେବେଳେ କେତେ ଯେ ନାଚିକୁଦି ଡିଆଁ ମାରେ ସେ ଗାଁ ପାଖେ ତା’ର ରଥଯାତ୍ରା ଗ୍ରାମ । ସେଇଠି ଦୟାଭାର୍ଗବୀ ନଈ ବାଲିଠାରୁ ସେ ବାଲି ଯେମ‌୍‌ତି ଆହୁରି ବେଶୀ କଅଁଳ । ତହୁଁ ବଳି ବେଶୀ ମନ ମତାଣିଆ ।

 

ସେଇ ସମୁଦ୍ର—କୁଆଡ଼େ କାହିଁ ତା’ର ନୀଳିମା ଆକାଶ ସାଥିରେ ମିଶିଯାଏ–ଯେମ‌୍‌ତି ଗୋଟାଏ ସରୁ ସୂତା ଖିଅରେ—ଆମ ଗାଁର ଗହିର ସେପଟେ ଗଛ ଗହଳରେ ଆଉ ସବୁ ଗାଆଁ ଲୁଚି ଗଲା ପରି ତାହା ତ ନୁହେଁ କଦାପି ! ସମୁଦ୍ର ପାଖେ ପୃଥିବୀ ବିଲ୍‍କୁଲ୍‍ ଶେଷ । ତା’ ପରେ ତ ଆଉ କିଛି ହେଲେ ନାହିଁ କେଉଁଠି ! ଠିକ୍‍ ସେଇଠାରେ ଆକାଶଟା ପୁଣି ତଳକୁ ଏକାବେଳେ ନଇଁପଡ଼ି ସମୁଦ୍ର ସାଥିରେ ଏକାକାର !

 

ବଳଦ ଗାଡ଼ିରେ ଆମ ଗାଁରୁ ଭୁବନେଶ୍ୱର ଆସିଲାବେଳେ ବାଳକଟି ଗାଁ ମୁଣ୍ଡରେ ମହାଦେବ ମନ୍ଦିର ଓ ସ୍କୁଲ ପାର ହେଲେ ଦୂରରୁ ଦିଶେ ଉଚ୍ଚ ନାଲି ସଡ଼କ । ବିରାଟ ଗଛ ଗହଳିରେ କି ଯେ ରହସ୍ୟମୟ ତା’ର ରୂପ । କଚା ସଡ଼କରେ ଗାଁରୁ ବାହାରି ଓ ବାଟଯାକ ଧକଡ଼ ଚକଡ଼ ହୋଇ, ଆଉ ଦୁଇପଟେ ଖଣ୍ଡିଆ ଖାବରା ବିଲହିଡ଼ ଉପରେ ବଗ-ବଗୁଲୀଙ୍କୁ ଚାହିଁ ଚାହିଁ ଶେଷରେ ଶଗଡ଼ିଆ ପୁଣି ଆରୋହୀପିଣ୍ଡରେ ଯେମ‌୍‌ତି ପ୍ରାଣ ପଶେ । ଯେତେବେଳେ ପୁଣି ସେଇ ନାଲି ସଡ଼କ ଗଡ଼ାଣି ଉପରକୁ ଶଗଡ଼ ଉଠେ, ଦୟା ଭାର୍ଗବୀର ଉତ୍ପତ୍ତିସ୍ଥଳ ଧୋବ ଫରଫର ବାଲି ମଝିରେ କାଚକେନ୍ଦୁ ଭଳି ନିର୍ମଳ ଜଳଧାରକୁ ଚାହିଁ କାହା ମନ ଯେ ଉଲ୍ଲସି ପଡ଼େନି ! ପୁଣି ନଈ ସେ ପାଖରେ ଲିଙ୍ଗରାଜ ମନ୍ଦିର ଆକାଶ ତଳେ ପତାକା ଉଡ଼ଇ ଡାକେ ଯେମ‌୍‌ତି ହାତଠାରି ! ବାଆଁ ପଟେ କେତେ ଦୂରରେ କୁମ୍ଭକର୍ଣ୍ଣ ନିଦ ଶୋଇ ରହିଥାଏ ଗୋଟାଏ ମସ୍ତ ହାତୀ ଭଳି ଧଉଳି ପାହାଡ଼ ଚିରକାଳ ପାଇଁ ।

 

ନଈ ଭିତରକୁ ଗଡ଼ାଣି । ପୁଣି ସେପଟେ ଲିଙ୍ଗିପୁର ଆମ୍ବ ତୋଟାକୁ ଉଠାଣି । ଶଗଡ଼ରୁ ଡେଇଁପଡ଼ି ନଈର କଅଁଳ ବାଲିରେ ପାଦ ଯୋଡ଼ାକ ଯେମ‌୍‌ତି ତୁଳା ଉପରେ ଚାଲିବା ପରି ଲାଗେ !

 

ଶଗଡ଼ିଆ ପୁଣି ବଳଦ ଯୋଡ଼ାକ ଲିଙ୍ଗିପୁର ଅଙ୍କାବଙ୍କା ଉଠାଣି ରାସ୍ତାରେ ଥକି ପଡ଼ିଥା’ନ୍ତି-। ଲିଙ୍ଗିପୁର ତୋଟାରେ ଟିକିଏ ଦମ୍ଭ ମାରିବାକୁ ହୁଏ । ତହୁଁ ପଡ଼େ ଦୁଇ ପଟ ଆଖୁ କିଆରୀ ମଝିରେ ଗଙ୍ଗୁଆ ପୋଲ । ତେଣିକି ଭୁଆସୁଣୀ ଠାକୁରାଣୀ ଓ ଆମ୍ବ ତୋଟା ପାରି ହେଲେ ଭୁବନେଶ୍ୱର । ଚାହୁଁ ଚାହୁଁ ଅନ୍ଧାର ହୋଇ ଆସେ । ଭୁବନେଶ୍ୱର ମଠରେ ଟିକିଏ ଦମ୍ଭ ମାରି ଆଉ ମୋର କକେଇ-ଅଜା ସ୍ଵାମୀ କୃତ୍ତିବାସଗୈରିକ ବସନ ପରିହିତ ମୁଣ୍ଡି ତ ମସ୍ତକ ସେଇ ବତା ପରି ପାତଳା ସ୍ଵାମୀଙ୍କ ପାଦ ତଳେ ପଡ଼ି ବୁଦ୍ଧେଶ୍ୱର ଷ୍ଟେସନକୁ ଗାଡ଼ି ଚାଲେ । ଦୁଇ ପାଖରେ କୋଚିଲା ବଣ । ସେଇଠୁ ବାଘ ଯାଇ ରାତାରାତି ଆମ ଗାଁରେ ଶୀକାର କରି ଲେଉଟି ଆସେ ।

 

ଆମ ଗାଁଠାରୁ ପୁଣି ଭୁବନେଶ୍ୱର ସହରଠାରୁ ସେ କେତେ ବଡ଼ ! ସେତେବେଳେ ଆଜିର ନୂଆ ଭୁବନେଶ୍ୱର ଥିଲା ବାଘ ଭାଲୁଙ୍କର ରାଜଧାନୀ । ସେଉଠୁ ଚନ୍ଦକା ଜଙ୍ଗଲ ଭିତରୁ କେବେ କିମ୍‍ତି ଗୋଟାଏ ଅଧେ ଚିତାବାଘ ରାତିରେ ଆମ ଗାଁ ଯାକେ ଆଠ ନଅ ମାଇଲ ବାଟ ଖେପି ଆସି ଚଢ଼ଉ କରନ୍ତି ଛେଳି, କୁକୁର କି ବାଛୁରୀ ଉପରେ ! ତା’ ପରେ ଗହୀର ମଝିରେ ଧାନ ବିଲରେ ଠେଙ୍ଗା ପ୍ରହାରରେ ହୁଏ ତାଙ୍କର ପଞ୍ଚତ୍ୱ ପ୍ରାପ୍ତି । ସେତେବେଳେ ଗାଁ ଭିତରେ ତାହାହିଁ ହୋଇପଡ଼େ ସବୁଠାରୁ ବଡ଼ ଚମକପ୍ରଦ ଖବର । ସମସ୍ତେ ଯେମତି ମାରିଛନ୍ତି ଆଜି ବାଘଭଳି ଭିଷଣ ଜାନୁଆରକୁ—ସବୁରି ମନରେ କି ଦମ୍ଭ, କି ସାହସ କି ହସ, ପୁଣି କି ଯେ ବାହା ଫୁଟ୍‍କି ! ଘର ଭିତରୁ ଆରମ୍ଭ କରି ଦାଣ୍ଡଯାକେ ଝିଅ ବୋହୂ, ପିଲା ବୁଢ଼ା—ସବୁରିମୁହଁରେ ବାଘ ଖବର ।

 

ଗାଁ ଦାଣ୍ଡରେ ବାଘଟା ଘୋଷରା ହୋଇ ଯାଉଥିବା ବେଳେ ଯେମ‌୍‌ତି ଅବା ଗୋଟାଏ ଯାତ୍ରା ! ପିଲାବୁଢ଼ା ସ୍ତ୍ରୀ ପୁରୁଷ ସମସ୍ତେ ବାହାରି ଆସନ୍ତି ବାଘଦେଖି, ଭୁଆଷୁଣୀ ବୋହୂମାନେ ଅଳ୍ପ ଆଉଜା କବାଟ ସନ୍ଧାରୁ ଚାହାନ୍ତି ଜୁଳୁଜୁଳୁ ଆଖିରେ, କେତେ ଝିଅ ବୋହୂ ଦା କୁ ବାହାରି ଆସନ୍ତି ବାଘ ପାଟିରେ ହାତ ପୂରାଇବାକୁ । ବାଘ ପାଟିରେ ହାତ ପୂରାଇଲେ କୁଆଡ଼େ ଯାହା ରାନ୍ଧିଦେବ, ତାହା ହେବ ସୁଆଦ ।

 

କିଏ କେତେ ଥଟ୍ଟା ତାମସା କରନ୍ତି —ହଁ, ମଲାବାଘ ବୋଲି ସିନା ଏଡ଼େ ସାହସ !— ଜୀଇଁଥିଲେ......?

 

ଆଉ କିଏ କହନ୍ତି–ଖବରଦାର ! ବାଘଟା ଛଟା ଗାଳିଛି ପରା ! ସତେ କ’ଣ ସେ ମରିଛିକି-?

 

ଝିଅ ବୋହୂଙ୍କ ଭିତରୁ କେହି ବାଘ ପାଟିକି ହାତ ନେଉ ନେଉ ଅଟକି ଯାନ୍ତି । କିଏ ଓଢ଼ଣା କାନିକୁ ପାଟିରେ ପୂରାଇ ହସ ଚାପନ୍ତି । ସେତେବେଳେ କେଉଁ ଦୁଷ୍ଟ ଟୋକା ହୁଏତ ଦି’ ହାତରେ ବାଘର ପାଟିକୁ ମେଲାକରି ଝିଅ ବୋହୂମାନଙ୍କୁ ଡାକ ପକାଏ—ଆସ ଏଥର, ଜିଇଁଥିଲେ ବି ତା’ ପାଟିକି ମୁଁ ଛାଡ଼ିବି ନାହିଁ । ଏକାବେଳେ ସେ ମହାବୀର ପାଲଟି ଯାଏ ଝିଅ ବୋହୂଙ୍କ ସାମ୍ନାରେ ବାହାଦୁରି ନେବାପାଇଁ !

 

ଆସନ୍ତି ପୁଣି ସାପୁଆ କେଳା— ଆଜିସୁଦ୍ଧା ସହର ବଜାରରେ ଯେମ‌୍‌ତି ସେମାନେ ପେଡ଼ିଭାର କାନ୍ଧେଇ ବୁଲନ୍ତି ! ‘କଂସର ଘରଣୀ, ପଦ୍ମାବତୀ ରାଣୀ, ସେ କଲା ଧନିତ୍ରୀ ଓଷା — ଲକ୍ଷେଭାର ପଦ୍ମ ଦେବୁରେ କହ୍ନାଇ ନଥିବ ପାଖୁଡ଼ାମିଶାକି ଗୋବିନ୍ଦ ହରି ! ଭାଇଲା, ଭାଇଲା, ମାରି ପାରିବୁନି ବୁଢ଼ା, ଗଦ ଅଛି, ସୂଂଘେଇ ଦେବି– ?’ ଅବିକଳ ସେଇ ଭାଷା ସେଇ ସାହିତ୍ୟ ରହି ଯାଇଛି ତ ଆଜିଯାକେ !

 

ରହିଯାଇଛି ପୁଣି ସେଇ ଗୋବିନ୍ଦ-ମୂଷା ଧାନ ଶୁଖେଇଲାବେଳେ ନୂଆଭୁଆଷୁଣୀ ଯେମ‌୍‌ତି ଓଢ଼ଣା ଉହାଡ଼ରୁ ଏଣିକି ତେଣିକି ଚାହେଁ, ମୂଷା ବି ସେମ‌୍‌ତି ପେଡ଼ି ଭିତରେ ବୁଲି ବୁଲିକା ଚାହିଁ ବାହାରକୁ ମୁହଁ କାଢ଼ି ପୁଣି ଲୁଚିଯାଏ । କେଳା ତାକୁ ନିଜ ଆଙ୍ଗୁଠିରେ ବସାଇ, ଆଉ ସେଥିରୁ ସୁତାଟାଏ ଝୁଲାଇ ମୂଷାକୁ କରାଏ ନୂଆବୋହୁର ଅଭିନୟ ।—ଦିଅର ଆସିଲାବେଳେ ଭାଉଜ କେମତି ରହି ରହିକା ଛୋପରୀ ପଣ ଦେଖାଇ ପାଣିକାଢ଼େ–ପୁଣି ଦେଢ଼ଶୁର ଆସିଗଲେ ବେଗବେଗ କରି-ଧଡ଼ପଡ଼ କରି ତରବର କରି !

 

ଧାନ କିଆରୀରେ ଧାନହଳା ହିସାବ, ମୁଗବିଲ ହରଡ଼ ବିଲରେ ପଶି ଛୁଇଁ ଖାଇବା, ଆଖୁଶାଳରେ ବସି ଦୋରୁଅ ପିଇବା, ନଡ଼ିଆ ବଗିଚାରେ ପଇଡ଼ ପିଇବା—ସବୁ ପଛକୁ ପକାଇଦେଇ ଚାଲିଲି କେଉଁ ଅଜଣା ଅଶୁଣା ରାଜ୍ୟକୁ ଅତି ପରିଚିତ ପରିବେଶକୁ ଛାଡ଼ି । ଭୁବନେଶ୍ୱର ରେଳଷ୍ଟେସନ ସେତେବେଳେ ଏକ ରହସ୍ୟର ଜାଲ ବୁଣିଥାଏ ମୋହପାଇଁ ।

 

ଶଗଡ଼ ଚାଲେ , ସବାରି ଚାଲେ, ମଣିଷ ଚାଲେ , ପୁଣି ଗୋରୁଗାଈ ପଶୁପକ୍ଷୀ—, ସେଇ ଆମଗାଁ । ମୁଣ୍ଡ କଚା ସଡ଼କ ଉପରେ, ବର୍ଷାଦିନେ କଚା ସଡ଼କଟା ଚିକିଟା ମାଟିରେ ଏମ‌୍‌ତି ଅଠା ଧରିଥାଏ ଯେ, ଶଗଡ଼ ବଳଦ ଶଗଡ଼ିଆ ଓ ଆରୋହୀ ସମେତ ଘଣ୍ଟା ଘଣ୍ଟା ଧରି ଗୋଟିଏ ଗୋଟିଏ ଥାନରେ ଏକାବେଳେ ଲାଖିଯାନ୍ତି । ଯାବତ୍ ଚନ୍ଦ୍ରାର୍କେ ସେଠାରୁ ଯେମ‌୍‌ତି ତାଙ୍କର ଆଉ ସଚଳ ହେବାର ପ୍ରଶ୍ନ ନାହିଁ ! ସତେ ଯେମ‌୍‌ତି ଅଚଳୟୋ-ସନାତନ ! ଆଉ ଯଦି ସାରଥି ଆରୋହୀ ପୁଣି ସହାନୁଭୂତିଶୀଳ ପରପୋକାରୀ ସହଯାତ୍ରୀ ପଥିକମାନଙ୍କର ସମବେତ ଚେଷ୍ଟା ତର୍ଜନ ଗର୍ଜନ ଲମ୍ଫ ଝମ୍ପ ଫଳରେ ଶକଟ ଯାନଟି ତିନି ଚାରି ଫୁଟ ଅଗ୍ରସର ହୋଇଯାଏ । ତାହା ପରେ ଆରୋହିଙ୍କର ଭୂଗୋଳ ଓ ଖଗୋଳ–ଜ୍ଞାନର ଅକସ୍ମାତ୍ ବିସ୍ଫୋରଣ ଘଟି ଯଥାର୍ଥରେ ପୃଥିବୀ ଚାରିପଟେ ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମା କରୁଛି—ଏହି ସନ୍ଦେହ ଦୃଢ଼ତର ହୋଇଥାଏ । ଅଥବା କୌଣସି ବିଜ୍ଞ ଜ୍ୟୋତିଷକୁ ପଚାରି ସେ ସ୍ଥାନରୁ ଆଉ କେଉଁ ଦିଗକୁ କିମ୍ବା ସିଧା ସଳଖ ସ୍ଵର୍ଗକୁ ଯିବା ପାଇଁ ନିଜ ଜାତକରେ ଅଛି, ଜାଣିବାକୁ ଆଗ୍ରହ ଜନ୍ମେ !

 

ଅବଶ୍ୟ ଆଉ କାହିଁ ନଯାଇ ରାସ୍ତା ସହିତ ଲଢ଼େଇ କରି ଗୋଟିଏ ମାଇଲକୁ ଅନ୍ତତଃ ଦେଢ଼ଘଣ୍ଟା ଲାଗିଯାଏ । ସର୍ବଶେଷରେ ଦୁଇଟି ବଳଦ ଦୁଇଜଣ ଶଗଡ଼ିଆ ଓ ଦୁଇଜଣ ଆରୋହୀ ଆସି ଦୀର୍ଘ ନିଃସ୍ୱାଶ ପକାନ୍ତି ଦୟାଭାର୍ଗବୀ ଦୁଇ ନଦୀର ଉତ୍ପତ୍ତିସ୍ଥଳ ରଥିଯାତ୍ରା ନାଲିସଡ଼କ ପାଖରେ— ଦୁଇ ପାର୍ଶ୍ଵରେ ସେଇ ଏ ଦ୍ରୁମଛାୟା-ସେବିତ ଜଗନ୍ନାଥ ରାସ୍ତା । ଜଗନ୍ନାଥ ସଡ଼କ ଧଇଲେ ସତେ ଯେମ‌୍‌ତି ମଣିଷ ବଳଦ ସମସ୍ତେ ଦୀର୍ଘନିଃସ୍ୱାଶ ଛାଡ଼ନ୍ତି ! ସେଇଠି ଜଗନ୍ନାଥ ସଡ଼କ ଉପରୁ ଦିଶେ ଦିଗ୍ ବଳୟ ତଳେ ଚିତ୍ର ଅଙ୍କା ହେଲାଭଳି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ।

 

ସବୁରି ମନରେ ଖେଳିଯାଏ ଆଶା ଉତ୍ସାହ—ଶଗଡ଼ ବଳଦ ଘିଡ଼ି ଘିଡ଼ି ହୋଇ ଚାଲନ୍ତି । ତା’ପରେ ଲିଙ୍ଗିପୁର ତୋଟାକୁ ଉଠାଣି ( ଉଃ ! କେଡ଼େ ତିଖ ଉଠାଣି ଯେ ଶଗଡ଼ର ଦଣ୍ଡା ପୁଣି ଝୁରାଆଗରେ ଶଗଡ଼ିଆଙ୍କର ଚିତ୍କାର)— ଗଙ୍ଗୁଆ-ନଈପୋଲ,—ଭୁବନେଶ୍ୱର, ଉତ୍ତରପାର୍ଶ୍ୱ ସ୍ୱାମୀଙ୍କ ମଠରେ ରହଣୀ । ଶେଷରେ ଦୁଇପାଖ ଘଞ୍ଚବଣ ଭିତରେ ଶଗଡ଼ଚାଲେ ବୁଦ୍ଧେଶ୍ୱର ଷ୍ଟେସନ ଭିତରକୁ । ଏଇଠୁଁ ଲାଗିଛି ଚନ୍ଦକା ଜଙ୍ଗଲ—ବାଘହାତୀଙ୍କର ଚରାଭୁଇଁ । ରାତିରେ ଶଗଡ଼ତଳେ ଲଣ୍ଠନ ଝୁଲେ । ଶଗଡ଼ ଆଗରେ ପଛରେ ଝୁରାମୁଣ୍ଡ ଦଣ୍ଡାଧରି ଚାଲନ୍ତି ଦୁଇ ଦୁଇଟା ଶଗଡ଼ିଆ ।

 

ବୁଦ୍ଧେଶ୍ୱର ଷ୍ଟେସନ । ପୁରୀ ଗାଡ଼ି ଆସିବାବୁ ବିଳମ୍ବ ଅଛି । ଟିକେଟ୍ କିରାସିନି ଆଲୁଅ ଝରକା ଭିତରୁ ଦେଖାଯାଏ । ଟିକେଟ୍ କିଣିବାକୁ ଜଣକେତେ ଯାତ୍ରୀ ଏପାଖ ସେପାଖ ହେଉଛନ୍ତି । ଷ୍ଟେସନ ପ୍ଲାଟ୍‍ଫର୍ମରୁ ଅନେକ ଦୁରରେ ଦେଖାଯାଉଛି ସିଗନାଲର ନାଲିଆଖି, କେଉଁ ରହସ୍ୟ-ଘେରା ନିବିଡ଼ ଅନ୍ଧକାର ଭିତରେ ।

 

ଟିକେଟ୍ ଝରକାପାଖରେ ଆହୁରି ଲୋକ ଗୋଟି ଗୋଟି ହୋଇ ଜମା ହେଉଛନ୍ତି । ଘର ଭିତରେ ଗୋଟାଏ ଲମ୍ବ ଡେସ୍କ ଉପରେ ଶୋଇଯାଇ ଘୁଙ୍ଗଡ଼ି ମାରୁଛନ୍ତି ଟିକେଟ୍ ବାବୁ । ଘରଭିତରୁ ଝରକା ବନ୍ଦ ! ଖାଲି ଘୁଙ୍ଗୁଡ଼ି ଶବ୍ଦଟା ଶୁଣାଯାଉଛି ବାହାରକୁ ।

 

“ଗାଡ଼ି ଆସିଲା ବାବୁ—ଟିକେଟ୍—”

 

ଉତ୍ତରରେ ଖାଲି ସେ ଘୁଙ୍ଗୁଡ଼ି ଶବ୍ଦଟା ଅଧିକ ଯୋର ଶୁଣାଯାଏ । ତାଙ୍କ ପଛରେ ଆଉ ଚାରିପାଞ୍ଚ ଜଣ ଆସି ଛିଡ଼ା ହୋଇଯାନ୍ତି—ବ୍ୟସ୍ତଯାତ୍ରୀଙ୍କ ଭିତରେ କଥାବାର୍ତ୍ତା ଚାଲେ ।

 

“ଦେଖିଲ, ମାଗଣା ଟିକେଟ୍ ଦେଲା ଭଳି ବାବୁ ଏକାବେଳେ ନିରାଲମ୍ବ ହୋଇ ଶୋଇ ଯାଇଛନ୍ତି ।”

 

ତାଙ୍କର ପୁଣି କ୍ୟା ପରବାୟ । କୋଉ ମକଦ୍ଦମା ଅବା ଖାରଜ ହୋଇଯାଉଛି କି ?

 

“ଛାଡ଼, ଦିନଯାକ ଖଟି ଖଟି ଟିକେ ନିଦେଇ ଯାଇଛନ୍ତି ।”

 

‘‘ଏଁ ? ନିଦେଇ ଯାଇଛନ୍ତି ! ଏଣେ ଯେ କାଲି ମୋ’ର ମକଦ୍ଦମା ତାରିଖ ହାଜର ନହେଲେ ମକଦ୍ଦମା ଖାରଜ । ପୁଣି ଗଣିବି ଓକିଲ ଫିସ୍, ପେସ୍କାର ପାଉଣା ।”

 

“ମକଦ୍ଦମା କ’ଣ ମାଗଣାରେ ହୁଏ କି ?” ଆଉ ଜଣେ ଟିପ୍‍ଣୀ କରନ୍ତି–“ତା ନାଁ ପରା ମାମଲା । ମା’ ମରିଗଲେ ଯେମ‌୍‌ତି, ମାମଲାରେ ପଶିଲେ ବି ସେମ‌୍‌ତି ହଇରାଣ ।’’

 

ଅର୍ଦ୍ଧରାତ୍ରୀର ନିସ୍ତବ୍ଧତାକୁ ଭାଙ୍ଗି ପ୍ଲାଟଫର୍ମର ଟିଣ୍ ଟିଣ୍ ଘଣ୍ଟା ଘନ ଘନ ବାଜିଉଠେ । ଟିକେଟ୍ ଘର ଝରକା ଫିଟିଯାଏ । ନିଦ ମଳମଳ ଆଖିରେ ବାବୁ ଟିକେଟ ଦିଅନ୍ତି ଲ୍ୟାମ୍ପ୍ ଆଲୁଅରେ ଖଟ୍ ଖଟ୍ କରି ତାରିଖ ମୋହର ବସାଇ ।

 

ଟିକେଟ୍ କିଣିସାରି ବାପା ମୋତେ ସାଙ୍ଗରେ ନେଇ ପ୍ଲାଟଫର୍ମକୁ ଚାଲନ୍ତି ଚାରିଆଡ଼ର ଘନ ଅନ୍ଧାର ଭିତରେ ଷ୍ଟେସନ୍ ପ୍ଲାଟଫର୍ମଟି ଗୋଟିଏ କୁହୁକଜାଲ ବିସ୍ତାର କଲା ପରି ଲାଗୁଥାଏ । ଷ୍ଟେସନ୍ ପ୍ଲାଟଫର୍ମର କିରୋସିନି ଆଲୋକସ୍ତମ୍ଭ କେତୋଟି ସେଇ ଅନ୍ଧାରକୁ ଯେମତି ଆହୁରି ଘନୀଭୂତ କରି ଦେଖାଉଥାଏ । ପୁଣି ଆଉ ଗୋଟାଏ ଘଣ୍ଟାର ଟିଂ ଟିଂ ନାଦ ।

 

ଗାଡ଼ିର ସାଇଟ୍ -ବେଲ୍ !

 

ଗଣ୍ଠିଲିପତ୍ର ଉଠାଇ ସମସ୍ତେ ପ୍ରସ୍ତୁତ ହୁଅନ୍ତି, ଆଗ କେମ୍‍ତି ଗାଡ଼ି ଭିତରେ ପଶିଯିବେ । ନଇଲେ ଗାଡ଼ି କାଳେ ଛାଡ଼ିଦେବ ।

 

ଅନେକ ଦୂରରେ ଗଛଗହଳି ଭିତରେ ଅନ୍ଧାରଟା ଯେଉଁଠି ବରଫ ଭଳି ଜମାଟ ବାନ୍ଧିଯାଇଛି, ସେଇଠି ଆକାଶ ତଳେ ଷ୍ଟେସନ ସିଗନାଲର ଲାଲ୍ ଆଖିଟା ଗୋଟାଏ ମସ୍ତବଡ଼ ରକ୍ତଚିତା ଭଳି ଦିଶେ । ତା’ ପରେ ଗାଡ଼ିର ଇଞ୍ଜିନ ଆଲୁଅ ଓ ଶେଷରେ ଷ୍ଟେସନ୍ ପ୍ଲାଟଫର୍ମ ତଳେ ଲମ୍ବିଯାଇଥିବା ରେଲ୍ ଲାଇନ୍ ଉପରେ ଘଡ଼ଘଡ଼ ଶବ୍ଦ । ତହୁଁ ପୁଣି ପ୍ରବଳ ଠେଲାପେଲା ଭିତରେ ତୃତୀୟଶ୍ରେଣୀ ଯାତ୍ରୀଙ୍କର ଗାଡ଼ିଭିତରୁ ଗଣ୍ଠିଲିପତ୍ର ସମେତ ଓହ୍ଲାଇବା ଓ ତଦନୁରୂପ ଗାଡ଼ି ଭିତରକୁ ପଶିବା ପର୍ଯ୍ୟାୟ ।

 

ତୃତୀୟଶ୍ରେଣୀ ଡବା ଭିତରକୁ ପଶିବା ଓ ସେଥିରୁ ଓହ୍ଲାଇବା ଅନୁପାତରେ ସେଠାରେ ବସିବାପାଇଁ ଥାନ କରିବାକୁ ମଧ୍ୟ ହୁଏ । ପୁଣି ସେଇ ମାତ୍ର ଥାନଟିକକରେ ଗଣ୍ଠିଲିକୁ ଆଉଜି ବେଶ୍ ନିଦ ଆସିଯାଏ । ରାତି ପାହିଲା ବେଳକୁ ଗାଡ଼ି ପହଞ୍ଚି ପୁରୀ ଷ୍ଟେସନରେ । ତା’ପରେ ସେହି ବଳଦ ଗାଡ଼ିରେ ବସି ପହଞ୍ଚି ଯାଇ ରାମଚଣ୍ଡୀ ସାହି ବସାରେ । କିଛି କାଳ ପରେ ବଳଦ ଯୋଡ଼ିକ ସ୍ଥାନରେ ପୁଣି ସେଇ ଗାଡ଼ିକୁ ମଣିଷ ଟାଣିଲେ । ଏବେ ସେ ଶଗଡ଼ର ଉନ୍ନତି ଘଟି ରିକ୍‍ସା ହେଲାଣି-। ମାତ୍ର ମଣିଷର ଉନ୍ନତି ହେଲାନାହିଁ—ଶଗଡ଼ ସ୍ଥାନରେ ଯାହା ସେ ରିକ୍‌ସା ଟାଣୁଛି ସିନା-!

 

ବାପାଙ୍କ ସଙ୍ଗରେ ଯାଏଁ ପୁରୀ ଜିଲ୍ଲାସ୍କୁଲ ହେଡ଼ମାଷ୍ଟରଙ୍କ କ୍ୱାଟରକୁ ନାମ ଲେଖାଇବା ପାଇଁ । ହେଡ଼ମାଷ୍ଟର ୰ ଦାଶରଥି ପାଣିଗ୍ରାହୀଙ୍କ ଚେହେରା ଦେଖି ଓ କଥାବାର୍ତ୍ତା ଶୁଣି ଖୁବ୍ ସଙ୍କୁଚିତ ହୋଇପଡ଼ିଲି । ମୁଖମୟ ଶ୍ମଶ୍ରୂ ମଧ୍ୟରୁ ତାଙ୍କର ତୀବ୍ର ଓ କଟାକ୍ଷ ଓ ସଂଯତ କଥାବାର୍ତ୍ତା ଭିତରେ ମଝିରେ ମଝିରେ ହସି ସେ ବାପାଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥାନ୍ତି ।

 

ଆମ ଗାଁ ଉ: ପ୍ରା: ସ୍କୁଲର ଛାତ୍ରରୂପେ ମୋ ସମ୍ବନ୍ଧରେ ପରିଦଶକଙ୍କ ମନ୍ତବ୍ୟ ଦେଖି ହେଡ଼ମାଷ୍ଟର ଖୁବ୍ ଖୁସି ହୋଇଗଲେ; କିନ୍ତୁ ମୁଁ ଇଂରାଜୀ ନ ଥିବାରୁ ମୋତେ ପୁଣି ପ୍ରାଥମିକ କ୍ଳାସରୁ ଆରମ୍ଭ କରିବାକୁ ପଡ଼ିଲା । ଅର୍ଥାତ୍ ପୁଣି ଦୁଇ କ୍ଲାସ ପଛରେ ନାମ ଲେଖାଇବାକୁ ହେଲା । ଅତଏବ ହେଡ଼ମାଷ୍ଟର ଓ ବାପାଙ୍କ ଭିତରେ ପରାମର୍ଶ ହୋଇ ମୋ’ର ପ୍ରକୃତ ବୟସଟା ଦୁଇ ବର୍ଷ କମାଇ ଦିଆଗଲା । ଦରକାର ହେଲେ ପ୍ରକୃତ ବୟସ ଯେ କମ୍ ବେଶୀ କରାଯାଇ ପାରେ, ସେ କଥା ମୁଁ ସେଇ ଦିନ ଜାଣିଲି, କିନ୍ତୁ ‘ହିତୋପଦେଶ’ର ଉକ୍ତି ଅନୁସାରେ ବୟସଟାକୁ କାହିଁକି ଯେ ଲୁଚାଇ ରଖିବା ଲୋଡ଼ା, ଏ ଯାଏ ତାହା ବୁଝିବାପାଇଁ କ୍ଷମ ହେଲିନାହିଁ । ବରଂ କେହି କାହାରି ବୟସ ପଚାରିବାରେ ଯେମ‌୍‌ତି ଭଦ୍ରତାର ହାନି ଘଟେ—

 

ସାହିତ୍ୟରେ କିନ୍ତୁ ସବୁ ବୟସର କଳନା–ବାଳଖିଲା ବାଳକୃଷ୍ଣଙ୍କ ଠାରୁ ଆରମ୍ଭ କରି ପିତାମହ ବ୍ୟାସ ଭୀଷ୍ମଙ୍କ ପର୍ଯ୍ୟନ୍ତ ଶିଶୁ ଯୁବକ ପ୍ରୌଢ଼ ବୃଦ୍ଧ କାହାରି ହେଲେ ଏ ଚାରିଟା ଅବସ୍ଥାରୁ ତ ନିସ୍ତାର ନାହିଁ । ବରଂ ଏ ଚାରିଟାଯାକ ଅବସ୍ଥା ପହଞ୍ଚିବା ଆଗରୁ ଅନେକ ବିଦାୟ ଘେନିଯାନ୍ତି ଦୁନିଆରୁ । ସେଇଥିପାଇଁ ବୋଧହୁଏ ବେଶୀ ବୟସ ହେଲେ କିମ୍ବା ଚାରିଟାଯାକ ଅବସ୍ଥାକୁ ଭୋଗ କରି ସାରିଲେ ମଣିଷକୁ ଲାଜମାଡ଼େ ଆପଣାର କୀର୍ତ୍ତି ଅପକୀର୍ତ୍ତି ମନେ ପକାଇ । ମନେପକାଇ ଏଇ ସତଟାକୁ ଯେ ଦୁନିଆ ଇତିହାସରେ ତାହାର କୀର୍ତ୍ତି ଅପକୀର୍ତ୍ତିର ସ୍ଥାନ କେଉଁଠି ?

 

କାହିଁକି ଅବା ତା’ର ଜନ୍ମ-ମରଣର ହିସାବ କିତାବ ଲୋଡ଼ା ହେବ ? ଆଉ କି ସାହିତ୍ୟ ଅବା ଲୋଡ଼ା--ଏଇ ଦୁନିଆ ଉପରେ ? ସେଇ ସୁମହାନ୍ ଅତୀତର ଅଭୁଲା କାହାଣୀ ପୁଣି ତାକୁ ଉଜ୍ଜଳତର ଅନାବିଷ୍କୃତ ଭବିଷ୍ୟତ ଗଢ଼ିବାକୁ ଯୋଗାଇଦିଏ ପ୍ରଭୂତ ପ୍ରେରଣା । ଯୋଗାଇଦିଏ ଏଇ ନିରବଚ୍ଛିନ୍ନ ଜୀବନ -ପ୍ରବାବହର ନବନବ ସ୍ପନ୍ଦନ ।

 

ସାଗରେ—ଅମ୍ବରେ

 

ସର୍ବନିମ୍ନ ସପ୍ତମ ଶ୍ରେଣୀର ଶିକ୍ଷକ ଥାନ୍ତି ପୁରୀ ଶାସନ ଦାମୋଦରପୁର ଗ୍ରାମର ପଣ୍ଡିତ ବିଶ୍ୱନାଥ ରଥ କାବ୍ୟତୀର୍ଥ । ପଢ଼ିଲାବେଳେ ହସି ହସି କେତେ ବିଚିତ୍ର କଥା ଓ କାହାଣୀ କହି ସେ ପିଲାମାନଙ୍କୁ ବୁଝାଇଦିଅନ୍ତି । ଛାତ୍ରମାନଙ୍କ ଭିତରେ ଅତି ସହଜରେ ପ୍ରିୟ ଆପଣାର ହେବା ତାଙ୍କ ପକ୍ଷରେ ସହଜ ହୁଏ । କିନ୍ତୁ ଦୁଷ୍ଟ ଛାତ୍ରଙ୍କୁ ଆୟତ୍ତକରିବାରେ ତାଙ୍କ ବେତ୍ରର କରାମତି ମଧ୍ୟ ସାମାନ୍ୟ ନୁହେଁ ।

 

ମୋ’ର ଏଇ ଶେଷୋକ୍ତ ଅଭିଜ୍ଞତା କେବଳ ଗାଁରେ ସିନା ଥରେ ଦି’ଥର ମିଳିଛି, ପୁରୀରେ କିନ୍ତୁ ମିଳିଥିବା ସ୍ମରଣ ହେଉନାହିଁ—ଥରେ ଅଧେ ବେଞ୍ଚଉପରେ ଠିଆ ହେବା ଘଟଣା ଛାଡ଼ି । ବରଂ ମୁଁ ଜଣେ ସୁଶୀଳ ସୁବୋଧ ମେଧାବୀ ଛାତ୍ରଭାବରେ ସହପାଠୀଙ୍କଦ୍ୱାରା ଉପହସିତ ହୁଏଁ । ସେଥିପାଇଁ ଦାୟୀ ବାପାଙ୍କର କଡ଼ା ଆଦେଶ । ସେ କଚେରୀ ଯିବା ସମୟରେ ତାଙ୍କ ସାଥିରେ ମୋ’ର ସ୍କୁଲକୁ ଯିବା, ଖେଳଛୁଟି ହେଲେ କଚେରୀକୁ ଯାଇ ଜଳଖିଆ ଖାଇବାବେଳେ ତାଙ୍କ ସଙ୍ଗେ ପ୍ରାୟ ସାକ୍ଷାତ୍ କରିବା ପୁଣି ସ୍କୁଲଛୁଟିବେଳେ ତାଙ୍କ କଚେରୀ ଫେରନ୍ତି ଅନୁଗାମୀ ହେବା–ବାପାଙ୍କ ନିର୍ଦ୍ଦେଶର ଏହା ଥିଲା ମୋ’ର ଦୈନନ୍ଦିନ କାମ ।

 

ବାପା ଏତେ ଧୀରେ ଚାଲନ୍ତି ଯେ, କଚେରୀରୁ ରାମଚଣ୍ଡୀ ସାହି ଘରର ପ୍ରାୟ ଗୋଟିଏ ଫଲଂ ରାସ୍ତାପାଇଁ ଗୋଟିଏ ଘଣ୍ଟାରୁ ତାଙ୍କୁ କମ୍ ଲାଗେ ନାହିଁ । ସ୍କୁଲରୁ ବାହାରି ତାଙ୍କ ପଛେ ପଛେ ଚାଲିଲା ବେଳକୁ ମୋର ଗୋଡଦି’ଟା ଛନ୍ଦି ହୋଇଗଲାପରି ଲାଗେ । ଜଳନ୍ଧର ପ୍ରଭୃତି ମୋର କେହି କେହି ସହପାଠୀ ପରିହାସ କରି ମୋ ସହିତ ଚାଲନ୍ତି ବ୍ୟଙ୍ଗ ବିଦ୍ରୂପ ଅଙ୍ଗ ଭଙ୍ଗୀରେ । ବାପା କଦାପି ପଛକୁ ନ ଚାହିଁ ଧୀରେ ଧୀରେ ଚାଲୁଥିବାରୁ ସେମାନଙ୍କର କିଛି ଅସୁବିଧା ହୁଏ ନାହିଁ । ତାଙ୍କ ସହିତ ମିଶିବାକୁ ମୁଁ ଘୃଣା କରେଁ । ମାତ୍ର ସେମାନେ ମୋତେ ପୁଣି ଅପମାନ କରିବା ଭୟରେ ମୁହଁ ଫିଟାଇ କିଛି କହିପାରେ ନାହିଁ । ତାଙ୍କ ସହିତ ନ ମିଶିବାର ମଧ୍ୟ ଉପାୟ ନ ଥାଏ—ସେଇପରି ବିଦ୍ରୂପ ଭୟରେ ! ସେମାନେ ଥିଲେ ମୋ’ଠାରୁ ବେଶୀ ବଳୁଆ ପୁଣି ଫୁଟବଲଆଦି ଖେଳରେ ପାରଙ୍ଗମ ।

 

ଘରକୁ ଫେରି ସେଠାରୁ ଆଉ ଖେଳ ପଡ଼ିଆକୁ ଆସିବା ପାଇଁ ବାପାଙ୍କର ମନା ଥାଏ । ସେଥିପାଇଁ ମୁଁ ଦାଣ୍ଡପିଣ୍ଡାରେ ବସି ସାଥି ପିଲାମାନଙ୍କୁ ଯା’ଆସ କରୁଥିବା ଲକ୍ଷ୍ୟ କରେ । କ୍ଲାସକୁ ଗଲେ ତାଙ୍କ ଥଟ୍ଟା ପରିହାସର ଶୀକାର ହୁଏଁ । କିନ୍ତୁ ବାପାଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିପାରେ ନାହିଁ-

 

ବଡ଼ ଭାଇ ଦିବ୍ୟସିଂହ ସେତେବେଳେ କଲିକତାରେ ଓକାଲତି ପଢ଼ୁଥାନ୍ତି । ଆଉ ସାନ ଭାଇ ଭଗବତୀ ଥା’ ନ୍ତି ଗାଁରେ ବୋଉ ଓ ଭଉଣୀମାନଙ୍କୁ ସାଥୀରେ । ବଡ଼ ଭାଇନାଙ୍କ ପାଖକୁ ମୁଁ ଥରେ କଲିକତା ଠିକଣାରେ କାର୍ଡ ଖଣ୍ଡେ ଲେଖେଁ, ମୋହଲାଗି ଗୋଟିଏ ଘଣ୍ଟା ଆଣିବାକୁ । ଭାଇନା କିନ୍ତୁ ଆଣିଦେଲେ ଗୋଟିଏ ବଡ଼ ଟାଇମ୍‌ପିସ୍ ।

 

ବାପା କହନ୍ତି “ସେ ଗୋଟିଏ ଛୋଟ ଘଣ୍ଟା ମାଗିଥିଲା ସିନା । ଏତେ ବଡ଼ ଘଣ୍ଟା ତ ନୁହେଁ-।” ଭାଇନା କହନ୍ତି “ସାନ ଘଣ୍ଟା ସେ ହଜାଇ ଦେବ ।” “ନାହିଁ, ସେ ତାକୁ ପକେଟରେ ରଖି ସ୍କୁଲକୁ ଯା’ନ୍ତା ପରା !” ଭାଇନା ହସନ୍ତି । କିନ୍ତୁ ସେଇ ଟାଇମ୍ପିସ୍‍ଟି ମୋର ଖୁବ୍ କାମରେ ଲାଗେ ସ୍କୁଲ ବେଳ ଜାଣିବାକୁ । ତା’ଛଡ଼ା ସେଥିରେ ଯେଉଁ ସେକେଣ୍ଡ କଣ୍ଟାଟି— ସେ କିମ୍‌ତି ପ୍ରତି ମୁହୂର୍ତ୍ତକୁ ଗଣି ଠୂକ୍ ଠୂକ୍ ହୋଇ ଚାଲେ ତାକୁ ଦେଖି ଗୋଟିଏ ଲେଖା ମଧ୍ୟ ରଚନା କରେ ଭାବବିହ୍ଵଳ ହୋଇପଡ଼ି-। ୧୮/୧ ୧/୧୯୧୮ ତାରିଖର ସେଇ ଲେଖାଟି ଏଠାରେ ଅବିକଳ ନକଲ କରିପାରେଁ କି ନିଜ ଲଜ୍ଜାକୁ ପାଠକମାନଙ୍କ ଅନୁକମ୍ପା ନିକଟରେ ଉତ୍ସର୍ଗ କରି ?

 

“ସେକେଣ୍ଡ କଣ୍ଟା ! ତୁ ମାନବକୁ କି ଶିକ୍ଷା ଦେଉଛୁ ? ତୁ ଏତେ ଛୋଟ ବୋଲି କ’ଣ ତୋ’ଠାରୁ କିଛି ଶିଖାଯାଇ ନ ପାରେ ? ନା, ତା’ ନୁହେଁ, ଛୋଟଠାରୁ ଯେ ବଡ଼ କଥା ଶିଖାଯାଏ । ଜଳବିନ୍ଦୁଠାରୁ ଯେ ମହା ସାଗରର ବିଶାଳତା ଶିକ୍ଷା ହୁଏ । ସୁନ୍ଦରୀ ସ୍ତ୍ରୀର ମୃତ୍ୟୁ ପରେ ତାହାର କ୍ଷୁଦ୍ର କଙ୍କାଳ ଖଣ୍ଡରୁ ଯେ ବୈରାଗ୍ୟବ୍ରତ ଶିକ୍ଷା ହୁଏ । ଲୋକ ନିଜକୁ ନୀଚ୍ଚ ଭାବିଲେ ଶେଷକୁ ଏକ ମହତ୍ ପୁରୁଷ ହୁଏ ତୋ’ଠାରୁ ସେହିପରି ମଧ୍ୟ ସମୟର ମୂଲ୍ୟ ଜଣାଯାଏ । ସେହି ଦୁର୍ମୁଲ୍ୟ ସମୟ, ସେହିପବିତ୍ର ସମୟ, ସେ ସୁଖମୟ ସମୟ ସେକେଣ୍ଡ କଣ୍ଟା ! ମୁଁ କି ଅବଲୀଳା କ୍ରମେ ଅତିବାହିତ କରୁଅଛି ? ମୁଁ କେତେଦିନ ପାଇଁ ଆସିଛି । କାଲି ତ ପୁଣି ଚାଲିଯିବି ।

 

ଆହା ! ସେକେଣ୍ଡ କଣ୍ଟା ! ତୋ’ କ୍ଷୀଣ ଶରୀରରେ ବ୍ୟଥା ହେଉ ନାହିଁ ? ସର୍ବଦା ତ ତୁ ଟିକ୍ ଟିକ୍ ଶବ୍ଦ କରି ଦ୍ରୁତ ଗତିରେ ଧାବମାନ । ପ୍ରତି ତାଳେ ତାଳେ ତ ତୁ ସମୟ ଉପରେ ଆଘାତ କରୁଛୁ । ପିଲାଏ ଲୁଚକାଳି ଖେଳିବାବେଳେ ଚୋର କରିବାକୁ ଯେପରି ଏକ ଦୁଇ କରି ଜଣ ଜଣ କରି ଗଣିଯା’ ନ୍ତି ଏବଂ ଶେଷରେ ଯାହା ଉପରେ କୋଡ଼ି ପଡ଼େ ତାକୁ ଚୋର କରନ୍ତି । ତୁ ସେପରି ଗୋଟିଏ ଗୋଟିଏ ରେଖା ଉପରେ ଡେଇଁ ଡେଇଁ ଚାଲିଯାଉଛୁ । ଯେଉଁଦିନ ମୋତେ ସଂସାରରୁ ବିଦାୟ ନେବାକୁ ହେବ, ଯେଉଁଦିନ ସବୁ ମାୟା ମମତା ତ୍ୟାଗ କରିବାକୁ ହେବ, ଯେଉଁଦିନ ଏ ସୁକୁମାର ଶରୀର ମାଟି ହୋଇଯିବ, ତେତିକିବେଳେ ଚୋର ଗଣୁ ଗଣୁ ତୋ’ କୋଡ଼ି ମୋ ଉପରେ ପଡ଼ିଯିବ ।

 

ମୋ ସମୟ ସେହିଠାରୁ ସରିଯିବ । ମାତ୍ର ତୋ କୋଡ଼ିଗଣା ସେହିପରି ତ ଚାଲିଛି । ତାହାର ତ ବିରାମ ନାହିଁ । ତୋର ଅପବ୍ୟବହାର କରୁଥିବା ଲୋକକୁ କ’ଣ ତୁ ପରିହାସ ଛଳରେ ମୁହଁ ଏଡ଼ି ଦେଇ ଚାଲି–ଯାଉଛୁ ? ଅବା କ’ଣ ସ୍ୱୀୟ ଆଙ୍ଗୁଠି ପ୍ରଦର୍ଶାଇ ଦେଇ ସମୟ କିପରି ଚାଲିଯାଉଛି ତାହା ଦର୍ଶାଇ ଦେଉଛୁ ? ଏହି ସେକେଣ୍ଡ କଣ୍ଟା ! ଚାଲୁଛୁ, ପୁଣି ଆଖି ଫେରାଇ ଦେଖେଁ, ସ୍ଵୀୟ ସ୍ଥାନକୁ ଆଉ ଥରେ ଫେରି ଆସିଲୁଣି । ଏତେ ସୁଖ ସ୍ଵାଚ୍ଛନ୍ଦ୍ୟ, ଆମୋଦ ପ୍ରମୋଦ, ଏତେ ବିଭବ ବାଞ୍ଛା ସବୁ ତୋର ଏକ ଫୁଟିକିକୁ ମଧ୍ୟ ଅଣ୍ଟିବେ ନାହିଁ । ମାନବ କି ଅନ୍ଧ ।

 

ଯେତେ ମହାପୁରୁଷ, ଯେତେ କର୍ମବୀର, ଯେତେ ସ୍ୱନାମଧନ୍ୟ ବ୍ୟକ୍ତି ସମସ୍ତେ ତୋହରି ସେବା ଫଳରୁ ସିନା ଏପରି ପୂଜ୍ୟ, ଏପରି ଆଦର୍ଶ ! ତୁ ସମୟକୁ ଦେଖାଉ ନା ତୋତେ ସମୟ ଦେଖାଏ—ଏ ଗୂଢ଼ ରହସ୍ୟ ସେକେଣ୍ଡ କଣ୍ଟା ! ମୋ ହୃଦୟରେ ତ ପ୍ରବେଶ କରିପାରୁ ନାହିଁ । କ୍ଷୁଦ୍ର ମୁଁ, କାହୁଁ ବୁଝିବି, ସମୟ ଜାଣିବାକୁ ହେଲେ ତୋତେ ଦେଖିବାକୁ ହୁଏ । ତୋତେ ଦେଖିଲେ ମଧ୍ୟ ସମୟ ଜଣାଯାଏ । ତେବେ ତୁ କ’ଣ ସମୟ !

 

ଯାହାହେଉ ସେକେଣ୍ଡ କଣ୍ଟା ! କେତେ ରଜା, କେତେ ମହାରାଜା କେତେ ପଣ୍ଡିତ, କେତେ ମହାପୁରୁଷଙ୍କୁ ତୁ ଏହି ଟିକ୍ ଟିକ୍ ରବରେ ଚେତନା କରାଇ ଦେଇଛୁ, ଦଉଛୁ, ଏବଂ ସେହି ରବରେ କୁଆଡ଼େ ଉଡ଼ାଇ ଦେଇଛୁ, ଦେଉଥିବୁ । ଚାଲ ସେକେଣ୍ଡ କଣ୍ଟା । ଆଉ ଦ୍ରୁତଗତିରେ ଚାଲ-। ମୂର୍ଖ ନର ତୋ ମହିମା ବୁଝୁ । ମୋତେ ତୋ ଟିକ୍ ଟିକ୍ ରାବ ଶୁଣା । ମୁଁ ‘ଟିକି’(କ୍ଷୁଦ୍ର) ହୁଏଁ-।”

 

ଆଜି ୨୩/୧୧/୭୧ ତାରିଖକୁ ଠିକ୍ ତେପନ ବର୍ଷ ପୂର୍ବର ଏଇ ରଚନାର ଭାଷା ଓ ଚିନ୍ତାଧାରା ମୋର ବେଶୀ କିଛି ବଦଳିଲା ଭଳି ଲାଗୁ ନାହିଁ ତ ଅଥଚ ମଝିରେ କେତେ ଯେ କ’ଣ ଘଟିଗଲାଣି, ମୋର ପୁଣି ଦେଶ ଦୁନିଆର ! କେତେ ଲକ୍ଷ ଥର ସେକେଣ୍ଡ୍ କଣ୍ଟା ବୁଲି ଆସିଲାଣି ତା’ର ବୃତ୍ତ ଚାରିପଟେ ।

 

ବର୍ଷକ ପରେ ଆଉ ଗୋଟିଏ ବର୍ଷ ଅବଲୀଳା କ୍ରମେ ମୁଁ ପରୀକ୍ଷା ପାସ୍ କରି କ୍ଲାସ୍ ଉଠିଲି-। ବାପାଙ୍କ କଡ଼ାକଡ଼ି ନିୟମ ମଧ୍ୟ ମୋହ ପ୍ରତି କୋହଳ ହୋଇ ଆସେ । ସାଙ୍ଗସାଥୀ ମେଳରେ ଖେଳପଡ଼ିଆ ପୁଣି ସମୁଦ୍ରକୂଳ ବୁଲିଯିବାକୁ ଆଉ ସେମତି କଟକଣା ରହିଲାନି ।

 

କ୍ଳାସକୁ ଶିକ୍ଷକ ଆସି ନ ଥିବାବେଳେ ସହପାଠୀମାନଙ୍କୁ ମୁଁ ଗପ କହେଁ । ସେସବୁ ଗପ ମୁଁ ଗାଁରେ ସାଙ୍ଗସାଥୀମାନଙ୍କଠାରୁ ଶୁଣିଥାଏଁ । କେତେ ଭୁତପ୍ରେତ ବୁଢ଼ୀ ଅସୁରୁଣୀ ଗପ—ସେମାନେ ମୋତେ ଘେରିବସି ଏକ ଧ୍ୟାନରେ ଶୁଣନ୍ତି । ପୁଣି କେତେ “ବାନ୍ଧ୍ ଦଉଡ଼ି ପିଟ୍ ଠେଙ୍ଗ।” ଗପ ଶୁଣି ହସି ହସି ଗଡ଼ିଯା’ନ୍ତି । ଏଇ ସୂତ୍ରରେ ଅନେକ ଅପରିଚିତ ମୋର ନିକଟତମ ବନ୍ଧୁ ହୋଇପଡ଼ନ୍ତି । ରୋଜ ନୂଆ ନୂଆ ଗପ କହିବାକୁ ବରାଦ ଆସେ । ମୁଁ ଏତେ ଗପ ଶିଖିଥାଏଁ ଯେ ପ୍ରତି ଦିନ ନୂଆ ଗପ କହିବାକୁ ପୁଣି ହୁଏତ ନକେ ତା’ଭିତରୁ ନୂଆ ଗପଟିଏ ଫାନ୍ଦିଦେବାକୁ ମତେ ବି ଲାଗେ ଭାରି ମଜା ।

 

‘ଗପ’ ଉତ୍ତାରୁ ‘ଗୀତ’— !

 

ଗାଁରୁ ଗୀତ ବୋଲିବାର ଟିକିଏ ମୋ’ର ଅଭ୍ୟାସ ବି ଥିଲା । ଖଣ୍ଡେ ଛୋଟ ବେହେଲା କିଣି ବଜାଇ ଶିଖିଲି । ସାଧୁ କକେଇ ଥିଲେ ବେହେଲାଓସ୍ତାଦ୍ । ପୁରୀ ସମୁଦ୍ର କୂଳକୁ ବୁଲି ଗଲାବେଳେ ସାଙ୍ଗମାନଙ୍କ ଅନୁରୋଧରେ ସମୁଦ୍ର ଲହରୀର ନୃତ୍ୟ ତାଳେ ତାଳେ ଗୀତ ବୋଲେଁ–

 

“ସାଇତା ଥିବାରେ ଲୋଡ଼ା ନୋହିବାରେ

ଜୀଇଁବାର ବଡ଼ କ୍ଳେଶରେ ସଙ୍ଗୀତ ! ଆଉ କି ପଚାରୁ ବେଶ ।’’

ପୁଣି, “ବ୍ରଜରାଜ ସୁତ ଫାନ୍ଦେ ପଡ଼ି ମିତ

କେତେ କଥା ଦେହ ସହୁଛି—”ଇତ୍ୟାଦି ।

 

ଉପେନ୍ଦ୍ର-କବିସୂର୍ଯ୍ୟଙ୍କଠାରୁ ଆରମ୍ଭ କରି ଆଧୁନିକ କବି କୃଷ୍ଣମୋହନଙ୍କ “ସାଗରେ ଭୂଧରେ ପ୍ରାନ୍ତରେ ଅମ୍ବରେ ଶୁଭୁ ଉତ୍କଳର ଜୟଗୀତି” ପର୍ଯ୍ୟନ୍ତ ଅନେକ ସଙ୍ଗୀତ ମୋର ମୁଖସ୍ଥ । ବନ୍ଧୁମେଳରେ ବସି ସେ ସବୁ ବୋଲିବା ସଙ୍ଗେ ବାହାବା ମଧ୍ୟ ପାଏଁ ଅନେକ । ଅଥଚ ଆଜି ସେମ‌୍‌ତି ଅଭିନୟ କଲେ ଉପହସିତ ହେବା ଛଡ଼ା ଅନ୍ୟ ପୁରସ୍କାର ତ କଦାପି ଆଶା କରାଯାଇ ନ ପାରେ !

 

ସେଇ ଗୁଣପାଇଁ ମିଳିଛି ମୋତେ ସ୍କୁଲରୁ ମଧ୍ୟ ପୁରସ୍କାର । ସ୍ୱର୍ଗତ ଦାଶରଥି ପାଣିଗ୍ରାହୀଙ୍କଭଳି କଡ଼ା ହେଡ଼ମାଷ୍ଟର ସୁଦ୍ଧା ମୋ ଆବୃତ୍ତିରେ ମୁଗ୍‌ଧ ହୋଇ ସାବାସ୍ ଦେଇଛନ୍ତି ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ । ସହପାଠୀ “ଚାରୁ” ଓ ମୁଁ ଦୁହେଁ ଯେତେବେଳେ ଏକ ସ୍ଵରରେ ଗାଉଥିଲୁ—

 

“କେହି ରହି ନାହିଁ             ରହିବେ ନାହିଁଟି

ଭବରଙ୍ଗ ଭୂମି ତଳେ

ସର୍ବେ ନିଜେ ନିଜ            ଅଭିନୟ ସାରି

ବାହୁଡ଼ିବେ କାଳବଳେ ।”

 

ସେତେବେଳେ ଏତେ ବଡ଼ କଡ଼ା ହେଡ଼ମାଷ୍ଟର ଶ୍ରୀ ଦାଶରଥି ପାଣିଗ୍ରାହୀଙ୍କ ରୋଲଡ଼ଗୋଲଡ଼୍ ଫ୍ରେମର ଚଷମାଭିତରୁ ମଧ୍ୟ ଦୁଇ ଆଖି କକେଇ ଆସେ । ତାଙ୍କ ପାଖରେ ବସି ଆମ ଆବୃତ୍ତି ଶୁଣୁଥିବା ପଣ୍ଡିତ ଶ୍ରୀ ଫକୀର ମିଶ୍ର କାବ୍ୟତୀର୍ଥଙ୍କୁ ଦାଶରଥି ବାବୁ ନିଜର ଫ୍ରେଞ୍ଚ୍‍କଟ୍ ବିପୁଳ ଶ୍ମଶ୍ରୁଭିତରୁ ବୋଧହୁଏ ବହିପକାନ୍ତି, “ବାଃ, ଚମତ୍କାର” ।

 

ପଣ୍ଡିତ ମହାଶୟ ମୁଣ୍ଡଟୁଙ୍ଗାରି ନିଜ ସମର୍ଥନ ଜଣାନ୍ତି । ଭାବମୟ ସଙ୍ଗୀତକଳାରେ ପିଲାଦିନୁ ଗାଁଠାରେ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥିଲି, ତାହାର ଆଜି ଏଇ ସୁଫଳ ଲାଭ କରି ମୁଁ ଉତ୍‌ଫୁଲ୍ଲ ହୋଇପଡ଼େଁ । ସମୁଦ୍ରକୂଳରେ ସାନ୍ଧ୍ୟଭ୍ରମଣ ସମୟରେ ବନ୍ଧୁମାନଙ୍କଠାରୁ ବରାଦ ଆସେ ଗୀତ ବୋଲିବାପାଇଁ ଅଧିକରୁ ଅଧିକ ।

 

ଗୀତବୋଲାରେ ମୋର ସୁଖ୍ୟାତି ସଙ୍ଗେ ବନ୍ଧୁ ବାନ୍ଧବା ପରିସର ବଢ଼ିଯାଏ । ଗାଁରେ ଯେମତି ବାଗୁଡ଼ି, ବୋହୂଚୋରୀ, ପୋଖରୀ ପହଁରା ବନ୍‌ସିପକା ଆଦି ଖେଳରେ ବନ୍ଧୁ ସମାଗମ ଚାଲିଥାଏ, ପୁରୀରେ ସେମତି କେତେ ନୂଆବନ୍ଧୁ ଜୁଟିଗଲେ ଏ ଗୀତ ଶୁଣିବାପାଇଁ । ସମୁଦ୍ରର କଅଁଳ ବାଲି, ନୃତ୍ୟଶୀଳ ଲହରୀମାଳା ପୁଣି ଦିଗହରା ବିସ୍ତୃତି ଯେମତି ମୋତେ ନଚାଇ ଖେଳାଇ କନ୍ଦାଇ ହସାଇ ଅହରହ ଚେତାଇ ମତାଇ ରଖିଲା ।

 

କେତେ ଯେ ନୂଆ ନୂଆ ବନ୍ଧୁ ଆସି ଜୁଟିଗଲେ ! କେତେ ସଞ୍ଜସକାଳ ଯେ ସମୁଦ୍ରପନ୍ତାରେ ବୁଡ଼ିଲା ସୂର୍ଯ୍ୟ ଓ ଉଇଁଲା ସୂର୍ଯ୍ୟକୁ ଚାହିଁ ବିତିଗଲା । ବିତିଗଲା କେତେ ନୂଆ ନୂଆ ବନ୍ଧୁ ସମାଗମ, ହସଖୁସି ମିଳନ ପୁଣି ମନାନ୍ତର—ସମୁଦ୍ର ଭିତରକୁ ଫେରିଯାଉଥିବା ଲହଡ଼ି ପଛେ ପଛେ ଗୋଡ଼ାଇଯାଇ ପୁଣି ଉଜାଣି ମାଡ଼ି ଆସୁଥିବା ସଂଖ୍ୟାତୀତ ଲହଡ଼ିଗୁଡ଼ିକୁ ଆଲିଙ୍ଗନ କରିବା—ପର କ୍ଷଣରେ ତାଙ୍କର ପୁଣି ଅନ୍ତର୍ଦ୍ଧାନ ଭଳି !

 

ସେଥିଲାଗି ତେବେ ଶୋଚନା ହୁଏ କାହିଁକି କେଜାଣି ! ମୋ ଆଗରୁ ତ ଏଇ ଅଭିନୟ କରିସାରି କେତେ ଆସି କେତେ ଗଲେଣି, ମୋ ସାଙ୍ଗରେ ବି ଚାଲିଛନ୍ତି ଆଉ ମୋ ପରେ ମଧ୍ୟ ଚାଲିବେ କେତେ ! ସୁଖ-ଶୋଚନା ବି ଚାଲୁରହିଛି ସେମତି—ସେମ‌୍‌ତି ଚାଲିଛି ସୁଖ ଦୁଃଖ ମାନା-ପମାନକୁ ସମଦୃଷ୍ଟିରେ ନବିଚାରିବାର ସାଧନା ! କିମାଶ୍ଚର୍ଯ୍ୟ ମତଃ ପରମ୍ ?

 

ସହରକୁ ଆସିବା ପରେ ବାପାଙ୍କର କଡ଼ା ଆଦେଶ ଥାଏ, ମୁଁ ସ୍କୁଲରୁ ଫେରି କୁଆଡ଼େ ଯିବିନି, ଖାଲି ଦାଣ୍ଡପିଣ୍ଡାରେ ତୁନିହୋଇ ବସି ସବୁରି ଯା’ ଆସ ଦେଖୁଥିବି । ସେଥିଲାଗି ସାଥିପିଲାଙ୍କ ପରିହାସର ମୁଁ ଶୀକାର ହୁଏଁ । କେହି କେହି ଖେଳପଡ଼ିଆକୁ ଗଲାବେଳେ ମୋ ଆଗରେ ହାତ ହଲାଇ ବୋଲନ୍ତି---

 

“ପିତାମାତା ପରି ଆଉ କେ ଅଛି ସଂସାରେ

ଧନ୍ୟ ସେ ଯେ ଦିଏ ପ୍ରାଣ ତାଙ୍କର ସେବାରେ ।’’

 

ଆଉ କିଏ ଟାହିଟାପରା କରନ୍ତି ମଧ୍ୟ ମୋ ଆଗରେ ନାଚି ନାଚିକା ।

 

“ବାଳକେ ମୋର ବୋଲକର।

ସତ୍ୟ ପାଳିବ ନିରନ୍ତର ।”

 

ଏହି ରୂପେ ପ୍ରଥମ ଦୁଇ ଚାରିଟା ବର୍ଷ ବିତିଯିବା ପରେ ଅବଶ୍ୟ ବନ୍ଧନ ମୋର କୋହଳ ହୋଇପଡ଼େ ।

 

ନମୋ ଗଣେଶ ବିଘ୍ନେଶ

 

ଗାଁରେ କାନଫୋଡ଼ା ବିଦ୍ୟାରମ୍ଭ । ୧୮ଟା ନଡ଼ିଆ ଭାଙ୍ଗୁ ଭାଙ୍ଗୁ ହାତମୋର ରହିଯାଏ ତହୁଁ ପୁରୋହିତ ଆପଣେ ସାହାଯ୍ୟକରି ଶିଳପତା ଉପରେ ନଡ଼ିଆତକ ଗୋଟିକପରେ ଆଉ ଗୋଟିଏ ଭାଙ୍ଗନ୍ତି ମନ୍ତ୍ରପାଠକରି–

 

ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୁଃ

ମମ ବିଘ୍ନ ବିନାଶାୟ ଗଣାଧିପତୟେ ନମଃ

 

ନଡିଆ ତକ ଭଙ୍ଗାଯାଇ ଗୋଟାଏ ବଡ଼ ବେତାରେ ଭର୍ତ୍ତି ହୁଏ । ଶେଷରେ କାନ ଫୋଡ଼ିଥିବା ବାରିକ, ଶ୍ଳୋକ ବୋଲିଥିବା ନାହାକ ଅବଧାନ ଓ ମନ୍ତ୍ରପାଠ କରିଥିବା ପୁରୋହିତଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ମଧ୍ୟେ ମଧ୍ୟେ ଗାଳି ଫଜ୍ଜିୟତିରେ ପରିଣତ ହୋଇ ଭଙ୍ଗା ନଡ଼ିଆ ଭାଗ ବଣ୍ଟା ହୁଏ ।

 

ଅବଶ୍ୟ କାନ-ଫୋଡ଼ାର ଅନେକ ଆଗରୁ ମୋ’ର ବିଦ୍ୟାରମ୍ଭ ହୋଇ ସାରିଥାଏ । ଆଜି ବି ମୋ’ଠାରୁ ପାଞ୍ଚ ବର୍ଷ ବଡ଼ କମଳା ନାନୀ ସେଇ ଘଟଣାକୁ ମନେ ପକାଇ କହେ, କାନଫୋଡ଼ା ଆଗରୁ କୁଆଡ଼େ ମୁଁ ବହୁତ ପାଠ ପଢ଼ି ସାରିଥିଲି ।

 

କାନଫୋଡ଼ାର ଅଳ୍ପ କେତେଟା ବର୍ଷ ପରେ ପୁଣି ଆସେ ମୋ’ର ବ୍ରତଘର । ସବୁ ଭଉଣୀ ଭିଣୋଇମାନେ ଜମା ହୋଇ କରନ୍ତି ଆସି ଘରଗହଳି । ଦିଅଁ ମଙ୍ଗୁଳା ଠାରୁ ସାତ ମଙ୍ଗୁଳା ଯାକେ ଶଙ୍ଖ ମହୁରୀ ବାଜା ବରକାଠରେ ଉଛୁଳି ପଡ଼େ ଗାଁ ଦାଣ୍ଡ । ସବୁରି ଘରେ ଯେମ‌୍‌ତି ସେଇ ଉଛବର ସୁଅ ଛୁଟିଛି । ସବୁରି ଘର ପିଲାଙ୍କ ଭିତରେ ହସ ଖେଳ ନାଚ ଗାତର ଢେଉ ।

 

ବ୍ରତ ପରେ ନିଜର ଟିକିଏ ସ୍ୱାତନ୍ତ୍ର୍ୟବୋଧ ଆସେ । ପଇତାକୁ ଏକ ପବିତ୍ର ପଦାର୍ଥ ଜ୍ଞାନରେ ମଳମୂତ୍ର ତ୍ୟାଗ ସମୟରେ ତାହାକୁ କର୍ଣ୍ଣରେ ଧାରଣ କରିବାକୁ ହୁଏ । କାରଣ ସ୍ଵୟଂ ଗଙ୍ଗାଦେବୀ ବ୍ରାହ୍ମଣ କର୍ଣ୍ଣରେ ବାସ କରନ୍ତି । ଅନ୍ନ ଆହାର ସମୟରେ ଚଳୁ କରି ‘‘ବ୍ରହ୍ମଣେ ନମଃ, ଧର୍ମରାଜାୟ ନମଃ”, ଇତ୍ୟାଦି ପୂଜା ପାଠ କରିସାରି ଖାଇବା ସମୟରେ ବାନାୟ ସ୍ୱାହା, ପାନାୟ ସ୍ୱାହା, ଅପାନାୟ ସ୍ୱାହା କହି ପଞ୍ଚଗ୍ରାସ କରିବା ଭଳି କେତେକ ନିୟମ ଓ ମନ୍ତ୍ର ଭିତରେ ନିଜର ଦୈନନ୍ଦିନ ଦୈହିକ କର୍ମଗୁଡ଼ିକ ନିୟନ୍ତ୍ରିତ ହୋଇଥାଏ ।

 

ସକାଳୁ ନିଦ ଭାଙ୍ଗିବାମାତ୍ରେ ଶେଯରୁ ଉଠି ପ୍ରତି କାମ ପାଇଁ ସ୍ଵତନ୍ତ୍ର ମନ୍ତ୍ରପାଠର ବିଧାନ ଅଛି ଶେଷରେ ଶୋଇବାକୁ ଯିବା ପର୍ଯ୍ୟନ୍ତ । ସେଗୁଡ଼ିକୁ ମୁଖସ୍ଥ କରି ବସିବା, ଉଠିବା, ଛିଙ୍କିବା, କାଶିବା ଆଦି ସବୁ କାମରେ ଆବୃତ୍ତ କରିବା ମୋ’ ପକ୍ଷରେ ସମ୍ଭବପର ହୁଏ ନାହିଁ । ସେଇ ତୃଟି ପାଇଁ ଅବଶ୍ୟ ମୋର ଲଜ୍ଜା ନ ଥାଏ । କାରଣ ମୋର ସାଙ୍ଗସାଥୀ କି ବଡ଼ବଡ଼ିଆ କେହି ହେଲେ ନିତ୍ୟକର୍ମ ପଦ୍ଧତିର ସରୁ ନିର୍ଦ୍ଦେଶକୁ ମାନି ଚଳିପାରନ୍ତି ନି । ତାହା ବୋଧହୁଏ ସମ୍ଭବପର ନୁହେଁ । ତେଣୁ ସେଗୁଡ଼ିକର ସଂକ୍ଷେପକରଣ କରାଯାଇ ଶେଷରେ ମନ୍ତ୍ରପାଠ ଏକାବେଳେ ନିପାତ ।

 

ଆମ ଘରେ ବାପାଙ୍କଠାରେ ବି ସେଇ କଥା ମୁଁ ଦେଖେ । ଘର ଭିତରେ ବାପା ସବୁବେଳେ ଗେରୁଆ ଲୁଗା ପିନ୍ଧନ୍ତି । ପଇତା ଘେନନ୍ତି, ଚଳୁ କରନ୍ତି । ରୋଜ ଗାଧୋଇ ସାରି ଗୀତା ପଢ଼ନ୍ତି ଓ ଜପ କରନ୍ତି ପ୍ରାୟ ଗୋଟିଏ ଘଣ୍ଟା— କିନ୍ତୁ ଚିତା ଘେନନ୍ତି ନାହିଁ । ଆମ ବେଳକୁ ତା’ର ସଂକ୍ଷିପ୍ତ ସାର ହୋଇ ଶେଷକୁ ସବୁ କ୍ରିୟାକାଣ୍ଡ ଅସାର ହୋଇ ପଡ଼ିଲାଣି ।

 

ବ୍ରତଘର ପରେ ବ୍ରାହ୍ମଣ କର୍ମକର୍ମାଣିରେ ଯେମ୍‍ତି ମନୋନିବେଶ କରିଥିଲି ତାହାର ପ୍ରଧାନ ଗୁରୁଥିଲେ ମୋ’ର ସେଇ ପିଇସୀ ପୁଅ ଭାଇ, ଭୋବନି ଭାଇନା । ତାଙ୍କରିଠାରୁ ପଇତାମନ୍ତ୍ରଣ ଶିଖିଲି । ପୁଣି ସାଙ୍ଗସାଥି ମାମୁଁପୁଅ ଭାଇଙ୍କଠାରୁ ମଧ୍ୟ ସନ୍ଧ୍ୟା ଗାୟତ୍ରୀ ଆଦି ମନ୍ତ୍ର ଶିଖି ସକାଳୁ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ ଯେତେ ପ୍ରକାର କର୍ମ ସଙ୍ଗେ ମନ୍ତ୍ରପାଠ କରାଯାଏ, ସେଗୁଡ଼ିକୁ ଅଭ୍ୟାସ କଲି ।

 

“ନିତ୍ୟକର୍ମ ପଦ୍ଧତିଃ” ବୋଲି ଏଇସବୁ ମନ୍ତ୍ର ଛପା ହୋଇ ଖଣ୍ଡିଏ ଚଟି ବହି ଅଛି । ସେ ବହି ଖଣ୍ଡି କିଣି ଏ ସବୁ ମନ୍ତ୍ର ସେଥିରୁ ମୁଖସ୍ଥ କଲି । ଏବେ ମଧ୍ୟ ସେଇ ବହି ମିଳୁଛି ବଜାରରେ । କନ୍ତୁ ବ୍ରତ ହୋଇ ମନ୍ତ୍ରଗୁଡ଼ିକୁ ମୁଖସ୍ଥ କରିବା ରୀତିହୁଏ ବୋଧହୁଏ ବହୁତ କମିଗଲାଣି । ମୋରି ପୁଅ ନାତିମାନେ ଆଉ ସେ ସବୁ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ ।

 

ଆମରି ଘରେ ମଧ୍ୟ ବାପା କେବେହେଲେ ଏ ସବୁ ମନ୍ତ୍ରପାଠ ଉପରେ ଗୁରୁତ୍ୱ ଦେଉ ନଥିଲେ । ନିଜେ କେବଳ ପ୍ରାୟ ଗୋଟିଏ ଘଣ୍ଟା ସମ୍ପୂର୍ଣ୍ଣ ନୀରବ ରହି ଗୀତାପାଠ ଜପତପ ଛଡ଼ା ଚିତା ତିଳକ ପ୍ରଭୁତି କିଛି କରୁ ନ ଥିଲେ ସେ । ଗାଁରେ ଯେମତି ଗାଧୋଇ ସାରି କୁଟୁମ୍ବମାନଙ୍କ ଭଳି ଦିଅଁଙ୍କ ଘରେ ମୁଁ ଚିତା କରୁଥିଲି, ପୁରୀକୁ ଆସି ତାହା ପାସୋରି ପକାଇଲି । “ନିତ୍ୟକର୍ମ ପଦ୍ଧତି”ର ପ୍ରଭାବ ମୋ ଉପରୁ କ୍ରମେ ପୂରାପୂରା କମି ଆସିଲା ।

 

ବଡ଼ ଦେଉଳକୁ ଚାହାଁରେ

 

ପୁରୀକୁ ଆସି ଦେଖେ, ମସ୍ତ ବଡ଼ ସହର । ଆମ ଗାଁ ପାଖ ଭୁବନେଶ୍ୱର (ଅବଶ୍ୟ ପୁରୁଣା ଭୁବନେଶ୍ୱର) ଠାରୁ ଆଉ ଏମ‌୍‌ତି ବଡ଼ ସହର ପୁଣି ନିତି କେବେହେଲେ ଏତେ ବିଚିତ୍ର ବେଶ ଭୂଷାରେ ଲୋକେ ଯା’ଆସ କରୁଥିବା ମୁଁ ଦେଖି ନ ଥିଲି । ତା’ ସାଙ୍ଗକୁ ପୁଣି ମହାସମୁଦ୍ର କେତେ ପାଣି, କି ବିରାଟ ଲହରୀମାଳ, କୁଆଡ଼େ ତା’ର ଶେଷ !

 

ଗାଁ ଚିକିଟା ମାଟିରୁ ଆସି ଦୟା ଭାର୍ଗବୀ କଅଁଳ ବାଲିରେ ଶଗଡ଼ ଚକ ପୋତି ହୋଇପଡ଼ି ବଳଦଙ୍କ ଚାଲି ମନ୍ଥର ହେଲାବେଳେ ଶଗଡ଼ରୁ ଡେଇଁପଡ଼ି ବାଲି ଉପରେ ଚାଲିବା ମଜାଠାରୁ ଏ ଯେ ଆହୁରି କେତେ ବେଶୀ । ସେଠାରେ ତ ଗୋଟାଏ ପଟେ ବାଳକାଟି ପୁଣି ଆରପଟେ ଲିଙ୍ଗିପୁର ନଈବନ୍ଧ ଉପରେ ଆମ୍ବପଣସର ଗଛଗହଳି ମଝିରେ ବାନ୍ଧିହେଲା ଭଳି କୁଆଖାଈରୁ ଦୟା ପୁଣି ଭାର୍ଗବୀ ନଈ ଦୁଇ ପଟକୁ ଅଲଗା ହୋଇ ଯାଇଛନ୍ତି । ଏଠାରେ ଯେ ସମୁଦ୍ରଟା କେଉଁଠି ଛିଡ଼ିଛି ଆଖି ପାଏନି; ତା’ର ବାଲି ଉପରେ ଡେଇଁଲାବେଳେ ସତେ ଯେମ‌୍‌ତି ସମୁଦ୍ର ଲହରୀ ସାଥିରେ ଡେଇଁଲା ଭଳି ମନଟାକାହିଁ କୁଆଡ଼େ ଯେ ପଳାଏ, ତା’ର ଅନ୍ତ କାହିଁ ?

 

ପୁରୀର ସେଇ ସମୁଦ୍ର ଲହଡ଼ି ମନ ଭିତରେ ମୋର କେତେ ଯେ ଲହଡ଼ି ନଚାଏ, ପୁଣି ତା’ର ସେଇ ଅପୁର୍ବ ନୀଳ ଦିଗ୍‍ବଳୟ କେତେ ରହସ୍ୟରେ ଯେ ହସାଏ ! ଆଜି ନାଚକୁଦ କରିବା ବୟସ ଗଲେବି ମନଟା ତ କାହିଁ ଯାଇନି । ଆଜି ବି ସେମ‌୍‌ତି ମନ ଧାଏଁ ବାଲି ଉପରେ ଡେଇଁବାକୁ—ସମୁଦ୍ର ଭିତରେ ଲହଡ଼ି ଭାଙ୍ଗି ନାଚିବାକୁ— ଗୋଟିକ ପରେ ଆଉ ଗୋଟିଏ ଲହଡ଼ିକୁ ସେ ଆଲିଙ୍ଗନ ଚୁମ୍ବନ ଦେବାକୁ । କେତେ ବର୍ଷ ପରେ ଏଇ ସମୁଦ୍ର–ସ୍ମୃତିରେ ଲେଖିଛି କବିତା ପୁଣି ମୋର ଛୋଟଗଳ୍ପ “ସାଗରିକା” ।

 

“ସାଗରିକା” ଗଳ୍ପଟି ମୋର କେତେ ବିଶିଷ୍ଟ ପାଠକଙ୍କ ମନକୁ ଛୁଇଁଥିଲା ସେତେବେଳେ କଳ୍ପନା–ବିଳାସର ପ୍ରତୀକ ରୂପେ । ସେଇପରି ସମୁଦ୍ର ବିଷୟରେ କବିତା ମଧ୍ୟ । ଗଳ୍ପଟି ଅବଶ୍ୟ “ଉତ୍କଳ ସାହିତ୍ୟ” ମାସିକ ପତ୍ରିକାରେ ପ୍ରକାଶିତ ହୁଏ । ମୋ’ର କଲେଜପଢ଼ା କାଳରେ । ତାହାରି ପ୍ରାୟ ସମସାମୟିକ ସୁଦୀର୍ଘ କବିତା ହେଲା ମୋ’ର “ପୁରୀ-ମନ୍ଦିର” । “ସାଗରିକା” ଗଳ୍ପ ଯେପରି ଶ୍ରୀ ହରିଶ୍ଚନ୍ଦ୍ର ରାୟ ପ୍ରମୁଖ ବହୁ ପାଠକଙ୍କ ମୁଖରୁ ପ୍ରଶଂସା ଆକର୍ଷଣ କରେ, ସେଇପରି ମଧ୍ୟ “ପୁରୀ-ମନ୍ଦିର” କବିତା ଶ୍ରୀ ରାଜକୃଷ୍ଣ ବୋଷଙ୍କଠାରୁ ଆରମ୍ଭ କରି ସ୍ଵର୍ଗତ ଚିନ୍ତାମଣି ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ । କିନ୍ତୁ ବାପା କ୍ରୋଦ୍ଧ ହୋଇଥିଲେ—“କାଷ୍ଠ ପାଷାଣ ନିର୍ମିତ ହେ ନିର୍ଜୀବ ଦେବତା—ମୂରତି” ପ୍ରଥମ ଧାଡ଼ିଟି ପଢ଼ିବା କ୍ଷଣି ।

 

“ଜଗନ୍ନାଥଙ୍କ ପାଇଁ ଏଇ ବର୍ଣ୍ଣନା ବିଶେଷଣ ତୋତେ ମିଳିଲା ?” ବିରକ୍ତ ହୋଇ ବାପା ମନ୍ତବ୍ୟ କରନ୍ତି ।

 

“କାହିଁକି ? ପର ଧାଡ଼ିରେ ତ ତାଙ୍କୁ ମୁଁ ‘ବିଶ୍ୱର କିରତୀ’ ବୋଲି ପ୍ରଶଂସା କରିଛି ମଧ୍ୟ ।’’ ଏଇ ଭଳି ଯୁକ୍ତି ବାଢ଼ିବାକୁ ମୁଁ ଉଦ୍ୟମ କରେଁ ।

 

“ଓଃ, ଖୁବ୍ ଦୟା ଅନୁଗ୍ରହ କରିଛୁ ଜଗନ୍ନାଥଙ୍କୁ । ଆଚ୍ଛା ଗୋଟିଏ କଥା କହିଲୁ ଦେଖି— ଜଗନ୍ନାଥେ ବିଶ୍ୱର କିରତୀ ନା ବିଶ୍ୱ ତାଙ୍କର କିରତୀ ?” ବାପା ଉତ୍ତେଜିତ ହୋଇଉଠନ୍ତି ।

 

ଯେଉଁ କବିତା ଉପରେ ମୁଁ ଏତେ ପ୍ରଶଂସା ଚାରିଆଡ଼ୁ ପାଇଲି, ସେ ତାହାକୁ ନାପସନ୍ଦ କରିବାରୁ ମନ ମୋର ବଗିଡ଼ିଯାଏ । ମୁଁ ଆଜି ବୁଝୁଛି, ସେ ଦିନ କବି ଚଣ୍ଡୀଦାସଙ୍କ ସେଇ ସୁପରିଚିତ ଉକ୍ତିଟିକି ତାଙ୍କୁ ନଜିର ସୂରୁପ ଦେଇପାରିଥାନ୍ତି କି—‘‘ସବୁରି ଉପରେ ମଣିଷ ସତ୍ୟ ତା’ ଉପରେ କେହି ନାଇଁ ।”

 

କିନ୍ତୁ ବାପା କ’ଣ କାହାରି କଥା ଶୁଣନ୍ତେ ? କବି ଚଣ୍ଡୀଦାସଙ୍କୁ ସୁଦ୍ଧା ସେ ପାସଙ୍ଗରେ ପକାନ୍ତେ ନାହିଁ । ତାଙ୍କ ପାଖରେ ମଣିଷ କଦାପି ସତ୍ୟ ହୋଇ ନ ପାରେ । ତାହାର ଯେ ପ୍ରତି ମୁହୂର୍ତ୍ତରେ ଜନ୍ମ ପୁଣି ପ୍ରତି ମୁହୂର୍ତ୍ତରେ ମୃତ୍ୟୁ !

 

ଅହନ୍ୟହନି ଭୁତାନି ଗଛନ୍ତି ଯମ ମନ୍ଦିରମ୍

ଶେଷାସ୍ତୁ ସ୍ଥିରମିଚ୍ଛନ୍ତି କିମାଶ୍ଚର୍ଯ୍ୟ ମତଃପରମ୍ ।

 

ଧର୍ମବକଙ୍କୁ “କିମାଶ୍ଚର୍ଯ୍ୟମ୍ ?” ପ୍ରଶ୍ନର ପରା ଏଇ ସନ୍ତୋଷଜନକ ଉତ୍ତର ଦେଇଥଲେ ସ୍ଵୟଂ ଧର୍ମରାଜ ଯୁଧିଷ୍ଠିର—ସୃଷ୍ଟି ରହସ୍ୟର ଏତେବଡ଼ ଉଦ୍‍ଘାଟନ ଆଉ କଛି ଅବା ଅଛି କେଉଁଠି-?

 

ବାପାଙ୍କ ସଙ୍ଗେ ଯୁକ୍ତି କରି ହାରିଯିବା ଗୌରବ ଏମ‌୍‌ତି ପଦେ ପଦେ ମୋତେ ମିଳିଥାଏ ।

 

ପୁରୀର ବଡ଼ଦେଉଳ ଆଉ ସମୁଦ୍ର ମନଟାକୁ ମୋର ସତେ ଅବା ଗାଁର ଛୋଟ ସଂକୀର୍ଣ୍ଣ ପରିବେଶ ଛାଡ଼ି ଉଚ୍ଚ ବିଶାଳ ହେବାକୁ ଶିଖାଇଲା । ସେଥି ସଙ୍ଗେ ସଙ୍ଗେ ଶିଖାଇଲା ବାସ୍ତବତାକୁ ଛାଡ଼ି ଅଧିକ କଳ୍ପନାପ୍ରିୟ ହେବାପାଇଁ; ଜୀବନଟାକୁ ମେଲି ଦେବାପାଇଁ ନିରାଲମ୍ବ ହୋଇ, କୂଳର ଲହରୀ ଯେମତି ଗୋଟା ସମୁଦ୍ରକୁ ଅବା ମେଲିଦିଏ ପ୍ରଶାନ୍ତ ବାଲିପନ୍ତାର ଉପରେ ଅକୁଣ୍ଠ ନିଃସଙ୍କୋଚ ଭାବରେ ! ଆଉରି ଗୋଟା ଆକାଶ ଯେମତି ତାହାର ସୂର୍ଯ୍ୟଚଦ୍ର, ପୁଣି ଅସୁମାରି ତାରାର ସମ୍ଭାର ଘେନି ଆପଣାକୁ ପୂରାପୂରି ମିଶାଇଦିଏ । ସମୁଦ୍ର ସେଇ ଚିର ବିଘୋଷିତ ମହିମା ଭିତରେ ।

 

ସମୁଦ୍ରକୂଳକୁ ଯିବାପାଇଁ କିନ୍ତୁ ବାପାଙ୍କର ମନା ଥାଏ । ଆଜିକାଲି ପୁରୀର ଯେଉଁ ଘରେ ସଂସ୍କୃତ କଲେଜ ବସିଛି, ସେଠି ଥାଏ ପୁରୀ ଜିଲ୍ଲା ସ୍କୁଲ । ସ୍କୁଲର ଖେଳଛୁଟିବେଳେ ବାପାଙ୍କ ବରାଦ ଥାଏ କଚେରୀ ଯିବାପାଇଁ । ସେଠାରେ ଗୁଡ଼ିଆକୁ ବରାଦ ଥାଏ ମୋତେ ଚାରିପଇସାର ଜଳଖିଆ ଦେବାକୁ । ଚାରିପଇସାରେ ସିଙ୍ଗଡ଼ା, କଚୁରି, ରସଗୋଲା, ପାନତୁଆ ପେଟେ ଜଳଖିଆ ମିଳେ । ଏତେ ଖାଇବାକୁ ଇଚ୍ଛା ହୁଏ ନାହିଁ ।

 

ଯୋଗକୁ ବାପା ସେ ଚାରି ପଇସା ମୋ ହାତକୁ ଦିଅନ୍ତି । ସେଥିରୁ ଦୁଇପଇସାର ଜଳଖିଆ ଖାଇ ବାକି ଯୋଡ଼ିଏ ପଇସା ମୁଁ ସାଇତି ରଖେଁ । କ୍ରମେ ସେ ପଇସାତକ ପାଖରେ ମୋର ଜମିଗଲେ କଟକ କିମ୍ବା କଲିକତାକୁ ଚିଠି ଲେଖି ରଙ୍ଗବାକ୍‍ସ, ବଙ୍ଗଳା ମ୍ୟାଜିକ୍ ବହି, ହାତ-ହାରମୋନିୟମ ବାଜା ପ୍ରଭୃତି ମଗାଏଁ ।

 

ଡାକବାଲା ପାର୍ଶଲ ଆଣି ପହଞ୍ଚିଗଲେ, ସେ ଯେ ମୋର କି ଆନନ୍ଦ ଆଜି ତାହା ବର୍ଣ୍ଣନା କରିବା ଅସମ୍ଭବ । ସତେ ଅବା ମୁଁ ଗୋଟାଏ ଗଡ଼ ଜିଣିଛି !

 

ମ୍ୟାଜିକ୍ ବହି ପଢ଼ିବାକୁ ମୋର କଷ୍ଟ ହୁଏ ନାହିଁ । ରାମଚଣ୍ଡୀ ସାହିରେ ଏବେ ସୁଦ୍ଧା ଯେଉଁ ଘରେ ମୋ ସାନ ଭାଇ ଭଗବତୀର ପିଲାମାନେ ରହନ୍ତି, ତାହାର ପଡ଼ିଶା ଅଡ଼ିଶା ସମସ୍ତେ ଥିଲେ ପ୍ରାୟ ବଙ୍ଗାଳୀ । ମୋ’ର କେତେକ ବଙ୍ଗାଳୀ ସହାଧ୍ୟାୟୀ ମଧ୍ୟ ଥାନ୍ତି । ବାପାଙ୍କ ଛୋଟ ଲାଇବ୍ରେରୀଟିରେ ବି ଅନେକ ବଙ୍ଗଳା ବହି । ତା’ ଭିତରୁ “ଶ୍ରୀମଦ୍‌ଭାଗବତ ଗୀତା”, “ଶିବପୁରାଣ”, ଓ “ପଞ୍ଚଦଶୀ’ ଆଜି ମନେପଡ଼େ । ସେ ସବୁ ଅବା ମୁଁ ବୁଝେ କ’ଣ ! କିନ୍ତୁ ବଙ୍ଗଳା ଅକ୍ଷର ଚିହ୍ନିବାକୁ ପୁଣି, ପଡ଼ିଶା ଅଡ଼ିଶାଙ୍କ ମୁହଁରୁ ବଙ୍ଗଳା କଥା ଶିଖିବାକୁ ମୋତେ ସୁଯୋଗ ମିଳେ । ମ୍ୟାଜିକ୍ ସରଞ୍ଜାମ ଭିତରେ ପୁରୀରୁ ତାସ ପ୍ରଭୃତି କେତେଟା ଜିନିଷ କିଣି ନେଇ ଗାଁ ରେ ଶିରୁଭାଇନାଙ୍କୁ ବହି ପଢ଼ି ବୁଝାଇ ଦେଲେ ସେ ଚଟକରି ଯେ କୌଣସି ମ୍ୟାଜିକ୍ ଦେଖାଇ ଦେଇପାରନ୍ତି । କି ବିଚକ୍ଷଣ ବୁଦ୍ଧି ତାଙ୍କର ! ଅଧିକ ପଢ଼ିବା ସୁଯୋଗ ପାଇଥିଲେ ଶିରୁ ଭାଇନା ଯେ ଜଣେ ବିଚକ୍ଷଣ ବୁଦ୍ଧିଜୀବୀ ହୋଇ ପାରିଥାନ୍ତେ, ଏଥିରେ ମୁଁ ନିଃସନ୍ଦେହ ।

 

ନିତି ନୂଆ ମଣିଷ

 

ପୁରୀକୁ ଆସିଲି ୧୯୧୨ ଖ୍ରୀଷ୍ଟାବ୍ଦରେ । ତାହାର ଦୁଇଟି ବର୍ଷ ପରେ ୟୁରୋପରେ ଲାଗିଯାଏ ପ୍ରଥମ ପୃଥିବୀ ମହାସମର । ଯେଉଁ ଇଂରେଜ ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତ ହେଉ ନ ଥିଲେ, ଅର୍ଥାତ୍ ପୃଥିବୀର ଦୁଇଟିଯାକ ଗୋଲାର୍ଦ୍ଧ ଉପରେ ଯେଉଁ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା, ତାହାରି ବିରୁଦ୍ଧରେ ଶୁଣାଗଲା ଜର୍ମାନୀ କାଇଜରଙ୍କ ରଣ-ହୁଙ୍କାର । ପୁଣି ସେହି ଯୁଦ୍ଧ ସମୟରେ ହିଁ ପୃଥିବୀବ୍ୟାପୀ ଦଳିତ, ନିଷ୍ପେଷିତ, ନିପୀଡ଼ିତ, ଶ୍ରମିକଶ୍ରେଣୀର ମୁକ୍ତିର ଶ୍ରେଷ୍ଠ ନିଶାଣ କମ୍ୟୁନିଜିମ୍‌ର ବିସ୍ତାର ସଙ୍କେତ ମିଳେ ।

 

ଲେନିନ୍ ଏ ଯୁଦ୍ଧକୁ ଘୋଷଣା କରନ୍ତି, ଆର୍ଥନୀତିକ ଯୁଦ୍ଧ–ନାମରେ । ଯୁଗବ୍ୟାପୀ ଯେଉଁ ପୃଥିବୀର ରକ୍ତାକ୍ତ ଇତିହାସ ତାକୁ ଖଣ୍ଡିତ ବିଚ୍ଛିନ୍ନ କରି ରଖି ଆସିଥିଲା, ଏଇ ଯୁଦ୍ଧର ଭୟାବହ ରୁଧିର-ସ୍ନାନ ମଧ୍ୟରେ ଏକ ଜଗତ୍ ବା ଏକ ପୃଥିବୀର ମିଳନ-ଶଙ୍ଖ ଶଅ୍ ଅବା ବାଜି ଉଠିଲା ଉତ୍ତର ମେରୁଠାରୁ ଦକ୍ଷିଣମେରୁ ପର୍ଯ୍ୟନ୍ତ । ବଡ଼ ଠାକୁର ଜଗନ୍ନାଥଙ୍କ ବାହୁଛାୟା ତଳେ ରହି ଏତେ ଦୂରରେ ମଧ୍ୟ ପୁଣି ଏତେ କମ୍ ବୟସରେ ମୋର ସେଇ ଯୁଦ୍ଧ-କଥା ଲାଖି ରହିଛି ମନ ଗହନରେ—

 

ଚାହୁଁ ଚାହୁଁ ପୁରୀରେ ଲୁଗାପଟା ଦର ବଢ଼ିଯାଏ, ସେଥିସଙ୍ଗେ ଆଉ ସବୁ ବିଦେଶୀ ଜିନିଷର ମଧ୍ୟ । କିନ୍ତୁ ସେଥିପାଇଁ ବ୍ୟକ୍ତିଗତ ଭାବରେ ମୋତେ ଅବଶ୍ୟ ବିବ୍ରତ ହେବାକୁ ପଡ଼ିନାହିଁ । ଯେହେତୁ ଅର୍ଥଂ ମନର୍ଥଂ ଭାବୟ ନିତ୍ୟଂ ମନକୁ ତ ମୋର ସ୍ପର୍ଶ କରି ନ ଥାଏ !

 

ପ୍ରତି ଦିନ ରାମଚଣ୍ଡୀ ସାହିରୁ ବର୍ତ୍ତମାନ ସଂସ୍କୃତ କଲେଜ ବସୁଥିବା ପୁରୀଜିଲ୍ଲା ସ୍କୁଲକୁ ଯିବା ଓ ସେଠାରୁ ଫେରିଆସି ବସାଘରେ ରହିବା ଥିଲା ମୋର ଦୈନନ୍ଦନ ରୁଟିନ୍ କାମ । ତା’ପରେ କୁଆଡ଼େ ବୁଲି ବାହାରିବାକୁ ବାପାଙ୍କର ଆକଟ । ଅଧିକାଂଶ ଦିନ ସେ କଚେରୀରୁ ଫେରନ୍ତି ପ୍ରାୟ ଆମରି ସ୍କୁଲ ଛୁଟିବେଳକୁ । ଉଦ୍ଦେଶ୍ୟ ନିଶ୍ଚୟ ଥାଏ, ଛୁଟି ପରେ ମୁଁ ଆଉ କାହିଁ ବୁଲାଚଲା ଡିଆଁ ଡେଇଁ ନ କରି ତାଙ୍କରି ସାଥିରେ ଘରକୁ ବାହୁଡ଼ିବି । ଗୋଟାଏବେଳେ ଯେଉଁ ଅଧଘଣ୍ଟାଏ ଛୁଟିମିଳେ—ସେତେବେଳେ ସୁଦ୍ଧା ବାପାଙ୍କର ବରାଦ ଥାଏ କଚେରୀକୁ ଯାଇ ତାଙ୍କ ସଙ୍ଗେ ଦେଖା କରିବାକୁ ।

 

ପ୍ରତି ଶିନବାର ବାପା ଆସନ୍ତି ଗାଁକୁ । କାରଣ ଗାଁରେ ମୋ’ର ବୋଉ ପୁଣି ଭାଇ ଭଉଣୀମାନେ ରହିଥା’ନ୍ତି । ତିନିଚାରି ବର୍ଷପରେ ଅବଶ୍ୟ ଭାଇନା ଦିବ୍ୟସିଂହ କଲିକତାରୁ ପାଶ କରି ଆସି ପୁରୀ କଚେରୀରେ ଓକିଲାତି କରନ୍ତି । ସେତେବେଳେ ରାମଚଣ୍ଡୀ ସାହିରୁ ଆମେ ଘର ବଦଳାଉଁ ହେରା-ମୋହିରୀ–ସାହିକୁ !

 

ରାମଚଣ୍ଡୀ ସାହିରେ ମାତ୍ର ଯୋଡ଼ିଏ ବଖରା ଚାଳଘର, ତାହାରପୁଣି ରାମଚନ୍ଦ୍ରଙ୍କ ଲଙ୍କା ପୋଡ଼ା ଦୂତମାନଙ୍କ ଉତ୍ପାତରେ ଏପରି ଦୁରାବସ୍ଥା ଘଟିଥାଏ ଯେ, ବର୍ଷା ହେବା ମାତ୍ରେ ଘର ଭିତରଟି ପାଣିରେ ଭାସେ । ବାକ୍‌ସ ପେଟରା ଯାହା ଖଣ୍ଡେ ଦି’ଖଣ୍ଡ ଥାଏ, ତାକୁ ଗୋଟାଗୋଟି କରି ଖଟ ଉପରେ ଥୋଇବାକୁ ହୁଏ । ଏମ‌୍‌ତି ଥରେ ରାତି ଅଧରେ ଆସିଲା ଭୀଷଣ ଝଡ଼ ।

 

ଘରଖଣ୍ଡି ସେ ଝଡ଼ରେ ରହିବ କି ନାହିଁ କେଜାଣି ! ସୁ ସୁ ପବନ ଗର୍ଜନରେ ଛାତି ଥରିଲା-। ଲଣ୍ଠନ ଜାଳି ବାପାଙ୍କ ପାଖରେ ବସିଲି । ଶେଯ ବିଛଣା ସବୁ ଖଟ ଉପରେ ଗୁଡ଼ାଇ ଅନେକ ରାତି ପର୍ଯ୍ୟନ୍ତ ବୋଧ ହୁଏ ତା’ରି ଉପରେ ଆଉଜି ବସିଥାଉଁ । ରାମ ଚଣ୍ଡୀ ସାହି ଘରର କାନ୍ଥଥିଲା ‘ବାଡ଼ି ତିଆରି—ଅର୍ଥାତ୍ ସରୁ ସାରିଙ୍ଗି ବାଉଁଶରେ ବାଡ଼ ତିଆରି ହୋଇ ତା’ରି ଉପରେ ମାଟି ଛଟା ହୋଇଥିଲା । ସେ କାନ୍ଥରୁ ଅନେକ ଜାଗାରେ ବାଲିଆ ମାଟି ଖସି ବାଉଁଶ ବାଡ଼ ଦେଖା ଯାଉଥାଏ-। ଆଉ ସନ୍ଧିରେ ତା’ର ଛାରପୋକ ଭର୍ତ୍ତି ।

 

ଭାଇନା ଓକିଲାତି ଆରମ୍ଭ କଲାବେଳେ ହେରୋଗୋହିରୀ ସାହିର ଯେଉଁ ଘରକୁ ଆସିଲୁଁ, ତାହା ଚାଳ ଉପରେ ହେଲେ ବି ଇଟା କାନ୍ଥ ଥିଲା । ରାମଚଣ୍ଡୀ ସାହିରେ ଆମର ଲଗାଲଗି ପଡ଼ୋଶୀ ଥାଆନ୍ତି ଯେଉଁ ବାବୁ, ତାଙ୍କରି ଦୋତାଲା କୋଠାକୁ ଲାଗି ଆମେ ଭଡ଼ାଘର ଖଣ୍ଡି । ସେଇ ବାବୁଙ୍କ ଘର ଆର ପାଖରେ ରହୁଥା’ନ୍ତି ବିହାରି ବାବୁ ପୋଲିସ ଇନ୍ସପେକ୍ଟର । ଖୁବ୍ କଡ଼ା ଅଫିସର ଥିଲେ ସେ । ତାଙ୍କ ଘରକୁ ଲାଗି ଗୋଟିଏ ଖୋଲା ପଡ଼ିଆ ।

 

ଛୁଟିଦିନେ ଆମେ ବଲ୍ କିମ୍ବା ଆଉ କିଛି ଖେଳିଲେ ଭୟଙ୍କର ଭାବରେ ଚିତ୍କାର କରି ଉଠନ୍ତି ସେ । ବିହାରି ବାବୁଙ୍କ ପୁଅ କିନ୍ତୁ ରୂପ ଓ ଗୁଣରେ ବଡ଼ ସୁନ୍ଦର ପିଲାଟିଏ । କଥା ଯେପରି ନମ୍ର, ସେପରି ଭଦ୍ର । ତା’ରି କଥାବାର୍ତ୍ତାରେ ଏକ ଅମାୟିକ ବନ୍ଧୁତାର ସ୍ପର୍ଶ ଲାଭ କରି ବିହାରି ବାବୁଙ୍କ କର୍କଶ ବ୍ୟବହାରକୁ ମୁଁ ପାସୋରି ପକାଏଁ । ଆଉ ଆମ ଘର ପଡ଼ିଶା ବାବୁ ଥିଲେ ଭୀଷଣ ମାତାଲ । ମାତାଲ ହୋଇ ମଝିରେ ମଝିରେ ଯେପରି ଦୌରାତ୍ମ୍ୟ ସେ କରନ୍ତି, ସେଥିରେ ମୋ’ର କ୍ରୋଧ ଓ ଘୃଣା ଜାତ ହେଉଥିଲା । ମନେ ପଡ଼େ—ଗୋଟିଏ ଖାଲି ସବାରି କାନ୍ଧେଇ ବେହେରାମାନେ ଆମ ଦାଣ୍ଡରେ ଯାଉଥିବାବେଳେ ସେହି ବାବୁ ମାତାଲ ହୋଇ ହଠାତ୍ ସବାରି ଭିତରକୁ ଡେଇଁ ପଡ଼ନ୍ତି । ତା’ ପରେ ବାହାରକୁ ଦୁଇଗୋଡ଼ ଲମ୍ବାଇ ଦେଇ ଦୋଳି ଖେଳିଲା ଭଳି ଝୁଲିବାକୁ ଲାଗନ୍ତି । ସେତେବେଳେ ବେହେରାମାନଙ୍କ କାନ୍ଧକୁ କାଟିବାରୁ “ବାବୁ ମରିଗଲୁଁ, ମରିଗଲୁଁ ” ବୋଲି ଡକା ଛାଡ଼ିଥାନ୍ତି ସେମାନେ ।

 

ବାବୁ କିନ୍ତୁ ମଦ ନିଶାରେ ମସ୍‍ଗୁଲ୍ । ବିଚରା ବେହେରାମାନଙ୍କ କାତର ମିନତି କାନରେ ତାଙ୍କର ବାଜିବ କିପରି ?

 

ଆଉ ଥରକ ଘଟଣା । ମୋର ସାନମାମୁଁ ଗାଁରୁ ଆସିଥାନ୍ତି । ମୁଣ୍ଡରେ ତାଙ୍କର ପୂର୍ବ ରୀତି ଅନୁସାରେ ଚୁଟି ଥାଏ; ସେଇ ବାବୁ ଓ ତାଙ୍କ ସାଥିମାନେ ମାମୁଁଙ୍କ ଘରକୁ ତାଙ୍କର ଡାକିନେଇ ଚୁଟି ଧରି ନାନା ପ୍ରକାର ଥଟ୍ଟା ପରିହାସ କରିଥିଲେ ।

 

ବାପା ଏସବୁ କଥା ଜାଣି ମଧ୍ୟ ତାଙ୍କୁ କିଛି କହୁ ନ ଥାନ୍ତି । ସେଇ ବାବୁ ଅବଶ୍ୟ ବାପାଙ୍କୁ ଖାତିର କରନ୍ତି ଖୁବ୍ । ମାମୁଁଙ୍କୁ ଅଯଥା ଅପମାନ ଦେଲେହେଁ ବାପାଙ୍କର ତୂନୀ ରହିବାଟା ମତେ ସୁଖ ଲାଗିଲା ନି ।

 

ବାପାଙ୍କ ମୁହଁରୁ ଶୁଣିଚି—ଥରେ ସେ ବାବୁଙ୍କୁ ପଚାରିଲେ—ଆପଣଙ୍କୁ ମଦରୁ କି ଲାଭ ମିଳେ ? ଏ ପ୍ରଶ୍ନର ଉତ୍ତର ମିଳେ—ମଦ ପିଇଲେ ଷଣ୍ଡଗୁଡ଼ାକ ଛେଳି ପରି ଦେଖାଯାନ୍ତି ।

 

ରାମଚଣ୍ଡୀ ସାହିରେ ରହିଥିଲାବେଳେ ପୁରୀର ଯେଉଁସବୁ ନାମଯାହା ପଣ୍ଡା ପଢ଼ୀହାରୀଙ୍କୁ ଦେଖିଥିଲି ତାଙ୍କ ଭିତରୁ ‘ବଡ଼େ ଲୋକନାଥ’, ‘ବଡ଼େ ହରିହର’ଙ୍କ ନାମ ଯାତ୍ରୀ ଗୁମାସ୍ତାମାନଙ୍କ ମୁହଁରେ ଶୁଣାଯାଏ । ମନେପଡ଼େ —ଲୋକନାଥ ପଢ଼ୀହାରୀଙ୍କ ଚେହେରା–ଏକ ପ୍ରକାଣ୍ଡ ଧଳାଘୋଡ଼ା ଚଢ଼ି ମୁଣ୍ଡରେ ଯୋଧପୁରୀ ଛାଣ୍ଟାର ପଗଡ଼ି ଓ କପାଳରେ ଚିତା ସିନ୍ଦୂର ଝଟକି ଉଠେ ତାଙ୍କର । ସେଇ ରାସ୍ତାରେ ସେ ଯା’ଆସ କରନ୍ତି । ଘୋଡ଼ା ଚାଲିଥାଏ କଦମ ପକାଇ ମୁଣ୍ଡକୁ ଝୁଲାଇ ନାଚିନାଚିକା । ତାଳେ ତାଳେ ବାଜି ଉଠେ ତା’ର ବେକରେ ଝୁଲୁଥିବା ଘଣ୍ଟି-ଘାଗୁଡ଼ି । ପଢ଼ିହାରୀଙ୍କ ହସ ହସ ମୁହଁ ଏବେ ସୁଦ୍ଧା ମୋ’ର ମନେପଡ଼େ—ଫେରି ଆସେ ପୁଣି ବାଳକ ବୟସର ସେହି ବିସ୍ମୟ ସେଇ ଔତ୍ସୁକ୍ୟ–ଦାଣ୍ଡରେ ଘଣ୍ଟି ଶବ୍ଦ ଘୋଡ଼ାର ଶୁଣି ଘରଭିତରୁ ଧାଇଁ ଆସେ ଯେବେ ମୁଁ ପରମ କୌତୂହଳରେ !

 

କେବେ କେବେ ପୁଣି ମନେପଡ଼େ, ସବାରି ଚଡ଼ି ଯାଉଥିବା ବଡ଼େ ହରିହର ଗୁରୁଙ୍କ ଚେହେରା । ଭାଲପଟରେ ପ୍ରଶସ୍ତ ସିନ୍ଦୂର ଓ ଚନ୍ଦନ ଚିତା । ଗଳାରେ ପ୍ରକାଣ୍ଡ ରୁଦ୍ରାକ୍ଷ ମାଳି । ବିରାଟକାୟ ପୁରୁଷ । ସେତେବେଳେ “ବଡ଼େ ହରିହର”’ ଜଣେ ମହା ଦାନୀଭାବରେ ମଧ୍ୟ ପୁରୀରେ ପରିଚିତ । ହରିହର ଗୁରୁଙ୍କ ସବାରି ଗଲାବେଳେ ପିଲାମାନେ ଦୌଡ଼ନ୍ତି ତାଙ୍କଠାରୁ ବାସନା ନାସ ମାଗିବା ପାଇଁ । ହରିହରଙ୍କ ଦ୍ୱାରରୁ କେହି ପ୍ରାର୍ଥୀ କେବେ ଖାଲି ହାତରେ ଫେରି ନ ଥିବା ଶୁଣାଯାଏ, ଆଉ ସଂଭ୍ରମରେ ତାଙ୍କ ପ୍ରତି ମନ ମୋର ପୂରିଉଠେ । ପରେ ପିଲାଙ୍କ ପାଠ୍ୟପୁସ୍ତକରେ ତାଙ୍କ ଦାନଶୀଳତା ବିଷୟରେ ଗୋଟିଏ କାହାଣୀ ଲେଖେଁ; କଟକର ଜଣେ ଓକିଲଙ୍କଠାରୁ ଶୁଣେ, ଜଜ୍ କୋର୍ଟରେ ଗୁରୁଏଷ୍ଟେଟ୍‍ର କୌଣସି ଏକ ମକଦ୍ଦମାରୁ ଜଣା ପଡ଼େ, ଦୈନିକ ତାଙ୍କର ୫୦ ଟଙ୍କାରୁ ଉର୍ଦ୍ଧ୍ୱ ଦାମର କେବଳ ମାଛ କିଣା ହେଉଥିଲା । ତହିଁରୁ କିଛି ଅଂଶ ରୋଜ ପଠାଯାଏ ଝିଅମାନଙ୍କ ଘରକୁ ।

 

ହେରାଗୋହିରୀ ସାହିକୁ ଘର ବଦଳେଇବା ଫଳରେ ମୋ’ର ଏକ ନୂଆ ପରିବେଶରେ ନୂଆ ନୂଆ ବନ୍ଧୁମାନେ ଜୁଟିଲେ । ବିଶେଷ ଭାବରେ ପଡ଼ୋଶୀ ହେଲେ ଆମ ସ୍କୁଲର ଶିକ୍ଷକ ଶ୍ରଦ୍ଧେୟ ଚିନ୍ତାମଣି କର । ତାଙ୍କ ପୁଅ ଗୋପବନ୍ଧୁ ପୁଅ ହୋଇ ଯାଇଥିବାରୁ ‘ମିଶ୍ର’ ଆଜ୍ଞାରେ ପରିଚିତ । ଗୋପବନ୍ଧୁଙ୍କ ପଡ଼ୋଶୀ ସଦାଶିବ ଥିଲେ ମଧ୍ୟ ମୋର ସହାଧ୍ୟାୟୀ । ତହୁଁ ଆମ ଭିତରେ ବନ୍ଧୁତା ବଢ଼ି ଯାଇଥିଲା । ପୁଣି ପଡ଼ୋଶୀ ଭାବରେ ଆମ ତିନିଟିଘର ଲଗାଲଗି ହୋଇ ରହିଥିବାରୁ ପାରିବାରିକ ଘନିଷ୍ଠତା ମଧ୍ୟ । ଗୋପବନ୍ଧୁ ଏବେ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍‍ର ଚେୟାରମ୍ୟାନ ପଦରୁ ଅବସର ନେଲେଣି ଓ ସଦାଶିବ ହାଇକୋର୍ଟରେ ଓକିଲାତି କରନ୍ତି । ସଦାଶିବ ମୋର କଟକ ଘର ଜମି କିଣାଇ ଦିଅନ୍ତି ପୁଣି ଗୋପବନ୍ଧୁଙ୍କ ବନ୍ଧୁତା ଏବେ ବି ‘ତୁ’ ‘ତେର’ ଭିତରେ ଆବଦ୍ଧ-

 

ଲଞ୍ଜାତାରା

 

ସହରକୁ ଆସିବା ଆଗରୁ ତ ବାରିଅଗଣାର ଚାରିକଣିଆ ପରିଧି ଭିତରେ ଆବଦ୍ଧ ରହିଥାଏ ଗାଁରେ ସେହି ଆକାଶଟି ! ଖରାଦିନେ ସେହିପରିଧି ଭିତରେ ଚିତ୍ ହୋଇ ଶୋଇ ରହି ଆକାଶର ତାରାମାନଙ୍କ ସଙ୍ଗେ ମୋ’ର ରହସ୍ୟମୟ ପରିଚୟ ! ମନେ ପଡ଼େ, ଥରେ ସେଇ ଭାଗ ତାରା ଗହଳି ଭିତରେ ଗୋଟିଏ ଲଞ୍ଜା ତାରାର ଉଦୟ ହୁଏ ।       

 

ଲଞ୍ଜାତାରା ପଡ଼ିଲେ କେହି କେହି ବଡ଼ଲୋକ ମରନ୍ତି ବୋଲି ଗାଁରେ ସବୁ କୁହାକୁହି ହୁଅନ୍ତି । ସତକୁ ସତ ସେଇ ବର୍ଷ କୁଆଡ଼େ ଆମ ଦେଶର ସମ୍ରାଟ ସପ୍ତମ ଏଡ଼ୱାର୍ଡ ତାଙ୍କ ଦେଶ ଇଂଲଣ୍ଡରେ ପ୍ରାଣତ୍ୟାଗ କଲେ । ଆଉ ତାଙ୍କ ପୁଅ ପଞ୍ଚମ ଜର୍ଜ ହେଲେ ସମ୍ରାଟ୍ ।

 

ପଞ୍ଚମ ଜର୍ଜ ସିଂହାସନରେ ବସିବା କଥା ମନେ ଅଛି । ଗାଁ ପାଖ ନୂଆପଡ଼ା ଗାଁ ସ୍କୁଲ ପିଲାଯାକ ମାଷ୍ଟରଙ୍କ ସାଥିରେ ଯାଇଥାଉଁ । ଆଉ ପଞ୍ଚମଜର୍ଜଙ୍କ ସିଂହାସନ ଆରୋହଣ ପାଇଁ ଆମ ସ୍କୁଲର ଶିକ୍ଷକ ଯେଉଁ ଗୀତଟି ଲେଖି ଦେଇଥିଲେ, ବୋଲିବୋଲିକା ଚାଲିଥାଉଁ ସେଇ ଗୀତଟି ।

 

ନୂଆପଡ଼ାକୁ ପାଖଆଖ ଗାଁମାନଙ୍କ ସ୍କୁଲରୁ ଅନେକ ପିଲା ଆସିଥାନ୍ତି । ପ୍ରତି ପିଲାଙ୍କୁ ରାଜାଙ୍କ ମୂର୍ତ୍ତି ଅଙ୍କା ହୋଇଥିବା ଗୋଟିଏ ଲେଖାଏଁ ଟିଣ ମୋହର ଉପହାର ଦିଆଯାଇଥିଲା । ଆଉ ସେହି ଉପହାର ପାଇ ମନଖୁସିରେ ଆମେ ସବୁ ଘରକୁ ଫେରୁଁ । ଗୋରାତକତକ ଚେହେରା ନୂଆପଡ଼ା ରାଉତଙ୍କର । ସେଇ ଆମକୁ ମୋହର ବାଣ୍ଟି ଥିଲେ ହସି ହସି ଗଛଗହଳିରେ ତାଙ୍କ ବୈଠକଘର ପିଣ୍ଡା ଉପରୁ ।

 

ସେହି ସମୟରେ ଆହୁରି ଏକ ଘଟଣା—ଆମ ଆଟୁଘର କାନ୍ଥରେ ନାନା ରଙ୍ଗର ଅନେକ ଚିତ୍ର ଟଙ୍ଗା ହୋଇଥାଏ । ସେଗୁଡ଼ିକୁ ଭାଇନା ଆଣିଥାନ୍ତି ପୁରୀରୁ କିମ୍ବା କଟକରୁ । ଆମ ଭାଇଭଉଣୀମାନଙ୍କୁ ସେ ବୁଝାଇ ଦେଇଥାନ୍ତି ଯେ ଏଇ ଛବିଗୁଡ଼ିକରେ ଯାହାଙ୍କର ଚିତ୍ର ରହିଛି, ସେଇମାନେ ହେଲେ ରୁଷିଆ ଦେଶର ରାଜାରାଣୀ ଆଉ ତାଙ୍କ ପିଲମାନେ । ସେମାନଙ୍କୁ କୁଆଡ଼େ ସେ ଦେଶର ଲୋକେ ନିର୍ବିଚାରରେ ମାରି ପକାଇଥା’ନ୍ତି । ତାଙ୍କର ସବୁ ରଙ୍ଗର ବିଚିତ୍ର ପୋଷାକ ଭିତରୁ ଅତି ସୁନ୍ଦର ମୁହଁ ଓ ଜଳଜଳ ଆଖିଗୁଡ଼ିକର ଚାହାଣି ଚିତ୍ର ଏବେ ସୁଦ୍ଧା ମୋ’ର ମନ ଭିତରୁ ନିଭି ନାହିଁ ।

 

ରୁଷିଆ ଦେଶର ଲୋକେ ଯେ ଭାରି ନିଷ୍ଠୁର ପୁଣି ସେମାନେ ଏଡ଼େ ସୁନ୍ଦର ଝିଅ ପୁଅମାନଙ୍କୁ ମାରି ପକାଇଛନ୍ତି—ଏହାର କାରଣ ବୁଝିବାକୁ ଆମେ ଅକ୍ଷମ ହେଉଁ; ଆହା ! ଏଇ ସୁନ୍ଦର ସୁନ୍ଦର ଝିଅ ପୁଅଗୁଡ଼ିକ ! ତାଙ୍କ ବାପା ସିନା ରଜା ହୋଇ ଅତ୍ୟାଚାରୀ ଥିଲେ; କିନ୍ତୁ ଏଇ ନିରୀହ ସୁନ୍ଦର ପିଲାଗୁଡ଼ିକ କାହାର ଅବା କି କ୍ଷତି କରିଥିଲେ କି ? ମନ ଭିତରେ ମୋ’ର ଗଭୀର ଚିନ୍ତାର ଛାୟାପାତ କରେ ଏଇ ପ୍ରଶ୍ନ । ସେମାନଙ୍କ ହସହସ ମୁହଁ ଫୁଟିଉଠେ ଗୋଲାପ ରଙ୍ଗର ଫୁଲା ଫୁଲା ଗାଲ ଭିତରୁ ।

 

ପୁରୀକୁ ଆସି ପ୍ରଥମ ପୃଥିବୀ ମହାଯୁଦ୍ଧର ଯେଉଁ ସ୍ମୃତି ମୋ’ ମନରେ ଅଙ୍କା ହୋଇ ରହିଛି, ସେହି ସମୟର ଘଟଣା ହେଲା ରୁଷ୍ ବିପ୍ଲବରେ ରାଜବଂଶର ନିର୍ମମ ନିପାତ । ମୋର ବାଳକ ଚିତ୍ତରେ ତାହା ଯେଉଁ ଆଲୋଡ଼ନ ସୃଷ୍ଟି କରିଥିଲା, ସେଥିରେ ରାଜା ଶାସକମାନଙ୍କ ଅତ୍ୟାଚାର ସହିତ ପ୍ରଜାକୁଳର ନୃଶଂସତା କଥା ମନେ ପଡ଼େ ।

 

ସେଥି ସଙ୍ଗେ ସଙ୍ଗେ ମନେପଡ଼େ ପ୍ରଥମ ମହାଯୁଦ୍ଧରେ ଇଂରେଜମାନେ ହାରିଯିବେ ବୋଲି ଯେମତି ଅବା ସମସ୍ତେ ଆଶା କରୁଥିଲେ ।

 

ଆମ ଘରେ ବାପା ମଧ୍ୟ ଏହି ଭାବରେ ତାଙ୍କ ସାଙ୍ଗସାଥୀମାନଙ୍କ ସହିତ ବରାବର କଥାବାର୍ତ୍ତା ହୁଅନ୍ତି । ଆଉ ତାଙ୍କ ସାଙ୍ଗସାଥିମାନେ ଥିଲେ “ଅମର ଯୁମର” ଓ “ମାଳିକା” ପ୍ରଭୃତି ବହିଗୁଡ଼ିକର ପାଠକ । ତହିଁରୁ ଅନେକ ପ୍ରମାଣିତ ତଥ୍ୟ ଉଦ୍ଧାର କରି ସେମାନେ ପ୍ରାୟ ଧରି ନେଇଥାନ୍ତି ଯେ ଇଂରେଜମାନେ ନିଶ୍ଚୟ ହାରିଯିବେ ।

 

ପିଲାଙ୍କ ସାଥିରେ ମିଳିମିଶି ଅନେକ ଗଳ୍ପକହି ସେ ପାଠ ପଢ଼ାନ୍ତି । ସେଥିପାଇଁ ସେ ପିଲାଙ୍କର ଥିଲେ ପ୍ରିୟ ଶିକ୍ଷକ । କେବଳ ଇଂରାଜୀକୁ ଛାଡ଼ି ମୋ ପକ୍ଷରେ ଅନ୍ୟ ପାଠଗୁଡ଼ିକ ଆଦୌ କଷ୍ଟକର ନଥିଲା । କାରଣ ସେ ସମସ୍ତ ମୁଁ ଗାଁ ଅପର ପ୍ରାଇମେରୀ ସ୍କୁଲରେ ପଢ଼ି ସାରିଥିଲି-। ଇଂରାଜୀରେ ଯେଉଁ ଫାଷ୍ଟବୁକ୍ ଖଣ୍ଡିକ ପଢ଼ାହେଲା, ବାପାଙ୍କର ପ୍ରତି ସନ୍ଧ୍ୟାରେ ନିତ୍ୟ-ନୈମିତ୍ତିକ କର୍ମଥିଲା, ସେ ଖଣ୍ଡିକୁ ମୋତେ ପଢ଼ାଇବା ।

 

ଫାଷ୍ଟବୁକ୍‌ର ଘୋଡ଼ା ଲେସନ୍‌ଟି ପଢ଼ିପାରିଲେ ଇଂରାଜୀ ଭାଷା ଭିତରେ ପ୍ରଥମ ପ୍ରବେଶ କରାଗଲା ବୋଲି ବାପା କହୁଥାନ୍ତି । ଆଜି ମଧ୍ୟ ସେଇ ଲେସନ୍ ପ୍ରଥମ ଧାଡ଼ିଟି ମନ ଭିତରେ ମୋର ଲାଖି ରହିଛି–କାରଣ ସେଇ ଛୋଟା ଲୋକଟିକି ଆଜି ବି ଯେମ‌୍‌ତି ମୋର ଭେଟ ହୁଏ କେଉଁ ଅଜଣା ଅଶୁଣା ଗଳିଭିତରେ—One morn I met a lame man in a lame– କିନ୍ତୁ ଇଂରାଜୀ ପଢ଼ାଇଲାବେଳେ ବାପା ଯେପରି ଆଜିକାଲି ଶିକ୍ଷାର ସମାଲୋଚନା କରନ୍ତି, ତାଙ୍କ ବନ୍ଧୁମାନଙ୍କ ସମକ୍ଷରେ, ତାହା ଫଳରେ ପାଠ ପଢ଼ିବାକୁ ସ୍ପୃହା ମୋ’ର କମିଯାଏ ।

 

ବାପା ଆମ ପାଠ ସଙ୍ଗେ ଇଂରାଜୀ ପାଠର ତୁଳନା କରି କହନ୍ତି–ଚାଟଶାଳୀ ପାଠରେ—

 

କମଳ ଲୋଚନ ଶ୍ରୀହରି,

କରେଣ ଶଙ୍ଖ ଚକ୍ର ଧାରୀ ।

 

—ଇତ୍ୟାଦି ପାଠକୁ ବାତିଲ କରି ଦେଇ ଆଜିକାଲି ପିଲାଙ୍କୁ ଶିଖା ହେଉଛି–The cock has wings——ଅର୍ଥାତ୍ ପିଲାଦିନୁ ସେମାନେ କିପରି କୁକୁଡ଼ା ଖାଇବାକୁ ଶିଖିବେ, ତାହା ହେଲା ପାଠର ଆଦର୍ଶ । ଏହାଛଡ଼ା ସ୍କୁଲ କଲେଜରେ ପରୀକ୍ଷାଖାତାରେ ନମ୍ବର ଦେବା ପ୍ରଣାଳୀ ଉପରେ ମଧ୍ୟ ସେ ଅତି କଟୁ ସମାଲୋଚନା କରୁଥିଲେ ।

 

ଶିକ୍ଷା-ପଦ୍ଧତି ଉପରେ ବାପାଙ୍କର ତୀବ୍ର ସମାଲୋଚନା ମନଭିତରେ ମୋର ଅଳ୍ପ ବୟସରୁ ହିଁ ଯେଉଁ ଦାଗ କାଟି ଦେଇଥିଲା, ଆଜିଯାକେ ତାହା ନିଭି ନାହିଁ ।

 

ମନେହୁଏ—ସେପରି ସମାଲୋଚନାହିଁ ମୋର ଛାତ୍ର-ଜୀବନରେ ପରୀକ୍ଷାରେ ସର୍ବୋତ୍ତମ ସ୍ଥାନ ଅଧିକାର କରିବା ଅଭିଳାଷକୁ ବହୁ ପରିମାଣରେ ଶିଥିଳ କରିପକାଏ । ଭାଇନା କଲିକତାରେ ଓକିଲାତି ପାଶ୍‌କରି ପୁରୀ କଚେରୀରେ ଆଇନ ବ୍ୟବସାୟ ଆରମ୍ଭ କରନ୍ତି । ମୋର ପଢ଼ାପଢ଼ି ଉପରେ ସେ କଡ଼ା ନଜର ଦେଲେ; ମାତ୍ର ସେତେବେଳକୁ ଲେଡ଼ି ଗୁଡ଼ କହୁଣୀକୁ ବୋହିଗଲାଣି ।

 

ଯଥାର୍ଥରେ ସ୍କୁଲପାଠ୍ୟ କିମ୍ବା ତାହା ପରେ କଲେଜ ପାଠ୍ୟପ୍ରତି ମୁଁ ଯଥାଯୋଗ୍ୟ ଅଭିନିବେଶ ଦେଇ ପାରିଲି ନାହିଁ । ବାପାଙ୍କର ଚାକିରି-ବାକିରି କିମ୍ବା ଧନ ଉପାର୍ଜନପ୍ରତି କ୍ୟା-ପରବାୟ ମନୋଭାବ ମୋ ଭିତରେ ଏକ ଗଭୀର ଓ ପ୍ରଚ୍ଛନ୍ନ ରେଖାପାତ ଆରମ୍ଭରୁ ହିଁ ସୃଷ୍ଟି କରିଦେଇଥାଏ ।

 

ସେତେବେଳେ ଗାଁରୁ ପୁରୀ ଆସିବା ଥିଲା ଏକ ଉଲ୍ଲେଖଯୋଗ୍ୟ ଘଟଣା । କଟକ ମୋଟେ ଗାଁରୁ ଦଶକୋଶ ବାଟ ସିନା, ପୁରୀ ଥିଲା ଷୋଳ କୋଶ । ଚାଲିବାଟା ଥିଲା ବେଶୀ । ଯେହେତୁ ଯାନବାହନ ଅତି କମ୍ । ଶଗଡ଼, ସବାରି, ଘୋଡ଼ା ଖାଲି ବଡ଼ଲୋକଙ୍କ ପାଇଁ । ଲୋକେ କାହିଁଦୂର–ଦୁରାନ୍ତରୁ ବାଟ ଚାଲି ଚାଲି ପୁରୀ ଆସୁଥିଲେ ଜଗନ୍ନାଥ ଦର୍ଶନ ପାଇଁ ।

 

ଆମ ଗାଁର ତ ପୁରୀରେ ଥିଲା ଜିଲ୍ଲା କଚେରୀ; ତାହା ପୁଣି ଜଗନ୍ନାଥଙ୍କ ଲାଗି ଓଡ଼ିଶା ଭିତରେ ବିଖ୍ୟାତ ସହର । ଆମ ଗାଁର କେତେଜଣ ପଣ୍ଡା ଗୁମସ୍ତା କାମ କରି ପୁରୀକୁ ଭାରତର ନାନା ଅଞ୍ଚଳରୁ ଯାତ୍ରୀମାନଙ୍କୁ ଆଣୁଥିଲେ । ସେ ସବୁ ଅଞ୍ଚଳ କଥା ପୁଣି ଯାତ୍ରୀମାନଙ୍କ କଥା ମୁଁ ସେଇ ମାନଙ୍କଠାରୁ ଶୁଣେ । କେହି କେହି ଦି’ଜଣ ଜଣେ ଯାତ୍ରୀ ମଧ୍ୟ ଗୁମାସ୍ତାଙ୍କ ସହିତ ଆମ ଗାଁକୁ ଆସନ୍ତି ।

 

Unknown

ଅକ୍ଷରସ୍ଵାକ୍ଷର

 

ପୁରୀଜିଲ୍ଲା ସ୍କୁଲରେ ଯେଉଁ ବନ୍ଧୁମାନେ ଜୁଟିଲେ ତାଙ୍କ ସହିତ ମୋର ଏକ ସହଜ ଯୋଗସୂତ୍ର ସ୍ଥାପିତ ହେଲା । ସାହିତ୍ୟ ଚର୍ଚ୍ଚାପାଇଁ ଆମେ ସବୁ ଏକ ଛାତ୍ର ସମିତି ଗଢ଼ି ବାହାର କଲୁଁ “ଛାତ୍ରଦ-ର୍ପଣ” ନାମରେ ଗୋଟିଏ ହାତଲେଖା ପତ୍ରିକା ମଧ୍ୟ । ସ୍କୁଲ ଛାତ୍ର ଥିବା ଅବସ୍ଥାରେ ଚିହ୍ନାପରିଚଟା ଛାଏଁ ଯେମତି ହୋଇଯାଏ । ସେଥିଲାଗି ତୃତୀୟବ୍ୟକ୍ତିର ଲୋଡ଼ା ହୁଏନି । ତେଣୁ ପରିଚୟର ପରସ୍ଥିତି ବଦଳରେ ମନେପଡ଼େ ଖାଲି ସେତେବେଳର ଅସମ୍ଭବ ଉଦ୍ଦାମତା ।

 

ଆମ ଛାତ୍ର-ସମିତିର ବନ୍ଧୁମାନଙ୍କ ଭିତରୁ କଟକର ଶ୍ରୀଯୁକ୍ତ ସଦାଶିବ ମିଶ୍ର ଏଡ଼ଭୋକେଟ୍ ଥିଲେ ଛାତ୍ର-ସମିତିର ସର୍ବସମ୍ମତି କ୍ରମେ ନିର୍ବାଚିତ ସେକ୍ରେଟାରୀ । ଆଉ ମୁଁ ଥାଏଁ ଏହି ସଂସ୍ଥାର ମୂଖପତ୍ର “ଛାତ୍ର–ଦର୍ପଣ”ର ସମ୍ପାଦକ । ପ୍ରାୟ ପ୍ରତିଦିନ ସ୍କୁଲ ଛୁଟି ପରେ କିମ୍ବା ରବିବାର ଓ ଛୁଟିଦିନମାନଙ୍କରେ ଆମର ବୈଠକ ବସି ସାହିତ୍ୟ ଆଲେଚନା ଚାଲୁହୁଏ ।

 

ସେତେବେଳେ ଶ୍ରୀ ହୃଦାନନ୍ଦ ମହାନ୍ତି, ପଥୁରିଆ ସାହିର ସ୍ଵର୍ଗୀୟ ବାନାମ୍ବର ମିଶ୍ର, ସ୍ୱର୍ଗୀୟ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଡାକ୍ତର ନନ୍ଦଦୁଲାଲ ସେନ୍‌ଗୁପ୍ତ ପ୍ରମୁଖ ବନ୍ଧୁମାନଙ୍କ ମଧ୍ୟରେ ଛାତ୍ର ସମିତି ବିଷୟରେ ପ୍ରାୟ ଆଲୋଚନା ହୁଏ । କବି ଲେଖକମାନଙ୍କୁ ନିମନ୍ତ୍ରଣ କରି ତାଙ୍କ ଭାଷଣ ଶୁଣିବା, ପୁଣି ବିଭିନ୍ନ ସଭା ସମିତିରେ ଯୋଗ ଦାନ କରିବା ଥିଲା ଆମ କେତେଜଣଙ୍କ ଭିତରେ ଗୋଟାଏ ବଡ଼ ଝୁଙ୍କ୍ ।

 

ସେଥିରେ ପୁଣି କେତେ ମନୋମାଳିନ୍ୟ ପୁଣି ମନମିଳନ ! “ଛାତ୍ରଦର୍ପଣ” ପତ୍ରିକାଟି ମୁଦ୍ରଣ କରିବାର ଆଗ୍ରହ ସେତିକି ବେଳେ ଆମ ମୁଣ୍ଡ ଭିତରେ ଜାଗିଉଠେ ।

 

ହଁ, ପ୍ରଥମ ଥର ପାଇଁ ନିଜ ନାଁକୁ ଛପା ଅକ୍ଷରରେ ଦେଖିବା ! ତାହାଠାରୁ ପୁଣି ବେଶି ସୌଭାଗ୍ୟ ବେଶି ଆନନ୍ଦ କ’ଣ ? ଆମେ କେତେ କଣ ଲାଗିପଡିଲୁଁ ନିଜ ନିଜର କେତୋଟି ଲେଖାଦେଇ “ଛାତ୍ର-ଦର୍ପଣ” ପ୍ରକାଶ କରିବାକୁ । କି ସୂତ୍ରରେ କିଏ କିପରି ଆମ ଭିତରୁ ବାହାରି ପତ୍ରିକାଟିକୁ ଛପାଇ ପାରିଲେ, ଆଜି ସେମାନଙ୍କର ନାମ ମୋର ସ୍ମୃତିପଟରୁ ନିଭିଗଲାଣି । କିନ୍ତୁ ମୋ’ର ସମ୍ପାଦନାରେ ଯେ ‘‘ଛାତ୍ର-ଦର୍ପଣ’’ ଛପାହେଲା, ଏହା ଆଜି ମନେ ପଡ଼ୁଛି ।

 

ସେହି ପ୍ରଥମ ଥର ଗୋଟିଏ ସାହିତ୍ୟ ପତ୍ରିକାର ପ୍ରଥମ ପୃଷ୍ଠା ଉପରେ ସମ୍ପାଦକ ଭାବରେ ମୋ’ ନାମକୁ ଛପା ଅକ୍ଷରରେ ଦେଖିଲି–ଦୁନିଆ ଉପରେ ବଡ଼ ଐଶ୍ୱର୍ଯ୍ୟ । ତାହାଠୁଁ ବଳି ଆଉ ବଡ଼ ଗର୍ବର ଘଟଣା ଜୀବନ ବ୍ୟାପୀ କେବେ ଯେ ମୋ’ର ଘଟିଛି, ସ୍ମରଣ କରିପାରୁ ନାହିଁତ ! ପତ୍ରିକାଟି ପ୍ରକାଶ ପାଇବା ମାତ୍ରେ ଯେମ‌୍‌ତି ଅବା ବନ୍ଧୁମାନଙ୍କ ଭିତରେ ଖେଳିଗଲା ଗୋଟାଏ ଅସମ୍ଭବ ଉତ୍ସାହର ଜୁଆର । ଏହି ଆମର ଗର୍ବର ସାମଗ୍ରୀକୁ ସବୁଆଡ଼େ ପରିଚୟ କରାଇବାକୁ ଆମେ ଆଗ୍ରହୀ । ଏହାଠୁଁ ବଳି ବଡ଼ ଦିଗ୍‌ବିଜୟ ଆଉ ବା କ’ଣ ଥାଇପାରେ !

 

ପୁରୀଜିଲ୍ଲା ସ୍କୁଲ ନୂଆକୋଠା (ବର୍ତ୍ତମାନ ଯେଉଁ କୋଠାରେ ସାମନ୍ତ ଚନ୍ଦ୍ରଶେଖର ପୁରୀ କଲେଜ ହୋଇଛି ) ସେ ପାଖରେ ଉତ୍କଳଗୌରବ ମଧୁସୂଦନଙ୍କ “ଶୈଳନିବାସ” । ଆମେ ସ୍ୱର୍ଗତଃ ପଦ୍ମଚରଣ ପଟ୍ଟନାୟକ ପ୍ରମୁଖ ସ୍ଥାନୀୟ କବି ଲେଖକମାନଙ୍କ ସାବାସ ଅବଶ୍ୟ ହାସଲ କରିସାରି ଥାଉଁ । ମୁଣ୍ଡରେ ଆମର ଖିଆଲ ପଶିଲା ମଧୁସୂଦନଙ୍କୁ “ଛାତ୍ର-ଦର୍ପଣ” ଖଟେ ଭେଟି ଦେଇ ତାଙ୍କ ଠାରୁ ହାସଲ କରିବୁ ପ୍ରଶଂସା ।

 

ଖବର ପାଇଲୁଁ ମଧୁବାବୁ ପୁରୀ ଆସି ଶୈଳ ନିବାସରେ ରହୁଛନ୍ତି । ଅତଏବ ପ୍ରସ୍ତୁତ ହେଲୁ, ତାଙ୍କୁ ସାକ୍ଷାତ କରି “ଛାତ୍ର-ଦର୍ପଣ” ଖଣ୍ଡିଏ ଭେଟି ଦେବୁ ବୋଲି । ଆଗରୁ ବିଚରାବିଚରି ହୋଇ ଦିନେ ସକାଳେ “ଛାତ୍ର-ଦର୍ପଣ” ଧରି ଆମେ କେତେ ଜଣ ବାହାରିଲୁଁ ଶୈଳ-ନିବାସକୁ । ବାରଣ୍ଡା ପେଟ ଉପରକୁ ଉଠି ମଧୁବାବୁଙ୍କ ଦେଖା ମିଳିଲାନାହିଁ । ତହୁଁ ଟିକିଏ ଏପଟ ସେପଟ ହେଲୁ ସେହି ଲମ୍ବା ବାରଣ୍ଡାରେ । ଦେଖିଲୁଁ ଝରକା ପାଖରେ ବସି ମଧୁବାବୁ ନିଜ ହାତରେ ଖିଅର ହେଉଛନ୍ତି । ଆମକୁ ଚାହିଁ ପଚାରିଲେ, “କିଏ ତୁମ୍ଭେମାନେ ?”

 

ତାଙ୍କ ରୋକ୍‌ଠୋକ୍ ପ୍ରଶ୍ନରେ ଆମେ ସାହସ ବାନ୍ଧି ଉତ୍ତର କଲୁଁ “ଆମେ ଏଇ ପୁରୀ ଜିଲ୍ଲା ସ୍କୁଲ ଛାତ୍ରମାନେ–ଆପଣଙ୍କ ସଙ୍ଗେ ଦେଖା କରିବାକୁ ଆସିଛୁଁ ।

 

“ଆଚ୍ଛା ପିଲାମାନେ, ମୋତେ ଟିକିଏ ମାଫ୍ କରିବ, ସେପାଖ ବୈଠକ ଖାନାରେ ଦୁଇ ମିନିଟ ଅପେକ୍ଷା କର, ମୁଁ ଆସୁଛି ।”

 

ମଧୁବାବୁଙ୍କ ମୁହଁରୁ ମୁଁ ସେଦିନ ଏହି ‘‘ମାଫ୍” ଶବ୍ଦଟି ଶିଖିଥିଲି, ଆଉ କିଭଳି ସ୍ଥଳରେ ତାହାର ଠିକ୍ ରୂପେ ପ୍ରୟୋଗ କରାଯାଇଥାଏ ମଧ୍ୟ । କିନ୍ତୁ ଅନେକ ପରେ ଶିଖିଲି, କିପରି କେଉଁଠି ଭଦ୍ରଲୋକଙ୍କୁ ଭେଟିବାକୁ ହୁଏ ।

 

ବୈଠକଖାନାକୁ ଯାଇ ଆମେ ଚୁପ୍‌ଚାପ୍ ବସି ରହିଲୁଁ । ସ୍ଵୟଂ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ ଯେ ଭକ୍ତକୁ ତାଙ୍କର ଯେକୌଣସି ସମୟ କିମ୍ବା ଅବସ୍ଥାରେ ଦର୍ଶନ ଦିଅନ୍ତି ନାହିଁ, ତାଙ୍କର ମଧ୍ୟ ସ୍ନାନ, ପାହଡ଼, ଭୋଗ ଆଦି ନିତ୍ୟକର୍ମ ରହିଛି । ସେ କଥା ବିଚାରିବା ଆମର କର୍ତ୍ତବ୍ୟ ଥିଲା ।

 

କିଛି ସମୟ ପରେ ମଧୁବାବୁ ଆସି ପସିଲେ ଘରଭିତରେ । ଆମେ ସବୁ ଠିଆ ହୋଇ ଜଣାଇଲୁଁ ଅଭିବାଦନ ।

 

ସସ୍ନେହ କଣ୍ଠରେ ମଧୁବାବୁ ପଚାରିଲେ—“କୁଆଡ଼େ ସବୁ ଆସିଲ ପିଲାମାନେ ?”

 

“ଆମେ ଏହି ପତ୍ରିକା ଖଣ୍ଡି ବାହାର କରିଛୁଁ । ଆସିଛୁଁ ଆପଣଙ୍କୁ ଉପହାର ଦେବାପାଇଁ । “ଖୁବ୍ ସାହସରେ ଉତ୍ତର କରି ସେଇ ନାଲି ମଲାଟର ପତ୍ରିକାଟି ତାଙ୍କ ହାତକୁ ବଢ଼ାଇ ଦେଉଁ ସନ୍ତର୍ପଣରେ ।

 

“ଓ ! ପତ୍ରିକା ବାହାର କରିଛ ।” ମଧୁବାବୁ ଆମ ପତ୍ରିକାଟି ନେଲେ । ତିରିଶ ବତିଶ ପୃଷ୍ଠାର ଅବୟବ ଘେନି ଆମ ଗର୍ବ ଗୌରବର ଶ୍ରେଷ୍ଠ ନିଶାଣ ‘‘ଛାତ୍ର–ଦର୍ପଣ” ଖଣ୍ଡି ଓଡ଼ିଶା ରାଜ୍ୟର ଏଇ ମହାନ ରଥୀଙ୍କ ହାତରେ ତିନି ଚାରି ମିନିଟ ଏପାଖ ସେପାଖ ଓଲଟ ପାଲଟ ହେଲା-। ତା’ ପରେ ଶୁଭିଲା ତାଙ୍କର ସହଜ ସରଳ ମନ୍ତବ୍ୟ—

 

“ହଁ, ମୋ ପାଖକୁ ରୋଜ୍ ଏମ‌୍‌ତି ଇଂରାଜୀ ବଙ୍ଗଳା ପୁଣି ଅନ୍ୟ ଭାଷାରେ କେତେ ପତ୍ରିକା ଆସୁଛି, ବୁଝିଲ ? ସେ ସବୁର ପୃଷ୍ଠା ଓଲଟାଇବାକୁ ତ ବେଳ ମିଳେନି ମୋତେ ! ତହୁଁ ଏହି ଓୟେଷ୍ଟ୍ ପେପର ବାସ୍କେଟ୍ ଭିତରେ ସେ ଗୁଡ଼ିକ ଲାଗି ସ୍ଥାନ ମିଳେ ।” ଏହା କହି ତାଙ୍କ ଟେବୁଲ୍ ତଳେ ଗୋଡ଼ ପାଖେ ଥୁଆ ହୋଇଥିବା ୱେଷ୍ଟପେପର ବାସ୍କେଟ୍‍ଟିକୁ ସେ ଦେଖାଇଦେଲେ ।

 

ସତେ ଯେମ‌୍‌ତି ‘ଛାତ୍ର-ଦର୍ପଣ’ ସମେତ ଆମ ସମସ୍ତଙ୍କୁ ସଶରୀରରେ ସେଇ ଓୟେଷ୍ଟ ପେପର ବାସ୍କେଟ୍‍ର ଅଳିଆ ଭିତରକୁ ସେ ଫିଙ୍ଗିଦେଲେ ! ଆଉ ସେଇ ଓୟେଷ୍ଟ ପେପର ବାସ୍କେଟ୍ ଭିତରେ ଆମେ ସବୁ ଛଟପଟ ହେଉଥିଲା ବେଳେ ଠିକ୍ ମନେପଡ଼େ, ଧପ୍ କରି ଛାତିଟା ମୋ’ର ଅଟକି ଗଲା ଯେମ‌୍‌ତି ! ମନରେ ହତାଶା, ନିରୁତ୍ସାହ ସହିତ ମଧୁବାବୁଙ୍କ ପ୍ରତି ଅଶ୍ରଦ୍ଧା ଜାଗି ଉଠିଲା-। ତା’ପରେ ସେ ‘ଛାତ୍ର-ଦର୍ପଣ’ ମଲାଟକୁ ଆହୁରି ଥରେ ଓଲଟାଇ ଚାହିଁ କହିଲେ—

 

“ତୁମେ ତମର ଏହି ପତ୍ରିକାଟିର ନାମ ପରା ‘ଛାତ୍ର-ଦର୍ପଣ’ ରଖିଛି ! କିନ୍ତୁ ଜାଣକି ପିଲାଏ-? ଭାରତବର୍ଷକୁ ଯେତେବେଳେ ଦର୍ପଣ ଆସି ନଥାଏ, ସେତେବେଳେ ଏଇ ଦେଶର ସବୁ ସ୍ତ୍ରୀ ପୁଣି ସବୁ ପୁରୁଷ ବିଚାରୁଥିଲେ ଯେ, ତାଙ୍କ ମୁହଁ ଆଉ ସମସ୍ତଙ୍କ ମୁହଁଠାରୁ ବେଶୀ ସୁନ୍ଦର ।’’ ଏଥର ତାଙ୍କ କଥା ଶୁଣି ଆମର ଟିକିଏ-ହୋସ୍ ଆସେ, ସେ ଆମ ଅବସ୍ଥାକୁ ଭ୍ରୁକ୍ଷେପ ନ କରି କହି ଚାଲନ୍ତି ଅନର୍ଗଳ —‘‘କିନ୍ତୁ ଦର୍ପଣ ଯେଉଁଦିନ ଆସି ପହଞ୍ଚେ, ତା’ପରେ ସେଇ ଦର୍ପଣରେ ନିଜ ମୁହଁକୁ ଚାହିଁବାର ସୁବିଧା ସେମାନେ ପାଇଲେ, ସେଥି ସଙ୍ଗେ ଖାଲି–ଆଖିରେ ବି ଅନ୍ୟର ମୁହଁକୁ ଚାହିଁଲେ; ତୁଳନା କରି ବୁଝିପାରିଲେ ଯେ ତାଙ୍କ ମୁହଁଠାରୁ ବି ଆହୁରି ସୁନ୍ଦର କିମ୍ବା ଆହୁରି କୁତ୍ସିତ ମୁହଁ ସବୁତ ରହିଛି ! ଆଚ୍ଛା କହିଲ ଦେଖି—ତୁମେ ଭଲା ସେମ‌୍‌ତି ଏଇ ‘‘ଛାତ୍ର-ଦର୍ପଣ” ବାହାର କରି ତା’ ଭିତରେ ଆପଣା ମୁହଁକୁ ଚାହିଁ ଦେଖିଲଣି କି ? ଏଇ ‘ଛାତ୍ର-ଦର୍ପଣ’ ବାହାର କରି, ବୁଝିଲଣି କି ଆହୁରି ତୁମଠାରୁ ଭଲ ଲେଖକ, ଭଲ କବି ଏ ଦେଶରେ ରହିଛନ୍ତି ବୋଲି ?”

 

ଆମେ ଯେଉଁ ପାଞ୍ଚଛ’ ଜଣ ଯାଇଥାଉଁ; ମଧୁବାବୁଙ୍କୁ ମୁହେଁ ମୁହେଁ ଜବାବ୍ ଦେବାର ସାହସ କାହାରି ହେଲେ ଆସୁନଥାଏ । କି ଅବା ଜବାବ୍ ଦେବୁଁ ? ଖୋଜି ପାଇଲୁନି ମଧ୍ୟ ଭାଷା । ତହୁଁ ଆମକୁ ସେ ଏକ ସାଧାରଣ ସଭା ବୋଲି ଜ୍ଞାନକରି ରୀତିମତ ଗୋଟିଏ ବକ୍ତୃତା ଦେବାକୁ ଆରମ୍ଭ କରିଦେଲେ—

 

“ଜାଣିଚ ପିଲାମାନେ ! ମୋର ସାନଭାଇ ଗୋପାଳ (ସ୍ୱର୍ଗତ ଗୋପାଳବଲ୍ଲଭ ଦାସ,—ଶ୍ରୀମତୀ ରମାଦେବୀ ତାଙ୍କ ଝିଅ) ଯେତେବେଳେ ପାଠ ପଢ଼ି ସାରି ଚାକିରୀ କରିବାକୁ ବାହାରିଲା, ସେତିକିବେଳେ ମୁଁ ତାକୁ କହିଲି—ଦେଖ୍ ଗୋପାଳ, ତୁ ଯଦି ଚାକିରୀ କରୁ, ତେବେ ମୁଁ ତୋତେ ଗୁଳି କରି ମାରିଦେବି ।”

 

ଆମେ ସବୁ ଚମକିପଡ଼ୁଁ—ସତେ ଅବା ସେ ଆମକୁ ଲକ୍ଷ୍ୟ କରି ଗୁଳି ମାରିବାକୁ ଉଦ୍ୟତ-! ତାଙ୍କ କହିବା ଭଙ୍ଗି ମଧ୍ୟ ସେମ‌୍‌ତି ! ହାତରେ ବନ୍ଧୁକ ଦେଖାଇ ଯେମ‌୍‌ତି ଅବା ସେ କହି ଚାଲିଛନ୍ତି, -“ସରସ୍ୱତୀ ବେଶ୍ୟା ନୁହେଁ ଯେ, ତୁ ତାକୁ ବଜାର ହାଟରେ ବିକ୍ରିକରି ଟଙ୍କା ରୋଜଗାର କରିବୁ । ଗୋପାଳ ମୋ କଥା ଶୁଣିଲାନି, ତୁମେ ସେମ‌୍‌ତି ପିଲାମାନେ ! ପାଠ ପଢ଼ିସାରି କ’ଣ କରିବ ଜୀବନରେ—ଆଜିଠାରୁ ବିଚାରି ଦେଖିଲଣିକି ?”

 

ଆମେ କିନ୍ତୁ ସେତେବେଳେ କବାଟ ଝରକା ଆଡ଼ିକି ଚାହିଁ ବିଚାରୁଥାଉଁ, କେଉଁବାଟେ ବିଦାୟ ଘେନିବୁଁ କେତେବେଳେ—ବାଘ ଆଗରୁ ହୁଏତ ଛେଳିପରି । ସତରେ କିନ୍ତୁ ବାଟ କାହିଁ ଯେ-! ଓଡ଼ିଶାର ଏଇ ପୁରୁଷ ସିଂହ ଯେ ବାଟ ଓଗାଳି କହି ଚାଲିଛନ୍ତି ଅନର୍ଗଳ “ସାହିତ୍ୟ ସାଧନା ହେଲା ସରସ୍ୱତୀଙ୍କ ଆରାଧନା । ବେଶ୍ ! ବାଗ୍‍ଦେବୀ ସରସ୍ୱତୀଙ୍କୁ ତୁମେ ସବୁ ପୂଜା କରୁଛ, କିନ୍ତୁ ଯେବେ ଚାକିରୀକର ତେବେ ତାଙ୍କୁ ବଜାରରେ ବିକିଦେଲା ଭଳି ହେବନାହିଁ କି ?”

 

ସେଥିରେ ଯୁକ୍ତି କରି ଜବାବ୍‍ ଦେବାକୁ ଆମର ସାହସ ଅବା ଭାଷା କାହିଁ ? ବିଦାୟ ଘେନି ଆସିଲୁଁ । ‘‘ଛାତ୍ର-ଦର୍ପଣର’’ ତାହା ହିଁ ବୋଧେ ପ୍ରଥମ ଓ ଶେଷ ମୁଦ୍ରିତ ସଂଖ୍ୟା । ମାତ୍ର ଦର୍ପଣ ସହିତ ସାହିତ୍ୟ ଶବ୍ଦଟିର ସଂଯୋଗ ଯେତିକି ପ୍ରାଚୀନ ସେତିକି ବ୍ୟାପକ ବୋଲି ପରେ ଜାଣିଲି । ଇଂରାଜୀ ଭାଷାରେ ସାହିତ୍ୟ ଶବ୍ଦଟିରଏକ ସୁପରିଚିତ ସଂଜ୍ଞା ରହିଛି —

 

Literature is the mirror of society—ସାହିତ୍ୟ ହେଲା ସମାଜର ଦର୍ପଣ-। ଦର୍ପଣରେ ଆମେ ଯେମ‌୍‌ତି ମୁହଁ ଦେଖୁ, ସାହିତ୍ୟରେ ସେହିଭଳି ଦେଖାଯାଏ ସମାଜର ସୁଖ ଦୁଃଖ ପୁଣି ଭଲମନ୍ଦ ମଣିଷର ଚିତ୍ର । ଭାରତ ବର୍ଷର ଶ୍ରେଷ୍ଠ ଅଳଙ୍କାରକୁ ପ୍ରାଚୀନ ଯୁଗର ବିଶ୍ୱନାଥ କବିରାଜ ମଧ୍ୟ ତାହାଙ୍କ ଅମରକୃତୀ, ସଂସ୍କୃତ ଅଳଙ୍କାର ଶାସ୍ତ୍ରର ନାମକରଣ କରିଥିଲେ—“ସାହିତ୍ୟ-ଦର୍ପଣ” ।

 

ମଧୁବାବୁଙ୍କ ମୁଖରୁ ଦର୍ପଣର ସାହିତ୍ୟ ସଙ୍ଗେ ଏତେ ସମ୍ପର୍କ ରହିଥିବା କଥା ମୁଁ ଶୁଣି ନ ଥାଏଁ । ଆମ ଓଡ଼ିଶାରୁ ଅନ୍ୟତମ ମାସିକ ପତ୍ରିକା ସ୍ଵର୍ଗତ ବ୍ରଜସୁନ୍ଦର ଦାସଙ୍କ ସମ୍ପାଦନାରୁ ପ୍ରକାଶିତ ହେଉଥିଲା “ମୁକୁର” ନାମଘେନି । ଇଂରାଜୀ ଭାଷାରେ “Mirror” (ମିରର) ପତ୍ରିକାର ଅନୁବାଦ କରି ବ୍ରଜସୁନ୍ଦର ଯେ ତାଙ୍କ ସମ୍ପାଦିତ ପତ୍ରିକାର ନାମକରଣ “ମୁକୁର’’ ରଖିଥିଲେ, ଏକଥା ବିଚାରିବା ଯେତିକି ଅସଙ୍ଗତ, ସାହିତ୍ୟ କ୍ଷେତ୍ରରେ ଅନ୍ୟଠାରୁ ନକଲ କରିବା କଥା କହିଲା ବେଳେ ସେଥିଲାଗି ଖୁବ୍ ସାବଧାନତା ଅବଲମ୍ବନ ଆବଶ୍ୟକ ହୋଇଥାଏ ।

 

କଳା କିମ୍ବା ସାହିତ୍ୟକୁ ଦର୍ପଣ ସହିତ ତୁଳନା କରିବାର ଉଦାହରଣ ମଧ୍ୟ ଆମ ଓଡ଼ିଆ ସାହତ୍ୟର ପ୍ରାଚୀନ ଓ ଆଧୁନିକ କବିମାନଙ୍କ ରଚନାରେ ବିରଳ ନୁହେ । କବି–କଳାକାର ପ୍ରାଣମନ ଦେଇ ଯେଉଁ ସୃଷ୍ଟି କରେ, ତାହାର କିଞ୍ଚିତ ଅବମାନନା ସବୁଠାରୁ ବଡ଼ ହତାଶା ରୂପେ ବିବେଚିତ ହୁଏ । କବିତାର ମୂଲ୍ୟାୟନ ସେଇଥିପାଇଁ ଅର୍ଥ ବିନିମୟରେ କରାଯାଏ ନାହିଁ । କବି-କଳାକାର ତାହାର ସୃଷ୍ଟିର ମୂଲ୍ୟ କେବଳ ଗୋଟିଏ ସାବାସ୍‌ରେ ହିଁ ପାଇଥାଏ ବୋଧହୁଏ ।

 

ଓଡ଼ିଶାର କବି ଯଦୁମଣି ବିଷ୍ଣୁ ପ୍ରତିମାଟିଏ ରାଜାଙ୍କୁ ଭେଟି ଦେବାର ଘଟଣା ମନେ ପଡ଼େ-। ରାଜା ପ୍ରତିମାଟିକୁ ଦେଖି ସାରି ତଳେ ଥୋଇ ଦେବାରୁ ଯଦୁମଣି ପରା ଗାଇଥିଲେ—

 

“ଅନ୍ଧ ଦେଶକୁ ଗଲି ଦର୍ପଣ ବିକି

କନ୍ଧ ହାତରେ ଦେଲି ଗୋଦାନ ଟେକି ।’’

 

କଳା-ସାହିତ୍ୟ ସଙ୍ଗେ ଦର୍ପଣର ଏପରି ଦୃଷ୍ଟାନ୍ତ ପୃଥିବୀର ସବୁ ସାହିତ୍ୟରେ ଭର୍ତ୍ତି । ସେଇଥିଲାଗି ମଧୁବାବୁଙ୍କ ପାଖରେ ‘‘ଛାତ୍ର-ଦର୍ପଣ’’ ପତ୍ରିକା ଭେଟି ଦେବାବେଳେ ସେ ଆମକୁ ତହିଁରେ ଆପଣା ମୁହଁ ଦେଖିବାର କଥା ପ୍ରଶ୍ନ କରିଥିଲେ ବୋଲି ପରେ ଜଣା ପଡ଼ିଲା ।

 

ଅଶବଦ ଘରୁ ଶବଦ

 

କବିତା ଲେଖିବାର ପ୍ରଥମ ପ୍ରେରଣା ମୋତେ ମିଳିଥିଲା ଆମ ଗାଁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସ୍ଵର୍ଗତ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ଠାରୁ । ସେତେବେଳେ ଯେଉଁ ପ୍ରଥମ କବିତା ଲେଖିଥିଲି ତାହା ଅବଶ୍ୟ ଆଜି ଶେଷ ହୋଇ ଗଲାଣି ।

 

ସ୍ୱପ୍ନ ଭଳି ଯାହା ମନେ ପଡ଼େ—ଚୈତ୍ର କିମ୍ବା ଦୋଳ ପୂର୍ଣ୍ଣିମା ସମୟ । ଗାଁ ବୈଷମ ତୋଟାରେଏକୁଟିଆ ବୁଲୁଥିଲା ବେଳେ ଚାରି ପାଖର ବିଲ ପଡ଼ିଆ ଡେଇଁ ଯେଉଁ ପବନ ଯେଉଁ ଆଲୁଅ ଛାତିକୁ ମୋର ଉଲୁସାଇଥିଲା, ତାହାରି କବିତା ସେ–ଭାଷାହୀନ, ଛନ୍ଦହୀନ–ଅଥଚ ସବୁ ଛନ୍ଦ, ସବୁ ଭାଷାର ଏକ ଅହେତୁକ ତୁମୂଳ ଆବେଶ । ସେ ଆବେଶ ଭିତରେ କବି ହେବାର ଆକାଂକ୍ଷା ଅବା କିଛି ଯୋଜନାର ଚିହ୍ନ ନ ଥାଏ । ଖାଲି ସେ ପାଖର ସୁଦୂର ଗଛ ଗହଳରେ ଲୁଚି ଯାଇଥିବା ବୌଦ୍ଧଖଣ୍ଡି, ଶିଶୋଲ, ଗାରଡ଼ିପଞ୍ଚାଣ, ସାତକାବାଦ, ବାରିଯଙ୍ଗ, ପୁରୋହିତପୁର ଗାଁଗୁଡ଼ିକର ରହସ୍ୟମୟ ଦୃଶ୍ୟ କିଶୋର ଚିତ୍ତରେ ମୋର ସୃଷ୍ଟି କରେ ଏକ ଅହେତୁକ ତୁମୂଳ ଆଲୋଡ଼ନ । ଯେମ‌୍‌ତି ଅବା ସେଇଠି ମୋ ଜୀବନର ଅସଲ ମୁହୂର୍ତ୍ତଟି ଜନ୍ମ ଲାଭ କରେ ସବୁ ସତ୍ତାକୁ ହଜାଇ ଦେଇ ।

 

ପୁରୀକୁ ଆସି ସେଇ ଦୃଶ୍ୟ ସେଇ ପରିବେଶର ବିଚ୍ଛେଦ ପ୍ରାଣରେ ମୋର ମାରିଦିଏ ଦାରୁଣ ଗଭୀର ଆଘାତ । ଗାଁରେ ଶୁଣିଥିଲି ଶିକ୍ଷକ ସ୍ୱର୍ଗତ ଆନନ୍ଦଚନ୍ଦ୍ର ମିଶ୍ରଙ୍କ ଠାରୁ ବଙ୍ଗଳା ଭାଷା ଓ ବଙ୍ଗଳା ସାହିତ୍ୟ ଖୁବ୍ ଉନ୍ନତ ବୋଲି । କଲିକତାରେ ଚାକିରୀ କରି ଫେରିଥିବା କେତେକ ଗ୍ରାମବାସୀଙ୍କ ମୁଖରୁ ଓ ସେଇ ଭାଷାରୁ ପଦେ ଦି’ପଦ ଶୁଣିଥିଲି ।

 

ବଙ୍ଗଳା ଭାଷା ଶିଖିବା କିନ୍ତୁ ମୋ ପକ୍ଷରେ ସହଜ ହୋଇପଡ଼େ ପୁରୀକୁ ଆସି । ପଡ଼ିଶା ଅଡ଼ିଶା ଅନେକେ କହନ୍ତି ବଙ୍ଗଳା, ଖାଣ୍ଟି କିମ୍ବା ମିଶ୍ରିତ ରୂପରେ । ସ୍କୁଲରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ସଂସ୍କୃତ ଉପକ୍ରମଣିକା ବହିଖଣ୍ଡିକ ପଢ଼ାହୁଏ । ତାହା ବଙ୍ଗଳା ଅକ୍ଷରରେ ଛପା । ତହୁଁ ବଙ୍ଗଳା ବହିର ବିଜ୍ଞାପନ ପଢ଼ି ପାର୍ଶଲ ମଗାଏଁ । ତାହା ଅବଶ୍ୟ କୌଣସି ସାହିତ୍ୟ ନୁହେ, ମ୍ୟାଜିକ୍ ବହି । ଗାଁରେ ଶିରୁ ଭାଇନା କେଳାମାନଙ୍କ ଭୁଜ୍‍ବିଦ୍ୟାକୁ ଲକ୍ଷ୍ୟକରି ଯେଉଁ କେତୋଟି ମ୍ୟାଜିକ୍ ଆବିଷ୍କାର କରିଥିଲେ, ତାହାକୁ ଆହୁରି ଉନ୍ନତ କରିବା ମୋର ହେଲା ଧ୍ୟାନ । ସେହି ବହି ପଢ଼ି ତାସ୍ , ଗ୍ଳାସ କଳାକନା ପ୍ରଭୃତି ଅନେକ ପ୍ରକାର ସରଞ୍ଜାମ ଖରିଦ କରେଁ ।

 

ଶିରୁ ଭାଇନା କେଳାଙ୍କ ଭୁଜ୍‍ବିଦ୍ୟା ଦେଖି ପୁଣି ଗାଁ । ହୁଡ଼ାରୁ ଖଣ୍ଡିଏ କାଉଁରୀ ହାଡ଼ ଆଣି ମ୍ୟାଜିକ୍ ପୁଣି ଓ ତାଳପତ୍ର ଖେଦା ଇତ୍ୟାଦି ସିଲାଇ କରି ରଖିଥାନ୍ତି । ସେଥି ସଙ୍ଗେ ସହରରୁ କିଣା ହୋଇଥିବା ତାସ୍ ଗ୍ଳାସ ପ୍ରଭୃତି ମିଶେ । ବାପାଙ୍କ ଠାରୁ ପ୍ରତିଦିନ ଜଳଖିଆ ପାଇଁ ପଇସା ନେଇ ସେଥିରୁ ଯାହା କାଟି ରଖିଥାଏଁ, ତାହା ଏଇ ମ୍ୟାଜିକ୍ ଜିନିଷ ଖରିଦରେ ଖର୍ଚ୍ଚ ହୁଏ ।

 

ଗାଁ ଭିତରେ ଘର ଘର ବୁଲି ଝିଅ ବୋହୂମାନଙ୍କୁ ଆମେ ସେଇ ସବୁ ମ୍ୟାଜିକ୍ ଦେଖାଉଁ । ଅବଶ୍ୟ ତାହାର ପାଉଣା ବାବଦରେ ପଇସା ନ ପାଇ କେବଳ ପ୍ରଶଂସାରେ ଆମେ ଖୁସ୍ । ସେଥିଲାଗି ଗାଁ ଏମୁଣ୍ଡରୁ ସେମୁଣ୍ଡ ଯାକେ ଆମକୁ ଆସେ ନିମନ୍ତ୍ରଣ ।

 

ସାଥି ପରମାନନ୍ଦ ଏହି ପରି ସାତୋଟି ଅଣ୍ଡା ଗୋଟିକ ପରେ ଗୋଟିଏ ଢୋକିସାରି ମୂକ ହୋଇ ବସି ରହେ । ମୁଁ ମୋ’ର ମ୍ୟାଜିକ୍ ବାଡ଼ି ଧରି ତାକୁ ଧମକ ଦିଏଁ ମୋର ସବୁତକ ଅଣ୍ଡା ଫେରାଇ ଦେବାକୁ । ଯେହେତୁ ସେ ମୋତେ ଅଣ୍ଡାର ଦାମ୍ ଦେଇ ନ ଥାଏ । ମୋ ଧମକ୍ ଶୁଣି ସେ ଆବାକାବା ହୋଇ ଚାହେଁ । ତହୁଁ ତା’ର ମୁଣ୍ଡ ଓ ପେଟରେ ମୁଁ ମ୍ୟାଜିକ୍ ବାଡ଼ିକୁ ଠକ୍ ଠକ୍ କରି ପିଟେଁ । ଫଳରେ ଗୋଟିକ ପରେ ଆଉ ଗୋଟିଏ ଅଣ୍ଡା ସେ ଆଁ କରି ଦେଖାଏ । ଅଣ୍ଡାଗୁଡ଼ିକ ପାଟି ଭିତରୁ ତା’ର ବାହାର କରେଁ । ତା’ପରେ ସେଗୁଡ଼ିକୁ ଏକ ଡାଲା ଭିତରେ ସଜାଡ଼ି ରଖି ଗଣତି କରିବାକୁ ବୁଲାଇ ଆଣେ ମୁଁ, ସବୁ ଦେଖଣା ହାରୀଙ୍କର ବାହାବା ଭିତରେ ।

 

ସେହିପରି କେତେ ରକମ ତାସ ମ୍ୟାଜିକ୍–ତାସମୁଠା ଭିତରୁ ତାସ କିପରି ଉପରକୁ ଉଠେ, ତା’ ପରେ ଦର୍ଶକମାନଙ୍କ ହାତରୁ ସୁନାମୁଦି ଆଣି ତାକୁ ରୁମାଲରେ ରଖି ଶେଷରେ ରୂମାଲ ଝାଡ଼ି ମୁଦିକୁ ଉଡ଼ାଇ ଦିଆଯାଏ । ପୁଣି ଫେରାଇ ଆଣି ଅନ୍ୟମାନଙ୍କ ସମେତ ମୁଦିର ମାଲିକଙ୍କୁ ଅବାକ୍ କରାଯାଏ—

 

ଏହି ସବୁ ଥିଲା ସେତେବେଳେ ମୋର ମହା ଗବେଷଣାର ବିଷୟ । ଅବଶ୍ୟ ଜାଣିଲି ଯେ, ଆମ ଧର୍ମ ଓ ସାହିତ୍ୟ ଭିତରେ ପୁଣି ବିଜ୍ଞାନ ଗବେଷଣା ଗାରରେ ବଡ଼ ବଡ଼ ମ୍ୟାଜିକ୍ ସୃଷ୍ଟି କରିବା ହିଁ ହେଲା କବି ସାହିତ୍ୟିକ କିମ୍ବା ବୈଜ୍ଞାନିକମାନଙ୍କର ସାଧନାର ମୁଖ୍ୟ ଉଦ୍ଦେଶ୍ୟ ।

 

ସାହିତ୍ୟର ଆଦିମ ସ୍ୱରୂପ, ତନ୍ତ୍ରମନ୍ତ୍ର, ଗୁଣି ଗାରଡ଼ିରେ ଆରମ୍ଭ ହୁଏ; ଆପଦ ବିପଦ, ରୋଗ ଦୁଃଖ ପ୍ରଭୃତିକୁ ତନ୍ତ୍ରମନ୍ତ୍ର, ଗୁଣି ଗାରଡ଼ିରେ ହିଁ ସେ କାଳରେ ଉପଶମ କରା ଯାଇଥିଲା ସବୁ ଦେଶରେ । ଆଉ କବିତାର ଆଦିମତମ ସ୍ଵରୁପ ଥିଲା ପରା ଏହି ତନ୍ତ୍ରମନ୍ତ୍ର ଯାହାର ସାକ୍ଷୀ ସ୍ୱୟଂ ପ୍ରାଚୀନତମ ବେଦ ।

 

ପରବର୍ତ୍ତୀ ଯୁଗରେ ପୁଣି ପଢ଼ି ଜାଣିଲି ଯେ, ଇଂରେଜ କବି (W. B. Yeats) ଇଟ୍‍ସ ଓ ଫରାସୀ କବି ନାର୍ଭାଲ (Gerad De Nerval) ଓ ରିମ୍ବ (Jean Arthur Rimbard) ଯଥାର୍ଥରେ ମ୍ୟାଜିକ୍ ଶିକ୍ଷା କରିଥିଲେ, ଆଉ ଟିକିଏ ପ୍ରାଚୀନ ଓ୍ୟାଡ଼ସୋର୍ଥ (Words-worth) ଶେଲି (Shelly) କିମ୍ବା କିଟ୍‍ସ (Keats) ପ୍ରମୁଖ ଇଂରେଜ କବିମାନେ କବିତାର ମୂଳ ଉତ୍ସକୁ ଏକ ଅଜ୍ଞେୟ ଶକ୍ତି ବୋଲି ବିଚାର କରୁଥିଲେ । ସେହିପରି ଆମ ଓଡ଼ିଆ କବି ସାରଳା ଦାସ କିମ୍ବା ଉପେନ୍ଦ୍ର ଭଞ୍ଜ ପ୍ରମୁଖ ତାଙ୍କ ରଚନାଗୁଡ଼ିକୁ ସାରଳା ଠାକୁରାଣୀ କଣ୍ଠରେ ବସି ପ୍ରକାଶ କରିଥିବା କିମ୍ବା ରାମତାରକ ମନ୍ତ୍ର ବଳରେ କବିତା ସ୍ଫୁରିତ ହେଉଥିବା କଥା ନିଜେ ମଧ୍ୟ ସ୍ୱୀକାର କରି ଯାଇଛନ୍ତି ।

 

ପୁଣି ପୃଥିବୀର ସବୁ ଧର୍ମ ହିଁ ଯେପରି ଏହି ତନ୍ତ୍ରମନ୍ତ୍ର ଓ ମ୍ୟାଜିକ୍ ଉପରେ ପ୍ରତିଷ୍ଠିତ—କେବଳ ବୈଦିକ ଧର୍ମ ନୁହେଁତ, ଆଧୁନିକ ଖ୍ରୀଷ୍ଟ- ଧର୍ମରେ ମଧ୍ୟ ସେଇ କଥା —

 

God said, “Let their be light”,

and there was light.

 

ଭଗବାନ କହିଲେ ଆଲୋକ ହେଉ ଏବଂ ତାଙ୍କରି ଆଦେଶରେ ବିଶ୍ୱ ହୁଏ ଆଲୋକିତ । ଆମ ଗାଁରେ ଯେଉଁ ତ୍ରିନାଥ ମେଳା ହୁଏ, ପୁରୀକୁ ଆସି ବୋଉ ମଧ୍ୟ ଘରେ ତାହା ଆରମ୍ଭ କରନ୍ତି । ଭାଇନା କହନ୍ତି, ଏହା ଗଞ୍ଜିକା ସେବନର ଗୋଟିଏ ଉପାୟ; କାରଣ ତ୍ରିନାଥ ମେଳା ବହିଟିରେ ତିନିଟି ଗୁଆ, ତିନିଟି ଦୀପ, ତିନି ପଇସାର ଭୋଗ ଓ ତିନି ପଇସାର ଗଞ୍ଜେଇ ସେଥି ସଙ୍ଗେ ପୂଜା କରିବାର ବ୍ୟବସ୍ଥା ରହିଛି । ତ୍ରିନାଥ ଗୋସେଇଁ ହେଲେ ସ୍ଵୟଂ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର । ମୁଁ ମଧ୍ୟ ଭାଇନାଙ୍କୁ ସମର୍ଥନ କରି ପ୍ରତିବାଦ କରେ ।

 

ମୋ ଉପରେ ବୋଉ ଚିଡ଼ିଯାଇ କହନ୍ତି, “ତୁ ଭଲା ତ୍ରିନାଥମେଳା ପରି ଗୀତ ଲେଖି ପାରିବୁ ?” ତାହାଠାରୁ ଭଲ ଲେଖିପାରେଁ ବୋଲି ବୋଉଙ୍କ ଆଗେ ମୁଁ ଫୁଟାଣି କରେଁ, କିନ୍ତୁ ଏବେ ସୁଦ୍ଧା ‘ତ୍ରିନାଥମେଳା’ ବହି ଭଳି ଲୋକ ପ୍ରିୟ ଗୀତ ଲେଖିବାର ସୌଭାଗ୍ୟ ମୋର ଘଟିଛି ବୋଲି ତ ମନେ ହୁଏ ନାହିଁ ।

 

ଅଳ୍ପ ବୟସରେ ପୁରୀକୁ ଆସି ମୁଁ ଭାରତବର୍ଷର ପ୍ରାୟ ସବୁ ଅଞ୍ଚଳର ଭାଷା ଭାଷୀ ଜଗନ୍ନାଥ ଯାତ୍ରୀମାନଙ୍କୁ ଦେଖି ପାରିଲି । ରାମଚଣ୍ଡୀ ସାହିରେ ସେତେବେଳେ ଆମ ପଡ଼ୋଶୀ ଭାବରେ ଯେଉଁମାନେ ରହୁଥିଲେ, ତାଙ୍କ ଭିତରୁ ଅଧିକାଂଶ ଓଡ଼ିଶାବାସୀ ବଙ୍ଗାଳୀ କିମ୍ବା ବଙ୍ଗବାସୀ-

 

ବଡ଼ଦେଉଳ ପଣ୍ଡା ପଢ଼ିହାରୀ ବା ଗୁମାସ୍ତାମାନେ ଭାରତବର୍ଷର ପ୍ରାୟ ସବୁ ଭାଷାରେ କଥାବାର୍ତ୍ତା କରିଥାନ୍ତି । ସେଥି ସହିତ ଯେଉଁ ଓଡ଼ିଆ ସେମାନେ କହନ୍ତି ତାହାକୁ ଖୁବ୍ ଖାଣ୍ଟି ନ କହି ତ ଚାରାନାହିଁ । ତେଣୁ ଗାଁ ଛାଡ଼ି ପୁରୀ ଆସିବା ଫଳରେ ମୋତେ ଟିକିଏ ସଂକୀର୍ଣ୍ଣ ପରିବେଶରୁ ଉତୁରି ବିରାଟ ବିସ୍ତୃତ ଭାରତବର୍ଷର ବିଶାଳ ଗର୍ଭ ଭିତରେ ସୁଦ୍ଧା ଆହୁରି ଖାଣ୍ଟି ଓଡ଼ିଆ ହୋଇ ରହିବା ଭଳି ଜଣାପଡ଼ିଲା ଯେମତି ! ଜଣାପଡ଼ିଲା, ମୁଁ ଅବା କେଉଁ ଥଳ କୂଳ ମିଳୁ ନ ଥିବା ଗୋଟାଏ ବିରାଟ ଅତୀତ ପୁଣି ଏକ ଅସୀମ ବର୍ତ୍ତମାନର ମିଳନ ଚୌମୁହାଣିରେ ଆସି ଛିଡ଼ା ହେଲିଣି । ସାମ୍‌ନାରେ ସମୁଦ୍ରକୁ ଚାହିଁ ହାତ ପାଉନି କି କାତ ପାଉନି, ସେପଟେ ବଡ଼ ଦେଉଳକୁ ଚାହିଁ ଆଖି ପାଉନି । ସତେକି ଦେଉଳଟା ଉଠିନାହିଁ ମାଟି ଉପରୁ,—ଆକାଶରୁ ପଡ଼ିଚି ଓହଳି ।

 

ସାତ ସାଇ ବୟାଳିଶି ଗଳି—ଯୁଆଡ଼େ ଚାହଁ ମଠ ମନ୍ଦିର । ମଣିଷ ଖାଲି ଯା’ଆସ କରୁଛନ୍ତି ବଡ଼ଦାଣ୍ଡରେ; ଆଉ ଅଟକି ଯାଉଛନ୍ତି ସ୍ୱର୍ଗ ଦ୍ୱାରରେ । ତେବେବି ଗହଳ ବନ୍ଦ ନାହିଁ, ବନ୍ଦ ନାହିଁ ପୁଣି ଜୁଇଗାତ ଖୋଳା ।

 

ଯେଉଁ ବନ୍ଧୁମାନେ ପୁରୀରେ ଜୁଟିଲେ ସମସ୍ତେ ଏମ‌୍‌ତି ସମୁଦ୍ର ଲହଡ଼ି ପରି ଆସି ପୁଣି ପର ମୁହୂର୍ତ୍ତରେ ଲେଉଟି ଗଲା ଭଳି ଲାଗୁଛି ଆଜି ! ରୋଜ ସେଇ ସମୁଦ୍ର ଢେଉ ଭଳି କେତେ ନୂଆ ନୂଆ ବେଶ ପୋଷାକ ଠେକା ଟୋପିର ମଣିଷ—ପିଲା, ବୁଢ଼ା, ପୁରୁଷ, ନାରୀ ।

 

ରୋଜ ଯେମ‌୍‌ତି ନୂଆ ହୋଇ ଜୀଇଁ ରହିଚି ପୁରୀ ସହରଟା— ଜୈନ, ବୁଦ୍ଧ, ଶଙ୍କର, ଚୈତନ୍ୟ, ନାନକ, କବୀର, ରାମନୁଜ ଯୁଗରୁ !

 

ଯଥା ଅର୍ଥରେ ବି ଅନର୍ଥ

 

ସହାଧ୍ୟାୟୀମାନଙ୍କ ମଧ୍ୟରେ ନିକଟତର ବନ୍ଧୁ, ଯେପରି ଜୁଟିଲେ, ସେହିପରି ଶିକ୍ଷକମାନଙ୍କ ପ୍ରଭାବ ମଧ୍ୟ ଗଭୀର ଭାବରେ ପଡ଼େ ମୋ ଉପରେ । ମାଇନର କ୍ଲାସ୍ ଅର୍ଥାତ୍ ସେତେବେଳର ୬ଷ୍ଠ ଶ୍ରେଣୀର ପ୍ରଧାନ ଶିକ୍ଷକ ଥିଲେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ବୋଷ । ଛାତ୍ରମାନଙ୍କୁ ସେ ନାନାପ୍ରକାର ଗଳ୍ପ ମଧ୍ୟ କହି ହସାନ୍ତି । ଛାତ୍ରମାନେ ସେମ‌୍‌ତି ଶିକ୍ଷକଙ୍କର ସାନ୍ନିଧ୍ୟ ଲାଭ କରି କେତେବେଳେ ତାଙ୍କୁ ହସାନ୍ତି, ଆଉ କେତେବେଳେ ରଗାନ୍ତି ମଧ୍ୟ ।

 

ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରେ ଗୋଟିଏ ଘଟଣା ଉଲ୍ଲେଖନୀୟ । ଆଉଜଣେ ଶ୍ରେଣୀ-ଶିକ୍ଷକଙ୍କର ସ୍ଵଭାବ ଟିକିଏ ଚିଡ଼ିଚିଡ଼ା । ପିଲାମାନଙ୍କୁ ଶିକ୍ଷାଦେଲାବେଳେ ଥରକୁଥର ‘ବୁଝିଲ', ‘ବୁଝିଲ’ ବୋଲି ସେ ପୁନରାବୃତ୍ତି କରନ୍ତି । ପୁଣି ‘ବୁଝିଲ’ ଶବ୍ଦଟିର ଉଚ୍ଚାରଣ ଏତେ ଯଲଦି ସେ କରି ପକାନ୍ତି ଯେ, ତାହା ‘ଭୁୟଁ।’ ‘ଭୁୟାଁ’ ଶୁଣାଯାଏ । ପିଲାଏ ସେହି ‘ଭୁୟାଁ’ ଶବ୍ଦଟାକୁ ବି ସେମ‌୍‌ତି ପରସ୍ପର ଭିତରେ କୁହାକୁହି ହୋଇ ପରିହାସ କରନ୍ତି ପରସ୍ପରକୁ ।

 

ଥରେ ଶିକ୍ଷକ ମହାଶୟ ଜଣେ ସହାଧ୍ୟାୟୀକୁ ଶ୍ରେଣୀ ଭିତରେ ପଢ଼ାଇଲା ବେଳେ ଗୋଟିଏ ପ୍ରଶ୍ନ କରନ୍ତି । ଉତ୍ତରଟି ଛାତ୍ର ଜଣକ ଯେପରି ଦେଲେ, ତାହା ଅବାନ୍ତର ହୋଇ ପଡ଼ିଥିଲା-। ତହୁଁ ମୁଁ ଏକ ଟିପ୍‌ପଣୀ କରେଁ —“ନଈ ନ ଦେଖି ଲଙ୍ଗଳା”।

 

ମନ୍ତବ୍ୟଟାରେ ମୋର ସହାଧ୍ୟାୟୀମାନେ ହସିପକାନ୍ତି । ସେ ହସରେ ଶ୍ରେଣୀ ଶିକ୍ଷକ ମଧ୍ୟ ଯୋଗ ଦିଅନ୍ତି–ଫଳରେ ହସଟା ଟିକିଏ ଗୁରୁତର ଆକାର ଧାରଣ କରେ; ଆଉ ହୁଏତ ଶ୍ରେଣୀ-ଶୃଙ୍ଖଳା ରକ୍ଷାରେ ବାଧା ଜନ୍ମାଏ । ତହୁଁ ଶ୍ରେଣୀ-ଶିକ୍ଷକ ହଠାତ୍ ଗମ୍ଭୀର ହୋଇ ପଡ଼ନ୍ତି । ମୋର ଏଭଳି, ଭାଷା-ପ୍ରୟୋଗକୁ ପର ମୁହୂର୍ତ୍ତରେ ଗ୍ରାମ୍ୟ ବୋଲି ସେ ମନ୍ତବ୍ୟ ଦିଅନ୍ତି, ଯାହା ଫଳରେ ମୋତେ ବେଞ୍ଚ ଉପରେ ଠିଆ ହେବାକୁ ଆଦେଶ ମିଳେ ।

 

ଏଇ ଆକସ୍ମିକ ଦଣ୍ଡରେ ମୁଣ୍ଡ ମୋ’ର ଘୂରିଯାଏ—ହାଲୁକା କଥାଟାର ପରିଣାମ ଏମ‌୍‌ତି ଗୁରୁତର ହେଲା ଅନୁଭବ କରି । ଦେଶ କାଳ- ପାତ୍ର-ଭେଦରେ ହିଁ ପରିହାସର ପରିଣତି ନିର୍ଭର କରେ ବୋଲି ସେଦିନ ଘଟଣାରୁ ଶିକ୍ଷା ମିଳିଥିଲା ମୋତେ ।

 

ଶ୍ରେଣୀ-ଶିକ୍ଷକଙ୍କ ବିଷୟରେ ଗୋଟିଏ କଥା ଶୁଣିଥିଲି–ସେ ଏକ–ଜିଦିଆ, ପୁଣି ତାଙ୍କ ଯୁକ୍ତିର ସ୍ୱାତନ୍ତ୍ର୍ୟ ମଝିରେ ମଝିରେ ବିସ୍ମୟକର ହୋଇ ପଡ଼େ ।

 

ଘଟଣାଟି ହେଲା, ସେ କୁଆଡ଼େ କୌଣସି ଲୋକଠାରୁ କିଛି ଋଣ କରିଥିଲେ । ପରିଶୋଧ କରିବାରେ ବିଳମ୍ବ ହେତୁ ବାରମ୍ବାର ତାଙ୍କୁ ତାଗଦା କରି ଶେଷରେ ଋଣ ଦାତା କେତେ କଡ଼ା କଥା କହନ୍ତି । ତହୁଁ ସେ ଆଉ ପରିଶୋଧ କରିବେନି ବୋଲି ପରିସ୍କାର ଜଣାଇଦେଲେ ।

 

ଅଗତ୍ୟା ତାଙ୍କ ବିରୁଦ୍ଧରେ ନାଲିସ୍ ଦାଏର କଲେ ଋଣଦାତା; କଚେରୀରେ ସୁଦ୍ଧା ସେ ତାରିଖରେ ହାଜର ହେବାକୁ ଅପମାନ ବୋଧକଲେ । ଶେଷରେ ବାହାରେ ତାଙ୍କ ବିରୁଦ୍ଧରେ ୱାରଣ୍ଟ୍ ।

 

ପୋଲିସ ତାଙ୍କୁ ଧରି ଦିଆନ-ଫାଟକରେ ରଖିବାକୁ ନେଇଯାନ୍ତି । ବାଟରେ ଶିକ୍ଷକ ମହାଶୟଙ୍କୁ ଏଭଳି ଦୁରବସ୍ଥାରେ ଦେଖନ୍ତି ଜଣେ ତାଙ୍କର ପରିଚିତ ବନ୍ଧୁ । ଅନୁସନ୍ଧାନ କରି ବନ୍ଧୁଜଣକ ବୁଝନ୍ତି ଯେ, ମାତ୍ର ୪୦ଟି ଟଙ୍କା ପାଇଁ ଶିକ୍ଷକ ମହାଶୟଙ୍କୁ ଜେଲ୍ ଭିତରକୁ ନିଆଯାଉଛି-। ବନ୍ଧୁ ଜଣକ ନିଜେ ସେତକ ଟଙ୍କା ଦେଇ ପୋଲିସ୍ ହାତରୁ ତାଙ୍କୁ ମୁକୁଳାଇ ଆଣିଲେ-

 

ପରେ ବନ୍ଧୁ ଯାଇ ଶିକ୍ଷକ ମହାଶୟଙ୍କୁ ଟଙ୍କା ମାଗନ୍ତି । ଫଳରେ ତାଙ୍କୁ ଉତ୍ତର ମିଳେ, “କି ଟଙ୍କା ?” ବନ୍ଧୁ ମନେ ପକାଇଦେଲେ ତାଙ୍କୁ ସେ ଦିନର ଘଟଣା–“ମନେ ନାହିଁ ? ପୁଲିସ୍ ଯେବେ ତୁମକୁ ଦିଆନ୍ ଫାଟକକୁ ନେଉଥିଲା, ମୁଁ ପରା ଚାଳିଶ ଟଙ୍କା ଦେଇଥିଲି ? ଜାମିନ୍ ହୋଇଛି ତୁମପାଇଁ ।

 

ତହୁଁ ଉତ୍ତର ମିଳେ—“ତୁମକୁ ତ ମୁଁ ଜାମିନ୍ ହେବାକୁ କହିନି ।”

 

ବନ୍ଧୁ ଜଣକ ହତବାକ୍ !

 

“ହଁ, କହି ନ ଥିଲ ଅବଶ୍ୟ, କିନ୍ତୁ ଯେଭଳି ଅବସ୍ଥାରେ ପୋଲିସ୍ ତୁମକୁ—ରାସ୍ତା ମଝିରେ ପୁଣି ମୋ’ ଦୁଆର ଆଗରେ”–

 

ସଙ୍ଗେ ସଙ୍ଗେ ଉତ୍ତର ମିଳେ, “ସେଥିରେ ତୁମର କ’ଣ କ୍ଷତି ହେଉଥିଲା ?”

 

“ମୋତେ ସେ ଦୃଶ୍ୟ ଭାରି ଖରାପ ଲାଗିଲା ।”

 

“ତେବେ ତୁମକୁ ଭଲ ଲାଗିବା ପାଇଁ ଟଙ୍କା ଦେଇଥିଲ, ମୋତେ ଭଲ ଲାଗିବା ପାଇଁ ତ ନୁହେଁ । ଟଙ୍କା ଦେଲା ବେଳେ ଏହା ତମର ବିଚାରିବା ଉଚିତ ଥିଲା । ନିଜେ ଏତେ ବଡ଼ ଉପକାରୀ ବନ୍ଧୁ ବୋଲି ତେବେ ଦେଖାଇ ହେବାକୁ ଯାଉଥିଲ କାହିଁକି ? ତୁମେ ମୋତେ ସାହାଯ୍ୟ କଲ ମୋ’ର ବିନା ଅନୁରୋଧରେ । ସେଥିରେ ତମର ସିନା ସୁନାମ ହେଲା । ମୋ’ର ତା’ହେଲେ ପରିଶୋଧର ପ୍ରଶ୍ନ କେଉଁଠି ?” ଉପକାରୀ ବ୍ୟକ୍ତି କାନ ମୁଣ୍ଡ ଆଉଁଷି ଲେଉଟିଲେ ।

 

ତୃତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ଅର୍ଥାତ୍ ମାଟ୍ରିକ୍ୟୁଲେସନ ପରୀକ୍ଷାଦେବାକୁ ମାତ୍ର ତିନିଟି ବର୍ଷ ବାକିଥାଏ—ଶ୍ରେଣୀ-ଶିକ୍ଷକ ଥାନ୍ତି ସ୍ୱର୍ଗତ ବାସୁଦେବ ମହାପାତ୍ର । ସେତେବେଳେ ଭୁଗୋଳ, ଇତିହାସ, ସ୍ଵାସ୍ଥ୍ୟରକ୍ଷା, ଅଙ୍କ, ଜ୍ୟାମିତି, ବୀଜଗଣିତ, ସାହିତ୍ୟ, ଇଂରାଜୀ ପୁଣି ବୋଧହୁଏ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କକୃତ ସଂସ୍କୃତ ବ୍ୟାକରଣ “ଉପକ୍ରମଣିକା” ମଧ୍ୟ ଆମର ପଢ଼ା ହେଉଥାଏ-। ପ୍ରତି ବିଷୟର ପରୀକ୍ଷାରେ ହେଡ଼୍‍ମାର୍କ ଥାଏ ଶହେ ନମ୍ବର । ବାର୍ଷିକ ପରୀକ୍ଷାରେ ମୁଁ ଯେପରି ନମ୍ବର ରଖିଥିଲି, ତାହା ମୋର ଆଜି ବି ସ୍ମରଣୀୟ ହୋଇ ରହିଛି; ଅର୍ଥାତ୍ ପ୍ରତ୍ୟେକ ବିଷୟରେ ଷାଠିଏ ନମ୍ବରରୁ କମ୍ ନୁହେଁ କିମ୍ବା ଅଣସ୍ତରୀରୁ ବେଶି ନୁହେଁ । ଏହି ଭଳି ନମ୍ବର ମୋ’ର ରହିଥିବା ଦେଖି ମୁଁ ନିଜେ ମଧ୍ୟ ବିସ୍ମିତ ହୋଇ ପଡ଼ିଥାଏଁ ।

 

ଶ୍ରେଣୀ ଶିକ୍ଷକ ବାସୁବାବୁ ସବୁ ଛାତ୍ରଙ୍କର ନମ୍ବର ମିଶାଇ କ୍ଲାସ ଭିତରେ ମୋତେ ଚିହ୍ନାଇ ଦେଇ କହିଥିଲେ–

 

“Here is a bquare-headed boy !”

 

“ସ୍କୋୟାର୍ ହେଡ଼େଡ଼୍” ଶବ୍ଦଟା ସେଇ ଦିନ ମୁଁ ଶିଖିଲି ତାଙ୍କରି ଠାରୁ ଶୁଣିବା ମାତ୍ରେ ମୁଣ୍ଡଟା ମୋର ଘୂରି ଲାଗିଲା କୁମ୍ଭାରଚକରେ ହାଣ୍ଡି ତିଆରି ପାଇଁ କାଦୁଅ ମେଞ୍ଚାଟା ଘୂରିଲା ଭଳି । କାରଣ ମଣିଷର ମୁଣ୍ଡତ ଆକାରରେ ପ୍ରାୟ ଗୋଲ । ତାହା ସିନା ‘‘ରାଉଣ୍ଡ ହେଡ଼େଡ଼୍” ହୁଅନ୍ତା— “ସ୍କୋୟାର୍ ହେଡେଡ଼୍” ହେବ କିପରି ?

 

ସେ କଥାଟା ମନ ଭିତରେ ମୋର ଆଗ ଖଟ୍‍କା ଲାଗିଲା । କେତେ କାଳ ପରେ ମୋର ସବୁ ବିଷୟରେ ସମାନ ପାରଦର୍ଶିତା ରହିଥିବା ଯେ ଏହି ମନ୍ତବ୍ୟରୁ ବୁଝାଯାଏ, ତାହା ଉପଲବ୍ଧି କଲି । ଗାଁ ପ୍ରାଥମିକ ସ୍କୁଲରେ ଇନସ୍ପେକ୍ଟର ମଧ୍ୟ ଏଇ ଭଳି ସବୁ ବିଷୟରେ ମୋର ସମାନ ପାରଦର୍ଶିତା କଥା ଉଲ୍ଲେଖ କରିଥିଲେ ।

 

ପ୍ରଶଂସାରେ ମନମୋଟିଆ ହୋଇପଡ଼ିବାଟା ଯଦି ସତ ହୁଏ; ତେବେ ପରିଣାମ ମୋତେ ନିଶ୍ଚୟ ଭୋଗିବାକୁ ପଡ଼ିଚି ଭବିଷ୍ୟତରେ ଜୀବନ ପ୍ରତି “କ୍ୟା ପରବାୟ ନୀତି”ରେ ଚାଳିତ ହୋଇ । ବାସୁଦେବ ବାବୁଙ୍କ ପ୍ରଶଂସା ଶୁଣି ଯେମ‌୍‌ତି ଖୁସି ହୋଇଥିଲି, ତା’ ପରଠାରୁ ମୋର ନିଜ ମସ୍ତିସ୍କ ଉପରେ ବିଶ୍ୱାସଟା ବୋଧହୁଏ ବେଶି ହୋଇ ପଡ଼େ । ଯେଉଁଥି ପାଇଁ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦ ରହିଛି- ମନମୋଟିଆ; ଆଉ ତାହାର ପରିଣାମ ସୁଦ୍ଧା ନ ଜାଣେ ନ ବୁଝେ କିଏ ?

 

ଅଳ୍ପ ଆୟାସରେ ଏଣିକି ସେଇ ମସ୍ତିସ୍କଟା ମୋର ବୋଲ ମାନି ସବୁ ପାଠ ଦୋରସ୍ତ ହଜମ କରିପକାଇବ ଛାଏଁ ଛାଏଁ ! ସେଥିଲାଗି ଆଉ କିଛି କସରତ୍ ଲୋଡ଼ାନାହିଁ ତେବେ ! ଏଇ ‘ମୁଣ୍ଡ’ ଶବ୍ଦଟାର ମଧ୍ୟ ଆଉ ଏକ ବିଶେଷଣ ଶୁଣେ—ହେଡ଼ମାଷ୍ଟର ମହାଶୟ ଉପେନ୍ଦ୍ରନାଥ ଦତ୍ତଗୁପ୍ତଙ୍କ ମୁଖରୁ । ଛାତ୍ରମାନଙ୍କୁ ପ୍ରଶ୍ନ ପଚାରି ସେ ଉତ୍ତର ନ ପାଇଲେ—‘Block-head’ ବୋଲି ବିରକ୍ତି ସୂଚକ ମନ୍ତବ୍ୟ ତାଙ୍କଠାରୁ ଶୁଣାଯଏ । ସେଥିଲାଗି ତାଙ୍କ ପ୍ରତି ମୋର ଭୟ ଓ ସଂଭ୍ରମ ଥିଲା ଅଧିକ— ଯଦି ମୋ’ର ସ୍କୋୟାର ହେଡ଼୍’କୁ ସେ ପୁଣି କେବେ ବ୍ଲକହେଡ୍ କରିପକାନ୍ତି !

 

ଗାଁଆର ନିତି ଜଣା ଶୁଣା ନିପଟ ପୁରୁଣା ପରିବେଶରୁ ବାହାରି ଆସି ବିରାଟ ଭାରତବର୍ଷ ଭିତରେ ସୁଦ୍ଧା ଆହୁରି ଖାଣ୍ଟି ଓଡ଼ିଆ ହୋଇପଡ଼ିବା ଭଳି ମୋତେ ବୋଧ ହେଲା । କବୀର, ନାନକ, ଶଙ୍କର, ରାମାନୁଜ— ଜୈନ, ବୌଦ୍ଧ, ଶୈବ, ବୈଷ୍ଣବ —କେତେ ମଠ, କେତେ ମନ୍ଦିର, ସମ୍ପ୍ରଦାୟ ଭିତରେ ରୂପ ଭେକ ବି ସେମ‌୍‌ତି ଅନେକ ।

 

ଯେଉଁ ବନ୍ଧୁମାନେ ପୁରୀରେ ଜୁଟିଲେ, ତାଙ୍କ ମଧ୍ୟରେ ମୁଁ ଲକ୍ଷ୍ୟ କରିଛି ଏହି ଭାବ । ଆହୁରି ଲକ୍ଷ୍ୟ କଲି ଯେ ଭାରତ ବର୍ଷର ବିଭିନ୍ନ ଭାଷା– ଭାଷୀ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ଆସି ମନ୍ଦିର ଭିତରେ ଓ ବାହାରେ ଗହଳି କରନ୍ତି, କିମ୍ବା ପୁରୀ ସମୁଦ୍ର କୂଳରେ ଜଳବାୟୁ ପରିବର୍ତ୍ତନ କରିବାକୁ ଆସି ନିଜ ନିଜ ଭାଷା ଓ ରାଜନୀତିର ବିଚିତ୍ର ଫରକଗୁଡ଼ିକୁ ମହାକାଶ ଓ ମହୋଦଧିର ମହାମିଳନରେ ହଜାଇ ଦିଅନ୍ତି ସେମାନେ । ମଣିଷର ଏମ‌୍‌ତି ନାନାଭାଷା, ବେଶପୋଷାକ, ଆଚାରବିଚାର, ଧର୍ମସମ୍ପ୍ରଦାୟ ରଙ୍ଗଢଙ୍ଗ—ସବୁରି ଭିତରେ ହିଁ ସବୁକାଳେ ରହି ଆସିଚି ତ ଖାଣ୍ଟି ମଣିଷଟା ! ମିଳନ, ବିଭେଦ ଦୁଇଟାଯାକର ଯୋଗସୂତ୍ର ଭିତରେ ସେଇ ଯେମ‌୍‌ତି ଅବା ଜିଇଁ ରହେ ଚିରକାଳ ।

 

ଆଶ୍ରମବିଶ୍ରାମ

 

ଅନେକ ନୂଆ ବନ୍ଧୁଙ୍କ ପରିଚୟ ଘଟେ ପୁରୀଜିଲ୍ଲା ସ୍କୁଲରେ । ସେଥି ସଙ୍ଗେ ଶିକ୍ଷକଙ୍କର ମଧ୍ୟ ।

 

ବାର୍ଷିକ ପୁରସ୍କାର-ବିତରଣୀ ସଭାରେ ମୋତେ ପ୍ରଥମ କିମ୍ବା ଦ୍ୱିତୀୟ ପୁରସ୍କାର ପାଇବାର ସୌଭାଗ୍ୟ ଯୁଟେ ଉପର କ୍ଲାସରେ ସିନା, ତଳ କ୍ଲାସରେ ନୁହେଁ ।

 

ତଳ କ୍ଲାସରେ କିନ୍ତୁ ମୁଁ ପୁରସ୍କାର ପାଇଥିଲି ଗୀତ ବୋଲି । ମୋ ସହିତ ଚାରୁଚନ୍ଦ୍ର ବୋଲି ଆଉ ଜଣେ ସହାଧ୍ୟାୟୀ, ମଧ୍ୟ ଗୀତ ବୋଲି ଥିଲେ । ଗୀତଟି ଥିଲା—

 

କେହି ରହି ନାହିଁ            ରହିବେ ନାହିଁଟି

ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ            ଅଭିନୟ ସାରି

ବାହୁଡ଼ିବେ କାଳବଳେ ।

 

କବିବର ରାଧାନାଥ ରାୟଙ୍କର ପାର୍ବତୀ କାବ୍ୟରୁ ଏହି ଅଂଶଟିର, କେତେ ପଦ ପୁରସ୍କାର ବିତରଣୀ ସଭାରେ ଆବୃତ୍ତି କରିବା ଆଗରୁ ହେଡ଼ମାଷ୍ଟରଙ୍କ ସମକ୍ଷରେ ପରୀକ୍ଷା ଦେଇଥିଲୁଁ । ମନେଅଛି—ସେତେବେଳେ ପଣ୍ଡିତ ଫକୀର ମିଶ୍ରଙ୍କ ସହିତ ଦାଶରଥି ବାବୁ ହେଡ଼ମାଷ୍ଟର ତନ୍ମୟଭାବରେ ସେ ଗୀତ ଶୁଣି ‘ଆହା’ ‘ଆହା’ କହି ଆଖିରୁ ଲୁହ ପୋଛିଥିଲେ । ତାଙ୍କ ନିର୍ଦ୍ଦେଶରେ ଥରକୁ ଥର ସେଇ ଗୀତ ଆମକୁ ଆବୃତ୍ତି କରିବାକୁ ହୁଏ । ଉଭୟ ଆଜି ପୃଥିବୀରୁ ଅନ୍ତର୍ଦ୍ଧାନ ହୋଇ ଗଲେଣି । ଆଉ ଥରେ ସେଇ ସ୍ଵରରେ ଆବୃତ୍ତି କରିବାକୁ ଗାୟକର କଣ୍ଠ ମଧ୍ୟ ଅସମର୍ଥ । ଆବୃତ୍ତ କବିତାଂଶର ଶେଷ ପଦ ଥିଲା—

 

“ସେହି ବଂଶ କାହିଁଏହି କଥା ଯେବେ

ଏକାମ୍ରେ ପୁଛିବ ଯାଇ

ପ୍ରତିଧ୍ୱନି ଛଳେକାନନେ ଦେଉଳ

ପ୍ରତିବାଣୀ ଦେବ ‘କାହିଁ ’ ?”

 

ସ୍କୁଲରେ ପଢ଼ିବା ବେଳେ ମୋର ଆଉ ଗୋଟିଏ ଗୁଣ ଥିଲା, ସାଙ୍ଗ ପିଲାମାନଙ୍କୁ ଘେନି ଲିଜର ପିରିଅଡ଼ରେ ଗପ କହିବା ।

 

ସେ ସବୁ ଗପ ମୁଁ ଗାଁରେ ଶୁଣିଥାଏଁ, ଅଥଚ ସହର ସାଙ୍ଗମାନେ ତାକୁ ନୂଆ ବୋଲି ବିଚାରି ମୋତେ ବେଢ଼ି ବସି ଜିଗର କରନ୍ତି, ସେଇ ମଫସଲି ଗପ ଶୁଣିବାକୁ । ଗପ ଶୁଣୁ ଶୁଣୁ କେହି କେହି ଟେବୁଲ ଡେସ୍କ ବାଡ଼େଇ ହସ କୌତୁକରେ କ୍ଲାସ ଘର କମ୍ପାନ୍ତି । ଯେହେତୁ ସେ ସବୁ ଅଧିକାଂଶ ମଜା ଗପ ।

 

ପାଠପଢ଼ାରେ ମୁଁ ବିଶେଷତ୍ୱ ଦେଖାଏଁ କେବଳ ଉପର କ୍ଲାସରେ । କାରଣ ଘରେ ଜ୍ୟେଷ୍ଠ ଦିବ୍ୟସିଂହଙ୍କ କଡ଼ା ତାଗିଦ୍ ସଙ୍ଗେ ମୋର ଟିକିଏ ଦାୟିତ୍ୱବୋଧ । ସେତେବେଳକୁ ଭାଇନା କଲିକତାରୁ ଓକିଲାତି ପାଶ୍ କରି ପୁରୀ କଚେରୀରେ ଯୋଗ ଦେଲେଣି । ଆଉ ତାଙ୍କର କଚେରୀ ଯିବା ଦିନ ଠାରୁ ବାପା ଆଇନ ବ୍ୟବସାୟ ଛାଡ଼ି ସମ୍ପୂର୍ଣ୍ଣ ବିଶ୍ରାମ ନେଲେଣି ଘରେ ।

 

ଆଇନ ବ୍ୟବସାୟଟା ହଠାତ୍ ଛାଡ଼ିଦେବା କାରଣ କେହି ତାଙ୍କୁ ପଚାରିଲେ,କହନ୍ତି—ପୁଅ ଯେତେବେଳେ ସେଇ ବ୍ୟବସାୟ କଲେଣି, ଅପରପକ୍ଷ ମୋତେ ମକଦ୍ଦମା ଲଢ଼ିବାକୁ ଡାକିଲେ ମୋର ତାଙ୍କୁ ତ ମନା କରିବା ଉଚିତ ହେବ ନାହିଁ । ତେବେ କଣ ବାପ ପୁଅ ଦୁଇ ପକ୍ଷ ସମର୍ଥନ କରି ପରସ୍ପର କୋଟ ଆଗରେ ସପକ୍ଷ ବିପକ୍ଷରେ ମକଦ୍ଦମା ଲଢ଼ିବୁଁ ?

 

ମୋ ଝିଅ ‘କୁନୀ’ (ନନ୍ଦିନୀ) କିନ୍ତୁ ରେଡ଼ିଓମନ୍ତ୍ରୀ ହେଲାବେଳେ ମୁଁ ରେଡ଼ିଓ ଚାକିରୀ ସଙ୍ଗେ ସଙ୍ଗେ ଛାଡ଼ି ପାରି ନ ଥିବା ହେତୁ ବାପାଙ୍କ କଥା ବାରମ୍ବାର ମନେ ପଡ଼ିଲା ମୋର ।

 

ଗାଁରୁ ବୋଉ, ଭାଉଜ, ନାନୀ ଆଉ ମୋର ସାନଭାଇ ଭଗବତୀ ଆସି ରହିଲେଣି ପୁରୀ ହେରାଗୋହିରୀ ସାହିରେ । ଆଗେ ବାପା ଯେପରି ସ୍କୁଲରୁ ମୋତେ ଡାକି ଆଣି ଘରେ ବସାଇ ରଖୁଥିଲେ, ତହିଁରେ ମଧ୍ୟ ଟିକିଏ ପରିବର୍ତ୍ତନ ଦେଖାଗଲାଣି । ପାଖପଡ଼ିଶାଙ୍କ ଭିତରେ ଗୋପବନ୍ଧୁ, ସଦାଶିବ ପ୍ରଭୃତିଙ୍କ ସହିତ ବନ୍ଧୁତା; ପୁଣି ସ୍କୁଲରେ ମଧ୍ୟ ଅନ୍ୟାନ୍ୟ ସହାଧ୍ୟାୟୀଙ୍କ ସଙ୍ଗେ ନୂଆ ନୂଆ ବନ୍ଧୁତାର ସୂତ୍ର ପାତ ହୂଏ । ନିକଟରେ ବ୍ରାହ୍ମଣ ସମିତି ଛାତ୍ରାବାସରେ ରହୁଥାନ୍ତି ପଣ୍ଡିତ ଜଗନ୍ନାଥ ରଥ, ଅନନ୍ତ ମିଶ୍ର ଓ ନରସିଂହ ମିଶ୍ର ପ୍ରଭୃତି । ଛାତ୍ରାବାସଟି ସାମନ୍ତଚନ୍ଦ୍ରଶେଖରଙ୍କ ନାମରେ ନାମିତ-

 

ସ୍ୱର୍ଗତ ପଣ୍ଡିତ ସଦାଶିବ ମିଶ୍ର କାବ୍ୟ କଣ୍ଠଙ୍କ ନେତୃତ୍ୱ ସେଥିରେ, ପୁଣି ପୁରୀ ମୁକ୍ତି ମଣ୍ଡପ ସଭାର ସଂଗଠନରେ ଅନୁଭୂତ ହୁଏ । ସେହି ସମୟରେ ସାକ୍ଷୀଗୋପାଳ ସ୍କୁଲର ଅଭ୍ୟୁଦୟ । ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ ଓ ହରିହର ପ୍ରଭୃତି ଯା-ଆସ କରନ୍ତି ଆମ ଘରକୁ-ଭାଇନାଙ୍କ ସହିତ ସେମାନଙ୍କର ଘନିଷ୍ଠତା ଥିବାରୁ ।

 

ସାମନ୍ତ ଚନ୍ଦ୍ରଶେଖର ହଲ୍‍ରେ ସାଧାରଣ ସଭାମାନ ମଧ୍ୟ ଅନୁଷ୍ଠିତ ହୁଏ, କାବ୍ୟ କଣ୍ଠ ସଦାଶିବ ମିଶ୍ରଙ୍କ ଉଦ୍ୟମରେ । ଏବେ ସବୁ ସଭା ଭିତରେ ଥରେ କଲିକତା ବିଶ୍ୱ ବିଦ୍ୟାଳୟର କୁଳ ପତି ସାର୍ ଆଶୁତୋଷ୍ ସଭାପତିତ୍ୱ କରି କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଥିଲେ ତାଙ୍କର ଗୃହ ଶିକ୍ଷକ–ଆଉ ସେହି କାରଣରୁ ସେ ଉତ୍କଳ ନିକଟରେ ଋଣୀ ।

 

ସେହି ହେରାଗୋହିରୀ ସାହି ଘରେ ରହିଥିବା ସମୟରେ ହିଁ ମୋହ ଭିତରେ ଏକ ତୁମୂଳ ଅନ୍ତର୍ଦ୍ୱନ୍ଦ ଜାତ ହୁଏ । ସେ ଦ୍ୱନ୍ଦର କାରଣ ବଖାଣିବାକୁ ଗଲେ—ବୋଧହୁଏ ତାହା ବୟସର ପୁଣି ପାରିପାର୍ଶ୍ଵିକ ପରିସ୍ଥିତିର ପ୍ରଭାବ ।

 

ଯୌବନର ପ୍ରାରମ୍ଭକାଳ । ବୟସ ସେତେବେଳେ ଷୋହଳ କିମ୍ବା ସତର । ବାପାଙ୍କର ଗେରୁଆ ପିନ୍ଧା ସନ୍ନ୍ୟାସ ଭାବ ଓ ତାଙ୍କ ବନ୍ଧୁମାନଙ୍କ ସହିତ ସନ୍ନ୍ୟାସ-ଜୀବନର ଦୃଷ୍ଟାନ୍ତ ସହିତ ଆଲୋଚନା ମୋ ଉପରେ ହୁଏତ ପରୋକ୍ଷ ପ୍ରଭାବ ପକାଏ । ସେଥି ସଙ୍ଗେ ମୁଁ ଅମୃତଲାଲ ନାଗ ନାମକ ଜଣେ ପରମ ଶ୍ରଦ୍ଧାବାନ୍ ଓ ଚରିତ୍ରବାନ୍ ପଡ଼ୋଶୀ ବନ୍ଧୁଙ୍କ- ଦ୍ଵାରା ମଧ୍ୟ୍ୟ ପ୍ରଭାବିତ ହୁଏଁ । ତାଙ୍କ ସହିତ ଭକ୍ତି ମାର୍ଗ ଓ ଜ୍ଞାନ ମାର୍ଗ ଆଦି ଐହିକ ପାରତ୍ରିକ ବହୁ ବିଷୟରେ ହୁଏ ଆଲୋଚନା । ସ୍ୱାମୀ ଶ୍ରୀ ନିଗମାନନ୍ଦ ସରସ୍ୱତୀଙ୍କ ରଚିତ “ବ୍ରହ୍ମଚର୍ଯ୍ୟ” ପୁସ୍ତକରେ ପ୍ରାଣାୟାମ, ପାନାହାର, ନିଦ୍ରା, ଜାଗରଣ, ପୁଣି ଭାବନା କିମ୍ବା ଚିନ୍ତା—ସଂଯମ ଦିଗରେ ମଧ୍ୟ ମନ ମୋର ଆକୃଷ୍ଟ ହୁଏ । ସେହି ଅନୁସାରେ ମୁଁ ଶାକାହାରୀ ହୋଇ ଧୌତି ଓ ପ୍ରାଣାୟାମାଦି ଅଭ୍ୟାସ କରେଁ ।

 

ସ୍ୱାମୀ ଶ୍ରୀ ନିଗମାନନ୍ଦ ସରସ୍ୱତୀଙ୍କ ନିକଟକୁ ଆସାମ ଠିକଣାରେ ମଧ୍ୟ ମୁଁ ପତ୍ର ବିନିମୟ କରେଁ । ସେତିକିବେଳେ ପୁଣି ପହଞ୍ଚେ ଆସି ମୋର କେତେକ ବିବାହ ପ୍ରସ୍ତାବ । ଦିନେ ବୋଉଙ୍କ ସମକ୍ଷରେ ମୁଁ ସଂସାରୀ ନ ହୋଇ ସନ୍ନ୍ୟାସୀ ହେବା ଅଭିଳାଷ ପ୍ରକାଶ କରିବାରୁ ସେ ହଠାତ୍ ମୋତେ ଅବାକ୍ ବିମୁଢ଼ କରିପକାଇ ବିକଳ ଚିତ୍କାରରେ କାନ୍ଦି ଉଠିଲେ । ବାପା ମଧ୍ୟ ଅଭିଭୂତ ହୋଇ ପଡ଼ନ୍ତି । ସ୍ଵାମୀ ନିଗମାନନ୍ଦ ମୋତେ ମାତାପିତାଙ୍କ ଅନୁମତି ଘେନି ଗୃହତ୍ୟାଗ କରିବାକୁ ପରମର୍ଶ ଦେଇଥାନ୍ତି । ମାତ୍ର ସେହି ଅନୁମତି ଘେନିବାକୁ ଯାଇ ପରିଣାମରେ ତାହା ଯେ ଏଭଳି ରୂପ ଗ୍ରହଣ କରିପାରେ, ତାହା ଥିଲା ମୋର କଳ୍ପନାର ବାହାରେ ।

 

ଶେଷରେ ଅବସ୍ଥା ହେଲା ମୋର—ସେହି ସନ୍ନ୍ୟାସ ବ୍ରତ-ଗ୍ରହଣ–ଅଭିଳାଷୀ ଯୁବକର କାହାଣୀ ଭଳି । କାହାଣୀଟି କଟକ ରେଭେନ୍‌ସା କଲେଜ୍‍କୁ ଆସି ଶୁଣିଥିଲି କେତେକ ପରିହାସପ୍ରିୟ ବନ୍ଧୁଙ୍କ ମୁଖରୁ । ସେମାନେ ଅବଶ୍ୟ ମୋର ସନ୍ନ୍ୟାସ ଗ୍ରହଣ ବ୍ୟାପାରରେ ଅବହିତ ନଥିଲେ ।

 

ଉପାଖ୍ୟାନର ନାୟକ ଯୁବକଟିର ସଂସାର ପ୍ରତି ବିତୃଷ୍ଣା କ୍ରମଶଃ ତୀବ୍ରତର ହୋଇ ବୈରାଗ୍ୟ ଜାତ ହୁଅନ୍ତେ ସେ ଗୃହତ୍ୟାଗ କରି ଜଣେ ଗୁରୁଙ୍କ ଆଶ୍ରୟ ନିଏ । ତହୁଁ ଆଶ୍ରମ ନିୟମ ଅନୁସାରେ ଗୁରୁ ତାହାକୁ ପଠାନ୍ତି ଭିକ୍ଷା କରି ଆଣିବା ପାଇଁ । ସାଧାରଣତଃ ଗୃହସ୍ଥ ମାନେ ତ ଭିକ୍ଷାପାଇଁ ପ୍ରାୟ ଧାନ ଓ ଗୋଡ଼ି ମିଶା ଖୁଦ ଚାଉଳ ରଖିଥାନ୍ତି । ତହୁଁ ଶିଷ୍ୟ ବିଚାରା ଯେଉଁ ଭିକ୍ଷା ଆଣେ, ଗୁରୁଙ୍କ ନିର୍ଦ୍ଦେଶରେ ସେସବୁ ତାହାକୁ ପରିଷ୍କାର କରିବାକୁ ପଡ଼େ । ଏମିତି ଦିନେ ସେ ଭିଖ ଚାଉଳରୁ ଧାନ ଖୁଦ ଗୋଟି ଗୋଟି କରି ବାଛି ବସିଛି, ଗାଁରୁ ଜଣେ ପଡ଼ୋଶୀ ତା’ର କୁଶଳ ସମ୍ବାଦ ବୁଝିବାକୁ ଆସି ପହଞ୍ଚେ ।

 

ଏହିଭଳି ଦୁଃସ୍ଥିତି ଭିତରେ ପଡ଼ି ଦିନେ ସଂସାର ପ୍ରତି ଯାହା ତା’ର ବୈରାଗ୍ୟ ଉଦୟ ହୋଇଥିଲା, ଏବେ ସନ୍ନ୍ୟାସ ବ୍ରତର ପ୍ରାରମ୍ଭରୁ ତିକ୍ତ ଅଭିଜ୍ଞତା ଲାଭ କରି ସେଥିପ୍ରତି ମଧ୍ୟ ସେଇ ଭଳି କିମ୍ୱା ତତୋଧିକ ଉଗ୍ର-ବୈରାଗ୍ୟ ତା’ର ଜାତ ହେଲାଣି ।

 

ପଡ଼ୋଶୀ ଜଣକ ଏଇ ଅବସ୍ଥାରେ ତାକୁ ଦେଖି କୁଶଳ ପ୍ରଶ୍ନ କରନ୍ତେ ଯୁବକଟି ଜଣାଏ –

 

“ଧାନ ଗୋଟି ଗୋଟି ଖୁଦ ଗୋଟି ଗୋଟି

ବାଛୁ ବାଛୁ ରାତି ପାହିଲା

ବାପାଙ୍କୁ କହି ହଡ଼ା ନ ବିକିବେ ।

(ମୋର) ବଇଷମ ହେବା ନୋହିଲା ।”

 

ବିଚାରାକୁ ବାପା ତା’ର ସବୁବେଳେ ବିଲକାମ କରିବାକୁ ତାଗଦା କରିବାରୁ ସେ ସନ୍ନ୍ୟାସ ଗ୍ରହଣ କରେ । କିନ୍ତୁ ସନ୍ନ୍ୟାସ ଯେ ତହୁଁ ବଳି କ୍ଳେଶଦାୟକ, ସେ ଅଭିଜ୍ଞତାରୁ ସୁଦ୍ଧା ତାକୁ ତ୍ରାହି ମିଳିଲା ନାହିଁ । ମୋ’ ପାଇଁ ସେମ‌୍‌ତି ସ୍ୱାମୀ ଶ୍ରୀ ନିଗମାନନ୍ଦଙ୍କ ଆଶ୍ରମ-ଦ୍ୱାର ମଧ୍ୟ ରୁଦ୍ଧ ହୋଇଗଲା-। ଆଉ ବୈରାଗ୍ୟ ମୋର କ୍ଷଣସ୍ଥାୟୀ ହେଲା ଶ୍ମଶାନ-ବୈରାଗ୍ୟ ଭଳି ।

 

କେବଳ ସେତିକି ନୁହେଁ ତ ! ପ୍ରାଚୀନ ଭାରତର ଚାରିଗୋଟି ଆଶ୍ରମ ମଧ୍ୟରୁ ଗୃହସ୍ଥାଶ୍ରମ ଅପେକ୍ଷା ବରଂ ଅନେକ ବେଶୀ ସୁବିଧା ସୁଯୋଗ ମିଳିବାର ଦ୍ୱାର ସେହି ସମୟରେ ନୂଆ ହୋଇ ଖୋଲା ଯାଉଥିବା “ସ୍ୱରାଜ୍ୟାଶ୍ରମ” ପ୍ରତି ମଧ୍ୟ ଉତ୍ସାହ ମୋ’ର କମିଆସିଲା ।

 

ନିମ୍ନଟୀକା ଭାବରେ ଏଇ ସମୟର ଏକ ଘଟଣା ମନେପଡ଼େ । ଇଂରାଜୀ ଭାଷାରେ ସେତେବେଳେ ମୋର ପ୍ରବେଶାରମ୍ଭ ! ସଂସାର ତ୍ୟାଗ ଓ ନାରୀକୁ କେବଳ ମାତୃରୂପେ ବିଚାର କରି ତାଙ୍କ ମୁଖକୁ-ନ ଚାହିଁ ସର୍ବଦା ଭକ୍ତି ପରାୟଣ ଚିତ୍ତରେ ପଦନୀରିକ୍ଷଣ କରିବା ଥିଲା ସ୍ଵାମୀ ନିଗମାନନ୍ଦଙ୍କର ଉପଦେଶ । ସ୍ୱପ୍ନ କିମ୍ବା ଜାଗରଣରେ ଏହି ଅଭ୍ୟାସ ଦ୍ୱାରରେ ବ୍ରହ୍ମଚାରୀ ଜୀବନରେ ମୁଁ ବହୁ ପରିମାଣରେ ସଫଳକାମ ହୁଏଁ ।

 

ସ୍ୱାମୀଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନାରୀକୁ ପ୍ରେମିକା ଜ୍ଞାନ କରିବା ବ୍ରହ୍ମଚାରୀ ପକ୍ଷରେ ନିଷିଦ୍ଧ, ଗର୍ହିତ ଓ ନିନ୍ଦନୀୟ । ସେ ବିଷୟରେ ମୋ’ର ବନ୍ଧୁମାନଙ୍କ ସହିତ ମଧ୍ୟ ଯୁକ୍ତିତର୍କ ଓ ଆଲୋଚନା ହୁଏ । ତାଙ୍କ ଭିତରୁ କିଏ କେଜାଣି କହିଥିଲେ ଯେ, ସେଥିଲାଗି ଇଂରାଜୀରେ ଗୋଟିଏ ପରା କଥା ଅଛି—Love is Blindଓଡ଼ିଆରେ ମଧ୍ୟ “ପ୍ରେମାନ୍ଧ” ଶବ୍ଦଟି ଅପ୍ରଚୁର ନୁହେ; କିନ୍ତୁ ଅର୍ଥ-ବିଭ୍ରାଟ ଅଛି ତହିଁରେ । ଇଂରାଜୀଟା ହିଁ ଠିକ୍ ବୋଲି ବିଚାରିଲି ।

 

ମୋର ବୈରାଗ୍ୟ ଲାଗି ଏହାକୁ ଗୋଟିଏ ମଟୋ କରି ଓ ସୁନ୍ଦର ଅକ୍ଷରରେ ବଭିନ୍ନ ରଙ୍ଗରେ ଲେଖି ପଢ଼ାଘରେ ଟାଙ୍ଗିଥାଏଁ ; ଅଥଚ ଭାଇନା ଦିନେ ମୋ’ର ପଢ଼ାଘରେ ମୋତେ ଯାଞ୍ଚକରିବାକୁ କି କାହିଁକି ପଶିଯାଇ ଏହି ‘ମଟୋ’ଟି ଦେଖି ପକାଇ ଭୀଷଣ ରାଗିଯାନ୍ତି । ତାଙ୍କ ପ୍ରତି ତ ବାପାଙ୍କ ଠାରୁ ଆରମ୍ଭ କରି ଘରଯାକ ସମସ୍ତଙ୍କର ସମ୍ଭ୍ରମ ।

 

ଭାଇନା କ୍ରୋଧରେ ମୋର ସେଇ ମଟୋକୁ ଟାଣି ଯେତେବେଳେ ଚିରି ଫିଙ୍ଗି ଦିଅନ୍ତି, ସେତେବେଳେ ତାଙ୍କ ଆଚରଣ ମୋ’ ପକ୍ଷରେ ଯେତିକି ଦୁର୍ବୋଧ୍ୟ ହୋଇପଡ଼େ, ସେତିକି ମୋତେ ଲଜ୍ଜିତ କରେ । ଘରେ ବାପା, ବୋଉ, ଭଉଣୀ ପ୍ରଭୃତି ସମସ୍ତଙ୍କର ଦୃଢ଼ ବିଶ୍ୱାସ ଯେ ମୁହିଁ ନିଶ୍ଚୟ ଦୋଷୀ, ଭାଇନାଙ୍କର କେବେହେଲେ ଭୁଲ୍ ହୋଇ ନ ପାରେ—The king can do no wrong – ରାଜଭକ୍ତ ଇଂରେଜମାନଙ୍କର ଯେପରି ଅଖଣ୍ଡ ବିଶ୍ଵାସ ଯେ ରାଜା କେବେହେଲେ ଭୁଲ୍ କରି ପାରନ୍ତି ନି ବୋଲି । ତହୁଁ ଏଇ ଚିରାଚରିତ ପ୍ରବାଦଟି ରହି ଆସିଛି, ଆଜି ଇଂରେଜ ରାଜାଙ୍କର ଭୁଲ୍ କି ଠିକ କିଛି ହେଲେ କରି ପାରିବା ଶକ୍ତି ନ ଥିଲେ ସୁଦ୍ଧା ।

 

ପରେ ଅବଶ୍ୟ ବୁଝିଲି ଯେ, ମୁଁ କାହାରି ପ୍ରେମରେ ନ ପଡ଼ି ମଧ୍ୟ ସେ ଦିନ ଶାସ୍ତି ଭୋଗ କରିଛି ଆପଣା ଇଂରାଜୀ ଭାଷା ଜ୍ଞାନରେ କିଛି କେବଳ ତ୍ରୁଟି ବିଭ୍ରାଟ ଉପୁଜୁ ଥିବା ହେତୁ । ଏମିତି ପରା ସଂସ୍କୃତ ବ୍ୟାକରଣର ଛାତ୍ର ‘ବ୍ୟାଘ୍ର’ ଶବ୍ଦକୁ ବିଶେଷ ରୂପେ ଆଘ୍ରାଣ କରେ ବୋଲି ଅର୍ଥ କରି ତାହାର ପରୀକ୍ଷା ସ୍ଵରୂପ, ବାଘ ମୁହଁକୁ ଆସି ପରିଣାମ ଭୋଗ କରନ୍ତି ପ୍ରାଣ ବିସର୍ଜନ ଦେଇ !

 

କୁହୁ କୁହୁ କୁହୁ

 

ଦିନେ ଯେଉଁ ଘଟଣାକୁ ଜୀବନର ଏକ ଓଜନଦାର ଅଙ୍ଗ ବିଚାରୁଥିଲି—ଆଜି ପୁଣି ତାହା ଆଉ କାହାରି ନୁହଁ, ମୋର ନିଜ ବିଚାରରେ ବି ହାଲୁକା ହୋଇ ପଡ଼ିଲାଣି । ଏପରିକି ପ୍ରାୟ ହାସ୍ୟାସ୍ପଦ । ତହୁଁ କୌଣସି ବିଷୟରେ ଗୁରୁ ଲଘୁ ବିଚାରି କେବଳ ବୟସ ବା ସମୟସାପେକ୍ଷ ବୋଲି ବୋଧ ହୋଇଥାଏ ମୋତେ ଆଜି ।

 

ମୋର ସେଇ “Love is Blind” ମଟୋ ଚିରାହେଲା ସିନା ; କିନ୍ତୁ ସେଇ ବୋଧହୁଏ ଦାୟୀ ହେଲା ସେତିକିବେଳେ ମୋର କେତେ ସ୍ଥାନରେ ତନାଘନା ବିବାହ ପ୍ରସ୍ତାବକୁ ମଧ୍ୟ ଚାଲୁ କରିବାରେ । କାରଣ ଅବଶ୍ୟ ସୁସ୍ପଷ୍ଟ – ଏଇ ମଟୋରୁ ହିଁ ମୋର ଦୃଷ୍ଟିଶକ୍ତି ପୂରାପୂରି ହାନି ଘଟିବା ଆଶଙ୍କା । ତା’ଛଡ଼ା ମୋତେ ସନ୍ନ୍ୟାସ-ପଥରୁ ଆଣି କୁଳଧର୍ମ ରକ୍ଷା କରିବାକୁ ବାପା ତାଙ୍କର ପୈତୃକ କର୍ତ୍ତବ୍ୟ ସମାପନ ଲାଗି ତତ୍ପର ହୋଇ ପଡ଼ନ୍ତି ।

 

ମୁଁ ସନ୍ନ୍ୟାସ ଗ୍ରହଣ କରି ବିବାହକୁ ଏଡ଼ି ଦେବାପାଇଁ ଇଚ୍ଛା କରୁଥିଲା ବେଳେ ବାପା, ବୋଉ ଯେପରି ଅବା ଟାଣି ଓଟାରି ମୋତେ ଆଣି ସଂସାର ଭିତରେ ପୂରାଇଲେ—ଏଇଭଳି ସଂସ୍କାର ଅଥବା କାରଣ ବଳରେ । ପୁଣି ହୁଏତ ମୋର ଦୁର୍ବଳତା ଓ ସଂଶୟ ମୋତେ ଅନ୍ୟ ସମସ୍ତ ଦିଗରୁ ଟାଣି ଆଣି ସଂପୂର୍ଣ୍ଣ ରୂପେ ପିତୃଭକ୍ତ ସମ୍ମାନ କରି ପକାଇଲା !

 

ସେଥିରେ କିନ୍ତୁ ମାତାପିତାଙ୍କର କିମ୍ବା ମୋର ଅବା କି ଯେ ଲାଭ ହେଲା, ତାହାର ହିସାବ କିତାବ କରିବା ଆଜି ତ ଆଉ ସମ୍ଭବପର ନୁହେଁ । ପୁଣି ସଂସାରତ୍ୟାଗୀ ହୋଇ ସନ୍ନ୍ୟାସ ଗ୍ରହଣ କରିଥିଲେ ? କାହାର କି ଅବା ଲାଭ ହୁଅନ୍ତା ? ହଁ, ଏ ପ୍ରଶ୍ନର ସତେ ଉତ୍ତର କାହିଁ, ସବୁ ମୌଳକ ପ୍ରଶ୍ନ ଭଳି ?—ଆମର ଜନ୍ମ, ମୃତ୍ୟୁ ପୁଣି ଏଇ ସଂସାର- ସୃଷ୍ଟି—କାହିଁକି ? କାହିଁକି ? କାହିଁକି ?—?

 

ହେରାଗୋହିରୀ ସାହି ପରେ ଆମେ ପୁଣି ଘର ବଦଳାଇ ଆସିଲୁଁ ସଦରଥାନା ଗଳିକୁ ସ୍ୱର୍ଗତ ମୁକ୍ତିଆର ଉପେନ୍ଦ୍ର କରଙ୍କ ପଡ଼ୋଶୀ ହୋଇ ।

 

ଆଗ ଯେମ‌୍‌ତି ବାପାଙ୍କର କଡ଼ା ନଜରବନ୍ଦୀ ଭିତରେ ରହିଥିଲି, ଏବେ ଭାଇନା ଦିବ୍ୟସିଂହଙ୍କ ଓକିଲାତି ଆରମ୍ଭରେ ଗାଁରୁ ବୋଉ ଭାଉଜ, ନାନୀ ପୁଣି ଭାଗୁ (ଭଗବତୀ ପାଣିଗ୍ରାହୀ) ଆସିବାରୁ ମୁଁ ଟିକିଏ ଲଗାମଛଡ଼ା ହୋଇପଡ଼େଁ —ପରିବେଶଟାର ବିସ୍ତୃତି ବା ବ୍ୟାପକତା ହେତୁ ଆଉ ବାପାଙ୍କ ସାମ୍ନାରେ ଏକ ନରହି ଅନେକ ଆସି ପହଞ୍ଚିବାରୁ । ଭାଗୁ ମଧ୍ୟ ପହଞ୍ଚିଯାଏ ପଛେ ପଛେ ମୋର ଗୋଡ଼ାଇବା ପାଇଁ ଯେତେବେଳେ ଯୁଆଡ଼େ ଟିକିଏ ଘରୁ ଗୋଡ଼ କାଢ଼ି ପଦାକୁ ବାହାରିଲି । ସେତେବେଳେ ମୋର ମୁରବୀ ପଣିଆ ଜାହିର କରିବାକୁ ଘରେ ସବୁ ବୟୋଜ୍ୟେଷ୍ଠଙ୍କ ଭିତରେ ସେଇଥାଏ ଏକ ମାତ୍ର କନିଷ୍ଠ । ବୋଉ ନାନୀଙ୍କଠାରୁ ଆକଟ ଶୁଣେ ତାକୁ ସାଥିରେ ସବୁବେଳେ ନେବାକୁ ।

 

ମୋର ଛାତ୍ର-ସଂଗଠନ ପୁଣି ସାହିତ୍ୟ ସଭାସମିତିକୁ ଏଡ଼େ ସାନ ପିଲାଟାକୁ ନେବାପାଇଁ ଭାରି ଅଡ଼ୁଆ ଲାଗେ ଓ ଲାଜମାଡ଼େ ମୋତେ । ବୋଉ, ନାନୀ ଖୁବ୍ ଆକଟ କରି କହନ୍ତି ସେ କ’ଣ ଗନ୍ଧିଆମନ୍ଧିଆ କି କୋତରାମୋତରା, ହୋଇଛି କରେ—କାହିଁକି ନବୁ ନି ତାକୁ ? ଭାଗୁ ପିଲାଦିନୁଁ ଭାରି ସଫା ସୁତୁରା ହେଲେ ସେମାନଙ୍କୁ ମୋର ଅସୁବିଧା ବୁଝାଇବା ଅତି କଠିଣ । ଏଡ଼େ ସାନ ପିଲାକୁ ତ ମୋର କେହି ହେଲେ ସାଙ୍ଗ ସାହିତ୍ୟ ସଭାକୁ ଆଣନ୍ତି ନାହିଁ ! ତାକୁ ନେଲେ ମୋତେ ସମସ୍ତେ ହସିବେ ସିନା !

 

ନାନୀ ବୋଉ ଆକଟ କରନ୍ତି—“କ’ଣ କହିଲୁ ? ହସିବେ ? ହସିବ ଚାଲିଲୁ କିଏ ! କାହାର ଏଡ଼େ ବହପ ! ତା’ ହସ ନିକାଲି ଦେବିନି ସାଙ୍ଗେ ସାଙ୍ଗେ !” ଜଣେ ଭାଗୁ ସାଥିରେ ଆହୁରି ଦି’ଜଣ—ନାନୀ ଓ ବୋଉ ବାହାରିଲେଣି ଆମ ମିଟିଂକୁ ଯିବାକୁ ! ଅତଏବ-ଯଃ ପଳାୟତି, ସ ଜୀବତି ! ତା’ର କେତେକ ବର୍ଷ ପରେ କିନ୍ତୁ ଭାଗୁ ଯେଉଁସବୁ ସଭା କଲା, ସେସବୁ ସଭାକୁ ମୋତେ ସେ ଡାକିଲେ ସୁଦ୍ଧା ଯିବା ଆଗରୁ ମୋତେ ବିଚାର କରିବାକୁ ପଡ଼ିଲା, ଜେଲ ଓ ପୁଲିସ୍ ଭୟରେ ବୋଧହୁଏ !

 

ସେହି ସମୟରୁ ଆମ ସ୍କୁଲ ଯେଉଁଠି ଥିଲା, ସେଠାରୁ ଉଠି ଆସିଲାଣି ସଦର ଥାନା ପାଖ ପ୍ରକାଣ୍ଡ ନୂଆ ଘରକୁ । ହେଡ୍ ମାଷ୍ଟର ଦାଶରଥି ବାବୁଙ୍କ ପରେ ଆସିଲେଣି ଚନ୍ଦ୍ରମୋହନ ମହାରଣା-। ଚନ୍ଦ୍ରମୋହନ ବାବୁଙ୍କ ସହିତ ଖୁବ୍ ନିକଟବର୍ତ୍ତୀ ହେବାର ସୌଭାଗ୍ୟ ମୋର ଘଟିନାହିଁ; ମାତ୍ର ସାହିତ୍ୟ–କ୍ଷେତ୍ରରେ ଓ ଚରିତ୍ରବତ୍ତାରେ ଏହି କଠୋର ସମାଲୋଚକ ହେଡ଼୍‍ମାଷ୍ଟରଙ୍କ ବିଷୟରେ ଆଗରୁ ଆମେ ଶୁଣିଥାଉ ।

 

ତହୁଁ ଖୁବ୍ ସନ୍ତର୍ପଣରେ ତାଙ୍କ ସଙ୍ଗେ ଚଳିବାକୁ ହୁଏ । କବିବର ରାଧାନାଥ ରାୟଙ୍କର ଏହି ସମାଲୋଚକ ମୋହ ପକ୍ଷରେ ଭୟ ଓ ସଂଭ୍ରମର ଏକ ବିରାଟ ରହସ୍ୟ ହୋଇ ପଡ଼ିଥିଲେ—ତାଙ୍କୁ କେବେ ହସ ଖୁସିରେ କାହାରି ସହିତ କଥା ଭାଷା ହେବାର ଦେଖିବା ସୁଯୋଗ ମୋର ଘଟିନାହିଁ । ଛାତ୍ରମାନଙ୍କ ମଧ୍ୟରେ କୁହାକୁହି ହୁଅନ୍ତି ଯେ, ଚନ୍ଦ୍ରମୋହନ ବାବୁ ଯେମ‌୍‌ତି କଡ଼ା, ସେ ପାଠୁଆ ଲୋକ ।

 

ତାଙ୍କର ସାଧାରଣ କଥାବାର୍ତ୍ତାରେ ସୁଦ୍ଧା ସଂସ୍କୃତ ବ୍ୟାକରଣର ନିୟମଗୁଡ଼ିକ ସେ ପାଳନ କରିଥାନ୍ତି ବୋଲି ଶୁଣେଁ । ସେଥି ସଙ୍ଗେ ବାକ୍ ସଂଯମ ତାଙ୍କର ଲକ୍ଷ୍ୟଣୀୟ – ଅଳ୍ପ କଥା କହୁଥିବାରୁ ତାହା ଓଜନଦାର ।

 

‘ହରି’ ନାମଧେୟ ତାଙ୍କର ଗୋଟିଏ ପରିଚାରକ ଥିଲା । ତାହାକୁ ଡାକିଲା ବେଳେ କୁଆଡ଼େ ସେ “ହରେ” ବୋଲି ଦୀର୍ଘ ଉଚ୍ଚାରଣ କରିଥାନ୍ତି । ଛାତ୍ରମାନଙ୍କ ମୁହଁରୁ ଏହି କଥା ପରିହାସ ଛଳରେ ଆଲୋଚିତ ହୁଏ । ଇଂରାଜୀ ଭାଷାରେ ମଧ୍ୟ ସେ ଥିଲେ ଖୁବ୍ ଧୁରନ୍ଧର ।

 

ମୁଁ ପଢ଼ୁଥାଏ ବୋଧହୁଏ ମାଟ୍ରିକ୍ୟୁଲେସନ କ୍ଲାସ ଟ୍ରେନରେ,—‘‘ଚିଲଡ୍ରେନ୍ସ ଟ୍ରେଜେରୀ’’ କିମ୍ବା “ଗୋଲଡ଼ନ୍ ଟ୍ରେଜେରି” ଇଂରାଜୀ କବିତା ସଂକଳନରୁ ଚନ୍ଦ୍ରମୋହନ ବାବୁ ଆମକୁ “The Cuckoo” ବା ‘କୋଇଲି’ କବିତା ପଢ଼ାଉଥାନ୍ତି ।

 

ପଢ଼ାଇବା ଆରମ୍ଭ କଲା ଆଗରୁ ସେ ପିଲାଙ୍କୁ ପଚାରିଲେ —“ତୁମେ ସବୁ କୋଇଲି ଦେଖିଛ ?’’ ଆମ କ୍ଲାସ୍‍କୁ ଏଇ ତାଙ୍କର ପ୍ରଥମ ଆଗମନ । ହେଡ୍‌ମାଷ୍ଟରମାନେ କ୍ଵଚିତ୍ ଉପରେ କ୍ଲାସରେ ପଢ଼ାନ୍ତି । ଖୁବ୍ କଡ଼ା ହେଡ୍‌ମାଷ୍ଟର ବୋଲି ତ ଶୁଣିଥାଉଁ, ତହୁଁ ଅତି ସନ୍ତର୍ପଣରେ ଚୁପ୍ ଚାପ୍ ବସି ରହିଥାଉଁ; ହେଡ୍‌ମାଷ୍ଟର ସ୍କୁଲକୁ ଆସିବାମାତ୍ରେ ଚାରିଆଡ଼େ ତୁନ୍ ତାନ୍ । ଆଜି ତାଙ୍କର ଏଭଳି ପ୍ରଶ୍ନରେ କିଏ ‘ହଁ’ ପୁଣି କିଏ ‘ନାହିଁ’ କହେ । ତହୁଁ ସେ ପ୍ରଶ୍ନକଲେ, ‘ଆଚ୍ଛା କୋଇଲିର ଶବ୍ଦ ଶୁଣିଛ ? ସେ ପ୍ରଶ୍ନର ଉତ୍ତରରେ ପ୍ରାୟ ସବୁପିଲା ଏକ ସ୍ୱରରେ କହି ଉଠିଲେ ‘ହଁ’ ।

      

ତା’ପରେ ହେଡ଼ମାଷ୍ଟରଙ୍କ ନିର୍ଦ୍ଦେଶ, – “ଆଚ୍ଛା, କୋଇଲି କିପରି ଶବ୍ଦ କରେ, ତୁମ୍ଭେମାନେ କଲ ଦେଖି ।” ସବୁପିଲା ଏକ ସଙ୍ଗରେ କୁହୁକୁହୁ ଆରମ୍ଭ କରିଦେଲେ । କ୍ଲାସ୍ ତମାମ ‘କୁହୁ’ ନାଦରେ ଫାଟି ପଡ଼େ । ବୋଧହୁଏ— ଆମ ଭୟ ଭାଙ୍ଗିବାକୁ ସେ ଏଇ ଉପାୟ କରିଥିଲେ ।

 

କବିତାଟିର ପଢ଼ା ଆରମ୍ଭ ହୁଏ । କବିବର ରାଧାନାଥଙ୍କ “ମହାଯାତ୍ରା” କାବ୍ୟର ସମାଲୋଚକ ଚନ୍ଦ୍ର ମୋହନ ବାବୁ । ଯେଉଁ ସମାଲୋଚନା ଫଳରେ ସେ କାବ୍ୟଟି ଅସମ୍ପୂର୍ଣ୍ଣ ରହିଗଲା ବୋଲି ଶୁଣାଯାଏ । ପିଲାଙ୍କ ସାମନାରେ ଭୟ ଓ ସମ୍ଭ୍ରମର ପ୍ରତିମୂର୍ତ୍ତି ସେଇ ଚନ୍ଦ୍ରମୋହନ ସେ ଛାତ୍ରମାନଙ୍କୁ ଏମତି ଖୁସିରେ ଖେଳାଇ ପଢ଼ାଇପାରନ୍ତି, ପରେ ସେ କଥା ଆଲୋଚିତ ହୁଏ ଆମ ଭିତରେ ।

 

ଅତି ଆଗ୍ରହରେ ମନୋନିବେଶ କଲୁଁ ତାଙ୍କ ଅଧ୍ୟାପନାରେ । ପ୍ରଥମ ପଦରୁ ଆରମ୍ଭ କରି ଯେଉଁ ରୀତିରେ ସେ ପଢ଼ାଇଲେ— ଯେଉଁସବୁ ଉଦାହରଣ ଦେଇ ପ୍ରତିଶବ୍ଦର ବ୍ୟାଖ୍ୟା, ବ୍ୟବହାର ଇଂରାଜୀ ସାହିତ୍ୟରେ ଦର୍ଶାଇ ଯେତେ ପ୍ରମାଣ ଓ କୋଇଲିର ସ୍ଥାନ ଭାରତୀୟ କବିତାରେ ନିରୂପଣ କରିବାକୁ ଯାଇ ଯେଉଁ ବିସ୍ତୃତ ବିଶ୍ଲେଷଣ ସେ ଉତ୍‍ଥାପନ କଲେ–ଦିନ ପରେ ଦିନ, ଗୋଟିକ ପରେ ଆଉ ଗୋଟିଏ ଇଂରାଜୀ କ୍ଳାସ ଚାଲିଲା । କିନ୍ତୁ Cuckoo କବିତା ବୁଝାଇବା ଶେଷ ହେଲାନାହିଁ ଚନ୍ଦ୍ର ମୋହନ ବାବୁଙ୍କ ପକ୍ଷରେ । ଠିକ୍ ଯେମ‌୍‌ତି କୋଇଲିର “କୁହୁ” ଶେଷହୁଏ ନାହିଁ ଶୁଣିବା ଲୋକର ଜୀବନବ୍ୟାପୀ !

 

ଓଡ଼ିଆ ଶିକ୍ଷକମାନଙ୍କ ଉତ୍ସାହ ଉଦ୍ଦୀପନାରେ ମୁଁ ମୋହର ବାଲ୍ୟ ଜୀବନର ସାହିତ୍ୟ ସାଧନା କ୍ରମେ ବିକଶିତ ହୋଇ ଉଠେ । ସ୍ୱର୍ଗୀୟ ପଣ୍ଡିତ ନରସିଂହ ମିଶ୍ରଙ୍କର ଏହି ଲିଖିତ ପତ୍ରଖଣ୍ଡି ତାଙ୍କର ଅପରିଶୋଧ ସ୍ନେହର ପ୍ରମାଣ ବହନ କରିଛି । ଆମ ଘରେ ମୋର ପିଲାଦିନେ ବଡ଼ମାନେ ଡାକିଲା ଭଳି ମୋତେ ସେ ସ୍ନେହରେ“କାଳିଆ”ବୋଲି ସମ୍ବୋଧନ କରୁଥିଲେ—(କାଳିଆ, କୃଷ୍ଣ, ଯମୁନା ଓ ତା’ର ଜଳର ବର୍ଣ୍ଣ ଭିତରେ ସାମଞ୍ଜସ୍ୟ ଥିବା ହେତୁ ପୁଣି ହୁଏତ ମୋ ଦେହର ରଙ୍ଗ ହେତୁ, ଯାହା ଠିକ୍ କଳା ନୁହେଁ ବୋଲି କେହି କେହି ସହୃଦୟ ବନ୍ଧୁ ମୋ ନାମର ଅଯଥାର୍ଥୀ. ପ୍ରମାଣ କରିବାକୁ ଲୋଡ଼ିଥାନ୍ତି ।

 

 

ବୀରନରସିଂହପୁର

ଜି.-ପୁରୀ

ତା୧୦.୧. ୬୧

ଆୟୁଷ୍ମାନ୍ କାଳିଆ !

 

ଅନେକ ଦିନ ପୂର୍ବେ ପୁରୀରେ ହରନାରୟଣ ସିଂହଙ୍କ * ସଭାପତିତ୍ୱରେ ଅନୁଷ୍ଠିତ ସାହିତ୍ୟ ସମ୍ମିଳନୀରେ ତୋ ସଙ୍ଗେ ଦେଖା ହୋଇଥିଲା । ପୁଣି ସେ ପୁରୀରେ ରମେଶର ଝିଅ ବିଭାଘର ଦିନ ଦେଖା । ମୁଁ ଥରେ କଟକ ଯାଇ ତୋର ଘରେ ପହଞ୍ଚି ତତେ ଦେଖିବାକୁ ଚାହିଁବାରୁ ତୋର ଶରୀର ଅସୁସ୍ଥ ବୋଲି ତୋର ଝିଅ କହିଲା । ଏବେ ଅଳ୍ପ ଦିନ ତଳେ କଟକ ଯାଇ ତୋ ଘର ଭୁଲିଯାଇ ଫେରିଲି । ଆଉ ଥରେ କଟକ ଗଲେ ତୋ ଘରକୁ ଯିବି । ମୋତେ ସଙ୍ଗରେ ନେଇ Radio Station

 

ଡକ୍ଟର ହରନାରାୟଣ ସିଂହ—ସୁକବି, ସୁଲେଖକ ଓ ନାଗପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ । ସ୍ୱର୍ଗତ ବାଳକୃଷ୍ଣ କରଙ୍କ ଅଧ୍ୟକ୍ଷତାରେ ଉତ୍କଳସାହିତ୍ୟ ସମାଜର ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ ଉଠାଇଥାଏ ନବଗଠିତ ଓଡ଼ିଆ ସାହିତ୍ୟ ସମ୍ମିଳନୀ । ତାହାର ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୁଏ ପୁରୀଠାରେ ବୋଧହୁଏ ୧୯୪୫-୪୬ରେ ।

 

ଦେଖାଇ ଆଣିବୁ ! ଆମ ଗାଁରେ୫|୬ଟି ରେଡ଼ିଓ ଅଛି । ପଅରି ଦିନ ରେଡ଼ିଓରେ ତୋର ‘‘ଦାଣ୍ଡମୂଲିଆ” ନାଟକ ଶୁଣିବାକୁ ପାଇଲି । ତା’ ପୂର୍ବରୁ ଆଉ ଗୋଟିଏ ନାଟକ ଶୁଣିବାକୁ ପାଇଥିଲି-। ଖବର କାଗଜରୁ ତୋର ସୁନାମ ଶୁଣିବାକୁ ପାଏ ଅନେକ ସମୟରେ । ଏଥିରେ ଛାତି କୁଣ୍ଢେ ମୋଟ ହୋଇଯାଏ । ତୋର ‘‘ମାଟିରମଣିଷ” ଓ“ଲୁହାରମଣିଷ ’’ ପଛକୁ “ସୁନାରମଣିଷ” ଲେଖା ପଢ଼ିଲେ ବିଶେଷ ଆନନ୍ଦିତ ହେବି । ମୋ ଭାଗ୍ୟରେ ସେ ସୁଯୋଗ ଘଟିବ କି ନାହିଁ କେ ଜାଣେ ! ଆଶା କରେଁ, ଭଲ ଅଛୁ । କାଲି ପୁରୀ ଯାଇଥିଲି, ମୋର ଘନିଷ୍ଠ ସମ୍ପର୍କରେ ଥିବା କେତେକ ଛାତ୍ରଙ୍କ ସଙ୍ଗେ ସାକ୍ଷାତ୍ ହେବାରୁ ମୁଁ ଭାରି ଖୁସି ହେଲି ।

 

 

ଇତି

ସତତ ଶୁଭାନୁଧ୍ୟାୟୀ,

ପଣ୍ଡିତ ନରସିଂହ ମିଶ୍ର

 

ବାଲ୍ୟଶିକ୍ଷକଙ୍କଠାରୁ ମୋର ବାର୍ଦ୍ଧକ୍ୟରେ ସୁଦ୍ଧା ଏଭଳି ଅନାବିଳ ସ୍ନେହପତ୍ର ଲାଭ କରିବାର ମୂଲ୍ୟାୟନ ଅସମ୍ଭବ । ମୋର ଅସୁସ୍ଥ ଅବସ୍ଥାରେ ସେ ଦ୍ୱାରସ୍ଥ ହୋଇ ଲେଉଟି ଯାଇଥିଲେ ମଧ୍ୟ ସୁସ୍ଥ ହେବା ପରେ ତାଙ୍କୁ ଯାଇ ସାକ୍ଷତ୍ କରିବା ସୌଭଗ୍ୟ ମୋର ଯୁଟିଲା ନାହିଁ । ଏଇ ଭଳି ବହୁ କ୍ଷେତ୍ରରେ ମୋର ଅକ୍ଷମଣୀୟ ତ୍ରୁଟି ରାଶି ଘେନି ମୁଁ ହତଭାଗ୍ୟ ରହିଗଲି । ସେ ତ୍ରୁଟିର ହିସାବ ପିଲାଦିନୁଁ ଆଜି ସୁଦ୍ଧା ନିକାଶ କରିବା ଅସମ୍ଭବ । ସେ ଋଣ ଚିର ଅପରିଶୋଧ । ମାନସ-ନିଡ଼ର ରୁଦ୍ଧ ଦ୍ୱାରଦେଶରେ ମୋର କେତେ ଯେ ଏମ‌୍‌ତି ଡାକରା ଆସେ ! କେତେ ଅନାବିଳ ସ୍ନେହର ସଂକେତ ! ହତଭାଗ୍ୟ ମୁଁ—ତଥାପି ମୋ ନିଦ ଭାଙ୍ଗେ ନାହିଁ—ଫିଟେ ନାହିଁ ମୋର ଦୁଆର କାହିଁ ତ ଭାସିଯିବାକୁ ସେଇ ସ୍ନେହର ଜୁଆର ଭିଡ଼ରେ !

 

ନିର୍ମଳ-ବନ୍ଧୁତା

 

ଜଣେ ସହଧ୍ୟାୟୀ ବନ୍ଧୁଙ୍କୁ ପାଇଥିଲି ପୁରୀ ଜିଲ୍ଲା ସ୍କୁଲରେ । ନାମ ତାଙ୍କର ନିର୍ମଳ ଚନ୍ଦ୍ର ଘୋଷ । ଘର କୃଷ୍ଣନଗର । ତାଙ୍କ ବାପା ଆସିଥାନ୍ତି ପୁରୀର ସବଡ଼ିଭିଜନାଲ ଅଫିସର ହୋଇ । ନିର୍ମଳର ମୋହପ୍ରତି ଅହେତୁକ ବନ୍ଧୁତା ସ୍ମରଣୀୟ ହୋଇ ରହିଛି । ସେ ବନ୍ଧୁତାରେ କେତେ ଯେ ମନୋମାଳିନ୍ୟ ! ପରେ ପୁଣି କଥାବର୍ତ୍ତା ! ମୁହଁ ଚାହାଁ ଚାହିଁ ଏକାବେଳେ ବନ୍ଦ। ଗଡ଼ିଚାଲେ ଏମ‌୍‌ତି ଦିନ ପରେ ଦିନ ଘର ବାହାର ଚତୁର୍ଦ୍ଦିଗ କେବଳ ନିରାଟ ଶୂନ୍ୟତାରେ ଭରିଦେଇ । ନିର୍ମଳଚନ୍ଦ୍ର ଅବା ଥିଲେ ମୋ ଅନ୍ଧାରର ପ୍ରକୃତ ନିର୍ମଳଚନ୍ଦ୍ର ।

 

ତା’ପରେ କେଉଁ ସୁତ୍ରରୁ କାହିଁକି କିପରି ପୁଣି ପତ୍ରବିନିମୟ ଆରମ୍ଭ ହୁଏ ! କେତେ ମାନ ଅଭିମାନ ରାଗରୋଷ ପରେ । ପତ୍ରଗୁଡ଼ିକ ଅବଶ୍ୟ ଇଂରାଜୀ ଲେଖା । କାରଣ ନିର୍ମଳ ଜାଣେନି ଓଡ଼ିଆ । ପୁଣି ବଙ୍ଗଳାରେ ମୁଁ ଅନଭିଜ୍ଞ । ଆଜି ଯାହା ଅତି ସାମାନ୍ୟ ହାସ୍ୟାସ୍ପଦ ମନେ ହୁଏ, ସେତେବେଳେ ତାହାହିଁ ଥିଲା ଅସାମାନ୍ୟ କାରଣ ଓଡ଼ିଆ ଭାଷା ଓ ସାହିତ୍ୟକୁ କେହି ତୁଚ୍ଛ ତାଚ୍ଛଲ୍ୟ କରିବା ମୋ ପକ୍ଷରେ ଥିଲା ଅସହ୍ୟ । ପୁରୀ ରାମଚଣ୍ଡୀ ସାହିକୁ ଆସିବା ଦିନୁଁ ମୁଁ ପଡ଼ୋଶୀ ବଙ୍ଗୀୟବନ୍ଧୁମାନଙ୍କ ଭିତରେ ଏଇ ଭଳି ଓଡ଼ିଆଙ୍କ ପ୍ରତି ତୁଚ୍ଛତାଚ୍ଛଲ୍ୟ ଲକ୍ଷ୍ୟ କରିଥିଲେ । ସେଥିଲାଗି ଯେ ଓଡ଼ିଆଙ୍କର ବହୁକ୍ଷେତ୍ରରେ ଅକ୍ଷମତା ଓ ଦୁର୍ବଳତା ପୁଣି ଅଜ୍ଞତା ଥିଲା ମୁଖ୍ୟତଃ ଦାୟୀ, ଅନେକ ସମୟରେ ଅବଶ୍ୟ ସେଇ ସତ୍ୟଟା ମୋର ପାସୋର ହୋଇଯାଏ ।

 

ସତ୍ୟବାଦୀ ବନବିଦ୍ୟାଳୟର ଆଦର୍ଶ ସେତେବେଳେ ପ୍ରବଳ ପ୍ରଭାବ ବିସ୍ତାର କରେ ସମଗ୍ର ଓଡ଼ିଶାବ୍ୟାପୀ । ଭାରତୀୟ ସଂସ୍କୃତି ଉପରେ ପ୍ରତିଷ୍ଠିତ ଶିକ୍ଷାଦାନ-ପ୍ରଣାଳୀ ଓ ଋଷି ଆଶ୍ରମର ବୈଦିକ ବିଚାରଧାରା ସଙ୍ଗେ ଜାତୀୟ ପ୍ରେରଣା ଆଧାରିତ ଗୋଟିଏ ଚମତ୍କାର ସ୍ମରଣିକା ପ୍ରକାଶ ପାଏ । ବଙ୍ଗଳାର ତଥା ଅନ୍ୟ ଅଞ୍ଚଳର ବହୁ ସ୍ୱନାମଧନ୍ୟ ଶିକ୍ଷାବିତ୍ ସତ୍ୟବାଦୀ ସ୍କୁଲର ଆଦର୍ଶ ଓ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ଉଚ୍ଛ୍ୱସିତ ପ୍ରଶଂସା କରି ଲେଖିଥାନ୍ତି ସେଥିରେ ।

 

ନିର୍ମଳ ଥିଲା, ଓଡ଼ିଶାର ଜଣେ କଟୂ ସମାଲୋଚକ ପୁଣି ମତେ ଉତ୍ତ୍ୟକ୍ତ କରିବାକୁ ଏହା ଥିଲା ତା’ର ସହଜ ଅସ୍ତ୍ର । ତହୁଁ ସବୁକ୍ଷେତ୍ରରେ ଓଡ଼ିଆମାନଙ୍କର ନ୍ୟୁନତା ପ୍ରତିପାଦନ କରି ବଙ୍ଗାଳୀମାନଙ୍କ ମହତ୍ତ୍ୱର ପ୍ରଭାବ ହିଁ ତାଙ୍କ ଉପରେ ପଡ଼ିଥିବା କଥା ସେ ଗୋଟି ଗୋଟି କରି ପ୍ରମାଣ ବାଢ଼ି ଦେଖାଏ ! ଓଡ଼ିଆମାନଙ୍କର ଆଚାର ବିଚାର ରୀତିନୀତିକୁ ନିନ୍ଦା ଓ ସମାଲୋଚନା କରି ମୋତେ ଜବରଦସ୍ତି ଚିଡ଼ାଇବାଟା ଯେମ‌୍‌ତି ତା’ର ଏକ ଉପଭୋଗ୍ୟ ବିଳାସ । ବଙ୍ଗଳା ସହିତ ଓଡ଼ିଶାର ଏହି ପ୍ରତିକୂଳ ତୁଳନା ମୋ ପକ୍ଷରେ ଅନେକ ସମୟରେ ଅସହ୍ୟ ହୋଇପଡ଼େ ।

 

ମୁଁ ସତ୍ୟବାଦୀ ସ୍କୁଲର ସେହି ପ୍ରଶଂସା ମୁଖର ସ୍ମରଣିକାଟି ଆଣି ନିର୍ମଳକୁ ଦେଖାଇଲି । ତାକୁ ମଧ୍ୟ ସେ ଉପହାସର ସାମଗ୍ରୀ କରି କହିଲା— “ଯେଉଁମାନେ ପ୍ରଶଂସା କରିଛନ୍ତି ସେମାନେ ନିଶ୍ଚୟ ଆହୁରି ବଡ଼ ନୁହନ୍ତି କି ? କାରଣ ତାଙ୍କର ସାର୍ଟିଫିକେଟକୁ ତୁ ପ୍ରମାଣ ରୂପେ ବାଢ଼ୁଛୁ ।” ଉତ୍ତ୍ୟକ୍ତ ହୋଇ କହେଁ, ‘‘ବଙ୍ଗାଳିମାନେ ତେବେ ଏତେ ସଂଖ୍ୟାରେ ସମୁଦ୍ର ବାଲି-ପନ୍ତାରେ ଆମର ଆଶ୍ରୟ ନିଅନ୍ତି କାହିଁକି ?” “ଓଡ଼ିଆମାନଙ୍କୁ ଭଦ୍ରତା ଓ ସଭ୍ୟତା ଶିଖାଇବା ପାଇଁ”—ହସି ହସି ମୋତେ ଚିଡ଼ାଏ ସେ ।

 

ହଁ, ଠିକ୍ ଏହି ସମୟରେ ମୋର ମାନସିକ ପରିସ୍ଥିତି ବହି ଚାଲିଥାଏ ଏକ ତୁମୂଳ ଝଡ଼–ଆଜି ତାହା କାରଣଶୁନ୍ୟ ନିରୁଦ୍ଦେଶ୍ୟ ପରି ବୋଧହୁଏ । ଆଉ ସେ ଝଡ଼ର ହେତୁ ଓ ଆଭିମୁଖ୍ୟ ଯାହା, ତାହାକୁ ବୈରାଗ୍ୟ, ଆଧ୍ୟାତ୍ମିକ କିମ୍ବା କଳ୍ପନାବିଳାସ ଅବା ପୌଗଣ୍ଡର ଚାପଲ୍ୟ— ଏବେ ଯାହା କିଛି କୁହାଯାଇ ପାରେ; ତଥାପି ଏବେବି କ’ଣ ସେ ଅବସ୍ଥାରୁ ମୁଁ ପୁରା ପୁରି ମୁକ୍ତ ହୋଇ ପାରିଛିକି ? ଏଇ ପ୍ରଶ୍ନର ଉତ୍ତର ମଧ୍ୟ ଦମ୍ଭୋକ୍ତି ସହିତ ପ୍ରକାଶ କରିବାକୁ ତ ସାହସ ପାଉ ନାହିଁ ।—ଆଜି ଏଇ ସତୁରି ବର୍ଷ ବୟସ ପାର ହୋଇ ସୁଦ୍ଧା !

 

ପରମ ହଂସ ନିଗମାନନ୍ଦ ସରସ୍ୱତୀଙ୍କର ରଚନାବଳୀ ସହିତ ଅନ୍ୟାନ୍ୟ ଧର୍ମ ଗ୍ରନ୍ଥ ପଢ଼ି ଶୁଣି ବାପା ତାଙ୍କ ବନ୍ଧୁମାନଙ୍କ ସହିତ “ଅମରଜୁମର” ବହି ପ୍ରଭୃତି ସମେତ ସାଧୁ, ସନ୍ଥ ଯୋଗୀମାନଙ୍କ ବିଷୟରେ ରୋଜ ଆଲୋଚନା କରୁଥିବା ଶୁଣି ହୁଏତ ସମୁଦାୟ ବିଶ୍ଵ ସୃଷ୍ଟି ମିଥ୍ୟା ବୋଲି ମୋ ମନରେ ଏକ ସର୍ବଗ୍ରାସୀ ସନ୍ଦେହ ଜନ୍ମିଥାଏ । ଆଉ ସେ ସନ୍ଦେହଟା ପରିଣତ ହୁଏ ଦୃଢ଼ ବିଶ୍ୱାସରେ ।

 

ସବୁ ମିଥ୍ୟା, ସବୁ ସ୍ୱପ୍ନ ! ମୋର ଜାଗରଣରୁ ମଧ୍ୟ ଏକ ସର୍ବଗ୍ରାସୀ ସ୍ୱପ୍ନ ରୂପେ ଯେପରି ଅବା ସାକ୍ଷାତ୍ ଅନୁଭବ କରେ ମୁଁ । ଯେତେ ବେଳେ ଯାହା ସହିତ ଦେଖାହୁଏ, ଯେଉଁଠାକୁ ଯାଏଁ, ଯାହା କରେଁ ବା କହେଁ, ଶୁଣେ କିମ୍ବା ଦେଖେଁ ସବୁ ଯେପରି ସ୍ୱପ୍ନ, ନିରାଟ ସ୍ୱପ୍ନ, ଆଉ କଳ୍ପନା ମାତ୍ର-। କିଛି ସଚ୍ଚା ନୁହେ, ସବୁ କେବଳ କଳା । କେଉଁଠି ହେଲେ ପାଦ ଥୋଇବାକୁ ଥାନ ନାହିଁ, ସବୁ ଖସଡ଼ା ଏ ପୃଥିବୀ ସାରା । ବାପାଙ୍କର ଦୃଢ଼ ଈଶ୍ୱର-ବିଶ୍ୱାସକୁ–ଦୁନିଆସାରା ସବୁଆଡ଼ୁ, ଗୋଡ଼ ଖସି ଖସି ଶେଷରେ ‘ତତ୍ ତମ୍ ଅସି’ ବୋଲି ଦ୍ରଷ୍ଟା କହିଲା ଭଳି—ସବୁ ଅସ୍ଥିରତା, କ୍ଷଣିକ-ତାକୁ ପାର ହୋଇ ‘ତୁମେ ଅତଏବ ଅଛ’ କହିବାକୁ ଇଚ୍ଛା ହୁଏ । ତେବେ ସେ ବାଟରେ ମୁଁ କେତେ ଦୂର ଯାଇଛି କି ?

 

କିଛି ସତ ନୁହେ–ସବୁ ଇନ୍ଦ୍ରଜାଲ, ଭେଳିକି ମାତ୍ର–ପିଲାଦିନେ ମୋର ମ୍ୟାଜିକ୍ ଭଳିଭଳି । ଏ ସ୍ଵପ୍ନ, ଭିତରେ ହିଁ ମୁଁ ଯେ କେବଳ ଅଣ୍ଡାଳି ହୋଇ ମିଛକୁ ସତ, କଳ୍ପନାକୁ ବାସ୍ତବ ମଣି ଭ୍ରମ କରୁଛି ! ପୁଣି ମୋର ସକଳ କାର୍ଯ୍ୟକୁ ଗୋଟାଏ ବିଶ୍ୱମୟ ସ୍ଵପ୍ନ ଯେ ଚାଳନା କରୁଛି ପ୍ରତି । ମୁହୂର୍ତ୍ତରେ–ଏଇ ଭଳି ଚିନ୍ତା ମୋତେ ଗ୍ରାସ କରେ । ଯାହା ଦେଖୁଛି, ସବୁ ମିଛ–ଯାହା ଶୁଣୁଛି, ସବୁ ଭୁଲ ! ସେତେବେଳେ ମୁଁ ମୋର ଦିନ ଲିପି ମଧ୍ୟ ଲେଖି ରଖେ । ତାହାର ଅସଲ ଉଦ୍ଦେଶ୍ୟ—ଏହା ସ୍ଵପ୍ନରୁ ଉଦ୍ଧାର ପାଇ ଜାଗ୍ରତ ଅବସ୍ଥାକୁ ଆସିବାର ପ୍ରୟାସ । ତଥାପି ସବୁ ଜାଗ୍ରତ ଅବସ୍ଥା ହିଁ ସେହି ସ୍ଵପ୍ନ ଭିତରେ ଲୀନ ହୋଇଯାଏ କେଉଁ ଅଥଳ- ଅକୂଳରେ ! ସେତିକି ବେଳେ ନିର୍ମଳର ବନ୍ଧୁତା ହିଁ ଥିଲା ଯେମ‌୍‌ତି ମୋ ଏକମାତ୍ର କଳ ।

 

ଘରଦ୍ଵାର, ବାପମାଆ, ଭାଇଭଉଣୀ, ବନ୍ଧୁ ସୋଦର—ପୁରୀର ସମୁଦ୍ର ଆଉ ମନ୍ଦିର—ସମସ୍ତ ସେଇ ସ୍ୱପ୍ନ ଭିତରେ ଏକାକାର ହୋଇ ପଡ଼ନ୍ତି । ଏହା ଭିତରେ ସତ୍ୟବୋଲି ତ କିଛି ନାହିଁ । ଆଖି ବୁଜି ନିଦରେ ଶୋଇଲେ ଯେପରି ସ୍ୱପ୍ନଆଖି ଫିଟାଇ ଯାହାକୁ ଚାହେଁ, ପୁଣି କାନରେ ଯାହା ବା ଶୁଣେ–ସେ ସବୁ ମଧ୍ୟ ସେହି ପରି କେବଳ ଇନ୍ଦ୍ର ଜାଲରେ ଛନ୍ଦା । ଏକ ମହାସ୍ୱପ୍ନରେ ଲୀନ ହୋଇ ଯାନ୍ତି ଯେମ‌୍‌ତି ! କିଏ ସତ, କିଏ ମିଛ, କିଏ କଳ୍ପନା, କିଏ ବାସ୍ତବ—କୌଣସି ପ୍ରଭେଦ ମୁଁ କାହାରି ଭିତରେ ଅନୁଭବ କରି ପାରେ ନାହିଁ । ଏକମାତ୍ର ବାସ୍ତବ ହୋଇ ଉଠେ ନିର୍ମଳ ଆଉ ତା’ର ଅଯାଚିତ ବନ୍ଧୁତା ।

 

ପରେ ଅବଶ୍ୟ ବୈଜ୍ଞାନିକ ଫ୍ରଏଡ୍‍ଙ୍କର ସ୍ୱପ୍ନର ବିଶ୍ଳେଷଣ ପଢ଼ିଲି; କିନ୍ତୁ ସେଥିରେ ଆଦୌ ମନବୋଧ ହେଲା ନାହିଁ ମୋର । ଯେଉଁ ସ୍ୱପ୍ନ ବଳରେ ମାର୍କଣ୍ଡେୟ ମହର୍ଷି ବିଶ୍ଵ ସୃଷ୍ଟିର ମହାପ୍ରଳୟ ଦର୍ଶନ କରିଥିଲେ— ମୁହୂର୍ତ୍ତକ ମଧ୍ୟରେ – ଯୁଗ ଯୁଗର କର୍ମପ୍ରବାହ ପୁଣି ଅଣୁ ଭିତରେ ବିଶ୍ୱ-ବ୍ରହ୍ମାଣ୍ଡର ନିର୍ମାଣ ଛାୟା—ଏ ସମସ୍ତ ଯେ ସେହି ସ୍ଵପ୍ନ ଦ୍ୱାରା ସମ୍ଭବପର–ତାହା ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କରେ । ଅନୁଭବ କରେ, ଜନ୍ମ ମୁତ୍ୟୁର ବ୍ୟବଧାନ କିଛି ନୁହେଁ । ଦୁଇଟା ଭିତରେ ଫାଁଙ୍କ୍ ନାହିଁ—ସେ କେବଳ ଗୋଟାଏ—ଆଲୁଅ-ଅନ୍ଧାର ଭଳି । ତାକୁ ଖାଲ ଦେଖିବାର ଭଙ୍ଗୀରେ ଯାହା ବା ଫରକ ।

 

ପୁରୀରେ ଯେତେ ନୂଆ ନୂଆ ବନ୍ଧୁ ତାର ସୂତ୍ରପାତ ହୁଏ, ତହୁଁ ପଛକୁ ଲେଉଟି ପଲ୍ଲୀ-ପରିବେଶ ପାଇଁ ଅନ୍ତର ଭିତରେ ଚେଇଁଉଠେ କେତେ ଆବେଗମୟ ସ୍ମୃତି । ସମୂଦ୍ର କୂଳରେ ଦେଶ ଦେଶାନ୍ତର କେତେ ରଙ୍ଗ ଢଙ୍ଗ ବେଶ ଭୁଷାର ମଣିଷ । ପୁଣି ପ୍ରତିଦିନ ରାମଚଣ୍ଡୀ ସାହି ଘର ଆଗରେ ରେଲ୍ ଷ୍ଟେସନରୁ କେତେ ଭାଷାଭାଷୀ ନାରୀପୁରୁଷ, ଶିଶୁଯୁବାଙ୍କର ଯା’ ଆସ, – ଏଇ ମଣିଷ-ସମୁଦ୍ର ଭିତରେ ଯେମ‌୍‌ତି ଅବା ମୁଁ ବୁଡ଼ିଯାଇ ଅଣନିଃଶ୍ୱାସୀ ହୋଇ ପଡ଼େ । ପାଏ ନାହିଁ କାହିଁ ଥଳ କୂଳ । ଅଣ୍ଡାଳି ହୁଏ, କେଉଁଠି ଯେ ପାଦ ଦି’ଟାକୁ ଥୟ କରି ଆପଣାକୁ ଟିକିଏ ସମ୍ଭାଳି ନେବାପାଇଁ । ସାହା ଭରସା ମିଳେ ନାହିଁ ତିଳେ ଦୁନିଆଁ ଭିତରେ ମୋତେ !

 

ଏକ ନିରାଟ ନିରବଚ୍ଛିନ୍ନ ପଲ୍ଲୀ ପରିବେଶର କର୍ମ ପ୍ରବାହରୁ ଆସି ଏକ ବୈଚିତ୍ର୍ୟ ଭିତରେ ଆପଣାକୁ ଉପଲବ୍ଧି କରିବାର ପ୍ରୟାସ ମୋର ଯେମ‌୍‌ତି ଜାଗି ଉଠେ । ଜାଗି ଉଠେ ପୁଣି ନିଜକୁ ଏଇ ବିଚିତ୍ର ବିଶ୍ଵ ସାଥିରେ ଏକାକାର କରି ମିଶାଇ ଦେବାର ଏକ ଆବେଗ । ସେତିକି ବେଳେ ନିର୍ମଳର ଅଯାଚିତ ବନ୍ଧୁତା ମୋତେ ଫେରାଇ ଆଣେ ପୁଣି ଯେମ‌୍‌ତି ବାସ୍ତବତା ଆଡ଼କୁ । ଦିନେ ଦେଖା ନ ହେଲେ କୋଟି ଯୁଗ ଭଳି ଲାଗେ ।

 

ପନ୍ଦର କିମ୍ବା ଷୋହଳ ବର୍ଷ ବୟସରେ ହିଁ ସ୍କୁଲର ସାହିତ୍ୟ ଶିକ୍ଷକମାନଙ୍କର ଦୃଷ୍ଟି ମୁଁ ଆକର୍ଷଣ କରି ପାରିଥିଲି ଲେଖକ ଭାବରେ । ସେମାନଙ୍କ ମଧ୍ୟରୁ ପଣ୍ଡିତ ଜଗନ୍ନାଥ ରଥ କାବ୍ୟ ତୀର୍ଥ ମୋତେ ବୋଧ ହୁଏ । ସର୍ବ ପ୍ରଥମେ କ୍ଲାସରେ ପରିଚୟ କରାଇ ଦେଲେ ଯେ, ରଚନା କ୍ଷେତ୍ରରେ ମୁଁ ବିଶେଷତ୍ୱ ପ୍ରତିଷ୍ଠା କରି ପାରିଛି । ରଚନାର ବିଷୟ ବସ୍ତୁ ଥିଲା, ଗାଈ । ଗାଈର ଆପାଦମସ୍ତକ ବର୍ଣ୍ଣନା କରି ଗୋଦୁଗ୍ଧଠାରୁ ଗୋମୟସମେତ ମଣିଷର ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଗୋରୁର ପ୍ରତ୍ୟେକ ଅଙ୍ଗର ଉପଯୋଗିତା ସମ୍ପର୍କରେ ପ୍ରବନ୍ଧଟିରେ ମୋର ଆଲୋଚନା କରିଥାଏଁ । ଆହୁରି ନିଶ୍ଚୟ ଆଲୋଚନା କରିଥାଏଁ ଗାଈର ପ୍ରୟୋଜନୀୟ ତାର ଗୁରୁତ୍ୱକୁ ମନୁଷ୍ୟ ପୁଣି ସକଳ ଜୀବଜନ୍ତୁଙ୍କ ପକ୍ଷରେ ସେମାନଙ୍କର ଜନ୍ମାବଧି ।

 

ଯେକୌଣସି ଜୀବ ଜନ୍ମ ପରେ ମାତୃହୀନ ହେଲେ ଗୋଦୁଗ୍‌ଧ ପାନ କରି ସେ ପ୍ରାଣ ଧାରଣ କରିପାରେ,ଏହା ହିଁ ଥିଲା ବୋଧ ହୁଏ ମୋର ପ୍ରଧାନ ପ୍ରତିପାଦ୍ୟ ବିଷୟ । ଆଉ ସେଇଥିପାଇଁ ପଶୁ ହେଲେ ସୁଦ୍ଧା ସେ ଗୋମାତା ରୂପେ ପୂଜ୍ୟ ।

 

ରାଜନୀତିର ପ୍ରଭାବ ସେତେବେଳେ ଦେଶରେ ତୀବ୍ର ଭାବରେ ଅନୁଭୂତ ହୋଇ ନ ଥାଏ-। ହିନ୍ଦୁ ମହାସଭା କିମ୍ବା ଜନସଂଘ ପ୍ରଭୃତି ରାଜନୀତିକ ଦଳମାନଙ୍କର ଉଦ୍ଭବ ରହିଥାଏ ଅନେକ ଦୂରରେ; ନଚେତ୍ ପଣ୍ଡିତ ମହାଶୟଙ୍କ ସୁପାରିଶରେ ସେହି ଦିନୁ ମୋର ଭାରତୀୟ ରାଜନୀତିରେ ପ୍ରତିଷ୍ଠା ବଢ଼ିଯାଇଥାନ୍ତା ହୁଏତ !

 

ପରିଣତ ବୟସରେ ଏବେ ସେ ଗାଈର ଗୋଟିଏ ଚିତ୍ର ଦେଖିଲି ଲଣ୍ଡନରୁ ପ୍ରକାଶିତ ସୁଖ୍ୟାତ ଟାଇମସ୍ ପତ୍ରିକାର ଏକ ‘‘ଲିଟେରାରୀ ସପ୍ଲିମେଣ୍ଟ”ବା (ସାହିତ୍ୟ ତ୍ରୋଡ଼ପତ୍ର) ସଂଖ୍ୟାରେ-। ବିସ୍ମିତ ହେଲି, ତାହାର ପ୍ରଥମ ପୃଷ୍ଠାରେ ଗାଈର ଗୋଟିଏ ରେଖାଚିତ୍ର ଦେଖି–ପୁଣି ତା’ର ଲାଙ୍ଗୁଡ଼ଠାରୁ ଆରମ୍ଭ କରି ମୁହଁ ଥୋମଣି ପର୍ଯ୍ୟନ୍ତ ପ୍ରତି ଅଙ୍ଗରେ ଗୋଟିଏ ଗୋଟିଏ ରେଖାଚିତ୍ର ରହିଛି । ପ୍ରତ୍ୟେକ ଚିତ୍ର ଉପରେ ଜଣେ ଜଣେ ଦେବତାଙ୍କର ନାମ ଅଙ୍କିତ । ଦେବତାମାନେ ହେଲେ ପ୍ରାଚୀନତମ ସେଇ ଚୀନ୍ ଦେଶର, ଯେଉଁ ଚୀନ୍‍ବାସୀଙ୍କୁ ଆଜି ସର୍ବଭକ୍ଷ ଆମିଷାଶୀ ବୋଲି କୁହାଯାଏ । ପୁଣି କୁହାଯାଏ ମାର୍କସ୍‍ବାଦୀ ନିରୀଶ୍ଵର ବୋଲି ତାଙ୍କର ସେଇ ଚୀନ୍‍ବାସୀଙ୍କ ଦାବୀ ଅନୁଯାୟୀ ।

 

ଲାଜ ରାଖୋ ଗିରିଧାରୀ !

 

ପନ୍ଦର ବର୍ଷ ବୟସରେ ରଚିତ ମୋର କବିତାର ନମୂନା ଆଜି ମଧ୍ୟ ଏକ ଟିପାଖାତାରେ ବିଦ୍ୟମାନ । ସେହି ବୟସରୁ ମନରେ ଯେଉଁ ଅହେତୁକ ଅଶାନ୍ତ ବା ଅଶ୍ୱସ୍ତିର ଆଲୋଡ଼ନ ମୁଁ ଅନୁଭବ କରେ, ଆଜି ସୁଦ୍ଧା ସେହି ଅବସ୍ଥାର ସ୍ତୁତି ଓ ଜାଗରୁକ ହୁଏ । ସବୁଠାରୁ ପୁରୁଣା ଯେଉଁ ଟିପାଖାତାଟି ଏବେ ମୋ ସାମ୍ନାରେ ବିଦ୍ୟମାନ, ସେଥିରେ ବ୍ୟବହାର କରାଯାଇଛି ତିନୋଟି ରଙ୍ଗର ସ୍ୟାହି—ବାଇଗଣି, କଳା ଓ ଈଷତ୍–ନୀଳ । କବିତା, ଗଦ୍ୟ, ଗଳ୍ପ, ପ୍ରବନ୍ଧ, ରମ୍ୟରଚନା ଆଦି ସବୁ ପ୍ରକାର ଲେଖାର ପ୍ରମାଣ ଏହି ଟିପା ଖାତା । ପୁଣି ମୋର ଦିନଲିପି ସୁଦ୍ଧା— !

 

ସେଥିଲାଗି ଆଜି ମୁଁ ନିଜକୁ ନିଜେ ଅଭିନନ୍ଦନ କରୁଛି – ଯେହେତୁ ଆଉ କାହାରି କରିବା ସମ୍ଭାବନା ନାହିଁ ଏକମାତ୍ର ହାସ୍ୟରସିକ ବ୍ୟତିରେକେ । ପନ୍ଦର ବର୍ଷ ବୟସରେ ଯେଉଁ ଅଶ୍ୱସ୍ତିର ଆଲୋଡ଼ନ ମୁଁ ଅନୁଭବ କରିଥିଲି, ତାହା ସୁଦ୍ଧା ଲିପିବଦ୍ଧ ରହିଛି ଗୋଟିଏ କବିତାରେ । କବିତାର ନାମ ହେଲା ‘‘ଅଶାନ୍ତି’’— ରଚନା କାଳ– ୨୯|୨|୧୯୧୬. —ରାତ୍ର—ସ୍ଥାନ—ପୁରୀ ।

 

“କାହିଁପାଇଁ ମନ ଆଜି ଦୁଃଖେ କାତର

ସର୍ବ ତୁଚ୍ଛ ଜ୍ଞାନ କିମ୍ପା ହୁଏ ମୋହର !”

 

ସେତେବେଳର ଦୁଃଖ—ବୈରାଗ୍ୟରେ ମ୍ରିୟମାଣ ହେବା ଆଜି ହାସ୍ୟୋଦ୍ଦୀପକ । ଭାଷା ମଧ୍ୟ ତତୋଧିକ । ରଚନାଟିକୁ ବାଲ୍ୟ–ଚାପଲ୍ୟର ଏକ ସୁଷ୍ପଷ୍ଟ ନିଦର୍ଶନ ରୂପେ କିନ୍ତୁ ଗ୍ରହଣ କରାଯାଇ ପାରେ ଆଜି । ଏଥିରୁ ଯେ କେହି ବାଳକ ଯେ ଭବିଷ୍ୟତରେ ଲେଖକ, ସାହିତ୍ୟିକ ପୁଣି କବି ମଧ୍ୟ ବୋଲାଇ ପାରେ, ସେଇ ପ୍ରେରଣାର ଜୀବନ୍ତ ଦୃଷ୍ଟାନ୍ତ ମଧ୍ୟ ମିଳିଥାଏ । ଆଉ ଯଦି ଏହାକୁ ବାଲ୍ୟ-ଚାପଲ୍ୟର ବା ହାସ୍ୟରସର ଗୋଟାଏ ନିଦର୍ଶନ ବୋଲି ଧରି ନିଆଯାଏ, ତେବେ ପରିଣତ ବୟସର ଚପଳତାକୁ ମଧ୍ୟ କ୍ଷମା କରିବାର ଯଥାର୍ଥ କେଉଁଠି ରହିଛି କି ? ଭାଷା, ଭାବ, ପ୍ରକାଶ-ଭଙ୍ଗୀରେ କେଉଁ ରଚନା ମୋର ଯେ ସମ୍ପୂର୍ଣ୍ଣରୂପେ ତ୍ରୁଟିର ନଗ୍ନତାକୁ ଏଡ଼ିଦେଇ ପାରିଛି ? ନଗଦ ହେଉ କି ସାବକ ହେଉ – କେଉଁ ରଚନା ଆଜି ମୋର ମନେ ପକାଇ ଦେଉନି କି ପରମା ସନ୍ନ୍ୟାସିନୀ କବି ମୀରାବାଈଙ୍କର ସେଇ ସୁପରିଚିତ ସଙ୍ଗୀତ— “ଲାଜ ରାଖୋ ଗିରିଧାରି !

 

କିମ୍ବା ପୁରୁଣା ଓଡ଼ିଆ କବିଙ୍କ ସଙ୍ଗୀତ—ଲଜ୍ଜା ନିବାରଣ ବିନାକୁ ଡାକି ;

 

‘‘ଲାଜେ ମୁଁ ଗଲିଟି ସଢ଼ି,

ଲୁଚାଇଛ କାହିଁ ଶ୍ୟାମ ହେ ! ଦିଅ ମୋ ଲାଗି ଶାଢ଼ୀ ।’’

 

ଯାହା ମଧ୍ୟ ଲେଖୁଛି ବର୍ତ୍ତମାନ, ସେଥିରେ ମୁଁ ‘ମହତ୍‍ସରା’ ହେଉଛି କି ନିଜ ଇଜ୍ଜତ ରକ୍ଷା କରୁଛି, ତାହାର ବିଚାରକ ହେବା ବିଡ଼ମ୍ବନା । ତେବେ ସେ ଶ୍ୟାମ କି ଶୁଭ୍ର, ଯାହା ହୁଅନ୍ତୁ କିମ୍ବା ନ ହୁଅନ୍ତୁ ପଛେ, ଆଜ ଅବଧି ମୋର ଲଜ୍ଜା ଯେ ଦୂର ହେଲା ନି, ପୁଣି ସାହିତ୍ୟ ବନାମ ସବୁକ୍ଷେତ୍ରରେ “ଦେଲ ଯାହା ନେଲ ତାହା” କହି ଗାଳି ଦେବାକୁ ଯେ ପ୍ରଚୁର ନଗଦ ଉପାଦାନ ରହିଛି, ତାହାର ନଜୀର ବାଢ଼ିବା ଆଦୌ କଷ୍ଟକର ହେବ ନାହିଁ ତ ! ଏଇଠି ଦିଏଁ ଟିକିଏ ମୋର ଗଦ୍ୟ ରଚନାର ନମୁନା – “ପ୍ରତିଟି ମୁହୂର୍ତ୍ତ ବୋଧ ହୁଏ ଅତି ମୁଲ୍ୟବାନ । କୌଣସି ମୁହୂର୍ତ୍ତର ଅପବ୍ୟବହାରରେ ଅନୁତାପ ଜାଗିଉଠେ । ମୁଁ ସେହି ମୂଲ୍ୟବାନ୍ ସମୟକୁ ଅକାରଣ ଅହିବାହିତ କରୁଛି !”

 

ଜୀବନର ଦ୍ୱାରଦେଶରେ ଉଭାହୋଇ ସେତେବେଳେ ଯେଉଁ ଅସିଦ୍ଧ ଚପଳ ଭାଷା ଓ ଚିନ୍ତା ଭିତରେ ମୋର ସାହିତ୍ୟିକ ଜୀବନର ଅୟମାରମ୍ଭ ହୋଇଥିଲା, ସେହି ସମୟର ରଚନା ଇଏ; ଅଥଚ ତାହାକୁ ଆଜି ବିଚାରରେ ଆସନରେ ବସି ‘ଚପଳ’ କିମ୍ବା ‘ଅସିଦ୍ଧ’, କହିବା ମଧ୍ୟ ସେଇଭଳି ବା ତହୁଁ ବଳି ଚପଳତା ହେବ ନାହିଁ ତ !

 

ସାହିତ୍ୟ ସାଧନା ଭିତରେ ନିଜକୁ ମୁଁ ଅବା ଖୋଜି ପାଇବାକୁ ଏକ ତୁମୁଳ ସଂଗ୍ରାମରେ ଅବତୀର୍ଣ୍ଣ ହୁଏଁ ସେତେବେଳେ; ଯଦି ବା ତହିଁରୁ କିଛି କମ୍ ନୁହେ ତ ଏତେବେଳ ସୁଦ୍ଧା !

 

ଆଉ ସେହି ସଂଗ୍ରାମ ସମ୍ମୁଖରେ ପହଞ୍ଚି ମନରେ ମୋର ଯେମ‌୍‌ତି ଜାତ ହୋଇଥିଲା ଏକ ସର୍ବଗ୍ରାସୀ ହତାଶାମୟ ଏକ ପ୍ରକାର ବିଷାଦଯୋଗ— ଆଜି ଯାହା ଭିତରେ ହାସ୍ୟରସର ମିଶ୍ରଣ ମଧ୍ୟ ଅନୁମେୟ । କାରଣ ସେତେବେଳେ ବଡ଼ ହୋଇ ଉଠେ ମୋର ‘ମୁଁ’ତ୍ୱ – ଆଉ ଆଜି ! ଭାବି ବସିଲେ ପରିଣାମଟା ତା’ର ହାସ୍ୟ କିମ୍ବା ହାହାକାର ବ୍ୟତିତ ଆଉ ବା କ’ଣ ଅଧିକ ?

 

ସେଇ ପ୍ରଥମ ରଚନା “ଅଶାନ୍ତି” କବିତାର ମାତ୍ର ଦୁଇ ଦିନ ପରେ ତା୨/୩/୧୯୧୬ରିଖ ପୁରୀଠାରେ ହିଁ ଲେଖିଥିଲି ମୋର ଦ୍ୱିତୀୟ କବିତା । ଠିକ୍ ସେମ‌୍‌ତି ପିଲା ଦିନେ ପହଁରା ଶିଖିବାକୁ ଯାଇ ବୁଡୁ ବୁଡୁ ମୁଁ ଉପରକୁ ଭାସି ପ୍ରାଣ ପାଇଥିଲି ! ଆହୁରି ମଧ୍ୟ ଏହି ସ୍ୱପ୍ନଗ୍ରାସୀ ତରୁଣ ଅବସ୍ଥାରେ ରାତିରେ ସ୍ଵପ୍ନ ଦେଖୁଥିଲି ଏକ ବିକଟରୂପୀ ରାକ୍ଷସର—ଯେ ମୋତେ ଆକ୍ରମଣ କରିବାକୁ ଧାବତହୁଏ—ଆଉ ମୁଁ ତାହାଠାରୁ ମୁକ୍ତି ପାଇବା ପାଇଁ ଉପରକୁ ଉପରକୁ ଉଠି ଉଡ଼ିବୁଲେଁ ମହାଶୂନ୍ୟ ଆକାଶରେ ।

 

କବିତାର ଶିରୋନାମା ଥିଲା “ମୁଁ” । ନିଜକୁ ବିଶ୍ଳେଷଣ କରିବା ଆଉ ନିଜ ସହିତ ଦୁନିଆଁ ସମ୍ପର୍କ ପ୍ରତିଷ୍ଠା କରିବାର ଏକ ଚପଳ ପ୍ରୟାସ; ପୁଣି ମନୁଷ୍ୟର ଅହମିକା ଉପରେ ଏକ ତୀବ୍ର କଟାକ୍ଷ !—ଏକାବେଳେ ବିରାଟ ଦାର୍ଶନିକ ହୋଇପଡ଼େ ପ୍ରାରମ୍ଭରୁ !

 

ତାତ୍ପର୍ଯ୍ୟ ହେଲା, ମନୁଷ୍ୟ ସବୁବେଳେ ଅହମିକା-ମଦରେ ମତ୍ତ ହୋଇ ଏକା ସେହି କେବଳ ସବୁ କର୍ମର କର୍ତ୍ତା, ସବୁ ଦର୍ଶନର ଦ୍ରଷ୍ଟା ଓ ସବୁ ଶବ୍ଦର ଶ୍ରୋତା ବୋଲି ଗର୍ବ କରିଥାଏ—ଆହୁରି ଗର୍ବ କରିଥାଏ ସର୍ବଶକ୍ତିମାନ୍ ବୋଲି !

 

ଅଥଚ—

“ଦେଖିଅଛି ବୋଲି ବୋଲଇ ମାନବ

ଦେଖୁ ତ ନାହିଁ ସେ ନିଜେ,

ଆଲୋକର ଦ୍ଵାରା ଦେଖିଅଛି ସିନା

ଭାବି ସର୍ବଜ୍ଞାନ ହଜେ।’’

 

ଏହି ପରି ରଚନା ପୁଣି କବିତାର ଯତିପାତ ଓ ଛନ୍ଦ ! ଶେଷରେ ଜଗଦୀଶଙ୍କଠାରେ ପ୍ରାର୍ଥନା କରାଯାଇଛି ଯେ, ‘ମୁଁ’ ପଦର ଅହମିକା ଯେପରି ଏଇ ମନରେ କଦାପି ସ୍ଥାନ ନ ପାଏ—ଏହି ସୁମତି ତାହାର ହେଉ । ଅଥଚ ଜୀବନବ୍ୟାପୀ ସେ ସୁମତି କେବେ ସେ ତା’ର ଉଦିତ ହୋଇଛି, ଆଜି ସ୍ମରଣ କରିବା ଦୁଷ୍କର ।

 

ଅତି ଅଳ୍ପ ବୟସରେ ମୋହ ଭିତରେ ଆତ୍ମବିଶ୍ଳେଷଣ କରିବାର ଏକ ଚପଳ ଉଦ୍ୟମ ଅବଶ୍ୟ ଏହା । ସେହି ବୟସରେ ବୋଧହୁଏ ମଧ୍ୟବର୍ତ୍ତୀ ପନ୍ଥା ବୋଲି କିଛି ଜଣା ନ ଥିଲି ମୋତେ । ଯେଉଁ ବିଷୟ ବା ବ୍ୟକ୍ତିବିଶେଷଙ୍କୁ ଭଲପାଇବାର କିମ୍ବା ଘୃଣା କରିବାର କଥା—ତା’ଭିତରେ ଆଉ କୌଣସି ଫାଙ୍କ୍ ବା ସାଲସ୍ ମୋ ପକ୍ଷରେ ସ୍ୱୀକାର୍ଯ୍ୟ ନ ଥିଲା ସେଇଟା ହିଁ ବୋଧହୁଏ ରୋକ୍‍ଠୋକ୍ ବେଗରସାଲିସ୍ ସମୟ । ଯାହାକୁ କହନ୍ତି—ଇସ୍‌ପାର, ନାହିଁ ତୋ ଉସ୍‌ପାର ।

 

ଗଭୀର ଭାବପ୍ରବଣତାର ଗୋଟିଏ ନଜିର ସ୍ୱରୂପ ଅନ୍ୟତମ ଶିକ୍ଷକ ସ୍ଵର୍ଗୀୟ ପଣ୍ଡିତ ଫକୀର ମିଶ୍ର କାବ୍ୟତୀର୍ଥଙ୍କୁ ଏତେ ବେଶି ଭଲ ପାଉଥିଲା ଯେ, ତାଙ୍କର ସମ୍ବଲପୁର ହାଇସ୍କୁଲକୁ ବଦଳ ହେଇଯିବା ଘଟଣାରେ ଶୋକାଚ୍ଛନ୍ନ ହୋଇ ଗୋଟିଏ ବିଦାୟ ସଙ୍ଗୀତ ମଧ୍ୟ ଲେଖିପକାଏଁ ।

 

ସେତେବେଳର ଗଭୀର ଦୁଃଖ ବର୍ତ୍ତମାନ କେବଳ ହାସ୍ୟରସ ଉଦ୍ରେକ କରିବା ଆଶଙ୍କାରେ ତାହାର ଉଦାହରଣ ଏଠାରେ ଦେବାରୁ କ୍ଷାନ୍ତ ହେବା ବ୍ୟତୀତ ନାନଃ ପନ୍ଥା ବିଦ୍ୟତେଽୟନାୟ । ଏହି ରଚନାର କାଳ ୧୬/୬/୧୯୧୬ ତାରିଖ,ସ୍ଥାନ—ମୋର ଜନ୍ମସ୍ଥାନ ବିଶ୍ଵନାଥପୁର ଗ୍ରାମ ।

 

ସେତେବେଳେ କିନ୍ତୁ ଗୁରୁଶିଷ୍ୟ ମଧ୍ୟରେ ଯେଉଁ ସମ୍ପର୍କ ରହିଥିଲା ତାହାର ଗୋଟିଏ ଉଦାହରଣ ଏଥି ପୂର୍ବରୁ ଲିପିବଦ୍ଧ ହୋଇଛି ସ୍ୱର୍ଗତ ପଣ୍ଡିତ ନରସିଂହ ମିଶ୍ରଙ୍କ ପତ୍ରରେ । ସ୍ୱର୍ଗତ ପଣ୍ଡିତ ଫକୀର ମିଶ୍ର ମଧ୍ୟ ମୁଁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଥିବା ସମୟରେ ମୋତେ କଟକରେ ଦେଖି ଆସି ମୁଣ୍ଡରେ ମୋର ହାତ ବୁଲାଇ ଦୀର୍ଘ ଜୀବନ ଆର୍ଶୀବାଦ କରିଯାଇ ଥିଲେ; ଅଥଚ ତାଙ୍କର ତିରୋଧାନ ସଂବାଦ ରଖିବା ମଧ୍ୟ ମୋହ ପକ୍ଷରେ ସମ୍ଭବପର ହୋଇପାରି ନାହିଁ । “କିନ୍ତୁ ସେତେବେଳେ ତାଙ୍କ ପାଇଁ “ଫେୟାର ଓୟେଲ” (Farewell ) ମିଟିଂକୁ ବିଦାୟ ସଙ୍ଗୀତ ଲେଖିଛି !

 

ଅୟମାରମ୍ଭ

 

ପ୍ରାୟ ପ୍ରତି ରଚନାର ମାସ ତାରିଖ ଲେଖିବା ଅଭ୍ୟାସ ଗୋଟିଏ ଟିପା ଖାତାରେ ଆରମ୍ଭ କରେଁ । ସେହି ସମୟରୁ ହିଁ ଆତ୍ମବିଶ୍ଲେଷଣ କରି ତାହାକୁ ଲିପିବଦ୍ଧ କରିବାର ପ୍ରୟାସ ମୋର ଜାତ ହୁଏ !

 

ଗାଁରୁ ପୁରୀକୁ ଆସି୧୩-୬-୧୯୧୬ ମସିହାରେ “ମୋହର ଆନ୍ତରିକ ଭାବ” ଶୀର୍ଷକ ଗୋଟିଏ ଲେଖା ଆଜି ଏହି ଟିପାଖାତାଟିରୁ ମିଳେ—ଯାହାକୁ ଆବିଷ୍କାର କରି ମୋ’ର ଆତ୍ମଜୀବନୀ ପ୍ରସ୍ତୁତିର ପ୍ରାରମ୍ଭ କାଳ ବୋଲି ନିଜକୁ ମୁଁ ସାବାସ୍ ନ ଦେଇ ରହିପାରୁ ନାହିଁ ।

 

ଏ ଲେଖାର ଆରମ୍ଭ କରାଯାଇଛି ବେଶ୍ ଏକ ଗମ୍ଭୀର ପରିବେଶରେ—

 

“ମୋ’ର ଷୋଳବର୍ଷ ପର୍ଯ୍ୟନ୍ତ ଯେଉଁପରି ମୁଁ ଚଳି ଆସୁଥିଲି, ତାହାର ସଂକ୍ଷେପ ବିବରଣ ତଳେ ଲେଖି ଈଶ୍ୱରଙ୍କ ନିକଟରେ କ୍ଷମାପ୍ରାର୍ଥୀ ହେଉଅଛି ।

 

“ମୁଁ ଗ୍ରାମଠାରେ ପ୍ରାୟ ୧୨ ବର୍ଷ ଓ ଶ୍ରୀକ୍ଷେତ୍ରରେ ପ୍ରାୟ ୪ ବର୍ଷ ଅତିବାହିତ କଲିଣି ।

x            xx

 

“ସଂସାରରେ ଯେ ସୁମହତ୍ ସୁଖ ଭୋଗ କରିବାକୁ ଈଶ୍ୱର ଛାଡ଼ି ଦେଇଛନ୍ତି, ସେ ସୁଖ ପ୍ରତି ମୋ’ର କୌଣସି ପ୍ରକାର ଚେଷ୍ଟା ନ ଥିଲା । ସେ ସୁଖ ହେଉଛି, ‘ଚିନ୍ତା’ । ଖାଲି ‘ଚିନ୍ତା’ କହିଲେ ହେଲା ନାହିଁ । ଚିନ୍ତା ଦୁଇ ପ୍ରକାର । ପ୍ରଥମ ଐହିକ ଚିନ୍ତା ଓ ଦ୍ୱିତୀୟ ଐଶ୍ୱରିକ ଚିନ୍ତା । ଏ ଦୁଇ ଚିନ୍ତା ମଧ୍ୟରେ ସମ୍ପୂର୍ଣ୍ଣ ପାର୍ଥକ୍ୟ ରହିଛି । ପ୍ରଥମ ଚିନ୍ତାର ଅର୍ଥ ହେଉଛି, ସାଂସାରିକ ଚିନ୍ତା । ଈଶ୍ୱରଙ୍କ ବିଷୟରେ ଚିନ୍ତା ଏହି ଯେ—ଈଶ୍ୱର ପ୍ରକୃତରେ ଅଛନ୍ତି କି ନା ? ନାହାନ୍ତି ଯଦି କି ବୃଥାରେ ନାମକରଣ ହୋଇଛି ? ମୁଁ କେଉଁଠାରେ ଥିଲି, କେଉଁଠାରୁ ଆସିଲି ? ମୋତେ ଏଡ଼େ ସୁନ୍ଦର ମୂର୍ତ୍ତି କିଏ ତିଆରି କଲା ?

 

xxx

 

“ଏ ଦୁଇ ଚିନ୍ତା ଭିତରୁ ଈଶ୍ୱର ଚିନ୍ତା ପରମ ସୁଖଦାୟକ ଅଟେ । ଏ ବୋଧଗମ୍ୟ ଭାବ ମୋର ମନକୁ ସ୍ପର୍ଶ କରି ନ ଥିଲା । ସ୍ପର୍ଶ କରୁ ବା ନ କରୁ ମୋର ମନର ନିକଟବର୍ତ୍ତୀ ସୁଦ୍ଧା ହୋଇ ନ ଥିଲା । କେବଳ ମୋର ପରମବନ୍ଧୁ, ଶ୍ରୀ ଅମୃତ ଲାଲନାଗଙ୍କଠାରୁ ଏ ଉପଦେଶ ଶୁଣି ସେ ଉପଦେଶରେ ମୋର ମନ ଚାଲିବାରୁ x x x ‘ହରି’ ଚିନ୍ତାରେ ନିମଗ୍ନ ହେବାକୁ ଚେଷ୍ଟାକଲି, ମାସ ଶେଷରେ ହରି ଯାହା କରିବେ ।

 

“ମୋର ବନ୍ଧୁଙ୍କ ହିତୋପଦେଶ ପାଇ ମନ ଏକ ପ୍ରକାର ଐଶ୍ଵରିକ ଚିନ୍ତା ନିମିତ୍ତ ଅତି ସାମାନ୍ୟ ଧାରଣାରେ ଉପନୀତ ହୋଇଥିବାରୁ, ମୁଁ ମୋର ମନର ଗଭୀର ପ୍ରଦେଶରୁ ଧନ୍ୟବାଦ ପ୍ରଦାନ କରୁଛି ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରୁଅଛି, ସେ ଯେଉଁ ପଥରେ ଅଗ୍ରସର ହୋଇଛନ୍ତି, ସେ କାର୍ଯ୍ୟରେ ସେ ପାରଦର୍ଶିତା ଲାଭ କରନ୍ତୁ ଏବଂ ମୁଁ ତାଙ୍କଠାରୁ ଈଶ୍ୱର ଚିନ୍ତା’ର ସଦୁପଦେଶ ପ୍ରାପ୍ତ ହୋଇ ତାଙ୍କ ପଛେ ପଛେ ସେ ପଥକୁ ଅନୁସରଣ କରେ । ତାଙ୍କଠାରୁ ଏବେ ଭାବ ମୁଁ ଇଂରାଜୀ ଜୁଲାଇ ମାସ ୮ତାରିଖ ୧୯୧୬ ମସିହାରେ ଶୁଣି ଅତି ଅଳ୍ପ ମାତ୍ର ଜ୍ଞାନଚକ୍ଷୁ ଉନ୍ମୀଳନ କରିଅଛି ।”

 

ଏଠାରେ ହଁ ହାସ୍ୟ ସମ୍ବରଣ କରି ଉଲ୍ଲେଖନୀୟ ଯେ “ଅତି ଅଳ୍ପମାତ୍ର ଜ୍ଞାନ ଚକ୍ଷୁ ଉନ୍ମୀଳନ” କରିବାର ପାଞ୍ଚଦିନ ପରେ ଅର୍ଥାତ୍ ୧୩-୭-୧୯୧୬ ମସିହାରେ “ମୋହର ଆନ୍ତରିକ ଭାବ” ଲିପିବଦ୍ଧ ହୁଏ । ସେଥି ସଙ୍ଗେ ପ୍ରକାଶ ପାଏ ପାଠ ପ୍ରତି ମଧ୍ୟ ବିତୃଷ୍ଣା ! ତେଣୁ ହୁଏତ “ପାଠପଢ଼ା ବଡ଼ ଦୁଃଖ୍” ହେତୁ ସଂସାର ପ୍ରତି ଏଇ ବୈରାଗ୍ୟ ଜାତ ହୋଇ ପାରୁଥାଏ !

 

ଏହି ଟିପା ଖାତାରେ କବି ଉପେନ୍ଦ୍ର ଭଞ୍ଜଙ୍କଠାରୁ ଆରମ୍ଭ କରି ଘନକୃଷ୍ଣ, ବନମାଳୀ ଓ କବିସୂର୍ଯ୍ୟ ପ୍ରଭୃତି ପ୍ରାଚୀନ କବିମାନଙ୍କର ଯେଉଁ ସବୁ ସଙ୍ଗୀତ ମୋତେ ମୁଗ୍ଧ କରିଥିଲା, ତହିଁରୁ କେତେ ଗୋଟି ମଧ୍ୟ ଲିପିବଦ୍ଧ ରହିଛି । ସଂସ୍କୃତି କବି ଜୟଦେବଙ୍କର—

 

“ବଦାସୀ ଯଦି କିଞ୍ଚିଦପି ଦନ୍ତରୁଚି କୌମୁଦୀ

ହରତି ଦର ତିମିର ମତି ଘୋରଂ

ପ୍ରିୟେ ! ଚାରୁଶୀଳେ ମୁଞ୍ଚମୟି ମାନମନିଦାନଂ ।”

 

ସଙ୍ଗୀତରେ ବିହ୍ୱଳ ହେଉଥିଲି । କେବଳ ବିହ୍ୱଳ ହେଉ ନ ଥିଲି, ବନ୍ଧୁମାନଙ୍କ ସମାଗମରେ ସେହି ସଙ୍ଗୀତଗୁଡ଼ିକୁ ସ୍ଵର ସହିତ ବୋଲି ସେମାନଙ୍କ ଠାରୁ ମଧ୍ୟ ହାସଲ କରୁଥିଲି ସାବାସ୍ ! ସମୁଦ୍ରକୂଳଟା ହିଁ ଏହି ସଙ୍ଗୀତ-ଆସର ପାଇଁ ପ୍ରଧାନସ୍ଥଳ ଥିଲା,ଜଳ-ସଙ୍ଗୀତ ସହିତ ।

 

ସେତେବେଳେ ପୁରୀ ସ୍ୱର୍ଗତ ମୋହନ ସୁନ୍ଦର ଗୋସ୍ୱାମୀଙ୍କର ରାଧାକୃଷ୍ଣ ରାସଲୀଳା ଅଭିନୟ ଏକ ତୁମୂଳ ଆଲୋଡ଼ନ ସୃଷ୍ଟି କରିଥାଏ । ସେ ସ୍ଵୟଂ ଜଣେ ଉତ୍କୃଷ୍ଟ ସଂକୀର୍ତ୍ତନ ଗାୟକ ରୂପେ ଶ୍ରୋତାମାନଙ୍କୁ ମୁଗ୍ଧ କରୁଥିଲେ । ଥିଏଟର ଗୃହ ଥିଲା ରାମଚଣ୍ଡୀ ସାହିର ବର୍ତ୍ତମାନ ସିନେମାଗୃହ ନିକଟରେ । ନାମ ଥିଲା ତା’ର—“ଜଗନ୍ନାଥ ଥିଏଟର କ୍ଲବ” କିମ୍ବା ଏମ‌୍‌ତି କିଛି ।

 

ସାହିତ୍ୟ ସାଧନାର ପ୍ରାରମ୍ଭିକ ଜୀବନରେ ଟିପି ରଖୁଥିଲି, “କେତେଗୋଟି ମନୋମୁଗ୍ଧକର ଟିପା” (କେତେଗୋଟି ଉଦ୍ଧୃତି, ଉପମା, ଓ ତୁଳନା) । ତହିଁରୁ ମଧ୍ୟ କିଞ୍ଚିତ୍ ଏଠାରେ ପାଠକମାନଙ୍କ ଧୈର୍ଯ୍ୟ ପରୀକ୍ଷା ଲାଗି ଉଦ୍ଧାର କରୁଛି—

 

“ଯେଉଁଠାରେ ଅତୀତ କଠିନ ପ୍ରସ୍ତର—ତା’ରି ତଳେ ଥାଏ ପୁଣି ସ୍ୱଚ୍ଛ, ସୁଶୀତଳ ଜଳ । ଜଳଧିର ଭଙ୍ଗୁର ଲହରୀ ଗଣିବା (ମାନବର ସୁଖସଙ୍ଗେ ତୁଳନା) ।’’

 

ଏହା ବ୍ୟତୀତ “ସାହିତ୍ୟର ବିଷୟବସ୍ତୁ”—‘‘ସମାଜ ସମ୍ବନ୍ଧେ ଚିନ୍ତା କଳ୍ପନା” ଯଥା—“ଉନ୍ନତି ଅବନତିର କାରଣ ଓ ଇତିହାସ ସମାଜର ଭବିଷ୍ୟତ ସମ୍ବନ୍ଧେ କଳ୍ପନା ।” –ସେଇ ସମୟରୁ ଅବା ସମାଜବାଦ ପ୍ରତି ମୋର ଝୁଙ୍କର ଅଙ୍କୁରୋଦ୍‌ଗମ !

 

ଉପନ୍ୟାସର ଉପାଦାନ, ନାଟକର କଥୋପକଥନ, ଦୃଶ୍ୟ ଏବଂ କାଳ, ଭାଷା, ପୁଣି ଛୋଟ ଗଳ୍ପର ଗଠନ-ପ୍ରଣାଳୀରେ ଲିଖିତ ହୋଇଛି—

 

୧। ଗୋଟିଏ ଚରିତ୍ରକୁ ଲକ୍ଷ୍ୟ କରି ତଦନୁଯାୟୀ ଘଟଣାବଳୀର ସୃଷ୍ଟି ।

୨। ଗୋଟିଏ ଘଟଣାକୁ ଲକ୍ଷ୍ୟ କରି ତଦନୁଯାୟୀ ଚରିତ୍ରର ସୃଷ୍ଟି ।

୩। ଗୋଟିଏ ଦୃଶ୍ୟର କଳ୍ପନା କରି ତଦନୁଯାୟୀ “ଚରିତ୍ର ଓ ଘଟଣାର ସମାବେଶ’’ ଇତ୍ୟାଦି ।

 

ସେଇ ସମୟରେ ହିଁ କବିତା ରଚନା କରି ପତ୍ରିକା ପ୍ରକାଶ ପାଇଁ ପଠାଇବାର ଆଗ୍ରହ ମୋ’ର ଲିପିବଦ୍ଧ ହୋଇ ରହିଛି । ପୁରୀଜିଲ୍ଲା ସ୍କୁଲ ମାଟ୍ରିକ୍ୟୁଲେସନ୍ ତୃତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ୨୯।୯।୧୯୧୮ରେ ଗୋଟିଏ କବିତା ରଚନା କରେଁ ।

 

ତାହା “ଭକ୍ତିବଳ’’ ଶିରୋନାମା ବାଳଭକ୍ତ ପ୍ରଲ୍ଲାଦଙ୍କ ବିଶ୍ୱାସ-ଭକ୍ତର ଅଟଳ ଦୃଢ଼ତା ବିଷୟରେ ଅମିତ୍ରାକ୍ଷର ଛନ୍ଦରେ ରଚିତ ଏକ ଦୀର୍ଘ କବିତାଟି । କଟକରୁ ପ୍ରକାଶିତ “ମୁକୁର” ପତ୍ରିକାର ସଂପାଦକଙ୍କ ନିକଟକୁ କବିତା ମହା ଆଗ୍ରହରେ ପଠାଏଁ ; ମାତ୍ର ତାହା ଫେରିଆସେ ମୋ ନିକଟକୁ । ସଂପାଦକ ସ୍ୱର୍ଗତ ବ୍ରଜସୁନ୍ଦର ଦାସଙ୍କ ସହିତ ବ୍ୟକ୍ତିଗତ ପରିଚୟ ଦୂରର କଥା, କଟକ ଦେଖିବାର ସୌଭାଗ୍ୟ ମଧ୍ୟ ମୋର ହୋଇ ନ ଥାଏ ସେତେବେଳେ ।

 

କବିତାଟି ପାଇ ସମ୍ପାଦକ ମହୋଦୟ ଖୁବ୍ ଖୁସିହୋଇ ମୋତେ ଆର୍ଶୀବାଦ କଲେ ଖଣ୍ଡିଏ କ୍ଷୁଦ୍ର ପତ୍ରରେ । ସେଥିରେ ସେ ଉତ୍ସାହ ଦେଲେ ଯେ, ଭବିଷ୍ୟତରେ ମୁଁ ଜଣେ ଭଲ ଲେଖକ ହେବି-। କିନ୍ତୁ ଛପା ଅକ୍ଷରରେ କବିତା ସହିତ ନିଜ ନାମଟିକୁ ଦେଖିବା ସୌଭଗ୍ୟ ମୋର ଜୁଟିଲା ନାହିଁ । ଲେଖାଟିକି ପ୍ରତ୍ୟାଖ୍ୟାନ କଲେ ମଧ୍ୟ ସେତେବେଳର ବିଖ୍ୟାତ “ମୁକୁର” ପତ୍ରିକାର ସମ୍ପାଦକଙ୍କ ହସ୍ତାଙ୍କିତ ପତ୍ର ହିଁ ଉତ୍ସାହର ଏକ ଉତ୍ସ ହୋଇ ଉଠିଥିଲା ମୋହ ପକ୍ଷରେ । କାରଣ ସେପରି ଉତ୍ସାହ ମୁଁ ଏକାଧିକ କ୍ଷେତ୍ରରୁ ଲାଭ କରିବା ପାଇଁ ଚେଷ୍ଟା କରି ସୁଦ୍ଧା ସମର୍ଥ ହୋଇ ନ ଥାଏ । ଅନେକ ପତ୍ର ପତ୍ରିକାକୁ ଲେଖା ପଠାଇବାର ଉଦ୍ୟମ କରେଁ, ଅଥଚ ପ୍ରାପ୍ତି ସ୍ଵୀକାର ପାଇଁ ମଧ୍ୟ ଅସମର୍ଥ ହୁଏଁ-। ଆଜିକାଲି ଦୈନିକ ପତ୍ରିକାମାନଙ୍କର ସାପ୍ତାହିକ ସାହିତ୍ୟ ସଂଖ୍ୟାମାନ ସେତେବେଳେ ଥାଏ ସ୍ଵପ୍ନ-

 

ଅମିତ୍ରାକ୍ଷର ଛନ୍ଦରେ ରଚିତ ଏହି କବତାଟିର ଆରମ୍ଭ ହେଲା—

 

ଫିଙ୍ଗି ଅଗାଧ ଜଳରେ ଭୀଷଣ ଅଗ୍ନିରେ

କଚାଡ଼ି ଶକ୍ତ ଶିଳାରେ, ତିକ୍ଷ୍ଣ ଖଡ଼୍‌ଗଧାରେ

ଛେଦିବାକୁ ପୁଣି ଆହା ! କଲେ ଯେତେ ଚେଷ୍ଟା

ନୃଶଂସ ଜନକ, ସବୁ କରିଲା ବିଫଳ

ପତିତ ପାବନ ‘ହରିନାମ’—ଉଚ୍ଚାରିତ

ହୋଇ ସଦା ବାଳକର ସୁକୁମାର ମୁଖୁଁ ।

ପ୍ରତି ଥର ଦେଇ ଦଣ୍ଡ ଜିଜ୍ଞାସନ୍ତି ଯେବେ

ଭୃତ୍ୟଗଣ, “ଅଛୁ କି ରେ ପ୍ରହ୍ଲାଦ ଜୀବନେ ?”

ପ୍ରେମ ଗଦ ଗଦ ଭାଷେ ଭାଷଇ ବାଳକ—

“ହରିନାମ ବୋଲ ସେହି ଅନାଥ ଶରଣ !”

 

ସମ୍ପାଦକମାନେ କିନ୍ତୁ ଯୁବ-ଉତ୍ସାହକୁ ହତ୍ୟା କରିବାକୁ ଅସମର୍ଥ ହେଲେ ଶେଷରେ । ରଚନା ମୋର ଖୋଜି ବୁଲେ ନୂଆ ନୂଆ ପ୍ରକାଶପଥ । ନିଜ ଲେଖାକୁ ଛାପା ଅକ୍ଷରରେ ଦେଖିବା ପାଇଁ ଜାଗି ଉଠେ ପ୍ରବଳ ଆଗ୍ରହ । ସେ ଆଗ୍ରହ ଦୃଢ଼ ସଂକଳ୍ପରେ ପରିଣତ ହେବାକୁ ଧାଏଁ ଅବିଳମ୍ବେ । ତହୁଁ ମନ ଭିତରେ ଜଳ୍ପନା କଳ୍ପନା ଯୋଜନା ପ୍ରସ୍ତୁତିସବୁର ବିଚାର । ନିଜେ ଏକ ସ୍ଵତନ୍ତ୍ର ପ୍ରତିକାର ସମ୍ପାଦନ, ମୁଦ୍ରଣ ଓ ପ୍ରକାଶନ ଲାଗି ଯୋଜନାର ଅୟମାରମ୍ଭ । ଅବଶେଷରେ ତାହାର ପରିଣତ କାର୍ଯ୍ୟ କ୍ଷେତ୍ରରେ ।

 

ଲେଖକ କିମ୍ବା ବକ୍ତାମାନଙ୍କର ସେତକ ସ୍ଵାଧୀନତା ସବୁକାଳେ ବୋଧ ହୁଏ ବିଦ୍ୟମାନ । ଛାପାଖାନା ନ ଥିବା ଯୁଗରେ ବି ଥିଲା ତାଳପତ୍ର ବା ଭୂର୍ଜପତ୍ର; ପୁଣି ବକ୍ତା କିମ୍ବା ଗାୟକ ଅବଶ୍ୟ ସମ୍ଭବିପାରନ୍ତି ଶ୍ରୋତା କେହି ନ ମିଳିଲେ ସୁଦ୍ଧା !

 

“ଛାତ୍ରଦର୍ପଣ” ହାତଲେଖା ପତ୍ରିକାଟିଏ ହେଲେହେଁ ଆମ ଛାତ୍ର–ସମାଜର ମୁଖପତ୍ର ରୂପେ ତା’ର ଆଦର କିଛି କମ୍ ନଥିଲା । ଆମ ଛାତ୍ର–ସମିତର ସର୍ବସମ୍ମତିକ୍ରମେ ସଂପାଦକ ଥା’ନ୍ତି ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ଏଡ୍ ଭୋକେଟ ଶ୍ରୀ ସଦାଶିବ ମିଶ୍ର—ଆଉ ମୁଁ ଥାଏ ‘ଛାତ୍ରଦର୍ପଣ’ ପତ୍ରିକାର ସ୍ଵୟଂ-ସମ୍ପାଦକ, ଅବଶ୍ୟ । ବନ୍ଧୁମାନଙ୍କର ସମ୍ପତି କ୍ରମେ । ସ୍ୱର୍ଗତ ପୁର୍ଣ୍ଣଚନ୍ଦ୍ର ମହାନ୍ତି, ଶ୍ରୀ ହୃଦାନନ୍ଦ ମହାନ୍ତି, ଡାକ୍ତର ନନ୍ଦ ଦୁଲାଳ ସେନ୍‌ଗୁପ୍ତ ପ୍ରମୁଖ ଲେଖକ, ପୁଣି ଶିଳ୍ପୀମାନଙ୍କ ଉତ୍ସାହ ଉଦ୍ୟମ ଓ ଘନିଷ୍ଠ ସହଯୋଗ ଛାତ୍ର ସମିତିକୁ ଗଢ଼ି ତୋଳେ ଜୀବନ୍ତ ରୂପ ଦେଇ । ବୟୋଜ୍ୟେଷ୍ଠ ବାନାମ୍ବର ମିଶ୍ରଙ୍କର ପୂର୍ଣ୍ଣ ସମର୍ଥନ ମଧ୍ୟ ଜଡ଼ିତ ଥାଏ । ରୂପରେ ଯେମ‌୍‌ତି, କଥାବାର୍ତ୍ତା ବ୍ୟବହାରରେ ମଧ୍ୟ ସେ ଥିଲେ ସେ ନିର୍ମଳ ସଚ୍ଚୋଟ । ଆମେ ତାଙ୍କୁ ବଡ଼ଭାଇ ପରି ଖାତିର କରୁଥାଉଁ ।

 

ସେ ଅବା ଏକ ନବଜାଗଣର ଯୁଗାରମ୍ଭ । ସତ୍ୟବାଦୀ ବନବିଦ୍ୟାଳୟର ସୁନାମ ବ୍ୟାପିଥାଏ ଚତୁର୍ଦ୍ଦିଗରେ । ସେମ‌୍‌ତି ଆମ ଭିତରେ ସୁଦ୍ଧା କେତେ ଜଣ ଆଗୁଆ ହୋଇ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ ପ୍ରଭୃତି ପ୍ରଥିତଯଶା ନେତାମାନଙ୍କୁ ନିମନ୍ତ୍ରଣ କରୁ ଆମ ଛାତ୍ର ସମିତିର ଏକ ବିଶେଷ ଅଧିବେଶନକୁ । ସେମାନଙ୍କର ତ ସାକ୍ଷୀଗୋପାଳରୁ ପୁରୀକୁ ପ୍ରାୟ ଯାତାୟାତ ହେଉଥାଏ । ଆମ ନିମନ୍ତ୍ରଣକୁ ରକ୍ଷାକରିବା ତେଣୁ ତାଙ୍କ ପକ୍ଷରେ କଠିଣ ହୁଏ ନାହିଁ । ସେଦିନ ସଭା ଆମର ହେରାଗୋହିରୀ ସାହି ସାମନ୍ତଚନ୍ଦ୍ର ଶେଖର ହଲ୍‌ରେ । ଏବେ ସଭାର ସଭାପତି ସ୍ଵୟଂ ପଣ୍ଡିତ ଗୋପବନ୍ଧୁ । ପାଖରେ ତାଙ୍କର ବସିଥାନ୍ତି ପଣ୍ଡିତ ନୀଳକଣ୍ଠ ଓ ଆଉ କେତେ ଜଣ ଶିକ୍ଷକ । ସଭାପତିଙ୍କ ନିକଟରେ ରଖା ହୋଇଥାଏ ଖଣ୍ଡିଏ “ଛାତ୍ରଦର୍ପଣ” ହାତ ଲେଖା ପତ୍ରିକା ।

 

ଗୋପବନ୍ଧୁଙ୍କର ଗୋଟିଏ କଥା ଏହି ସଭାରେ ଛାଇଛାୟା ମନେପଡ଼େ । “ତୁମେ ସବୁ ପ୍ରତିଦିନ ଯାହା କରିବ, ଦେଖିବ, ଯୁଆଡ଼େ ଯିବ କି ଯାହା ଖର୍ଚ୍ଚ କରିବ, ତା’ର ହିସାବ ଟିପି ରଖିବ-।” ଶେଷ କଥାଟି ମନକୁ ଆମର ସେତେ ବେଶି ଘେନିଲା ନାହିଁ । ଆମ ହାତକୁ ପଇସା ଅବା କେତେ ଆସେ, ପୁଣି କ’ଣ ଅବା ରୋଜ ଆମେ ଖର୍ଚ୍ଚ କରୁଯେ, ଟିପି ରଖିବାର ପ୍ରଶ୍ନ କେଉଁଠି-! ତେବେ ଏମ‌୍‌ତି ଡାଏରି ଲେଖିବା ଇଚ୍ଛାଟା ମୋର ବୋଧହୁଏ ତାଙ୍କ ଉପଦେଶରୁ ପୁଣି ବନ୍ଧୁମାନଙ୍କ ସହିତ ଆଲୋଚନାରୁ ଜନ୍ମିଥିବ ।

 

ବଡ଼ ହେଲା ପରେ କଥାଟାର ଉପାଦେୟତା ବୋଧହେଲା ସିନା; କିନ୍ତୁ ମୋହ ପକ୍ଷରେ କେବଳ ଏହା ସାମୟିକ ଉଦ୍ୟମ ଭିତରେ ହିଁ ଆବଦ୍ଧ ହୋଇ ରହେ।

 

ସାଧାରଣ ପାଣ୍ଠି ନ ହେଲେ ବି ନିଜ ଦୈନିକ ଖର୍ଚ୍ଚ ନିଜେ ଟିପିବା ଫଳରେ ସେ ଅନେକ ଆତ୍ମବିଶ୍ଳେଷଣର ବିଚାର ମଧ୍ୟ ତାହା ଭିତରେ ରହିଛି—ସେ କଥା ସେତିକି ବେଶି ମୁଁ ଉପଲବ୍ଧ କରେ, ସେତିକି ପଛାଏଁ କିନ୍ତୁ କାମ ଉପରେ ।

 

ଆଉ ଗୋଟିଏ କଥା ମଧ୍ୟ ମନେପଡ଼େ ତାଙ୍କର । ସାପ ମହାଦେବଙ୍କର ବାହନ ହେଲେ ବି ମଣିଷ ଓ ଜୀବଜନ୍ତୁଙ୍କୁ ସେ ହତ୍ୟା କରେ ! ତହୁଁ ଈଶ୍ୱର ତାକୁ ଉପଦେଶ ଦିଅନ୍ତି—

 

ତୁ ମୋ’ର ବାହନ ହୋଇ ଲୋକଙ୍କୁ ଏମ‌୍‌ତି ହତ୍ୟା କରିବା ମୋହ ପକ୍ଷରେ ବଡ଼ ନିନ୍ଦା । ତୁ ଏଣିକି ଏଭଳି ଦୁର୍ବୁଦ୍ଧି ଛାଡ଼ ।

 

ପ୍ରଭୁଙ୍କ ନିର୍ଦ୍ଦେଶରେ ସାପ କାହାରିକୁ ନ କାମୁଡ଼ି ପଡ଼ି ରହଲା ଚୁପ୍ ଚାପ୍ ।

 

ସାପଟାଏ ପଡ଼ିଛି ଦେଖି ବଡ଼ଠାରୁ ପିଲାଯାକେ ଯିଏ ସେବାଟେ ଗଲେ, ସମସ୍ତେ ତାକୁ ଫିଙ୍ଗିଲେ ଟେକା, ଅବା ପିଟିଲେ ବାଡ଼ିରେ ।

 

ସାପ ବିଚାରା ତା’ର ଦୁର୍ଦ୍ଦଶା ଜଣାଇଲା ଯାଇ ମହାଦେବଙ୍କୁ । ଶିବ ତହୁଁ ହସି ହସି କହିଲେ—ତୋତେ ସିନା ମୁଁ କାମୁଡ଼ିବାକୁ ମନା କରିଥିଲି, ଫଣା ଟେକିବାକୁ କି ଗର୍ଜନ ଛାଡ଼ିବାକୁ କ’ଣ ନାହିଁ କରିଛି ?

 

ଉଦାହରଣଟି ଦେଇ ଗୋପବନ୍ଧୁ ଆମକୁ ଅନ୍ୟର କ୍ଷତି କରିବାକୁ ନିବର୍ତ୍ତାଇ ଥିଲେ ମଧ୍ୟ, ପ୍ରବର୍ତ୍ତାଇ ଥିଲେ ଅନ୍ୟର ଆକ୍ରମଣରୁ ଆତ୍ମରକ୍ଷା କରିବାକୁ । କଥାଗୁଡ଼ିକରେ ତାଙ୍କର ଯେଉଁ ସରଳତା ପୁରି ଉଠିଥିଲା, ଆଜି ବି ନାଚିଉଠେ ସେଇ ରୂପ, ସେଇ ଆଖି, ଯେ ସାମନାରେ । ଆହୁରି ବି ନାଚି ଉଠେ ସେଇ ୧୯୧୯ ମସିହାର ନୀଳକଣ୍ଠ ବାବୁଙ୍କ ଚେହେରା । ଛାତ୍ର ସଭାରେ ଆମର ସଭାପତି ହୋଇ ସେହି କରନ୍ତି ପରା ‘ଛାତ୍ରଦର୍ପଣ’ ହାତ ଲେଖା ପତ୍ରିକାର ଉଦ୍‍ଘାଟନ । ମଲାଟ ଉପରେ ରଙ୍ଗିନ୍ ଛବି ଆଙ୍କିଥାନ୍ତି ମୋର ସହଧ୍ୟାୟୀ ବନ୍ଧୁ ଡାକ୍ତର ନନ୍ଦଦୁଲାଳ ସେନଗୁପ୍ତ । ଛବିଟି ସବୁଜ ରଙ୍ଗର ଜଙ୍ଗଲ ପାହାଡ଼ ଭିତରେ ସୂର୍ଯ୍ୟୋଦୟର ରକ୍ତିମ ଛଟାକୁ ଉକୁଟାଇ ଅଙ୍କାବଙ୍କା ହୋଇ ବୋହି ଯାଉଥିବା ଏକ ଝରଣାର ।

 

ପତ୍ରିକାର ପ୍ରଥମ ରଚନା ମୋର ‘ବନ୍ଦନା’ କବିତାର ଅନୁସରଣରେ ଛବିଟି ଅଙ୍କିତ ହୋଇଥାଏ । ସେହି ଟିପାଖାତା ହିଁ ଆଜି ସୁଦ୍ଧା ତାହାର ସାକ୍ଷ୍ୟ ବହନ କରି ସାମ୍ନାରେ ମୋର ବିରାଜମାନ—

 

ଝର ଝର ଝରେ ଝରଣା ଧାର

ମୁଖରିତ କରେ ଅଚଳଶିର

 

ଛବିଳ ଉତ୍କଳେ ଲାଗିଅଛି ସଦା ଶୋଭାର ଏ ହାଟ ପରକୃତିର । (୧)

 

ଏ ହାଟେ ହାଟୁଆ ହୋଇବା ପାଇଁ

ବହୁ ଦିନୁଁ ଆଶା ପୋଷିଛି ମୁହିଁ ।

 

ମେଣ୍ଟିବ କି ସତେ ଏ ଆଶା ମୋର, ଘୁଞ୍ଚିବ ଦୁର୍ଦ୍ଦଶା ମୋ ଜନନୀର ।

 

ବେଗତର ହେବ ଝରଣା ଧାର

କମ୍ପିବ ଅଧିକ ଅଚଳ ଶିର ।

ଛବିଳ ଉତ୍କଳେ ଲାଗିଥିବ ସଦା ଶୋଭାର ଏ ହାଟ ପରକୃତିର । (୨)

 

କବିତାଟି ଉପରେ ଆଖିବୁଲାଇ ପଣ୍ଡିତ ନିଳକଣ୍ଠ ପଚାରିଲେ, ଏ କବିତାଟିର କିଏ ରଚୟିତା ? ନିଳକଣ୍ଠଙ୍କ ମୁଖରୁ ମୋର ଏହି କବିତା ଉପରେ ପ୍ରଶଂସା ଶୁଣି ମୁଁ ଯେପରି ଉତ୍ସାହିତ ହୋଇଥିଲି, ତାହା ଆଜି ମଧ୍ୟ ସ୍ମରଣୀୟ ।

 

ତାଙ୍କ ନିର୍ଦ୍ଦେଶରେ ମୋତେ ଠିଆ ହେବାକୁ ପଡ଼ିଲା । ନିଳକଣ୍ଠ କହିଲେ, କବିତାଟି ବେଶ୍ ଭଲ ହୋଇଛି । ପ୍ରଶଂସାର ପମ୍ପ୍ ଯୋରରେ ଛାତ୍ରସମିତି ସହିତ ତାହାର ମୁଖପତ୍ର “ଛାତ୍ରଦର୍ପଣ” କିଛି କାଳ ପ୍ରକାଶ ପାଇଥିଲା । ସେହି ବୟସରୁ ଗଳ୍ପ ଓ କବିତା, ପ୍ରବନ୍ଧ, କଥୋପକଥନ ଓ ଦିନଲିପିଗୁଡ଼ିକୁ ଘେନି ମୋର ସାହିତ୍ୟିକ ଜୀବନର ବିଭିନ୍ନ ଦିଗରେ ପରୀକ୍ଷା ନିରୀକ୍ଷାର ଆରମ୍ଭ । ପୁଣି ଏହି ସମୟରେ ଅଗ୍ରଣୀ କବି ସାହିତ୍ୟିକମାନଙ୍କ ସହିତ ପରିଚୟର ସୁଯୋଗ ମଧ୍ୟ ପୁରୀଠାରେ ଆମକୁ ମିଳିଥାଏ ।

 

ନିଜ ଘରେ ମୋର ଜ୍ୟେଷ୍ଠଭ୍ରାତା ଦିବ୍ୟସିଂହ ଓ ତାଙ୍କର ସମସାମୟିକ କବି ପଦ୍ମଚରଣ ପଟ୍ଟନାୟକଙ୍କଠାରୁ ସାହିତ୍ୟ-ପ୍ରେରଣା ଲାଭ କରିବାର ସୁଯୋଗ ପାଏଁ । ଘର ଭିତରେ ବାପା ମଧ୍ୟ ସାହିତ୍ୟିକ—ସେ ଦର୍ଶନ ଓ ଧର୍ମ ସାହିତ୍ୟ କ୍ଷେତ୍ରରେ ଚିନ୍ତା-ଗବେଷଣା କରନ୍ତି । ମାସ ପରେ ମାସ “ଉତ୍କଳସାହିତ୍ୟ” ଓ ‘ମୁକୁର’ ପତ୍ରିକା ଆମ ଭିତରେ ସାହିତ୍ୟର ନୂତନ ସନ୍ଦେଶ ବହନ କରି ଆଣେ-। ବହନ କରି ଆଣେ କେତେ ବିଚିତ୍ର କୌତୁହଳର ଉବ୍ଦୀପନ, କେତେ ନିବିଡ଼ ରହସ୍ୟର ଉଦ୍‍ଘାଟନ !

 

ପ୍ରତ୍ୟକ୍ଷ ଭାବରେ ଅବଶ୍ୟ ସେତେବେଳେ ମୋର ଜ୍ୟେଷ୍ଠ ଦିବ୍ୟସିଂହଙ୍କଠାରୁ ଉତ୍ସାହ ପାଇବାରୁ ମୁଁ ବଞ୍ଚିତ ହୁଏଁ । ବରଂ କ୍ଲାସରେ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାଶକରିବା ପାଇଁ ସେ ବରାବର ମୋତେ କୋବଲାଉ ଥିଲେ । ଆଶ୍ଚର୍ଯ୍ୟ ! ସେ ନିଜେ ତ ଜଣେ “ଉତ୍କଳସାହିତ୍ୟ”ର ଧାରାବାହିକ ଗଳ୍ପ ଲେଖକ, ଆଉ ସେଇଥିପାଇଁ ତାଙ୍କର ବହୁମୁଖରେ ପ୍ରଶଂସା ! ଅଥଚ ମୋ ବେଳକୁ ଏମ‌୍‌ତି କାହିଁକି ସେ ? ବୁଝିପାରେ ନାହିଁ ମୋର ଅଗ୍ରଜଙ୍କର ରାଜନୀତି—‘‘କୃପା କଟାକ୍ଷ କାହିଁକି, ମୋ ବେଳକୁ ଗଲ ଶୁଖି ! ଜାଣିଲି ମୋ କର୍ମ ମନ୍ଦ ନୁହେଁ ସଳଖ ! “ଉତ୍କଳ ସାହିତ୍ୟ” ଭଳି ସେତେବେଳର ଶୀର୍ଷସ୍ଥାନୀୟ ଓଡ଼ିଆ ପତ୍ରିକାରେ ମୋର କ୍ଷୁଦ୍ର ଗଳ୍ପ ପ୍ରଥମ ପ୍ରକାଶ ପାଇଛି । ସ୍କୁଲରେ ବନ୍ଧୁ ଓ ଶିକ୍ଷକ ମହଲରୁ ପ୍ରଶଂସାର ଜୁଆର ଛୁଟେ ! ଅଥଚ ଭାଇନା ନିଜେ ଜଣେ ଲେଖକ ହୋଇ ମୋ ପ୍ରତି ଏମ‌୍‌ତି ବିମୁଖ କାହିଁକି ?

 

ପ୍ରସିଦ୍ଧ ଇଂରେଜ କବି ଉଇଲିୟମ୍ କୁପର (William Cowper) ଙ୍କୁ ବାପା ତାଙ୍କର ପିଲାଦିନେ ଏମ‌୍‌ତି ଆକଟ କରନ୍ତି ପରା ! କବିତା ରଚନାରେ ମାତିଲେ ପୁଅ ତ ସଂସାର କ୍ଷେତ୍ରରେ ଅକର୍ମଣ୍ୟ ହୋଇ ପଡ଼ିବ । ଏଇ ଆଶଙ୍କାରେ ତାଙ୍କୁ ଯେବେ ସେ ନିସ୍ତୁକ ପ୍ରହାର କରନ୍ତି, ବାଳକ ଉଇଲିୟମ୍ କୁପରଙ୍କ କରଯୋଡ଼ି ବାପାଙ୍କୁ ଅନୁନୟ—

 

Papa ! Papa ! Bity take !!

I shall never uerses make !

(ଦୟାକର ବାପା ଦୟାଥାଉ,

ଗୀତ ନ ଯୋଡ଼ିବି କେବେ ଆଉ)

 

ହତଭାଗ୍ୟ କବି ବିଚାରା ! କିନ୍ତୁ ସେ ଯେ ନିରୁପାୟ ନାଚାର ! ତାହାର ଉଦ୍ଧାରପନ୍ଥା କାହିଁ-? କ୍ଷମା ମାଗୁଛି ଯେଉଁଥିପାଇଁ, ତାହାର ଭାଷା ସୁଦ୍ଧା ପାଲଟି ଯାଏ କବିତାରେ !

 

ସବୁ ଆକଟ ସେମ‌୍‌ତି ମୋର ବାହାରିଯାଏ ଏ କାନରେ ପଶି ସେ କାନରେ । ଲେଖାର ଗତି ରହେ ଅପ୍ରତିହତ; ଯଦିବା “ଉତ୍କଳ ସାହିତ୍ୟ” ପତ୍ରିକାରେ ତାହା ପ୍ରକାଶ ପାଇବା ସମ୍ଭବପର ହୁଏ ନାହିଁ । ବହୁ ଚେଷ୍ଟା ପରେ ଯେଉଁ ଗଳ୍ପଟି ମୋତେ ଓ ଆଉ ସମସ୍ତଙ୍କୁ ଚମକାଇ ଦେଇ ପ୍ରକାଶ ପାଏ, ତାହାର ବିଷୟ ବସ୍ତୁ ଥିଲା—ଗୋଟିଏ ବାଳବିଧବାର ବିବାହ କାହାଣି ।

 

ବ୍ରାହ୍ମଣ-କୁଳରେ ଏହା ନିଷିଦ୍ଧ ହେଲେ ମଧ୍ୟ ବିବାହ କରି ନବଦମ୍ପତି ବ୍ରାହ୍ମଧର୍ମ ଗ୍ରହଣ କରନ୍ତି । “ଉତ୍କଳ ସାହିତ୍ୟ”ର ସମ୍ପାଦକ ଓ ପ୍ରସିଦ୍ଧ ସମାଜ ସଂସ୍କାରକ ସୁପଣ୍ଡିତ ଶ୍ରୀ ବିଶ୍ୱନାଥ କର ମହାଶୟଙ୍କୁ ଏହା ସୁଖ ଲାଗିବ ବୋଲି ମୁଁ କୌଶଳକ୍ରମେ ଗଳ୍ପଟିର ବିଷୟ ବସ୍ତୁକୁ ବାଛିଥାଏଁ । ନିରପରାଧିନୀ ବାଳବିଧବା ଉପରେ ସାମାଜିକ ଅନ୍ୟାୟକୁ କରିଥାଏଁ ତୀବ୍ର କଟାକ୍ଷ ।

 

ବିଶ୍ୱନାଥ ବାବୁଥିଲେ ଓଡ଼ିଶାରେ ପ୍ରସିଦ୍ଧ ସମାଜ-ସଂସ୍କାରବାଦୀ ଅଦ୍ଵୈତ ବ୍ରାହ୍ମମତର ପୁରୋଧା । ଫଳରେ ମଧ୍ୟ ଦେଖିଲି—ଯୋଜନା ମୋର ସାଫଲ୍ୟ ମଣ୍ଡିତ ! ଗଳ୍ପଟି ପ୍ରକାଶ ପାଇଛି ସୁବିଖ୍ୟାତ “ଉତ୍କଳ ସାହିତ୍ୟ” ପତ୍ରିକାରେ । ପରିଚିତ ଅପରିଚିତ ବାଟରେ ଘାଟରେ ସେ ଦେଖିଲେ, ମୋ ଗଳ୍ପ ବିଷୟ ଉଲ୍ଲେଖ କରନ୍ତି; ଛାତ୍ର ପୁଣି ଶିକ୍ଷକ ମହଲରୁ ମଧ୍ୟ ଆଶାତୀତ ଉଚ୍ଛ୍ଵସିତ ପ୍ରଶଂସା-! ସବୁରି ଭିତରେ ମୁଁ ହିଁ ବାରି ହୋଇପଡ଼େ ଏକମାତ୍ର ନାମଜାଦା ଲେଖକ ରୂପେ । ମୋର ଶିକ୍ଷକ ପଣ୍ଡିତମାନେ ସମସ୍ତେ ପ୍ରାୟ ପୁରୀ ଶାସନ ବାଡ଼ିର ବ୍ରାହ୍ମଣ ହେଲେହେଁ ବାଳ ବିଧବାର ଦୁଃଖକୁ ଯେପରି ମୁଁ ହୃଦୟ ଗ୍ରାହୀ କରି ଚିତ୍ରିଥାଏଁ, ତହିଁରେ ସେମାନଙ୍କର ସହାନୁଭୂତି ମଧ୍ୟ ଆକର୍ଷଣ କରେଁ-। କାରଣ ବୋଧହୁଏ ଶାସନବାଡ଼ର ଅପର୍ଯ୍ୟାପ୍ତ ସୌନ୍ଦର୍ଯ୍ୟ ହିଁ ସେତେବେଳେ କରୁଣ ହୋଇ ଉଠେ ନିରାଭରଣ ବାଲ୍ୟ ବୈଧବ୍ୟହେତୁ ମାତା-ପିତା ବନ୍ଧୁ ସ୍ୱଜନଙ୍କ ଦୁଃଖ-ଶୋକରେ ।

 

ଯଥା ରାବଣସ୍ୟ ମନ୍ଦୋଦରୀ

 

ଗୋଟିଏ ପ୍ରବଚନ – କହି ଦେଉଥାଇ ପରକୁ,

ବୁଦ୍ଧି ନ ଦିଶଇ ଘରକୁ ।

 

ଲେଖକ ଯାହା ଲେଖନ୍ତି, ନିଜ ଜୀବନରେ ତାହାର ପ୍ରତିପାଳନ କରିବା ଯେ ତାଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ; ପୁଣି କେବଳ ପରକୁ ଉପଦେଶ ଦେବାରେ ଯେ ପାଣ୍ଡିତ୍ୟ ପ୍ରକାଶ ପାଇଥାଏ—ଏକଥାଟା ନିଶ୍ଚୟ ବହୁ ଅଭିଜ୍ଞତାରୁ ଆସିଛି । ମୋର ଗଳ୍ପ-ରଚନାରେ ପୁଣି କବିତାରେ ବୈଧବ୍ୟର ଦୁଃଖ ବର୍ଣ୍ଣନା କରିବାଦ୍ୱାରା ବିଧବା-ବିବାହର ସମର୍ଥକ ହୋଇ ମଧ୍ୟ ମୁଁ ଯେଉଁ ଆଦର୍ଶ ଏହି କ୍ଷେତ୍ରରେ ନିଜେ ଦେଖାଇଥାଏଁ, ତାହା ସମ୍ପୂର୍ଣ୍ଣ ବିପରୀତ, ଅର୍ଥାତ୍ ଏକାବେଳେ ନିପଟ ନିସ୍ତେଜ ବାଲ୍ୟ ବିବାହର ଆଦର୍ଶ ।

 

ସେତେବେଳେ ମୋର ବିବାହପ୍ରସ୍ତାବ ଆସେ କେତେକ ସ୍ଥାନରୁ, ତହୁଁ ଚାଲେ ଗତାନୁଗତିକ ଜାତକ-ଦେଖା ବା ପଣା ଶୁଝିବା ପର୍ବ । ସର୍ବଶେଷରେ ପୁରୀ ଦୋଳମଣ୍ଡପ ସାହିରେ ସ୍ଥିର ହୁଏ । ସେତେବେଳେ ତ ବାପା କଚେରୀ କାମ ଛାଡ଼ି ଦେଇ ଥାନ୍ତି । କଚେରୀ ତାଙ୍କର ବସେ କିନ୍ତୁ ଏବେ ଟିପଣା ଶୁଝିବା କାର୍ଯ୍ୟରେ । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ, କୁମ୍ଭାର ପଡ଼ାର ସଦେଇବାବୁ; ସଦେଇବାବୁ ମୋର ଟିପଣା ଦେଖି ମତ ଦିଅନ୍ତି ଯେ, ଏ ବିବାହ ହୋଇ ନପାରେ । କାରଣ ହେଲା – ନାଗନାଡ଼ି ଷଡ଼ାଷ୍ଟକ, ଅତଏବ ମୋ ପକ୍ଷରେ କୌଣସି ବିପଦ ଥାଉ କି ନ ଥାଉ, କନ୍ୟା ପକ୍ଷରେ ତୁରନ୍ତ ବୈଧବ୍ୟଯୋଗ ସୁନିଶ୍ଚିତ; ଏହା ଅନ୍ୟଥା କରି ପାରନ୍ତି, ନ ବ୍ରହ୍ମା ଶଙ୍କରୋ ହରିଃ ।

 

ସଦେଇ ବାବୁ ତ ବାପାଙ୍କର ଏକାନ୍ତ ବନ୍ଧୁ, ପଡ଼ୋଶୀ ଭାବରେ ମଧ୍ୟ ଆମ ଗାଁ ପାଖର କୁମ୍ଭାର ପଡ଼ା ତାଙ୍କ ବାସସ୍ଥାନ । ତାଙ୍କ କଥା ତ କଦାପି ଅନ୍ୟଥା ହୋଇ ନ ପାରେ ! ବିବାହର ଏତେ ଆୟୋଜନ କଳ୍ପନା ଜଳ୍ପନା ଆନନ୍ଦ ଉଲ୍ଲାସ ! ତା’ ଭିତରେ ସଦେଇବାବୁଙ୍କର ଟିପଣା ଉପରେ ରାୟ !— ପୂର୍ଣ୍ଣିମା ରାତ୍ରରେ ବଜ୍ରପାତ ଭଳି ବୋଧହେଲା ପ୍ରଚଣ୍ଡ ବିପଦ ।

 

ବାପାଙ୍କର ତତ୍ପରତା ମଧ୍ୟ ବହୁଗୁଣିତ ହୁଏ । ବୋଉଙ୍କ ସହିତ ଦିନରାତି ପରାମର୍ଶ ଚାଲେ ଘନ ଘନ । ଶେଷରେ ଯେଉଁ ଜ୍ୟୋତିଷ କୃଷ୍ଣଦାସ ଏ ବିବାହକୁ ମଞ୍ଜୁର କରିଥିଲେ, ତାଙ୍କରି ପାଖକୁ ଧାଁ ଧପଡ଼ । ସମସ୍ତ କଥା ଶୁଣି ସେ କିନ୍ତୁ ହସରେ ଉଡ଼ାଇ ଦେଇ କହିଲେ ଯେ, ଦୁଇଟି କୋଷ୍ଠିରେ ତ ଲେଖୁଛି ରାଜଜୋଟକ !

 

ହଁ – ରା – ଜ – ଜୋ – ଟ – କ ! ରାଜଜୋଟକ ଥିଲେ ଯେ ଆଉ ସବୁ ବିଘ୍ନ ଖଡ଼େ ଖଡ଼େ ବାତିଲ୍ । ରାଜଜୋଟକ ପାଖରେ ପୁଣି ନାଗନାଡ଼ୀ ଷଡ଼ାଷ୍ଟକର କି କରାମତି ? ସେହି ସମୟରେ ଆମେ ଥାଉଁ ପୁରୀ ସଦରଥାନା ଗଳି ବିଖ୍ୟାତ ଆଇନଜୀବୀ ମୁକ୍ତିଆର ସ୍ଵର୍ଗତ ଉପେନ୍ଦ୍ର କରଙ୍କ ପଡ଼ୋଶୀ ହୋଇ ଗୋଟିଏ ଭଡ଼ାଘରେ । ଉପେନ୍ଦ୍ର ବାବୁ ମଧ୍ୟ ଏହି ଜାତକ ଦେଖା ମାମଲାରେ କିଛି କିଛି ଅଂଶ ଗ୍ରହଣ କରୁଥାନ୍ତି । ରାଜଜୋଟକ ଯେ ସୁପ୍ରିମକୋର୍ଟରେ ରାୟ—ଏଥିରେ ସେ ମଧ୍ୟ ହେଲେ ଏକ ମତ ।

 

ଗୌରକାନ୍ତି, ସ୍ପଷ୍ଟବାଦୀ ସଦା ସହାସ୍ୟ ଉପେନ୍ଦ୍ର ବାବୁଙ୍କର ମୁହଁ ଏବେ ମଧ୍ୟ ନାଚିଯାଉଛି ଆଖି ଆଗରେ । ପୋଲିସ ଇନସ୍ପେକ୍ଟର ସୁଦର୍ଶନ ବାବୁ ଆସନ୍ତି, ଆସନ୍ତି ପୁଣି କଠାଉ ଠକ୍ ଠକ୍ କରି ଗେରୁଆ ପିନ୍ଧା ରୁଦ୍ରାକ୍ଷମାଳୀ ବେକରେ ପଣ୍ଡିତ ମହାଶୟ— “ଓକିଲାଃ ଭୋକିଲାଃ ସର୍ବେ” ଶ୍ଳୋକ ବୋଲି । ଆହୁରି ଆସନ୍ତି ଲମ୍ବା ଓଭରକୋଟ ଶୀତଦିନେ ପିନ୍ଧି ସାକ୍ଷୀଗୋପାଳରୁ ସାଙ୍ଗସାଥୀ ସହିତ ଗୋପବନ୍ଧୁ, ହସ କୌତୁକରେ ଦାଣ୍ଡ ଫଟାଇ—ପୁଣି ସାଇକଲ ଚଢ଼ି, ମୁଣ୍ଡରେ ଠେକା ଭିଡ଼ି ଆଚାର୍ଯ୍ୟ ହରିହର !

 

ଉପେନ୍ଦ୍ର ବାବୁ ମୋତେ ତାଙ୍କ ସାନ ଭାଇ ପରି ସ୍ନେହ ଚକ୍ଷୁରେ ଦେଖୁଥିଲେ—ସେହିପରି ଉଭୟ ପରିବାର ଭିତରେ ମଧ୍ୟ ସମ୍ପର୍କ ଓ ସହୃଦୟତା—ଗୋଟାଏ ଘର ଭଳି ଚଳ ବିଚଳ ।

 

ବାପା ବୋଉଙ୍କ ମନ ଆହୁରି ଖୁସି ହୋଇ ଉଠେ । ବାରମ୍ବାର ତାଙ୍କ ବନ୍ଧୁଙ୍କର ଭ୍ରମ ସ୍ୱୀକାର କରି ବାପା ଏହି ଜାତକ-ଗଳ୍ପର ପୁନରାବୃତ୍ତି କରୁଥାନ୍ତି । ଯଥାବିଧି ନିର୍ବନ୍ଧ, ଦିଅଁ-ନିମନ୍ତ୍ରଣ, ବନ୍ଧୁ–ନିମନ୍ତ୍ରଣ ଗୁଆ-ମହାପ୍ରସାଦ ଚାଳିତ ହୁଏ ଚତୁର୍ଦ୍ଦିଗକୁ । ତହୁଁ ଚାଲେ ବିବାହ ଆୟୋଜନ-ଭଉଣୀମାନେ ଆସନ୍ତି ଆଗରୁ ଲୋଡ଼ା ହୋଇ । ପିଇସୀପୁଅ ଭାଇ ଭୋବନି ଭାଇନା ଆସନ୍ତି ଗାଁଆରୁ ଚୁଡ଼ା, ଚାଉଳ, ପନିପରିବା ଓଗେର ଧରି—ପୁଣି ନାହାକ ଶଙ୍ଖୁଆ ଯଥାକ୍ରମେ ପାଞ୍ଜି ଓ ଶଙ୍ଖ ହାତରେ, ବାରିକ ଆସେ ତା’ର ଖିଅର ସଜ ଘେନି । ଗାଁ-ହେତା ଜମି ବାଡ଼ି ପାଇ ଆଗରୁ ସେ ସବୁ ଖଞ୍ଜା । ପଣ୍ଡା, ମାଳୀ ଯେଝା କାମରେ ସେ ନମଦ ।

 

ସେହିଠାରୁ ଭାଇନାଙ୍କର ଓକିଲାତି ବ୍ୟବସାୟର ଉନ୍ନତି ଘଟେ । ରାମଚଣ୍ଡୀ ସାହିରେ । ଯେଉଁ ଭଡ଼ାଘରେ ଭାଇନାଙ୍କର, ମୋ’ର ପୁଣି ଭଗବତୀର ମଧ୍ୟ ସ୍କୁଲ ପାଠ ପଢ଼ା ହେଉଥିଲା, ସେହି ଯାଗାକୁ ଖରିଦ କରି ନୂଆ ଘର ତୋଳା ହୁଏ । ଅବଶ୍ୟ ଘରଟି ସାନ ଓ ଆମର ମିଳିତ ପରିବାର ପକ୍ଷରେ ଯଥେଷ୍ଟ ନ ଥିଲା ସେତେବେଳେ ।

 

ସଦର-ଥାନା ଭଡ଼ା ଘରେ ଥିବାବେଳେ ମୋ’ର ଯେ ବିବାହ ପୁରୀ ସହରରେ ସମାପନ କରାଗଲା, ତାହା ଆମ ପରିବାର ଇତିହାସରେ ସର୍ବପ୍ରଥମ । ସେ ପର୍ଯ୍ୟନ୍ତ ଗାଁରୁ କିମ୍ବା ଆମ ଘରୁ ଆଉ କେହି ସହରରେ ବିବାହ କରି ନ ଥିଲେ । ଅବଶ୍ୟ ବରଯାତ୍ରୀମାନେ ଆସିଥାନ୍ତି ଗାଁରୁ; ଆଉ ଭଉଣୀ ଭିଣୋଇ ପ୍ରଭୃତି ସେ ଗାଁମାନଙ୍କରେ ରହୁଥିବାରୁ ସେଇଠୁ ଆସନ୍ତି ଲୋଡ଼ା ହୋଇ । ମୋର ଶ୍ୱଶୁରଙ୍କ ଜନ୍ମ ସ୍ଥାନ ସେ କଟକ ଜିଲ୍ଲାର ଗୋଟିଏ ଗାଁ ଚାନ୍ଦପୁର ହେଲେ ମଧ୍ୟ ସେଠାରୁ ଆସି ସେ ପୁରୀରେ ବ୍ୟବସାୟ ଓ ବସବାସ କରିଥାନ୍ତି ।

 

ଉଭୟ ପକ୍ଷର ମୂଳ ବାସସ୍ଥାନ ମଫସଲ ହେଲେ ହେଁ ସହରରେ ବିଭାଘର । ପୁଣି ମୋର ଶ୍ୱଶୁର ସ୍ୱର୍ଗତ ବନମାଳୀ କର ପୁରୀର ଜଣେ ପ୍ରସିଦ୍ଧ ବ୍ୟବସାୟୀ । ଖୁବ୍ ରୋଷଣୀ ଓ ଜାକ୍ ଜମକରେ ବିବାହର ଆୟୋଜନ । ଏଇ ବିରାଟ ନାଟକର ପ୍ରଧାନ ନାୟକ ଏକା ମୁଁ । ମୋତେ ଦେଖିବାକୁ ଆଜି ସାରାସଂସାର ଉଦ୍‍ଗ୍ରୀବ । କବାଟ ଝରକା ସନ୍ଧିରୁ କେତେ ଯେ ଉତ୍ସୁକ ଆଖି, କେତେ ଯେ କୌତୁହଳ ଆବାଳ ବୃଦ୍ଧ ବନିତାଙ୍କର ! କେତେ ଭିଡ଼ ଠେଲାପେଲା ! ତହୁଁ ମନଟା । ମଧ୍ୟ ମୋର କୁଣ୍ଢେ ମୋଟ ! ସାରା ଦୁନିଆଁରେ ଏକାଙ୍ଗ ଚକ୍ରବର୍ତ୍ତୀ ମୁଁ ।

 

ପୁରୀ ସଦର ଥାନା ଗଳିରୁ ବରଯାତ୍ରୀ ବାଜା ବର କାଠସହ ପୁର୍ବମୁଖା ହୋଇ ଶୁଭଯାତ୍ରାରମ୍ଭ । ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ଭିତରକୁ ଚାହିଁଲେ ଦିଶୁଛି ଶ୍ୱଶୁରଘର । ରୋଷଣୀରେ ଚାଲିଥାନ୍ତି ଠାକୁରରାଜାଙ୍କ ହାତୀ, ପାହୁଲ ତାଳରେ ଘଣ୍ଟି ବଜାଇ ବାଦ୍ୟ ବଡ଼କାଠ ସହିତ । ହାତୀ ପିଠିରେ ପାଟଜରି ପୋଷାକ ଜମକ ହେଉଥାଏ ସୂର୍ଯ୍ୟ କିରଣରେ । ସିଂହଦ୍ୱାର ନିକଟରେ ରୋଷଣୀ ଅଟକେ ପତିପାବନଙ୍କ ଦର୍ଶନ ଲାଗି ।

 

ପାଲିଙ୍କି ପାଖରେ ଜଣ କେତେ ସ୍ତ୍ରୀ ପୁରୁଷ ଆସି ନିରୀକ୍ଷଣ କରୁଥାନ୍ତି ମୋତେ । ଆଉ ମୁଁ ମନେ ମନେ ଏହି ଉତ୍ସବ ନାଟ୍ୟର ପ୍ରଧାନ ନାୟକ ଭାବରେ ନିଶ୍ଚୟ ଫୁଲି ଉଠିଥାଏଁ ଗର୍ବରେ । ବାକି ଥାଏ ଅବା ଖାଲି ଫାଟି ପଡ଼ିବାକୁ ! କବିସୂର୍ଯ୍ୟଙ୍କ ରଚନାରେ ଯେମ‌୍‌ତି—ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମୁ ମୋ’ ଚରଣ ତଳ, ଫୁଲିଗଲୁ ଫୁଲ ଲଲାମ ରସିକ— ଲକ୍ଷ୍ୟ କଲି, ଜଣେ ବୃଦ୍ଧା ଆସି ମୋ’ର ଆପାଦ ମସ୍ତକ ସମୁଦାୟ ଅଙ୍ଗକୁ କୌତୁହଳରେ ଚାହିଁ ଚାହିଁ ପାଲିଙ୍କିର ଏ ପାଖରୁ ସେ ପାଖକୁ ଯାଉଥାନ୍ତି—ଆଉ ଶେଷରେ ତାଙ୍କର ମନ୍ତବ୍ୟ ହେଲା—“ଛିଆରେ ! ଏଇ ବୁଢ଼ା ବରଟା ! ବନମାଳୀ କର ତାର ପରା ଝିଅ ପାଇଁ ଶେଷରେ ଏମ‌୍‌ତି ରୋଗଣା ବୁଢ଼ାଟାକୁ ଜ୍ୱାଇଁ କରିବାକୁ ବାଛିଲା । ଆଉ କ’ଣ ପାତ୍ର ମିଳିଲେ ନି କି କେଉଁଠାରେ !

 

ଅଠର ବର୍ଷ ବୟସରୁ ମୁଁ ଯେ ବୁଢ଼ା ହୋଇଯାଇଛି, ମୋର ସାଡ଼ମ୍ବର ସୁସଜ୍ଜିତ ବରବେଶରେ ସୁଦ୍ଧା ଜଣେ ସାମାନ୍ୟ ବୃଦ୍ଧା ମୁଖରୁ ସେ କଥା ଶୁଣି ଦୁଃଖ, କ୍ରୋଧ ପୁଣି ଲଜ୍ଜାରେ ମନେ ମନେ ଏଡ଼େ ଟିକେ ହୋଇ ପଡ଼ିଲି । ସେତେବେଳେ କିନ୍ତୁ ଶିବ ପାର୍ବତୀ ବିବାହର ପ୍ରାଚୀନ ବର୍ଣ୍ଣନା ମନେ ପଡ଼ିଥିଲେ ନିଶ୍ଚୟ ମୁଁ ହସିଥାନ୍ତି —“ଭସ୍ମ କଉପୁନି ଶିରରେ ଜଟା’’ ଲୋଳିତଚର୍ମ ପଳିତମୁଣ୍ଡ ବୁଢ଼ା ବର ସହିତ “ରାଜହଂସୈରିବ ସନ୍ନତାଙ୍ଗୀ ଶିରୀଷ ପୁଷ୍ପାଧିକ—ସୌକୁମାର୍ଯ୍ୟ” ରୂପସୀ ବଧୂ !

 

ବୃଦ୍ଧାଙ୍କର ମୋହ ପ୍ରତି ଏହି ମନ୍ତବ୍ୟର ଅବଶ୍ୟ କାରଣ ଥିଲା ଯଥେଷ୍ଟ । ଅଠର ବର୍ଷ ବୟସରେ ସ୍ୱାସ୍ଥ୍ୟ ଯେଭଳି ରହିବାର କଥା ତାହା ତୁଳନାରେ ମୁଁ ମଳିନ ଓ କ୍ଷୀଣ ଦୁର୍ବଳ ଥିଲି । ପୁଣି ମୋର ଶ୍ୱଶୁର ଘରର ପୁତ୍ର କନ୍ୟାମାନେ ଯେଭଳି ହୃଷ୍ଟପୁଷ୍ଟ ଓ ବଳିଷ୍ଠ ହୋଇଥାନ୍ତି, ଯାହାକୁ କହନ୍ତି–ଦେହରୁ ମାଛି ଖସି ପଡ଼ିଲା ଭଳି ଚେହେରା । ସେମାନଙ୍କ ସହିତ ସମାନ ଭାବରେ ମିଶିବା ବସିବା ପାଇଁ ମୋର ଶାରୀରିକ ସମ୍ବଳର ଅଭାବ ଥିଲା ଅନେକ ।

 

ପୁଣି ସେତେବେଳେ ବ୍ରାହ୍ମଣପରିବାରରେ ଏତେ ବେଶି ବୟସରେ ବୋଧ ହୁଏ ଅଳ୍ପ କେତେ ଜଣ ହତଭାଗ୍ୟ ବିବାହ କରୁଥିଲେ ମୋହ ଭଳି । ଆଉ ମୋର ସ୍ତ୍ରୀଙ୍କ ବୟସ ଥିଲା ‘ଗର୍ଭ-ନଅବର୍ଷ’ ମାତ୍ର; ଅର୍ଥାତ୍ ଯେଉଁଦିନୁ ସେ ମାତୃଗର୍ଭକୁ ଆସିଲେ । ଗର୍ଭରୁ ତା’ପରେ କ୍ରୋଡ଼କୁ ଆସିବା ଦିନୁଁ ବୟସ ଆଠ । ‘ଯୋଡ଼ା’ ବର୍ଷରେ ବିବାହ ନିଷିଦ୍ଧ ବୋଲି ସୁବିଧା ଦେଖି ଏଭଳି ବୟସ-ଗଣନାର ପ୍ରଥା ଅଛି, ପ୍ରଚଳିତ ପୋଥିରେ ।

 

ପରବର୍ତ୍ତୀ କାଳରେ ଦେଖାଗଲା ଶ୍ୱଶୁରଙ୍କ ବଂଶଧରମାନେ ଶାରୀରିକ ଆୟତନରେ ଆମ ପରିବାର ସହିତ ପ୍ରାୟ ସମାନ ହୋଇ ପଡ଼ିଛନ୍ତି । ବୈବାହିକ ଜୀବନରେ ସେଇ ସ୍ୱପ୍ନ ମୋର ଅବଶ୍ୟ ଅଳ୍ପ କାଳ ପାଇଁ ରହେ । “ଅଷ୍ଟବର୍ଷା ଭବେଦ୍ ଗୌରୀ’ଙ୍କ ସହିତ ମୋର ଚିଠିପତ୍ର ଦେଖା ସାକ୍ଷାତ୍ ସବୁ ସେତେବେଳେ ବିନିମୟ ହୁଏ କେବଳ ସିନା ସ୍ୱପ୍ନରେ—ବାସ୍ତବ ସମ୍ଭାବନା ନ ଥିବା ହେତୁ । ପରେ କିନ୍ତୁ ସେ ସ୍ୱପ୍ନ ନିର୍ମମ ବାସ୍ତବତାରେ ପରିଣତ ହୁଏ । ସମ୍ମୁଖରେ ମୋର ଉଭା ହୁଏ ଆସି ସାଂସାରିକ ଦାୟିତ୍ୱ ତୁଲାଇବାର କର୍ତ୍ତବ୍ୟ ।

 

ସେଇ କର୍ତ୍ତବ୍ୟ-ବୋଧଟା କିନ୍ତୁ ଆଜି ସୁଦ୍ଧା ମୋର ଆସିଛି କି ନାହିଁ, ତାହା ବୁଝିବାକୁ ମୁଁ ଅକ୍ଷମ । ଅର୍ଥାତ୍ ବୟସ ବିଚାରରୁ କେତେ ଲୋକଙ୍କର ବୃଦ୍ଧାବସ୍ଥାରେ ସୁଦ୍ଧା ନାଁବାଳକ ଦୂର ହୁଏ ନାହିଁ ବୋଲି ଯେଉଁ ବ୍ୟଙ୍ଗୋକ୍ତି ରହିଛି, ସେଇ ଶ୍ରେଣୀରେ ନିଜକୁ ଅନ୍ତର୍ଭୁକ୍ତ କଲା ଭଳି ନଗଦ ଦୃଷ୍ଟାନ୍ତ ସବୁର ଅଭାବ କିଛି ତ କମ୍ ନୁହେଁ ମୋହ ପକ୍ଷରେ ! ଆଜି ମଧ୍ୟ କିଛି କମ୍ ଭୁଲଭ୍ରାନ୍ତି ବିଚାର-ବିଭ୍ରାଟର ଶୀକାର ହୁଏ ନାହିଁ ତ ମୁଁ !

 

ବାଲ୍ୟ ବିବାହ ପରେ ଯେଉଁ ଦୁର୍ବାକ୍ଷତ ଆଶୀର୍ବାଦ ପର୍ବ ସେତେବେଳେ ଅନୁଷ୍ଠିତ ହେଉଥିଲା, ସେଇ ଉତ୍ସବ ଲାଗି ମୋତେ ସୁଦୀର୍ଘ ଚାରିଟି ବର୍ଷର ଉବ୍ଦେଗ ଉତ୍କଣ୍ଠା ଜୀର୍ଣ୍ଣ କରିବାକୁ ପଡ଼ିଥିଲା—ସେଥି ସଙ୍ଗେ ହୁଏ ତ କିଛି ଖୋରାକ ମିଳେ କଳ୍ପନାର, କବିତା କିମ୍ବା ଗଳ୍ପର । ପୁଣି ଯେଉଁ ତରୁଣ ବୟସର ଉତ୍କଣ୍ଠା ଉଦ୍‍ବେଗର ପ୍ରକୋପରେ ହୁଏ ତ ବାର୍ଦ୍ଧକ୍ୟର ସନ୍ନିକଟ ହୋଇ ସୁଦ୍ଧା ହୃଦ୍ ରୋଗରେ ମୁଁ ମାସ ମାସ ଶଯ୍ୟାଶାୟୀ ହୁଏଁ । ଆଉ ସେଇ ଉତ୍କଟ ଉତ୍କଣ୍ଠା ଫଳରେ ସାଧାରଣ ଭାବପ୍ରବଣତା ମୋର ଅଧିକ ଉଜ୍ଜୀବିତ ଉତ୍ତେଜିତ ହୋଇଥିଲା କି କ’ଣ ! ସେ ସବୁର ପ୍ରକାଶ ଭଙ୍ଗିରେ ମଧ୍ୟ ସେମ‌୍‌ତି ମୋର ମସ୍ତିଷ୍କ ବିକୃତିର ବହୁ ଲକ୍ଷଣ ଆଜି ଲକ୍ଷ୍ୟ କରାଯାଇ ପାରେ ହୁଏତ !

 

ଉତ୍କଣ୍ଠାରୁ କେବଳ ବିରହ ବିଚ୍ଛେଦ ଲାଗି ଦାୟୀ ନ କରି ପାଠ ଓ ପରୀକ୍ଷା ପୁଣି ଅନ୍ଧକାର ମୟ ଭବିଷ୍ୟତର ଭୟ-ଉଦ୍‍ବେଗକୁ ମଧ୍ୟ ହିସାବ ଭିତରେ ନେବା ଉଚିତ । ଆଜି ସୁଦ୍ଧା ଜୀବନର ଶେଷ ପର୍ଯ୍ୟାୟରେ ସେହି ଘୋର ତିମିରାଚ୍ଛନ୍ନ ଅନ୍ତିମତାର ଅଜ୍ଞତା ଭୟ ରୂପରେ କଣ୍ଠରୁଦ୍ଧ କରି ଅଣନିଃଶ୍ୱାସୀ କରି, ହୃତ୍‍ପିଣ୍ଡ କ୍ରିୟାକୁ ନିସ୍ତବ୍ଧ ନିଶ୍ଚଳ କରି ଦେବା ଭୟ ପ୍ରତି ମୁହୂର୍ତ୍ତରେ ରହିଥିଲେ ହେଁ ଏଣିକି ଯେ ଗୋଟାଏ କ୍ୟାପରବାୟ ଭାବ ଆସି ଗଲାଣି । ମନେହେଲାଣି ଉଦ୍‍ବେଗ ଉତ୍କଣ୍ଠା ହିଁ ଜୀବନର ଲକ୍ଷଣ । ତାହାର ଅବସାନ ଅର୍ଥ ଜୀବନ ପ୍ରବାହର କ୍ଷୀଣତା । ଅଥଚ କେତେ ସହଳ ଆସିଯାଏ ବୟସର ବାଦ୍ଧକ୍ୟ ! ମନଟା ଯାହା ତାକୁ ନ ମାନିବାକୁ ଲୋଡ଼େ ଖାଲି ଗାଲୁଭୁରୁଡ଼ିରେ ସିନା !

 

ବିବାହ ପରେ ପୁନର୍ବିବାହ ଲାଗି ଅପେକ୍ଷା କରିବାକୁ ହୁଏ ସୁଦୀର୍ଘ ଚାରିଟି ବର୍ଷ । ‘ବିଭାଘର’ ପରେ ଏହାର ନାମ ଦୁର୍ବାକ୍ଷତ ‘ଆର୍ଶୀବାଦଘର’ । ଆହୁରି କେତେ ମନଗଢ଼ା ଇଂରାଜୀ ଶବ୍ଦ ଭଳି ଇଂରାଜୀ ଶିକ୍ଷିତମାନେ ଏହାକୁ (Remarriage) ଆଖ୍ୟା ଦେଇଥାନ୍ତି । ଆକାଂକ୍ଷା ଔତ୍ସୁକ୍ୟ ଉଦ୍‍ବେଗ ଉତ୍‌କଣ୍ଠାର ଚାରିଶତାବ୍ଦୀ ଭଳି ଚାରିଟି ବର୍ଷ (୩୬୫X୪) = ୧୪୬୦ଦିନ ! ପୁଣି ଦିନରାତି ମିଶି୨୪ ଘଣ୍ଟା ! ସେକ୍‍ସପିଅର କାଳିଦାସଙ୍କଠୁଁ ଆରମ୍ଭ କରି ଭଞ୍ଜ କବିସୂର୍ଯ୍ୟଙ୍କ ପର୍ଯ୍ୟନ୍ତ କାହାକୁ ଆଉ କେଉଁଠୁ ମିଳନ୍ତା ପ୍ରେରଣା ? ସୀତାରାମ, କୃଷ୍ଣ, ଯୁଗେ ଯୁଗେ ଯୁଗଳମୂର୍ତ୍ତିର ବିରହ-ମିଳନ ଭିତରେ ସାହିତ୍ୟ ପ୍ରେରଣାର ଚୂଡ଼ାନ୍ତ ଉତ୍ସ ପ୍ରକୃତି–ପୁରୁଷର ଗହନ ବ୍ୟାଖ୍ୟା ଆସନ୍ତା କାହୁଁ ? ପ୍ରାକୃତ ପ୍ରେମ, ଅପ୍ରାକୃତ ପ୍ରେମ, ଦେଶପ୍ରେମ, ଜାତିପ୍ରେମ— ସେଇ ପ୍ରେମରୁ ପୁଣି ପ୍ରଳୟ—!

 

ମୋର ଏଇ ଦ୍ୱନ୍ଦ ଉତ୍କଣ୍ଠା ଭିତରେ ମଧ୍ୟ ପ୍ରଳୟଙ୍କରୀ ବିଦ୍ରୋହ ବିପ୍ଳବର ଏକ ଝଡ଼ ବୋହୁଥାଏ—ପ୍ରବଳ ଝଡ଼ । ମଣିଷର ଚିନ୍ତାରେ ଉପମହାଦେଶ ଏଇ ଭାରତବର୍ଷର ଆକୁମାରୀ ହିମାଳୟ ସେଇ ଝଡ଼ର ପ୍ରକୋପରେ ଧ୍ୱସ୍ତବିପର୍ଯ୍ୟସ୍ତ ହେବା ଉପକ୍ରମ କରିଥାଏ । ପୁଣି ପୃଥିବୀବ୍ୟାପୀ ସାମ୍ରାଜ୍ୟବାଦକୁ ନିଶ୍ଚିହ୍ନ ନିର୍ମୂଳ କରିବା ପାଇଁ କେବଳ ନୀତିହୀନ ଯୁକ୍ତିହୀନ ବିଚାରଶୂନ୍ୟ ପାଶବିକ ଶକ୍ତିଘେନି ରାକ୍ଷସୀ ଜବରଦସ୍ତି ବଳରେ ମଣିଷ ଉପରେ ମଣିଷର ଅବିଚାର ଅନ୍ୟାୟ ଅତ୍ୟାଚାରକୁ ନୀରବରେ ମୁଁଣ୍ଡ ନୁଆଁଇ ସହିଯିବା ବିରୁଦ୍ଧରେ ଏକ ସ୍ୱର ଟେକିଥାଏ ପ୍ରଚଣ୍ଡ ଅଖଣ୍ଡ ମେଘମହ୍ଲାର – ସ୍ୱର ଉଠିଥାଏ ଅବା ପୃଥିବୀ ପୃଷ୍ଠରେ ଦିବସରାତ୍ରିର ଆଲୋକ ଅନ୍ଧାର ପ୍ରତି ପୃଷ୍ଠାରେ ।

 

ଜଗବନ୍ଧୁ ଓ ଗୋପବନ୍ଧୁ

 

ପ୍ରଥମ ପୃଥିବୀ-ମହାସମର ହିଁ ଉଠାଏ ସେଇ ସ୍ଵର-ମୂର୍ଚ୍ଛନା, ସାମ୍ରାଜ୍ୟବାଦର ଉଚ୍ଛେଦ ବିରୁଦ୍ଧରେ ପ୍ରଚଣ୍ଡ ସ୍ଵର—ଧରାବକ୍ଷର କୋଟି କୋଟି ଦଳିତ ନିଷ୍ପେଷିତ ନରନାରୀଙ୍କର ପ୍ରଳୟଙ୍କର ଚିତ୍କାର ହିଁ । ସେଇ ସ୍ୱରର ସ୍ୱରୂପ ।

 

ବୈବାହିକ ଜୀବନର ପ୍ରଥମ ମିଳନ-ବିଚ୍ଛେଦ ସାଥିକୁ ଅଚ୍ଛେଦ୍ୟ ଅଦାହ୍ୟ ସାମ୍ରାଜ୍ୟବାଦୀ, ଶକ୍ତିଗୋଷ୍ଠୀ ମଧ୍ୟରେ ବିଶ୍ୱବ୍ୟାପୀ ସଂଘର୍ଷ-ଶତ୍ରୁତା । ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଦି ଆଦିମ ବିଚାରରୁ ଦେଶ ଦେଶ ଜାତି ଜାତି ଭିତରେ ବିଭେଦ—ବ୍ୟକ୍ତିଗତ ଓ ବିଶ୍ୱଗତ ପାର୍ଥକ୍ୟ, ଈର୍ଷା, ଦ୍ଵେଷ, ହିଂସା, ଅସହନ ସ୍ଵଭାବ ଭିତରେ ଶୁଣାଯାଏ ପୁଣି ଆକୁମାରୀ- ହିମାଳୟ ବିରାଟ ଭାରତର ମହା ମିଳନର ଉଦାତ୍ତ ବାଣୀ—ସେଇ ବାଣୀ ଭିତରେ ହିଁ ଆପଣାକୁ ବୁଡ଼ାଇଦେବା, ହଜାଇଦେବାର ଏକ ଅଭୂତପୂର୍ବ ବିପୁଳ ଆଗ୍ରହ । ସାମ୍ରାଜ୍ୟବାଦୀ ବିପୁଳ ଶକ୍ତିର ଶିକାର ହୋଇ ପଡ଼ିଥିବା ଦୁର୍ବଳ ନିଃସହାୟ ନିରୁପାୟ ନିରସ୍ତ୍ର ଭାରତବର୍ଷ—ଯୁଗଯୁଗ ବ୍ୟାପୀ ଯାହାକୁ ଛିନ୍ନ ଭିନ୍ନ ବିଦୀର୍ଣ୍ଣ କରିଦେବା ହୋଇଛି ବୈଦେଶିକ ଆକ୍ରମଣକାରୀ ଓ ଅଭ୍ୟନ୍ତରୀଣ ପ୍ରତିକ୍ରିୟାଶୀଳ ଶକ୍ତିସମୂହ ଏକମାତ୍ର କାମ୍ୟ; କେବଳ ଶୋଷଣ ସାହାଯ୍ୟରେ ସ୍ୱାର୍ଥ ସିଦ୍ଧି ହାସଲ କରିବା ଉଦ୍ଦେଶ୍ୟରେ—ତାହାରି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ କି ଉପାଦାନ, କି ଉପାୟ ଅବା ଥାଇ ପାରେ ତା’ର ? ତଥାପି ଯେତିକି ଥାଇପାରେ, ତାହାରି ଉପଯୋଗ କରିବାକୁ ହିଁ ସେ ପ୍ରସ୍ତୁତ ହୁଏ ! ଆକୁମାରୀ ହିମାଚଳ ଜନସମୁଦ୍ର ଭିତରେ ଖେଳିଉଠେ ସେଇ ପ୍ରେରଣା, କେବଳ ସେଇ ଏକଜୁଟ୍ ହେବାର ପ୍ରେରଣା–ଏକ ମନ ଏକ ପ୍ରାଣ ହେବାର ପ୍ରବଳ ଆଗ୍ରହ ।

 

ଜନତାର ସମ୍ମିଳିତ ଶକ୍ତିକୁ ଖାଲି ଟିକିଏ ଜଗାଇଦେବା–ଘମାଘୋଟ ଅନ୍ଧାର ଭିତରେ ପ୍ରାଣକୁ ଟିକିଏ ତେଜି ଦେବାପାଇଁ– ତୈଳହୀନ ଦୀପର କ୍ଷୀଣ ଦୁର୍ବଳ ଶୁଷ୍କ ସଳିତାକୁ ଟିକିଏ ତେଜି ମୁହୂର୍ତ୍ତକ ଲାଗି ସ୍ପଷ୍ଟ ନିର୍ମଳ ଆଲୁଅ କରିଦେବାର ଉପାୟ । ଉପାୟଟା ମିଳି ଯାଇଥାଏ ସେଇ ମୁହୂର୍ତ୍ତରେ । ସେଥିଲାଗି କାହାରି ପ୍ରତି ହିଂସା ନାହିଁ, ଦ୍ଵେଷ ନାହିଁ, ବାଦ ବିବାଦର ପ୍ରଶ୍ନ ନାହିଁ; ଖାଲି ସେଇ ଆଲୁଅଟିକୁ ତେଜି ଦେଇ ଆମେ ଆମର ଆତ୍ମନିରୀକ୍ଷଣ କରିବୁଁ । ଯୁଗ ଯୁଗର ଅତି ପୁରୁଣା, ବହୁ ଭାଷା, ବହୁ ଧର୍ମ, ବହୁ ଜାତି, ବହୁ ମତରେ ଖଣ୍ଡ ଖଣ୍ଡ ହୋଇ । ପଡ଼ିରହିଥିବା ବିକ୍ଷତ ରୂପକୁ ଟିକିଏ ଚାହିଁବା, ଚିହ୍ନିବା–ସେହିଖଣ୍ଡ ଗୁଡ଼ିକୁ ମନେ ମନେ ଯୋଡ଼ିଯାଡ଼ି । ମୁହୂର୍ତ୍ତକ ଲାଗି ଅଖଣ୍ଡ ରୂପରେ ଦର୍ଶନ କରିବାର ନିରୀହ ନିର୍ବେଦ ପ୍ରୟାସମାତ୍ର— ସେତିକିରେ ମିଳିଥାଏ ଘୋର ଅନ୍ଧକାର ଭିତରେ ମୃତ୍-ପ୍ରଦୀପର କ୍ଷୀଣ ଆଲୋକ-ଦୀପ୍ତ ଗମ୍ଭୀର ବେଷ୍ଟନୀରେ ପୂର୍ଣ୍ଣ ଦର୍ଶନ । ଉଛୁଳି ଉଠେ ଘଣ୍ଟାକାହାଳୀ ଶଙ୍ଖବାଦ୍ୟର ନିନାଦ । ନ୍ୟାୟଅନ୍ୟାୟ ସତମିଛର ତଉଲା, ନିଜ ଦେଶ ଯେ ନିଜ ଶାସନାଧୀନରେ ରହିବା ସ୍ଵାଭାବିକ—ବିଦେଶୀ ଶାସନଟା ଅସ୍ଵାଭାବିକ । ଏଇ ସହଜ ସୂତ୍ରଟାର ପ୍ରମାଣ ଦେବାକୁ ଭାରତବ୍ୟାପୀ ସ୍କୁଲ କଲେଜ ଛାତ୍ରମାନେ ଶତସହସ୍ର ସଂଖ୍ୟାରେ ବାହାରି ଆସନ୍ତି ରାଜପଥକୁ । ଦେଶ ମାତୃକାର ଡାକରା—ସେ ଡାକ ଧ୍ୱନିତ ହୁଏ ନେତାମାନଙ୍କ ମୁଖରେ ।

 

ମୁଁ ଜଣେ ଭଲ ଛାତ୍ର ରୂପେ ପୁଣି କ୍ଲାସର ମନିଟର ରୂପେ ଚୁପ୍ ଚୁପ୍ ହୋଇ ରହନ୍ତି କିପରି-? ମୋ ପଛରେ ଚାଲିଲେ ଆମ କ୍ଲାସ ପୁଣି ସ୍କୁଲର ପିଲାମାନେ । ଭାଗ୍ୟର ପରୀକ୍ଷା ହେବ ତୋର ଆଜ, ଲଭିବୁ ତୁ ଯଶ ଅବା ତହିଁ ଲାଜ ।

 

ପୁରୀରେ ସେତେବେଳେ କଂଗ୍ରେସ-ନେତୃତ୍ୱ ନେଇଥାନ୍ତି ଓକିଲ ଜଗବନ୍ଧୁ ସିଂ, ବନମାଳୀ ଦାସ ଆଉ ମୋର ଭାଇନା ପ୍ରମୁଖ । ଭାଇନାଙ୍କ ପାଖକୁ ମୋ’ର ଛାତ୍ରନେତା ଭାବରେ ଯିବା ତ ସମ୍ଭବ ନୁହେଁ । ଚାଲିଲି କେତେ ଜଣ ସାଥୀଙ୍କୁ ଘେନି ବନମାଳୀ ବାବୁଙ୍କ ଘରକୁ । ବନମାଳୀ ବାବୁ ଆମ କଥା ଶୁଣି ପଚାରନ୍ତି, “କେତେ ଜଣ ତୁମେ ସ୍କୁଲ ଛାଡ଼ିବାକୁ ଚାହଁ ?’’

 

“ସମସ୍ତେ”— ଉତ୍ତର ଦେଉ ଆମେ ।

 

ସେ ପୁଣି ପଚାରନ୍ତି, “କ’ଣ ସ୍କୁଲର ସବୁପିଲା ?”

 

“ଆଜ୍ଞା, ହଁ ।”

 

“ଆଚ୍ଛା, ଚାଲ ତେବେ ଜଗବନ୍ଧୁ ବାବୁଙ୍କ ପାଖକୁ ।”

 

ବନମାଳୀ ବାବୁଙ୍କ ପଛେ ପଛେ ଚାଲିଲୁ ଆମେ କେତେ ଜଣ ଛାତ୍ରନେତା ।

 

ଜଗବନ୍ଧୁ ବାବୁ ତାଙ୍କ ଓକିଲଖାନା ଝରକା ପାଖରେ ଚକାପକାଇ ବସିଥାନ୍ତି ସବୁ ଦିନ ପରି । ଟେବୁଲ୍ ଓ ଚୌକି ସବୁ ପଡ଼ିଥିଲେ ମଧ୍ୟ ସେ ପ୍ରାୟ ତଳେ ବସି ଲେଖନ୍ତି । ସେତେବେଳେ ତାଙ୍କ ‘ପ୍ରାଚୀନ ଉତ୍କଳ’ ପ୍ରକାଶ ପାଉଥାଏ ଧାରା ବାହିକ ରୂପେ ମାସିକ ପତ୍ରରେ ।

 

ଚହଳ ପକାଇଥାଏ ପାଠକମହଲରେ, କବି ଜୟଦେବଙ୍କ ଜନ୍ମ ସ୍ଥାନ ପୁରୀ ଜିଲ୍ଲା ବାଲିପାଟଣା ନିକଟବର୍ତ୍ତୀ କେନ୍ଦୁବିଲ୍ଵ ଗ୍ରାମ ବୋଲି ତାଙ୍କର ପ୍ରମାଣ ବାଢ଼ିବା ପ୍ରଣାଳୀ ।

 

ବନମାଳୀ ବାବୁ ତାଙ୍କ ଲେଖାରେ ବ୍ୟାଘାତ ଜନ୍ମାଇ କହିଲେ— “ଏମାନେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ।”

 

“ହଁ—କ’ଣ ହେଲା ?”,ଜଗବନ୍ଧୁ ବାବୁ ତାଙ୍କ ଚଷମା ଭିତରୁ ଆମମାନଙ୍କୁ ନିରୀକ୍ଷଣ କରି ବନମାଳୀ ବାବୁଙ୍କୁ ପଚାରନ୍ତି ।

 

 

“ଏମାନେ ସ୍କୁଲ ଛାତ୍ରସବୁ । ଏକଜୁଟ ହୋଇ ସରକାର ସ୍କୁଲ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗଦେବାକୁ ପ୍ରସ୍ତୁତ ।

 

“ଦିଅନ୍ତୁ, କିଏ ମନାକରୁଛି କି ?” ସେମ‌୍‌ତି ଅଚଳ ମହାମେରୁ ପରି ନିର୍ବିକଳ୍ପ ସମାଧିସ୍ଥ ହୋଇ ଗମ୍ଭୀର ଗଳାରେ ଜଗବନ୍ଧୁଙ୍କ ଉତ୍ତର । ଉତ୍ତେଜିତ ହୋଇ ପଡ଼ନ୍ତି ବନମାଳୀ ବାବୁ ତାଙ୍କ କଥାରେ—

 

“କ’ଣ କହୁଛନ୍ତି ଆପଣ ? ଦେଶବ୍ୟାପୀ କେଉଁଠି ନେତାମାନେ ସରକାରୀ ଛାତ୍ରମାନଙ୍କୁ ସ୍କୁଲ କଲେଜ ଛାଡ଼ିବାକୁ ହିଁ ଆହ୍ୱାନ ଦେଉଛନ୍ତି; ଅଥଚ ଆମ ପାଖକୁ ସେମାନେ ଆସି ପହଞ୍ଚିଲେ ବି ଆମେ ତାଙ୍କୁ ଟିକିଏ ଉତ୍ସାହ ଦେବା ନାହିଁ ! ଏହାଠୁ ବଳି ଆମ ପକ୍ଷରେ ଦୁଃଖ ଆଉ ଲଜ୍ଜାର କଥା କ’ଣ ଥାଇପାରେ ?”

 

ବନମାଳୀବାବୁଙ୍କ କଥାରେ ଅବଶ୍ୟ ଜଗବନ୍ଧୁ ବାବୁଙ୍କ ଚକା ଟିକିଏ ହଲଚଲ୍ ହେଲାନି । କେବଳ ସେମ‌୍‌ତି ଚଷମାତଳୁ ତାଙ୍କୁ ଚାହିଁ ସେ କହିଲେ, “ତେବେ କ’ଣ କହୁଛ ତୁମେ ? ଗୋପବନ୍ଧୁ ବାବୁଙ୍କୁ ଡାକିବା । ସେଇ ଆସିଲେ କ’ଣ କରାଯିବ, କହିଯାନ୍ତୁ ପିଲାମାନଙ୍କୁ । ଏହା ଛଡ଼ା ଆମେ ଆଉ କ’ଣ କରିପାରିବା, ବନମାଳି ? କାଲି ଗୋପବନ୍ଧୁ ବାବୁ ଆସନ୍ତୁ । ପିଲାମାନଙ୍କ କଥା ବୁଝନ୍ତୁ-। କ’ଣ କହୁଛ ?” ବନମାଳୀବାବୁ ରାଜି ହେଲେ । ଆମେ ଫେରିଲୁ ଘରକୁ ।

      

ସବୁରି ମନରେ ଉଦ୍‌ବେଗ । ରାତି ପାହି ସକାଳ ହୁଏ । ସବୁ ଦିନ ଭଳି ସ୍କୁଲଘଣ୍ଟା ବାଜେ, ଦିନ ଦଶଟାରେ ଯେଝା କ୍ଲାସରେ ପଡ଼େ ଉପସ୍ଥିତି । କ୍ଲାସ ଆରମ୍ଭ ହୁଏ, ଶିକ୍ଷକମାନେ ମଧ୍ୟ ଛାତ୍ର-ଆନ୍ଦୋଳନ ସହିତ ପରୋକ୍ଷ ସମର୍ଥନ କଲା ଭଳି ଜଣା ପଡ଼ୁଥାଏ ।

 

ଦେଶବ୍ୟାପୀ ବିପୁଳ ଜାଗରଣ । କିଏ ବା ତହିଁରୁ ଅଲଗା ରହି ଦେଶଦ୍ରୋହୀ ହେବାର ଅବମାନନାକୁ ସାମନା କରିପାରେ ଏମ‌୍‌ତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ–ଲେନିନ୍ ବୋଧହୁଏ ଯାହାକୁ କହିଥିଲେ ବିପ୍ଳବର କିରୋ ଆୱାର (Zero hour) !

 

ପୂର୍ବରୁ ମୋର ବିବାହ କର୍ମ ସମାପ୍ତି ପରେ ଆରମ୍ଭ ହୋଇଥାଏ ନବବଧୂ ମୁଖଦର୍ଶନ ଲାଳସା; କିନ୍ତୁ ତାହା କିଛି ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ ଦେଶବ୍ୟାପୀ ଏଇ ବିପୁଳ ଆହ୍ୱାନ ସମକ୍ଷରେ । ସବୁ କୁଆଡ଼େ ପାଣି ଫୋଟକା ଭଳି ମିଳାଇଯାଏ, ଏଇ ଆବେଗମୟ ସ୍ରୋତସହିତ ।

 

ଗୋପବନ୍ଧୁଙ୍କ ଆସିବା ସମ୍ବାଦ ବିଜୁଳି ବେଗରେ ତମାମ୍ ସ୍କୁଲରେ ବ୍ୟାପିଯାଏ । ମୁଁ ଜଣେ ଭଲ ଛାତ୍ର, କ୍ଲାସ ମନିଟର । ମୁଁ ଯେଣୁ ନେତୃତ୍ୱ ନିଏଁ, “ମହାଜନୋ ଯେନ ତେ ସ ପନ୍ଥାଃ” ମତରେ ଶ୍ରେଣୀର ପ୍ରାୟ ସବୁ ଛାତ୍ର ସହଯୋଗ କରନ୍ତି ସରକାର-ସ୍କୁଲ-ଶିକ୍ଷା ସହିତ ଅସହଯୋଗ ଆନ୍ଦୋଳନରେ । “ଭାରତମାତା କୀ ଜୟ”, “ଗାନ୍ଧୀଜୀକି ଜୟ” ନିନାଦ ସ୍କୁଲ ଗୃହଠାରୁ ସଦରଥାନା ଗଳିବାଟେ ହେରାଗୋହିରି ସାହି “ସାମନ୍ତ ଚନ୍ଦ୍ରଶେଖର ହଲ” ପର୍ଯ୍ୟନ୍ତ ଆକାଶକୁ ନିନାଦିତ କରେ । ଶିକ୍ଷକଙ୍କଠାରୁ ଆରମ୍ଭ କରି ବାଟର ବାଟୋଇ ପର୍ଯ୍ୟନ୍ତ ସମସ୍ତେ ଯେମ‌୍‌ତି ଆମକୁ ସ୍ଵାଗତ କରୁଥାନ୍ତି ସହାସ ବଦନରେ ।

 

ସେଇ ସାମନ୍ତ ଚନ୍ଦ୍ର ଶେଖର ହଲ୍‍ରେ ସଭା ହୁଏ । ଗୋପବନ୍ଧୁ ଦିଅନ୍ତି ଭାଷଣ ଦେଶର ପରସ୍ଥିତି ବୁଝାଇ । ଧୀର-ସ୍ଥିର ଭାବରେ ଛାତ୍ରମାନଙ୍କୁ ନିଜ ନିଜର ଭବିଷ୍ୟତ ବିଚାର କରି ଓ କ୍ଷଣିକ ଉତ୍ତେଜନାରେ ଭାସି ନ ଯାଇ ଯେଝା କର୍ମପନ୍ଥା ବାଛି ନେବାକୁ ତାଙ୍କର ଆହ୍ୱାନ ।

 

“ନାହିଁ ଯଦି ଦେଶପାଇଁ ତ୍ୟାଗ ସ୍ୱୀକାର କରିବାକୁ ଚାହ, ତେବେ ସଂସାର-ଦାୟିତ୍ୱ ଓ ନିଜ ଭବିଷ୍ୟତକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେବାକୁ ହେବ ବିନା ସର୍ତ୍ତରେ । “କିଏ ସବୁ ତୁମେ ରାଜି, ଠିଆ ହେଲ ଦେଖି ?”

 

ଆମ ଭିତରୁ ଜଣେ ମାତ୍ର ଠିଆ ହେଲେ–ମଙ୍ଗୁମଠର ଶ୍ରୀ ଫକୀରଚରଣ ପାଣ୍ଡେ ।

 

ସ୍ଵାଭାବିକ ପରିହାସ ସ୍ୱରରେ ଦାଶେ ଆପଣେ କହନ୍ତି—“ତା’ ହେଲେ ଏକଶ୍ଚନ୍ଦ୍ର ସ୍ତମୋ ହନ୍ତି, ନଚ ତାରଗଣୈରପି।” ସମସ୍ତେ ହୋ ହୋ ହସି ଉଠିଲେ ।

 

ଗୋପବନ୍ଧୁଙ୍କ ଭାଷଣ ଶୁଣି ଆମେ ସବୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଁ । ସେଥି ସଙ୍ଗେ ମୋର ପଢ଼ିବା ସ୍ପୃହା ବଳବତ୍ତର ହୋଇ ଉଠେ, ଅବଶ୍ୟ ପାଠ୍ୟ-ପୁସ୍ତକ ନୁହେଁ । ଅନ୍ୟାନ୍ୟ ଇଂରାଜୀ ସାହିତ୍ୟ ଓ ଇଂରାଜୀ ମାଧ୍ୟମରେ ଫରାସୀ ଜର୍ମାନୀ ଆଦି ଶ୍ରେଷ୍ଠ ସାହିତ୍ୟ ପୁରୀଜିଲ୍ଲା ସ୍କୁଲ ଲାଇବ୍ରେରୀରୁ ଆଣି ମୁଁ ରାତାରାତି ଅନିଦ୍ରା ହୋଇ ପଢ଼େଁ । ଅଭ୍ୟାସ କରେ ନାସ–ଧୂଆଁପତ୍ରର ଅନ୍ୟ ସଂସ୍କରଣ । ଘରେ ବାପା ଓ ଭାଇନାଙ୍କର ଥିଲା ସେଇ ଅଭ୍ୟାସ । ତେଣୁ ମୋ’ ପକ୍ଷରେ ତାହା ଗ୍ରହଣ କରିବା କଷ୍ଟକର ହେଲାନାହିଁ । ବହୁ କାଳୁଁ ସେ କୁ-ଅଭ୍ୟାସ ଛାଡ଼ି ଏବେ ମୋର ରାତି ଅନିଦ୍ରା ଅଭ୍ୟାସରେ ପଡ଼ିଯାଇଛି।

 

ଗ୍ୟେଟେଙ୍କର “ଇଲେକ୍ଟ୍ରିଭ ଏଫିନିଟି” ଓ ‘‘ଫାଉଷ୍ଟ” ପୁଣି ହ୍ୟୁଗୋଙ୍କର “ଲା-ମିଜରେବ୍ଲସ୍, “ହିଞ୍ଚ୍ ବ୍ୟାକ୍’’ ସହ କାଳିଦାସଙ୍କ “କୁମାର ସମ୍ଭବ” ରାତି ତମାମ୍ ବସି ପଢ଼ିଛି । ଅନ୍ଧାରରେ ଲୁଚି ଯାଇଥିବା ଆକାଶଟା ଝରକା ବାଟେ ଆସ୍ତେ ଆସ୍ତେ ଫସର ଫାଟି ନିର୍ମଳ ହୋଇ ଦେଖାଦିଏ, କୁଆଁତାରା ଉଠି କୁଆ ଡାକେ ଆସି କା— କା— । କୋଇଲି କୁ କୁ ଡାକି ଉଡ଼ିଯାଏ । ସେତେବେଳେ ମନଟା ମୋର ନାଚଉଠେ—ଯେମ‌୍‌ତି ଅବା ମୁଁ ଜୟ କରଛି । ଗୁଡ଼ାକେଶ ସବ୍ୟସାଚୀଙ୍କ ଭଳି ନିଦ୍ରାକୁ, ସ୍ୱପ୍ନକୁ, ରାତି ପୁଣି ଅନ୍ଧକାରକୁ !

 

ଜଗବନ୍ଧୁ ଓ ଗୋପବନ୍ଧୁ ଙ୍କ କଥା ଲେଖିସାରିବା ପରେ ଏକ ଅପ୍ରତ୍ୟାଶିତ ବିସ୍ମୟକର ଘଟଣା–ଛାତ୍ର ସମିତିର ଅନ୍ୟତମ ସମ୍ପାଦକ ବନ୍ଧୁ ହୃଦାନନ୍ଦ ମହାନ୍ତିଙ୍କଠାରୁ ଅଚାନକ ଏକ ପତ୍ର ପାଏଁ , ପତ୍ରଖଣ୍ଡି ମୋତେ ଅଭିଭୂତ କରି ପକାଏ ଗଭୀର ବିସ୍ମୟରେ ।

 

ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧକାଳ ହୃଦାନନ୍ଦ କେଉଁଠି ଥିଲେ, କ’ଣ କରୁଥିଲେ, ତାହା ଜାଣିବାର ସୁଯୋଗ ମୋର ନ ଥିଲା । ଚିଠିଖଣ୍ଡିକ ପାଇ ତତକ୍ଷଣାତ୍ ଟେଲିଫୋନ୍ କରେଁ ଅନ୍ୟତମ ସହପାଠୀ ବାଲ୍ୟବନ୍ଧୁ କଟକର ଆଡ଼ଭୋକେଟ୍ ଶ୍ରୀ ସଦାଶିବ ମିଶ୍ରଙ୍କୁ । ସେ ମଧ୍ୟ ବିସ୍ମିତ ହୋଇ ପଚାରନ୍ତି— “ହୃଦାନନ୍ଦ କ’ଣ ବଞ୍ଚିଛି ?”

      

ହସି ଦେଇ କହିଲି, “ହଁ, ପୁରୀଜିଲାର ସେଇ ଆମ ସ୍କୁଲ ସହଧ୍ୟାୟୀ “ଛାତ୍ର ସମିତି”ର ହୃଦାନନ୍ଦ ।“

 

ହୃଦାନନ୍ଦ ଚିଠିଖଣ୍ଡି ଲେଖିଛନ୍ତି ଭୁବନେଶ୍ୱରରୁ—

 

ଚିଠିର ତାରିଖ ତା ୨୪ । ୭ । ୭୨

 

ଲେଖିଛନ୍ତି ସେ— କୌଣସି ସମ୍ବୋଧନ ନ କରି ନିଶ୍ଚୟ ଖୁବ୍ ସନ୍ତର୍ପଣ ଓ ସମ୍ଭ୍ରମରେ–

 

“ବହୁଦିନୁଁ ଭାବୁଛି, ଖଣ୍ଡେ ଚିଠି ଲେଖିବି ବୋଲି । ପୁଣି ଭାବେଁ, ସେ କେଉଁଠି ମୁଁ କେଉଁଠି—ଆକାଶ—ପାତାଳ ପ୍ରଭେଦ । ଚିଠି ଦେଇ ଲାଭ କ’ଣ ? ଖବର କାଗଜରେ ପଢ଼େଁ , କେତେ ଲୋକ ଚନ୍ଦ୍ର ଲୋକକୁ ଗଲେଣି । ଏ ତ ପୁଣି ସମ୍ଭବ ହେଲା— ମୁଁ ଖଣ୍ଡେ ଚିଠି ଦେବି ଉତ୍ତର ନ ପାଇବି । ଏଥିପାଇଁ ଦୁଃଖିତ କାହିଁକି ହେବି ?

 

କାହିଁ ଶ୍ରୀକୃଷ୍ଣ ଦ୍ୱାରକାଧିପତି, କାଇଁ ଭିକ୍ଷୁକ ସୁଦାମା, ଏମାନଙ୍କର ତ ପୁଣି ସାକ୍ଷାତ୍ ହେଲା—କେଜାଣି ଏପରି ଯଦି ହୋଇଯାଏ—ଖବର କାଗଜ ଡାକ ପକାଉଛି—ସାମ୍ୟବାଦ—ବଡ଼ଲୋକ ସବୁ ମଟରଗାଡ଼ିରେ ଧୂଳି ଉଡ଼ାଇ ଡାକ ଦେଉଛନ୍ତି— ସାମ୍ୟବାଦ; ରାଜପଥରେ—ଗରିବ ଭିକାରୀ—ଶୁଣୁଛି ମାତ୍ର ।”

 

“ପଚାଶ ବର୍ଷ ତଳର କଥା, ବୋଧହୁଏ ୧୯୨୦ ମସିହା : ବ୍ରାହ୍ମଣସମିତି ପାଖ ଚନ୍ଦ୍ର ଶେଖର ହଲ୍‍ରେ—ପଣ୍ଡିତ ଗୋପବନ୍ଧୁ, ଜଗବନ୍ଧୁ । ସିଂହ ପ୍ରଭୃତିଙ୍କ ନେତୃତ୍ୱରେ ଜାତୀୟ ବିଦ୍ୟାଳୟର ପ୍ରସ୍ତାବ ମନେ ଅଛି କି ନା, ମୁଁ କହି ପାରିବିନାହିଁ ।’’

 

ବିଶ୍ୱନାଥ ଖୁଣ୍ଟିଆ, ବିଶ୍ୱନାଥ ମିଶ୍ର, ପୂର୍ଣ୍ଣାନନ୍ଦ ମହାନ୍ତି, ତୁମ୍ଭେ ଓ ମୁଁ ସମୁଦ୍ରକୂଳ ବି. ଏନ୍. ଆର ହୋଟେଲ ରାସ୍ତାରେ ଯିବା ସମୟରେ ଜଣେ ବଦେଶୀ – ପୂର୍ଣ୍ଣାନନ୍ଦ ହସିବାରୁ ଏକ ଥାପଡ଼ ପକାଇଲା । ସଙ୍ଗେ ସଙ୍ଗେ ଫେରି ହେଡ଼ ମାଷ୍ଟରଙ୍କୁ କହିଲୁଁ । ସେତେବେଳେ ହେଡ଼୍ ମାଷ୍ଟର ପୁରୀ ଜିଲା ସ୍କୁଲର ଉପେନ୍ଦ୍ର ନାରାୟଣ ଦତ୍ତଗୁପ୍ତ ।

 

କିଏ କୁଆଡ଼େ ଗଲେଣି, କେବଳ ମୁଁ ଶୁଣେ ସଦାଶିବ ମିଶ୍ର କଟକରେ ଆଡ଼ଭୋକେଟ୍ ହୋଇଛନ୍ତି । ଆଉ ପଦ୍ମଭୂଷଣ କଳିନ୍ଦୀଚରଣ ପାଣିଗ୍ରାହୀ ସାହିତ୍ୟିକ ।

 

ସେଦିନ ରେଡ଼ିଓରୁ ଶୁଣିଲି, “ମାଂସର ବିଳାପ ‘। “ମାଟିର ମଣିଷ’’ ମୁଁ ପଢ଼ିଥିଲି ।

 

ଏବେ ଖବରକାଗଜରେ ପଢ଼ିଲି ଓ ଜାଣିଲି—ନନ୍ଦିନୀ ଶତପଥୀ ତୁମ୍ଭର ଝିଅ । ଯଦି ସେ ପରଗୋତ୍ରୀ ତଥାପି ତ ଝିଅ । ଏଟା ନିଶ୍ଚୟ ଆମ୍ଭମାନଙ୍କର ଗୌରବ । କାହିଁ, ପୁଅ କଥା ତ କିଛି ଜାଣି ପାରୁନାହିଁ ।

 

ଏଣିକି ମୋ କଥା ଦି’ପଦ ଲେଖିବି । ସାମାନ୍ୟ କମ୍ପାଉଣ୍ଡରୀ ପଢ଼ି ଅଠର ବର୍ଷ ଚାକିରି କରି ପେଟ ନ ପୋଷିବାରୁ ଏହ ଭୁବନେଶ୍ୱରଠାରୁ ଚାକିରି ଇସ୍ତଫା ଦେଇ ପାଣି କାଦୁଅ ଚକଟି ଚାରି ପୁଅ ଚାରି ଝିଅର ବାପା ମୁଁ । ଅବଶ୍ୟ ଝିଅମାନେ ବିଭା ହୋଇ ଗଲେଣି । ଗୋଟିଏ ପୁଅ, ପୋଷ୍ୟ ପୁଅ ହୋଇ ଆମ ଗାଁରେ । ଅନ୍ୟ ତିନିଟି ଏହି କ୍ୟାପିଟାଲରେ ଅଛନ୍ତି” ଇତ୍ୟାଦି ।

 

ଚିଠି ଖଣ୍ଡି ପାଇ ସଙ୍ଗେ ସଙ୍ଗେ ତାଙ୍କୁ ମୁଁ ଜଣାଏଁ, ଆମେ ସ୍କୁଲଛାତ୍ର ଥିବା ସମୟରେ ତାଙ୍କ ସ୍ମୃତିକଥା ମୋତେ ଲେଖିବାକୁ । ଉତ୍ତରରେ ସେ ଲେଖିଛନ୍ତି—

 

“ମୋ ଦେହ ସବୁ ସମୟରେ ଭଲ ରହୁନାହିଁ । ସେଥିପାଇଁ ଚିଠିର ଉତ୍ତର ଦେବା ଡେରି ହେଲା ।’’

 

“ହଁ, ପଚାଶ ଷାଠିଏ ବର୍ଷ ତଳର କଥା, କ’ଣ ମନେ ପଡ଼ୁଛି ଲେଖିବି—‘ଛାତ୍ର ଦର୍ପଣ’ ବାରଖଣ୍ଡଯାକ ନନ୍ଦକିଶୋର ବଳଙ୍କୁ ଅନୁରୋଧ କରି ଦେଇଥିଲେ । ସେ ବାଛି କେତୋଟି କବିତା ଓ ଗଦ୍ୟ ଠିକ୍ କରିଥିଲେ—ତାହାହିଁ ବୋଧହୁଏ ପ୍ରଥମ ଓ ଶେଷ ଛପା ସସ୍କରଣ— ଯେଉଁଥିରେ କି ତୁମ୍ଭେ ପ୍ରଥମ ଓ ମୁଁ ଦ୍ୱିତୀୟ ପୁରସ୍କାରରେ ତାଙ୍କରିଦ୍ୱାରା ପୁରସ୍କୃତ ହୋଇଥିଲେଁ । ସେଇ ବହିରୁ ଖଣ୍ଡିଏ ମିଷ୍ଟର ଦାସଙ୍କୁ ତୁମେ, ମୁଁ, ସଦାଶିବ, ଆଉ କିଏ ମନେ ପଡ଼ୁ ନାହିଁ – ପୁରୀ “ଶୈଳବାଳା” ଭବନ ଷ୍ଟେସନ ପାଖ କୋଠାକୁ ଯାଇଥିଲେଁ । ସେ “ଛାତ୍ର ଦର୍ପଣ”କୁ ଦେଖି ପଚାରିଥିଲେ—ଦର୍ପଣର ସୃଷ୍ଟି କେବେହେଲା ? କେହି କହିପାରି ନଥିଲେ । ସେ କ’ଣ ଉତ୍ତର ଦେଇଥିଲେ ମନେ ନାହିଁ ।

 

ବାର୍ଷିକ ଉତ୍ସବ ଚନ୍ଦ୍ରଶେଖର ହଲରେ ହେଲା—ସଭାପତି ନନ୍ଦକିଶୋର ବଳ, ଦର୍ଶକ ଖୁବ କମ୍ । ଆମ୍ଭେମାନେ ଚିନ୍ତିତଥିଲେଁ । ଏ ସମୟରେ ଉତ୍କଳମଣି ଗୋପବନ୍ଧୁ, ତାଙ୍କର ସହକର୍ମୀମାନେ ହଠାତ୍ ପହଞ୍ଚିଗଲେ । ହଲ୍ ଭରପୂର ହୋଇଗଲା ।

 

ବୟସ ବା’ସ୍ତରି, ହାତ ଥରିଲାଣି, ଆଖିକୁ ଭଲ ଦିଶୁନାହିଁ, କାନକୁ ଭଲ ଶୁଭୁନାହିଁ,—ଭଲ ଜୀର୍ଣ୍ଣ ହେଉନାହିଁ—ତଥାପି ପିଲାଙ୍କଭଳି ସବୁ ଖାଇବାକୁ ଇଚ୍ଛା ।

 

ତୁମ ଜୀବନୀର କିଛି ଅଂଶ ଆମ୍ଭମାନଙ୍କ କଥା ଲେଖିବ ଓ ଖଣ୍ଡେ ବହି ପାଇବି–ଏ ଅପେକ୍ଷାରେ ବିରହିଣୀ ରାଧା କୃଷ୍ଣ ଦର୍ଶନ ପାଇଁ ଉଜାଗର ହୋଇ ବସିଛି । ଯଦି ଏ ମଧ୍ୟରେ ଖସିଯାଏଁ, ମୋ ନାମରେ ଉତ୍ସର୍ଗ କରି ମହାନଦୀରେ ବିସର୍ଜନ କରିଦେବ । ସଦାଶିବ ପାଖ ସଙ୍ଗେ ସଙ୍ଗେ ଫୋନ କଲ । ସେ ମଧ୍ୟ ଆଶ୍ଚର୍ଯ୍ୟ ହେଲା । ମୁଁ ଜାଣେ, ସେ ଆଡ୍‌ଭୋକେଟ୍ ହୋଇଛି, ସେପରି କିଛି ମକଦ୍ଦମା ପଡ଼ିନାହିଁ । ସେମାନେ ତ ବିନା ଫିସ୍‍ରେ କଥା କହନ୍ତି ନାହିଁ, ତେଣୁ ମୁଁ କେଉଁ ସାହସରେ ତାକୁ ମୋ କଥା ଜଣାଇବି ।

* * *

ବାପାଙ୍କ ନାମରେ ଘରର ନାଁ ଦେଇଛି, ମୁଁ ପୂର୍ଣ୍ଣାନନ୍ଦଠାରୁ ଜାଣିଥଲି—ବହୁତ ଥର କଟକ ଯାଉଛି, କେବେ ଗଲେ ଘର ଓ ତୁମ୍ଭଙ୍କୁ ଦେଖିଆସିବି ।

 

ହଉ ଥାଅ ଭାଇ କାଳିନ୍ଦୀ

ଆଜି ଏତିକି,

ଅଭାଗା

ହୃଦାନନ୍ଦ ।

 

ହୃଦାନନ୍ଦଙ୍କ ଚିଠି ଦୁଇଖଣ୍ଡି ଫିଟାଇଦିଏ, ପୁଣି ବିସ୍ମୃତିର କେତେ ରୁଦ୍ଧ କବାଟ । ହେରାଗୋହିରି ସାହି ଭଡ଼ା ଘରେ ଥାଉଁ ଆମ ପରିବାର, ସେଇଠୁଁ ମ୍ୟୁନସିପାଲିଟି ମାର୍କେଟ୍ ଯିବା ଛକ ଉପରେ ସ୍ୱର୍ଗତ ଓକିଲ ବ୍ରହ୍ମାନନ୍ଦବାବୁଙ୍କ ଘରେ ରହୁଥାନ୍ତି ତାଙ୍କ କୁଟୁମ୍ବଭାଇ ହୃଦାନନ୍ଦ ।

 

ଅଳ୍ପ କେତେକ ପାହୁଣ୍ଡରେ ସାମନ୍ତ ଚନ୍ଦ୍ରଶେଖର ହଲ୍ । ସେଦିନ ଅମ ଛାତ୍ରସାହିତ୍ୟ ସମିତିର ବାର୍ଷିକ ଉତ୍ସବରେ ଉତ୍କଳମଣି ଗୋପବନ୍ଧୁ ତାଙ୍କ ସହକର୍ମୀମାନଙ୍କ ସହିତ ଦୈବାତ୍ ପହଞ୍ଚିବା କଥା ହୃଦାନନ୍ଦ ଉଲ୍ଲେଖ କରିଛନ୍ତି । ସେଇ ଥର ଗୋପବନ୍ଧୁ ତାଙ୍କ ଭାଷଣରେ କହିଲା ଭଳି ଅନ୍ଦାଜ ହୁଏ—

 

“ତୁମେ ସବୁ ପ୍ରକୃତରେ ଓଡ଼ିଆ ସାହିତ୍ୟ ଚର୍ଚ୍ଚାକରିବାକୁ ଯଦି ଆଗ୍ରହୀ ଥାଅ, ପ୍ରତି ଦିନ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ । ନ ବୁଝି ପାରିଲେ ବାରମ୍ବାର ପଢ଼, ଭାଷା ଅତି ସରଳ; କିନ୍ତୁ ଭାବ ସେଡ଼ିକି ଗଭୀର । ସାହିତ୍ୟ ତାହାକୁ ହିଁ ବୁଝାଏ, ଯାହା ସାକ୍ଷର ନିରକ୍ଷର ସବୁରି ପ୍ରାଣକୁ ଛୁଇଁପାରେ, ଯାହା ମଣିଷ ଜୀବନକୁ ଗଢ଼େ; ତା’ଭିତରେ, ପ୍ରାଣସଞ୍ଚାର କରେ । ଅଭ୍ୟାସ ନ କଲେ ପାଠ ହୁଏନି କି ସାହିତ୍ୟ ହୁଏନି; ଏକାଦଶ ସ୍କନ୍ଧ ଭାଗବତ ଖଣ୍ଡି ପ୍ରତିଦିନ ତୁମେ ପଢ଼, ଯେତିକି ଥର ପଢ଼ୁଥିବ, ସେତିକି ରସ ପାଇବ ତହିଁରୁ; ନଅଟି ଅକ୍ଷରରେ ଗୋଟିଏ ପଦ, ପଢ଼ିବାକୁ ଯେତିକି ସହଜ, ସେତିକି ସୁଖ ।”

 

ଏମ‌୍‌ତି ସେଦିନ “ଦାଶେ ଆପଣେ”ଙ୍କର କେତେ କଥା, କେତେ ଉପଦେଶ ଏ କାନରେ ପଶି ସେ କାନରେ ବାହାରିଯାଏ । ତାଙ୍କ ଉପଦେଶ ମାନି ଚଳିଥିଲେ ଆଜି ଘରଦ୍ୱାର କରି ରହିଥାନ୍ତି କେଉଁଠି ? ଅଦ୍‍ଭୁତ ଚରିତ୍ର “ଅବଧୂତ” ହୋଇ ବୁଲନ୍ତି ସିନା ! –

 

“ଆହାରେ ଭଲ ମନ୍ଦ ନାହିଁ

ଯେ ସ୍ଥାନେ ଯେମନ୍ତ ମିଳଇ

ଅଳପ ବହୁତେ ସନ୍ତୋଷ

ନ ମିଳେ କରେ ଉପବାସ ।”

 

ଶେଷରେ ଉପବାସ କରି ମଧ୍ୟ ସନ୍ତୁଷ୍ଟ ରହିବାକୁ ଉପଦେଶ ! ଗୋପବନ୍ଧୁଙ୍କ ପରାମର୍ଶରେ ଦୁନିଆର ମଣିଷ ଯଦି ଅବଧୂତ ଚରିତ୍ରକୁ ଅନୁସରଣ କରନ୍ତେ, ତା’ହେଲେ ତ ଯେ କୌଣସି ଦଳର ସରକାର ହେଣ୍ଡିମାରି ଯାବତ୍ ଚନ୍ଦ୍ର ର୍କେ ଦେଶଶାସନ କରୁଥାନ୍ତେ ମହାସୁରୁଖୁରୁରେ, ! ନିଜେ ମଧ୍ୟ ଦାଶେ ଆପଣେ ଦୈନିକ ଏକାଦଶ ସ୍କନ୍ଧ ଭାଗବତ ପାରାୟଣ କରି ସ୍ଵାଧୀନତା ସମରରେ ଝାସଦେଲେ କାହିଁକି ? କାହିଁକି ପରଦୁଃଖ ଦେଖି ଗଡ଼ାଇଲେ ଏତେ ଲୁହ ?

 

ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଣି ସେଇ କୃଷ୍ଣାର୍ଜୁନ ସମ୍ବାଦ ଗୀତାରହସ୍ୟ ଉଦ୍‍ଘାଟନ କରିବା କଥା ଉଠେ —“ଭଣଇ ଦାସ ଜଗନ୍ନାଥ, କୃଷ୍ଣଚରିତେ ଭାଗବତ ।” ଗୀତାରହସ୍ୟର ଉଦ୍‍ଘାଟକ ସେଇ ଶ୍ରୀକୃଷ୍ଣ ମହାଭାରତ ଆରମ୍ଭ ଯୁଗରୁ ଗୋପବନ୍ଧୁ-ଗାନ୍ଧୀ-ବିନୋବାଙ୍କ ଯୁଗପର୍ଯ୍ୟନ୍ତ ସାରଥି ହୋଇଛନ୍ତି ଅବା ନବଭାରତ-ନନ୍ଦିଘୋଷର ।

 

ଓଡ଼ିଆ ଭାଗବତ ସଷ୍ଟା—କୃଷ୍ଣଚରିତକୁ ଏ ରାଜ୍ୟର ଘରେ ଘରେ ଭାଗବତଟୁଙ୍ଗି, ଭାଗବତଗାଦି, ଭାଗବତ ମେଳନ, ଭାଗବତ ପାରାୟଣ ମାଧ୍ୟମରେ ପ୍ରତିଷ୍ଠା କରିଯାଇଥିବା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ନୂତନ ପ୍ରତିମୂର୍ତ୍ତିର ପ୍ରତିଷ୍ଠା କରାଯାଏ ପୁରୀ ସାତଲହଡ଼ି ମଠର ନବନିର୍ମିତ ମନ୍ଦିରରେ ୨୩ । ୯ । ୧୯୭୨ ତାରିଖ ଭାଦ୍ରପୂର୍ଣ୍ଣିମାରେ । “ସମାଜ” ପତ୍ରିକାର ସମ୍ପାଦକ ଓ ସ୍ୱର୍ଗତ ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପ୍ରିୟ ଶିଷ୍ୟ ଶ୍ରୀ ରାଧାନାଥ ରଥ ସଭାପତି । ମୁଁ ଥିଲି ଉଦ୍‌ଘାଟକ ।

 

ଜଗନ୍ନାଥ ଦାସଙ୍କ “ଭାଗବତ” ଯେ ଗୋପବନ୍ଧୁ ନେତୃତ୍ୱର ଶ୍ରେଷ୍ଠ ପ୍ରେରଣା ଥିଲା, ତାହା ମୋର ଭାଷଣରେ ମୁଁ ଉଲ୍ଳେଖକରି ପାରେଁନାହିଁ, କିନ୍ତୁ “ବହୁଜନହିତାୟ, ବହୁଜନସୁଖାୟ” ଲାଗି ଜଗନ୍ନାଥ ଦାସଙ୍କ ସରଳ ମଧୁର ନବାକ୍ଷରୀ ଛାନ୍ଦରେ ରଚିତ ଭାଗବତ ସବୁଠାରୁ ବେଶି ଲୋକ ପଢ଼ିବା ଶୁଣିବା ବିଚାରରୁ ତାହା ଓଡ଼ିଆ ସାହିତ୍ୟର “ହୃତ୍‌ପିଣ୍ଡ” ବୋଲି ଉଲ୍ଲେଖ କରେଁ । ମଣିଷର ହୃତ୍‍ପିଣ୍ଡ ରୁଗ୍‍ଣ ହେଲେ ଆଜିର ବୈଜ୍ଞାନିକ ଅସ୍ତ୍ରୋପଚାର କରି ତାହା ବଦଳରେ ଅନ୍ୟ ହୃତ୍‍ପିଣ୍ଡ ରୋପଣଦ୍ୱାରା ପ୍ରାଣଶକ୍ତି ଅବ୍ୟାହତ ରଖେ । ମାତ୍ର ଓଡ଼ିଆ ସାହିତ୍ୟର ଏଇ ହୃତ୍‌ପିଣ୍ଡ ଚିରଭାସ୍ୱର—ଓଡ଼ିଆନାଡ଼ିର ସ୍ପନ୍ଦନ ଓ ନିଃଶ୍ୱାସ ପ୍ରଶ୍ୱାସ ଭଳି ଏହା ଅବ୍ୟୟ, ଅକ୍ଷର । ପୁରୀ ରାମଚଣ୍ଡୀ ସାହିର କିନ୍ତୁ ସେଇଘରେ–ଯେଉଁଠି ଆଜି ବି ଭାଗୁର ପରିବାର ରହନ୍ତି —ସେଇ ଘର ଚାଳଛପର ଥିବା ଅବସ୍ଥାରେ ଭଡ଼ାନେଇ ବାପାଙ୍କ ଆଇନ୍ ବ୍ୟବସାୟ ଚାଲେ । ସେଇଠି ଭଇନା, ଭାଗୁ ଓ ମୁଁ ସ୍କୁଲକୁ ଯାଉଁ ଛାତ୍ରଭାବରେ । ସେଇ ଘର ପୁଣି ଖରିଦ୍ କରି ଭାଇନାଙ୍କ ଓକିଲାତି, ମୋର ବ୍ୟାଙ୍କଚାକିରି; ଭାଗୁର ବିବାହକର୍ମ ସେଇଠାରେ ।

 

ସେଇ ଘର ଦାଣ୍ଡପିଣ୍ଡାରେ ବସି ବାପା ଆଲୋଚନା କରନ୍ତି, ତାଙ୍କ ବନ୍ଧୁମାନଙ୍କ ସହିତ ଭାରତୀୟ ଧର୍ମଦର୍ଶନ । ବଙ୍ଗର ପ୍ରଖ୍ୟାତ ବୈଷ୍ଣବ ଅତୁଲ୍ୟକୃଷ୍ଣ ଗୋସ୍ୱାମୀ ଆସି ବାଲ୍ୟଲିଳାର ସଂସ୍କୃତ ଶ୍ଳୋକ ଆବୃତ୍ତିପରେ ବୟାନ କରନ୍ତି ତା’ର ତାତ୍ପର୍ଯ୍ୟ—

 

ସ୍ଵୟଂ ବ୍ରହ୍ମାଣ୍ଡଠାକୁର ହୋଇ ବାଳକୃଷ୍ଣ କାହିଁକ ସାଧାରଣ ମନୁଷ୍ୟ ଶିଶୁଭଳି ନିଜପାଦର ବୃଦ୍ଧାଙ୍ଗୁଳି ଟେକି ଓଷ୍ଠରେ ଲୋହନ କରନ୍ତି ? ଏଇ ପ୍ରଶ୍ନର ଉତ୍ତର ପୁଣି–

 

ଭଗବାନଙ୍କ ମନରେ ସନ୍ଦେହ ମଧ୍ୟ ! ସେ ପରୀକ୍ଷାସ୍ଵରୂପ ବିଚାରନ୍ତି— ମୋର ଏଇ ବୃଦ୍ଧାଙ୍ଗୁଳିରେ କି ସ୍ଵାଦ ଅଛି ଯେ, କୋଟି କୋଟି ଭକ୍ତ ତାହାର ରେଣୁ ନେଇ ମୁହଁରେ ମୁଣ୍ଡରେ ଲଗାନ୍ତି !

 

କଲିକତାର ମଇମନମ୍ ସିଂ ମହାରାଜା ମନୀଦ୍ର ଚନ୍ଦ୍ର ନନ୍ଦୀ ମଧ୍ୟେ ମଧ୍ୟେ ଅତୁଲ୍ୟକୃଷ୍ଣଙ୍କ ସହିତ ଆସି ବାପାଙ୍କ ପାଦରେ ମୁଣ୍ଡ ଲଗାନ୍ତି । ବୃଦ୍ଧ ବୟସରେ ସୁଦ୍ଧା ତାଙ୍କର ଗୌରବର୍ଣ୍ଣ ସୁନ୍ଦର ଚେହେରା ଆଖିଆଗରେ ଆଜି ଭାସିଉଠେ । ପିନ୍ଧାଲୁଗାର କୁଞ୍ଚ ଫେର ନିର୍ମଳ ଚିକ୍ ଚିକ୍ କଳା ପମ୍ପଯୋତାଭିତରେ ଅର୍ଦ୍ଧେକ ଆଚ୍ଛନ୍ନ ଧବଳପାଦ ଦୁଇଟି ଉପରେ ଲୋଟୁଥାଏ, ପୁଣି ହାରଭଳି ଝୁଲୁଥାଏ ସେମ‌୍‌ତି ଫିନ୍ ଫିନ୍ ପତଳା କୁଞ୍ଚ ଚାଦର ସ୍କନ୍ଧ ଦେଶରେ । ନମ୍ରତା ଓ ଭଦ୍ରତାର ଏକ ପ୍ରତିମୂର୍ତ୍ତି ।

 

ପଡ଼ୋଶୀବାବୁ ଶ୍ରୀଶଚନ୍ଦ୍ର ଘୋଷ ଭାଇନାଙ୍କର ବନ୍ଧୁ । ମୋତେ ଓ ଭାଗୁକୁ ଦେଖନ୍ତି ଆପଣା । ସାନଭାଇ ଭଳି । ପୁରୀର ସବୁ ସାଧାରଣ କାର୍ଯ୍ୟରେ ଅଗ୍ରଣୀ । ଆମ ଘରର ସୁଖଦୁଃଖରେ ପୁଣି ଭାଗୀଦାର । ଲମ୍ବା ଚଉଡ଼ା ପ୍ରକାଣ୍ଡ ଚେହେରା ଭଳି ତାଙ୍କ କଥାରେ ମଧ୍ୟ ଟାଣ ଓ ଗାମ୍ଭୀର୍ଯ୍ୟ ।

 

ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠଙ୍କର ଛାତ୍ରହେବାର ସୌଭାଗ୍ୟ ସେତେବେଳେ ମୋର ଯେପରି ଯୁଟେ, ସେଇପରି ବୈଦ୍ୟରତ୍ନ ମାଗୁଣିବ୍ରହ୍ମାଙ୍କର ଚିକତ୍ସାକ୍ଷେତ୍ରରେ ସଦାଶୟତାର ପରିଚୟ ପାଏଁ । ଉଭୟଙ୍କ ରୂପ ଭଳି ଓଜନଦାର ବ୍ୟକ୍ତିତ୍ୱ ମଧ୍ୟ ମହିମାମଣ୍ଡିତ ହୋଇଥାଏ ।

 

ରାମଚଣ୍ଡୀସାହି ଜଗନ୍ନାଥ କ୍ଲବରେ ମୋହନସୁନ୍ଦର ଗୋସ୍ୱାମୀଙ୍କର ଶ୍ରୀକୃଷ୍ଣ ରାସଲୀଳା ଅଭିନୟ କେବଳ ପୁରୀ କାହିଁକି ଓଡ଼ିଶାବ୍ୟାପୀ ଚହଳ ପକାଇଥାଏ । ଆଜି ମଧ୍ୟ ତାଙ୍କ ସୁଲଳିତ କଣ୍ଠ କର୍ଣ୍ଣ-କୁହରରେ ଯେପରି ଅବା ମୋର ପ୍ରତିଧ୍ୱନିତ ହୋଇ ଉଠୁଛି, “ବନ୍ଧୁରେ ତୋଲାଗି ଭସ୍ମଜଟା ବଇରାଗୀ ହେଲି”।

 

ତାଙ୍କପରେ କବିଚନ୍ଦ୍ର କାଳିଚରଣଙ୍କଠାରେ ପାଏଁ ‘ମିତ’ ସମ୍ବୋଧନ ଓ ସମ୍ମାନ ଆଉ ତାଙ୍କ “ରାସଳୀଳା” ପରେ “ଓଡ଼ିଶା ଥିଏଟର୍ସ”ର ଅଭିନୟଗୁଡ଼ିକରୁ ଗଭୀର ରସାସ୍ୱାଦ ।

 

“ବର୍ଷକ ଭିତରେ ସ୍ୱରାଜ୍ୟ”

 

ସ୍ୱରାଜ୍ୟ ମୋର ଜନ୍ମ-ଅଧିକାର

 

ବିସ୍ମୟ ! ବିସ୍ମୟ ! ଜୀବନଟା ଏକ ମହାବିସ୍ମୟରେ ଆଚ୍ଛନ୍ନ । ସେଇ ବିସ୍ମୟ ବହନକରି ଉଇଁଉଠେ ନୂତନ ସୂର୍ଯ୍ୟ । ତରୁଣ ଅରୁଣ ଆଭାରେ ରଞ୍ଜିତ ହୁଏ ଭାରତର ଭଗ୍ୟାକାଶ । ଅକସ୍ମାତ୍ କେଉଁ ନିବିଡ଼ ସୂତ୍ରରେ ବନ୍ଧାହୋଇଯାଏ ଆକୁମାରୀ ହିମାଳୟ ଏଇ ବିଶାଳ ଉପ ମହାଦେଶ ! ବହୁ ଜାତି, ବହୁ ଧର୍ମ, ବହୁ ଭାଷା, ବହୁ ବିଚିତ୍ର ବେଶଭୂଷା, ଆହାର ବ୍ୟବହାର, ଆଚାର-ବିଚାର, ଜଳବାୟୁ ବିଭେଦସତ୍ତ୍ୱେ ଗୋଟିଏ ତାଳରେ ବାଜିଉଠେ କୋଟି କୋଟି ଜନତାର କଦମ୍ । ଗୋଟିଏ ସ୍ଵରରେ ଧ୍ଵନିତ ହୁଏ ଭାରତର ଗଗନ ପବନ ।

 

ଆଲୋକର ଛଟା ଚମକି ଉଠେ ଦିଗ୍‍ବିଦିଗବ୍ୟାପୀ । ସେଇ ଆଲୋକର ଆବାହନ ଲାଗି ପ୍ରସ୍ତୁତ ହୁଏ ସମଗ୍ରଦେଶ—କୋଟି କୋଟି ପୁରୁଷ ନାରୀ, ଶିଶୁ, ବୃଦ୍ଧ ହୋଇପଡ଼ନ୍ତି ମାତ୍ର ଗୋଟିଏ ମଣିଷ । ସମସ୍ତେ ପ୍ରସ୍ତୁତ ଜୀବନ ପଣକରି —“ମନ୍ତ୍ରଂ ବା ସାଧୟେତ୍ ଶରୀରଂ ବା ପାତୟେତ୍” ଏହା ଯେପରି ଅବା ଏକ ନିରବଛିନ୍ନ ସଂଗ୍ରାମ—ବାରିହୁଏ ନାହିଁ କେଉଁଠାରେ କାହିଁ ବିଶ୍ରାମ—ଆରାମ ହାରାମ ହୈ ।

 

ସେଇ ଅଖଣ୍ଡ ଅସୀମ ଲଢ଼େଇରେ ଲାଭାଲାଭର ହିସାବ କାହିଁ ? ସେଇ ଲଢ଼େଇଟା ସେ ନିଜେ ନିଜର ବିଜୟ ! ସବୁ ହାରଜିତ୍‌ର ସବାଉପରେ ତା’ର ଥାନ, ସେଇଠାରେ ହିଁ ମୃତ୍ୟୁଟା ଯେମ‌୍‌ତି ଅମୃତ—ସ୍ୱର୍ଗ ।

 

ସେ ଲଢ଼େଇଟା ତ ଆଜି ନୂଆ ନୁହେଁ । ଯୁଗ ଯୁଗ ଧରି ତାହାରି ବାଟ ବତେଇ ଆସିଛି ପୁରୁଣା ଏଇ ଭାରତବର୍ଷ ।

 

ଆଜି ପୁଣି ଆସିଗଲା ସେଇ ମହାଭାରତର ଡାକରା । ତାହା ପାଖରେ ତ ଓଡ଼ିଆ ନାହିଁ କି ବଙ୍ଗାଳୀ ନାହିଁ, ତେଲ୍‌ଗୁ ନାହିଁ କି ତାମିଲ୍ ନାହିଁ, ଗୁଜରାଟି ନାହିଁ କି ମରାଠୀ ନାହିଁ, ଅସମୀୟା ନାହିଁ କି କନଡ଼ମାଳୟ ନାହିଁ—ନାହିଁ କିଛି ଧନୀ ଗରିବ ଫରକ—ସେ ଯେ ମହାଭାରତର ଡାକରା-

 

ସେଇ ଡାକରାରେ କମ୍ପି ଉଠିଲା ଭାରତର ମାଟି, କମ୍ପି ଉଠିଲା ଧରିତ୍ରୀ ମାତା । କୋଟି କୋଟି ମଣିଷର ପାଦ ଥିବା ଚିହିଁକିଗଲା ମାଟିତଳୁ ଚାଖଣ୍ଡେ ଉପରକୁ । ହଠାତ୍ ଯେମ‌୍‌ତି କୋଟି କୋଟି ପାଦ ଏକ ସାଥିରେ ଧାଇଁବାକୁ ଆରମ୍ଭ କରି ଦିଏ କ୍ଷିପ୍ରବେଗରେ । ଆଉ ସେ ଧାଇଁବାର ଶେଷ ନାହିଁ କେଉଁଠି ହେଲେ-ଆରାମ, ହାରାମ୍ ହୈ । କୋଟି କୋଟି ମଣିଷ ଆଲିଙ୍ଗନ କରେ ପରସ୍ପରକୁ ଭାଇଭାଇ ଡାକଦେଇ । କିଏ ସେଠାରେ ଆଗ, ପୁଣି କିଏ ସେଠାରେ ପଛ—ହିସାବ ନ ଥାଏ ତା’ର ।

 

ସାହାଣ ମେଲା ଦର୍ଶନ— ଭାରତଦର୍ଶନ—କିଏ ଅବା ସବୁରି ପଛରେ ଗରୁଡ଼ ସନ୍ନିଧାନ ହୋଇ—ଆଉ କିଏ ଏକାବେଳେ ବଡ଼ଦାଣ୍ଡ ଧୂଳିକୁ ମୁଣ୍ଡରେ ବୋଳି ଅରୁଣ ଖୁମ୍ବ ପାଖେ ପତିତପାବନକୁ ଚାହେଁ !

 

ହଠାତ୍ ଯେମ‌୍‌ତି କେଉଁ କୁହୁକ ବଳରେ ଏକ ହେଇ ପଡ଼େ ସବୁରି ଅନ୍ତର–ମଣିଷକୁ ମଣିଷ ଭଲ ପାଇବାର ସହଜ ଧର୍ମଟା ଯେମ‌୍‌ତି ଦୋହଲାଇ ଦିଏ କୋଟି ପ୍ରାଣକୁ କେଉଁ ଏକ ପ୍ରଚଣ୍ଡ ଝଡ଼ର ଆବେଗରେ । ସେଇ ଆବେଗର ଆୟମାରମ୍ଭ ହୁଏ ପହିଲେ ତିଳକ ମହାରାଜଙ୍କ ମନ୍ତ୍ରରୁ “Swaraj is my birth-right”—ସ୍ୱରାଜ ମୋର ଜନ୍ମଗତ ଅଧିକାର—ଜୀବନଠାରୁ ଅଧିକପ୍ରିୟ, ଅଧିକ ମୂଲ୍ୟବାନ୍ ମୋର ସ୍ୱରାଜ !

 

ଗାନ୍ଧୀ ଆଣିଲେ ସେଇ ସ୍ୱରାଜକୁ ଏକାବେଳେ ହାତମୁଠାରେ– “Swaraj within a year” ବର୍ଷକ ଭିତରେ ସ୍ୱରାଜ । ଏହାହିଁ ଭାରତ ଜନତାର ହୁଏ ଏକମାତ୍ର ମନ୍ତ୍ରଯେପରି ଅବା ଏକମାତ୍ର ଧ୍ୟାନ, ଏକମାତ୍ର କାମ୍ୟ । ଭାରତର କୋଟି କୋଟି ଜନତା କେବଳ ପରସ୍ପରକୁ ଭଲପାଇ ଏକଜୁଟ୍ ହେବାର ମନ୍ତ୍ର ଏହା ।

 

ଖାଲି ଭାରତ କାହିଁକିଭାରତର ଏଇ ଡାକରା ଯେମ‌୍‌ତି ଚମକିଯାଏ, ପୃଥିବୀର ଗୋଟିଏ ସୀମାରୁ ଅନ୍ୟ ସୀମାଯାକେ । ସାରା ଦୁନିଆଁର ମଣିଷ ଅବା ହୋଇପଡ଼େ ଅକସ୍ମାତ୍ ଏକଯୁଟ୍ । ବ୍ୟାକୁଳ ହୋଇଉଠେ ଶାନ୍ତ ସହାବସ୍ଥାନଲାଗି । ସେଠାରେ ହାରଜିତ୍‍ର ପ୍ରଶ୍ନ ନାହିଁ—ପ୍ରଶ୍ନ କେବଳ ଭଲ ପାଇବାର—ମଣିଷକୁ ମଣିଷ ଭଲପାଇବା । ସେ ଯେ ସୃଷ୍ଟିର ନିୟମ । ଭଲ ପାଇବାକୁ ଯାଇ ହାରିଯିବା ଯେ ବିଜୟ । ତାହା ଯେ ପ୍ରୀତି ପାଖରେ ହାରିଯିବା !

 

“ମୁଁ ହାରିଲେ ହେଉ ଏତିକି ଗୋ

ଜୁହାରୁଛି ଶ୍ୟାମ ପ୍ରୀତିକି ଗୋ ।’’

 

ସେଇଠାରେ ହିଁ ସୃଷ୍ଟିର ନିୟମକୁ ମାନି ନିଆଯାଏ—ସେଇ ପ୍ରେମ ପାଖରେ ହାରିଯିବା ଯେ ପରମ ଗୌରବ ! ଭଲ ପାଇବାରୁ ହିଁ ସୃଷ୍ଟିର ଆରମ୍ଭ–ଆଉ ଘୃଣାରୁ ତା’ର ଧ୍ୱଂସ ।

 

ମ୍ୟାଟ୍ରିକ୍ ପରୀକ୍ଷା ଦେବା- କି-ନ-ଦେବା ଅନ୍ତର୍ଦ୍ୱନ୍ଦର ନିଷ୍ପତ୍ତି ସେ ଦିନ ପୁରୀ ସାମନ୍ତ ଚନ୍ଦ୍ରଶେଖର ହଲ୍‍ରେ ଯେଭଳି ବ୍ୟର୍ଥ ହୁଏ, ସେଭଳି ବ୍ୟର୍ଥତା ଘୋଟି ରହେ ଅବା ମୋ ଜୀବନର ପଦେ ପଦେ । ମୋ ନିଜର ଅନ୍ତର୍ନିହିତ ବହୁ ଆକାଙ୍‍କ୍ଷା, ବହୁ ସଂକଳ୍ପ ପ୍ରତିହତ ଓ ବ୍ୟର୍ଥ ହୋଇପଡ଼େ ବାରମ୍ବାର ।

 

ସେଇଭଳି “ଥିବିକି ଛାଡ଼ିବି ପ୍ରାଣ”ର ସଂଶୟ—ଜୟ ପରାଜୟର ଦ୍ୱନ୍ଦ୍ୱ–ସାର୍ଥକତା ଓ ବ୍ୟର୍ଥତାର ମଧ୍ୟବର୍ତ୍ତୀ ଚରମ ମୁହୁର୍ତ୍ତ–କର୍ତ୍ତବ୍ୟା-କର୍ତ୍ତବ୍ୟ ସ୍ଥିର କରି ନ ପାରିବାର ଅସାମର୍ଥ୍ୟ, ଅନୁଶୋଚନା—ପଳାତକ ବା ପରାଜିତ ମନୋଭାବର ପଦେ ପଦେ ଆକ୍ରାନ୍ତ ହୋଇ ପଡ଼ିବାର ବିଡ଼ମ୍ବନା—ମାନସିକ ମହାସଂଘର୍ଷର ସମ୍ମୁଖୀନ ହୋଇ ବାଟ ଖୋଜିବାକୁ ଅଣ୍ଡାଳି ହେବା–“ତୁଳସା ଦିଅ ବାଟ ଦେଖାଇ, କେଉଁଠାରେ’ ଛନ୍ତି ମୋ ଭାବଗ୍ରାହୀ”–କିଏ ମୋର ଭାବ ଗ୍ରହଣ କରନ୍ତି ପ୍ରାଣର ?

 

ପଦେ ପଦେ ମୁହାଁମୁହିଁ ହେବା ଜୀବନବ୍ୟାପୀ ବିରାଟ ବ୍ୟର୍ଥତାର ଅଖଣ୍ଡ ଏକ ବିକଟ ବୀଭତ୍ସ ରୂପ ସହିତ । ପଦେ ପଦେ ଜୀବନ-ସଂଗ୍ରାମର ଦ୍ୱନ୍ଦ୍ୱ–ପୁଅ ମୁଣ୍ଡକୁ ଆଶା, ତେଲଘଡ଼ିକୁ ଆଶା—ଥରକୁ ଥର ଅସହାୟ ଭାବରେ ତ୍ରିଶଙ୍କୁ ହୋଇ ଝୁଲିପଡ଼ିଛି ମୁଁ ସ୍ଵର୍ଗ ମର୍ତ୍ତ୍ୟ ମଝିରେ—ଉପରକୁ ନ ଉଠି କିମ୍ବା ତଳକୁ ନ ଖସି । ବାଲ୍ୟବନ୍ଧୁ ହୃଦାନନ୍ଦଙ୍କ ଜୀବନଦର୍ଶନ ଠାରୁ ମୋର ଅବା ଫରକ୍ କେଉଁଠି ? ସେ ଫରକ୍ ଖାଲି ଇଟା, ଗୋଡ଼ି ଚୂନ, ସୂର୍କି ଛଡ଼ା ଆଉ କ’ଣ କି ? ଶେଷରେ ନିଶ୍ଚୟ ଅବିକଳ ହୋଇ ରହିଯାଏ, ସେଇମାତ୍ର ଗୋଟାଏ କଥା—ଭଲ ପାଇବା ।

 

ଜୀବନ-ଯୁଦ୍ଧରେ ବିଜୟୀ ହେବାଲାଗି ଭଲ ପାଇବାଠାରୁ ଯେ ବଡ଼ ଅସ୍ତ୍ର ହୋଇ ଆଉ କିଛି ନାହିଁ–ଶେଷ ନିଃଶ୍ୱାସ ଛାଡ଼ିଲା ବେଳେ ଏଇ ଗୋଟିଏ କଥା ଯେମ‌୍‌ତି ମୋର ସ୍ମରଣ ହୁଏ—ଜୀବନବ୍ୟାପୀ ଅସଂଖ୍ୟ ପରୀକ୍ଷା ନିରୀକ୍ଷା ଭିତରେ, ଶତ୍ରୁ ମିତ୍ର ଠଉରେଇବାର ବିଫଳ ପ୍ରୟାସ ସନ୍ଧିରେ ଏଇ ବିଶ୍ୱାସ ମୋର ଦୃଢ଼ରୁ ଦୃଢ଼ତର ପ୍ରମାଣ ଉପରେ ଚଢ଼ି ପ୍ରତି ପଦକ୍ଷେପରେ ହିଁ ଯେମ‌୍‌ତି ଉଭା ହୁଏ ଉଚ୍ଚରୁ ଉଚ୍ଚତର ହୋଇ ।

 

ଭଲ ପାଇବାରେ ଯଦିବା ହାରିଯାଏଁ, ସେଭଳି ପରାଜୟକୁ ମାନି ନେବାଲାଗି ମୋର ସୁଦୀର୍ଘ ଜୀବନ ହିଁ ଆଘାତ ଉପରେ ଆଘାତ ପାଇ ଅବା ମୋତେ ଶିଖାଇ ଆସିଛି ଥରକୁ ଥର । ମୋର ପ୍ରତି ପଦସ୍ଖଳନ ଓ ପତନରେ ତାହାହିଁ ଆଣିଦିଏ ସବୁ ଆଶା-ବିଶ୍ୱାସ ଦମ୍ଭ ଓ ସାହସ । ସକଳ ପ୍ରବଞ୍ଚନା ଭିତରେ ସେଇ ଗୋଟିଏ କଥା, ଯୋଡ଼ିଏ ଅକ୍ଷରପ୍ରେମ ।

 

ଜୀବନ ଯୁଦ୍ଧରେ ଥରକୁ ଥର ଲଢ଼େଇ କରି ମୁଁ ଯେତିକି ହାରିଛି, ପୁଣି ସେଥିଲାଗି ଅନୁତାପାନଳରେ ଯେତିକି ଜଳ ଖସି ଯାଇଛି ତଳକୁ ତଳକୁ—ସବାତଳରେ ହିଁ ମିଳେ ଯେ ପୁଣି ସବୁଠୁଁ ମଧୁର ଶୀତଳ ସେଇ ପ୍ରୀତିର ଆସ୍ୱାଦ—ଆଉ ସେଇ ଭଲ ପାଇବାର ପ୍ରଗାଢ଼ ପ୍ରୟାସ, ମଣିଷଠାରୁ ବାରମ୍ବାର ଆଘାତ ଲାଞ୍ଛନା ଅବମାନନା ଲାଭକରି ସୁଦ୍ଧା ସବୁରି ସହିତ ସହବସ୍ଥାନ ଲାଗି ଆଦିମ ଯୁଗରୁ ସାହିତ୍ୟ— ସୃଷ୍ଟିର, ମୌଳିକ ହେତୁ ପୁଣି ଆକ୍ଷରିକ ମର୍ମାନୁବାଦ — ପ୍ରତି ମୁହୂର୍ତ୍ତରେ ହୃତପିଣ୍ଡ-ଯନ୍ତ୍ରକୁ ଆଶ୍ଚର୍ଯ୍ୟ ଭାବରେ ଚାଳନ କରେ ଅବା ସେଇ ପ୍ରୀତି କେବଳ— ସକଳ ସାହିତ୍ୟ, ଅର୍ଥନୀତି, ବିଜ୍ଞାନ, ଯୁଦ୍ଧ, ବଗ୍ରହ, ଶାନ୍ତିର ବିଶ୍ୱସୃଷ୍ଟି ଆରମ୍ଭଠାରୁ (ଯଦି ପ୍ରକୃତରେ ଏହାର ଆରମ୍ଭ ଓ ଶେଷ ବୋଲି କିଛି ହେଲେ ଥାଏ ପ୍ରକୃତରେ !

 

ସେଇ ଅହେତୁକ ଅଜ୍ଞ ଅନ୍ଧ ପ୍ରୀତିହିଁ ଆଣି ଦେଇଛି, ମୋତେ ଜୀବନ ପ୍ରତି ଏକ ବେପରୁଆ ଶକ୍ତି, ସାହସ, ଦମ୍ଭ ପୁଣି ନିର୍ଭିକତା, ପ୍ରତି ପଦକ୍ଷେପରେ ।

 

ସେଇ ପ୍ରୀତି ହିଁ ମୋତେ ଓଟାରିନିଏ ଜାତିର ଜନକ ଡାକରା ପ୍ରତି—ବର୍ଷକ ଭିତରେ ସ୍ଵରାଜ୍ୟ ! ସର୍ତ୍ତ କେବଳ ଗୋଟିଏ —କୁଟି ଖାଅ, କାଟି ପିନ୍ଧ — ବଦେଶୀ ଲୁଗା ଛାଡ଼ । ଅତି ସହଜ ସରଳ ନିର୍ଦୋଷ କଥା । ଆଇନ୍‌ ବେଆଇନ ପ୍ରଶ୍ନ ନାହିଁ । ନିଜ କାମ ନିଜେ କର । ଆତ୍ମନିର୍ଭରଶୀଳ ହୁଅ । ବାସ୍ ! ଅତି ସାଧାସିଧା ପୁରୁଣା କାଳିଆ ବିଚାର ଅଜା ଆଈ ବୁଢ଼ାବୁଢ଼ୀଙ୍କର । ଅଥଚ—ଚାହୁଁ, ଚାହୁଁ— !

 

ଆକୁମାରୀ ହିମାଳୟ ଥରହର ସେଇ ଡାକରେ—ସହର ବଜାରରେ ଜଳିଉଠେ ଏକ ଅଦ୍ଭୁତ ନିଆଁ — ବିଦେଶୀ ଲୁଗା ପୋଡ଼ା ହେବାର – ଘରେ ଘରେ ଗାଁଏ ଗାଁଏ ଚାଲେ ଅରଟ ସୂତାକଟାର । ଆମ ଘରେ ତ ବାପା ଓ ଭାଇନାଙ୍କଠାରୁ ଆରମ୍ଭ କରି ସ୍ଵଦେଶୀ—ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ । ତହୁଁ ଘରେ ସୂତାକଟା ଖଦଡ଼--ପିନ୍ଧାର ସହଜ ଅବାଧ ପ୍ରବେଶ । ତା’ ଆଗରୁ ଭାଇନାଙ୍କ ମୁହଁରେ ହିଁ ରବୀନ୍ଦ୍ର, ସାହିତ୍ୟର ପ୍ରଶଂସା ଶୁଣି ମୁଁ ସେଥିପ୍ରତି ଆକୃଷ୍ଟ ହୁଏ । କଲିକତାରୁ ତାଙ୍କର “ସୋନାର ତରୀ” କବିତା, ପ୍ରବନ୍ଧାବଳୀ ଓ “ଗୀତାଞ୍ଜଳି” ଆଦି ମଗାଇ ପଢ଼େଁ । ତାଙ୍କ “ଜୀବନ ସ୍ମୃତି” ପାର୍ଶଲଟି ପାଇବା ଦିନ ମନ ମୋର ନାଚି ଉଠିଥିଲା ଅପାର ଆନନ୍ଦରେ । ସତେ ଅବା ରବୀନ୍ଦ୍ର ମୋର ହାତମୁଠାରେ ଧରା ପଡ଼ିଗଲେ ! ଆମ ଘର ଭିତରେ ରାଜନୀତି ଓ ସାହିତ୍ୟର ଯଥାର୍ଥ ଆଦର୍ଶର ବିହନ ବୁଣନ୍ତି ଜ୍ୟେଷ୍ଠ ଦିବ୍ୟସିଂହ ।

 

ସେଥି ସଙ୍ଗେ ମୋର ଅସହଯୋଗ ଆନ୍ଦୋଳନରେ ସ୍କୁଲ ଛାଡ଼ିବା କିମ୍ବା ପରୀକ୍ଷା ନ ଦେବାର ପକ୍ଷପାତୀ ଅବଶ୍ୟ ନ ଥିଲେ ସେ । ଛାତ୍ର ଅବସ୍ଥାରେ ଆଗ ନିଜ କର୍ତ୍ତବ୍ୟ ତୁଲାଇ ସାରି ପରେ ଦେଶ ସେବାରେ ମନ ଦେବା ତାଙ୍କର ଥିଲା ମତ । ସେ ମତକୁ ରବୀନ୍ଦ୍ରନାଥ ସମେତ କେତେକ କଂଗ୍ରେସ ନେତା ବି ପୋଷଣ କରୁଥିଲେ ।

 

ବାପାଙ୍କର ମତାମତ ମଧ୍ୟ ଉଗ୍ରତର, ପୁଣି ପ୍ରଚଳିତ ଶିକ୍ଷା ପ୍ରଣାଳୀର ସେ ଘୋର ବିରୋଧୀ ହେଲେହେଁ ନିଜେ ଆଇନ୍ ବ୍ୟବସାୟ ଛାଡ଼ି ଘରେ ଅକର୍ତ୍ତବ୍ୟ ହୋଇ ବସିଥାନ୍ତି । ଅତଏବ ମୁଁ ଅତ୍ୟନ୍ତ ନିରୁପାୟ ହୋଇ ମ୍ୟାଟ୍ରିକ ପରୀକ୍ଷା ଦିଏଁ —ଗାନ୍ଧୀ ବିଚାରଧାରାକୁ ଆଡ଼େଇ ଦେଇ ।

 

ମାତ୍ର ସେତେବେଳେ ମୋର ଚିନ୍ତା ଓ ଆଦର୍ଶକୁ ଖୋରାକ ଯୋଗାଏ କାଳିଦାସ ଓ ରବୀନ୍ଦ୍ର ସାହିତ୍ୟ, ସେକ୍‍ସପିଅର ଓ ମିଲ୍‍ଟନ୍‌ଙ୍କ ସଙ୍ଗେ ହ୍ୟୁଗୋ, ଗ୍ୟେଟେ ଆଦି ଆନ୍ତର୍ଜାତିକ ସାହିତ୍ୟ । ଜୀବନର ବିପୁଳ ରାଜନୀତିକ ଫାଙ୍କଟା ପୂରଣ ହୁଏ ଅବା ମୋର କେବଳ ସାହିତ୍ୟ ସାହାଯ୍ୟରେ ।

 

ରବୀନ୍ଦ୍ର ଶତବାର୍ଷିକୀ ଜୟନ୍ତୀ ଉତ୍ସବ । ପାଳିତ ହୁଏ ୧୯୬୨ ବମ୍ବେଠାରେ । ଗୁଜୁରାଟର ପ୍ରଖ୍ୟାତ କବି ଶ୍ରୀ ଉମାଶଙ୍କର ଯୋଷୀଙ୍କ ସହିତ ମୁଁ ଏକ ଗୋଟିଏ ହୋଟେଲ୍‍ରେ ଅବସ୍ଥାନ କରେଁ, ପ୍ରଧାନମନ୍ତ୍ରୀ ନେହରୁ ଉତ୍ସବ ଉଦ୍‍ଘାଟନ କରି କହନ୍ତି — ଯୌବନରେ ସେ ବେଶି ଆକୃଷ୍ଟ ହୁଅନ୍ତି ଗାନ୍ଧୀଙ୍କ ଅପେକ୍ଷା ରବୀନ୍ଦ୍ରଙ୍କ ପ୍ରତି, ମାତ୍ର ଗାନ୍ଧୀ ତାଙ୍କୁ ଓଟାରି ଆଣନ୍ତି ମାନସ-ଲୋକରୁ ଏକାବେଳେ କଠୋର କର୍ମ କ୍ଷେତ୍ରକୁ ।

 

ମୋ ଜୀବନରେ କିନ୍ତୁ ସେଇ ସାଧାରଣ କଥାଟି ପ୍ରତିଫଳିତ ହୁଏ ପରା ! —

 

“ମନ ବୋଲେ ମୁଁ ଜଗତୀ ଚଢ଼ିବି

କର୍ମ ବୋଲେ ମୁଁ ବିଆଳି ବାଛିବି ।”

 

ମାନସିକ ବହୁ ଦ୍ଵନ୍ଦ ଅସ୍ଥିରତା ଭିତରେ ମ୍ୟାଟ୍ରିକ୍ ପରୀକ୍ଷାରେ ମୁଁ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଏଁ । ସେତେବେଳେ ବାପାଙ୍କ ବରାଦରେ ଗାଁରେ ରହିଥାଏଁ ଧାନ ଅମଳ କରାଇବାକୁ । ମ୍ୟାଟ୍ରିକ ପରୀକ୍ଷା ଫଳଟା ପ୍ରତି ‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ’ ଭଳି ମୋର ନିଷ୍ପୃହ ମନୋଭାବ । ଗାନ୍ଧିପ୍ରମୁଖ ଶ୍ରେଷ୍ଠ ନେତାମାନେ ତ ସେତେବେଳର ଶିକ୍ଷା ପ୍ରଣାଳୀକୁ ପୁରା ନାକଚ କରିଦେଇଥାନ୍ତି ଏକ ନୌକରସାହି ମନୋଭାବ ଗଢ଼ିବାର କୌଶଳ ଭାବରେ । ସେଇ ପ୍ରଣାଳୀର ବେଶି କିଛି ଅଦଳ ବଦଳ ଆଜି ସୁଦ୍ଧା ତ ହେଲନାହିଁ ପରା ! ସେତେବେଳେ ମୁଁ କିନ୍ତୁ ଟିକିଏ ବିଚଳିତ ହୋଇପଡ଼େଁ, ଖଣ୍ଡେ ଚିଠିପାଇଁ, କାର୍ଡଟି ପଠାଇଥାନ୍ତି ବନ୍ଧୁ, ଶ୍ରୀ ଅନ୍ନଦାଶଙ୍କର ରାୟ ତାଙ୍କ ଘର ଢେଙ୍କାନାଳରୁ । ତାଙ୍କର ମଧ୍ୟ ସେଇ ଦ୍ୱିତୀୟ ଶ୍ରେଣୀରେ ପାଶ୍ । ତହିଁରେ ବିବ୍ରତ ନ ହୋଇ କଲେଜରେ ଉନ୍ନତି କରିବାକୁ ନିଜେ ବଦ୍ଧପରିକର ହେବାପାଇଁ ମଧ୍ୟ ସେ ଉତ୍ସାହ ଦେଇଥାନ୍ତି । କିନ୍ତୁ ସେ ଉତ୍ସାହରେ ମୁଁ ଯୋଗ ଦେଇପାରେଁ ନାହିଁ ।

 

କାରଣଟା ଏବେ ଅନୁମାନ କରାଯାଇ ପାରେ । ଆମ ଦୁହିଁଙ୍କ ଭିତରୁ ସେ ଥିଲେ ଅବିବାହିତ । ଆର୍ଥିକ ଦୃଷ୍ଟିରୁ ସ୍ୱୟଂ ସ୍ଵାଧୀନ ନ ହେବାଯାକେ ବିବାହ ପ୍ରଶ୍ନ ତାଙ୍କ ପକ୍ଷରେ କଳ୍ପନାତୀତ ।

 

ମୁଁ କିନ୍ତୁ ଜୀବନକୁ ଆରମ୍ଭରୁ ହିଁ ବେୟାରିଂ ପୋଷ୍ଟରେ ଛାଡ଼ି ଦେଇଥାଏ । ଆରମ୍ଭରୁ ହିଁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ “ଅର୍ଥମନର୍ଥମ୍ ଭାବୟ ନିତ୍ୟମ୍—ନାସ୍ତି ତତଃ ସୁଖ ଲେଶଃ ସତ୍ୟମ୍” କେବଳ ମୁଖସ୍ଥ ନ କରି ଏକାବେଳେ ଢ଼ୋକିଦେଇ ଦୋରସ୍ତ ଉଦରସ୍ଥ କରି ହଜମକରି ପକାଇଥାଏଁ । ଯେମ‌୍‌ତି ! ଅଥଚ, ଭଗବାନ ଶଙ୍କରଙ୍କ ଭଳି ଚିର ବ୍ରହ୍ମଚାରୀ ହେବା ଦୂରେ ଥାଉ, ବାଲ୍ୟବିବାହ କରି ରୀତିମତ ସଂସାର ଆରମ୍ଭ କରିପକାଏ ଅଧ୍ୟୟନ କାଳରେ; ଅବଶ୍ୟ ପ୍ରାଥମିକ ଅବସ୍ଥାଟା ! କଳ୍ପନାରେ ଖାଲି । ଆଉ ସେଇ କଳ୍ପନା ହଁ ଥିଲା ବାସ୍ତବଠାରୁ ଢେର୍ ବେଶି ସତ୍ ଯେମ‌୍‌ତି ।

 

ବିବାହ ସଙ୍ଗେ ସଙ୍ଗେ ପୁଣି ସୁଦୀର୍ଘ ଚାରିଟି ବର୍ଷର ବିଚ୍ଛେଦ ! କେଉଁ ଯୁବକ ଆଜି ସମାଜବାଦର ଏଇ ଭଳି ଅସାମାଜିକ ଅନ୍ୟାୟକୁ ବରଦାସ୍ତ କରିପାରେ କହନ୍ତୁ ଦେଖି ? ମୋ’ର ସେଇ ଚାରିଟାବର୍ଷ ଗଣି ଗଣି ବିତିଗଲେ ସୁଦ୍ଧା ଏଣେ ବର୍ଷକ ଭିତରେ ସ୍ଵରାଜ୍ୟ ତ କାହିଁ ଆସିଲା ନି !

 

ଇଂରେଜ ସରକାରବାଘ ଛେଳିକୁ ଯେ ଏକାଠି ପାଣି ପିଆଏ । ଶାସନ ବେଡ଼ିଟା ହୋଇଉଠେ ତା’ର ଆହୁରି ଦୃଢ଼ରୁ ଦୃଢ଼ତର । ତେବେ କ’ଣ ଏବେ ଜେଲ୍ ଜୋରିମନା ହାତକଡ଼ି ଘରପୋଡ଼ ବେତ୍ରାଘାତ—ସବୁ ଅକାରଣ, ବ୍ୟର୍ଥ, ବିଫଳ !

 

ମନରେ ମୋ’ର ଦ୍ୱନ୍ଦ ଉପୁଜେ ଦେଶର ଭବିଷ୍ୟତ ପୁଣି ନିଜ ସମ୍ପର୍କରେ ମଧ୍ୟ । ସମସ୍ୟାର ଯେ ଆଦିଅନ୍ତ ମିଳେ ନାହିଁ ! ଅଥଚ ସମାଧାନ ? ସମାଧାନ କେଉଁଠି ? ତାହାର ଅନ୍ୱେଷଣ ହିଁ ବୋଧହୁଏ ଜୀବନ !

 

ଜୀବନ ! ଜୀବନ ! କେଉଁଠି ଲୁଚୁରେ ଜୀବନ ! ଚାରିଆଡ଼େ ଏଇ ଘୋଟି ଆସେ ଯେ ମୃତ୍ୟୁର କରାଳ ଅଟ୍ଟହାସ । କେତେ ଯେ ରାକ୍ଷସୀ ଛଦ୍ମବେଶିନୀ ସୂର୍ପଣଖାର କୌଶଳରୁ ତୁହି ଉତୁରି ଆସୁରେ ଜୀବନ ! କେତେ କାନ୍ଦଣାର ଲୁହ-ସମୁଦ୍ରରେ ବାନ୍ଧୁରେ ତୁ ପୁଣି ସେତୁବନ୍ଧ !

 

Unknown

ବଡ଼ଦେଉଳ, ବଡ଼ଦାଣ୍ଡ, ମହାସାଗର କୂଳେ ମହାମାନବ

 

ସାପ୍ତାହିକ ‘ସମାଜ’ ପୁରୀରୁ ପ୍ରକାଶ ପାଉଥାଏ । ସତ୍ୟବାଦୀ ପ୍ରେସ୍ ସାକ୍ଷୀଗୋପାଳରୁ ଉଠିଆସି ବସିଥାଏ ପୁରୀ ପଥୁରିଆ ସାହିର ପଥରକୋଠା ଭିତରେ ! ମୋର ମ୍ୟାଟ୍ରିକ ପରୀକ୍ଷା ସରିଥାଏ । ପ୍ରାୟ ପ୍ରତିଦିନ ଗୋପବନ୍ଧୁଙ୍କ ପାଖକୁ ଯାଏ । ତାଙ୍କ ପାଖରେ ରହିଥିବା ରାମ କେଉଁ ଦିନ ମୁଢ଼ି ନଡ଼ିଆ, ଆଉ କେବେ ସୋରିଷତେଲ ମୁଢ଼ିରେ ଗୋଳାଇ ସକାଳ ଜଳଖିଆ ରଖି ସେଥିରୁ ଗଣ୍ଡିଏ ମୋପାଇଁ ମଧ୍ୟ ବରାଦ ହୁଏ ।

 

ମୁଢ଼ି ଚୋବାଉଁ ଚୋବାଉଁ ସେ କେତେ ଦୁଃଖ ସୁଖ ହୁଅନ୍ତି; ସତେ ଅବା ମୁଁ ତାଙ୍କର ଜଣେ ଅତି ଆପଣାର ସାଙ୍ଗସାଥୀ ! କେତେ ଗାଁ ସେ ବୁଲିଲେ କେଉଁଠି ଲୋକେ ପୁରୁଣି ସାଗରେ ଛୁଙ୍କ ଦେଲାଭଳି ମୁଠାଏ ଚାଉଳ ସିଝାଇ ପେଟ ପୂରାଇ ମାତ୍ର ଚଳନ୍ତି କେମିତି, କେଡ଼େ କଷ୍ଟରେ, ଇତ୍ୟାଦି ।

 

ଦୂରରେ ବାରଣ୍ଡା ସେପାଖେ ଦିଶେ ଛାପାଖାନା କାମରେ ଅହରହ ବ୍ୟସ୍ତ ରହିଥିବା ଖାଲି ଦେହରେ ଯୁବକ ଶ୍ରୀ ରାଧାନାଥ ରଥଙ୍କର ଗୋରାତକତକ ଚେହେରା ଫୁଙ୍ଗୁଳା ଦେହରେ ଖଣ୍ଡେ ଖଦଡ଼ ଧୋତି ପିନ୍ଧି ।

 

କାଲ ଆଗରେ ମୁଳା ଚୋବାଇଲା ଭଳି ଗୋପବନ୍ଧୁ, ମୋତେ କହି ଲାଗନ୍ତି ଦେଖୁଚଟି ଆମ ସରକାରକୁ, ପୁଣି ନିଜେ କେମିତି ଲାଟ୍‌ସାହେବ ସ୍ତ୍ରୀଲୋକମାନଙ୍କ ହାତରେ ପିତଳବାହି ଦେଖି ତାହାକୁ ସୁନାଖଡ଼ୁ କହି ଖୁବ୍ ସୁଖରେ ସେମାନେ ଅଛନ୍ତି ବୋଲି ତାଙ୍କ ପ୍ରତି ଭ୍ରୁକ୍ଷେପ କରନ୍ତି ନାହିଁ—କେଡ଼େ ନିର୍ମମ ଏ ସରକାର !

 

ମୋ’ ମୁହଁରୁ ବାହାରି ପଡ଼ିଲା, “ଲୋକଗୁଡ଼ା କ’ଣ ସମସ୍ତେ ଭଲ ?”

 

ଗୋପବନ୍ଧୁଙ୍କ ତାଳୁରୁ ତଳିପାଯାକେ ଥରିଉଠେ । ଆଖି ଯୋଡ଼ିକ ଲୁହ ଛଳଛଳ । ଓଠ ଯୋଡ଼ିକ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିଉଠେ ।

 

“କ’ଣ କହିଲ ? ଲୋକେ ଭଲ ନୁହନ୍ତି ?” ଆଉ କିଛି ସେ କହି ପାରିଲେନି । ଏଇ କଥାରେ ସେ ଯେମ‌୍‌ତି ରାଗିଯାଇ ପାରନ୍ତି, ତାହା ମୋ’ର କଳ୍ପନାର ଏକାବେଳେ ଯେ ବାହାରେ । ହତବାକ୍ ହୋଇପଡ଼େ ମୁଁ ଆତ୍ମଧିକ୍କାରରେ ।

 

ମନେହୁଏ କୌଣସି ପୁରୁଷଙ୍କୁ ତାଙ୍କ ସ୍ତ୍ରୀ ଅସତୀ ବୋଲି କେହି କହିଲେ ସୁଦ୍ଧା ସେ ଏତେଦୂର ଅପମାନ ପାଇବେ ନାହିଁ ପରା ! ନୀରବରେ ମୁଁ କିଛି ସମୟ ପରେ ଉଠିଆସେଁ । ଆଉ ଥରେ ରାମ ସେମ‌୍‌ତି ମୁଢ଼ି ଥାଳିଆ ଥୋଇଦେଇ କହେ, କାଲି ଚିତୋଉ ଅମାସ୍ୟା, ସେ ତା’ର ଗାଁ କୁ ଯିବ ।

 

“ଏଁ ଚିତୋଉ ଅମସ୍ୟା ?”

 

ତା ପରେ ମୋତେ ଚାହିଁ ମୁରୁକି ହସି କହନ୍ତି, “ଶୁଣୁଚ ତ ? କାଲି ତା’ର ଚିତୋଉ ଅମାସ୍ୟା । ଆଉ ମୋର ? ଚିତୋଉ ଚକୁଳି ସବୁ ସରିଲାଣି ମୋର— ନୁହେଁ କି ? ତୁମେ ପରା କବି ? ବୁଝିପାରୁଥିବ ନିଶ୍ଚୟ ।”

 

ଦିନେ ପୁଣି ପଚାରେ ମୁଁ—“ଆପଣ ଆଉ କବିତା ଲେଖୁନାହାନ୍ତି କାହିଁକି ?”

 

“ଏଁ ? କ’ଣ କହିଲ ?” ମୋ’ କଥା ଶୁଣି ତାଙ୍କର ନ ଶୁଣିଲା ପରି ପ୍ରଶ୍ନ —“ହଁ, କବିତା ଲେଖିବି ? ତେବେ କ’ଣ ଜାଣ କି ? କୋଇଲିର କୁହୁଧ୍ୱନି ଆଉ ତ କାହିଁକି ମୋ କାନରେ ବାଜୁନି-। ବାଜୁଛି ଖାଲି ଭୋକିଲା ମଣିଷର ଚିତ୍କାର । ତାହା ଭିତରେ ପୁଣି କବିତାର ଥାନ କେଉଁଠି-?”

 

ଦୁଇ ଚାରି ଦଣ୍ଡ ବିତିଯାଏ । ମୋତେ କିଛି ପଇଟେ ନାହିଁ କହିବାକୁ ତାଙ୍କୁ —ତା’ପରେ ତାଙ୍କରି ଆଡ଼ୁ ପ୍ରଶ୍ନ —“ଆଚ୍ଛା କହିଲ ଦେଖି, କୋଣାର୍କଠାରୁ ଆଉ ବଡ଼ କୀର୍ତ୍ତି କେଉଁଠି ଅଛି ? ପୁଣି ସେ ଦେଉଳର ମୁଣ୍ଡି ମାଇଲା ଯେଉଁ ପିଲାଟି ? ତା’ ବିଷୟରେ ତ କିଏ କିଛି ଲେଖିଲେନି ? ସେତେବେଳକୁ ନୀଳକଣ୍ଠଙ୍କ “କୋଣାର୍କେ” କିମ୍ବା ଗୋପବନ୍ଧୁଙ୍କ “ଧର୍ମପଦ” ଲେଖାହୋଇ ନ ଥାଏ । ମୁଁ କିନ୍ତୁ ଗୋଟିଏ ସାନକବିତା ରଚନା କରିଥିଲି । ସେକଥା କିହିବାକୁ ମୋ’ର ଖୁବ୍ ସଂକୋଚବୋଧ ହେଲା ତାଙ୍କ ଆଗରେ । “ସହକାର”ରେ କି କାହିଁରେ ସେ କବିତା ମୋର ବାହାରେ । ଆଜି କିନ୍ତୁ ତାହା ପାଉନି ତ !

 

କଥା କଥାକେ ଉତ୍କଳମଣିଙ୍କ ଗହଳ ଦାଢ଼ି ଭିତରୁ ସେଇ ଆଖି ଛଳଛଳ କରୁଣ ହସ ଯେ କେବେ ନିଭିବ, କିଏ କହିପାରେ ?— କେଉଁ ପ୍ରେମିକ ? କେଉଁ ସାଧକ ? କେଉଁ କବି ସେ ? କିନ୍ତୁ—

 

କବିତା କେବେହେଲେ ତ କାହାରି ବୋଲ ମାନିନାହିଁ ।

 

କବିର ବୋଲ ସେ ମାନନ୍ତା ଅବା କିପରି ! ବନ୍ଦୀ କବିର ଆତ୍ମକଥା ହୋଇ ସବୁ ବନ୍ଧନ ବାଡ଼ବତା ଛିଣ୍ଡାଇ ଦେଇ ସେ ବାହାରି ଆସେ । ଓଡ଼ିଶାର ନଈବଢ଼ିରେ ବର୍ଷ ବର୍ଷ ଧରି ଯେତେ ପାଣି ମାଡ଼ି ଯାଇ ଗାଁ ଗଣ୍ଡା ଭସାଇ ନିଏ ଯୁଗ ଯୁଗ ଧରି, ସେଇ ଆଖି ପାଣିଠାରୁ କେବେହେଲେ ତାହା ତ ଅଧିକ ହୋଇପାରିବ ନାହିଁ !

 

ଅଥଚ, ମୁଁ ସ୍ତମ୍ଭିତ ହୋଇ ପଡ଼େଁ ସେଇ ଅମାୟିକ ନିଷ୍କପଟ କାନ୍ଦଣାର ମଧ୍ୟ ଲଘୁ ସମାଲୋଚନା ଶୁଣି । ବକ୍ତୃତା ଦେଲାବେଳେ “ଲାଲ ବାଲ–ପାଲ” ସୁବିଖ୍ୟାତ ନେତୃତ୍ରୟୀଙ୍କ ମଧ୍ୟରୁ ସ୍ୱର୍ଗତ ବିପନଚନ୍ଦ୍ର ପାଲ୍‍ଙ୍କର ଭାବପ୍ରବଣ ଭାଷଣ ମଧ୍ୟ ଶୁଣେ । ସେତେବେଳେ ପୁରୀ ସିଂହଦ୍ୱାରରେ ସମବେତ ଶ୍ରୋତାମାନଙ୍କୁ “ଭକ୍ତିଯୋଗ” ପ୍ରଣେତା ଏଇ ମନୀଷୀଙ୍କର ଅନର୍ଗଳ ଭାଷଣ ଆମ ଭିତରେ ଗଭୀର ପ୍ରଭାବ ପକାଏ ।

 

ଆଉ କେବେ ସେଇଠି ଶୁଣୁଁ ପଞ୍ଜାବର ସିଂହ ଲାଲା ଲଜ୍‌ପତ୍ ରାୟଙ୍କ ମୁଖରୁ ଗୁରୁଗମ୍ଭୀର ଭାଷଣ । ସେ ଭାଷଣର ପ୍ରତ୍ୟେକ ଶବ୍ଦ ଯେପରି ସୁସ୍ପଷ୍ଟ—ସେହିପରି ନିର୍ଭିକ ଓ ନିଷ୍କମ୍ପ । ସେ ଭାଷଣରେ ହାସ୍ୟ କ୍ରନ୍ଦନର ସ୍ଥାନ ନାହିଁ, ଆବେଗ, ଉତ୍କଣ୍ଠା ଅବା ଉତ୍ତେଜନାର ଚିହ୍ନନାହିଁ । ଅଥଚ ତାହା ଯେଭଳି ତୀକ୍ଷଣ, ସେଇଭଳି କଠୋର ପୁଣି ଓଜନଦାର ।

 

ବଡ଼ ଦାଣ୍ଡର ଗୋଟିଏ ସୀମାରେ ସିଂହଦ୍ୱାରରେ, ଅପର ସୀମାରେ ଗୁଣ୍ଡିଚା ମନ୍ଦିର । ସିଂହଦ୍ୱାରରେ ଲାଲା ଲଜ୍‍ପତ୍ ରାୟଙ୍କ ସଭା ବସିଲେ‘ବଳଗଣ୍ଡି’ ବା ଗୁଣ୍ଡିଚା ପଡ଼ିଆରେ ବସେ ଗାନ୍ଧୀଙ୍କ ସଭା ।

 

୧୯୨୧ ଖ୍ରୀଷ୍ଟାବ୍ଦ ଗାନ୍ଧୀଙ୍କର ପ୍ରଥମ ପୁରୀ ଆଗମନ । ସେତେବେଳକୁ ଭାରତବ୍ୟାପୀ ଚତୁର୍ଦ୍ଦିଗରେ ଗାନ୍ଧୀଜୀଙ୍କର ନାମ ଲୋକ ମୁଖରେ ଶୁଣାଗଲାଣି । ଶୁଣାଗଲାଣି ଗାନ୍ଧୀ ଅବତାର କାହାଣୀର ବହୁ ବିଚିତ୍ର ଆକାର ପ୍ରକାର । ଗାନ୍ଧି ଓହ୍ଲାଇବେ ସେ ଦିନ ପୁରୀ ରେଳ ଷ୍ଟେସନରେ । ହଜାର ହଜାର ଲୋକ ଦର୍ଶନ ପାଇଁ ରୁଣ୍ଡ ହୋଇଛନ୍ତି । ସ୍ୱେଚ୍ଛାସେବକ ଛାତ୍ରମାନଙ୍କ ମଧ୍ୟରେ ମୁଁ ମଧ୍ୟ ନେଇଥାଏଁ ସଙ୍ଗଠନର ଦାୟିତ୍ୱ ।

 

ପ୍ଲାଟଫର୍ମ ଭିତରକୁ ରେଳଗାଡ଼ିର ବେଗ କମି ଆସିବାମାତ୍ରେ ଦେଖାଗଲା—ଗୋଟିଏ ତୃତୀୟ ଶ୍ରେଣୀ ଡବାଦୁଆରେ ହାତଯୋଡ଼ି ଠିଆ ଜଣେ ଯାତ୍ରୀ । ସେଦିନ ଅପରାହ୍ନରେ ଶତ ସହସ୍ର ଲୋକଙ୍କ ଉତ୍ସାହ ଉତ୍କଣ୍ଠା ଭିତରେ ଗାନ୍ଧୀଜୀ ସଦଳବଳେ ଓହ୍ଲାନ୍ତି ପୁରୀ ଷ୍ଟେସନ ପ୍ଲାଟଫର୍ମରେ । ଶଙ୍ଖ ହୁଳହୁଳି ନାଦରେ ଧ୍ୱନିତ ହୁଏ ଆକାଶ ପବନ । ଗୋଟିଏ ଖୋଲା ଫିଟନ ଘୋଡ଼ାଗାଡ଼ି ଭିତରେ ବସି ଗାନ୍ଧଜୀ ଜନତାକୁ ନମସ୍କାର କରୁଥାନ୍ତି ତାହାର ଜବାବରେ ଶଙ୍ଖ, ହୁଳହୁଳି, ହରିବୋଲ“ଗାନ୍ଧିଜୀ କି ଜୟ । ଭାରତମାତା କି ଜୟ ।’’

 

ବିରାଟ ରୋଷଣୀ ଚାଲେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହଦ୍ଵାରକୁ । ସେହିଠାରୁ ଦୋଳମଣ୍ଡପ ସାହି ଭିତରେ ସମୁଦ୍ର କୂଳରେ “ରମାଭିଲା” ଲାଲକୋଠିରେ ଗାନ୍ଧୀଙ୍କର ରହଣି । ଭଗ୍ନୋନ୍ମୁଖ ଏହି “ରମାଭିଲା”ର ରୂପରଙ୍ଗ ଆଜି ଫିକା ପଡ଼ିଗଲାଣି । ଝରକା ଦୁଆର ଉପକ୍ରମ କଲାଣି ଖସିପଡ଼ିବାକୁ ପାଚେରୀ ସମେତ । ଆଜି ମଧ୍ୟ ସେଇ ସ୍ମୃତି ଚିହ୍ନ ବହନକରି ପତନୋନ୍ମୁଖ ଅବସ୍ଥାରେ ଠିଆ ହେବାକୁ ଅବା ତା’ର ଅସହାୟ ଉଦ୍ୟମ ! ସାମ୍ନାରେ ନୀଳ ସମୁଦ୍ର ଲହରୀ ମାଳ ଗୋଟିକ ପରେ ଗୋଟିଏ ଭାଙ୍ଗି ପଡ଼ୁଛି ପ୍ରତି ମୁହୂର୍ତ୍ତରେ । ସେହିଭଳି ଭାଙ୍ଗି ପଡ଼ିବାର ଦ୍ରୁତ ଉପକ୍ରମ କରୁଛି ଅବା ଗାନ୍ଧିଙ୍କ ପୁରୀ ଅବସ୍ଥାନ ବେଳର ଏହି ‘‘ରମାଭିଲା’’କୁ ଆଜି ଚାହିଁ ମୋର ସମୁଦୟ ଅତୀତ ଆଉ ବର୍ତ୍ତମାନ । ତଥାପି ତାହାକୁ ତୋଳି ଧରିବା ଉଦ୍ୟମରେ ମଧ୍ୟ ଅନ୍ତନାହିଁ ମୋର ।

 

—ସେଥି ସଙ୍ଗେ ପୁଣି କେତେ ଉତ୍ସାହ ଉନ୍ମାଦନାର ଉତ୍ସ — କେତେ ଯୋଜନା କଳ୍ପନାର ଉତ୍ତାଳ ତରଙ୍ଗ !

 

“ରମାଭିଲା” ଉପର ତାଲାରେ ଗାନ୍ଧିଜୀ ବସି ସୂତା କାଟୁଥାନ୍ତି ଚରଖାରେ । ସେ ଦିନ ସୋମବାର—ତାଙ୍କର ମୌନ ଦିବସ । ମୁଁ ଯାଇ ତାଙ୍କର ଆଗରେ ବସେଁ । ମୋହ ପାଖରେ ଆସି ବସନ୍ତି ନେତାଜୀ ସୁଭାସ ବୋଷଙ୍କ ପିତା ଶ୍ରଦ୍ଧେୟ ଜାନକୀନାଥ ବୋଷ । ମୌନ ଦିନମାନଙ୍କରେ ଗାନ୍ଧିଜୀଙ୍କୁ କେହି କିଛି ପଚାରିଲେ ଲିଖିତ ଆକାରରେ ପ୍ରଶ୍ନକରନ୍ତି । ଗାନ୍ଧି ମଧ୍ୟ ସେଭଳି ଲେଖି ଉତ୍ତର ଦିଅନ୍ତି !

 

ଗାନ୍ଧିଜୀଙ୍କ ସାମ୍ନାରେ ବସି ମୁଁ ଏତେ ବେଶି ବିହ୍ଵଳ ବିମୂଢ଼ ହୋଇ ପଡ଼ିଥାଏଁ ଯେ, କୌଣସି ପ୍ରଶ୍ନ ପଚାରିବା ଅବସ୍ଥା ନଥାଏ ମୋର ! ମୂକ ଭଳି ଏମ‌୍‌ତି ତାଙ୍କୁ ଖାଲି ଚାହିଁରହି ଶେଷରେ ଓହ୍ଲାଇଆସେଁ ତଳକୁ । ତଳେ ଦେଖେଁ ଗୋଟିଏ ବଖରାରେ ଶୋଇ ଯାଇଥାନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ । ନିଘୋଡ଼ ନିଦରେ ବୋଧହୁଏ ସେ ଘୁଙ୍ଗୁଡ଼ି ମାରୁଥିଲେ । ଶୋଇବା ଅବସ୍ଥାରେ ତାଙ୍କ ଚକ୍ଷୁରେ ଚଷମା ଦେଖି କାରଣଟା ତାହାର ବୁଝିବା ମୋ ପକ୍ଷରେ ସେତେବେଳେ ଖୁବ୍ କୌତୁହଳପୂର୍ଣ୍ଣ ଅସମ୍ଭବ ହୋଇ ପଡ଼ିଥିଲା ବୋଲି ଆଜି ସୁଦ୍ଧା ମନେ ରହିଛି ।

 

ଅନ୍ୟ ବଖରାରେ ଦେଖିଲି ବୋଧହୁଏ କସ୍ତୁରବାଙ୍କ ସହିତ ତାଙ୍କ ପୁଅ ରାମଦାସଙ୍କୁ । ଗାନ୍ଧିଜୀ ପୁରୀ ଷ୍ଟେସନରେ ଓହ୍ଲାଇଇବା ପରେ ସ୍ୱଚ୍ଛାସେବକମାନେ ଗାନ୍ଧିଜୀଙ୍କ ପଛରେ ଯାଇ ତାଙ୍କ ପୁଅ ଓ ଅନ୍ୟ ସମସ୍ତଙ୍କୁ ପାସୋରି ପକାଇ ଥିଲେ ନିଶ୍ଚୟ । ତହୁଁ ସେମାନଙ୍କୁ ବହୁ କଷ୍ଟରେ “ରମାଭିଲା” ଆବିଷ୍କାର କରି ସେଇଠାକୁ ଆସିବାକୁ ପଡ଼ିଥିଲା ।

 

ପରଦିନ ଗୁଣ୍ଡିଚା ପଡ଼ିଆରେ ବିରାଟ ସାଧାରଣ ସଭା । ଗୋପବନ୍ଧୁ, ତାଙ୍କର ସ୍ଵଭାବ ସୁଲଭ ଭାବପ୍ରବଣ ଉତ୍ତେଜନାପୂର୍ଣ୍ଣ ଭାଷଣରେ ଗାନ୍ଧୀଙ୍କ ପରିଚୟ ଦେଇ କହନ୍ତି—ଭାରତରେ ବଡ଼ଲାଟ୍ ହେଉଛନ୍ତି ସର୍ବୋଚ୍ଚ ଶାସନକର୍ତ୍ତା । ମାତ୍ର କୋଟି କୋଟି ଜନତାର ହୃଦୟ ସିଂହାସନର ବଡ଼ଲାଟ୍ ଆଜି ଆମ ସାମ୍ନାରେ ଉପସ୍ଥିତ ।

 

ତୁମୂଳ କରତାଳି ଧ୍ୱନି ସହିତ ‘‘ଭାରତମାତା ! କି ଜୟ, ଗାନ୍ଧିଜୀ କି ଜୟ,” ଧ୍ୱନିରେ ବଡ଼ଦାଣ୍ଡ ପୁଣି ଉଛୁଳିଉଠେ । ଗାନ୍ଧିଜୀ ଅତି ସରଳ କଥୋପ-କଥନ ଭାଷାରେ ଭାଷଣ ଦେଇ କହନ୍ତି,— ତୁମ୍ଭେମାନେ ଜଗନ୍ନାଥଙ୍କୁ ପୂଜାକର ଅଥଚ ସେହି ଜଗନ୍ନାଥଙ୍କୁ ତୁମେ ବିଦେଶୀ ବସ୍ତ୍ରରେ ସଜାଇ ବିଦେଶୀକରି ପକାଇଛ । ନିଜ ଦେବତାଙ୍କୁ ଯେ ବିଦେଶୀ କରିଦିଏ ସେ ତାଙ୍କର ଆର୍ଶୀବୀଦ ପାଇବ କିପରି ? ସେବକ ଭକ୍ତମାନେ ଆଗ ନିଜ ଚରିତ୍ରକୁ ବିଶୁଦ୍ଧ କରିବା ଆବଶ୍ୟକ । ଆମେ ଭଗବାନଙ୍କୁ ଦର୍ଶନ କରିବାକୁ ନିଜେ ଆଗ ଯୋଗ୍ୟହେବା, ସ୍ୱୟଂଜଗନ୍ନାଥ ସେବକମାନଙ୍କ ଭିତରେ ଯଦି ଗୁଣ୍ଡାମି ଓ ରଣ୍ଡୀବାଜ୍ ଆଦି ବହୁ କଳଙ୍କ ପ୍ରବେଶ କରିଥାଏ, ତହିଁରୁ ଆଗ ଆମକୁ ମୁକ୍ତହେବାକୁ ପଡ଼ିବ ।

 

ଗାନ୍ଧୀଙ୍କ ମୁହଁରୁ ଏହା ଜଗନ୍ନାଥ ଅନୁଷ୍ଠାନରେ “ଗୁଣ୍ଡାମି’’ ଓ ରଣ୍ଡୀବାଜ’’ ଶବ୍ଦ ମୋ କାନକୁ ଯେପରି ଅପ୍ରିୟ ଓ ଖଟକା ଶୁଣାଯାଇ ଥିଲା, ଆଜି ପଚାଶବର୍ଷ ପରେ ମଧ୍ୟ ତାହା ମୁଁ ପାସୋରୀ ପାରିନାହିଁ, ପରେ ପଢ଼ି ଜାଣିଲି ଏଇ ଶବ୍ଦ ପୁରୀ ଜଗନ୍ନାଥଙ୍କ ସମ୍ପର୍କରେ ଗାନ୍ଧିଙ୍କର ନିଜସ୍ୱ ନୁହେ । ଏହା ସ୍ୱୟଂ କାର୍ଲମାର୍କସଙ୍କର ଉକ୍ତି, ଏହି ଉକ୍ତିର ସତ୍ୟତା ଉପଲବ୍‌ଧି କରିବାପାଇଁ ମୋର ଅବଶ୍ୟ କିଛିକାଳ ବିତିଯାଇଥିଲା । ସେ ଦିନ ତାଙ୍କ ସୃଷ୍ପଷ୍ଟ ବକ୍ତବ୍ୟ ଭିତରେ ବି ଦେଶୀ ଶାସନ କବଳରୁ ଭାରତବର୍ଷକୁ ମୁକ୍ତକରିବା ପାଇଁ ଆମକୁ ସମ୍ପୂର୍ଣ୍ଣ ରୂପେ ଖାଦ୍ୟ ପରିଧାନରେ ସ୍ୱାବଲମ୍ବୀ ହେବାକୁ ପଡ଼ିବ ବୋଲି ଗାନ୍ଧିଜୀ ଜୋର୍ ଦେଇ କହଥିଲେ ମଧ୍ୟ ।

 

ଗାନ୍ଧୀଙ୍କ ଭାଷଣକୁ ଓଡ଼ିଆରେ ତର୍ଜମା କରି ଗୋପବନ୍ଧୁ ସ୍ଵଭାବ-ସୁଲଭ ସରଳଭାଷାରେ ବୁଝାଇ ଦିଅନ୍ତି, ଆଗରୁ ଜନତାକୁ ଉଦ୍ଦେଶ୍ୟ କରି ସେ ସାବଧାନ କରି ଦେଇଥାନ୍ତି ଯେ, ସଭାରେ କେହି ତାଳିମାରିବେ ନାହିଁ । କାରଣ ଭାରତର ସବୁଲୋକ ଯଦି ଏକ ସମୟରେ ଖାଲି ତାଳି ମାରିଦିଅନ୍ତି, ତା’ହେଲେ ସହସ୍ରଶିରା ରାବଣ ତାଳିମାରି ରାମଲକ୍ଷ୍ମଣ ଓ ତାଙ୍କର ସୈନ୍ୟସାମନ୍ତ ସମେତ ସବୁ ଯୋଦ୍ଧାଙ୍କୁ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଉଡ଼ାଇ ନେଲା ଭଳି ଭାରତବର୍ଷର ଲୋକଙ୍କର କେବଳ ଏକ ସମୟରେ ସେଇ ତାଳିଶବ୍ଦ ଉଠିଲେ, ଇଂରେଜ ସରକାର ତାଙ୍କର ସବୁ ସୈନ୍ୟସାମନ୍ତଙ୍କ ସହିତ ଦରିଆ ଆରପାରିକୁ ଉଡ଼ିଯିବେ । ଏଇ କଥାରେ ଜନତା ମୁଖରୁ ଉଛୁଳି ପଡ଼େ “ଗାନ୍ଧିଜୀ କି ଜୟ” ‘ସହିତ ହରିବୋଲ ହୁଳ ହୁଳି” ପୁଣି କାନ ଅତଡ଼ା କରତାଳି !

 

ଗୋପବନ୍ଧୁଙ୍କ ଓଡ଼ିଆଭାଷଣର ଅର୍ଥ ଗାନ୍ଧିଙ୍କୁ କିଏ ବୁଝାଇ ଦେଲାକି କ’ଣ, ସଙ୍ଗେ ସଙ୍ଗେ ସେ ଉଚ୍ଛ୍ଵସିତ ହୋଇ ହସି ଉଠନ୍ତି, ଶେଷରେ ଗାନ୍ଧୀଜୀ ପ୍ରଶ୍ନ କରିଥିଲେ, ଲୋକେ କ’ଣ ଚାହାନ୍ତି ? ଗୋପବନ୍ଧୁ ଗାନ୍ଧିଙ୍କ କଥାକୁ ତର୍ଜମାକରି ବୁଝାଇଦେବାରୁ ସଙ୍ଗେ ସଙ୍ଗେ ଜନତାରୁ ଜବାବ୍ ମିଳେ—ଚାଉଳ, ଚାଉଳ ! *

 

ହସିହସି ଗୋପବନ୍ଧୁ ବୁଝାଇଦିଅନ୍ତି ଯେ, ଗାନ୍ଧୀ ଚାଉଳବସ୍ତା ସାଥୀରେ ଘେନି ଏଠାକୁ ଆସିନାହାନ୍ତି । ସେଇ ସମୟରୁ ଆଜି ସରିକି ଠିକ୍ ଅର୍ଦ୍ଧ ଶତାବ୍ଦୀ ବା ପଚାଶବର୍ଷ ବିତିଗଲେ ବି ପୂଣି ସ୍ୱାଧୀନତାର ପଚିଶିବର୍ଷ ରୌପ୍ୟଜୟନ୍ତୀ ପାଳିତ ହେଲେବି ଓଡ଼ିଶା ରାଜ୍ୟରେ ଏହି ଚାଉଳ ହିଁ ସର୍ବଶ୍ରେଷ୍ଠ ମହାକାବ୍ୟ ହୋଇ ରହିଗଲା ପରା ! ଆଉ ତା’ରି ଦେହରେ ବାଜି ସବୁ ରାଜନୀତି ଉଠିଲା ପଡ଼ିଲା ସମୁଦ୍ର ଢେଉଭଳି ଖାଲି ବାଲି ପନ୍ତାରେ ଯେମ‌୍‌ତି !

 

* ସେଇ ସଭାରେ ସାକ୍ଷୀଗୋପାଳରୁ ମୋର ସହଧ୍ୟାୟୀ ବନ୍ଧୁ ଅବସରପ୍ରାପ୍ତ ଜଷ୍ଟିସ୍ ଶ୍ରୀ ହରିହର ମହାପାତ୍ର ମଧ୍ୟ ଯୋଗଦେଇ ଥିବା କଥା “ସମାଜ”ରେ ପ୍ରକାଶିତ ତାଙ୍କର ଏକ ପ୍ରବନ୍ଧରୁ ଜାଣିଲି । ତା’ପରେ ଅବଶ୍ୟ ରେଭେନ୍‌ସା କଲେଜରେ ତାଙ୍କ ସଙ୍ଗେ ମୋର ପରିଚୟ ।

 

କଟକ ନଗର ଧବଳ ଟଗର

 

ଆଗରୁ କେତେକଥା ଶୁଣିଥିଲି କଟକ ବିଷୟରେ । ସେଠାରେ ଖାଲି ବାପ ମା’ଙ୍କୁ ଛାଡ଼ି ସବୁ ମିଳିପାରେ ପଇସା ପାଖରେ ଥିଲେ । ଆଉ ସେଇ ପଇସାର ବି ଅଭାବ ନାହିଁ କମେଇ ପାରିଲେ ।

 

ନାମ ଲେଖାଏଁ ଆସି ସେଇ କଟକ ରେଭେନ୍‍ସା କଲେଜରେ । ସେଇ ସେ “କଟକ ସହର ବଡ଼ ମହରଗ” ଭିତରକୁ ଆସି ମନେହୁଏ ମୋର କଥାଟା କେବଳ ବିରୋଧାଭାସ । ଏଇ ମାତ୍ର ମୋର ପହିଲେ କଟକ ଦର୍ଶନ । କଲେଜ ଉଠି ଆସିଥାଏ ଚାଉଳିଆଗଞ୍ଜ ନୂଆ କୋଠାକୁ । ସେଇ କୋଠାରେ ଆମର ନୂତନ ଗୃହ ପ୍ରବେଶ । ଗରିବ ଓଡ଼ିଆପିଲା ଏଡ଼େବଡ଼ ପ୍ରାସାଦରେ ପଢ଼ିବା ବ୍ୟବସ୍ଥାକୁ ସମାଲୋଚନା କରିଥାନ୍ତି ପଣ୍ଡିତ ଗୋପବନ୍ଧୁ ଦାଶ ।

 

ରେଲଗାଡ଼ି ଯେବେ କାଠଯୋଡ଼ି ପୋଲ ଉପରେ ପହଞ୍ଚେ, ସେ ସବୁ ସମାଲୋଚନାକୁ ପାସୋରି ପକାଇ ଦୂର ନଈକୂଳର ବିଜୁଳି ଆଲୁଅ ଧାଡ଼ିଟା ମନଭିତରେ ଆଣିଦିଏ ମୋର କି ଏକ ରହସ୍ୟମୟ ଉନ୍ମାଦନା । ତହୁଁ ଯେମ‌୍‌ତି କେନାଲ ପୋଲ ଉପରେ ଘର୍ଘର ଗଜନରେ ଆସ୍ତେ ଚାଲିଯାଏ ଷ୍ଟେସନ ଆଡ଼କୁ —ସତେ ଅବା ମୁଁ ଆବିଷ୍କାର କରି ବାହାରିଛି ଉତ୍ତରମେରୁ !

 

ରେଭେନ୍‌ସା କଲେଜର ଆଖି ନ ପାଇଲା ଭଳି ପ୍ରକାଣ୍ଡ ବିରାଟ ନୂଆ କୋଠା । ସେଥିରୁ ଖାଲି ଗୋଟାଏ ଫାଳ ପୂର୍ବ ଛାତ୍ରାବାସ, ଠିକ୍ ମୁହାଁମୁହିଁ ଆର ପଟେ କାହିଁ କେତେଦୂରେ ପଶ୍ଚିମ ଛାତ୍ରାବାସ—ଏ ପାଖରୁ ଚାହିଁଲେ ସେପାଖ ପିଲାଙ୍କୁ ଚିହ୍ନି ହୁଏ ନାହିଁ ।

 

ସାମ୍ନାରେ ଲମ୍ବା ଦୋତାଲା କୋଠୀରେ ଆର୍ଟସ୍ କ୍ଲାସ । ପଛପଟେ ଲନ୍ ପାରିହେଲେ କନିକା ଲାଇବ୍ରେରୀ । ଲାଇବ୍ରେରୀ ଦି’ପାଖେ ବିଜ୍ଞାନକ୍ଲାସ ଓ ଲାବରେଟୋରୀ । ପୂର୍ବ ଛାତ୍ରାବାସ ଉପର ମହଲାରେ ଆମେ ପୁରୀରୁ ଆସିଥିବା ପିଲାମାନଙ୍କପାଇଁ ସ୍ଥାନ ନିର୍ଦ୍ଧିଷ୍ଟ ଥାଏ ।

 

ସେଇପରି ଜିଲାଓଆରିରେ ବାଲେଶ୍ୱର ମେସ୍, ସମ୍ବଲପୁର ମେସ୍, ମୟୂରଭଞ୍ଜ ମେସ୍, ପୁରୀ ମେସ୍, ଗଞ୍ଜାମ ମେସ୍ ଇତ୍ୟାଦି । ସମ୍ବଲପୁର ମେସ୍ ତରକାରୀରେ ଯେମ‌୍‌ତି ଟିକିଏ ଦେଶୀ ରାଗ ଲୋଡ଼ା ହୁଏ, ଗଞ୍ଜାମ ମେସ୍ ପାଇଁ ସେଇଭଳି ତେନ୍ତୁଳି ଆମ୍ବୁଲର ଅଧିକ ଆଦର କିମ୍ବା ପୁରୀ କଟକୀପିଲାମାନଙ୍କର “ମଧୁରେଣ ସମାପୟେତ୍” ହେଲେ ମଧ୍ୟ ପରସ୍ପର କଥାବାର୍ତ୍ତା ଭିତରେ କିମ୍ବା ବ୍ୟବହାରରେ ତାହା ଅବଶ୍ୟ ଲକ୍ଷ୍ୟ କରାଯାଏ ନାହିଁ । ଅର୍ଥାତ୍, ସବୁ କ୍ଷେତ୍ରରେ ସମ୍ବଲପୁରୀ ପିଲାଏ ରାଗ ମୁହଁରେ ରହି ନ ଥାନ୍ତି କିମ୍ବା ପୁରୀ କଟକ ପିଲାଙ୍କ ମୁହଁରୁ ସବୁବେଳେ ମଧୁବର୍ଷଣ ହୁଏ ନାହିଁ; ଅଥବା ଦକ୍ଷିଣ ଓଡ଼ିଶାର ପିଲାଙ୍କ ମୁହଁ ଚିନ୍ତାପାଣ୍ଡୁରେ ଆମ୍ବିଳ ଲାଳାୟିତ ହୋଇ ରହି ନ ଥାଏ । ପରସ୍ପର ମିଳାମିଶା ହାସ ପରିହାସ ନୂତନ ବନ୍ଧୁତାଭାବରେ ସୌହାର୍ଦ୍ଦ୍ୟ ସହଯୋଗର ତ୍ରୁଟି ଘଟେନାହିଁ ।

 

ପୂର୍ବ ଛାତ୍ରାବାସକୁ ସାମ୍‍ନା ପଟେ ଦୋତାଲା ଉପରେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍ ଓଡ଼ିଆ ଅଧ୍ୟାପକ ଶ୍ରୀ ଆର୍ତ୍ତବଲ୍ଳଭ ମହାନ୍ତି, ତଳ ମହଲାରେ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ୍ ଅଧ୍ୟାପକ ଶ୍ରୀ ଗୁରୁଚରଣ ମହାନ୍ତି । ବିପରୀତ ଦିଗ ଉପର ମହଲାରେ ଓଆଡ଼ନ୍ ଶ୍ରୀ ଶ୍ୟାମଚରଣ ତ୍ରିପାଠୀ ଆଉ ତଳ ମହଲାରେ ପୂର୍ବଛାତ୍ରାବାସର କମନ୍‍ ରୁମ୍ ।

 

ପଶ୍ଚିମ ଛାତ୍ରାବାସର ବିଭାଗୀକରଣ ମଧ୍ୟ ଅବିକଳ ସେମ‌୍‌ତି । ତାହାର ସୁପରିଣ୍ଟେଣ୍ଡେଣ୍ଟ୍ ଅଧ୍ୟାପକ ଶ୍ରୀ ନାରାୟଣ ମିଶ୍ର ଓ ଓଆଡ଼େନ ଡକ୍ଟର ପ୍ରାଣକୃଷ୍ଣ ପରିଜା । ମେସ୍‍ମାନଙ୍କରେ ସବୁ ଜାତିର ଛାତ୍ର ରହିଥିବା ହେତୁ ଏକତ୍ର ବସି ଆହାର କରିବା ବ୍ୟବସ୍ଥା ଥାଏ । ତଥାପି କେହି କେହି ଆପତ୍ତି କରନ୍ତି ଏଇ ସାମାଜିକ ବ୍ୟବସ୍ଥାରେ । ଏଭଳି ଭେଦ-ବିଚାରକୁ ମୁଁ ପ୍ରକାଶ୍ୟରେ ନିନ୍ଦା କରିବାରୁ ଅନ୍ତେବାସୀମାନଙ୍କଦ୍ୱାରା କେତେ ଥର ଉପହସିତ ହୋଇଛି ।

 

ଚେହେରା ଚାଲିଚଳନ ପୁଣି କଥୋପକଥନ ଭାଷାରେ ସୁଦ୍ଧା ଓଡ଼ିଶାର ଗୋଟିଏ ଜିଲାର ଛାତ୍ର ଅନ୍ୟ ଜିଲା ଛାତ୍ରଙ୍କଠାରୁ ବାରି ହୋଇ ପଡ଼ନ୍ତି । ସେତେବେଳେ ପୁଣି ଗଞ୍ଜାମକୋରାପୁଟ କିମ୍ବା ଗଡ଼ଜାତ ଅଞ୍ଚଳର ମିଶ୍ରଣ ହୋଇ ନ ଥାଏ । ସ୍ୱତନ୍ତ୍ର ପ୍ରଦେଶ କିମ୍ବା ରାଜ୍ୟ ରୂପେ ଓଡ଼ିଶା ଚିହ୍ନିତ ହେବାପାଇଁ ବିଳମ୍ବ ରହିଥାଏ ଅନେକ ବର୍ଷ ।

 

କଥାଭାଷାର ଉଚ୍ଚାରଣରେ ଆଞ୍ଚଳିକତା ବାରି ହୋଇ ପଡ଼େ ସହଜରେ–ଗଞ୍ଜାମ ପିଲାଙ୍କ ଓଡ଼ିଆ କଥାରେ ତେଲୁଗୁ ଟାଣ, ବାଲେଶ୍ୱର, ମୟୂରଭଞ୍ଜ ପିଲାଙ୍କ କଥାରେ ବଙ୍ଗାଳି ଛାଞ୍ଚ, ପୁଣି ସମ୍ବଲପୁର ଖଡ଼ିଆଳ ଅଞ୍ଚଳ ବନ୍ଧୁମାନଙ୍କ ଭାଷାରେ ହିନ୍ଦୀ ପ୍ରଭାବ ମଧ୍ୟ ଧରାପଡ଼ିଯାଏ ଏମ‌୍‌ତି କି ପୁରୀ ଓଡ଼ିଆ ଓ କଟକ ଓଡ଼ିଆ କଥୋପକଥନ ଭାଷାରେ ଅନେକ ଫରକ । ଆମ ବିଚାର ଆଲୋଚନାର ସାମଗ୍ରୀ ହୋଇପଡ଼େ କିଏ । ଖାଣ୍ଟି, କିଏ ଭେଲ ବାଛିବାପାଇଁ ।

 

ପୁରୀରେ ଯେମ‌୍‌ତି ଗୋଟା ଭାରତବର୍ଷର ଯାତ୍ରୀଙ୍କୁ ଦେଖି ‘ମହାସାଗର ସହିତ ଆପଣାକୁ ଭସାଇ ଦେବା, ହଜାଇଦେବାପାଇଁ ମନ ମୋ’ର ନାଚି-ଉଠେ, କଟକ ଆସି ସେମ‌୍‌ତି ସାରା ଓଡ଼ିଶା ମୋ’ର ହୋଇପଡ଼େ ନିକଟରୁ ନିକଟତର, ପୁଣି ନିକଟତମ—ଅତି ଆପଣାର । କଟକିଆମାନେ ଯେ ଖଟିଖିଆ କିନ୍ତୁ ମାଗିଖିଆ ନୁହନ୍ତି, କେବଳ ପୂର୍ବ ପୁରୁଷ-କୀର୍ତ୍ତିର ପ୍ରଦର୍ଶନୀ ଫିଟାଇ ତମାମ୍ ଓଡ଼ିଶାର ମେହନତି ମଣିଷ ସହିତ ଏଇଠି ମୋ’ର ଯେମ‌୍‌ତି ଭେଟ ହୁଏଭେଟହୁଏ ଓଡ଼ିଶାର ପ୍ରାଣକେନ୍ଦ୍ର ସାଥିରେ ! କଟକର ତାରକସି-କାମଠାରୁ ଆରମ୍ଭ କରି କଟକୀ ଗାମୁଛା ପର୍ଯ୍ୟନ୍ତ । ଭେଟ ହୁଏ ପୁଣି

 

“ଐତିହାସିକ ଏ ଦୁର୍ଗବାରବାଟି ।

ବୀରରକ୍ତ ପିଣ୍ଡେ ଗଢ଼ା ଯା’ର ମାଟି ।”

 

କବିତାରେ ସିନା ବାରବାଟୀ ଦୁର୍ଗ; କିନ୍ତୁ ଯେତେ ଯୁଆଡ଼େ ଖୋଜି ବୁଲିଲେ ତା’ର ପତ୍ତା ମିଳେ ନି ମୋତେ । ବାଲିଯାତ୍ରା ପଡ଼ିଆ ପାଖ ଏଇ ଭଙ୍ଗା ପଥର-ଫାଟକ ଆଉ ସେଇଠୁଁ ଚାରିପଟେ ଘେରି ରହିଥିବା ଗୋଟାଏ ପଚାପାଣିର ଖାଲ ହେଉଛି ଗଡ଼ଖାଇ । ପୁଣି ମଝିରେ ତା’ର ମାଟିକୁଦଟା ଥିଲା କୁଆଡ଼େ ନବତଳ ପ୍ରାସାଦ । ଦେଖିଲେ ମନେହୁଏ, ଐତିହାସିକମାନଙ୍କର କେବଳ ତଥ୍ୟ ସଂଗ୍ରହରେ ତ ଦକ୍ଷତା ନାହିଁ, କବି କଳ୍ପନାରେ ମଧ୍ୟ ସେମାନେ ବେଶ୍‍ ଧୂରନ୍ଧର !

 

ଯେ କୌଣସି ଉଈହୁଙ୍କା ଖାଲଖମାକୁ ମଧ୍ୟ ସେମାନେ ଇତିହାସର ଗନ୍ତାଘର କରି ପାରନ୍ତି ତ ! ତା’ ପରେ କାଠଯୋଡ଼ି ପଥରବନ୍ଧ–ବଡ଼ ବୁରୁଜ ! କଟକ ସହର ଭଳି ତିନିପାଖରେ ନଈ ବେଢ଼ି ରହିଥିବା ତ୍ରିକୋଣ ଭୂଇଁ ଯେ କି ସୂତ୍ରରେ ଗୋଟାଏ ଜାତିର ଇତିହାସ ଗଢ଼ି ଦେଲା ! ଆଉ ସେଇ ଇତିହାସ ଉପରେ ଠିଆ ହୋଇଯାଏ ଗୋଟାଏ ସାହିତ୍ୟ, କଳା ସଂସ୍କୃତିର ସ୍ୱାତନ୍ତ୍ର୍ୟ ! କେଉଁ ବାଇମୁଣ୍ଡୀ ସେ ଦିନ ଏ ସ୍ୱାତନ୍ତ୍ର୍ୟକୁ କାଠଯୋଡ଼ି ବଢ଼ିରୁ ବଞ୍ଚାଇବାପାଇ କଟକ ଚିନ୍ତାରେ ମଗ୍ନ ହୁଏ ! ତହିଁରୁ ତାକୁ ପୁଣି ଉଦ୍ଧାର କରିବାକୁ ପଥର ବନ୍ଧ ତୋଳାଏ ରାଜା ମର୍କତକେଶରୀ ! ଅଦ୍ଭୁତ, ଅପୂର୍ବ ଏଇ ମଣିଷ ! ଚେନାଏ ଲେଖାଁ ପୃଷ୍ଠା ଯେ ତା’ର ଗଢ଼ଇ କେତେ ଅମର ଇତିହାସର କାହାଣି !

 

କଟକ ଧୂଳିରେ ପାଦ ଦେଇ ସେମ‌୍‌ତି ଓ କେତେ ଅଜଣା ଅଶୁଣା କାହାଣିର ସ୍ପନ୍ଦନ ଅଲକ୍ଷ୍ୟରେ ମୋତେ ଅଭିଭୂତ କରେ । ଏଠାରେ ପୁରୀର ଠାକୁର ଜଗନ୍ନାଥ ନାହାନ୍ତି କି ଠାକୁର-ରଜା ନାହାନ୍ତି । ଖାଲି କଟକି ଗାମୁଛା, ତାରକସି, ରସଗୋଲା ଓ କଟକି ଚଟି । ଏଠାରେ କେହି କାହାକୁ ହାତ ପତାଇ ଆଉ କାହାର ଦୟାଧର୍ମ ଘେନି ବଞ୍ଚେ ନାହିଁ । ଖଟିଖିଆ ସମସ୍ତେ । ଧର୍ମ ବୋଇଲେ ଖାଲି ଦାନ ଦକ୍ଷିଣା ଦୟା ଅନୁଗ୍ରହ ନୁହେଁ । ଧର୍ମସାଥିରେ ଯୋଡ଼ି ହୋଇ ରହିଛି କର୍ମ । କଟକିଆ କହିଲେ । ବୁଝାଏ ଯେଝା ହାତରେ ସେ ଚଉଦପା !

 

ଦଶପଇସା ରୋଜଗାର କରୁଥିବା ଦିନମୂଲିଆ ଦଶହଜାରୀ ମହାଜନକୁ ପରୁଆ କରେ ନି । ମେହନତିର ମୂଲ ମର୍ଯ୍ୟାଦା ସବୁଠାରୁ ଯେମ‌୍‌ତି ଅଧିକ । କଟକକୁ ମୁଁ ଭଲପାଇଲି ଅତି ନିବିଡ଼ଭାବରେ ଏକାନ୍ତ ଆତ୍ମୀୟକରି । ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳ ଛାତ୍ରମାନେ ରେଭେନ୍‍ସା କଲେଜରେ ଏକଜୁଟ୍ ହେବାରୁ ତାହା ସମୁଦାୟ ଉତ୍କଳୀୟ ସଂସ୍କୃତିର ସଙ୍ଗମ ସ୍ଥଳ ପରି ବୋଧହୁଏ-। ତା’ର ଅଲକ୍ଷ୍ୟ ସ୍ପନ୍ଦନ ହିଁ ସେତିକିବେଳୁ ମୋର କଟକ ପ୍ରତି ଆକର୍ଷଣକୁ ଆହୁରି ବଢ଼ାଇଦିଏ । ଗାଁ ତୁଳନା ତ କଟକ ସହିତ ଅସମ୍ଭବ । ମାତ୍ର ପୁରୀ ତୁଳନାରେ ଯେ ସବୁ ଜିନିଷର ଦର ଏଠାରେ ଶସ୍ତା ଯେମ‌୍‌ତି, ପ୍ରାଚୁର୍ଯ୍ୟ ସେମ‌୍‌ତି । ମହରଗ ଖାଲି ବୋଧହୁଏ ପଇସା, ଗାଁର ଅତି ସଂକୀର୍ଣ୍ଣ ପରିବେଶ ତୁଳନାରେ ପୁରୀ ଯେମ‌୍‌ତି ପ୍ରଶସ୍ତତର ମନେହେଲା, ପୁରୀ ତୁଳନାରେ କଟକ ବୋଧହେଲା ସେହିପରି ଓଡ଼ିଆ ପ୍ରାଣଶକ୍ତିର କର୍ମକେନ୍ଦ୍ର ରୂପେ । ମନଭିତରେ ଖାଲି ଖଟକା ଲାଗିଲା ଗୋଟାଏ ଦୃଶ୍ୟ କଟକ ସହର ଚେହେରାକୁ ଚାହିଁ ଆଉ ପଛରେ ପକେଇ ଆସିଥିବା ‘ପୁରୀକୁ ତା’ ସହିତ ତୁଳନା କରି ।—

 

“କଟକନଗର ଧବଳଟଗର” କଥାଟା ଯେଡ଼େ ସିଧା ସଳଖ, ଯେଡ଼େ ନିର୍ମଳ—ତା’ ଭିତରେ ହ୍ରସ୍ୱ, ଦୀର୍ଘ, ଇ କାର, ଉ କାର ପ୍ରଭୃତିକୁ, ଯେମ‌୍‌ତି ଓ ବାଦ୍ ଦିଆଯାଇଛି, ସହରଟାର ଭିତର କି ବାହାର ଚେହେରାରେ କାହିଁ ତ କେଉଁଠି ବସ୍ତ୍ର ତା’ର ନାହିଁ । ଆଠ ଦଶ ପାହୁଣ୍ଡ ଚାଲିଗଲେ ସୁଦ୍ଧା ବଙ୍କା ଢଙ୍କା ବସ୍ତାରେ ନ ପହଞ୍ଚି ଚାରା ନାହିଁ କାହାରି । ଚାରିଆଡ଼ତ ବଙ୍କା ଢଙ୍କା ଗଳି କନ୍ଦି—

 

କେଉଁ କନ୍ଦିରେ ମଣିଷ ପଶିଲେ ଆଉ କେଉଁଠି ଯେ ଯାଇ ବାହାରିବ, ତାହା ଖାଲି ମୋ କଟକଚଣ୍ଡୀଙ୍କୁ ଗୋଚର । ପୁଣି “ଧବଳ ଟଗର” ଫୁଟେ କେଉଁଠି ? ଯୁଆଡ଼େ ଯାଅ ଖାଲି ତ ଆଣ୍ଠୁଏ ନାଲି ଧୂଳି । ଚୂନଧଉଳା କୋଠାଘର ଅବଶ୍ୟ ଅନେକ ଦିଶେ ଟଗରଫୁଲ ଫୁଟିଲା ଭଳି, ତଥାପି ଏବକୁ ସିନା ପିଚୁରାସ୍ତା ! ପୁଣି ଲିଙ୍କ୍ ରୋଡ଼ଭଳି ସିଧାଚଉଡ଼ା ଲମ୍ବ ରାସ୍ତାଟି । ହେଲେ ପୁରୀ ପୁରୁଣା ବଡ଼ଦାଣ୍ଡ ପାଖରେ ସେ ଲାଭଦିଆ ହବନା ? ପୁଣି ସେ ବଡ଼ଦାଣ୍ଡଟା । ଯେ କେଉଁଯୁଗରୁ ତିଆରି—

 

ଆମେରିକା ଭଳି ଦୂରଦେଶାନ୍ତରୁ ଯେଉଁ ହିପ୍‍ପିମାନେ ପୁରୀକୁ ଆସି ମୁଣ୍ଡ ଖିଅର ହୋଇ, ଗେରୁଆଲୁଗା ପିନ୍ଧି ଝାଞ୍ଜମୃଦଙ୍ଗ ବଜାଇ ସଂକୀର୍ତ୍ତନରେ ନାଟ କରୁଛନ୍ତି, ସେମାନେ କୁଆଡ଼େ ସାର୍ଟିଫିକେଟ ଦେଲେଣି ଏଡ଼େବଡ଼ ଲମ୍ବାଚୌଡ଼ା ଦାଣ୍ଡ ପୃଥିବୀର ଆଉ କେଉଁ ସହରରେ ଦେଖିବାକୁ ମିଳିବନି । କବି ମଦନମୋହନଙ୍କ ଭାଷାରେ— ।

 

“ବଡ଼ଦାଣ୍ଡ ଧୂଳିକଣା ସରଗର ସମ୍ପଦଗୋ

ବଡ଼ଦାଣ୍ଡେ ଚାଲୁଥିଲେ ନାହିଁ ଥାଏ ବିପଦ ଗୋ ।”

 

ପୁଣି ପୁରୁଣା କବିଙ୍କ ପଦ ଯୋଜନା ସାତସାହି ବୟାଳିଶ କନ୍ଦିର ପୁରୀ ସହର ଛାଡ଼ି —ଯେଉଁଠିକି ବଡ଼ ଦେଉଳ ସବୁଆଡ଼କୁ ଦିଶେ ଆଉ ବାଟ ବଢ଼ାଏ--ଦିଗବାରିଣୀ ହୋଇ ।

 

ତଥାପି କଟକ ସହରକୁ ମୁଁ ଭଲ ପାଇଲିବେଶି ଭଲ ପାଇଲି ତା’ର ଖଟିଖିଆ ମଣିଷକୁ; ପୁରୀର ଖାଲି ଠାକୁରଙ୍କ ରାଣ ପକାଇ ମାଗିଖିଆ ମଣିଷଠାରୁ କଟକରେ ଲାଗିଖିଆ ମଣିଷର ଭେଟପାଏ ମୁଁ ସବୁ ଗଳିକନ୍ଦି ଭିତରେ—ପରେ ସେଇ କଟକ ଉପରେ ମୋର କବିତା ରଚନା “କଲେ ରାଜନୀତି”—

 

“ଉଡ଼ି ଚାଲିଥିଲି ଉପରେ ଆକାଶ-ରଥେ

କେତେ ଗିରିମାଳ ମନେ ନାହିଁ ତା’ର ନାମ

କେତେ ନଦୀ ବିଲ, କେତେ ଶାଳବନ-ପଥେ

କେତେ ଯେ ଦେଉଳ ଅପରୂପ କାରୁକାମ ।

କଟକ ସହର ଅଟକାଇଦେଲା ମତେ !

ଦୋକାନ ବଜାର ସାହି ଗଳି ବାଟେ ଚାଲି

ସବୁଠାରେ ଯାହା ଶୁଣିଲି ଦେଖିଲି ସତେ

କଟକେ କେବଳ ରାଜନୀତି ଆଜିକାଲି !”

 

ରେଭେନ୍‌ସା କଲେଜରେ ପଢ଼ୁଥିବାବେଳେ ପ୍ରଥମ କଟକ ଦର୍ଶନ, ତହୁଁ ପୁଣି କଟକରେ ରହି ବ୍ୟାଙ୍କ୍ ଚାକିରି—ଶେଷରେ ସେଇ କଟକରେ ବସତି ସ୍ଥାପନ । ଓଡ଼ିଶା ରାଜ୍ୟର ଐତହାସିକ-ନଗରୀ କଟକ ।

 

କଥାରେ କହନ୍ତି, ପୁରୀରେ ରାତି ନାହିଁ କି କଟକରେ ଜାତି ନାହିଁ । ବଡ଼ସିଂହାର ଧୂପ ପରେ ଠାକୁର ପହଡ଼ କେତେ ସମୟ— ତହୁଁ ଶୁଣାଯାଏ ମଙ୍ଗଳ ଆଳତୀ ଘଣ୍ଟା ! କଟକରେ ଘଣ୍ଟା ବଜାଏ ମେହନ୍‍ତି ମଣିଷର କାମ । ଆଉ ସେଇ କାମ ଭିତରେ କେତେ କୌତୁକ କଥା—କୁନ୍ତୀ କି ଗାନ୍ଧାରୀ ତାଙ୍କ ପୁଅମାନଙ୍କ ସାଥିରେ କଟକ ଭ୍ରମଣରେ ଆସି କୁଆଡ଼େ ଆହୁରି ସନ୍ତାନ ପ୍ରସବ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଏଇଠି !

 

ଆଜିର କିନ୍ତୁ “ଦୁଇଟି ସନ୍ତାନ—ସୁଖି ପରିବାର” ସଭ୍ୟ ଯୁଗରେ କଟକ ମ୍ୟୁନସିପାଲଟି ତାଙ୍କୁ ରାସ୍ତାକଡ଼ରେ ଚାଳି ପକେଇ ରହିବାକୁ ସୁଦ୍ଧା ବାସନ୍ଦ କରିଦିଅନ୍ତା ପରା !

 

ଲେଖି ଆରମ୍ଭିଲା ବସି ବିନୟ ପତର

 

କବି ଉପେନ୍ଦ୍ର ଭଞ୍ଜଙ୍କ ସମୟରୁ କିମ୍ବା ଆହୁରି କେତେ ପୂର୍ବରୁ ପ୍ରେମ ପତ୍ର ବିନିମୟ ଓଡ଼ିଶାରେ ପ୍ରଚଳିତ ଥିଲା–ତାହାର ଅନୁସନ୍ଧାନ ଓଡ଼ିଆ ସାହିତ୍ୟର ତଥ୍ୟ ଗବେଷକ ଓ ଐତିହାସିକମାନଙ୍କ କାମ । ପୃଥିବୀର ସବୁ ସାହିତ୍ୟରେ ନାୟକ ନାୟିକାର ବିରହ ବିଚ୍ଛେଦକୁ ପ୍ରେମପତ୍ରଦ୍ୱାରା ପୂରଣ କରାଯାଇଛି ।

 

ଅତୀତରେ ଅବଶ୍ୟ ଡାକବିଭାଗର ସଂଗଠନ ଆଜିଭଳି ନ ଥିଲା । ତଥାପି ପତ୍ର ବିନିମୟ ପୁଣି ପ୍ରେମପତ୍ରର ଦାବୀ ! ତାହାହିଁ ଆଜି ଡାକ ବିଭାଗକୁ ଏଭଳି ଶକ୍ତିଶାଳୀ କରିପାରିଛି ଅବା ! କରିପାରିଛି ଏଭଳି ଏକାନ୍ତ ଅନିବାର୍ଯ୍ୟ ।

 

ମୋହ ସମେତ ବନ୍ଧୁ ଶ୍ରୀ ହରିହର ମହାପାତ୍ର ଓ ଆଉ କେତେକ ସହାଧ୍ୟାୟୀ କଲେଜ ଛାତ୍ରଙ୍କର ମଧ୍ୟ ସ୍କୁଲ ପାଠ୍ୟ ସହିତ ବିବାହ କର୍ମ ସମ୍ପନ୍ନ ହୋଇ ସାରିଥାଏ । ଅର୍ଥାତ୍, ଆମେ ଆଗ ଗୃହସ୍ଥାଶ୍ରମର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିସାରି ତା’ ପରେ ବ୍ରହ୍ମଚର୍ଯ୍ୟାଶ୍ରମ ପାଳନ କରିବା ପାଇଁ କଲେଜ ଅସିଥାଉଁ । ମାତ୍ର କଲିଜା ଆମର ନିଶ୍ଚୟ ଉବୁଟୁବୁ ହେଉଥାଏ ପ୍ରେମରେ !

 

ତଥାପି ପ୍ରେମ ପତ୍ର ଆଦାନ ପ୍ରଦାନ ପର୍ଯ୍ୟାୟଟା ଠିକ୍ ଯାହାକୁ ବୁଝାଏ, ସେ ଦିଗରେ ଆମ ଭିତରୁ କେତେ ଜଣ ଯେ ଆଗୁଆ ହୋଇଥାନ୍ତି, ତାହାର ହିସାବପୈଠ କଷ୍ଟକର । କାରଣ ପ୍ରେମ ପତ୍ରଟା ଉଭୟ ପକ୍ଷରୁ ବିନିମୟ କରା ନ ହୋଇ ବହୁ କ୍ଷେତ୍ରରେ ଖାଲି ଏକତରଫା ଡିଗ୍ରୀ ନେବାର ସମ୍ଭାବନା ଥାଏ ଅଧିକ—ଅପର ପକ୍ଷର ଗରହାଜରା ବା ପୂର୍ଣ୍ଣ ନୀରବତା କାରଣରୁ । ଗୀତାର ନିଷ୍କାମ କର୍ମ ସାଧନ ଲାଗି ପ୍ରଶସ୍ତ କ୍ଷେତ୍ର ଯେମ‌୍‌ତି ଅବା !

 

ଓଡ଼ିଶାର କେତେ ଅଞ୍ଚଳରେ ତ ଶିଶୁ ଗର୍ଭସ୍ଥ ହେବାର ଅନେକ ଆଗରୁ ମାତାମାନେ ଜାମାତା ଓ ବଧୂ ସମ୍ବନ୍ଧ ସ୍ଥାପନ କରିଦିଅନ୍ତି ବୋଲି ଶୁଣାଯାଏ । ଅତଏବ କଲେଜକୁ ଆସିବା ଆଗରୁ ମୋ ଅପେକ୍ଷା ବିବାହ କ୍ଷେତ୍ରରେ ଅଧିକ ଅଗ୍ରଗାମୀ ସହାଧ୍ୟ୍ୟାୟୀ ବନ୍ଧୁ ମଧ୍ୟ ଯୁଟିଥାନ୍ତି ।

 

କ୍ଲାସ ଚାଲିଥିବାବେଳେ ଥରେ ଜଣେ ସହପାଠୀଙ୍କ ନାମରେ ଏକ ଟେଲିଗ୍ରାମ ଆସି ପହଞ୍ଚେ । ଶ୍ରେଣୀ-ଅଧ୍ୟାପକ ଛାତ୍ରଙ୍କୁ ଡାକି ତାଙ୍କ ହାତକୁ ଟେଲିଗ୍ରାମଟି ବଢ଼ାଇ ଦିଅନ୍ତି । ତା’ପରେ ଶ୍ରେଣୀର ଅନ୍ୟମନସ୍କ ଛାତ୍ରମାନେ ଅବାକ୍ ହୋଇପଡ଼ନ୍ତି ଏକ ଚିତ୍କାର ଶୁଣି । ସବୁ ଆଳାପ ବନ୍ଦ ହୋଇଯାଏ, ଛାତ୍ରଜଣକର ବିକଳ ବିଳାପରେ । କାରଣ ଅନୁସନ୍ଧାନ କରି ଜଣାପଡ଼େ—ସହାଧ୍ୟ୍ୟାୟୀ ବନ୍ଧୁଙ୍କର ଗୋଟିଏ ଚାରି ପାଞ୍ଚ ବର୍ଷର କନ୍ୟା ମହାମାରୀ ବ୍ୟାଧିରେ ମହାପ୍ରାୟାଣ କରିଛି ।

 

ସେତେବେଳେ ଆମେ ପଢ଼ୁଥାଉଁ ବି. ଏ. . କ୍ଲାସରେ ।

 

ଆଇ. ଏ. ପରୀକ୍ଷା ପରେ ଅନୁଷ୍ଠିତ ହୁଏ ମୋର ଦୂର୍ବାକ୍ଷତ ଆଶୀର୍ବାଦ କର୍ମ । ଦୁଇଟିବର୍ଷ ଆଇ. ଏ. ପଢ଼ି ପରୀକ୍ଷା ରେଜଲ୍‌ଟ ବାହାରିବା ଆଗରୁ ବିବାହ ରେଜଲ୍‌ଟ ମିଳେ ସୁଦୀର୍ଘ ଚାରିବର୍ଷ ପରେ । ବସନ୍ତର ଆଗମନୀ ସଙ୍ଗେ । ଦୋଳଉତ୍ସବ । ଜୀବନ ଦୋଳିରେ ମୋର ଆଗମନୀ ଶଙ୍ଖ ବାଜିଉଠେ । ବାଜିଉଠେ ଭବିଷ୍ୟ ଜୀବନର ନବ ନବ କଳ୍ପନା ଜଳ୍ପନାର କେତେ ଯେ ଛନ୍ଦ, ଆକାଶ ପବନରେ ନାଚିଉଠେ, ପୁଣି କେତେ ଯେ ରଙ୍ଗ !

 

ଗାଁ କହିଲେ ତ ପ୍ରାୟ ଗୋଟିଏ ଘରକୁ ବୁଝାଇଥାଏ । ଅର୍ଥାତ୍ ସବୁ ଜାତି ପାଟକ ଧନୀ ଗରିବ ଊଣା ଅଧିକେ ସବୁରି ଘରକଥା ସମସ୍ତଙ୍କୁ ଜଣା । କାହା ଘରେ ସୋରିଷ ଫୁଟିଲେ, ଆର ଘରକୁ ବାସେ । ବାହା ପୁଆଣି ଶୁଦ୍ଧଶ୍ରାଦ୍ଧରେ ସବୁରି ଟିକେ ହେଲେ ସହଯୋଗ ଥାଏ । ଜଣେ ସହରୀ ଝିଅ ଗାଁ ବୋହୂ ହୋଇ ଆସିଚି । ତହୁଁ ଚାଲେ ଆମ ଘରେ ଝିଅ, ବୋହୂ, ପିଲା, ବୁଢ଼ୀଙ୍କର ପ୍ରାୟ ଅନବରତ ଭିଡ଼ । ସେଥି ସଙ୍ଗେ କେତେ ଟୀକା ଟିପ୍‍ପଣୀ ନୂଆବୋହୂର ରୂପଗୁଣ ଘେନି ।

 

କିଏ କହନ୍ତି, ଖାସା ବୋହୂ ! ଆଉ କାହାର ଟିପ୍‍ପଣୀ—“ଘର ଭିତରେ ଘରେ ବୋହୂ ! ଅର୍ଥାତ୍-ଭାର ବେଭାର, ଯାନି ଯୌତୁକ ଆୟ ଅଳଙ୍କାର ଆହୁରି ମଧ୍ୟ ବୋହୂଙ୍କ ସ୍ୱାସ୍ଥ୍ୟରୂପରେ ଘରଟା ପୂରିଉଠିଛି, ଜଣେ କୁଟୁମ୍ବଙ୍କ ମୁହଁରୁ ଆହୁରି ମଧ୍ୟ ଶୁଣେଁ—ତାଙ୍କ ଘର ବୋହୂଝିଅମାନେ ଆମ ଘର ନୂଆ ବୋହୂଙ୍କ ରୂପ ଦେଖି ଟିପ୍‍ପଣୀ କଲେ—ସବୁ ହେଲା, ତେବେ ଏ ବୋହୂକୁ ସେ ପୁଅ ହେଲାନି–ଅର୍ଥାତ୍ ମାଙ୍କଡ଼ ହାତରେ ଶାଳଗ୍ରାମ ।

 

କୁଟୁମ୍ବଙ୍କ କଥା ଶୁଣି ମନ ମୋର ତିକ୍ତ ହୋଇଉଠେ ଆତ୍ମଗ୍ଳାନିରେ; ଯେହେତୁ ଆତ୍ମାନିରୀକ୍ଷଣର ଅବକାଶ ନ ଥାଏ ମୋହ ପକ୍ଷରେ । ମାତ୍ର ଏଭଳି ହୀନମନ୍ୟତା କାହାର ପକ୍ଷେ ଯେ ଅସହ୍ୟ ! ପତ୍ନୀଙ୍କୁ ମୋର ଶାଳଗ୍ରାମ କହିବାରେ ଆପତ୍ତି ନ ଥାଏ; କିନ୍ତୁ ମୋତେ ଏକାବେଳେ ମଣିଷ ସୃଷ୍ଟିର ଆଦିମତମ ଅବସ୍ଥାରେ ନେଇ ଥୋଇବା ଯେ ଅସହ୍ୟ ! ପୁଣି ଏଇ ଓଡ଼ିଆ ଢଗଟିର ଆର ପଦଟି ମିଶାଇଦେଲେ ହେବ–

 

ମାଙ୍କଡ଼ ହାତରେ ଶାଳଗ୍ରାମ

ନଚାଇ ନଚାଇ ନେଲା ପ୍ରାଣ ।

 

ସେ ଦିନ ଆମ ଗାଁର ଯେଉଁ ଭାଇ ଜଣକ ଏଇ ଟିପ୍‍ପଣୀ କରିଥିଲେ, ସେ ଆଜି ସ୍ଵର୍ଗରେ-। ବଞ୍ଚିଥିଲେ ତାଙ୍କ କଥାର ସତ୍ୟତା ସ୍ୱୀକାର କରି କ୍ଷମା ମାଗିଥାନ୍ତି । ଆଉ ସେମ‌୍‌ତି କୌଣସି ବିଶ୍ୱାସୀ ଜ୍ୟୋତିର୍ବିଦ୍‌ଙ୍କୁ ଭେଟିଲେ ପଚାରନ୍ତି, ସେତେବେଳେ ରାତି ଗୁଡ଼ାକ ଏତେ ସାନ ଆଉ ଦିନଗୁଡ଼ାକ ଏମ‌୍‌ତି ଅସହ୍ୟ ଭାବରେ ବଡ଼ ହୋଇଯାଏ କାହିଁକି ! ଫଗୁଣ ମାସରେ ଏପରି ଘଟିବା ତ ପ୍ରାୟ ଜଣା ନାହିଁ କି ଶୁଣା ନାହିଁ ।

 

ତା’ପରେ—

 

ଫଗୁଣ ପରେ ଚୈତ୍ର ଆସେ କି କ’ଣ ? ଦିନେ ହଠାତ୍ ପହଞ୍ଚନ୍ତି ଆସି ପତ୍ନୀଙ୍କ ଭ୍ରାତା ! ମୁଖରେ ତାଙ୍କର ବିଷାଦର ଛାୟା—ଘୋର ଦୁଃସମ୍ବାଦ—ଜନନୀ ତାଙ୍କର ମୃତ୍ୟୁ ଶଯ୍ୟାରେ—ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ସେ କନ୍ୟାମୁଖ ଦର୍ଶନ-ଲାଳସୀ ହୋଇଛନ୍ତି ! ସଙ୍ଗେ ସଙ୍ଗେ ନ ବାହାରିଲେ ମୋହ ପତ୍ନୀଙ୍କର ମାତୃମୁଖ ଦର୍ଶନ କରିବା ଚାନ୍‌ସ ଆଉ ନାହିଁ । ନବ ବଧୂଙ୍କର ଗୃହପ୍ରବେଶ ପରେ ନିକଟତମ ଆତ୍ମୀୟା ମାଉସୀ ପ୍ରଭୃତି ଏ ପର୍ଯ୍ୟନ୍ତ ଆମ ଭଉଣୀଘର ଗହଳି କରି ହସ ଖୁସିରେ ଦିନ ଅଣ୍ଟୁ ନ ଥିଲା; ଏ ସମ୍ବାଦଟା ସବୁରିପକ୍ଷରେ ଯେମ‌୍‌ତି ଏକ ବିନା ମେଘରେ ବଜ୍ରପାତ । ଏଥିରେ ଆଉ ନାହିଁ କରିବା ଉପାୟ ଅଛି ବା କାହାର !

 

ମୋହ ପକ୍ଷରେ ମିଳନ ପରେ ଏଇ ବିଚ୍ଛେଦର ବ୍ୟବଧାନଟା ବୋଧହେଲା ଆଖିପିଛୁଳା ଭଳି । ‘ଲାବଣ୍ୟବତୀ’ ବା ‘ରୋମିଓ ଜୁଲିଏର୍ଟଙ୍କ’ ମିଳନ-ବିଚ୍ଛେଦ ବର୍ଣ୍ଣନାଠାରୁ ଆଉ ବେଶି ବର୍ଣ୍ଣିବାର ଅବକାଶ ଅବା କାହିଁ ମୋହ ପକ୍ଷରେ ? ଏହା ପୁଣି ଏକାନ୍ତ ବ୍ୟକ୍ତିଗତ !

 

ଆଲୁଅ-ଅନ୍ଧାରଭଳି ଏମ‌୍‌ତି ଆଖିପିଛୁଡ଼ାକେ ମିଳନ-ବିରହର ବିବର୍ତ୍ତନ ଜ୍ଞାତି ବନ୍ଧୁମାନଙ୍କଠାରେ ଲକ୍ଷ୍ୟ କରି ମୁଁ ଅଧିକ ଆହତ ହୁଏଁ । ପତ୍ନୀଙ୍କ ବିଦାୟ ପଛେ ପଛେ ସେମାନେ ମଧ୍ୟ ଚାହୁଁ ଚାହୁଁ ଅନ୍ତର୍ଦ୍ଧାନ ହୋଇଗଲେ ଜଣକପରେ ଆଉ ଜଣେ ବିଷାଦ ବଦନରେ । ଆଉ ମୁଁ ? ନବବସନ୍ତର ଆଗମନୀ ଅକସ୍ମାତ୍ “ଏ ଭରା ଭାଦର ମାହଭାଦର ଶୂନ୍ୟ ମନ୍ଦିର ମୋର !” ହୋଇ ପାଲଟି ଯାଏ ।

 

ପରେ ଏଇ ଦୁର୍ଘଟଣାର ଅନୁସନ୍ଧାନ କରି ବାପା ବୁଝିଲେ ଯେ, ତାହା ଆରମ୍ଭରୁ ଶେଷଯାକେ ସମ୍ପୂର୍ଣ୍ଣରୂପେ କପୋଳକଳ୍ପିତ । ଶେଷରେ ପୁଣି ଏଇ କରୁଣ ରସ ଏପରି ଏକ ହାସ୍ୟରସରେ ପରିଣତ ହେବ ବୋଲି ମୋର କଳ୍ପନାର ଅତୀତ ଥିଲା । କେତେକ ବର୍ଷ ପରେ ମୋର ଶାଶୁଙ୍କ ଶାରୀରିକ ଅବସ୍ଥା ପ୍ରକୃତ ସଙ୍କଟାପନ୍ନ ହେଲାବେଳେ ଆମ୍ଭେମାନେ ବାରିପଦାରେ ରହିଥାଉଁ । ସେତେବେଳେ ଶାଳକଙ୍କର ପତ୍ର ପାଇ ମଧ୍ୟ ଘଟଣାକୁ ସେଇ ଭଳି ଲଘୁ ଜ୍ଞାନ କରି କେହି ଯାଇ ଉପସ୍ଥିତ ହୋଇପାରିଲୁଁ ନାହିଁ । ବାପା ମୋତେ ଯିବାଲାଗି ପରାମର୍ଶ ଦେଲେ; କିନ୍ତୁ ଗଉଡ଼ପିଲା ମିଛରେ ତାକୁ ବାଘ ଧରିଛି ବୋଲି ଡକା ପକେଇ ଗାଁ ଲୋକଙ୍କୁ ଠକିଥିବାରୁ ଶେଷରେ ସତରେ ବାଘ ଧରିବାରୁ ଦଶା ତା’ର ଯାହାହେଲା, ଏ କ୍ଷେତ୍ରରେ ମଧ୍ୟ ସେଇ ପରିଣାମ ।

 

ବୈବାହିକ ଜୀବନର ଆଶୀର୍ବାଦ ଉତ୍ସବ ପରେ ମଧ୍ୟ ମିଳନଠାରୁ ବିରହର ବ୍ୟବଧାନ ଅହରହ ଅଧିକ ହୋଇପଡ଼େ । ପୁଣି ଆଶୀର୍ବାଦ ଉତ୍ସବ ମୋର ଶିକ୍ଷା ଜୀବନରେ ଆଶୀର୍ବାଦ ଢାଳିପାରେ ନାହିଁ । ଆଇ. ଏ. ପାଶ୍ କରେଁ ମୁଁ ତୃତୀୟ ଶ୍ରେଣୀରେ–ଆଉ ବି. ଏ. ରେ ହରାଇ ବସେଁ ଇଂରାଜୀରେ ଅନର୍ସ । ସେତେବେଳେ ମନେପଡ଼େ ମ୍ୟାଟ୍ରିକ୍ କ୍ଲାସରେ ପଣ୍ଡିତ ମହାଶୟଙ୍କ କଥା—“ବିଭାଯାକେ ପାଠ I”

 

ନବାଗତା ସହଧର୍ମିଣୀଙ୍କର ଅବଶ୍ୟ ମୋର ପାଠ ପ୍ରତି ଭ୍ରୂକ୍ଷେପ ନ ଥାଏ; ବରଂ ସେ ରେଭେନ୍‍ସା କଲେଜ ହଷ୍ଟେଲ୍‌କୁ ମୋର ସହଯାତ୍ରିଣୀ ହେବା ଲାଗି ପ୍ରଥମେ ଇଚ୍ଛା ପ୍ରକାଶ କରି ପରେ ପୂରାପୂରି ଜିଦ୍ ଧରି ବସନ୍ତି । ତାଙ୍କର ବୋଧହୁଏ ମନ ଭିତରେ ଗୋଟାଏ ଧାରଣା ଜନ୍ମିଥିଲା ଯେ ରାମବନବାସରେ ମଧ୍ୟ ସୀତାଠାକୁରାଣୀ ଅଯୋଧ୍ୟାପୁରୀ ଛାଡ଼ି ଚଉଦ ବର୍ଷକାଳ ସ୍ୱାମୀଙ୍କର ସହଗାମିନୀ ହୋଇଥିଲେ । ମାତ୍ର ରେଭେନ୍‌ସା କଲେଜ ହଷ୍ଟେଲ୍ ଯେ ଚିତ୍ରକୂଟ ପର୍ବତ କିମ୍ବା ଦଣ୍ଡକାରଣ୍ୟ କଦାପି ନୁହେ; ଯେଉଁଠାକୁ ମୁଁ ପିତୃ ସତ୍ୟ ପାଳନଲାଗି ବନବାସୀ ହୋଇ ରାକ୍ଷସମାନଙ୍କୁ ନିପାତ କରିବାକୁ ଯାଉ ନାହିଁ, ତାହା ବୁଝାଇବା ମୋହପକ୍ଷରେ ଅସମ୍ଭବ ହୋଇପଡ଼େ ଏହି ତେରବର୍ଷ ବୟସ୍କା ବାଳିକା ବଧୂକୁ ।

 

ଆହୁରି ଅସମ୍ଭବ ହୋଇଉଠେ ତାଙ୍କୁ ବୁଝାଇବା ପାଇଁ ଯେ, କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କ ସକାଶେ ଫ୍ୟାମିଲି କ୍ୱାର୍ଟରର ବ୍ୟବସ୍ଥା ନାହିଁ କେଉଁଠି ହେଲେ; କିନ୍ତୁ ବାଲ୍ୟବିବାହ ସହିତ କଲେଜଛାତ୍ରମାନଙ୍କଲାଗି ଫ୍ୟାମିଲି କ୍ୱାର୍ଟର ବ୍ୟବସ୍ଥା କରାଉଥିଲେ ଆଜି କାଲି ଭଳି ଛାତ୍ର-ଅଶାନ୍ତି, ଷ୍ଟ୍ରାଇକ୍ ଗୋଳମାଳର ବୋଧହୁଏ ତାହା ପ୍ରଧାନ ପ୍ରତିଷେଧକର କାମ କରନ୍ତା ପରା ! ପୁଣି ବିଚ୍ଛେଦକାଳୀନ ଯୋଗାଯୋଗ ରକ୍ଷା କରିବା ସୂତ୍ର କାହିଁ ଥିଲା ସେତେବେଳେ ? ଚିଠି-? ସେଥିଲାଗି ଯେ ଦୁଆତ, କଲମ, କାଗଜ ପୁଣି ନିଭୃତ ସ୍ଥାନ ଓ ସମୟ ଦରକାର ! ତା’ ପରେ କାହା ହାତରେ ପୁଣି ଡାକଘରକୁ ପଠାଇବାକୁ ହେବ ? ହାୟରେ ବିଂଶ ଶତାବ୍ଦୀ ! ତୁ ମଧ୍ୟଯୁଗୀୟ କବି ଉପେନ୍ଦ୍ର ଭଞ୍ଜଙ୍କଠାରୁ ବି ଆହୁରି ପଛରେ ! ବଂଶ ଶତାବ୍ଦୀର ଏତେ ଯେ ନିର୍ମଳ ଚନ୍ଦ୍ର ମଣ୍ଡଳ—ଖାଲି ସିନା ଅକାରଣ !

 

ରେଭେନ୍‌ସା କଲେଜ

ପୂର୍ବ ଛାତ୍ରାବାସ

 

ରେଭେନ୍‌ସା କଲେଜ ପୂର୍ବ ଛାତ୍ରାବାସ ବହୁ ବିଚିତ୍ର ସ୍ମୃତିରେ ରଞ୍ଜିତ । ସ୍ଵଦେଶ ବିଦେଶର ସମୁଦାୟ ସାହିତ୍ୟ ସଂସ୍କୃତି ଅବା ଝଲସି ଉଠେ ପ୍ରାଚୀଦିଗନ୍ତର ଅରୁଣ ଆଭା ଲଭି ଏହି ଛାତ୍ରାବାସରେ ।

 

ମହାତ୍ମାଗାନ୍ଧୀ, ଶ୍ରୀ ଅରବିନ୍ଦ, ପୁଣି ରବୀନ୍ଦ୍ର ନାଥଙ୍କ ପରି ଜୀବିତ ମନୀଷୀମାନଙ୍କ ଜୀବନୀ ବିଶ୍ଳେଷଣ ସତ ବିଶ୍ୱ ସାହିତ୍ୟର ମୃତ ଓ ଜୀବିତ ଟଲ୍‍ଷ୍ଟୟ, ଇବ୍‍ସେନ୍, ରୋମାଁରୋଲାଁ, ବର୍ଣ୍ଣାଡ଼୍ ଶ ପ୍ରମୁଖ ମନୀଷୀ ଲେଖକମାନଙ୍କ ସମ୍ପର୍କରେ କେତେ ଆଲେଚନା, ତର୍କ ବିତର୍କ ।

 

ପୂର୍ବ ପଶ୍ଚିମ ଉଭୟ ପାର୍ଶ୍ୱରେ ରେ ଦୁଇ ବିରାଟ ଛାତ୍ରାବାସ ମଝିରେ ପ୍ରଶସ୍ତ ପ୍ରାଙ୍ଗଣ—ଗୋଟିଏ ଛାତ୍ରାବାସର ପିଲମାନଙ୍କୁ ଅନ୍ୟ ଛାତ୍ରାବାସ ପିଣ୍ଡାରେ ଠିଆହୋଇ ଚିହ୍ନିବା ଇଚ୍ଛା ହେଲେ ବି ଉପାୟ ନାହିଁ । ମଧ୍ୟସ୍ଥଳରେ କନିକା ଲାଇବ୍ରେରୀର ଗୋଲ୍ କୋଠା । କୋଠାଟି ଥାଏ ଜାତୀୟ, ଆନ୍ତର୍ଜାତୀୟ ସବୁ ଶ୍ରେଷ୍ଠ ସାହିତ୍ୟର ଗନ୍ତାଘର, ବିଶ୍ରାମ ଘଣ୍ଟାରେ ସେଇଠିକଟେ ସମୟ ଆମର; ଲାଇବ୍ରେରୀରୁ ଅତି ପ୍ରାଚୀନ ପୁଣି ଆଧୁନିକ ବହି ଆଣିବା, ପଢ଼ିସାରି ପରସ୍ପର ମଧ୍ୟରେ ଲେଖା ଓ ଚରିତ୍ର ଚିତ୍ରଣ ସମ୍ପର୍କରେ ଆଲୋଚନା କରିବା ଥିଲା ସେତେବେଳେ ଏକ ଶ୍ରେଷ୍ଠ ବିଳାସ ।

      

ସହପାଠୀମାନଙ୍କ ଭିତରୁ ଅନ୍ନଦାଶଙ୍କର, ଶରତ୍ ଚନ୍ଦ୍ର ଓ ବୈକୁଣ୍ଠନାଥ ରହୁଥାନ୍ତି ସହରଭିତରେ, ଅଥଚ କଲେଜ ଛୁଟିପରେ ସୁଦ୍ଧା ଯା’ଆସ କରନ୍ତି ସେମାନେ ହଷ୍ଟେଲ୍ କୁ, ସେଇଠୁଁ ସମସ୍ତେ ସାଥୀ ହୋଇ ଯାଉଁ ଜୋବ୍ରା ଆନିକଟ୍ କିମ୍ବା ମହାନଦୀ ରେଳପୋଲ ପର୍ଯ୍ୟନ୍ତ—ଆଉ କେବେ ଏକାବେଳେ କେନାଲ୍ ପାରିହୋଇ କାଠଯୋଡି ପୋଲପର୍ଯ୍ୟନ୍ତ । ମଝିରେ ମଝିରେ ସାଥି ହୁଅନ୍ତି ଆମର ଶିକ୍ଷାବିଭାଗର ବର୍ତ୍ତମାନ ଅବସର ପ୍ରାପ୍ତ ଜଏଣ୍ଟ-ଡାଇରେକ୍ଟର ଶ୍ରୀ ହରିହର ମିଶ୍ର; ଆଉ କେବେ ସ୍ୱର୍ଗତ ପ୍ରାଣକୃଷ୍ଣ ନନ୍ଦ କିମ୍ବା ଶିଳ୍ପୀ ସାହିତ୍ୟିକ ଗୋପାଳଚନ୍ଦ୍ର କାନୁନ୍‌ଗୋ ।

 

ପୂର୍ବ ଛାତ୍ରବାସର ଅନ୍ୟତମ ବନ୍ଧୁ, ଶ୍ରୀ ହରିଶ୍ ଚନ୍ଦ୍ର ବଡ଼ାଳ ଓ ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡାଙ୍କ ସହିତ ମଧ୍ୟ ପରିଚୟ ହୁଏ । ସୁପରଣ୍ଟେଣ୍ଡେଣ୍ଟ ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ସାହିତ୍ୟର ଗବେଷଣା ଆରମ୍ଭ କରୁଥାନ୍ତି ।

 

ସୁପରିଣ୍ଟେଣ୍ଡେଣ୍ଟ୍ କ୍ଵାର୍ଟର ପ୍ରଶସ୍ତ ବାରଣ୍ଡା ଉପରେ ବିଛା ହୋଇଥାଏ, ତେଣୁ ଖଣ୍ଡ ସପମସିଣା ଆଉ ଗଦା ହୋଇଥାଏ ତାହାରି ଉପରେ ବଡ଼ବଡ଼ ତାଳପତ୍ର ଖେଦାମାଳ ଡୋରି ଫିଟାହୋଇ ଚାରିପଟେ ।

 

ତାହାରି ଭିତରେ ଯେପରି ଅବା ଆର୍ତ୍ତବଲ୍ଲଭ ନିଜକୁ ହଜାଇ ଦେଇଥାନ୍ତି । ପିଲାଦିନୁଁ ଆମ ଘରେ ଜମା ହୋଇଥିବା ପୋଥିଖଟୁଳିକୁ ଦେଖି ଏଇ ସବୁ ପୋଥି ପ୍ରତି ମୋର ଅବଶ୍ୟ ବିଶେଷ୍ୟ କୌତୂହଳ ଜନ୍ମେ ନାହିଁ । କୌତୂହଳ ଜନ୍ମେ କେବଳ ଅଧ୍ୟାପକ ଆର୍ତ୍ତବଲ୍ଲଭଙ୍କର ଏଇ ପୋଥିଗଦାଟି ଭିତରେ ନିବିଷ୍ଟ ହୋଇ ନିଜକୁ ହଜାଇ ଦେବାର ଲକ୍ଷ୍ୟ କରି ।

 

ଉତ୍କଳ-ସାହିତ୍ୟ-ସମାଜ ପକ୍ଷରୁ ପ୍ରତି ବର୍ଷ ଘୋଷିତ ହୁଏ ସାହିତ୍ୟ ପୁରସ୍କାରମାନ ତାଳଚେର ଆଠମଲ୍ଲିକ ପ୍ରମୁଖ ରାଜା ମହାରାଜାମାନଙ୍କର ବଦାନ୍ୟତା ଫଳରେ; ବର୍ଷରେ ଥରେ ଏହି ପୁରସ୍କାରଗୁଡ଼ିକ ଦିଆଯାଏ ଗୋଟିଏ ସୀମିତ ସାହିତ୍ୟିକ ପରିବେଶ ଭିତରେ ।

 

ସେ ବର୍ଷ ଉତ୍କଳସାହିତ୍ୟ ସମାଜ ପକ୍ଷରୁ ପୁରସ୍କାର ପାଇଁ ଘୋଷିତ ହୁଏ, “ମଥୁରା ମଙ୍ଗଳ”ର ସମାଲୋଚନା, ପୁରସ୍କାର ମୂଲ୍ୟ ଚାଳିଶ ଟଙ୍କା । ଅଧ୍ୟାପକ ଆର୍ତ୍ତବାବୁଙ୍କ ନିର୍ଦ୍ଦେଶରେ ମୁଁ ସେଇ ପ୍ରବନ୍ଧ ଲେଖେଁ ଓ ତାଙ୍କଠାରୁ ପ୍ରଶଂସା ଲାଭକରେଁ । ସେଇ ଚାଳିଶଟି ଟଙ୍କା ହେଲା ସେତେବେଳେ ମୋର ସାହିତ୍ୟ-ସାଧନାଭିତରେ ସର୍ବପ୍ରଥମ ଆର୍ଥିକ ପୁରସ୍କାର ।

 

ପୁରସ୍କାର ଅପେକ୍ଷା ଅବଶ୍ୟ ଅଧିକ ମୂଲ୍ୟବାନ ହୁଏ ମୋହପକ୍ଷରେ ଅଧ୍ୟାପକ ଆର୍ତ୍ତବଲ୍ଲଭଙ୍କ ଉତ୍ସାହବାଣୀ ଓ ପ୍ରଶଂସା । ତାଙ୍କ ଭଳି କଠୋର ସମାଲୋଚକଙ୍କଠାରୁ ପ୍ରଶଂସା ଶୁଣିବା ଅଳ୍ପ ସୌଭଗ୍ୟର ତ ବିଷୟ ନୁହେଁ ! ଶ୍ରୀ ଜଗଦାନନ୍ଦ ମହାନ୍ତି ସେତେବେଳେ ଆର୍ତ୍ତବାବୁଙ୍କର ଛାତ୍ରରୂପେ ତାଙ୍କ ଗଗେଷଣା କ୍ଷେତ୍ରରେ ସାହାଯ୍ୟ କରୁଥାନ୍ତି ଓ ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକ ମଧ୍ୟ ତାଙ୍କର ଅନ୍ୟତମ ପ୍ରିୟ ଶିଷ୍ୟ ଭାବରେ ଚିହ୍ନିତ ହୋଇଥାନ୍ତି । ସାହିତ୍ୟ ସମାଜରୁ ପୁରସ୍କାର ଲାଭ ସହିତ ସହା ସହାଧ୍ୟାୟୀ ବନ୍ଧୁମାନଙ୍କ ଦୃଷ୍ଟି ମଧ୍ୟ ମୁଁ ଆକର୍ଷଣ କରିଥିବା ସ୍ୱାଭାବିକ । ଆଧୁନିକ ସାହିତ୍ୟର ଜଣେ ସେବକ ହୋଇ ପ୍ରାଚୀନ ସାହିତ୍ୟ ଉପରେ ମୋର ନିବନ୍ଧ ଯେ ସମାଦୃତ ହୁଏ—ତାହା ବନ୍ଧୁମାନଙ୍କ ମଧ୍ୟରେ ପୁଣି ମୋ ନିଜଭିତରେ ସୃଷ୍ଟି କରେ ଏକ ପ୍ରତ୍ୟୟ—ଯାହା ଫଳରେ ସାହିତ୍ୟର ପ୍ରାଚୀନ ଓ ଆଧୁନିକ ଭାବଧାରା ଭିତରେ ଏକ ନିରବଚ୍ଛିନ୍ନ ଯୋଗସୂତ୍ର ପ୍ରତିଷ୍ଠିତ ବୋଲି ମୁଁ ଅନୁଭବ କରେଁ ।

 

ଆଧୁନିକ ସାହିତ୍ୟର ଶ୍ରେଷ୍ଠ ମୁଖପତ୍ର “ଉତ୍କଳ- ସାହିତ୍ୟ” ପତ୍ରିକା ତ ସବୁବେଳେ ଥାଏ ମୋର ଅନ୍ୟତମ ଲକ୍ଷ୍ୟ ସ୍ଥଳ । ପୁରୀଜିଲ୍ଲା ସ୍କୁଲର ଛାତ୍ରଥିବା ସମୟରେ ଗୋଟିଏ ମାତ୍ର କ୍ଷୁଦ୍ରଗଳ୍ପ ଏହି ପତ୍ରିକାରେ ପ୍ରକାଶ ପାଇ ଯେପରି ମୋର ଲେଖକ ମହଲରେ ପ୍ରାରମ୍ଭିକ ପରିଚୟ ଆଣିଦିଏ, ତାହା ପରଠାରୁ କିନ୍ତୁ ଏକାଧିକ ଉଦ୍ୟମର ପରିଣତି ଘଟେ ବ୍ୟର୍ଥତା ଭିତରେ !

 

ପ୍ରତି ମାସରେ “ଉତ୍କଳସାହିତ୍ୟ” ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ରେଭେନ୍‌ସା କଲେଜ ଇଷ୍ଟ୍ ହଷ୍ଟେଲକୁ ଆସେ ଉତ୍କଳ ସାହିତ୍ୟ ପ୍ରେସ୍‌ର ସୁପରିଚିତ ଚପରାସୀ ଲଛମନ୍‌ ସିଂ, ତାହାର ପାତଳାମୁହଁରେ ବହଳିଆ ମୋଟା ନିଶ ଭିତରୁ ପାନଖିଆ କସରାଦାନ୍ତ ଦେଖାଇ ସେ ଭାରି ମଜାରେ ହସେ ।

 

“ଉତ୍କଳ ସାହିତ୍ୟ”ର ବିଡ଼ା ଫିଟାଇଲାବେଳେ ଲଛମନ୍‌ ସିଂ କେତେ ଯେ କୌତୂହଳ ପୁଣି କେତେ ଯେ ଉଦ୍ଦୀପନା ସୃଷ୍ଟି କରେ ସେହି ପୁର୍ବ ଛାତ୍ରାବାସର ସୁପ୍ରଶସ୍ତ ବାରଣ୍ଡାରେ ! ପ୍ରତି ମାସରେ ତା’ରି ହାତରୁ “ଉତ୍କଳ ସାହିତ୍ୟ”ର ଗ୍ରାହକ ରୂପେ ନିଜ କାଗଜ ଖଣ୍ଡି ନିଏଁ । ପ୍ରତି ମାସରେ ଲେଖା ପଠାଏଁ —କବିତା, ଗଳ୍ପ ଇତ୍ୟାଦି; ମାତ୍ର ହତାଶ ହୁଏଁ ଶେଷରେ । ସେହି ଗୋଟିଏ ମାତ୍ର ଗଳ୍ପ ସ୍କୁଲରେ ପଢ଼ୁଥିଲା ବେଳର ରହିଯାଏ ମୋର, କାଣୀ ଆଖିରେ କଜଳଗାର ହୋଇ ।

 

ସ୍କୁଲରୁ ଆସି କଲେଜ ପର୍ଯ୍ୟନ୍ତ, ତା’ପରେ ଯେତେ ଲେଖା ପଠାଏଁ —ପ୍ରାୟ ପ୍ରତି ମାସରେ —ତାହା ଫେରିଆସିବା ତ ଦୂରର କଥା; ସମ୍ପାଦକ ମହାଶୟଙ୍କ ହସ୍ତଗତ ହେଲା କି ନାହିଁ, ଜାଣିବାକୁ ମଧ୍ୟ ଉପାୟ ନଥାଏ ।

 

ରାଧାନାଥ, ମଧୁସୂଦନ ଓ ବିଶ୍ୱନାଥ

 

“ମଥୁରା –ମଙ୍ଗଳ” ସମାଲୋଚନାରେ ପୁରସ୍କୃତ ହେବା ଆଗରୁ “ଉତ୍କଳ ସାହିତ୍ୟ” ପାଇଁ ଆଧୁନିକ କବିତାର ଏକ ମୁଲ୍ୟାୟନ କରେଁ । ତାହା ହେଲା — କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନଙ୍କ ସାହିତ୍ୟପ୍ରତିଭା ସମ୍ପର୍କରେ ଏକ ତୁଳନାତ୍ମକ ବିଚାର–ବିଶ୍ଳେଷଣ: କିନ୍ତୁ ଦିନ ପରେ ଦିନ ଗଡ଼ିଚାଲେ । ଗଳ୍ପ କବିତା ଭଳି ନିବନ୍ଧଟି ମଧ୍ୟ ମୋର ସମଦଶା ଲାଭ କରିବ ବୋଲି ମୁଁ ପ୍ରାୟ ନିଶ୍ଚିନ୍ତ ଥାଏଁ । ତଥାପି ପ୍ରତି ମାସ “ଉତ୍କଳସାହିତ୍ୟ”ର ପୃଷ୍ଠା ଓଲଟାଇ ଖୋଜେଁ, ଲେଖକ ଲେଖିକାଙ୍କର ନାମତାଲିକା ।

 

ଦିନେ ହଠାତ୍ ବିସ୍ମୟରେ ଅଭିଭୂତ ହୋଇପଡ଼େ, ଲଚ୍ଛମନ୍‌ ସିଂ ହାତରୁ ଖଣ୍ଡିଏ ଚିଠି ପାଇ-। ଚିଠି ଖଣ୍ଡି ଲେଖିଥାନ୍ତି ‘ଉତ୍କଳ ସାହିତ୍ୟ’ର ସ୍ୱନାମଧନ୍ୟ ସମ୍ପାଦକ ସ୍ୱୟଂ ଶ୍ରୀ ବିଶ୍ୱନାଥ କର ! ଚିଠି ଖଣ୍ଡିରେ ଲେଖାଥାଏ ଯେ, ମୋର ନିବନ୍ଧ ସେ ପାଇଛନ୍ତି । ସେଇ ସମ୍ପର୍କରେ କିଞ୍ଚିତ୍ ଆଲୋଚନା କରିବାକୁ ମୋତେ ତାଙ୍କର ଡାକରା !

 

ବାଲୁବଜାର ମଝିରେ ସେତେବେଳେ ଅବସ୍ଥିତ ଥାଏ ଉତ୍କଳ ସାହିତ୍ୟ ପ୍ରେସ । ଉଜ୍ଜଳ ଶୁଭ୍ର ଧୋତି ପଞ୍ଜାବି ପିନ୍ଧି ବିଶ୍ୱନାଥ ବାବୁ ରାସ୍ତାପାଖ ଝରକା ନିକଟରେ ବସିଥାନ୍ତି —କେତେବେଳେ ଏକ ଧ୍ୟାନରେ ପଢ଼ୁଥିବା କିମ୍ବା ପ୍ରୁଫ୍ ସଂଶୋଧନ କରୁଥିବା ଅବସ୍ଥାରେ—ଆଉ କେବେ କାହା ସାଥିରେ ଆଲୋଚନା କରୁଥିବାବେଳେ ।       

 

ଶୁଭ୍ର ଶ୍ମଶ୍ରୁ ମଣ୍ଡିତ ମୁଖ—ସୁନା ଚଷମା ଭିତରୁ ସୁତୀବ୍ର ଦୃଷ୍ଟିର ଚିତ୍ର—ଆଜି ମଧ୍ୟ ମନରେ ମୋର ସଂଭ୍ରମ ଜନ୍ମାଏ । ସେଇ ବାଟେ କେତେଥର ଯା’ଆସ କରୁଁ ଆମେ । ଲକ୍ଷ୍ୟ କରୁଁ ତାଙ୍କର ସାଧନାଦୀପ୍ତ ମୁଖମଣ୍ଡଳ । କେବେହେଲେ କିନ୍ତୁ କାହାରି ସାହସ ହୁଏନି ବିଶ୍ୱନାଥବାବୁଙ୍କ ନିକଟବର୍ତ୍ତୀ ହେବାକୁ, ବାଘ ମୁହଁକୁ ଛେଳି ଗଲା ଭଳି !

 

ଲଚ୍ଛମନ୍‌ ସିଂଠାରୁ ବିଶ୍ୱନାଥ ବାବୁଙ୍କ ପତ୍ର ଖଣ୍ଡି ପାଇ ମୁଁ ଆହ୍ଲାଦରେ ବିଭୋର ହୋଇପଡ଼େଁ । ମନେହୁଏ ଯେପରି ମୋର ସାହିତ୍ୟସାଧନାର ଚରମ ସାଫଲ୍ୟର ବାର୍ତ୍ତା ବହନ କରି ଆସିଛି ଏଇ ଚିଠି ଖଣ୍ଡି ।

 

ଯଥା ସମୟରେ ଯାଇ ପହଞ୍ଚିଲି ବିଶ୍ୱନାଥ ବାବୁଙ୍କ ସମକ୍ଷରେ । ମୋତେ ଡାକି ସେ ସସ୍ନେହରେ ବସିବାକୁ କହିଲେ; ଆଉ ମୋର ଲେଖାଟି ଉତ୍କଳସାହିତ୍ୟରେ ପ୍ରକାଶ କରିବାପାଇଁ ସେ ପାଇଛନ୍ତି ବୋଲି ଜଣାଇଲେ । ତହୁଁ ସେ ଯାହା ପଚାରିଲେ ତାହାର ଭାଷା ଆଜି ମୁଁ ସ୍ମୃତି ଓ କଳ୍ପନା ମଧ୍ୟରୁ ଉଦ୍ଧାର କରୁଛି ।

 

“ତୁମ ପ୍ରବନ୍ଧଟି ମୁଁ ପାଇଛି, ଭଲ ହୋଇଛି ପ୍ରବନ୍ଧଟି, କିନ୍ତୁ ତୁମେ ରାଧାନାଥ ଓ ମଧୁସୂଦନଙ୍କ ଭିତରେ ଯେଉଁ ତୁଳନାତ୍ମକ ଆଲୋଚନା କରିଛ, ସେଥି ସହିତ ମୁଁ ଏକମତ ନୁହେଁ ।” —କେଉଁ ବିଷୟରେ ସେ ଏକମତ ନୁହନ୍ତି ! ଶୁଣିବାକୁ କିଞ୍ଚିତ୍ ବିଷାଦ ହତାଶା ମିଶ୍ରିତ ଉତ୍କଣ୍ଠା ଘେନି ମୁଁ ଅପେକ୍ଷା କଲି —ସଂଶୟ ଓ ସଂଭ୍ରମରେ ପଚାରିଲି “କାହିଁକି, କ’ଣ ହେଲା କି?”

      

“ତୁମେ ରାଧାନାଥଙ୍କୁ ଯେପରି ଉଚ୍ଚ ସ୍ଥାନ ଦେଇ ମଧୁସୂଦନଙ୍କୁ ନ୍ୟୁନ କରିଛ, ସେଥିରେ ମୁଁ ଏକମତ ନୁହେଁ !”

 

“କିନ୍ତୁ କବି ରୂପେ ରାଧାନାଥ କ’ଣ ମଧୁସୂଦନଙ୍କଠାରୁ ଉଚ୍ଚତର ଆସନର ଅଧିକାରୀ ନୁହନ୍ତି କି ?”

 

ମୋର ଏଇ ପ୍ରଶ୍ନରେ ବିଶ୍ୱନାଥ ବାବୁ ଟିକିଏ ବିବ୍ରତ ବା ଉତ୍ତେଜିତ ପରି ବୋଧହେଲେ । ତାଙ୍କ ମୁଖମଣ୍ଡଳ ଯେପରି ଅବା ଅଧିକ ଦୀପ୍ତିମନ୍ତ ହୋଇଉଠେ, ଆଉ ସେ ଉଜ୍ଜଳ ସୁନା ଚଷମା ଭିତରୁ ଚକ୍ଷୁର ତାରକା ତୀବ୍ରତର ହୋଇ ଅବା ବିଦ୍ଧକଲା ମୋତେ ।

 

“ମୁଁ ତୁମ ସହିତ ଆଦୌ ଏକମତ ନୁହେ । ଉଭୟ କବି ପରସ୍ପର ପ୍ରତିଭା ବିକାଶରେ କେହି କାହାରି ଠାରୁ ଉଣା ନୁହନ୍ତି ବୋଲି ମୋର ମତ ।”

 

ତାଙ୍କର ସେହି ସୁତୀବ୍ର କଟାକ୍ଷପାତ ସହିତ ବାକ୍ୟାଘାତରେ ମୁଁ ବିବ୍ରତ ହୋଇପଡ଼େଁ । ତଥାପି ସାହସ ବାନ୍ଧି ପଚାରେଁ ମୁଁ “ଇଂରେଜ କବି ସେଲିଙ୍କ (shelley) ସହ ରାଧାନାଥଙ୍କୁ ତୁଳନା କରିପାରେଁ ।’’

 

ତତ୍‍କ୍ଷଣାତ୍ ବିଶ୍ୱନାଥ ବାବୁଙ୍କଠାରୁ ଜବାବ୍ ମିଳେ—“ତାହା ବୋଲି ତ ୱାଡ୍‍ସୱାର୍ଥ (Wordsworth) କଦାପି ସେଲିଙ୍କଠାରୁ ନ୍ୟୂନ ହୋଇ ନ ପାରନ୍ତି ।”

 

କଂସା ପିଟିଲେ ତହିଁରୁ ଯେପରି ଶବ୍ଦ ବାହାରେ, ସେହିପରି ତାଙ୍କର ବାକ୍ୟ ତୀବ୍ର ଭାବରେ ବାଜିଯାଏ ମୋ କାନରେ । ତା’ପରେ ଶୁଣେଁ, “ଯାହାହେଉ, ତୁମ ପ୍ରବନ୍ଧଟିକି ମୁଁ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ କରୁଛି, ପ୍ରବନ୍ଧ ଭଲ ହୋଇଛି ।”

 

ବିଶ୍ୱନାଥ ବାବୁଙ୍କ ସହିତ ମୋର ଏହି ପ୍ରଥମ ସାକ୍ଷାତ ସାହିତ୍ୟ ସାଧନାରେ ଯେଉଁ ପ୍ରେରଣା, ଯେଉଁ ଉତ୍ସାହ ଆଣି ଦେଇଥିଲା, ତାହା ଆଜି ପ୍ରାୟ ପଚାଶ ବର୍ଷ ପରେ ପୂର୍ଣ୍ଣ ରୂପେ ପ୍ରକାଶ କରିବା ସମ୍ଭବପର ନୁହେଁ । ପ୍ରେରଣାଟା ବହୁଗୁଣିତ ହୋଇପଡ଼େ ଯେତେବେଳେ ସେହି ମାସର ଉତ୍କଳ ସାହିତ୍ୟ ବିଡ଼ାଟି ଘେନି ହଷ୍ଟେଲ ବାରଣ୍ଡାରେ ଆସି ବସିପଡ଼େ ଲଚ୍ଛମନ୍‌ ସିଂ।

 

ବନ୍ଧୁ, ଅନ୍ନଦାଶଙ୍କର ଓ ଅନ୍ୟ ବନ୍ଧୁମାନେ ମୋତେ ଉଚ୍ଛ୍ୱସିତ ଅଭିନନ୍ଦନ ଜଣାନ୍ତି ଯେ, “ଉତ୍କଳ ସାହିତ୍ୟ”ରେ ସ୍ଥାନ ପାଇଛି ରଚନା ମୋର; କିନ୍ତୁ ସୁବିଜ୍ଞ ସମ୍ପାଦକ ସ୍ୱର୍ଗତ ବିଶ୍ୱନାଥ ବାବୁ ପ୍ରବନ୍ଧଟି ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ନିଜ ମତାମତ ମଧ୍ୟ ଉଲ୍ଲେଖ କରିଥାନ୍ତି ସମ୍ପାଦକୀୟରେ । ତାହା ମୋର ସମାଲୋଚନା ହେଲେ ସୁଦ୍ଧା ପ୍ରବନ୍ଧର ମୂଲ୍ୟକୁ କରି ପକାଇଛି ବହୁଗୁଣିତ ।

 

ସମ୍ପାଦକ ରୂପେ ବିଶ୍ୱନାଥ ବାବୁଙ୍କର ଏକ ମହାନ୍ ଉଦାରତା ଆଜି ମୋର ଅନତିକ୍ରମ୍ୟ ଆଦର୍ଶ ହୋଇ ରହିଛି । “ଉତ୍କଳ ସାହିତ୍ୟ” ପରେ “ନବଭାରତ” ପ୍ରକାଶ ପାଏ ନୀଳକଣ୍ଠଙ୍କ ସମ୍ପାଦନାରେ ଅନ୍ୟାନ୍ୟ ସାହିତ୍ୟ ପତ୍ରିକା ସମେତ । ପ୍ରାୟ ସବୁ ପତ୍ରିକାରେ ମୋ ରଚନା ସ୍ଥାନ ପାଏ ଅଳ୍ପ ବହୁତେ; କିନ୍ତୁ ଲେଖା ପଠାଇବା ପାଇଁ ବିଶ୍ୱନାଥ ବାବୁଙ୍କ ସ୍ଵହସ୍ତାଙ୍କିତ କାର୍ଡ ଯେପରି ପ୍ରାୟ ପ୍ରତି ମାସରେ ଆସି ପହଞ୍ଚୁଥିଲା, ତାହା ଆଜି ସ୍ୱପ୍ନ । କେତେ କ୍ଷେତ୍ରରେ ପୁଣି ସ୍ଵୟଂ ସଂପାଦକଙ୍କର ସମୟାଭାବରୁ କି କ’ଣ, ସମ୍ପାଦନାରେ କାର୍ଯ୍ୟ କରୁଥିବା ଅନ୍ୟମାନଙ୍କଠାରୁ ପତ୍ର ଆସେ । ସ୍ଵୟଂ କୌଣସି ପତ୍ରିକା ସମ୍ପାଦକ ଲେଖା ଲୋଡ଼ିଲାବେଳକୁ ମୋର ମଧ୍ୟ ସମୟାଭାବ ।

 

ବିଶ୍ଵନାଥ ବାବୁଙ୍କ ସମ୍ପାଦନା ସମ୍ପର୍କରେ ସ୍ୱର୍ଗତ କବି ପଦ୍ମଚରଣ ପଟ୍ଟନାୟକଙ୍କଠାରୁ ଶୁଣିଛି, ପୁଣି ନିଜ ଅଭିଜ୍ଞତାରୁ ବୁଝିଛି ମଧ୍ୟ ଆଉ ଗୋଟିଏ କଥା । ପ୍ରତି ରଚନାକୁ ସେ ସ୍ଵୟଂ ତନ୍ନ ତନ୍ନ କରି ଦେଖନ୍ତି— ତହୁଁ ଯେଉଁ ଲେଖା ତାଙ୍କର ମନୋନୀତ ହୁଏ, ତହିଁର ଭାଷାରେ ମଧ୍ୟ ନିଜେ ସଂଶୋଧନ କରନ୍ତି । କବି ପଦ୍ମଚରଣଙ୍କ କବିତାରେ ଏପରି ସଂଶୋଧନକୁ ରଚୟିତା ସ୍ୱାଗତ କରି ବିଶ୍ଵନାଥ ବାବୁଙ୍କ ସମ୍ପାଦନାର ପ୍ରଶଂସାମୁଖର ହୋଇପଡ଼ି କହନ୍ତି—କବି ନ ହେଲେ ବି କବିତା ସଂଶୋଧନରୁ ତାଙ୍କ କବିତ୍ୱର ପରିଚୟ ମିଳିଥାଏ ।

 

ସବୁ ସବୁଜ

 

ରେଭେନ୍‌ସା କଲେଜ ପୂର୍ବ ଛାତ୍ରାବାସରେ ଅନ୍ତେବାସୀ ଥିବାବେଳେ ଯେଉଁ ବନ୍ଧୁମାନେ ସହଜେ ଏକାଠି ହେଉଁ, ତାଙ୍କରି ସମବେତ ସାହିତ୍ୟ ପ୍ରଚେଷ୍ଟା ଭବିଷ୍ୟତରେ ରୂପରେଖ ଘେନି ପରିଚିତ ହୁଏ “ସବୁଜ ସାହିତ୍ୟ ସମିତି” ନାମରେ । ଛାତ୍ରାବାସ ଭିତରେ ଆବଦ୍ଧ ରହିଥିଲେ ବି ମନ ମୋର ଉଡ଼ିବୁଲେ ମୁକ୍ତ ବିହଙ୍ଗ ଭଳି ।

 

ସ୍କୁଲରେ ପଢ଼ିବା ସମୟରୁ ମୁଁ ଯେଉଁ ଦିନଲିପି ଲେଖିବା ଅଭ୍ୟାସ କରେଁ; କଲେଜରୁ ଆସି ମଧ୍ୟ କେତେ ବର୍ଷ ପାଇଁ ତାହା ଅକ୍ଷୁର୍ଣ୍ଣ ରହେ । ସେତେବେଳେ ଦେଶର ପରସ୍ଥିତି ମନ ଭିତରେ ମୋର ଯେଉଁ ଦାଗ କାଟିଥିଲା, ତାହାର ସୂଚନା ତା ୧୯।୧୨। ୧୯୨୧ ମସିହା ସୋମବାର ଦିନଲିପିରେ କିଞ୍ଚତ୍ ମିଳେ—

 

“ଭାରତ ଆଜି ହୁଲସ୍ଥୁଲ କମ୍ପୁଛି । ଆଲିଭାଇଙ୍କ ପରେ ଲାଲାଜୀ, ନେହୁରୁ, ଚିତ୍ତରଞ୍ଜନ, ଜିତେନ୍ଦ୍ର ନାଥ ଓ ଅନ୍ୟାନ୍ୟ ନେତାମାନେ ଜେଲ ଗଲେ । ତାଙ୍କ ପଛେ ପ୍ରତି ଦିନ ଶତଶତ ସ୍ୱରାଜ ଶାନ୍ତିସେନା ଜେଲଖାନାର ଜନସଂଖ୍ୟା ବୃଦ୍ଧି କରୁଛନ୍ତି । କଲିକତା ନଗରୀ ଉଠୁଚି ପଡ଼ୁଚି । ୨୪ ତାରିଖ ରାଜକୁମାର (Prince of Wales) ସେ ନଗରୀରେ ପଦାର୍ପଣ କରିବେ ବୋଲି ପୂର୍ଣ୍ଣ ହରତାଳ ହେବାର ତୁମୂଳ ଆୟୋଜନ ଚାଲିଚି । ମହାତ୍ମା ୨୩ ତାରିଖ କଲିକତା ପହଞ୍ଚିବେ ବୋଲି ଶୁଣାଯାଉଛି ।

 

କଲିକତାର ସବୁ କଲେଜ ଖାଲି । ପହିଲାଠାରୁ ପ୍ରକୃତ ଶାନ୍ତିଯୁଦ୍ଧର ଆରମ୍ଭ ଚାଲିଲା । ମହାତ୍ମାଙ୍କ କାର୍ଯ୍ୟର ଗତି ପ୍ରଖର ଭାବରେ ଗତି କରିବାକୁ ଆରମ୍ଭ କଲା । ସେଇ ହାଓଆ ଉତ୍କଳକୁ ଶୀତଳ ସମୀରଣ ହୋଇ ବହି ଆସୁଛି । ଝଡ଼ବତାସ ଗତିରେ ଆସିନାଇଁ, କଲେଜ ପିଲାମାନେ ଉତ୍କଳ ମାତାଙ୍କର ଅଭିଶପ୍ତ ସନ୍ତାନ । ଅନେକେ ସବୁ ଦେଖୁଛନ୍ତି, ବୁଝିଛନ୍ତି କିନ୍ତୁ ଛାତି ପତାଉ ନାହିଁ କାହାର । ଆହୁରି ଦୁଃଖର କଥା, କେତେକେ ଏ ଖବରଟା ଏ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି ନାଇଁ ! ଆହ୍ୱାନ ଆସିଛି, ଡାକ ଶୁଭୁଛି । ଅନେକେ ସାହସହୀନ ଶୁଣି କରି ମଧ୍ୟ, ଅନ୍ୟମାନେ ଶୁଣି ନାହାନ୍ତି ଏ ପର୍ଯ୍ୟନ୍ତ । ଶୁଣିବାକୁ ମଧ୍ୟ ଚାହାନ୍ତି ନାଇଁ । ଯେପରିକି ସେମାନେ ମନେ କରନ୍ତି ଏଇଟା ଚନ୍ଦ୍ର ଗୁପ୍ତ ଅମଳ । ବାହାରକୁ ଦ୍ୱାର ବନ୍ଦ କରିଦେଇ ପୁସ୍ତକକୀଟ ହୋଇ ରହିବାରେ ଏମାନଙ୍କର ସୁଖ । ବର୍ତ୍ତମାନ ସମୟ ସଙ୍ଗେ ଯେପରି କୌଣସି ସମ୍ପର୍କ ନାଇଁ । କଲିକତା ଓ ଗୁଜୁରାତ କଥା ତ ଅଛି । ଚାଉଳିଆଗଞ୍ଜ ପୋଷ୍ଟ ଅଫିସ ପାଖେ ବିଶେଷ ଘଟଣା ଘଟୁଛି, ଏମାନଙ୍କୁ ତାହା ଜଣାନାଇଁ । ମନୁଷ୍ୟ ହୋଇ ଏପରି ଅଭିଶପ୍ତ, ଦୟା ଓ କ୍ଷମାର ପାତ୍ର, ଏପରି ପୁଣି ଥାନ୍ତି ! ଏଇମାନଙ୍କ ମଧ୍ୟରୁ ମୁଁ ଜଣେ । ଏ ଚିନ୍ତା ମନରେ ଭୀଷଣ ଆତ୍ମଗ୍ଲାନି ଜନ୍ମାଏ । ହୃଦୟସ୍ଥିତ ଦେବତା ଅପମାନିତ ହୁଅନ୍ତି-। ସ୍ୱରାଜ୍ୟ ମିଳିଲେ ନିଲ୍ଲଜ ମୁଖରେ କଲେଜ ହତାରୁ ବାହାରି ସ୍ୱାର୍ଥତ୍ୟାଗୀ ଭାଇମାନଙ୍କ ନିକଟରେ , କଥା କହିବାକୁ ହସ୍ତପଦ ଅବଶ ହୋଇ ପଡ଼ିବ ନାଇଁକି ?

 

“ମୋତେ ଭଗବାନ୍ ଗୋଟାଏ କନସେସନ୍ ଦେଇଛନ୍ତି ।

 

“ସ୍ଵରାଜ୍ୟ ଲାଗି କର୍ମକରିବା ସୁଖରୁ ବଞ୍ଚିତ ହେଲେ ମଧ୍ୟ୍ୟ ଖବର ଦି’ଟା ଗୋଟେ ଜାଣି ଯଥେଷ୍ଟ ସୁଖ ଆଦାୟ କରିନିଏଁ । କିଏ ଜାଣେ, କାର୍ଯ୍ୟ କରିବାରେ ବେଶି ସୁଖ ନା ଜାଣି ରଖିବାରେ ବେଶି ସୁଖ ! ମହାତ୍ମା ଗାନ୍ଧୀଙ୍କଠାରେ ସକଳବୃତ୍ତିର ସାମଞ୍ଜସ୍ୟ ଘଟିଛି । ବିଶେଷତଃ ଜ୍ଞାନ ଓ କର୍ମର ଯେ ସାମଞ୍ଜସ୍ୟ—ଯାହା ଦେବଚରିତ୍ର ଛଡ଼ା ଅନ୍ୟଠାରେ ସମ୍ଭବେ ନାଇଁ,–ତାଙ୍କ ନିକଟ ପୂର୍ଣ୍ଣତା ଲଭିଛି । ଜ୍ଞାନ ଓ କର୍ମର ଯୋଗରେ ଏବଂ ସମାନ ତଉଲରେ ମହାତ୍ମାଙ୍କର ମହାତ୍ମ୍ୟ-! ତ୍ୟାଗ ଓ ସଂଯମ ସଂଯୋଗରେ ତାଙ୍କର ପୁଣ୍ୟମୟ ଚରିତ୍ର ତାଙ୍କୁ ମହୀୟାନ୍ କରି ଗଢ଼ିଛି । ସମସ୍ତ ବିପରୀତର ଏକତ୍ୱ ବିଧାନ ଓ ଜୀବନରେ ସତ୍ୟର ପ୍ରବଳ ଅନୁସନ୍ଧିତ୍ସାଦ୍ୱାରା ସେ ଜଗତରେ ଶ୍ରେଷ୍ଠ ମାନବ ।”

 

ଦିନ ପରେ ଦିନ ଏହିପରି ଦିନଲିପି ପୁଣି କବିତା, ଗଳ୍ପ ପ୍ରବନ୍ଧର ପ୍ରସ୍ତୁତି । ସେତେବେଳେ ଦିନ ଆସେ ଦିନଯାଏ, ରାତିଆସି ରାତିପାହେ । ତା ୧୩।୬।୧୯୨୨ ମସିହା ରାତି ବାରଟା ସମୟରେ ବସି ଲେଖେଁ କବିତା—

 

“ଲୋଟଣୀ ପାରା”

ପ୍ରଭାତର ଶୀତଳ ସେନେହ

ଭାସିଯାଏ ଆକାଶ ବକ୍ଷରେ

ପ୍ରସ୍ଫୁଟିତ ପଦ୍ମ ଜିଣି ଶୁଭ୍ର

କିଏ ଧାଉଁ ଅନନ୍ତ ଲକ୍ଷ୍ୟରେ ?

ସ୍ନିଗ୍‍ଧ ଧବଳ ବିନ୍ଦୁ ହୋଇ

ଶୁଦ୍ଧ ନୀଳିମାରେ ଯାଉ ମିଶି

କି ବତାସେ ଥରି ଉଠେ ହିଆ

ପୁଲକେ ନିରେଖ ଦଶଦିଶି ?

ସ୍ଵରଗର ଅମୃତ କରୁଣା

ପୃଥିବୀ କଳୁଷ ନାଇଁ ତହିଁ

ଅରୁଣ-ରଞ୍ଜିତ ନିଦ୍ରାଦେଶେ

ଉର୍ଦ୍ଧ୍ୱେ ଉର୍ଦ୍ଧ୍ୱେ ଉଠୁ ରହି ରହି ।

ସଂସାରର ମୋହ ଆବରଣ

ଭେଦି ଉର୍ଦ୍ଧ୍ୱେ କି ଭାବୁ ଲୋ ବସି

ଆହା କିଏ ଦିଏ ଓଲଟାଇ

ବିଦ୍ୟୁତ୍ ଗତିରେ ପଡ଼ୁ ଖସି !

ପୁଣି ଉଠୁ ପୁଣି ସେଇ ଦଶା

ହତମାନେ ଫେରୁଲୋ ସନ୍ତତ

କିଏ ସେ ନିଷ୍ଠୁର ସ୍ଵର୍ଗଦାରୁ

ଠେଲିଦିଏ ଜଗି ଅର୍ଦ୍ଧପଥ !

ମୋ ଆଶା ମୋ ଅନ୍ତର ପିପାସା

ଖସେ ଉଠେ ସିନା ଏହିପରି

ଶୂନ୍ୟେ ଆହା ପ୍ରାଣର ସର୍ବସ୍ଵ

କିମ୍ପା ଲୋଟେ କେଉଁ ଦମ୍ଭଧରି ।

 

କବିତାଟି ହେଲା କଳ୍ପନା-ବିଳାସୀ ଯୌବନର ଆଶାନିରାଶାମୟ ସ୍ୱପ୍ନିଳ ଜୀବନର ଗୋଟିଏ ଚିତ୍ର । ପତ୍ରିକାରେ ପ୍ରକାଶିତ ହୋଇ କେତେକ ବନ୍ଧୁଙ୍କ ପ୍ରଶଂସା ଅର୍ଜନ କରେ ସେତେବେଳେ ସିନା, ଏବେ ଅବଶ୍ୟ ନୁହେ ।

 

ରେଭେନ୍‌ସା କଲେଜରୁ ରାଣୀହାଟ ଯିବାକୁ କେନାଲ ପୋଲ ପାରିହୋଇ ଗଲେ ଡାହାଣହାତି ପଡ଼େ ପଶୁଡାକ୍ତରଖାନା, ବୈକୁଣ୍ଠନାଥ ରହନ୍ତି ସେଇଠି ତାଙ୍କର ବନ୍ଧୁ, ପଶୁଡାକ୍ତରଙ୍କ ଘରେ । ସେଇ ଘରେ ଆମେ ସହାଧ୍ୟାୟୀ ବନ୍ଧୁମାନେ ଯାଇଁ ଯୁଟୁ୍ଁ କଲେଜ ଛୁଟି ପରେ । ତହୁଁ ଚାଲେ ଭବିଷ୍ୟତ ସାହିତ୍ୟିକ ଜୀବନର ବହୁ କଳ୍ପନା ଜଳ୍ପନା, ବିଚାର ଆଲୋଚନା । ଅନ୍ନଦାଶଙ୍କର ରହସ୍ୟରେ କହନ୍ତି, ଯିଶୁଖ୍ରୀଷ୍ଟଙ୍କର ଯେପରି ଜନ୍ମ ହୋଇଥିଲା, ଗୋଟିଏ ଘୋଡ଼ାଶାଳରେ, ସବୁଜ ସାହିତ୍ୟର ଜନ୍ମ ସେହିଭଳି ଏକ ପଶୁ ଡାକ୍ତରଖାନାରେ !

 

ପ୍ରଥମେ ସ୍ଥିରକରୁଁ ଆମର ଗୋଟିଏ ସାହିତ୍ୟିକ ଗୋଷ୍ଠୀ ରହିବ, ଯାହାର ନାମ “ନନ୍‌ସେନ୍‌ସ୍ କ୍ଲବ” ( Nonsense Club ) ଅର୍ଥାତ “ଅନର୍ଥ ଆଡ୍ଡା” । “ନନ୍‌ସେନ୍‌ସ୍” ଅବଶ୍ୟ ଗୋଟାଏ ଗାଳିକୁ ବୁଝାଏ । ଆମେ ଏଇ ନାମଟିକୁ ପାଇଥାଉ ଇଂରେଜ କବି କୁପର (Willium Cowper)ଙ୍କର ପତ୍ରାବଳୀରୁ । ବହି ଖଣ୍ଡି ଆମର ପାଠ୍ୟ ଥାଏ ବୋଧହୁଏ । ଲେଖକମାନେ ଯେ ସଂସ୍କାର କ୍ଷେତ୍ରରେ ନିରର୍ଥକ ବା ସବୁ ଅନର୍ଥର ମୂଳ—ଅର୍ଥାତ୍ ଦୋରସ୍ତ ସଂସାରୀ ଯାହାକୁ ବୁଝାଏ, ତାହା ହେବାପାଇଁ ଅସମର୍ଥ—ପୁଣି ବନ୍ଧୁତା ପାତିବା ଯେ ଚତୁର ବୁଦ୍ଧିମାନର କାମ ନୁହେ, ଆଉ ଶତ୍ରୁତା ଶଠତା ହେଲା ବୁଦ୍ଧି ମାନର ବିଚାର—କବି କୁପରଙ୍କ ଏଇ ନାମକରଣରୁ ତାହାହିଁ ବୋଧହୁଏ ସୂଚିତ ହୁଏ । ଏହି ଗୋଷ୍ଠୀ ପକ୍ଷରୁ ଆମେ ଗୋଟିଏ ହାତଲେଖା ପତ୍ରିକା ମଧ୍ୟ ବାହାର କରୁଁ । ତାହାର ନାମ—(Nonsense Club Magazine) ନନ୍‌ସେନ୍‌ସ୍ କ୍ଲବ୍ ମାଗାଜିନ । ପତ୍ରିକାର ସମ୍ପାଦନା ଦାୟିତ୍ୱ ପଡ଼େ ମୋରି ଉପରେ । ହରିହର ଇଂରେଜୀ ନାମଟିକୁ ବଦଳାଇ ଓଡ଼ିଆ ନାମଟିଏ ରଖନ୍ତି—“ଅବକାଶ” । ଏହି ନାମର ଚାରିଟି ଅକ୍ଷରରେ ଅନ୍ନଦା, ବୈକୁଣ୍ଠ କାଳନ୍ଦୀ ଓ ଶରତ ନାମ ଚାରିଟିର ପ୍ରଥମ ଅକ୍ଷର ରହିଲା ସିନା, ହରିହରଙ୍କ ନାମ ନ ରହିବାରୁ ପରେ ତାହାକୁ ବଦଳାଇ ଆମେ ରଖୁଁ “ଶକ୍ତିସାଧନା” ।

 

ପତ୍ରିକାଟି ଲେଖା ହେଉଥିଲା, ତିନିଟି ଭାଷାରେ—ଓଡ଼ିଆ, ବଙ୍ଗଳା ଓ ଇଂରାଜୀ ଏହି ପତ୍ରିକାର ଲେଖକମାନେ ପରେ ସ୍ୱର୍ଗତ ଲକ୍ଷ୍ମୀନାରୟଣ ସାହୁଙ୍କ ସମ୍ପାଦିତ “ସହକାର” ମାସିକ ପତ୍ରରେ ପୁଣି ଶେଷରେ ସ୍ଵର୍ଗତ ବିଶ୍ୱନାଥ କରଙ୍କ “ଉତ୍କଳସାହିତ୍ୟ” ମାସିକରେ ଲେଖନ୍ତି ନିୟମିତ ଭାବରେ । ବନ୍ଧୁତା ପ୍ରତିଷ୍ଠାରେ ଧୁରନ୍ଧର ବୟୋଜ୍ୟେଷ୍ଠ ଲକ୍ଷ୍ମୀନାରୟଣ ମଧ୍ୟ୍ୟ ସ୍ୱଭାବସୁଲଭ ଗୁଣରେ ଆମ ସମସ୍ତଙ୍କର ନିକଟତର ହୋଇପଡ଼ନ୍ତି ।

 

ସବୁଜବନ୍ଧୁମାନଙ୍କ ଉଦ୍ୟମରେ ହିଁ “ଉତ୍କଳସାହିତ୍ୟ” ମାସିକରେ ଧାରାବାହିକ ପ୍ରକାଶ ପାଏ ନଅ ଜଣ ଲେଖକ-ଲେଖିକାଙ୍କଦ୍ୱାର ଲିଖିତ “ବାସନ୍ତୀ” ଉପନ୍ୟାସ’ । କଲେଜ ଛାଡ଼ି ବଭିନ୍ନ କାର୍ଯ୍ୟ କ୍ଷେତ୍ରରେ ସେମାନେ ପ୍ରବେଶ କରିବା ପରେ “ସବୁଜସାହିତ୍ୟ” ସମିତିପ୍ରକାଶ ସଂସ୍ଥାର ପ୍ରତିଷ୍ଠା କରାଯାଏ, ପୁଣି ତାହାର ମୁଖପତ୍ର ହୁଏ ମାସିକ “ଯୁଗବୀଣା’; ଯାହା ଯୁବକ ମହଲରେ କେବଳ ନୁହେଁ, ଓଡ଼ିଆ ସାହିତ୍ୟରେ ସୃଷ୍ଟିକରେ ଏକ ସ୍ମରଣୀୟ ଆଲୋଡ଼ନ ।

 

୧୯୩୧ ଖ୍ରୀଷ୍ଟାବ୍ଦରେ ସବୁଜ ସାହିତ୍ୟ ସମିତିର ପ୍ରତିଷ୍ଠାତା ପାଞ୍ଚଜଣ ସଭ୍ୟଙ୍କ ରଚିତ କବିତା ସଙ୍କଳନ ପ୍ରକାଶିତ ହୁଏ “ସବୁଜ କବିତା” ନାମ ଘେନି । ତାହାର ଦ୍ୱିତୀୟ ସଂସ୍କରଣ ପ୍ରକାଶ କରନ୍ତି ନିଉ ଷ୍ଟୁଡେଣ୍ଟସ ଷ୍ଟୋରର । ସେଇ ଭଳି ସମ୍ମିଳିତ ପ୍ରଚେଷ୍ଟାରେ ନଅଜଣ ଲେଖକ ଲେଖିକାଙ୍କଦ୍ୱାରା ଲିଖିତ “ବାସନ୍ତୀ” ଉପନ୍ୟାସର ମଧ୍ୟ ପ୍ରକାଶ । ସେଥିସହିତ ଓଡ଼ିଶାର ପ୍ରଖ୍ୟାତ କବି ସ୍ୱର୍ଗତ ଚିନ୍ତାମଣି ମହାନ୍ତିଙ୍କ “ଶନିସପ୍ତା” ଉପନ୍ୟାସ, ସ୍ଵର୍ଗତ ଦିବ୍ୟସିଂହ ପାଣିଗ୍ରାହୀଙ୍କ “ତୁ ମୋ ମା” ଉପନ୍ୟାସ, କବିଶ୍ରୀ ମାୟାଧର ମାନସିଂଙ୍କ “ପୂଜାରଣୀ, କବିଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ “ପାଥେୟ, ଶ୍ରୀହରିଶ୍ଚନ୍ଦ୍ର, ବଡ଼ାଲଙ୍କ ନାଟକ “ଦେଶର ଡାକ”, ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ଗଳ୍ପସଂଗ୍ରହ “ତୃଣଗୁଚ୍ଛ,” ଶ୍ରୀକମଳାକାନ୍ତ ଦାଶଙ୍କ ଉପନ୍ୟାସ “ବୋଉ”, ଶ୍ରୀମତି ଶାନ୍ତି ମୁଖାର୍ଜୀଙ୍କ “ଚିରନ୍ତନୀ”, ଶ୍ରୀ ହରିହର ମିଶ୍ରଙ୍କ “ଆର୍ଶୀବାଦ”, ଶ୍ରୀ ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ନାଟକ “ମୁକ୍ତପଥେ” ଆଦି ବିଭିନ୍ନ ଲେଖକଙ୍କର ଗ୍ରନ୍ଥ ସହିତ ଶ୍ରୀ ନରେନ୍ଦ୍ର ନାଥ ଦତ୍ତଙ୍କ “ରୂପର ଅଭିଶାପ” ଓ ଶ୍ରୀମତୀ ବିନୋଦିନୀ ଷଡ଼ଙ୍ଗୀଙ୍କ ସମେତ ବର୍ତ୍ତମାନ ଲେଖକଙ୍କର ମଧ୍ୟ କେତେକ ଉପନ୍ୟାସ, ଗଳ୍ପ, କବିତା ଆଦି ପ୍ରକାଶିତ ହୁଏ ।

 

“ଯୁଗବୀଣା” ମାସିକ ପତ୍ରରେ ସ୍ଵର୍ଗତ ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ଅପ୍ରକାଶିତ କବିତା ସହିତ ସର୍ବ ଶ୍ରୀ ଲକ୍ଷ୍ମୀନାରୟଣ ସାହୁ, ଭଗବତୀ ଚରଣ ପାଣିଗ୍ରାହୀ, କୁମାରୀ ନିର୍ମଳ ନଳିନୀ ସାମନ୍ତରା, ଶ୍ରୀ ଉପେନ୍ଦ୍ର ପ୍ରସାଦ ମହାନ୍ତି, ଶ୍ରୀମତୀ ସୁପ୍ରଭାଦେବୀ, ଡାକ୍ତର ରାଧାଚରଣ ପଣ୍ଡା, ସ୍ଵର୍ଗତ କବି ଶ୍ରୀ ପଦ୍ମଚରଣ ପଟ୍ଟନାୟକ, ସ୍ଵର୍ଗତ ଶ୍ରୀ କାଳୀପ୍ରସନ୍ନ କବି, ସ୍ଵର୍ଗତ ଗୋବିନ୍ଦ ତ୍ରିପାଠୀ, ଶ୍ରୀମତୀ ସରଳାଦେବୀ ଓ ଶ୍ରୀମତୀ ଦେବହୁତୀ ଦେଈ ପ୍ରମୁଖ କବି ଲେଖକ ଓ ଲେଖିକାମାନଙ୍କ ରଚନାବଳୀରେ ମଣ୍ଡିତ ହୁଏ “ଯୁଗବୀଣା” ମାସିକ ପତ୍ରର ପ୍ରତ୍ୟେକ ସଂଖ୍ୟା ନବ ନବ ସାହିତ୍ୟ ସମ୍ଭାର ବହନ କରି । ଯେଉଁମାନଙ୍କ ନାମ ଏଠାରେ ଉଲ୍ଲେଖ କରିପାରିଲି ନାହିଁ ଅସାବଧାନତା କିମ୍ବା ସ୍ଥାନାଭାବ ହେତୁ, ତାଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ । ମୋର ଜୀବନସ୍ମୃତିରେ କିନ୍ତୁ ସେମାନଙ୍କ ସ୍ଥାନ ଅମୂଲ୍ୟହୋଇ ରହିଥିବ । କେଉଁଠି ସରିବ ତାଙ୍କ ନାମ ତାଲିକା ? ପୁଣି ଗୋଟିଏ ନାଁ ଯେ କେତେଖଣ୍ଡ ପୋଥି ! ଗୋଟିଏ ଗୋଟିଏ ନାଁ ପଛରେ ଯେ କେତେ ବଡ଼ବଡ଼ ଜୀବନୀ — “ବହୁନି ମେ ବ୍ୟତୀତାନି ଜନ୍ମାନି ଚାଜ୍ଜୁର୍ନ !”

 

ଅର୍ଥ ମନର୍ଥମ୍ ଭାବୟ ନିତ୍ୟମ୍

 

ଇଂରାଜୀ ସାହିତ୍ୟରେ ‘ନନ୍‌ସେନ୍‌ସ୍’ ରଚନାର ଏକ ବିଭାଗୀକରଣ ଲକ୍ଷିତ ହୁଏ । ଏଇ ଶ୍ରେଣୀୟ ରଚନାକୁ ଅସଙ୍ଗତ ସାହିତ୍ୟଭାବରେ ବିଚାର କରାହୁଏ । ଏଥିରେ ଛନ୍ଦର ମାଧୁର୍ଯ୍ୟ ଅଛି, ଭାଷାର ଲୀଳା ଅଛି । ହସ, କାନ୍ଦ, ବ୍ୟଙ୍ଗ, ବିଦ୍ରୂପର, ରସମାଧୁରୀ ଅଛି, ସେଥି ସଙ୍ଗେ ରହିଛି, ଅଯୌକ୍ତିକ ଅର୍ଥହୀନତା ମଧ୍ୟ “ଧୋ ରେ ବାୟା ଧୋ” ଭଳି ।

 

ଅଥଚ ସେଇ ଗୀତ ଶୁଣି କାନ୍ଦୁରା ପିଲାଟା ଶୋଇପଡ଼େ, କ୍ରୁଦ୍ଧ ମଣିଷ ବି ହସିପକାଏ । ସେଇ ଗପ ପଢ଼ି ଆନନ୍ଦ ମିଳେ, ରସୋପଲବ୍‍ଧି ହୁଏ । ଅଥଚ ଶିଖିବାପାଇଁ ତହିଁରେ କିଛି ହେଲେ ନ ଥାଏ ଉପାଦାନ ! ଏମ‌୍‌ତି ବହୁତ କଥା, ବହୁତ ଗୀତ ପୃଥିବୀର ସବୁ ସାହିତ୍ୟରେ ମିଳେ । ତାହା କିନ୍ତୁ ସାହିତ୍ୟସ୍ତରରେ ଗଣତି ହୁଏନାହିଁ ଯଦି ବା ତାର ହୃତ୍‌ପିଣ୍ଡ ।

 

ଶିଶୁ ଅବସ୍ଥାରୁ କିନ୍ତୁ ତାହା ସାହିତ୍ୟ-ପ୍ରେରଣା ଯୋଗାଏ । ସେଇ ଭଳି ରଚନାର ନମୁନା ପଲ୍ଲୀକବି ନନ୍ଦକିଶୋରଙ୍କ ସୃଷ୍ଟିରେ ମଧ୍ୟ ମିଳିଥାଏ । ସାହିତ୍ୟରସିକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଗଦ୍ୟରେ ବ୍ୟଙ୍ଗ ଓ ହାସ୍ୟରସ ସୃଷ୍ଟି ମାଧ୍ୟମରେ ତାହାରି ଆଭାସ ସୁସ୍ପଷ୍ଟ । ଉଭୟ ଅବଶ୍ୟ ଜୀବିତ ଥାନ୍ତି ସେତେବେଳେ ରାଜନୀତିର ତୁମୂଳ ଝଡ଼–ଅହିଂସା ଅସହଯୋଗ ଆନ୍ଦୋଳନ ସାଙ୍ଗକୁ ଓଡ଼ିଆ ସାହିତ୍ୟର ବହୁମୁଖୀ ଅଭ୍ୟୁଦୟ । ସମାନ୍ତରାଳ ଗତିରେ ଯେମ‌୍‌ତି ଦୁଇଟାଯାକର ଦିଗନିର୍ଣ୍ଣୟ ।

 

ନନ୍‌ସେନ୍‌ସ୍ କ୍ଲବ୍‌ର ସବୁ ସଭ୍ୟ ଉଦ୍‍ବୁଦ୍ଧ ସେତେବେଳର ପ୍ରବଳ ରାଜନୀତିକ ଆହ୍ୱାନରେ । ଆମ ଭିତରେ ତେଣୁ ଦୈନିକ ବହୁ ସମୟର ଆଲୋଚନା ବସ୍ତୁ ହୋଇଥାଏ ରାଜନୀତି ଓ ସାହିତ୍ୟ । ଆଉ ସେଇ ଆଲୋଚନାର ସକ୍ରିୟପନ୍ଥା ଖୋଜି ପାଉଁ “ନନ୍‌ସେନ୍‌ସ୍ କ୍ଳବ୍’’ ଗଢ଼ିବାରେ । ସାଧାରଣ ଇଂରାଜୀ ଭାଷାରେ ପ୍ରକାଶିତ ସାହିତ୍ୟର ବିଶ୍ୱକୋଷ (Cassell’s Encyclopaedia of Literature) ଗ୍ରନ୍ଥ ପ୍ରଥମ ଖଣ୍ଡରେ ମୁଖସ୍ଥ ଅବସ୍ଥାରୁ ଅର୍ଥାତ୍ ପରମ୍ପରାଗତ କିମ୍ବଦନ୍ତୀ ରୂପଭିତରୁ ସାହିତ୍ୟ କିଭଳି ରୂପରେଖ ନିଏ, ତାହାର ବର୍ଣ୍ଣନା ଉଦ୍ୟମ କରାଯାଇଛି । ନନ୍‌ସେନ୍‌ସ୍ ସାହିତ୍ୟ ବିଷୟକ ଏଇ ଆଲୋଚନାର ଆରମ୍ଭ ।

 

“The area of nonsense is not easy to define. Just as the word in conversational use denotes the disagreement of the speaker with any thing that he regards as illogical, unpractical or untrue, so it has been attached to various kinds of compositions, greatly differing in their range and meaning, or their want of it. A failure in logic may be justly said to make nonsense and so may a geometrical impossibility, but a disbelief in a story, a creed or a scheme of administration is presumably a matter of opinion. Nonsense in the arts, pictorial, musical or written invites a similar discrimination. If we are looking for what we like, to call ‘nonsense, pure and simple, the best way to describe It is to say that it must be made with no urterior purpose but to amuse by absurdlity.”

 

ଅର୍ଥାତ୍— “ଅସଙ୍ଗତିର (Nonsense) ପରିସର ନିର୍ଣ୍ଣୟ କରିବା ସହଜ ନୁହେ; କଥୋପକଥନରେ ଏଇ ଶବ୍ଦଟିର ବ୍ୟବହାର ଠିକ୍ ଯାହା ବୁଝାଏ— ଶବ୍ଦଟିକି ଉଚ୍ଚାରଣ କରୁଥିବା ବ୍ୟକ୍ତି ତଦ୍ଦ୍ୱାରା ଅସଙ୍ଗତ, ଅଯୌକ୍ତିକ ଓ ଅସତ୍ୟ କଥା ବାଢ଼ନ୍ତି । ତେଣୁ ତାହା ବିବିଧ କିସମ ରଚନା ସହ ଜଡ଼ିତ— ସେଗୁଡ଼ିକର ପରିସର ଓ ତାତ୍ପର୍ଯ୍ୟ ଭିତରେ ଅନେକ ଫରକ ଅଥବା ସେ ସବୁର ଅଭାବ ତହିଁରେ ନିବଦ୍ଧ ।

 

ଯୁକ୍ତିର ଅଭାବହିଁ ଯଥାର୍ଥରେ ଅସଙ୍ଗତ ସୃଷ୍ଟିକରେ ବୋଲି କୁହାଯାଇପାରେ, ସେଇପରି କରିଥାଏ ଜ୍ୟାମିତିକ ଅସମ୍ଭବତା; କିନ୍ତୁ ଗପ, ମତବାଦ ଅଥବା ଶାସନ ଯୋଜନାରେ ଅବିଶ୍ୱାସ ସୃଷ୍ଟି ବୋଧହୁଏ ବିଭନ୍ନ ମତାମତ ଉପରେ ହିଁ ନିର୍ଭରକରେ ବା କଳା, ଚିତ୍ର, ସଙ୍ଗୀତ କିମ୍ବା ଲିଖିତ ରଚନାରେ ଅସଙ୍ଗତିର ପ୍ରୟୋଗ ସେହିଭଳି ବିଶ୍ଳେଷଣ ଲୋଡ଼ିଥାଏ । ଆମେ ଯାହାକୁ ନିର୍ମଳ ଓ ସରଳ ଭାବରେ ନିରର୍ଥକ ବା ଅସଙ୍ଗତ ବୋଲି ବୁଝାଇବା ପାଇଁ ଲୋଡ଼ୁଁ, ତେବେ ତାହା ବର୍ଣ୍ଣନା କରିବାର ପ୍ରକୃଷ୍ଟ ପନ୍ଥା ହେଲା—ଏହାର କୌଣସି ନିଗୁଢ଼ ଉଦ୍ଦେଶ୍ୟ ନଥାଇ କେବଳ ଅମୂଳକ ଅସଙ୍ଗତିଦ୍ୱାରା ଆନନ୍ଦ ସୃଷ୍ଟି କରିବା । ଏହା ପରସ୍ପରବିରୋଧୀ ଦ୍ୱନ୍ଦ, ବିକଳ୍ପଦ୍ୱାରା ପୁଣି ଅବାନ୍ତର ଓ ଅପ୍ରାସଙ୍ଗିକ ଶବ୍ଦ ପ୍ରୟୋଗଦ୍ୱାରା କେବଳ ଶ୍ରୁତିମଧୁର ଭାଷାରେ ଆନନ୍ଦ ସୃଷ୍ଟି କରିଥାଏ । ଏହା “absurd” ବା “ଉଦ୍ଭଟ” ଶବ୍ଦର ନାମାନ୍ତର ।

 

‘ନାନାବାଇଆ ଗୀତ’ଠାରୁ ଆରମ୍ଭକରି ଅନେକ କୌତୁକଗଳ୍ପ ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମଣିଷ ମନକୁ ଯେଉଁ କଥିତ ସାହିତ୍ୟରେ ରସାଣିତ କରେ, ତାହାର ଅବଲମ୍ବନରେ ଲିଖିତ ସାହିତ୍ୟର ସୃଷ୍ଟି ଏଇ ଶ୍ରେଣୀର ଅନ୍ତର୍ଭୁକ୍ତ ! “ନନ୍ ସେନସ୍ କ୍ଲବ”ର ନାମକରଣ ଏହିଠାରୁ ଉଦ୍ଭବ ହେଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ନବ ନବ ବୈଚିତ୍ର୍ୟ ଓ ସ୍ପନ୍ଦନ ସୃଷ୍ଟି କରି ସାହିତ୍ୟର ରୂପ, ରସ, ଛନ୍ଦ ଭିତରେ ନୂତନତ୍ୱ ଆଣିଦେବା ହେଲା, ଏହାର ପ୍ରଧାନ ଆଭିମୁଖ୍ୟ !

 

ସେତେବେଳେ ବିହାର−ଓଡ଼ିଶା ଗୋଟିଏ ପ୍ରଦେଶ ଓ ଏକ ମାତ୍ର ପାଟଣା ବିଶ୍ୱବିଦ୍ୟାଳୟ ଅଧୀନରେ ଉଭୟ ପ୍ରଦେଶର ଶିକ୍ଷାନୁଷ୍ଠାନ-ଗୁଡ଼ିକ ପରିଚାଳିତ ।

 

ରେଭେନ୍‌ସା କଲେଜରୁ ଏହି ସାହିତ୍ୟିକ ଉଦ୍ୟମରେ ଯେଉଁ ବନ୍ଧୁମାନେ ସହଯୋଗ କରନ୍ତି, ତାଙ୍କ ଭିତରୁ ଶ୍ରୀ ଅନ୍ନଦାଶଙ୍କର ରାୟ ଆଇ. ଏ. ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ପାଟନା କଲେଜରେ ପଢ଼ିବାକୁ ଯାଆନ୍ତି । ‘‘ସବୁଜକବିତା’’ ସଂକଳନରେ ପୁଣି “ବାସନ୍ତୀ” ଉପନ୍ୟାସ ଯୋଜନାରେ ଅନ୍ନଦାଶଙ୍କର ନେତୃତ୍ୱ ଘେନିଥିଲେ ହେଁ ପାଟନା ଯିବା ପରେ କିମ୍ବା ତାହା ପୂର୍ବରୁ ଓଡ଼ିଆଭାଷା ଛାଡ଼ି ବଙ୍ଗଳାରେ ଲେଖିବା ପାଇଁ ମନ ବଳାନ୍ତି ।

 

ବଙ୍ଗଳା ପ୍ରତି ତାଙ୍କର ଝୁଙ୍କ ଅବଶ୍ୟ ମୁଁ ଏଥିପୂର୍ବରୁ ଲକ୍ଷ୍ୟ କରିଥାଏଁ, ତଥାପି ଓଡ଼ିଆ ଭାଷାକୁ ନ ଛାଡ଼ିବାପାଇଁ ତାଙ୍କୁ ପ୍ରବର୍ତ୍ତାଏଁ । ଉଭୟଙ୍କ ମଧ୍ୟରେ ଏ ବିଷୟରେ ବହୁ ଆଲୋଚନା ହୋଇଛି, ପୁଣି ପତ୍ର ବିନିମୟ ମଧ୍ୟ । ବି.ଏ ପରୀକ୍ଷାରେ ଅନ୍ନଦାଶଙ୍କର ସେଇଭଳି ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୁଅନ୍ତି । ସେତେବେଳେ ଆଇ.ସି.ଏସ୍. ପରୀକ୍ଷା ଥାଏ ଭାରତବର୍ଷର ଛାତ୍ରମହଲରେ ସବୁଠାରୁ ବଡ଼ ଉଚ୍ଚାକାଂକ୍ଷା । ସେଇ ଆକାଂକ୍ଷାକୁ ଅନ୍ନଦାଶଙ୍କର ବନ୍ଧୁମାନଙ୍କ ମହଲରେ ମଧ୍ୟେ ମଧ୍ୟେ ପ୍ରକାଶ କରନ୍ତି । ତାଙ୍କର ପ୍ରବଳ ଆତ୍ମବିଶ୍ଵାସ ଏଥିଲାଗି ତାଙ୍କୁ ପ୍ରସ୍ତୁତିକରେ । ପାଟନାରୁ ଲିଖିତ ଏହି ପତ୍ରଖଣ୍ଡିକରୁ କିଞ୍ଚିତ୍ ଆଭାସ ମିଳେ ତାଙ୍କ ମତାମତର ।

 

ସବୁଜ ବନ୍ଧୁଙ୍କ ପତ୍ର ବିନିମୟ

ଭାଇ କାଳିନ୍ଦୀ —             ପାଟନା ୧୨|୨|୬୨

 

ତମର ସାନ ଚିଠି ଖଣ୍ଡିଏ ଆଜି ପାଇଲି । ମୋତେ ଖୁବ୍ ଗାଳି ଦେଇଛ ଏକା । ଆଶା କରେଁ କୈଫିୟତ୍‍ଟାଏ ଦେବାର ଅଧିକାର ତମ ବନ୍ଧୁର ଅଛି । ମୁଁ ଗୋଟାଏ ଦୀର୍ଘ କୈଫିୟତ୍ ଦେବାକୁ ବସିଛି— ଲେଖୁଁ ଲେଖୁଁ ଯାହା ଲେଖିଯାଇପାରେଁ ତାହାହିଁ ମୋର କୈଫୟତ୍ ।

 

ଏହି କେତୋଟି ଲାଇନ୍ ଲେଖିବାକୁ ଅନେକ ସମୟ ଲାଗିଲା । କେତେ ବାର ମନେହେଲା ଠିକ୍ ଓଡ଼ିଆ ଲେଖିଲି, ନା’ ଭୁଲ୍ ଓଡ଼ିଆ । ଏହିଥିରୁ ବୁଝୁଥିବ ଓଡ଼ିଆ ମୁଁ କାହିଁକି ଲେଖୁନାହିଁ ।

 

ତୁମେ ଜାଣ ମୋ ଜନ୍ମ ଓଡ଼ିଶାରେ, ମୋ ପୂର୍ବପୁରୁଷମାନେ ୮|୧୦ ପୁରୁଷ ହେଲା ଓଡ଼ିଶାକୁ ଆସିଲେଣି; ଓଡ଼ିଶାର ଗୋଟାଏ ଛୋଟ ସହରରେ ମୁଁ ଜୀବନର ପ୍ରଥମ ୧୭ ବର୍ଷ କଟେଇଛି । ତା’ ପରେ କଲିକତା, କଟକ, ପାଟନା ପ୍ରଭୃତିରେ ରହିଲି; ପୂର୍ବୋକ୍ତ ୧୭ ବର୍ଷ ମଧ୍ୟରେ ୬ ମାସ ପୁରୀରେ ଥିଲି ।

 

ଅତଏବ ଲୋକେ naturally ଅନୁମାନ କରିବେ, ମୁଁ ଓଡ଼ିଆ ଭଲ ଜାଣେ, କହିପାରେଁ, ଲେଖିପାରେଁ । ମୁଁ ମଧ୍ୟ ସ୍କୁଲରେ ଓଡ଼ିଆରେ first ହୋଇ ଆସିଛି । କଲେଜରେ ବଙ୍ଗଳା ନେଇଥିଲି ଖିଆଲରେ, – excel କରିପାରୁଛି କି ନାହିଁ, ଜାଣିବା ପାଇଁ । କଲେଜରେ ବଙ୍ଗଳା ଦୁଇ ବର୍ଷ ପଢ଼ି ସୁଦ୍ଧା ଓଡ଼ିଆ ଭୁଲି ନଥିଲି । ପ୍ରମାଣ, ସେହି ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା (କଲେଜ)ରେ—ପ୍ରଥମ ପୁରଷ୍କାର ପାଇବା ।

 

କିନ୍ତୁ ସେଇ ଥର ବୁଝିଲି, ଓଡ଼ିଆ ଲେଖିବା କେତେ ପ୍ରୟାସ-ସାପେକ୍ଷ । ପରେ “ବସନ୍ତ ଗାଥା” ସମାଲୋଚନା 3rd year ରେ ଲେଖିଲାବେଳେ ଜାଣିଲି । ଓଡ଼ିଆ ଭାଷାର ଲୀଳା-ଅଂଶ ମୁଁ ଭୁଲିଯାଇଛି କିମ୍ବା ମୂଳରୁ ଶିଖିନାହିଁ । ବଡ଼ ଜୋର ଗୋଟାଏ jouarnlist ମୁଁ ଓଡ଼ିଆ ଭାଷାରେ ହୋଇପାରେଁ ; କିନ୍ତୁ ହେବା ମୋ ପକ୍ଷରେ କଠିନ; କିନ୍ତୁ 4th yearରେ “ବାସନ୍ତୀ” ବାହାର କରାଗଲା । ତମେ ମୋତେ ସମସ୍ତଙ୍କ ସାମନାକୁ ଠେଲିଦେଲ; କିନ୍ତୁ କେବଳ ମୋର ପ୍ରରୋଚନାରୁ ନୁହ—ଅନ୍ୟ ଗୋଟିଏ ବିଶେଷ କାରଣରୁ ମୁଁ ଓଡ଼ିଆରେ କବିତା ଲେଖିଲି । ଏହି ସ୍ଥଳରେ ଟିକିଏ ଅତୀତ ଆଡ଼କୁ ଦୃଷ୍ଟି ଦିଏଁ ।

 

ପିଲାଦିନରୁ ମୁଁ ଓଡ଼ିଆ ଶିଖିଛି । ବଙ୍ଗଳା ଶିଖିବା ସଙ୍ଗେ ସଙ୍ଗେ ଇସ୍କୁଲର ତଳକ୍ଲାସରୁ ଓଡ଼ିଆ ମାତୃଭାଷା ରୂପେ ପଢ଼ିଛି । ଘରେ ମଧ୍ୟ ବାପା-କାକାମାନେ ବଙ୍ଗଳା ସାହିତ୍ୟ ତୁଳନାରେ ଓଢ଼ିଆ ସାହିତ୍ୟ ଢେର ଭଲ ଜାଣିଥିଲେ ଓ ଚର୍ଚ୍ଚା କରୁଥିଲେ ବୋଲି ଓଡ଼ିଆ ପ୍ରତି ମୋର ମମତା ଥିଲା | 6th ଓ 5th classରେ ପଢ଼ିଲାବେଳେ ମୁଁ ପଦ୍ୟ ଲେଖେଁ । ସାହିତ୍ୟର ଲୀଳା ଅଂଶ ସହିତ ମୋର ପ୍ରଥମ ପରିଚୟ ଏହି ସମୟରେ ହେଲା 5th class ରେ । ମୁଁ ଓଡ଼ିଆରେ ଗୋଟାଏ ମାସିକ ପତ୍ର ନିୟମିତ ରୂପେ ବର୍ଷେକାଳ ଚଳେଇଛି । ଏହି ମାସିକ ପତ୍ରଟିରେ ଆମର ଓ ଆମ ପ୍ରତିବେଶୀ ଉତ୍କଳୀୟ ବଙ୍ଗାଳି ପରିବାରର ପିଲାମାନେ ଲେଖୁଥିଲେ, ଛବି ଆଙ୍କୁଥିଲେ, ବିଜ୍ଞାପନ ଦେଉଥିଲେ । କାଗଜଟି ଛପେଇବାର ଚିନ୍ତା ମଧ୍ୟ ସମୟ ସମୟରେ ଉଠୁଥିଲା ।

 

ପୁରୁଣା ସଂଖ୍ୟା ଦୁଇଚାରିଖଣ୍ଡ preserved ଅଛି । ଦେଖିବ, ଲେଖା ନିତାନ୍ତ କଞ୍ଚା ଥିଲା; କିନ୍ତୁ variety ଅନେକ, ସମ୍ପାଦକୀୟ ମୁଁ ନିଜେ ଲେଖୁଥିଲି—ଅଧିକାଂଶ ପଦ୍ୟ, ପ୍ରବନ୍ଧ ଓ ଚିତ୍ର ମୋହରି ।

 

4th class ରୁ ମୁଁ ଭଲ Student ହେଲି, କ୍ରମେ କ୍ରମେ ମୋର Position ଉଚ୍ଚତର ହେଲା । ଏହି ସମୟରେ ଆମର ପାରିବାରିକ ଅବସ୍ଥା ବିଶେଷ ଅସ୍ୱଚ୍ଛଳ ହୋଇ ପଡ଼ିଥିଲା-। ସୁତରାଂ ପଢ଼ାଶୁଣା ଭଲକରିବା ଆଡ଼େ ସ୍ଵାଭାବିକ ଇଚ୍ଛା ଜନ୍ମିଥିଲା ।

 

ସୁତରାଂ ମୋର ‘ପ୍ରଭା’ ପତ୍ରିକା ବନ୍ଦ ହୋଇଗଲା । ମୁଁ ସମୟ ସମୟରେ କଦାଚ ଗୋଟିଏ ଅଧେ ପଦ୍ୟ ଲେଖି ଉତ୍କଳ ସାହିତ୍ୟକୁ ପଠେଇ ଦେଉଥିଲି । କହିବା ବାହୁଲ୍ୟ, ତାହା ଯଥା ସମୟରେ ଫେରି ଆସୁଥିଲା ।

 

2nd classରେ ମୋହ ସହିତ ତମର ପରିଚୟ, 3rd class ରେ ବୈକୁଣ୍ଠ ସହ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା । ପୁରୀରୁ ଫେରିଆସି ସେ ଓ ମୁଁ ଘନିଷ୍ଠ ହୋଇ ପଡ଼ିଲୁଁ ।

 

ତା’ ପରେ କଲେଜ । କଲେଜରେ ଶରତ ଆସି ଆମ ତ୍ରିବେଣୀରେ ଯୋଗଦେଲା ଏବଂ Nonsense clubର ଚତୁଷ୍କ କ୍ରମଶଃ ବର୍ଦ୍ଧିତ ହେଲା; କିନ୍ତୁ ସାମୟିକ ଆମଦାନୀମାନଙ୍କୁ ବାଦ୍ ଦେଲେ ବାକି ରହିବେ— ପାଞ୍ଚ ଜଣ, (includinig ହରିହର ମହାପାତ୍ର) । ବର୍ତ୍ତମାନ ପଞ୍ଚଙ୍କ ମଧ୍ୟରୁ ଜଣେ Deputy, ଜଣେ Co-operative Banker, ଜଣେ M. A, Law Student—ଭବିଷ୍ୟତ ନେତା, ଲେଖକ ଇତ୍ୟାଦି; ଜଣେ କବିପାଗଳ । ବାକୀ ଜଣକ ମୁଁ ।

 

ମୁଁ କ’ଣ ? ମୁଁ I. C. S ହୋଇପାରେଁ, ହୋଇ ନ ପାରେଁ ମଧ୍ୟ । ମୁଁ କବି ନୁହଁ, ଅଥଚ କବି-ପ୍ରାଣ, ମୁଁ Artist କି journalist କ’ଣ ହେବି ତା’ ଜାଣେ ନାହିଁ । ସମ୍ଭବତଃ ଆର୍ଟକୁ ମୋର ଯାହା ଦେବାର ଅଛି, ତାହା ଦେଇଯିବା ପୂର୍ବରୁ ମରିବି ! ମୁଁ କିଛି ନୁହେଁ–ମୁଁ ଅନ୍ନଦା ରାୟ– ମୁଁ , ମୁଁ ଯଦି ଗୋଟାଏ କିଛି Lable ନ ମାରିଲେ ମଣିଷର ଯଥାର୍ଥ ପରିଚୟ ଦିଆଯାଇ ନପାରେ, ତେବେ ମୋତେ କହିପାର Lover--ଏହି ଗୋଟିକ କଥାରେ ମୋର ଠିକ୍ ପରିଚୟ – ମୋ ଜୀବନର ଠିକ୍ meaning ମିଳିପାରେ; କିନ୍ତୁ ଏ ବିଷୟରେ ଆଜି ନୁହ, ପରେ କୌଣସି ଦିନ ।

 

ବର୍ତ୍ତମାନ ଯାହା କହୁଥିଲି, ସେ କଥାକୁ ଫେରି ଆସେ । କହୁଥିଲି 4th yearରେ କବିତାର ପ୍ରତ୍ୟାବର୍ତ୍ତନ କଥା । ମୁଁ ୮/୯ବର୍ଷ ପରେ ପୁଣି କବିତା ଲେଖିଲି କାହିଁକି ଏବଂ ସେ କବିତା ଓଡ଼ିଆରେ ଲେଖିଲି କାହିଁକି ? ଜୀବନରେ କବିତା ଜାଗିଲେ ଅକବି କବି ହେବାକୁ ଚେଷ୍ଟା କରିଥାଏ । ମୁଁ ସେହି ଚେଷ୍ଟା କରିଥିଲି—( ଯଦିଓ) ମୋର ଧାରଣା, ମୁଁ, ଅକବି ନୁହେଁ ।

 

ଓଡ଼ିଆରେ ଲେଖିଥିଲି ଗୋଟାଏ ବ୍ୟକ୍ତିଗତ କାରଣରୁ, ଯେଉଁ ଭାଷାରେ କଥା କହିଲେ କୌଣସି ଜଣେ ବ୍ୟକ୍ତିକୁ ଭଲ ଲାଗିବ, ସେ ସ୍ପଷ୍ଟ ବୁଝିବ । ସେହି ଭାଷା ସେତେବେଳେ ମୋ ପକ୍ଷରେ ଥିଲା ଓଡ଼ିଆ ଭାଷା । ଓଡ଼ିଆ ଭାଷାର ଉନ୍ନତି ପ୍ରଭୃତି ମହତୀ ଇଚ୍ଛା ମୋର ପିଲାଦିନୁ ଅଛି; କିନ୍ତୁ ସେ ଉନ୍ନତି ମୋଦ୍ୱାରା ବେଶି କିଛି ହେବ, ଏପରି ଧାରଣା ମୋର ପୂର୍ବେ ନ ଥିଲା, ବର୍ତ୍ତମାନ ନାହିଁ । ସାହିତ୍ୟର ଯଥାର୍ଥ ଉନ୍ନତି mere wish ବା determination ଦ୍ୱାରା ହୁଏନାହିଁ; ଏଥିପାଇଁ ପ୍ରତିଭା ପ୍ରୟୋଜନ ।

 

ଅବଶ୍ୟ ବାହ୍ୟ ଉନ୍ନତି ଚେଷ୍ଟାକଲେ ସମସ୍ତେ କରିପାରନ୍ତି କିନ୍ତୁ ସାହିତ୍ୟ ରାଜ୍ୟର କୁଲି ବା artisan ହେବାକୁ ମୁଁ ଚାହେଁ ନାହିଁ । ମୁଁ personal କାରଣରୁ କବିତା ଲେଖୁଥିଲି--ଓଡ଼ିଆରେ ଲେଖୁଥିଲି, personal କାରଣରୁ କବିତା ଛାଡ଼ିଲି ଓଡ଼ିଆ ଛାଡ଼ିଲି-- ।

 

କବିତା ଛାଡ଼ିଲି କହି ଟିକିଏ ମିଛ କହି ପକାଇଲି ! କବିତାର ଅନୁକୂଳ ଜୀବନ ଛାଡ଼ିଲି—ଏହାଟା ହିଁ ସତ କଥା । ଏହି ଅକବି ଜୀବନରେ ଯଦି କେଭେଁ ସମୟ ସୁଯୋଗ -ପ୍ରବୃତ୍ତି-ପ୍ରେରଣା ହୁଏ, ତେବେ ଗୋଟିଏ ଅଧେ କବିତା ଲେଖିବି; କିନ୍ତୁ ଓଡ଼ିଆରେ ନୁହେଁ, ପ୍ରଥମ କାରଣ ମୋ ଓଡ଼ିଆ effortless ଓଡ଼ିଆ ନୁହେଁ, ଅନ୍ତତଃ ତିନିଟି ଭାଷା ଅହରହ ଚର୍ଚ୍ଚାକରି କରି ସବୁ ଗୁଡ଼ାକରେ Confusion ହୋଇଯାଉଛି, ତହିଁଉପରେ ହିନ୍ଦୀ ଅଛି । ଭବିଷ୍ୟତରେ ହିନ୍ଦୀ ଚର୍ଚ୍ଚା କରିବାକୁ ହିଁ ହେବ, official କାରଣରୁ, ଦ୍ୱିତୀୟତଃ, ଓଡ଼ିଆରେ ପ୍ରାଣର କଥା directly ବାହାରୁନାହିଁ । ଅନୁବାଦ କରିବାକୁ ହେଉଛି । ଏହାର କାରଣ ପିଲାଦିନୁ ଘରେ ଶିଖା—ବଙ୍ଗଳା କହି ଆସିଛି, ବାହାରେ ଖାଣ୍ଟି ବଙ୍ଗଳା କହିବାକୁ ବାଧ୍ୟ ହୋଇଛି ଏବଂ ସବୁବେଳେ ଭଲ ଭଲ ବଙ୍ଗଳା ବହି ଓ ପତ୍ରିକାର ସାନିଧ୍ୟ ପାଇ ଆସିଛି ।

 

ତୃତୀୟତଃ ଯାହାପାଇଁ ଓଡ଼ିଆରେ ଲେଖୁଥିଲି, ସେ ମୋତେ ବଙ୍ଗଳା ଲେଖିବାକୁ ଅନୁମତି ଦେଇଛି । କାରଣ ସେ ଦେଖିଲା, ବଙ୍ଗଳା ମୋ ଦ୍ୱାରା ଯେତେ ଭଲହୁଏ, ଓଡ଼ିଆ ସେତେ ଭଲ ହେଉନାହିଁ, ବର୍ତ୍ତମାନ ସେ ମୋତେ ଓଡ଼ିଆ କିମ୍ବା ବଙ୍ଗଳାରେ ଲେଖେ ।

 

ମୁଁ ତାକୁ ବଙ୍ଗଳାରେ ହିଁ ଲେଖେଁ (ତା’ର ବିଶେଷ ଅନୁରୋଧ ଓ ଅନୁମତିରୁ), ତା’ର ଆଦେଶ —ଯଦି ଓଡ଼ିଆରେ ଲେଖିବାକୁ କଷ୍ଟହୁଏ, ନାହିଁ, ତେବେ ଇଂରେଜୀରେ ଲେଖିବି । ତଥାପି ଯାହା ମୋଦ୍ୱାରା ଭଲ ହେବ– ନାହିଁ, ସେଥିରେ ହାତଦେଇ ଶକ୍ତି ନଷ୍ଟକରିବି କାହିଁକି ? ଅବଶ୍ୟ ଇଂରାଜୀ ଅପେକ୍ଷା ବଙ୍ଗଳାରେ ସହଜରେ ମନକଥା ପରିଷ୍କାର କରିହୁଏ; ସୁତରାଂ ଇଂରେଜୀକୁ ସସମ୍ମାନରେ ଦୂରେ ଦୂରେ ରଖିଛି ।

 

ଓଡ଼ିଆ ସହିତ ମୋର ଅନ୍ତରର ଯୋଗ ଅକ୍ଷୁର୍ଣ୍ଣ ଅଛି ଓ ଥିବ, ମୋର କୈଶୋର ଓ ପ୍ରଥମ ଜୀବନର ବନ୍ଧୁମାନଙ୍କୁ ମୁଁ ଭୁଲିପାରିବି ନାହିଁ । ଯଦି କେବେ ଅବା ଭୁଲେଁ, ତଥାପି ଦୁଇ ଜଣ ବନ୍ଧୁ-ଅପେକ୍ଷାକୃତ-ନିକଟତର ବ୍ୟକ୍ତିଙ୍କୁ ଭୁଲିବା ମୋ ପକ୍ଷରେ ଅସମ୍ଭବ ହେବ ଏବଂ ସେମାନଙ୍କ ମଧ୍ୟରୁ ଜଣକୁ ଭୁଲିବା nothing short of a miracle, ଏହି ଜଣକ ସହିତ ଆମରଣ ଓଡ଼ିଆ କହିବାକୁ ହେବ । ଚିଠିରେ ନୁହଁ, ମୁହଁରେ; ସୁତରାଂ ମୁଁ ଯେତେ ବଡ଼ ସାହେବ ହୁଏଁ, ଓଡ଼ିଆ ମୁଁ ଭୁଲିବି ନାହିଁ--rest assured--ତେବେ ଏହି ଜଣକ ଯଦି କେଭେଁ ଓଡ଼ିଆ ଭୁଲିଯାଏ କିମ୍ବା ସେଚ୍ଛାରେ ଛାଡ଼େ, ତେବେ କେଜାଣି ଓଡ଼ିଆ ଚର୍ଚ୍ଚା । ମୋତେ ମଧ୍ୟ ଛାଡ଼ିଦେବାକୁ ହେବ; କିନ୍ତୁ ଏହା ମଧ୍ୟ ଅସମ୍ଭବ ଲାଗୁଛି, x x କୃତିତ୍ୱ ପୂର୍ବରୁ ଚର୍ଚ୍ଚ। ଦରକାର, ଅହରହ ଚର୍ଚ୍ଚ। ନ କଲେ, ଗୋଟାଏ ଭାଷାରେ ଶ୍ରେଷ୍ଠ ରଚନା-ନୈପୁଣ୍ୟ ଦେଖାଇ ପାରିବା ସହଜ-ନୁହ x x x ଭାରି ଅଦ୍ଭୁତ — ନା ? ମୁଁ କଳ୍ପନା କରି ହସୁଛି, ତମେ ହସୁଥିବ ।

 

ଓଡ଼ିଆରେ ଏ ଚିଠି ଲେଖିବାକୁ ବଡ଼ କଷ୍ଟ ହେଉଛି, କହିବାକୁ ସେତେ କଷ୍ଟ ହୁଏନାହିଁ । ଇଂରେଜୀ ଓ ବଙ୍ଗଳା ମିଶେଇ କହେଁ, ତଥାପି ମନକଥା ଫିଟେଇ କରେନାହିଁ ।

 

ମତେ ସହାନୁଭୂତି ଦେଇ ବୁଝିବାକୁ ଚେଷ୍ଟାକରିବ, ବାହାର ଲୋକେ କେତେ କଥା ମନେକରିବେ, ଭୁଲ୍ ବୁଝିବେ—ସେମାନଙ୍କର ତାହା ସ୍ଵଭାବ; କିନ୍ତୁ ବନ୍ଧୁମାନେ ଯଦି ମୋ ଉପରେ ଅବିଚାର କରନ୍ତି, ତେବେ ମୁଁ କାହା ପାଖରେ ବିଚାର ଖୋଜିବି, କହ ?

X       X       X

 

I.C.S. strain ଛାଡ଼ିନାହିଁ, ବଙ୍ଗଳାରେ ମଧ୍ୟ କିଛି,ଲେଖିନାହିଁ, ଲେଖି ପାରୁନାହିଁ । ବୋଧହୁଏ ଆଉ କିଛି ଲେଖି ପାରିବି ନାହିଁ କୌଣସି ଭାଷାରେ— ନିତାନ୍ତ ବାଧ୍ୟହୋଇ ଇଂରେଜୀରେ ବାଜେ ଜିନିଷ report ଆଦି ଲେଖିବା ଛଡ଼ା ।

 

ମୋର ସ୍ନେହ ଜାଣିବ । ତମ ସହିତ ଗୋଟାଏ ଦୀର୍ଘକାଳର unconcious ବିଚ୍ଛେଦ ଘଟିଯାଇଛି, ସମୟ ପାଇଲେ ଖୁବ୍‍ଦୀର୍ଘ ଚିଠି ଖଣ୍ଡେ ଲେଖି ମୋର ଗତ ଦୁଇବର୍ଷର ଇତିହାସ ଓ ଭାବୀ-ଜୀବନର Forecast ଜଣାଇବାର ଇଚ୍ଛା ଅଛି, ବଙ୍ଗଳାରେ ଲେଖିବି ?

 

ତମର

ଅନ୍ନଦା

 

ଅନ୍ନଦାଶଙ୍କରଙ୍କର ୪୬ ବର୍ଷ ପୂର୍ବର ଏହି ଚିଠିର କି ଉତ୍ତର ମୁଁ ଦେଇଥିଲି ତାହା ବର୍ତ୍ତମାନ ସ୍ମରଣକରିବା ଅସମ୍ଭବ; କିନ୍ତୁ ସେ ଯେ ମୋତେ କେବେହେଲେ ବଙ୍ଗଳାରେ ଚିଠିଲେଖିବେ ବୋଲି ଯାହା ପଚାରିଛନ୍ତି ସେଥିରେ ବୋଧହୁଏ କଦାପି ରାଜିହୋଇ ନଥିଲି । କାରଣ ହାତଲେଖା ବଙ୍ଗଳାପଢ଼ିବା ମୋହପକ୍ଷରେ କଷ୍ଟକର । ତହୁଁ ଆଜି ସୁଦ୍ଧା ସେ ମୋତେ ଓଡ଼ିଆରେ ହଁ ଚିଠି ଦିଅନ୍ତି, ସେହିପରି ଓଡ଼ିଆରେ ମଧ୍ୟ ଆମ ଭିତରେ କଥାବାର୍ତ୍ତା ।

 

୧୯୭୨ ମାର୍ଚ୍ଚ ମାସରେ କଟକ ରେଭେନ୍‍ସା କଲେଜର ଅଧ୍ୟକ୍ଷ ମହାଶୟଙ୍କଦ୍ୱାରା ନିମନ୍ତ୍ରିତ ହୋଇ ସେ ଆସିଥିଲେ ପୂର୍ବଛାତ୍ରାବାସର ଜୟନ୍ତୀ ଉତ୍ସବରେ ଯୋଗଦେବାକୁ । ସେଠାରେ ଓଡ଼ିଆଭାଷାରେ ଭାଷଣ ମଧ୍ୟ ସେ ଦିଅନ୍ତି । ଅବଶ୍ୟ ସେଥିଲାଗି ତାଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ଯଥାର୍ଥରେ ଓଡ଼ିଶାରେ ଶୈଶବ ଓ ଯୌବନର ବହୁ ବର୍ଷ ଅତବାହିତ କରିଥିଲେ ମଧ୍ୟ ବହୁଳାଂଶରେ ବଙ୍ଗଳା ସାହିତ୍ୟ ଓ ଇଂରାଜୀ ସାହିତ୍ୟ ଚର୍ଚ୍ଚା ଫଳରେ ଓଡ଼ିଆରେ କହିବା ତାଙ୍କ ପକ୍ଷରେ କଷ୍ଟକର ହୁଏ ମଧ୍ୟ । ଏଥିଲାଗି କାହାରି କାହାରି ଅଭିମାନ ମୁଁ ଶୁଣେଁ ଅନ୍ନଦାଶଙ୍କରଙ୍କ ବିରୁଦ୍ଧରେ; କିନ୍ତୁ ଉତ୍କଳ ଗୌରବ ମଧୁସୂଦନ ଯେ ଓଡ଼ିଆଙ୍କ ସଙ୍ଗେ ମଧ୍ୟ ବଙ୍ଗଳାରେ କଥାଭାଷା ହୁଅନ୍ତି ଅନେକ ସମୟରେ— ଏହା ସେମାନଙ୍କ ପକ୍ଷରେ ସ୍ମରଣୀୟ ।

 

ମୁଁ ବୋଧହୁଏ ଏକାଦିନକେ ଅନ୍ନଦା ଓ ହରିହରଙ୍କୁ ପତ୍ରଲେଖେଁ ଓ ତାଙ୍କର ଉତ୍ତରମଧ୍ୟ ପାଏଁ ଗୋଟିଏ ତାରିଖରେ ଲିଖିତ ଚିଠିଦ୍ୱାରା !

 

ହରିହରଙ୍କ ସୁଦୀର୍ଘ ଚିଠିର ଅବିକଳ ନକଲ ମଧ୍ୟ ଏଠାରେ ପ୍ରଣିଧାନ ଯୋଗ୍ୟ—

ମିଣ୍ଟୋ

            ତା ୧୨ । ୨ । ୨୬

 

କାଳିନ୍ଦୀ, ଭାଇଟି ମୋର,

ତମ ଚିଠି ଇଲେ ପାଇଲି । ଆଜି ମନଟା ଡୁବ୍ ଡୁବ୍ ହେଉଥିଲା; ସକାଳୁ ସୁରେନ୍ଦ୍ର ବାନାର୍ଜୀଙ୍କ A Nation in the Making ପଢ଼ି ମନରେ ଖିଆଲ ଓ କଳ୍ପନାର ସୀମା ନାହିଁ । ବହିଟା ମୋତେ ଭାରି ଭଲଲାଗୁଛି । ଅଦ୍ଭୁତ ଶକ୍ତି ଲୋକଟାର ! କେତେ ଦୁଃଖ, ଶୋକ, ଲଜ୍ଜା ଅପମାନ ଭିତରେ ସେ ପୂର୍ଣ୍ଣ କରି ଜୀବନଟାକୁ ଚଳାଇନେଲେ । ମୋ ପରି oversensitive ଲୋକର ବହୁତ ଶିଖିବାର ଅଛି ସେଥିରୁ ! Circus ଏଠାକୁ ଆସିଛି । ସେଥିରେ amusement ପାଇଁ ବହୁତ ଉପକରଣ ରହିଛି । ଲୋକେ ପଲ ପଲ ହୋଇ ଯାଉଛନ୍ତି । ତାହାର ଗୋଟିଏ itemରେ ଜଣେ ସ୍ତ୍ରୀ ଲୋକ amuse କରିବାକୁ ଯାଇ ତଳକୁ ଖସି ଆସିଲାବେଳେ ଶେମିଜ୍ ଲୁଗା ଟିକିଏ ବିତ୍ରସ୍ତ ହୋଇଗଲା । ଏଥିରେ ସମସ୍ତେ ତାଳିମାରି ହୁ ହୁ କରି ଉଠିଲେ । କି ଅପମାନ ଦେଖୁଛ ? ଏଇ କଥାରେ ମୁଁ ବିରକ୍ତି ଓ ଆପତ୍ତି ପ୍ରକାଶ କରିବାରୁ ଅନ୍ନଦା ପ୍ରଭୃତି ମୋତେ କାଲି overseen sitive, too earnest ବୋଲି ଚିଡ଼ାଉଛନ୍ତି । ସୁରେନ୍ଦ୍ରଙ୍କ ଜୀବନରୁ ମୋର କେତେ ଶିଖିବାକୁ ଅଛି, ଏଥିରୁ ବୁଝିପାରିବ ।

 

ତମେ ଯେପରି ପାଗଳ, ବିଶ୍ୱନାଥ ବାବୁ ସେହିପରି ଉଦାର । ସାହିତ୍ୟପାଇଁ ମୁଁ କ’ଣ ଲାଗିପଡ଼ିଛି ମ ? ମୋ ଦିହାକେ ସେ ସବୁ ହେଲା ପରି ଲାଗୁନି । ଏପରି ଅଳସୁଆଟାଏ ମୁଁ— କିଛି କାମ ହେବନି ମୋ ଦେହାତି । ତେବେ ଏତିକି, ସାହିତ୍ୟରେ ସୁପ୍ତ ଆନନ୍ଦ ମୋର ଜାଗି ଉଠିଛି । “ଯୁଗବୀଣା” ପାଇଁ ତମର କଡ଼ା ଆଦେଶ ପାଇଥିଲି । ଯେ ଯୁଆଡ଼େ ଅଲଗା ହୋଇକରି ମୋ ଉପରେ ଖୋଜି ବାହାର କରିବା ଭାର ଦେଇ ଦେଇଛ । ଭାସ୍ୱାନିଙ୍କ ଚିନ୍ତାଧାରାରୁ କେତୋଟି ଏଥରପାଇଁ ପଠାଇଥିଲି । “ବେଳ ଓ ବଳ” ଅଭାବରୁ ଏଥର “ଯୁଗବୀଣା” ପ୍ରଭୃତିରେ ଦେଇପାରି ନାହାନ୍ତି ବିଶ୍ୱନାଥ ବାବୁ ମାର୍ଗଶୀର ସଂଖ୍ୟାର ଚିଠି ଖଣ୍ଡିକ ପଢ଼ି ଶରତ, ସରଳା ଓ ବୈକୁଣ୍ଠ ପ୍ରଭୃତି ମୋତେ ଉତ୍ସାହ ଦେଇ ପଠାଇଥିଲେ ପ୍ରଶଂସାକରି । ସେମାନେ କିପରି ଜାଣିଲେ କେଜାଣି ମୁଁ ଲେଖିଛି ବୋଲି । ମନ ହେଉଛି ଲେଖାଲେଖି କରିବାକୁ (ହେଳାବଶତଃ partly ଓ ଅଳସୁଆ ବଶତଃ partly ଓ ସମୟାଭାବବଶତଃ partly ) ଆଶାନୁରୂପ କିଛି କରିପାରୁ ନାହିଁ । ଭିତରେ ଏତେ ଇଚ୍ଛା ହେଉଛି ତ ଲେଖାଲେଖିରେ ଏତିକି ଆନନ୍ଦ ପାଉଛି ଯେ ସେଥିରୁ ନିଜକୁ ବଞ୍ଚିତ କରିବା ସଙ୍ଗେ ଦୁଃଖ ଓ ବେଦନା କମ୍ ପାଉନାହିଁ । ଦେଖାଯାଉ କେତେ ଦୂର ହେଉଛି । ବଡ଼ ଗଣ୍ଡଗୋଳରେ ପଡ଼ିଛି ଇଲେ । ଆର୍ଥିକ ଓ ମାନସିକ । ଜୀବନର ରାସ୍ତା କିଛି ଠିକ୍ କରି ପାରୁନାହିଁ । Soulକୁ satisfy କରିବାର ପନ୍ଥା ସ୍ଥିରକରି ପାରୁନି । କାଳନ୍ଦୀ ! ହସିବ ନାହିଁ — ବଡ଼ ବ୍ୟାକୁଳ ବୋଧ କରୁଛି Phylosophy ପଢ଼ିବାକୁ । କଟକ ପରି ଏଠାରେ Public କାର୍ଯ୍ୟରେ ବିଶେଷ ଯୋଗ ଦେଉନାହିଁ । ଉପରୋଧରେ debating clubକୁ ସମୟ ସମୟରେ ଯାଏ ନି ! ଚୁପ୍ ଚାପ୍ ରହିଛି ଏଠାରେ, Council ଦେଖିବାକୁ ୨ ଦିନଯାଇ ଲଜ୍ଜାରେ ଫେରିଆସିଛି । ଓଡ଼ିଶା lobBy gloriously silent & dumb—ଅନ୍ୟ lobByରେ ପିଲାମାନଙ୍କପରି ଫୁଟର ଫାଟର ହେଉଛନ୍ତି । ଏଥିରେ କି ସରକାରଙ୍କ ନିଦ ଭାଙ୍ଗେ ! ଶରତ ତ ଗଲା ଡେପୁଟି ହେବାପାଇଁ-। ମୁଁ ସେହିପରି ଅବା ଗୋଟେ ଛୋଟ ବା ବଡ଼ ଚାକିରି ଧରିବ । ଅନ୍ନଦା ବି ତମେ ତା ଆଗରୁ ପ୍ରବୃତ୍ତିକୁ କରିନେଇଛ କବିତା ପାଇଁ । ବୈକୁଣ୍ଠଦ୍ୱାରା ସେସବୁ କାମ ହେବନାହିଁ । ଆମ ଦଳଟା ଦେଶର Public lifeରୁ ଚିର ବିଦାୟ ନେଲାପରା ! ଅନ୍ୟ ଦିଗରେ ତମେମାନେ ତମମାନଙ୍କର ଦେଇଯାଅ । ମୁଁ ନିଜକୁ ନଭୁଲିଗଲେ ରକ୍ଷା । ଭବିଷ୍ୟତ ପାଇଁ ବଡ଼ ଛଟପଟ ଲାଗୁଛି-। ସାଧନା ନଥାଇ କାମରେ ପଶିଲେ ବିଶେଷ କିଛି ହୁଏନାହିଁ । ଓଡ଼ିଶାରେ ସେଇଟାର ଅଭାବ ଅଛି-

 

ନେତା ସମସ୍ତେ କିନ୍ତୁ ସାଧନା ଅଛି କେତେଜଣଙ୍କର ? ଗୋଖେଲଙ୍କ ପରି ଜ୍ଞାନ, ସୁରେନ୍ଦ୍ରଙ୍କପରି ଗବେଷଣା, ମାଲବ୍ୟଙ୍କପରି ଧୀରଚିନ୍ତା, ତିଳକଙ୍କ ପରି ନିଷ୍ଠା କେତେଜଣଙ୍କର ଅଛି-? ମୁଁ ଆଉ flutter କରିବି ନାହିଁ ଯେତେଦିନ ଯାଏ ନିଜକୁ ନ ଗଢ଼ିବି । ବେଳେ ବେଳେ ଭାବୁଛି— ଘରେ ରହି Politics, economics.& literature ଧରି ବସିବି—ଆଉ lawଟ କେବଳ ରଖିବି; କିନ୍ତୁ ସତ କହିବାକୁ ଗଲେ, ମନରେ ଯେତେ ସାଧୁଚିନ୍ତା ଓ ଶୁଭ ଇଚ୍ଛା, ହୃଦୟରେ ସେତେ ସାହସ ଥିଲା ପରି ମତେ ଲାଗୁନି । ଡେଇଁ ପଡ଼ିବାକୁ ବଳ ପାଉନି ।–ମମତା ମୁଁ କାଟିପାରିବି । ଅସମ୍ଭବ ପ୍ରାୟ ।

 

“ବାରୁଣୀ” ବାହାରିଛି । ଦେଖିଛୁଁ ମଧ୍ୟ, ଉଦ୍ୟମ ଅତି ପ୍ରଶଂସନୀୟ । ରଖିପାରିଲେ ହେଲା-। କବିତା ଆଦୌ ନାହିଁ କହିଲେ ହୁଏ । ପ୍ରବନ୍ଧ କେତେଟା ଅଛି । ଜୀତାନନ୍ଦ ପତି ପ୍ରଭୁତିଙ୍କର ଗଳ୍ପ ୨ । ୩ ଟା ବି ଅଛି । ଶେଷ ବିଭାଗଟା ଲୋକପ୍ରିୟ ହେଲେ ବେଶ୍ ଉପକାର ହେବ । ମୋଟ ଉପରେ ବେଶ୍ ହୋଇଛି । ତମେ ଲେଖିବ ସେଥପାଇଁ ଅବସର ବେଳେ। ଯଥାସାଧ୍ୟ୍ୟ ସଦନୁଷ୍ଠାନ ପାଇଁ ସାହାଯ୍ୟକରିବା ଆମର ଗୋଟାଏ moral obligation । “ସାହିତ୍ୟଟା”କୁ “ବାରୁଣୀ” ଆଗରେ ହୀନ ପ୍ରଭାବ କଲେ ଚଳିବନାହିଁ । ସେଥିପାଇଁ ଅଣ୍ଟାଭିଡ଼ି ବାହାର ତମେ ସବୁ ।

 

କିପରି ଅଛ ? ଶ୍ରୀମତୀ କିପରି ଅଛନ୍ତି ? ବହୁତ ବହୁତ କହି ପକାଇବ । ହଇହୋ ! reality ଭିତରକୁ ନ ଆସିବ ବୋଲି ତମେ ତାଙ୍କ ପ୍ରତି ହେଳା ଦେଖାଇଲେ ମୁଁ କଦାପି କ୍ଷମା ଦେବି ନାହିଁ ତମକୁ । ଏ କେଉଁ ଗାଁ ପାଠ ? ସେ ଯେ dreamର ଗୋଟାଏ ଅତି ଉପାଦେୟ ଉପକରଣ । ତମର Artର creationରେ ତାଙ୍କର ସଂଯୋଗ ରହିବା ଅସମ୍ଭବ ନୁହେଁ ।

 

ସେଥିପାଇଁ ground prepare କରିବାକୁ ହେବ ତମକୁ । Dream ର ଛଳନାକରି ଆଳସ୍ୟ — ସହଜ ସ୍ୱଭାବରେ ନିଶ୍ଚିନ୍ତ ରହିଲେ କିଏ ତମକୁ ଛାଡ଼ିବ ? ତମର ଆନନ୍ଦରେ ତାଙ୍କର ଅଂଶ ରହିଛି । creationରେ ଆନନ୍ଦ ତମେ କେବଳ ଏକଚାଟିଆ କଲେ, Truth ତରଫରୁ ତମର ଗୌରବ ରହିପାରେ; ମାତ୍ର, Beauty ତରଫରୁ ସେଥିରେ ଖର୍ବତା ଘଟିବ ନିଶ୍ଚୟ । ମୁହଁ ଖୋଲି ପାରୁଥିବାଯାଏ ମୁଁ ତମକୁ ଏ ହେଳାରୁ ନିବର୍ତ୍ତାଉଥିବି । ଏକା ତମକୁ ନୁହେ—ସମସ୍ତଙ୍କୁ ମୋ ପାରୁପର୍ଯ୍ୟନ୍ତ ।

 

ଗାନ୍ଧୀ ତାଙ୍କର “Experiments with truth” ବୋଲି ଲେଖା ଆରମ୍ଭ କରିଛନ୍ତି । ପଢ଼ିବାକୁ ପାଉଛ କି ? Young Indiaରେ ବାହାରୁଛି । Star of Utkalରେ ମଧ୍ୟ ବାହାରୁଛି, ଦେଖିବ ।

 

ରହୁଛି—କାଲି ଜାଗର ଗଲା । ସ୍ନେହର ଜାଗର ଦୀପଟି ହୃଦୟରେ ଜାଳି କେତେ କଥା କାଲି ବସି ଭାବୁଥିଲି । ତାହାର ସ୍ପନ୍ଦନ କିଛି ତମ ହୃଦୟରେ ନିଶ୍ଚୟ ବାଜିଥିବ ।

 

ସ୍ନେହର,

ହରି

(Harry)

 

ହରିହରଙ୍କର ଇଂରାଜୀ ଭାଷଣରେ ଦକ୍ଷତାଗୁଣରୁ ଆମେ ସବୁ ପରିହାସରେ ତାଙ୍କୁ ‘ହ୍ୟାରି’ ବୋଲି ମଝିରେ ମଝିରେ ଡାକୁଁ । ତାହାରି ସଂକେତ ସେ ନିଜ ଚିଠିରେ ଦେଇଛନ୍ତି । ସେଥିସହିତ ତାଙ୍କୁ ସ୍ନେହାତିଶଯ୍ୟ—ଯେଉଁ ଗୁଣଟା ସବୁଜ ବନ୍ଧୁମାନଙ୍କ ମଧ୍ୟରେ ସାଧାରଣ ଲକ୍ଷଣ ହୋଇ ରହି ଆସିଛି ଆଜିଯାକେ ।

 

ପୁରୀ-ଜିଲ୍ଲା-ସ୍କୁଲରେ ପଢ଼ିବା ସମୟରୁହିଁ ସାହିତ୍ୟପାଇଁ ସବୁ ଛାଡ଼ିଦେଇ ନିଜକୁ ନିୟୋଜିତ କରିବି ବୋଲି ମନସ୍ଥ କରିଥାଏଁ । ସେଥିରେ ମୋ’ର ପେଟପୋଷା ହେବ କି ନାହିଁ ସେଥିପ୍ରତି ତିଳେହେଲେ ଭ୍ରୂକ୍ଷେପ ନଥିଲା । କଲେଜକୁ ଆସି ବନ୍ଧୁମାନଙ୍କ ସହିତ ମିଳିତ ହେଲା ପରେ ଭବିଷ୍ୟତ୍ ଜୀବନ କିଭଳି ଆମେ ଗଢ଼ିବୁଁ, ସେହି ବିଷୟରେ ହୁଏ ନାନା ଆଲୋଚନା । ସେହି ସବୁ ଆଲୋଚନାର ବୃତ୍ତଭିତରେ କିନ୍ତୁ ଆଗୁଆ ମୋତେ ହିଁ କରିବାକୁ ପଡ଼େ ସର୍ବ ପ୍ରଥମେ ସରସ୍ୱତୀଙ୍କ ସହିତ ଲକ୍ଷ୍ମୀଙ୍କ ଆରାଧନା ସମବାୟ ବିଭାଗରେ ମ୍ୟାନେଜର ରୂପେ କାର୍ଯ୍ୟକରି ।

 

ବନ୍ଧୁ ମାନଙ୍କ ସହିତ ଏଇ ସବୁ ପତ୍ର ବିନିମୟ ସେତିକି ବେଳର ସଂକେତ—ସବୁଜସ୍ୱପ୍ନଟା ମୋର ଭାଙ୍ଗିଯାଇ ଯେ ବାସ୍ତବ ଭିତରକୁ ଟାଣିହୋଇ ଆସେ, ଆଚ୍ଛାହୋଇ ଅର୍ଥୋପାର୍ଜନର ସଂସ୍ଥାକରିବା ଫଳରେ—ଏହି ଚିଠି ଦୁଇଖଣ୍ଡିର ଆବିଷ୍କାର ପୁଣି ୪୬ ବର୍ଷ ତଳର ସ୍ମୃତି ତାହାରେ ଭିତରେ ଜମା ହୋଇ ରହିଛି ।

 

“ବାରୁଣୀ” ମାସିକ ପତ୍ରିକା ପ୍ରକାଶପାଇବା ସମ୍ପର୍କରେ ହରିହର ଯାହା ଉଲ୍ଲେଖ କରିଛନ୍ତି, ସେତେବେଳେ ଉକ୍ତ ପତ୍ରିକା ଯଥାର୍ଥରେ ଏକ ସ୍ପନ୍ଦନ ସୃଷ୍ଟି କରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ । ସ୍ୱର୍ଗତ ନିକୁଞ୍ଜ କିଶୋର ଦାସଙ୍କ ସମ୍ପାଦନା, ପୁଣି ଶିଳ୍ପୀ ଓ ସାହିତ୍ୟିକ ଉପେନ୍ଦ୍ର କିଶୋର ଦାସଙ୍କ ଚିତ୍ର ଓ ରଚନା ଭିତରେ “ବାରୁଣୀ” ଆବାହନ କରେ ଏକ ନୂତନ ଯୁଗ । ହରିହରଙ୍କ ସୁପାରିସ୍ ଓ ସମ୍ପାଦକଙ୍କ ଅନୁରୋଧରେ “ବାରୁଣୀ”ରେ ପ୍ରକାଶଲାଗି ମୁଁ କେଉଁ ଲେଖା ପଠାଉଥିଲି, ଆଜି ତାହା ସ୍ମରଣରେ ନାହିଁ । ମାତ୍ର “ଉତ୍କଳସାହିତ୍ୟ” ପ୍ରତି ଆମର ଯେଉଁ ଆକର୍ଷଣ ଓ ସମ୍ପର୍କ ରହିଆସିଥିଲା, କେବେହେଲେ ତାହା ବିଚ୍ଛିନ୍ନ କିମ୍ବା ମଳିନ ପଡ଼ିଥିବାର ମନେହୁଏ ନାହିଁ ।

 

ଦୁଇଖଣ୍ଡି ଚିଠିଭିତରେ ଇଂରାଜୀ ଶବ୍ଦର ପ୍ରୟୋଗ ଯେପରି ସଙ୍ଗତ ହେଲେ ବି ଓଡ଼ିଆ ସାହିତ୍ୟରେ ସେତେବେଳେ ତାହା ଆମ ବନ୍ଧୁମାନଙ୍କ ଭିତରେ କଦାପି ଅଶୋଭନୀୟ ବିବେଚିତ ହେଉ ନଥିଲା । ଏହି ଚିଠିଗୁଡ଼ିକର ଉତ୍ତର ମୁଁ କିଭଳି ଭାଷାରେ ଦେଇଥିଲି, ତାହାର ପ୍ରମାଣ ମଧ୍ୟ ମୋହ ପାଖରେ ଆଜି ନାହିଁ । ତଥାପି ସେତେବେଳେ ଓ ତାହାର ଅଳ୍ପ କେତେକ ବର୍ଷ ପୂର୍ବରୁ ହିନ୍ଦୀଶିକ୍ଷା କରିବାକୁ ସ୍କୁଲ କଲେଜମାନଙ୍କରେ ଉତ୍ସାହ ଦିଆ ଯାଉଥିଲେ ହେଁ ଇଂରେଜୀର ସାର୍ବଭୌମତ ପ୍ରତିଷ୍ଠିତ ଥିଲା । ବୈକୁଣ୍ଠନାଥ, ଶରତଚନ୍ଦ୍ର, ଓ ଶ୍ରୀମତୀ ସରଳା ଦେଈଙ୍କ ସହିତ ସେତେବେଳେ ଏକାଧିକ ପତ୍ର ବିନିମୟ ହୁଏ; ଆଜି କିନ୍ତୁ ଦୈବାତ୍ ଏଇ ଚିଠି ଦୁଇଖଣ୍ଡି ବିସ୍ମୟ ସୃଷ୍ଟି କରେ ସେତେବେଳର ଅମୂଲ୍ୟ ସ୍ମୃତି ଓ ବହନ କରି ।

 

ପ୍ରତ୍ୟେକ ଦାୟୀ ସବୁରି ପାଇଁ—

ସମସ୍ତେ ଦାୟୀ ପ୍ରତ୍ୟେକ ପାଇଁ

 

ବି.ଏ ପାଶ୍‌ର ଦୁଇବର୍ଷ ପୂର୍ବରୁ ମୋର ସସ୍ତ୍ରୀକ ସଂସାର ଆରମ୍ଭ ହୋଇଥାଏ କିନ୍ତୁ ଗାହସ୍ଥ୍ୟ ଦାୟିତ୍ୱ ଯାହାକୁ କହନ୍ତି, ସେଥିଲାଗି ଥାଏ ଢେର ବିଳମ୍ବ । ବାପା ବାରମ୍ବାର ଚେତାବନି ଦିଅନ୍ତି । ମୋତେ ଜବରଦସ୍ତି ଆଶୁ ଅନ୍ନ ସଂସ୍ଥାନ ଲାଗି ଯେହେତୁ ସେ ଦିଗରେ ମୁଁ ନିସ୍ପୃହ ହୋଇ ପଡ଼େ । ପୁଣି ସହଯୋଗ ସମିତିକୁ କେନ୍ଦ୍ର କରି ଅସହଯୋଗ ଆନ୍ଦୋଳନ ଏକ ସାଙ୍ଗଠନିକ କାର୍ଯ୍ୟ-। ଦେଶର ଦରିଦ୍ର ଚାଷାମାନଙ୍କୁ ଋଣ ଯୋଗାଇ କୃଷିର ଉନ୍ନତି କରିବା ହେଲା କୃଷି ସମବାୟ ସମିତର ଲକ୍ଷ୍ୟ । ସମାଜରେ ପ୍ରତ୍ୟେକ ବ୍ୟକ୍ତି ସମସ୍ତଙ୍କ ପାଇଁ, ପୁଣି ସମସ୍ତେ ପ୍ରତ୍ୟେକଙ୍କ ପାଇଁ ଦାୟୀ ରହିବା ଏହାର ମୂଳନୀତି । ସାମାଜିକ ପ୍ରତିଷ୍ଠା ଏହାର ଆଦର୍ଶ । ତେଣୁ ଗୋଟିଏ ଢେଲାରେ ଦୁଇ ଚଢ଼େଇ ମାରିବା ଭଳି ମୋର ଜାତୀୟତାବାଦ ପକ୍ଷରେ ଜବାବ୍ ଦେବାକୁ ବାଟ ମିଳିବ, ଆହୁରି ମଧ୍ୟ ମ୍ୟାନେଜର ପଦବୀଟାରେ ଆପଣାକୁ ମୁଁ ସମ୍ମାନିତ ଜ୍ଞାନକରେ ।

 

ସାବୁରରୁ ଦୁଇମାସ ଶିକ୍ଷା କେନ୍ଦ୍ରରେ ଟ୍ରେନିଂ ଶେଷକରି ନିଯୁକ୍ତି ପାଇଲି କୁଜଙ୍ଗ ସେଣ୍ଟର କୋ-ଅପରେଟିଭ୍‍ ୟୁନିୟନରେ । କଟକରୁ ଲଞ୍ଚ୍‌ରେ ବସି କେନାଲ ଭିତରେ ଯାତ୍ରା କଳ୍ପନାକୁ ମୋର ଯଥେଷ୍ଟ ଖୋରାକ ଯୋଗାଏ । ଯୋଗାଏ ପୁଣି ନୂତନତାର ଅପୂର୍ବ ସ୍ପନ୍ଦନ । ଏହାହିଁ ମୋର ପ୍ରଥମ ଜଳଯାତ୍ରା କେନାଲ ପଥରେ । ବନରାଜି ଲୀଳାୟିତ ଦୁଇ ପାଖର ଦୃଶ୍ୟରେ ମୁଁ ମୁଗ୍‍ଧ ହୁଏ-। ମୋହ ଯାତ୍ରାର ସଙ୍ଗୀ ହୋଇଥାନ୍ତି ଶ୍ରେଣୀର ସହପାଠୀ ସ୍ଵର୍ଗତ ପୂର୍ଣ୍ଣାନନ୍ଦ ମହାନ୍ତି । କେନାଲର ପ୍ରତି ଲକ୍‌ରେ ବୋଟ୍ ଅଟକି ପାରିହୁଏ । କଟକରୁ ଏହିରୂପ ବିରିବାଟି, ସଁପୁର, ତାରପୁର, ତିର୍ତ୍ତୋଲ, ରାହାମା ଆଦି ଗୋଟିଏ ଲେଖାଏଁ ଛକରେ ଅଟକି ଯାଏ । ଲଞ୍ଚଚାଲେ ଲୀଳାୟିତ ଗତିରେ କେନାଲ ଜଳସ୍ରୋତରେ ମୃଦୁହିଲ୍ଲୋଳ ଓ କଳଗୁଞ୍ଜନ ସୃଷ୍ଟି କରି ।

 

ଅନନ୍ତପୁରଠାରେ ପହଞ୍ଚି ମଧ୍ୟ ଅସୁବିଧା କିଛିନାହିଁ । କୁଜଙ୍ଗ ସେତେବେଳେ ବର୍ଦ୍ଧମାନ ମହାରାଜାଙ୍କର ଜମିଦାରୀ । କେନ୍ଦ୍ର, ସମବାୟ ବ୍ୟାଙ୍କ୍‍ର ମ୍ୟାନେଜରଙ୍କ ପାଇଁ ସ୍ଵତନ୍ତ୍ର କ୍ଵାଟର ମଧ୍ୟ ନିର୍ମିତ ହୋଇଛି । ମ୍ୟାନେଜରଙ୍କ ପାଖରେ ଜଣେ ପିଅନ ନିଯୁକ୍ତ । ସବୁ ଜିନିଷ ଶସ୍ତା, କିନ୍ତୁ କୁଜଙ୍ଗର ଗାଁ ଗାଁ ବୁଲିବା କଷ୍ଟକର ରାସ୍ତା ଅଭାବରୁ । ପର ଦିନ ଗଜେନ୍ଦ୍ର, ବାବୁଙ୍କ ସହିତ ସାକ୍ଷାତ୍ କରେ । ବ୍ୟବହାରରେ ଅତି ଭଦ୍ର । ବ୍ୟାଙ୍କ କର୍ମଚାରୀମାନଙ୍କ ସହିତ ମଧ୍ୟ ସହଜରେ ପରିଚୟ ଓ ବନ୍ଧୁତା ପ୍ରତିଷ୍ଠିତ ହୁଏ । ଅନନ୍ତପୁରରେ ଭେଟ ହୁଏ କୃଷି ବିଭାଗର ଶ୍ରୀ ସୀତାନାଥ ମହାନ୍ତିଙ୍କ ସହିତ-। ପୁଣି ସେତେବେଳେ “ଉତ୍କଳସାହିତ୍ୟ” ପତ୍ରିକାରେ ଧାରବାହିକ ଭାବରେ “ମୋହର ଜ୍ୟୋତିଷ ଚର୍ଚ୍ଚା” ନାମକ ପ୍ରବନ୍ଧ ଲେଖକ ଶ୍ୟାମାଚରଣ ବନ୍ଦୋପାଧ୍ୟାୟଙ୍କ ସହିତ । ଶ୍ୟାମାଚରଣ ବାବୁ ଥିଲେ ସ୍କୁଲ ସବ୍‍ଇନିସ୍‌ପେକ୍ଟର । କୁଜଙ୍ଗ ଅଞ୍ଚଳର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ନଦୀ, ବିଲ, ପ୍ରାନ୍ତର ପୁଣି ସମୁଦ୍ରତୀର ଥିଲା ମୋର ଅତି ପରିଚିତ ଆତ୍ମୀୟ ଭଳି ।

 

କୁଜଙ୍ଗ ବ୍ୟାଙ୍କରୁ ଆଡ଼ଭାନସ୍ ନେଇ ସେଇଠାରେ କିଣିଲି ଗୋଟିଏ ରାଲେ ସାଇକେଲ; କିନ୍ତୁ କେବଳ ଗ୍ରୀଷ୍ମ ଓ ଶୀତ ଛଡ଼ା ଅନ୍ୟ ଋତୁରେ ସାଇକେଲଟି ବ୍ୟବହାରଯୋଗ୍ୟ ହୋଇପାରେ ନାହିଁ । ରାସ୍ତାଘାଟ ପ୍ରାୟ ନ ଥାଏ । ବର୍ଷାକାଳରେ ଗସ୍ତକରିବା ଅସମ୍ଭବ ।

 

ଗ୍ରୀଷ୍ମକାଳରେ ସବୁ ନଈରେ ଜୁଆର ଆସେ, କାରଣ ନିକଟରେ ସମୁଦ୍ର; ସେତେବେଳେ ବିନା ଡଙ୍ଗାରେ ନଦୀ ପାରହେବା ଅସମ୍ଭବ । ଜୁଆର ଅବଶ୍ୟ ରାତିରେ ହୁଏ । ଦିନେ ସନ୍ଧ୍ୟାରେ ଚିତ୍ରୋତ୍ପଳା ନଦୀ ପାର ହେବାକୁ ଯାଉଛି—ସ୍ୱଚ୍ଛ କ୍ଷୀଣସ୍ରୋତ ନିକଟରେ ଦେଖେଁ ଦୁଇଟି ପକ୍ଷୀ ବସି ରହିଛନ୍ତି ନୀରବରେ । ପଚାରି ବୁଝେଁ ସେ ଦୁଇଟିର ନାମ ଚକ୍ରବାକ । ମୋତେ ଦେଖି ଦୁଇପକ୍ଷୀ ମଧ୍ୟରେ କୌଣସି ଚାଞ୍ଚଲ୍ୟ ସୁଷ୍ଟି ହୁଏ ନାହିଁ । ବସାକୁ ଫେରି ଲେଖିଥିଲି “ଚକ୍ରବାକ” କବିତା—

 

ସବୁ ଜୀବଗ୍ରାମ

ପଥ ଛାଡ଼ି ଗୃହେ ଏବେ ଲୋଡ଼ାଇ ବିଶ୍ରାମ

କ୍ଷୀଣ ସ୍ରୋତେ ଶୁଭ୍ର ବାଲିପରେ

ସୁକୋମଳ ସାନ୍ଧ୍ୟ ଛାୟା ମୃଦୁ ମୃଦୁଝରେ;

ବସି ତହିଁ

ଉଦାସବେଦନା ବହି

ଚକ୍ରବାକ ନିର୍ବାକ ଦମ୍ପତୀ

ଭାଳେ ହରାଇବ ଅବା କି ସ୍ୱର୍ଗ-ସମ୍ପତ୍ତି !

 

ଅନନ୍ତପୁରରେ ଥିବା ସମୟରେ ହିଁ ଲେଖିଥିଲି. “ମାଂସର ବିଳାପ” ଗଳ୍ପ “ମଧୁବିବାହ” ଓ “ଚକ୍ରବାକ” କବିତା । ଶ୍ୟାମାଚରଣ ବାବୁଙ୍କ ଘରେ ସନ୍ଧ୍ୟା ବୈଠକ ବସେ । ମୋର “ମଧୁବିବାହ” କବିତାକୁ ବାରମ୍ବାର ପାଠ କରି ସେ ବନ୍ଧୁମାନଙ୍କୁ ଶୁଣାନ୍ତି ମୁଗ୍‌ଧହୋଇ । ମ୍ୟାନେଜର ରାଜେନ୍ଦ୍ର ବାବୁଙ୍କଠାରୁ ଶୁଣେ,

 

“ଶ୍ୱେତଦୀପ ବୀଣାର” କବି ସ୍ଵର୍ଗତ ଅଜୟଚନ୍ଦ୍ର ଦାସ ମୋର “ଚକ୍ରବାକ” ଶୀର୍ଷକ କବିତା ପଢ଼ି ପ୍ରଶଂସା କରନ୍ତି ରାଜେନ୍ଦ୍ର ବାବୁଙ୍କ ସମକ୍ଷରେ ।

 

ସମବାୟ ଋଣ-ସମିତି, ସମବାୟ ନୀତି ଓ ଆଦର୍ଶ ସମ୍ପର୍କରେ କେତେକ ଲେଖା ମଧ୍ୟ ମୋର ପ୍ରକାଶିତ ହୁଏ ସେହି ସମୟରେ । ସେସବୁ ଲେଖା ଯାହାଙ୍କପାଇଁ ଲିଖିତ ହୁଏ କିମ୍ବା ଯାହାଙ୍କ ବିଷୟ ତହିଁରେ ବର୍ଣ୍ଣିତ ହୁଏ, ତାଙ୍କ ଭିତରେ ସାକ୍ଷରତା ଅବଶ୍ୟ ଅତି କମ୍ । ପୁଣି ସମବାୟର ନୀତି ଅନୁଯାୟୀ ସେଇମାନେ ହିଁ ଋଣଗ୍ରହୀତା ହେବା ସଙ୍ଗେ ସଙ୍ଗେ ବ୍ୟାଙ୍କ ଓ ସମିତିର ଅଂଶୀଦାର ବା ମାଲିକ ହେବା ବ୍ୟବସ୍ଥା ନିୟମ ଅନୁସାରେ ରହିଥାଏ । ଅଥଚ, ସେଭଳି ମନୋଭାବ ତାଙ୍କ ଭିତରେ ଜାଗ୍ରତ ହେବା ତ ଦୂରର କଥା, ଗାଁ-ମହାଜନମାନଙ୍କର ଅସମ୍ଭବ ଚଢ଼ାଦର ସୁଧରୁ ମୁକ୍ତିପାଇଁ ସେମାନେ ବ୍ୟାଙ୍କବାବୁମାନଙ୍କ ଜରିଆରେ ଋଣ ପାଉଥିବାରୁ ତାହାକୁ ପରମ ଦୟା ଓ ଅନୁଗ୍ରହ ବୋଲି ବିଚାରନ୍ତି । ତାହା ଛଡ଼ା ଋଣ ପରିଶୋଧପାଇଁ ମଧ୍ୟ ଅଧିକାଂଶ ତାଙ୍କ ମଧ୍ୟରୁ ଅକ୍ଷମ ଅଥବା ‘ସରକାରକା ମାଲ ଦରିଆ ମେ ଡାଲ୍” ମତରେ ପରିଶୋଧର ନାଁ ତୁଣ୍ଡରେ ଧରନ୍ତି ନାହିଁ । ଫଳରେ ଋଣଦାତା ମହାଜନ ଭଳି ଅଧିକ କଡ଼ା ବ୍ୟବହାର ବା ଅତ୍ୟାଚାର ବ୍ୟାଙ୍କବାବୁମାନଙ୍କୁ କରିବାକୁ ପଡ଼େ ଋଣଗ୍ରହୀତାଙ୍କ ଉପରେ । ମୋର ବିବେକ କିନ୍ତୁ ତାହା ବିରୁଦ୍ଧରେ ବିଦ୍ରୋହ କରି ଉଠେ । ସମୟେ ସମୟେ ତାହାର ପାଶବିକ ରୂପ ଏତେ ବିକଟ ଓ ଅସହ୍ୟ ହୁଏ ଯେ, ବ୍ୟାଙ୍କ ଚାକିରୀ ଛାଡ଼ିଦେବାକୁ ବି ମୁଁ ମନସ୍ଥ କରେଁ ।

 

ଥରେ ଏମ‌୍‌ତି ଋଣ-ସମିତି ପରିଦର୍ଶନ ଲାଗି ମୁଁ ସାକ୍ଷୀଗୋପାଳ ଅଞ୍ଚଳକୁ ଯାଇ ସତ୍ୟବାଦୀ ସ୍କୁଲ ବୋଡ଼ିଂରେ ରହେ । ଆଲୋଚନା କରେ ମୋର ସୁପରିଚିତ କେତେ ଜଣ ଶିକ୍ଷକ ବନ୍ଧୁଙ୍କ ସଙ୍ଗେ ଏଇ କଥା ସେମାନେ କିନ୍ତୁ ମୋ ସହିତ ଏକମତ ନ ହୋଇ ପରାମର୍ଶ ଦିଅନ୍ତି ଯେ ସମବାୟ ଆନ୍ଦୋଳନର ଯଦି ଉଦ୍ଦେଶ୍ୟ ହୁଏ ଲୋକମତ ଓ ଲୋକଚରିତ୍ରକୁ ସୁଧାରିବା, ତା’ ହେଲେ ସେଥିଲାଗି କୌଣସି ପ୍ରକାର ଦଣ୍ଡ ନିନ୍ଦନୀୟ ନୁହେଁ । ଏହା ଅବଶ୍ୟ ଶିକ୍ଷକର ଦୃଷ୍ଟି ଭଙ୍ଗି ହେଲେହେଁ ମୁଁ ଏକମତ ହୋଇପାରେ ନାହିଁ !

 

ସମବାୟ ଆଦର୍ଶର ଏକ ବିଫଳତା ସେତେବେଳେ ମୋତେ ଆଘାତ କରେ । ଭାଷା ଓ କଳ୍ପନା ଦେଇ ଯେତେ ଯାହାକୁ ମାଜିଲେ ମଧ୍ୟ ଦେଶର ସଧାରଣ କୃଷକସମାଜ ଯେଉଁ ଅନ୍ଧକାରରେ, ଅଭାବ ଅଶିକ୍ଷା ଏବଂ ଅଜ୍ଞତା ମଧ୍ୟରେ ଉବୁଟୁବୁ ହେଉଥାନ୍ତି, ସମୁଦ୍ରକୁ ଶଙ୍ଖେ ପଣା ଭଳି ସମବାୟ ସମିତିର ଅର୍ଥ ତାହାଭିତରେ କାହିଁ ମିଳାଇ ଅଦୃଶ୍ୟ ହୋଇଯାଏ ଋଣ ଓ ସୁଧଟଙ୍କା ସମେତ ।

 

ସମବାୟ ସମିତିର ଋଣପରିଶୋଧ କରିବାର ସାମର୍ଥ—‘ବୁଡ଼ିଗଲା ଲୋକର ଗୋଡ଼ ତଳକୁ’ ଭଳି ତାଙ୍କର ଉଦ୍ଧାର ଉପାୟ ନ ଥାଏ । ଏହି ବିଭାଗରେ କାମ କରି ମୁଁ ପରୋକ୍ଷରେ ଦେଶସେବାରେ ବ୍ରତୀ ହୋଇଛି ବୋଲି ମନେ ମନେ ଯେଉଁ ଆତ୍ମସନ୍ତୋଷ ଲାଭ କରିଥିଲି, ଚାହୁଁ ଚାହୁଁ ତାହା ଦୂର ହୋଇଯାଏ । ବ୍ୟାଙ୍କ ଚାକିରୀ ଟିକିଏ ଉନ୍ନତ ଧରଣର ଗୁମାସ୍ତାଗିରି ଛଡ଼ା ଯେ ଆଉ କିଛି ନୁହେଁ, ଏହା ବୁଝି ମୁଁ ବ୍ୟଥିତ ହୁଏଁ । ଆଉ କେଉଁ ଚାକିରୀ ଯେ ତହୁଁ ବଳି ଅଧିକ ଫଳ ଦିଏ, ତାହା ଖୋଜିପାଇବା ମଧ୍ୟ କଷ୍ଟକର ।

 

ସହଯୋଗ ସହ ଅସହଯୋଗ

 

ସେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିବା କେତେକ ବନ୍ଧୁ ମଧ୍ୟ ସହଯୋଗ ଆନ୍ଦୋଳନ ଭିତରେ ପଶିଥାନ୍ତି । ଦେଶସେବା କରିବା ସଙ୍ଗେ ସଙ୍ଗେ ଅର୍ଥ ଉପାର୍ଜନ, ପୁଣି ପରିବାର ପୋଷଣ କରିବାର ଆତ୍ମସନ୍ତୋଷ ଉଭେଇଯାଏ ଚାହୁଁ ଚାହୁଁ । କୁଜଙ୍ଗ ହେଲା କଟକ ଜିଲ୍ଲାର ସମୁଦ୍ରକୂଳବର୍ତ୍ତୀ ପାରାଦ୍ୱୀପ ଅଞ୍ଚଳ ।

 

ନଦୀବହୁଳ ଗାଁଗୁଡ଼ିକ ବୁଲି ଦେଖିବାର ଅଭିଜ୍ଞତା ସଙ୍ଗେ ଓଡ଼ିଶାର ଗୋଟିଏ ଜମିଦାରି ଇଲାକାର ଅଭିଜ୍ଞତା ମୋର ଜନ୍ମିଯାଏ । କେତେ ଗାଁର ଗୋରୁଗୁହାଳ ଭିତରେ ମଣିଷ ଶୋଇବାପାଇଁ କରାଯାଇଥିବା ପିଣ୍ଡି ଉପରେ ରାତି କଟାଇଛି । କେତେ ଗାଁର ନଈକୂଳକୁ ଯିବା ମାତ୍ରେ ଲୋକଙ୍କଠାରୁ ତାଗଦା ଶୁଣିଛି—କୁମ୍ଭୀରଭୟ !

 

ସମବାୟସମିତି ହିସାବ ବସ୍ତାନି ଫିଟାଇ ଋଣ ଆଦାୟର ତାଲିକା ଯାଞ୍ଚ କରିଛି । ସମିତିର ଯେଉଁ ସଭ୍ୟମାନେ (ଆଉ ବୋଧହୁଏ ଅଧିକାଂଶ ସଭ୍ୟ ଏଇ ତାଲିକାଭୁକ୍ତ ହେବେ) କିସ୍ତି ଟଙ୍କା ଦେଇ ନପାରି ଖିଲାପ କରିଥାନ୍ତି ସେମାନଙ୍କୁ ଧମକ-ଚମକ ଦେଇ କିସ୍ତି ପରିଶୋଧଲାଗି ତାଗଦା କରିଛି, ତାଙ୍କର ଭିତରେ ଦେଖିଛି କେତେ ନୀରସ ନିର୍ବେଦ ମୁହଁ, କେତେ ନିରୁପାୟ ହତାଶାର ନିରୀହ କରୁଣ ଆଖି, କେତେ କଙ୍କାଳର ପିଞ୍ଜରାକାଠି ଗଣିହେଲା ଭଳି ଚେହେରା— ଆଉ କେତେ ଜାଣି ଶୁଣି ଟଙ୍କା ଫାଙ୍କି ଦେବାର କୌଶଳ ମୋର ଭାବପ୍ରବଣତାକୁ କଠୋର ବାସ୍ତବତାଦ୍ୱାରା ଆଘାତ କରି ସେତେବେଳେ ନ୍ୟାୟାନ୍ୟାୟ, କର୍ତ୍ତବ୍ୟାକର୍ତ୍ତବ୍ୟ ମୋତେ ସବୁ ଉତ୍ସର୍ଗ କରିଦେବାପାଇଁ ବାରମ୍ବାର ଦ୍ଵନ୍ଦ୍ଵଭିତରେ ଫିଙ୍ଗି ଦେଇଛି ।

 

କୋଣାର୍କ ତିଆରି ବିଷୟରେ ବୋଉଙ୍କଠାରୁ ଗୋଟିଏ କାହାଣି ଶୁଣିଥିଲି—ଶିବେଇ ସାନ୍ତରା ଦୂରଦୂରାନ୍ତରୁ ପଥର ବୋହିଆଣି ସମୁଦ୍ରରେ ପକେଇଦିଏ ଦେଉଳ ତୋଳିବାପାଇଁ, କିନ୍ତୁ ସବୁ ପଥର କୁଆଡ଼େ କାହିଁ ସମୁଦ୍ର-ଜୁଆରରେ ଉଭେଇଯାଏ । ଶିବେଇ ସାନ୍ତରା ଉପରେ ପଡ଼େ ରଜାଙ୍କର କୋପଦୃଷ୍ଟି । କାମରୁ ହୁଏ ସେ ଅନ୍ତର; ଭିକମାଗେ ଗାଁ ଗାଁ ବୁଲି । ଏମ‌୍‌ତି ଗୋଟିଏ ଗାଁ ରେ ଯାଇ ସେ ପହଞ୍ଚି ଜଣେ ବୁଢ଼ୀ ଦୁଆରେ । ବୁଢ଼ୀ ତାହାକୁ ଖାଇବାକୁ ଦିଏ ଜାଉ ଟିକିଏ ରାନ୍ଧି । ଭୋକ-ବିକଳରେ ଶିବେଇ ସାନ୍ତରା ହାତପୁରାଇ ଖାଇବାକୁ ଯାଏ ଜାଉ ମଝିରୁ ।

 

ବୁଢ଼ୀ ପାଟି କରି ଉଠେ, “କିରେ ପୁଅ, ତୁ କ’ଣ ଶିବେଇ ସାନ୍ତରା ଭଳି, ଜାଉ ଖାଉଛୁ ?”

 

ଆବାକ୍ ହୋଇ ଛଦ୍ମବେଶୀ ଶିବେଇ ସାନ୍ତରା ବୁଢ଼ୀ ମୁହଁ କୁ ଅନାଏ—

 

“କ’ଣ କହିଲୁ ?”

 

ବୁଢ଼ୀ ତାହାର ପାକୁଆପାଟିରେ ଟିକିଏ ହସିଦେଇ କହେ, “କି ରେ ପୁଅ କ’ଣ ବୁଝି ପାରିଲୁ ନି ? ଛଦ୍ମବେଶୀ ଶିବେଇ ସାନ୍ତରା ଆଶ୍ଚର୍ଯ୍ୟରେ କହେ, “ନାଇଁଲୋ ମାଉସି ।’’

 

ବୁଢ଼ୀ ବୁଝାଇଦିଏ—“ଆରେ ପୁଅ ! ଶିବେଇ ସାନ୍ତରାକୁ ରଜା ପଠାଇଲେ ଚନ୍ଦ୍ରଭାଗା ଦେଉଳ ତୋଳିବାପାଇଁ, ଶିବେଇ ରଜା ହୁକୁମରେ ଗାଡ଼ି ଗାଡ଼ି ପଥର ବୋହି ଆଣି ସମୁଦ୍ର ଭିତରେ ଗୋଟାକୁ ଗୋଟା ଆଗ ପଥର ପକେଇଲା । ତହୁଁ ସବୁ ପଥର ପାଣିଭିତରେ ବୁଡ଼ିଗଲା—’’

 

ଛଦ୍ମବେଶୀ ଶିବେଇ ସାନ୍ତରା ହାତଟା ରହିଗଲା କ୍ଷୀରୀ ଉପରେ; ଆବାକାବା ହୋଇ ବୁଢ଼ୀକୁ ଚାହିଁଲା – “ହଁ ତହିଁତୁରୁ କ’ଣ ହେଲା ଲୋ ମାଉସି !” ।

 

“ହବ ଆଉ କ’ଣ ରେ ପୁଅ ! ସବୁଯାକ ପଥର ସମୁଦ୍ରଭିତରେ ବୁଡ଼ିଗଲା ।”

 

ବୁଢ଼ୀ ତା’ର ପାକୁଆପାଟିରେ ଟିକିଏ ହସିଦେଇ ପୁଣି କହେ—

 

“ତୁ କ’ଣ ସମଝି ପାରିଲୁ ନି କିରେ ମରମ କଥା ? ଆଗ ସିନା ଦେଉଳବେଢ଼ା ବୁଲାଇ ସମୁଦ୍ରପାଣିକୁ ରୋକି ଦେଉଳ ତୋଳାନ୍ତା ତୁ ସେମ‌୍‌ତି ଜାଉ ମଝିରେ ହାତ ପୂରାଇ ଖାଉଛୁ, ତା’ହେଲେ ସବୁତକ ଜାଉ ପାଣିଫାଟି ଯିବନି ?” ଶିବେଇ ସାନ୍ତରା ସେଇଠୁ ଫେରେ ଚନ୍ଦ୍ରଭାଗାକୁ, ତୋଳାହୁଏ କୋଣାର୍କ ।

 

ମୁଁ କିନ୍ତୁ କାହିଁ ଫେରି ପାରିଲି ନି ତ କୁଜଙ୍ଗ ଅଞ୍ଚଳର ସେହି ସବୁ ସାନ ସାନ ଗାଁରୁ, ବର୍ଷାଦିନେ ଯେଉଁ ଗାଁଗୁଡ଼ିକ ନଈପାଣି ସମୁଦ୍ରପାଣି ମିଶିଯାଇ ଛୋଟ ଛୋଟ ଟାପୁଭଳି ଠିଆ ହୋଇଥାଏ; ଗୋଟିଏ ଗାଁରୁ ଆଉଗୋଟିଏ ଗାଁ କୁ ଯିବାକୁ ଦରକାର ହୁଏ ଡଙ୍ଗା—ମଝିରେ ଯଦି କୁମ୍ଭୀର ତାହାର ଲାଞ୍ଜ ପିଟି ଡଙ୍ଗା ଓଲଟାଇ ଦିଏ, ତା’ହେଲେ କେଉଁ ଗାଁ ମଣିଷ ଯାଇ ପହଞ୍ଚେ ଆଉ କେଉଁଠି ତାହା ସେ ଜାଣିପାରେ ନାହିଁ !

 

ଗାଁ ଗାଁ ବୁଲି ଶୁଣେ ଏମ୍‍ତି-କେତେ ଅଦ୍ଭୁତ କୁମ୍ଭୀର କାହାଣୀ । ନୂଆବୋହୂ ବାରିଗଡ଼ିଆରେ ଗାଧୋଇ ସାରି ଲୁଗା ପାଲଟି କାନିଟାକୁ ପାଣି ଭିତରକୁ ଫିଙ୍ଗି ଦେଇ ଧୋଇ ମକଚି ଆଣିବାକୁ ଯାଉଛି, କୁମ୍ଭୀର ଧରିଲାଣି କାନ ଅଗରୁ–ଭୟରେ ଥରହର ହୋଇ ନୂଆବୋହୂ ଦେଖେ, କୁମ୍ଭୀର ତାହାର କାନିକୁ କାମୁଡ଼ି ପାଣି ଭିତରକୁ ଟାଣୁଛି ! ଉପାୟ ନ ପାଇ ଭୁଆସୁଣୀ ବୋହୂ, ଶାଢ଼ି ଗୋଟାକ ଦେହରୁ କାଢ଼ି ପଳାଇ ଆସେ, ଲଙ୍ଗଳା ହୋଇ, ପୁଣି ଘରଭିତରକୁ ସେ ଅବସ୍ଥାରେ ସେ ପଶିବ କେମିତି ! ଚୁଁ ମାରିବା ଛଡ଼ା କଥା କହିବାକୁ ତ ମନା ! ବାରିପଟ କଦଳୀ ବଗିଚା ଭିତରେ ପଶି କଦଳୀପତ୍ର ଟାଣି ଦେହକୁ ଘୋଡ଼ାଏ, ହେଲେ ତାହା ଅବା ଯୁବାଝିଅର ଲଜ୍ଜା ନିବାରଣ କରିବାକୁ କେତେ ସମର୍ଥ ।

 

ସୂର୍ଯ୍ୟ ଉଠେ ଆକାଶ ମଝିକୁ, ବୋହୂ କାହିଁକି ଘରକୁ ଆସିଲାନି ଖୋଜାପଡ଼େ; ସାନ ନଣନ୍ଦ ବାରିପଟକୁ ଯାଇ ଦେଖନ୍ତି ବୋହୂଙ୍କ ଅବସ୍ଥା— ଭାଇକୁ କହନ୍ତି ଭାଉଜ ଘରକୁ ନ ଆସିବାର କାରଣ । ଭାଇ ଯାଇ ସ୍ତ୍ରୀକୁ ଏହି ଅବସ୍ଥାରେ ଦେଖି ଆରମ୍ଭ କରିଦିଏ ନିର୍ମମ ପ୍ରହାର ।

 

ସମବାୟବ୍ୟାଙ୍କ୍ ମ୍ୟାନେଜର କାନରେ ଏମ‌ିତି କାହାଣି ଶୁଣାଯାଏ । ସୋସାଇଟିର ସଭ୍ୟ ସେଇ ଯୁବକକୁ ତାହାର ଏପରି ଅନ୍ୟାୟ ବ୍ୟବହାର ଲାଗି ପ୍ରଶ୍ନ ପଚରାଯାଏ । ଯୁବକଟି ନର୍ବିକାର ଭାବରେ ଉତ୍ତର ଦିଏ—

 

‘‘ସେ ଏମ‌ିତି ନିଲ୍ଲଜୀ ହୋଇ କଦଳୀ ବାଡ଼ିରେ ନ ଲୁଚି କୁମ୍ଭୀର ମୁହଁରେ ଯାଇଥିଲେ ମୁଁ ଖୁସି ହୋଇଥାନ୍ତି ।”

 

ଏହି ସମାଜ ଭିତରେ ସମବାୟର ନୀତି, ପ୍ରଚାର, କିସ୍ତି ଖିଲାପ, ଋଣ ସୁଧ ଆଦାୟ–ଦେଇ ନ ପାରିଲେ ନାଲିସ୍ କ୍ରୋକ୍ ନିଲାମ–ଏହା ହିଁ ଥିଲା ବ୍ୟାଙ୍କ କର୍ମଚାରୀର କର୍ତ୍ତବ୍ୟ । ସେଇ କର୍ତ୍ତବ୍ୟ ଭିତରେ ଗାଁ ଲୋକଙ୍କୁ ମିଳିମିଶି ଭାଇ ଭାଇ ଭଳି ଚଳିବା, ପୁଣ୍ୟପର୍ବ ଶୁଦ୍ଧ ଶ୍ରାଦ୍ଧରେ ବ୍ୟୟ ସଙ୍କୋଚ ପରାମର୍ଶ ଦେଇ ଗାଁ-ଗହଳରେ ଏକ ସୁସ୍ଥ ବଳିଷ୍ଠ ସାମାଜିକ ବାତାବରଣ ସୃଷ୍ଟି କରିବା ଥିଲା, ସମବାୟ ବିଭାଗର ନୈତିକ ଲକ୍ଷ୍ୟ ।

 

କୁଜଙ୍ଗ ଅବସ୍ଥାନ କାଳରେ “ଉତ୍କଳ ସାହିତ୍ୟ”ରେ ମୋର ମଧୁବିବାହ କବିତା, ଯାହାକୁ ବାରମ୍ବାର ପଢ଼ି ଶୁଣାନ୍ତି ବନ୍ଧୁଗହଣରେ ସ୍କୁଲ ସବ୍ଇନ୍ସପେକ୍ଟର ଶ୍ୟାମାଚରଣବାବୁ ପ୍ରଶଂସାମୁଖର ହୋଇ—       

 

‘ବଧୂ ଆସେ ମୋର ଧୀର ସୁଲଳିତ

ତୃତୀୟା ଜୋଛନା ସମ

ବଢ଼ାଏ ମୋ କରେ କମ୍ପିତ କର

ସୁକୁମାର ଅନୁପମ

ଲାଜଲାଜଗଣ୍ଡେ ନ କହଇ କଥା ।

ଭାଦର ବଉଦେ ଲୁଚାଏ ତା’ ମଥା

କି ନିବିଡ଼ ବ୍ୟଥା ଲାଗଇ ପୀରତି—

ପୀଡ଼ିତ ମରମେ ମମ,

ବଧୂ ଆସେ ମୋର ଧୀର ସୁଲଳିତ ।

ତୃତୀୟା ଜୋଛନା ସମ ।

 

କିନ୍ତୁ “ଧୀର ସୁଲଳିତ” ପ୍ରୟୋଗରେ ଯୁକ୍ତାକ୍ଷର ଛନ୍ଦଦୋଷ ଦର୍ଶାଇ ତାହା “ଧୀର ଲଳିତ” ହେବା ଉଚିତ ବୋଲି ସେ ମତ ଦିଅନ୍ତି; ମୋ କବିତାରେ ଏହିଭଳି କିମ୍ବା ଏହାଠାରୁ ଆହୁରି ଗୁରୁତର ଛନ୍ଦ ଦୋଷରୁ ମୁଁ ସ୍ୱୀକାର କରେ । ନିର୍ଦ୍ଦୋଷ ଯୁକ୍ତାକ୍ଷର ଛନ୍ଦରେ କବିତା ଲେଖୁଥିଲେ ଆମ ଭିତରୁ ବୈକୁଣ୍ଠନାଥ ଓ ଅନ୍ନଦାଶଙ୍କର ।

 

କେତେକ ମାସ ପରେ କୁଜଙ୍ଗରୁ ବଦଳି ହୋଇ ଆସେଁ ପୁରୀ ବ୍ୟାଙ୍କକୁ । ଏଇ ଅବସରରେ ପୁରୀ ଜିଲ୍ଲାର ଗାଁ ଗାଁ ବୁଲିବା ସୁଯୋଗ ମିଳିଯାଏ ମୋତେ । କୁଜଙ୍ଗ ଅପେକ୍ଷା ପୁରୀ ଜିଲ୍ଲା ଲୋକଙ୍କର ଅବସ୍ଥା ଯେ ଅନେକ ଭଲ ତାହାର ବର୍ଣ୍ଣନା ଅନାବଶ୍ୟକ; କିନ୍ତୁ କେବଳ ଆର୍ଥିକ ଅବସ୍ଥା ଭଲ ହେବାହିଁ ତ ଯଥେଷ୍ଟ ନୁହେ; ମଣିଷ ପ୍ରକୃତି ଧନୀ ନିର୍ଦ୍ଧନ-ନିର୍ବିଶେଷରେ ସବୁଠାରେ ପ୍ରାୟ ସମାନ ।

 

ପୁରୀକୁ ଆସି ଏତିକି ଫରକ ଜଣାପଡ଼ିଲା ଯେ ଘରପାଖରୁ ଶହେ ଖୋଜ୍ ଚାଲିଗଲେ କେନ୍ଦ୍ର ସମବାୟ ବ୍ୟାଙ୍କ୍‍ର ଅଫିସ୍, ପୁଣି ଗାଁ-ଗୁଡ଼ିକଭିତରୁ ଅନେକ ଗାଁରେ ନିଜର ପରିଚିତ ଅବା ବନ୍ଧୁ ବାନ୍ଧବ ସମ୍ପର୍କୀୟମାନଙ୍କର ଘର !

 

ପୁରୀ ଜିଲ୍ଲାରେ ଗସ୍ତ କରୁଥିବା ସମୟରେ ଡେଲାଙ୍ଗ, ପିପିଲି, ସାକ୍ଷୀଗୋପାଳ ଆଦି କେନ୍ଦ୍ରସ୍ଥାନମାନଙ୍କରେ ରହି ସେଇଠୁଁ ବୁଲେ ଗାକୁ ଗାଁ । ସାକ୍ଷୀଗୋପାଳ ରହଣି ସମୟରେ କେତେ ଥର ସ୍କୁଲ ବୋଡ଼ିଂରେ କଟିଛି । ସାକ୍ଷାତ୍‌କାର ଘଟିଛି ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠଙ୍କ ସହିତ ।

 

ବ୍ୟାଙ୍କ୍ ଗୃହର ଉପରତାଲାରେ ଗୋଟିଏ ଛୋଟ ବଖରା । ସେଇଠି କରେଁ ମୁଁ ମୋର ଅଫିସ । ଅଫିସ୍ କାମ ସହିତ ସାହିତ୍ୟ ଚର୍ଚ୍ଚା ଓ ସଙ୍ଗୀତ-ଚର୍ଚ୍ଚା ମଧ୍ୟ । ମୋର ଜ୍ୟେଷ୍ଠ ଶାଳକ ବାଦ୍ୟବିନୋଦ କ୍ଷେତ୍ରମୋହନ କର ମଧ୍ୟେ ମଧ୍ୟେ ସେଠାକୁ ଆସନ୍ତି । ତାଙ୍କଠାରୁ ସହିତ ଆସନ୍ତି ସଙ୍ଗୀତ ଓସ୍ତାଦ ଗୋପାଳ ବୋଷ । ତାଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିଖିବାକୁ ମୁଁ ଆଗ୍ରହୀ ହୁଏଁ ଓ ଅଭ୍ୟାସ କରେଁ ମଧ୍ୟ । ମାସକ ଭିତରେ କୋଡ଼ିଏ ଦିନ ମଫସଲରେ ମ୍ୟାନେଜର ଓ ଇନ୍‍ସପେକ୍ଟିଙ୍ଗ କ୍ଲର୍କମାନଙ୍କର ଗସ୍ତକରିବା କଥା । ସେଇ କୋଡ଼ିଏ ଦିନ ଭିତରୁ ଯେତେ ଦିନ ଗସ୍ତ କର ପଛେ କାଗଜପତ୍ରରେ କୋଡ଼ିଏ କିମ୍ବା ତହିଁରୁ ଉର୍ଦ୍ଧ, ଦେଖାଇବାର ନିୟମ । ସେ ନିୟମର ବ୍ୟତିକ୍ରମ ଘଟିଲେ କୈଫିୟତ୍ ଦେବାକୁ ପଡ଼େ ।

 

କୈଫିୟତ୍‍ ଜଞ୍ଜାଳ ଏଡ଼ିବାକୁ ହେଲେ ସହଜରେ କୋଡ଼ିଏ ଦିନର ଗସ୍ତ ବିବରଣ ଲେଖି ଗସ୍ତଖର୍ଚ୍ଚ ନେବାରେ କାହାରି କୌଣସି ଆପତ୍ତି ନାହିଁ; ବରଂ ତାହା ସମବାୟ ବ୍ୟାଙ୍କ କର୍ମଚାରୀଙ୍କ କର୍ମତତ୍ପରତା ଓ କର୍ତ୍ତବ୍ୟପରାୟଣତାର ଚିହ୍ନରୂପେ ପରିଗଣିତ ହୁଏ । ଗସ୍ତଖର୍ଚ୍ଚା ପାଇବା ସଙ୍ଗେ ସଙ୍ଗେ ମୋର ସଙ୍ଗୀତ ଚର୍ଚ୍ଚା ମଧ୍ୟ ସମାନ ଗତିରେ ଚାଲେ, ଗାଁରୁ ଅବଶ୍ୟ ଏଇ ଚର୍ଚ୍ଚାର ଆରମ୍ଭ ।

 

ସମବାୟ ବିଭାଗର ରେଜିଷ୍ଟ୍ରାର ପ୍ରଭୃତି ଓ ଆସିଷ୍ଟାଣ୍ଡ ରେଜିଷ୍ଟ୍ରାର ପ୍ରଭୃତି ପୁରୀରୁ ପ୍ରାୟ ଆସନ୍ତି-ବ୍ୟାଙ୍କ୍ ପରିଦର୍ଶନପାଇଁ ଯେତେ ନୁହେ—ଜଗନ୍ନାଥ ଦର୍ଶନ କିମ୍ବା ସମୁଦ୍ର ତୀରରେ ଭ୍ରମଣ ଲାଗି । ଏହି ରୂପେ ଥରେ ପରିଦର୍ଶକଙ୍କ ମନ୍ତବ୍ୟ ପୁରୀବ୍ୟାଙ୍କ ସମ୍ପର୍କରେ ଲିପିବଦ୍ଧ ହୁଏ ମୋହର କାର୍ଯ୍ୟ ବିରୁଦ୍ଧରେ । ସେଥିଲାଗି ଶାସ୍ତି ମିଳେ ପୁରୀରୁ ମୋର କଟକ ବଦଳି । ସେହି ଶାସ୍ତିଟାକୁ ଅବଶ୍ୟ ପୁରସ୍କାର ଭାବରେ ମୁଁ ବିଚାର କରେଁ । ଯେହେତୁ କଟକ ହେଲା ଓଡ଼ିଶାର ସାଂସ୍କୃତିକ ତଥା ରାଜନୈତିକ ପ୍ରାଣକେନ୍ଦ୍ର ।

 

ପୁରୀରେ ରହିଥିବା ସମୟରେ ମୋର ପାରିବାରିକ ଜୀବନରେ ଦୁଇ ବିପର୍ଯ୍ୟୟ ଘଟେ । ପରେ ପରେ ପ୍ରଥମେ ଗୋଟିଏ କନ୍ୟା ଓ ଗୋଟିଏ ପୁତ୍ରର ଶିଶୁ ଅବସ୍ଥାରେ ମୃତ୍ୟୁ । ଏହି ମୃତ୍ୟୁ, ଯେଉଁ ପରିମାଣରେ ଅସ୍ଵାଭାବିକ, ସେ ପରିମାଣରେ ହିଁ ମୁଁ ଏଥିଲାଗି ନିଜେ ଦାୟୀ ବୋଲି ମନଭିତରେ ପରାଜୟର ଘୋର ଗ୍ଲାନି ମୋତେ ଗ୍ରାସ କରେଁ । ନିଜକୁ ମୁଁ ବଚାର କରେଁ ଜଣେ ଶିଶୁହନ୍ତାଭାବେ । ଶିଶୁଜନ୍ମ ଓ ଶିଶୁଚିକିତ୍ସା ସମ୍ପର୍କରେ ଇଂରାଜୀ ପ୍ରଭୃତି ଭାଷାରେ ଲିଖିତ ପୁସ୍ତକମାନ ପାଠକରେ।

 

ଗର୍ଭାବସ୍ଥା ସମୟରୁ ଶିଶୁର ଜନନୀ ଜନକ କିପରି ଯତ୍ନ ନେବା ଆବଶ୍ୟକ ସେ ସମ୍ପର୍କରେ କେତେ ବୈଜ୍ଞାନିକ ଆଲୋଚନା ଅଧ୍ୟୟନ କରେଁ । କଲିକତାର ବିଖ୍ୟାତ ଶିଶୁ ଚିକିତ୍ସକ ଓ ଗର୍ଭବତୀ ଜନନୀ ସମ୍ପର୍କରେ ବହି ଲେଖିଥିବା ଡାକ୍ତର ବାମନଦାସ ଚଟ୍ଟୋପାଧ୍ୟାୟଙ୍କ ପୁସ୍ତକାଦି ମଗାଇ ପଢ଼େଁ ।

 

ଆହୁରି ମୋ ମନରେ ଗ୍ଲାନି ଜାତ ହୁଏ, ଯେତେବେଳେ ମୁଁ ଶୁଣେ ବନ୍ଧୁକୁଟୁମ୍ବ ପ୍ରଭୁତିଙ୍କଠାରୁ ସେ ପ୍ରଥମ ଦୁଇଟି ଶିଶୁଙ୍କର ମୃତ୍ୟୁ ଘଟିଥିବାରୁ ଅନ୍ୟ କୌଣସି ଶିଶୁ ବଞ୍ଚିବାର ଭରସା ନାହିଁ । ତା’ପରେ କେତେ ବନ୍ଧୁ ହିତାକାଙ୍‍କ୍ଷୀଙ୍କଠାରୁ ବହୁ ପରାମର୍ଶ ମଧ୍ୟ ମିଳେ ମୋତେ ।

 

ଯନ୍ତ୍ର, ମନ୍ତ୍ର ଗୁଣି ଗାରଡ଼ି ପୂଜାଧୂଜା ଆଦି ବହୁ ପରାମର୍ଶ ଆସେ । ଯାହାକୁ ଦିନେ କୁସଂସ୍କାର ଓ ଅନ୍ଧବିଶ୍ୱାସ ବୋଲିଘଟଣା କରି ଆସିଥିଲି, ନିଜକୁ ନିଃସନ୍ତାନ ଦୋଷରୁ ମୁକ୍ତକରିବାପାଇଁ ତାହାଭିତରୁ କୌଣସି ଗୋଟିକୁ ବାଦ୍ ଦେଇନାହିଁ । ବନ୍ଧୁମାନେ ବିସ୍ମିତ ହୁଅନ୍ତି, ଯେତେବେଳେ ମୁଁ ଏ ତନ୍ତ୍ର ମନ୍ତ୍ର ଗୁଣି ଗାରଡ଼ିଆଦି ସମସ୍ତ ଉପାୟକୁ ଗ୍ରହଣ କଲି ନିଜକୁ ନିଃସନ୍ତାନଦୋଷରୁ ଓ ସ୍ୱପତ୍ନୀଙ୍କୁ ମୃତବତ୍ସା ଅପରାଧରୁ ମୁକ୍ତ କରିବାପାଇଁ ।

 

ବନ୍ଧୁମାନଙ୍କ ସାହିତ ସାହିତ୍ୟ କଳା ସମ୍ପର୍କରେ ବହୁ ଆଲୋଚନା ଯେପରି ହୁଏ, ସେଇପରି ବୈବାହିକ ଜୀବନର ସାଫଲ୍ୟ ଯେ ସନ୍ତାନ ଜନ୍ମ ଉପରେ ନିର୍ଭର କରେ, ଏକମତ ହେଉଁ ତହିଁରେ । ସେତେବେଳେ ଲଜ୍ଜା ଓ ଦୁଃଖରେ ମନେ ମନେ ମୁଁ ନିଜକୁ ବ୍ୟର୍ଥ, ଅସମର୍ଥ, ଅଯୋଗ୍ୟ ଜ୍ଞାନ କରେଁ ସାଂସରିକ ବିଚାରରୁ । ରାମଚଣ୍ଡୀ ସାହିରେ ଆମ ଘର ପାଖରେ ରହୁଥାନ୍ତି ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ନର୍ସ–ମିସ୍ ମେଡ଼ିରା ନାମରେ ।

 

ବାରମ୍ବାର ତାଙ୍କ ସହ ଯାଇ ପରାମର୍ଶ କରେଁ । ତଥାପି ଦ୍ୱିତୀୟ ସନ୍ତାନଟିକୁ ସବୁ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ନ ପାରି ମୁଁ ସେଥିପାଇଁ ଦାୟୀ ବୋଲି ଅନୁତାପରେ ଦଗ୍‌ଧ ହୁଏ ।

 

ତୃତୀୟ ସନ୍ତାନ ଗର୍ଭସ୍ଥ ହେବା ମାତ୍ରେ ସ୍ଥାନୀୟ ଡାକ୍ତରି ପରାମର୍ଶ କରିବା ସଙ୍ଗେ ସଙ୍ଗେ ପତ୍ରବିନିମୟ କରେଁ କଲିକତାର ପ୍ରସୂତି ବିଜ୍ଞାନରେ ବିଖ୍ୟାତ ବଶେଷଜ୍ଞ ଡାକ୍ତର ବାମନ ଦାସ ଚଟ୍ଟୋପାଧ୍ୟାୟଙ୍କ ସହିତ । ପୂଜା ଅନୁଷ୍ଠାନ ପ୍ରଭୃତିରେ ମଧ୍ୟ ତ୍ରୁଟି ଘଟେନାହିଁ । ସସ୍ତ୍ରୀକ ଚନ୍ଦ୍ରଭାଗା ସ୍ନାନ, ରାମଚଣ୍ଡୀ ଦର୍ଶନ, ପୁଣି ବ୍ରହ୍ମଗିରିର ଭୀମେଶ୍ୱର କାଳିସୀଙ୍କଠାରୁ ହୁକୁମ ଆଣିବା ପର୍ଯ୍ୟନ୍ତ ଯେ କୌଣସି ପ୍ରସ୍ତାବ ମୋର ଗ୍ରହଣୀୟ ହୁଏ । ଗୁଣି ଗାରଡ଼ି, ମନ୍ତ୍ର ତନ୍ତ୍ର ଆଦି ଯାହାକୁ ବିଜ୍ଞାନ-ବିରୋଧୀ କୁସଂସ୍କାର ବୋଲି ପ୍ରକାଶ୍ୟ ସମାଲୋଚନା କରୁଥିଲି, ତାହାରି ପାଖରେ ପରାଜୟର ଗ୍ଲାନିକୁ ସ୍ୱୀକାର କରେଁ ବାଧ୍ୟ ହୋଇ ।

 

ବୈବାହିକ ଜୀବନର ଏହି ବ୍ୟର୍ଥତା ସେତେବେଳେ ମୋତେ ଯଥାର୍ଥରେ ଅନ୍ଧ ଓ ମୂର୍ଖକରି ପକାଇଥିଲା । ବନ୍ଧୁମାନଙ୍କ ଉପହାସ ପରିହାସକୁ ମୁଁ ଭ୍ରୂକ୍ଷେପ କରେଁ ନାହିଁ, ଏହି ଲଜ୍ଜାରୁ ଉଦ୍ଧାର ପାଇବାପାଇଁ ।

 

କଟକ ସମବାୟ ଶିକ୍ଷାକେନ୍ଦ୍ର

 

ଦୁଇ ତିନି ମାସ ପାଇଁ ଗୋଟିଏ ସମବାୟ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠିତ ହୁଏ କଟକ ଚାଉଳିଆଗଞ୍ଜ ପୋଲିସ ବ୍ୟାରାକ୍‌ରେ । ଓଡ଼ିଶାର ନୂଆ ପୁରୁଣା ବ୍ୟାଙ୍କ କର୍ମଚାରୀମାନେ ଯୁଟନ୍ତି ଆସି ଏହି ଅନୁଷ୍ଠାନରେ । ଓଡ଼ିଶା ସମବାୟ ବିଭାଗର ଡେପୁଟି ରେଜିଷ୍ଟ୍ରାର ଥାନ୍ତି ଧର୍ମପ୍ରାଣ ସୁପଣ୍ଡିତ ଏନ୍‍. କେ. ରାୟ । ମୋତେ ଏଠାରେ ଶିକ୍ଷକତା କରିବାର ଗୌରବ ମିଳେ ।

 

ଓଡ଼ିଶାର ବିଭିନ୍ନ ସମବାୟ ବ୍ୟାଙ୍କ୍ ଓ ଅନୁଷ୍ଠାନରୁ ଯେଉଁ ଶିକ୍ଷାର୍ଥୀମାନେ ଆସନ୍ତି, ତାଙ୍କ ସହ ଘନିଷ୍ଠ ପରିଚୟ ପ୍ରତିଷ୍ଠିତ ହୁଏ । ସମବାୟ ନୀତି ଓ ଆଦର୍ଶ ଉପରେ ମଧ୍ୟ କେତେକ ଆଲୋଚନା ମୋର ପ୍ରକାଶିତ ହୁଏ “ଉତ୍କଳ ସାହିତ୍ୟ’’ ପ୍ରମୁଖ ବିଭିନ୍ନ ପତ୍ରପତ୍ରିକାରେ । ସମବାୟ ନୀତିର ଆଦର୍ଶ ଯେ ଜାତୀୟ ଜୀବନର ଉଦ୍‌ବୋଧନ ବିକାଶ ପଥରେ ପ୍ରଧାନ ସହାୟକ, ପୁଣି ସ୍ଵାଧୀନତା ଲାଭର ଏକ ସାଂଗଠନିକ ପନ୍ଥା, ତାହାର ବୟାନ କରେଁ ମୁଁ ମୋର ଏହି ନିବନ୍ଧଗୁଡ଼ିକରେ ।

 

ସମବାୟ ଆନ୍ଦୋଳନକୁ ସେତେବେଳେ ଭାରତ—ସ୍ୱାଧୀନତା ଆନ୍ଦୋଳନର ଏକ ସାଂଗଠନିକ ଅଙ୍ଗ ରୂପେ ମଧ୍ୟ ମହାତ୍ମା ଗାନ୍ଧୀ ଓ ଜବାହରଲାଲଙ୍କଠାରୁ ଆରମ୍ଭ କରି ରବୀନ୍ଦ୍ର ନାଥଙ୍କ ପର୍ଯ୍ୟନ୍ତ ଚିନ୍ତାଶୀଳ ନେତୃବୃନ୍ଦ ବିଚାରୁଥାନ୍ତି । ରବୀନ୍ଦ୍ର ନାଥଙ୍କ ଶ୍ରୀନିକେତନର କୁଟୀରଶିଳ୍ପ ପ୍ରତିଷ୍ଠିତ ଏଇ ନୀତି ଉପରେ । ଚରଖା ଆଦି ଗୃହଶିଳ୍ପର ଏହା ଗୋଟିଏ ପ୍ରଧାନ ସାଂଗଠନିକ ପନ୍ଥାରୂପେ ବିବେଚିତ ହୁଏ ।

 

ଅପରିଚିତ ସହିତ ପରିଚୟ—ଦୂରରେ ଥିବା ବନ୍ଧୁମାନଙ୍କ ସହିତ ଏକତ୍ର ମିଳନ, ସମବାୟ ଭୋଜନାଳୟ ଓ ସମବେତ ସାଂସ୍କୃତିକ ଅନୁଷ୍ଠାନ ଭିତରେ ହସଖୁସିରେ ଚାଲେ ଶିକ୍ଷା କେନ୍ଦ୍ରର କାର୍ଯ୍ୟକ୍ରମ ।

 

ଏଇଭଳି କେତେକ ପୁରୁଖା କର୍ମଚାରୀଙ୍କୁ ଘେନି ଯୁବକମାନଙ୍କର ହାସ୍ୟପରିହାସର ଜୁଆର ଛୁଟେ ।

 

ଜଣେ ବୟୋଜ୍ୟେଷ୍ଠ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଘେନି ତାଙ୍କର ପୁତ୍ରୋପମ କେତେକ ଯୁବକ ସରଳତା ଓ ସାଧୁତାର ସୁଯୋଗ ନେଇ ଥଟ୍ଟା ପରିହାସ କରନ୍ତି ।

 

ଥରେ ଏମତି ଜଣେ ବୟୋଜ୍ୟେଷ୍ଠ ମାନନୀୟ ବ୍ୟକ୍ତି ଦୁଇ ସପ୍ତାହ ପରେ ନିଜ ଚିରାଚରିତ ଅଭ୍ୟାସ ଅନୁଯାୟୀ କ୍ଷୌରକର୍ମରେ ବସିଥିବା ସମୟରେ ଯୁବକମାନେ ତାଙ୍କ ପାଦତଳେ ପଡ଼ି ଅନୁନୟ କରନ୍ତି, ତାହା ସ୍ଥଗିତ ରଖିବାକୁ । ସେତେବେଳେ ବାରିକ ଅର୍ଦ୍ଧେକ ମାତ୍ର ନିଶ ଦାଢ଼ି କାଟିଥାଏ, ବାକି ଅଧକ ସେଦିନ ଲାଗି ସ୍ଥଗିତ ରଖି ଆହୁରି ସେହି ଅବସ୍ଥାରେ ବୟୋଜ୍ୟେଷ୍ଠ ବ୍ୟାଙ୍କ ମ୍ୟାନେଜରଙ୍କୁ ସମବାୟ ଶିକ୍ଷାନୁଷ୍ଠାନରେ ବୁଲାଇ ସେମାନେ ଏକ ହାସ୍ୟରସମୟ ପ୍ରଦର୍ଶନୀ କରନ୍ତି ।

 

ନିକଟରେ ଥାଏ ଉତ୍କଳ ଟ୍ୟାନେରି କାରଖାନା । ସେତେବେଳକୁ ଉତ୍କଳ ଟ୍ୟାନେରୀର କାର୍ଯ୍ୟ ମାନ୍ଦା ପଡ଼ିଆସିଲାଣି ଓ ମଉଳି ପଡ଼ିଲାଣି; ଉତ୍କଳଗୌରବ ମଧୁସୂଦନଙ୍କ ନେତୃତର ଦୀପ୍ତି, ଗାନ୍ଧିଜୀଙ୍କର ଅହିଂସା ଅସହଯୋଗ ଆନ୍ଦୋଳନର ତୀବ୍ରତା ମଧ୍ୟ ଶିଥିଳ ପଡ଼ି ଆସିଲାଣି ।

 

ବର୍ଷକ ଭିତରେ ସ୍ଵରାଜ୍ୟ ଲାଭ ପ୍ରତିଶ୍ରୁତି କ୍ରମେ ବିସ୍ମୃତ ହେବାକୁ ବସିଲାଣି । ଦେଶର ଭାଗ୍ୟରବି କେଉଁ ପଥରେ ଗତି କରୁଛନ୍ତି, ତାହାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସୁସ୍ପଷ୍ଟ ହେବାକୁ ଆହୁରି ଯେପରି ବିଳମ୍ବ ରହିଛି ଅନେକ ।

 

ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ସେତେବେଳେ ବୋଧହୁଏ ଅବସ୍ଥାନ କରୁଥାନ୍ତି ସପରିବାର କଟକ ଜିଲ୍ଲା ଜଗତସିଂହପୁର ପାଖ ଅଣଖିଆରେ । ଯା’ ଆସ କରନ୍ତି ସେ କଟକକୁ ସେ ବାଟେ । ମଝିରେ ମଝିରେ ତାଙ୍କ ସହିତ ସାକ୍ଷାତର ସୁଯୋଗ ଘଟେ, ସମବାୟକେନ୍ଦ୍ର ଅନୁଷ୍ଠାନଟି କଟକରେ ଏକ ପ୍ରଦେଶଦ୍ୱାର ରୂପେ ଅବସ୍ଥିତ ଥିବାରୁ । ଦିନେ ସନ୍ଧ୍ୟାରେ ନବବାବୁଙ୍କ ସହିତ ସେଠାରେ ହୁଏ ସାକ୍ଷାତ୍‍କାର ।

 

ନବବାବୁଙ୍କ ମୁହଁରୁ ଶୁଣେ, ସେଇଦିନ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ତିରୋଧାନ ଘଟିଛି ତାଙ୍କର କର୍ମକ୍ଷେତ୍ର ସତ୍ୟବାଦୀଠାରେ । ଖବରଟା ଶୁଣିବା କ୍ଷଣି ପୃଥିବୀ ଓ ଆକାଶ ହଠାତ୍ ଲାଗିଲା ଏକାକାର ହୋଇ ପଡ଼ିଲା ଭଳି, ସୁର୍ଯ୍ୟାସ୍ତ ପୂର୍ବରୁ ଆକାଶ ।

 

ମାଟିର ପିତୁଳା ଗଢ଼ି ରଖିଦେଲି

 

ଘଟଣାଚକ୍ର ଅତି ଅଦ୍ଭୁତ ଭାବରେ ବୁଲିଆସେ । ପୁରୀରୁ ମୋର କଟକ ବଦଳି । ଭଡ଼ାଘର ପାଇବା ପାଇଁ ଅସୁବିଧା ମଧ୍ୟ ନାହିଁ । ସମବାୟ ବିଭାଗର ସଂଗଠନ ପ୍ରଚାରକ ଶ୍ରୀ ସୁଧୀନ ନିୟୋଗୀ ମୋହର ଏକାନ୍ତ ବନ୍ଧୁ ଓ ମୋତେ ତାଙ୍କର କନିଷ୍ଠ ଭାଇରୂପେ ବିଚାରନ୍ତି । ସେ ରହୁଥାନ୍ତି ଯାଚକ ଲେନ୍‌ରେ । ସେହି ଘରଟି ମୋହପାଇଁ ଛାଡ଼ିଦେଇ ସେ ଉଠିଆସନ୍ତି ଆଉ ଗୋଟିଏ ଭଡ଼ାଘରକୁ ।

 

ମୋର ପରିବାର ପକ୍ଷରେ ମଧ୍ୟ ଯାଚକଲେନ୍ ଭଡ଼ାଘରଟି ଥିଲା ବେଶ୍ ପ୍ରଶସ୍ତ । ନିକଟରେ ରହୁଥାନ୍ତି ବନ୍ଧୁ ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ । ବିବାହ ହୋଇଥାଏ ତାଙ୍କର ପୁରୀରେ ଆମରି ରାମଚଣ୍ଡୀସାହି ପଡ଼ିଶା ସ୍ଵର୍ଗତ ପରମାନନ୍ଦ ବାବୁଙ୍କ କନ୍ୟା ସହିତ । ବରଯାତ୍ରୀ ମଧ୍ୟ ରହନ୍ତି ସେ ବ୍ୟାଙ୍କଘରେ ।

 

ସପରିବାର ମୋର କଟକ ଆସିବା ସ୍ଥିର ହୁଏ ବଦଳି ଆଦେଶ ପାଇବାପରେ । ଭାଇନା ମଧ୍ୟ, ତାଙ୍କ ସପରିବାର ବାପାଙ୍କ ସହିତ ବାରିପଦା ଯାତ୍ରା କରନ୍ତି ସେଠାରେ ଷ୍ଟେଟ୍ ଓକିଲ କାର୍ଯ୍ୟରେ ନିଯୁକ୍ତି ପାଇ ।

 

ମୁଁ ମୋର ବୋଉ ସହିତ ସସ୍ତ୍ରୀକ ପୁରୀ ଛାଡ଼ି କଟକ ଆସେଁ । ଏଇଭାବରେ ଆରମ୍ଭରୁ ଏକାଠି ରହି ଆସିଥିବା ଆମ ଦୁଇଭାଇଙ୍କ ପରିବାର ସହିତ ବାପା ବୋଉ ମଧ୍ୟ ଅଲଗା ହୁଅନ୍ତି ପରସ୍ପରଠାରୁ । ବୈକୁଣ୍ଠ ବାବୁ ସେହି ଯାଚକ୍‍ଲେନ୍ ଘରେ ସପରିବାର ରହିବା ପ୍ରସ୍ତାବ କରନ୍ତି ମଧ୍ୟ-। ଦୁଇଟି ସାନ ପରିବାରପାଇଁ ଘରଟି ଅବଶ୍ୟ ପ୍ରଶସ୍ତଥିଲା । ତାହା ଛଡ଼ା ପୂରା ଘରଟିର ମାସିକଭଡ଼ା ୧୬ଟଙ୍କା ଅଧା ଅଧା ଦେବାକୁ ପଡ଼େ ଆମ ଉଭୟଙ୍କୁ । ମୋହ ସହିତ ଅନୁଜ ଭଗବତୀଚରଣ ମଧ୍ୟ ରେଭେନସା କଲେଜରେ ପଢ଼ୁଥବାରୁ ସେ ଯାଚକ୍ ଲେନ ଘରେ ଆସି ରହନ୍ତି-। ବୈକୁଣ୍ଠ ବାବୁଙ୍କ ସାନ ଭାଇ ଶ୍ରୀ ବୃନ୍ଦାବନଚନ୍ଦ୍ର ପଟ୍ଟନାୟକ ସେହିଘରେ ରହି କଲେଜରେ ପଢ଼ନ୍ତି-। ତେଣୁ ଘରଟି ବେଶ୍ ଗହଳ ଚହଳରେ ସରଗରମ ରହେ ।

 

ଦୁଆରମୁହଁ ଆଗରେ ରହୁଥାନ୍ତି ପୁଣି ଶ୍ରଦ୍ଧେୟ ଲାଲମୋହନ ପଟ୍ଟନାୟକ । ଆଖପାଖ ପଡ଼ିଶାମାନେ ସମସ୍ତେ ସେଠାରେ ସ୍ଥାୟୀ ଖ୍ରୀଷ୍ଟିୟାନ ବାସିନ୍ଦା । ପରସ୍ପର ଭିତରେ ସୌହାର୍ଦ୍ଦ୍ୟ ବଢ଼ି ଉଠେ ଗୋଟିଏ ଗାଁର ମଣିଷ ଭଳି । ଗଳିର ଗୋଟାଏ ପାଖ ବନ୍ଦ, ତେଣୁ ଗାଡ଼ି, ରିକ୍‌ସା ଯା’ଆସ ଖୁବ୍ କମ୍ ।

 

ସେହି ଘରେ ପୁଣି କିଛି ଦିନପାଇଁ ଅତିଥି ହୁଅନ୍ତି ଆମର ବନ୍ଧୁ ଶ୍ରୀ ହରିହର ମହାପାତ୍ର । ଓକିଲାତି ପରୀକ୍ଷା ଦେବାଲାଗି ବୋଧହୁଏ ସେଠାରେ ତାଙ୍କର ପ୍ରସ୍ତୁତି । ସ୍ୱର୍ଗତ ବାଳକୃଷ୍ଣ କରଙ୍କ ଉଦ୍ୟମରେ ତାଙ୍କ ସାରସ୍ୱତ ପ୍ରେସରୁ “ଆନନ୍ଦଲହରୀ ଉପନ୍ୟାସ ମାଳା” ପ୍ରକାଶନର ଯୋଜନା ପ୍ରସ୍ତୁତ କରାଯାଇଥାଏ ।

 

ଏହି ଉଦ୍ୟମଟି ନୂଆ ନୂଆ ଲେଖକମାନଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ଆକର୍ଷଣ କରେ । ଆନନ୍ଦଲହରୀ ଉପନ୍ୟାସ ମାଳାପାଇଁ ଖଣ୍ଡିଏ ଛୋଟ ଉପନ୍ୟାସ ଲେଖିଦେବାକୁ ବାଳକୃଷ୍ଣ ବାବୁଙ୍କର ଆହ୍ୱାନ ଆସେ ମୋ ପ୍ରତି । ସମୟ ମାତ୍ର ଦୁଇଟି ମାସ । ସେଇ ଦୁଇ ମାସ ମଧ୍ୟରେ ଲେଖାହୁଏ ମୋର ପ୍ରଥମ ଉପନ୍ୟାସ—“ମାଟିର ମଣିଷ” ।

 

ମୂଳ ଗଳ୍ପଟିକୁ ଶୁଣିଥିଲି, ପୁରୀଜିଲ୍ଲା ଡେଲାଙ୍ଗ କେନ୍ଦ୍ର ସମବାୟ ଷ୍ଟୋର ସାମ୍ନାରେ ମୁଗବେଙ୍ଗଳା ପକାଉଥିବା ଜଣେ ସମିତିର ସଭ୍ୟଙ୍କ ମୁହଁରୁ ନିଜ କାହାଣୀ ସଙ୍ଗେ ସାନଭାଇର ବ୍ୟବହାର । ସେଇ ଦିନୁ କଥାଟା ମୋର ମନଭିତରେ ଲାଗିରହିଥିଲା । କୁଜଙ୍ଗ, ପୁରୀ ଓ କଟକଜିଲାର ଗାଁ ଗାଁ ବୁଲି ସେଇକଥାଟି ମୁଣ୍ଡଭିତରେ ପାକଳ ଧରି ଯାଇଥାଏ । ତାହା ସହିତ ଗାଁ ଜୀବନର କେତେ ବାସ୍ତବ ଚିତ୍ର ଆଖି ଆଗରେ ନାଚୁଥାଏ ।

 

ସେମତି କଟକଜିଲ୍ଲାର ଗାଁ ଗାଁ ବୁଲୁଥିଲାବେଳେ ବାଳକୃଷ୍ଣ ବାବୁଙ୍କ ବରାଦ ମନେପଡ଼େ । ଆଉ ଗଳ୍ପଟି ମୋରମୁଣ୍ଡଭିତରେ ତାହାର ଛାଞ୍ଚ ବାନ୍ଧେ । ମନେପଡ଼େ ତାରପୁରଠାରୁ ସାଇକଲ ଚଢ଼ି କଟକ ଆସୁଥିବା ବାଟରେ “ମାଟିର ମଣିଷ” ବହିର ପହିଲି ଦି’ ଧାଡ଼ି କବିତା ବୋଲି ବୋଲି ସାଇକେଲ ଚଲାଉଥିଲି ।

 

“ଦୁନିଆର ହାଟେ କୋଟି ହିରାନୀଳା

ମଣି ମାଣିକର ତୁଲ,

ମାଟିର ପିତୁଳା ଗଢ଼ି ରଖିଦେଲି

କିଏ ପଚାରିବ ମୂଲ !”

 

ଗସ୍ତଭିତରେ ରହଣି ଜାଗାରେ ପୁଣି କଟକ ଫେରି ରାତାରାତି ଲେଖି ଶେଷକରେ ମୋର ଉପନ୍ୟାସ । ଲେଖାସରିବା ସଙ୍ଗେ ସଙ୍ଗେ ପଢ଼ି ଶୁଣାଏଁ ବୈକୁଣ୍ଠ ବାବୁ, ଭାଗୁ ଓ ବୃନ୍ଦାବନ ପ୍ରଭୃତିଙ୍କୁ-। ବୈକୁଣ୍ଠ ବାବୁ ପାଣ୍ଡୁଲିପି ଶୁଣିସାରି ଲେଖନ୍ତି ତାଙ୍କର “ମୂକ ଭଗବାନ” କବିତା ଉପନ୍ୟାସର ମୁଖବନ୍ଧ ଭାବରେ ।

 

ବାଳକୃଷ୍ଣ ବାବୁଙ୍କ ସାରସ୍ୱତ ପ୍ରେସ ସେତେବେଳେ ନିମିଚୌଡ଼ି ଭଡ଼ାଘରେ ଅବସ୍ଥିତ ଥାଏ-। ଅଳ୍ପ ଦିନ ଭିତରେ ବହିଖଣ୍ଡି ମୁଦ୍ରିତ ହୋଇ ପ୍ରକାଶ ପାଏ । ମୋହ ସହିତ ପରାମର୍ଶକରି ପାଣ୍ଡୁଲିପି ଧରି ପ୍ରୁଫ୍ ସଂଶୋଧନ କରନ୍ତି ବସନ୍ତକୋକିଳ ଶ୍ରୀ ଭଗବାନ ପତି । ସେତେବେଳେ ସମବାୟ ବିଭାଗର ଆସିଷ୍ଟାଣ୍ଡ ରେଜିଷ୍ଟ୍ରାର ସହଯୋଗ ମୁଖପତ୍ରରେ ପ୍ରକାଶ କରନ୍ତି ତା’ର ଆଲୋଚନା—“ଉପଯୁକ୍ତ ମନ୍ଦିରକୁ ଉପଯୁକ୍ତ ମୁକୁଶିଆଳି” । ପରିହାସ ପ୍ରିୟ ସ୍କୁଲ ସହାଧ୍ୟାୟୀ ପୂର୍ଣ୍ଣାନନ୍ଦ ମହାନ୍ତି କହନ୍ତି, ମୋହର ଉପନ୍ୟାସ “ମାଟିର ମଣିଷ” ସହିତ ବୈକୁଣ୍ଠନାଥଙ୍କର କବିତା “ଗୋବର ଗଣେଶ” ଭଲ ଖାସା ମାନୁଛି ।

 

ପୂର୍ଣ୍ଣାନନ୍ଦଙ୍କ ମନ୍ତବ୍ୟକୁ ବୈକୁଣ୍ଠବାବୁ ଯଥାର୍ଥ ବୋଲି ସମର୍ଥନ କରନ୍ତି ହସି ହସି । “ମାଟିର ମଣିଷ” ପଢ଼ି ସାରି ଶ୍ରୀ ନବକୃଷ୍ଣ ଚୌଧୁରୀ ଲେଖନ୍ତି ଯେ ଆଖିଲୁହ ପୋଛି ଦେଇଛନ୍ତି । ସ୍ୱର୍ଗତ ଲକ୍ଷ୍ମୀନାରାୟଣ ସାହୁଙ୍କ ପାଖରୁ ଆସେ ଉଚ୍ଛ୍ଵସିତ ପ୍ରଶଂସାପତ୍ର । ସେଇ ପରି ବାଟରେ ଘାଟରେ ଅନେକ ପରିଚିତ ଓ ଅପରିଚିତ ବନ୍ଧୁଙ୍କଠାରୁ ପ୍ରଶଂସା ବାଣୀ ଶୁଣେ । ସେଥିସଙ୍ଗେ ସମାଲୋଚନା ମଧ୍ୟ ଶୁଣେ ବନ୍ଧୁମାନଙ୍କର । “ମାଟିର ମଣିଷ” ଲେଖି ମୁଁ ସେତେବେଳେ ମଧ୍ୟମ ଶ୍ରେଣୀ (Enter-class) ରେଲ ଗାଡ଼ିରେ ଯାତାୟାତ କରେଁ; ଅର୍ଥାତ୍ ଗାନ୍ଧୀଙ୍କ ଭଳି ମୋର ତୃତୀୟ ଶ୍ରେଣୀରେ ଯିବାହିଁ ଉଚିତ । ଶେଷରେ ଏବେ କେହି କେହି ଯୁବ ଲେଖକ ବନ୍ଧୁ ବୈକୁଣ୍ଠ ନାଥଙ୍କୁ କହନ୍ତି ଯେ ମୁଁ ପ୍ରକୃତରେ “ମାଟିର ମଣିଷ” ଲେଖିନାହିଁ ।

 

ଆଉ କାହାରି ମତ–ଲେଖିଛି ତାହା ମୋର ସାନଭାଇ ଭାଗୁ । କାରଣ ସେମ‌୍‌ତି ଆଉ ଖଣ୍ଡେ ବହି ତ ମୁଁ ଲେଖି ପାରିନି ! ଶ୍ରୀମତୀ ସରଳା ଦେବୀ ମଧ୍ୟ ମୋତେ ଏଇ ପ୍ରଶ୍ନ କରନ୍ତି । ତାହାର ପ୍ରକାଶ ସ୍ଵତ୍ୱ ମଧ୍ୟ ମୋର ପ୍ରାପ୍ୟ ନୁହେଁ ବୋଲି କେହି କେହି ବନ୍ଧୁ ଜଣାନ୍ତି ମୋତେ ! “ତିନି ତୁଣ୍ଡରେ ଛେଳି କୁକୁର” ଭଳି ମୋର ମଧ୍ୟ “ମାଟିର ମଣିଷ” ଲାଭାଂଶ ପ୍ରାପ୍ୟ ନୁହେ ବୋଲି ଧାରଣା ଜନ୍ମେ; ମାତ୍ର ପ୍ରକାଶକଙ୍କ ଦୟାରୁ ଯେତିକି ତହିଁରୁ ମିଳେ—ଅର୍ଥମନର୍ଥଂ ଭାବୟ ନିତମ୍ ନାସ୍ତିତତଃ ସୁଖଃ ଲେଶ ସତ୍ୟମ୍” ପିଲାଦିନୁଁ ମୁଖସ୍ଥ ମୋର ଥିଲେବି ତା’ରି ଭାବନାହିଁ ସବୁବେଳେ ତ କ’ଣ ସୁଖପ୍ରଦ ହୋଇ ମୋର ରହିଗଲା !

 

ଆହୁରି ସେହି ଘରେ ରଚିତ ହୁଏ ମୋର ଗୀତିନାଟ୍ୟ “ସୌମ୍ୟା” । ଆଇନ୍ ପରୀକ୍ଷାର୍ଥୀ ବନ୍ଧୁ, ଶ୍ରୀ ହରିହର ମହାପାତ୍ର ପ୍ରମୁଖଙ୍କ ପ୍ରଶଂସା ଲାଭକରି ଥିଲି ତାଙ୍କ ସମକ୍ଷରେ ରଚନାଟି ପଢ଼ି ।

 

ବାବାଜି ଯମୁନାଦାସ ଛଦ୍ମନାମରେ ପୁଣି ରଚିତ ହୁଏ ମୋର କବିତା—“ଗାନ୍ଧାରୀର ଆଶୀର୍ବାଦ” ସେଇ ଘରେ ।

 

ଜନନୀର ପଦେ ନତ କରି ଶିର

ମାଗେ କୁରୁ ଚୂଡ଼ାମଣି–

ଶତ୍ରୁ-ସଇନ ପଦ ଦଳିଆସେଁ

ଭିକ୍ଷା ଦିଅ ଜନନୀ

x            x       x

ଶତେକ ପୁତ୍ର ଜନନୀ ଭାଷଇ

କୋମଳ ମଧୁର ଗୀର—

“ଅଭିଳାଷ ଯେବେ ରଣ ପ୍ରାଙ୍ଗଣେ

ଅବତର ଆରେ ବୀର !

କୁରୁମଣି ! ଘେନ ଆଶିଷ ତୋହର

ଜନନୀର ବରାଭୟ

ଅକ୍ଷୟ ହେଉ ପୁଣ୍ୟ ଜଗତେ

ଧର୍ମର ହେଉ ଜୟ ।’’

 

‘‘କାଳିନ୍ଦୀଚରଣ’’ ନାମଟି “ଯମୁନା ଦାସ” ଶବ୍ଦରୁ ସୂଚିତ ହେଲେ ମଧ୍ୟ ସେଥିରେ “ବାବାଜୀ’’ ଶବ୍ଦ ଯୋଗ କରି ଦେବାଦ୍ୱାରା ଅଧିକ ଦୁର୍ବୋଧ୍ୟ ହୋଇପଡ଼େ । ସେଥିଲାଗି ମୁଁ ବନ୍ଧୁମାନଙ୍କ ପାଖରେ ନାଚାର ହୁଏଁ । ସେତିକିବେଳେ ସେଲ୍‍ମା ଲେଗର ଲଫ୍‍ଙ୍କର ନୋବେଲ ପୁରସ୍କାର−ପ୍ରାପ୍ତ ‘‘ଆଉଟ୍ କାଷ୍ଟ’’ ଉପନ୍ୟାସର ଅନୁବାଦ କରି ଭଗବତୀ (ଭାଗୁ) ପଠାନ୍ତି ‘‘ଉତ୍କଳ ସାହିତ୍ୟ’’କୁ । ଧାରାବାହିକ ଭାବରେ ତାହା ପ୍ରକାଶିତ ହେଉଥାଏ ଉକ୍ତ ମାସିକ ପତ୍ରରେ ।

 

ରାଜନୀତିକ୍ଷେତ୍ରରେ ଭଗବତୀଙ୍କର ଉଗ୍ର ମତବାଦ ହେତୁ ବୈକୁଣ୍ଠ ବାବୁଙ୍କ ସହିତ ବହୁତ ତର୍କ ବିତର୍କ ହୁଏ । ଭଗବତୀଙ୍କର ଗାନ୍ଧୀବାଦ ସହିତ ଶ୍ରଦ୍ଧେୟ ବିଶ୍ୱନାଥ କରଙ୍କର ରାଜନୀତି ସମ୍ପର୍କୀୟ ବିଚାର ଧାରା ମାନ୍ଦା ହୋଇଥିବାରୁ ଉଭୟଙ୍କ ଭିତରେ ତୀବ୍ର ଯୁକ୍ତିତର୍କର ଜୁଆର ଛୁଟେ ।

 

ଥରେ ଏହି ତର୍କବିତର୍କ ଭିତରେ ବୈକୁଣ୍ଠନାଥ ସୂଚନା ଦିଅନ୍ତି—ବିଶ୍ୱନାଥ ବାବୁ ମାନ୍ଦାଦଳିଆ ସରକାରୀ ସମର୍ଥକ ବୋଲି ତମର ଯଦି ତାଙ୍କ ସହିତ ମତଭେଦ, ତେବେ ତୁମେ ‘‘ଉତ୍କଳ ସାହିତ୍ୟ’’ ପତ୍ରିକାରେ ନିଜ ଲେଖା ପ୍ରକାଶ କରୁଛ କିପରି?

 

ସେହି ମାତ୍ର ପଦେ କଥାରେ ଭଗବତୀ ପର ଦିନ ସାକ୍ଷାତ୍ କରନ୍ତି ବିଶ୍ୱନାଥ ବାବୁଙ୍କ ସହିତ ।

 

ତାଙ୍କୁ ଜଣାଇ ଦିଅନ୍ତି—‘‘ଆପଣଙ୍କ ସହିତ ରାଜନୀତି କ୍ଷେତ୍ରରେ ମୁଁ ଏକମତ ନୁହେଁ । ତେଣୁ ମୋ ଲେଖା ଆଉ ଆପଣଙ୍କ ପତ୍ରିକାରେ ପ୍ରକାଶ କରିବାକୁ ମୁଁ ଚାହେଁ ନାହିଁ ।’’

 

ଭଗବତୀ ଅପ୍ରକାଶିତ ବାକୀ ପାଣ୍ଡୁ ଲିପିତକ ତାଙ୍କ ପାଖରୁ ଘେନି ଆସନ୍ତି ଏଇଭଳି ସୁସ୍ପଷ୍ଟ ଭାଷାରେ କହି ।

 

ଏହିପରି ଅପ୍ରତ୍ୟାଶିତ ବ୍ୟବହାରରେ କେବଳ ବିଶ୍ୱନାଥବାବୁ ବିସ୍ମିତ ହୁଅନ୍ତି ନାହିଁ, ବୈକୁଣ୍ଠ ବାବୁ ମଧ୍ୟ କେତେ ଥର ମୋ ଆଗରେ ଘଟଣାଟିର ପୁନରାବୃତ୍ତି କରନ୍ତି । ବିଶ୍ୱନାଥ ବାବୁ ଗାନ୍ଧୀ–ବିରୋଧୀ ଓ ପ୍ରତିତ୍ରିୟାଶୀଳ ମନୋବୃତ୍ତିଦ୍ୱାରା ପରିଚାଳିତ ବୋଲି ତାଙ୍କୁ ମୁହେଁ ମୁହେଁ ଜଣାଇଦେବା ଭଳି ଔଦ୍ଧତ୍ୟ କିମ୍ବା ଦୁଃସାହସ ବୈକୁଣ୍ଠ ବାବୁଙ୍କ ମନରେ ବିସ୍ମୟ ସୃଷ୍ଟି କଲେ ହେଁ ମୁଁ ଭଗବତୀର ସେହି ବ୍ୟବହାର ସହିତ ଅଭ୍ୟସ୍ତ ଥିଲି । ପାଣ୍ଡୁଲିପିଟିକୁ ବିଶ୍ୱନାଥ ବାବୁଙ୍କଠାରୁ ଫେରାଇ ଆଣି ସେ ଅବାକ୍ ବୈକୁଣ୍ଠ ବାବୁଙ୍କୁ ମଧ୍ୟ ଦେଖାଏ । ସେ ଘଟଣାକୁ ବୈକୁଣ୍ଠ ବାବୁ କଥା-ଛଳରେ ପୁନରାବୃତ୍ତି କରନ୍ତି । ଯାଚକଲେନ୍‍ର ଘରଟିରେ ଏହି ରୂପେ କେତେକ ଶ୍ରେଷ୍ଠରଚନା ମୋର କେବଳ ଜନ୍ମଲାଭ କରେ ନାହିଁ, ଜନ୍ମଲାଭ କରନ୍ତି କନ୍ୟା ନନ୍ଦିନୀ ଓ ପୁତ୍ର ଶିଶିର ।

 

ସର୍ବପ୍ରଥମେ ଗୋଟିଏ କନ୍ୟା ଓ ଗୋଟିଏ ପୁତ୍ର ପୁରୀରେ ଜନ୍ମଲାଭ କରି ଯେପରି ନଷ୍ଟହୋଇ ଯାଇଥାନ୍ତି ଏହା ପିତୃତ୍ୱର ଚରମ ବ୍ୟର୍ଥତା ରୂପେ ଅହରହ ମୋତେ ଦଂଶନ କରେ । ଦେହ ମନ ସର୍ବାଙ୍ଗ କ୍ଷୋଭ ଓ ଆତ୍ମଗ୍ଳାନିରେ ଜଳି ପୋଡ଼ି ଭସ୍ମାସାତ୍ ହୁଏ,ଯେପରି ଅବା ମୋର ସବୁ ଅସ୍ତିତ୍ଵର ଦାମ୍ଭିକତା । ପ୍ରତିକାର ଲାଗି ଲଢ଼ିବାକୁ ଯାଇ ସବୁ ବିଶ୍ୱାସ ବିଚାର ବିନିମୟରେ ଅବା ଅଣ୍ଡାଳି ହୁଏ ଅନ୍ଧାର ଭିତରେ । ନିଜେ ନିଜକୁ ନିଃସନ୍ତାନ ଅପବାଦରୁ ଉଦ୍ଧାର କରିବା ପାଇଁ ଜଳାଞ୍ଜଳି ଦିଏ ମୋର ସମସ୍ତ ଯୁକ୍ତି ଓ ବିଶ୍ୱାସକୁ । ଅଯୌକ୍ତିକ କୁସଂସ୍କାର ବୋଲି ଯାହା ଭାବୁଥିଲି—ମନ୍ତ୍ର,ତନ୍ତ୍ର, ଗୁଣି, ଗାରଡ଼ି—ପୁରୀଠାରେ ଯେପରି ଯେ ଯାହା ବତାଇଲେ ଅନ୍ଧବିଶ୍ୱାସୀ ହୋଇ ସବୁ ଉପଚାର କରେଁ । ତା’ପରେ ପୁରୀରୁ କଟକ ଆସି ମାଟାର୍ନିଟି ୱାଡ଼କୁ ଯାଇ ଥରକୁ ଥର ପରାମର୍ଶ ମଧ୍ୟ ଲୋଡ଼େ । ଯାହା ଫଳରେ ହେଉ ବା ନ ହେଉ, ପ୍ରଥମ ସନ୍ତାନ କନ୍ୟାଟି ଉପରେ ଅଜାଡ଼ି ଦେଉଁ ଆମେ ସବୁ ପ୍ରକାର ଯତ୍ନ । ସେଥିଲାଗି ନିୟମିତ ଶିଶୁପାଳନ ଓ ଶିଶୁଚିକିତ୍ସାର ବହି କିଣି ପଢ଼ିବାକୁ ହୁଏ । ଶ୍ରୀମତୀ ମାଳତୀ ଦେବୀ ଓ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କଠାରୁ ମଧ୍ୟ ପ୍ରାମାଣିକ ପୁସ୍ତକମାନ ମିଳେ । ରାଜନୀତିଠାରୁ ଆରମ୍ଭ କରି ଶିଶୁପାଳନ ପର୍ଯ୍ୟନ୍ତ ଏକ ଆଧୁନିକ ଲାଇବ୍ରେରୀ ଥାଏ ନବବାବୁଙ୍କ ଘରେ ।

 

କନ୍ୟାଜନ୍ମ ପରେ ଅଳ୍ପ କାଳ ମଧ୍ୟରେ ଆମେ ତାହାର ଯତ୍ନ ନେବା ଦୂରେ ଥାଉ, ସେ ନିଜେ ନିଜର ଯତ୍ନ ନେବାକୁ ଯେପରି ଆଗଭର । ସତେ ଅବା ତା’ପାଖରେ ଆମେ ବାପ ମା କାକୁସ୍ଥହୋଇ ତାକୁ—“ତୋତେ ହୋ ତୁହି ରକ୍ଷାକର, ମୁଁ ଛାର ମଣିଷମାତର” ବୋଲି ଗୁହାରି କରୁଁ-! ସେହି ଯାଚକଲେନ୍ ଘରେ ହିଁ ସବୁଜ ସାହିତ୍ୟ ସମିତିର ମୂଳଦୁଆ । ସମବାୟ-ଉପବିଧି ଅନୁଯାୟୀ ପ୍ରସ୍ତୁତ କରାହୁଏ ସବୁଜ ସାହିତ୍ୟ–ସମିତିର ଏକ ଉପବିଧି । ସମବାୟ ଆଇନ୍ ଅନୁସାରେ ଏହାକୁ ରେଜିଷ୍ଟ୍ରି କରିବାର ପରିକଳ୍ପନା ମଧ୍ୟ ଥାଏ ।

 

ଶରତ୍ ଚନ୍ଦ୍ର, ହରିହର, ବୈକୁଣ୍ଠନାଥ ଏବଂ ମୁଁ ଏକାଠି ହୋଇ ସମବାୟ ସମିତି ଢାଞ୍ଚାରେ ସବୁଜ ସାହିତ୍ୟ ସମିତି’’ର ନିୟମାବଳୀ ଚିଠା କରାହୁଏ । ସଙ୍ଗେ ସଙ୍ଗେ ଆରମ୍ଭ କରି ଦିଆଯାଏ ଗୋଟିକ ପରେ ଆଉ ଗୋଟିଏ ପୁସ୍ତକ ପ୍ରକାଶ । ତାହାର ମୁଖ୍ୟ ଦାୟିତ୍ୱ ଗ୍ରହଣ କରନ୍ତି ଶ୍ରୀ ଶରତ ଚନ୍ଦ୍ର ମୁଖାର୍ଜୀ ।

 

ଏହିରୂପେ କଟକ ନେତୃସ୍ଥାନୀୟ ପ୍ରବୀଣ ବ୍ୟକ୍ତିମାନଙ୍କର ଚକ୍ଷୁଶୂଳ ହୋଇ ଉଠେ ଆମର ଯୁବ–ପ୍ରଚେଷ୍ଟା । କାରଣ ଆଉ କିଛି ନୁହେଁ—“ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ”—କୋଣାର୍କ ମନ୍ଦିର ମୁଣ୍ଡି ମାରିବାକୁ ବାରଶ ବଢ଼େଇ ପାରିଲେ ନାହିଁ, କିନ୍ତୁ ପାରଲା ଜଣେ ବାରବର୍ଷର ବଢ଼େଇ ପୁଅ କି ଲଜ୍ଜା, କି ଅପମାନ ବାର ଶହ ଦକ୍ଷ କାରିଗରଙ୍କ ପ୍ରତି ! ସେଇ ପିଲାଟାକୁ ନିକାଶ ନ କଲେ ରକ୍ଷା କେଉଁଠି !

 

“ସବୁଜ ସାହିତ୍ୟ ସମିତି”ର ଯୋଜନା ଦିନକୁ ଦିନ ନୂଆ ନୂଆ ରୁପରେ ବିସ୍ତାର ଲାଭକରେ । ପ୍ରତିମାସରେ “ଯୁଗବୀଣା” ପତ୍ରିକାଖଣ୍ଡିର ପ୍ରକାଶନ ସାଙ୍ଗକୁ ନୂଆନୂଆ ଓଡ଼ିଆ ବହିର ବିଜ୍ଞାପନ କଟକରେ ଉତ୍କଳୀୟ ଶିକ୍ଷା-ସଂସ୍କୃତିର ପୁରୋଧା ଓ ସ୍ତମ୍ଭମାନେ ରହୁଥିବାସ୍ଥଳେ ଆମେ ଜଣକେତେ ଅଳ୍ପବୟସ୍କ ଯୁବକ ବାହାରି ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଏତେ ବଡ଼ ଉଗ୍ର ନେତୃତ୍ୱ ଗ୍ରହଣକରିବୁଁ—ତାହା କ’ଣ କେବେ ହେଲେ ସହ୍ୟ କରାଯାଇପାରେ ? କି ଲଜ୍ଜା ! କି ଅପମାନ !

 

“ସବୁଜ ସାହିତ୍ୟ ସମିତି”ର ପ୍ରକାଶିତ ପୁସ୍ତକମାନ ଓଡ଼ିଶାର ଚତୁର୍ଦ୍ଦିଗରେ ବ୍ୟାପିବାକୁ ଲାଗେ । ସେଥିସହିତ ପ୍ରତି ଇଂରାଜୀମାସର ଶେଷ ସପ୍ତାହରେ ପ୍ରକାଶିତ ହେଉଥିବା ‘‘ଯୁଗବୀଣା” ମାସିକପତ୍ରିକା-ଖଣ୍ଡିକ ମଧ୍ୟ ମାତ୍ର ଦୁଇଅଣାର ଡାକଟିକଟ ଅଗ୍ରିମ ପଠାଇଲେ ଗୋଟିଏ ସଂଖ୍ୟା ନମୁନା ସ୍ଵରୂପ ଦିଆଯାଏ—(୧) ଡି. ପି.ଗୁରୁ – ସମ୍ବାଦପତ୍ର ବିକ୍ରେତା, ସମ୍ବଲପୁର (୨) ବାରିପଦା ବୁକ ଡିପୋ— ବାରିପଦା (୩) ବାଣୀ ସାହିତ୍ୟମନ୍ଦିର—ଭଦ୍ରକ (୪) ନୀଳାଚଳ ପୁସ୍ତକାଳୟ —ସିଂହଦ୍ୱାର, ପୁରୀ (୫) ଷ୍ଟୁଡେଣ୍ଟସ୍ ଷ୍ଟୋର - ବ୍ରହ୍ମପୁର, ଗଞ୍ଜାମ ଓ କଟକର ପ୍ରାୟ ସବୁ ବହିଦୋକାନରେ ସବୁଜ ସାହିତ୍ୟ-ସମିତିର ପୁସ୍ତକମାନ ମିଳେ ।

 

କବିବର ଚିନ୍ତାମଣି ମହାନ୍ତିଙ୍କ ଲିଖିତ “ଶନିସପ୍ତା’’, ଦିବ୍ୟସିଂହ ପାଣିଗ୍ରାହୀଙ୍କ ଉପନ୍ୟାସ “ତୁ ମୋ ମା’’, ମାୟାଧର ମାନସିଂହଙ୍କ “ପୂଜାରିଣୀ” ସଚ୍ଚିଦାନନ୍ଦରାଉତରାୟଙ୍କ କବିତା “ପାଥେୟ’’ ଓ “ପୂର୍ଣ୍ଣିମା”, ଶରତଚନ୍ଦ୍ର ମୁଖାର୍ଜୀଙ୍କ “ପଞ୍ଚପୁଷ୍ପ”, ବୈକୁଣ୍ଠନାଥଙ୍କ ନାଟକ “ମୁକ୍ତିପଥେ”, ହରିଶ୍ଚନ୍ଦ୍ର ବଡାଲ୍‍ଙ୍କର “ଦେଶରଡାକ”, ହରିହର ମିଶ୍ରଙ୍କର“ଆଶୀର୍ବାଦ” ନାଟକ ସମେତ “ବାସନ୍ତୀ’’ “ସବୁଜକବିତା’’, ପ୍ରଭୃତି ଗ୍ରନ୍ଥର ବିଜ୍ଞାପନ ବହନ କରି ବାର୍ଷିକ ଦୁଇଟି ମାତ୍ର ମୁଦ୍ରା ବିନିମୟରେ ବର୍ଷରେ ବାରଖଣ୍ଡି ‘‘ଯୁଗାବୀଣା” ମିଳିଥାଏ ।

 

ଦ୍ରୁତ ଗତିରେ ବିସ୍ତାର ଲାଭ କରେ ସବୁଜ ସାହିତ୍ୟ-ସମିତିର ପରିସର ଆଉ ଚହଳ ପକାଇ ଦିଏ ଓଡ଼ିଶାବ୍ୟାପି । ତାରୁଣ୍ୟର ଏହି ସୁନିର୍ଦ୍ଦିଷ୍ଟ ଜୟଯାତ୍ରାର ପଦକ୍ଷେପ ସ୍ଥାନୀୟ କେତେକ ପ୍ରବୀଣ ଲେଖକ ପୁଣି ସାହିତ୍ୟିକମାନଙ୍କ ପକ୍ଷରେ ହୁଏ ଦୃଷ୍ଟିକଟୁ ।

 

କଟକରେ ମୁଁ ସମବାୟ ବ୍ୟାଙ୍କର ମ୍ୟାନେଜର ଆଉ ମୋର ବନ୍ଧୁ ଶ୍ରୀ ଶରତ ଚନ୍ଦ୍ର ମୁଖାର୍ଜୀ ସେଇ ବିଭାଗର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଥାଇ ମଧ୍ୟ ସବୁଜ ସାହିତ୍ୟ ସିମିତି ଭଳି ଏକ ବଳିଷ୍ଠ ସାହିତ୍ୟ-ସଂଗଠନ ଗଢ଼ିଛୁଁ । ପୁଣି ଏହା ବ୍ୟବସାୟମୂଳକ ଏକ ପ୍ରକାଶନ ସଂସ୍ଥା ହୋଇଥିବା ହେତୁ ଶ୍ରୀ ଶରତ ଚନ୍ଦ୍ର ମୁଖାର୍ଜୀ ସମବାୟ ବିଭାଗର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର-ରୂପେ ପ୍ରତ୍ୟକ୍ଷ ଭାବେ ଏଥି ସହ ସଂପୃକ୍ତ । ଏହା ନିୟମ ବିରୁଦ୍ଧ । ତାଙ୍କ ସହିତ ମୁଁ ମଧ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜର ରହି ସହଯୋଗ କରିଥିବାରୁ ଦୋଷୀ ସାବ୍ୟସ୍ତ ହୁଏଁ ।

 

Unknown

ଯେଉଁ ଡାଳେ ବସେଁ ସେ ଡାଳ ଭାଙ୍ଗେ

 

କେବଳ ତ ସାହିତ୍ୟରେ ନୁହ, ସାମାଜିକ ଜୀବନରେ ମଧ୍ୟ ଆମେ ଥିଲୁଁ ସମ୍ପୂର୍ଣ୍ଣ ଉଦାରପନ୍ଥୀ । ଧର୍ମଭେଦ ପୁଣି ନାରୀମାନଙ୍କ ପର୍ଦାପ୍ରଥା ଆଦି ପୁରୁଣା ରୀତିକୁ ଆମେ କେବଳ ଯେ ବିଶ୍ୱାସ କରୁ ନ ଥିଲୁଁ, ସେତିକି ନୁହେ—ପୂରାପୂରି ଘୃଣା କରିଥିଲୁଁ । ଅତଏବ ସମାଜର ସ୍ତମ୍ଭ ରୂପେ ରହିଥିବା ବ୍ୟକ୍ତିମାନଙ୍କ ପକ୍ଷରେ ଏଭଳି ବିପ୍ଳବାତ୍ମକ ସଂସ୍କାରବାଦ ସହ୍ୟ ହୁଅନ୍ତା କେଉଁ ଭୂମିକା ଘେନି ?

 

ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ବଙ୍ଗୀୟ ବ୍ରାହ୍ମ ସମାଜରେ, ଅନ୍ନଦାଶଙ୍କର ଖ୍ରୀଷ୍ଟ୍ରୀୟ ଆମେରିକା ସମାଜରେ, ଶରତ୍ ଚନ୍ଦ୍ର ଅବ୍ରାହ୍ମଣରେ ବିବାହ କରନ୍ତି । ହରିହର, ବୈକୁଣ୍ଠନାଥ କିମ୍ବା ମୁଁ ପୂରାପୂରି ସାମାଜିକ ଗଣ୍ଡି ଭିତରେ ବିବାହ କରି ସୁଦ୍ଧା ଆମ ପରସ୍ପର ମଧ୍ୟରେ ଅବାଧ ମିଶ୍ରଣ ଓ ପାନାହାର ସଙ୍ଗେ ସମ୍ମିଳିତ ସାହିତ୍ୟିକ ପ୍ରଚେଷ୍ଟା ସ୍ଥିତିଶୀଳମାନଙ୍କର ସେତେବେଳେ ଚକ୍ଷୁଶୂଳ ହେବା ସ୍ୱାଭାବିକ । ଯଥାର୍ଥରେ ଆମେ ପର୍ଦ୍ଦାପ୍ରଥାର ଘୋର ବିରୋଧୀ ଥିଲୁଁ । ବିଚାରୁ ଥିଲୁଁ ତାହାକୁ ଏକ ମଧ୍ୟଯୁଗୀୟ ଅସ୍ଵାଭିକ ବ୍ୟବସ୍ଥାଭାବରେ । ସର୍ବୋପରି ବନ୍ଧୁତା ଆମର ପ୍ରତିଷ୍ଠିତ ଏକ ସୁମର୍ଜିତ ସମୁଚ୍ଚସ୍ତରରେ, ଯାହା ଆଜି ଅର୍ଦ୍ଧଶତାବ୍ଦୀ ଅତିକ୍ରମ କରି ମଧ୍ୟ ଉଜ୍ଜ୍ୱଳତର ହୋଇଛି ସିନା, ମଳିନ ପଡ଼ିଥିବା କେବେ ହେଲେ ସ୍ମରଣକୁ ଆସିନାହିଁ ।

 

ସେଥିସହିତ ବନ୍ଧୁ-ପତ୍ନୀମାନଙ୍କ ପରସ୍ପର ମଧ୍ୟରେ ବନ୍ଧୁତା ଅତୁଟ ଓ ଅବିକଳ । ସେଇ ବିଚାରରୁ ସବୁଜ ଯୁଗ ପ୍ରତିଷ୍ଠାରେ ଦାନ ସାହିତ୍ୟ ତୁଳନାରେ ବନ୍ଧୁତା ହିଁ ଅଧିକ ବୋଲି ଚାକ୍ଷୁଷ ପ୍ରମାଣ ବିଦ୍ୟମାନ । ତାହାହିଁ ବୋଧହୁଏ ସାହିତ୍ୟ ଶବ୍ଦଟିର ଅସଲ ଆକ୍ଷରିକ ଓ ମୌଳିକ ମର୍ମ । ସେଇ ବନ୍ଧୁତାର ପରୀକ୍ଷା ନିରିକ୍ଷା ଲାଗି କ୍ଷେତ୍ର ପ୍ରସ୍ତୁତ ହେବା ମଧ୍ୟ ସ୍ୱାଭାବିକ ।

 

ଅତଏବ, ଆମବିରୁଦ୍ଧରେ ଈର୍ଷାନ୍ଵିତ ହୁଅନ୍ତି କଟକି ସମାଜର ବିଶିଷ୍ଟ ସ୍ତମ୍ଭମାନେ, ଯଥା-ସ୍ଵର୍ଗତ ରାୟବାହାଦୂର ଲକ୍ଷ୍ମୀଧର ମହାନ୍ତି, ରାୟବାହାଦୂର ଚିନ୍ତାମଣି ଆଚାର୍ଯ୍ୟ, ରାୟବାହାଦୁର ଭିକାରିଚରଣ ପଟ୍ଟନାୟକ, ରାୟବାହାଦୁର ଗୋପାଳଚନ୍ଦ୍ର ପ୍ରହରାଜ ପ୍ରମୁଖ ବ୍ୟକ୍ତିମାନେ । ଏବେ ସୁଦ୍ଧା ବ୍ୟକ୍ତିତ୍ୱ ଓ ବିଶିଷ୍ଟତା ବିଚାରରୁ ସେମାନଙ୍କ ପ୍ରତି ଆମର ବ୍ୟକ୍ତଗତ ଶ୍ରଦ୍ଧା ସମ୍ମାନ ଅବଶ୍ୟ ଅକ୍ଷୁର୍ଣ୍ଣ ରହିଛି । ସେତେବେଳେ ସମବାୟ ବିଭାଗର ରେଜିଷ୍ଟ୍ରାର ଥାନ୍ତି ଗୋରା ଆଇ.ସି.ଏସ୍ ଏନସୋର୍ଜ ସାହେବ; ବଙ୍ଗଳାରୁ ଅଲଗା ହୋଇ ବିହାର ଓଡ଼ିଶା ଶାସିତ ହେଉଥାଏ ଗୋଟିଏ ପ୍ରଦେଶ ଭାବରେ ।

 

ଏନସୋର୍ଜ ସାହେବଙ୍କ ସହିତ ସାକ୍ଷାତ୍ କରି କଟକ ପ୍ରତିନିଧି ଦଳର ଅଭିଯୋଗ ହେଲା,–ସମବାୟ ବିଭାଗରେ ଶ୍ରୀ ଶରତ୍ ଚନ୍ଦ୍ର ମୁଖାର୍ଜି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଓ ମୁଁ ବ୍ୟାଙ୍କ ମ୍ୟାନେଜର ରହି ବ୍ୟବସାୟ ଭିତ୍ତିରେ ଏକ ସାଧାରଣ ସାହିତ୍ୟ ସଂଗଠନ କରିଛୁଁ । ପ୍ରଚ୍ଛନ୍ନ ଭାବରେ ଆମର ରହିଛି ମଧ୍ୟ ଏକ ଟାଣୁଆ ରାଜନୀତିକ ଗାନ୍ଧୀବାଦୀ ମେଣ୍ଟ ।

 

ଇଂରେଜ ଆଇ.ସି.ଏସ.ଏନ୍ ସୋର୍ଜ ସାହେବ ପ୍ରତିନିଧି ବର୍ଗଙ୍କର ଯୁକ୍ତିକୁ ଖଣ୍ଡନ କରି ପ୍ରକାଶ୍ୟରେ କହିଥିବା ଜଣାପଡ଼େ—ଆମର ସାହିତ୍ୟସଂସ୍ଥା ସଙ୍ଗଠନ ଫଳରେ ସମବାୟ କ୍ଷେତ୍ରରେ ତ କୌଣସି ଅବହେଳାର ଲକ୍ଷଣ ଦେଖାଯାଇ ନାହିଁ । ପୁଣି ରାଜନୀତିକ ସ୍ଵଦେଶୀ ବା ଅସହଯୋଗ ଆନ୍ଦୋଳନରେ ଆମେ ତ କିଛି ସକ୍ରିୟ ଅଂଶ ଗ୍ରହଣ କରିବାର ପ୍ରମାଣ ନାହିଁ । ଅତଏବ ଆମ ବିରୁଦ୍ଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ସରକାରି ବିଭାଗୀୟ ନିୟମଦୃଷ୍ଟିରୁ ଅବିଧେୟ । ଏନ୍‍ସୋର୍ଜ ସାହେବ ଜଣେ ଦକ୍ଷ ସରକାରି ପ୍ରତିନିଧି ରୂପେ ବେସରକାରି ପ୍ରତିନିଧି ଦଳକୁ ଉତ୍ତର ଦେଇଥିଲେ ବୋଲି ସେ ଘଟଣା ଅବଶ୍ୟ ପରେ ପ୍ରକାଶଯାଏ; କିନ୍ତୁ ଇଂରେଜ ଶାସନ ତ ଭାରତକୁ ଆସେ ବାଣିଜ୍ୟ ମାଧ୍ୟମରେ । ଆଉ ତାଙ୍କ ସଙ୍ଗେ ଲଢ଼େଇ କରି ଗାନ୍ଧୀ ମଧ୍ୟ ନିଜକୁ ଜଣେ “ଚତୁରବଣିକ’’ (I am a Shrewed Bania) ବୋଲି ଅଭିହିତ କରନ୍ତି । ଇଂରେଜ ସିଭିଲିଆନ୍ ଏନ୍‍ସୋର୍ଜ ସେହି ପରି ଚତୁରତା ଓ ଦକ୍ଷତାର ସହିତ କାର୍ଯ୍ୟାନୁଷ୍ଠାନ କରିଥିଲେ ମଧ୍ୟ ସଙ୍ଗେ ସଙ୍ଗେ କୌଣସି ଆଦେଶ ମିଳି ନ ଥାଏ । ପୁଣି ବ୍ୟାଙ୍କ୍ ମ୍ୟାନେଜର କାମଟା ମୋର ତ କିଛି ସରକାରି ଚାକିରି ନୁହେ ! ବ୍ୟାଙ୍କର ସେକ୍ରେଟାରୀ ବୋର୍ଡ଼ ଅଫ୍ ଡାଇରେକ୍ଟର ସଦସ୍ୟମାନେ ସମସ୍ତେ ବେସରକାରି ଲୋକ । ସେଇମାନଙ୍କ ମତାମତ ଉପରେ ଚାକିରି ମୋର ନିର୍ଭର କରେ । ଅଥଚ ତାଙ୍କ ଭିତରୁ ତ କେତେକ ମୁଖ୍ୟବ୍ୟକ୍ତି ଯାଇ ଡେପୁଟେସନରେ ଆମ ସବୁଜ-ସାହିତ୍ୟ-ସମିତି ସଂଗଠନ ବିରୁଦ୍ଧରେ ପୁଣି ସେଥି ସହିତ ମୁଁ ସଂପୃକ୍ତ ଓ ଗାନ୍ଧୀବାଦୀ ଥିବା କଥା ଅଭିଯୋଗ କରିଥାନ୍ତି ।

 

ପ୍ରକାଶ୍ୟରେ କୌଣସି ସୂତ୍ରରୁ ମୋର ଚାକିରୀ ଚାଲିଯିବା ସଙ୍କେତ ମିଳେନାହିଁ ମୋତେ । ତଥାପି ମନଟା ଏକ ଦୋଳାୟମାନ ଅବସ୍ଥାରେ—କିନ୍ତୁ ଦମ୍ଭ କେବେହେଲେ ତୁଟି ନାହିଁ । ବରଂ ଆତ୍ମ ବିଶ୍ୱାସ ମୋର ଦୃଢ଼ରୁ ଦୃଢ଼ତର ହୋଇ ଉଠେ । ମନେହୁଏ—ସେତେବେଳେ ମୋ ପ୍ରତି ଯେପରି ଏହା ଏକ ଅନ୍ତର୍ନିର୍ଦ୍ଦେଶ—ଜୀବନକୁ ଗଭୀରରୁ ଆହୁରି ଗଭୀରତର ପରୀକ୍ଷା ନିରୀକ୍ଷା କରିବାର ଏକ ପରମ ସୁଯୋଗ ।

 

ନିଜେ ତ ମୁଁ କାହାରି କେବେ କିଛି କ୍ଷତି କରିବାକୁ ଯାଇ ନାହିଁ । ମାତ୍ର ମୁଁ ଅଳ୍ପ ବୟସରେ ସଂସାର ତ୍ୟାଗୀ ସନ୍ନ୍ୟାସୀ ହେବାକୁ ସ୍ଥିର କରିଥିଲି । ଏବେ ସଂସାର କରି ସାରିବା ପରେ ସେହି ଡାକରା ଯଦି ଆସେ, ତେବେ ଆଉ ଡରିବି କାହିଁକି ? ବିରାଟ ଏହି ଦୁନିଆଁଟାରେ ମୋ ଭଳି ଜଣେ ଲୋକ ଓ ତା’ର ଛୋଟ ପରିବାରଟି ପାଇଁ କ’ଣ ଥାନ ମିଳିବ ନି ଟିକିଏ !

 

କୋଟି କୋଟି ମଣିଷ ତ ପୁଣି ସଂସାରରେ ଖାଲଢିପ ଡେଇଁ ଚାଲିଛନ୍ତି—ଖାଲି ମଣିଷ କାହିଁକି, ପଶୁପକ୍ଷୀ କୀଟପତଙ୍ଗ ଅଗଣନ ! ତାଙ୍କରି ଭିତରୁ ମାତ୍ର ଜଣେ ମୁଁ—ଆଉ ମୋ ଉପରେ ନିର୍ଭର କରୁଥିବା ଏକ କ୍ଷୁଦ୍ର ପରିବାର । ସବୁଠାରୁ ହାସ୍ୟାସ୍ପଦ ପୁଣି ଅସମ୍ଭବ ବୋଲି ଆଜି ମଧ୍ୟ ମୋର ମନେ ହୁଏ ଯେ, କେବଳ ସାହିତ୍ୟ ରଚନାରେ ଆତ୍ମ ବିନିଯୋଗ କରି ଜୀବନ ନିର୍ବାହ ସମ୍ଭବପର ବୋଲି ସେତେବେଳେ ମୁଁ ବିଶ୍ୱାସ କରୁଥିଲି । ଆଉ ସେ ବିଶ୍ୱାସ ମୋହ ଭିତରେ ମଉଳିବା ପରିବର୍ତ୍ତେ ଦୃଢ଼ରୁ ଦୃଢ଼ତର ହୋଇ ଉଠେ ଏତେ ଧକ୍କା ଖାଇବାସତ୍ତ୍ୱେ ।

 

ଆପଣା ପରିବାର ଯେତେ କ୍ଷୁଦ୍ର ହେଲେ ମଧ୍ୟ ମୋର ମାତା-ପିତାଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ, ତାହାର ଦାୟିତ୍ୱ ବହନ କରିଥାନ୍ତି ଜ୍ୟେଷ୍ଠ ଦିବ୍ୟସିଂହ । ସେ ଦାୟିତ୍ୱ ତୁଲାଇବାରେ ମୋର ମଧ୍ୟ ନ୍ୟାୟତଃ ଗୋଟାଏ ଅଂଶ ରହିବା ଯେ ଉଚିତ—ପୈତୃକ ସମ୍ପତ୍ତିର ଉତ୍ତରାଧିକାରି ଭାବରେ— ସେତେବେଳେ ଏଇ ଯୁକ୍ତିଟା ରହିଯାଇଥିଲା ମୋହଠାରୁ ଅନେକ ଦୂରରେ ଯେମ‌୍‌ତି ! କାରଣ—

 

“ନିଜ ରକ୍ଷଣେ ଅସମ୍ଭବ ।

ସେ କାହୁଁ ପରକୁ ରଖିବ !”

 

କୃଷି-ସଭ୍ୟତା ମଧ୍ୟରେ ଯୌଥ ପାରିବାରିକ ଜୀବନର ଏଭଳି ଦର୍ଶନ ସ୍ୱାଭାବିକ ବୋଲି ମନେହୁଏ ।

 

ଏମ‌୍‌ତି ଗୋଟାଏ ସନ୍ଧିକ୍ଷଣରେ ଚାକିରି ଛାଡ଼ିଦେବାକୁ ଭାଇନାଙ୍କ ପାଖକୁ ମୁଁ ଖଣ୍ଡେ ପତ୍ର ଲେଖେଁ । ଅବଶ୍ୟ ସେତେବେଳେ ସେ ବାରିପଦାରେ ଷ୍ଟେଟ୍ ଓକିଲ ରୂପେ କାର୍ଯ୍ୟ କରି ଆମ ଯୌଥ ପରିବାରର ମୁଖ୍ୟ ଭାବରେ ସମସ୍ତ ଦାୟିତ୍ୱ ନେଇ ସାରିଥାନ୍ତି । ଅନବରତ ବାପା ଓ ଭାଇନାଙ୍କ ସହିତ ପ୍ରତ୍ୟେକ ବିଷୟରେ ପତ୍ର ବିନିମୟ ହେଉଥାଏ । ମୋର କୌଣସି ନିଜ ଚିଠିର ନକଲ ମୋ ପାଖରେ ନାହିଁ; କିନ୍ତୁ ଦୈବାତ୍ ଭାଇନାଙ୍କର ଖଣ୍ଡିଏ ପୋଷ୍ଟକାର୍ଡ଼ ରହିଯାଇଛି, ସେତେବେଳର ମୟୂରଭଞ୍ଜରେ ଷ୍ଟେଟ୍ ଓକିଲ ଥିବା ସମୟରେ ଜ୍ୟେଷ୍ଠ ଦିବ୍ୟସିଂହ ମୋହ ପାଖକୁ ପଠାନ୍ତି ଏଇ କାର୍ଡ଼ ଖଣ୍ଡି –ତା’ରି ଅବିକଳ ନକଲ—

 

ବାରିପଦା

୨୯/୧୧/୧୯୩୬

ଓଁ

 

କାଳିନ୍ଦୀ,

ତୋ ଚିଠି ପାଇଲି । ଏଠାର ପିଲାମାନଙ୍କର ସବୁ ଭଲ । କୁନୀ ଓ ପୁଅଟି କିପରି ଅଛନ୍ତି ! ସୁଦୁରା, ଘାସିଆଠରୁ ଔଷଧ ଅଣାଇ କାଲି ଡାକରେ ପଠାଯାଇଛି । ଔଷଧ ପାଇ ପିଲାଙ୍କଠାରେ ଲଗାଇଦେବ । ମାମୁଁଙ୍କ ଠାରୁ ଭାଷା ଆସିଥିଲା—ନନ୍ଦଙ୍କ ଘରକୁ ସେ ରୀତିମତ ବେଭାର ଦେଇଛନ୍ତି । ତୋ ଚାକିରୀ ବିଷୟରେ ଯାହା ଦୈବାତ୍ ହେବ, ସେଥିପାଇଁ ଚିନ୍ତା କରିବାର କିଛି ନାହିଁ-। ମୁଁ ତ ଅନେକ ଦିନରୁ ଭାବୁଥିଲି ‘ଭାଗୁ’ କୌଣସିଠାରେ ସ୍ଥିର ହୋଇ ରହିବା ପର ଦୁଇ ତିନି ବର୍ଷ ଭିତରେ ତୁ ଚାକିରୀ ଛାଡ଼ି ବହି ଲେଖିବାରେ ଲାଗି ପଡ଼ନ୍ତୁ । ପ୍ରଭୁ ଯେବେ ଆଗରୁ ତାହା କରିବାକୁ ଦେବେ, ଚିନ୍ତା କ’ଣ ? ତୋ ନିଜ ଆଡ଼ୁ ଚାକିରୀ ବର୍ତ୍ତମାନ ଛାଡ଼ିବା ପାଇଁ କିଛି କରିବୁ ନାହିଁ—ଯାହା ବଳେ ବଳେ ଘଟିବ, ମୁଣ୍ଡ ପାତି ଗ୍ରହଣ କରିବା । ଦେଖାଯାଉ, କ’ଣ ହେବ । ଶୀଘ୍ର ଉତ୍ତର ଦେବୁ ! ଗାଁରୁ ମାମୁଁ ଲେଖିଥିଲେ, ଏ ମଧ୍ୟରେ ଗାଈ ଓ ଅନ୍ୟାନ୍ୟ ଜିନିଷ ଦେଇ ପଠାଇବେ ବୋଲି ।

 

ପଠାଇଲେଣି କି ନା ? ଭାଗୁ ଚିଠି ଦେଇଥିଲା—ଭଲଅଛି । ବଡ଼ଦିନ ବନ୍ଦରେ ପିଲାଙ୍କୁ ନେଇ ଏଠାକୁ ଆସିବୁ । ମୁଁ ଗାଁକୁ ଯିବାର ସ୍ଥିର କରୁଛି । ବହି ବିଷୟରେ ମହାରାଜା ଆସିଲେ ତାଙ୍କୁ ପଚାରି ରଖିବି । ପରେ ଯାହା ହେବ । ମହାରାଜା ଡିସେମ୍ବର ୧୫ ତାରିଖ ଆଡ଼କୁ ଆସିବାର ଅଛି-। ଆଉ ସବୁ ଖବର ଲେଖି ଶୀଘ୍ର ଉତ୍ତର ଦେବୁ । ଇତି ।

 

ସ୍ନେହର

ଭାଇନା

 

ଭାଇନାଙ୍କ ଚିଠିରେ ଏହି ଦମ୍ଭ ଓ ସାହସ ମୋ ପ୍ରାଣରେ ଯେଉଁ ଶକ୍ତି ସଞ୍ଚାର କରେ, ସହଜରେ ତାହା ଅନୁମେୟ । ଘର ଭିତରେ ତାଙ୍କ ପ୍ରତି ସଂଭ୍ରମ କେବଳ ତ ଆମ କନିଷ୍ଠମାନଙ୍କର ନ ଥିଲା, ବାପା ବୋଉଙ୍କର ମଧ୍ୟ “ଆଗ, ସୁନାପାଗ” ଭାବରେ ତାଙ୍କଠାରେ ଆସ୍ଥା ରହିଥାଏ ସର୍ବାଧିକ । ପୋଷ୍ଟକାର୍ଡରେ ‘କୁନି’ ଅର୍ଥାତ୍ ନନ୍ଦିନୀକୁ ସେତେବେଳେ (୧୯୩୨)ବୟସ ମାତ୍ର ଦୁଇ ବର୍ଷ ଓ ପୁଅ ଶିଶିରକୁ ମାତ୍ର କେତେ ମାସ । ‘ଭାଗୁ’ (ଭଗବତୀଚରଣ) ପଢ଼ୁଥାଏ ପାଟଣାରେ ଏମ୍.ଏ ।

 

ବୈଷୟିକ ବିଚାରରୁ କିନ୍ତୁ ମୋର ପ୍ରପିତାମହ ଶ୍ରୀନିବାସ ଯେପରି ଯାହା କମେଇଲେ, ଗାଁଆରେ ଦିଅଁ ଦେଉଳ ତୋଳାଇ ନିଜ ଚାରିଭାଇଙ୍କ ଭିତରେ ସବୁ ସମାନ ଭାଗବଣ୍ଟରା କରିଗଲେ—ଅଳ୍ପ ବହୁତେ ରହିଯାଏ ସେଇ ଢଙ୍ଗଟା ବୋଧହୁଏ ଆମ ସମସ୍ତଙ୍କ ଭିତରେ । ଜନ୍ମ ସ୍ଥାନ ନିଜ ଗାଁ ଛାଡ଼ି ସହରରେ ଘର ତୋଳି ରହିବା ଆରମ୍ଭ ହୁଏ କେବଳ ଭାଇନାଙ୍କ ସମୟରୁ । ତହୁଁ ସେ ବାରିପଦା ଓ ମୁଁ ସପରିବାର କଟକ ଆସିବା ପରେ ମଧ୍ୟ ପାରିବାରିକ ଯୋଗାଯୋଗ ଅକ୍ଷୁର୍ଣ୍ଣ ରହିଥାଏ ଆମ ଭିତରେ !

 

ସମବାୟ ବିଭାଗରେ ଶରତ୍ ଓ ମୋହ ଭିତରେ ଯେଉଁ ନୈକଟ୍ୟ କଟକରେ ସଂଘଟିତ ହୁଏ ତାହା ବିଚ୍ଛିନ୍ନ ହୋଇ ପଡ଼େ; କିନ୍ତୁ ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କ ପକ୍ଷରେ ଅସହ୍ୟ ହେବାରୁ । କିଛି କାଳ ପରେ ଓଡ଼ିଶା ଛାଡ଼ି ଶ୍ରୀ ଶରତ ଚନ୍ଦ୍ରଙ୍କର ବିହାରକୁ ବଦଳି ଆଦେଶ ଆସେ । କଟକ ସମବାୟ ବ୍ୟାଙ୍କର ଡାଇରେକ୍ଟରମାନେ ମଧ୍ୟ ତାଙ୍କର ଆର୍ଥିକ ଅବସ୍ଥା ଦୃଷ୍ଟିରୁ ଦୁଇଜଣ ମ୍ୟାନେଜର ରଖିବା ସମ୍ଭବପର ନୁହେଁ ବୋଲି ଦର୍ଶାଇ ମୋତେ ବିଦାୟ ଦିଅନ୍ତି କର୍ମକ୍ଷେତ୍ରରୁ ।

 

ସମବାୟ ବିଭାଗରେ ଗାଁ ଗାଁ ବୁଲି ସମବାୟ ଋଣ ସମିତିଗୁଡ଼ିକର ହିସାବ ପତ୍ର ତନଖିବା ଓ ବକୟା ସୁଧ ମୂଳ ଅସୁଲ କରିବା କାମ ମୋତେ ଯେ ଖୁବ୍ ସୁଖ ଲାଗୁଥିଲା, ତାହା ନୁହେ; ମାତ୍ର ନୂଆ ନୂଆ ଗାଁକୁ ଯିବା ଓ ସେଠାର ଲୋକଙ୍କ ସହ ପରିଚିତ ହେବାର ଯେଉଁ ଆକର୍ଷଣ ମୋର ରହିଥିଲା, ତାହା ଛିନ୍ନ ହୋଇଗଲା, ମନେ ହେଲା ଯେପରି ମହର୍ଗରୁ ଆସି ମୁଁ କାନ୍ତାରରେ ପଡ଼ିଛି ।—

 

“ହେ ସାରଥି !ଏ କି ଚଉ ପାଶେ ତୋର ବ୍ୟୁହ

ଅଚଳ ତୁରଗ ନ ପାରଇ ରଥ ବାହି;

ଯେଉଁଦିଗେ ମୁଖ ଫେରଉ ଶୁଭଇ ବାଣୀ

ପଥ କାହିଁ, ପଥ କାହିଁ;

 

“ମହାଭାରତ”ର ଅଭିମନ୍ୟୁ ଭଳି ଚାରିପଟେ ସପ୍ତରଥୀଙ୍କ ବ୍ୟୁହ ଭିତରେ ପଡ଼ି ମୁଁ ବାହାରିବାକୁ ତାହା ଭିତରୁ ବାଟ ଖୋଜି କାହିଁ ପାଏଁ ନାହିଁ । ପାଏଁ ଖାଲି ମୋର ଏଇଁ ପଥ କାହିଁ ?” କବିତା ଭିତରେ !

 

ସେତେବେଳେ ସବୁଜ ସାହିତ୍ୟ ପାଇଁ ସାଂଗଠନିକ ଉଦ୍ୟମ କରିବାକୁ ମୋର ଇଚ୍ଛାଥାଏ, କିନ୍ତୁ ଆତ୍ମପ୍ରତ୍ୟୟ ଓ ଦୃଢ଼ତା ନ ଥାଏ ବୋଧହୁଏ । ପୁଣି ଶରତ ଚନ୍ଦ୍ରଙ୍କର ଜଣେ ପରିଚିତ ବନ୍ଧୁ ଆସି ଆଗରୁ ତାହାର ପରିଚାଳନା ଭାର ଗ୍ରହଣ କରିବାରୁ ସେ ଦିଗଟି ମଧ୍ୟ ମୋହ ପାଇଁ ବନ୍ଦ ହୋଇଗଲା । ଶରତଚନ୍ଦ୍ରଙ୍କ–ବନ୍ଧୁ ଗୋପାଳ ବାବୁ ଆସି ମୋର ରହିଥିବା ଘରର ଅପର ଅଂଶରେ ରହନ୍ତି ସସ୍ତ୍ରୀକ । ବୈକୁଣ୍ଠ ବାବୁ ସେତେବେଳକୁ ଆଉ ଏକ ଘର ଭଡ଼ା ନେଇ ଆଗରୁ ଯାଚକ ଲେନ୍ ଛାଡ଼ି ଅନ୍ୟତ୍ର ବାହାରି ଗଲେଣି; ଚାଲେ ପୁଣି ଏକ ନୂଆ ପୁରୁଣାର ଅଦଳବଦଳ ପ୍ରତି ମୁହୂର୍ତ୍ତର ବିଚିତ୍ରତା ଘେନି,— ସହଜ ସ୍ଵାଭାବିକ ରୀତି ଏଇ ଦୁନିଆର—ଅଥଚ କି ବିଚିତ୍ର, କି ଅଦ୍ଭୁତ !

 

ଦୈନନ୍ଦିନ ଜୀବନର, କେତେ ଯେ ବିସ୍ମୟ ଅଭିଦ୍ଭୂତ କରେ ପ୍ରତି ମୁହୂର୍ତ୍ତକୁ ! କିଏ ଗଣେ ସେଇ ମୁହୂର୍ତ୍ତକୁ; କିଏ କରେ ତା’ର ମୂଲ୍ୟାୟନ !

ସେହି ସମୟରେ ଅଯାଚିତ ଅକଳ୍ପିତ ଏକ ନିଯୁକ୍ତି ପତ୍ର ମୋହ ନିକଟକୁ ଆସେ । ଜାମସେଦ୍ ପୁର ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ପ୍ରସନ୍ନକୁମାର ଆଚାର୍ଯ୍ୟଙ୍କ ଦସ୍ତଖତର କୋ-ଅପରେଟିଭ୍ ସୋସାଇଟି ସେକ୍ରେଟାରୀରୂପେ କାର୍ଯ୍ୟ କରିବାପାଇଁ ! ପୁଣି ମୟୂରଭଞ୍ଜରେ ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ’ ପ୍ରକାଶିତ “ମୟୂରଭଞ୍ଜ ଗେଜେଟ”ର ସମ୍ପାଦନା ଲାଗି ମଧ୍ୟ ଏକ ନିଯୁକ୍ତିପତ୍ର ମିଳିଥାଏ ! ତାହା ଅବଶ୍ୟ ବିଜ୍ଞାପିତ ହୁଏ ! ଆଉ ମୁଁ ଦରଖାସ୍ତ କରିଥାଏଁ, ଜ୍ୟେଷ୍ଠ ଦିବ୍ୟସିଂହଙ୍କ ସ୍ଵୀକୃତି ଲାଭ କରି । ପୁଣି କେନ୍ଦ୍ରାପଡ଼ା ସମବାୟ ବ୍ୟାଙ୍କର ମ୍ୟାନେଜର ହେବାକୁ ମଧ୍ୟ ଡାକରା ଆସେ ମୋତେ !

 

ଯାଚକ ଲେନ୍ ପାଖରେ ବକ୍ସିବଜାର-ବଢ଼େଇ ସାହି । ଆନନ୍ଦ ମହାରଣା ଆସି କେତେବେଳେ ବେଲେଣା ପେଡ଼ି ଆଉ କେତେବେଳେ କାଠ ଖେଳଣା ଆଣି ଯୋଗାଇ ଦିଅନ୍ତି । ସେଇ ଆନନ୍ଦ ମହାରଣା ସହିତ ପୁଣି ଭେଟହୁଏ ବାରିପଦା ଚାକିରି ଛାଡ଼ି କଟକକୁ ଫେରି ଆସିବା ପରେ । ତାଙ୍କରି ହାତତିଆରି ଟେବୁଲ୍ ଚଉକି ଆଜି ମଧ୍ୟ ମୁଁ ବ୍ୟବହାର କରୁଛି !

 

ବଢ଼େଇ ସାହିର ସେ କେହି କାରିଗର ଭେଟ–ହେଲେ ଆନନ୍ଦ ମହାରଣା କଥା ପଚାରେଁ ସହଜ-ସରଳ ଛୋଟ ଚେହେରାଟି ତା’ର ଆଜି ମଧ୍ୟ ନାଚିଯାଏ ଆଖି ଆଗରେ ମୋର, କାରଣ ସେ ଯେଉଁଠି ରହିଥିଲା ସେଇଠି, ମୁହିଁ କେବଳ ଚତୁର୍ଦ୍ଦିଗ ଭ୍ରମଣ କରି ସାରି ଯେମ‌୍‌ତି ଲେଉଟି ଆସେ ତା’ର ପାଖକୁ ।

 

କଟକ ବାହାରେ ଏମ‌୍‌ତି ଚାକିରି ଦୁଆର ସବୁ ଫିଟା ହୋଇ ରହିଥିଲେ ବି କେଉଁ ଥାନଟି କି ବାଛିବି, ସେଥିପାଇଁ ସିଦ୍ଧାନ୍ତରେ ପହଞ୍ଚିବାକୁ ମତେ ଟିକିଏ ସମୟ ଲାଗେ । ପାରିବାରିକ ବିଚାରରୁ ବାରିପଦାର ଆକର୍ଷଣ ଅବଶ୍ୟ ଅଧିକ ହୋଇପଡ଼େ ଇଂରେଜି ପ୍ରଚଳନ ଉକ୍ତି ଅନୁଯାୟୀ—Blood is thicker than water–ପାଣିଠାରୁ ରକ୍ତଟା ବେଶି ବହଳ ।

 

ଇଚ୍ଛାପୁର ନିଖିଳ-ଉତ୍କଳ-କବିସମ୍ମିଳନୀ ୧୯୩୨

 

ମୋର ଏମ‌୍‌ତି ତ୍ରିଶଙ୍କୁ ଅବସ୍ଥାରେ—କଟକରୁ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜାମସେଦ୍‍ପୁର କେଉଁଠିକି ଯିବି, ସ୍ଥିରକରି ପାରୁ ନ ଥିବା ସମୟରେ ନିମନ୍ତ୍ରଣ ଆସେ, ଇଚ୍ଛାପୁରରେ ଅନୁଷ୍ଠିତ ହେଉଥିବା ନିଖିଳ ଉତ୍କଳ-କବି-ସମ୍ମିଳନୀରେ ପ୍ରଧାନ ଅତିଥି ରୂପେ ଯୋଗଦେବାକୁ; ସେତେବେଳେ ଦକ୍ଷିଣ ଓଡ଼ିଶା ଥାଏ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ, ଖୋର୍ଦ୍ଧା ଜଂକ୍‍ସନ୍‍ରୁ ମାଡ୍ରାସ୍ ମେଲ୍ ଲାଇନ୍‍ରେ ଯିବା ସୁଯୋଗ ଯୁଟିନଥାଏ ମୋର ଆଉ କେବେ; ବାଟରେ ପୁଣି ଚିଲିକା ଦର୍ଶନର ଆକର୍ଷଣ ! ତାହା ୧୯୩୨ର ଘଟଣା ।

 

କଟକ ସମବାୟ ବ୍ୟାଙ୍କ୍‍ରୁ ଚାକିରୀ ଚାଲିଯିବା ଦୁଃଖ ଅପନୋଦନ ଲାଗି ଏହି ନିମନ୍ତ୍ରଣଟା ଆସିଲା ଅବା ! ସଙ୍ଗେ ସଙ୍ଗେ ସମ୍ମତି ଜଣାଇ ନିମନ୍ତ୍ରଣ ରକ୍ଷା କରେଁ । ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ଭାଷଣ ମୋର ଆଧାରିତ ହେବାକୁ ସଙ୍କେତ ମିଳିଥାଏ । ଲେଖିବାକୁ ଆରମ୍ଭ କରିଦିଏଁ ନିବନ୍ଧ । ଆଧୁନିକ ଶୈଳୀରେ ନିବନ୍ଧଟି ଲେଖି ଆତ୍ମସନ୍ତୋଷ ଲାଭ କରେଁ । ନିର୍ଦ୍ଦିଷ୍ଟ ଦିନ ଯାତ୍ରାରମ୍ଭ କବି ସମ୍ମିଳନୀକୁ ! କଟକ ଷ୍ଟେସନ୍‍ରେ ଭେଟହୁଏ ମୋର ସହଯାତ୍ରୀ ହେବାକୁ ଶ୍ରଦ୍ଧେୟ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ସହିତ । ଶ୍ରଦ୍ଧେୟ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ସାହୁ ଆସି ଷ୍ଟେସନ୍‍ରେ ମୋର ପ୍ରବନ୍ଧ ପାଠ କରନ୍ତି ଓୟେଟିଂରୁମ୍‍ରେ ବସି ଗାଡ଼ି ଲାଗିବା ପୂର୍ବରୁ । ପୂଜ୍ୟ ଅଧ୍ୟାପକ ସ୍ୱର୍ଗତ ଆର୍ତ୍ତ ବଲ୍ଲଭ ମହାନ୍ତି ମଧ୍ୟ ନିଜେ ସମ୍ମିଳନୀରେ ଯୋଗଦେବାକୁ ଯାଇପାରୁ ନ ଥିବାରୁ କଟକ ଷ୍ଟେସନକୁ ଆସି ମୋତେ ଜଣାନ୍ତି ତାଙ୍କ ଅସାମାର୍ଥ୍ୟ ।

 

ଦକ୍ଷିଣ ଓଡ଼ିଶା ଅଭିମୁଖରେ ମୋର ଏଇ ପ୍ରଥମ ସାହିତ୍ୟିକ ଅଭିଯାନ ହିଁ ବ୍ୟାଙ୍କ ଚାକିରିଟି ଚାଲିଯିବାର ସବୁ ଦୁଶ୍ଚିନ୍ତାକୁ ସତେ ଅବା ପାଣି ଫୋଟକା ଭଳି କାହିଁ କୁଆଡ଼େ ଉଡ଼ାଇ ନେଲା, ଉତ୍ସାହ ଓ ଆବେଗରେ ଯାତ୍ରା ମୋର ଆରମ୍ଭ ହୁଏ ଇଚ୍ଛାପୁର ଅଭିମୁଖେ ।

 

‘‘ଉତ୍କଳ କମଳା-ବିଳାସ ଦୀର୍ଘିକା’’

 

ମରାଳ ମାଳିନୀ ନୀଳାମ୍ଭୁ ଚିଲିକା”ର ଅପୂର୍ବ ଦୃଶ୍ୟ ! ରେଳ ଉପରୁ ନିର୍ନିମେଷ ଆଖିରେ ଚାହିଁ ରହେଁ—ମନ ମୋର ଆବେଗ ଔତ୍ସୁକ୍ୟରେ ଚଳନ୍ତା ରେଳଗାଡ଼ିରୁ ଡେଇଁ ପଡ଼ି ଯେମ‌୍‌ତି ଅବା ପହଁରି ଚାଲେ ଶୈଶବର ଅତି ପରିଚିତ ମହାସାଗର ଅଭିମୁଖରେ । ଚିଲିକା ଉପରେ ପୁଣି ତଟ ଦେଶରେ କାଳୀଜାଈ, ସୋଲେରି, ଭାଲେରି, ମାମୁଁ–ଭଣଜା ପର୍ବତ ମୁଣ୍ଡିଆଗୁଡ଼ିକ ଅବା ଜଳର ବିସ୍ତୃତି ଆଉ ଗଭୀରତା ମଧ୍ୟରେ ନିଜ ଛାୟା ବିସ୍ତାର କରି ମୁଣ୍ଡ ଟେକିଛି ଆକାଶ ଉର୍ଦ୍ଧ୍ୱକୁ ।

 

ରେଳପଥରେ ଖଲିକୋଟ, ବ୍ରହ୍ମପୁର ଆଦି କେତେକ ଷ୍ଟେସନରୁ ସହଯାତ୍ରୀ ହୁଅନ୍ତି ମୋର ଲେଖକ ବନ୍ଧୁମାନେ । ଇଚ୍ଛାପୁର କବିସମ୍ମିଳନୀର ଅଭ୍ୟର୍ଥନା ସଭାର ସଭାପତି ହୋଇଥାନ୍ତି ସୁରଙ୍ଗୀର ରାଜାସାହେବ । ସଭାପତି ଆସନ ଅଳଂକୃତ କରନ୍ତି ଚିକିଟିର ସ୍ୱନାମ ଧନ୍ୟ ନାଟ୍ୟକାର ରାଜା ରାଧାମୋହନ ରାଜେନ୍ଦ୍ର ଦେବ । ଦକ୍ଷିଣ ଓଡ଼ିଶାର ବହୁବିଖ୍ୟାତ ସାହିତ୍ୟିକ ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସମାଗମ । “ଆଶା’’ ଓ “ନିଉଓଡ଼ିଶା’’ର ସୁନାମଧନ୍ୟ ସମ୍ପାଦକ ଶ୍ରୀ ଶଶିଭୂଷଣ ରଥ, ସୁଲେଖକ ଶ୍ରୀ ରାମଚନ୍ଦ୍ର ମିଶ୍ର, ପ୍ରସିଦ୍ଧ ପତ୍ନ ତାତ୍ତ୍ୱିକ ଓ ଗବେଷକ ଶ୍ରୀ ସତ୍ୟନାରୟଣ ରାଜଗୁରୁ, ସାହିତ୍ୟିକ ପଣ୍ଡିତ ଶ୍ରୀ ଅନନ୍ତ ତ୍ରିପାଠୀ ଶର୍ମାଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ବିଦ୍ୱାନ୍ ବିଜ୍ଞ ବ୍ୟକ୍ତିଙ୍କ ଉପସ୍ଥିତିରେ ସୁରଙ୍ଗୀର ବାତାବରଣ ଉତ୍‍ଫୁଲ୍ଲ ହୋଇ ଉଠିଥାଏ ।

 

ଅଭ୍ୟର୍ଥନା ସଭାର ସଭାପତି ସୁରଙ୍ଗୀ ରାଜାସାହେବଙ୍କ ରାଜୋଚିତ ଅଭ୍ୟର୍ଥନାରେ ଅତିଥିମାନେ ମୁଗ୍ଧ । ମାତ୍ର ଅତିଥି ଚର୍ଚ୍ଚାରେ ଆତିଶଯ୍ୟ ଅସହ୍ୟ ହୋଇପଡ଼େ ମୋହ ପକ୍ଷରେ । ଦୈନିକ ଦୁଇ ଓଳି ଘୃତ ମାଂସର ବ୍ୟବସ୍ଥା ସହିତ ଲଙ୍କାମରିଚର ପ୍ରାଚୁର୍ଯ୍ୟ ଆମ ଉତ୍ତର ଓଡ଼ିଶା ପ୍ରତିନିଧିମାନଙ୍କ ପକ୍ଷରେ ସହ୍ୟ ହୁଏ ନାହିଁ ।

 

ଲଙ୍କାମରିଚ, ଲଙ୍କାଆମ୍ବ ଆଦି ରାମାୟଣର ସତ୍ୟ ଯୁଗରୁ ଲଙ୍କା-ପୋଡ଼ାମାନେ ଭାରତବର୍ଷର ପେଟ ପୋଡ଼ିବାକୁ ଆଣିଥିଲେ କି ନାହିଁ କେଜାଣି !—ମାତ୍ର ସୁରଙ୍ଗୀ ପାକଶାଳାରେ ବାରମ୍ବାର ପାଚକମାନଙ୍କୁ ଲଙ୍କା ପ୍ରୟୋଗରୁ ବିରତ ହେବା ପାଇଁ କାକୁତି ମିନତି ଓ ଶେଷରେ ଅଭିମାନ ତାଗିଦ୍ କରିଗଲେ ହେଁ ପୁଣି ସେମାନେ ଅତି ନମ୍ର ଭାବରେ ସେହି ନିର୍ଦ୍ଦେଶକୁ ଗ୍ରହଣ କଲେ ହେଁ, କାର୍ଯ୍ୟକ୍ଷେତ୍ରରେ କୌଣସି ଉନ୍ନତି ଲକ୍ଷିତ ହେବାର ସୂଚନା ମିଳେ ନାହିଁ । ଅବଶେଷରେ ଉତ୍ତର ଓଡ଼ିଶାରୁ ଯାଇଥିବା ଆମେ ପ୍ରତିନିଧିମାନେ ଏକସ୍ଵରରେ ପ୍ରତିବାଦ କରୁ ଯେ, ଆମର ବାରମ୍ବାର ସ୍ମରଣ କରାଇଦେବା ସତ୍ତ୍ୱେ ପାଚକମାନେ ଲଙ୍କା ପ୍ରୟୋଗରୁ ବିରତ ହେଉ ନାହାନ୍ତି । ଶେଷରେ ତାଙ୍କୁ ପ୍ରତିନିଧି ରୂପେ ପ୍ରଧାନ ପାଚକ ଆସି ଆମକୁ ସବିନୟ ନିବେଦନ କରନ୍ତି – ସେଇ ଦିନଠାରୁ ସେମାନେ ଆଦୌ ଲଙ୍କ। ନିକ୍ଷେପ କରିବେ ନାଇଁ । ଅଥଚ ଦେଖୁଁ, କାର୍ଯ୍ୟ କ୍ଷେତ୍ରରେ ଅବିକଳ ବିପରୀତ ! ନିଜଳା ଉପବାସ କରିବାକୁ ବାଟ ଅବା କାହିଁ ରାଜ-ଅତିଥି ହୋଇ ?

 

ପ୍ରଧାନ ପାଚକଙ୍କୁ ଏହା ଚେତାଇ ଦେବାରୁ ସେ ଅତିବିନୟ ସହିତ କରଯୋଡ଼ି ଜଣାଇଲେ—“ଆଜ୍ଞା, ଆପଣମାନଙ୍କ କଟକୀ ରାନ୍ଧଣାରେ ଲଙ୍କା ତ ଦିଆଯାଉ ନାହିଁ ଆଦୌ ।

 

ସମସ୍ଵରରେ ଆମେ ପ୍ରତିବାଦ ଜଣାଉଁ—କିନ୍ତୁ ପଲାଓ ସୁଦ୍ଧା ଯେ ଲଙ୍କା କବଳରୁ ମୁକ୍ତି ପାଉନାହିଁ !— ଫଳରେ କେବଳ ଆମର ଜିହ୍ୱା କି ଉଦର ମଧ୍ୟ ଅଗ୍ନି ଦାହ ଅନୁଭବ କରୁନାହିଁ, ଆମ ଚକ୍ଷୁ ନାସା ମଧ୍ୟ ଅବିରତ ଲୋତକପୂର୍ଣ୍ଣ ସଜଳ ! ପ୍ରଧାନ ପାଚକ ସମେତ ଅନ୍ୟମାନେ ଆସି ପୁଣି ବିନୀତ ଭାବରେ କରଯୋଡ଼ି ଜଣାନ୍ତି—ଆଜ୍ଞା ! ସାମାନ୍ୟ ମାତ୍ର ଛୁଙ୍କ ଦେବା ପାଇଁ ତ ଟିକଏ ହେଲେ ଲଙ୍କା ଲୋଡ଼ା । ତହିଁରୁ ଆଉ କମ୍ କରିବାକୁ ଆମ ହାତ ଯାଉ ନାହିଁ । ଅଥଚ ଆମେ ଯେ ଅତିଥି ! ଆମର ଦଶ ଦ୍ୱାରରେ ଅଗ୍ନି ପ୍ରଦାହ । ଏହାର ଉପଶମ ତେବେ ଅସମ୍ଭବ ? ଅତଏବ ସ୍ଥିର କରୁଁ—“ଯଃ ପଳାୟତି ସ ଜୀବତି—ଏଥୁଁ ଅଧିକ ଫଳ, ଅପବାଦ କେବଳ ଚାଲ ସଙ୍ଗିନୀ ଯିବାରେ-!”

 

ଇଚ୍ଛାପୁର କବି-ସମ୍ମିଳନୀରେ ପ୍ରବନ୍ଧ ମୋର ଉଚ୍ଚ ପ୍ରଶଂସିତ ହୁଏ । ସଭାପତି ଚିକିଟିର ରାଜାସାହେବ, ଆଶା ଓ ନିଉଓଡ଼ିଶା ପତ୍ରିକା ଦୁଇଟିର ସମ୍ପାଦକ ଶ୍ରଦ୍ଧେୟ ଶଶିଭୂଷଣ ରଥ, ଶ୍ରୀ ସତ୍ୟନାରାୟଣ ରାଜଗୁରୁ ଶ୍ରୀ ଅନନ୍ତ ତ୍ରିପାଠୀ ଶର୍ମା ପ୍ରମୁଖ ବହୁ ବିଶିଷ୍ଟ ସାହିତ୍ୟିକ ବ୍ୟକ୍ତିଗତ ଭାବରେ ଓ ସଭାସ୍ଥଳରେ ଜଣାନ୍ତି ମୋତେ ହାର୍ଦ୍ଦିକ ଅଭିନନ୍ଦନ । ମହୁରୀର ଯୁବରାଜ ‘‘ନବୀନ’’ ପତ୍ରିକାର ସମ୍ପାଦକ ସ୍ୱର୍ଗତ କୃପାସିନ୍ଧୁ ନରେନ୍ଦ୍ର ଦେବ ମୋତେ ନିମନ୍ତ୍ରଣ କରନ୍ତି ଇଚ୍ଛାପୁରରୁ ଆସି ତାହାଙ୍କ ଆତିଥ୍ୟ ଗ୍ରହଣ କରିବାଲାଗି ବ୍ରହ୍ମପୁର ବାସଭବନରେ ।

 

ପ୍ରବନ୍ଧଟିରେ ମୋର “ଆଧୁନିକ ସାହିତ୍ୟର ଯଥାର୍ଥ୍ୟ,” “ପ୍ରାଚୀନ ଓ ଆଧୁନିକ,” “ପ୍ରାଚ୍ୟ ଓ ପ୍ରତୀଚ୍ୟସାହିତ୍ୟରେ ଦର୍ଶନ,” “ବସ୍ତୁବାଦୀ ରଚନା” ପୁଣି ବିଭିନ୍ନ ବିଭାଗରେ କ୍ଷୁଦ୍ରଗଳ୍ପ, କବିତା ନାଟକ ଉପନ୍ୟାସ ଆଦି କ୍ଷେତ୍ରରେ ଏକ ବିହଙ୍ଗମ ଦୃଷ୍ଟିର ଆଭାସ ମୁଁ ଦେଇଥାଏଁ ।

 

‘ଆଧୁନିକ ସାହିତ୍ୟର ଯଥାର୍ଥ୍ୟରେ’ ମୁଁ ପ୍ରତିପାଦନ କରିଥାଏଁ–ସାରକଥା ବା ତତ୍ତ୍ୱ ଆବଷ୍କାର ସାହିତ୍ୟର ଉଦ୍ଦେଶ୍ୟ ନୁହେ ସାହିତ୍ୟ ଯାହା ଦାନକରେ ତାହା କେବଳ ସାର ନୁହେ, ରସ— ଯେଉଁ ରସ ସମସ୍ତ ସୃଷ୍ଠିର ପ୍ରାଣବସ୍ତୁ ।

 

ଆଧୁନିକ ଜୀବନ ସହିତ ସାହିତ୍ୟର ସମ୍ପର୍କ ଦର୍ଶାଇ ନିବନ୍ଧରେ ମୋର ପ୍ରତିପାଦନ କରାଯାଇଥିଲା—‘‘ସାହିତ୍ୟର ଅନ୍ୟଗୁଣ ହେଲା, ତାହା ସାର୍ବଜନୀନ ସମ୍ପତ୍ତି ! ପାରିବାରିକ ଓ ସାମାଜିକ ଜୀବନ ସଙ୍ଗେ ଆମ୍ଭମାନଙ୍କ ରାଷ୍ଟ୍ରୀୟ ଜୀବନର ମଧ୍ୟ ତୁମୂଳ ପରିବର୍ତ୍ତନ ଘଟିଅଛି । ପୁର୍ବେ ପ୍ରାଧାନ୍ୟ ଥିଲା ରାଜାଙ୍କର—ବର୍ତ୍ତମାନ ପ୍ରଜାର ଯୁଗ; ଅର୍ଥାତ୍ ଜଣକ ସ୍ଥାନକୁ ଅଧିକାର କରିଛି ଗଣ । ସେଥିପାଇଁ ଗଣେଶଙ୍କର ଉପାସକ ଆଜି ଯାହା ରଚନା କରେ ତାହା ଆଉ ପୁର୍ବକାଳର ରାଜକୁଳର ମହିମା ଚିତ୍ରଣ ନୁହେ । ସାହିତ୍ୟ ଆଜି ଏକରୁ ମୁକ୍ତି ଲାଭକରି ବହୁମଧ୍ୟରେ ବିସ୍ତୃତ ହୋଇ ପଡ଼ିଅଛି । ମଷ୍ଟିମେୟ ଲୋକଙ୍କ ମଧ୍ୟରେ ଆବଦ୍ଧ ନରହି ଜନସମାଜକୁ ଆନନ୍ଦ ଦାନ କରିବାରେ ଏହାବ୍ରତୀ ।”

 

ତ୍ରିଂଶଦଶକରେ ଏକ ସାହିତ୍ୟିକ ରାଜଦରବାରରେ ଏଇଭଳି ମନ୍ତବ୍ୟ ମୋର ଅବଶ୍ୟ ଯଥେଷ୍ଟ ସାହସିକ ଅପ୍ରିୟସତ୍ୟ ପ୍ରକାଶର ପ୍ରମାଣ ଦିଏ; ତଥାପି ଏହାର ଆଦର ସେତେବେଳେ ସାହିତ୍ୟିକ ଶ୍ରୋତୃବୃନ୍ଦଙ୍କ ସୁବିଚାର ଓ ଉଦାର ରସ ଗ୍ରାହକତାର ଏକ ସୁଷ୍ପଷ୍ଟ ପ୍ରମାଣ ରୂପେ ମୋର ସ୍ମରଣୀୟ ହୋଇ ରହିଛି ।

 

ଆଧୁନିକ ରୁଚି ସମ୍ପର୍କରେ ଓ ଯୁଗୋପଯୋଗୀ ସାହିତ୍ୟ ସୃଷ୍ଟି ବିଷୟରେ ମୋର ମନ୍ତବ୍ୟ ଥିଲା —‘‘ଅବଶ୍ୟ ଯୁଗ ପ୍ରବାହରେ ଭାରତୀୟ ରୁଚିର ଯାହା ପରିବର୍ତ୍ତନ ଘଟିଛି, ତାହା ଅତି ସାମାନ୍ୟ । ଆଧୁନିକ ରୁଚିକୁ ଏ ଦେଶରେ ଯେ ଅନେକ ଅରୁଚି ଜ୍ଞାନ କରନ୍ତି, ଆମ୍ଭମାନଙ୍କର ଆଦିମ ଜଡ଼ତା ଓ ସ୍ଥିତିଶୀଳତା ଏଥି ପାଇଁ ବିଶେଷତଃ ଦାୟୀ । ସୁତରାଂ ଆଧୁନିକ ସଭ୍ୟତା ଓ ସାହିତ୍ୟର କଥା ଉଠିଲେ ଆମ୍ଭମାନଙ୍କର ଅଧଃପତନ ହିଁ ବୃହତ ଆକାରରେ ଦୃଷ୍ଟି ପଥରେ ପଡ଼େ-।”

 

ଆଧୁନିକ ନାଟକ ସମ୍ପର୍କରେ ମଧ୍ୟ ମୁଁ ଆଲୋଚନା ଆରମ୍ଭ କରେଁ ଏହିରୂପେ—“ଆମ୍ଭମାନଙ୍କର ଉପନ୍ୟାସ ଯେପରି କେବଳ ଭାଷାବିନ୍ୟାସ ଏବଂ ଅଘଟନ ଘଟନାର ପରିପୂର୍ଣ୍ଣ, ନାଟକ ମଧ୍ୟ ସେଇପରି ନର୍ତ୍ତକଦଳ ମଧ୍ୟରେ ଆବଦ୍ଧ । ଉପନ୍ୟାସକୁ ଜୀବନ୍ୟାସ ଦେବାକୁ ହେଲେ, ଏହା ମଧ୍ୟରେ ଯେପରି ବାସ୍ତବ ଜୀବନର ଚିତ୍ର ପ୍ରତିଫଳନ କରିବାକୁ ହେବ, ନାଟକକୁ ମଧ୍ୟ ସେଇପରି ଜୀବନର ନିକଟତର କରିବା ଆବଶ୍ୟକ ।”

 

ବ୍ରହ୍ମପୁରକୁ ଫେରି ସାକ୍ଷାତ୍‍କାର ଘଟେ ଷ୍ଟୁଡ଼େଣ୍ଟସ୍ ଷ୍ଟୋରର ପ୍ରତିଷ୍ଠାତା ପଣ୍ଡିତ ଦାମୋଦର ରଥଙ୍କ ସହିତ । ସେତେବେଳେ ମୋର “ଭକ୍ତ କବି ମଧୁସୂଦନ’’ ବହି ଖଣ୍ଡି ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହେଉଥାଏ ଦକ୍ଷିଣ ଓଡ଼ିଶାରେ । ମହୁରୀ ଯୁବରାଜଙ୍କ ଅମାୟିକ ଆତିଥେୟତା ଓ ବ୍ରହ୍ମପୁରରେ ସର୍ବତ୍ର ଆଦର ଅଭ୍ୟର୍ଥନା ଏବେ ମଧ୍ୟ ସ୍ମୃତିପଟରେ ଏକ ବିଶିଷ୍ଟ ଶ୍ରଦ୍ଧାର ଆସନ ଅଧିକାର କରି ରହିଛି ।

 

ସବୁଜ ସାହିତ୍ୟ ସମିତି ଦ୍ୱାରା ପ୍ରକାଶିତ ମୋର ପ୍ରଥମ ପ୍ରବନ୍ଧ-ସଙ୍କଳନ ‘‘ସାହିତ୍ୟିକା’’ରେ (୧୯୩୩) ଏଇ ଭାଷଣଟି ପୂର୍ଣ୍ଣରୂପେ ସନ୍ନି ବେଶିତ ହୁଏ ।

 

‘‘ପାସୋରି ଦେଲିରେ ଶିମୁଳିପାଳ’’

 

ନ-ଯଯୌ ନ-ତସ୍ଥୌ ଅବସ୍ଥାଟା ମୋର ଚାହୁଁ ଚାହୁଁ ଉଭେଇଯାଏ । ମୟୂରଭଞ୍ଜରେ ରାଜସରକାରଙ୍କ ଆନୁକୂଲ୍ୟରେ ପ୍ରକାଶିତ “ମୟୂରଭଞ୍ଜ ଗେଜେଟ୍”ର ସମ୍ପାଦନା ଲାଗି ନିଯୁକ୍ତି ପତ୍ରଟା ହିଁ ମୋହ ପକ୍ଷରେ ଗ୍ରହଣୀୟ ହୁଏ ।

 

ମୟୂରଭଞ୍ଜର ସ୍ଵର୍ଗୀୟ ସ୍ୱନାମଧନ୍ୟ ଶ୍ରୀ ରାମଚନ୍ଦ୍ରଙ୍କ ଦାୟାଦ ପ୍ରତାପ ଚନ୍ଦ୍ରଙ୍କ ସହିତ ପ୍ରଥମେ ଯେଉଁ ଦିନ ସାକ୍ଷାତ କରେଁ, ତାହାଙ୍କ ମଧୁର ଅମାୟିକ ବ୍ୟବହାର ସହିତ ସୁନ୍ଦର ଚେହେରାଟି ଦେଖି ମୁଗ୍ଧ ହୋଇଯାଏଁ—ମନେକରେଁ, ତାହା ଉତ୍କଳୀୟ କୌଳିନ୍ୟର ଏକ ଶ୍ରେଷ୍ଠ ପ୍ରତୀକ ।

 

ଓଡ଼ିଶାର ଗାଁ ଗଣ୍ଡା ବିଲ ହିଡ଼-ପାଣିକାଦୁଅ-କଣ୍ଟାବଣଘେରା ନିପଟ ମଫସଲ ଅଞ୍ଚଳ ବୁଲି ବୁଲି କିସ୍ତି ଖିଲାପ ସୁଧଋଣ ଅସୁଲ କଲା ପରେ—ଏହା ଯେପରି କେଉଁ ପାତାଳପୁରୀରୁ ଆସି ସ୍ଵର୍ଗପୁରୀରେ ପହଞ୍ଚିଲା ଭଳି ଲାଗିଲା ମୋତେ । ଗୋପବନ୍ଧୁଙ୍କ ‘ସମାଜ’ ପତ୍ରିକା ଏଇ ବିଦ୍ୟୁତ୍ ଆଲୋକ ଉଦ୍‌ଭାସିତ ଦେଶୀୟ ରାଜ୍ୟଗୁଡ଼ିକୁ କାହିଁକି ଯେ “ଅନ୍ଧାରୀମୁଲକ” ନାମକରଣ କରିଥିଲା, ତାହା ଆଦୌ ବୁଝିପାରେଁ ନାହିଁ ହଠାତ୍ । ସେଥି ସଙ୍ଗେ ପୁଣି ମୋର ଚିରବାଞ୍ଚ୍ଥିତ, ଚିରଆକାଂକ୍ଷିତ ସାହିତ୍ୟି ଚର୍ଚ୍ଚା ଲାଗି ଏହା ଏକ ଚମତ୍କୃତ ପରିବେଶ । ସେଠାରେ ଜ୍ୟେଷ୍ଠ ଦିବ୍ୟସିଂହଙ୍କ ଲୋକପ୍ରିୟତା ସଙ୍ଗେ ଲେଖକ ରୂପେ ମୋର ପ୍ରତିଷ୍ଠା । ଫେରିଆସିଲା ଯେପରି ଆହୁରି ଥରେ ଆମରି ସେଇ ପୂର୍ବ ପାରିବାରିକ ବନ୍ଧନର ପରିବେଶ—ମଝିରେ ଯାହାମାତ୍ର ଚାରି ପାଞ୍ଚବର୍ଷ ପାଇଁ ତୁଟିଯାଏ ମୋର କଟକ ଆସିବା ଫଳରେ ।

 

ଗଳ୍ପଟିଏ ପଢ଼ିଥିଲି । ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ । ମଣିଷର ସବୁ ଅବସ୍ଥାରେ ସେ ଯଦି ଏପରି ଏକ କଲ୍ୟାଣମୟ ଉଦ୍ଦେଶ୍ୟ ଲକ୍ଷ୍ୟ କରିପାରେ, ତା’ ହେଲେ ବୋଧହୁଏ ବ୍ୟସ୍ତ ବିବ୍ରତ ହେବାର ପରିସ୍ଥିତି କଦାପି ଉପୁଜନ୍ତା ନାହିଁ । ଜୀବନର ସବୁପ୍ରକାର ଅଭାବ ଅସୁବିଧାକୁ ସହଜରେ ଅତିକ୍ରମ କରିଯିବା ତାହା ପକ୍ଷରେ ଅସମ୍ଭବ ବୋଧ ହୁଅନ୍ତା ନାହିଁ ।

 

ଯୁଗେ ଯୁଗେ ସାହିତ୍ୟ ହିଁ ଯୋଗାଇ ଆସିଛି ମଣିଷକୁ ଆଶା, ଭରସା, ଦମ୍ଭ ଓ ସାହସ । ଜୀବନ-ପଥର ସବୁ ଗଡ଼ାଣି ଉଠାଣି ରାସ୍ତା ଭିତରେ ସେଇ ଦମ୍ଭ ଓ ସାହସ ହିଁ ତାକୁ ଆଗେଇ ନିଏ-

 

ମୟୂରଭଞ୍ଜ-ଅବସ୍ଥିତି ମୋର କିନ୍ତୁ ପ୍ରାରମ୍ଭରେ ଯେତିକି ସୁଖକର ଆଶା, ଆନନ୍ଦ ଓ ଉତ୍ସାହର କାରଣ ହୋଇଥିଲା, ତାହାର ଶେଷ ଭାଗଟା ସେତିକି କରୁଣ ଦୁଃଖଦ ପୁଣି ଅନ୍ଧକାରମୟ ହୋଇପଡ଼େ, ଅବିକଳ ମିଳନାନ୍ତକ ଓ ବୟୋଗାନ୍ତକ ନାଟକ ଭଳି । ମିଳନ-ବିଚ୍ଛେଦକୁ ସମସ୍ତରରେ ଅନୁଭୂତି ହିଁ ଯେ ସାହିତ୍ୟ । ବାରିପଦାରେ କନିଷ୍ଠ ଭଗବତୀଙ୍କର ପୁନର୍ବିବାହ ଓ ଦୁଇଟି ସନ୍ତାନଜନ୍ମ-। ସେଇଠାରେ ହିଁ ବାପ ମା, ଭାଇ ଭଉଣୀ, ଝିଆରୀ ପୁତୁରାଙ୍କ ମିଳନ କୋଳାହଳ ସଙ୍ଗେ ବିଚ୍ଛେଦ ଦୁଃଖର ଅଭିନୟ । ଜୀବନବ୍ୟାପୀ ଏଇ ଆଲୁଅ—ଛାଇର ଖେଳ ଭିତରେ ଯେପରି ଅବା ମୁଁ ଗତି କରି ଆସିଛି; ଆଜି ତାହା ପ୍ରତି ସିଂହାବଲୋକନ କଲାବେଳେ, ସେହି ପରିମାଣରେ କି ତହୁଁ ବଳି ବିହ୍ଵଳ ବିସ୍ମୟରେ ଅଭିଭୂତ ହୁଏଁ ।

 

ବାରିପଦାରେ ଶିମୁଳିପାଳ ପର୍ବତମାଳାକୁ ଦୂରରୁ ଚାହିଁ କବିତା ଲେଖେଁ “ପାସୋରି ଦେଲିରେ ଶିମୁଳିପାଳ’’ —

 

(୧୪. ୧୧. ୧୯୩୬)

କି ଗୀତ ତୋ ଆଗେ ଗାଇବି କହରେ

ଶିମୁଳିପାଳ ।

ରକତ ମୋହର ବରଫ, ହାଡ଼ ଯେ

ହୋଇଛି ପାଣି

କଣ୍ଠେ ଶୁଖିଛି ରସନା ବାସନା

ନ ଆସେ କଥା

କ୍ଷୁଧିତ ମାନବ କାକୁତି କରଇ

ପତାଇ ଥାଳ ।

ପଥପରେ ଶତ ମାନବର ଶିଶୁ

ଦେଖାଏ କାନି

ଅକାଳେ ଝାଉଁଳି ପଡ଼ଇ କେତେ ରେ ।

ଜୀବନ ଲତା !

ସବୁ ପ୍ରିୟ ସ୍ମୃତି ଅନୁଭୂତିମୟ

ଅତୀତ କାଳ

ତୋତେ ଚାହିଁ ଆଜି ପାସୋରି ଦେଲିରେ

ଶିମୁଳିପାଳ !

ସାନ୍ତାଳ ଝିଅ ଛଳନା ବିହୀନ

ବଦନ ଶୋଭା

ବିକାର–ବିହୀନ ହାସ୍ୟ ତାହାର

ବିମଳଚିତ୍ତ

ସାଥିମେଳେ ହାତ ହଲାଇ ଚଳଇ

ସହଜ ଗତି

ମଧୁମାଳତୀର ମଞ୍ଜରୀ ଘେନି

ମୋହୁଛି ଗଭା !

ଦୂର ବନକୋଳୁଁ ଭାସିଆସେ ତା’ର

ମଧୁର ଗୀତ

ରହି ରହି ମୋର ମରମେ ବାଜେ ତା’

ବିଧୂର ଯତି—

ବନର ବିହଗୀ ପରାଏ ତାହାର

ବିତଇ କାଳ

ତୋତେ ଚାହିଁ ସବୁ ପାସୋରି ଦିଏଁରେ

ଶିମୁଳି ପାଳ !

 

ଯାହା କିଛି ପାସୋରି ଦେବାକୁ ଭାବିଛି ଅବା ଲୋଡ଼ିଛି, ତାହା ତ କାହିଁ ପାସୋର ଯାଏ ନାହିଁ । ଜୀବନରେ ଯାହା ହଜିଗଲା ବୋଲି ବିଚାରେଁ, ସେଇ ତ ପୁଣି ଲେଉଟି ଆସି ମୋର ବାଟ ଓଗାଳି ଜଗି ବସେ !

 

ବାରିପଦାରେ ଆମ ଯୌଥ ପାରିବାରିକ ଜୀବନର ଯେପରି ପୁନରୁତ୍‍ଥାନ ହେଲା, ସେହିପରି ଶେଷରେ ପୁଣି ଭୁଷୁଡ଼ି ପଡ଼ିଲା ଗୋଟାଏ ତାସ୍ ଘର ଭଳି । ସେହିଠାରେ ହିଁ ପରିବାରର ଶ୍ରେଷ୍ଠ ବନ୍ଧନ ପିତୃବିୟୋଗ ଘଟେ । ତାହା ପରେ ଚିର ଦିନ ପାଇଁ ବିଦାୟ ନିଅନ୍ତି ମୋର ଜ୍ୟେଷ୍ଠ ଭ୍ରାତୃ ଜାୟା । ମାତୃସ୍ଥାନୀୟା ଭାଉଜ ମଧ୍ୟ ଭାଇନାଙ୍କ ଭଳି ଯୌଥ ପରିବାର ଭିତରେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ପ୍ରଦର୍ଶନ କରି ଆଦର୍ଶ ଗୃହୀଣୀର ପରିଚୟ ଦିଅନ୍ତି । ସେ ସମସ୍ତ ପରିଶୋଧ କରିବା ସୁଯୋଗ କିମ୍ବା ସାମର୍ଥ୍ୟ ମୋର ଘଟେ ନାହିଁ । ସବୁ ରହିଯାଏ ଜୀବନବ୍ୟାପୀ ଅସରନ୍ତି ବାକି ଖାତାରେ କେବଳ ।

 

ବାପାଙ୍କ ବିୟୋଗ ତା୨୮।୭।୧୯୩୫ ରେ । ତାହାର ବର୍ଷେ ଦୁଇ ବର୍ଷ ପୂର୍ବରୁ ସେ ସ୍ୱ ରଚିତ “ଆତ୍ମଦର୍ଶନରେ ବିଶ୍ୱଚିତ୍ର–କଳ୍ପନା” ଗ୍ରନ୍ଥରଚନା ସମ୍ପୂର୍ଣ୍ଣ କରନ୍ତି । ମୁଁ ବାରମ୍ବାର ତାଙ୍କୁ ସେଥିଲାଗି ସ୍ମରଣ କରାଇଦିଏଁ ; କିନ୍ତୁ ସେ ଗ୍ରନ୍ଥଟି ଲେଖି ସାରିବା ପରେ ତାହାର ପ୍ରକାଶନ ଦିଗରେ ନିଜ କର୍ତ୍ତବ୍ୟର ମୋର ଆକର୍ଷଣୀୟ ତ୍ରୁଟି ରହିଗଲା । ସାମାନ୍ୟ ଉଦ୍ୟମ କରିଥିଲେ, ଗ୍ରନ୍ଥଟିକୁ ମୁଁ ମହାରାଜାଙ୍କ ରାଜ୍ୟସରକାର ସାହଚର୍ଯ୍ୟରେ ବାରିପଦା ଛାପାଖାନାରେ ହିଁ ମୁଦ୍ରଣ କରାଇ ପାରିଥାନ୍ତି । ବାପାଙ୍କ ଜୀବିତାବସ୍ଥାରେ ତାଙ୍କ ପ୍ରତି ପୁତ୍ରର ଯଥାର୍ଥ କର୍ତ୍ତବ୍ୟ କରିଥିଲେ ଜ୍ୟେଷ୍ଠ ଦିବ୍ୟସିଂହ— ଭରଣପୋଷଣର ସମସ୍ତ ଦାୟିତ୍ୱ ବହନ କରଥିଲେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ । ଭାଇନାଙ୍କ ଜୀବନାବସାନ ସମୟରେ ପୁଣି କନିଷ୍ଠ ଭଗବତୀର ଶେଷ ମୁହୂର୍ତ୍ତରେ ମଧ୍ୟ ଉପସ୍ଥିତ ରହି ନ ପାରି ଅନୁତପ୍ତ ହୋଇଛି ।

 

ମୋର ପିତୃଋଣ ପରିଶୋଧ ଦିଗରେ ଓଡ଼ିଶା ସରକାରଙ୍କ ତତ୍କାଳୀନ ସାଂସ୍କୃତିକ ବିଭାଗ ଉକ୍ତ ମୁଦ୍ରଣ ବ୍ୟୟ ବହନକରି କୃତଜ୍ଞତାଭାଜନ ହୋଇଛନ୍ତି । ପୁଣି ମୁଦ୍ରଣର ଦାୟିତ୍ୱ ଗ୍ରହଣ କରିଛନ୍ତି ସୁବିଖ୍ୟାତ ସାହିତ୍ୟିକ ବନ୍ଧୁ , ଶ୍ରୀ ରାମକୃଷ୍ଣ ନନ୍ଦ, ବାରିପଦା ରହଣିବେଳେ କବି ଶ୍ରୀ ଲକ୍ଷ୍ମୀଧର ନାୟକଙ୍କ ସମ୍ପାଦନାରେ ଜାମସେଦପୁରର “ବିଚ୍ଛିନ୍ନା” ପତ୍ରିକା ପ୍ରକାଶ ପାଏ ଓ ମୋର “ସିଂହଭୂମିରେ ଶୃଗାଳ” ଶୀର୍ଷକ ଲେଖା ସ୍ଥାନ ପାଏ, ତା’ର ପ୍ରଥମ ସଂଖ୍ୟା ପ୍ରଥମ ପୃଷ୍ଠାରେ ଆହୁରି କେତେ ବନ୍ଧୁଙ୍କର ଅମୂଲ୍ୟ ସ୍ମୃତି ବହୁ କ୍ଷେତ୍ରରେ ଉଲ୍ଲେଖ କରିବାକୁ ଅସମର୍ଥ ହୋଇ ମୁଁ ଅପରାଧୀ ରହିଗଲି ।

 

ମୋହ ପରିବାର ସହିତ ଭାଗୁର ପରିବାର ବୃଦ୍ଧି ଘଟେ ସେହି ବାରିପଦାରେ ବାପାଙ୍କ ତିରୋଧାନ ପରେ । ସେତେବେଳେ କୁନି (ନନ୍ଦିନୀ) ସାନପିଲା; ଅଥଚ ପିଲାଦିନୁଁ ଭଲ ଖାଇବା କି ଭଲ ପିନ୍ଧିବା ପ୍ରତି ତା’ର ଅନାଗ୍ରହ ଦେଖି ଆମେ ଆଚମ୍ବିତ ହେଉଁ । ପୁଣ୍ୟ ପର୍ବରେ ଲୁଗା ଜାମା କିଣା ହୋଇ ଆସିଲେ ଆଗ ଅନ୍ୟମାନେ ଯେଝା ପସନ୍ଦ ଅନୁସାରେ ବାଛିନିଅନ୍ତି । ସେଥିଲାଗି ସମସ୍ତଙ୍କୁ ସେ ସାହାଯ୍ୟ କରେ ବରଂ ଆପଣାବେଳକୁ ସବୁଠାରୁ କମ୍ ଦାମିକା ଲୁଗା ଜାମା ନେଇ ସମାନ ଭାବରେ ଖୁସି ହୁଏ । ଖାଇବାରେ ମଧ୍ୟ ଠିକ୍ ସେମ‌୍‌ତି ।

 

ଏଇ ପ୍ରକୃତିଟା ତା’ର ପିଲାଦିନୁଁ ମୁଁ ଯେତେ ଲକ୍ଷ୍ୟ କରି ନ ଥିଲି, କରନ୍ତି ତା’ର ଜନ୍ମଦାତ୍ରୀ-। ଖାଇବା ପିନ୍ଧିବାରେ ପିଲାଙ୍କ ଭିତରେ ଯେମ‌୍‌ତି ବାଦବୁଦିଆ ଲାଗେ, ସେଇ ସାଧାରଣ ରୀତିରୁ ଅବା ସେ ତା’ର ଜନ୍ମରୁ ଅଲଗା । କେବେହେଲେ ଆମ ଯୌଥ ପରିବାର ଭିତରେ କାହାରି ସାଥିରେ ତା’ର ପ୍ରତିଯୋଗିତା କେବଳ ଯେମ‌୍‌ତି ସବୁଠାରୁ କମ୍ ନେବାରେ ସିନା, ବେଶି ନୁହେଁ କଦାପି । ଶିଶୁ ମନସ୍ତତ୍ତ୍ୱ-ବିଶ୍ଳେଷଣରେ ମୋର ଅପାରଗତା ସ୍ୱୀକାର କରିବାକୁ ହୁଏ, ମୋତେ ଅବଶ୍ୟ ମନେ ମନେ ଏଇ ପରିସ୍ଥିତିରେ ।

 

ବାପ ମା’ ତିନି ପୁଅ, ତିନି ବୋହୂ ସମେତ ତାଙ୍କର ପୁତ୍ର ଓ କନ୍ୟା ଓ ମୋର ବିଧବା ଭଉଣୀ ନିଃସନ୍ତାନା କମଳାନାନୀ । ଘରଟାରେ ଗହଳ ଚହଳ ଲାଗିରହେ ଦିନରାତି । ମାସଶେଷରେ ମୋର ଦରମାଟଙ୍କାତକ ଧରିଦିଏଁ ଭାଇନାଙ୍କ ହାତରେ । ବାପା ତାଙ୍କ ଆଇନ୍ ବ୍ୟବସାୟ ପୁରୀଠାରୁ ଛାଡ଼ିବା ଦିନୁଁ କେବେହେଲେ ଆଉ ପଇସା ଛୁଅନ୍ତି ନାହିଁ । ଭାଇନାଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ।

 

ତାଙ୍କ ଦେଖାଦେଖି ମୁଁ ମଧ୍ୟ ପୁରୀରେ ସମସ୍ତେ ଏକାଠି ଥିବ। ସମୟରେ ଯେମ‌୍‌ତି, ବାରିପଦା ଆସିଛି ସେମ‌୍‌ତି ମୋ ଦରମା ଟଙ୍କାରୁ ହାତ ଖର୍ଚ୍ଚ ପାଇଁ କିଛି ପ୍ରାୟ ରଖୁ ନ ଥିଲି ! ସାମ୍ବାଦିକତାରୁ ଯାହା ମୋତେ ମିଳେ, ସେତିକି ମୋର ଯଥେଷ୍ଟ ହୁଏ ନିଜ ହାତ ଖର୍ଚ୍ଚ ସକାଶେ । ପୁରୀରେ ସେମ‌୍‌ତି ଗସ୍ତଖର୍ଚ୍ଚାରୁ ଯେତିକି ଲବ୍ଧ ହୁଏ ସେତକ ମୋର !

 

ଜୀବ-ଜଗତରେ ତଗତିର ବହୁ ତାରତମ୍ୟ । ଜିଆନାଡ଼ ଭଳି କିଏ ନିଜ ପଶ୍ଚାତ୍ ଭାଗକୁ ଆଗ ଗୋଟାଇ ଆଣି ତହୁଁ କରନ୍ତି ଅଗ୍ରଗତି । ଝିଣ୍ଟିକା ଆଦି ପତଙ୍ଗମାନେ ଗୋଟିଏ ଥାନରୁ ଅନ୍ୟ ଥାନକୁ ଲମ୍ଫଦେଇ ସେଠାରେ ପଡ଼ନ୍ତି । ପୁଣି ସେଠାରୁ ଡିଅନ୍ତି ଆଉ ଗୋଟାଏ ଥାନକୁ । ଚଢ଼େଇମାନେ ପୃଥିବୀକୁ ଛାଡ଼ି ଡେଣା ମେଲି ଛାଏଁ ଉଡ଼ନ୍ତି ଆକାଶରେ । ମଣିଷ ଆଜି ଯନ୍ତ୍ର ଯୁଗରେ ଜଳ, ସ୍ଥଳ, ଆକାଶ ଭ୍ରମଣ କଲାଣି ।

 

ମୋର ଚାକିରି ଜୀବନଟା ଏମ‌୍‌ତି ପତଙ୍ଗ ଭଳି ଅଥବା ଆକାଶ ଭ୍ରମଣ ଭଳି ଗୋଟିଏ ଥାନରୁ ଆଉ ଗୋଟାଏ ଥାନକୁ ଚାଲିଥାଏ ଡେଇଁ ଡେଇଁକା । କୌଣସି ଥାନରେ ସ୍ଥାୟୀ ହୋଇ ମୁଁ ରହିପାରି ନାହିଁ ।

 

ଟିକି ଚଢେଇ ତା’ ମା’ କୁ କହିଲା ଭଳି ମନକୁ ଖାଲି ସାନ୍ତ୍ୱନା ହେବା କଥା ଯେ “ମାଆ ଲୋ ମା, ମୁଁ ଯେଉଁ ଡାଳରେ ବସୁଛି ସେ ଡାଳଟା ଭାଙ୍ଗି ପଡୁଛି ।” ଅଥଚ ଚଢ଼େଇଟିର ଟାଙ୍କ ଲାଞ୍ଜକୁ ଉଲୁଖା ଦେଇ ମା ତା’ର ପରିହାସ କରେ ସେ ଏକ ନମ୍ବର ବାହାପିଆ ।

 

ପ୍ରଥମେ ସମବାୟ ବିଭାଗଟା ଯେମ‌୍‌ତି ମୋର ଆଶା ଭରସାର ସୌଭାଗ୍ୟ ହୋଇସାରି ଶେଷରେ ଦୁର୍ଭାଗ୍ୟର କାରଣରୂପେ ଦୂରେଇ ଯାଏ, ସେମ‌୍‌ତି ଅବସାନ ଘଟେ ‘ବାରିପଦାରେ ସୁଖମୟ ଯୌଥ ପାରିବାରିକ ଜୀବନର । ସେହି ବାରିପଦାରେ ଗଢ଼ାହୁଏ ମୋହରି ଅଧ୍ୟକ୍ଷତାରେ ବାରପଦା ସାହିତ୍ୟ ସମାଜ । ସେହିଠାରେ ଥିବା ସମୟରେ ହିଁ କଟକ ଆସି ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ସପ୍ତାହବ୍ୟାପୀ “ନବଯୁଗ– ସାହିତ୍ୟ–ସଂସଦ”ର ମୁଁ ଉଦ୍‌ଘାଟନ କରେଁ !

 

ନବଯୁଗ ସାହିତ୍ୟ ସଂସଦ—୧୯୩୫

 

ଉଦ୍‌ଘାଟନ ଭାଷଣ ମୋର ଆରମ୍ଭ ହୁଏ —

 

“ସହଯାତ୍ରୀବର୍ଗ । ନବଯୁଗ-ସାହିତ୍ୟ-ସଂସଦର ପ୍ରଥମ ଉତ୍ସବ ସପ୍ତାହରେ ପ୍ରଧାନ ସଭାପତିର ଆସନ ଅଧିକାର ପାଇ ମୋହର ଆସନ ବ୍ରିଟିଶ୍ ପାର୍ଲାମେଣ୍ଟର (Speaker ବା) ବାଚସ୍ପତି ସଙ୍ଗେ ସମାନ । ଫରକ ଭିତରେ ଏତିକି, ପାର୍ଲାମେଣ୍ଟରେ ସେ ସ୍ଥାନଟି ଯାହାକୁ ମିଳେ, ସେ କେବଳ ବାଚସ୍ପତିର ନାମଟି ପାଇଥାନ୍ତି; କିନ୍ତୁ କାମରେ ତାଙ୍କୁ ପ୍ରଗାଢ଼ ମୌନବ୍ରତ ପାଳି ଅନ୍ୟମାନଙ୍କର ବକ୍ତୃତା ଶୁଣିବାକୁ ହିଁ ହୁଏ—ଏପରିକି ନିଜେ ସେ ଯାହା କହନ୍ତି, ସେଥିରେ ତାଙ୍କୁ ବାଚସ୍ପତି ନ କହି ମୂକ କହିବା ହିଁ ଅଧିକ ସଂଗତ ।’’

 

ଭାଷଣଟିରେ ସମାଜରେ ଶୈଶବରୁ କିପରି ଧର୍ମ-ଦାସତ୍ୱ ଶିକ୍ଷା ଦିଆଯାଏ, ବର୍ତ୍ତମାନ ଶିକ୍ଷାପଦ୍ଧତିରେ ତ୍ରୁଟି, ଯୌବନ-ବିବାହରେ ବିଭିନ୍ନ ରୀତି ଓ ତାହାର ଅସାରତା–ତରୁଣର ଅର୍ଥ ସମସ୍ୟା – ଯୁବକର ହେତୁହୀନ ଭୀରୁତା– ଚରିତ୍ର ଓ ଚିନ୍ତାର ଆଧୁନିକ ବ୍ୟାଖ୍ୟା ପୁଣି ଗତିଧାରା–ଭାରତର ସ୍ୱାଦେଶିକତା – ନୂଆ ଓଡ଼ିଶା ପ୍ରଦେଶ ଓ ପୃଥିବୀର ରାଜନୀତିରେ ଯୁବକର ସମ୍ଭାବନା ପୁଣି ଏ ଦେଶରେ ନାରୀର ସ୍ଥାନ ବିଷୟକ ବିଚିତ୍ର ଚିନ୍ତାଧାରର ବିଶ୍ଳେଷଣ କରାଯାଏ ।

 

ଆଧୁନିକ ଜୀବନ ସମ୍ପର୍କରେ ମୋର ଭାଷଣର ପ୍ରଭାବ ସେତେବେଳେ ଏକ ତୁମୂଳ ଆଲୋଡ଼ନ ସୃଷ୍ଟି କରେ ଯୁବଗୋଷ୍ଠୀରେ ।

 

ଶ୍ରଦ୍ଧେୟା ମାଳତୀ ଚୌଧୁରୀ, ଶ୍ରଦ୍ଧେୟ ନବକୃଷ୍ଣ ଚୌଧୁରୀ, ସ୍ଵର୍ଗତ ପଣ୍ଡିତ ଲିଙ୍ଗରାଜ ମିଶ୍ର ପ୍ରମୁଖ ବହୁ ବନ୍ଧୁଙ୍କଠାରୁ ଯେପରି ପ୍ରଶଂସା ପାଏଁ, ସେଇ ଭଳି ସ୍ୱର୍ଗତ ଚିନ୍ତାମଣି ଆଚାର୍ଯ୍ୟ ଭଳି ସ୍ଥିତିଶୀଳ ବ୍ୟକ୍ତିମାନେ ସମାଲୋଚନା-ମୁଖର ହୁଅନ୍ତି । ପଣ୍ଡିତ ନୀଳକଣ୍ଠଙ୍କ ସମ୍ପାଦିତ ମାସିକ “ନବଭାରତ’’ ପତ୍ରିକାର ଏକ ବିଶେଷ ସଂଖ୍ୟାରେ ନବଯୁଗ-ସାହତ୍ୟ ସଂସଦର ବିଭିନ୍ନ ଭାଷଣ ଓ ଲେଖାବଳୀ ପ୍ରକାଶିତ ହୁଏ । କିଛି ଦିନ ପରେ କଟକରୁ ଆତ୍ମପ୍ରକାଶ କରେ ଏହି ଅନୁଷ୍ଠାନ ପକ୍ଷରୁ “ଆଧୁନିକ” ମାସିକ-ପତ୍ର, ନୂତନ ଚିନ୍ତାଧାରର ବାହକ ହୋଇ । ଏହି ପତ୍ରିକାରେ ମୋର “ସବୁଠାରେ ସମ୍ଭବ” ସାମାଜିକ ନାଟକ ଧାରାବାହିକ ଆଂଶିକ ରୂପେ ପ୍ରକାଶ ପାଏ ।

 

ନବଯୁଗ-ସାହିତ୍ୟ-ସଂସଦର ବିଭିନ୍ନ ଦିବସରେ ଯେଉଁମାନେ ପ୍ରବନ୍ଧ ପାଠ କରନ୍ତି, ସେମାନଙ୍କ ମଧ୍ୟରେ ବିଚାରପତି ଶ୍ରୀ ହରିହର ମହାପାତ୍ର, କବିଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ, ଡକ୍ଟର ସଦାଶିବ ମିଶ୍ର, ଡକ୍ଟର ହରିବନ୍ଧୁ ମହାନ୍ତି, ଶ୍ରୀ ଅନନ୍ତ ପଟ୍ଟନାୟକ, ଶ୍ରୀ ଭଗବତୀଚରଣ ପାଣିଗ୍ରାହୀ, ଶ୍ରୀ ବିଶ୍ୱନାଥ ପଶାୟତ, ଶ୍ରୀ ଗୁରୁଚରଣ ପଟ୍ଟନାୟକ, ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀ ସଚ୍ଚିରାଉତ ରାୟ ପ୍ରମୁଖ । ‘‘ଆଧୁନିକ’’ ମାସିକପତ୍ର ମଧ୍ୟ କିଛି କାଳ ପାଇଁ ପ୍ରକାଶିତ ହୁଏ, ପ୍ରତି ମାସର ମଲାଟ ଉପରେ ତା’ର ପଣ୍ଡିତ ଜବାହରଲାଲଙ୍କ ଚିତ୍ର ବହନ କରି । ସେତେବେଳେ ତ୍ରିଂଶ ଦଶ କର ମଧ୍ୟ ଭାଗରେ ଆଧୁନିକ ଯେଉଁ ପ୍ରଗତିଶୀଳ ସାହିତ୍ୟର ବାର୍ତ୍ତା ପ୍ରଚାର କରେ, ତାହାର ସ୍ଥାୟିତ୍ୱ ସୁଦୀର୍ଘ ନ ହେଲେ ହେଁ, ପ୍ରଭାବ ଚିର ଅମଳୀନ । ନବଯୁଗ ସାହିତ୍ୟ-ସଂସଦ-ସ୍ଵାଧୀନ ଚିନ୍ତାର ବାହକ ରୂପେ ସେତେବେଳେ ଯେଉଁ ଆଲୋଡ଼ନ ସୃଷ୍ଟିକରେ, ତାହାର ଅନ୍ୟତମ ପ୍ରମାଣ ସ୍ୱର୍ଗତ ଦର୍ଶନ ଅଧ୍ୟାପକ ଓ ବ୍ୟାସ କବି ଫକୀରମୋହନଙ୍କ ପୁତ୍ର ମୋହିନୀ ମୋହନ ସେନାପତିଙ୍କର ନିମ୍ନୋକ୍ତ ଭାଷଣରୁ ସୂଚିତ ହୁଏ ।

 

୧୯୩୫ମସିହା, ଡିସେମ୍ବର୧ ତାରିଖରେ ଧର୍ମ ସମ୍ବନ୍ଧରେ ସେ ଏହିପରି ମତ ବ୍ୟକ୍ତ କରନ୍ତି, ନବ ଯୁଗ-ସାହିତ୍ୟ-ସଂସଦର ବୈଠକରେ—

 

“କେତେକ ଧାର୍ମିକ ଅଛନ୍ତି, ଯେଉଁମାନେ କହନ୍ତି ଯେ ସେମାନେ ଭଗବାନଙ୍କୁ ଦେଖି ଅଛନ୍ତି । ଯାହାଙ୍କର ଅସ୍ତିତ୍ୱ ନାହିଁ, ଲୋକେ ତାହାଙ୍କୁ ଦେଖନ୍ତି କିପରି ? ପ୍ରାଚୀନ କାଳରେ ଆର୍ଯ୍ୟଋଷିମାନେ ଭଗବାନଙ୍କୁ ଦେଖିବା ପାଇଁ ସୋମରସ ପାନ କରୁଥିଲେ, ଆଜିକାଲି ମଧ୍ୟ ଅନେକ ସନ୍ନ୍ୟାସୀ ସେହି ଉଦ୍ଦେଶ୍ୟରେ ଗଞ୍ଜା ସେବନ କରିଥାନ୍ତି । ଯେ ପର୍ଯ୍ୟନ୍ତ ମସ୍ତିସ୍କ ପ୍ରକୃତିସ୍ଥ ଥାଏ, ସେ ପର୍ଯ୍ୟନ୍ତ ସେ ଅଳୀକ ବସ୍ତୁଦର୍ଶନ କରିପାରେ ନାହିଁ । ଏଥିପାଇଁ ଧାର୍ମିକମାନେ ପ୍ରକୃତିସ୍ଥ ନ ହୋଇ ଅପ୍ରକୃତିସ୍ଥ ହେବା ଅଧିକ ବାଞ୍ଛନୀୟ ମନେ କରନ୍ତି । ଧାର୍ମିକ ଓ ପାଗଳ ଏକ-ଶ୍ରେଣୀଭୁକ୍ତ । ସଭ୍ୟ ଯୁଗରେ ଧାର୍ମିକମାନେ ଗଞ୍ଜା ଓ ସୋମରସ ପରିତ୍ୟାଗ କରି ଅଛନ୍ତି-ସତ୍ୟ, ସେମାନେ ବାତୁଳତାର ଅନ୍ୟ ଗୋଟିଏ ପନ୍ଥା ଅବଲମ୍ବନ କରନ୍ତି । ଯୋଗ ଦ୍ଵାରା ଆମ୍ଭେମାନେ କୌଣସି ଗୋଟିଏ ବିଷୟରେ ଅଧିକ କାଳ ମନଃ ସଂଯୋଗକଲେ ତାହା ପ୍ରତ୍ୟକ୍ଷ-ଜ୍ଞାନ ବୋଲି ପ୍ରତୀତ ହୁଏ । ଏହି ଚିତ୍ତଭ୍ରାନ୍ତି (hallucination) ଯୋଗର ଅବଶ୍ୟମ୍ଭାବୀ ଫଳ । ଏତଦ୍ଦ୍ଵାରା ଭଗବାନ, ମୃତ ଲୋକ ଏବଂ ନନାରୂପ ଅଳୀକ ବସ୍ତୁ ପ୍ରତ୍ୟକ୍ଷୀଭୂତ ହୋଇଥାଏ । ଆଜିକାଲି ଭଗବାନଙ୍କୁ ଦର୍ଶନ କରିବାର ଏହା ଗୋଟିଏ ପ୍ରଶସ୍ତ ପନ୍ଥା । ଧାର୍ମିକମାନେ ଉପବାସ ପ୍ରଭୃତି ଯେତେ ପ୍ରକାର କୃଚ୍ଛ୍ର ସାଧନା କରି ଥାଆନ୍ତି, ତଦ୍ଦ୍ୱାରା ମସ୍ତିଷ୍କ ଅବଶ ହୋଇଯାଏ । ସେ ଅବସ୍ଥାରେ ଅସତ୍ୟ ସତ୍ୟରୂପେ ପ୍ରତ୍ୟକ୍ଷୀଭୁତ ହୁଏ । ଅନେକ ବିଶ୍ୱାସ କରନ୍ତି ଯେ, ଭଗବାନଙ୍କୁ ଦର୍ଶନ କଲେ ସ୍ଵର୍ଗ ପ୍ରାପ୍ତି ହୁଏ । ପ୍ରକୃତିସ୍ଥ ଥିବା ପର୍ଯ୍ୟନ୍ତ ମାନବ ଭଗବାନଙ୍କୁ ଦର୍ଶନ କରେ ନାହିଁ । ସେଥିପାଇଁ ଅପ୍ରକୃତିସ୍ଥ ହେବା ଧାର୍ମିକମାନଙ୍କର ଇପ୍‍ସିତ ଅଟେ ।

 

“ଆଉ ଗୋଟାଏ କାରଣରୁ ଧର୍ମପ୍ରତି ଲୋକମାନଙ୍କର ଆସକ୍ତି ଜାତ ହୋଇଥାଏ । ଧର୍ମ ମନ୍ଦିରରେ, ଗୀର୍ଜା ଓ ମସ୍‍ଜିଦ୍‍ରେ ଆମ୍ଭେମାନେ ଆମ୍ଭମାନଙ୍କର ସଙ୍ଗୀମାନଙ୍କ ସହିତ ମିଳିତ ହେଉଁ-। ସେଠାରେ ପୁଷ୍ପର ସୌରଭ ଓ ସଙ୍ଗୀତର ମଧୁରଧ୍ୱନି ଉପଭୋଗ କରୁଁ । ଏହି ସବୁ ଆନୁଷଙ୍ଗିକ ବ୍ୟପାର ଯୋଗୁଁ ଆମ୍ଭମାନଙ୍କର ଧର୍ମ ପ୍ରତି ଅନୁରାଗ ଜାତ ହୁଏ । ନାସ୍ତିକ ସମାଜର ସୌଧ ଶିଖର ଯଦି ପୁରୀମନ୍ଦିର ପରି ଗଗନ ଭେଦ କରେ, ପ୍ରକୃତିର ବିରାଟ ଓ ରମ୍ୟଦୃଶ୍ୟ ସମ୍ମୁଖରେ ଯଦି ନାସ୍ତିକ—ସୌଧ ସ୍ଥାପିତ ହୁଏ, ଯଦି ପୁଷ୍ପ ଏବଂ ସୁଗନ୍ଧ ଦ୍ରବ୍ୟଦ୍ଵାରା ନାସ୍ତିକ ଅଟ୍ଟାଳିକା ଆମୋଦିତ କରାହୁଏ ଏବଂ ସଙ୍ଗୀତ ଓ ବାଦ୍ୟର ମଧୁରଧ୍ଵନି ଦ୍ଵାରା ନାସ୍ତିକ–ମନ୍ଦିର ଝଙ୍କତ ହୁଏ, ତେବେ ପୃଥିବୀର ଯାବତୀୟ ତୀର୍ଥଯାତ୍ରୀମାନେ ଆମ୍ଭମାନଙ୍କର ନାସ୍ତିକ ମନ୍ଦିରରେ ପଦାର୍ପଣ କରି କହିବେ—ନାସ୍ତିକ ଧର୍ମ କି ଉଦାର କି ମହତ୍ ! ଧର୍ମର ମହତ୍ତ୍ୱ ଧର୍ମରେ ନାହିଁ ! ତାହା ତାହାର ଆନୁଷଙ୍ଗିକ ବ୍ୟାପାରରେ ବର୍ତ୍ତମାନ ଅଛି ।”

 

ଏହି ସମୟରେ ବୋଧହୁଏ ମୋର ନିକଟତର ପରିଚୟରେ ଆସିବା ସୁଯୋଗ ଘଟେ ସାହିତ୍ୟଭୂଷଣ, ଶଶିଭୂଷଣ ରାୟଙ୍କ ସହିତ । ତନୁଜଙ୍କୁ କବିବର ରାଧାନାଥ ସ୍ନେହରେ ଡାକୁଥିଲେ ‘ମଧୁ’ ବୋଲି—ତାଙ୍କ ପ୍ରିୟ ଶିଷ୍ୟ ଭକ୍ତକବି ମଧୁସୁଦନଙ୍କ ନାମ ଧରି ! ସ୍ନେହାଦର୍ଶର କି ଉଜ୍ଜ୍ଵଳ ମହିମା !

 

ଶଶିଭୁଷଣ ସର୍ବଦା ଗେରୁଆ ଲୁଗା ପିନ୍ଧନ୍ତି, ମୋ ବାପାଙ୍କ ପରି । ଶଶି ଭୁଷଣଙ୍କ ଲୁଗା କେବଳ ଗେରୁଆ ନୁହେଁ-ଜାମା ପୁଣି ଛତା ପର୍ଯ୍ୟନ୍ତ ସବୁ । “ନବଯୁଗ-ସାହିତ୍ୟ-ସଂସଦ”ର ପ୍ରଥମ ଅଧିବେଶନ ପରେ ସେ ନିଜେ ଆସି ମୋତେ ସଙ୍ଖୋଳିଯାନ୍ତି ।

 

ଦୀର୍ଘକାଳ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରୂପେ କାର୍ଯ୍ୟ କରିଥିବା ହେତୁ ଅନେକ ସମୟରେ ଭେଟହୁଏ ତାଙ୍କ ସହିତ । ସଦାଶୟତାର ଏକ ମୂର୍ତ୍ତିମନ୍ତ୍ର ବିଗ୍ରହ ଥିଲେ ଶଶୀବାବୁ । ଉତ୍କଳ-ପ୍ରକୃତିର ବର୍ଣ୍ଣନାରେ ଯେପରି ଓଡ଼ିଆ ଗଦ୍ୟ ତାଙ୍କର ଜନକଙ୍କ ଅତୁଳନୀୟ ପଦ୍ୟର ପଦାଙ୍କ ଅନୁସରଣ କରିଛି ଅବା !

 

ମୟୂରଭଞ୍ଜ, ଆଠମଲ୍ଲିକ, ବୌଦ୍ଧ, ଦଶପଲ୍ଲା ଆଦି ରାଜ୍ୟମାନଙ୍କରେ ଭ୍ରମଣ କରିବା ଥିଲା ତାଙ୍କର ଅଭ୍ୟାସଗତ । ମୋ ଘରକୁ ଆସି ମଧ୍ୟ ସେ ପଦଧୂଳି ଦେଇ ଯାଇଛନ୍ତି କେତେ ଥର । ପିତୃ ଦତ୍ତ ଶ୍ରଦ୍ଧା ନାମ ‘ମଧୁ’ ଅନୁଯାୟୀ ମଧୁର ଥିଲା ସବୁବେଳେ ଶଶିଭୂଷଣଙ୍କ ବ୍ୟବହାର ।

 

“ନବଯୁଗ-ସାହିତ୍ୟ–ସଂସଦ”ର ବିଭିନ୍ନ ଅଧିବେଶନରେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶଙ୍କ ଭଳି ପ୍ରବୀଣ ସାହିତ୍ୟିକମାନଙ୍କୁ ବାଦ୍ ଦିଆଯିବା ଘଟଣା ସେତେବେଳେ ଚିହ୍ନିତ ହୋଇପଡ଼େ । ତଥାପି ନୀଳକଣ୍ଠଙ୍କ “ନବଭାରତ” ମାସିକ ପତ୍ରର ଗୋଟିଏ ସଂଖ୍ୟା ସେଥିଲାଗି ଉତ୍ସୃଷ୍ଟ ହୁଏ ଭାଷଣଗୁଡ଼ିକୁ ବିବରଣ ସହ ଏକତ୍ର ପ୍ରକାଶ କରି ।

 

ନୀଳକଣ୍ଠ ଓ ଗୋଦାବରୀଶ ଉଭୟ ସେତେବେଳେ କଂଗ୍ରେସ ସରକାରକୁ ସମାଲୋଚନା କରନ୍ତି । କୌଣସି କୌଣସି କଂଗ୍ରେସ ନେତାଙ୍କ “ଦେଶସେବା”କୁ ପବିତ୍ର ମହାପ୍ରସାଦ ସେବା ସହିତ ତୁଳନା କରି ଆଙ୍ଗୁଠିରେ ଲାଗିଥିବା ପ୍ରାସାଦକୁ ଜିହ୍ୱାରେ ଲେହନ ଓ ମସ୍ତକରେ ସ୍ପର୍ଶ କରିବା ଅଭିନୟ ଦେଖାଇ ଟାଉନ୍ ହଲ ସଭାର ଶ୍ରୋତାମାନଙ୍କ ହାସ୍ୟ ଉଦ୍ରେକ କରନ୍ତି ନୀଳକଣ୍ଠ । ସେଇଭଳି ଶ୍ରୀ ରାମଚନ୍ଦ୍ର ଭବନର ଗୋଟିଏ ସଭାରେ ପଣ୍ଡିତ ଗୋଦାବରୀଶ କଂଗ୍ରେସ ମନ୍ତ୍ରୀମାନଙ୍କୁ ତାଙ୍କ ସେକ୍ରେଟାରିମାନେ ମଧ୍ୟ ସ୍କୁଲ ମାଷ୍ଟର ଛାତ୍ରଙ୍କ କାନ ଧରି ତାଙ୍କୁ ବସ ଉଠ କଲା ଭଳି ବ୍ୟବହାର କରନ୍ତି, ତାହାର ଗୋଟିଏ ଚିତ୍ର ମଧ୍ୟ ଦେଇଥିଲେ ।

 

ଜବାହରଲାଲଙ୍କୁ ସମ୍ବର୍ଦ୍ଧନା

ନବଯୁଗ ସାହିତ୍ୟ-ସଂସଦ ପକ୍ଷରୁ ପଣ୍ଡିତ ଜବାହରଲାଲ୍‍ ନେହେରୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଏ ୧୯୩୬ ଖ୍ରୀଷ୍ଟାବ୍ଦରେ । ମୁଖପାତ୍ର ‘‘ଆଧୁନିକ’’ରେ ପ୍ରକାଶିତ ଏହି ଅଭିନନ୍ଦନର ଉତ୍ତରରେ ନେହେରୁଙ୍କ ଭାଷଣର ଅନୁବାଦ ଏଠାରେ ଉଲ୍ଲେଖଯୋଗ୍ୟ —

 

“ଆଧୁନିକ” ପ୍ରଥମବର୍ଷ

 

“ଯାହା ଆସୁ ପଛେ ପଛଘୁଞ୍ଚା ଦିଅନାହିଁ ”—୧୯୩୬ ଅକ୍ଟୋବର —ଷଷ୍ଠ ସଂଖ୍ୟା (ରାଷ୍ଟ୍ରପତି ପଣ୍ଡିତ ଜବାହର ଲାଲ ନେହେରୁ ଉତ୍କଳକୁ ଆସିଥିଲା ବେଳେ କଟକରେ ଗୋଟିଏ ସ୍ୱତନ୍ତ୍ର ଆହୂତ ସଭାରେ ତାଙ୍କୁ ନବଯୁଗ ସାହିତ୍ୟ–ସଂସଦ ତରଫରୁ ଅଭିନନ୍ଦନ ଦିଆଯାଇଥିଲା । ସେ ଅଭିନନ୍ଦନର ଉତ୍ତରରେ ନବଯୁଗ—ସାହିତ୍ୟ-ସଂସଦର ସଭ୍ୟମାନଙ୍କୁ, ନା ପ୍ରକୃତରେ ଓଡ଼ିଶାର ଯୁବକ-ଯୁବତୀଙ୍କୁ ଉଦ୍‍ବୋଧନ କରି ଯେ, କେତୋଟି କଥା କହିଥିଲେ, ତା’ର ଅନୁଲିପି ତଳେ ଦିଆଗଲା । ଅଭିନନ୍ଦନ ପତ୍ରର ଓଡ଼ିଆ ଅନୁବାଦ ମଧ୍ୟ ତାହା ପରେ ଦିଆଯାଉଛି ।

—ସମ୍ପାଦକ)

 

‘ପୃଥିବୀ ଆଗରେ ଆଜି ବହୁ ସମସ୍ୟା ଶିରୋତ୍ତୋଳନ କରିଛି । ଦେଶର ଯୁବକମାନଙ୍କର କର୍ତ୍ତବ୍ୟ ହେଉଛି-– ସେଗୁଡ଼ିକର ସନ୍ଧାନ ନେବା, ତାକୁ ବିଶ୍ଲେଷଣ କରି ଦେଖି ମନୁଷ୍ୟ ପରି ତା’ର ସମ୍ମୁଖୀନ ହେବା । ଖାଲି ତୁଣ୍ଡଗୋଳ, ବା ସ୍ଲୋଗାନ (slogan) ରେ କିଛି ଲାଭ ହେବନାହିଁ । ଜଗତ୍ ଉପରେ ଏକ୍ଷଣି ବିପ୍ଳବାତ୍ମକ ପରିବର୍ତ୍ତନର ସ୍ରୋତ ବହି ଯାଉଛି । ଏହି ବିକ୍ଷୋଭ ମୂଳକ ଆନ୍ଦୋଳନ ସମ୍ଭବ ହୋଇଛି ସୁରଭୀର ସ୍ୱତଃସ୍ପୂର୍ତ୍ତ ପ୍ରାକୃତିକ କାରଣ ଯୋଗୁଁ;--ଏଣୁ ତୁମକୁ ଆଜି ଅନୁଧ୍ୟାନ କରିବାକୁ ହେବ—ଏ ପୃଥିବୀ ଥିଲା କଅଣ ଓ ଅଛି କେଉଁ ଅବସ୍ଥାରେ । ଊନବିଂଶ ଶତାବ୍ଦୀରୁ ଆସି ବିଂଶ ଶତାବ୍ଦୀରେ ଆଜି ବିଶ୍ୱଜଗତ ବେଗବା୍ନ ହୋଇ ଉଠିଛି କି ନା । ତମକୁ ଆଜି ପରିବର୍ତ୍ତନର ସ୍ପନ୍ଦନ ବୋଧ କରିବାକୁ ହେବ । ମନେରଖ, ଏହି ବିପ୍ଳବରେ, ଏହି ଭୂମିକମ୍ପରେ ଏଇ ମାନବିକ ଅଭ୍ୟୁତ୍ଥାନର ବ୍ୟକ୍ତି ବିଶେଷର ପ୍ରଶ୍ନ ଉଠେ ନାହିଁ,—ବ୍ୟଷ୍ଟିର କେହି ଗଣନା ରଖେ ନାହିଁ ।

 

“କିନ୍ତୁ ବ୍ୟକ୍ତିତ୍ୱ ବା ପ୍ରତିଭା ଚରିତ୍ର ବଳରେ-–ଦୂରଦୃଷ୍ଟି ଓ ଅନ୍ତର୍ଦ୍ଦୃଷ୍ଟି ବଳରେ-–ଏଇ ଗର୍ଜନଶୀଳ ପ୍ରବାହ ଉପରେ ଠିଆ ହୋଇଯାଏ । ଯୁବକର ଆଜି ଭୟକାତର ଦର୍ଶକ ହୋଇ ରହିବା ଉଚିତ ନୁହେଁ । ତାକୁ ଆଜି ପ୍ରବାହ ଉପରେ ଠିଆ ହେବାକୁ ହେବ, ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଏ ଭୂମିକମ୍ପରୁ କାହାର ହେଲେ ତ୍ରାହି ନାହିଁ । ଯଦି କିଏ ଏଥିରୁ ଖସିଯିବା ପାଇଁ ଭୟାର୍ତ୍ତ ଚେଷ୍ଟା କରି ବସେ, ଏହା ତାକୁ ଶେଷରେ ପେଷି ଦେବ । ବିରୁଦ୍ଧାତ୍ମକ ଶକ୍ତି ଭିତରେ ଦ୍ଵନ୍ଦ, ପ୍ରଗତି ଆଉ ପ୍ରତିକ୍ରିୟା-ଶୀଳତା ଭିତରେ ସଂଘର୍ଷ-ସମ୍ପଦ ଓ ଦାରିଦ୍ର୍ୟ,-ଇଉରୋପରେ ଫସିଜିମ୍ ଓ ଫାସିଜିମ୍-ବିରୋଧୀ ନୀତି, ଭାରତରେ ସାମ୍ରାଜ୍ୟବାଦ ଓ ଜାତୀୟତାବାଦ ମଧ୍ୟରେ ଭୟଙ୍କର ବୈସାଦୃଶ୍ୟପୂର୍ଣ୍ଣ ତୁଳନା । ଏସବୁ ହେଉଛି ଗୋଟିଏ ଗୋଟିଏ ବଡ଼ ବିପ୍ଳବ । ଏ ବିପ୍ଳବର ଧାର ପ୍ରତି ଲକ୍ଷ୍ୟ ନ ରଖିଲେ କୋଉଦିନ ଯେ କେତେ ବେଳେ କୋଉ ଭୁଷା ବାଲିରେ ବା କାଦୁଅ ପଙ୍କରେ ଗଳି ପଡ଼ିବାକୁ ହେବ, କିଏ କହିବ ?

 

“ପୃଥିବୀ ଗୋଟାଏ ଅଭିନ୍ନ ବସ୍ତୁ । ଏହା ଭିତରେ ଅଲଗା ଅଲଗା ହୋଇ ରହିବା ଅସମ୍ଭବ । ଗଲା ପାଞ୍ଚ ବର୍ଷ ଧରି ଯୋଉ ଆର୍ଥନୀତିକ ବିପତ୍ତି ପଡ଼ିଅଛି, ଯୋଉ ବାଣିଜ୍ୟ ବ୍ୟବସାୟ ମାନ୍ଦା ହୋଇ ଯାଇଛି, ତାହାର କାରଣ ପୃଥିବୀରେ କାର୍ଯ୍ୟ କରୁଥିବା ଶକ୍ତିଗୁଡ଼ିକ । ଏଇ ଶକ୍ତିଗୁଡ଼ିକୁ ଦେଖି ଆମକୁ ରାଜନୀତି, ଇତିହାସ, ବିଜ୍ଞାନ ଓ ଅର୍ଥନୀତି ବୁଝିବାକୁ ହେବ ।

 

“ଆମେ ଆଜି ସାମ୍ରାଜ୍ୟବାଦ କବଳରେ ପଡ଼ିଥାଇଁ ! ଖାଲି ଗୋଟାଏ ଦେଶ ଅନ୍ୟ ଗୋଟାଏ ଦେଶକୁ ପଦାନତ କରି ରଖିଲେ ସାମ୍ରାଜ୍ୟବାଦ ହୁଏ ନାହିଁ । ଆଜିକାର ବୈଜ୍ଞାନିକ ସାମ୍ରାଜ୍ୟବାଦ ବଜାର ଓ ଉପନିବେଶ ଉପରେ ନିର୍ଭର କରି ତିଷ୍ଠି ରହିଛି । ଏ ସାମ୍ରାଜ୍ୟବାଦକୁ ଆମକୁ ଧ୍ଵଂସ କରିବାକୁ ହେବ ।

 

“ଇଉରୋପର ଅବସ୍ଥା, ପାଲେଷ୍ଟାଇନ ଓ ସ୍ପେନର ବର୍ତ୍ତମାନ ଅବସ୍ଥା ଏଇ ଅଭ୍ୟୁତ୍ଥାନ, ଏଇ ବିପ୍ଳବର ଜାଗରଣ ଯୋଗୁଁ ସମ୍ଭବ ହୋଇଛି । ମନେରଖ, ଗୋଟାଏ ବଡ଼ ସମସ୍ୟା ବୁଝିବା ଲାଗି ନିଜକୁ ବଡ଼ କରିବାକୁ ହେବ; କିନ୍ତୁ ଦୁଃଖ ଓ କ୍ଷୋଭର କଥା—ଅନେକେ ଅତି ଛୋଟ ଅତି ତୁଚ୍ଛ ନଗଣ୍ୟ କଥାରେ ଏତେ ମରିଛନ୍ତି ଯେ, ବଡ଼କୁ ଅବହେଳା କରୁଛନ୍ତି । ବୁଝିପାରୁ ନାହାନ୍ତି ଯେ ସେମାନେ କେବଳ ବିପଦ ବରଣ କରୁଛନ୍ତି ।

 

“ବୁଦ୍ଧ ଓ ବୟସ୍କଙ୍କ ପାଖରେ କଷ୍ଟକର ହୋଉଛି ବିରାଟର କଳ୍ପନା କରିବା । ସଂକୀର୍ଣ୍ଣ ପରିସରରୁ ଚାଲିଆସିବା, ଆଗର ଚିନ୍ତାଧାରା ଓ ଭାବ, ଆଚାର ବିଚାର ଓ ମତକୁ ଦୂର କରି ଦେବା-। ଏଣୁ ଆଜି ଯୁବକ ଯୁବତୀଙ୍କୁ ଛୋଟ ସମସ୍ୟାଗୁଡ଼ିକରୁ ବାହାରି ଆସି ଉଚ୍ଚ ଭାବରେ ଚିନ୍ତା କରିବାକୁ ହେବ ଓ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ହେବ ।

 

“ମନେରଖ, ଆମେ ଆଜି ବିପ୍ଲବର ଦ୍ୱାରଦେଶରେ ଉଭାହେଲୁଣି । ସମ୍ମୁଖୀନ ଚକ୍ରବାଳରେ ବଡ଼ ବଡ଼ ସମସ୍ୟାମାନ ଭାତି ଉଠୁଛି । ଦମ୍ଭ ଓ ସାହସରେ ମନୁଷ୍ୟଭଳି ଆଜି ଆମକୁ ସେମାଙ୍କର ସମ୍ମୁଖୀନ ହେବାକୁ ହେବ । ପରେ ଅବଶ୍ୟ ସମୟ ଜଣେଇ ଦେବ, ଆମେ ଆମ କର୍ତ୍ତବ୍ୟ କରୁଛୁ କି ନାହିଁ । ନିଜକୁ ବଡ଼ ଏବଂ ଉଚ୍ଚ ଭାବିବା ଭଲ, କିନ୍ତୁ ବଡ଼ ଭାବ ଛୋଟ କଥାରେ ବା ମଟୋ ଘୋଷି ବସିଲେ ଜନ୍ମେ ନାହିଁ । ବିପଦରେ ତା’ ର ପ୍ରକୃତ ପରୀକ୍ଷିତ ରୂପର ପରିଚୟ ମିଳେ । ଯୁବକକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ହେବ । ମନେରଖ, “ଯାହା ଆସୁ ପଛେ, ପଛଘୁଞ୍ଚା ଦିଅନାହିଁ ।”

 

ପଣ୍ଡିତ ଜବାହାର ଲାଲ୍ ନେହେରୁଙ୍କୁ ଅଭିନନ୍ଦନ

ଜବାହରଲାଲ୍ ନେହେରୁ !

 

“ହେ ଏ ଦେଶର ବିପ୍ଲବୀ ଯୁବଶକ୍ତିର ଶକ୍ତିଶାଳୀ ଜନପ୍ରିୟ ଜନନାୟକ ! ନବଯୁଗ-ସାହିତ୍ୟ-ସଂସଦର ସଭ୍ୟଗଣ ଆମେ ଆଜି ତୁମକୁ ଅଭିନନ୍ଦନ ଜଣାଉଛୁ । ନବଯୁଗର ସାହିତ୍ୟ ଓ ସଂସ୍କୃତିର ଅନୁଶୀଳନକୁ ଲକ୍ଷ ରଖି-ନବଯୁଗ-ସାହିତ୍ୟ-ସଂସଦ,--ଏଇ ସଂଘ ଗଠିତ ହୋଇଛି । ଆମର ବିରାଟ ଓ ଉଜ୍ଜ୍ୱଳ ଅତୀତ ଥାଇ ସୁଦ୍ଧା ଆମେ ବୋଧ କରୁଛୁଁ, ଆମେ ଭାରତର ଲୋକେ ଆଜି ଜଗତରେ ଜୀବନ ଯାତ୍ରାରେ ବହୁ ପଛରେ । ପ୍ରବଳ ରାଜନୀତିକ ଓ ଆର୍ଥନୀତିକ ଶକ୍ତି ସବୁ ଆମକୁ ଦୁର୍ବଳ ଓ ମୂହ୍ୟମାନ କରିଯାଇଛି । ଅତୀତର ସଂସ୍କୃତି ଓ ଐତିହ୍ୟ ପ୍ରତି ଥିବା ଆମର ଗୋଟେ ଭାବପ୍ରବଣତାପୂର୍ଣ୍ଣ ଅନୁରାଗରେ ଆଘାତ ଲାଗିଲେ ସୁଦ୍ଧା ଆମେ ଆଜି ବୁଝିପାରୁଛୁଁ ଯେ, ଭାରତ ପକ୍ଷରୁ ସେଇ ପୁରାତନ ଆଦିମ ଯୁଗକୁ ଫେରିଯିବା ଓ ସେଇ ପୁରାତନ ପ୍ରଣାଳୀରେ ଜୀବନ ଯାତ୍ରା ନିର୍ବାହ କରିବା ଏଣିକି ଆଉ ଆଦୌ ସମ୍ଭବପର ନୁହେଁ । ଆଧୁନିକ ଉତ୍ପାଦନ ପ୍ରଣାଳୀ ପୁରାତନ ଉତ୍ପାଦନ ପ୍ରଣାଳୀ ପରିବର୍ତ୍ତେ ଆତ୍ମପ୍ରକାଶ କଲା ଭଳି ଆଧୁନିକ ଚିନ୍ତାଧାରା ପ୍ରାଚୀନ ଚିନ୍ତାଧାରାକୁ ନିଶ୍ଚିତ ରୂପେ ଅପସାରିତ କରିଛି । ଏଇ ଭାବ ଉପରେ ନବଯୁଗ-ସାହିତ୍ୟ-ସଂସଦର କ୍ରିୟା କର୍ମ ସନ୍ନିବିଷ୍ଟ । ଆମ ଦେଶରେ ନବୀନ ଚିନ୍ତାଧାରା ରହେ ଜୀବନ୍ତ ପ୍ରତୀକ ! ଏଣୁ ଆମେ ଆଜି ଆନନ୍ଦରେ ତମକୁ ସ୍ୱାଗତ ଜଣାଉଛୁଁ ।

 

“ଆଜି ଏଇ ସନ୍ଧ୍ୟାରେ ତମର ସେଇ ଶ୍ରେଷ୍ଠ ରଚନା “ଆତ୍ମଚରିତ” କଥା ଉଲ୍ଲେଖ ନ କରି ରହି ପାରୁନୁ । ଏହା ଭାବ ଓ ଭାଷାର ଗଭୀର ସ୍ଵଚ୍ଛ ବ୍ୟଞ୍ଜନାରେ, ଆଧୁନିକ ସମାଜରେ କ୍ରିୟାଶୀଳ ଶକ୍ତି ଚୟର ନିର୍ଭୀକ ଓ ପାଣ୍ଡିତ୍ୟ ପୂର୍ଣ୍ଣ ବିଶ୍ଳେଷଣରେ, ଏ ଦେଶର ଓ ଏ ଦେଶ ବାହାରେ ପ୍ରତ୍ୟେକ ଚିନ୍ତାଶୀଳ ନରନାରୀଙ୍କୁ ମୁଗ୍ଧ କରିଛି ଓ ଜାତୀୟ କାର୍ଯ୍ୟ-କ୍ଷେତ୍ରରେ କର୍ମରତ ଆମର କମ୍ରେଡ଼୍‍ଙ୍କର ଚିନ୍ତାଧାରାରେ ସୁସ୍ଥ ପରିବର୍ତ୍ତନ ଆଣିବାରେ ଅଶେଷ ସାହାଯ୍ୟ କରିଛି ।

 

“ଆମ ଚତୁର୍ଦ୍ଦିଗରେ ପୃଥିବୀରେ ଆଜି ଘଟିଥିବା ଘଟନାଗୁଡ଼ିକ ସ୍ପଷ୍ଟ ଜଣାଇ ଦେଉଛି—ଆଜି ଆମେ ଗୋଟାଏ ଝଡ଼ଝଞ୍ଜାର ଯୁଗରେ ବାସ କରୁଛୁଁ । ଅବସ୍ଥା ଚାହୁଁଛି, ଆମେ ଯେପରି ସବୁବେଳେ ସତର୍କ ଓ ଜାଗତିଆର ରହୁଁ । ଏ ସନ୍ଧିକ୍ଷଣରେ ସୁଖର କଥା, ଜାତିର ଲଗାମ ଆଜି ତୁମ ହାତରେ । ତୁମଠାରେ ଆଜି ଆମର ସକଳ ବିଶ୍ଵାସ ନ୍ୟସ୍ତ କରିଛୁ । ବିଶ୍ଵାସ ନ୍ୟସ୍ତ କରିଛୁ–ତୁମେ ଭାରତର ସ୍ଵାଧୀନତା ସଂଗ୍ରାମରେ ସାହସୀ ଓ ପରାକ୍ରମଶାଳୀ ସେନାପତି ବୋଲି ନୁହେଁ, ତୁମେ କେବଳ ମାନବଜାତିର ଭାଗ୍ୟ ନିୟନ୍ତ୍ରଣ କରୁଥିବା ଆଧୁନିକ ସମାଜର ପ୍ରଗତିଶୀଳ ଓ ବିପ୍ଳବାତ୍ମକ ଶକ୍ତି ସପକ୍ଷରେ ପୂର୍ଣ୍ଣଭାବରେ ଓ ପ୍ରକାଶ୍ୟରେ ରହିଛ ବୋଲି ।

 

ପୁନରାୟ ତମକୁ ଆମେ ସ୍ୱାଗତ ଜଣାଉଛୁଁ ଓ ଏ ପ୍ରଦେଶରେ ଯୁବକ ଯୁବତୀଙ୍କୁ ତୁମର ବାଣୀ ଶୁଣାଇବାଲାଗି ଅନୁରୋଧ କରୁଛୁଁ ।

 

 

ତମର

ହେ ପ୍ରିୟ କମ୍ରେଡ଼୍

ନବଯୁଗର କାର୍ଯ୍ୟରେ ସହକର୍ମୀ

ନବଯୁଗ ସାହିତ୍ୟ ସଂସଦର ସଭ୍ୟଗଣ ।

 

(ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର “ଆଧୁନିକ”ରୁ ଉଦ୍ଧୃତ)

 

ସ୍ଵାଧୀନତା ପୂର୍ବେ ସାହିତ୍ୟର ଚିନ୍ତାଧାରା ଓ ଆଭିମୁଖ୍ୟ ଯେପରି ଥିଲା, ପରବର୍ତ୍ତୀ ସାହିତ୍ୟରେ ତାହା ଅବଶ୍ୟ ପ୍ରଣିଧାନ ଯୋଗ୍ୟ । ସାହିତ୍ୟର ଚିରନ୍ତନ ଧର୍ମ ହେଲା ନବ ନବ ପ୍ରକାଶ ଭଙ୍ଗିର ବୈଚିତ୍ର—କବିତା, ଉପନ୍ୟାସ, ଗଳ୍ପ କିମ୍ବା ନାଟକର ଭାଷାଭଙ୍ଗୀ ଓ ଚରିତ୍ର ଚିତ୍ରଣ ସଙ୍ଗେ ସ୍ୱାଧୀନ ଯୁଗର ଆଶା ଆକାଂକ୍ଷାର ପ୍ରତିଫଳନ । ସେ ଦିଗରେ ପରୀକ୍ଷା ନିରୀକ୍ଷା ପରିସ୍ଫୁଟ ହୋଇଥାଏ ଆଜି, ମାତ୍ର ସମାଜକୁ ଅଗ୍ରଗାମୀ ରୂପଦେବା ଲାଗି ନବଯୁଗ ସାହିତ୍ୟସଂସଦର ଆଭିମୁଖ୍ୟ ଆଜି ମଧ୍ୟ ଅନତିକ୍ରମ୍ୟ ହୋଇରହିଛି ।

 

“ସାଳନ୍ଦୀକଳରେ କାଳିନ୍ଦୀ”

 

ମୟୂରଭଞ୍ଜ ରାଜ୍ୟର କେତେକ ଗ୍ରାମାଞ୍ଚଳ ବୁଲି ଦେଖିବାର ମଧ୍ୟ ସୁଯୋଗ ଘଟେ ମୋର –ଚରମ ଦାରିଦ୍ର୍ୟ ଓ ପରମ ଐଶ୍ୱର୍ଯ୍ୟର ସହାବସ୍ଥାନ ମଧ୍ୟରେ ପ୍ରଭେଦ ଲକ୍ଷ୍ୟକରିବାର ରାଜଦରବାରରେ ମହାରାଜ ଏବଂ ଦେବାନ୍‍ଙ୍କ ସମେତ ବିଭିନ୍ନ ରାଜକର୍ମଚାରୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ । ପ୍ରଜାକୁଳର ଦାରିଦ୍ର୍ୟ ରହିଥାଏ ଅବା ଅନ୍ତରାଳରେ ।

 

ବାରିପଦାର ଜୁବୁଲି ଲାଇବ୍ରେରୀଟି ଥାଏ ଗୋଟିଏ ଉତ୍କୃଷ୍ଟ ଗ୍ରନ୍ଥାଗାର । ସର୍ବାଧୁନିକ ଆନ୍ତର୍ଜାତିକ ସାହିତ୍ୟ ସହିତ ସଂଯୋଗ ଘଟିବାର ସବୁ ସୁବିଧା ହିଁ ମିଳେ ସେହିଠାରେ ।

 

“ମୟୂରଭଞ୍ଜ ଗେଜେଟ୍”ର ଓଡ଼ିଆ ନାମକରଣ ମୁଁ କରିଥାଏଁ ମହାରାଜାଙ୍କ ଜ୍ୟେଷ୍ଠପୁତ୍ରଙ୍କ ନାମାନୁସାରେ “ଭଞ୍ଜ ପ୍ରଦୀପ” । ଇଂରାଜୀ ପତ୍ରିକାରେ ସାର୍ ଦେବପ୍ରସାଦ ସର୍ବାଧିକାରୀ ଓ ସେଣ୍ଟ୍ ନିହାଲ ସିଂ ତଥା ପାରଳାଖେମୁଣ୍ଡି ମହାରାଜା ଗଜପତି କୃଷ୍ଣଚନ୍ଦ୍ର, ପ୍ରମୁଖରେ ଇଂରାଜୀ ରଚନା ଯେପରି ପ୍ରକାଶକରେଁ, ସେହିପରି “ଭଞ୍ଜ ପ୍ରଦୀପରେ” ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ତଥା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଲେଖା-ସହିତ ବହୁ ଆଧୁନିକ ରଚନା ମଧ୍ୟ ପ୍ରକାଶିତ ହୁଏ । ସ୍ୱର୍ଗତ ବିମ୍ବାଧର ବର୍ମା ଓ ଗୋପାଳ କାନୁନ୍‍ଗୋଙ୍କର ଅଙ୍କିତ ଚିତ୍ର ମଧ୍ୟ ତହିଁରେ ସ୍ଥାନପାଏ ।

 

ଇଂରାଜୀ ଲେଖକମାନଙ୍କୁ ପାରିତୋଷିକ ଦିଆଯାଉଥିବା ସ୍ଥଳେ ଓଡ଼ିଆ ଲେଖକ ଓ ଶିଳ୍ପୀଙ୍କୁ ତହିଁରୁ ବଞ୍ଚିତ କରାଯାଉଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ପାରିତୋଷିକ ଦେବାପାଇଁ ମୁଁ ପ୍ରସ୍ତାବ କଲି । ପ୍ରସ୍ତାବଟି ଅବଶ୍ୟ ଗୃହୀତ ହୁଏ । ସେତେବେଳେ ଏହା ଓଡ଼ିଆ ଲେଖକ ଶିଳ୍ପୀମାନଙ୍କର ଆଶାତୀତ ଥିବାରୁ ପାରିତୋଷିକ ଲାଭ କରି ସେମାନେ ଆନନ୍ଦ ବିହ୍ୱଳ ହୋଇ ପତ୍ର ଲେଖନ୍ତି । ସେତେବେଳର ଦେୱାନ୍ ଶ୍ରୀ କ୍ଷିତୀଶ୍‍ଚନ୍ଦ୍ର ନିୟୋଗୀ ଏହି ପତ୍ର ସବୁ ଦେଖି ମୁଁ ରାଜକୋଷରୁ ଅଯଥା ଅପବ୍ୟୟ କରୁଥିବା ଅଭିଯୋଗ କରନ୍ତି । ଅଥଚ କି କୈଫିୟତ୍ ଦିଅନ୍ତି, ତାଙ୍କୁ ମୁଁ ? କେବଳ ଏଇ ଧାରଣା ମୋର ଦୃଢ଼ତର ହୁଏ ଯେ କବି-ଶିଳ୍ପୀମାନେ ଯେ କୌଣସି ପାରିତୋଷିକ ଲାଗି ଅଯୋଗ୍ୟ—ସେଇମାନଙ୍କ ପାରିତୋଷିକ କେବଳ ତାଙ୍କରି ସୃଷ୍ଟି ।

 

ମୟୂରଭଞ୍ଜ ଅବସ୍ଥାନ କାଳରେ ବାରିପଦା ସାହିତ୍ୟ ସମାଜ ସଂଗଠନ କରି ତାହାର ଅଧିବେଶନମାନଙ୍କରେ ନିମନ୍ତ୍ରଣ କରେଁ ସାହିତ୍ୟିକ ସ୍ୱର୍ଗତ ଜଳନ୍ଧର ଦେବ ଓ କବି ପଦ୍ମଚରଣ ପଟ୍ଟନାୟକଙ୍କୁ ପୁରୋଧା ରୂପେ । ପୁଣି ସେହି ସମାଜର ବିଭିନ୍ନ ଅଧିବେଶନରେ କାନ୍ତକବି ଲକ୍ଷ୍ମୀକାନ୍ତ ଓ ସାହିତ୍ୟଭୂଷଣ ଶଶିଭୂଷଣ ମଧ୍ୟ ନିମନ୍ତ୍ରିତ ହୋଇ ଭାଷଣ ଦିଅନ୍ତି ।

 

ବୟୋଜ୍ୟେଷ୍ଠ ଏହି ସାହିତ୍ୟିକମାନଙ୍କ ସହିତ ମୋର ବନ୍ଧୁତା ଦୀର୍ଘକାଳ ସ୍ଥାୟୀ । ସେମାନଙ୍କର ସ୍ନେହାର୍ଶିବାଦର ପୁଣ୍ୟ ତି ଆଜିବି ପ୍ରାଣକୁ ସ୍ପନ୍ଦିତ କରେ । ଆଜିବି ତାଙ୍କର ଚିତ୍ର ଫୁଟି ଉଠେ ମନ ଗହନର କେଉଁ ଅତଳରେ । କାନ୍ତ କବି ଲକ୍ଷ୍ମୀକାନ୍ତଙ୍କର ସ୍ୱତଃ ପ୍ରେରଣା ବଳରେ ତାଙ୍କ ସହିତ ପତ୍ର ବିନିମୟର ସୌଭାଗ୍ୟ ମଧ୍ୟ ଘଟେ ମୋର । ଆହୁରି ସୌଭାଗ୍ୟ ଘଟେ ତାଙ୍କର ପ୍ରରୋଚନାରେ ତାଙ୍କୁ “ଭାଇ” ବୋଲି ସମ୍ବୋଧନ କରିବାକୁ ।

 

କଟକ ପିଠାପୁରରେ ମୋର ଅବସ୍ଥାନ କାଳରେ ଲକ୍ଷ୍ମୀକାନ୍ତ ମଧ୍ୟ ପଡ଼ୋଶୀ ହୁଅନ୍ତି ପିଠାପୁରରେ ଅବସ୍ଥିତ ଡଗରପ୍ରେସରେ ଅବସ୍ଥାନ କରି । ଏଥି ପୂର୍ବରୁ ମୋର କଟକ ମହାନଦୀକୂଳରୁ ଯାତ୍ରାକରି ବାଲେଶ୍ଵର ସମୀପସ୍ଥ ବାରିପଦା ଅବସ୍ଥାନ ଘଟଣାକୁ ସେ ତାଙ୍କ ନବ ପ୍ରକାଶିତ “ଡଗର” ପତ୍ରିକାରେ “ସାଳନ୍ଦୀକୂଳରେ କାଳିନ୍ଦୀ” ଶୀର୍ଷକ ଗୋଟିଏ କୌତୁକ ଟିପ୍‍ପଣି କରିଥାନ୍ତି ନିଜ ଲେଖନୀର ରସାଳ ରୀତିରେ ।

 

ଭଦ୍ରକରେ ସେ ରହୁଥିବା ସମୟରେ ସୁଯୋଗ ମୋର ଘଟେ ଭଦ୍ରକ ବିଦ୍ୟାଳୟରେ ଥରେ ଭାଷଣ ଦେବାପାଇଁ । ସେତେବେଳେ ସ୍ଵର୍ଗତ କବି ଗଗନବିହାରୀ ରହିଥାନ୍ତି ସେଠାରେ ଶିକ୍ଷକ ହୋଇ । ବର୍ତ୍ତମାନ ଅଧ୍ୟାପକ ଡକ୍ଟର କୃଷ୍ଣଚରଣ ବେହେରାଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ ଲାଭକରେଁ ଭଦ୍ରକ ଯିବାପାଇଁ ।

 

ଭଦ୍ରକରେ ପହଞ୍ଚି ସାକ୍ଷାତ୍‌କାର ହୁଏ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସହିତ ତାହାଙ୍କ ବାସଗୃହରେ । ରୋଗବ୍ୟାଧିରେ ବିକଳାଙ୍ଗ ହେଲେ ମଧ୍ୟ କବି ଲକ୍ଷ୍ମୀକାନ୍ତଙ୍କର ସୃଷ୍ଟି କଦାଚ ବିକଳାଙ୍ଗ ହୋଇ ନାହିଁ —ସେଥିସଙ୍ଗେ ତାଙ୍କର ସଦା ପରିହାସ ପ୍ରିୟ ବ୍ୟବହାର । ଲାଳିକା ରଚନାରେ ମଧ୍ୟ ଓଡ଼ିଆ ସାହିତ୍ୟରେ ସେ ଅଦ୍ୱିତୀୟ, ସଂଗୀତ ରଚନାରେ ଯେପରି ।

 

ବାରିପଦା ଜୁବୁଲି ଲାଇବ୍ରେରୀ ଗୃହରେ ସାହିତ୍ୟ ସମାଜପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧନା କରାଯାଏ । ବାରିପଦାରେ ସେ ଅବସ୍ଥାନ କରୁଥାନ୍ତି ସ୍ୱୀୟ ଭଗ୍ନୀପତି ମୟୂରଭଞ୍ଜ ହାଇସ୍କୁଲର ହେଡ଼୍‍ମାଷ୍ଟର ସୁକବି ସୁଲେଖକ ଶଚୀନ୍ଦ୍ରନାଥ ଦାଶଙ୍କ ଗୃହରେ । ଶଚୀବାବୁଙ୍କର ସ୍ନେହ, ମମତା ଓ ମଧୁର ବ୍ୟବହାର ଜୀବନସ୍ମୃତିରେ ମୋର ଅନ୍ୟତମ ଅମୂଲ୍ୟ ସଂପଦ ହୋଇ ରହିଛି ।

 

“ଲକ୍ଷ୍ମୀଭାଇ” (ଏହା ଅବଶ୍ୟ ମୋହ ପ୍ରତି ତାଙ୍କୁ ସମ୍ବୋଧନ କରିବାର ସ୍ପଷ୍ଟ ନିର୍ଦ୍ଦେଶ) ସେଥର ସଂଧ୍ୟାରେ ଭଦ୍ରକ ସାହିତ୍ୟ ସମ୍ମିଳନୀର ସଭାପତି ରୂପେ ଯେଉଁ କୌତୁକପୂର୍ଣ୍ଣ ଭାଷଣଟି ଦିଅନ୍ତି, ତାହା ଭିତରେ ଗୋଟିଏ ଶବ୍ଦ ବ୍ୟବହାର କରନ୍ତି ଆଜିଯାକେ ଯାହା ମନରେ ମୋର ଲାଖି ରହିଛି ।

 

ଭଦ୍ରକ ସାହିତ୍ୟସମାଜ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇ ସେ ଅଞ୍ଚଳ ଲୋକମାନଙ୍କର ପରିଚୟ ସାଧାରଣ ଭାଷାରେ ସେ ଉଲ୍ଲେଖ କରନ୍ତି–“ଆମର ଏହି ସ୍ଥାନଟିକୁ କେହି କେହି ‘ଭଦ୍ରକ’ ଆଉ କେହି ‘ଭଦ୍ରଖ’ ବୋଲି କହନ୍ତି । ‘ଭଦ୍ରକ’ ଶବ୍ଦ ନିପାତନେ—ସିଦ୍ଧି ନିୟମରେ ‘ଭଦ୍ରଲୋକ’ ଶବ୍ଦରୁ ଆସିଛି ବୋଲି ଶୁଣଯାଏ, ଅର୍ଥାତ୍ ଏ ସ୍ଥାନରେ ଭଦ୍ରଲୋକମାନେ ରହନ୍ତି । ‘ଭଦ୍ରଖ’ ଶବ୍ଦଟିରୁ କିନ୍ତୁ ଏ ସ୍ଥାନର ଲୋକେ ‘ଭଦ୍ରଖିଆ’ ବୋଲି ସାଧାରଣରେ ପରିଚିତ; ଭଦ୍ରଖିଆ ଅର୍ଥାତ୍ ଯେଉଁମାନେ ଭଦ୍ରଭାବରେ ଖାଆନ୍ତି—ଶବ୍ଦଟିର ଅସଲ ତାତ୍ପର୍ଯ୍ୟ ହେଉଛି— ଏପରି ସେମାନେ ଲୁଚି ଛପି ଖାଇ ପାରନ୍ତି ଯେ ବାହାର ଲୋକ ପକ୍ଷରେ ତାହା ଜାଣିବାର ଉପାୟ ନ ଥାଏ—ଜାଣିଲେ ବୁଝାଯାଏ ସେପରି ଖାଇବାଟା ଭଦ୍ରଲୋକର ଚରିତ୍ର । ଦେଖେଇ ଖାଇବାଟା ଅଭଦ୍ରତା ।”

 

କଥାଟି ଭିତରେ ଯେପରି କୌତୁକ ସହିତ ଶ୍ଲେଷ ନିହିତ ଥିଲା, ପୁଣି ତାହା ତାଙ୍କ ମୁଖରୁ ଉଚ୍ଚାରିତ ହେବା ଭଙ୍ଗୀଟି ଏଡ଼େ ସହଜ ସରଳ ସ୍ପଷ୍ଟ ଯେ, ସଙ୍ଗେ ସଙ୍ଗେ ସଭାଗୃହ ଯେପରି ଉଚ୍ଛ୍ୱସିତ ହାସ୍ୟରୋଳରେ ମୁଖରିତ ହୋଇ ଉଠିଥିଲା, ଆଜିବି ତାହା କାନରେ ମୋର ପ୍ରତିଧ୍ୱନିତ ହୁଏ । “ଲାଳିକା” ରଚୟିତାଙ୍କର ଗୋଟିଏ ସ୍ମରଣୀୟ ଚିତ୍ର ତାହା ।

 

ଅସହଯୋଗ ଆନ୍ଦୋଳନ ଦେଶରେ ବ୍ୟାପିଥିବା ସମୟରେ ସେହି “ଲକ୍ଷ୍ମୀକାନ୍ତ” ଉତ୍କଳସାହିତ୍ୟ-ପତ୍ରିକାରେ ଛଦ୍ମନାମରେ “ଅସହ-ଯୋଗୀର ଆତ୍ମକଥା” ଧାରାବାହିକଭାବରେ ପ୍ରକାଶ କରି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି । ସେତେବେଳେ ଅସହଯୋଗ ଆନ୍ଦୋଳନରେ ଆନ୍ଦୋଳିତ ଅନ୍ତର ମୋର ଲକ୍ଷ୍ମୀକାନ୍ତଙ୍କ ସମାଲୋଚନା ପ୍ରତି ବିତୃଷ୍ଣ ହୋଇଉଠେ ।

 

ଯଥାର୍ଥ କବି ହିଁ ରସିକ ହୋଇଥାନ୍ତି; ଲକ୍ଷ୍ମୀକାନ୍ତଙ୍କ ସମାଲୋଚନାରେ ରସିକତା କେତେବେଳେ ବିଦ୍ରୁପ ଆଉ କେତେବେଳେ ଲାଳିକା ସୃଷ୍ଟିରେ ଅଦ୍ଵିତୀୟ ସାର୍ଥକତା ଲାଭ କରିଛି ।

 

ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ

 

ବାରିପଦା ଅବସ୍ଥାନ କାଳରେ ହିଁ ମୁଁ ନିଯୁକ୍ତି ପାଏଁ ସାମ୍ବାଦିକ ଭାବରେ ଦୁଇଟି ବିଶିଷ୍ଟ ସଂସ୍ଥାରେ—ଗୋଟିଏ ହେଲା କଲିକତା, ଷ୍ଟେଟସ୍‌ମ୍ୟାନ କାଗଜ (Statesman) ଓ ଅନ୍ୟଟି ଆସୋସିଏଟେଡ଼ ପ୍ରେସ୍ ଅଫ୍ ଇଣ୍ଡିଆ (Associated Press, of India) ର ପ୍ରତିନିଧିତ୍ୱ । ଦୁଇଟିଯାକ ସଂସ୍ଥାରୁ ମାସିକ ମୋହର ସମ୍ବାଦ ପରିବେଷଣର ଆକାର ପ୍ରକାର ଅନୁଯାୟୀ ନିୟମିତ ଦକ୍ଷିଣା ମିଳେ ।

 

ସାମ୍ବାଦିକତା ସମ୍ପର୍କରେ ମୁଁ ଅଧ୍ୟୟନ ଓ ଅନୁଶୀଳନ ଆରମ୍ଭ କରିଦିଏଁ, ଏକାବେଳେ ବେଶ୍ ଜୋର ସୋର୍‍ରେ । ଦୈନିକ କିଛି ହେଲେ ସମ୍ବାଦ ପଠାଇବା ମୋର ସାମ୍ବାଦିକତାର ପ୍ରଧାନ କର୍ତ୍ତବ୍ୟ ବୋଲି ଜ୍ଞାନ କରେଁ । ମୟୂରଭଞ୍ଜ ଭଳି ଗୋଟିଏ ଦେଶୀୟ ରାଜ୍ୟ । ଓଡ଼ିଶାର ଅନ୍ୟାନ୍ୟ ସାର୍ବଭୌମ କ୍ଷମତା ସମ୍ପନ୍ନ ରାଜ୍ୟମାନଙ୍କ ଭିତରେ ସବୁଠାରୁ ବଡ଼, କେବଳ ଲୋକ ସଂଖ୍ୟା ଦୃଷ୍ଟିରୁ ନୁହେଁ, ଶିକ୍ଷାଦୀକ୍ଷା ବିଚାରରୁ ଭାରତର ସମୁନ୍ନତ ରାଜ୍ୟମାନଙ୍କ ଭିତରେ ଏହାର ସ୍ଥାନ ନିର୍ଦ୍ଦିଷ୍ଟ ଥାଏ-

 

ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ କଟକ ରେଭେନ୍‍ସା କଲେଜ ପ୍ରତିଷ୍ଠା ଲାଗି ଯେଉଁ ଆର୍ଥିକ ସାହାଯ୍ୟ ଦିଅନ୍ତି, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ତାହା ଅବଶ୍ୟ ଉଲ୍ଲେଖଯୋଗ୍ୟ । ତାଙ୍କରି ଦାୟାଦ ଶ୍ରୀରାମଚନ୍ଦ୍ର, ଜଣେ ସର୍ବାଧୁନିକ ଶାସକ ଭାବରେ ପରିଚିତ । ସେତେବେଳେ ଭାରତରେ ନୂତନ ସଭ୍ୟ ତାର ଆଲୋକ ପ୍ରବେଶ କରେ ହିନ୍ଦୁଧର୍ମର କୁସଂସ୍କାର– ବିରୁଦ୍ଧରେ ଅଭିଯାନ ଆରମ୍ଭ କରି । ବଙ୍ଗଳାରେ ରାଜା ରାମମୋହନ ରାୟଙ୍କର ଅନ୍ୟତମ ପ୍ରଧାନ ଅନୁଗାମୀ ବ୍ରହ୍ମାନନ୍ଦ କେଶବ ଚନ୍ଦ୍ରସେନ୍ ବହୁ ଜାତିଭେଦ-ଜଡ଼ିତ ଅସଂଖ୍ୟ ପିତୁଳାପୂଜାରେ ନିବଦ୍ଧ ହିନ୍ଦୁଧର୍ମକୁ ନୂତନ ରୂପସଜ୍ଜାରେ ସଜ୍ଜିତ କରିବାକୁ ତତ୍ପର ହୁଅନ୍ତି ।

 

ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ରଙ୍କର ବୈବାହିକ ସମ୍ପର୍କ ଅନୁଷ୍ଠିତ ହୁଏ ବ୍ରହ୍ମବାଦୀ କେଶବ ଚନ୍ଦ୍ରଙ୍କ କନ୍ୟା ଶ୍ରୀମତୀ ସୁଚରିତା ଦେବୀଙ୍କ ସହିତ । ଫଳରେ ରାଜ୍ୟବ୍ୟାପୀ ସୃଷ୍ଟି ହୁଏ ତୁମୂଳ ଆଲୋଡ଼ନ; ଶ୍ରୀରାମଚନ୍ଦ୍ରଙ୍କର ପୁଣି ବିବାହ ଅନୁଷ୍ଠିତ ହୁଏ ରାଜବଂଶରେ ଓ ପ୍ରାଣହାନି ଘଟେ ଶିକାର ସ୍ଥଳୀରେ ଏକ ଦୁର୍ଘଟଣା ଫଳରେ ।

 

ସମସ୍ତ ପ୍ରବୋଧ ସତ୍ତ୍ୱେ ଶ୍ରୀ ରାମଚନ୍ଦ୍ରଙ୍କର ସେତେବେଳର ସାମାଜିକ ସଂସ୍କାରପାଇଁ ବଳିଷ୍ଠ ଉଦ୍ୟମର ସୁତ୍ରପାତ ହୁଏ । ରାଜଧାନୀ ବାରିପଦାରେ ଜଗନ୍ନାଥ ମନ୍ଦିର, ମୁସଲ୍‍ମାନଙ୍କ ମସ୍‍ଜିଦ୍ ,ଖ୍ରୀଷ୍ଟୀୟାନ୍ ଗୀର୍ଜା ପୁଣି ବ୍ରାହ୍ମମନ୍ଦିର ମଧ୍ୟ ପ୍ରତିଷ୍ଠିତ ହୁଏ ସର୍ବ ଧର୍ମ ସମନ୍ଵୟ ଆଦର୍ଶରେ । ଭାରତର ଦେଶୀୟ ରାଜ୍ୟମାନଙ୍କ ଭିତରେ ମୟୂରଭଞ୍ଜ ଏକ ପ୍ରଗତିଶୀଳ ରାଜ୍ୟ ରୂପେ ଚିହ୍ନିତ । ଶାସକ ଶ୍ରୀ ରାମଚନ୍ଦ୍ରଭଞ୍ଜଦେଓଙ୍କ ଦୁରଦୃଷ୍ଟି ପ୍ରଭାବରୁ । ପୁଣି ବୋଧ ହୁଏ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠିତ (୧୯୩୬) ହେବା ପୂର୍ବରୁ ମୟୂରଭଞ୍ଜରେ ପ୍ରଥମେ ପ୍ରତିଷ୍ଠିତ ହୁଏ ବିମାନଘାଟୀ ।

 

ସାମ୍ବାଦିକ ଭାବରେ ସେତେବେଳେ ମୁଁ ଦୈନନ୍ଦିନ ପ୍ରତି ଘଟଣାର ସଚିତ୍ର ସମ୍ବାଦ ପଠାଇବା ପାଇଁ ଏକ ମୂଲ୍ୟବାନ୍ କୋଡ଼ାକ୍ କ୍ୟାମେରା ମଧ୍ୟ କିଣିଥାଏଁ, ଅବଶ୍ୟ ରାଜ୍ୟସରକାରଙ୍କ ସୁପାରିସ୍ ଓ ମଞ୍ଜୁରି ଫଳରେ । ଭାରତ ବର୍ଷକୁ ଦେଶବିଦେଶର କ୍ରିଡ଼ା-ପ୍ରତିଯୋଗିତା ପାଇଁ ଯେଉଁ ସବୁ ଖେଳାଳି ଟିମ୍ ଆସେ, ବାରିପଦା କ୍ରିଡ଼ା-ପ୍ରତିଯୋଗିତାରେ ସେମାନଙ୍କର ଯୋଗଦେବା ପ୍ରାୟ ବାଧ୍ୟତାମୂଳକ ହୋଇ ପଡ଼ିଥାଏ ।

 

ଫୁଟ୍‌ବଲ୍ କ୍ରିକେଟ୍ ଆଦି ପ୍ରତିଯୋଗିତାଗୁଡ଼ିକର ଫଟୋ ଉତ୍ତୋଳନ ସହିତ ପୃଥିବୀବିଖ୍ୟାତ ଛଉ ନାଚର ସଚିତ୍ର ବିବରଣ ଆଦି ଷ୍ଟେଟସ୍‍ମ୍ୟାନ୍‍ ପ୍ରମୁଖ ବଡ଼ବଡ଼ ଇଂରାଜୀ କାଗଜଗୁଡ଼ିକୁ ନିୟମିତ ଭାବରେ ପଠାଇବା ଥିଲା ମୋହର ସାମ୍ବାଦିକ ଜୀବନରେ ଅନ୍ୟତମ କର୍ତ୍ତବ୍ୟ । ଏହି କର୍ତ୍ତବ୍ୟ ପାଳନରେ କୌଣସି ତ୍ରୁଟି ବିଚ୍ୟୁତ ଘଟିଲେ ଯେପରି ମୋତେ ସାବଧାନ କରି ଦିଆଯାଏ, ନାମଜାଦା ସମ୍ବାଦ ପତ୍ରରେ ମୟୂରଭଞ୍ଜର ସାଂସ୍କୃତିକ ବିଭିନ୍ନ ଅନୁଷ୍ଠାନର ସୁନ୍ଦର ସଚିତ୍ର ସମ୍ବାଦ ପ୍ରକାଶ ପାଇଲେ ମଧ୍ୟ କୌଣସି ସାଧୁବାଦ କିମ୍ବା ପାରିତୋଷିକ ପାଇବାର ଆଶା ନ ଥାଏ । କାରଣ ସାମ୍ବାଦିକ ହେବାଟା ମୋ କର୍ତ୍ତବ୍ୟର ଏକ ଅଙ୍ଗ ବୋଲି କର୍ତ୍ତୃପକ୍ଷ ବିଚାରନ୍ତି ।
 

ସାମ୍ବାଦିକତା ଲାଗି ଅବଶ୍ୟ ପ୍ରତିଷ୍ଠିତ ସମ୍ବାଦସଂସ୍ଥା ଏସୋସିଏ-ଟେଡ୍ ପ୍ରେସ୍ (Associated Press) ଓ ଷ୍ଟେଟସ୍‍ମ୍ୟାନ୍‍ ପ୍ରମୁଖ ପତ୍ରିକାମାନଙ୍କଠାରୁ ସ୍ୱତନ୍ତ୍ର ପାରିତୋଷିକ ଲାଭ କରେ । ଥରେ ଏମ‌୍‌ତି ବାରିପଦା ରଥଯାତ୍ରା ସମୟରେ କଲେରା ଲାଗିବା ସମ୍ବାଦଟି ଶୁଣି ପ୍ରକାଶ- ପାଇଁ ମୁଁ ପଠାଏଁ, ତାହା ଫଳରେ ଯେ ମୟୂରଭଞ୍ଜ ରାଜଧାନୀରେ ଆତଙ୍କ ସଷ୍ଟି ହୋଇଛି-ସମ୍ବାଦଟିକୁ ଅବଶ୍ୟ ପ୍ରକାଶଯୋଗ୍ୟ ବିଚାରରୁ ଅଧିକ ଗୁରୂତ୍ୱ ଦେବା ପାଇଁ ଏହା ଉଲ୍ଲେଖ କରେଁ ।

 

ଖେଳଖବରଠାରୁ ଆରମ୍ଭ କରି ନୃତ୍ୟ ଗୀତ, ଆମୋଦ ପ୍ରମୋଦ, ଜନ୍ମ ମୃତ୍ୟୁ ଆଉ ସମ୍ବାଦର ଅନ୍ତର୍ଭୁକ୍ତ ହେଲେହେଁ ସାମ୍ବାଦିକତାର ପ୍ରକୃତ ଆକର୍ଷଣୀୟ କୌଶଳ ହେଲା–ସମ୍ବାଦ ପରିବେଷଣର ରୀତି ଓ ଭାଷାଗତ ସଂଯମ ଓ ବୈଚିତ୍ର୍ୟ । ତାହା ନ ଥିଲେ ସାଧାରଣ ସମ୍ବାଦ ପାୟ ଗୃହୀତ ହୁଏ ନାହିଁ ।

 

ଇଂରାଜୀରେ ସମ୍ବାଦ ରଚନାର ଏହି କୌଶଳର ନାମ କ’ଣ ହେଲା ସମ୍ବାଦ ସଜ୍ଜୀକରଣ (News dressing) । ଥରେ କଲେରା ଲାଗିଥିବା ସମ୍ବାଦ ଏକ ଶୁଣି ମୁଁ ଲେଖି ପଠାଇଥାଏଁ ଯେ ତାହା ରାଜଧାନୀ ବାରିପଦା ସହରରେ ଆତଙ୍କ (Panic) ସୃଷ୍ଟି କରିଛି ।

 

ସମ୍ବାଦଟି ତୁରନ୍ତ ଷ୍ଟେଟସ୍‍ମ୍ୟାନ୍‍ କାଗଜରେ ପ୍ରକାଶିତ ହୁଏ । ତହୁଁ ଇଞ୍ଚ ମାପ ଅନୁସାରେ ସେଥିଲାଗି ମୋତେ କିଛି ପାରିତୋଷିକ ଲବ୍‌ଧ ହେବ ବୋଲି ମୁଁ ଖୁସି ହୁଏଁ, ଅଥଚ ଫଳହେଲା ବିପରୀତ । ଘଟଣାଟା ଯେ ସ୍ଵାସ୍ଥ୍ୟ ବିଭାଗ (Sanitary Department) ପକ୍ଷରେ କୈଫିୟତ୍ ତଲବ କଲା ଭଳି କୁଫଳର କାରଣ ହୋଇପାରେ, ତାହା କଦାପି ମୁଁ କଳ୍ପନା କରି ନ ଥିଲି ।

 

ବାରିପଦା ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ଥାନ୍ତି ଚିଫ୍ ଇଞ୍ଜିନିୟର ଗୋରାସାହେବ । ସେ ମୋତେ ଡାକି ଏ ସମ୍ବାଦ ସମ୍ପର୍କରେ ମୁଁ ନିଜେ ଅନୁସନ୍ଧାନ କରିଛି କି ନାହିଁ ପଚାରନ୍ତେ ମୋତେ ନୀରବ ରହିବା ଛଡ଼ା କିଛି କହିବାକୁ ନ ଥିଲା !

 

ପୃଥିବୀପୃଷ୍ଠରେ ସାମ୍ବାଦିକତାର ଉତ୍ପତ୍ତିର ଇତିହାସ ଜନ୍ମଲାଭ-କରେ ବ୍ୟବସାୟୀମାନଙ୍କ ଜିନିଷପତ୍ର କରିବା ପାଇଁ ବିଜ୍ଞାପନରୁ । ଏହି ବ୍ୟବସାୟର ପ୍ରସାର ଦ୍ୱାରା ହିଁ ପାଶ୍ଚାତ୍ୟ ଦେଶମାନଙ୍କରେ ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦର ପ୍ରସାର—ଆଉ ସେହି ବ୍ୟବସାୟରେ ଲାଭର ଲୋଭ ହିଁ ପାଶ୍ଚାତ୍ୟ ଜାତିମାନଙ୍କର ପ୍ରାଚ୍ୟ ଦେଶଗୁଡ଼ିକ ଉପରେ ପ୍ରଭାବ ବିସ୍ତାର । ସେଇ ବ୍ୟବସାୟରେ ହିଁ ଆଧୁନିକ ପ୍ରଣାଳୀର ଦେଶଜୟ ପ୍ରଚ୍ଛନ୍ନ ଭାବରେ ପରରାଷ୍ଟ୍ର ଲୁଣ୍ଠନରେ ପରିଣତରେ ହୋଇ ଆମେରିକାର ଡଲାର-ସାମ୍ରାଜ୍ୟର ଆଧିପତ୍ୟ ବିସ୍ତାର ଆଲୋଚନାର ବିଷୟୀଭୂତ ହୁଏ । ଆମର କ୍ଷୁଦ୍ରାତିକ୍ଷୁଦ୍ର ଓଡ଼ିଶା ରାଜନୀତି ସୁଦ୍ଧା କେନ୍ଦୁପତ୍ର ବ୍ୟବସାୟ ଦ୍ୱାରା କେତେ ପରିମାଣରେ ନିୟନ୍ତ୍ରିତ ବୋଲି କୁହାଯାଏ ।

 

ସେହି ବିଚାରରୁ ସାମ୍ବାଦିକତା ମଧ୍ୟ ଚତୁର୍ଥ ବ୍ୟବସ୍ଥାପକ ସଭା— ରୂପେ (Fourth Estate) ବର୍ଣ୍ଣିତ । ଶାସନ କ୍ଷେତ୍ରରେ ସର୍ବୋତ୍ତମ ଶକ୍ତି ହେଲେ ସ୍ଵୟଂ ସମ୍ରାଟ ବା ରାଜା, ତାଙ୍କପରେ ଦ୍ୱିତୀୟ ସ୍ଥାନ ଅଧିକାର କରନ୍ତି ମନ୍ତ୍ରୀମଣ୍ଡଳ ଓ ତୃତୀୟସ୍ଥାନ ମନ୍ତ୍ରୀମଣ୍ଡଳକୁ ସମର୍ଥନ କରିଥିବା ପାର୍ଲାମେଣ୍ଟ ବା ବ୍ୟବସ୍ଥାପକ ସଭା-ଶେଷରେ ଚତୁର୍ଥସ୍ଥାନର ଅଧିକାରୀ ସମ୍ବାଦପତ୍ର କିମ୍ବା ସମ୍ବାଦ ସରବରାହ ସଂସ୍ଥା !

 

ସାମ୍ରାଜ୍ୟବାଦ ବା ରାଜତନ୍ତ୍ର ଶାସନଯୁଗରୁ ସମ୍ବାଦପତ୍ରର ସ୍ଥାନ ଏହି ଭାବରେ ନିରୂପିତ ହୁଏ; କିନ୍ତୁ ସାମ୍ରାଜ୍ୟବାଦ ଅଥବା ବ୍ୟବସାୟ ପ୍ରସାର ସୂତ୍ରରେ ଆର୍ଥନୀତିକ ଆଧିପତ୍ୟକୁ ନୂତନ ଯୁଗ ଅସ୍ୱୀକାର କରେ । ଶ୍ରମିକ, ସର୍ବହରା (Proletariat) ମେହେନତି ମାନବିକତା ପ୍ରତି ହିଁ ତାହା ସର୍ବୋଚ୍ଚ ସ୍ଥାନ ନିରୂପଣ କରେ, ଯେଉଁ ସ୍ଥାନକୁ ସୃଷ୍ଟିର ପ୍ରାରମ୍ଭରୁ ହିଁ ଐତହାସିକ ସତ୍ୟ ସ୍ୱୀକାର କରି ଆସିଛି ।

 

ମଣିଷ ଇତିହାସର ଏହି ସତ୍ୟ ହିଁ ଆଜି ମଧ୍ୟ ଯୁଗୀୟ ଚିନ୍ତାଧାରା ଭିତରେ ଆଣି ଦେଇଛି ତୁମୂଳ ବିପ୍ଳବ । ମନୁଷ୍ୟର ଶ୍ରମ, ଘର୍ମ ଓ କର୍ମ ହିଁ ଗଢ଼ି ଆସିଛି ଯୁଗ ଯୁଗ ବ୍ୟାପୀ ତାହାର ବିରାଟ ଇତିହାସ । ସେ ଇତିହାସ କେବଳ ଗ୍ରନ୍ଥରେ ଲିପିବଦ୍ଧ ନୁହେଁ; ଅଥବା କଳା ସ୍ଥାପତ୍ୟରେ କୀର୍ତ୍ତି ତାହାର ଖୋଦିତ ହୋଇ ରହି ନାହିଁ । “ତତ୍ତ୍ୱମସି” ମନ୍ତ୍ରଭଳି ତାହା ସ୍ୱୟଂସିଦ୍ଧ । ତାହା ନିକଟରେ ରାଜତନ୍ତ୍ର, ଗଣତନ୍ତ୍ର ଓ ସାମ୍ବାଦିକ ବା ରାଜନୀତିକ ସ୍ୱାର୍ଥ କାର୍ସାଦିର ସ୍ଥାନ ନାହିଁ । ବିଶ୍ୱ ସୃଷ୍ଟିର ଆରମ୍ଭରୁ ହିଁ ସେଇ ଐତିହାସିକ ସତ୍ୟ ଚିର ଭାସ୍ୱର ହୋଇ ରହିଛି । ସେଇ ସତ୍ୟ ଉପରେ ରାଷ୍ଟ୍ରର ସ୍ଵାଭାବିକ ପ୍ରତିଷ୍ଠା ନ ହେବାଯାକେ ସାମ୍ବାଦିକତା ଭିତରେ ବିଭିନ୍ନ ସ୍ଵାର୍ଥସଂଘର୍ଷ ଓ ପ୍ରକୃତ ସତ୍ୟର ଅପଳାପ ଅବଶ୍ୟମ୍ଭାବୀ ।

 

ମୋର ବାରିପଦା ଅବସ୍ଥାନ କାଳରେ ହିଁ ଗଠିତ ହୁଏ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ଖ୍ରୀଷ୍ଟାବ୍ଦରେ, ମାତ୍ର ସେଥି ସଙ୍ଗେ ଦେଶୀୟ ରାଜ୍ୟଗୁଡ଼ିକରେ କୌଣସି ସ୍ପନ୍ଦନ ସୃଷ୍ଟି ହୁଏ ନାହିଁ । କେବଳ ଉପକୂଳବର୍ତ୍ତୀ ଗଞ୍ଜାମ ଓ କୋରାପୁଟ ଅଞ୍ଚଳ ମିଶି ଏକ ରାଜ୍ୟଟିର ଯେପରି କଳେବର ବୃଦ୍ଧିପାଏ, ସେଥିପାଇଁ ଖୁବ୍ ଖୁସିହେବା ଉପାଦାନ ବାରିପଦାରେ ପାଇବା ସମ୍ଭବପର ନ ଥିଲା, ବରଂ ମୟୂରଭଞ୍ଜର ଅର୍ଥନୈତିକି, ରାଜନୈତିକ ଓ ସାସ୍କୃତିକ ସ୍ଵାତନ୍ତ୍ୟ ହିଁ ଇଂରେଜ ଶାସିତ ଓଡ଼ିଶାର ସ୍ଵତନ୍ତ୍ର ଅପେକ୍ଷା ଅଧିକ ଅନୁଭୂତ ହେଉଥାଏ ।

 

କଂଗ୍ରେସ ସରକାର ଓ ରବୀନ୍ଦ୍ର, ସାକ୍ଷାତକାର

 

ଓଡ଼ିଶା ସମେତ ଭାରତର ଅଳ୍ପ କେତେ ପ୍ରଦେଶରେ ଗଢ଼ାହୁଏ ୧୯୩୯ରେ ପ୍ରଥମ କଂଗ୍ରେସ ମନ୍ତ୍ରୀ ମଣ୍ଡଳ । ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ମହାତ୍ମାଗାନ୍ଧୀଙ୍କଦ୍ୱାରା ମନୋନୀତ ହୁଅନ୍ତି ଶ୍ରୀ ବିଶ୍ୱନାଥ ଦାସ । କଟକ ସମବାୟ ବ୍ୟାଙ୍କରେ କାର୍ଯ୍ୟ କରୁଥିଲାବେଳେ ଯାଚକ ଲେନ୍‌ରେ ନିକଟତମ ପଡ଼ୋଶୀଭାବରେ ଲାଲମୋହନ ବାବୁଙ୍କ ସହ ଜନ୍ମିଥାଏ ମୋର ନିବିଡ଼ ଘନିଷ୍ଠତା ଅନେକ ଆଗରୁ ।

 

ଲାଲ୍ ମୋହନ ବାବୁ ଥିଲେ ଜଣେ ଧର୍ମପ୍ରାଣ, ସୁଚ୍ଚରିତ୍ର ଶ୍ରେଷ୍ଠ କଂଗ୍ରେସ ନେତା । ବାରିପଦାରେ ପତ୍ରିକା ସମ୍ପାଦନପାଇଁ ନିଯୁକ୍ତି ମୋତେ ମିଳିଥିଲେ ହେଁ ଲାଲମୋହନ ବାବୁଙ୍କ ସହିତ ଯୋଗାଯୋଗ ରହିଥାଏ ଅକ୍ଷୁଣ୍ଣ ।

 

ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ଅଧୀନରେ କଟକ ସରକାରୀ ଛାପାଖାନାରେ ଖାଲି ପଡ଼େ ଗୋଟିଏ ଚାକିରୀ । ପଦବିଟା ହେଲା “ହେଡ଼ ରିଡ଼ର”; କିନ୍ତୁ କାମ ହେଲା ସରକାରୀ ଗେଜେଟ୍ ସମେତ ସବୁ ଆଦେଶ ନିୟମାବଳୀ ପୁଣି ବିଧାନସଭା ବିବରଣୀର ପ୍ରୁଫ୍ ସଂଶୋଧନ କରିବା ।

 

ବନ୍ଧୁମାନେ ଉପହାସ କରନ୍ତି, ଧାନକିଆରୀରୁ ଘାସ ବାଳୁଙ୍ଗା ବାଛିବା ଯାହା,—ସରକାରୀ ଛାପାଖାନାର ହେଡ୍‍ରିଡ଼ର ପଦବୀଟା ସେଇଭଳି କାମ । ମନ୍ତବ୍ୟଟା ମୋତେ ସୁଖ ନ ଲାଗିଲେ ମଧ୍ୟ ଏହାର ଯଥାର୍ଥ ମୁଁ ଅନୁଭବ କରେଁ ପଦେ ପଦେ; ମାତ୍ର “ବୁଭୁକ୍ଷିତଃ କିମ୍ ନ କରୋତି ପାପମ୍ ?” ସେ ପାପରୁ ମୁକ୍ତ ହେଲା ଭଳି ସାମର୍ଥ୍ୟ ଖାଲି ବାଲ୍ମୀକି ମହର୍ଷିଙ୍କର ରହିପାରେ ସିନା !

 

ବାରିପଦାରେ ପିତୃହୀନ ହେବା ଓ ଭାତୃଜାୟାଙ୍କର ଅକାଳ ବିୟୋଗ ପରେ ଦର୍ଖସ୍ତକରି ନିଯୁକ୍ତି ପାଏଁ କଟକ ସରକାରୀ ଛାପାଖାନାରେ । ସେତେବେଳେ ମୟୂରଭଞ୍ଜ ମହାରାଜା ମୋହର ସେଠାରୁ ବିଦାୟନେଇ ଆସିବାକୁ ପସନ୍ଦ କରି ନଥିଲେ । କଟକ ସରକାରୀ ଛାପାଖାନାକୁ ଆସି ଭେଟ ହୁଏ ମୋର ସହକର୍ମୀ ରୂପେ କେତେକ ପୂର୍ବ ପରିଚିତ ବନ୍ଧୁଙ୍କ ସଙ୍ଗେ; କିନ୍ତୁ ନିଜକୁ ଛାପାଖାନାର କାମ ସହିତ କେବଳ ପ୍ରୁଫ୍ ସଂଶୋଧନ କରିବା କିମ୍ବା ସେଥିସଙ୍ଗେ ସହକର୍ମୀମାନଙ୍କ ଭିତରେ ନିଜକୁ ଖାପଖୁଆଇ ଚଳିବାକୁ ମୁଁ ଅକ୍ଷମ ହୋଇପଡ଼େଁ । ବୋଧହୁଏ ଯେମ‌୍‌ତି ଅବା ସରକାରୀ ଛାପାଖାନାଟା ହିଁ ମୋହର ପୂର୍ବ ପରିଚିତ ବନ୍ଧୁମାନଙ୍କୁ ଏଠାରେ ହଠାତ୍ ପରକରି ପକାଇଛି । ଏଠାରେ ଯେମତି ଅନଧିକାର ଚର୍ଚ୍ଚାକରିବାକୁ ଆସିଛି ମୁଁ, ଅଥବା ସରକାରୀ ଛାପାଖାନାର ସବୁ କର୍ମଚାରୀଙ୍କର ମୋହ ପ୍ରତି ବୈମାତୃକ ମନୋଭବ ଏପରି ହୁଅନ୍ତା କାହିଁକି ?

 

ଭୋରରୁ ଉଠି ଆଠଟା ନଅଟା ଭିତରେ ଯାଇ ଛାପାଖାନାରେ ହାଜରାଦେବାକୁ ପଡ଼େ । ତା’ ନ ହେଲେ ଫାଟକପାଖରେ ବସିଥିବା ଜଗୁଆଳୀ ଲେଟ୍ ମାର୍କ କରିଦିଏ । ଏହି ଭଳି କେତେଟା ଲେଟ୍ ମାର୍କ ମିଶିଗଲେ ହିସାବ ହୋଇ କଟିଯାଏ ଗୋଟେ ଦିନର ଦରମା । ସରକାରୀ ଛାପାଖାନାରୁ ଘରକୁ ଫେରିବାକୁ ରାତି ପ୍ରାୟ ନଅଟା ଦଶଟା । କାରଣ ଓଭରଟାଇମ୍ କାମ କରିବାକୁ ହୁଏ ଅଧିକାଂଶ ଦିନ ।

 

ବିଧାନସଭାର ବିବରଣୀ ଅଥବା ସେହିଭଳି କାମ ରାତାରାତି ଖତମ କରିବା ଲୋଡ଼ା । ଓଭରଟାଇମ୍ କାମପାଇଁ ଅବଶ୍ୟ ଦରମା ଅନୁପାତରେ ଘଣ୍ଟା ହିସାବ କରାଯାଇ ମାସ ଶେଷକୁ କିମ୍ବା ଦୁଇ ତିନି ମାସ ପରେ ହାତକୁ କିଛି ବଳକା ପଇସା ଆସେ । ଚାକିରୀରୁ ବିଦାୟନେବା ପରେ ଏମ‌୍‌ତି କେତେ ମାସର ଓଭରଟାଇମ୍ ପ୍ରାପ୍ୟ ମୁଁ ଆଉ ହିସାବ କରି ଆଣି ପାରିଲି ନାହିଁ ନିଜ ଅକ୍ଷମତା ଦୋଷରୁ ।

 

ଛାପାଖାନାରୁ ଲେଉଟି ଘରେ ଶୁଣେଁ, ରାତି ଦଶଟା ପରେ ଖାଇସାରି ଶୋଇବାକୁ ଗଲାବେଳେ ତୁନ୍ ତାନ୍ ପରବେଶ ଭିତରେ ପିଲାମାନେ ପଚାରାପଚାରି ହେଉଛନ୍ତି—ବାପା କ’ଣ କଟକରେ ନାହାନ୍ତି କି ? ମୁଁ ନିଜେ ମଧ୍ୟ ଅନୁଭବ କରିପାରେ ନାହିଁ, କଟକରେ କିମ୍ବା ପୃଥିବୀର କୌଣସି ଅଂଶରେ ମୋର ଅବସ୍ଥିତି ।

 

ସରକାରୀ ଛାପାଖାନାରେ କାର୍ଯ୍ୟ କରୁଥିବା ସମୟରେ ଓଡ଼ିଶାକୁ କବି ରବୀନ୍ଦ୍ରନାଥଙ୍କ ଆଗମନ । ପୁରୀ ସର୍କିଟ୍ ହାଉସ୍‌ରେ ଆସି ସେ ରହନ୍ତି । ସେଥିଲାଗି ନିର୍ଦ୍ଦେଶ ମୋତେ ମିଳେ, କବିଙ୍କୁ ଭେଟି ତାଙ୍କ ଜନ୍ମଦିବସରେ ପଢ଼ିବାକୁ ହେବ ମୋର ସ୍ଵରଚିତ ରଚନା । ଓଡ଼ିଶା ଛାପାଖାନାରେ ସ୍ଵୟଂ ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ସର୍ବୋଚ୍ଚକର୍ତ୍ତା ଚିଫ୍ ସେକ୍ରେଟାରୀ ମ୍ୟାନ୍‌ସ୍ ଫିଲଡ୍‍ଙ୍କୁ ସୁଦ୍ଧା ଏଥିପାଇଁ ନିମନ୍ତ୍ରଣ ନାଇଁ; ଅଥଚ ଜଣେ ସାମାନ୍ୟ ପ୍ରେସ୍ କର୍ମଚାରୀ ହୋଇ ମୋତେ ଯିବାପାଇଁ ନିମନ୍ତ୍ରଣ ! ଘଟଣାଟା ମୋର ଉପରସ୍ଥ କର୍ମଚାରୀଙ୍କ ପକ୍ଷରେ ଯେ ଅସହ୍ୟ ହୋଇଥିବ ସେତେବେଳେ, ତାହା ମୋର ଅବଧାରଣାରେ ନ ଥିଲା ।

 

୧୯୩୯ ମସିହା ମଇ ମାସ ନଅ ତାରିଖ, ପୁରୀଠାରେ ଅନୁଷ୍ଠିତ ହୁଏ କବିଙ୍କର ଜନ୍ମୋତ୍ସବ । ଓଡ଼ିଶାର ସର୍ବ ପ୍ରଥମ କଂଗ୍ରେସ ସରକାରଙ୍କ ଅତିଥି ରୂପେ ମହାକବି ରବୀନ୍ଦ୍ରନାଥଙ୍କ ଅଭ୍ୟର୍ଥନା ପୁରୀ ପୋଷ୍ଟଅଫିସ୍ ପାଖ ଝାଉଁ ବଗିଚାରେ ।

 

ଶ୍ରଦ୍ଧେୟା ଶ୍ରୀମତୀ ମାଳତୀ ଚୌଧୁରୀ କବିଙ୍କ ନିକଟରେ ଉପସ୍ଥିତ ଥାନ୍ତି । ରବୀନ୍ଦ୍ରନାଥଙ୍କୁ ପ୍ରଣିପାତ କରି ମୋହର ସ୍ୱରଚିତ କବିତା ମୁଁ ପାଠକରେଁ ସେ ଦିନ ସକାଳେ ସର୍କିଟ୍ ହାଉସ୍‌ରେ—

 

“ଚାଳିଶ କୋଟି * ଭିତରୁ ଆଜି କୋଟିଏ ଲୋକ ଯେ ଭାଷା କହେ

ସେ ଭାଷା କବି ଜଣାଏ ତା’ର ଅନ୍ତରର ବନ୍ଦନ ହେ !

ସେ ଭାଷା ଆଜି ଅରପେ ପୂଜା ଜନ୍ମଦିନେ କବି ହେ ତବ

*ଚାଳିଶ କୋଟି ଭିତରୁ ସେ ଯେ କୋଟିଏ କି କଥାର ରବ ।

*        *        *       *

ଚାଳିଶ କୋଟି ମଣିଷଭରା ବିଶାଳ ଏଇ ରାଜ୍ୟରେ ସେ ଭାଷା ଆଜି ତୋଳିଛି ତା’ର ଅର୍ଘ୍ୟ ଘେନ ଆର୍ଯ୍ୟ ହେ ! ଇତ୍ୟାଦି ।

 

*୧୯୩୯ରେ ଭାରତ ଓ ଓଡ଼ିଶାର ଜନସଂଖ୍ୟା

 

କବିତାଟି ଶୁଣିସାରି ରବୀନ୍ଦ୍ରନାଥ ମନ୍ତବ୍ୟ ଦିଅନ୍ତି ଯେ, ଏହାର ଛାନ୍ଦ ଓ ଭାଷା ବୁଝିବା ପାଇଁ କୌଣସିଠାରେ ତାଙ୍କୁ ଅସୁବିଧା ବୋଧ ହେଲା ନାହିଁ । ତହୁଁ ସେ ପଚାରନ୍ତି— ଓଡ଼ିଶାରେ ଓଡ଼ିଆ ସାହିତ୍ୟର ଓ ସାହିତ୍ୟିକମାନଙ୍କର ପରିସ୍ଥିତି ସମ୍ପର୍କରେ । ପୁଣି ଲେଖକମାନଙ୍କ ସୁବିଧା ଅସୁବିଧା ବିଷୟରେ । ସାହିତ୍ୟିକମାନଙ୍କ ଭିତରେ ସଂଗଠନ କିପରି ରହିଛି, ତାହା ମଧ୍ୟ ସେ ଜାଣିବାକୁ ଲୋଡ଼ିଥିଲେ । ଆହୁରି ସେ ମତଦେଇଥିଲେ ଯେ ସାହିତ୍ୟର ଉନ୍ନତି ଲାଗି ସରକାରଙ୍କର ଯଥେଷ୍ଟ କର୍ତ୍ତବ୍ୟ ରହିଛି । ଯେଉଁ କର୍ତ୍ତବ୍ୟ ପାଳନରେ କୌଣସି ପ୍ରକାର ଅବହେଳା ଆଦୌ ଶୋଭନୀୟ ନୁହେଁ ।

 

କବିଙ୍କର ସେଇ ଧ୍ୟାନମଗ୍ନ ରୂପ ନିକଟରେ ବସି ଓ ଧୀର ମଧୁର ବାକ୍ୟାଳାପ ଶୁଣି ମୋର ବହୁକାଳର ଆକାଂକ୍ଷା ଯେପରି ଅବା ଚରିତାର୍ଥ ହୁଏ । କଥୋପକଥନ ସମୟରେ କେହି ଜଣେ ଆସି ତାଙ୍କୁ ଜଣାନ୍ତି, “ଷ୍ଟେଟସ୍‍ମ୍ୟାନ” କାଗଜ ଓ ଆସୋସିଏ ଟେଡ଼୍ ପ୍ରେସ୍‍ର ପ୍ରତିନିଧି କବିଙ୍କ ସହିତ ସାକ୍ଷାତ କରିବାକୁ ଅପେକ୍ଷା କରିଛନ୍ତି ।

 

ବିସ୍ମିତ ହୋଇପଡ଼େଁ – ସେ କଥାରେ କବି ଅକସ୍ମାତ୍ ବିରକ୍ତ ହୋଇ କହନ୍ତି, ‘ତାଙ୍କର ପୁଣି ମୋ ପାଖରେ କି କାମ ? କହିଦିଅ, ମୁଁ ସାକ୍ଷାତ ଦେଇ ପାରିବିନାହିଁ ।’

 

ସାମ୍ବାଦିକଙ୍କୁ ସାକ୍ଷାତ ଦେଇ ସମ୍ବାଦପତ୍ରରେ ନିଜନାମ ପ୍ରଚାର କରିବା ସପକ୍ଷରେ କବିଙ୍କର ମତାମତ ସହିତ ସେହି ଦିନ ମୁଁ ଚାକ୍ଷୁଷ ପ୍ରମାଣପାଏଁ । ତାହାଙ୍କ ପାଠ୍ୟ କାର୍ଯ୍ୟକ୍ରମରେ ସମ୍ବାଦପତ୍ର ଯେ ଏକ ଗୌଣ ସ୍ଥାନ ଲାଭ କରିଥିଲା, ଏହାର ପ୍ରମାଣ ଆଉ ଥରେ ପାଇଥିଲି କବିଙ୍କ ଆମେରିକା ଯାତ୍ରା ସମୟରେ—ବମ୍ବେଠାରେ ସେ ଜଣେ ସାମ୍ବାଦିକଙ୍କୁ କହିଥିବା ପ୍ରକାଶ ଯେ, ସମ୍ବାଦପତ୍ର ତାହାଙ୍କ ପ୍ରାତ୍ୟହିକ ପାଠ୍ୟକ୍ରମରେ ନଥାଏ ।

 

ଶଙ୍ଖ ମହୁରୀ ଆଦି ମଙ୍ଗଳ ଧ୍ୱନି ମଧ୍ୟରେ ଅନୁଷ୍ଠିତ ହୁଏ କବି ରବୀନ୍ଦ୍ରନାଥଙ୍କର ଜନ୍ମୋତ୍ସବ ମହା ସମାରୋହରେ । ତାହାଙ୍କ ରଚନାବଳୀ ସହିତ ଭାଷଣଭଙ୍ଗୀ ବ୍ୟବହାର ଓ ରୂପର ସାମଞ୍ଜସ୍ୟ ଅନୁଭବ କରିବାର-ତାହା ହିଁ ମୋର ପ୍ରଥମ ଓ ଶେଷ ସୁଯୋଗ ।

 

ରବୀନ୍ଦ୍ରନାଥଙ୍କ ଜନ୍ମଉତ୍ସବ ଉପଲକ୍ଷରେ ରଚିତ ମୋର କବିତା ପ୍ରକାଶିତ ହୁଏ କେତେକ ପତ୍ରପତ୍ରିକାରେ । ସେହି ସମୟରେ ପାର୍ଲାମେଣ୍ଟ ସଦସ୍ୟ ସ୍ୱର୍ଗତ ଶ୍ରୀ ଭୁବନାନନ୍ଦ ଦାସଙ୍କ ଘରକୁ ମୁଁ ମଧ୍ୟେ ମଧ୍ୟେ ଯା’ଆସ କରେଁ । ନବଯୁଗ-ସାହିତ୍ୟ-ସଂସଦର ଅଧିବେଶନରେ ମୋର ଭାଷଣ ଦେବା ସମୟରୁ ତାହାଙ୍କ ଦୃଷ୍ଟି ମୁଁ ଆକର୍ଷଣ କରିଥାଏଁ ଓ ତାଙ୍କ ଯାଆଁଳା ଭାଇ ଅମାୟିକ ବନ୍ଧୁତାର ଶ୍ରେଷ୍ଠ ନିଦର୍ଶନ ସ୍ଵାମୀ ବିଚିତ୍ରାନନ୍ଦ ମୋହର ଜ୍ୟୋଷ୍ଠଭ୍ରାତାଙ୍କର ସମବୟସ୍କ ହେଲେ ମଧ୍ୟ ସ୍ଵୟଂ ମୋ ଘରକୁ ଯାତାୟାତ କରୁଥିଲେ ଓ ମୋତେ ଜଣେ ସମବୟସ୍କ ବନ୍ଧୁ ଭାବରେ ବ୍ୟବହାର କରୁଥିଲେ ।

 

ସ୍ଵାମୀଜୀଙ୍କର ଏହା ଏକ ଦୁର୍ଲଭଗୁଣ । ମୋହର “ରବୀନ୍ଦ୍ର ବନ୍ଦନା” କବିତା “ଉତ୍କଳ ସାହିତ୍ୟ” ପତ୍ରିକାରେ ପାଠକରି ଭୂବନାନନ୍ଦ ବାବୁ କିନ୍ତୁ ଠିକ୍ ପସନ୍ଦ କଲେନାହିଁ । ତାଙ୍କ ମତରେ କବିତାର ଛନ୍ଦ ଓ ପ୍ରକାଶ ଭଙ୍ଗୀରେ ବଙ୍ଗଳା ଛାଞ୍ଚ ରହିଗଲା । ମୁଁ ତାହାଙ୍କୁ ଜବାବ୍ ଦେଇଥିଲି କି ନାହିଁ ମନେ ପଡ଼ୁନି—ବଙ୍ଗଳା ଛାଞ୍ଚ ବୋଲି ଯାହାକୁ ଆମେ କହୁଁ, ତାହା ଯଥାର୍ଥରେ ବଙ୍ଗଳା କିମ୍ବା ଘରର ଅନ୍ୟ କୌଣସି ଭାଷାର ଛାଞ୍ଚ ନୁହେଁ । ସେଟା ହେଲା ପୂରାପୂରି ଆଧୁନିକ ଛନ୍ଦର ଛାଞ୍ଚ; ଅର୍ଥାତ୍ ଆନ୍ତର୍ଜାତୀୟ ଛାଞ୍ଚ-ପୃଥିବୀର ସବୁ ଭାଷାରେ ଅନୂଦିତ ହେଲାଭଳି । ଯେଉଁ ଛାଞ୍ଚଟା ଅବଶ୍ୟ ଆମର ପ୍ରାଚୀନ ସଙ୍ଗୀତମୟ “ରସକୁଲ୍ୟା” କି “ଆଷାଢ଼ ଶୁକ୍ଳ ବାଣୀ” ଆଦି ଓଡ଼ିଆ କବିତାର ଛାଞ୍ଚ ସହିତ ଖାପଖାଇ ପାରେନାହିଁ । ଠିକ୍ ଯେମତି ଭୁବନାନନ୍ଦବାବୁ ସେତେବେଳେ ପରାଧୀନ ଭାରତ ପାର୍ଲ୍ୟାମେଣ୍ଟ ସଦସ୍ୟ ଥିଲେ, ତାହାର ଛାଞ୍ଚକୁ ଭାରତୀୟ କୁହାଯାଇ ନ ପାରେ; ବରଂ ଆନ୍ତର୍ଜାତୀୟ କହିବା ଯଥାର୍ଥ ।

 

ଓଡ଼ିଆରେ ଗଳ୍ପ, ଉପନ୍ୟାସ, ନାଟକ ଆଜି ଆଧୁନିକ ରୂପର ଯେତେ ନମୁନା ଆମ ସାମ୍ନାରେ ରୋଜ ଦେଖାଦିଏ—ପ୍ରାଚୀନ ଓଡ଼ିଆ ସାବତ୍ୟର ଢଙ୍ଗ, ଭଙ୍ଗୀ ବା ଛାଞ୍ଚ ସହିତ ତାହାର ତୁଳନା ଅବା କେଉଁଠି ? ତେବେ ‘ଆଧୁନିକ’ କବିତାର ପରଚୟ ଯେ କିଛି ମାତ୍ର ହୁଏ ନାହିଁ ।

 

ଭୁବନାନନ୍ଦ ବାବୁଙ୍କୁ ଏସବୁ କଥା ବୁଝାଇବାପାଇଁ ମୋର ଅବଶ୍ୟ ସୁଯୋଗ କିମ୍ବା ଅବକାଶ ନ ଥାଏ । ବୟୋଜ୍ୟେଷ୍ଠମାନଙ୍କର ଏଇଭଳି ବହୁ ମତାମତକୁ ନିରବରେ ମୋତେ ଶୁଣିବାକୁ ହୁଏ; ମାତ୍ର ସେ ସବୁକୁ ହଜମ କରି ହୁଏ ନାହିଁ ।

 

ଏଇ ଭଳି ପ୍ରତିକ୍ରିୟାର ରୂପ ସେତେବେଳେ ପ୍ରକଟିତ ହୁଏ, ସ୍ୱର୍ଗତ ବନ୍ଧୁ ଶ୍ରୀ ବିଚ୍ଛେନ୍ଦଚରଣ ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ “ଭଞ୍ଜଜୟନ୍ତୀ’’ ପାଳନ ମାଧ୍ୟମରେ । କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନଙ୍କ ସମୟରେ ଆଧୁନିକ ଓ ପ୍ରାଚୀନପନ୍ଥୀ ସାହିତ୍ୟଗୋଷ୍ଠୀର ସୃଷ୍ଟି ହୋଇ “ବିଜୁଳି” ପୁଣି “ଇନ୍ଦ୍ରଧନୁ” ଦୁଇଟି ପତ୍ରିକା ପ୍ରକାଶିତ ହୁଏ । ତଥାପି ଆଧୁନିକ ରୀତି ଓ ଛନ୍ଦା ତାହାଦ୍ୱାରା ବାଧାପ୍ରାପ୍ତ ହୋଇ ନ ଥିଲା । ବିଛନ୍ଦଚରଣଙ୍କ ସହିତ ମତପାର୍ଥକ୍ୟ ଥିଲେହେଁ ମୋର ବନ୍ଧୁତା ରହିଥିଲା ଅକ୍ଷୁର୍ଣ୍ଣ ।

 

ନବ ନବ ଛନ୍ଦ, ଧାରା କବିତାରେ ପ୍ରକଟିତ ହେବାହିଁ ଯୁଗୋପଯୋଗୀ ଧର୍ମ । ପୁଣି ପ୍ରାଚୀନ କବିତାର ବାହୁଲ୍ୟ ସ୍ଥାନରେ ବର୍ତ୍ତମାନ ଗଦ୍ୟ ଧର୍ମୀ ସାହିତ୍ୟର ପ୍ରାଚୁର୍ଯ୍ୟ ଅନସ୍ଵୀକାର୍ଯ୍ୟା । ସେଥିସହିତ ଯାନ୍ତ୍ରିକ ମୁଦ୍ରଣାଳୟର ପ୍ରସାର ମଧ୍ୟ ବିଚାର୍ଯ୍ୟ।

 

୧୯୩୯ ରେ ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ଓଡ଼ିଶାରେ ଗଢ଼ାହେବା ସମ୍ପର୍କରେ ଗୋଟିଏ କୌତୁକ ଘଟଣା ଶୁଣିଥିଲେ ‘ଭାଗୁ’ ଠାରୁ । ସେତେବେଳେ ପଣ୍ଡିତ ନୀଳକଂଠ ହିଁ କଂଗ୍ରେସର ବୟୋଜ୍ୟେଷ୍ଠ ନେତା ଭାବରେ ଓଡ଼ିଶାରେ ସୁପରିଚିତ । ପଣ୍ଡିତ ଗୋଦାବରୀଶ କଂଗ୍ରେସରୁ ଅଲଗା ହୋଇଯାଇ ଥାନ୍ତି, ଦ୍ୱିତୀୟ ସ୍ଥାନ ଥିଲା ଶ୍ରୀ ବିଶ୍ୱନାଥ ଦାସଙ୍କର । ଗାନ୍ଧିଜୀଙ୍କ ଆହ୍ୱାନରେ ପ୍ରଥମେ ନୀଳକଣ୍ଠ ଯାଇ ସାକ୍ଷାତ୍ କରନ୍ତି ।” “ଚତୁର ବଣିଆ” ଗାନ୍ଧିଜୀ ତାଙ୍କୁ ଡାକି କଥା ପ୍ରସଙ୍ଗରେ ଶ୍ରୀ ବିଶ୍ୱନାଥ ଦାସଙ୍କ ବିଷୟ ପଚାରିବାରୁ ନୀଳକଣ୍ଠ ତାଙ୍କୁ ନ୍ୟୁନ ପ୍ରତିପନ୍ନ କରନ୍ତି, ମାତ୍ର ତାଙ୍କ ପରେ ବିଶ୍ୱନାଥ ବାବୁଙ୍କୁ ଡାକି ନୀଳକଣ୍ଠ ବିଷୟ ପଚାରନ୍ତେ ସେ ପ୍ରଶଂସାମୁଖର ହୋଇ ପଡ଼ନ୍ତି । ଫଳରେ ଶ୍ରୀ ବିଶ୍ୱନାଥ ଦାସ ହିଁ ସେତେବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ମନୋନୀତ ହେଲେ ।

 

ଲହୁ ଢାଳି ଏବେ ହତିଆର ତୋର ପଜା

 

ଦ୍ୱିତୀୟ ପୃଥିବୀ ମହାସମର ଘୋଷିତ ହେବା ସଙ୍ଗେ ସଙ୍ଗେ ଭାରତୀୟ ରାଜନୀତିରେ ଦେଖାଦିଏ ଘୋର ବିପର୍ଯ୍ୟୟ ! ଯେଉଁ ଅଳ୍ପ କେତେଗୋଟି ରାଜ୍ୟରେ କଂଗ୍ରେସ ମନ୍ତ୍ରୀ ମଣ୍ଡଳ ଗଢ଼ାହୁଏ, ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ଇସ୍ତଫା ଦିଅନ୍ତି ସେଗୁଡ଼ିକ । ସେତେବେଳେ କଟକ କାଠଗଡ଼ାସାହି “ଶିବକୁଟିରଂ” ଏକ ରାଜନୈତିକ କେନ୍ଦ୍ରରେ ପରିଣତ ହୋଇଥାଏ ।

 

ଅନୁଜ ଭଗବତୀଙ୍କ ନେତୃତ୍ୱରେ ଅହରହ ଚାଲିଥାଏ ଯୁବଗୋଷ୍ଠୀର ଆଲୋଚନା—ଓଡ଼ିଶା କମ୍ୟୁନିଷ୍ଟ୍ ପାର୍ଟିର ଅୟମାରମ୍ଭ । ପୋଲିସ୍ ଗୁଇନ୍ଦାମାନଙ୍କର ଗତଗତ । ଅବଶ୍ୟ ଘରବାହାରେ । ବନ୍ଧୁ ଶ୍ରୀ ଶରତଚନ୍ଦ୍ର ମୁଖାର୍ଜୀଙ୍କ “ଶିବକୁଟୀରଂ” ସାମ୍ନାରେ ଶ୍ରଦ୍ଧେୟ ସ୍ୱର୍ଗତ ବିପିନ୍ ମିତ୍ର କୋଠା । ଦୋତାଲା ଘରେ ବସି ସେତେବେଳେ ରେଭେନ୍‍ସା କଲେଜର ଛାତ୍ର ଓ ତା’ପରେ ରାଜନୀତିକ ନେତା ପୁଣି କଛି କାଳ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ଶ୍ରୀ ବୀରେନ୍ ମିତ୍ର ବିଦ୍ୟାଭ୍ୟାସ କରୁଥାନ୍ତି ପରୀକ୍ଷା ଦେବାପାଇଁ । ଅର୍ଥନୀତିର ଛାତ୍ର ସେ । ରାଜନୀତିରେ ମଧ୍ୟ ଛାତ୍ର ଆନ୍ଦୋଳନ କରିବା ଦିଗରେ ତାଙ୍କ ତତ୍ପରତା ଦେଖା ଦେଇଥାଏ ।

 

ଥରେ ଜଣେ ରାଜନୀତିକ ନେତାଙ୍କ ଭାଷଣ ଉପରେ ମତାମତ ପ୍ରକାଶ କରି ସେ କହନ୍ତି – “He makes a beautifully vague Speech”- ଅର୍ଥାତ୍ ଚମତ୍କାର ଅସ୍ପଷ୍ଟ ଭାଷଣ ଦିଅନ୍ତି । ତାଙ୍କ ନିଜ ଭାଷଣରେ ସ୍ପଷ୍ଟତା ମୁଁ କେବେହେଲେ ଅନୁଭବ କରିନାହିଁ ଅବଶ୍ୟ ।

 

“ଶିବ କୁଟୀରଂ” ମଧ୍ୟରେ ଭଗବତୀଙ୍କ ନେତୃତ୍ୱରେ ବସେ ଯୁବକମାନଙ୍କର ଆଲୋଚନା ଚକ୍ର । ଢେଙ୍କାନାଳର ଯୁବନେତା : ଶ୍ରୀବୈଷ୍ଣବ ପଟ୍ଟନାୟକଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା କରିଥାନ୍ତି ଢେଙ୍କାନାଳ ରାଜ୍ୟ ସରକାର, ଅଥଚ ସେହି ଶ୍ରୀ ବୈଷ୍ଣବ ପଟ୍ଟନାୟକ ଯେ ଶିବକୁଟୀରଂ କୋଠା ଛାତରେ କିଛି ଦିନ ପାଇଁ ଆତ୍ମଗୋପନ କରି ରହିଥିଲେ, ତାହାର ଖବର ଛାତତଳେ ଘର ଭିତରେ ରହୁଥିବା ମୋତେ ସେତେବେଳେ ଜଣା ନ ଥିଲା । ସ୍ଵାଧୀନତା ରଜତଜୟନ୍ତୀ ଉତ୍ସବରେ ଭାରତ ସରକାରଙ୍କଠାରୁ ସନନ୍ଦ ଲାଭ କରିଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀଫନି ପାଲ୍ ମଧ୍ୟ ଶିବକୁଟୀରଂ କୋଠା ଛାତ ଉପରେ ବସୁଥିବା ରାଜନୀତିକ ବୈଠକରେ ଯୋଗ ଦିଅନ୍ତି । ଭୋର ଆଠଟାରୁ ଖିଆପିଆ ସାରି ମୁଁ ବକ୍‍ସି ବଜାର ଛକରେ ଅବସ୍ଥିତ ପ୍ରେସ୍‍କୁ ହେଡ୍‍ରିଡର କାମ ତୁଲାଇବାକୁ । ସେଠାରେ ଆଠ ଘଣ୍ଟା କାମ କରିସାରି ଦୈନିକ ପ୍ରାୟ ଆଉ ଚାରିଘଣ୍ଟା ବାଧ୍ୟତାମୂଳକ ଓଭର ଟାଇମ୍ କାମ କରିବାରେ ଲିପ୍ତ ରହେଁ । ତହୁଁ ଘରେ ପିଲାମାନେ ପଚାରୁଥିବାରୁ ମୁଁ ଶୁଣେ ତାଙ୍କ ମାଆଙ୍କଠାରୁ— “ସରକାରୀ ଛାପାଖାନାରୁ ଲେଉଟି ଆସି ବାପା କଟକରେ ଅଛନ୍ତି କି ଆଉ କୁଆଡ଼େ ଗଲେ ?

 

ଆହୁରି ମଧ୍ୟ ନିର୍ବୋଧ ପିଲାଗୁଡ଼ାକ ଜାଣନ୍ତି ନାହିଁ ଯେ, ବାପା ତାଙ୍କର ସରକାରୀ ଛାପାଖାନାରେ ଓଡ଼ିଶା ଗେଜେଟ୍‍ର ପ୍ରୁଫ୍ ସଂଶୋଧନ କରୁଥିଲାବେଳେ ସେଇ ଘର । “ଶିବ କୁଟୀରଂ” ଭିତରେ ଷଡ଼ଯନ୍ତ୍ର ଚାଲିଥାଏ ଇଂରେଜ ସରକାରଙ୍କୁ ନିପାତ କରିବାକୁ !

 

ସେଇ ସମୟରେ ମୋର କନିଷ୍ଠ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥାଏ ସାପ୍ତାହିକ ପତ୍ରିକା “କୃଷକ” । ଚହଳ ପକାଇଥାଏ, ଢେଙ୍କାନାଳ ଗୁଳିକାଣ୍ଡରେ ବାଜିରାଉତ ସମେତ ଅନ୍ୟ ଶହୀଦ୍‌ମାନଙ୍କର ନୃଶଂସ ହତ୍ୟା ଘଟଣା । “କୃଷକ” ପତ୍ରିକାରେ ମୋର ଛଦ୍ମନାମ “ବନ୍ଦୀ ସୈନିକ” ରଖିଥିବା ଅନୁଜ ଭଗବତୀ ପ୍ରକାଶ କରନ୍ତି ବାଜିରାଉତ ଓ ଅନ୍ୟ ଶହୀଦ୍‍ମାନଙ୍କ ସମ୍ବନ୍ଧରେ ଲିଖିତ ସେଇ ପ୍ରଥମ କବିତା,—

 

ଝାଳଦେଇ ତୁ ରେ ଗଢ଼ିଲୁ ରାଇଜ ରଜା

ଲହୁ ଢାଳି ଆଜି ହତିଆର ତୋର ପଜା

ବେଳ ଏହି ବେଳ ଏହି

ଗଢ଼ିଥିଲୁ ଯାକୁ ତାଡ଼ିବୁ ତାହାକୁ ନ ଶୁଅରେ ଆଉ ଚେଇଁ ।

 

କୋଣାରକଠାରୁ ଗଢ଼ିଲୁ ଦେଉଳ ବଡ଼

ନ ମାନିଲୁ ରାଜା ଗୁଳି ବନ୍ଧୁକ ଝଡ଼ ।

ଏଡ଼େ ଅବିନୀତ ଟୋକା

ଢେଙ୍କାନାଳର କଙ୍କାଳ ଟାଣି ବଜାଇଲୁ ଜୟତକା ।

 

ବଜାଇଲୁ ତୁ ତ ଦୁନିଆ ଉପରେ ବାଜା

ଛାତିକି ଫୁଲାଇ, “ନାହିଁ ରାଜା ! ନାହିଁ ରାଜା !”

କାହୁଁ ଶିଖିଲୁ ଏ କଥା

କହ କହ ବାକି କାହା ଲାଗି ଆଜି ବଳିଦେଲୁ ନିଜ ମଥା ।

 

ଗାନ୍ଧିଜୀଙ୍କ ଆଶ୍ରମର ବିଦେଶିନୀ ଶିଷ୍ୟା ମିସ୍ ଆଗାଥା ହ୍ୟାରିସନ୍ ଢେଙ୍କାନାଳ ଗୁଳିଫଏର ଘଟଣା ପରେ କଟକ ଆସିଥାନ୍ତି ବ୍ୟକ୍ତିଗତ ଭାବରେ ତନଖି କରି । ତାଙ୍କ ସମକ୍ଷରେ ଏହି କବିତାର ଇଂରାଜୀ ଅନୁବାଦ ପାଠ କରଯାଏ—

 

“ଲହୁ ଦେଇ ତୋର ହତିଆର ତହିଁ ପଜା” ବାକ୍ୟ ଯେ ହିଂସାତ୍ମକ ଓ ରାଜାଙ୍କ ଅହିଂସା ପନ୍ଥାର ପ୍ରତିକୂଳ ଆଚରଣ କରିଛି ତାହା ତାଙ୍କୁ ବୁଝାଇ ଦିଆଯାଏ । ମୋହର କିନ୍ତୁ ସରକାରୀ ଛାପାଖାନାରୁ ଚାକିରୀ ଚାଲି ଯାଇଥିବା ହେତୁ ଆଉ କୌଣସି ଦଣ୍ଡବିଧାନ ପାଇଁ ଅବକାଶ ରହି ନ ଥାଏ ।

 

ଢେଙ୍କାନାଳର ଗୁଳି ଫଏର ଘଟଣା ସାଙ୍ଗକୁ ରଣପୁରଠାରେ ପଲିଟିକାଲ୍ ଏଜେଣ୍ଟ୍ ବଜେଲ୍ ଗେଟ୍‍ଙ୍କର ନିର୍ମମ ହତ୍ୟାକାଣ୍ଡ ! ସେଥିସହିତ ପୁଣି ଗୋଟା ତାଳଚେର ରାଜ୍ୟକୁ ଛାଡ଼ି ସବୁ ତାଳଚେର ବାସୀ ରୁଣ୍ଡ ହୁଅନ୍ତି ଆସି ଅନୁଗୁଳ ଭିତରେ ।

 

“ଅନ୍ଧାରି ମୁଲକ” ଭିତରେ ଯେମ‌୍‌ତି ଅବା ଚଟ୍‍କରି ଜଳିଉଠିଲା ଗୋଟାଏ ଉଜ୍ଜ୍ୱଳ ଆଲୁଅ—ଯେଉଁ ଆଲୁଅ ଖାଲଖମା ଢିପ ବଣ ପାହଡ଼ ଜଙ୍ଗଲ ଅନ୍ଦିକନ୍ଦିରେ ପଶି ଦେଖାଇ ଦେଲା ପଦାକୁ ସବୁ । ଏଇ ଅବସ୍ଥାର ଅନୁସନ୍ଧାନ କରିବା ଥିଲା ମିସ୍ ଆଗାଥା ହ୍ୟାରିସନ୍‍ଙ୍କର କାମ । ଗାନ୍ଧିଜୀ ତାଙ୍କୁ ପଠାଇଥାନ୍ତି ଚାକ୍ଷୂଷ ତଦନ୍ତ କରି ସତ୍ୟ ଘଟଣା ଜଣାଇବା ପାଇଁ ।

 

ସରକାରୀ ପକ୍ଷରୁ ବୋଧହୁଏ ତାଙ୍କର ତଦନ୍ତ ସମୟରେ ମୋହ ରଚିତ “ବନ୍ଦୀ ସୈନିକ” ଏଇ କବିତାଟିର ସମ୍ପୂଣ୍ଣ ଇଂରାଜୀ ଅନୁବାଦ କରଯାଇ ତାଙ୍କ ସମକ୍ଷରେ ଶୁଣାଇ ଦିଆଯାଏ । ଖବରଟା ମୁଁ ଶୁଣେ ଭାଗୁଠାରୁ, ପୁଣି ତାହାର ସହକର୍ମୀ ଅନ୍ୟ ବନ୍ଧୁମାନଙ୍କଠାରୁ ।

 

ଅତଏବ, ଏଇ କବିତାଦ୍ୱାରା ଭାବରେ ପ୍ରତିକୂଳ ଆଚରଣ କରାଯାଇଛି ଗୀନ୍ଧଜୀଙ୍କ ଚିର ଘୋଷିତ ଅହିଂସ ପନ୍ଥାର ।

 

ସେତେବେଳେ ମୋ’ର ମନେ ହେଲାଯେ, କବିତାଟିର ଏହି ପଦଟିକୁ ସ୍ପଷ୍ଟୀକରଣ ଲାଗି ମିସ୍ ଆଗାଥା ହାରିସନ୍‌ଙ୍କ ପାଖରେ ଯଥାର୍ଥ ଉଦ୍ୟମ କରାଗଲା ନାହିଁ । ଅହିଂସା ଲଢ଼େଇରେ ମଧ୍ୟ ମହଣ ମହଣ ଲହୁ ଯେ ଢଳା ହେଉଥାଏ, ପୁଣି ସୁଦୂର ଅତୀତରେ ସେହି ପରି ଏକ ଅହିଂସା ଲଢ଼େଇ ଯେ ଲାଗିଥିଲା, ତାହା ଏ ଯୁଗରେ ଅହିଂସାର ଅବତାର ମହାତ୍ମାଗାନ୍ଧୀଙ୍କର ବିଦେଶିନୀ ପଟ୍ଟଶିଷ୍ୟା ହାରିସନ୍‌ଙ୍କୁ ବୁଝାଇଦେବାକୁ କାହାରିକୁ ହେଲେ ପଇଟିଲା ନାହିଁ ବୁଦ୍ଧି ।

 

ମହାତ୍ମା ଗାନ୍ଧୀ ସ୍ଵୟଂ ପ୍ରତ୍ୟହ ଗୀତାପାଠ କରନ୍ତି, ପୁଣି ଯେ କୌଣସି ସମୟରେ—ଏମ‌୍‌ତି କି କମୋଡ଼୍‍ରେ ବସିଥିଲାବେଳେ ମଧ୍ୟ “ଶ୍ରୀମଦ୍ ଭଗବତ୍ ଗୀତା” ତାଙ୍କ ସମୟ କ୍ଷେପଣର ଏକ ମାତ୍ର ଶ୍ରେଷ୍ଠ ସହାୟକ ଥିଲା—ଯେଉଁ ଗୀତା ଗାନ୍ଧୀଜୀଙ୍କଠାରୁ ଆରମ୍ଭ କରି ବିନୋବାଙ୍କ ପର୍ଯ୍ୟନ୍ତ ଶତସହସ୍ର ଶିଷ୍ୟଙ୍କୁ ମହାଭାରତର ସ୍ଵାଧୀନତା ସମରରେ ଅହିଂସା ସୈନିକ ସାଜିବାକୁ ଶ୍ରେଷ୍ଠ ପ୍ରେରଣା ଯୋଗାଇଥିଲା— ସେହି ‘ଗୀତା’ ଯେ ମହାଭାରତ ଯୁଦ୍ଧ ଭଳି ରକ୍ତନଦୀ ବୁହାଇ ଥିଲା—ଏକ ବିରାଟ ସଂଘର୍ଷ କେବଳ ଅହିଂସାର ଭିତ୍ତି ଉପରେ ପ୍ରତଷ୍ଠିତ ହୋଇ !

 

ବିହାରରେ କାର୍ଯ୍ୟ କରୁଥିବା ସବୁଜବନ୍ଧୁ ଶ୍ରୀ ଶରତଚନ୍ଦ୍ର ମୁଖାର୍ଜୀଙ୍କଠାରୁ ଏକ ପତ୍ର ପାଏଁ ଯେ, ତାଙ୍କ କୁଟୁମ୍ବମାନେ କଟକ ଆସିବେ । ଅତଏବ ସେମାନଙ୍କ ପାଇଁ ମୋତେ ଯେପରି ଘରଟି ତାଙ୍କର ଛାଡ଼ି ଅନ୍ୟ ଭଡ଼ାଘରକୁ ଯିବାକୁ ହେବ । ବୋଝ ଉପରେ ନଳିତା ବିଡ଼ା ! ପୁଣି ଚାଲେ ମୋର ଘର ଖୋଜା— ବଣି ଚଢ଼େଇ ପୁଣି ଆଉ କାହା ଘର ପାଣିରେ ଭସାଇବ ବୋଲି ପଚାରିଲା ଭଳି—

 

“ରାମ ବୋଉ ଲୋ ରାମ ବୋଉ !

ଠାଆ ଟିକିଏ ଦେଇନା’ ରୁ ।”

 

ଖୋଜି ଖୋଜି ପୁଣି ସବୁଠାରେ “ଦୂର୍‍ପଳା, ଦୂର୍‍ପଳା” ଶୁଣି ଶେଷରେ ଭିକ୍ଟୋରିଆ ସ୍କୁଲ କାଜିବଜାର ଚମାର ସାହି ଗଳିରେ ଗୋଟିଏ ଭଡ଼ାଘର ପାଏଁ । ଘରଟିର ମାଲିକ “ମନୁ ମା” ବୃଦ୍ଧାଙ୍କର ବୟସ ଅନୁମାନ କରିବା ସମ୍ଭବ ନୁହେଁ କିନ୍ତୁ ତାଙ୍କ ଇତିହାସ ସେ ନିଜେ କହନ୍ତି ।

 

ପୁରୀ ନିକଟ କୌଣସି ରାହଙ୍ଗ ଶାସନର ବାଳବିଧବା ବ୍ରାହ୍ମଣ କନ୍ୟା ସେ । ତା’ପରେ ଜୀବନର ବିଚିତ୍ର ଗତିପଥରେ ସେ ପୁରୀର କୌଣସି ମଠରେ ଆଶ୍ରୟ ନିଅନ୍ତି; ସେଠାରୁ ପୁଣି କଟକର ଜଣେ ଡାକ୍ତରଙ୍କ ସହିତ ଚାଲିଆସି ରହନ୍ତି ବଖରାବାଦ୍‍ରେ ଅବସ୍ଥିତ ଡାକ୍ତରବାବୁଙ୍କ ଏକ କୋଠାଘରେ ।

 

ଡାକ୍ତର ବାବୁଙ୍କଦ୍ୱାରା ନିର୍ମିତ ଚମାର ସାହିସ୍ଥିତ କୋଠାଘରେ ତାଙ୍କର ଅବସ୍ଥାନ । ସେହି ଘରେ ମୁଁ ସପରିବାର ରହି ସାରିବା ପରେ ଶୁଣିପାରେଁ, ମନୁ ମା’ଙ୍କର ବିଚିତ୍ର ଇତିହାସର କାହାଣୀ; ମାତ୍ର ମୋର ବିପଦ ସମୟରେ ସେ ମୋତେ ଆଶ୍ରୟ ଦେଇ ଯେଉଁ ଉପକାର କରିଥିଲେ, ତାହା ଆଜି ବି ଅବିସ୍ମରଣୀୟ ।

 

କାଜିବଜାର-ଚମାର-ସାହିରେ ରହିଥିବା ସମୟରେ ହିଁ ଷ୍ଟୁଡେଣ୍ଟସ୍ ଷ୍ଟୋର ପାଇଁ ପାଠ୍ୟପୁସ୍ତକ ଲେଖିବା କାମ ମୋର ଚାଲିଥାଏ । ଆହୁରି ଆସି ଯୁଟିଯାଏ, ଉତ୍କଳ-ସାହିତ୍ୟ-ସମାଜର ସମ୍ପାଦକ ରୂପେ କାର୍ଯ୍ୟ କରିବାର ଗୌରବ । ସ୍ୱର୍ଗତ ଲକ୍ଷ୍ମୀ ନାରୟଣ ସାହୁଙ୍କଠାରୁ ମୋର ଏଇ କାର୍ଯ୍ୟଭାର ଗ୍ରହଣକୁ ସ୍ୱର୍ଗତ ନୀଳକଣ୍ଠ ଓ ଚିନ୍ତାମଣି ଆଶ୍ଚର୍ଯ୍ୟ ପ୍ରମୁଖ ସ୍ଵାଗତ କରନ୍ତି । ଆହୁରି ମଧ୍ୟ ମୋର କରମର୍ଦ୍ଦନ କରିନ୍ତି ଦେବାନ୍ ବାହାଦୂର ଶ୍ରୀକୃଷ୍ଣ ମହାପାତ୍ର ବିଲାତି ଛାଞ୍ଚରେ ।

 

କାଜିବଜାର ଘରୁ ପୁଣି ମୋର ବଦଳି ହୁଏ ସୂତାହାଟ ଖ୍ରୀଷ୍ଟୀୟାନ୍ ସାହିକୁ । କବି ଶ୍ରୀମତୀ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ପରେ ତାଙ୍କ ସ୍ଵାମୀ ସ୍ଵର୍ଗତ କୃଷ୍ଣପ୍ରସାଦ ବ୍ରହ୍ମଚାରୀ ଏଇ ସୂତାହାଟ ଦୋତାଲା ଘରଟିକୁ ମୋହପାଇଁ ମାସିକ ୧୫ ଟଙ୍କା ମାତ୍ର ଭଡ଼ାରେ ରହିବାକୁ ବ୍ୟବସ୍ଥା କରି ଦେଇଥାନ୍ତି । ପରେ ଏହାର ଭଡ଼ା ବଢ଼ିଯାଏ ୨୦ ଟଙ୍କାକୁ । ଘରଟିରେ ପ୍ରଥମେ ସେ ରହୁଥିବା ହେତୁ ଦୋତାଲା ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥାଏ “ଭାରତୀ ତପୋବନ-।”

 

ହିନ୍ଦୁ ମହାସଭାର ଜଣେ ବିଶିଷ୍ଟ ପ୍ରଚାରକ ଭାବରେ ସ୍ୱର୍ଗତ କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ ସେତେବେଳେ ସୁପରିଚିତ । ତାଙ୍କର ଉଦ୍ୟମରେ ହିଁ କୁନ୍ତଳାକୁମାରୀ ଦିଲ୍ଲୀରେ ଅବସ୍ଥାନ କରି କେବଳ ଚିକିତ୍ସକ ମହଲରେ ନୁହେ, ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଖ୍ୟାତ ଅର୍ଜନ କରନ୍ତି । କୁନ୍ତଳାଙ୍କ ଅସାଧାରଣ ପ୍ରତିଭା ଅତି ଅଳ୍ପ ସମୟ ମଧ୍ୟରେ ତାଙ୍କୁ ହିନ୍ଦୀ ଭାଷାରେ ଜଣେ ସୁଲେଖିକା ଓ ସୁକବି ଭାବରେ ଖ୍ୟାତ ପ୍ରଦାନ କରେ ।

 

ମୋହର ମୟୂରଭଞ୍ଜ ଅବସ୍ଥାନ କାଳରେ ପତ୍ରବିନିମୟଦ୍ୱାରା ତାଙ୍କ ସହିତ ସମ୍ପର୍କ ସ୍ଥାପିତ ହୁଏ । ବାରମ୍ବାର ମୋତେ ସେ ନିମନ୍ତ୍ରଣ କରନ୍ତି ଦିଲ୍ଲୀ ଯିବା ଲାଗି; ମାତ୍ର ତାହା ସମ୍ଭବପର ହୋଇ ପାରେନାହିଁ ମୋହ ପକ୍ଷରେ ।

 

ଶ୍ରାମତୀ କୁନ୍ତଳାକୁମାରୀ ଉତ୍କଳୀୟ ନାରୀ ସମାଜରେ ଏଇ ଯୁଗର ଜଣେ ଶ୍ରେଷ୍ଠ ପ୍ରତିଭାଶାଳିନୀ କବି, ବାଗ୍ମୀ ଓ ବିପ୍ଳବିନୀ ରୂପେ ପ୍ରତିଷ୍ଠିତା । ଶ୍ରଦ୍ଧେୟ ବ୍ରହ୍ମଚାରୀଙ୍କ ସାହଚର୍ଯ୍ୟ ଫଳରେ କବି କୁନ୍ତଳାଙ୍କର ନବ ନବ ଉନ୍ମେଷଶାଳିନୀ ପ୍ରତିଭା ଓଡ଼ିଶା ବାହାରେ ପରିବ୍ୟାପ୍ତ ହୁଏ ।

 

ଆଜି ମଧ୍ୟ ଦିଲ୍ଲୀରେ ପ୍ରଖ୍ୟାତ ହିନ୍ଦୀ ଔପନ୍ୟାସିକ ଜୈନେନ୍ଦ୍ର କୁମାର ପ୍ରମୁଖ ବନ୍ଧୁମାନଙ୍କ ମୁଖରୁ କୁନ୍ତଳାଙ୍କ ପ୍ରଶଂସା ଶୁଣି ଗର୍ବରେ ମୋର ମନ ଫୁଲିଉଠେ, ଆଉ ତାଙ୍କରି ସ୍ମୃତିରେ କଟକରେ ଅବସ୍ଥାପିତ “ଭାରତୀ ତପୋବନ ସଙ୍ଘ” ଗୃହଟିରେ କେତେ ବର୍ଷ ରହିଥିବା ହେତୁ ଆପଣାକୁ ମୁଁ ଧନ୍ୟ ମନେ କରେଁ ।

 

ଅନ୍ଧାରେ ଅଦ୍ଭୁତ ଆଲୁଅ (୧୯୩୯)

 

ଓଡ଼ିଶା ସରକାରଙ୍କ ପ୍ରଚାର ବିଭାଗରୁ ମୋର ଚାକିରୀ ଚାଲିଯାଏ—ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗାନ୍ଧଜୀଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ପୃଥିବୀ ମହାସମର ଆରମ୍ଭ ହେବା ସଙ୍ଗେ ସଙ୍ଗେ ଇସ୍ତଫା ଦେବା ପରଠାରୁ; ସେହି ସମୟରେ ହେଁ ତେଜିଉଠେ ଓଡ଼ିଶାରେ ଦେଶୀୟ ରାଜ୍ୟ ଆନ୍ଦୋଳନ ।

 

ଢେଙ୍କାନାଳ ଗୁଳିକାଣ୍ଡରେ ବାଳକ ବୀର ବାଜିରାଓତ ସମେତ ଭୁବନଗ୍ରାମର ଅନ୍ୟାନ୍ୟ ପ୍ରଜାଙ୍କର ହତ୍ୟା ବର୍ଣ୍ଣନା ଶୁଣେ । ରଣପୁର ପ୍ରଜାମେଳିରେ ବଜେଲଗେଟଙ୍କୁ କେବଳ ପ୍ରହାର କରି ଅତି ନୃଶଂସଭାବରେ ହତ୍ୟା କରଯାଏ, ଆଉ ମୃତଦେହକୁ ବସାଇଦିଆଯାଏ ଜୀବନ୍ତ ଭଳି ।

 

ସେତେବେଳେ ମୋର ଅବସ୍ଥା ବାସ୍ତବିକ ଅବର୍ଣ୍ଣନୀୟ । ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ ଶୁଣେ, ସେଥିରେ ଏକାବେଳେ ତାଟକା ହୋଇପଡ଼େଁ ।

 

ଅଭିଯୋଗଟି ହେଲା—ମୋର ଚାକିରୀ ଚାଲିଯିବା ମୂଳରେ ନିହିତ ଏକ ରାଜନୈତିକ କାରଣ । କେହି କେହି ବନ୍ଧୁ କହିଲେ, ମୁଁ ଫାସିଷ୍ଟବାଦ୍‌ରେ ଜଣେ ଦଲିଲ୍–ଅର୍ଥାତ୍ ସମର୍ଥନ କରେ ହିଟଲରଙ୍କୁ !

 

ଆଉ କେତେକ କଂଗ୍ରେସ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ଜଣାପଡ଼େ ଯେ, ମୋର ସାନ ଭାଇ ସ୍ଵର୍ଗତ ଭଗବତୀ ଚରମ ରାଜନୈତିକ ମତବାଦ ହେଲା ଏହାର ପ୍ରକୃତ କାରଣ । କଥାଟା ମୋତେ ଇଂରାଜି “ଅସଫସଫେବ୍ଲ”ର ଗଧିଆ ଓ ମେଣ୍ଢା କାହାଣୀ ଭଳି ବୋଧହେଲା ।

 

ଗଧିଆ ମେଣ୍ଢାକୁ ଖାଇବ ବୋଲି ଗୋଟିଏ ଝରଣାରୁ ଦୁହେଁ ପାଣି ପିଉଥିଲାବେଳେ ପରସ୍ପର ମଧ୍ୟରେ ସେହି ବିଚିତ୍ର କଥୋପାକନ । ଝରଣା ଉପରେ ଗଧିଆ ପାଣି ପିଉଥିଲେ ହେଁ ସେଇ ଝରଣାତଳୁ ମେଣ୍ଢାଟି ପାଣି ପିଇବାବେଳେ ଦୋଷୀ ସାବ୍ୟସ୍ତ ହୁଏ ପାଣି ଗୋଳିକରିବା ଅପରାଧରେ ।

 

ତଳତଳିଆ ଗରିବ ମଣିଷ ଯେମ‌୍‌ତି ଉପରବାଲା ଧନୀ ସାହୁକାରମାନଙ୍କ ଚରିତ୍ରକୁ ଖରାପ କରି ନପାରେ, ଠିକ୍ ସେଇଭଳି ବୋହିଯାଉଥିବା ତଳପାଣି ଉପରପାଣିକୁ କଦାପି ଗୋଳିକରି ନପାରେ । ସେଇ କଥାକହି ମେଷ ଶାବକଟି ଯୁକ୍ତିକଲାରୁ ଗଧିଆର ଅଭିଯୋଗ ଶୁଣେ—ସେ ନ କଲେବି ତା’ର ପିତୃପୁରୁଷ ଗୋଳି କରୁଥିଲେ ! ଆଉ ସେଇ କାରଣରୁ ଶେଷରେ ହୁଏ ସେ ଗଧିଆର ଶିକାର – ଅବିକଳ ଯେମ‌୍‌ତି ଉଚ୍ଚପାହ୍ୟା ମଣିଷ ଅକାରଣ ତଳପାହ୍ୟା ମଣିଷର ଦୋଷ ଦେଖାଇ ଗାଳିଗୁଲଜ ବେଜ୍ଜତ କରିଥାଏ । କଂଗ୍ରେସର ଅପ୍ରତିଦ୍ୱନ୍ଦୀ ନେତା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଇସ୍ତଫା ଦେଇଥିବା ସେତେବେଳର ଓଡ଼ିଶା ପ୍ରଧାନମନ୍ତ୍ରୀ ଶ୍ରୀ ବିଶ୍ୱନାଥ ଦାସ ମନ୍ତବ୍ୟ ଦିଅନ୍ତି ହସି ହସି, ମୋର ଚାକିରିରୁ ବହିଷ୍କାର ବ୍ୟାପାରରେ—

 

“ରାବଣ ମଲାବେଳେ ବିଚାରିଥିଲା ସବୁ କ୍ଷମତା ତ ହାତକୁ ତା’ର ଆସିଗଲା—ଜଳ ସ୍ଥଳ ଆକାଶ । ଇନ୍ଦ୍ର, ବରୁଣ, ଅଗ୍ନି ଆଦି ସବୁ ଦେବତା ଆଜ୍ଞାପ୍ରମାଣେ ଆସି ତ ସେବକ ରୂପେ ଖଟିଲେ-। ବାକି ରହିଥିଲା ଖାଲି ସ୍ଵର୍ଗକୁ ଗୋଟିଏ ନିଶୁଣି ତିଆରି କରିବା ।

 

ସେତିକି ହୋଇ ନ ପାରିବାରୁ ମଲାବେଳେ ତା’ର ଯେଉଁ ଅବଶୋଷ ହୁଏ, ମୋ ଚାକିରୀ ଚାଲିଯିବାରେ ସେମ୍‍ତି ଦୁଃଖ ସେ ଅନୁଭବ କରନ୍ତି । ମୁଁ କିନ୍ତୁ ସ୍ଵର୍ଗକୁ ଚଢ଼ିବା ନିଶୁଣି ବଦଳରେ ପାତାଳକୁ ଓହ୍ଲାଇବା ନିଶୁଣି ଖୋଜି ଲାଗିଲାଣି । ଏଣେ ମୋର ସରକାରୀ ଚାକିରୀ ଚାଲିଯିବାକୁ ତେଣେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ଭାଗୁ (ଭଗବତୀଚରଣ ପାଣିଗ୍ରାହୀ) ସାଥୀମାନଙ୍କ ସହ ଗିରଫ୍ ହୋଇ କଟକ ବନ୍ଦୀଶାଳାର ସେଲ୍‌ରେ କେଉଁ ଦିନୁ ଯାଇ ଅବସ୍ଥାନ କଲାଣି—ସେ ଖବରଟା ରଖିବାକୁ ସୁଦ୍ଧା ମୋର ତର ନଥାଏ ।

 

କୁଟୁମ୍ଭ-ପୋଷଣ ଉପାୟ ଖୋଜି ମୁଁ ଆକାଶକୁ ଚାହେଁ । ଏଇ ଭଳି ଅସୀମ ହତାଶା ଭିତରେ ମୋହର ଯେପରି ମନେ ହୁଏ, ଗୋଟାଏ ବିରାଟ ଅନ୍ଧକାର ଗହ୍ଵରକୁ ମୁଁ ନିକ୍ଷିପ୍ତ ହୋଇଛି—ଯେଉଁଠାରେ ନିଶ୍ୱାସ ମାରିବାକୁ ସୁଦ୍ଧା ପବନ ନାହିଁ । ସେହି ପରିସ୍ଥିତିରେ ଦିନେ ସକାଳେ ଏକ ବିଚିତ୍ର ଘଟଣା ଘଟେ । ଘଟଣାର ପ୍ରକୃତ ହେତୁ ଆଜି ସୁଦ୍ଧା ବୁଝିବାକୁ ମୁଁ ସମର୍ଥ ହୋଇପାରିଲି ନାହିଁ ।

 

ନିରାଟ ନାସ୍ତିକ୍ୟ ଓ ବସ୍ତୁବାଦର କଠୋର କୋଠରୀ ଭିତରେ ରହିଥିଲାବେଳେ ଏଇ ଦୃଶ୍ୟ ମୋ ସମକ୍ଷରେ ଉଦ୍ଭାସିତ ହୋଇ ଉଠେ-ଉଦ୍ଭାସିତ ହୋଇ ଉଠେ ଏକ ରକ୍ତାଭ ଆଲୋକ ରଶ୍ମି । ଆକାଶକୁ ଚାହିଁ ଦେଖେଁ ସୁନିର୍ମଳ ସୂର୍ଯ୍ୟକିରଣରେ ତାହା ସମୁଜ୍ଜଳ । କଳିପାରିଲି ନାହିଁ ଏହି ରକ୍ତାଭ ରଶ୍ମିର ହେତୁ ଅଥବା ଉଦ୍ଭବ ସ୍ଥଳ । ବସ୍ତୁବାଦର ନିଗଡ଼-ନିର୍ମମ କୋଠରୀ ଭିତରେ ହେତୁର ସନ୍ଧାନ କରୁଥିଲାବେଳେ ଏହି ଅହେତୁକ ଅଲୌକିକ ଘଟଣା ମୋତେ ଅଭିଭୂତ କରିପକାଏ । ଆହୁରି ବୋଧହୁଏ ଅନ୍ତର-ଲୋକରେ ମୋର ସଞ୍ଚାର କରେ ନୂତନ ପ୍ରେରଣା—ନୂତନ ଆତ୍ମବିଶ୍ୱାସ । ଯେଉଁ ବିଶ୍ୱାସକୁ ଛାଡ଼ି କୌଣସି ହେତୁବାଦୀ କିମ୍ବା ବସ୍ତୁବାଦୀ ପକ୍ଷରେ ପାଦେ ହେଲେ ଅଗ୍ରସର ହେବାର ଉପାୟ ନାହିଁ ।

 

ସେଇ ବିଶ୍ୱାସ ହିଁ ମୋହ ଭିତରେ ଆଣେ ଶକ୍ତି, ସାହସ ଆଉ ପ୍ରେରଣା ଜୀବନର ସବୁଗୁଡ଼ିକ ଲକ୍ଷଣ ଓ ସମସ୍ତ ସଂଜ୍ଞାଭିତରେ ସେଇ ବିଶ୍ୱାସର ପ୍ରତିଷ୍ଠା । ସୁନୀଳ ନିର୍ମଳ ଆକାଶର ଚତୁର୍ଦ୍ଦିଗ ନିରୀକ୍ଷଣ କରି ସୁଦ୍ଧା ଏଇ ରକ୍ତରଶ୍ମିର ହେତୁ ଖୋଜିପାଏ ନାହିଁ । ଚାହିଁ ରହେଁ କେବଳ ମୂଢ଼ବିହ୍ୱଳ ହୋଇ ସେଇ ଅହେତୁକ ଅଦ୍ଭୁତ ଆଲୁଅ ପ୍ରତି । ଆଜି ସୁଦ୍ଧା ମୋର ବାସ୍ତବବାଦୀ-ବିଶ୍ଳେଷଣ ଖୋଜି ପାଇନାହିଁ ସେଇ ଆଲୋକର ହେତୁ । ସେଇ କିବା ମୋର ମନ-ଅନ୍ଧାରକୁ ନିର୍ମଳ ସ୍ୱଚ୍ଛ କରିବାର ସଂକେତ--ଜୀବନ ଯାତ୍ରାର ପଥ ପ୍ରଦର୍ଶକ—“ତମସୋ ମାଂ ଜ୍ୟୋତିର୍ଗମୟ”-ପୁଣି ଜର୍ମାନ୍ କବି ଗ୍ୟେଟେଙ୍କର “light more light”— “ଆଲୋକ, ଅଧିକ ଆଲୋକ”— କବିଙ୍କ ଅନ୍ତିମ ଶଯ୍ୟାର ଉଚ୍ଚାରଣ ।

 

ସେଇ ଅବସରରେ ବନ୍ଧୁ ଶ୍ରୀ ଅଶୋକ ରାଓଙ୍କ ସହିତ ମଧ୍ୟେ ମଧ୍ୟେ ସାକ୍ଷାତ୍‍କାର ଘଟେ-। ଦିନେ ସେ ପ୍ରସ୍ତାବ କରନ୍ତି, ମୋର ଗୋଟିଏ ଟିଉସନ୍ ନିଯୁକ୍ତି ବିଷୟରେ । ଟିଉସନଟି ତାଙ୍କ ସମ୍ପର୍କୀୟ ଓଡ଼ିଶା ସ୍କୁଲ ବିଭାଗୀୟ ଅଧକ୍ଷ ସ୍ଵର୍ଗତ ଏସ୍, ରାଓଙ୍କ ଘରେ । ତାଙ୍କ ପୁଅ କନ୍‍ଭେଣ୍ଟ୍ ସ୍କୁଲରେ ପଢ଼ିଥିବାରୁ ଓଡ଼ିଆ ଶିଖି ପାରି ନଥିଲେ । ମୁଁ କେବଳ ଓଡ଼ିଆ ପଢ଼ାଇବାର ଦାୟିତ୍ୱ ନିଏଁ ! ମାସିକ ବେତନ ଟ୧୬୧। ପିଲାଦିନୁଁ ଶିକ୍ଷକ ହେବାକୁ ଯେଉଁ ଅହେତୁକ ବିତୃଷ୍ଣା ରହି ଆସିଥିଲା, ଏବେ ତହିଁରେ “ବଳାଦିବ ନିୟୋଜିତ ହୁଏଁ, କୁରୁକ୍ଷେତ୍ରରେ ଅର୍ଜୁନ ଧନୁଶର ତୋଳିଧରିଲା ଭଳି ଅବା ।

 

ଆଉ ଗୋଟିଏ କାମ ମଧ୍ୟ ଦୈବାତ୍ ଯୁଟିଯାଏ ମୋର । କାମଟି ହେଲା ଦୈନିକ “ଆଶା” ପତ୍ରିକାର ସମ୍ପାଦକୀୟ ଲେଖିବା । ଆହୂତ ହୋଇ ଦିନେ ‘ଆଶା’ର ସମ୍ପାଦକ ସ୍ୱର୍ଗତ ଶ୍ରଦ୍ଧେୟ ଶଶିଭୁଷଣ ରଥଙ୍କ ସହିତ ସାକ୍ଷାତ୍ କରେ ମୁଁ । ଶଶୀବାବୁଙ୍କ ସବୁତ ମୋର ପରିଚୟ ଘଟିଥିଲା ସର୍ବପ୍ରଥମେ ତ୍ରିଶଦଶକରେ ଅନୁଷ୍ଠିତ ଇଚ୍ଛାପୁର ନିଖିଳ ଉତ୍କଳ କବି ସମ୍ମିଳନୀରେ । ମୋତେ କାହିଁକି ସହାନୁଭୁତିଶୀଳ ହୋଇ ଡାକ ପଠାନ୍ତି, ବୁଝିପାରେ ନାହିଁ । ତାଙ୍କୁ ତ କଂଗ୍ରେସ-ରାଜନୀତିରୁ ଅଲଗା କରି ଦିଆଯାଇଥାଏ । ଆଉ ମୋର ମତବାଦ ସମ୍ପର୍କରେ ନିଶ୍ଚୟ ସେ ଜଣେ ବିଶିଷ୍ଟ ସାମ୍ବାଦିକ ଓ ରାଜନୀତିଜ୍ଞ ଭାବରେ ଅବହିତ ଥିବେ । ସେତେବେଳେ “ଆଶା” ପ୍ରେସ କଟକକୁ ଉଠିଆସିଥାଏ କାଫଲାଫାଣ୍ଡି ପାଖ ଖଲିକୋଟ୍ କୋଠିକୁ । ଇଂରାଜୀ ନିଉଓଡ଼ିଶା” ଏବଂ ଓଡ଼ିଆ “ଆଶା” ଦୁଇଟି ଦୈନିକ ବାହାରୁଥାଏ ସେହିଠାରୁ । ଶ୍ରଦ୍ଧେୟ ଶଶିଭୁଷଣ ରଥ ମୋତେ ସାଦର ଅଭ୍ୟର୍ଥନ ଜଣାଇ ଦୈନିକ “ଆଶା”ର ସମ୍ପାଦକୀୟ ଲେଖିବାକୁ ନିର୍ଦ୍ଦେଶ ଦିଅନ୍ତି, ମାସିକବେତନ ଟ୪୦୧ । ସେତେବେଳେ ଟିଉସନ୍ ଦରମା ସମେତ ମାସିକ ଟ୫୬୧ରେ କଟକ ବସାଖର୍ଚ୍ଚ ସୁରଖୁରୁରେ ଚାଲିଗଲା । ମୋହ ସଙ୍ଗେ ଅଳ୍ପ କଥୋପକଥନ ଭିତରେ—ଶଶିବାବୁଙ୍କ ମହାନୁଭବତା ଓ ମନୁଷ୍ୟତ୍ୱର ଉଦାର ପରିଚୟ କାହାରଠାରୁ ଆଜିତ ଉଣା ନୁହେ କଦାପି ।

 

ଅବସ୍ଥାଟା ବୋଧ ହୁଏ ବେଶି କାଳ ସମାନ ଗତିରେ ଚାଲିପାରିଲା ନାହିଁ । ଟିକି ଚଢ଼େଇ ତା’ ମା କୁ କହିଲାଭଳି – ମା, ଲୋ ମା ! ମୁଁ ଯେଉଁ ଡାଳରେ ବସୁଛି ସେ ଡାଳଟା ଭାଙ୍ଗି ପଡ଼ୁଛି । ମା ମଧ୍ୟ ତା’ର ଠିକ୍ ଜବାବ ଦେଲା ଭଳି—ହଁ ରେ ପୁଅ ତୋ ଟାଙ୍କ ଲାଞ୍ଜରୁ ଦିଶୁଛି ।

 

ଜୀବନବ୍ୟାପୀ ଏଇଭଳି ଅସ୍ଥାୟୀ ଅବସ୍ଥା ଭିତରେ ଗତି କରିବା ମୋର ଯେମ‌୍‌ତି ରୀତି । ତେଣୁ ମନରେ ଏକପ୍ରକାର ଦମ୍ଭ, ସାହସ ଓ ବିଶ୍ୱାସ କିପରି ଆସିଯାଇଛି ଯେ, ଆଶାବାଦୀ ମଣିଷର ଗତିପଥ ଉତ୍‍ଥାନ ପତନ ଭିତରେ ହିଁ ସୁନିର୍ଦ୍ଦିଷ୍ଟ । ଆଉ କେବଳ ନୈରାଶ୍ୟବାଦୀ ବୁଡ଼ିମଲା ଲୋକର ଗୋଡ଼ ତଳକୁ ତଳକୁ ଭଳି- “ଉଦ୍ଧରେ ଦାତ୍ମନାତ୍ମାନଂ” ନାତ୍ମାନମବସାଦୟେତ୍—ନିଜେ ହିଁ ନିଜର ଉଦ୍ଧାରକର୍ତ୍ତା ଆଉ କେହି ହୋଇ ନପାରେ । ପ୍ରାଇଭେଟ ଟିଉସନ ଓ “ଆଶା” ସମ୍ପାଦକୀୟ କାମ ଯେ ଅସ୍ଥାୟୀ, ପୁଣି ଯେକୌଣସି ମୁହୂର୍ତ୍ତରେ ତାହା ବନ୍ଦ ହୋଇଯାଇପାରେ । ସେଥିଲାଗି ବିବ୍ରତ ହେବାକୁ ମୋର ଅବସର ମଧ୍ୟ ନଥିଲା । “ଢ଼ୋକେ ପିଇ ଦଣ୍ଡେ ଜୀଇ” ମତ ଥିଲା ମୋର ଆତ୍ମବିଶ୍ୱାସର ଶ୍ରେଷ୍ଠ ଉପାଦାନ ।

 

ସବୁର୍‌କା ଝାଡ଼ ମେ ମେଓଆ ଫଲ୍‌ତା

 

ସରକାରୀ ଛାପାଖାନାରୁ ସେତେବେଳର କଂଗ୍ରେସ ସରକାରଙ୍କ ଦ୍ୱାରା ନିଯୁକ୍ତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରଚାରକ ନିଯୁକ୍ତ ହେବା ସମ୍ମାନପାଇ ଶେଷରେ ଯେ ଏକାବେଳେ “ନ ନୀରଂ ନ ତୀରଂ” ଅବସ୍ଥାରେ ମୁଁ ରସାତଳେ ଯାଇପଡ଼େଁ—ମନେ ହୁଏ ସେହି ଅବସ୍ଥାରୁ କେବେହେଲେ ଯେମ‌୍‌ତି ମୋର ଉଦ୍ଧାର ଆଉ ନାହିଁ ।

 

ସରକାରୀ ଛାପାଖାନା ସମ୍ପର୍କରେ ଯେଉଁ ବେସରକାରୀ ଅନୁସନ୍ଧାନ କମିଟି ନିଯୁକ୍ତ ହୁଏ, ତାହାର ଚେୟାରମ୍ୟାନ ଥିଲେ ଏକଦା “ମୁକୁର” ପତ୍ରିକାର ସମ୍ପାଦକ ସ୍ୱର୍ଗତ ବ୍ରଜସୁନ୍ଦର ଦାସ । ସ୍କୁଲଛାତ୍ର ଥିବା ସମୟରୁ ‘ମୁକୁର’ରେ ପ୍ରକାଶ ଲାଗି ତାଙ୍କ ନିକଟକୁ ପ୍ରହ୍ଲାଦ ଚରିତ୍ର ଉପରେ “ଭକ୍ତି ବଳ” ଶୀର୍ଷକ କବିତା ପଠାଇ ପତ୍ରାଳାପ କରିଥାଏଁ ମାତ୍ର ।

 

ଏବେ ପୁଣି କଟକ ଅବସ୍ଥାନ ସମୟରେ ଜାଚକ୍‍ଲେନର ପଡ଼ୋଶୀ ତାଙ୍କ ସଡ଼ୁ ଲାଲମୋହନ ବାବୁଙ୍କ ଜରିଆରେ ପାରିବାରିକ ପରିଚୟ ମଧ୍ୟ ପ୍ରତିଷ୍ଠା ହୋଇଥାଏ । ବେକାର ଅବସ୍ଥାରେ ବର୍ତ୍ତମାନ ଆହୁରି କେତେ ସ୍ଥାନ ଅସ୍ଥାନ ବନ୍ଧୁ ଅବନ୍ଧୁଙ୍କର ସମ୍ପର୍କରେ ଆସୁଥିଲି କିନ୍ତୁ ବ୍ରଜବାବୁଙ୍କର ଅହେତୁକ ସ୍ନେହ, ସଦାଶୟତା ଓ ମଧୁର ବ୍ୟବହାର ଛାଏଁ ଯେପରି ମୋତେ ତାଙ୍କ ପାଖକୁ ଓଟାରି ନିଏ ।

 

ବ୍ରଜବାବୁଙ୍କ ସମ୍ପାଦିତ ସୁବିଖ୍ୟାତ “ମୁକୁର” ପତ୍ରିକାର ପ୍ରକାଶନ ସେତେବେଳକୁ ଅବଶ୍ୟ ବନ୍ଦ ହୋଇଯାଇଥାଏ; କିନ୍ତୁ “ମୁକୁର” ଛାପାଖାନାର ମୁଦ୍ରଣ କାର୍ଯ୍ୟ କେତେକ ପରିମାଣରେ ଚାଲୁ ରହିଥାଏ, ବିଶେଷ ଭାବରେ “ମୁକୁର” ପ୍ରେସ୍ ଫାଉଣ୍ଡରୀ ଓଡ଼ିଶାବ୍ୟାପୀ ଯେଉଁ ସୁନାମ ଅର୍ଜନ କରିଥିଲା, ତାହା ରହିଥାଏ ପ୍ରାୟ ଅକ୍ଷୁର୍ଣ୍ଣ । ଓଡ଼ିଶାର ମୁଦ୍ରଣ କର୍ମ ଇତିହାସରେ ଲିପିନିର୍ମାଣରେ ବ୍ରଜବାବୁଙ୍କର କଳାନୈପୁଣ୍ୟର ଅବିସ୍ମରଣୀୟ ହୋଇ ରହିବ ।

 

ସାହିତ୍ୟ ସମ୍ପର୍କରେ ତାଙ୍କର ଆଦର୍ଶ ନିଶ୍ଚୟ ଅତି ଉଚ୍ଚକୋଟୀର ଥିଲା । ଆଜି ମଧ୍ୟ ଇଂରାଜୀ ସାହିତ୍ୟ ଓ କବିତା ଉପରେ ତାଙ୍କର କେତେକ ମତମତ ମୁଁ ବିସ୍ମୃତ ହୋଇପାରିନାହିଁ--ସେଲି, ବାଇରନ, କିଟ୍‍ସ ଏବଂ, ୱାଡ଼ସ୍‌ୱାର୍ଥ ପ୍ରଭୃତି ଇଂରେଜ କବିମାନଙ୍କ ସମ୍ପର୍କରେ ତାଙ୍କ ଆଲୋଚନା ଓ ଗବେଷଣା ଯେତିକି ଗଭୀର, ସେତିକି ପାଣ୍ଡିତ୍ୟ ଥିଲା । ଟେନିସନ୍‌ଙ୍କ ଇଂରାଜିକୁ ସେ ପରିମାର୍ଜିତ ନିପୁଣ ରଚନା ଶୈଳୀ (Chiselled writing) ବୋଲି ବିଚାରୁ ଥିଲେ ।

 

କୌଣସି ସାହିତ୍ୟ–ଶିଳ୍ପ ବାରମ୍ବାର ସଂଶୋଧନ, ପରିବଦ୍ଧନ, ପରିମାର୍ଜନ ବା ସଙ୍କୋଚନ ବିନା ଯେ ପୂର୍ଣ୍ଣତା ଲାଭ କରିପାରେ—ତାହା ସେ ବିଶ୍ୱାସ କରୁନଥିଲେ । ପୁଣି ଏହି ପ୍ରକ୍ରିୟା ଭିତରେ ଗତିକରି ଯୁଗଯୁଗ ଧରି ଯେଉଁ ସାହିତ୍ୟ ତିଷ୍ଠି ରହେ, ତାହା ହିଁ ଚିରନ୍ତନ, ଯେ କୌଣସି ସାହିତ୍ୟସୃଷ୍ଟିକୁ ଜଣେ ମାତ୍ର ସ୍ରଷ୍ଟା କିମ୍ବା ରଚୟିତାଙ୍କର କୃତୀ ବୋଲି ବିଚାର କରିବା ଏହି କାରଣରୁ ହିଁ ଭ୍ରମ ପୂର୍ଣ୍ଣ । ଚିରନ୍ତନ ସୃଷ୍ଟି ବୋଲି ଯାହାକୁ ଆମେ କହୁଁ, ତାହାର ପରିମାର୍ଜନ, ପରିବର୍ତ୍ତନ କିମ୍ବା ସଙ୍କୋଚନ, ପ୍ରସାରଣ କର୍ମରେ । ଶତସହସ୍ର ପାଠକ ପାଠିକାଙ୍କର ଦାନକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ, ସେହି କାରଣରୁ କଳା ସାହିତ୍ୟର ସୃଷ୍ଟିପ୍ରତି ଇଂରାଜୀରେ ଏକ ପ୍ରବଚନ ରହିଛି –

 

“Art is long and Time is fleeting”— କଳାର ପରିସର ଅସୀମ, ଅଥଚ ସମୟ ବହିଚାଲେ ଦ୍ରୁତବେଗରେ । କୌଣସି ଜୀବନକାଳ ଭିତରେ ପରିକଳ୍ପିତ କଳା ସୃଷ୍ଟି ସମ୍ପୂର୍ଣ୍ଣ ହେବା ସମ୍ଭବପର ନୁହେ ।

 

ବ୍ରଜବାବୁଙ୍କ ସହିତ କଥା ରହସ୍ୟରେ ମୁଁ ପାସୋରି ପକାଏଁ ଜାଣି ଜାଣି ମୋର ଅସଲ ଉଦ୍ଦେଶ୍ୟଟି, ଅଥବା ତାଙ୍କ କଥା ମଝିରେ ସେମ‌୍‌ତି କିଛି ଫାଙ୍କ୍ ଖୋଜି ପାଏଁ ନାହିଁ ନିଜ କଥା କହିବାକୁ । ତଥାପି କେବେ କେଉଁଠି ଟିକିଏ ଫାଙ୍କ ଉଣ୍ଡି ନିଜ କଥା ଉଠାଇବାକୁ ଗଲେ—ସରକାରୀ ଛାପାଖାନାରୁ ମୋର ଚାକିରୀ ଚାଲିଯିବା ଘଟଣା ଉପରେ ସେ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ ।

 

କଥାବାର୍ତ୍ତା ମଝିରେ କେବେ କେବେ ଆସି ପହଞ୍ଚିଯାନ୍ତି ସ୍ୱର୍ଗତ ଶ୍ରଦ୍ଧେୟ ଲାଲ୍ ମୋହନ ପଟ୍ଟନାୟକ । ସେ ଥିଲେ ବ୍ରଜବାବୁଙ୍କର ସାନସଢ଼ୁ; ତେଣୁ ପରିହାସର ପାତ୍ର । ଆହୁରି ମୁଁ ଲକ୍ଷ୍ୟକରେଁ ପରିହାସଟା ବ୍ରଜବାବୁଙ୍କର ଲାଲ ମୋହନ ବାବୁଙ୍କ ପ୍ରାଣଭିତରେ ଯେମ‌୍‌ତି ସିଧାସଳଖ ଆଘାତ ହାଣେ ।

 

ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ଲାଲ ମୋହନ ବାବୁଙ୍କ ପ୍ରତି ତାଙ୍କ ପରିହାସ ଅନେକ ସମୟରେ ମୋତେ ପ୍ରାୟ ସୁଖଲାଗେ ନାହିଁ । ତେଣୁ ବ୍ରଜବାବୁଙ୍କ ହାସ ପରିହାସ ସହିତ ଯୋଗଦେବାକୁ ସେଠାରେ ଦ୍ଵିତୀୟ ବ୍ୟକ୍ତି କେହି ନଥାନ୍ତି । ଲାଲ ମୋହନ ବାବୁଙ୍କ ପ୍ରକୃତି ଏତେ ବେଶି ସରଳ, ଗମ୍ଭୀର ଓ ବାଳସୁଲଭ ସହଜ ତାଙ୍କ ପ୍ରତି ମଧ୍ୟ କୌଣସି ପରିହାସ ଲାଗୁ ହୋଇପାରେ ନାହିଁ, ଏକାବେଳେ ତାହା ହୋଇପଡ଼େ ଅବା ବେଖାପ ।

 

ମନେହୁଏ ଯେପରି ମୋର, ଲାଲ୍‍ମୋହନ ବାବୁ ଥିଲେ ଅତି ଗଭୀର ଭାବରେ ଭାବପ୍ରବଣ ଓ ଖ୍ରୀଷ୍ଟପ୍ରେମୀ ମଣିଷ । ଯେକୌଣସି କୃଷ୍ଣ ପ୍ରେମରେ ଅଭିଭୂତ ଓ ତନ୍ମୟ ପରମ ବୈଷ୍ଣବଙ୍କ ସହିତ ଲାଲ୍ ମୋହନ ବାବୁଙ୍କ ଚରିତ୍ର ତୁଳନାଯୋଗ୍ୟ ବୋଲି ମଝିରେ ମଝିରେ ମୋର ଧାରଣା ଜନ୍ମେ । ସେ ଯେବେ ଆମେରିକାରେ ଜନ୍ମଲାଭ କରିଥାନ୍ତେ, ଆଜି ହୁଏତ ମୁଣ୍ଡିତ ମସ୍ତକ ହୋଇ ଗେରୁଆ ଲୁଗା ଓ ଖୋଳ କରତାଳରେ ଉନ୍ମତ୍ତହୋଇ ନାଚନ୍ତେ ।

 

ବ୍ରଜବାବୁଙ୍କର ସବୁ ପରିହାସ ସବୁ ଶ୍ଲେଷ ଓ କଟାକ୍ଷ ବାଣ ଲାଲ୍ ମୋହନ ବାବୁଙ୍କର ଟିକିଏ ମାତ୍ର ସରଳ ମଧୁର ମୃଦୁହାସ୍ୟ ପାଖରେ ପାଣିଫୋଟକା ଭଳି ବାଜି ମିଳାଇଯାଏ ।

 

ପ୍ରାୟ ପାଞ୍ଚଟି ବର୍ଷ କଟକ ଜାଚକ ଲେନ୍‍ରେ ଲାଲ୍ ମୋହନ ବାବୁଙ୍କ ଆଗ ଦୁଆରି ପଡ଼ୋଶୀ ରୂପେ ପାରିବାରିକ ଅତି ନିକଟ ସମ୍ପର୍କରେ ମୁଁ ଆସେଁ, ଖ୍ରୀଷ୍ଟଧର୍ମକୁ ସେ କୌଣସି ପ୍ରଚାରକ ପ୍ରଭାବରେ ଯେ ଗ୍ରହଣ କରି ନଥିଲେ, ସେଇ କଥା ଉଲ୍ଲେଖ କରି ଖଣ୍ଡିଏ ଛୋଟ ଇଂରାଜୀ ବହି ତାଙ୍କର ପ୍ରକାଶିତ ହୁଏ । ସେ ବହିଟିରେ ସ୍ଵୟଂ ଯିଶୁଖ୍ରୀଷ୍ଟ କିପରି ଆସି ତାଙ୍କ ସମକ୍ଷରେ ଉଭା ହୁଅନ୍ତି, ତାହା ଅତି ସୂକ୍ଷ୍ମ ଭାବରେ ବର୍ଣ୍ଣିତ ।

 

ପ୍ରତ୍ୟହ ପୁଣି ଯେ କୌଣସି ସମୟରେ ଯେ କୌଣସି କାର୍ଯ୍ୟଲାଗି ଏକ ମାତ୍ର ଉପାୟ ଥିଲା ତାଙ୍କର ପ୍ରାର୍ଥନା ଏହି ପ୍ରାର୍ଥନା ଉପରେ ସେତେବେଳେ ଅବଶ୍ୟ ବିଶ୍ଵାସ ମୋର ଏତେ ବେଶି ନଥିଲା ବରଂ ସନ୍ଦେହ ଥିଲା ବେଶୀ । ଯେ କୌଣସି ଦୁଃଖ ଦୁର୍ବିପାକ ବିପଦ କେବଳ ଯେ ପ୍ରାର୍ଥନା ଦ୍ୱାରା ଉପଶମ ହୋଇପାରେ, ସେ ଭଳି ଦୃଢ଼ତା କେବଳ ଲାଲ୍ ମୋହନ ବାବୁଙ୍କ ଭଳି ଏକନିଷ୍ଠ ସାଧକ ରହିପାରେ ।

 

ମୋ ପରିବାରରେ ଜନ୍ମିଥିବା ବଡ଼ଝିଅଟିର ଯେତେବେଳେ ସ୍ଵାସ୍ଥ୍ୟରେ କିଛି ବ୍ୟତିକ୍ରମ ଘଟେ—ତାହାପୁର୍ବରୁ ପରେ ପରେ ଦୁଇଟି ନବଜାତ ଶିଶୁଙ୍କର ପ୍ରାଣହାନି ଘଟିଥିବାରୁ ଆମେ ବ୍ୟସ୍ତ ବିବ୍ରତ ବିକଳ ଅଧୀର ହୋଇପଡ଼ୁଁ ଏକାଦିକ୍ରମେ ।

 

ସେତିକିବେଳେ ହିଁ ମିଳିଥାଏ, ଲାଲ୍ ମୋହନବାବୁଙ୍କଠାରୁ କଲ୍ୟାଣମୟ ସାନ୍ତ୍ୱନାର ଅନାବିଳ ପ୍ରେମସିକ୍ତ ବାଣୀ —“କୌଣସି ଚିନ୍ତା କରିବେ ନାହିଁ ପ୍ରାର୍ଥନାଦ୍ୱାରା ହିଁ ସବୁ ଉପଶମ ହୋଇଯିବ । ପ୍ରାର୍ଥନା ମଧ୍ୟ କରନ୍ତି ସେ—ଏହିପରି ଯେ କୌଣସି ଦୁଃସ୍ଥ ହୃଦୟରେ ସାନ୍ତ୍ୱନା ସଞ୍ଚାର ଲାଗି । ତାହା ମୋତେ ଅଦ୍ଭୁତ ମନେ ହୁଏ ।

 

ସରକାରୀ ଛାପାଖାନାର ଚାକିରୀ ପାଇବାରେ ଯେପରି ତାଙ୍କର ସହାୟତା ମୁଁ ଲାଭକରେଁ, ସେହିପରି ତାହା ଚାଲିଯିବା ପରେ ମୁଁ ହାହତୋସ୍ମି ହୋଇପଡ଼େଁ । କାହିଁ ହେଲେ ଆଉ ଆଶା ଭରସାର ଟିକିଏ ହେଲେ କ୍ଷୀଣ ରଶ୍ମି ଦେଖାଯାଏ ନାହିଁ ମୋତେ । ବିଶ୍ୱାସ ତୁଟିଯାଏ, ଲାଲ୍ ମୋହନ ବାବୁଙ୍କ ପରାମର୍ଶ ଅନୁଯାୟୀ ସବୁପ୍ରକାର ପୂଜା ପ୍ରାର୍ଥନାରୁ ।

 

ସେତିକିବେଳେ ବ୍ରଜବାବୁଙ୍କଠାରୁ ଗୋଟିଏ ଉପଦେଶ ଶୁଣେଁ— “କାଳିନ୍ଦୀ, କିଛି ହେଲେ ଚିନ୍ତା କରନାହିଁ, ସବୁ ଠିକ୍ ହୋଇଯିବ । ଗୋଟାଏ କଥା ସବୁବେଳେ ମନେରଖ— ସବୁର୍‌କା ଝାଡ଼୍‍ମେଁ ମେୱା ଫଲ୍‌ତା ।”

 

ବ୍ରଜବାବୁଙ୍କ ମୁହଁରୁ ଏହି ହିନ୍ଦୀ ପ୍ରବଚନ ଶୁଣି ତାହାର ମର୍ମ ଦୁଝିବା ସେତେବେଳେ ସହଜ ହୁଏ ନାହିଁ ମୋହ ପକ୍ଷରେ । କାରଣ କିଛି ବୁଝିବା ଭଳି ମନର ଅବସ୍ଥା ମୋର ପ୍ରାୟ ଲୋପ ପାଇଯାଇଥାଏ ଏକାବେଳେ । ପରେ ଏଇ କଥାଟାକୁ ଅବଶ୍ୟ ବୁଝିପାରେଁ, କାରଣ ପହିଲେ ବାରମ୍ବାର ବ୍ରଜବାବୁଙ୍କ ମୁହଁରୁ ଶୁଣି ମଧ୍ୟ ତାହା ବୁଝିବାକୁ ମୁଁ ଅକ୍ଷମ ହୁଏଁ । ଦିନେ ବୋଧହୁଏ ମୋର ହିନ୍ଦୀଭାଷାରେ ଅଜ୍ଞତା ବ୍ରଜବାବୁ ନିଜେ ଅନୁଭବ କରି ପାରିଥିଲେ ।

 

ସେଥିଲାଗି ପରା ସେ ସରଳ ଭାଷାରେ ମୋତେ ତାହାର ଅର୍ଥ ବୁଝାଇ ଦିଅନ୍ତି— ଧୈର୍ଯ୍ୟଠାରୁ ବଳି ଶକ୍ତିଶାଳୀ ବସ୍ତୁ ଆଉ କିଛି ନାହିଁ, ସେଇ ଧୈର୍ଯ୍ୟର ଗଛଡ଼ାଳରେ ହିଁ ମେୱା, ଅର୍ଥାତ୍ ମିଠା ଫଳ ଫଳିଥାଏ ।

 

ଲାଲ୍ ମୋହନବାବୁଙ୍କ ସମୂହ ଆତ୍ମସମର୍ପଣ ଓ ପ୍ରାର୍ଥନା ଭିତରେ ମୋର ଯୁକ୍ତିତର୍କରେ ଜଡ଼ିତ ସନ୍ଦେହୀ ମନ ପୂର୍ଣ୍ଣ ରୂପେ ଯେତେବେଳେ ନିଜକୁ ଉତ୍ସର୍ଗ କରିପାରେ ନାହିଁ, ଠିକ୍ ସେତିକିବେଳେ ବୋଧହୁଏ ବ୍ରଜବାବୁଙ୍କର—“ସବୁର୍‌କା ଝାଡ଼ ମେୱା ଫଲ୍‌ତା” କଥାଟା ମନଭିତରେ ଶକ୍ତି, ସାହସ, ଆଶା, ବିଶ୍ୱାସ ସଂଚାର କରେ । ତାଙ୍କର ସେଇ ହସହସ ମୁହଁ,— ପାନଖାଇ ଯାହାର ଉଜ୍ଜଳ ଗୌରବର୍ଣ୍ଣ ଆଭା ରକ୍ତ ବର୍ଣ୍ଣରେ ରଞ୍ଜିତ ହୋଇ ଉଠିଥାଏ— ହଁ, ସେଇ ମୁହଁଟିତ ଆଜି ବି ଅବିକଳ ଭାସିଉଠେ ମୋର ସାମ୍‍ନାରେ ! ଆଉ ସେଇ ମୁହଁର କଥାପଦକ—ସବୁର୍‍କା ଝାଡ଼୍‍ମେଁ ମେୱା ଫଲ୍‍ତା !

 

Unknown

ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପ୍ରଚାରକ

 

ଥରେ କଟକ ଷ୍ଟୁଡେଣ୍ଟ୍‍ସ ଷ୍ଟୋରର ବାର୍ଷିକ ଉତ୍ସବରେ “ସମାଜ” ସମ୍ପାଦକ ଶ୍ରୀ ରାଧାନାଥ ରଥ ମୋତେ ଏକାନ୍ତରେ ପଚାରନ୍ତି ଯେ ପୂର୍ବାଞ୍ଚଳ ଦେଶୀୟ ରାଜାମାନଙ୍କର ଏକ ପ୍ରଚାର ସଂଗଠନ କରାଯାଇଛି— Eastern States’ Publicity Bureau ନାମରେ । ଏହି ସଂଘରେ ବଙ୍ଗଳାର ତ୍ରିପୁରା, କୁଚବିହାର ଆଦି ଦେଶୀୟ ରାଜ୍ୟ ଓ ଉତ୍ତର ପ୍ରଦେଶର ବସ୍ତର ପ୍ରଭୃତି ଦେଶୀୟରାଜ୍ୟ ଓଡ଼ିଶାର ଦେଶୀୟ ରାଜ୍ୟମାନଙ୍କ ସହିତ ଅନ୍ତର୍ଭୁକ୍ତ । ବିହାର ଓ ମଧ୍ୟପ୍ରଦେଶର ରାଜ୍ୟମାନଙ୍କ ପକ୍ଷରୁ ‘ହିତବାଦ’ ପତ୍ରିକାର ସମ୍ପାଦନାରେ କାର୍ଯ୍ୟକରୁଥିବା ଶ୍ରୀ ଭରଦ୍ୱାଜ, ଓଡ଼ିଶା ରାଜ୍ୟମାନଙ୍କ ପକ୍ଷରୁ ମୁଁ ଓ ବଙ୍ଗଳା, ରାଜ୍ୟମାନଙ୍କ ପାଇଁ ‘ଅମୃତବଜାର ପତ୍ରିକା’ର ସହସମ୍ପାଦକ ପ୍ରଗତିବାଦୀ ଶ୍ରୀ ମୃଣାଳକାନ୍ତି ବୋଷ ନିଯୁକ୍ତ ହେଉଁ । କଲିକତାରେ ହିଁ ଅବସ୍ଥିତ ହୁଏ ଏହି ସଂସ୍ଥାର କେନ୍ଦ୍ରକାର୍ଯ୍ୟାଳୟ ସ୍ଵର୍ଗତ ମୃଣାଳବାବୁଙ୍କ ତତ୍ତ୍ୱାବଧାନରେ ।

 

ରାଧାନାଥବାବୁଙ୍କ ପ୍ରସ୍ତାବରେ ସମ୍ମତ ହୋଇ ମୁଁ ଏହି ଦାୟିତ୍ୱଟିକୁ ଗ୍ରହଣ କରେଁ । ଓଡ଼ିଶାର ଗାଁଗହଳରେ ସମବାୟ ବିଭାଗରେ କାର୍ଯ୍ୟକରି ଚାଷୀମୂଲିଆଙ୍କ ଜୀବନର ଅତି ନିକଟବର୍ତ୍ତୀ ହେବାର ଯେମ‌୍‌ତି ସୁଯୋଗ ପାଇଥିଲି, ସେହିପରି ଉତ୍କଳୀୟ କୌଳିନ୍ୟର ଶ୍ରେଷ୍ଠ ପ୍ରତୀକ ରାଜନ୍ୟବର୍ଗ ଓ ସେହିମାନଙ୍କ ଶାସନାଧୀନରେ ରହିଥିବା ପ୍ରଜାକୁଳ ସମ୍ପର୍କରେ କିଞ୍ଚିତ ଆସିବା ସୁଯୋଗ ମୋର ଯୁଟିଯାଏ । ଏହା ଫଳରେ ସମୁଦାୟ ଓଡ଼ିଶାର ବିଭିନ୍ନ ସ୍ତରରେ ଜୀବନ ଯାପନ କରୁଥିବା ଉପର-ତଳ ମଣିଷମାନଙ୍କର ନିକଟବର୍ତ୍ତୀ ମୁଁ ହୋଇପଡ଼େଁ ।

 

ଦେଶୀୟ ରାଜ୍ୟରେ ମୋର କାର୍ଯ୍ୟ କରିବା ଘଟଣା ଅବଶ୍ୟ ଅନେକ ବନ୍ଧୁଙ୍କୁ ବିସ୍ମିତ କରେ—ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ଉଲୁଖା ଦିଆଗଲା ଭଳି । ପୁଣି ଦେଶୀୟ ରାଜ୍ୟମାନଙ୍କରେ ଯେଉଁ ରାଜମହାରାଜାଙ୍କର ମୁଁ ନିକଟବର୍ତ୍ତୀ ହୁଏଁ, ସେମାନେ ମଧ୍ୟ ମୋତେ ପୂରାପୂରି ବିଶ୍ୱାସ କରିପାରନ୍ତି ନାହିଁ । ତାଙ୍କ ଅସଲ ଗୋପନୀୟ ଆଲୋଚନାଗୁଡ଼ିକରେ ମୋର ପ୍ରବେଶ ନିଷେଧ ।

 

ଏହିପରି ଅବିଶ୍ୱାସୀ ମୁଁ ହୋଇ ପଡ଼ିଥିଲି କଟକରେ ସରକାରୀ ପ୍ରେସରେ ହେଡ଼୍ ରିଡ଼ରକାମ କରୁଥିଲାବେଳେ ଏଥିପୂର୍ବରୁ । ହେଡ଼୍‍ରିଡ଼ରମାନେ ସାଧାରଣତଃ ସରକାରଙ୍କର ଗୋପନୀୟ (confidential) କାଗଜପତ୍ରର ମୁଦ୍ରଣ ଇତ୍ୟାଦିର ଦାୟିତ୍ୱ ନେଇଥାନ୍ତି । ମୋତେ କିନ୍ତୁ ସେ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା । ତାହାର କାରଣ ବୁଝିବାକୁ ମୋ ମନ ଆଦୌ ପ୍ରସ୍ତୁତ ହୁଏ ନାହିଁ ଯଦି ବା ସବୁବେଳେ ମୁଁ ଅସ୍ୱସ୍ତି ବୋଧକରେଁ ।

 

ଆଠମଲ୍ଲିକ, ଢେଙ୍କାନାଳ, ବାମଣ୍ଡା, ବଡ଼ମ୍ବା, ନରସିଂହପୁର, ହିନ୍ଦୋଳ, ବୌଦ, ଦଶପଲା, ପାଟଣା, ରେଢ଼ାଖୋଲ, କଳାହାଣ୍ଡି, ଷଢ଼େଇକଳା, ଖରସୁଆଁ, ତାଳଚେର, ନୟାଗଡ଼, ଆଠଗଡ଼ ପ୍ରଭୃତି ପ୍ରତ୍ୟେକ ରାଜ୍ୟରେ ଅକୁଣ୍ଠ ଆତିଥେୟତା ଲାଭ କରେଁ, ସଦାଳାପ କରେଁ; ରାଜାମହାରାଜାମାନଙ୍କ ସହିତ—ଉତ୍କଳର ପ୍ରାଚୀନ ଐତିହ୍ୟର ପ୍ରତୀକରୂପେ ପ୍ରତ୍ୟେକ ରାଜାମହାରାଜାଙ୍କର ଭଦ୍ରତା ଓ ମଧୁର ବ୍ୟବହାରରେ ମୁଗ୍‌ଧ ହୁଏ; ଅଥଚ କି କାରଣରୁ ଯେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ଵାସ ଭାଜନ ହୋଇପାରେ ନାହିଁ ଓ ତାହାଙ୍କ ଗୋପନୀୟ ଆଲୋଚନାରୁ ମୋତେ ଦୂରେଇ ରହିବାକୁ ହୁଏ, ସେଥିଲାଗି ମନଭିତରେ ଅସ୍ୱସ୍ତି ବୋଧକରେଁ ।

 

ଆହୁରି ଅସ୍ୱସ୍ତି ବୋଧକରେଁ ବନ୍ଧୁମାନଙ୍କର ବିସ୍ମୟ ହେତୁ । ମୋହ ପକ୍ଷରେ ଗଡ଼ଜାତ ଶାସନ ସହିତ ଜଡ଼ିତ ହୋଇ ହାତ ମିଳାଇବା ଘଟଣାଟା ବନ୍ଧୁମାନଙ୍କୁ ବିସ୍ମିତ କରିଥାଏ ନିଶ୍ଚୟ । ପ୍ରଥମେ ଯେତେବେଳେ ଆଠମଲ୍ଲିକ ରାଜ୍ୟକୁ ଯାଏ, ଆଉ ସେଇଠୁଁ ବୌଦ୍ଧ ରାଜ୍ୟକୁ ଯାଇ ଫେରିଆସେଁ କଟକ, ସେତେବେଳେ ଅନୁଜ ଭଗବତୀ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ବନ୍ଦୀ ହୋଇ ରହିଥାନ୍ତି ଅନୁଗୁଳ ଜେଲ୍‌ରେ ।

 

ଅନୁଗୁଳର ଏସ୍.ଡି.ଓ. ଶ୍ରୀ ଦାସଙ୍କଠାରୁ ଅନୁମତି ନେଇ ଜେଲଭିତରେ ଭାଗୁ ସହିତ ମୋର ସାକ୍ଷାତ୍ କାର । ବନ୍ଦୀ ଅବସ୍ଥାରେ ଭାଗୁ ଖୁବ୍ ଫୁର୍ତ୍ତିରେ ଥାଏ । ହସି ହସି ଆସି ନମସ୍କାର କରେ ମୋତେ । ସାଥିରେ ଯାଇଥିବା ମୋର ସାନଝିଅ ‘ଲୁସି’କୁ ଧରି ଝୁଲାଇ ହସାଇ ସେ ଗେଲ କରିଲାଗିଲା । ଆଜି ବି ସେଇ ଚିତ୍ର ଜିଇଁଉଠେ ମୋର ସାମ୍ନାରେ । ଭାଗୁଠାରୁ କିନ୍ତୁ କେବେହେଲେ ତ ଶୁଣିନି ମୋର ଗଡ଼ଜାତ ପ୍ରଚାର କାର୍ଯ୍ୟ ଗ୍ରହଣ ବିରୁଦ୍ଧରେ ସମାଲୋଚନା !

 

ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପ୍ରଚାର ସଂସ୍ଥାର (Eastern States Publicity Bureau) ସଭାପତି ଥାନ୍ତି ବୌଦ୍ଧର ରାଜା । ରାୟପୁରଠାରେ ସେଥର ପଲିଟିକାଲ ଏଜେଣ୍ଟ ସାର୍ ମିର୍ଜା ଇସ୍କନ୍ଦରଙ୍କ ନେତୃତ୍ୱରେ ଏକ ସମ୍ମିଳନୀ ବସିଥାଏ । ଏ ସାର୍ ମିର୍ଜା ଇସ୍କନ୍ଦର ଦେଶବିଭାଗ ପରେ କିଛି କାଳ ଲାଗି ପାକିସ୍ଥାନ ଶାସନକ୍ଷମତାର ନିୟାମକ ହୁଅନ୍ତି ।

 

ସେଥର ରାୟପୁରଠାରେ ରାଜନ୍ୟବର୍ଗଙ୍କ ସମ୍ମିଳନୀ ଖୁବ୍ ତନାଘନା ସହ ଚାଲିଥାଏ । ସବୁରାଜାଙ୍କର ଏକ ଚାହା ଭୋଜି ଖୁବ ଆନନ୍ଦ ଉଲ୍ଲାସରେ ମୁଖରିତ ହୋଇଉଠିଥାଏ । ସେଇ ଭୋକରେ ଢେଙ୍କାନାଳର ରାଜା ଅନ୍ୟାନ୍ୟ ରାଜାମହାରଜାମାନଙ୍କୁ ମୋର ପରିଚୟ ଦେଇ କହିଲେ, ମୁଁ ଜଣେ କମ୍ୟୁନିଷ୍ଟ । ତହୁଁ ଏକ ହସର ଫୁଆରା ଉଠିଲା ।

 

ସମ୍ମିଳନୀ ପରେ ବୌଦ୍ଧର ରାଜା ଏକାନ୍ତରେ ଡାକି ମୋତେ କହନ୍ତି ଯେ, ଢେଙ୍କାନାଳଙ୍କର କାଣ୍ଡଜ୍ଞାନ ନାହିଁ । ଢେଙ୍କାନାଳ ମୋତେ କମ୍ୟୁନିଷ୍ଟ ବୋଲି ଅନ୍ୟ ରାଜାମାନଙ୍କୁ ପରିଚୟ ଦେବାଟାରେ “ବୌଦ୍ଧ” ବଡ଼ ବିବ୍ରତ ଓ ଦୁଃଖିତ ବୋଲି ମୋତେ ଜଣାନ୍ତି । ସେତେବେଳେ ବୌଦ୍ଧରାଜାଙ୍କ ସହାନୁଭୂତି ମୋହ ପକ୍ଷରେ ଅବୋଧ୍ୟ ହୋଇପଡ଼େ । ବରଂ ଢେଙ୍କାନାଳ ମୋର ଏଇ ଭଲ ପରିଚୟ ଦେବାରେ ହିଁ ମୁଁ ସୁଖୀ ହୁଏଁ । ମନେ ମନେ ତାଙ୍କୁ ସାବାସ୍ ଦେଇ ।

 

କାରଣ ଢେଙ୍କାନାଳ ରାଜାଙ୍କ ସହିତ ପ୍ରଥମ ସାକ୍ଷାତ୍‍କାର ତାଙ୍କ ରାଜବାଟିରେ ଯେଉଁଦିନ ମୋର ଘଟେ, ସେତେବେଳେ ତାଙ୍କୁ ତେଲ ମାଲିସ୍ କରୁଥାନ୍ତି ପରିଚାରକ । ପାଖରେ ଥାନ୍ତି ବୋଧହୁଏ ପୋଲିସ ବିଭାଗର ଉଚ୍ଚ କର୍ମଚାରୀ ଶ୍ରୀ ଗଙ୍ଗାଧର ମିଶ୍ର । ସେହିଠାକୁ ମୋର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଏ; ସେଇ ଥର କି ଆଉ ଥରେ ଦେଖେଁ— ରାଜାସାହେବଙ୍କ ବାହାର ପ୍ରାଙ୍ଗଣରେ ଜଣେ ଗୌରକାନ୍ତି ଯୁବକ ଠିଆହୋଇ ମୋତେ ପ୍ରଣାମ କରନ୍ତି ହସି ହସି—ଶ୍ରୀ ହରମୋହନ ପଟ୍ଟନାୟକ— ପରେ ‘ଭୂଦାନ’ କର୍ମୀରୂପେ ସୁପରିଚିତ ।

 

ରାଜାସାହେବଙ୍କ ସମକ୍ଷରେ ମୋହପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସେ ପ୍ରସ୍ତାବ କରିବାରୁ ତାଙ୍କୁ ଜଣାଏଁ.– “ଡାକବଙ୍ଗଳାରେ ତ ବ୍ୟବସ୍ଥା କଗଯାଇଛି” ! ସହାସ୍ୟ ଉତ୍ତର ମିଳେ —“ସେଥିଲାଗି ଆପଣଙ୍କର ଭାବିବାପାଇଁ କ’ଣ ଅଛି ? ତା’ପରେ ରାଜାସାହେବ କହନ୍ତି, “ଓଡ଼ିଶା ରାଜନୀତିରେ ମୁଁ ତିନି ଜଣ ନେତାଙ୍କୁ ଉଚ୍ଚ ସ୍ଥାନ ଦିଏଁ—ଜଣେ ହେଉଛନ୍ତି ଶ୍ରୀ ନବକୃଷ୍ଣ ଚୌଧୁରୀ, ତା’ପରେ ଶ୍ରୀ ହରେକୃଷ୍ଣ ମହତାବ୍ ଓ ଭଗବତୀ ଚରଣ ପାଣିଗ୍ରାହୀ ।”

 

ଜଣେ ବନ୍ଧୁଙ୍କଠାରୁ ଶୁଣିଥିଲି, “କଥାରେ ଅଛି—ନୃପତି ଭାସିଲେ ଭାସିବ”— ଅର୍ଥାତ୍ ଆଗରୁ ନିଜେ କିଛି କହିବନି, ମନ୍ତବ୍ୟ ଦେବ ନି —ରାଜା କିଛି ପଚାରିଲେ ତା’ ପରେ ଯାହା ଜବାବ୍ ଦେବ । ମୋର ଅବଶ୍ୟ ଢେଙ୍କାନାଳ ରାଜାଙ୍କ ସହିତ ଏଇ ପ୍ରଥମ ସାକ୍ଷାତରେ କହିବାକୁ କିଛି ନ ଥିଲା । ମୁଁ ମୋର ଭୋଜନରେ ବ୍ୟାପୃତ ରହି ଶୁଣୁ ଥାଏଁ ।

 

ତା’ ପରେ ରାଜାସାହେବ ପଚାରନ୍ତି ମୋତେ ତାଙ୍କ ନିଜ ହାତର ପାଞ୍ଚ ଆଙ୍ଗୁଠିକୁ ଦେଖାଇ, “ଆଚ୍ଛା କହନ୍ତୁ ତ ଦେଖି-ଭଗବାନ ମଣିଷ ହାତରେ ଏ ଯେଉଁ ପାଞ୍ଚଟା ଆଙ୍ଗୁଠି ଦେଇଛନ୍ତି, ତାହା ଭିତରୁ କିଏ କାହା ସଙ୍ଗରେ ସମାନ ! ସମାନ ହୋଇଥିଲେ ଆପଣ ଏଠାରେ ଯେତେ ସହଜରେ ଭୋଜନ କରି ପାରୁଛନ୍ତି, ତାହା କ’ଣ ସମ୍ଭବ ହୁଅନ୍ତା ?”

 

ସତକୁ ସତ ମୁଁ ରାଜାଙ୍କ ପାଖରେ ବସି ପୁଣି ତାଙ୍କ ବଡ଼ ପୋଲିସ୍ ଅଫିସର ଗଙ୍ଗାଧର ବାବୁ ସାକ୍ଷୀ ରହି ରାଜାଙ୍କ ଅନ୍ନ ହିଁ ନିଜ ପାଞ୍ଚ ଆଙ୍ଗୁଠି ସାହାଯ୍ୟରେ ଭୋଜନ କରୁଥିବା ବେଳେ—ଆଉ ମୋର ପାଞ୍ଚଟାଯାକ ଆଙ୍ଗୁଠି କିଏ କାହାରି ସହିତ ସମାନ ନ ଥିବା ସ୍ଥଳେ କୌଣସି ଜବାବ ପଇଟେ ନାହିଁ ମୋତେ । ରାଜ ଅତିଥି ହୋଇ ପୁଣି ଏ ପ୍ରଶ୍ନର ପ୍ରକୃତ ଉତ୍ତର ଯେ ସାମ୍ୟବାଦ ବିରୁଦ୍ଧରେ ଯିବ—ଯେଉଁଥି ପାଇଁ ସେ ଇଙ୍ଗିତ କରିଥିଲେ—ତାହା ତାଙ୍କ ଚତୁର ପ୍ରଶ୍ନରୁ ବୁଝିପାରି ମୁଁ ହସିଉଠେଁ । ମୋ ସହିତ ହସରେ ଯୋଗ ଦିଅନ୍ତି ସ୍ୱର୍ଗତ ଶ୍ରୀ ଶଙ୍କର ପ୍ରତାପ ଦେଓ ପୁଣି ଗଙ୍ଗାଧର ବାବୁ । ଭାଗୁ (ଭଗବତୀ) କିଭଳି ତା’ର ପାଞ୍ଚ ଆଙ୍ଗୁଠିକୁ ମୁଠାକରି ଢେଙ୍କାନାଳ ରାଜା ଓ ତାଙ୍କ ଶାସନ ବିରୁଦ୍ଧରେ ଭାଷଣ ଦିଏ, ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଗଙ୍ଗାଧର ବାବୁ ସେଠାରେ ତାହା ବର୍ଣ୍ଣନା କରନ୍ତି ମଧ୍ୟ ନିଜ ହାତମୁଠା ଦେଖାଇ ।

 

ଢେଙ୍କାନାଳ ସମେତ ଓଡ଼ିଶା ଦେଶୀୟ ରାଜ୍ୟର ଅଧିକାଂଶ ରାଜାଙ୍କ ସମ୍ଭ୍ରାନ୍ତ ବ୍ୟବହାର ଓ ସଦାଶୟ ଆତିଥେୟତା ବ୍ୟତୀତ ପ୍ରଜାକୁଳର ପରସ୍ଥିତି ଓ କିମ୍ବା ଅବସ୍ଥା ଦେଖିବା ସୁଯୋଗ ମୋତେ କ୍ଵଚିତ୍ ମିଳିଛି । ଢେଙ୍କାନାଳ ରାଜ୍ୟରେ ଖଡ଼ଗପ୍ରସାଦ ପ୍ରଭୃତି ଯେଉଁ କେତେ ଗ୍ରାମ ବୁଲିଦେଖିଛି ଓ ଗାଁଗୁଡ଼ିକର ସ୍କୁଲ ଘର ମଧ୍ୟ ମୋ ଆଖିରେ ପଡ଼ିଛି, ପୁରୀ କିମ୍ବା କଟକ ଜିଲ୍ଲାର କୌଣସି ଗାଁଠାରୁ ସେଗୁଡ଼ିକ ଅନୁନ୍ନତ ବୋଲି ମନେହୁଏ ନାହିଁ ।

 

ସେହିପରି ରାଜା ସୁଢ଼ଳ ଦେବଙ୍କର ବାମଣ୍ଡା ରାଜ୍ୟରେ ସେତେବେଳେ ରାଜା ଶ୍ରୀ ଭାନୁଗଙ୍ଗ ତ୍ରିଭୁବନ ଦେବ, ପାଟଣା ରାଜ୍ୟର ଶ୍ରୀ ରାଜେନ୍ଦ୍ର ନାରୟଣ ସିଂହଦେଓ, କଳାହାଣ୍ଡିର ଶ୍ରୀ ପ୍ରତାପକିଶୋର ଦେଓ, ପୁଣି ଦଶପଲା, ରଣପୁର, ନୟାଗଡ଼, ବଡ଼ମ୍ବା, ନରସିଂହପୁର, ଖଣ୍ଡପଡ଼ା, ଆଠମଲ୍ଲିକ, ବୌଦ୍ଧ, ତାଳଚେର, ହିନ୍ଦୋଳ ପ୍ରଭୃତି ରାଜନ୍ୟବର୍ଗଙ୍କ କୌଳିନ୍ୟ-ପୂର୍ଣ୍ଣ ବ୍ୟବହାର ମୋ ଜୀବନ ସ୍ମୃତିରେ ଉତ୍କଳୀୟ ମର୍ଯ୍ୟାଦାର ଐତିହ୍ୟ ସମ୍ପର୍କରେ ଏକ ଉଜ୍ଜଳ ଚିତ୍ର ଆଙ୍କି ଦେଇଛି । ସେଥି ସହିତ ସେଇ କୌଳିନ୍ୟର ନିର୍ମାଣ କର୍ମରେ ଯୁଗ-ଯୁଗବ୍ୟାପୀ ରତ ରହିଥିବା ଅସ୍ଥି ଚର୍ମସାର କୁଢ଼ କୁଢ଼ କଙ୍କାଳ ଅଦୃଶ୍ୟ ହୋଇ ରହିଯାନ୍ତି ଜଙ୍ଗଲ ପାହାଡ଼ ଅନ୍ତରାଳରେ । ଢେଙ୍କାନାଳରୁ ଫେରି ବୋଧହୁଏ କଟକ ରେଳଷ୍ଟେସନରେ ଭେଟହୁଏ ମୋର ବଙ୍ଗଳାର ରାଜନୀତିକ ନେତା ଶ୍ରୀ ବିଶ୍ଵନାଥ ମୁଖାର୍ଜୀଙ୍କ ସହିତ । ବିଶ୍ଵନାଥ ବାବୁ ଥିଲେ ଭାଗୁର ଘନିଷ୍ଠ ବନ୍ଧୁ । ସେତେବେଳକୁ ଭାଗୁର ମୃତ୍ୟୁ ଘଟି ଯାଇଥାଏ ।

 

ମୋର ରାଜୁଡ଼ାକାମକୁ ନିନ୍ଦା କରି ଶ୍ରୀ ବିଶ୍ଵନାଥ ମୁଖାର୍ଜି ସେ ଦିନ କହିଥିଲେ— ଛି, ଛି, କ’ଣ କଲେ ଆପଣ ? ଶେଷରେ ରାଜାମାନଙ୍କପାଇଁ ପ୍ରଚାର ! ତାଙ୍କ ମନ୍ତବ୍ୟ ମୋହ ପକ୍ଷରେ ଆହୁରି ଅବୋଧ୍ୟ ହୋଇପଡ଼େ ।

 

ଆଜି ଢେଙ୍କାନାଳ ରାଜା ଶଙ୍କରପ୍ରତାପ ଓ ବୌଦର ରାଜା ଜୀବିତ ଥିଲେ ନିଜେ ବୁଝିପାରି ଥାନ୍ତେ ଯେ ଢେଙ୍କାନାଳ ହିଁ ରାଜୁଡ଼ା ଶାସନର ଅନ୍ତିମ ଭବିଷ୍ୟତ ଦ୍ରଷ୍ଟା ଥିଲେ । ସମାଜବାଦକୁ ତ୍ୱରାନ୍ୱିତ କରିବା ଦିଗରେ ତାଙ୍କର ପ୍ରତିରୋଧି ପ୍ରତିକ୍ରିୟା ଯେ ଅଧିକ ଫଳପ୍ରସୂ ହୋଇଛି, ଏ କଥା ସମାଜବାଦର ବୈଜ୍ଞାନିକ ତତ୍ତ୍ୱବିତ୍‍ମାନେ ସ୍ୱୀକାର କରିବେ ନାହିଁ କି ? ସେଥି ସଙ୍ଗେ ଏଇ ଯୁକ୍ତିକୁ ଅବଶ୍ୟ ପ୍ରତିକ୍ରିୟାଶୀଳ ବୋଲି ବିଚାରିବେ ।

 

ଆଉ ଗୋଟିଏ କଥା—ଓଡ଼ିଶାର ସବୁ ରାଜ୍ୟ ମୁଁ ବୁଲିଛି ସବୁ ରାଜାଙ୍କର ଆତିଥ୍ୟ ଗ୍ରହଣ କରିଛି । ରାଜ ଅତିଥି ହେବାର ପ୍ରାଚୁର୍ଯ୍ୟ କୌଣସି ରାଜ୍ୟରେ ଉଣାହେବାର ତ ଦେଖିନାହିଁ । ମାତ୍ର ଏକମାତ୍ର ଢେଙ୍କାନାଳ ରାଜା ଅନାହୂତ ଭାବରେ ଆସି ମୋର କଟକ ଘରେ ଆତିଥ୍ୟ ଗ୍ରହଣ କରି ଯାଇଛନ୍ତି ।

 

ଭାରତ ସ୍ଵାଧୀନତା ପରେ ଢେଙ୍କାନାଳର ରାଜ ସ୍ଵର୍ଗତ ଶଙ୍କରପ୍ରତାପ ଦେଓ ମୋତେ ଥରେ ଅନୁରୋଧ କରନ୍ତି, ସେତେବେଳେ ଓଡ଼ିଶାର କଂଗ୍ରେସ ପ୍ରଧାନମନ୍ତ୍ରୀ ଶ୍ରୀ (ସେ “ଡକ୍ଟର” ହୋଇ ନ ଥାନ୍ତି) ହରେକୃଷ୍ଣ ମହତାବଙ୍କ ସହିତ ତାଙ୍କୁ ପରିଚୟ କରାଇ ଦେବାପାଇଁ । ପ୍ରଧାନ ମନ୍ତ୍ରୀ ମହତାବ ରହୁଥାନ୍ତି ସେତେବେଳେ କଟକ ତୁଳସୀପୁରରେ ଅବସ୍ଥିତ (ବୋଧହୁଏ “ନିରାଲା” ନାମକ) ଏକ ଭଡ଼ାଘରେ । ଢେଙ୍କାନାଳଙ୍କ ସହିତ ତାଙ୍କ ନିକଟକୁ ମୁଁ ଯାଏଁ । ଖବର ଦେବା ମାତ୍ରେ ଘରଭିତରୁ ବାହାରି ଆସି ସେ ସାକ୍ଷାତ୍ ଦିଅନ୍ତି ।

 

କଥାବାର୍ତ୍ତା ଭିତରେ ଶ୍ରୀ ଶଙ୍କରପ୍ରତାପ ଟିକିଏ ପାଣି ମାଗିଲେ । ମହତାବବାବୁ ନିଜେ ଉଠିଯାଇ ପାଣି ଗିଲାସେ ଧରି ବଢ଼ାଇ ଦିଅନ୍ତି ତାଙ୍କ ହାତକୁ । ସେଦିନ ମୋତେ ମହତାବ ବାବୁ ସୂଚାଇ ଥିଲେ ପରା ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ କାର୍ଯ୍ୟନିଘଣ୍ଟରୁ କିଞ୍ଚିତ୍ । ଓଡ଼ିଶା ପ୍ରଧାନ ମନ୍ତ୍ରୀର ସମସ୍ତ କାର୍ଯ୍ୟ ତୁଲାଇ ମଧ୍ୟ ସେ ଦୁଇଟି ଘଣ୍ଟା ଦୈନିକ ସାହିତ୍ୟ ଚର୍ଚ୍ଚାରେ ବିନିଯୋଗ କରିବା କଥା ମୁଁ ଶୁଣେ ତାଙ୍କର ମୁହଁରୁ ସେଇଦିନ । ଏହା ପରେ ଯେତେ ଥର ମହତାବ ବାବୁଙ୍କ ସହିତ ମୋର ସାକ୍ଷାତ୍କାର୍ ଘଟେ, ସାହିତ୍ୟ ସଂଗଠନ ବ୍ୟତୀତ ରାଜନୀତି କିମ୍ବା ଆଉ କୌଣସି ବିଷୟରେ ଆଲୋଚନା କରିବା ତାଙ୍କଠାରୁ ମୋର ଶୁଣିଥୁବା ସ୍ମରଣ ହୁଏନାହିଁ ।

 

ରାଜନୀତି କିମ୍ବା ସେହି ସମ୍ପର୍କୀୟ କୌଣସି ବିଷୟ ଉତ୍‍ଥାପିତ ହେଲେ ସେଇଠୁଁ ତାଙ୍କ ଠାରୁ ବିଦାୟ ଘେନିବାକୁ ହୁଏ । ସେ ଦିନ ଢେଙ୍କାନାଳଙ୍କ ସହିତ ଦୁଃଖ ସୁଖ ହେଉଥିଲାବେଳେ ଘର ସାମ୍ନାରେ ଆସି ପହଞ୍ଚେ ଗୋଟିଏ ଜିପ୍‍ଗାଡ଼ି । ଜିପ୍ ଚଳେଇ ପହଞ୍ଚିଥାନ୍ତି ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ । ବିଜୁବାବୁଙ୍କୁ ଜିପ୍‍ରୁ ଓହ୍ଲାଇବା ଦେଖି ମହତାବବାବୁ ଆମକୁ ବିଦାୟ ଦିଅନ୍ତି । ଢେଙ୍କାନାଳ ରାଜାଙ୍କ ସହିତ ସାକ୍ଷାତ୍‍କାରର ଶେଷ ପର୍ଯ୍ୟାୟରେ ସେ ମୋତେ ବାରଂବାର “ସାର୍” ସମ୍ବୋଧନ କରୁଥିଲେ । ସମ୍ବୋଧନଟା ତାଙ୍କ ମୁହଁରୁ ମୋତେ କିନ୍ତୁ ଅଡ଼ୁଆ ଅସ୍ୱାଭାବିକ ଶୁଣା ଯାଉଥାଏ ।

 

ଓଡ଼ିଶା ଦେଶୀୟ ରାଜ୍ୟମାନଙ୍କରେ ବୁଲୁଥିଲାବେଳେ ସେଇ ଢେଙ୍କାନାଳ ରାଜ୍ୟକୁ ମୋର ସହଯାତ୍ରୀ ହୁଅନ୍ତି ପୋଲିସ୍ ଗୋଇନ୍ଦା ବିଭାଗୀୟ ଉଚ୍ଚକର୍ମଚାରୀ ଓ ସ୍କୁଲଛାତ୍ର ଥିବା ସମୟରେ ପୁରୀର ପୁରୁଣା – ବନ୍ଧୁ ସ୍ଵର୍ଗୀୟ ଦାମୋଦର ଦାସ । ଦାମବାବୁଙ୍କ ସହିତ ଏକାଧିକ ରାଜ୍ୟର ଅତିଥିଭବନରେ ସେତେବେଳେ ମୋତେ ରହିବାକୁ ହୁଏ; ଆଉ ତାଙ୍କଠାରୁ ଶୁଣିପାରେଁ, ସେତେବେଳେ ଦେଶୀୟ ରାଜାମାନଙ୍କ ଶାସନର କେତେକ କୌତୁକ କାହାଣୀ ।

 

ଗୋଟିଏ ରାଜ୍ୟର ରାଜା କୁଆଡ଼େ ତାଙ୍କ ପ୍ରଧାନ ବିଚାରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ, ରଥଯାତ୍ରାରେ ବିଚାରପତି ରଥଉପରେ ‘ଡାହୁକ’ର କାର୍ଯ୍ୟ କରିବେ । ସେ ଆଦେଶକୁ ବିଚାରପତି ମଧ୍ୟ ସସମ୍ମାନ ପାଳନ କରନ୍ତି । ଅନ୍ୟ ଏକ ରାଜ୍ୟର ବିଚାରପତିଙ୍କୁ ରାତ୍ରି ଭୋଜନ ପରେ କୁଆଡ଼େ ଅନୁରୋଧ କରାଯାଏ, ମର୍କଟ ଭଳି ଟେବୁଲ୍ ଉପରେ ନୃତ୍ୟ କରିବାକୁ । ଏଭଳି କୌତୁକ ସୃଷ୍ଟି କରିବା ଦ୍ୱାରା ଯେପରି ଆମୋଦ ପ୍ରମୋଦର ସଞ୍ଚାର ହୁଏ, ସେହିପରି ତାହା କେବଳ ଶାସନକ୍ଷେତ୍ରରେ ଅଧିଷ୍ଠିତ ସର୍ବୋଚ୍ଚ କର୍ତ୍ତାଙ୍କର ମଧ୍ୟଯୁଗୀୟ କ୍ରୀଡ଼ାବିଳାସର ପରିଚୟ ଦିଏନାହିଁ । ଆଧୁନିକ ଯୁଗରେ ମଧ୍ୟ ଏହିଭଳି ଆମୋଦ ପ୍ରମୋଦର ଉଦାହରଣ ବିରଳ ନୁହେଁ ।

 

ସମ୍ବାଦଟି ସତ କି ମିଛ— ଆଧୁନିକ ରୁଷ୍‍ର ସର୍ବୋଚ୍ଚକର୍ତ୍ତା ଷ୍ଟାଲିନ କୁଆଡ଼େ ଭୋଜନ ମିଳନପରେ ତାହାଙ୍କୁ ପରବର୍ତ୍ତୀ ସର୍ବୋଚ୍ଚ ଶାସନକର୍ତ୍ତା କୁଶ୍ଚେଭଙ୍କୁ ନୃତ୍ୟକରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ଓ ତାଙ୍କ ନିର୍ଦ୍ଦେଶ କୁଶ୍ଚେଭ ପାଳନ କରନ୍ତି ସସମ୍ମାନରେ । ଭାରତୀୟ ଦେଶୀୟରାଜ୍ୟମାନଙ୍କରେ କ୍ରୀଡ଼ାକୌତୁକ ପରିହାସ ସୃଷ୍ଟିର ବହୁ ବିବରଣ ଲିପିବଦ୍ଧ ହୋଇଛି । ମୁଁ ଓଡ଼ିଶା ଦେଶୀୟ ରାଜ୍ୟରେ ମୋ ଅଭିଜ୍ଞତା ଭିତରେ ଆଉ ଗୋଟିଏ କୌତୁକ ସୃଷ୍ଟିର ବିବରଣ ମଧ୍ୟ ଶୁଣିଥିଲି—

 

ରାଜଦ୍ୱାରରେ ଜଣେ ସନ୍ନ୍ୟାସୀ ଧୁନି ଜାଳି ଧ୍ୟାନ କରୁଥିବା ଦେଖି ରାଜାଙ୍କର ଧାରଣା ଜନ୍ମେ ଯେ, ଏହା ରାଜ୍ୟର ବେକାର ସମସ୍ୟାର ଏକ ଜ୍ୱଳନ୍ତ ସଂକେତ । ତହୁଁ ସନ୍ନ୍ୟାସୀଙ୍କ ପ୍ରତି ଆଦେଶ କରାଯାଏ, ପରୋକ୍ଷ ସୂତ୍ରରେ । ତାହା ଫଳରେ ରାଜଦ୍ୱାରରେ ସେହି ଶ୍ମଶ୍ରୂଳ ଜଟାଜୂଟ୍ କୌପୀନବନ୍ତ ସନ୍ନ୍ୟାସୀଙ୍କର ସାକ୍ଷାତ୍ ମିଳେନାହିଁ । ରାଜପ୍ରାସାଦ ସିଂହଦ୍ୱାରରେ ଦେଖାଯାଏ ତାଙ୍କୁ ପୋଲିସ ଜଗୁଆଳି ବେଶରେ-ସ୍କନ୍ଧରେ ବନ୍ଧୁକ ଓ ମସ୍ତକରେ ପୋଲିସ୍ ପଗଡ଼ି ଭିଡ଼ି ସେ ଲେଫ୍‍ଟ ରାଇଟ୍ କରି ସିଂହଦ୍ୱାର ଏପାଖ ସେପାଖ ହେଉଛନ୍ତି !

 

ଯାରେ ମନ ଯାରେ—ରୁଷିଆ ଦେଶକୁ ଚାହାଁରେ

 

ସୂତାହାଟ ଘରେ ପଡ଼ୋଶୀ ମୋର ହେଲେ କଟକର ଖ୍ରୀଷ୍ଟୀୟାନ୍ ଓ ମୁସଲମାନଗୋଷ୍ଠୀ-। ପରିବେଶ ଶାନ୍ତ ପୁଣି ଭଦ୍ର । ପଡ଼ୋଶୀମାନଙ୍କ ଭିତରେ ଯେଉଁ ଘନିଷ୍ଠତା ବଢ଼ିଉଠେ, ତାହା ସହୃଦୟତା ପୂର୍ଣ୍ଣ । ଭାରତୀ ତପୋବନରୁ ହିଁ ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପରିଦର୍ଶନ ଉଦ୍ଦେଶ୍ୟରେ ପ୍ରଥମେ ଅନୁକୂଳ ମୁଁ କରେଁ ଆଠମଲ୍ଲିକ । ସାଙ୍ଗରେ ଯାଇଥାଏ ମୋର ସାନଝିଅ ଲୁସି । ବୟସ ତାକୁ ସେତେବେଳେ ଛଅ ସାତ ବର୍ଷ ।

 

ଆଠମଲ୍ଲିକର ସାହିତ୍ୟପ୍ରେମୀ ରାଜାସାହେବ ପ୍ରତି ବର୍ଷ ଉତ୍କଳ ସାହିତ୍ୟ ସମାଜକୁ ପ୍ରବନ୍ଧ ପ୍ରତିଯୋଗିତାପାଇଁ ପୁରସ୍କାର ଘୋଷଣା କରନ୍ତି କଲେଜରେ ପଢ଼ୁଥିଲାବେଳେ ସେହି ପୁରସ୍କାର ମୁଁ ପାଏଁ । ଏଥର ସ୍ୱୟଂ ପୁରସ୍କାର ଦାତାଙ୍କ ସହ ସାକ୍ଷାତ୍‌କାର୍ ।

 

ତାଳଚେର ଷ୍ଟେସନରୁ ଓହ୍ଲାଇ ଆଠମଲ୍ଲିକର ଯାତ୍ରା ଅନୁଗୁଳ ସହରବାଟେ । ଆଠମଲ୍ଲିକରୁ ବୌଦ୍ଧ । ବୌଦ୍ଧର ରାଜା କଲିକତାରୁ ଫେରିବା ବାଟରେ ଆସନ୍ତା ଆଠମଲ୍ଲିକ । ସେଇଠୁଁ ତାଙ୍କ ସଙ୍ଗେ ମୋତେ ବୌଦ୍ଧକୁ ତାଙ୍କର ନିମନ୍ତ୍ରଣ । ସାଙ୍ଗରେ ରାଜା ସାହେବଙ୍କ ସେକ୍ରେଟାରୀ ଶ୍ରୀ ଗରୁଡ଼ଧ୍ଵଜ ମିଶ୍ର । ମହାନଦୀରେ ବଢ଼ିପାଣି ମହାବେଗରେ ଉଛୁଳୁଥାଏ ମଝିରେ ମଝିରେ ନଈକୂଳରେ ଗାଁ ଲୋକମାନେ ରାଜାସାହେବଙ୍କୁ ଅଭିନନ୍ଦନ ଜଣାଇ ହରିବୋଲ ହଳହୁଳି ପକାଉଥାନ୍ତି । ପ୍ରତିଧ୍ୱନିତ ହେଉଥାଏ ତାହା ମହାନଦୀର ପ୍ରବଳ ଉଚ୍ଛଳ ସ୍ରୋତରେ । ସୂତାହାଟ ଘରେ ପହଞ୍ଚିବା ମାତ୍ରେ ଶୁଣେ ଏକ ଘୋର ଦୁଃସମ୍ବାଦ । ବାରିପଦାରେ ଭାଇନାଙ୍କ ଅସୁସ୍ଥତା ବାରିପଦା ରେଳଷ୍ଟେସନରେ ପହଞ୍ଚି ଶୁଣେ ଘୋଡ଼ାଗାଡ଼ିର ପରିଚିତ କଚୁଆନ୍‍ଠାରୁ—ଭାଇନା ଆଉ ନାହାନ୍ତି ! ନିର୍ମଳ ମଧ୍ୟାହ୍ନରେ ଚାରିଆଡ଼େ ମୋତେ ଅନ୍ଧାର ଦିଶେ । ଘୋଡ଼ାଗାଡ଼ି ଆସି ସେଇ ପରିଚିତ କ୍ଵାଟର ସାମ୍ନାରେ ପହଞ୍ଚେ, ଯେଉଁଠାରେ ସମସ୍ତେ ଆମେ ଏକତ୍ର କଟାଇ ଦେଇଥିଲୁଁ ପାଞ୍ଚବର୍ଷ ।

 

ସମ୍ବନ୍ଧୀ ଶ୍ରୀ ଲାଲମୋହନ ପତି ଦାଣ୍ଡ ବାରଣ୍ଡାରେ ଏପାଖ ସେପାଖ ବୁଲୁଥାନ୍ତି । ମୋତେ ଦେଖି ସହଜ ଭାବରେ କହିବାକୁ ସେ ଚେଷ୍ଟା କଲେ—“ସେମାନେ ଶ୍ମଶାନକୁ ଘେନି ଯାଇଛନ୍ତି । ଏଥର ବୋଧହୁଏ ଫେରିବେ ।” ମୁଁ ଅବା କିଛି ବୁଝି ପାରୁ ନଥାଏଁ । ଜଣାପଡ଼ୁ ଥାଏ ସତେ ଯେମ‌୍‌ତି ଆକାଶ ! ପୃଥିବୀ ହଠାତ୍ କେଉଁଠି ଏକାଠି ହୋଇଗଲା ! ସେଇ ଘରେ ବାପା, ବୋଉ, ଭାଇନା, ଭାଉଜ-ଭାଗୁ, ତା’ର ସନ୍ତାନମାନେ, ସବୁ ପିଲାଙ୍କର ଗହଳ ଚହଳ ଭୋରରୁ ରାତି ଅଧଯାକେ !

 

ସେଇ ପରିବାରର ଏବେ କିଏ କୁଆଡ଼େ ଛିନିଛତ୍ର ହୋଇ ପଡ଼ିଲେଣି ! ଭାଗକୁ ଦେଖି ଆସିଲି ଅନୁଗୁଳ ଜେଲ୍ ରେ । ଲୁସିକୁ ଧରି ସେ ଜେଲ୍ ଭିତରେ ନାଚି ନାଚି ତାକୁ ଖେଳାଇଲା । ସତେ ଅବା ନିଜଘର ଭିତରେ ! ସେଇଠୁ ଫେରି ଭାଇନାଙ୍କୁ ଆଉ ଦେଖି ପାରିଲିନି । ବାରିପଦାର ସେଇ ଗହଳ ଚହଳ ଲାଗିଥିବା ଘର ଗୋଟିକା ! ଦେଖିଲି ଯାହା ବୋଉକୁ ମୋର ! ଅସୀମ ଧୈର୍ଯ୍ୟ, ଅସୀମ ସାହସର ପ୍ରତିମୁର୍ତ୍ତି ସେଇ ମୋର ବୋଉ !

 

ପାଗଳ ଭଳି ସେଇ ସରକାରୀ କ୍ଵାଟର ଭିତର ସବୁଘର ଖୋଜିଲାଗିଲି ତନ୍ନ ତନ୍ନ କରି । ଯେଉଁ ବଖରାରେ ବାପା ରହିଥିଲେ, ଆଉ ତାଙ୍କର ଶେଷ ନିଶ୍ୱାସ ଛାଡ଼ିଥିଲେ । ତାଙ୍କ ଘରର ପୁଣି ସେହିପାଖ ବଖରାଟି ଯେଉଁଠାରେ ମୁଁ ରହେଁ ମୋର ପିଲା ଚାରୋଟିଙ୍କୁ ଘେନି । ଶେଷ ବଖରାରେ ସେଇ ଲମ୍ବ ବଡ଼ ବଖରାଟି—ଯେଉଁଠି ଭାଇନା ଭାଉଜ, ପୁତୁରା , ଝିଆରୀ—ସବୁ ପଡ଼ିଛି ଶୁନସାନ୍—ସମ୍ଭାଳି ପାରିଲିନି ନିଜକୁ—ଚିତ୍କାର କରି ଉଠିଲି “ଭାଇନା ଭାଇନା” ଡାକି—“ମାଟିର ମଣିଷ” ଛକଡ଼ି ଭଳି ଅବିକଳ !

 

ସବୁଠାରୁ ବଡ଼ ଧୈର୍ଯ୍ୟଶୀଳା ବୋଉ ମୋର—ବାପାଙ୍କ ମୃତ୍ୟୁରେ ମଧ୍ୟ ଯେ ପିଲାଏ କାନ୍ଦିବେ ବୋଲି ଲୁଚି ଲୁଚି ଏକାନ୍ତରେ କାନ୍ଦିଥିଲେ—ସମସ୍ତଙ୍କୁ ହରାଇ ମଧ୍ୟ ମୋତେ ଧରି ସେଦିନ ସେ କାନ୍ଦି ଉଠିଲେ । ସେହିଠାରେ ଚିରଦିନପାଇଁ ଦୀର୍ଘ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଆମ ବାରିପଦା ରହଣି ଇତିହାସରେ ।

 

ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କୁ ସାକ୍ଷାତ୍ କରେଁ ଯାଇଁ । ସେ ମଧ୍ୟ ଆମ ଦୁଃଖରେ ସମଦୁଃଖୀ । ମୋ ଅନୁରୋଧରେ ବ୍ୟବସ୍ଥା କରି ଦିଅନ୍ତି ଆମ ସମସ୍ତଙ୍କୁ ଗାଡ଼ିରେ ନେଇ ରୁପ୍‍ସା ରେଲ୍ ଷ୍ଟେସନରେ ଛାଡ଼ି ଦେବାକୁ ।

 

ଅନୁଗୁଳ ଜେଲ୍‌ରୁ ଚିଠି ଲେଖେ ଭାଗୁ— ଜେଲ୍ ପାଚେରୀ ଅର୍ଗଳ ଭିତରେ ଅକର୍ତ୍ତବ୍ୟ ହୋଇ ଲୁହ ଢାଳିଥିଲା । ଚିଠିରେ ତା’ର ଘୋଟି ରହିଥିଲା ଭାଇନାଙ୍କ ବିୟୋଗରେ ହାହାକାର । ଅନୁଗୁଳ ଜେଲ୍‍ରୁ ମୁକୁଳି ଭାଗୁ ଫେରିଆସେ କଟକ ।

 

ମୋ ଅଜାଣତରେ । କୁନି କରିଥାଏ ଘର ଭିତରେ ତା’ ପାଇଁ ଏକ ସମ୍ବର୍ଦ୍ଧନାର ଆୟୋଜନ— ଘରଟାକୁ ଫୁଲ ଆଉ ରଙ୍ଗିନ କାଗଜରେ ସଜାଇ ପୁଣି ତା’ ପାଇଁ ଫୁଲମାଳ ଗୁନ୍ଥି । ଆହୁରି ଏକ ବିଚିତ୍ର ବ୍ୟାପାର କୁନି ସେହି ସାଜସଜ୍ଜା ଭିତରେ ପରିକଳ୍ପନା କରିଥାଏ । ଘର ଦୁଆର ବନ୍ଧର ଠିକ୍ ଉପରେ ଟାଙ୍ଗିଥାଏ ଗୋଟିଏ ସୁନ୍ଦର ଫୁଲମାଳ, ଆଉ ତା’ର ସୂତାଧରି ଦୁଆର ମୁହଁର କରପଟେ ଠିଆ ହୋଇଥାଏ ସେ । ଭାଗୁ ଦୁଆରବନ୍ଧ ଡେଇଁ ଘର ଭିତରକୁ ପାଦ ପକାଇବା ମାତ୍ରେ ଟାଣିଦିଏ ସେଇ ସୂତାଟିକି । ଫୁଲମାଳଟା ଦୁଆରବନ୍ଧ ଉପରୁ ଖସି ଭାଗୁ ବେକରେ ଲମ୍ବାଇ ହୋଇ ପଡ଼ିଯାଏ । ଆଜିଯାକେ ସେଇ ଫୁଲମାଳଟା ଯେମ‌୍‌ତି ଅବା ସତେଜ ହୋଇ ତା’ ବେକରେ ପଡ଼ିଛି, ଗୋଟିଏ ହେଲେ ପାଖୁଡ଼ା ତାହାର ମଉଳି ନାହିଁ—ସେଇ ନାଲିଧଳା ହଳଦିଆ ରଙ୍ଗର ଫୁଲମାଳଟା-!

 

“ଭାରତୀ ତପୋବନ”ରେ ପୁଣିଥରେ ଉଛୁଳି ଉଠେ କିଛି ଦିନ ପାଇଁ ଗହଳ ଚହଳ । ମୁଁ ଚାଲେଁ ଓଡ଼ିଶା ଦେଶୀୟ ରାଜ୍ୟ ପରିଭ୍ରମଣରେ । ଆଉ ଭାଗୁ ଚାନ୍ଦିନୀଚୌକ କମ୍ୟୁନିଷ୍ଟପାର୍ଟି । ଏଣେ ପୃଥିବୀ ଉପରେ ଦ୍ୱିତୀୟ ମହାଯୁଦ୍ଧର ଘନଘଟା । ଇଂରେଜ ପ୍ରତିନିଧି ସାର୍ ର୍ଷ୍ଟାଫୋର୍ଡ କ୍ରିପ୍‍ସ୍ (Sir Stafford Cripps)ଙ୍କ ନେତୃତ୍ୱରେ ଗାନ୍ଧୀ ଏବଂ ଜିନାଙ୍କ ସହିତ ସାଲିସ୍ ପ୍ରସ୍ତାବ-

 

କ୍ରିପସ୍ ମିଶନ୍‍ର ବିଫଳତାକୁ ଭାଗୁ ସେତେବେଳେ ଭାରତ ରାଜନୀତିକ ବିଚକ୍ଷଣତାରେ ତ୍ରୁଟି ବୋଲି ବିଶ୍ୱାସ କରେ, ଆଉ ଯାହା ସେ ବିଶ୍ୱାସ କରେ, ତାହା ପ୍ରକାଶ କରେ ମଧ୍ୟ ସୁସ୍ପଷ୍ଟଭାବରେ । ନିଜ ବିଶ୍ୱାସକୁ କୌଣସି ପ୍ରକାର ସାଲିସର ଆବରଣରେ ଘୋଡ଼ାଇ ରଖିବା ଅପଚେଷ୍ଟା କେବେହେଲେ ମୁଁ ତା’ଠାରେ ଲକ୍ଷ୍ୟ କରିନାହିଁ—ବ୍ୟକ୍ତିଗତ ହେଉ, ପାରିବାରିକ ହେଉ କିମ୍ବା ସାମାଜିକ ଅବା ରାଜନୀତିକ ହେଉ । ବିନା ସାଲିସ୍‍ରେ ବଞ୍ଚିବା ଯେ ଦୁନିଆଁ ଭିତରେ ଅସମ୍ଭବ, ଏଇ କଥାଟାକୁ କେବେହେଲେ କୌଣସି ମୁହୂର୍ତ୍ତରେ ସେ ସ୍ୱୀକାର କରି ପାରେନାହିଁ । ଏହିପରି ସେ ମୃତ୍ୟୁ ସହିତ ବି ଶେଷ ପର୍ଯ୍ୟନ୍ତ ସାଲିସ୍ କରି ନଥିଲା । ଥରେ ଆସି ସେ ମୋହପାଖରେ ପ୍ରସ୍ତାବ କରେ—ପୈତୃକ ଜମିବାଡ଼ି ଘରଦ୍ୱାର ଯାହା କିଛି ଅଛି, ସେ ସବୁ ସେ ବିକ୍ରିକରି ଦେବାକୁ ଚାହେଁ; ତା’ର ପ୍ରାଇଭେଟ୍ ପ୍ରପର୍ଟି ବା ବ୍ୟକ୍ତିଗତ ସମ୍ପତ୍ତି ଉପରେ ମାଲିକାନାକୁ ସେ ଅସ୍ୱୀକାର କରେ ।

 

ତହୁଁ ମୁଁ ଯୁକ୍ତିକରେଁ, “ପୈତୃକ ସମ୍ପତ୍ତି ଉପରେ ଯଦି ତୋର ବିଶ୍ୱାସ ନାହିଁ, ତେବେ ତାହାକୁ ବିକ୍ରୀକରି ବିକ୍ରିଲବ୍‍ଧ ଧନ ନେବାର ଯୁକ୍ତି କେଉଁଠାରେ ? ତହୁଁ ସେ ଉତ୍ତର ଦିଏ—“ତା’ହେଲେ ମୋର ସମସ୍ତ ଅଂଶ ତୁମକୁ ମୁଁ ଛାଡ଼ିଦେଲି ।”

 

“କିନ୍ତୁ ତୋର ସନ୍ତାନମାନଙ୍କୁ ସେଥିରୁ ବଞ୍ଚିତ କରିବାର ଅଧିକାର ତୋର ଆସିଲା କେଉଁଠୁ ?” ପ୍ରଶ୍ନକରେ ମୁଁ; ସେ ପ୍ରଶ୍ନର ଉତ୍ତର ଅବଶ୍ୟ ସେ ଦେଇପାରେନାହିଁ । କେବଳ କହେ—“ତୁମେ ଗାନ୍ଧୀନୀତିର ସମର୍ଥକ । ଲେନିନ୍ ସମର୍ଥକ ହୋଇଥିଲେ ଏଭଳି ଯୁକ୍ତି କରନ୍ତି ନାହିଁ ।

 

ଲେନିନ୍‌ଙ୍କୁ ସେ ବିଶ୍ୱ ଇତିହାସର ଏକ ଓ ଅନନ୍ୟ ପୁରୁଷରୂପେ ବିଚାର କରେ । ପୁଣି ଲେନିନ୍ ନୀତିହିଁ ନୂତନ ଦୁନିଆଁର ଏକମାତ୍ର ସମାଧାନ ବୋଲି ତାହାର ଧାରଣା ।

 

୧୯୪୨ ଖ୍ରୀଷ୍ଟାବ୍ଦର ଦ୍ଵିତୀୟ ମହାଯୁଦ୍ଧର ଘନଘଟା ଆକାଶକୁ ଆଚ୍ଛନ୍ନ କରିଥାଏ । ଭାଗୁ ସଂଗଠନ କରିଥାଏ ଓଡ଼ିଶାରେ ଏକ ଫାସିଷ୍ଟ ବିରୋଧୀ ସମ୍ମିଳନୀ (Anti-Fascist Conference) । କଟକଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ଏହି ସମ୍ମିଳନୀର ଅଭ୍ୟର୍ଥନା ସଭାର ସଭାପତିଭାବରେ ଶ୍ରୀଯୁକ୍ତ ଲକ୍ଷ୍ମୀନାରୟଣ ସାହୁଙ୍କୁ ଡାକିବାରୁ ସେ ଗୋଟିଏ ସର୍ତ୍ତ ଦେଇଥାନ୍ତି ଯେ, ମୁଁ ସେଥିରେ ଯୋଗଦେଲେ ସେ ରାଜିହେବେ ।

 

ଅଥଚ ମୁଁ ତେଣେ ଓଡ଼ିଶାର ପୂର୍ବାଞ୍ଚଳ ଦେଶୀୟରାଜ୍ୟ ପ୍ରଚାର ସଂଘରେ ରହି ଅର୍ଥାତ୍ ଫାସିଷ୍ଟ ରାଜାରାଜୁଡ଼ାମାନଙ୍କ ସଂଗଠନ ଭିତରେ ଥାଇ ଫାସିଷ୍ଟ ବିରୋଧୀ ସମ୍ମିଳନୀରେ ଯୋଗ ଦେବାଟା ସମୀଚୀନ ନୁହେଁବୋଲି ଇତସ୍ତତଃ କରୁଥିଲି; କିନ୍ତୁ ଭାଗୁକଥାକୁ ଏଡ଼ିଦେବାର ଶକ୍ତି ମୋର କେବେହେଲେ ଜୁଟି ନଥିଲା ।

 

ଦୈବାତ ବମ୍ବେରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ ଅଧିବେଶନରେ ‘ଭାରତଛାଡ଼’ ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ଗାନ୍ଧୀ ଜବାହରଲାଲ ପ୍ରମ୍ମୁଖ ନେତୃବୃନ୍ଦ ଗିରଫ ହୋଇଯିବାରୁ କଟକର ପ୍ରସ୍ତାବିତ ଫାସିଷ୍ଟ ବରୋଧୀ ସମ୍ମିଳନୀ ମଧ୍ୟ ବନ୍ଦ ହୋଇ ଯାଏ ।

 

ଭଗବତୀଦ୍ୱାରା ସମ୍ପାଦିତ ‘ମୁକ୍ତିଯୁଦ୍ଧ’ ସାପ୍ତାହିକ ପତ୍ରିକା ସେତେବେଳେ ନିୟମିତ ପ୍ରକାଶ ପାଉଥାଏ ଓ ଦ୍ୱିତୀୟ ମହାଯୁଦ୍ଧକୁ “ଜନଯୁଦ୍ଧ” ରୂପେ ତହିଁରେ ବର୍ଣ୍ଣନା କରାଯାଉଥାଏ ରୁଷ୍ ବିରୁଦ୍ଧରେ ହିଟ୍‌ଲରଙ୍କ ଯୁଦ୍ଧଘୋଷଣା ପରଠାରୁ । ଏହା ଯେ ସାମନ୍ତଶ୍ରେଣୀ ଫାସିଷ୍ଟ୍‍ବାଦର ସର୍ବହରାଶ୍ରେଣୀ ଜନତା ଉପରେ ଆକ୍ରମଣ—ଏହା ହିଁ ଥିଲା ‘ମୁକ୍ତିଯୁଦ୍ଧର’ ପ୍ରତିପାଦ୍ୟ ବିଚାରଧାରା-। ଏହି ଆକ୍ରମଣକୁ ପ୍ରତିହତ କରିବାପାଇଁ ରୁଷଦେଶର ଆବାଳବୃଦ୍ଧବନିତା ଯେଉଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ, ‘ମୁକ୍ତିଯୁଦ୍ଧ’ର ପ୍ରତି ସଂଖ୍ୟାରେ ତାହାରି ଲୋମହର୍ଷଣକାରି ବର୍ଣ୍ଣନା-

 

‘ମୁକ୍ତିଯୁଦ୍ଧ’ରେ ଲେଖିବାପାଇଁ ସେତେବେଳେ “କୁନି”କୁ ମଧ୍ୟ ହାତବାରିସୀ କରିଥିଲା ଭାଗୁ-। ଦଶ ଏଗାର ବର୍ଷର ଝିଅ କୁନି ସେତିକିବେଳୁ ଲେଖିବାକୁ ଆରମ୍ଭ କରେ ହିଟ୍‍ଲରୀ ଫାସିଷ୍ଟ୍ ଆକ୍ରମଣ ବିରୁଦ୍ଧରେ ରୁଷ୍ ଜନଯୁଦ୍ଧର ଆବାଳବୃଦ୍ଧବନିତାଙ୍କର ପ୍ରାଣମୂର୍ଚ୍ଛା ପ୍ରତିରୋଧର ଦୁଃସାହସିକ କାହାଣୀ ।

 

ତାହାରିଠାରୁ ଟିକିଏ ବଡ଼ ରୁଷର ବୀର ବାଳିକା ଜୋୟା— ଜଙ୍ଗଲ ପାହାଡ଼ରେ ଛପି ରହି କିପରି ଗୋଟିକ ପରେ ଆଉ ଗୋଟିଏ ହିଟ୍‍ଲରୀ ସୈନ୍ୟଙ୍କୁ ହତ୍ୟା କରିଥିଲା ଗୁଳିମାରି । ଆହୁରି କିଭଳି ମାଆ କୋଳରୁ ଛଡ଼ାଇ ନେଇ ଫାସିଷ୍ଟ୍ ସୈନ୍ୟ କାଟୁଥିଲେ କେତେ ନିରୀହ ନିର୍ବୋଧ ଶିଶୁର ମଥା ! “ମୁକ୍ତଯୁଦ୍ଧ”ର ପ୍ରଥମ ପୃଷ୍ଠାରେ ବାହାରେ ଭାଗୁର ହୃତ୍‍କମ୍ପକାରୀ କବିତା—

 

“ଯା’ରେ ମନ ଯା’ରେ !

ରୁଷିଆ ଦେଶକୁ ଚାହଁରେ

ରୁଷିଆ ଦେଶରେ ବସିଛି ଲେନିନ୍

ଟେକିଦେଇଅଛି ବାହାରେ ।

 

ସେଦିନ ଭାଗୁର ଏ କବିତା ପଢ଼ି ମନେ ପଡ଼ିଯାଇଥିଲା ମୋର ବାପାଙ୍କ କଥା—ମୋର “ପୁରୀ ମନ୍ଦିର” କବିତାରେ—

 

“କାଷ୍ଠ ପାଷାଣ ଗଠିତ ହେ ନିର୍ଜୀବ ଦେବତା ମୂରତି !

ଏ ଦେଶ ଶୋଣିତେ ଆଜି ଜାଗ୍ରତ ଯେ ବିଶ୍ୱର କିରତୀ ।”

 

କବିତାଟି ପଢ଼ିସାରି ମୋହପ୍ରତି ବାପାଙ୍କର ଅନୁଯୋଗ— ଜଗନ୍ନାଥଙ୍କୁ ମୁଁ କାଷ୍ଠପାଷାଣ ଗଠିତ ନିର୍ଜୀବ ବୋଲି ଉଲ୍ଲେଖ କରିଥିବାହେତୁ । ସେଇ ଜଗନ୍ନାଥଙ୍କ ସହିତ ପୁଣି ଭାଗୁର ମଧ୍ୟ ରୁଷ୍ ଦେଶର ଲେନିନ୍‌ଙ୍କ ସହିତ ତୁଳନା ! ବାପା ଜୀବିତ ଥିଲେ ଭାଗୁକୁ ଯେ ଆହୁରି ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା । କାରଣ ସ୍ୱୟଂ ଜଗନ୍ନାଥଙ୍କ ସହିତ ସେ ଲେନିନ୍‍ଙ୍କୁ ନେଇ ବସାଇଥିଲା ।

 

ଭଗବତୀର ମୃତ୍ୟୁ ପରେ ମୁଁ ମୋର ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପ୍ରଚାର ସଂସ୍ଥା କାର୍ଯ୍ୟରେ ଯାଏ ମୟୂରଭଞ୍ଜ ! ଭେଟ ହୁଏ ବାରିପଦା ଅତିଥିଭବନରେ ସ୍ୱର୍ଗତ ବ୍ରଜେନ୍ଦ୍ର ନାଥ ପାଲ୍‍ଙ୍କ ସହିତ—ଜାତୀୟ ସମ୍ମାନରେ ବର୍ତ୍ତମାନ ସମ୍ମାନିତ ଶ୍ରୀ ଫନିପାଲ୍‍ଙ୍କ ବଡ଼ ଭାଇ ସେ । ବଙ୍ଗଳାର ନଦିୟାଜିଲ୍ଲା କେଚୁଆଡଙ୍ଗା ଗ୍ରାମରୁ ଆସି ବ୍ରଜେନ୍ଦ୍ର ବାବୁ ରହୁଥାନ୍ତି— ମୟୂରଭଞ୍ଜର କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନରେ କାଠଗୋଦାମର ବ୍ୟବସାୟୀ ରୂପେ । ଆମର ବରିପଦା ଅବସ୍ଥାନରେ ଭାଗୁ ତାଙ୍କ ପାଖକୁ ଯା’ଆସ କରେ ଗୋପନରେ । ବ୍ରଜେନବାବୁ କାର୍ଲମାର୍କସଙ୍କର “ଦାଶ କାପିଟା” (Das Capita) ପୁଣି ପୁଞ୍ଜିବାଦୀ ଓ ବସ୍ତୁବାଦୀ ତର୍କଶାସ୍ତ୍ର, (Dielectical Materialism) ରେ ସୁପଣ୍ଡିତ ।

 

ଭାଗୁର ମୃତ୍ୟୁ ପରେ ବ୍ରଜେନ୍ ବାବୁଙ୍କ ସଙ୍ଗେ ମୋର ଶେଷ ସାକ୍ଷାତ୍‍କାର, ସୁତାହାଟ ‘ଭାରତୀ ତପୋବନ’ ବସାଘରେ । ବ୍ରଜେନ୍ ବାବୁ କୌତୂହଳ ପ୍ରକାଶ କରନ୍ତି କୁନି (ନନ୍ଦିନୀ)କୁ ଦେଖିବାପାଇଁ ବୋଧ ହୁଏ ତାହାର ଲେଖା “ମୁକ୍ତି ଯୁଦ୍ଧରେ’’ ପଢ଼ି ।

 

କୁନିକୁ ଡାକିଲି । ସେ ଆସି ତା’ର ଝାମ୍ପୁଡ଼ା ମୁଣ୍ଡରେ ଠିଆହେଲା ମୋ ପାଖରେ—ବ୍ରଜେନ୍ ବାବୁଙ୍କୁ ଚିହ୍ନାଇ ଦେଲା । ନମସ୍କାର କଲା ସେ, ଗମ୍ଭୀରଭାବରେ ବ୍ରଜେନ୍ ବାବୁକିଛି ସମୟ ତା’ ମୁହଁକୁ ଚାହିଁଲେ । ତା’ ପରେ କହିବାକୁ ଆରମ୍ଭ କଲେ ଗଦ୍ ଗଦ୍‍ ହୋଇ ଅପୁର୍ବ ବଙ୍ଗଳା ଭାଷାରେ—

 

“ତୁ ଦୁର୍ଗା; ତୁ ବିଶ୍ୱଜନନୀ, ତୁ ମହାମାୟୀ—ମୁଁ ତୋ’ର ସନ୍ତାନ, ତୁହି ଏକମାତ୍ର ତ୍ରାଣକର୍ତ୍ତ୍ରୀ ସବୁ ଦୁର୍ଗତିର ଇତ୍ୟାଦି ଇତ୍ୟାଦି” ଏକ ସୁଦୀର୍ଘ ସ୍ତୋତ୍ର ।

 

ତାଙ୍କ କଥା ଶୁଣି ମୁଁ ଅବାକ୍ ଓ ସ୍ତମ୍ଭିତ ହୋଇଗଲି । ବ୍ରଜେନ୍ ବାବୁ ଯେ କଦାପି ପରିହାସ କରିପାରନ୍ତି, ଏହା ତ ଏକାବେଳେ ମୋ କଳ୍ପନାର ବାହାରେ । ଭାବିଲି, ସେ ନିଶ୍ଚୟ ପାଗଳ—ଅଥଚ ଭାଗୁ ତାଙ୍କୁ ଏତେ ଗଭୀର ଶ୍ରଦ୍ଧାକରେ । କିପରି ସେ ତାଙ୍କୁ ମାର୍କସ୍‍ବାଦ ଓ ସର୍ବହରା ବିପ୍ଳବ—ବିଜ୍ଞାନର ଜଣେ ଶ୍ରେଷ୍ଠ ସାଧକ—ବ୍ୟାଖ୍ୟାକାର ପୁଣି ପରମ ଜ୍ଞାନୀ ପଣ୍ଡିତ ଭାବରେ ଓ ନିରୀଶ୍ୱର ବିଚାରକରୂପେ ଧରିନିଏ କିପରି । ବ୍ରଜେନ୍ ବାବୁ ଆହୁରି ଗୋଟାଏ କଥା କହି ମଧ୍ୟ ମୋତେ ବିହ୍ଵଳ ଓ ଆଚମ୍ବିତ କରିପକାନ୍ତି ସେଦିନ । ଭଗବତୀ କୁଆଡ଼େ ତାଙ୍କୁ ଏକାନ୍ତରେ କେତେଥର କହିଛି ଯେ, ମୁହିଁ ଥିଲି ତା’ର ‘‘Political Guru” ରାଜନୀତିର ଗୁରୁ ! ଅଥଚ ମୋ ସହିତ ରାଜନୀତିକ ଯୁକ୍ତି-ତର୍କରେ କେତେ ଯେ ଆକାଶ-ପାତାଳ ଫରକ୍’ ତା’ର ବୁଝିପାରେ ନାହିଁ, କାହିଁକି ସେ ମୋତେ ଏତେ ବଡ଼ ସ୍ଥାନ ଦେଇଥଲା, ଆତ୍ମଧିକ୍‍କାରରେ ଆଜି ବି ସେଥିଲାଗି ଅନ୍ତର ମୋର ଜଳି ଉଠେ । କୁନି ସମ୍ପର୍କରେ ସେତେବେଳେ ଅବଶ୍ୟ ବ୍ରଜେନ୍ ବାବୁଙ୍କ କଥାଗୁଡ଼ିକୁ ମୁଁ ଖୁବ୍ ହାଲୁକାଭାବରେ ଧରି ନେଇଥିଲି । ଭାଗୁ ମଧ୍ୟ କହିବାର ଶୁଣେଁ— ତାଙ୍କୁ ଦଳର ବନ୍ଧୁମାନେ ‘ମୁକ୍ତିଯୁଦ୍ଧ’ରେ କୁନିର ଲେଖା ଦେଖି ଆମଘରେ ସମସ୍ତେ ଗୋଟିଏ ପଥର ପଥିକ ବୋଲି କୁହାକୁହି ହୁଅନ୍ତି ।

 

ଜନ୍ମାବିଧି ସ୍ନେହ ତା’ର କୁନି ଉପରେ । ଆମେ ଖାଲି ଅପତ୍ୟାଣୀ ଝିଅ ବୋଲି ଯେମତି ସବୁ ସ୍ନେହ ଅଜାଡ଼ି ଦେଇଥିଲୁଁ ସେମ‌୍‌ତି ମୁଁ ଲକ୍ଷ୍ୟ କରେଁ ଆଜି— ସେ ବରାବର ମୋର ପୁଣି ଆମ ଘର ବେଷ୍ଟନୀକୁ ଯେମ‌୍‌ତି ସବୁବେଳେ ଭାଙ୍ଗି ରୁଜି ଛିଟିକି ପଡ଼ିଛି ପଦାକୁ ।

 

ନିଃସନ୍ତାନ ହେବାର ଲଜ୍ଜାରୁ ରକ୍ଷା ପାଇବାପାଇଁ ତାକୁ ବଞ୍ଚାଇବାକୁ ଯେତିକି ଯତ୍ନ ସ୍ନେହ ଆଦର ଭିତରେ ବାନ୍ଧି ରଖିବାକୁ ଯାଇଛୁଁ ଆମେ ତାକୁ— ସେତିକି ଯେ ସେ ସବୁ ବନ୍ଧନକୁ ଫିଟାଇ ଦେଇ ଛିଟିକି ପଡ଼ିଛି, ବାପ-ମା’ଙ୍କ ସ୍ନେହର ଅବା ପାରିବାରିକ ସବୁ ବନ୍ଧନ-ବେଷ୍ଟନୀରୁ ମୁକୁଳିଯାଇ-

 

ଅତି ପିଲାଦିନୁ ତା’ର ସେହି ଯାଚକଲେନ୍ ଭିତରେ ରହିଥିଲା-ବେଳେ ନାନା ଉତ୍ପାତର ଆରମ୍ଭ ହୋଇଯାଏ । ଘର ଭିତରେ ମୋର ଯେତେ ଯାହା ପ୍ରିୟ ଜିନିଷ ସେ ସମସ୍ତ ଫିଙ୍ଗି ଫୋପାଡ଼ି ଭାଙ୍ଗି ରୁଜି ଦେବା ଯେ ତା’ର ସବୁବେଳେ ଥିଲା ବଡ଼ବିଳାସ । ଅଗଣା ମଝିରେ ରୋଷେଇଘର ପାଖେ କୂଅଟିଏ ! ଘରକରଣା କେତେ ଜିନିଷର ସେହି କୂଅ ଭିତରେ ଯେ ହୋଇଛି ଜଳ ସମାଧି ।

 

ଆମେ ସମସ୍ତେ ଚାହୁଁ ଚାହୁଁ ଏପରିକି ସେଇ ଛୋଟିଆ ଦୋତାଲା ଘର ଉପରୁ କେତେ ଜିନିଷ ସିଧା ଆସି ଜଳମଗ୍ନ ହୁଏ କୂଅ ଭିତରେ, ଦିନେ ଏମ‌୍‌ତି ସେତେବେଳର ଖୁବ୍ ଦାମିକା ମୋର Westend ରିଷ୍ଟ ଓ୍ଵାଚଟା ଦୋତଲା ଝରକା ବାଟେ ଆସି ଏକାବେଳେ କୂଅଭିତରେ ।

 

କାଚ-ଶଙ୍ଖ ବାସନ ବା କାଚଗ୍ଲାସ କିଣିବା କିମ୍ବା ରଖିବା ଏକା-ବେଳେ ବନ୍ଦ କରିଦେଲି । ଭାଗୁ ମଧ୍ୟ ତା’ର ଚଷମାକୁ ଆଖିରୁ କାଢ଼ି ବାହାରେ ଥୋଇବାକୁ ବିପଦ ଜ୍ଞାନକରେ । ଥରେ ଏମ‌୍‌ତି ବନ୍ଧୁ ଶ୍ରୀ ନବକୃଷ୍ଣ ଚୌଧୁରୀ ଆମ ଘରକୁ ଯାଇଥାନ୍ତି । ହସଖୁସି ଗପ ଚାଲିଛି, ଭାଗୁ ତ ସେମ‌୍‌ତି ଗପ କହିବାରେ ଓସ୍ତାଦ୍ । ଏମ‌୍‌ତି ଗୋଟାଏ କ’ଣ ଗପ କହୁଥିଲା ସେ ଗୁଲିଖଟି ବିଷୟରେ ।

 

ଗୁଲିଖଟିରେ ଜଣେ ଗପୁଥାଏ ତା’ ସାଙ୍ଗ ଆଗରେ ନିଜର ଅଭିଜ୍ଞତା— ଆଜିକାଲି ଡାକ୍ତରମାନେ ଯେପରି ଅସ୍ତ୍ରଚିକିତ୍ସା କରୁଛନ୍ତି ତାହାର ଖୁବ୍ ତାରୀଫ୍ କରି । ଗାଲ୍ପିକର ଜଣେ ସାଙ୍ଗର କୁଆଡ଼େ ଅଣ୍ଟା ଧରିଲା ଯେ, ସେ ମାସ ମାସ ବିଛଣାରେ ପଡ଼ି ରହି ଉଠି ବସି ପାରିଲାନି, ଡାକ୍ତର ଆସି ଅଣ୍ଟାକୁ ତା’ର କାଟିଦେଲା । ଆଉ ଗୋଟାଏ ଗାଈ ସେଠାରେ ଚରୁଥାଏ, ସେ ଗାଈର ପଛପଟୁ କାଟି ଆଣି ସାଙ୍ଗ ଅଣ୍ଟାରେ ଯୋଡ଼ିଦେଲା । ଏବେ ସାଙ୍ଗ ତା’ର ଖୁସିରେ ବଜାର ହାଟକରି ହଳପାଳ କାମ କରୁଛି, ଆଉ ସନ୍ଧ୍ୟାରେ ଘରକୁ ଫେରିଲେ ତାହାରିଠାରୁ ଦିନକୁ ଦେଢ଼ସେର ଗାଈଦୁଧ ଦୁହାଁ ହେଉଛି ।

 

କଥାଟା ଶୁଣି ନବବାବୁଙ୍କ ସମେତ ସମସ୍ତେ ଆମେ ହସୁଥାଉଁ; ସେତିକିବେଳେ କୁନି କେଉଁଠି ଥିଲା ଘରଭିତରୁ ଛୁଟି ଆସେ । ଭାଗୁ ହାଁ ହାଁ କରୁଥିବା ଭିତରେ ଚଟ୍ କରି ଟେବୁଲ ଲ୍ୟାମ୍ପ୍‍ର ସୁନ୍ଦର ଶଙ୍ଖ ଧଳା ଡୁମ୍‍ଟା ଉଠାଇ ସାଙ୍ଗେ ସାଙ୍ଗେ ତଳେ କଚାଡ଼ି ତାହାକୁ ଚୂନା କରିଦିଏ । ସେତେବେଳେ ମୋର ଦୁଃଖ, ବିରକ୍ତି, କ୍ରୋଧ ସହିତ ଭାଗୁର ହସ ସୃଷ୍ଟିକରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଏମ‌୍‌ତି ଗୋଟିଏ ଦୁର୍ଘଟଣା । ତଥାପି ସବୁ ଉତ୍ପାତକୁ କୁନିର ଆମେ ବରଦାସ୍ତ କରୁଥାଉଁ, କାରଣ ଯୋଡ଼ିଏ ଶିଶୁ ମରିଯିବା ପରେ ସେଇ ଗୋଟିକ ବଞ୍ଚି ରହିଥିବାରୁ ଅକସ୍ମାତ୍ ।

 

କ୍ରମେ ତା’ର ସେଇ ପ୍ରକୃତି ଘର ଭିତରେ ପୂରାପୂରି ମୁରବୀ ପଣିଆରେ ପରିଣତ ହୋଇପଡ଼େ । ମୋ ବୋଉଙ୍କଠାରୁ ଆରମ୍ଭ କରି ସାନ ପୁଅ ପର୍ଯ୍ୟନ୍ତ ଆମ ଯୌଥ ପରିବାରଟିରେ ଯାହାର ଯେବେ ଅସୁସ୍ଥ ଅବସ୍ଥାରେ ସେବାଶୁଶ୍ରୂଷା କରିବା ଥିଲା ତା’ର କର୍ତ୍ତବ୍ୟ ।

 

ବୋଉ ମଧ୍ୟ ତାକୁ ଏତେ ବେଶି ଭଲ ପାଉଥିଲେ ଯେ, ଗାଁରେ ଥିବା ସମୟରେ କୁନି ଥରେ ଅସୁସ୍ଥ ହୋଇ ପଡ଼ିବାରୁ ସେ ଜାଣିଲା ପରି ସେଇ କଥା କହି ଗାଁରେ ଅସ୍ଥିର ବିକଳ ହୁଅନ୍ତି । ଏତେ କମ୍ ବୟସରୁ ପାରିବାରିକ ଦାୟିତ୍ୱ ତୁଲାଇବାରେ ମଧ୍ୟ ତାହାର ସାହାଯ୍ୟ ଯେତିକି ମୁଁ ଭୁଲି ପାରୁନାହିଁ, ସେତିକି ସେ ମୋର ହାତଛଡ଼ା ହୋଇ ବହୁ ଉଦ୍‌ବେଗ ଉତ୍କଣ୍ଠାର କାରଣ ହୋଇଛି । କବୀଶ୍ୱର ବ୍ୟାସତନୟ ଶୁକ ମହାମୁନି ମାତୃଗର୍ଭରୁ ଜନ୍ମନେବା ପୂର୍ବରୁ ମାଗିଥିଲେ ଖଣ୍ଡିଏ କୌପୀନ । ତା’ପରେ କୌପୀନ ପିନ୍ଧି ଜନ୍ମ ନିଅନ୍ତେ ସଙ୍ଗେ ସଙ୍ଗେ ତାଙ୍କର ଗୃହତ୍ୟାଗ—ସନ୍ୟାସ-

 

ଜନ୍ମ ମାତ୍ରେ ପୁତ୍ରର ସନ୍ୟାସ ବ୍ରତ ଗ୍ରହଣରେ ବିବ୍ରତ ହୋଇପଡ଼ନ୍ତି କବୀଶ୍ଵର, ଅନୁଗମନ କରନ୍ତି ପୁତ୍ରଙ୍କୁ ଲେଉଟାଇ ଆଣିବା ପାଇଁ; ମାତ୍ର ଆଜନ୍ମ ସନ୍ନ୍ୟାସୀ ମହାମୁନି ଶୁକଦେବ, ବିଶ୍ଵସ୍ରଷ୍ଟା ଈଶ୍ଵରଙ୍କ ମୁଖରୁ ଶୁକପକ୍ଷୀ ଜନ୍ମରେ ଭାଗବତ ଶୁଣି ବ୍ୟାସପତ୍ନୀଙ୍କ ଗର୍ଭରେ ପ୍ରବେଶ କରିଥାନ୍ତି ଦେବ ଦେବ ମହାଦେବଙ୍କ ତାଡ଼ନାରେ । ଈଶ୍ଵର ପାର୍ବତୀଙ୍କ ସମକ୍ଷରେ ଭାଗବତ ପାଠ କରୁଥିବା ସମୟରେ ପାର୍ବତୀ ନିଦ୍ରାଭିଭୂତା ହୁଅନ୍ତି । ଶୁକପକ୍ଷୀ ବୃକ୍ଷଡାଳରେ ବସି ଭାଗବତ ଶୁଣୁଥାଏ । ଶିବ ତାହା ଜାଣି ପକ୍ଷୀଟିକୁ ତାଡ଼ନା କରିବାରୁ ସେ ଉଡ଼ି ଉଡ଼ି ଯାଇ ବ୍ୟାସପତ୍ନୀଙ୍କ ଗର୍ଭରେ ପ୍ରବେଶ କରେ ।

 

କୁନିକୁ ଘରଭିତରେ ବନ୍ଦୀକରି ରଖିବା ସେଇଭଳି ଅସମ୍ଭବ ହୋଇପଡ଼େ । ଯେଉଁସବୁ ଉପାୟକୁ ଦିନେ କୁସଂସ୍କାର ବୋଲି ବିଚାର କରି ମଧ୍ୟ ନିଜ ବିବେକକୁ ଜଳାଞ୍ଜଳି ଦେଇ ତାହାରି ଆଶ୍ରୟ ନିଏଁ, ଏବେ ସେଇ କୁନି ପିଲାଦିନୁଁ ଆମପାଖରୁ ଦୂରେଇ ଯିବା ବଡ଼ କଷ୍ଟଦାୟକ ହୁଏ । ମାତ୍ର ନିରୁପାୟ ହୋଇ ରହିବାକୁ ପଡ଼େ । କବିସୂର୍ଯ୍ୟଙ୍କ ଭାଷାରେ ଜଣାଇବାକୁ ମନ ଧାଏଁ—ଦେଲ ଯାହା ନେଲ ତାହା, ଏଥକୁ କିପାଇଁ ମହା ଦାତା ପଣେ ପତାକା ବାନ୍ଧିଛ ହେ ମହାପ୍ରଭୋ !

 

ଡଗର ପଡ଼ାର ଡଗର ଗଲାରେ କାହିଁ

 

ଏଇ ଦ୍ଵିତୀୟ ମହାଯୁଦ୍ଧ ସମୟରେ ହିଁ ଆମ ପରିବାର ଭିତରେ ଯେପରି ଅବା ଗୋଟିକ ପରେ ଆଉ ଗୋଟିଏ ବିଚ୍ଛେଦର ଘନଘଟା ଘୋଟିଆସେ । ସେଦିନ ସନ୍ଧ୍ୟାରେ ଭାରତ-ସେବକ-ସମାଜର ସଦସ୍ୟ ଓ ଭଗବତୀର ସହପାଠୀ ବନ୍ଧୁ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର ମୋ ଘରକୁ ଆସି ଜଣାନ୍ତି—ଭାଗୁ ଗଞ୍ଜାମ ଜିଲ୍ଲା ଗସ୍ତରୁ ଫେରି ଅକସ୍ମାତ୍ ଅସୁସ୍ଥ ହୋଇ ପଡ଼ିଛି । ତହୁଁ ତାକୁ ଆମ୍ବୁଲାନସରେ ଡାକ୍ତରଖାନାକୁ ପଠାଇ ଦିଆହୁଏ ।

 

ଖବର ଶୁଣି ତଟସ୍ଥ ହୋଇଯାଏଁ ଅବା, ଭାଗୁ ସେ କେବେ ଅସୁସ୍ଥ ଅବସ୍ଥାରେ ଶଯ୍ୟାଶାୟୀ ହୋଇ ରହିଥିଲା ତା’ର ପିଲାଦିନୁଁ ସେ ପର୍ଯ୍ୟନ୍ତ କୌଣସି ଘଟଣା ମୋର ମନେ ପଡ଼େନାହିଁ । ଅଗତ୍ୟା ଯାଏଁ ଡାକ୍ତରଖାନା । ରଖାହୋଇଛି ତାକୁ କଲେରା ୱାର୍ଡ଼ରେ, ଦିଆଯାଉଛି ସାଲାଇନ୍ । ଡୋଳାଯୋଡ଼ିକ କୋଟରଗତ, ଦୂରରୁ ମୋତେ ଦେଖି ହାତଠାରି ମନା କଲା, ପାଖକୁ ତା’ର ନ ଯିବା ପାଇଁ; ମାତ୍ର ମନା ତା’ର ମାନନ୍ତା କିଏ ?

 

ତା’ର ଚିକିତ୍ସକ ଡାକ୍ତର ପାଖକୁ ଆସନ୍ତି । ଭାଗୁ ତାଙ୍କୁ ଇଂରାଜୀରେ ପଚାରେ—“Well doctor—What do you find ? — କ’ଣ ଦେଖୁଛନ୍ତି ଡାକ୍ତର ?”

 

ଡାକ୍ତରଙ୍କ ଜବାବ୍‍ଟା ମଧ୍ୟ ମୋର ମନେରହିଛି । ସେ ଯେମ‌୍‌ତି ଅବା ହାଲୁକା ସ୍ୱରରେ କହିଲେ—Men may come and men may go, but I go on forever— ଇଂରେଜ କବି ଟେନିସନ୍‍ଙ୍କ “ଜୀବନ ନଦୀ” (River of life) କବିତା । ସୀମିତ ପରମାୟୁ ଭିତରେ ମହାଜୀବନର ଚିରନ୍ତନ ଗତିକୁ ଲକ୍ଷ୍ୟ କରାଯାଇଛି ।

 

ପରିଚିତ ଅପରିଚିତ ଡାକ୍ତରମାନଙ୍କ ସହିତ ପରାମର୍ଶ କରେଁ— ଭାଗୁର ଇଚ୍ଛା--ସେ କଲେରା ୱାର୍ଡରେ ନ ରହି ଅନ୍ୟ କେଉଁଠିକି ଯାଆନ୍ତି; ମାତ୍ର ଡାକ୍ତରଖାନାରେ ତ ସେ ବ୍ୟବସ୍ଥା ନାହିଁ-। ଉପାୟ ଖୋଜି ମିଳେ ନାହିଁ । କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼େ ମୁଁ । ପ୍ରତି ମୁହୂର୍ତ୍ତ, ଗୋଟାଏ ଗୋଟାଏ ଦିନ ଭଳି ପୁଣି ଗୋଟାଏ ଦିନ ଯୁଗ ଭଳି ଲାଗେ ମୋତେ । କାହିଁହେଲେ ବୁଦ୍ଧିବାଟ ଦିଶେନାହିଁ ।

 

ସେତେବେଳେ ଦେଶବ୍ୟାପୀ ଘୋର ଦୁର୍ଦ୍ଦିନ । ବମ୍ବେ କଂଗ୍ରେସ “ଭାରତଛାଡ଼” ପ୍ରସ୍ତାବ ଗ୍ରହଣ କରିଥିବା ହେତୁ ଚାରିଆଡ଼େ ଧରପଗଡ଼ ଚାଲିଥାଏ । ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ, ସର୍ଦ୍ଦାର ପଟେଲ-ପ୍ରମୁଖ ତୁଙ୍ଗନେତାମାନଙ୍କୁ ଅଜ୍ଞାତ ସ୍ଥାନରେ ବନ୍ଦୀ କରାଯାଏ । ତାହା ପୁଣି ଜ୍ଞାତହୁଏ ଆଗାଖାଁ ପ୍ୟାଲେସ୍ ନାମରେ ସେମାନେ ମୁକ୍ତ ହେବା ପରେ ।

 

ଦେଶଭକ୍ତମାନେ ହିଁ ସେତେବେଳେ ବିଚାର୍ଯ୍ୟ ହୁଅନ୍ତି ଦେଶଦ୍ରୋହୀ ଭାବରେ । ଅବଶ୍ୟ ବିଚାର କରିବାର ଅବକାଶ ନ ଥାଏ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦୀ ସେମାନେ । ସାରା ଭାରତବର୍ଷରେ ଯେପରି ଅବା ଘୋଟିଯାଏ ଏକ ନିବିଡ଼ ଅନ୍ଧକାର ।

 

ଡାକ୍ତରଖାନାରେ ଭଗବତୀ ଜିଦ୍ ଧରନ୍ତି, ଘରକୁ ଫେରିଆସିବାପାଇଁ । ମୁଁ ପ୍ରସ୍ତାବକରେଁ ସୂତାହାଟରେ ମୋ ଭଡ଼ାଘରକୁ ଆଣିବା ଲାଗି ତାକୁ; କିନ୍ତୁ ଭାଗୁର ଏକାନ୍ତ ଇଚ୍ଛା, ଡଗରପଡ଼ାରେ ସେ ସ୍ଵତନ୍ତ୍ର ଭଡ଼ାନେଇଥିବା ଘରକୁ ଯିବାପାଇଁ । ପ୍ରଥମେ ଡାକ୍ତରଖାନାରେ ସାଲାଇନ୍ ନେଉଥିବାବେଳେ ମୁଁ ଯେଉଁ ଅବସ୍ଥାରେ ତାକୁ ଦେଖିଥିଲି, ସେ ଅବସ୍ଥାରେ କୌଣସି ଉନ୍ନତି ବୋଧକଲି ନାହିଁ । ତେଣୁ ଡାକ୍ତରଙ୍କ ପରାମର୍ଶ ନିଏଁ । ତାହାର ଚିକିତ୍ସକ ମଧ୍ୟ ଘରକୁ ନେବାପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ଘରକୁ ଆସି ମଧ୍ୟ ଅବସ୍ଥାର କିଛି ପରବର୍ତ୍ତନ ଘଟେନାହିଁ । ଅକ୍ଟୋବର ୨୩ ତାରିଖ ୧୯୪୩ ମସିହା ରାତିଅଧରେ ଖବର ପାଏଁ ଅବସ୍ଥା ସଙ୍କଟାପନ୍ନ । ସାଇକେଲରେ ଚଢ଼ି ଗୋଡ଼ ଦି’ଟା ମୋର ଅବା ପେଡ଼ଲ କରି ପାରେନାହିଁ । ଛାତି ଭିତରୁ ବାହାରି ଆସେ ଗୋଟିଏ ନିଆଁ ହୁଳା ଯେମ‌୍‌ତି । ଆଜିବି ସେ ହୁଳାଟା ନିଭିଲା ନାହିଁ ଆଜିକି ପ୍ରାୟ ତିରିଶିବର୍ଷ ପରେ ମଧ୍ୟ । ଛାତିଭିତରୁ ଗୋଟାଏ ହାହାକାର ଉଠେ ଆଜି ବି ମଝିରେ ମଝିରେ ।

 

ପହଞ୍ଚି ଦେଖେଁ—ଅବସ୍ଥା ସଙ୍କଟାପନ୍ନ । ସଙ୍ଗେ ସଙ୍ଗେ ଡାକ୍ତର ଶ୍ରୀ ସନାତନ ମୁଖାର୍ଜିଙ୍କୁ ଡାକେଁ, ମାତ୍ର କାହିଁ ରେ କିଛି ହୁଏନାହିଁ । ଭାଗୁପାଖରେ ଯାଇ ଠିଆ ହୁଏଁ ପାଟିରେ ତା’ର ପାଣି ଟିକିଏ ଟିକିଏ ଦେଉଥାନ୍ତି ମୋ ପରମ ବନ୍ଧୁ ଆଡ଼ଭୋକେଟ ଶ୍ରୀ ଜଗତବନ୍ଧୁ କର । ଭାଗୁ ମୁହଁରେ ଶୁଣିଲା ଭଳି ମୋତେ ବୋଧହେଲା—“ମୋ କଥା ବୁଝ୍” ସେତିକି ଶୁଣି ଚତୁର୍ଦ୍ଦିଗ ମୋତେ ଅନ୍ଧାର ଦେଖାଗଲା । ସଙ୍ଗେ ସଙ୍ଗେ ଯାଏ ବନ୍ଧୁ ହରିହର ମହାପାତ୍ରଙ୍କ ଘରକୁ । ସେଇଠୁଁ ଫେରି ଦେଖେଁ ସବୁ ଶେଷ ।

 

ଦୁନିଆ ଭିତରେ କେହି ଯେ କାହାକୁ ବି ବଞ୍ଚାଇ ପାରେନି, ପୁଣି ଭାଗୁର ଶେଷ ଅନୁରୋଧ ମୁଁ ଯେ ରଖି ପାରିଲିନି—ଜୀବନର ଏଇ ଚରମ ବ୍ୟର୍ଥତା ପଦେ ପଦେ ମୋତେ ସେହି ଦିନୁଁ ଅନୁସରଣ କରେ ଅବା ! ଯୁଆଡ଼େ ଯାଏଁ, ଯେଉଁଠି ରହେଁ – ସବୁଠାରେ ଯେମ‌୍‌ତି ମୃତ୍ୟୁ ଶଯ୍ୟାରେ ତା’ର ସେଇ କାତର ଆକୁତି–“ମୋ କଥା ବୁଝ୍” ! ହାଇରେ ମରଣ-ମୁଖୀ ଦୁନିଆ ! ଯୁଆଡ଼େ ମୁହଁ ଫେରାଇଲେ ଯେ ଖାଲି ସେଇ ଗୋଟାଏ ଆକୁତି“ମୋ କଥା ବୁଝ” ! “ମୋତେ ବଞ୍ଚାଅ !” ଅଥଚ କିଏ ଯେ କାହାକୁ ବଞ୍ଚାଏ ଗୋଟା ଦୁନିଆଁ ଭିତରେ କେଉଁଠି ? ଗାଁରେ ମୋର ବୋଉ ଭଉଣୀ ପୁତୁରା (ନୀହାର) ପୁଣି ମୋର ବଡ଼ଝିଅ କୁନି (ନନ୍ଦିନୀ) ଥାନ୍ତି । ଭାଗୁ ଅସୁସ୍ଥ ହୋଇ ଡାକ୍ତରଖାନା ଯିବାବେଳୁ ମନାକରି ଦେଇ ଥାଏ ସେ, ବୋଉକୁ ଖବର ନଦେବା ପାଇଁ । ବୋଉ ସେଥିପାଇଁ ପରେ ମୋତେ ଅବଶ୍ୟ ଶାସନ କରି କହନ୍ତି, ସେ ଆସିଥିଲେ ଭାଗୁକୁ ଯମ କଦାପି ନେଇପାରି ନଥାନ୍ତା । ଅଥଚ ତାଙ୍କରି ଆଗରୁ ତ ବଡ଼ ପୁଅକୁ ମଧ୍ୟ ତାଙ୍କର ନେଇଗଲା !

 

ତଥାପି ଲୁଚି ରହେନାହିଁ ଖବର । ମାମୁଁ ପୁଅ ଭାଇ କବିରାଜ ଶିନୁଭାଇନା ଦୌଡ଼ିଆସନ୍ତି ବିକଳହୋଇ ଗାଁରୁ । ନାଡ଼ୀଦେଖି ସେ କକର୍ଥନ ହୋଇ କାନ୍ଦିପକାନ୍ତି ବୋଲି ଭାଗୁଠାରୁ ଶୁଣେଁ । ବନ୍ଧୁ ହରିହର ମହାପାତ୍ର, ଡାକ୍ତର ବନବିହାରୀ ପଟ୍ଟନାୟକ ପ୍ରମୁଖ ଆସନ୍ତି ମୃତ୍ୟୁଖବର ପାଇ । ଅଭିଯୋଗ ହୁଏ ଡାକ୍ତରଖାନାରେ ଅବହେଳା ପୁଣି ଚିକିତ୍ସା ଅଭାବରୁ ଏଇ ଦୁର୍ଘଟଣା ଘଟେ–ଚୋର ପଳେଇଲେ ବୁଦ୍ଧି ଦିଶେ । ସତୀଚଉରାରେ ଶେଷକ୍ରିୟା । କମ୍ରେଡ଼୍‍ମାନେ ଡାକନ୍ତି ମୋତେ ଶ୍ମଶାନକୁ । ଗଲିନାହିଁ, ଯେହେତୁ ଆଜି ସୁଦ୍ଧା ମୁଁ ବିଶ୍ୱାସ କରିବାକୁ ଚାହେଁନି, ମୋହ ଶବ ଶ୍ମଶାନକୁ ଯିବା ଆଗରୁ ଭାଗୁ ଶବ ଯିବ ବୋଲି । ବୋଧହୁଏ ମୋ ବିଶ୍ୱାସଟା ପୂରା ପୂରି ଠିକ୍ ! ସ୍ଵାମୀ ବିଚିତ୍ରାନନ୍ଦ ଦାସ ପ୍ରମୁଖ ପରାମର୍ଶ ଦିଅନ୍ତି ମୋତେ ଶୁଦ୍ଧିକ୍ରିୟା ନିରାଡ଼ମ୍ବର ଭାବରେ କରିବାକୁ ।

 

ସପରିବାର ଯାଏଁ ପୁଣି ସେଇ ଆମର ଜନ୍ମସ୍ଥାନ ଗାଁ ମାଟିକୁ । ବୋଉଙ୍କୁ ବୁଝାଇବା ଚେଷ୍ଟାରେ ମୁଁ କହେଁ--ତୋ’ର ଏକା ସେ ତ ପୁଅ ନୁହେଁ । ଦେଶର ଗୋଟିଏ ପୁଅ ଚାଲିଯାଇଛି—ହାହାକାର କରୁଛନ୍ତି ଦେଶବାସୀ ।

 

ବୋଉ ଚିତ୍କାର କରି ଉଠନ୍ତି–ତୁ ମୋତେ କି କଥା କହି ବୁଝାଇବାକୁ ଯାଉଛୁରେ । କଥାଟା ଶୁଣି ତାଙ୍କର ଏଡ଼େଟିକିଏ ହୋଇପଡ଼େଁ ମୁଁ ।

 

କ୍ଷୋଭ ଓ ଗ୍ଲାନିରେ ଜଳି ଉଠେ ଛାତିଭିତରଟା ମୋର । ସତେ ମୁଁ କେଉଁ ଭାଷାରେ କେଉଁ ମୁହଁରେ ସାନ୍ତ୍ୱନା ଦେବାକୁ ଯାଉଛି ପୁତ୍ରହୀନା ମାତୃପ୍ରାଣରେ !

 

ଆମର ଯୌଥ ପରିବାର ଭିତରେ ଭାଗୁର ମୃତ୍ୟୁ ଯେପରି ଅବା ସବୁଠାରୁ ଗୋଟାଏ ବଡ଼ ଫାଙ୍କ୍ ସୃଷ୍ଟି କରିଦେଲା—ଯାହା ଆଉ ପୂରଣ ହେବାର ସମ୍ଭବନୁହେଁ ।

 

ଗାଁରୁ ଫେରିଆସୁଁ ସମସ୍ତେ କଟକର ସେଇ ସୂତାହାଟ “ଭାରତୀ ତପୋବନ”କୁ । ସେଇଠୁ ପୁଣି ମୋର ଚାଲେ ଦେଶୀୟରାଜ୍ୟ ଭ୍ରମଣ ନିର୍ଘଣ୍ଟ ! ପାଠ୍ୟ ପୁସ୍ତକ ରଚନାପାଇଁ ମଧ୍ୟ ବିଧିବଦ୍ଧ ଯୋଜନା ପୂର୍ବ ଗତିରେ ଚାଲିଥାଏ । ଆହୁରି ଜୁଟିଯାଏ ଆସି ଗୋଟିଏ କାମ— ଜୀବନବୀମା କମ୍ପାନୀର ସଙ୍ଗଠକ—ସେଇଭଳି ଅଯାଚିତ ଭାବରେ ।

 

ଦେଶୀୟ ରାଜ୍ୟ ଭ୍ରମଣରେ ମୋହଦ୍ୱାରା ଜୀବନବୀମା କାର୍ଯ୍ୟ ପ୍ରସାର ଘଟିବା ଆଶା କରି ହିନ୍ଦୁସ୍ତାନ କୋ-ଅପରେଟିଭ୍ ସୋସାଇଟିର ସ୍ଥାନୀୟ କର୍ମକର୍ତ୍ତାମାନେ ଏହି ଦିଗରେ ମୋତେ ପ୍ରବର୍ତ୍ତାନ୍ତି ।

 

ମୃତ୍ୟୁ ପରେ ଚାଲେ ଯଥାରୀତି ଶୋକସଭା ଓ ପତ୍ର ପତ୍ରିକାରେ ଶୋକ ପ୍ରକାଶ । ବମ୍ବେ କଂଗ୍ରେସ କମିଟି ବୈଠକରେ “ଭାରତ ଛାଡ଼” ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ନେତାମାନଙ୍କୁ ଗିରଫ୍ କରି ଆଗାଖାଁ ପ୍ରାସାଦରେ ଅଜ୍ଞାତବାସ । ସେଠାରୁ ଶୋକବାର୍ତ୍ତା ଲେଖି ପଠାଇଥାନ୍ତି ଶ୍ରୀ ହରେକୃଷ୍ଣ ମହତାବ । ଶୋକବାର୍ତ୍ତାଟି ମୋର ହସ୍ତଗତ ହୁଏ ତାଙ୍କ ସାନଭାଇ ଶ୍ରୀ ଗୋପୀନାଥ ବାବୁଙ୍କ ଜରିଆରେ ।

 

ସେଥିସହିତ ଏକାଧିକ ବନ୍ଧୁଙ୍କ ଶୋକବାର୍ତ୍ତା ପାଇ ସେଗୁଡ଼ିକର ଉତ୍ତର ଦେବା ସୁଦ୍ଧା ମୋହ ପକ୍ଷରେ ସମ୍ଭବପର ହୁଏନାହିଁ । ଆହୁରି କେତେ ବନ୍ଧୁ ନିଜେ ଆସି ମୋତେ ସମବେଦନା ଜଣାନ୍ତି । ମନେ ପଡ଼େ, ଶ୍ରୀ ନବକୃଷ୍ଣ ଚୌଧୁରୀ ଲେଖିଥିଲେ–ଭଗବତୀର ମୃତ୍ୟୁ ଖବର ପାଇ ମୋର ମନେହୁଏ, ତାହା ବଦଳରେ ମୁଁ ହେଲେ ମରିଯାଇଥାନ୍ତି । “ସମାଜ” ସମ୍ପାଦକ ରାଧାନାଥ ବାବୁ ମଧ୍ୟ ସେଇ କଥା କହନ୍ତି, ଶୋକ ସଭାରେ ତା’ର ସଭାପତିତ୍ୱ କରି କଟକ ଟାଉନ ହଲରେ । ମୋ ବୋଉ ବି ସେମ‌୍‌ତି କାନ୍ଦନ୍ତି, ଯମ ତାଙ୍କୁ ନ ନେଇ ତାଙ୍କ ପୁଅକୁ ଆଗ ନେବାର ଅନ୍ୟାୟ କରିଥିବା ଯୋଗୁଁ ମୋର ବି ସେମ‌୍‌ତି ଭାବସଂକ୍ରମଣ ଜାତ ହୁଏ ମୁଁ ତା’ର ବଡ଼ ଭାଇ ହୋଇ ଆଗରୁ ନ ଯାଇ ପଛରେ ପଡ଼ିଯାଇଥିବା ହେତୁ । କିନ୍ତୁ—

 

“ଯମ ତ ନ ଜାଣଇ ବାଳୁତ ଯୁବା

ଜୀଇଁବୁ ବୋଲି ସଦା ପାଞ୍ଚିଛୁ ଅବା”

 

ଆହୁରି ଯୁକ୍ତି— ମୁଁ ଆଗରୁ ଯାଇଥିଲେ ଭାଗୁ ବିଷୟରେ ଏତେ କଥା ଲେଖନ୍ତା କିଏ ? ପ୍ରଶ୍ନ ମଧ୍ୟ ଉଠେ–କାହାରି ବିଷୟରେ କିଛି ଲେଖା ନ ହେଲେ ବି ଦୁନିଆର ଯାଏ ଆସେ କଣ ଅବା-! ତାହା ଭିତରେ କେଉଁ କଥା ଅବା ନ୍ୟାୟାନ୍ୟାୟ, ଉଚିତ ଅନୁଚିତ, ସେତିକି ଖୋଜିବାହିଁ ବୋଧହୂଏ ସାରକଥା-ସେଇ ଅନ୍ଧାରରୁ ଆଲୁଅକୁ ଯିବା-ତମସୋଽମାଂ..ଜ୍ୟୋତିର୍ଗମୟ--ଆହୁରି ଆହୁରି ଆଲୁଅ ! ଯାହାର ତୀବ୍ରତା ଅନ୍ଧ କରିଛି !!

 

ଅଠା କାଠି ପଞ୍ଜୁରୀରେ

 

ବାରଦୁଆର ଶୁଣ୍ଢି ପିଣ୍ଡା ହୋଇ ଶେଷରେ ପୁଣି କଟକ ସହରରେ ଘରଟିଏ କରିବି କି ନାହିଁ, ସେଥିଲାଗି ମୋତେ କେତେ ଯେ ଭାବିବାକୁ ପଡ଼େ ! ବାପା ତ ତାଙ୍କ ଦିହକଟା ପୁରୀରେ କଟେଇ ଦିଅନ୍ତି । ବୋଉଙ୍କଠାରୁ ପିଲାଦିନେ ଶୁଣେ ବାପା ପୁରୀରେ ଆଇନ ବ୍ୟବସାୟ କଲାବେଳେ ଲୋକେ ମାଗଣାରେ ଯାଚିଲେ ବି ସେଠାରେ ସେ ଘର କଲେନାହିଁ । ତାଙ୍କ ଯୁକ୍ତି ଥିଲା–ଗାଁରେ ତ ଘର ଅଛି, ଆଉ ପୁଣି ଘର ହେବ କ’ଣ ? ଆମ ଯୁକ୍ତି ସହର ହେଲା ସଭ୍ୟତାର କେନ୍ଦ୍ର । ସ୍କୁଲ, କଲେଜ, କଚେରୀ ଓ ଅଫିସ – ସବୁତ ସହରରେ ।

 

ଭାଇନା ପ୍ରଥମେ ପୁରୀ ଓ ଶେଷରେ ଭୁବନେଶ୍ୱରରେ ଘରକଲେ । ମୋ ପରିବାର ପୁରୀରେ ରହିବାରୁ ସେ ଘରଟା ନିଅଣ୍ଟ ହୁଏ । ତେଣୁ ମୋ ରୋଜଗାରରୁ ମଧ୍ୟ ପୁରୀ ଘରକୁ ଲାଗି ଆଉ ବଖରାଏ ଡିହ କିଣା ହୋଇ ତହିଁରେ ଘର ତୋଳାଯାଏ ।

 

କଟକରେ ଘର କରିବାକୁ ବେଶି ଆଗ୍ରହୀ ଓ ଅଗ୍ରଣୀ ହୁଅନ୍ତି ମୋର ଗୃହିଣୀ—ମହୁଫେଣାର ରାଣୀ ମାଛି ଭଳି ବା ଉଈହୁଙ୍କାର ରାଣୀ ପିମ୍ପୁଡ଼ି ପରି । ପୁରୀ ସହରରେ ତାଙ୍କରତ ଜନ୍ମ, ଆଉ ଚଳନି । ପୁଣି ଆପଣାର ବୋଲି ଘରଖଣ୍ଡେ ନଥାଇ “ଘରଣୀ” ବୋଲାନ୍ତେ କେମ୍‌ତି ସେ-? କାଠଗଡ଼ା ସାହିରେ ଶିବକୁଟୀରଂ ନିକଟରେ ଗୋଟିଏ ଖାଲଜମି ବିକ୍ରୀ ହେଉଥାଏ । ଜମିର ମାଲିକ ପ୍ରବର୍ତ୍ତାଉଥାନ୍ତି ଖାଲଟାକୁ ପୋତିଦେଲେ ଭଲଜାଗା ବାହାରିବ ଘର କରିବାପାଇଁ ।

 

କଟକରେ ଏମ‌ିତି ତ କେତେ ଖାଲ ପୋତାହୋଇ ଘରତିଆରି ହେଲାଣି । ସେତେବେଳେ ଖାଲ ପୋତି ଘର ତୋଳିବା ପ୍ରଥା କିମ୍ବା ଉପାଦାନ ଏମ‌୍‌ତି ବ୍ୟାପକ ନଥିଲା । ତହୁଁ ମୁଁ ପରାମର୍ଶ କରେଁ ଭାଗୁ ସହିତ । ସେ ତ ଗାଁ କ’ଣ, ସହର କ’ଣ କେଉଁଠି ହେଲେ ଘରକଥା କିଛି ବିଚାରେ ନାହିଁ ଭୁଲରେ ସୁଦ୍ଧା । ଘରଦ୍ୱାର ସଂସାର ପରିବାର ସମସ୍ତ ତା’ପକ୍ଷରେ ସହଜ ବ୍ୟାପାର-। ସେମ‌୍‌ତି ସହଜ ଭାବରେ କଥା ପ୍ରସଙ୍ଗରେ ମୋ ପ୍ରସ୍ତାବଟାକୁ ସେ ଜଣାଇ ଦିଏ ନବବାବୁଙ୍କୁ (ଶ୍ରୀ ନବକୃଷ୍ଣ ଚୌଧୁରୀ) । ତହୁଁ ତାଙ୍କ ମତାମତ ଆସି ମୋତେ ପୁଣି ସେ ଜଣାଏ ହସି ହସି–ନବ ବାବୁ କୁଆଡ଼େ ତାକୁ କହିଲେ, “ହଁ, ସେଇ ଜାଗାଟି ସେ କିଣନ୍ତୁ, ଖୁବ୍ ଭଲ ହେବ । ଆଜିକାଲି ଇଂରେଜ ସରକାର ତ ମାଛଚାଷ ସକାଶେ ଖୁବ୍ ଉତ୍ସାହ ଦେଉଛନ୍ତି । ସେ ଦିଗରୁ କିଛି ରୋଜଗାର ମଧ୍ୟ ତାଙ୍କର ବଢ଼ିଯିବ ଯେ ! ମୁଁ ଯେ ଟିକିଏ ମୁଣ୍ଡ ଗୁଞ୍ଜିବାପାଇଁ ଘରଖଣ୍ଡିଏ କରିବାକୁ ଲୋଡ଼ୁଥିଲି— ମାଛଚାଷ କରିବାକୁ ନୁହେଁ–ସେ ଦୁଃଖଟା କିନ୍ତୁ ନବବାବୁ କିମ୍ବା ଭାଗୁ କେହିହେଲେ ବୁଝିଲେ ନାହିଁ ।

 

ଇଂରେଜ ସରକାରଙ୍କ ଅମଳର ଶେଷ ପର୍ଯ୍ୟାୟରେ ସମବାୟ, କୁଟୀରଶିଳ୍ପ, ମାଛଚାଷ ଆଦି ଗ୍ରାମୋନ୍ନତି ଯୋଜନାଗୁଡ଼ିକ ଉପରେ ଖୁବ୍ ଜୋର୍ ଦିଆଯାଉଥାଏ । ସତେ ଅବା ତାହାରି ବଳରେ ଇଂରେଜ ସରକାର ଆଉ କିଛି କାଳ ଭାରତରେ ତାଙ୍କ ରାଜୁତି କରି ଥକିଯିବେ ବୋଲି ଲୋକପ୍ରିୟ ହେବାକୁ ଏଇ ସବୁ ଉପାୟ କରୁଥାନ୍ତି !

 

ଘର କରିବାକୁ ଯାଗା କିଣି ତହିଁରେ ମାଛଚାଷଦ୍ୱାରା ମୋର ଆୟ ବଢ଼ାଇବାକୁ ଅବଶ୍ୟ ଲୋଡ଼ା ହୁଏନାହିଁ । କେତୁଟା ବର୍ଷ ଟିଉସନରେ ମାସିକ ୧୬ଟଙ୍କା ଓ ‘ଆଶା’ ପତ୍ରିକା ସମ୍ପାଦନା କରି ମାସିକ ୪୦ଟଙ୍କା ଆୟ ଭିତରେ ଚଳିଯାଏ ମୋର ସଂସାର । ସେତେବେଳେ ବାର ଚଉଦ ଟଙ୍କାରେ ତେଲ ଘିଅ ଅଟା ଚିନି ମଇଦା ମସଲା କିଣିଦେଲେ ସୁରୁଖୁରୁରେ ଗୋଟିଏ ପରିବାରର ମାସକ ଖର୍ଚ୍ଚ ପାଇଁ ଯଥେଷ୍ଟ ।

 

ତହୁଁ ଆସେ ଅତି ଅପ୍ରତ୍ୟାଶିତ ଭାବରେ ଗୋଟିଏ ଭଲ ସମୟ । ଯାହାକୁ ଇଂରାଜୀରେ କହନ୍ତି ଜୀବନର Boom Period ଅର୍ଥାତ୍— “ସ୍ଫୀତିର ଯୁଗ” । ପ୍ରତି ମଣିଷର ଜୀବନରେ ଏଇ ଭଳି ଗୋଟାଏ ସମୟ ଆସେ, ଯାହା ହୁଏତ ସେ କେବେହେଲେ ଆଶା କରି ନଥାଏ । କେବଳ ଧୈର୍ଯ୍ୟ-ଅସୀମ ଧୈର୍ଯ୍ୟ ବଳରେ ଏହାପାଇଁ ଅପେକ୍ଷା କରିବାକୁ ହୁଏ । ଏହି ଅବସ୍ଥା ପୂର୍ବରୁ ଜୀବନର ଘୋର ସଂକଟମୟ ପରୀକ୍ଷା ଭିତରେ ଗତି କରିବାକୁ ହୁଏ ତାକୁ । ସେ ପରୀକ୍ଷାରେ ହତାଶ ହୋଇ ଯେ ଭାଙ୍ଗି– ପଡ଼େ, ଜୀବନଯୁଦ୍ଧରେ ହାରିଯାଏ ସେ । ପ୍ରତ୍ୟେକ ବ୍ୟବସାୟୀ, ବୁଦ୍ଧିଜୀବୀ —ଏମ‌୍‌ତି କି ପ୍ରତି ମଣିଷ ହିଁ ଜୀବନ-ଯୁଦ୍ଧର ଏହି ବିଜୟପାଇଁ ପ୍ରସ୍ତୁତ ହେବା ଲୋଡ଼ା ବୋଲି ମୋର ବିଶ୍ୱାସ ଜନ୍ମିଛି ନିଜ ଅଙ୍ଗେନିଭା ଘଟଣାବଳୀରୁ । ସେହି କାରଣରୁ ମୁଁ ନୈରାଶ୍ୟବାଦର ସ୍ଥାୟୀତ୍ୱ କେବଳ ସାମୟିକ ବୋଲି ମୋର ଦୃଢ଼ ବିଶ୍ୱାସ । ମୋ ଜୀବନପାଇଁ ଏଇ ସନ୍ଧିସମୟଟା ବଢ଼ିଯିବା ପରେ ହିଁ ଫିଟିଯାଏ ପୁଣି ଅପ୍ରତ୍ୟାଶିତ ଭାବରେ ତିନିଟା ବଡ଼ ରାସ୍ତା– ଅର୍ଥାଗମ କ୍ଷେତ୍ରରେ—ପାଠ୍ୟପୁସ୍ତକ ରଚନା, ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପ୍ରଚାର ସଂସ୍ଥା ଓ ସେଥିସଙ୍ଗେ ଜୀବନବୀମା ବ୍ୟବସାୟ । କେବଳ ଧୈର୍ଯ୍ୟ ଧରବାଦ୍ୱାରା ହିଁ ଆପେ ଆପେ ଲକ୍ଷ୍ମୀ ଯେପରି ମୋହ ପ୍ରତି ପ୍ରସନ୍ନା ହୋଇ ଉଠନ୍ତି । କେଉଁ ଅଦୃଶ୍ୟ ଅଚିନ୍ତନୀୟ ଲୋକରୁ ।

 

ନିଜେ କେବେହେଲେ ମୁଁ ତାହା ତ ଖୋଜି ଲୋଡ଼ି ଯାଇନାହିଁ; ଅଥଚ ଖୋଜି ଲୋଡ଼ି ଗଲାବେଳେ କେବଳ ହତାଶ ଛଡ଼ା ଆଉ ମୋର କୌଣସି ପ୍ରାପ୍ୟ ସମ୍ବଳ ନଥିଲା । ଏବେ ତିନି ଗୋଟି ସଂସ୍ଥାର କର୍ମକର୍ତ୍ତାମାନେ କିନ୍ତୁ ଛାଏଁ ଆସି ବାରମ୍ବାର ମୋତେ ଅନୁରୋଧ ତୋଷାମଦ କରି ଡାକନ୍ତି ଅବା ତାଙ୍କୁ ମୁଁ ଅନୁଗୃହୀତ କରିବାପାଇଁ ! ଆଉ ସେଇ ଅନୁଗ୍ରହର ଅର୍ଥ କେବଳ ଅର୍ଥଉପାର୍ଜନଶହେ କି, ଦୁଇ ଶହ ନୁହେ, ହଜାର ହଜାର !

 

ପାଠ୍ୟ ପୁସ୍ତକ ପ୍ରକାଶକମାନେ ଘରକୁ ଆସି ଯାଚିଦେଇ ଯା’ନ୍ତି ଅର୍ଥ । ସେଥିଲାଗି ପୁଣି କେତେ ଯେ ଅନୁରୋଧ ଅନୁନୟ—

 

“ଘୋଡ଼ା ନେ, ହାତୀ ନେ

ମୋ ପେଁକାଳି ବଜାଇ ଦେ !”

 

ହିନ୍ଦୁସ୍ଥାନ ଜୀବନବୀମା କମ୍ପାନୀରେ ମୋର ସହକର୍ମୀମାନେ ବିସ୍ମିତ ହୁଅନ୍ତି--ସେ କ୍ଷେତ୍ରରେ ମୋର ଆଶାଗତ ସାଫଲ୍ୟ ଲକ୍ଷ୍ୟ କରି । କଟକରେ ହିନ୍ଦୁସ୍ଥାନ କୋ-ଅପରେଟିଭ ଇନ୍‌ସ୍ୟୁରାନ୍‍ସ କମ୍ପାନୀ ପ୍ରତିଷ୍ଠା କାଳରୁ ଏହା ଉଲ୍ଲେଖଯୋଗ୍ୟ ହୋଇ ରହେ । କେବଳ କଳାହାଣ୍ଡି ମହାରାଜା ଶ୍ରୀ ପ୍ରତାପକିଶୋରୀ ଦେଓଙ୍କ ଜୀବନବୀମା ଦୁଇ ଲକ୍ଷ ଟଙ୍କାରୁ ସଙ୍ଗେ ସଙ୍ଗେ ଏଜେଣ୍ଟ କମିଶନ ମୁଁ ପାଏଁ ଚାରି ହଜାର । ତହୁଁ କଟକରେ ସ୍ଥାୟୀଭାବେ ବସବାସ କରି ରହିବା କଳ୍ପନା ମୋର ବାସ୍ତବ ରୂପରେଖ ଘେନିବାକୁ ଯାଏ ।

 

ଜ୍ୟେଷ୍ଠ ଦିବ୍ୟସିଂହ ଓ କନିଷ୍ଠ ଭଗବତୀଙ୍କ ଜୀବିତାବସ୍ଥାରେ ହିଁ ପିଠାପୁରରେ ଖରିଦ୍ କରିଥାଏଁ ଖଣ୍ଡିଏ ଜାଗା । ତାହା ଅବଶ୍ୟ ସ୍ୱପତ୍ନୀଙ୍କ କଷ୍ଟସଞ୍ଚିତ ଅର୍ଥରେ । ସେ ଜାଗାଟି ମୋର ଦୁଇଭାଇ ମଧ୍ୟ ବୁଲିଦେଖି ଯାଇଛନ୍ତି କିନ୍ତୁ ସେଠାରେ ଘରକରିବାର ପ୍ରାରମ୍ଭ ପର୍ଯ୍ୟନ୍ତ ଦୁହିଁଙ୍କମଧ୍ୟରୁ କେହିହେଲେ ଜୀବିତ ରହି ପାରିଲେନି, କେବଳ ମୋର ବୋଉ ଓ ଭଉଣୀଙ୍କ ବ୍ୟତୀତ । ବୋଉହିଁ ଅବଶେଷରେ ରହିଯାନ୍ତି ତିନୋଟି ପରିବାରର ପ୍ରଧାନ ଯୋଗସୂତ୍ର ହୋଇ । ପିଠାପୁରରେ ଘରତୋଳଇ ସୂତାହାଟ ଭଡ଼ାଘରୁ ବିଦାୟ ନିଏଁ ୧୯୪୬ ଖ୍ରୀଷ୍ଟାବ୍ଦ ଶେଷଭାଗରେ । ମନଭିତରେ ସବୁଠାରୁ ବେଶି ସନ୍ତୋଷ ଓ ଉତ୍ସାହ ମିଳେ–ମୋ ବୋଉଙ୍କର ମାନସିକ ତୃପ୍ତିରେ । ସ୍ୱାମୀ, ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ହରାଇ ବୋଉଙ୍କ ମନ ଯେମ‌୍‌ତି ଭାଙ୍ଗି ପଡ଼ିଥିଲା, ମୋ ଘରଟା ଅବା ସେ ମନକୁ ଟିକିଏ ଦମ୍ଭ ଆଣିଦେଲା ଭଳି ସହାୟକ ହୁଏ । ଯେଉଁ ବୋଉକୁ ମୋର ପିଲାଦିନୁ ଦଣ୍ଡେ ପାଖଛଡ଼ା କରୁ ନଥିଲି, ତାଙ୍କ ତୃପ୍ତିରେ ଆଶ୍ୱାସନା ପାଏଁ କଟକରେ ଘରଖଣ୍ଡ କରି । ତାହାହିଁ ବୋଧହୁଏ ମୋ ଜୀବନର ଏକ ପ୍ରଧାନ ସାର୍ଥକତା ଭଳି ।

 

ମୋ ମନରେ କିନ୍ତୁ, କାହିଁକି କେଜାଣି ଅଳ୍ପ ବହୁତ ସେଇ ଘରଛଡ଼ା ପ୍ରକୃତିଟା ବରାବର ବସା ବାନ୍ଧି ରହିଗଲା ଓଡ଼ିଆ “ଶରୀରଭେଦ —ଭଜନ”ର ପୁରୁଣା ପଦଟା ପିଲାଦିନୁଁ ଶୁଣି କି କ’ଣ-!—

 

“ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା,

ଅଠାକାଠି ପିଞ୍ଜରୀରେ ନଦିଏ ଧରା ।”

 

‘ପଞ୍ଜରା’, ‘ପିଞ୍ଜରା’ ବା ‘ପଞ୍ଜୁରୀ’ ଶବ୍ଦର ପ୍ରୟୋଗ ନାନା ରୂପେ ଦେଖୁଁ ଆମ ସାହିତ୍ୟରେ— ଯେମ‌୍‌ତି “ମନବୋଧ ଚଉତିଶା”ରେ କବି ଭକ୍ତଚରଣଙ୍କର-

 

“ଖଣ୍ଡି ଯେ ଖଣ୍ଡି ତୋ’ର ପଞ୍ଜରା କାଠି

ଖାଉଣଥିବେ ଶ୍ଵାନ ଶୃଗାଳ ବାଣ୍ଟି ”।

 

ଆହୁରି ସ୍ଵୟଂ ଜଗନ୍ନାଥ ଦାସଙ୍କ ଭାଗବତ ଦଶମ ସ୍କନ୍ଧରେ ମଧ୍ୟ—

 

“ଅସ୍ଥି ପଞ୍ଜରା ଚାରିପାଶେ

ଛାଉଣି ନଖ ଲୋମ କେଶେ ।”

 

“ଶରୀରଭେଦ ଭଜନ”, “ମନବୋଧ ଚଉତିଶା” ଆଦି କେଉଁ କାଳରୁ ଯେ ଆମ ଦେହ ପୁଣି ମନକୁ ଭେଦକରି ବୁଝାଇ ଶୁଝାଇ ଆତ୍ମା ପର୍ଯ୍ୟନ୍ତ ଆମକୁ ଝିଙ୍କି ନେବା ଉଦ୍ୟମ କରି ଆସିଛନ୍ତି, କିଏ କଳିବ ତାହା ପ୍ରକୃତରେ ? ଯୁଗ ଯୁଗ ଧରି ଆମର ଅସ୍ଥି ମଜ୍ଜାଗତ ଏଇ ବୈରାଗ୍ୟକୁ ଏଡ଼ିଦେଇ ଆଧୁନିକ ବାସ୍ତବବାଦୀ କରି ମନଟାକୁ ଗଢ଼ିବା କ’ଣ ସହଜ ବ୍ୟାପାର ? ମୋର ପୁଣି ସ୍କୁଲଛାତ୍ର ଥିବା ସମୟରୁ ଯେ ବୈରାଗ୍ୟ ବ୍ୟାଧିର ଉତ୍ପତ୍ତି !

 

ଭାରତବର୍ଷର ମନସ୍ତତ୍ତ୍ୱ ଭିତରେ ଏଇ ବୈରାଗ୍ୟ ହିଁ ତାହାକୁ ଯୁଗ ଯୁଗ ବ୍ୟାପୀ ବାହାର ଶତ୍ରୁ ଆକ୍ରମଣଦ୍ୱାରା ପରାଧୀନ ରଖି ଆସିଥିଲେ ମଧ୍ୟ ସ୍ଵାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ଯୋଗୀ ଅରବିନ୍ଦ ଓ ମହାତ୍ମାଗାନ୍ଧୀଙ୍କ ପର୍ଯ୍ୟନ୍ତ ସେଇ ବୈରାଗ୍ୟ ବଳରେ ହିଁ ଯେମ‌୍‌ତି ଅବା ହୃତ ଗୌରବ ସ୍ଵାଧୀନତାକୁ ଫେରାଇ ଆଣିଲେ । ଏହା ଯେପରି ଭାରତର ଏକ ଆଶ୍ଚର୍ଯ୍ୟ ମ୍ୟାଜିକ୍ ସାରା ଦୁନିଆର ଇତିହାସରେ ।

 

“ଶରୀରଭେଦ ଭଜନ”ର ମର୍ମ ହେଲା— ଦେହ ଓ ମନକୁ ଭେଦକରି ଦେହାତୀତ ଆତ୍ମଦର୍ଶନ । ଓଡ଼ିଆ ଭଜନ ଯେଉଁମାନେ ରଚନା କରିଛନ୍ତି, ସେମାନଙ୍କ ସାହିତ୍ୟ ସାଧନାର କି ଅପୂର୍ବ ବିକାଶ ! ସେଥି ସହିତ ଆଧୁନିକ ସାହିତ୍ୟର ଚିନ୍ତାଧାରା ଓ ପରିପ୍ରକାଶ ତୁଳନା କଲେ ମୁଣ୍ଡ ଯେପରି ଛାଏଁ ତଳକୁ ନଇଁପଡ଼େ, ମନ ଯେପରି ସିଂହାବଲୋକନ କରେ ଓଡ଼ିଆ ସାହିତ୍ୟର ମୂଳଦୁଆ ଭିତରକୁ । ମହାନ୍ ଭାରତୀୟ ଉପନିଷଦର ବାଣୀ ଓ ବିଚାର ଧାରାର ତାହା କି ଅପୂର୍ବ ସହଜ ସରଳ ପ୍ରକାଶ ! କେଉଁ କବି, କେଉଁ ଭାବୁକ ଆଜି ଆପଣାକୁ ଆଧୁନିକ ବୋଲି ତାଙ୍କ ପାଖରେ ବାହ୍ୱାସ୍ଫୋଟ ମାରିବାକୁ ସାହସୀ ହେବ ସତେ ?

 

ଭାରତୀୟ ଦର୍ଶନର ଚରମ ସୃଷ୍ଟି ଉପନିଷଦ-ରୂପ ଗାଭୀକୁ ଦୋହନ କରି ଗୋପାଳନନ୍ଦନ ଶ୍ରୀକୃଷ୍ଣ ‘ଶ୍ରୀମଦ୍ ଭଗବଦ୍ ଗୀତା’ର ପଞ୍ଚଦଶ ଅଧ୍ୟାୟ ଆରମ୍ଭରେ ଯାହା ଉଚ୍ଚାରଣ କରିଛନ୍ତି—ଅତି ସହଜ ସରଳ ଭାଷାରେ ଓଡ଼ିଆ ଭଜନକାରଙ୍କର ସେଇ ଉକ୍ତି ଯେମ‌୍‌ତି ଝରିପଡ଼ିଛି ଏହି “ଓଲଟବୃକ୍ଷ” ଭଜନରେ-

 

“ଉର୍ଦ୍ଧ୍ୱ ମୂଳମଧଃଶାଖମଶ୍ୱତ୍‍ଥଂ ପ୍ରାହୁରବ୍ୟୟମ୍

ଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ-ବେଦ ସ ବେଦବିତ୍ ।”

 

ଅଶ୍ୱତ୍‌ଥ ବୃକ୍ଷର ଏଇ ବର୍ଣ୍ଣନା ଯେପରି ଅବା ଛଣାହୋଇ ଆସି ଅଖ୍ୟାତନାମା ଓଡ଼ିଆ ଭଜନକାରଙ୍କ, “ଓଲଟବୃକ୍ଷେ” ଭଜନଟିରେ ପ୍ରକଟିତ । ଗୀତାରେ ଏହି ଅଶ୍ୱତ୍‍ଥ ବିଶ୍ଵସୃଷ୍ଟି ରୂପ ବୃକ୍ଷର ମୂଳକୁ ଉର୍ଦ୍ଧ୍ୱରେ ଏବଂ ଶାଖାଗୁଡ଼ିକୁ ନିମ୍ନରେ କଳ୍ପନା କରାଯାଇ “ଓଲଟବୃକ୍ଷ” ରୂପେ ଏକ ଅବ୍ୟୟ ଅକ୍ଷୟ ଚିତ୍ର ଅଙ୍କିତ ହୋଇଛି-ସେଇ ଅଶ୍ୱତ୍‌ଥ ବୃକ୍ଷର ପତ୍ରଗୁଡ଼ିକ ଜ୍ଞାନ ଅର୍ଥାତ୍ ବେଦରୂପେ ବର୍ଣ୍ଣିତ । ପୁଣି ଉକ୍ତ ଜ୍ଞାନରୂପୀ ବୃକ୍ଷର ନିମ୍ନରେ ଅବସ୍ଥିତ ସେଇ ବେଦ ବା ବୁଦ୍ଧି ସାହାଯ୍ୟରେ ଉର୍ଦ୍ଧ୍ୱଗାମୀ ହେଲେ ସୃଷ୍ଟିର ମୌଳିକ ତତ୍ତ୍ୱରେ ପହଞ୍ଚିବାକୁ ହୁଏ । ସ୍ୱରାଜ୍ୟକୁ ଜନ୍ମଗତ ଅଧିକାର ଭାବରେ (Swaraj is my birthright) ପ୍ରଥମ ଘୋଷଣା କରିଥିବା ଲୋକମାନ୍ୟ ବାଳଗଙ୍ଗାଧର ତିଳକଙ୍କର ପ୍ରଖ୍ୟାତ “ଗୀତା ରହସ୍ୟ”ରେ ସାଂଖ୍ୟ ଦର୍ଶନର ଦୃଶ୍ୟମାନ ବିଶ୍ୱପ୍ରକୃତି ରୂପେ ଓ ବେଦାନ୍ତ ଦର୍ଶନରେ ମାୟାବାଦର ବ୍ୟାଖ୍ୟା ରୂପେ ବର୍ଣ୍ଣନା ଅବା ଅତି ଅଦ୍ଭୁତ ଭାବରେ ସହଜ ସରଳ ଓଡ଼ିଆ ଭାଷାରେ ଭଜନକାରଙ୍କ ଛନ୍ଦୋମୟ ରଚନାରେ ଅପୁର୍ବ ଭଙ୍ଗୀରେ ପରିସ୍ଫୁଟ ବିଶ୍ଵସୃଷ୍ଟିକୁ “ଓଲଟବୃକ୍ଷ” ଓ ଆତ୍ମାକୁ “ଲୋଟଣି ପାରା” କରି, ଆଉ ସେଇ ଭାବରୁ କାଣିଚାଏ ହୁଏତ ଅଜ୍ଞାତରେ ମୋର କଲେଜ ଛାତ୍ର ଅବସ୍ଥାରେ ‘‘ଲୋଟଣି ପାରା” କବିତାରେ କିଞ୍ଚିତ୍ ଛାଞ୍ଚ ଢାଳିଛି ଛିଟିକି ପଡ଼ି !

 

ସେଥିଲାଗି ପୀଠାପୁରରେ ଘରଟା ତୋଳିବା ଆଗରୁ ଯେମ‌୍‌ତି ମୁଁ ଛଟପଟ ହେଉଥିଲି, ତୋଳିସାରି ତାହା ଭିତରେ ଆପଣାକୁ ବନ୍ଦୀକରି ରଖିବାରୁ ହେଲି ତହୁଁ ବଳି ଛଟପଟ । ତହୁଁ ବଳି ଯେମ‌୍‌ତି ନିଜକୁ ପୁଣି ଦୁନିଆକୁ ବୁଝିବା ହେଲା ମୋହ ପକ୍ଷରେ ବେଶି କଷ୍ଟକର । ବେଶି କଷ୍ଟକର ହେଲା ବୁଝିବାକୁ “ଆତ୍ମାନମ୍ ବିଦ୍ଧି” ଅଥବା “ଆତ୍ମବତ୍ ମନ୍ୟତେ ଜଗତ୍” କଥାଗୁଡ଼ିକୁ, ଯାହା ବୁଝିବାକୁ ଲୋକେ ଘରସଂସାର ଛାଡ଼ି ବନବାସୀ ହୁଅନ୍ତି, ଅତୀତରେ—ଯେଉଁ ଭାବକୁ ଆଧୁନିକ ମଣିଷ ପୁରୁଣା କାଳିଆ ବୋଲି ବିଚାର କରେ । ଅଥଚ ଯାହାଠୁଁ ବଳି ଓଜନଦାର କଥା ଜୀବନରେ ଆଉ କିଛି ନାହିଁ ।

 

ନୂଆ ପୁରୁଣାର ସେଇ ଦ୍ୱନ୍ଦ୍ୱ—ପୁଣି ମନକୁ ମୋର ଲଟେରି ଟିକଟ ସବୁ ଚାରିଆଡ଼ୁ ଆସି ଗୋଟାଏ ଥାନରେ ଘାଣ୍ଟ ହେଲା ଭଳି ବୋଧହୁଏ ଘାଣ୍ଟି ପକାଏ ବେଶି ବେଗରେ—ଯେତେବେଳେ ଘରତୋଳା ସଙ୍ଗେ ସଙ୍ଗେ ପାଏଁ ଇନ୍‍କମ୍ ଟାକ୍‌ସ୍ ନୋଟିସ୍ ! ଅର୍ଥାତ୍ ସରକାର ଦପ୍ତରରେ ମୋର ଆୟ ବ୍ୟୟ ଦାଖଲ କରିବାକୁ ପଡ଼ିବ ! ସେତିକିବେଳେ ମନେ ପଡ଼େ ଛାତ୍ର ଅବସ୍ଥାରେ ପଣ୍ଡିତ ଗୋପବନ୍ଧୁଙ୍କ ପରମର୍ଶ---ଦୈନିକ ଜମାଖର୍ଚ୍ଚର ହିସାବ ଟିପିବା ପାଇଁ । ତାଙ୍କ ପରାମର୍ଶରେ ଅବଶ୍ୟ ଇନକମ୍ ଟିକସର ପରିକଳ୍ପନା ନଥିଲା କିମ୍ବା ନଥିଲା ଆୟକର ଅଫିସକୁ ଧାଁ ଧପଡ଼ କରିବା ଭଳି ଲଜ୍ଜାକର ଘଟଣା । କାରଣ ସେତେବେଳେ ଅଧିକ ଆୟ କରିବାଟା ମୋତେ ବୋଧହୁଏ ଚୋରି ଡକେଇତି କଲା ଭଳି ଅବିକଳ ! ଆଜି ପୁଣି ଦେଖୁଛି, ସେଇ ଆୟକର ଫାଁଙ୍କି ଦେବାଟା ଭାରତୀୟ ଅବା ଓଡ଼ିଶା ନେତୃତ୍ୱକୁ ଅଧିକ ପରିସ୍ଫୁଟ କରିବାର ପ୍ରଧାନ ଲକ୍ଷଣ ପରା !

 

ଭାରତ ସ୍ୱାଧୀନତାର ପୂର୍ବବର୍ତ୍ତୀ ଯୁଗ ଇଂରେଜ ସରକାର ଅମଳରେ କୌଣସି ଭଡ଼ାଘରେ ମୁଁ ରହିଥିବା ସମୟରେ ଘର ଖାନ୍‍ତଲାସି ହୋଇ ନଥିଲା । ପିଠାପୁର ଘର ତୋଳାହେବା ପରେ ଶ୍ରୀମତୀ ସରଳାଦେବୀ ତାହାର ନାମକରଣ କରିଥିଲେ “ସ୍ଵପ୍ନପୁରୀ” ମୋର ପିତାଙ୍କ ନାମାନୁଯାୟୀ । ସେହି “ସ୍ଵପ୍ନପୁରୀ”ରେ ସ୍ଵପ୍ନ ମୋର ଭାଙ୍ଗିଦେବାକୁ ବୋଧହୁଏ ସେତେବେଳର ନୂଆ କଂଗ୍ରେସ ସରକାର ଘେରାଉ ଖାନ୍ ତଲାସି ଆଦେଶ ଦିଅନ୍ତି ।

 

ବୁଝିପାରେ ନାହିଁ ହଠାତ୍ ମୋହ ପ୍ରତି କଂଗ୍ରେସ ସରକାରଙ୍କର ସ୍ୱାଧୀନ ଭାରତରେ ଏଭଳି ଆକସ୍ମିକ ସମ୍ମାନ ପ୍ରଦର୍ଶନର ଉଦ୍ଦେଶ୍ୟ; ଯେଉଁ କଂଗ୍ରେସ ଓ ଗାନ୍ଧୀଙ୍କର ମୁଁ ପିଲାଦିନୁଁ ଜଣେ ସ୍ତାବକ । ସ୍ଵାଧୀନତା ପରେ ଅବଶ୍ୟ ଯେଭଳି ଜାତୀୟ ସରକାର ଗଢ଼ାଗଲା, ମୁଁ ତାହାର କେତେକ କଡ଼ା ସମାଲୋଚନା କରେଁ ସମାଜବିରୋଧୀ ନୂଆ କଂଗ୍ରେସ ସରକାରଙ୍କ କ୍ରିୟା କଳାପର ପ୍ରତିକ୍ରିୟାଶୀଳ କର୍ମପନ୍ଥା ବିରୁଦ୍ଧରେ—ସ୍ଵାଧୀନ ଭାରତର ଓଡ଼ିଶା ରାଜ୍ୟ ସହିତ ଇଂରେଜ ସାମ୍ରାଜ୍ୟର ଦେଶୀୟ ଗଜ୍ୟଗୁଡ଼ିକ ମିଶିଲା ନାହିଁ ଯେ ଓଡ଼ିଶା ତମାମ ଗଡ଼ଜାତି ଶାସନ ବ୍ୟାପିଗଲା ସେଇଭଳି ଆଭିମୁଖ୍ୟ ଘେନି । ଫଳରେ ପୋଲିସ ଘେରଭିତରେ ଘରଟିର ଭିତର ବାହାର ଖୋଜାହୋଇ ଶେଷରେ ମୋର ବିଡ଼ାଏ ପାଣ୍ଡୁଲିପିଧରି ସେମାନେ ହୁଅନ୍ତି ବିଦାୟ । ଅସଲ ଅଭିପ୍ରାୟଟା ସରକାରଙ୍କର ବୋଧହୁଏ ସେତେବେଳେ କଂଗ୍ରେସର ମଧ୍ୟଯୁଗୀୟ ଆଭିମୁଖ୍ୟ ବିରୋଧୀ ସମାଲୋଚନା ପ୍ରତି ମୋର ପ୍ରକାଶ୍ୟ ସମର୍ଥନ ।

 

ପାଣ୍ଡୁଲିପିଟି ଯେ ମୋର କେବଳ ଓଡ଼ିଆଭାଷାରେ ଲିଖିତ ଉପନ୍ୟାସ “ଲୁହାର ମଣିଷ”—ତାହା ବୁଝାଇବାପାଇଁ ସେତେବେଳେ ମୋତେ ଯିବାକୁ ହୁଏ କଟକ ପୋଲିସ୍ ଅଫିସ୍‍କୁ-। ସେହିଠାରେ ଭେଟ ହୁଏ ଅନ୍ୟତମ ପୋଲିସ କର୍ମଚାରୀ ଗାଳ୍ପିକ ଶ୍ରୀ ଲକ୍ଷ୍ମୀନାରୟଣ ମହାନ୍ତିଙ୍କ ସହିତ । ଲକ୍ଷ୍ମୀନାରୟଣବାବୁ ମୋହ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ଫେରସ୍ତ ଦିଅନ୍ତି ପାଣ୍ଡୁଲିପିଟିକୁ-। “ସ୍ଵପ୍ନପୁରୀ”କୁ ଥରେ ସାଥୀ ଶ୍ରୀ ଶରତ୍ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକ ଆସି ମୋତେ ପଚାରନ୍ତି— “ଘରଟିର ନାମ ‘ସ୍ଵପ୍ନପୁରୀ’ କାହିଁକି ?” ଉତ୍ତର ଦିଏଁ, ତାହାର ଇଂରାଜୀ ନାମାନ୍ତର—“Fool’s Paradise’’ (ମୂର୍ଖର ସ୍ୱର୍ଗ) ଦୁହିଁଙ୍କ ହାସ୍ୟରୋଳ ଉଦ୍ରେକକରି । ଅନେକ ସମୟରେ ଭାବେ, ମୋହ ଭଳି ଜଣେ ନିରୀହ ନିର୍ଦ୍ଦୋଷ ଲେଖକ ଉପରେ ସମ୍ପୂର୍ଣ୍ଣ ସ୍ଵାଧୀନ ଭାରତରେ ଓଡ଼ିଶା ସରକାରଙ୍କର ସବୁବେଳେ ଏମ‌୍‌ତି କଡ଼ା ନଜର କାହିଁକି ? ମୋତେ ସନ୍ଦେହ କରିବାର ଯଥେଷ୍ଟ କାରଣ ଅବଶ୍ୟ ରହିଥାଏ । ସେତେବେଳେ ତମାମ୍ ଭାରତବର୍ଷରେ କମ୍ୟୁନିଷ୍ଟମାନଙ୍କ ହିଂସାତ୍ମକ ବୈପ୍ଳବିକ ପନ୍ଥାର ଅବସାନ ଘଟିବା ପରିବର୍ତ୍ତେ ତାହା ଯେପରି ଆହୁରି ତେଜି ଉଠିଥାଏ । ହୁଏତ କମ୍ୟୁନିଷ୍ଟମାନଙ୍କର ବିଜ୍ଞାନରେ ସେ ମଉକାରେ ଦେଶକୁ ପୂରାପୂରି ରୁଷ୍ କିମ୍ବା ଚୀନ ଭଳି କରିଦେବା ବିଶ୍ୱାସ ଦୃଢ଼ତର ହୋଇଉଠେ । ଆହୁରି ଦୃଢ଼ତର ହୁଏ—ଚୀନର ଅଚାନକ ମାର୍କସବାଦୀ ସରକାର ଗଠନ ବ୍ୟାପାରରେ ।

 

ଆମ ଯୌଥ ପରିବାରଟିର ଦାୟିତ୍ୱ ମୋ ଉପରେ ପଡ଼ିଥିଲେ ସୁଦ୍ଧା ଝୁଙ୍କଟା ଥଏ ମୋର ପ୍ରଗତିଶୀଳ ମନୋଭାବ ପ୍ରତି ଅନୁକୂଳ । କନିଷ୍ଠ ଭାଗୁର ଅକାଳ ବିୟୋଗ ଯେମ‌୍‌ତି ସେଇ ଝୁଙ୍କକୁ ତେଜି ଦେଇଥାଏ ଆହୁରି ବେଶି ପରିମାଣରେ । ସେତେବେଳର ଅନେକ ଲେଖା ମଧ୍ୟ ମୋହର ଚରମବାଦୀ ଆଭିମୁଖ୍ୟ ଘେନିଥାଏ । ବହୁ ପୂର୍ବରୁ “ପୁରୀମନ୍ଦିର” କବିତା, ପରେ ପୁଣି “ନବଯୁଗ-ସାହିତ୍ୟ-ସଂସଦ”ର ଉଦ୍‍ଘାଟନ ଭାଷଣ ଆଦି ରଚନା ଓ ଗଳ୍ପ କବିତା ପ୍ରବନ୍ଧାଦିରେ ସୂଚିତ ହୁଏ ମୋର ପ୍ରଗତିଶୀଳ ଭାବଧାରା ।

 

ଘର ଭିତରେ କମ୍ୟୁନିଷ୍ଟ ବନ୍ଧୁମାନଙ୍କର ଯାତାୟାତ ସଙ୍ଗେ ‘ଭଗୁ’ ବଞ୍ଚିଥିବା ସମୟରୁ ସେହି ଦିଗରେ ‘କୁନି’ର ଝୁଙ୍କଟା ଦୁନିଆ ଆଖିକୁ ପୁଣି ଅତି ନିକଟରେ ଓଡ଼ିଶାର କଂଗ୍ରେସ ସରକାର ଆଖିକୁ ମଧ୍ୟ ଏଡ଼ି ରହନ୍ତା କିପରି ?

 

ଆମ ଯୌଥ ପରିବାର ଭିତରେ ବାରିପଦାଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଯେଉଁ ମରଣ ରୋଷଣୀ ପଛକୁ ପଛ ଲାଗିରହି ଚାଲେ—ବାରିପଦାରେ ପ୍ରଥମେ ବାପା ଓ ତାଙ୍କ ପରେ ଭାଉଜ ଭାଇନା ପୁଣି ସେଠାରୁ କଟକ ଆସି ଭାଗୁର ମଧ୍ୟ ମୃତ୍ୟୁ–ତାହା ଫଳରେ ମୋହ ସମେତ ତିନୋଟି ପରିବାରଙ୍କ ଦାୟିତ୍ୱ ମଝିରେ ରାଜନୀତିର ବିପ୍ଲମାତ୍ମକ ତାଣ୍ଡବ ଲୀଳା । ସେହି ଅବସ୍ଥାରେ ମଧ୍ୟ କୁନି ଦିନେ ଆସି ପଚାରେ—‘ବାପା ! କମ୍ୟୁନିଷ୍ଟମାନେ ମୋତେ ଡାକୁଛନ୍ତି, ପାର୍ଟିରେ ତାଙ୍କର କାମ କରିବାକୁ ଯିବି ?’

 

ଏ ପ୍ରଶ୍ନରେ ତା’ର ଆପତ୍ତି କରିବାକୁ ତ ମୋର କିଛି ନଥିଲା । ଭାଗୁର ବିୟୋଗ ପରେ ଘର ଭିତରେ ମୋର ଡାହାଣ ହାତଟା ଛିଣ୍ଡିଗଲା ଭଳି ଲାଗୁଥାଏ । କୁନି ତ “ମୁକ୍ତିଯୁଦ୍ଧ”ରେ ଲେଖିବା ସମୟରୁ ଜଣାପଡ଼ିଥାଏ, ଭାଗୁ ତାଲିମରେ ତା’ର ଉଗ୍ର ରାଜନୈତିକ ମତବାଦ ।

 

ସେ ଦିନ ଏଇ ପ୍ରଶ୍ନ ତା’ଠାରୁ ଶୁଣି କି ଉତ୍ତର ଦେବି ଠିକ୍ କରି ପାରିନଥିଲି । କଲେଜରେ ସେ ଆଇ.ଏସ୍.ସି ପଢ଼ୁଛି—ପଚାରିଥିଲି ହୁଏତ—“ତୋ ପଢ଼ାରେ କିଛି ବାଧା ହେବନି ତ ?”

 

“ନା—କିଛି ଅସୁବିଧା ହେବନି ?” ମୋର ମଧ୍ୟ ସେଇ ବିଶ୍ୱାସ ଦୃଢ଼ ରହିଥିଲା ।

 

ତହୁଁ ଆଗ ପଛକୁ ଆଦୌ ନ ବିଚାରି ‘ହଁ’ କରିଦେଲି ତା’କଥାକୁ । ଜାଣି ତ ନଥିଲି ମୋର ସେଇ ‘ହଁ’ ଟା ପରିଣାମରେ ମୋତେ ଏତେ ଭୀଷଣ ବିପଦର ସମ୍ମୁଖୀନ କରି ପକାଇବ ବୋଲି ! ଘରେ ସବୁ କଠିନ କାମ ତୁଲାଇବାରେ ଆଉ ମୋର ପାଠ୍ୟପୁସ୍ତକ ଲେଖାରେ ସବୁବେଳେ ସାହାଯ୍ୟ କରିବାରେ ‘କୁନିର’ତ କିଛି ଛୁଟି ନ ଥାଏ—କି ରାଜନୀତି ଅବା କରିବ ସେ ଏତେ କମ୍ ବୟସରେ ! ପୁଣି କଲେଜ ଛାତ୍ର ଅବସ୍ଥାରେ ରହି ମଧ୍ୟ ! କ’ଣ କରୁଛି କରୁ । ରାଜନୀତିକୁ ଏମ‌୍‌ତି ହାଲୁକା ବିଚାରି କୁନିକୁ ସିନା ‘ହଁ’ଟାଏ ମାରିଦେଲି ମୋ ଧାରଣାଟା ତା’ବିଷୟରେ ପୂରାପୂରି କିନ୍ତୁ ଭୁଲ୍ ବୋଲି ପ୍ରମାଣିତ ହୋଇଯାଏ । ସବୁକାମ ତୁଲାଇ ମଧ୍ୟ ସେ ମନ ପ୍ରାଣ ଢାଳିଦିଏ ରାଜନୀତିରେ । କଲେଜ ଛାତ୍ର ଆନ୍ଦୋଳନରେ ଆଗୁଆ ହୋଇ ତା’ର ସାଙ୍ଗସାଥୀଙ୍କ ଉତ୍ପାତରେ ଘରଟାରେ ଗହଳ ଚହଳ ଲାଗିରହେ । ସେଇଠୁ ଆସି ଘରକାମ, ମୋ କାମ, ତା’ପରେ ପାର୍ଟି ଅଫିସରେ କାମ । ଘରକୁ ଫେରିଲାବେଳକୁ ରାତି ହୋଇଯାଏ । କେତେ ଥର ମନାକରେଁ ମୁଁ ଅବଶ୍ୟ କିନ୍ତୁ ମନା ମୋର ଶୁଣୁଛି କିଏ ? ସେତେବେଳେ ବୁଝିଲି, ମୋର ଲେଡ଼ି ଗୁଡ଼ କହୁଣୀକୁ ବୋହି ଗଲାଣି, ଆଉ ଫେରିବାର ଉପାୟ ନାହିଁ । ବୋଉଙ୍କ ମଧୁର କଣ୍ଠରେ ସେଇ ପୁରୁଣା ଗୀତ ପଦଟା ସେତେବେଳର–

 

“କେଡ଼େ ବିଚିତ୍ର ମଣେ ନନ୍ଦ ରାଜାର ଟିକି ପିଲାଟି

ଟିକିପିଲା ବୋଲି କିଏ କହେ ତାକୁ ଚିରି ପକାଇଲା ବକାର ପାଟି” !

 

ଆଜି କଲେଜ ଷ୍ଟ୍ରାଇକ୍, କାଲି ଛାତ୍ରସଭା, ତା’ପର ଦିନ ପ୍ରୋସେସନ୍ ଚାଲେ, ଏମ‌୍‌ତି ଦିନ ପରେ ଦିନ । କେତେବେଳେ କୁନି ଘରକୁ ଫେରେ, ଠିକ୍ ନଥାଏ କିଛି । ଛାତି ଭିତରେ ଛନକା ପଶେ ମା ବାପାଙ୍କର—ମାତ୍ର ନିରୁପାୟ-ଲେଡ଼ି ଗୁଡ଼ ଯେ କହୁଣିକୁ ବୋହି ଗଲାଣି !

 

ଶେଷରେ “ସ୍ୱପ୍ନପୁରୀ”ର ସ୍ୱପ୍ନଭାଙ୍ଗେ । କେତେ ଯେ ବିନିଦ୍ର ସୁଦୀର୍ଘ ରାତି ତାକୁ ହିଁ ଅପେକ୍ଷା କରି ରହିବାକୁ ହୁଏ ହିସାବ ତା’ର କାହିଁ ? ଆଜି ଦିନେ ଏମ‌୍‌ତି ରାତି ଅଧରେ ଫେରୁଛି ସେ । ଝାଞ୍ଜିର ମଙ୍ଗଳା ନିକଟରେ ତା’ ଉପରେ ହୁଏ ଅଚାନକ ଆକ୍ରମଣ । ବିଜୁଳି ଆଲୁଅ ଲାଗି ନଥାଏ । ଚାରିଆଡ଼ ନିଛାଟିଆ, କିଟି କିଟି ଅନ୍ଧାର । ସେଇ ଅନ୍ଧାରରୁ ଦି’ ଜଣ ଲୋକ ଠେଙ୍ଗା ହାତରେ ବାହାରି ଆସନ୍ତି । ପ୍ରଥମ ପ୍ରହାରରେ କୁନି ଚିତ୍କାରକରି ବସି ପଡ଼େ । ଦ୍ଵିତୀୟ ପ୍ରହାର ବସିବା ପୂର୍ବରୁ କୁନିର ଚିତ୍କାର ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ଝାଞ୍ଜିରମଙ୍ଗଳାର ସ୍ତ୍ରୀ ପୁରୁଷ କେତେ ଜଣ ଲୋକ ବାହାରପଡ଼ନ୍ତି ଠେଙ୍ଗାବାଡ଼ି ପନିକି କଟୁରି ଧରି । ଆକ୍ରମଣକାରୀମାନେ ତାହା ଦେଖି ଅଦୃଶ୍ୟ ହୋଇ ପଳାନ୍ତି ଅନ୍ଧକାର ଭିତରେ ।

 

ପ୍ରହାରରୁ ଉଦ୍ଧାର କରି ତାକୁ ସାଙ୍ଗରେ ଆସି ଛାଡ଼ିଦେଇ ଯାଆନ୍ତି ଘରେ ଆଣି ତା’ର ଉଦ୍ଧାରକର୍ତ୍ତାମାନେ । ପ୍ରହାରରେ କୁନିର କିଛି କ୍ଷତି ନ ହେଲେ ବି ସର୍ବାଙ୍ଗ ଥରୁଥାଏ ବରଡ଼ାପତ୍ର ଭଳି । କୁନି ସାଥିରେ ରହିଥାନ୍ତି ଡାକ୍ତର ଶ୍ରୀମତୀ ନିରୁପମା ରଥଙ୍କ ସାନ ଭାଇ ଶ୍ରୀ ଶଚି ମହାନ୍ତି, ବର୍ତ୍ତମାନ କେନ୍ଦ୍ରାପଡ଼ାରେ ଓକିଲ ।

 

ରାଜନୀତିକୁ ସାଙ୍ଗସାଥୀ ମେଳରେ ଘର ଭିତରେ ଅବା ସଭା ସମିତିରେ ହାଲୁକା ଆଲୋଚନା କରିବା ଥିଲା ଅବଶ୍ୟ ମୋର ସାମୟିକ ବିଳାସ, ସେଇ ମୌକାରେ ସେ ମୋର ଘର ଭିତରେ ପ୍ରବେଶ କରେ ସାନଭାଇ ‘ଭାଗୁ’ର ଜୀବିତାବସ୍ଥାରେ, ମନ ଏକାବେଳେ ଏତେ ସାମ୍‌ନା ସାମ୍‌ନି ସେ ମୋର ହୋଇ ପଡ଼ିବ ବୋଲି ତ କଦାପି କଳ୍ପନା କରି ନ ଥିଲି !

 

“କହିଲେ କୁଳକୁଟୁମ୍ବଙ୍କୁ ଲାଜ, ନ କହିଲେ କୁଳ ଭାସିଯାଉଛି” ଅବସ୍ଥା ଉପୁଜେ ମୋର; ଅଥଚ ରାଜନୀତିକୁ ନିଷ୍କ୍ରିୟ କରି କେବଳ ମନ ଭିତରେ ଚପେଇ ରଖନ୍ତି କେତେ କାଳ ? ମୋ ଲେଖାରେ ଆଚରଣ ପୁଣି କଥାବାର୍ତ୍ତାରେ ଯାହା ପ୍ରକଟିତ, ତହିଁରୁ ପୁଣି କୁନିକୁ ନିବର୍ତ୍ତାଇବି କେଉଁ ଯୁକ୍ତିରେ ? ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପରେ ହାତରୁ ଖସିଲେ ଅଣଆୟତ୍ତ ହୁଏ ସିନା !

 

ଯୋ କୁଛ୍ ହୈ ସବ୍ ଫେକ୍ ଦୋ

 

ଏବେ ପୁଣି ସେଇ କୁନି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସିବାର ମାସ ଚାରିଟା ନ ପୂରୁଣୁ ଦୈନିକ “ପ୍ରଜାତନ୍ତ୍ର”ର ତା ୨୯।୯।୧୯୭୨ ରିଖ ଶୁକ୍ରବାର ସଂଖ୍ୟାରେ ଏକ ଦୃଷ୍ଟି ଆକର୍ଷଣକାରୀ (ବକ୍‍ସ) ସମ୍ବାଦ ପ୍ରକାଶ ପାଏ “ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଶତପଥୀଙ୍କୁ ହତ୍ୟା ଧମକ” ଶିରୋନାମାରେ-। କଟକ ସହର ନିର୍ବାଚନ ମଣ୍ଡଳୀରୁ ସେ ଓଡ଼ିଶା ବିଧାନସଭାକୁ ଉପନିର୍ବାଚନରେ ପ୍ରାର୍ଥୀ ହେଉଥିବା ସମ୍ବାଦଟି ପ୍ରକାଶିତ ହେବା ପରେ ସଂଶିତ ସମ୍ବାଦଟିର ସୂରୁପ ଏଇଭଳି—

 

(ନିଜ ପ୍ରତିନିଧିଙ୍କଠାରୁ)

 

“କଟକ, ତା ୨୮ ।୯ । ୧୯୭୨ । ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ହତ୍ୟା କରିବାର ଧମକ ଦେଇ କେହି ଜଣେ ଏକ ପତ୍ର ତାଙ୍କୁ ଲେଖିବାର ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ପତ୍ରରେ ତାଙ୍କୁ ଅକ୍ଟୋବର ପହିଲା ଦିନ ବା ଖୁବ୍ ବେଶିହେଲେ ଅକ୍ଟୋବର ମାସ ମଧ୍ୟରେ ଜୀବନରୁ ମାରି ଦିଆଯିବ ବୋଲି ଉଲ୍ଲେଖ କରାଯାଇଛି ।”

 

“ଏହି ପତ୍ର ପାଇଲା ପରେ ଶ୍ରୀମତୀ ଶତପଥୀ ବିଚଳିତ ହୋଇ ନାହାନ୍ତି ବରଂ ସେ ତାଙ୍କ କାର୍ଯ୍ୟ ଓ ନୀତିରେ ଦୃଢ଼ ରହିଛନ୍ତି ବୋଲି ଶ୍ରୀମତୀ ଶତପଥୀ ତାଙ୍କର କେତେ ଜଣ ନିକଟତମ ବନ୍ଧୁଙ୍କ ନିକଟରେ ପ୍ରକାଶ କରିଥିବାର ଖବର ମିଳିଛି ।”

 

ଖବରଟି ପଢ଼ି କୁନି ତା’ର ପିଲାବେଳୁଁ ସ୍ପିରିଟ୍ ନିଜେ ପିଇ ‘ବନା’ ମୁଣ୍ଡରେ ଦୋଷ ଢାଳିବା, ଝାଞ୍ଜିରମଙ୍ଗଳାରେ ରାତିରେ କୌଣସି ଗୁଣ୍ଡାର ପ୍ରହାର ଖାଇବା, ପୁଣି ନିଜ ଇଚ୍ଛାରେ ରେଭେନ୍‍ସା କଲେଜ ହତାରେ ହୋସ୍ ପାଇପ୍ ଇତ୍ୟାଦିର ସମ୍ମୁଖୀନ ହେବା ଦୁର୍ଘଟଣାମାନ ମୋର ସ୍ମରଣକୁ ଆସେ । ଆହୁରି ଜୀବନ୍ତ ସ୍ମୃତି ରୂପେ ରହି ଆସିଛି ମଧ୍ୟ କେତେ ଜଣ ବିଶ୍ୱବିଦିତ ଜନନେତାଙ୍କର ଅନ୍ତିମ ହତ୍ୟାର କଳଙ୍କ—ଲେନିନ୍, ଟ୍ରଟ୍‍ସ୍କି, ଗାନ୍ଧୀ, କେନେଡ଼ି, ମାର୍ଟିନ୍ ଲୁଥର କିଙ୍ଗ୍ ପ୍ରଭୃତି । ସେଥି ସଙ୍ଗେ ପୁଣି ମନକୁ ଆସେ ଦୂର ଅତୀତର ଏକ କାହାଣି ଓଡ଼ିଶାର ଘରେ ଘରେ ଯାହା ସୁପରିଚିତ—“ପୁଅରେ ଦାଏ ନା ବାରଶ ବଢ଼େଇରେ ଦାଏ” ।

 

ପ୍ରାଣୀ ଜଗତରେ କେତେକ କୀଟପତଙ୍ଗ ବା ଜୀବଜନ୍ତୁ ସନ୍ତାନ ଜନ୍ମ କରିବା ପରେ ଆପେ ମରିଯାନ୍ତି; କିନ୍ତୁ ମଣିଷ ତା’ର ସନ୍ତାନ ଜନ୍ମ କରସାରି ମଧ୍ୟ ବଞ୍ଚିରହେ ନିଜ ବଂଶବୃଦ୍ଧି ଦେଖିବା ପାଇଁ, ପୁଣି ଶୁଣିବାପାଇଁ ଅନ୍ୟମାନଙ୍କଠାରୁ ନିଜ ସୌଭାଗ୍ୟର ସମ୍ବାଦ । ଆହୁରି ଭାଗ୍ୟବାନ୍ ବୋଲାଇବା ପାଇଁ ନିଜ ନାତି, ଅଣନାତି, ପଣନାତି ପର୍ଯ୍ୟନ୍ତ ଦେଖି ପାରିଲେ ହୁଏ ତ !

 

କୋଣାର୍କ କାରିଗର ବିଶୁ ମହାରଣା କିନ୍ତୁ ଷୋଳଶ ବଢ଼େଇଙ୍କ ମୁଣ୍ଡ ରଖିବାକୁ ଆପଣା ପୁଅକୁ ବଳିଦିଏ ସେ ଦେଉଳଟିର ମୁଣ୍ଡି ମାରିଥିବା ଯୋଗୁଁ । ଘଟଣାଗୁଡ଼ିକର ନିରପେକ୍ଷ ବିଶ୍ଳେଷଣ କଲେ ଠିକ୍ ଭୁଲ୍ କେଉଁଠି ରହେ ବୁଝିବା କାଠିକର ପାଠ । ଗାନ୍ଧୀ ଓ କେନେଡ଼ିଙ୍କୁ ହତ୍ୟା କରିବାପାଇଁ ଆଗରୁ ଏମ‌୍‌ତି କେତେ ଧମକ ଦିଆଯାଏ । ସବୁ ଧମକାଣକୁ ଏଡ଼ିଦେଇ ସେମାନେ ଜାଣିଲାପରି ଅନ୍ତିମ ଦଶା ଭୋଗନ୍ତି । ଅବଶ୍ୟ ବିଶୁ ମହାରଣା ଭଳି ଗାନ୍ଧୀଙ୍କ ବାପା ବଞ୍ଚି ନଥିଲେ ପୁଅର ଅନ୍ତିମ ଦଶାରେ ସମ୍ମତି ଦେବାକୁ ।

 

ରାତି ଅଧରେ ଝାଞ୍ଜିର୍ ମଙ୍ଗଳାର ଲୋକମାନେ ତାକୁ ଆଣି ଆମ ଘରେ ଛାଡ଼ିଲା ପରେ କୁନିକୁ ପଚାରିଲେ ମୁହଁରୁ ତା’ର କିଛି କଥା ବାହାରୁ ନି । ଦୁଇଟି ପିଲା ମରିଯିବା ପରେ କେତେ ଯତ୍ନ କେତେ ଆଦର ଢାଳି ବଞ୍ଚାଇଥିଲୁଁ ତାକୁ; ଅଥଚ ଶେଷରେ ତାହାର ଏଇ ଦଶା ! କାହାକୁ ଏଥିପାଇଁ ଦୋଷୀ କରିବି ମୁଁ ?

 

“ଆପଣା ହସ୍ତେ ଜିହ୍ୱା ଛେଦି,

କେ ତା’ର ଅଛି ପ୍ରତିବାଦୀ ।”

 

ନିଜେ ତ ଏଥିପାଇଁ ଦାୟୀ । ହାତରୁ ଖସିଲେ ଏକାବେଳେ ସେ ଅଣଆୟତ୍ତ ହୋଇ ପଡ଼ିବ ବୋଲି କ’ଣ ଭାବିଥିଲି କେବେହେଲେ !

 

ଗୋଟିଏ ପଛକୁ ଆଉ ଗୋଟିଏ-ଏହି ସବୁ ଦୁର୍ଘଟଣା ପରେ ମଧ୍ୟ କୁନିକୁ ଆଉ ଘର ଭିତରେ ରଖିବା ସମ୍ଭବପର ହୁଏନାହିଁ । ତାକୁ ବିବାହ ଦେବାପାଇଁ ମନସ୍ଥ କରେଁ । କେଜାଣି ଅବା ବିବାହ ବନ୍ଧନରେ ପଡ଼ିଲେ ମନ ତା’ର ଘର ଧରିବ ! କେତେ ସ୍ଥାନରୁ ମଧ୍ୟ ବିବାହ ପ୍ରସ୍ତାବ ଆସେ-। ପ୍ରସ୍ତାବଗୁଡ଼ିକୁ କେବେ କେବେ ସେ ହସରେ ଉଡ଼େଇଦିଏ, ଆଉ କେବେ ନିରବ ରହେ ସବୁଦିନ ପରି । ଘର ଭିତରେ ଥିବାବେଳେ ଘର କାମ ପୁଣି ମୋତେ ଲେଖାଲେଖିରେ ସାହାଯ୍ୟ କରିବା କାମ କେବେହେଲେ ତା’ର ବନ୍ଦ ହୁଏନାହିଁ । ପୁଣି ବନ୍ଦ ହୁଏ ନାହିଁ ଘର ଭିତରେ ମଧ୍ୟ ସ୍ଲୋଗାନ୍ ବୋଲି ଅନ୍ୟ ପିଲାମାନଙ୍କୁ ବୋଲାଇବାର କାମ !

 

ଦିନେ ଏମ‌୍‌ତି ବାହାରୁ ଆସି ମୁଁ ଘର ଭିତରେ ଶୁଣେ ଆଉ ସବୁ ପିଲାଙ୍କୁ ପାଖରେ ବସାଇ ସେ ଗୋଟେ ସ୍ଲୋଗାନ ଶିଖାଉଛି—

 

“ଏକ ଦୋ

ଯୋ କୁଛ୍ ହୈ ସବ୍ ଫେକ୍ ଦୋ ।”

 

ସବୁପିଲା ଅର୍ଥାତ୍ ମୋର ଓ ଭାଗୁର ପିଲାମାନେ ମଧ୍ୟ ସେଇ ସ୍ଲୋଗାନ୍‍କୁ ପାଳି ଦେଇ ବୋଲି ଲାଗିଥାନ୍ତି । ଖିଆଲ ହୁଏ ମୋର—ଶ୍ରେଷ୍ଠ ଭକ୍ତକବି କବୀରଙ୍କ ଜୀବନ କାହାଣି । ଲୁଗା ବୁଣି ଯେ ଗାଇ ଚାଲନ୍ତି ମୁହେଁ ମୁହେଁ ତାଙ୍କ ଅମର ଭଜନାବଳୀ । ବସ୍ତ୍ରହୀନ ଗୃହହୀନ ଭିକ୍ଷୁକ ଦଳ ହାତ ପତାଇ ଠିଆ ହୁଅନ୍ତି ଆସି ତନ୍ତୁବାୟ କବି ଗୃହ ସମକ୍ଷରେ । ସେତେବେଳେ ତନ୍ତ ଆଉ ଚାଲେ ନାହିଁ । ଅଟକିଯାଏ ବୁଣାଳୀଙ୍କର ହାତ ସେଇ ସବୁ କୋଟରଗତ ଆଖି ଆଉ ନଗ୍ନ ଅବୟବ ସାମ୍ନାରେ ।

 

ଗୋଟିକ ପରେ ଗୋଟିଏ ଲୁଗା ତହୁଁ ଗଣ୍ଠିଲି ଭିତରୁ ବାହାରି ଆସେ । ଧାଡ଼ି ଦେଇଥିବା ଅର୍ଦ୍ଧନଗ୍ନ ନାରୀ ପୁରୁଷଙ୍କ ହାତ ଉପରେ ଗଣତି ହୋଇ ବଣ୍ଟାଯାଏ ତାହା ଖଣ୍ଡିକ ପରେ ଆଉ ଖଣ୍ଡେ—

 

ଏକ, ଦୋ, ତୀସରା, ଚୌଥାରୁ ଆରମ୍ଭ କରି ‘ବାରା’ ‘ତେରା’ ପର୍ଯ୍ୟନ୍ତ । ତା’ ପରେ ଘର ଭିତରେ ଖାଲି ତ ଲୁଗା ନୁହେଁ— ଯାହା କିଛି ଥାଏ ସବୁ ହୋଇଯାଏ ତେରା ! ତହୁଁ ଆଉ ଗଣତି କରିବାର ଫୁରସତ୍ ରହେ ନାହିଁ କିମ୍ବା ବାହାରେ ଭିତରେ କିଛି ହେଲେ କାହିଁ ରହେ ନାହିଁ ‘ମେରା’ ହୋଇ । ସେହି କାରଣରୁ କି କ’ଣ ଇଂରାଜୀରେ ସୁଦ୍ଧା ‘ତେର’ ସଂଖ୍ୟାଟି ଅଶୁଭ ସଂକେତ ରୂପେ ଚିହ୍ନିତ କି ? ସବୁ ଭଡ଼ାଘରୁ ତଡ଼ାଖାଇ ମୁଣ୍ଡ ଗୁଞ୍ଜିବାକୁ ଏତେ କଷ୍ଟରେ ଘରଖଣ୍ଡେ କଲି ଯେ ତାକୁ ଯଦି କୁନି ଏମ‌୍‌ତି ‘ଯୋ କୁଛ ହୈ ସବ୍ ଫେକ୍ ଦୋ’ ପୁଣି “ମେରା’ ବୋଲି କିଛି ନ ରଖି ସବୁ ଜିନିଷ ଘର ଭିତରୁ କାଢ଼ି ‘ତେରା’ କହି ଫିଙ୍ଗି ଦିଏ, ତେବେ ଆଉ ଠା ଟିକିଏ ପାଇବି କେଉଁଠି ?—

 

“ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ

ଘଟ ଛୁଟିଲେ ସର୍ବେ ବୋଲିବେ ଭୂତ”—

 

ଓଡ଼ିଆ କବି ଭକ୍ତଚରଣଙ୍କ ‘ମନବୋଧ ଚଉତିଶା’ରେ ମଗ୍ନ ଥିଲେ ମୁଁ ଘର ତୋଳି ଏତେ ଗାଳି ପ୍ରକୃତ ହଜମ କରନ୍ତି କାହିଁକି ? ମୋ’ ଘଟ ଛୁଟିଲେ “ଘର ଘରଣୀ ଦେହ କିଳାଇବା” ଆଗରୁ ମୁଁ ଯେବେ ଭୂତ ରୂପେ ବିବେଚିତ ହୋଇ ମୋ ପିଲାଙ୍କର ଏମ‌୍‌ତି ମତିଗତି ! ସେଥିପାଇଁ ପରା ମା ଓ ସେତୁଙ୍ଗଙ୍କର ନିଜ ହାତକୁ ଶାସନ-କ୍ଷମତା ଆସିଯିବା ପରେ ଚୀନର ସବୁ ପ୍ରାଚୀନ ଗ୍ରନ୍ଥ ଧ୍ୱଂସ କରିବାକୁ ଆଦେଶ !

 

ସେତିକିବେଳେ ବିଚାରକୁ ମୋର ଆସେ, ମୁଁ କୌଣସି ସରକାରୀ ଚାକିରୀରେ ପଶିପାରିଲେ ବୋଧହୁଏ ସବୁ ଉତ୍ପାତରୁ ରକ୍ଷା ମିଳନ୍ତା; ବୋଉଙ୍କର ମଧ୍ୟ ଆକଟ ମନେପଡ଼େ ବାରମ୍ବାର— “ତୁ କ’ଣ ଖାଲି ଘର ଭିତରେ କି ଦିନ କି ରାତି ଚଉକି ଉପରେ ବସି ଟେବୁଲ ଉପରେ ଲେଖୁଥିବୁ । ପିଲାଙ୍କ କଥା କିଛି ବୁଝିବୁନି ?” ଅଥଚ ପିଲାଙ୍କ ରୀତି ତ ଏମ‌୍‌ତି, ବୁଝି ମୁଁ କ’ଣ ? ସେମାନେ ଯେ ଯେଝା ହାତରେ ସେ ଚଉଦପା । ସ୍ଥିର କରେଁ କୌଣସି ସରକାରୀ ଚାକିରୀରେ ପଶି ପାରିଲେ ବୋଧ ହୁଏ ସବୁ ଉତ୍ପାତରୁ ରକ୍ଷା ମିଳନ୍ତା । ସେତେବେଳେ ସ୍ଵାଧୀନ ଓଡ଼ିଶା ସରକାରଙ୍କ ପ୍ରଶ୍ନର ବିଭାଗରେ ଦୈବାତ୍ ଗୋଟିଏ ଚାକିରୀ ପାଇଁ ବିଜ୍ଞାପନ ବାହାରିଥାଏ ।

 

ଦରଖାସ୍ତ ଦେଇ ଇଣ୍ଟର୍ଭ୍ୟୁ ମଧ୍ୟ କରେ—ପବ୍ଲିକ ସର୍ଭିସ୍ କମିଶନ୍ ଆଗରେ । କମିଶନଙ୍କର ପ୍ରଶ୍ନର ସମ୍ମୁଖୀନ ହୁଏ । କମିଶନରେ ବସିଥାନ୍ତି ତିନି ଚାରି ଜଣ ସଦସ୍ୟ । ପ୍ରଶ୍ନ ହେଲା-ମୋତେ ଗୋଟିଏ ସାଧାରଣ ସଭାରେ ଭାଷଣ ଦେବା ପାଇଁ; କିନ୍ତୁ ତିନି ଚାରି ଜଣ ସଦସ୍ୟଙ୍କୁ ଘେନି ଯେଉଁ କମିଶନ୍ ବସିଥାଏ, ତାହା ତ କଦାପି ସାଧାରଣ ସଭା ହୋଇ ନ ପାରେ !

 

ଜଣେ ଇଂରେଜ ଲେଖକଙ୍କର କୌତୁକ ଉକ୍ତି ମନେପଡ଼େ, ସେ କହିଥିଲେ—ଚାରି ପାଞ୍ଚ ଜଣ ଲୋକ ଉପସ୍ଥିତ ଥିଲେ ତାକୁ ଗୋଟିଏ ସାଧାରଣ ସଭା ବୋଲା ଯାଇପାରେ । ସେ ପାଞ୍ଚଜଣଙ୍କ ଭିତରୁ ଜଣେ ସଭାପତି, ଜଣେବକ୍ତା, ତୃତୀୟ ବ୍ୟକ୍ତି ସରକାରୀ ସି. ଆଇ. ଡି, ଆଉ ଜଣେ ସାମ୍ବାଦିକ ଓ ପଞ୍ଚମ ଜଣକ ଫଟୋଗ୍ରାଫର ହେଲେ ଯଥେଷ୍ଟ । ପବ୍ଲିକ ସର୍ଭିସ କମିଶନର ସଦସ୍ୟମାନଙ୍କୁ ସେହିପରି ଏକ ସାଧାରଣ ସଭା ଭାବରେ ଗ୍ରହଣ କରିବା ମୋହ ପକ୍ଷରେ ସମ୍ଭବପର ହୋଇପାରେ ନାହିଁ । ଅତଏବ ତାଙ୍କ ପ୍ରଶ୍ନର ଉତ୍ତର ପାଇବାରୁ ସେମାନେ ବଞ୍ଚିତ ହୁଅନ୍ତି-। ମୁଁ ମଧ୍ୟ ବଞ୍ଚିତ ହୁଏଁ ଚାକିରୀ ପାଇବାରୁ ।

 

ମୋ ପିଲାମାନଙ୍କ ଭିତରୁ କୁନି କମ୍ୟୁନିଷ୍ଟ ପାର୍ଟି ଅଫିସ୍‍କୁ ଯା ଆସ କରେ, ପୁଣି ଶୋଭାଯାତ୍ରାରେ ଆଗୁଆ ହୋଇ ସ୍ଲୋଗାନ୍ ଝାଡ଼େ–“ଏ ଆଜାଦୀ ଝୁଟା ହୈ, ଭୁଲୋ ମତ ଭୁଲୋ ମତ” । ମୋ ନୂଆ ଘର ଫାଟକ ଖୁଣ୍ଟରେ ବାଲି ସିମେଣ୍ଟରେ ତିଆରି ହୁଏ ଦା’ ହାତୁଡ଼ି ଚିତ୍ର । ସେତେବେଳେ ଶଙ୍କର ପୁର ହୋଇଥାଏ କମ୍ୟୁନିଷ୍ଟମାନଙ୍କ ପେଣ୍ଠ, ଆଉ ପିଠାପୁର ଲୋକ ତାଙ୍କୁ ପରିହାସ କରନ୍ତି—“ଆଳୁ ବାଇଗଣ ପିଆଜ ଷଣ୍ଢା—ଲାଲଝଣ୍ଡା । ରାଜନୀତିରେ ତ ମୁଁ କୌଣସି କାଳେ ସକ୍ରିୟ ସହଯୋଗ କରିନାହିଁ । ହେଲେ ହୋଇପାରେ, ସାନ ଭାଇ ମୋର ଏକ କାଳରେ ଉଗ୍ରଜାତୀୟବାଦୀ ଅଥବା ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଥିଲେ । ଆହୁରି ତାଙ୍କର ଦେଖାଶିଖା ରାଜନୀତି କୁନି ତା’ର ଦଶ ଏଗାର ବର୍ଷ ବୟସରୁ ଦ୍ୱିତିୟ ମହାଯୁଦ୍ଧ ବେଳେ କମ୍ୟୁନିଷ୍ଟ ପ୍ରଚାରପତ୍ରଗୁଡ଼ିକର ଅନୁବାଦ କରେ । ସୂତାହାଟ ଘରେ ଥିଲାବେଳେ ସେହି ସବୁ ଅନୁବାଦ ତାହାର ଛପାହୁଏ ଭଗବତୀଙ୍କ ସମ୍ପାଦିତ କମ୍ୟୁନିଷ୍ଟ କାଗଜ “ମୁକ୍ତି-ଯୁଦ୍ଧ”ରେ । ମାତ୍ର ସେ ଅବା ଏମ‌୍‌ତି କି ଅପରାଧ ଯେ ସ୍ଵାଧୀନ ଭାରତ ବର୍ଷରେ ସୁଦ୍ଧା ମୋହ ପ୍ରତି ଏଇ ଭଳି ସନ୍ଦେହ ପୁଣି ଦଣ୍ଡାଦେଶ ! ମୁଁ ଆସାମୀ ହୋଇ ଆପଣ ବିଚାରକ ହେବା ପୁଣି ତ ବିଡ଼ମ୍ବନା ।

 

ମଝିରେ ମଝିରେ ମନେ ହୁଏ । ମୋର-ସିଧା ସଳଖ ରାଜନୀତିରେ ମୁଁ ଯୋଗ ନ ଦେବାରୁ ଏଇ ସବୁ ଦଣ୍ଡର ଶିକାର ହୁଏଁ ପରା ! କାରଣ ରାଜନୀତିକୁ ମୋତେ ଏଥି ପୂର୍ବରୁ ବାରମ୍ବାର ଡାକରା ଆସେ ପ୍ରତ୍ୟେକ ଦଳପକ୍ଷରୁ—କଂଗ୍ରେସ ପକ୍ଷରୁ ପଣ୍ଡିତ ପ୍ରାଣକୃଷ୍ଣ ପ୍ରତିହାରୀ, ପ୍ରଜା ସମାଜବାଦୀଙ୍କ ପକ୍ଷରୁ ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀ, ପୁଣି ସ୍ଵତନ୍ତ୍ର ଦଳ ପକ୍ଷରୁ ଶ୍ରୀ ପ୍ରତାପ କିଶୋର ଦେଓ ପ୍ରମୁଖ ବ୍ୟକ୍ତିଗତ ଭାବରେ ସଂକେତ ଦିଅନ୍ତି ମୋତେ । ଓଡ଼ିଶାରେ ସ୍ଵତନ୍ତ୍ର ଦଳ ସମ୍ପୂର୍ଣ୍ଣ ରୂପରେଖ ଘେନିବେ ଆଗରୁ ସ୍ଵର୍ଗୀୟ ବାଳକୃଷ୍ଣ କରଙ୍କ ଦରଘାବଜାର ସାରସ୍ୱତ ପ୍ରେସ୍ ଉପରେ ଏକ ବୈଠକ ବସେ । ତହିଁରେ ଯୋଗ ଦେଇଥାନ୍ତି ସ୍ଵର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖ କଟକରୁ କେତେକ ନେତୃ ସ୍ଥାନୀୟ ବ୍ୟକ୍ତି । ସେତେବେଳେ ବୋଉ ମୋର ମୃତ୍ୟୁ ଶଯ୍ୟାରେ-। ସ୍ୱତନ୍ତ୍ର କିମ୍ବା ସେହି ଭଳି ଏକ ବିରୋଧୀ ଦଳ ସଙ୍ଗଠନ ଲାଗି ମସୁଧା କରିବା ବୈଠକର ଉଦ୍ଦେଶ୍ୟ ଥାଏ କି କ’ଣ । ଆଲୋଚନା ଆରମ୍ଭ ଆଗରୁ କିନ୍ତୁ ମୁଁ ବିଦାୟ ନିଏଁ ।

 

ସବୁ ଆହ୍ୱାନକୁ ଏଡ଼ିଦିଏଁ ମୁଁ ବିନୀତ ଭାବରେ । କାହିଁକି କେଜାଣି, ତାହା କହି ପାରିବିନି ଆଜି । ବୋଧହୁଏ ମନଭିତରେ ମୋର ନାନା ଦ୍ୱନ୍ଦ୍ୱ ଜାତ ହୁଏ – ନାନା ପ୍ରଶ୍ନ ପୁଣି ସମସ୍ୟାର ସମ୍ମୁଖୀନ ମୁଁ ହୁଏ—ଯାହାକୁ ଏଡ଼ି ଦେବା ସମ୍ଭବପର ହୋଇପାରେ ନାହିଁ, ଆହୁରି ହୁଏ ତ ମୋର ଅବଚେତନ ମନଭିତରେ କନିଷ୍ଠ ଭାଗୁର ମୃତ୍ୟୁଶଯ୍ୟାରେ ସେଇ ଶେଷ କଥାଟା ଛାତି ଭିତରେ କୁହୁଳି ଉଠେ—“ମୋ ଦେହକଥା ବୁଝ” । ତାକୁ ଯଦି ବଞ୍ଚାଇ ପାରିଲି ନାହିଁ, ତେବେ କେଉଁ ରାଜନୀତିର ଦାୟିତ୍ୱ ତୁଲାଇବାରେ ସମର୍ଥ ହେବି କିପରି ? ନିମନ୍ତ୍ରଣ ଆସେ ମୋତେ ରୁଷ୍ ଯାତ୍ରା କରିବା ପାଇଁ । କମ୍ୟୁନଷ୍ଟି ପାର୍ଟି ବନ୍ଧୁମାନଙ୍କ ସମାଗମ ହୁଏ । ମୋ ଯାତ୍ରାର ଶୁଭକାମନା କରି ଚିଠିପତ୍ର ମଧ୍ୟ ପହଞ୍ଚେ ଆସି ଅଭିନନ୍ଦନ ଜଣାଇ; ମାତ୍ର ଶେଷରେ ଯିବା ମୋର ବନ୍ଦ ହୋଇଯାଏ । ସବୁକ୍ଷେତ୍ରରେ ଯେମ‌୍‌ତି ଅବା ମୋର ଅବଚେତନ ଅବସ୍ଥାରେ ଭଗବତୀର ସେ ଅନ୍ତିମ ଡାକରା ଛାତିରେ ବାଜେ—ମୋ କଥା ବୁଝ । ରୋଜ ଗୀତା ପଢ଼ି ସୁଦ୍ଧା—“ଗତାଶୁନ ଗତାଶୁଂଶ୍ଚ ନାନୁଶୋଚନ୍ତି ପଣ୍ଡିତା”ଙ୍କ ଭିତରୁ ଜଣେ ହେବାକୁ ତ କ୍ଷମ ହେଲିନି ଟିକିଏ ।

 

ପିଠାପୁର ଏକତାଲା ଘରକୁ ଦୋତାଲା କରିବାକୁ ହୁଏ—ଯେହେତୁ ଆମ ତିନିଭାଇଙ୍କ ପରିବାର ରହିବା ଲାଗି ତାହା ଯଥେଷ୍ଟ ହୋଇ ପାରେ ନାହିଁ । କୁନିର ବିଭାଘର ପରେ ସେଇଘରକୁ ବଢ଼ାଇବା ପୁଣି ଜରୁରୀ ହୋଇପଡ଼େ ।

 

ମଙ୍ଗଳମ୍ ସର୍ବମଙ୍ଗଳମ୍

 

ବୋଉ ବରାବର ମୋତେ ଆକଟ କରି କହନ୍ତି ।—କୁନିର ବିଭାଘର କଥା ବୁଝୁନୁ କାହିଁକି-? ମୁଁ ମରିବା ଆଗରୁ କ’ଣ ତା’ର ବିଭାଘର ଦେଖି ଯିବିନି ? ଉତ୍ତର ଦିଏ “ଟଙ୍କା ? ଝିଅ ବିଭାଘରକୁ ଟଙ୍କା ପାଇବି କେଉଁଠୁ— ଚାରି ଦଉଡ଼ିକଟା ହୋଇ ଢୋକେ ପିଇ ଦଣ୍ଡେ ଜୀଇ ଅବସ୍ଥାରେ ?” ବୋଉର ସେଇ ସବୁଦିନିଆ ରୋକଠୋକ୍ କଥା–“ତୁ ବରଘର ଠିକ୍ କଲେ ଟଙ୍କା ଛାଏ ଆସିଯିବ ।” ଆଶ୍ଚର୍ଯ୍ୟ ଏଇ ଦୁଇଟି ପୁଅ, ଦୁଇଟି ଝିଅଙ୍କୁ ହରାଇଥିବା, ପୁଣି ସ୍ୱାମୀ ହୀନା ମୋର ଜନନୀଙ୍କ ଧୈର୍ଯ୍ୟ, ସାହସ ଓ ବିଶ୍ୱାସ ! ଉତ୍ତର ଦିଏଁ,-“ମୁଁ ଯେଉଁଠାରେ ଠିକ୍ କଲି କୁନି ତ ସେଠାରେ ମଙ୍ଗୁ ନାହିଁ । ନିଜେ ସେ ତା ହେଲେ ସ୍ଥିର କରୁ” ।

 

ସତକୁ ସତ ସେ ସ୍ଥିର କରେ ତା’ର ବିବାହ ପ୍ରସ୍ତାବ । କମ୍ୟୁନିଷ୍ଟି ପାର୍ଟି ଅଫିସ୍‍ରେ ତା’ରି ସହିତ କାମ କରୁଥିବା ଶ୍ରୀମାନ୍ ଦେବେନ୍ଦ୍ର ଶତପଥୀଙ୍କ ସହିତ ।

 

ମୁଁ କିନ୍ତୁ ତାଙ୍କର ଘର, ଗ୍ରାମ, ବାପ, ମାଆ, ଶିକ୍ଷା, ଦୀକ୍ଷା କିଛି ହେଲେ ଜାଣେ ନାହିଁ ! ସେ ସବୁ ପ୍ରଶ୍ନ ଉଠାଇବାର ମଧ୍ୟ ଅବକାଶ ନଥାଏ ମୋର–ପୁଣି ବୋଉ ଆଗରେ । କାରଣ କିଛି ହେଲେ ନ ବୁଝି ସେଇ ପ୍ରସ୍ତାବରେ ହିଁ ସେ ଭାରି ଖୁସି । ଦେବେନ୍ଦ୍ରଙ୍କ ବାପା ଶ୍ରୀ ବିଶ୍ୱନାଥ ଶତପଥୀଙ୍କ ସହିତ କଥାବାର୍ତ୍ତା ହୁଏଁ । ତାଙ୍କର ମଧ୍ୟ କୌଣସି ଆପତ୍ତି ନାହିଁ । “ମୋ ଦାନା ପାଣି କାହାଘରେ, ମୁଁ ଯାଉଥିଲି ବାହାଘରେ” ମୋ ଅବସ୍ଥା ସେତେବେଳେ ଏହିପରି ।

 

ପ୍ରଜାତନ୍ତ୍ର ଅଫିସରେ ବିଷୁବ ମିଳନର ଆରମ୍ଭ ବୋଧହୁଏ ସେହି ସମୟରେ । ପ୍ରଥମ ବୈଠକକୁ ମୋତେ ନିମନ୍ତ୍ରଣ । ବହୁ ସାହିତ୍ୟିକଙ୍କ ସହିତ ସେହି ସନ୍ଧ୍ୟାରେ ମିଳନ । ସେତିକିବେଳେ ଖବର ପାଏଁ—କୁନି ମୋର ଘରୁ ଗିରଫ ହୋଇ ଥାନା ହାଜତକୁ ଆସିଲାଣି । ସଭାରେ ମୋତେ ପୌରୋହିତ୍ୟ କରିବାକୁ ନିମନ୍ତ୍ରଣ ଆସେ; ମାତ୍ର ଥାନା ହାଜତରେ ପୌରୋହିତ୍ୟ କରିବା ଆହ୍ୱାନ ପାଇ ସେଇ ନିମନ୍ତ୍ରଣର ପ୍ରଲୋଭନ ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ ହୁଏଁ । ସେଥର କୁନିକୁ ଅବଶ୍ୟ ବେଶିଦିନ ହାଜତ୍ କିମ୍ବା ଜେଲ୍‍ରେ ରହିବାକୁ ପଡ଼େନାହିଁ; ଘରକୁ ଫେରିବା ପରେ ଆୟୋଜନ କରାଯାଏ ତା’ର ବାହାଘର । ଦିନ ଆଠଟି ଭିତରେ ସବୁ ଆୟୋଜନ ସମ୍ପୂର୍ଣ୍ଣ ହୁଏ । କେଉଁଠିକି ନିମନ୍ତ୍ରଣ ପତ୍ର ଗଲା, କିଏ ପାଇଲେ ଅବା ନ ପାଇଲେ ତା’ର ହିସାବ ନେବାକୁ ସୁଦ୍ଧା ଘରେ କାହାର ଫୁର୍‌ସତ୍‍ର ଅଭାବ । ମୋର ଜନ୍ମସ୍ଥାନ ଆମ ଗାଁରୁ ଅବଶ୍ୟ ଅନେକ ଆସି ପହଞ୍ଚିଲେ ବନ୍ଧୁ କୁଟୁମ୍ବ ସମେତ ।

 

ଏହି ଅଳ୍ପ ସମୟ ଭିତରେ ଆହୁରି ଦୂରବନ୍ଧୁମାନଙ୍କୁ ନିମନ୍ତ୍ରଣ କରିବା କିମ୍ବା ସେମାନେ ସମସ୍ତେ ଆସି ଯୋଗଦେବା ସମ୍ଭବପର ହୁଏନାହିଁ, ତଥାପି ଅନେକ ଆସି ଯୁଟନ୍ତି, ମାତ୍ର ନିମନ୍ତ୍ରଣ ପାଇ ନଥିବା ଅନେକ ଭଦ୍ର ମହିଳା, ଭଦ୍ରବ୍ୟକ୍ତି ଓ କୁନିର ସହପାଠୀ, ସହକର୍ମୀ, ବନ୍ଧୁବାନ୍ଧବୀ ପଦଧୂଳି ଦେଇଯାନ୍ତି ମୋର ଘର ଗହଳ କରି ।

 

କୁନିକୁ ବିବାହ ଦେଇ ମୁଁ ଯେ କେବେହେଲେ ତାକୁ ଛାଡ଼ି ରହି ପାରିବି, ତାହା କଳ୍ପନା କରି ନଥିଲି । ତହୁଁ ତା’ର ବିବାହ ପୂର୍ବରୁ ତାକୁ ପଚାରେଁ—“ତୁ ବିଭା ହୋଇଗଲେ ଏଠାଘର କଥା କ’ଣ କରାଯିବ କହିଲୁ ?”

 

“ମୁଁ କ’ଣ ଘର ଛାଡ଼ି କୁଆଡ଼େ ଯିବି କି ?” ସତକୁ ସତ ସେ ତା’ର ଶ୍ୱଶୁରଘର ଢେଙ୍କାନାଳ ଜିଲ୍ଲା ଧଳପୁରକୁ କଟକରେ ବିଭାଘର ପରେ ଯାହା ମାତ୍ର ସପ୍ତମଙ୍ଗଳା ପାଇଁ ଯାଇଥିଲା ଥରଟିଏ । ଲେଉଟି ଆସେ ପୁଣି ‘ସ୍ଵପ୍ନପୁରୀ’କୁ ।

 

ବିବାହରେ ତା’ର ବନ୍ଧୁ କୁଟୁମ୍ବ ସମସ୍ତେ ଖୁବ୍ ଖୁସିରେ ମାତିଥିଲେ ବି ମନଟା ମୋର ଚିନ୍ତାଗ୍ରସ୍ତ ହୋଇ ପଡ଼ିଥାଏ ।

 

ଜୀବନର ସବୁ ଦାଗ ଭିତରେ ଭାଗୁର ଅକାଳ ବିୟୋଗ ଦାଗଟା ସବୁଠାରୁ ବେଶି ଦାଉ ଦାଉ ହୋଇ ଜଳୁଥିବାବେଳେ କୁନିର ଏମ‌୍‌ତି ଗତିବିଧି ! ସେଥିଲାଗି ମୂଳରୁ ମୁଁ ନିଜେ ଦାୟୀ ହେଲେ ବି ଘୋର ଅନ୍ଧାର ଦିଶେ—ତାହାର ଭବିଷ୍ୟତ ଯେ କ’ଣ ହେବ ! ମୋ ବୋଉକୁ କିନ୍ତୁ ଦେଖିଲି କୁନି ବିଭାଘରେ ସବୁଠାରୁ ବେଶି ଖୁସି ହୋଇଥିଲା କେବଳ ସେଇ । ଶିବ ପାର୍ବତୀଙ୍କର ବିବାହ ଗୀତ ତା’ର ମୁଖସ୍ଥ ! କୁନି-ବୋଉର ମଧ୍ୟ ସେ ଗୀତଟି ମୂଳରୁ ଶେଷଯାକେ ମନେ ରହିଛି । ବୋଉ ସେଇ ଗୀତ ବୋଲି କୁନିର ହସ୍ତଗ୍ରନ୍ଥି ପଡ଼ିବା ସମୟରେ ବେଦୀ ଚାରିପଟେ ତାଳି ମାରି ବୁଲୁଥିବା ଚିତ୍ର ଆଜି ମଧ୍ୟ ଆଖି ଆଗରେ ମୋର ନାଚିଯାଏ ଅବିକଳ—

 

କଷା କଉପୁନୀ ମୁଣ୍ଡରେ ଜଟା,

ବୃଷଭ ବାହନ ଅତ୍ୟନ୍ତ ଛଟା ।

ଲାଞ୍ଚ ପାଇଲେ ଖାଅ ତିନି ବେଳ

ନୋହିଲେ ଘେନି ବୁଲୁଥାଅ ଥାଳ ।

ଏମନ୍ତ ଲୋକର ଘରକି ହେବ

ଦିବସ ଜଳରେ ବୁଡ଼ି ରହିବ ।

 

ଶୁଣି ସଦାଶିବ କହନ୍ତି ହସି

ଏ ବର କିମ୍ପା ବରୁଥିଲ ବାଛି ।

ତପ କରୁଥିଲ ନିଗମ ବନ

ଏବେ ପାସୋରିଲ ସେକଥା ମାନ ।

ବକଳ ବସନ ପୁଷ୍ପ ଆହାର

ରାତ୍ର ଦିବସେ ପୂଜୁଥିଲ ହର ।

 

ବିବାହ ପରେ ଦେବ କୁନି ଉଭୟେ କେବଳ ଯେ ଘରେ ମୋର ରହନ୍ତି, ସେତିକି ନୁହେଁ— ଏହି ଘରେ ହିଁ କମ୍‍ରେଡ୍‍ମାନଙ୍କର ପୁଣି ମେଳା ବସେ, ଆଲୋଚନା ହୁଏ । ଘର ଚାରିପଟେ ଦିନରାତି ପୋଲିସ୍ ଜଗୁଆଳ ଅଥବା ଗୋଇନ୍ଦାମାନଙ୍କର ଆତଯାତ । ମୋହର ଜ୍ୟେଷ୍ଠ ଦିବ୍ୟସିଂହଙ୍କ ପୁତ୍ର ଶ୍ରୀମାନ୍ ନୀହାର ବିଭାଘର ମଧ୍ୟ ମେଦିନୀପୁର ଡାକ୍ତର ୰ ମହେଶ୍ୱର ପତିଙ୍କ କନ୍ୟା ସହିତ ଅନୁଷ୍ଠିତ ହୁଏ ଅଳ୍ପ ସମୟ ବ୍ୟବଧାନ ଭିତରେ ।

 

ମିଳନ ଆନନ୍ଦର ପର୍ବ ପରେ ଆସେ ଠିକ୍ ପୁଣି ବିଷାଦ ବିଚ୍ଛେଦର ପର୍ବ । “ସ୍ଵପ୍ନପୁରୀ”ର ଦୁଃସ୍ୱପ୍ନ । କଠିନ ରୋଗରେ ପୀଡ଼ିତା ହୁଏ ମୋର ସାନ ଝିଅ ଲୁସି । ଆମ ଗାଁରେ ଅନୁଷ୍ଠିତ ନୀହାର ବିଭାଘରେ ଯୋଗ ଦେଇ ତା’ପରେ କଟକ ଆସି ହୁଏ ସେ ଶଯ୍ୟାଗତା । ପୁରୀରେ ବୋଉ ମଧ୍ୟ ପୀଡ଼ୀତା ହୁଅନ୍ତି । ପୁରୀ ଯାଇଁ ବୋଉଙ୍କୁ ଘେନିଆସେ କଟକ ।

 

ଲୁସିର ଚିକିତ୍ସା, ପରିଚର୍ଯ୍ୟା, ଔଷଧ, ପଥ୍ୟାପଥ୍ୟ ପରାମର୍ଶ ମଧ୍ୟ ମିଳେ କୁନିଠାରୁ ସେହିପରି । ସେ ଘରେ ବୋଉ ଶେଷ ଶଯ୍ୟାରେ ଶଯ୍ୟାଶାୟିନୀ । ଏପାଖେ ମୋ ଶୋଇବା ଘରେ ସେ ସାନ ଝିଅ ଲୁସି । କୁନିକୁ ତାଙ୍କ ଜନ୍ମଦାତ୍ରୀ ଭଳି ବୋଉ ଅଳି, ଅଝଟ, ଗାଳି, ଫଜ୍ଜିତ ମଝିରେ ପୁଣି ସ୍ନେହ ବି କରନ୍ତି ସେମ‌୍‌ତି ଦଣ୍ଡେ ନ ଦେଖିଲେ । ଡାକ୍ତରଙ୍କ ଠାରୁ ସଙ୍କେତ ପାଇ ସୁଦ୍ଧା ମୁଁ ବିଶ୍ୱାସ କରିପାରୁ ନ ଥାଏଁ—କଦାପି ମାତୃହୀନ ହେବି ବୋଲି । ଭାଣିଜୀ ଚେମିଣୀ କହେ ହସି ହସି ମାମୁଙ୍କ ଇଚ୍ଛା, “ଆଈ ଯେମ‌୍‌ତି ସବୁଦିନ ବଞ୍ଚଥିବେ” । ସତେ ଅବା ମୋ ପିଲାଦିନ ସେ ଦେଖିଛି । ବୋଉଙ୍କଠାରୁ ଶୁଣିଥିବ ସେ ନିଶ୍ଚୟ ମୋ ପିଲାଦିନ କଥା ଦଣ୍ଡେ କିପରି ମୁଁ ପାଖଛଡ଼ା କରେ ନାହିଁ ବୋଉକୁ ମୋ’ଠାରୁ । ଏବେ କିନ୍ତୁ କରିବାକୁ ହୁଏ । ଯମର ଜବରଦସ୍ତି—“ଯମ ତ ନ ଜାଣଇ ବାଳୁତ ଯୁବା—ଜିଇଁବୁ ବୋଲି ସଦା ପାଞ୍ଚିଛୁ ଅବା !”

 

ଡାକ୍ତର ଶ୍ରଦ୍ଧେୟ ଭଗବତୀ ପ୍ରସାଦ ଆଚାର୍ଯ୍ୟ ସନ୍ଦେହ କରନ୍ତି ଲୁସିର ଯକ୍ଷ୍ମାରୋଗ ବୋଲି-। ସେତେବେଳେ କୁନିର ସେବା ସାହାଯ୍ୟ ଅବା ବଞ୍ଚାଇ ରଖେ ଆମ ସମସ୍ତଙ୍କୁ । ବୋଉ ମୋର କୁନିକୁ ତା’ର ଜନ୍ମାବଧି କଟକ ଜାଚକ ଲେନ୍‍ରେ ଯେମ‌୍‌ତି ପାଇଥିଲେ ମୃତ୍ୟୁ ଶଯ୍ୟାରେ ସେମ‌୍‌ତି ତା’ଠାରୁ ଅବା ସେବା ଶୁଶ୍ରୂଷା ପାଇଲେ ସେ ।

 

ସୁଖ ଦୁଃଖେ ସମେ କୃତ୍ୱା

 

ଯଥାର୍ଥରେ ଦୁଃଖ ସୁଖର ଫରକ୍‍ଟା ସେତେବେଳେ ଆପେ ଆପେ କୁଆଡ଼େ ଉଭେଇଯାଏ ମୋହ ପକ୍ଷରେ । ଜନ୍ମ ମୃତ୍ୟୁ ଦୁଇଟା ଭିତରେ କିଛି ହେଲେ ସେ ଫାଙ୍କ୍ ନାହିଁ, ତାହାର ଚରମ ଅନୁଭୂତି ଓ ଅଭିଜ୍ଞତାର ଅତି ନିର୍ମମ ବାସ୍ତବ ସନ୍ଧିକ୍ଷଣ ସେଇ ଅବା ମୋର । ବୋଉଙ୍କ ଶ୍ରାଦ୍ଧକର୍ମ ଆଦି ଗାଁକୁ ଯାଇ ପାରିବାରିକ ଚିରାଚରିତ ପ୍ରଥା ଅନୁଯାୟୀ କରିବାକୁ ହୁଏ ମୋତେ । ଗାଁରେ ଆମର ନିକଟତମ ପଡ଼ିଶାଘରର ବାଜ ସାହାଣି ବୁଢ଼ା ଆସି କହନ୍ତି, ସତେ ଅବା ମୋ ମନକଥା ଜାଣିଲା ଭଳି—

 

“ଏମ‌୍‌ତି କ’ଣ ସବୁ କଥା ଏକା ସମୟରେ ଘଟେ ? ଆଉ ଦିନାକେତେ ସତାର କରି ଯାଇଥିଲେ ଗୁଡ଼ଘର କ’ଣ ପିମ୍ପୁଡ଼ି ଖାଇ ଯାଉ- ଥିଲେ କି ? ମାସ ଦି’ ଚାରିଟା ମଝିରେ ଫାଙ୍କ ପଡ଼ିଥିଲେ କ’ଣ ହୁଅନ୍ତା ନାହିଁ ? ଏତେ କାଳ ତ ତକେଇଲେ ବୁଢ଼ୀ ସା’ନ୍ତାଣୀ । ଆଉ କେତୁଟା ଦିନ ବଞ୍ଚିଯାଇଥିଲେ କ’ଣ ମାରାଟା ହୁଅନ୍ତା ଭଲା ?” ସାହାଣୀଙ୍କ ନିଜ ଭେଣ୍ଡା-ପୁଅ ତିନିଜଣ ତାଙ୍କରି ଆଗରେ ମରିଯାଇଥାନ୍ତି—ଧର୍ମାନନ୍ଦ, ପରମାନନ୍ଦ ପୁଣି ଭଜନାନନ୍ଦ । ତଥାପି ମୁଁ ମାତୃହୀନ ହେଲି ବୋଲି ଆପଣା ଦୁଃଖ ପାସୋରି ମୋହ ପାଇଁ ଏତେ ଦରଦ ! ପରମାନନ୍ଦ ଥିଲେ ମୋର ଅନ୍ୟତମ ସାଥୀ ମ୍ୟାଜିକ୍ ଖେଳରେ–ବାଳକ ବୟସରେ । ମୋ ମନକଥା ପଡ଼ିଶାଘର ସାହାଣୀଙ୍କ ମୁହଁରେ ଯେମ‌୍‌ତି ପ୍ରତିଧ୍ୱନିତ ହୁଏ ମ୍ୟାଜିକ ଭଳି । ସତକୁ ସତ ବାପା-ଭାଉଜ-ଭାଇନା-ଭାଗୁ-ବୋଉ-ଆଗ ପଛ ହୋଇ ଚାଲେ ଆମ ଘରେ ମରଣ ରୋଷଣି । ମଝି ଫାଙ୍କଟା ଖୁବ୍ ସଂକୀର୍ଣ୍ଣ ହୋଇ ଏବେ ଜଣାପଡ଼େ, ଦୁର୍ଘଟଣାଗୁଡ଼ିକ ମଝିରେ ଥିବା ସମୟର ସବୁ ଫରକ ଏକାବେଳେ ଘୁଞ୍ଚି ଯାଇ ମାଳଗୁନ୍ଥା ହେଲାଭଳି ଲଗାଲଗି ହୋଇ ପଡ଼ିଲାଣି ପରା !

 

ଗାଁରୁ ଫେରି ‘ସ୍ଵପ୍ନପୁରୀ’ ଦୁଆର ମୁହଁରେ ଗୋଡ଼ ଦେଇଛି କି ନାହିଁ, ଲୁସିର ଡାକ୍ତରଖାନାରେ ଅସୁସ୍ଥତା ଆହୁରି ବଢ଼ିଥିବା ଖବର ଯାଏ ଘରେ ନ ପଶୁଣୁ ଚାଳ ବାଜିଲା” ଭଳି । ସଙ୍ଗେ ସଙ୍ଗେ ଚାଲେଁ ଡାକ୍ତରଖାନା । ବୋଉଙ୍କ ଦଶାହ କର୍ମ ଲାଗି ଗାଁକୁ ମୋର ଯାଇଥିବା ସମୟ ଭିତରେ ହିଁ ଲୁସି ଦେହ ବେଶି ଖରାପ ହୋଇପଡ଼େ । ତେଣୁ ଡାକ୍ତରଖାନା ଘେନିଯାନ୍ତି ତାହାକୁ କୁନିର ପରାମର୍ଶ ଅନୁସାରେ ।

 

ଦୁଆରୀ ନାମରେ ଢେଙ୍କାନାଳର ଗୋଟିଏ ଲୋକ ସେତେବେଳେ ଘରେ ରହି ମୋର କାମ କରୁଥାଏ । ସେହି ମୋତେ ଆଗ ଖବରଟା ଯୋଗାଇ ଦିଏ ନିଜେ କାନ୍ଦି ପକାଇ । ଅତି ସରଳ ଦରଦୀ ମଣିଷଟିଏ ଥିଲା ଦୁଆରୀ । ବାଡ଼ିରେ ମୋର ପଣସଗଛଟି ପୋତି କହି ଯାଇଥିଲା, “ବାବୁ, ପଣସ ଖାଇଲାବେଳେ ଦ୍ଵାରୀକୁ ମନେ ପକେଇବେ” ଏବେ ସେ ଗଛରେ ପଣସ ଫଳେ । ଦ୍ଵାରୀ କିନ୍ତୁ ନାହିଁ ଆଉ ଏ ପୃଥିବୀରେ । ପୁଅଠାରୁ ତା’ର ସେ ଖବର ମିଳେ । ପୁଅଟି ସହିତ ବି ଆଉ ଭେଟ ନାହିଁ ସେଇ ଦିନୁଁ ।

 

ଡାକ୍ତରଖାନା କନିକା କଟେଜ୍‍ରେ ଲୁସି ଶୋଇଛି । ବୋଉ ତା’ର ଜଗି ବସିଛନ୍ତି ଦିନରାତି-। କନିକା କଟେଜ୍ ଦୁଆରେ ମୁଁ ପହଞ୍ଚିବା ମାତ୍ରେ ଆଗ ଆମେ ସ୍ତ୍ରୀ ପୁରୁଷ ଚିହ୍ନି ପାରିଲୁନି କେହି କାହାକୁ ଉଭୟ । ଘଟଣାଟା ମନସ୍ତାତ୍ତ୍ୱିକମାନଙ୍କର ଗବେଷଣାର ବିଷୟୀଭୂତ ହୋଇ ପଡ଼େ ନିଶ୍ଚୟ-। ଆଜିକି ଠିକ୍ ପଚାଶ ବର୍ଷ ହେଲା ସ୍ଵାମୀ-ସ୍ତ୍ରୀ ହୋଇ ରହି ଆସିଥିବା ସମୟ ଭିତରେ ପରସ୍ପରକୁ ଚିହ୍ନି ନ ପାରି ମୁଁ ଭୁଲ୍‍ରେ ଡାକ୍ତରଖାନାର କେଉଁ ଘରେ ପହଞ୍ଚି ଯାଇଥିବା ଓ ମୋ ସ୍ତ୍ରୀ ଆଉ କେହି ପୁରୁଷ ଲୋକ ସେଠାକୁ ଆସିଥିବା ଅଚିହ୍ନା ମଣିଷ ଭଳି ଚାହୁଁ ପରସ୍ପରକୁ । ମୁଁ ଅବଶ୍ୟ ବୋଉଙ୍କ ଶୁଦ୍ଧିକ୍ରିୟାରେ ମୁଣ୍ଡ କ୍ଷୌର ହୋଇଥାଏ; କିନ୍ତୁ ରତ୍ନମଣିଙ୍କ ଚେହେରାଟା ତାଙ୍କର ନୁହେଁ ବୋଲି ବିଶ୍ୱାସ କରିବାର କିଛି ମାତ୍ର କାରଣ ମୁଁ ଖୋଜି ପାଇଲି ନାହିଁ ତ’ ! ବିଷୟଟା ନିଶ୍ଚୟ ମନସ୍ତାତ୍ତ୍ୱିକ । ଲୁସିର ଅବସ୍ଥା ଅବଶ୍ୟ ସଙ୍କଟାପନ୍ନ । ପୁଣି ଡାକ୍ତରମାନେ ଯକ୍ଷ୍ମାରୋଗ ବୋଲି ତା’ର ଅନୁମାନ କରିଛନ୍ତି । ମୋର ସାନଭାଇ ଭାଗୁର ମୃତ୍ୟୁ ସମୟରୁ ବହୁ ବିପଦର ସାଥି ଶ୍ରଦ୍ଧେୟ ଡାକ୍ତର ଶ୍ରୀ ଭଗବତୀ ପ୍ରସାଦ ଆଚାର୍ଯ୍ୟଙ୍କଠାରୁ ତାହା ଶୁଣେ । ଲୁସିକୁ ବଞ୍ଚାଇବା ପାଇଁ ଲାଗିପଡ଼ୁ ସମସ୍ତେ ଆମେ ପ୍ରାଣପଣେ । ଭୟ ହୁଏ ମୋର, ଜନ୍ମରୁ ଥିଲା ସେ ଭାରି କାନ୍ଦୁରି । ସତେ ଅବା ତା’ର ଜନ୍ମ ପରଠାରୁବାପା, ଶାଶୁ, ଶ୍ୱଶୁର, ଭାଉଜ, ଭାଇନା, ଭାଗୁ ଆଦି ଜଣକ ପରେ ଜଣେ ସଂସାରରୁ ବିଦାୟ ନିଅନ୍ତି; ଜଣକ ପାଇଁ ଆମ ଲୁହ ଶୁଖିବା ଆଗରୁ ଆଉ ଜଣେ । ବୋଉଙ୍କ ତିରୋଧାନ ପରେ ମୋର ବାରମ୍ବାର ମନେପଡ଼େ-

 

“ଅହନ୍ୟହନି ଭୁତାନି ଗଚ୍ଛନ୍ତି ଯମ ମନ୍ଦିରଂ,

ଶେଷାସ୍ତୁ ସ୍ଥିରମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃ ପରମ୍।”

 

ଶେଷରେ ତ ମୁଁ କାହିଁକି ଆପଣାକୁ ସ୍ଥିର ମଣିପାରେ ନାହିଁ ସେତେବେଳେ । ସବୁ ମୋର ଅସ୍ଥିର ହୋଇପଡ଼େ—ଦେହ ମନ— ଅତୀତ ବର୍ତ୍ତମାନ ଏକାକାର— ଶୂନ୍ୟ ଶୁନ୍ୟ ମହାଶୂନ୍ୟ । ପାଦ ରଖିବାକୁ ଥାନ ମିଳେ ନି କାହିଁ ହେଲେ ଅବା !

 

କେହି ରହି ନାହିଁ            ରହିବେ ନାହିଁଟି

ଭବରଙ୍ଗ ଭୁମି ତଳେ

ସର୍ବେ ନିଜ ନିଜ            ଅଭିନୟ ସାରି

ବାହୁଡ଼ିବେ କାଳବଳେ ।

 

ତେବେ ଅଭିନୟଟା ଯଦି ବାଳକ ବାଳିକା ବୟସରୁ ସରିଯାଏ, ତା'ହେଲେ ନିଶ୍ଚୟ ଅସ୍ୱାଭାବିକ ଅନୁଶୋଚନାର ବିଷୟ ନୁହେଁ କି ? ସେହି ସମୟରେ ପୁଣି କୁନିକୁ ଆସି ରହିବାକୁ ହୁଏ ମଧ୍ୟ ଡାକ୍ତରଖାନା ପ୍ରସୂତି ଭବନରେ । ସେଥିଲାଗି ଏମ୍.ଏ. କ୍ଲାସରୁ ତାକୁ ଛୁଟି ନେବାକୁ ହୋଇଥାଏ । ରେଭେନ୍‍ସା କଲେଜ୍ ଷ୍ଟ୍ରାଇକ୍ ଠିକ୍ ସେତିକିବେଳେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ କାର୍ଯ୍ୟକାଳ । କୁନିକୁ ଏଇ ପରିସ୍ଥିତିରେ କେବଳ କଟକ ମେଡ଼ିକାଲ କଲେଜ୍ ହସ୍‌ପିଟାଲର ପ୍ରସୂତି ଭବନର ନିବିଡ଼ ଘେର ଭିତରଟା କାହିଁକି, ପୃଥିବୀର କେଉଁଠି କିଏ ରୋକି ପାରନ୍ତା ଅବା ! ଏଣେ ଡାକ୍ତରଖାନାରେ ଲୁସିର ଜୀବନ ମରଣ ସମସ୍ୟା, ତେଣେ ଆସନ୍ନପ୍ରସବା କୁନିକୁ ଡାକ୍ତରଖାନାରେ ଅଟକାଇ ରଖିବା ଉତ୍କଣ୍ଠା । ଡାକ୍ତରଖାନାରୁ ସେ ବାହାରି ଯିବା ପରେ ପ୍ରସୂତି ଭବନର ଜଣେ ନର୍ସ ମୋତେ ଆସି ଖବରଟା ଦିଅନ୍ତି କନିକା କଟେଜ୍‌ରେ ।

 

ଲୁସିକୁ ମରଣାପନ୍ନ ଅବସ୍ଥାରେ ଆମେ ବାପ ମା ଦିନରାତି ଜଗି ରହି ଛଟପଟ ହେଉଛୁ ପ୍ରାଣ ବିକଳରେ । କଟକ ସହର ସାରା ଯେମ‌୍‌ତି ହୁଲସ୍ଥୁଲ୍ । ବନ୍ଧୁକଧାରୀ ମିଲିଟାରୀ ଫୋର୍ସ ଯାଇ ଜଗି ରହିଲେଣି କଲେଜ୍ ଚାରିପଟ । କୁନି ଗଲା କୁଆଡ଼େ ଏମ‌୍‌ତି ପୁଣି ତା’ର ଶାରୀରିକ ଅବସ୍ଥାରେ-!

 

ଘଟଣାଚକ୍ର ମଝିରେ ମଝିରେ ଏମ‌୍‌ତି ଯୋରରେ ବୁଲିବାକୁ ଆରମ୍ଭ କରେ, ସେଥିରେ ମଣିଷ କାହିଁ ପାଦ ରଖି ସ୍ଥିର ହେବାପାଇଁ ରାହା ଟିକିଏ ପାଏ ନାହିଁ । ସେଠାରେ ତାକୁ କିଏ ଯେ ସମ୍ଭାଳି ନିଏ, ତାହା ବୁଝିବା କେବଳ ଅସମ୍ଭବ ଛଡ଼ା ତ ଆଉ କିଛି ହୋଇପାରେ ନାହିଁ । ତଥାପି ମଣିଷ ଥୟ ଧରି ରହେ କିପରି ? କିଏ ସେ ତା’ର ସହାୟ ? ଭଗବାନ ? ନାହିଁ ତ । କୌଣସି ଅଦୃଶ୍ୟ ଅଜ୍ଞାତ ଶକ୍ତି ଉପରେ ବିଶ୍ୱାସ କରିବା ସମୟ ମୋର ନୁହେ ସେ ! ଏତେ ବଡ଼ ଦୁର୍ବଳତାକୁ ସ୍ୱୀକାର କରିଯିବା କଣ ଜଣେ ହେତୁବାଦୀ ପକ୍ଷରେ ସମ୍ଭବପର ! ମାତ୍ର ଜୀବନ ସ୍ରୋତରେ କେତେ ଅହେତୁକ ଘଟଣା ଏମ‌୍‌ତି ଘଟିଯାଏ—ପରେ ଯାହାର କାରଣ ଉଭାବନ ଲାଗି ଉଦ୍ୟମକଲେ ……ବିସ୍ମୟ ! ବିସ୍ମୟ !

 

ସବୁଠାରୁ ମୋର ବଡ଼ ପ୍ରଶ୍ନ ସେତେବେଳେ—“କୁନି ଗଲା କୁଆଡ଼େ ?”

 

ମୃତ୍ୟୋର୍ମାଽମୃତମ୍ ଗମୟ

 

ମାସ ମାସ ବର୍ଷ ବର୍ଷ ବିତିଗଲା । ଦିନ ନାହିଁ ରାତି ନାହିଁ ଏହି ପ୍ରଶ୍ନଟା ହିଁ ଆମ ଭିତରେ ସବୁଠାରୁ ବଡ଼ ଭୟ ସୃଷ୍ଟି କରିଥାଏ । ପୁଣି ଭୟଟା ଆଜି ଯେ ତାହାର ବାସ୍ତବ ରୂପ ଘେନି ସାମ୍ନାରେ ଆସି ଅଟ୍ଟହାସ୍ୟ କଲାଣି । ଲୁସିକୁ ଛାଡ଼ି ଦଣ୍ଡେ ହେଲେ ତ କୁଆଡ଼ିକି ଯିବା ଉପାୟ ନାହିଁ—ପୁଣି କଲେଜ୍ ଛକର ହଜାର ହଜାର ଲୋକଗହଳି ଭିତରେ କୁନିକୁ ଅବା ଖୋଜି ପାଇବ କିଏ ! ଘର ସଂସାର ସବୁ ଆଶା ଛାଡ଼ି ଦେଇ ଆମେ ବାପ ମା ଚୁପ୍ ଚାପ୍ ବସି ରହିଛୁଁ । ଏତିକି ବେଳେ ପହଞ୍ଚିଯାଏ ଆସି ପୁତୁରା ନୀହାର ।

 

ଭାଗୁ ସଂସାରରୁ ବିଦାୟ ଘେନି ଯିବା ପରେ ନୀହାର ଉପରେ ଆମ ଯୌଥ ପରିବାରର ଅନେକ ଦାୟିତ୍ୱ ପଡ଼ିଥାଏ ତା’ର ଅଳ୍ପ ବୟସରେ ଅବଶ୍ୟ । ଆଜି କଟକ ଡାକ୍ତରଖାନା କନିକା କଟେଜ୍‍ରେ ନୀହାରକୁ ଦେଖି ମନଭିତରେ ଟିକିଏ ଆଶ୍ୱାସନା, ଦମ୍ଭ ଓ ସାହସ ଆସେ । କୁନି ପ୍ରସୂତି ଭବନରୁ କାହାରିକି କିଛି ନ କହି ବାହାରି ଯାଇଛି ବୋଲି ମୁଁ ଜଣାଏ ନୀହାରକୁ ।

 

ସଙ୍ଗେ ସଙ୍ଗେ ସେ ତା’ର ମଟର ଧରି ଚାଲେ କଲେଜ ଛକକୁ । ନୀହାର ବାହାରିଯିବା ଅଳ୍ପ ସମୟ ପରେ କଲେଜ ଛକରୁ ଡାକ୍ତରଖାନା ଲୋକ ଦୌଡ଼ି ଆସି କହିଲେ, ସେଠାରେ ଗୁଳି ଚାଲିଲାଣି— ଜମା ହୋଇଥିବା ହଜାର ହଜାର ଲୋକ କିଏ କୁଆଡ଼େ ପଳାଇଛନ୍ତି । ତା’ହେଲେ କୁନି ? ମିଲିଟାରୀ ପୋଲିସ୍ ଯେ ଗୁଳି ଚଳାଇଲାଣି !

 

ଆମ ବାପ ମା’ଙ୍କ ଛାତିରେ ମଧ୍ୟ ସେଇ ଗୁଳି ଯେମ‌୍‌ତି ଆସି ବିଦ୍ଧ ହୁଏ ଅକସ୍ମାତ୍ । ଲୁସି ସେତେବେଳେ କନିକା କଟେଜ୍ ରୋଗୀ ଶଯ୍ୟାରେ ପଡ଼ି ରହିଥାଏ ଜ୍ଞାନଶୁନ୍ୟ ହୋଇ । ଜ୍ଞାନ ଆସିଲେ ବାଉଳି ଚାଉଳି ହୋଇ କହେ—“ଯାହାକୁ ମାରିବେ ଅନନ୍ତ, ତାକୁ କି ରଖିପାରେ ବଳବନ୍ତ-?” ପୁଣି, “ଯାହାକୁ ରଖିବେ ଅନନ୍ତ, ତାକୁ କି ମାରିପାରେ ବଳବନ୍ତ ?”

 

ଆମ ଯୌଥ-ପରିବାର ଭିତରେ ବାରିପଦାରୁ ଆରମ୍ଭ କରି ପ୍ରାୟ ଏକାଦିକ୍ରମେ ଲାଗି ରହିଲାଣି ମରଣ ରୋଷଣି । ସେଇ ରୋଷଣିର ଶେଷ ପର୍ଯ୍ୟାୟ କେଉଁଠି ତା’ହେଲେ ? କେଉଁଠି ? କେଉଁଠି ? ଚାରିଆଡ଼ୁ ଘୋଟିଆସେ ଯେମ‌୍‌ତି ମରଣ ଛାୟା । ସେ ଛାଇରୁ ବର୍ତ୍ତିବାକୁ ଆଜି ଉପାୟ ନାହିଁ । ଚାରିଆଡ଼େ ଘୋଟିଯାଏ ବନ୍ଦ କରିଦିଏ ସେ ଜୀବନର ସବୁ ବାଟ, ସବୁ ଫାଙ୍କ ।

 

ପ୍ରବଳ ଉଦ୍‍ବେଗ ଭିତରେ ନିହାର ତା’ର ଗାଡ଼ି ଘେନି ଆସି କନିକା କଟେଜ ସାମ୍ନାରେ ପହଞ୍ଚେ । ଗାଡ଼ି ଭିତରେ ବସିଛି କୁନି ! ମୁଣ୍ଡରୁ ଗୋଡ଼ ଯାକେ ପାଣି ସରସର, ହୋସ୍ ପାଇପ ମାଡ଼ରେ । ସେହି ମାଡ଼ ସହିତ ନିହାରଠାରୁ ଯେଉଁ ଚପେଟାଘାତ ସେ ପାଇଥିଲା, ତାହା ମଧ୍ୟ ପରେ ଆମକୁ ଜଣାଏ—ଜୀବନରେ ତା’ର ଏଭଳି ଆଘାତ କେବେ ହେଲେ ପାଇ ନ ଥିଲା ସେ; କିନ୍ତୁ ସେଇ ଆଘାତ ଯେ ତାକୁ ଜୀବନ୍ତରେ ଫେରାଇ ଆଣିଲା ଆମ ପାଖକୁ, ସେଥିଲାଗି ନିହାରକୁ ଆମେ ନିକଟତର କରିପାଉଁ ।

 

ଖବର କାଗଜରେ ବାହାରେ, କୁନି ହିଁ ଥିଲା ସେ ଦିନ କଲେଜ୍ ଷ୍ଟ୍ରାଇକ୍‍ର ପ୍ରଧାନ ନେତ୍ରୀ-। ସେଇ ବାହାରିପଡ଼େ ପହିଲେ ଆଗୁଆ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭିତରୁ ମିଲିଟାରୀ ପୋଲିସ୍‌ର ବନ୍ଧୁକକୁ ସାମ୍‌ନା କରି । ବନ୍ଧୁକ ଫଏର୍ ହେବା ଆଗରୁ ଅବଶ୍ୟ ହୋସ୍ ପାଇପ ପ୍ରୟୋଗ ।

 

ଘଟଣାଟିର ଅଳ୍ପ ଦିନ ପରେ ପ୍ରସୂତି ଭବନରେ ତା’ର ବଡ଼ପୁଅର ଜନ୍ମ । ସେତେବେଳେ ତା’ର ରାଜନୀତି କ୍ଷେତ୍ରରେ ଓ ସହକର୍ମୀ ଡାକ୍ତର ଶ୍ରୀମତୀ ନିରୁପମା ରଥ ଡାକ୍ତରଖାନାରେ ହାଉସ୍ ସର୍ଜନ (ଚିକିତ୍ସକ) କିମ୍ବା ଛାତ୍ରୀ ।

 

ପୁଅଟିକି ଧରି ‘ସ୍ଵପ୍ନପୁରୀ’କୁ ଆସିବା ଆଗରୁ କୁନି କନିକା କଟେଜ୍‌ରେ ପହଞ୍ଚି ଆମ ପାଖରେ । ସେତେବେଳେ ସେ ଭାବିଥିଲା, ହୁଏ ତ ନୂଆ ପୁଅଟିକି ଚାହିଁ ତା’ର ସବୁ ତ୍ରୁଟିକୁ ମୁଁ କ୍ଷମା କରିଦେବି । ମାତ୍ର ମନଟା ମୋର କେବଳ ଗୋଟାଏ ଘୋର ଅନ୍ଧକାରମୟ ମରଣ ରୋଷଣି ଭିତରେ ଉବୁଟୁବୁ ଖାଉଥାଏ । ସାମ୍ନାରେ ଅବା ନାଚି ଯାଉଥାଏ ଇଂରେଜ କବି ସେକ୍‍ସପିଅର୍‍ଙ୍କ ଓଥେଲୋ ନାଟକର ହତ୍ୟା ବିଭୀଷିକାର ଚିତ୍ର । ବିଷାକ୍ତ ହୋଇଉଠେ ବିରକ୍ତିରେ ତା’ଉପରେ ମୋର ଅନ୍ତରମୟ । ସେଇ ଦୁଃଖ ବିଭୀଷିକାର ଉପଶମ ପାଇଁ ଯେମ‌୍‌ତି ଅବା ସେ କୋଳରେ ଧରି ଆସିଥିଲା ନୂଆ ପୁଅଟିକି କନିକା କଟେଜକୁ । ପୁଅଟିକି ଚାହିଁ ମନ ମୋର ପୂରି ଉଠିଥିଲା ନିଶ୍ଚୟ; କିନ୍ତୁ କୁନି ଆଗରୁ ଆନନ୍ଦ ଆବେଗକୁ ଲୁଚାଇବାକୁ ପଡ଼େ ମୋତେ ବୋଧହୁଏ । “ଏଠିକି କାହିଁକି ଆସିଲୁ ?” ବୋଲି କ୍ରୋଧ ବିରକ୍ତିରେ ପଚାରେଁ ତାକୁ ।

 

ମୋ ବିରକ୍ତିରେ ମୁହଁରୁ ତା’ର କଥା ବାହାରେନି; କେବଳ ଡୋଳା ଯୋଡ଼ିକରୁ ଝରଝର ହୋଇ ବୋହିପଡ଼େ ଯେମତି ଅସରନ୍ତି ଲୁହର ଧାର । ଆଉ ସେ ଲୁହଧାର ଥିବା ଜଣାଇଦିଏ ମୋତେ ଯେ, ଯାହା ସବୁ ଘଟି ଯାଇଛି ସେଥିଲାଗି କୁନି କେବଳ ଏକା ଦାୟୀ ନୁହେଁ । ନିଜେ କ’ଣ ମୁଁ ଦାୟୀ ନୁହେଁ କି ? ସରକାର ବିରୋଧୀ ପ୍ରଚାର ଲାଗି ନିଜେ ବି କ’ଣ ମୁଁ କମ୍ ଦାୟୀ କି ? କୁନି ଭିତରୁ ଯେପରି କେଉଁ ଅଜଣା ଶକ୍ତି ତାକୁ ଓଟାରି ନିଏ ଏଇ ବିପଦ ଆଗକୁ ମୁହାଁଇଁ ଯିବାପାଇଁ । ପଛେଇବାକୁ ଅବା ବାଟ ନ ଥାଏ ତା’ର । ଅନ୍ୟ ବାଟେ ଯିବା ମଧ୍ୟ ତା’ ପକ୍ଷରେ ଅସମ୍ଭବ ଏକାବେଳେକେ ଯେମ‌୍‌ତି ! – “ଯଥା ନିଯୁକ୍ତୋଽସି ତଥା କରୋମି” ।

 

ନୂଆ ପୁଅଟିର ଜନ୍ମ ମାତ୍ରେ ଦେଖାଗଲା ଗର୍ଭରୁ ତା’ର ଗୋଟିଏ ଦାନ୍ତ ଉଠିଛି । କିଏ କହିଲେ ଏହା ଶୁଭ ଲକ୍ଷଣ, ଆଉ କିଏ ଅଶୁଭ । କିନ୍ତୁ କବି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କଠାରୁ ଶୁଣି ଆଶ୍ୱାସନା ମିଳେ ଯେ କୌଟିଲ୍ୟ–ଅର୍ଥଶାସ୍ତ୍ରର ପ୍ରଣେତା ପୁଣି ନନ୍ଦବଂଶଧ୍ଵଂସକାରୀ ଚାଣକ୍ୟ ମହର୍ଷିଙ୍କର ମାତୃଗର୍ଭରୁ ଦଶନ ଉଦ୍‍ଗମ ହୁଏ । ପୁଅର ଏକୋଇଶିଆ ପୂଜାରେ ମୁଁ ତାହାର ନାମକରଣକରେ ଯମଜୟୀ “ନଚିକେତା” ।

 

ମୂହୁର୍ମୁହୂ ଏଇ ଛାଇ-ଆଲୁଅ, ହସ କାନ୍ଦ ଭିତରେ ଶୁଣେ କିମ୍ବା ଦେଖେଁ ଆଜି କୁନି ହେଲାଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ! ତା’ଆଗରୁ ପରା କେତେ ମୁଖ୍ୟମନ୍ତ୍ରୀ କାହୁଁ ଆସି କାହିଁ ପୁଣି ଗଲେଣି । କିଏ ଆସିଗଲେ, କାହାର କି କଲେ କେଜାଣି । ତେବେ କୁନି ଆପଣା ବାପ ମାଆ ଦୁଇଟା ମଣିଷଙ୍କ ଆଖି ପାଣି ତା’ ଜନ୍ମରୁ ଆଜି ଯାକେ କାହିଁ ଶୁଖାଇ ତ ପାରିନାହିଁ ! ଆଉ ସେ ଦୁଇକୋଟି ଓଡ଼ିଶାବାସୀଙ୍କ ଆଖି ଲୁହ ପୋଛିବ ସତେ ! ଉତ୍କଳମଣି ଗୋପବନ୍ଧୁଙ୍କ ସମୟରୁ ସେ ଆଖିଲୁହ ତ ଶୁଖିଲାନି କାହିଁ ?

 

ସାନ ଝିଅ ଲୁସିର ବିଭାଘର ସ୍ଥିର କରି ପୁଣି ନିମନ୍ତ୍ରଣ ବାଣ୍ଟି ସାରି ଶେଷରେ ମୁଁ ଶଯ୍ୟାଶାୟୀ ହୁଏ । ବିବାହ ସ୍ଥିର କରିବା ଦାୟିତ୍ୱ ଅବଶ୍ୟ ନେଇଥାନ୍ତି ମୋର ବଡ଼ଜୋଇଁ ଶ୍ରୀମାନ୍ ଦେବେନ୍ଦ୍ର । ରଣପୁର ରାଜନୀତି ଆନ୍ଦୋଳନରେ ସମ୍ପୃକ୍ତ ରହିବା ପରେ ରେଭେନ୍‍ସା କଲେଜର ଅଧ୍ୟାପକ ହୋଇଥିବା ଶ୍ରୀମାନ ଗୋପାଳଚନ୍ଦ୍ର ମିଶ୍ରଙ୍କ ସହିତ ବିବାହ ସମ୍ପନ୍ନ ହୁଏ । ସେତେବେଳେ ନମନ୍ତ୍ରିତ ବନ୍ଧୁମାନଙ୍କୁ ସୁଦ୍ଧା ଅଭ୍ୟର୍ଥନା କରିବା ସାମର୍ଥ୍ୟ ନ ଥାଏ ମୋର, ପୁଣି ଓଡ଼ିଶାର ରାଜ୍ୟପାଳ ଶ୍ରୀ କୁମାରସ୍ୱାମୀ ରାଜାଙ୍କୁ ମଧ୍ୟ ମୁଁ ଯାଇ ନିମନ୍ତ୍ରଣ କରି ଆସିଥାଏଁ ପୂର୍ବରୁ । ମୋର ବର୍ତ୍ତମାନ ଆକସ୍ମିକ ଅସୁସ୍ଥତା କାରଣରୁ ତାଙ୍କ ଅଭ୍ୟର୍ଥନା କରିପାରିବି ନାହିଁ ବୋଲି ଜଣାଇବାକୁ ହୁଏ ଦୁଃଖର ସହିତ ।

 

ସ୍ଵାଧୀନତା ପରେ ଓଡ଼ିଶା ରାଜ୍ୟପାଳ ସ୍ଵର୍ଗତ ଅଯୋଧ୍ୟାନାଥ କାଟୁଜ୍, ଓ ଶ୍ରୀ ଅସଫ ଅଲ୍ଲି ପ୍ରଭୃତିଙ୍କ ସହିତ ଯେପରି ସହୃଦୟତା-ସୂତ୍ରରେ ମୁଁ ଆବଦ୍ଧ ହୁଏଁ, ସେଇଭଳି ଶ୍ରୀ କୁମାରସ୍ଵାମୀ ରାଜାଙ୍କ ସହିତ ମଧ୍ୟ । ଚଣାହଟ୍ଟା ଜନବିଦ୍ୟାଳୟ ପରିଚାଳନା କମିଟୀର ମୁଁ ସଭାପତି ଥିବା ସମୟରେ ରାଜ୍ୟପାଳ କାଟ୍‍ଜୁଙ୍କୁ ମୋର ଜନ୍ମସ୍ଥାନ ବିଶ୍ଵନାଥପୁର ହରିଜନ ବସ୍ତିରେ ଏକ ସଭାକୁ ଡାକି ସମ୍ବର୍ଦ୍ଧନା କରିଥିଲି, ସେଇପରି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ଵନାଥ ଦାଶଙ୍କ ଠାରୁ ଆରମ୍ଭ କରି ପୁଣି ଶ୍ରୀ ହରେକୃଷ୍ଣ ମହତାବଙ୍କ ସଂସ୍ପର୍ଶରେ ଆସିବା ସୁଯୋଗ ମୋର ସାଧାରଣ କ୍ଷେତ୍ରରେ ଘଟେ । କାରଣ ନିଜେ ଅସାଧାରଣ କ୍ଷେତ୍ର ପ୍ରସ୍ତୁତ କରି ପାରିବାର ଯୋଗ୍ୟତା କେବେ ମୁଁ ହାସଲ କରିପାରି ନ ଥିଲି, ବନ୍ଧୁମାନଙ୍କୁ ସୁଦ୍ଧା ଅଭ୍ୟର୍ଥନା କରିବାର ସାମର୍ଥ ନ ଥାଏ ମୋର । କୌଣସି ପ୍ରକାର ଉଦ୍‍ବେଗ ମନରେ ମୋର ନ ରଖିବା ପାଇଁ ଡାକ୍ତର ଭଗବତୀ ପ୍ରସାଦ ଆଚାର୍ଯ୍ୟଙ୍କର ଥାଏ କଡ଼ା ନିର୍ଦ୍ଦେଶ, ମନଟା ମୋର ସେଇ ନିର୍ଦ୍ଦେଶକୁ କେତେ ଦୂର ଗ୍ରହଣ କରି ପାରିଥିଲା, ସ୍ମରଣ କରିବାକୁ ମୁଁ ଅସମର୍ଥ ।

 

ଦେହଟା କିନ୍ତୁ ଡାକ୍ତରି ନିର୍ଦ୍ଦେଶକୁ ମାନି ପଡ଼ିରହେ ଅନବରତ ଶଯ୍ୟାଶାୟୀ ହୋଇ । ଡାକ୍ତର ଭଗବତୀ ଆଚାର୍ଯ୍ୟଙ୍କର ମୁଁ ଜଣେ ଆଦର୍ଶ ସ୍ଥାନୀୟ ରୋଗୀ ବୋଲି ପ୍ରଶଂସା ଶୁଣେ ଅନ୍ୟମାନଙ୍କ ମୁହଁରୁ; ମାତ୍ର ମୂଳରୁ ରୋଗୀ ହେବା ଯେ ଆଦୌ ପ୍ରଶଂସାର କଥା ନୁହେଁ—ବରଂ ମୋର ଅସାବଧାନତା ଓ ନିୟମହୀନତା ହିଁ ସେଥିଲାଗି ସେ ଅବଶ୍ୟ ଦାୟୀ —ତାହା ସଦାଶୟ ଚିକିତ୍ସକ ଡାକ୍ତର ଭଗବତୀ ବାବୁ କେବେହେଲେ ଉଲ୍ଲେଖ କରନ୍ତି ନାହିଁ ।

 

ଇଂରାଜୀରେ ଗୋଟିଏ କଥା ଅଛି—ବିଜ୍ଞଲୋକ ଘର ଖରିଦ୍ କରନ୍ତି; କିନ୍ତୁ ତାହା ତିଆରି କରନ୍ତି ବୋକାଯାକ (Wise men purchase a house while fools build it)-। ଘରଟା ତିଆରି କରି ସାରିବା ପରେ କଥାଟିକି ଥରେ ମନେ ପକାଇ ଦିଅନ୍ତି ବୋଧହୁଏ ମୋର ପୁସ୍ତକ ପ୍ରକାଶକ ଶ୍ରୀ ଶ୍ରୀଧର ମହାପାତ୍ର । ସେତେବେଳେ ଅବଶ୍ୟ ନିଜେ ନିଜ ଘର ତୋଳିବା ଆରମ୍ଭ କରି ନ ଥିଲେ ସେ; ମୋର ଅନ୍ୟତମ ପ୍ରକାଶକ ଶ୍ରୀ ଅନନ୍ତ ମିଶ୍ର ଓ ଆଉ କେତେ ସମସାମୟିକ ପ୍ରକାଶକ ଓ ଲେଖକ ମୋର ବୋକାମିର ପଦଙ୍କ ଅନୁସରଣ କରନ୍ତି । ବ୍ୟସ୍ତ ବିବ୍ରତ ଅତୀତର କବି ଓ ଭାବୁକମାନେ ବୋଧହୁଏ ସେଇ କାରଣରୁ ନୈମିଷାରଣ୍ୟ କିମ୍ବା ବାଲ୍ମୀକି ଆଶ୍ରମରେ ଶ୍ରେଷ୍ଠ ରଚନାର ସୃଷ୍ଟି କରନ୍ତି ।

 

ଘରଟା କରିବା ପରେ ଆଉ ଏକ ମହାବିପଦ ମଧ୍ୟ ଇନ୍‍କମ୍ ଟିକସ—ସେଥିପାଇଁ ଜମା, ଖର୍ଚ୍ଚ, ଲାଭ, ଲୋକସାନ୍ ହିସାବ ଦାଖଲ କରିବାକୁ ତାଗଦା ! ସେତେବେଳେ ଇଚ୍ଛା ହୁଏ, ଘରଦ୍ୱାର ଭଙ୍ଗା ଭୁଙ୍ଗି ଏକାବେଳେ ଯତିବ୍ରତ ଗ୍ରହଣପାଇଁ, କାରଣ ସେଥିଲାଗି ଲୋକ ନମଦ କରି ମୋତେ ହିସାବ ପ୍ରସ୍ତୁତ କରିବାକୁ ହୁଏ ରୀତିମତ ଓ ବେଡ଼ି ଉପରେ କୋରଡ଼ାଭଳି ସେତେବେଳେ କଟକର ଦୁଇଟି ଗୋଟିଏ ପତ୍ରପତ୍ରିକା ମୋର ଘୋର ସମାଲୋଚନା କରନ୍ତି ଘର ତୋଳିବା ଘଟଣାରେ, ସ୍ଵର୍ଗତ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ “ନିଆଁଖୁଣ୍ଟା” ପତ୍ରିକାରେ ବାହାରେ–ମୁଁ ‘ମାଟିରମଣିଷ’ ବହି ଲେଖି ଶେଷକୁ କଟକ ସହରରେ ଇଟାସୁର୍କୀରେ କୋଠାଘର କଲି । ଆଉରି ଶ୍ରୀ ହରେକୃଷ୍ଣ ମହତାବଙ୍କ “ପ୍ରଜାତନ୍ତ୍ର” ପତ୍ରିକାରେ ମଧ୍ୟ ପ୍ରକାଶ ପାଏ ଯେ, ମୁଁ ଗଡ଼ଜାତରେ ଚାକିରୀ କରି ରଜାମାନଙ୍କ ଟଙ୍କାରେ ଘରତୋଳେଁ, ଅଳ୍ପ କିଛି କାଳ ପରେ ଦେଖାଯାଏ ଉଭୟ କାଗଜର ମାଲିକମାନେ ପୁଣି ତାଙ୍କ କର୍ମଚାରୀମାନଙ୍କ ସମେତ ଏକାଧିକ କୋଠା ତୋଳି ସାରିଲେଣି—ଅବଶ୍ୟ ରାଜା କି ପ୍ରଜା କାହା ଟଙ୍କାରେ, ତାହା ତାଙ୍କୁ ହିଁ ଗୋଚର ।

 

ତଥାପି ଗୋଟିଏ ଦିଗରେ ମୋହ ବିରୁଦ୍ଧରେ ସମାଲୋଚନା ତାଙ୍କର ଅକାଟ୍ୟ—ତାହା ହେଲା ମୋହ ଛଡ଼ା ସେ ଦୁଇ କାଗଜର ମାଲିକ ଦୁହେଁ ସାଫ୍ ସାଫ୍ ସାଲିସ୍ କରିଛନ୍ତି ଗଡ଼ଜାତ ରାଜାଙ୍କ ସହିତ— କେତେବେଳେ ସିଧାସଳଖ ରାଜନୈତିକ ସାଲିସ୍ ସ୍ତରରେ ଅବା ଅନ୍ୟବେଳେ ପରୋକ୍ଷରେ ।

 

ଦିଲ୍ଲୀ-ଜୟପୁରରେ ଲେଖକ-ସମ୍ମିଳନୀ

 

ଏଇ ସବୁ ଦୁଶ୍ଚିନ୍ତାରେ ସୁଦୀର୍ଘ ଛ’ଟି ମାସ କିମ୍ବା ତଦୁର୍ଦ୍ଧ୍ୱ ମୋତେ ଶଯ୍ୟାଶାୟୀ ହେବାକୁ ପଡ଼େ । ସେଇ ଅବସ୍ଥାରେ ମୁଁ ଶ୍ରୁତଲିଖନ ସାହାଯ୍ୟରେ ମଧ୍ୟ କେତେକ ପାଠ୍ୟପୁସ୍ତକ ଓ ପତ୍ରପତ୍ରିକା ଲାଗି ପ୍ରବନ୍ଧ ରଚନା କରେଁ ।

 

ରୁଷ୍ ଭ୍ରମଣ ଲାଗି ଯେଉଁ ବ୍ୟବସ୍ଥା କରୁଥିଲି, ତାହାକୁ ସୁଦ୍ଧା ବାତିଲ୍ କରିଦେବାକୁ ହୁଏ ମୋତେ । ଅନ୍ୟ ଏକ ନିମନ୍ତ୍ରଣ ଆସେ ଦିଲ୍ଲୀ ସଙ୍ଗୀତ-ନାଟକ-ଏକାଡ଼େମୀ ପକ୍ଷରୁ । ଭାରତୀୟ ବିଭିନ୍ନ ଭାଷାରେ ରଙ୍ଗମଞ୍ଚ ଓ ନାଟକ ରଚନାର ଅଗ୍ରଗତି ସମ୍ପର୍କରେ ଆଲୋଚନା । ପ୍ରତ୍ୟେକ ଭାଷାଭାଷୀ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଉଛନ୍ତି । ମୁଖ୍ୟ ଆବାହକ ସ୍ଵର୍ଗତ ନାଟ୍ୟକାର ଶ୍ରୀ ସଚିନ୍ ସେନଗୁପ୍ତ—ପ୍ରସିଦ୍ଧ ନାଟକ “ସିରାଜୌଦଲ୍ଲା”ର ରଚୟିତା ।

 

ମୋର ଅସୁସ୍ଥ ଅବସ୍ଥା ଦୃଷ୍ଟିରୁ ସାଥିରେ ଜଣକୁ ନେବାପାଇଁ ମଧ୍ୟ ଏହି ସଂସ୍ଥା ଖର୍ଚ୍ଚ ବହନ କରିବାକୁ ରାଜି ହୁଅନ୍ତି, ତେଣୁ ମୋର ସହଗାମୀ ହୁଅନ୍ତି ଜ୍ୟେଷ୍ଠ ଜାମାତା ଶ୍ରୀମାନ୍ ଦେବେନ୍ଦ୍ର ନାଥ ଶତପଥୀ ।

 

ସପ୍ତାହବ୍ୟାପୀ ଏହି ଆଲୋଚନାରେ ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ ସମ୍ପର୍କରେ ମୁଁ ନିବନ୍ଧ ଲେଖି ପାଠକରେଁ ।

 

ଓଡ଼ିଶାରେ ରଙ୍ଗମଞ୍ଚର ପ୍ରସାର ଓ ସେତେବେଳେ ପ୍ରାୟ ଦୁଇ ତିନିଟି ରଙ୍ଗମଞ୍ଚରେ ପ୍ରତିଦିନ ନାଟକାଭିନୟର ବର୍ଣ୍ଣନା ଶୁଣି ଆଲୋଚନା-ଚକ୍ରକୁ ନିମନ୍ତ୍ରିତ ହୋଇ ଆସିଥିବା ଭାରତର ସବୁଅଞ୍ଚଳର ପ୍ରତିନିଧିମାନେ ବିସ୍ମିତ ଓ ଆହ୍ଲାଦିତ ହୁଅନ୍ତି । ମୋହ ସହିତ ଓଡ଼ିଶାରୁ ଯାଇଥାନ୍ତି ଡକ୍ଟର ମାୟାଧର ମାନସିଂ । ତାଙ୍କ ନିବନ୍ଧରେ ମଧ୍ୟ ଏହି କଥା ସେ ଉଲ୍ଲେଖ କରନ୍ତି । ଭାରତର ଅନ୍ୟାନ୍ୟ ସକଳ ରାଜ୍ୟ ତୁଳନାରେ ରଙ୍ଗମଞ୍ଚ କ୍ଷେତ୍ରରେ ଓଡ଼ିଶା ଯେ ଅଗ୍ରଗାମୀ, ଏହି ଧାରଣା ଶ୍ରୋତାମାନଙ୍କ ମଧ୍ୟରେ ଜନ୍ମିଥାଏ । ବନ୍ଧୁ ଶ୍ରୀ ଅନ୍ନଦାଶଙ୍କର ରାୟ ମଧ୍ୟ ସେଠାରେ ମୋତେ ସମର୍ଥନ ଜଣାନ୍ତି ।

 

ଗୁଜୁରାଟ ପଶ୍ଚିମବଙ୍ଗ ପ୍ରଭୃତି କେତେକ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ତହୁଁ ପ୍ରଶ୍ନ କରନ୍ତି—ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା କି ପରିମାଣରେ ଅଗ୍ରଗତି କରିଛି ? ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା ଯେ ଅତି ନଗଣ୍ୟ, ତାହା ହିଁ ରଙ୍ଗମଞ୍ଚ ପ୍ରାଧାନ୍ୟର କାରଣ ବୋଲି ସେଠାରେ ଧାରଣା ଜନ୍ମେ । ଆଜି କିନ୍ତୁ ଆଞ୍ଚଳିକ ଭାଷା ତୁଳନାରେ ହିନ୍ଦୀଚିତ୍ରର ବାହୁଲ୍ୟହିଁ ଲକ୍ଷିତ ହୁଏ ସର୍ବତ୍ର । ସେଥିସହିତ ନାଟକ ରଚନା ଓ ଅଭିନୟର ସଂଖ୍ୟା ମଧ୍ୟ ଉଣା ପଡ଼ିଗଲାଣି ।

 

ମରାଠୀ ନାଟ୍ୟକାର ସ୍ଵର୍ଗତ ମାମା ୱାରେର୍‍କାର, ହିନ୍ଦୀ ଔପନ୍ୟାସିକ ଶ୍ରୀ ଜୈନେନ୍ଦ୍ର କୁମାର ଓ ମୋହ ସମେତ କେତେକ ସାହିତ୍ୟିକଙ୍କୁ ଡକ୍ଟର ମୁଲକ୍‍ରାଜ-ଆନନ୍ଦ ପ୍ରସ୍ତାବ କରନ୍ତି ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ସହିତ ସାକ୍ଷାତ କରିବାପାଇଁ ଏଭଳି ଏକ ଅବସରରେ । ଏଥିପୂର୍ବରୁ ଅବଶ୍ୟ ୧୯୪୫ରେ ରାଜସ୍ଥାନ ଜୟପୁରଠାରେ ନିଖିଳ ଭାରତ ପି.ଇ. ଏନ୍. ଲେଖକ- ସମ୍ମିଳନୀରେ ପଣ୍ଡିତ ନେହରୁ ଓ ଶ୍ରୀମତୀ ଇନ୍ଦୀରାଙ୍କୁ ଦେଖିବା ସୁଯୋଗ ମୋତେ ମିଳିଥାଏ । ନେହରୁ ସେତେବେଳେ ପ୍ରଧାନ ମନ୍ତ୍ରୀ ହୋଇ ନ ଥାନ୍ତି; କିନ୍ତୁ ନେହରୁ- ନେତୃତ୍ଵର ପ୍ରଭାବ ଅନୁଭୂତ ହୋଇଥାଏ ବିସ୍ତୃତ ଭାବରେ ଦେଶବ୍ୟାପୀ ।

 

ଇଂରାଜୀ PEN ଶବ୍ଦଟିର ଅର୍ଥ କଲମ ବା ଲେଖନୀ -P ଅକ୍ଷରଟିର ସଙ୍କେତ ହେଲା Poets play Wrights (କବି ଓ ନାଟ୍ୟକାର) E ଅର୍ଥାତ୍ Essayist (ପ୍ରାବନ୍ଧିକ) ପୁଣି N ବା Novelist ବା (ଔପନ୍ୟାସିକ)ଙ୍କୁ ବୁଝାଇଥାଏ ।

 

ଜୟପୁର ପି.ଇ. ଏନ୍ କନ୍‌ଫରେନ୍‌ସକୁ ଭାରତର ସବୁ ଅଞ୍ଚଳର ପ୍ରତିନିଧିମାନେ ଆସିଥାନ୍ତି । ପଣ୍ଡିତ ନେହରୁ ଆସିବେ ବୋଲି ଏକ ବିରାଟ ସାଧାରଣ ସଭାର ଆୟୋଜନ ମଧ୍ୟ ହୋଇଥାଏ । ପି.ଇ.ଏନ୍ ର ସଦସ୍ୟମାନଙ୍କ ପାଇଁ ଅବଶ୍ୟ ରାଜଦରବାର ପକ୍ଷରୁ ବିପୁଳ ଆୟୋଜନ । ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଗାଡ଼ି ଭିତରୁ ଅତିଥିମାନଙ୍କର ବ୍ୟାଗ୍ ବିଛଣା ନେବାପାଇଁ ସୁଦ୍ଧା ବ୍ୟବସ୍ଥା କରାଯାଇଥାଏ । ଯେଉଁ ହୋଟେଲରେ ମୋହପାଇଁ ସ୍ଥାନ ନିର୍ଦ୍ଧିଷ୍ଟ ଥିଲା, ତାର ଗୋଟିଏ ବଖରାରେ ମୋହ ସହିତ ରହିଥାନ୍ତି ବଙ୍ଗଳାର ପ୍ରସିଦ୍ଧ ଐତିହାସିକ ଡକ୍ଟର ରାଧା କୁମୁଦ ମୁଖାର୍ଜୀ ।

 

ରାଜସ୍ଥାନର ଦେଶୀୟ ରାଜ୍ୟ ଜୟପୁର ସର୍ବତ୍ର ଖ୍ୟାତି ଅର୍ଜନ କରିଥାଏ ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ । ଜୟପୁର ମହାରଜା ସ୍ଵୟଂ ଜଣେ ପୃଥିବୀ ବିଖ୍ୟାତ ପୋଲୋ ଖେଳାଳି ଭାବେ ମଧ୍ୟ ସୁପରିଚିତ । ରାଜଧାନୀ ଜୟପୁର ସହର ସେତେବେଳେ ଭାରତବର୍ଷର ଶ୍ରେଷ୍ଠ ଲେଖକ ଲେଖିକାମାନଙ୍କ ଉପସ୍ଥିତିରେ ସରଗରମ ହୋଇ ଉଠିଥାଏ ।

 

ରାଜନଗର ମଧ୍ୟରେ ନିଖିଳ ଭାରତ ପି.ଇ. ଏନ୍ ସାହିତ୍ୟ ସମ୍ମିଳନୀ ପାଇଁ ବିପୁଳ ଆୟୋଜନ । ପ୍ରକାଣ୍ଡ ପାଚେରୀଘେରା ପ୍ରଦେଶ ଦ୍ୱାରର ଦୁଇପାର୍ଶ୍ଵରେ ଦଣ୍ଡାୟମାନ ଦୁଇଟି କଳାଘୋଡ଼ା ଉପରେ ଦୁଇଜଣ ସୁସଜ୍ଜିତ ସୈନୀକ ପତାକା ଉତ୍ତୋଳନ କରି ସତେ ଅବା ସେହି ପ୍ରାଚୀରରେ ଖୋଦାଇ ହୋଇ ରହିଛନ୍ତି ! ମୂର୍ତ୍ତି ଭଳି ସୁଶୋଭିତ ମଞ୍ଚ ଉପରେ ପି.ଇ.ଏନ୍ ର ସଭାପତି ଡକ୍ଟର ରାଧାକୃଷ୍ଣନ୍ ଓ ଶ୍ରୀମତୀ ସରୋଜିନୀ ନାଇଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରାତ୍ରିର ହୋଟେଲରେ ଶୋଇଥିବା ସମୟରେ ‘ଜବାହରଲାଲ ଜୀ କି ଜୟ’, ‘ପଣ୍ଡିତ ନେହୁର କି ଜୟ’ ଶବ୍ଦରେ ନିଦ ମୋର ଭାଙ୍ଗିଯାଏ । ଦିଲ୍ଲୀରୁ ଜୟପୁର ରେଲ ଗାଡ଼ିରେ ଜବାହରଲାଲ ଆସି ଷ୍ଟେସନରେ ପହଞ୍ଚିବାର ସଙ୍କେତ ଏହା । ଲେଖକମାନଙ୍କ ସମ୍ମିଳନୀରେ ପଣ୍ଡିତ ନେହରୁ କେତେବେଳେ ହଲ୍‍ରେ ପଛପଟୁ ଆସି ଡାଏସ୍ ଉପରେ ବସନ୍ତି ବେଶ୍ ଚୁପ୍ ଚାପ୍ ଭାବରେ । ତଥାପି ସାହିତ୍ୟ-ସମ୍ମିଳନୀର ଏହି ପ୍ରକାଣ୍ଡ ଗୃହଟି ତାଙ୍କ ଉପସ୍ଥିତରେ ହୋଇ ଉଠେ ସରଗରମ । ଆହୁରି ବୋଧ ହୁଏ ଡାଏସ୍ ଉପରେ ସବୁରି ଦୃଷ୍ଟି ଆକୃଷ୍ଟ ହୁଏ ତାଙ୍କର ଛୋଟ ଚେହେରାଟି ପ୍ରତି ।

 

ଶ୍ରୀମତୀ ସରୋଜିନୀ ଓ ଡକ୍ଟର ରାଧାକୃଷ୍ଣନ୍‍ଙ୍କ ସମେତ ମଣ୍ଡପ ଉପରେ ଆପଣାକୁ ଅଦୃଶ୍ୟ କଲା ଭଳି ଅତି ନୀରବ ନମ୍ରଭାବରେ ବସିଥାନ୍ତି ପ୍ରସିଦ୍ଧ ଇଂରେଜ ଔପନ୍ୟାସିକ ଇ.ଏମ୍.ଫରଷ୍ଟର । ଜୟପୁରର ମହାରାଜା ସଓଆଜୀ ରାଓ ସଭାରେ ଉପସ୍ଥିତ ନ ହୋଇ ପଠାଇଥାନ୍ତି ତାଙ୍କ ପ୍ରଧାନମନ୍ତ୍ରୀ ସାର୍ ମୀର୍ଜା ଇସ୍‌ମାଇଲ୍‍ଙ୍କ ହାତରେ ଅଭିନନ୍ଦନ ବାର୍ତ୍ତା । ସେହି ଅଭିନନ୍ଦନ ପାଠ କରାଗଲା ବେଳେ ଡାଏସ୍ ଉପରେ ବସିଥିବା ବିଶିଷ୍ଟ ଅତିଥିମାନେ ଓ ତାଙ୍କ ପରେ ସଭାଗୃହରେ ଉପସ୍ଥିତ ସମସ୍ତ ସଭ୍ୟ ଦଣ୍ଡାୟମାନ ହୁଅନ୍ତି—ଅନୁପସ୍ଥିତ ଅତିଥି ସତ୍କାରକ ମହାରାଜାଙ୍କ ପ୍ରତି ଅବ ହୁଏ ତ ତାଙ୍କ ବାର୍ତ୍ତା ପ୍ରତି ସମ୍ମାନ ପ୍ରଦର୍ଶନ କରି । ସେତେବେଳେ ଆଖି ମୋର ନିବଦ୍ଧ ଥାଏ ପଣ୍ଡିତ ନେହରୁଂକ ଉପରେ, ଡାୟାସ ଉପରେ ଓ ସଭାଗୃହରେ ଦଣ୍ଡାୟମାନ ସବୁ ସାହିତ୍ୟକଂକ ପ୍ରତି ବିସ୍ମୟ କୌତୁହଳ ଦୃଷ୍ଟି ନିକ୍ଷେପ କରିସାରି ସବୁରି ଶେଷରେ ଠିଆ ହୁଅନ୍ତି ପଣ୍ଡିତ ନେହରୁ ।

 

ଆରମ୍ଭ କରାଯାଏ ସଭା କାର୍ଯ୍ୟ । ପଣ୍ଡିତ ନେହେରୁ ଭାଷଣ ଦେବାକୁ ଗଲାବେଳେ ଆଗେ ନିଜ ପକେଟ୍ ଅଣ୍ଡାଳି ତହିଁରୁ ଖୋଜୁଥିଲେ କି କ’ଣ ରୁମାଲ କାଢ଼ି ମୁହଁ ପୋଛିବାକୁ; କିନ୍ତୁ ବାହାରିଲା ସେଥିରୁ ବିଡ଼ାଏ ହାତ– କଟା ଖଦଡ଼ ସୁତା । ତର ତର ହୋଇ ସେଇ ସୁତା ବିଡ଼ାଙ୍କୁ ବିବ୍ରତ ଅବସ୍ଥାରେ ଅବା ନାଚାର ହେଲା ଭଳି ସବୁରି ଆଗରେ ଟିକିଏ ଦେଖାଇ ଦେଇ ତୁମୂଳ ହାସ୍ୟରୋଳଭିତରେ ପୁଣି ତାହାକୁ ଅପ୍ରତିଭ ହୋଇପଡ଼ି ଅବା ସେ ପାକେଟସ୍ଥ କରନ୍ତି । ବକୃତା ଆରମ୍ଭରେ ନେହରୁ ମନ୍ତବ୍ୟ ଦିଅନ୍ତି— ସାହିତ୍ୟ ସଭାରେ ଜୟପୁର ମହାରାଜାଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ ସମୟରେ ସବୁ ସଭ୍ୟ କାହିଁକି ଦଣ୍ଡାୟମାନ ହେଲେ, ତାହା ବୁଝିବାକୁ ସେ ଅକ୍ଷମ ହୋଇପଡ଼ିଥିଲେ । ତାହା ପରେ ସାହିତ୍ୟିକ ସ୍ୱାଧୀନ ଚିନ୍ତାଧାରା ସଂପର୍କରେ ଦିଅନ୍ତି ସେ କେତେକ ମନ୍ତବ୍ୟ । ଜୟପୁର ସମ୍ମିଳନୀରେ ଶ୍ରୀମତୀ ସରୋଜିନୀ ନାଇଡ଼ୁ ଭାଷଣ ଦେବାକୁ ଉଠି ଭାରତରୁ ଏଇ ବିଦ୍ୱଜ୍ଜନମଣ୍ଡଳୀ ସାମନାରେ କିଛି କହିବାକୁ ନାଡ଼ି ତାଙ୍କର ଦୁର୍ବଳ (nervous) ହୋଇପଡ଼ିଥିବା କଥା ଉଲ୍ଲେଖ କରନ୍ତି । ଆହୁରି ଉଲ୍ଲେଖ କରନ୍ତି, ଜବାହର ଲାଲଂକ ଭଳି ଶକ୍ତିମନ୍ତ ବ୍ୟକ୍ତି ତାଙ୍କ ପାଖରେ ବସିଥିବାରୁ ତାଙ୍କୁ ଟିକିଏ ସାହସ ଓ ହୋବ ମିଳୁଛି ।

 

ଓଡ଼ିଆ ସାହିତ୍ୟ ଉପରେ ମୋର ଲିଖିତ ଭାଷଣ ଉତ୍ତମ ରୂପେ ଗୃହୀତ ହୋଇଥିଲା ବୋଲି ବଡ଼ ବନ୍ଧୁଙ୍କର ମନ୍ତବ୍ୟ ଶୁଣେ; ମାତ୍ର ଓଡ଼ିଶାର ଅନ୍ୟତମ ପ୍ରତିନିଧି ଶ୍ରୀ ନବକିଶୋର ଦାସ ମନ୍ତବ୍ୟ ଦିଅନ୍ତି ଯେ, ଓଡ଼ିଆ ସାହିତ୍ୟ ଜନ୍ମକାଳକୁ ମାତ୍ର ପାଞ୍ଚଶହ ବର୍ଷ ମଧ୍ୟରେ ଆବଦ୍ଧ କରିବାଦ୍ୱାରା ମୁଁ ଭୁଲ୍ କରିଛି । ଅଥଚ ଆମ ଆଦି କବି ସାରଳା ଦାସଙ୍କୁ ମଧ୍ୟ ଐତହାସିକ ମାନେ ତ ଏ ସମୟର ସୀମାକୁ ଅତିକ୍ରମ କରିଥିବା ପ୍ରମାଣ ଦର୍ଶାଇ ନାହିଁନ୍ତି । ଆହୁରି ପଛକୁ ଟାଣି ଓଟାରି ତାକୁ ଅଧିକ ପ୍ରାଚୀନ ବୋଲି ପ୍ରମାଣ କରିବା ଫନ୍ଦିର ତାତ୍ପର୍ଯ୍ୟ ବୁଝିବାକୁ ମୁଁ ଅକ୍ଷମ ହୁଏଁ ।

 

ଅକ୍ଷମ ହୁଏଁ ସତ୍ୟର ଅପଳାପ ଦ୍ୱାରା ନିଜ ସାହିତ୍ୟର ଆଦିମତା ପ୍ରମାଣ କରିବାକୁ । ଆମ ସାରଳା ଦାସ ଯେ ସେକସ୍ପିଅରଙ୍କର ପ୍ରାୟ ସମସାମୟିକ । ଯେଉଁ ହୋଟେଲରେ ମୁଁ ରହୁଥିଲେ, ତହିଁରେ ଭାରତର ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ ଲେଖକ ଅତିଥିମାନେ ମଧ୍ୟ ରହନ୍ତି । ଉତ୍ତର ଭାରତର ପ୍ରତିନିଧିମାନେ ଜିଦ୍ କରୁଥାନ୍ତି ଇଂରାଜୀ ଛାଡ଼ି ହିନ୍ଦୀରେ କଥାବାର୍ତ୍ତା କରିବାପାଇଁ । କେତେକ ଦକ୍ଷିଣ ଭାରତୀୟ ପ୍ରତିନିଧି ମଧ୍ୟ ବେଶ୍ ହିନ୍ଦୀ ପଢ଼ିପାରନ୍ତି । ଅଥଚ ମୋହ ପକ୍ଷରେ ବୁଝିବା ଯେତେ ସହଜ, କହିବା ସେତେ ହୋଇପାରେ ନାହିଁ । ତହୁଁ ଇଂରାଜି କହିବା ପାଇଁ ପସନ୍ଦ କରେ । ଅଥଚ ବନ୍ଧୁମାନଙ୍କର ଜିଦ୍ ଯେ ମୁଁ ବରାବର ହିନ୍ଦୀ କହେଁ ।

 

ମୋର ହିନ୍ଦୀ ଯେ ପଦେ ପଦେ ଭୁଲ୍ ଓ ହାସ୍ୟାସ୍ପଦ ହେବ ସେକଥା ମଧ୍ୟ ବନ୍ଧୁଙ୍କୁ ସୂଚାଇ ଦିଏଁ; ମାତ୍ର ଉତ୍ତର ଶୁଣେ—ଠିକ୍ ଇଂରାଜି ଅପେକ୍ଷା ବରଂ ଭୁଲ୍ ହିନ୍ଦୀ ସେମାନଙ୍କ ପକ୍ଷରେ ସଦା ସ୍ଵାଗତ୍ୟ ।

 

ରାଜସ୍ଥାନ ଜୟପୁରଠାରେ ହିଁ ବିମାନ ଭାରତର ରାଷ୍ଟ୍ରପତି ଶ୍ରୀ ବରାହଗିରି ଭେଙ୍କଟଗିରିଙ୍କ ସମ୍ପର୍କୀୟ ଓ ମୋର “ରେଙ୍ଗୁନ୍ ଯାତ୍ରୀ” ଶୀର୍ଷକ କ୍ଷୁଦ୍ର ଗଳ୍ପର ଇଂରାଜୀ ଅନୁବାଦକ ଓ ସାମ୍ବାଦିକ ଶ୍ରୀ ପ୍ରସାଦଙ୍କ ସହିତ ପ୍ରଥମ ସାକ୍ଷାତ୍କାର ଘଟେ । ଏଇ ଗଳ୍ପଟି ସର୍ବ ପ୍ରଥମେ ମୋର” ଅଜାଣତରେ ମାନ୍ଦ୍ରାଜରୁ ପ୍ରକାଶିତ “ତ୍ରିବେଣୀ” ଇଂରାଜି ପତ୍ରୀକାରେ ଦେଖି ମୁଁ ବିସ୍ମିତ ହୁଏ।

 

ସେଇପରି ବିସ୍ମିତ ହୁଏଁ—କେତେକ ବର୍ଷ ପରେ “ତ୍ରିବେଣୀ”ର ସୁବିଖ୍ୟାତ ସମ୍ପାଦକ ସ୍ୱର୍ଗତ ସ୍ୱୟଂ ଶ୍ରୀ ରାମକୋଟିଶ୍ୱର ରାଓଙ୍କ ସହିତ ଅଚାନକ ଭାବରେ ଭେଟ ହୋଇ ଯିବା ଦ୍ୱାରା କଟକରେ ! ଓଡ଼ିଶାର ସୁବିଦିତ ସାମ୍ବାଦିକ ଶ୍ରୀ ଏନ.ଆର,ସ୍ୱାମୀଙ୍କ ସଙ୍ଗେ ସେ କଟକ ରେଭେନ୍‍ସା କଲେଜ ଛକ ବାଟେ ଆସୁଥାନ୍ତି । ସେଇଠି ତାଙ୍କୁ ମୋତେ ଚିହ୍ନାଇ ଦିଅନ୍ତି ଶ୍ରୀ ଏନ୍, ଆର୍, ସ୍ୱାମୀ ।

 

ସନ୍ଧ୍ୟାରେ ସେଦିନ ପୁଣି ତାଙ୍କ ସହିତ ସାକ୍ଷାତ୍କାର ଭାରତ ସେବକ ସମାଜ ଅଫିସ୍ ଛାତ ଉପରେ ଅନୁଷ୍ଠିତ ଶ୍ରୀ ଶ୍ୟାମ ସୁନ୍ଦର ମିଶ୍ରଙ୍କ ଦ୍ୱାରା ଆହୂତ ଏକ ସାହିତ୍ୟିକ ଓ ସାମ୍ବାଦିକ ବନ୍ଧୁ ମିଳନରେ । ପଣ୍ଡିତ ଗୋଦାବରୀଶ ମିଶ୍ର ମଧ୍ୟ ଉକ୍ତ ସଭାରେ ଯୋଗ ଦିଅନ୍ତି । ତାଙ୍କ ସହିତ ପ୍ରଥମେ ମିଳିତ ହୋଇ ଶ୍ରୀ ରାମକୋଟିଶ୍ୱର ରାଓ ହସି ହସି କହନ୍ତି— “You were once a minister of Orissa” —“ଆପଣ ତ ଓଡ଼ିଶାର ଏକଦା ମନ୍ତ୍ରୀ ଥିଲେ ”।

 

ତତ୍‍କ୍ଷଣାତ୍ ଗୋଦାବରୀଶ ବାବୁଙ୍କର ଜବାବ୍ “Well I have completely forgotten all about it”— ହଁ ମୋର ତାହା ପୂରାପୂରି ପାସୋର ହୋଇ ଗଲାଣି” ।

 

ତାଙ୍କ କଥାରେ ଶ୍ରୀ ରାମକୋଟିଶ୍ୱର ରାଓ ସମେତ ହସି ଉଠନ୍ତି ସମସ୍ତେ; କିନ୍ତୁ ଗୋଦାବରୀଶ ବାବୁଙ୍କ ମନ୍ତବ୍ୟ ସମାପ୍ତ ହୋଇ ନ ଥିବା ଭଳି ସେ ମୋତେ ଆଙ୍ଗୁଠି ଦେଖାଇ କହି ପକାଇଲେ— “But here is the best of Oriya writers.”

 

ସଙ୍ଗେ ସଙ୍ଗେ ଶ୍ରୀରାମକୋଟିଶ୍ୱର ରାଓଙ୍କ ଯବାବ “I also think so”—“ମୋର ମଧ୍ୟ ସେଇ ମତ ।”

 

ମୁଁ ରାଜନୀତିଜ୍ଞ କିମ୍ବା ଓକିଲ ହୋଇଥିଲେ ରାମକୋଟିଶ୍ୱର ରାଓଙ୍କୁ ଶ୍ରେଷ୍ଠ ସାମ୍ବାଦିକ କିମ୍ବା ଗୋଦାବରୀଶ ବାବୁଙ୍କୁ ଶ୍ରେଷ୍ଠ ବାଗ୍ମୀ, କବି ଓ ରାଜନୀତିଜ୍ଞ ବୋଲି ଓଲଟି କହି ପାରିଥାନ୍ତି; କିନ୍ତୁ କେବେହେଲେ ମୁଁ ପ୍ରତ୍ୟୁପ୍ତନ୍ନମତି ହୋଇଥିବା ପରିଚୟ ଦେଲା ଭଳି ମନେ ପଡ଼ୁନି । ନିଜ ନିନ୍ଦା ବା ପ୍ରଶଂସା ଶୁଣି କେବଳ ନିରବ ରହିଯାଏ । ଦୀର୍ଘ ସୂତ୍ରୀ ଭଳି ପଛରେ ମନେପଡ଼େ, ଏମ‌୍‌ତି କିଛି କହିବା କମ୍‌ କରିବା ମୋର ଉଚିତ ଥିଲା ପରା ! ଅଥଚ ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ଗଲାଣି ।

 

ଶ୍ରୀ ହରେକୃଷ୍ଣ ମହତାବଙ୍କ ସହିତ ମୋହର ବୋଧେ ପ୍ରଥମ ସାକ୍ଷାତ୍‍କାର ଘଟେ ଜୟପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ । ସେତେବେଳେ ପୂର୍ବାଞ୍ଚଳ ଦେଶୀୟ ରାଜ୍ୟ ପ୍ରଚାର ବିଭାଗରେ ମୁଁ କାର୍ଯ୍ୟକରୁଥାଏଁ । କଳାହାଣ୍ଡିରୁ କଟକ ଫେରୁଥାଏଁ ରେଲ ଯୋଗେ ବିଜୟ ନଗର ବାଟେ । ଷ୍ଟେସନରେ ଭେଟ ହୁଏ ମୋର ଶ୍ରୀ ହରିହର ମହାପାତ୍ର, ଶ୍ରୀ ରାଧାନାଥ ରଥ ଓ ଅନ୍ୟମାନଙ୍କ ସହିତ । ସେମାନେ କଟକରୁ ଆସିଥାନ୍ତି ଜୟପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଯୋଗ ଦେବା ଲାଗି ।

 

ବିଜୟନଗରଂ ଷ୍ଟେସନରେ ମୋତେ ଏକ ପ୍ରକାର ବାଧ୍ୟ କରନ୍ତି ଶ୍ରୀଯୁକ୍ତ ରାଧାନାଥ ରଥ ଓ ହରିହର ମହାପାତ୍ର ପ୍ରମୁଖ ବନ୍ଧୁମାନେ ଜୟପୁର ଉତ୍କଳ ସମ୍ମିଳନୀରେ ଯୋଗ ଦେବାକୁ । ସେମାନଙ୍କ ଅନୁରୋଧକୁ ମୁଁ ଏଡ଼ିପାରେ ନାହିଁ । ଜୟପୁରଠାରେ ଶ୍ରୀ ରାଧାକୃଷ୍ଣ ବିଶ୍ୱାସ ରାୟଙ୍କ ଘରଠାରେ ଭେଟହୁଏ ମୋର ଶ୍ରଦ୍ଧେୟ ଶ୍ରୀ ହରେକୃଷ୍ଣ ମହତାବଙ୍କ ସହିତ, ତା’ ପରେ ସେ କେତେ ଥର କହନ୍ତି, ମୁଁ ସ୍ଵରାଜ ଆଶ୍ରମକୁ ଆସିବାପାଇଁ ।

 

ଥରେ ସ୍ୱରାଜ-ଆଶ୍ରମକୁ ଯାଇ ଦେଖାହୁଏ ମୋର ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସଙ୍ଗରେ । ଏଥିପୂର୍ବରୁ ନବବାବୁ ଯୁବନେତା, ଦାର୍ଶନିକ, ସାହିତ୍ୟିକ ଓ ଚିନ୍ତାନାୟକ ଭାବରେ ଜଣାଶୁଣା ହୋଇଥାନ୍ତି । ତାଙ୍କର ଶ୍ରୀମତି ମାଳତୀ ଦେବୀଙ୍କ ସହିତ ବିବାହ ପୂର୍ବରୁ ପୁଣି ପରଠାରୁ ମଧ୍ୟ ବାରମ୍ବାର ଦେଖାସାକ୍ଷାତ୍ ହୁଏ; ସେଦିନ ତାଙ୍କୁ ସାକ୍ଷାତ୍ କରିବାକୁ ଯାଇଥିଲି ବୋଧ ହୁଏ ସ୍ୱରାଜ ଆଶ୍ରମକୁ । ସେତେବେଳେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହୋଇ ନ ଥାଏ; କିନ୍ତୁ ସ୍ୱରାଜ ଆଶ୍ରମରେ ଭାରି ଭିଡ଼ । ନବବାବୁ ସ୍ୱାଭାବିକ ରୀତିରେ ସେହି ଭିଡ଼ ଭିତରକୁ ଓଟାରି ଘେନିଯାନ୍ତି ମୋତେ ।

 

ଭିଡ଼ଭିତରେ ସମସ୍ତେ ଯେପରି ଏକ ସାଙ୍ଗରେ କଥାବାର୍ତ୍ତା ହେଉଥାନ୍ତି, ସେଠାରେ ମୁଁ ଆପଣାକୁ ଏକାନ୍ତ ଏକକ ଅର୍ଥାତ୍ ଗୋଠଖଣ୍ଡିଆ ବୋଲି ଅନୁଭବ କରେଁ ।

 

ଅବିକଳ ସେଭଳି କିମ୍ବା ତହିଁରୁ କେତେକାଂଶରେ କମ୍ ଅନୁଭବ କରେଁ ଚାନ୍ଦିନୀଚୌକ କମ୍ୟୁନିଷ୍ଟ ପାର୍ଟି ଅଫିସ୍‍ରେ । ମୋର ଏହି ଏକକ ଭାବ ଦୂର ହୁଏ ନାହିଁ । ଓଡ଼ିଆବଜାରରେ ଅବସ୍ଥିତ ଯଦୁନାଥ ଭବନ ଭିତରେ ସୋସିଆଲିଷ୍ଟ ପାର୍ଟି କାର୍ଯ୍ୟାଳୟରେ ମଧ୍ୟ । ଆହୁରି ନିମନ୍ତ୍ରଣ ପାଏ କଟକ କନିକା କୋଠିରେ ବସିଥିବା ସ୍ଵତନ୍ତ୍ର ପାର୍ଟିର ପ୍ରାଥମିକ ଆଲୋଚନା ସଭାରେ କଳାହାଣ୍ଡିର ମହାରଜା ଶ୍ରୀ ପ୍ରତାପ କେଶରୀ ଦେଓଙ୍କ ନିମନ୍ତ୍ରଣ କ୍ରମେ । ସେତେବେଳକୁ କଂଗ୍ରେସ ବ୍ୟତୀତ ଏହି ଦଳଗୁଡ଼ିକ ସମ୍ପୂର୍ଣ୍ଣ ରୂପରେଖ ଘେନି ନ ଥାଏ । ରୂପରେଖ ଘେନିବା ପରେ ମଧ୍ୟ ନିୟମବଦ୍ଧ ହୋଇ ସଂଗଠିତ ଶକ୍ତି ଭାବରେ ନିର୍ବାଚନ ଲଢ଼ିବାକୁ ଆହୁରି ଥାଏ ବାକୀ କେତେକ ବର୍ଷ ।

 

ସକଳ ତୀର୍ଥ ତୋ ଚରଣେ

 

ଅଖିଳ ଭାରତୀୟ ପି.ଇ.ଏନ ସଂସ୍ଥା ପକ୍ଷରୁ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୁଏ ପ୍ରତି ଦୁଇ ବର୍ଷରେ ଥରେ ଲେଖାଁ । ଭାରତର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବିଭିନ୍ନ ନଗର ସବୁ ଅଞ୍ଚଳର ଲେଖକ ଲେଖିକାଙ୍କ ଉପସ୍ଥିତରେ ସରଗରମ ହୋଇ ଉଠେ । ୧୯୪୫ରେ ଜୟପୁର ସମ୍ମିଳନୀର ଦୁଇ ବର୍ଷ ପରେ୧୯୪୭ରେ ବନାରସ ସମ୍ମିଳନୀ । ସଭାପତି ଉତ୍ତର-ପ୍ରଦେଶ ରାଜ୍ୟପାଳିକା ଶ୍ରୀମତୀ ସରୋଜିନୀ ନାଇଡ଼ୁ । ଭାରତ ସ୍ଵାଧୀନତାର ଅବ୍ୟବହିତ ପରେ ହିଁ ବିଦ୍ୟାନଗରୀ ବନାରସରେ ତା’ର ଅନୁଷ୍ଠାନ ।

 

ମୋର ଆଶା ଥାଏ—ଜୟପୁର ଭଳି ବନାରସକୁ ମଧ୍ୟ ପଣ୍ଡିତ ଜବାହରଲାଲ ଆସିବେ । ମାତ୍ର ଏହା ଭିତରେ ଭାରତବ୍ୟାପୀ ତୁମୂଳ ପରିବର୍ତ୍ତନ ଘଟିଗଲାଣି—ଆକୁମାରୀ ହିମାଳୟ ଏଇ ମହାନ୍ ଉପମହାଦେଶ ଆଜି ସମ୍ପୂର୍ଣ୍ଣ ସ୍ଵାଧୀନ । ବିଶ୍ୱ ଇତିହାସର କେଉଁ ପର୍ଯ୍ୟାୟରେ କେତେ ଶତାବ୍ଦୀ ବା ସହସ୍ରାଧିକ ବର୍ଷ ପରେ—ବିଖଣ୍ଡିତ ଭାରତବର୍ଷକୁ ତାହାର ଯୁଗଯୁଗବ୍ୟାପି ନିରବଚ୍ଛିନ୍ନ ସାହିତ୍ୟ ସଂସ୍କୃତି ଓ ପୁଣି ଆତ୍ମୋପଲବ୍‍ଧିର ମହାମିଳନ ପୀଠରେ ଅଧିଷ୍ଠିତ କଲା, କେଉଁ ଐନ୍ଦ୍ରଜାଲିକ ଚରମ ବିସ୍ମୟ ସୃଷ୍ଟି କରି ! ଜବାହରଲାଲ ସେତେବେଳେ ସେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ନୂତନ ଗୁରୁଦାୟିତ୍ୱ ବହନ କରି ତାଙ୍କ ପକ୍ଷରେ ବନାରସ ଆସିବା ସମ୍ଭବପର ହୁଏ ନାହିଁ ।

 

ପରିବାର ଭିତରେ ସ୍ଵାମୀ ଓ ଏକାଧିକ ପୁତ୍ରକନ୍ୟାଙ୍କୁ ହରାଇ ଦୁଃଖିନୀ ଜନନୀଙ୍କୁ ମୋର ଏଇ ଅବସରରେ କାଶୀ, ଗୟା ପ୍ରଭୃତି ବୁଲାଇ ଆଣିବାକୁ ଜଣାଇଲି । ମାତ୍ର ଉତ୍ତରରେ ଶୁଣିଲି ତାଙ୍କ ଠାରୁ—

 

“ସକଳ ତୀର୍ଥ ତୋ ଚରଣେ

ବଦ୍ରିକା ଯିବି କି କାରଣେ” !

 

ଶେଷ ଜୀବନରେ ସ୍ୱାମୀ, ଦୁଇଟି ପୁତ୍ର ଓ ଦୁଇଟି କନ୍ୟାଙ୍କୁ ପରିଣତ ବୟସରେ ହରାଇ ସେଇ ବୋଉ ମୋର ! କେଉଁ ତୀର୍ଥ ବୁଲାଇ ପ୍ରାଣରେ ତାଙ୍କର ସାନ୍ତ୍ୱନା ସଞ୍ଚାର କରିବି ମୁଁ ଦୁନିଆ ଉପରେ ? କେଉଁ ସାହିତ୍ୟ, କେଉଁ ପୁରାଣ, କେଉଁ ଧର୍ମ ବିଶ୍ୱାସ ? କିନ୍ତୁ ଆଶ୍ଚର୍ଯ୍ୟ ବୋଉଙ୍କ ଦାମ୍ଭୀକତା ! ଏଇ ବିପୁଳ ଶୋକ ଛାୟା ଭିତରେ ସୁଦ୍ଧା ପରିବାରରେ ନବଜାତ ଶିଶୁ କିମ୍ବା ବୟସ୍କ ନାତି-ନାତୁଣୀମାନଙ୍କୁ ଘେନି ଦିନ ତାଙ୍କର ଅତିବାହିତ ହୋଇଯାଏ ।

 

ତାହାରି ଭିତରେ ଦାନ, ଧର୍ମ, ପୁରାଣପାଠ, ପୁଜା, ଉପବାସ ! ସବୁ ଚାଲେ ଅବା ସାଧାରଣ ଗତିରେ–ତାହାରି ଭିତରେ ହିଁ ତାଙ୍କ ମୁରବୀତ୍ଵର ପ୍ରତିଷ୍ଠା ! ତାଙ୍କ ନିର୍ଦ୍ଦେଶର ଏ ପାଖ ସେ ପାଖ ହେବା ଉପାୟ ନାହିଁ କାହାରି—ପଡ଼ିଶା-ଅଡ଼ିଶା ଦୁଃଖୀ ରଙ୍କୀ, ବନ୍ଧୁ ସ୍ୱଜନ, ସବୁ ନାତି, ନାତୁଣୀ–ଯାହା ପ୍ରତି ଯେମ‌୍‌ତି ବ୍ୟବହାର—କାହାକୁ ବେଶି ପୁଣି କାହାକୁ କମ୍, ପର କିଏ, ଆପଣା କିଏ–ଫରକ୍‍ଟା ଯେମତି ତିଳଧାନ ଦେଖାଯାଏ ନି ମୋ ବୋଉଙ୍କ ବିଚାରରେ !

 

ମାମୁଘର ମୋର ପାଞ୍ଚ ସାତ ଘର ଫରକରେ ରହିଥିଲେ ମଧ୍ୟ ତାଙ୍କ ବଂଶ ପରମ୍ପରାର ରୀତି ନୀତିରେ ଯେଉଁ ଫରକ୍ ଲକ୍ଷିତ ହୁଏ, ସେଇଭଳି ଫରକ୍‍ରେ ବିଭିନ୍ନ ଜାତି ଓ ପରିବାର ଭିତରେ ସର୍ବତ୍ର ବିଦ୍ୟମାନ; କିନ୍ତୁ ଅତି ନିକଟରେ ମାମୁଁ ଘର ଥିବା ହେତୁ ଅଧା ଅଧି ଆମେ ସବୁ ଏ ଘର ସେଘର ହୋଇ ଫୁର୍ତ୍ତି କରୁ । କଥାରେ ତ ରହିଛି—ଭାଇ ତ ଭାଇ ମାମୁଁ ପୁଅ ଭାଇ, ନ ହେଲେ ପିଉସୀପୁଅ କି ମାଉସୀପୁଅ ଭାଇ, ପିଲାଦିନେ ପିଉସୀପୁଅ ଭାଇ ଭୋବନି ଭାଇନାଙ୍କ ପାଖରେ ବଢ଼ିଛି ମୁଁ, ଶିନୁଭାଇନା ଶୀରୁଭାଇନାଙ୍କ ସଙ୍ଗେ ଦିନ ରାତି ଖେଳିଛି ବୁଲିଛି ସେମ‌୍‌ତି ।

 

ବୋଉ ମଧ୍ୟ ଅଧେ ଆମ ଘରଆଡ଼କୁ ହେଲେ ବାକି ଅଧିକ ମାମୁଘର ଆଡ଼କୁ । ଭଲମନ୍ଦ ଯାହା କିଛି ଆମ ଘରକୁ ଆସେ ତହିଁରୁ ଅଧାଭାଗ ମାମୁଘରକୁ ଯିବା ସ୍ଵାଭାବିକ । ଝିଅମାନେ ଶାଶୁଘରକୁ ଆସି ବାପଘର ପାଇଁ ଝୁରିହେବା ପରିସ୍ଥିତିଟା ଓ ବୋଉଙ୍କର ନ ଥିଲା । ବର୍ଷଯାକ ପ୍ରତି ଓଷା ପୁଣ୍ୟପର୍ବ ଯାନିଯାତ୍ରାରେ ତାଙ୍କ ସଙ୍ଗେ ମୁଁ ମୋର ଭାଇଭଉଣୀମାନଙ୍କ ସହଯୋଗ ଦେଇଛି । ମାମୁଁ ପୁଅ ମାମୁଁ ଝିଅ ଭାଇ-ଭଉଣୀଙ୍କ ସହ ମାଉସୀ ଘରଗୁଡ଼ିକ ମଧ୍ୟ ଦୁଇ ତିନି କୋଶରୁ ଅଧିକ ବାଟରେ ନ ଥିବାରୁ ମାଉସୀ ପୁଅ-ଝିଅଙ୍କ ସହିତ ଘରଟା ଆମର ପ୍ରାୟ ବର୍ଷ ତମାମ୍ ଗହଳ ଚହଳ ଲାଗି ରହେ । ତାହା ଛଡ଼ା ଗାଁ ଆଖ ପାଖ ଯାନି ଯାତ୍ରାରେ ସମସ୍ତେ ସାଥି ହୋଇ ଯୋଗ ଦେଉଁ ।

 

ରଜ ପର୍ବରେ ଗାଁ ପାଖ ବୁଧନାଥ ଠାକୁରଙ୍କ ପାଖରେ ଭୋଗ ଦେବାଠାରୁ ଧଉଳି ପାହାଡ଼ ଯାତ୍ରାରେ ଚାଲି ଚାଲି ଯିବାରେ ଯେଉଁ ସୁଖ—ଆଜି କେଉଁ ଦିଲ୍ଲୀ କଲିକତାରେ ବା ସେ ସୁଖ ମିଳେ ରେଳ ମଟର ବା ପ୍ଲେନ୍‍ରେ ଯାତ୍ରା କଲେ ମଧ୍ୟ ? ମାଘ ପାହାନ୍ତା ଶୀତରେ ଥିରୁ ଥିରୁହୋଇ ମାଘସ୍ନାନ ସାରି ବିଲରୁ ଗୟସ ଫୁଲ ତୋଳି ମହାଦେବଙ୍କଠାରେ ଲାଗି କରାଇବା ପବିତ୍ରତା ଆଜି ବି ପ୍ରାଣରେ ସଞ୍ଚାରିତ ହୁଏ ।

 

ସବୁ ଯାନିଯାତ୍ରା ପର୍ବପର୍ବାଣି ଖେଳ କୌତୁକ ହସକାନ୍ଦର କେନ୍ଦ୍ରବିନ୍ଦୁ ହୋଇ ରହିଥିଲେ ଏକା ‘ବୋଉ’ ମୋର—ସବୁ ଆପଦ-ବିପଦରେ ସାହାଭରସା ଯେମ‌୍‌ତି । ଅଜାଣତରେ ଅବା ମୋର “ମାଟିର ମଣିଷ” ଉପନ୍ୟାସରେ ପଧାନବୁଢ଼ିର ଚରିତ୍ର ଚିତ୍ରଣ ଭିତରେ ବୋଉ ଆସି ପହଞ୍ଚିଯାନ୍ତି ! ଆଜି ଆମ ସବୁଜ ବନ୍ଧୁମାନଙ୍କ ମଧ୍ୟରେ ଏକମାତ୍ର ଶ୍ରୀ ହରିହର ମହାପାତ୍ର (ଅବସର ପ୍ରାପ୍ତ ବିଚାରପତି) ମାଆର ପୁଅ ହୋଇ ରହିଛନ୍ତି । କଥା ଅଛି—“ବାପ ଥିଲା ପୁଅ ସଭାରେ ହାରେନି ।” ମାତ୍ର ମୋର ବିଶ୍ୱାସ ମାଆ ଥିଲା ପୁଅର ଘରେ ବାହାରେ ସର୍ବତ୍ର ବିଜୟ ଯାହା ବହୁ ତପସ୍ୟାର ଫଳ ।

 

ବାପ ମା’ଙ୍କ ପ୍ରତି ଯଥାର୍ଥରେ କୌଣସି କର୍ତ୍ତବ୍ୟ ପାଳନ କରିବା କିମ୍ବା ମୃତ୍ୟୁ ଶଯ୍ୟାରେ ଯଥୋଚିତ ସେବା ଶୁଶ୍ରୁଷା କରିବା ସୌଭାଗ୍ୟ ମୋର ଘଟି ନାହିଁ । ସାଂସାରିକ ସବୁ କ୍ଷେତ୍ରରେ ହିଁ ଅପଦାର୍ଥ ହୋଇ ମୁଁ ରହିଗଲି । ଜ୍ୟେଷ୍ଠ ଗୁରୁଜନଙ୍କ ପ୍ରତି କିମ୍ବା କନିଷ୍ଠ ପୁତ୍ରକନ୍ୟାଙ୍କୁ ଶିକ୍ଷା ଦୀକ୍ଷା କ୍ଷେତ୍ରରେ ମଧ୍ୟ ମୋର ବ୍ୟର୍ଥତା ସେଇ ଭଳି ପ୍ରମାଣିତ ।

 

ବୋଉ ତାଙ୍କ ପୁତ୍ରବଧୂଙ୍କୁ ମୋହ ସହିତ କାଶୀ ତୀର୍ଥ ଦର୍ଶନପାଇଁ ପଠାଇ ଦେଇ ନିଶ୍ଚିନ୍ତରେ ନିଜ ନାତିନାତୁଣୀଙ୍କୁ ଘେନି ଘରେ ରହନ୍ତି ।

 

କଟକ ରେଳ ଷ୍ଟେସନରେ ସହଯାତ୍ରୀଣୀ ହୁଅନ୍ତି ଆମର ଶ୍ରୀମତୀ ସରଳା ଦେଈ । ସୁସାହିତ୍ୟିକ ବନ୍ଧୁ ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ସମେତ ବଙ୍ଗର ଶ୍ରୀ ପ୍ରବୋଧକୁମାର ସନ୍ୟାଲ ଓ ଭାରତର ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ବିଭିନ୍ନ ରାଜ୍ୟରୁ ସମାଗତ ସୁପରିଚିତ ବା ଅପରିଚିତ ଲେଖକ ଲେଖିକା ବନ୍ଧୁମାନଙ୍କ ମିଳନ । ମୋହରି ଭଳି ଅନ୍ୟାନ୍ୟ ସାହିତ୍ୟିକଙ୍କର ଉତ୍କଣ୍ଠା ମଧ୍ୟ ଲକ୍ଷ୍ୟ କରେଁ ଭାରତ ନୂତନ ପ୍ରଧାନମନ୍ତ୍ରୀ ଭାବୁକ ଲେଖକ ଜବାହରଲାଲଙ୍କୁ ଦେଖିବା ପାଇଁ । ମୋହରି ଭଳି ସେମାନେ ହତାଶ ହୁଅନ୍ତି ।

 

“ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଦାନ” ଶୀର୍ଷକ ପ୍ରବନ୍ଧଟି ମୋର ସମାଦୃତ ହୁଏ ବହୁ ମତରେ । ମହାଭାରତରେ କଳିଙ୍ଗୋତ୍କଳର ବର୍ଣ୍ଣନାଠାରୁ ଆରମ୍ଭ କରି ସମ୍ରାଟ ଅଶୋକଙ୍କର କଳିଙ୍ଗ ବିଜୟ ପରେ ବୌଦ୍ଧ ଧର୍ମ ଗ୍ରହଣ ଘଟଣା ପୁଣି ପୁଷ୍ପଗିରି-ବିହାର ଓ ଜଗନ୍ନାଥ-ବିଗ୍ରହ ତଥା ଜଗନ୍ନାଥ ଅନୁଷ୍ଠାନରେ ପୃଥିବୀର ସବୁଧର୍ମ ସମନ୍ଵୟର ବିଭିନ୍ନ ଦୃଷ୍ଟାନ୍ତ ମୁଁ ଉଲ୍ଲେଖ କରିଥାଏଁ । ନିବନ୍ଧଟିର ରଚନାଶୈଳୀ, ବିଶ୍ଳେଷଣ ଓ ବିଷୟବସ୍ତୁର ପ୍ରକ୍ଷେପ ସଭାଗୃହରେ ସମାଦୃତ ହୁଏ ଆଶାତୀତ ରୂପେ । ରାଜ୍ୟପାଳିକା ଶ୍ରୀମତୀ ନାଇଡ଼ୁ ସଭାମଣ୍ଡପରେ ହିଁ ନିବନ୍ଧଟିକି ମୋହଠାରୁ ମାଗି ନେଇ ମୋତେ ଉତ୍ସାହିତ କରନ୍ତି ।

 

ଜୟପୁର ଭଳି ବନାରସ ସମ୍ମିଳନୀରେ ମଧ୍ୟ ଭାରତୀୟଙ୍କ ବିଭିନ୍ନ ଭାଷା ସାହିତ୍ୟର ପ୍ରତିନିଧିତ୍ୱ କରୁଥିବା ଲେଖକମାନଙ୍କ ସହିତ ପୁଣି ନିକଟତର ହେବା ସୁଯୋଗ ମିଳେ । ‘ସାହିତ୍ୟ’ ଶବ୍ଦଟିର ଯଥାର୍ଥ ତପର୍ଯ୍ୟ ଅବା ଯେମ‌୍‌ତି ବାସ୍ତବ ଅଭିଜ୍ଞତାରେ ପରିଣତ ହୁଏ, ମୋର ଏଇ ପ୍ରବନ୍ଧ ମାଧ୍ୟମରେ । ତାହାର ବିଷୟବସ୍ତୁ ଲାଗି ମୁଁ ବହୁ ପରିମାଣରେ ମୋର ଶ୍ରଦ୍ଧେୟ ଅଧ୍ୟାପକ ସ୍ୱର୍ଗତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ନିକଟରେ ଋଣୀ ।

 

ବିଷୟବସ୍ତୁ ମୁଖ୍ୟତଃ ଓଡ଼ିଶାର ଗୌରବମୟ ଐତିହ୍ୟ ଉପରେ ହିଁ ପର୍ଯ୍ୟବସିତ ଥିଲା । ମୋର ନିଜ ନିଶ ନ ଥିଲେ ହେଁ ପଣଅଜାଙ୍କର ନିଶ ଥିବା” ନ୍ୟାୟରେ କେବଳ ପିତୃପୁରୁଷଙ୍କ କୀର୍ତ୍ତିର ପୁନରୁଲ୍ଲେଖ କରିବା ଛଡ଼ା ନବୋତ୍କଳର ଗୌରବ-ଗାରିମା ପ୍ରଖ୍ୟାପନ ଲାଗି ଉପାଦାନ ପ୍ରାୟ କିଛି ନ ଥିଲା ତହିଁରେ । କ’ଣ ଅବା ରହନ୍ତା ? ଶିଳ୍ପ ସାହିତ୍ୟ କଳା କ୍ଷେତ୍ରରେ ଆଧୁନିକ ଓଡ଼ିଶାର କେଉଁ ଅବଦାନ ଅବା ଉଲ୍ଲେଖଯୋଗ୍ୟ ନିକଟ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ? ତଥାପି କଳିଙ୍ଗୋତ୍କଳର ଐତିହ୍ୟ ଯେ ଭାରତୀୟ ଅନ୍ୟ ଯେ କୌଣସି ଆଞ୍ଚଳିକ ଐତିହ୍ୟ ତୁଳନାରେ ଯଥେଷ୍ଟ ଗୌରବମୟ—ତାହାର ଏକାଧିକ ପ୍ରମାଣ ମୁଁ ବାଢ଼ିଥାଏଁ ବେଦ ଓ ମହାଭାରତ ଯୁଗରୁ ଆରମ୍ଭ କରି ଅଶୋକ ଖାରବେଳ ପୁଣି ରାଜା କପିଳେନ୍ଦ୍ର, ପୁରୁଷୋତ୍ତମ ଓ ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ । ପ୍ରତିପାଦ୍ୟ ବିଷୟ ମୋର ହୋଇଥାଏ ମହାଭାରତୀୟ ସଂସ୍କୃତି-ସ୍ରୋତରେ ଉତ୍କଳୀୟ ଅବଦାନର ମହାନତା । ଇଂରେଜ ଶାସନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଓଡ଼ିଶାର ସାହିତ୍ୟ-ସଂସ୍କୃତିର ସ୍ଵକୀୟତା ସ୍ଵୀକୃତି ହୋଇ ନ ଥିବା ହେତୁ ଏହା ଯେ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗୃହୀତ ହୋଇ ନ ଥିଲା, ତାହାର ମୂଳ କାରଣ ଯେ ଏ ରାଜ୍ୟର ସାମୂହିକ ଅବନତି—ସେଇ ସତ୍ୟକୁ ଘୋଡ଼ାଇବା ପାଇଁ ମୁଁ ସୁଦୂର ଅତୀତ ଉପରେ ଝାସ ଦେଇଥାଏଁ । ମୋର ରଚନାକୌଶଳ ଏଭଳି ସର୍ବଜନାଦୃତ ହେବାଦ୍ୱାରା ଆତ୍ମସନ୍ତୋଷ ଯଥେଷ୍ଟ ପାଇଲି ।

 

ବୋଉଙ୍କ କଥାପଦକ କିନ୍ତୁ ପାସୋର ଗଲାନାହିଁ ମୋର—

 

“ସକଳ ତୀର୍ଥ ତୋ ଚରଣେ

ବଦ୍ରିକା କା ଯିବି କି କାରଣେ ।”

 

ପ୍ରଶଂସା ଆରପାଖେ ନିନ୍ଦା, ଗୁଣ ଆର ପାଖେ ଦୋଷ—ନିକ୍ତିରେ ହିଁ ରଖି ତଉଲ କଲେ କେଉଁ ପାଖଟା ବେଶି ଓଜନ ହୁଏ ଜୀବନରେ ମୋର, କହିବା ଆଦୌ ତ ସହଜ ନୁହ ! ନିନ୍ଦା କେତେ ପ୍ରଶଂସା କେତେ, ତ୍ରୁଟିର ସଂଖ୍ୟା—ସଫଳତାର ପରିମାଣ ନିଜ କଥା ନିଜେ ତ ଠିକେ ଠିକେ ତଉଲ କରିବା ଅସମ୍ଭବ—ଅନ୍ୟ ପରେ କା କଥା ।

 

ବନାରସ P.E.N. କନ୍‍ଫରେନ୍‍ସରେ ମୋର ସାର୍ଥକତାର ସମ୍ବାଦ କିନ୍ତୁ କଲିକତା ପର୍ଯ୍ୟନ୍ତ ସିଧା ଆସି ପହଞ୍ଚି ସାରିଥାଏ । ତହୁଁ ଫେରିବା ବାଟରେ ହାଓଡ଼ା ରେଳଷ୍ଟେସନ୍‍ରେ ଓହ୍ଲାଇବା ମାତ୍ରେ ଭେଟହୁଏ କଲିକତା ରେଡ଼ିଓ ଷ୍ଟେସନର ଓଡ଼ିଆ ବିଭାଗରେ କାର୍ଯ୍ୟ କରୁଥିବା ଶ୍ରୀ ଯତୀନ୍ ଦାସଙ୍କ ସହିତ । କଲିକତାରେ ମୋର ସେ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ଏକ୍‌ସପ୍ରେସ୍ ରେଳଗାଡ଼ି ଧରିବା ପାଇଁ କାର୍ଯ୍ୟ ନିଘଣ୍ଟ ରହିଥାଏ ।

 

ଯତୀନ୍ ବାବୁ ସେହି ଅନୁଯାୟୀ କଲିକତା ରେଡ଼ିଓରେ ମଧ୍ୟ ଏକ କାର୍ଯ୍ୟନିର୍ଘଣ୍ଟ ମୋହ ପାଇଁ ସ୍ଥିର କରି ଦେଇଥାନ୍ତି । କେବଳ ତ ମୋହରି ପାଇଁ ନୁହେଁ, ମୋର ସହଧର୍ମିଣୀଙ୍କ ପାଇଁ ସୁଦ୍ଧା ମାଇକ୍ ସମକ୍ଷରେ କିଛି କହିବାକୁ ବ୍ୟବସ୍ଥା କରାଯାଇ ଥାଏ ।

 

କଟକରେ ରେଡ଼ିଓଷ୍ଟେସନ ପ୍ରତିଷ୍ଠା [୧୯୪୮] ପରେ ମୋତେ ପ୍ରାୟ ପ୍ରତି ମାସରେ ଥରେ ଦୁଇଥର ସାହିତ୍ୟ ବିଭାଗରେ ନିଜ ରଚନା ପ୍ରଚାର ଲାଗି ଆହ୍ୱାନ ଆସେ । ପ୍ରାୟ ପ୍ରତ୍ୟେକ “ଆକାଶବାଣୀ”— କବି ସମ୍ମିଳନୀରେ ମଧ୍ୟ ସ୍ୱରଚିତ କବିତା ମୁଁ ପାଠକରେ, ଏମ‌୍‌ତି ଏକ କବିତା ପାଠ ଉତ୍ସବରେ ମୋର “ମିର୍ଜାମିଆଁ ରିକ୍‍ସା ଟାଣେ” କବିତା ଶ୍ରୋତାମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୁଏ ।—

 

“ମିର୍ଜାମିଆଁ ରିକ୍ ସା ଟାଣେ

ଅଗ୍ରେ ପୁଣି ବାଁ ଡାହାଣେ ।

ମୁଣ୍ଡପରେ ସୂର୍ଯ୍ୟ ଉଠେ ।

ଅଙ୍ଗେ ତା’ର ଅଗ୍ନି ଛୁଟେ

ରକ୍ତ ତା’ର ଅଶ୍ରୁ ତା’ର

ଝରଇ ହୋଇ କେବଳ ଝାଳ

ରାସ୍ତା ପରେ ରକ୍ତ ନିଆଁ

ରିକ୍‌ସା ଟାଣେ ମିର୍ଜାମିଆଁ ।

 

ଆକାଶବାଣୀର ଆକର୍ଷଣ

 

ଜୟପୁରରେ ପି,ଇ,ଏନ୍ : ସଂସ୍ଥା ପକ୍ଷରୁ ନିଖିଳଭାରତ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୁଏ ୧୯୪୫ ଖ୍ରୀଷ୍ଟାବ୍ଦରେ; ତାହାର ଦୁଇ ବର୍ଷ ପରେ ବନାରସ ଅଧିବେଶନ ହିନ୍ଦୁ ବିଶ୍ୱବିଦ୍ୟାଳୟରେ । ସଭାପତି ହୋଇଥାନ୍ତି ଉତ୍ତର ପ୍ରଦେଶର ରାଜ୍ୟପାଳିକା ଶ୍ରୀମତୀ ସରୋଜିନୀ ନାଇଡୁ । “ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଦାନ” ଶୀର୍ଷକ ମୋର ନିବନ୍ଧ ପାଠକରେଁ ସେହି ସମ୍ମିଳନୀରେ । ସଭାପତିଙ୍କ ସମେତ ସମବେତ ଏକାଧିକ ସାହିତ୍ୟିକଙ୍କଠାରୁ ପ୍ରଶଂସା ମିଳେ ଉକ୍ତ ନିବନ୍ଧ ଉପରେ । ଶ୍ରୀମତୀ ସରୋଜିନୀ ସେଇ ସଭା ମଣ୍ଡପରେ ହିଁ ମାଗି ନିଅନ୍ତି ମୋ ହାତରୁ ପ୍ରବନ୍ଧଟିକୁ ।

 

ବନାରସରୁ କଲିକତା ଫେରିବା ପଥରେ ଆକାଶବାଣୀର ବନ୍ଧୁ ଶ୍ରୀ ଯତୀନ୍ ଦାସଙ୍କ ସହିତ ଭେଟ ହୁଏ ହାଓଡ଼ା ଷ୍ଟେସନରେ । କଲିକତା ରେଡ଼ିଓରେ ମୋତେ ଭାଷଣ ଦେବାପାଇଁ ସେ ଆହ୍ୱାନ କରନ୍ତି । ତାଙ୍କ ଆହ୍ୱାନକୁ ମଧ୍ୟ ମୁଁ ଗ୍ରହଣକରେ । ସେତେବେଳେ କଲିକତା ଆକାଣବାଣୀ ସଂସ୍ଥାରୁ ହିଁ ଓଡ଼ିଆ କାର୍ଯ୍ୟନିର୍ଘଣ୍ଟ ପ୍ରଚାର କରାଯାଉଥାଏ ।

 

ଆକାଶବାଣୀ କେନ୍ଦ୍ର କଟକରେ ଖୋଲଯିବା ପରେ ମୁଁ ଶୁଣୁଥାଏଁ ଯେ, ଉକ୍ତ ସଂସ୍ଥାରେ ମୋତେ ନିଯୁକ୍ତି ମିଳିବ । ଆକାଶବାଣୀର ମୁଖ୍ୟକର୍ତ୍ତାଙ୍କଠାରୁ ମଧ୍ୟ ସେତେବେଳେ ଏହି ସୂଚନା ପାଏଁ । କିଭଳି ସର୍ତ୍ତରେ ପୁଣି କେଉଁ ଦାୟିତ୍ୱ ବହନ କରିବା ଲାଗି ମୋତେ ଏହି ଅନୁଷ୍ଠାନକୁ ଯିବାକୁ ହେବ, ତାହା ମୁଁ ଜାଣି ନ ଥିଲି । ଅବଶ୍ୟ ଦିଲ୍ଲୀ ଆକାଶବାଣୀ ଅନୁଷ୍ଠାନମାନଙ୍କୁ ଯିବାଲାଗି ମଧ୍ୟେ ମଧ୍ୟେ ମୁଁ ନିମନ୍ତ୍ରଣ ପାଏଁ । ପାଠ୍ୟ ପୁସ୍ତକ ରଚନା ଓ ଜୀବନବୀମା କମ୍ପାନୀ ସଂଗଠନ କାର୍ଯ୍ୟ ପ୍ରଭୃତିରୁ ଯେଉଁ ଉପାର୍ଜନ ହୁଏ, ତହିଁରେ ସଂସାର ମୋର ଯଥା ତଥା ଚଳିଯାଏ । ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଅବଶ୍ୟ ତାହାର ପ୍ରଚାର ସଂସ୍ଥା ଆପେ ବନ୍ଦ ହୋଇଯାଏ । ମାତ୍ର ଜୀବନବୀମାର କିସ୍ତି ଦାଖଲ ଅନୁଯାୟୀ ସଙ୍ଗଠନର କମିସନ୍‌ଟା ମିଳେ ନିୟମିତ ।

 

ସେତେବେଳକୁ ମୋର ଝିଅ କୁନି ସଂସାର ପରିଚାଳନା ଲାଗି ମୋତେ ସାହାଯ୍ୟ କଲାଣି-। ପାଠ୍ୟପୁସ୍ତକ ଲେଖିବାରେ ମଧ୍ୟ ତା’ର ସହାୟତା ଉପରେ ମୋତେ ନିର୍ଭର କରିବାକୁ ପଡ଼ିଥିଲା । ତଥାପି ମୋର ବଡ଼ସାନ ଦୁଇ ଭାଇଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଦାୟିତ୍ୱ କେତେକାଂଶରେ ମୋତେ ହିଁ ବହନ କରିବାକୁ ହେଉଥାଏ ।

 

ଅନେକ ସମୟରେ ଆଶଙ୍କା ହେଉଥାଏ, ସବୁ ବୋଧହୁଏ ଅଚଳ ହୋଇଯିବ ପରା ହଠାତ୍ ! ଏଇ ଭଳି ଅବସ୍ଥାରେ ସେତେବେଳେ କଟକ ରେଡ଼ିଓ ଷ୍ଟେସନ୍‍ର ଡାଇରେକ୍ଟର ଶ୍ରୀ ଈଶ୍ଵର ଦାଶ ମୋ ସହିତ ସାକ୍ଷାତ୍ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ତହୁଁ ମୋତେ ସେ ଜଣାଇ ଦିଅନ୍ତି ଯେ କଟକ ରେଡ଼ିଓ ଷ୍ଟେସନର Producer କାର୍ଯ୍ୟ କରିବାକୁ ମୋ ନାମ ପ୍ରସ୍ତାବିତ ହୋଇଛି । ଏଇ ଇଂରାଜୀ ପଦବୀର ହିନ୍ଦୀ ହେଲା “ସଲ୍‌ହାକର” —ଓଡ଼ିଆ କିଛି କରା ହୋଇନି । ସେ ମୋର ସମ୍ମତି ଜାଣିବାକୁ ଇଚ୍ଛୁକ । ଅସମ୍ମତ ହେବାକୁ ପୁଣି ଅଛି କ’ଣ ଏଥିରେ ! ବରଂ ଏହା ତ—ମଳୁ ଖୋଜୁଥିଲା ଯାହା, ବଇଦ କହିଲା ତାହା । ଦୁଇ ତିନି ଦିନ ପରେ ତାଙ୍କୁ ମୋର ସମ୍ମତି ଜଣାଏଁ । ତାହାପରେ ପାଏଁ ଏକ ନିଯୁକ୍ତି ପତ୍ର । ‘ତାହାପରେ’ ଅର୍ଥାତ୍ ଅନେକ ମାସ ବିତିଯାଏ ମଧ୍ୟବର୍ତ୍ତୀ କାଳରେ ।

 

‘ଅଲ୍ ଇଣ୍ଡିଆ ରେଡ଼ିଓ’ର ଭାରତୀୟ ନାମକରଣ ‘ଆକାଶବାଣୀ’ ରଖନ୍ତି ସ୍ଵୟଂ କବି ରବୀନ୍ଦ୍ର ନାଥ ଦୁଇପଦ କବିତା ତଦୁପରି ରଚନା କରି । ଭାରତୀୟ ସଂସ୍କୃତିର ଅତୀତ ଓ ଆଧୁନିକ ରୁପ ବସ୍ତୁ-ବିଜ୍ଞାନର ଅନ୍ୟତମ ଅଦ୍ଭୁତ ଉଦ୍ଭାବନ ଦେଖାଦିଏ ଗୋଟିଏ ଅତି କ୍ଷୁଦ୍ର ଯନ୍ତ୍ରମାଧ୍ୟମରେ । କେବଳ ଭାରତ ନୁହେ ତ ! ସମଗ୍ର ପୃଥିବୀର ସାହିତ୍ୟ-ସଙ୍ଗୀତ, କଳାବିଜ୍ଞାନ, ରାଜନୀତି, ଅର୍ଥନୀତି, ପୁଣି ମାନବୀୟ ସଂସ୍କୃତିର ଅତୀତ ବର୍ତ୍ତମାନ ଆଉ ଭବଷ୍ୟତ ! ଏକା ମାନବୀୟ କାହିଁକି, ଦୁନିଆରେ କୌଣସି ବିଷୟ, କୌଣସି କାର୍ଯ୍ୟ ଓ ଭାବନା ନାହିଁ, ଯାହା ଆକାଶବାଣୀ ପରିସର ଭିତରୁ ବହିର୍ଭୂତ ।

 

ଉତ୍କଳୀୟ ଓ ଭାରତୀୟ ସଂସ୍କୃତିର ମିଳନ-ପୀଠରୂପେ ଏଇ ଅନୁଷ୍ଠାନର ଆକର୍ଷଣ ମୋହ ପକ୍ଷରେ ଏଡ଼ିଦେବା କେବେ ସମ୍ଭବପର ହୁଅନ୍ତା କିପରି ? ସେ ଆହ୍ୱାନରେ ପୁଣି ଦାନ ସହିତ ଦକ୍ଷିଣା ମଧ୍ୟ ରହିଛି । ଏଇ ଗୋଟିଏ ମାତ୍ର ସୂତ୍ରରେ ଭାରତୀୟ କବି କଳାକାରମାନଙ୍କ ସମେତ ଓଡ଼ିଶା ରାଜ୍ୟର ଅଶ୍ରୁତ ଅଖ୍ୟାତ ପୁରପଲ୍ଲୀଠାରୁ ଆରମ୍ଭ କରି ନାଗରିକ ସଂସ୍କୃତିର ମୁହାଁମୁହିଁ ହେବାପାଇଁ ଅପୂର୍ବ ସୁଯୋଗ ମିଳଯାଏ ମୋତେ । ଶାସକ-ଶାସିତ, ଧନୀ-ଦରିଦ୍ର, ନଗରପଲ୍ଲୀ ସର୍ବତ୍ର ଅବା ମୁଁ ମୋର ଉପସ୍ଥିତି ଅନୁଭବ କରେଁ ଆକାଶବାଣୀର ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ।

 

ଅନୁଭବ କରେଁ ଜୀବନକୁ ବିସ୍ତୃତତର ଓ ଘନିଷ୍ଠତର ଭାବରେ । ଲେଖକ ରୂପେ ପାଠକମାନଙ୍କ ସହିତ ଯେଉଁ ସଂଯୋଗ ମୋର ପ୍ରତିଷ୍ଠିତ ହୁଏ, ଆହୁରି ତାହାର ନିକଟତର ଅନୁଭୂତି ମିଳେ । ବାଳକ-ବାଳିକା, ନାରୀ -ପୁରୁଷ, କୃଷକ-ଶ୍ରମିକ, ମାଲିକ-ମୂଲିଆ, ସାକ୍ଷର-ନିରକ୍ଷର ଆଦି ସବୁ ଶ୍ରୋତାଙ୍କ ଭିତରେ ଆପଣାକୁ ଖୋଜି ପାଇବାର ସୁଯୋଗ ମୋତେ ଯୋଗାଇ ଦିଏ ଆକାଶବାଣୀ ।

 

ପ୍ରାୟ ପ୍ରତି ବର୍ଷ ଦିଲ୍ଲୀ ଆକାଶବାଣୀ ଆନୁକୂଲ୍ୟରେ ଅନୁଷ୍ଠିତ ସାହିତ୍ୟ ସମାରୋହମାନଙ୍କରେ ଯୋଗଦେଇ ଭାରତୀୟ ବିଭିନ୍ନ ଅଞ୍ଚଳର ଲେଖକ-ଲେଖିକାମାନଙ୍କ ନିକଟତର ପରିଚୟ ମଧ୍ୟ ଲାଭକରେଁ । ସାକ୍ଷାତ୍କାର ଘଟେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଲିଆ ମଜ୍‍ଦୁର ପର୍ଯ୍ୟନ୍ତ ସବୁରି ସଙ୍ଗେ–ଧନୀ ଶିଳ୍ପପତିଙ୍କଠାରୁ ଯୋଗୀ ଭିକାରୀ, ଶ୍ରେଷ୍ଠ ସଙ୍ଗୀତଜ୍ଞ ଓସ୍ତାଦ୍‌ଙ୍କଠାରୁ କେନ୍ଦ୍ରାବାଦକ ପର୍ଯ୍ୟନ୍ତ ସବୁରି ସ୍ନେହ ସାହଚର୍ଯ୍ୟର ସୁଯୋଗ ଓ ସୌଭାଗ୍ୟ ।

 

ଏଥି ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ରୂପେ ମୁଁ ମନୋନୀତ ହୋଇ ସାରିଥାଏଁ କିନ୍ତୁ ରେଡ଼ିଓ କାମକୁ ସେତେବେଳର ଡାଇରେକ୍ଟର ଶ୍ରୀ ଈଶ୍ଵର ଦାସ ଯେପରି ସହଜ ସୁଗମ ବୋଲି ଚିତ୍ରଣ କରି ମୋତେ ପ୍ରଲୋଭନ ଦେଖାନ୍ତି—କାର୍ଯ୍ୟ କ୍ଷେତ୍ରରେ ତାହାର ବିପରୀତ ଅନୁଭୂତି ହିଁ ମୋର ଘଟେ । ପ୍ରତ୍ୟହ ୧୦ଟାରେ ରେଡ଼ିଓ ଅଫିସରେ ହାଜର ହେବା ଅଭ୍ୟାସ ଆହୁରି ଥରେ କରିବାକୁ ପଡ଼େ ମୋତେ । ଅବଶ୍ୟ ସରକାରୀ ଛାପାଖାନା ଦୁଆର ଆଗରେ ଘଣ୍ଟାକଣ୍ଟାକୁ ଚାହିଁ ଛାତି ଦପଦପ ପଡ଼ିଲା ବେଳର ହାଜର ଦେଲା ଭଳି ଏହା ନୁହେ ।

 

ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ମଧ୍ୟ ଆକାଶବାଣୀର ପରିବେଶ ଆଶାନୁରୂପ ହୋଇପାରେ ନାହିଁ । “ଆକାଶବାଣୀ”ରେ ବାଣୀ ଆରାଧନା କରିବା ଆକାଙ୍‍କ୍ଷା ଆକାଶରେ ହିଁ ମିଳାଇଯାଏ, ମାତ୍ର ଜୀବନବ୍ୟାପି ତ “ପେଟ ପୋଷ ନାହିଁ ଦୋଷ” ନୀତି ଅନୁସରଣ କରି ଆସିଲା । ପୁଣି ପରା ଶାସ୍ତ୍ର କହିଛି— “ଆତ୍ମାନଂ ସତତଂ ରକ୍ଷେତ୍ ଧନୈରପିଦରୈରପି” ! ନିଜକୁ ରକ୍ଷା କରିବାପାଇଁ ଧନୋତ୍ସର୍ଗ କଥାଟାକୁ ଯେତେ ଯୁକ୍ତିସଙ୍ଗତ ବୋଲି ବିଚାର କଲେହେଁ ଦାରାକୁ ସୁଦ୍ଧା ଉତ୍ସର୍ଗ କରିବା କଥାରେ ମୋର ମନଟା କିପରି ବିଦ୍ରୋହ କରିଉଠେ ।

 

କାରଣ ପୃଥିବୀରେ ଯେତେ ବଡ଼ ବଡ଼ ମୌଳିକ ସାହିତ୍ୟ ରଚିତ ହୋଇଛି, ସେଥିରେ ଆତ୍ମାକୁ ରକ୍ଷାକରିବା ଅପେକ୍ଷା ଦାରାକୁ ରକ୍ଷା କରିବା ହିଁ ପ୍ରଧାନ ଲକ୍ଷ୍ୟ ରୂପେ ବର୍ଣ୍ଣିତ—ରାମାୟଣ ମହାଭାରତଠାରୁ ଆରମ୍ଭ କରି ଗ୍ରୀକ୍ ଇଲିୟଡ଼୍ ପର୍ଯ୍ୟନ୍ତ; ଅଥବା ପୃଥିବୀର ପ୍ରାଚୀନତମ ହିଟ୍ଟାଇଟ୍ (Hittite) ମହାକାବ୍ୟ ରୂପେ ଚିହ୍ନିତ ଗିଲ୍ ଗାମେଶ୍ (Gilgamesh)ର ଉପାଖ୍ୟାନ ସମୂହ ।

 

ସୀତାଙ୍କୁ ଉଦ୍ଧାର କରିବାପାଇଁ ରାମରାବଣ ଯୁଦ୍ଧ ହୁଏ, ପୁଣି ଦୌପଦୀଙ୍କ ବସ୍ତ୍ରହରଣ—ଲଜ୍ଜାର ପ୍ରତିଶୋଧ ରୂପେ ମହାଭାରତ । ତାହା ସତ୍ତ୍ଵେ ଆତ୍ମରକ୍ଷା ଯେ ପରମ ଧର୍ମ ପୁଣି ଆତ୍ମହତ୍ୟା ଯେ ସବୁଠାରୁ ବଳି ବଡ଼ ପାପ, ଏହାର ପ୍ରମାଣ ଖୋଜିବାକୁ ଶାସ୍ତ୍ରପୁରାଣ ଘାଣ୍ଟିବା ଲୋଡ଼ା ହୁଏ ନାହଁ । ଜୀବନର ପ୍ରତି କ୍ଷେତ୍ରରେ ହିଁ ହିଂସା, ଦ୍ଵେଷ ଗାତ୍ରଦାହ—ପ୍ରତି କ୍ଷେତ୍ରରେ ହଁ ଈର୍ଷ୍ୟାର ମଞ୍ଜି ପୋତା ହୋଇଛି ।

 

ସେହି ଈର୍ଷ୍ୟାର ବିକଟ ବୀଭତ୍ସ ନଗ୍ନ ସ୍ୱରୂପ ସହିତ ମଧ୍ୟ ବାଲ୍ୟ ବୟସରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମୁହାଁମୁହିଁ ହେବାକୁ ପଡ଼ିଛି ମୋତେ—ବୋଧ ହୁଏ ମୋରି ଭିତରେ ଘୃଣା, ଦ୍ଵେଷ, ସଂକୀର୍ଣ୍ଣତା ଓ ହୀନମନ୍ୟତା ଯୋଗାଇ ଦେବାପାଇଁ; ପୁଣି ଚେତାଇ ଦେବାପାଇଁ ମୋର ଜୀବନ-ପଥର ଏହି ଭଳି ମନ୍ଦ ଗ୍ରହର ଘାଟୀଗୁଡ଼ିକୁ ପାର ହୋଇଯିବା ଉପାୟ ଆବିଷ୍କାର ଲାଗି । ଶ୍ରୀମଦ୍ ଭଗବତ୍‍କାରଙ୍କର ଭାଷାର ଯଥାର୍ଥ ଅନୁସାରେ—

 

“ଦୁର୍ଗମ ପଥ ଏ ଭଜନ

ଭୟେ ଭାଜନ୍ତି ଯୋଗିଜନ ।”

 

ଯେଉଁ ଭଜନ ପଥରେ ଯୋଗୀ ପୁରୁଷ ମଧ୍ୟ ଭୟ ଆତଙ୍କରେ ଭାଙ୍ଗି ପଡ଼ନ୍ତି, ସେଠାରେ ପୁଣି ମୁଁ କି ଛାର ! ଅଳ୍ପ ବୟସରୁ ମୋ ଜୀବନର ଭବିଷ୍ୟତ ଯେମ‌୍‌ତି ଅବା ମୁଁ ନିଜେ ଦେଖିବାକୁ ଯାଇ ଲେଖିଥିଲି ସେଇ ମୋର ପ୍ରାଥମିକ ଯୁଗର କବିତା “ଏକାକୀ ପଥରେ” ।

 

“ଏକାକୀ ପଥରେ ମୁଁ

ଏକାକୀ ପଥରେ

ନାହିଁ ମାନବ ପ୍ରାଣୀ

ନାହଁ ଆଶାର ବାଣୀ

ମଉନବ୍ରତରେ ମୁଁ

ଏକାକୀ ପଥରେ

 

Unknown

ନିଖିଳ ଭାରତ ଲେଖକ ସମ୍ମିଳନୀ

 

କଟକ ରେଡ଼ିଓ ଷ୍ଟେସନରେ ନମୂଦ ହେବାର କେତେ ମାସ ପରେ ନିମନ୍ତ୍ରଣ ପାଏଁ କେରଳ ସାହିତ୍ୟ-ସମିତି ପକ୍ଷରୁ । କୋଟାୟାମ୍ ଠାରେ ଅନୁଷ୍ଠିତ ହେଉଥାଏ ଏହି ସମ୍ମିଳନୀର ଚତୁର୍ବିଂଶ ବାର୍ଷିକ ଅଧିବେଶନ । ନିମନ୍ତ୍ରିତ ହୋଇଥାନ୍ତି ଭାରତର ବିଭିନ୍ନ ଆଞ୍ଚଳିକ ଭାଷାଭାଷୀମାନଙ୍କର ପ୍ରତିନିଧିସ୍ଥାନୀୟ କବି-ଲେଖକବୃନ୍ଦ । ବିଭିନ୍ନ ଆଞ୍ଚଳିକ ସାହିତ୍ୟର ପ୍ରଗତି ଉପରେ ଆଲୋଚନା କରିବାପାଇଁ ବିଷୟ ସ୍ଥିର କରାଯାଇଥାଏ । ଦକ୍ଷିଣ-ଭାରତର ସଂସ୍କୃତି ସହିତ ପରିଚିତ ହେବାର ଏଇ ସୁଯୋଗକୁ ମୁଁ ଏଡ଼ିପାରେ ନାହିଁ ।

 

କଟକ ଆକାଶବାଣୀର ସେତେବେଳେ ଡାଇରେକ୍ଟର ଶ୍ରୀ ପି. ଭି. କ୍ରିଷ୍ଣମୂର୍ତ୍ତି ସମ୍ମିଳନୀରେ ଯୋଗଦେବା ଲାଗି ମୋତେ ଉତ୍ସାହ ଯୋଗାନ୍ତି ମଧ୍ୟ । ଦକ୍ଷିଣଭାରତୀୟ ପ୍ରାକୃତିକ ସୌନ୍ଦର୍ଯ୍ୟଭିତରେ କେରଳର ବନ-ପର୍ବତ, ହ୍ରଦ-ନଦୀ ପୁଣି ଅଧିବାସୀମାନଙ୍କର କର୍ମତତ୍ପର ଜୀବନ ଓ ସରଳ ବେଶପରିପାଟୀ ମୋତେ ମୁଗ୍ଧ କରେ । ପଥମଧ୍ୟରେ ମୋର ସହଯାତ୍ରୀ ହୁଅନ୍ତି ବଙ୍ଗଳାର “ସିରାଜଦୌଲା” ରଚୟିତା ପ୍ରଖ୍ୟାତ ନାଟ୍ୟକାର ବନ୍ଧୁ ସ୍ୱର୍ଗତ ଶଚୀନ ସେନଗୁପ୍ତ । ଶଚୀନ୍ ବାବୁଙ୍କ ପତ୍ରାଳାପରୁ ଯେଭଳି ରୂପଗୁଣରେ ସେ ଭୂଷିତ ବୋଲି କଳ୍ପନା କରେଁ, ଅବିକଳ ସେଇପରି ଦେଖେଁ ତାଙ୍କୁ । କୋଟାୟାମ୍‌ରେ ପହଞ୍ଚି ଭେଟହୁଏ ପୁଣି ପ୍ରବୀଣ ମରାଠୀ ନାଟ୍ୟକାର, ମାମାୱାରେର୍‍କର ଓ ଗୁଜରାଟୀ ନାଟ୍ୟକାର ଶ୍ରୀ ଚନ୍ଦ୍ରବଦନ ମେହଟାଙ୍କ ସଙ୍ଗେ; ସମସ୍ତେ ମୋର ପୂର୍ବ ପରିଚିତ ବନ୍ଧୁ । ଏକାଧିକ ଥର ଦିଲ୍ଲୀରେ ଆମର ସାକ୍ଷାତ୍‍କାର । କ୍ରମାଗତ ତିନି ଦିନବ୍ୟାପୀ ଏହି ସମ୍ମିଳନୀ ଅନୁଷ୍ଠିତ ହୁଏ । ଶତ ଶତ ନାରୀପୁରୁଷ ଶ୍ରୋତୃବର୍ଗଙ୍କ ମଧ୍ୟରେ, ବିପୁଳସଂଖ୍ୟକ ବାଳକ-ବାଳିକାଙ୍କ ଉପସ୍ଥିତିରେ ମଧ୍ୟ ଶିଶୁ ସାହିତ୍ୟର ଦୀର୍ଘ ଆଲୋଚନା କରାଯାଏ । ଶତ ଶତ ବାଳକ ବାଳିକା ଯେପରି ସହଜ ସରଳ ସ୍ୱଭାବର ପରିଚୟ ଦିଅନ୍ତି, ତାହାର ତୁଳନା ନାହିଁ ।

 

ଭାରତର ବିଭିନ୍ନ ସ୍ଥାନରେ ସଭାସମିତି ସାହିତ୍ୟ ସମ୍ମିଳନୀରେ ଯୋଗଦେଇ କେରଳ ସମ୍ମିଳନୀରେ ଏକ ବିଶେଷର ମୁଁ ଲକ୍ଷ୍ୟ କରେଁ ଅପୂର୍ବ ଶୃଙ୍ଖଳା ଜ୍ଞାନ—ଆବାଳ ବୃଦ୍ଧବନିତା ସବୁରି ଭିତରେ ଏଇ ଶୃଙ୍ଖଳା ଜ୍ଞାନର ପରିଚୟ । ପୁଣି କେରଳର ଗ୍ରାମାଞ୍ଚଳରେ ଶାନ୍ତସମାହିତ ଜୀବନର ପରିପାଟୀ କେରେଳୀୟ ପ୍ରକୃତିର ଏକ ବିଶେଷତ୍ୱ ରୂପେ ମନରେ ମୋର ଅଙ୍କିତ ହୋଇ ରହିଯାଏ-

 

ସେହି ଅବସରରେ କେରଳର ମହାକବି ସ୍ଵର୍ଗତ ଭାଲାଥୋଲ, ଶ୍ରୀ ଶଙ୍କର କୁରୁପ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନମ୍ବୁଦ୍ରି ପାଦଙ୍କ ସହିତ ମଧ୍ୟ ମିଳନର ସୁଯୋଗ ଲାଭକରେଁ । ନମ୍ବୁଦ୍ରୀ ପାଦମାନେ ସ୍ୱୟଂ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ବଂଶୋଦ୍ଭବରୂପେ ପରିଚିତ ହେବାକୁ ଗୌରବ ଜ୍ଞାନ କରନ୍ତି । ଅଳ୍ପ ବୟସରୁ ମୁଁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ‘ମୋହମୁଦ୍‍ଗର’ ଆଦି ପଢ଼ି ଅନୁପ୍ରାଣିତ ହୋଇଥିଲି ଗଭୀର ଭାବରେ ଭାରତ ସୀମାନ୍ତରେ ଅବସ୍ଥିତ କନ୍ୟାକୁମାରୀର ଅପୂର୍ବ ଦୃଶ୍ୟ ବଙ୍ଗୋପସାଗର ଓ ଆରବସାଗର ଦ୍ୱୟର ଭାରତ ମହାସାଗର ସହିତ ମିଳନ ସମୀପରେ ଆକାଶଚୁମ୍ବୀ ପଶ୍ଚିମ ଘାଟ ପର୍ବତମାଳାର ମହନୀୟ ଦୃଶ୍ୟ ହୃଦୟକୁ ଯେପରି ବିସ୍ତୃତକରେ, କଳ୍ପନାକୁ କରେ ସେହିପରି ଗଗନସ୍ପର୍ଶୀ । ଆକୁମାରୀ–ହିମାଚଳ ପବିତ୍ର ଏଇ ଭାରତବର୍ଷ । ଆଜି ମଧ୍ୟ ଦିବ୍ୟଜୀବନ ଅନୁସନ୍ଧାନ ଓ ସାଧନ କ୍ଷେତ୍ରରେ ହୃଷିକେଶଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦ ପଣ୍ଡିଚେରି ଆଶ୍ରମ ପର୍ଯ୍ୟନ୍ତ ସୁପରିଚିତ ।

 

ଆଜି ମଧ୍ୟ ବସ୍ତୁବିଜ୍ଞାନର ବାସ୍ତବ ଚନ୍ଦ୍ରଦର୍ଶୀ ବିଂଶଶତାବ୍ଦୀର ଶେଷ ପର୍ଯ୍ୟାୟରେ ଦେବୀ କନ୍ୟାକୁମାରୀଙ୍କର ସତେଜ ଲାବଣ୍ୟମୂର୍ତ୍ତି, ସମୁଦ୍ର ମଧ୍ୟରେ ବିବେକାନନ୍ଦ ରକ୍ ବା ପର୍ବତ ଶୃଙ୍ଗର ଦୃଶ୍ୟ—ଯାହା ଉପରେ ସ୍ୱାମୀଜୀ ଧ୍ୟାନରତ ଥିଲେ—ବଙ୍ଗୋପସାଗର, ଆରବସାଗର ଓ ଭାରତ ମହାସାଗର-ତ୍ରିବେଣୀ ସଙ୍ଗମ ପବିତ୍ର ପୀଠରେ !

 

ହିମାଳୟଠାରୁ କନ୍ୟାକୁମାରୀ ପୁଣି ପୂର୍ବ ସୀମାନ୍ତ ସମୁଦ୍ରରୁ ପଶ୍ଚିମ ସୀମାନ୍ତ ପର୍ଯ୍ୟନ୍ତ ଏହି ପୁରାଣ ପ୍ରସିଦ୍ଧ ମହାନ୍ ଭାରତବର୍ଷର ପ୍ରତ୍ୟେକ ନଦନଦୀ ହ୍ରଦପର୍ବତ ପବିତ୍ର ହୋଇଛି କେତେ ଯୋଗୀ ଋଷି କୃଷକ ଶ୍ରମିକଙ୍କ ପଦସ୍ପର୍ଶରେ । ସ୍ଥାନେ ସ୍ଥାନେ ନବ ନବ ପୁଲକରେ ପ୍ରାଣ ମୋର ସ୍ପନ୍ଦିତହୋଇଉଠେ-ଛାଁଏ ଅବା ଦୁଇ କର ଯୋଡ଼ି ହୋଇଯାଏ ମୋର ଅନନ୍ତ ଅକ୍ଷୟ ଏଇ ମହାକାଶର ଉର୍ଦ୍ଧ୍ୱରୁ ଊର୍ଦ୍ଧ୍ୱକୁ–

 

ପଶ୍ୟାମି ଦେବାଂସ୍ତବ ଦେବଦେହେ

ସର୍ବାଂସ୍ତଥା ଭୁତ ବିଶେଷ ସଂଘାନ୍ ।

 

ଆହୁରି ବେଳେବେଳେ ନିରେଖି ଚାହିଁଲେ—ସର୍ବତ୍ର ସବୁ ପରିପୂର୍ଣ୍ଣ—ଅଥଚ ତାହା ଅନୁଭବ କରିବାକୁ ଅକ୍ଷମ ମୁଁ ଆତ୍ମସର୍ବତ୍ର ହୋଇପଡ଼ି ଆପଣାକୁ ଏକା ବୋଲି ବିଚାରୁଛି ।

 

“ଭୁବନେ ଉଛୁଳଇ ଆନନ୍ଦ ରହି ରହି

ଆନନ୍ଦହୀନ ହିୟା ଚାଲିଛି ମୁଁ ଯେ ବହି

ଜୀବନ ମ୍ଳାନ ମୋ ଆଘାତ ଶତରେ

ମୁଁ ଏକାକୀ ପଥରେ ।”

 

ଜୀବନ ପଥର ପଥିକ ହୋଇ ଏହିଭଳି ନିଃସହାୟ ଏକାକିତ୍ୱ ଏକାକିତ୍ୱ ବାରମ୍ବାର ମୁଁ ଅନୁଭବ କରେଁ, ଦେଖିବାକୁ ପାଏଁ ସାମ୍ନାରେ, ପୁଣି ବାଁ ଡାହାଣ ପଛପଟେ–ବୃକ୍ଷଗୁଳ୍ମ ଶୁନ୍ୟ ଜନପ୍ରାଣୀହୀନ ରୁକ୍ଷ ଅସୀମ ମରୁଭୂମି । ତଥାପି ଗଣ୍ଠିଲି ବାନ୍ଧି ବାଟକାଟେଁ ମୋର ସେହି ସବୁ ବେଳର ଅମଡ଼ା ବାଟରେ ।

 

କଟକ ରେଡ଼ିଓ ଷ୍ଟେସନରେ କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ଏକ ପତ୍ର ପାଏଁ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ସାଂସ୍କୃତିକ ମନ୍ତ୍ରୀ ଶ୍ରଦ୍ଧେୟ ସ୍ୱର୍ଗତ ହିମାୟୁନ୍ କବୀରଙ୍କ ଠାରୁ । ପତ୍ରର ଉଦ୍ଦେଶ୍ୟ ହେଲା—କଲିକତାର “ମହାଜାତି–ସଦନ”ରେ ଅଖିଳଭାରତ ଲେଖକସମ୍ମିଳନୀ ଅନୁଷ୍ଠିତ ହେବ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଓ ପଣ୍ଡିତ ଜବାହରଲାଲ୍ ନେହେରୁ ପ୍ରମୁଖ ଭାରତର ବିଶିଷ୍ଟ ଭାବୁକ ସାହିତ୍ୟିକମାନେ ଏହି ସଭାରେ ଯୋଗଦେବେ । ମୋତେ ମଧ୍ୟ ନିମନ୍ତ୍ରଣ, ଗୋଟିଏ ଦିନ ସଭାପତିତ୍ୱ କରିବାପାଇଁ । ଏହି ନିମନ୍ତ୍ରଣ ରକ୍ଷା କରେଁ ମୁଁ ସାଗ୍ରହରେ ଧନ୍ୟବାଦ ଜଣାଇ । ତହୁଁ ପୁଣି ପତ୍ର ଆସେ ମୋହର ସଭାପତିତ୍ୱ ଦିନଟିର ମୁଖ୍ୟବକ୍ତା ପ୍ରଧାନମନ୍ତ୍ରୀ ନେହେରୁ ଓ ଆଲୋଚ୍ୟ ବିଷୟ — “State and Literature”— ରାଷ୍ଟ୍ର ଓ ସାହିତ୍ୟ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ କବୀରଙ୍କଠାରୁ ପତ୍ର ପାଇ ମନ ମୋର ଉତ୍‍ଫୁଲ୍ଲ ହୋଇଉଠେ । ପୁଣି ସମ୍ବାଦ ପତ୍ରରେ ଏହା ପ୍ରକାଶ ପାଇବା ପରେ ବନ୍ଧୁମାନେ ଜଣାନ୍ତି ଅଭିନନ୍ଦନ । ଆକାଶବାଣୀ ଡାଇରେକ୍ଟର ଶ୍ରୀ ପି.ଭି.କ୍ରିଷ୍ଣାମୁର୍ତ୍ତି ମଧ୍ୟ ବିସ୍ମିତ ହୁଅନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ସାହିତ୍ୟ-ସଭାରେ ମୁହିଁ କରୁଛି ସଭାପତିତ୍ୱ । “ମହାଜାତି-ସଦନ ଗୃହଟି ଲେଖକ-ଲେଖିକାମାନଙ୍କ ସମାଗମରେ ପୂର୍ଣ୍ଣ ହୋଇ ଉଠେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ବିଧାନରାୟ ଅସୁସ୍ଥ ଥିବା ହେତୁ ପ୍ରତିନିଧିମାନଙ୍କ ଅଭ୍ୟର୍ଥନାର ଦାୟିତ୍ୱ ଗ୍ରହଣ କରିଥାନ୍ତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ସେନ୍ ଓ ଶ୍ରୀଯୁକ୍ତ ଅତୁଲ୍ୟ ଘୋଷ ।

 

ମହାନଗରୀ କଲିକତାରେ ଭାରତର ସବୁ ଅଞ୍ଚଳର ପ୍ରତିନିଧିମାନଙ୍କ ସମାଗମ ସୃଷ୍ଟି କରିଥାଏ ଏକ ଶାନ୍ତ ସମାହିତ ଗମ୍ଭୀର ପରିବେଶ । ଭାରତର ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ସବୁ ଅଞ୍ଚଳର ସବୁ ଭାଷାଭାଷୀ ସାହିତ୍ୟିକମାନଙ୍କୁ ଚିନ୍ତାଧାରରେ ଅପୂର୍ବ ଏକତ୍ୱ ବୋଧର ସମନ୍ଵୟ ଅବା ସମ୍ମିଳନୀର ବାତାବରଣରେ ଖେଳି ବୁଲୁଥାଏ ।

 

“ରାଷ୍ଟ୍ର ଓ ସାହିତ୍ୟ” ବିଷୟରେ ସେଦିନ ମୋର ଇଂରାଜୀ ପ୍ରବନ୍ଧ ପାଠ କରେଁ । କେନ୍ଦ୍ର-ଶିକ୍ଷାମନ୍ତ୍ରୀ ଓ କଲିକତା ସର୍ବ ଭାରତୀୟ ଲେଖକ-ସମ୍ମିଳନୀର ଅଭ୍ୟର୍ଥନା ସଭାପତି ସ୍ୱର୍ଗତ ହୁମାୟୁନ୍ କବୀର୍ ଉଚ୍ଚ ପ୍ରଶଂସା ଜଣାନ୍ତି ମୋ ପ୍ରବନ୍ଧର । ତହୁଁ ଆରମ୍ଭ ହୁଏ ଆଲୋଚନା । ଆଲୋଚନାର ମଧ୍ୟସ୍ଥଳରେ ପହଞ୍ଚନ୍ତି ଆସି ଜବାହରଲାଲ୍ ।

 

ସଭାଗୃହରେ ଜବାହରଲାଲଙ୍କ ଭାଷଣ ଶୁଣିବା ପାଇଁ ଉଦ୍‌ଗ୍ରୀବ ହୋଇଉଠନ୍ତି ସମବେତ ସୁଧୀ ଲେଖକବୃନ୍ଦ । ସେମାନଙ୍କର, ସଂଭ୍ରମ ଓ ଉତ୍କଣ୍ଠା ସହିତ ସଭାପତିଭାବରେ ମୁଁ ମଧ୍ୟ ଅନୁଭବ କରେଁ ଉଦ୍ଦେଗ ତହୁଁ ବକ୍ତାମାନଙ୍କୁ ଅନୁରୋଧ କରେଁ ଯଥା ସମ୍ଭବ ସଂକ୍ଷେପରେ ମାତ୍ର ପାଞ୍ଚ ମିନିଟ୍ ମଧ୍ୟରେ ପ୍ରତ୍ୟେକ ବକ୍ତା ନିଜ ବକ୍ତବ୍ୟ ସାଙ୍ଗ କରିବାକୁ ।

 

ମୋର ନିର୍ଦ୍ଦେଶକୁ ପଣ୍ଡିତ ନେହେରୁ ମଧ୍ୟ ନାପସନ୍ଦ କରି ସଂକେତ ଦିଅନ୍ତି ଅନୁଚ୍ଚ ସ୍ଵରରେ ମୋହ ପାଖରେ ବସି । ତହୁଁ ତାଙ୍କୁ ମୁଁ ଜଣାଏ ଯେ, ବକ୍ତାମାନଙ୍କ ସଂଖ୍ୟା ପ୍ରାୟ ଦଶ ଜଣ ଅଥଚ ଶ୍ରୀ ନେହେରୁଙ୍କ ଭାଷଣ ଶୁଣିବା ପାଇଁ ସଭାଗୃହରେ ସମସ୍ତେ ଉଦ୍‍ଗ୍ରୀବ । ତଥାପି ମାତ୍ର ପାଞ୍ଚ ମିନିଟ୍ ଅତି କମ୍ ହେଲା ବୋଲି ନେହେରୁ ମତ ଦେଲେ ।

 

ସେତିକିବେଳେ କବି ରବୀନ୍ଦ୍ର ନାଥଙ୍କ ପୌତ୍ର ଶ୍ରଦ୍ଧେୟ ବନ୍ଧୁ ଶ୍ରୀ ସୌମ୍ୟେନ୍ଦ୍ରନାଥ ଠାକୁର ଠିଆ ହୋଇ ପ୍ରତିବାଦ ଜଣାନ୍ତି ମୋର ସଭାପତି ଭାବରେ ବକ୍ତାମାନଙ୍କପାଇଁ ସମୟର ସୀମା ନିର୍ଦ୍ଧାରଣ ବିରୁଦ୍ଧରେ । ବିନୀତ ଭାବରେ ତାଙ୍କୁ ମୁଁ ଅନୁରୋଧ କରେଁ, ସେ ନିଜେ ଇଚ୍ଛାକଲେ ଅଧିକ ସମୟ ନେଇ ପାରନ୍ତି, ମାତ୍ର ପ୍ରତିବାଦ କରି ସେ ଭାଷଣ ଦେଇନଥିଲେ । ସେଇ ଅଳ୍ପ କାଳ ମଧ୍ୟରେ ଅବଶ୍ୟ ଏକାଧିକ ବକ୍ତା ଭାଷଣ ଦିଅନ୍ତି ।

 

ଓଡ଼ିଆ “ଡଗର” ପତ୍ରିକାର ସଂପାଦକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କର “ରାଷ୍ଟ୍ର ଓ ସାହିତ୍ୟ” ବିଷୟକ ସଂକ୍ଷିପ୍ତ ଭାଷଣଟି ବେଶ୍ ସାହସିକତା ବ୍ୟଞ୍ଜକ ପୁଣି ଉତ୍ତେଜନାପୂର୍ଣ୍ଣ ଓ ସମାଲୋଚନାମୂଳକ ହୋଇଥିବାରୁ ସଭାଗୃହରେ ପ୍ରଶଂସିତ ହୁଏ ।

 

ଆବହମାନକାଳରୁ ରାଷ୍ଟ୍ର ସହିତ ସାହିତ୍ୟ କି ଭଳି ଅଙ୍ଗାଙ୍ଗୀରୂପେ ଜଡ଼ିତ ହୋଇ ରହିଆସିଛି; ପୁଣି ରାଷ୍ଟ୍ର ଶାସନର ସୁପରିଚାଳନା ଦିଗରେ ସାହିତ୍ୟର ନିର୍ଦ୍ଦେଶ ପରୋକ୍ଷଭାବେ କି ଭଳି ପ୍ରଭାବିତ କରି ଆସିଛି, ଦେଶ ବିଦେଶର ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ଉଦାହରଣ ଦେଇ ମୁଁ ବ୍ୟାଖ୍ୟା କରିଥାଏଁ ପ୍ରବନ୍ଧରେ ମୋର । ସଭା ସାଙ୍ଗ ହେବା ପରେ ଏକାଧିକ ବନ୍ଧୁଙ୍କର ମୁଁ ପ୍ରଶଂସାଭାଜନ ହୁଏଁ ପୁଣି ମୋର ସ୍ଵାକ୍ଷର ନେବାପାଇଁ ତରୁଣ ଲେଖକ ଲେଖିକାମାନେ ଯେଉଁ ବିହ୍ୱ ରଚନା କରନ୍ତି, ତାହାକୁ ଭେଦ କରିବା କଠିନ ହୋଇଉଠେ ମୋହ ପକ୍ଷରେ ।

 

ଏଥି ପୂର୍ବରୁ ଓ ଏହା ପରେ କଲିକତାରେ ଅନୁଷ୍ଠିତ ଏକାଧିକ ସାହିତ୍ୟିକ ଅନୁଷ୍ଠାନରେ ଯୋଗଦେବାର ସୁଯୋଗ ମୋର ଘଟିଛି । ଶାନ୍ତିନିକେତନରେ ରବୀନ୍ଦ୍ର, ଶତବାର୍ଷିକୀ ପୁଣି କଲିକତାରେ ନିଖିଳ-ଭାରତୀୟ-ବଙ୍ଗ ସାହିତ୍ୟ ସମ୍ମିଳନୀ ପ୍ରଭୃତିରେ ଅନୁଭବ କରିଛି, ସାହିତ୍ୟ-ସାଧନାର ପୀଠରେ ଆଜୀବନ ସାଧକମାନଙ୍କର ଏକନିଷ୍ଠତା ।

 

ବମ୍ବେଠାରେ ଅନୁଷ୍ଠିତ ରବୀନ୍ଦ୍ର ଶତବାର୍ଷିକୀ ଜୟନ୍ତୀ ଉତ୍ସବରେ ମଧ୍ୟ ଏଇ ଅନୁଭୂତି ମୋର ଦୃଢ଼ତର ହୁଏ । ସେଠାରେ ଅଭ୍ୟର୍ଥନା ସଭାର ସଭାପତି ଥା’ନ୍ତି ବମ୍ବେର ତତ୍‍କାଳିନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯଶୋବନ୍ତ ରାଓ ବଳବନ୍ତ ରାଓ ଚୌହାନ । ପଣ୍ଡିତ ଜବାହର ଲାଲ୍ ସେଠାରେ ତାଙ୍କ ଭାଷଣରେ ପ୍ରକାଶ କରନ୍ତି ଯେ, ଯୌବନରେ ସେ ଗାନ୍ଧିଜୀଙ୍କ ଶିଷ୍ୟତ୍ୱକୁ କର୍ମକ୍ଷେତ୍ରରେ ଗ୍ରହଣ କରିଥିଲେ ମଧ୍ୟ ରବୀନ୍ଦ୍ର ନାଥଙ୍କ ଆଦର୍ଶଦ୍ୱାରା ଅଧିକ ଅନୁପ୍ରାଣିତ ହୁଅନ୍ତି ।

 

ନେହେରୁଙ୍କର ଏହି ମନ୍ତବ୍ୟ ଶୁଣି ମୋର ସ୍ମରଣ ହେଲା—ଗାନ୍ଧୀଙ୍କ ଆଦର୍ଶରେ ମୁଁ ଅଧିକ ଅନୁପ୍ରାଣିତ ହେଲେହେଁ ଯୌବନରେ ଆକୃଷ୍ଟ ହୋଇ ଅନୁସରଣ କରେଁ ରବୀନ୍ଦ୍ର ସାଧନାର ଆଦର୍ଶକୁ; ଅର୍ଥାତ୍ ରାଜନୀତି ବଦଳରେ ସାହିତ୍ୟିହିଁ ମୋତେ ନିବିଡ଼ତର ରଜ୍ଜୁରେ ବନ୍ଧନ କରେ—ସେଇ ବନ୍ଧନରୁ ମୁକ୍ତିଲାଭ କରି ରାଜନୀତିର ବେଡ଼ି ପିନ୍ଧିବାକୁ ବୋଧହୁଏ ଆଉ ଅବସର ମିଳେ ନାହିଁ ।

 

ରାଜନୀତିକ ବେଡ଼ି-ବନ୍ଧନ ଅବା କାରାବାସର ନିର୍ଦ୍ଦିଷ୍ଟ ସମୟଅଛି । ନିର୍ଦ୍ଦିଷ୍ଟ ସୀମା ରହିଛି ମନ୍ତ୍ରୀତ୍ୱ କାର୍ଯ୍ୟକାଳରେ ସୁଦ୍ଧା । ମାତ୍ର ସାହିତ୍ୟିକ ବେଡ଼ିର ସମୟ ଅନିର୍ଦ୍ଦିଷ୍ଟ । ରାଷ୍ଟ୍ରୀୟ ଜେଲ କବାଟ ମଝିରେ ମଝିରେ ଫିଟିଯାଏ, ମାତ୍ର ସାହିତ୍ୟର ଯେ କବାଟ ରାଷ୍ଟ୍ରୀୟ ସବୁବେଳେ ବନ୍ଦ । ତହିଁରୁ କେବେହେଲେ ଛୁଟିନାହିଁ କି ମୁକ୍ତି ନାହିଁ, ସେ ଜେଲ୍‍ରେ ଯେ ପଡ଼େ, ଅବା ସେ ଫାନ୍ଦରେ ଥରେ ଯେ ଲାଖେ, ଆଉ ଯେମ‌୍‌ତି ତା’ର ମୁକୁଳିବାକୁ ବାଟ ମିଳେନି କେଉଁଠି !

 

ମୁକୁଳିବା ପାଇଁ କେତେ ଉଦ୍ୟମ ମୁଁ ଯେ ନ କରିଛି ! ଶେଷରେ କିନ୍ତୁ ହାରିଯାଇଛି କେବଳ ହା-ହୁତାଶ କରି; ସବୁ ହା-ହୁତାଶକୁ ପୂରଣ କରିବାପାଇଁ ଧରିଛି କଲମ, କଟାଇଛି କେତେ ଅନିଦ୍ରା ରାତ୍ରି, ବିତାଇଛି କେତେ କର୍ମହୀନ ଦିବସ—ଅସୀମ ଅଭାବ, ଅସୁବିଧା, ଅପମାନରେ ପୂର୍ଣ୍ଣ କରିଛି ମୋର ଶୂନ୍ୟ ଥାଳ । ବୋଉ ମୋର ଥିଲାବେଳେ ମଝିରେ ମଝିରେ ଆକଟ କରନ୍ତି—“କୁଆଡ଼େ ତ ତୁ ଯାଆସ କଲୁନି, କାହାରି ପାଖକୁ ଗଲୁନି, ଘର ଚଳେଇବୁ କେମିତି ? ସବୁବେଳେ ଖାଲି କ’ଣ ଚଉକି ଉପରେ ବସିବୁ, ଟେବୁଲ୍ ଉପରେ ଲେଖିବୁ ? ଆଜି ଆଉ ସେ ଆକଟ କରିବାକୁ ନାହାନ୍ତି; ମାତ୍ର ଚଉକି ଉପରେ ବସିବା ପୁଣି ଟେବୁଲ୍ ଉପରେ ଲେଖିବା କାମ ଆଜି ବି ମୋର କାହିଁ ସରିଲା ନାହିଁ ତ !

 

ଓଡ଼ିଶାରେ ପି: ଇ: ଏନ୍ (P.E.N.)

 

୧୯୫୯ ଖ୍ରୀଷ୍ଟାବ୍ଦର ଶୀତ ଋତୁ । ଓଡ଼ିଶାରେ ଆନ୍ତର୍ଜାତୀୟ ସାହିତ୍ୟ ସଂସ୍ଥା ପି. ଇ. ଏନ. ର ଗୋଟିଏ ଶାଖା ପ୍ରତିଷ୍ଠା ଲାଗି ଶ୍ରାମତୀ ସୋଫିଆ ଓଆଦିଆଙ୍କ ସମର୍ଥନ ମିଳିଥାଏ । ଶ୍ରୀ ହରେକୃଷ୍ଣ ମହତାବ ଓଡ଼ିଶାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ସେହି ସମୟରେ ପି: ଇ: ଏନ୍ ଆନୁକୂଲ୍ୟରେ ସର୍ବଭାରତୀୟ ସ୍ତରରେ ଏକ ଲେଖକ-ସମ୍ମିଳନୀ ଅନୁଷ୍ଠିତ ହୁଏ ଭୁବନେଶ୍ଵରଠାରେ, ତାହା ପୂର୍ବରୁ ବ୍ରହ୍ମପୁରଠାରେ ଓଡ଼ିଶା ଲେଖକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୁଏ ଡକ୍ଟର ସର୍ବପଲ୍ଲି ରାଧାକୃଷ୍ଣନ୍‌ଙ୍କ ସଭାପତିତ୍ୱରେ । ବ୍ରହ୍ମପୁର ସମ୍ମିଳନୀ (୧୩/୬/୧୯୫୮) ପାଇଁ ଓଡ଼ିଶାର ବହୁ ଅଞ୍ଚଳରୁ ଲେଖକମାନେ ସମବେତ ହୁଅନ୍ତି ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ।

 

ଗୋପାଳପୁର ସମୁଦ୍ରତୀରରେ ଅବସ୍ଥିତ ବିଖ୍ୟାତ ପାମ୍‍ବିଚ୍ ହୋଟେଲରେ ଲେଖକମାନଙ୍କ ଅବସ୍ଥାନ ଲାଗି ବ୍ୟବସ୍ଥା କରିଯାଏ— ସେହି ମୋର ସର୍ବପ୍ରଥମ ଗୋପାଳପୁରଠାରେ ସମୁଦ୍ର ଦର୍ଶନର ସୁଯୋଗ ।

 

ବମ୍ବେ, କନ୍ୟାକୁମାରୀ, ପଣ୍ଡିଚେରୀ, ମାନ୍ଦ୍ରାଜ, ଗୋପାଳପୁର, କୁଜଙ୍ଗ, ପାରାଦ୍ୱୀପ, ଚାନ୍ଦିପୁର ପ୍ରଭୃତି ଭାରତର ବିଭିନ୍ନ ଉପକୂଳରେ ସମୁଦ୍ର ଦେଖିବା ସୁଯୋଗ ମୋର ଘଟିଛି; କିନ୍ତୁ କେଉଁଠି ହେଲେ ପୁରୀ ସମୁଦ୍ରର ମାଧୁର୍ଯ୍ୟ ଅନୁଭବ କରି ପାରିନାହିଁ । ଆହୁରି କେତେକ ବନ୍ଧୁଙ୍କଠାରୁ ଶୁଣେ— ଯେଉଁମାନେ ପୃଥିବୀର ବିଭିନ୍ନ ଦେଶ ଭ୍ରମଣ କରିଛନ୍ତି—ଠିକ୍ ଏଇକଥା—ପୁରୀ ସମୁଦ୍ର ଯେମ‌୍‌ତି ଅବା ଘରଭିତରେ ନିକଟତମ ଅତି ଆପଣାର ଭଳି ।

 

ଗୋପାଳପୁର ଲେଖକ ସମ୍ମିଳନୀରେ ଡକ୍ଟର ରାଧାକୃଷ୍ଣନ ଯେଉଁ ଭାଷଣ ଦିଅନ୍ତି, ତାହା ବେଶ୍ ପ୍ରଭାବ ପକାଏ । ତାଙ୍କର ଅନର୍ଗଳ ଶବ୍ଦ ଚାତୁର୍ଯ୍ୟ ଭିତରେ ଭାରତୀୟ ସାହିତ୍ୟର ସୂଚନା ଦେଇ ସେ ଉଲ୍ଲେଖ କରିଥିଲେ ତତ୍‍କାଳୀନ ଭାରତୀୟ ନେତୃତ୍ୱ ସହିତ ପୃଥିବୀ ପୃଷ୍ଠରେ ଅନ୍ୟାନ୍ୟ ନେତୃତ୍ୱର କିଞ୍ଚିତ୍ ତୁଳନା କରି; ଆହୁରି ତୁଳନା କରି ରାଜନୀତି ସହିତ ସାହିତ୍ୟର ।

 

ପୃଥିବୀ ରାଜନୀତିରେ ଭାବନା ଓ ଚିନ୍ତାର ପରିସର ଯେ କ୍ଷୀଣତର ହୋଇ ପଡ଼ୁଛି, ତାହାରି ସୂଚନା ଦେଇ ଡକ୍ଟର ରାଧାକୃଷ୍ଣନ୍ ଉଲ୍ଲେଖ କରନ୍ତି ଗୋଟିଏ ଉଦାହରଣ—ଏକ ବୈଦେଶିକ ସାମୟିକ ପତ୍ରିକାରେ ପ୍ରକାଶିତ ବ୍ୟଙ୍ଗଚିତ୍ର । ବ୍ୟଙ୍ଗଚିତ୍ରଟି ହେଲା—ସେତେବେଳର ପ୍ରଧାନମନ୍ତ୍ରୀ ନେହେରୁଙ୍କର । ଚିତ୍ରଟିର ବ୍ୟାଖ୍ୟା କରାଯାଏ—ପୃଥବୀରେ ନେହେରୁ ବୋଧହୁଏ ସେହି ସମୟର ଏକମାତ୍ର ଜଣେ ରାଜନୀତି କ୍ଷେତ୍ରର ନେତା—ଯେ କି ଚିନ୍ତା କରନ୍ତି !

 

ତାତ୍ପର୍ଯ୍ୟ—ଦୁନାଆର ରାଜନୀତିରେ ଆଜି ଚିନ୍ତାର ଅବକାଶ ନାହିଁ— ବିଚାରଶୂନ୍ୟ ହୋଇ ଶାସନକଳ କରଗତ କରି ଚଳାଇପାରିବା କୌଶଳହିଁ ଯେପରି ରାଜନୀତିର ପ୍ରଧାନ ଅଙ୍ଗ ହୋଇ ପଡ଼ିଛି । ନେହରୁ କିନ୍ତୁ ତା’ର ବ୍ୟତିକ୍ରମ ।

 

ଡକ୍ଟର ରାଧାକୃଷ୍ଣନ୍‌ଙ୍କର ଏହି ମନ୍ତବ୍ୟ ଯେଭଳି ଭାବମୟ ବାଗ୍ମିତା ଭିତରେ ଉଦ୍‌ବେଳିତ ହୋଇଉଠେ, ଏବେ ମଧ୍ୟ ସେ ଚିତ୍ର ମୋର ମନରୁ ନିଭିନାହିଁ । ମୁଁ ନିଜେ ଯଦି ଜଣେ କାର୍ଟୁନିଷ୍ଟ ବା ବ୍ୟଙ୍ଗଚିତ୍ର-ଶିଳ୍ପୀ ହୋଇଥାନ୍ତି, ତା’ହେଲେ ନିଶ୍ଚୟ ସର୍ବପଲ୍ଲୀ ରାଧାକୃଷ୍ଣନ୍‍ଙ୍କ ଦ୍ୱାରା ସେହି ସନ୍ଧ୍ୟାର ଏକ ଚମତ୍କାର ରେଖାଚିତ୍ର ଆଙ୍କି ଦେଇ ଥାଆନ୍ତି ।

 

ଗୋପାଳପୁର ପାମ୍‍ବିଚ୍ ହୋଟେଲ୍‍ରେ “ମାଟିର ମଣିଷ”ର ତେଲୁଗୁ ଅନୁବାଦକ ଶ୍ରୀ ପୁରୀପଣ୍ଡା ଅପ୍‍ପଲସ୍ୱାମୀ ଡକ୍ଟର ରାଧାକୃଷ୍ଣନ୍‌ଙ୍କୁ ଖଣ୍ଡିଏ ତେଲଗୁ ଅନୁବାଦ ଲେଖକମାନଙ୍କ ବୈଠକରେ ଉପହାର ଦିଅନ୍ତି; ଆଉ ବୁଝାଇ ଦିଅନ୍ତି ତେଲୁଗୁ ଭାଷାରେ ଗଳ୍ପଟିର ସାର କଥା ସ୍ଵୟଂ ଡକ୍ଟର ରାଧାକୃଷ୍ଣନଙ୍କଦ୍ୱାରା ଅନୁରୁଦ୍ଧ ହୋଇ !
 

ବ୍ରହ୍ମପୁର ସମ୍ମିଳନୀର କେତେକମାସ ପରେ ୧୯୫୯ ଜାନୁଆରି ୧,୨,୩ ତାରିଖ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୁଏ ପି:ଇ:ଏନ ର ନିଖିଳ ଭାରତ ଲେଖକ ସମ୍ମିଳନୀ । ମୋହ ଦେଖନ୍ତରେ ଏହାହିଁ ଏକ ମାତ୍ର ଲେଖକ ସମ୍ମିଳନୀର ଅଧିବେଶନ ଓଡ଼ିଶାରେ ସର୍ବଭାରତୀୟ ସ୍ତରରେ ।

 

ନବ ବସନ୍ତର ଆଗମନୀ କବିବର ରାଧାନାଥଙ୍କ ଭାଷାରେ—

 

“ଅତି ମଧୁମୟ-             କାଳ ଶୀତଋତୁ

ଧରା ଛାଡ଼ି ଛାଡ଼ିନାହିଁ ।

ପଲ୍ଲବ ପାଟଳ             ମଧୁଋତୁ ଚାଟ

ଧରା ମାଡ଼ି ମାଡ଼ି ନାହିଁ ।”

 

ବସନ୍ତ ପଞ୍ଚମୀ ! ବାଗ୍‌ଦେବୀଙ୍କ ଆରାଧନା, ଆବାହନ!

 

ଭୁବନେଶ୍ଵରକୁ ପି:ଇ:ଏନ୍ ର ସଦସ୍ୟ ଓ ବନ୍ଧୁରୂପେ ଭାରତର ପ୍ରତ୍ୟେକ ଅଞ୍ଚଳରୁ ଲେଖକମାନେ ଆସି ଯେପରି ସମବେତ ହୁଅନ୍ତି, ସେଇପରି ଡକ୍ଟର ରାଧାକୃଷ୍ଣନ୍ ଓ ଜବାହରଲାଲ ମଧ୍ୟ । ମୋହ ଉପରେ ଦାୟିତ୍ୱ ଥାଏ ଧନ୍ୟବାଦ ଅର୍ପଣର; ଧନ୍ୟବାଦ ଜଣାଇ ମୁଁ ରାଧାକୃଷ୍ଣନ୍‍ଙ୍କ ଭାଷଣର ପ୍ରତ୍ୟେକ ବାକ୍ୟକୁ ସାହିତ୍ୟର ସ୍ଵରୁପ ଭାବରେ ଓ ଜବାହରଲାଲଙ୍କୁ ପୃଥିବୀ ପୃଷ୍ଠର ଜଣେ ଶ୍ରେଷ୍ଠ ଚିନ୍ତାନାୟକ ରୂପେ ବର୍ଣ୍ଣନା କରି ସ୍ୱର୍ଗତ ଶ୍ରଦ୍ଧେୟ ପରମାନନ୍ଦ ଆଚାର୍ଯ୍ୟ ପ୍ରମୁଖ ବନ୍ଧୁମାନଙ୍କର ପ୍ରଶଂସାଭାଜନ ହୁଏଁ; ଭୁବନେଶ୍ୱର ସମ୍ମିଳନୀର ସାର୍ଥକତା ପୁଣି ସମ୍ମାନିତ ଲେଖକମାନଙ୍କ ପ୍ରତି ଆତିଥେୟତା ପ୍ରଦର୍ଶନର ଉଲ୍ଲେଖ ଶୁଣେ ଏକାଧିକ ସାହିତ୍ୟିକ ବନ୍ଧୁଙ୍କ ମୁଖରୁ—ବିଭିନ୍ନ ପରିସ୍ଥିତିରେ ପୁଣି ସାହିତ୍ୟ ଅନୁଷ୍ଠାନମାନଙ୍କରେ ।

 

କିଛି କାଳ ପରେ ବମ୍ବେ ନଗରୀରେ ଅନୁଷ୍ଠିତ ରବୀନ୍ଦ୍ର–ଶତବାର୍ଷିକୀ-ଜୟନ୍ତୀ ଉତ୍ସବରେ ଏହି ଅଭିଜ୍ଞତା ଲାଭକରେଁ । ସେଠାରେ ମଧ୍ୟ ସମବେତ ସୁପରିଚିତ ବନ୍ଧୁମାନଙ୍କ ମୁଖରୁ ଓଡ଼ିଶାର ଆତିଥେୟତାକୁ ତୁଳନା କରି ଉଚ୍ଚତର ସ୍ଥାନ ଦେବାର ଶୁଣେ । ସେତେବେଳେ ମନ ମୋର ଗର୍ବରେ ସ୍ଫୀତ ହୋଇଉଠେ— ଭାରତର ଦରିଦ୍ରତମ ରାଜ୍ୟ ଓଡ଼ିଶାର ଆତିଥେୟତା ଯେ ସମୃଦ୍ଧିଶାଳୀ ବମ୍ବେନଗରୀର ଆତିଥେୟତାଠାରୁ ଅଧିକ ପ୍ରଶଂସନୀୟ ହୋଇପାରେ !

 

“କଟକଚିନ୍ତା ବାଇମୁଣ୍ଡିକି” କଥା ମନେ ପଡ଼େ ସେତେବେଳେ । ପୁଣି ଜଗନ୍ନାଥ ସେବକ ‘ବଡ଼େ ହରିହର’ ଗୁରୁଙ୍କ କଥା—ଋଣଗ୍ରହଣ କରିବାକୁ ସେ ଯାଇଛନ୍ତି ମହାଜନ ଦ୍ୱାରକୁ—ଗରିବ ବ୍ରାଣ୍ମଣ ଜଣେ ପୁଅଟିକୁ ତା’ର ବ୍ରତ କରିବା ପାଇଁ ଦାନପ୍ରାର୍ଥୀ । ମହାଜନ ଦାନ ଦିଅନ୍ତି ଚାରିପଇସା କିନ୍ତୁ ଖାତକ ହରିହର ଦିଅନ୍ତି, ଖୋଷଣି ଫିଟିଯିବ ବୋଲି ଅଣ୍ଟାରେ ଖୋଷିଥିବା ଗୋଟିଏ ସୁନା ଗିନି । ବିସ୍ମିତ ମହାଜନଙ୍କ ପ୍ରଶ୍ନର ଉତ୍ତର କରନ୍ତି—ଏହି ଭଳି ଦାନ କରିବାକୁ ହିଁ ଆସନ୍ତି ସେ କରଜ ନେବାପାଇଁ !

 

କଟକଠାରୁ କଲିକତା, ଦିଲ୍ଲୀ, ବମ୍ବେ, ମାଡ୍ରାସ୍, ଚତୁର୍ଦ୍ଦିଗ ବ୍ୟାପୀ ସାହିତ୍ୟ ସଭାର ଜୁଆର ଛୁଟେ । କେତେବେଳେ ଭାରତୀୟ କିମ୍ବା ବିଭିନ୍ନ ଆଞ୍ଚଳିକ ସମ୍ମିଳନୀ– ଆଉ କେତେବେଳେ ନିଖିଳ ଭାରତ ଆକାଶବାଣୀ ମାଧ୍ୟମରେ ଆୟୋଜିତ ସାହିତ୍ୟ ସମାରୋହ, ଆଲେଚନାଚକ୍ର କିମ୍ବା କବି ସମ୍ମିଳନୀ ।

 

ଓଡ଼ିଶାରେ ମଧ୍ୟ ସରକାରୀ ଉଦ୍ୟମରେ ସ୍ଥାପିତ ହୁଏ କେନ୍ଦ୍ର ଅନୁକ୍ରମରେ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଏକାଡେମୀ ସହିତ ଲଳିତ କଳା ଓ ସଙ୍ଗୀତ ନାଟକ ଏକାଡେମୀ ।

 

ମହାଭାରତୀୟ କଳା-ସାହିତ୍ୟ-ସଂସ୍କୃତିର ସହାୟକ ଓ ପରିପୂରକରୂପେ ରାଜ୍ୟସ୍ତରୀୟ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ ପରିଚାଳିତ ହୁଏ । ସେଥିସହିତ ମୁଁ ମଧ୍ୟ ଜଡ଼ିତ ହୋଇପଡେଁ; ମାତ୍ର ସବୁବେଳେ ମୋର ଧାରଣା ଜନ୍ମେ ଯେ, କଳାସାହିତ୍ୟର ସୃଷ୍ଟିରେ ଏକନିଷ୍ଠ ସାଧନା ପାଇଁ ଏହି ସବୁ ସାଙ୍ଗଠନିକ କାର୍ଯ୍ୟ ଅନେକ ସମୟରେ ପରିପୂରକ ହେବା ପରିବର୍ତ୍ତେ ବହୁ ବାଧା ସୃଷ୍ଟି କରିଥାଏ ମଧ୍ୟ । ପୁଣି ଯେଉଁମାନେ କଳାସାହିତ୍ୟ ସୃଷ୍ଟିରେ ବ୍ରତୀ, ଏଇ ସବୁ କାର୍ଯ୍ୟାଳୟରେ ତାଙ୍କ ପାଇଁ ସ୍ଥାନାଭାବ ।

 

କଳାସାହିତ୍ୟର ସାଧନା ସମ୍ପୂର୍ଣ୍ଣରୂପେ ଐକାନ୍ତିକ ଭାବନା, କଳ୍ପନା ଓ ଅଭିନିବେଶର ବିଷୟ ବୋଲି ମୁଁ ବାରମ୍ବାର ଅନୁଭବ କରିଛି । ସେ ଅନୁଭୂତି ହିଁ ମୋତେ ସବୁ କର୍ମକ୍ଷେତ୍ରରେ ଅପାରଗତାର ମାନପତ୍ର ପ୍ରଦାନ କରିଛି । ଆଉ ହୁଏତ ସକ୍ରିୟ ରାଜନୀତିରୁ ବା ଅନ୍ୟ କର୍ମକ୍ଷେତ୍ରରୁ ମଧ୍ୟ ଓଟାରି ଆଣିବ ସାଇ ଦେଇଛି ମୋତେ ଗୋଟିଏ ଉଇ ହୁଙ୍କାରେ ପରିଣତ କରି । ମୁଁ ମୋର ପିଲାଦିନରୁ ପୁରୀ ଜିଲ୍ଲା ସ୍କୁଲରେ ମାଟ୍ରିକ୍ୟୁଲେସନ ପଢ଼ିଲା ବେଳେ ସାହିତ୍ୟ ଓ ରାଜନୀତି ଦ୍ୱନ୍ଦ୍ୱଭିତରେ ପଡ଼ିଥିଲି । ଦୁଇଟି ଭିତରୁ କାହାକୁ ଧରିବି ଜୀବନବ୍ୟାପୀ ସମ୍ବଳ କରି—ରାଜନୀତି କିମ୍ବା ସାହିତ୍ୟ—ଆଜି ସୁଦ୍ଧା ସେ ଦ୍ୱନ୍ଦ୍ୱର ସମାଧାନ ହୋଇ ପାରିଲାନାହିଁ ତ ! କାରଣଟା ବୋଧେ ସୁସ୍ପଷ୍ଟ । ଦୁଇଟା ଭିତରେ ଯୋଗସୂତ୍ର ଯେତିକି, ଫରକ ସେତିକି କଦାପି ନୁହେଁ ।

 

ବମ୍ବେଠାରେ ଅନୁଷ୍ଠିତ ରବୀନ୍ଦ୍ର ଶତବାର୍ଷିକୀ ଜୟନ୍ତୀରେ ସଭାପତି ପଣ୍ଡିତ ଜବାହରଲାଲଙ୍କ ଭାଷଣରୁ ଶୁଣିଥିଲି—ଏକଦା ସେ ଗାନ୍ଧୀଙ୍କ ଅପେକ୍ଷା ରବୀନ୍ଦ୍ରଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ଅଧିକ; ପୁଣି ଗାନ୍ଧୀଙ୍କ ସୁଅରେ ଆପଣାକୁ ଭସାଇଦେଲେ ମଧ୍ୟ ମଝିରେ ମଝିରେ ଥଳ ଧରିବାକୁ ଲୋଡ଼ନ୍ତି ବୋଧହୁଏ ରବୀନ୍ଦ୍ରଙ୍କ ସାହାଯ୍ୟ ।

 

ସେଇଥିପାଇଁ ହୁଏ ତ ସେ ଦିନ । ବ୍ରହ୍ମପୁରଠାରେ ଅନୁଷ୍ଠିତ ପି.ଇ.ଏନ୍ ସାହିତ୍ୟ ସଭାରେ ରାଷ୍ଟ୍ରପତି ଡକ୍ଟର ରାଧକୃଷ୍ଣନ ଜବାହର ଲାଲଙ୍କ ସମ୍ପର୍କରେ ଏକ ସ୍ମରଣୀୟ ମନ୍ତବ୍ୟ ପ୍ରକାଶ କରନ୍ତି—ଖଣ୍ଡିଏ ବିଦେଶୀ ସାମୟିକ ପତ୍ରୀକାରେ ପ୍ରକାଶିତ ପଣ୍ଡିତ ଜବାହରଙ୍କ ଏକ ବ୍ୟଙ୍ଗଚିତ୍ର, ପୁଣି ଚିତ୍ର ତଳେ ଶିଳ୍ପୀଙ୍କ ମନ୍ତବ୍ୟ—“Here is a politician who thinks !”

 

ଜଣେ ଶ୍ରେଷ୍ଠ ଦେଶନାୟକ ରାଜନୀତିର ନେତୃତ୍ୱ ଗ୍ରହଣ କରି ସୁଦ୍ଧା ସେ ଚିନ୍ତାକରନ୍ତି— ବ୍ୟଙ୍ଗଶିଳ୍ପୀ ଦୃଷ୍ଟିରେ ଏହା ଯେମ‌୍‌ତି ପୃଥିବୀର ଅଷ୍ଟମାଶ୍ଚର୍ଯ୍ୟ ରାଷ୍ଟ୍ରୀୟ ଦାୟିତ୍ୱ ଗ୍ରହଣ କରିଥିବା ନାରୀ ଓ ପୁରୁଷମାନେ ଆଦିମ ଯୁଗରୁ ଆଜିଯାକେ ଲେଖକଶିଳ୍ପୀଙ୍କୁ ତ୍ୟାଗର ମହାନ କର୍ମପ୍ରେରଣାରେ ଆଦର୍ଶ ଯୋଗାଇ ଲେଖାଇଛନ୍ତି ଆତ୍ମୋତ୍ସର୍ଗର କେତେ ଯେ ସାହିତ୍ୟ ! ସାବିତ୍ରୀ ସତ୍ୟବାନ, ସୀତାରାମ, ରାଧାକୃଷ୍ଣ, ଗାନ୍ଧାରୀ, ଧୃତରାଷ୍ଟ୍ର, ଅର୍ଜୁନ, ଦୁର୍ଯ୍ୟୋଧନ ପ୍ରମୁଖ କେତେ ଯେ ଅମର ହୋଇଛନ୍ତି, ବାଲ୍ମୀକି, ବ୍ୟାସ, ବଶିଷ୍ଠ ଆଦି କବିଋଷିମାନଙ୍କ ଲେଖନୀରେ ! ମଧ୍ୟଯୁଗରେ ସେହିପରି କାଳିଦାସ ଲେଖନୀ ଚାଳିତ ହୁଏ ବିକ୍ରମାଦିତ୍ୟ ଆଦର୍ଶରେ ଅଥବା ସେକ୍‍ସପିଅର ଲେଖନୀ ଅମର ହୁଏ ରାଣୀ ଏଲିଜାବେଥ୍‍ଙ୍କ ସୁଶାସନ ଯୁଗରେ । ବର୍ତ୍ତମାନ ଯୁଗରେ ମଧ୍ୟ ସେଇପରି ମହାତ୍ମାଗାନ୍ଧୀ ଓ ରବୀନ୍ଦ୍ର ନାଥ ବା ଲେନିନ୍‍ଙ୍କ ସହିତ ଗର୍କିଙ୍କର ସାହିତ୍ୟସୃଷ୍ଟିର ସମ୍ପର୍କ ନିବିଡ଼ ଭାବରେ ଜଡ଼ିତ ।

 

ରାଜନୀତିଜ୍ଞ ପକ୍ଷରେ ଭାବୁକ ଲେଖକ ହେବା ଯେ ବିଡ଼ମ୍ବନା ଅବା ବିରଳ ଉଦାହରଣ, ଏହିକଥାଟି ନେହେରୁଙ୍କର ବ୍ୟଙ୍ଗ ଚିତ୍ରକାର ଫୁଟାଇଥିବା ଉଲ୍ଲେଖ କରନ୍ତି ଡକ୍ତର ରାଧାକୃଷ୍ଣନ୍ । ଭାବୁକ ଲେଖକର ପରିସର ଓ ଉପାଦାନ ରାଜନୀତିର ଉପାଦାନ ଓ ପରିସରଠାରୁ ସ୍ୱତନ୍ତ୍ର—କଣକର କୋମଳ ତରଳ ମସୀ, ଅନ୍ୟର କଠୋର ନିର୍ମମ ଅସି ।

 

ସାହିତ୍ୟ ସହିତ ରାଜନୀତି

 

ସାହିତ୍ୟକୁ ଜୀବନର ବ୍ରତରୂପେ ଗ୍ରହଣ କରିବା ପୂର୍ବରୁ ହିଁ ତାହା ମୋତେ ସଂପୂର୍ଣ୍ଣ ଗ୍ରାସ କରିସାରି ଥାଏ । ସ୍ରଷ୍ଟା ଅପେକ୍ଷା ସୃଷ୍ଟି ଯେ ବଡ଼, ଆଉ ଦୁନିଆରେ ଆଦର୍ଶ ଓ ପ୍ରେରଣା ଯୋଗାଇବାକୁ ତାହାର ଶକ୍ତି ଯେ ଅପରିମେୟ, ଏଇ କଥାଟା ମୋର କେବେହେଲେ ସ୍ମରଣ ହୁଏ ନାହିଁ ।

 

ସୀତାରାମଙ୍କ ଚରିତ୍ର ଯେ ବାଲ୍ମୀକି ମହର୍ଷିଙ୍କ ଜୀବନୀ ଅପେକ୍ଷା ଯୁଗ ଯୁଗ ବ୍ୟାପୀ ବେଶି ଲୋକଙ୍କୁ ପ୍ରେରଣା ଦିଏ, ରାଧାକୃଷ୍ଣ ଯେ ବ୍ୟାସଦେବଙ୍କ ଅପେକ୍ଷା ବେଶି ପୂଜାପାଆନ୍ତି, ଆହୁରି ଏହି ସତ୍ୟଟା ବୁଝିବା ପାଇଁ ବାକି ରହିଗଲା ମୋର ଅଙ୍ଗେ ନିଭାଇବା ଅସଂଖ୍ୟ ଘଟଣା ଭିତରେ ।

 

ପିଲାଦିନେ ଗାଁରେ ଶୁଣିଥିଲି ଯେଉଁମାନେ ଭିକ ମାଗି ଯାଆନ୍ତି ମେଦିନୀପୁର, ତାଙ୍କରି ମୁହଁରୁ । ମେଦିନୀପୁରରେ ଗୋଟାଏ ଗାଳି ଅଛି କୁଆଡ଼େ—ତୋ ଘରେ “ମାମଲା’’ ପଶୁ । ଅର୍ଥାତ୍ ମାଲିମକଦ୍ଦମା ଲାଗିଲେ ଘର ଉଚ୍ଛନ୍ନ ହୁଏ, ମା’ ମଲେ ଯେମ‌ିତି । ପୀଠାପୁରରେ ମୁଣ୍ଡ ଗୁଞ୍ଜିବାକୁ ଚାରିଆଡ଼ୁ ତଡ଼ାଖାଇ ଆସି ଦେଖେଁ ଆପଣାକୁ ମହର୍ଗରୁ ଯାଇ କାନ୍ତାରରେ ପଡ଼ିଲା ଭଳି । ଘର ଖାନ୍‌ତଲାସ ସଙ୍ଗେ ସଙ୍ଗେ ବଡ଼ଝିଅ ଆରେଷ୍ଟ ହୋଇ କେତେବେଳେ ଜେଲ୍‌ରେ ତ କେତେବେଳେ ରାସ୍ତା ଉପରେ ପୁଲିସ ପ୍ରହାର ସମ୍ମୁଖୀନ ।

 

ତା’ ପଛକୁ ପୁଣି ଭଗିନୀ-ଭକ୍ତ ପିତ୍ର ମଧ୍ୟ ରାମନୀତି କରି ବାହରନ୍ତି । ସଂକ୍ରାମକ ରୋଗ ଭଳି ରାଜନୀତିଟା ଯେମିତି ଜଣକ ପରେ ଜଣେ—ଘରେ କାହାରିକୁ ବାଦ ଦେଉନାହିଁ । ସେତେବେଳେ କଂଗ୍ରେସ ରାଜୁତି ଭିତରେ ଜେଲ ସାର୍ଟିଫିକେଟ ପାଇବାକୁ ମଉକା ମିଳେ ରାଜ୍ୟ ପୁନର୍ଗଠନ କମିଶନ (States Reorganisation Committee ) ଓଡ଼ିଶା ଜ୍ୟରେ ଷଢ଼େଇକଳା, ଖରସୁଆଁ ରାଜାମାନେ ନିଜ ଇଚ୍ଛାରେ ବିହାର ସଙ୍ଗେ ସାମିଲ ହେବାକୁ ମତ ଦେଇଥିଲେ ହେଁ ଷଢ଼େଇକଳାରୁ ପାଟନା ରାଜ୍ୟକୁ ପୋଷ୍ୟପୁତ୍ର ହୋଇଯାଇଥିବା ମହାରାଜା ଶ୍ରୀ ରାଜେନ୍ଦ୍ରନାରାୟଣ ସିଂହଦେଓ ଏହି ଅବସରରେ ନେତୃତ୍ୱ ଗ୍ରହଣ କରନ୍ତି । ସହଯୋଗ ସମର୍ଥନ ଲାଭକରନ୍ତି ସେ କଂଗ୍ରେସ ଭିତରେ ମିଶି ନଥିବା ପ୍ରଖ୍ୟାତ ସାହିତ୍ୟିକ କବି ସ୍ଵର୍ଗତ ଗୋଦାବରୀଶ ମିଶ୍ରଙ୍କର ।

 

ଯେଉଁ ଯୁବକମାନେ ପୂର୍ବରୁ ଜେଲ୍ ଯିବା ସୁଯୋଗ ପାଇନଥଲେ, ତାଙ୍କ ଭିତରେ ମଧ୍ୟ ସୃଷ୍ଟି ହୁଏ ଉତ୍ତେଜନା । ସେ ଉତ୍ତେଜନାର ଶିକାରହୁଏ କୁନିର ତଳଭାଇ ଶିଶିର । ଶିଶିର ସମେତ ତା’ର କେତେକ ସାହାଧ୍ୟାୟୀ ବନ୍ଧୁ ମଧ୍ୟ ସେହି ମଉକାରେ କରନ୍ତି ଜେଲ୍ ବରଣ ।

 

ସେତେବେଳେ କଟକ ରେଡ଼ିଓ ଷ୍ଟେସନ ସାମ୍ନାରେ ପୁଣି ଉତ୍ୟକ୍ତ ଜନତା ଉପରେ ଗୁଳି ଚାଲେ । କଟକରେ ଯୁବକ ସୁନୀଲ ଟଳିପଡ଼େ ସରକାରୀ ଗୁଳିଫୟେର୍‍ରେ । ପୁଣି ପୁରୀରେ ବେଙ୍ଗପାଣିଆର ହତ୍ୟା—ଏ ଆନ୍ଦୋଳନକୁ ଉତ୍ତେଜନା ଯୋଗାଏ । ରାଜ୍ୟ ପୁନର୍ଗଠନ କମିଶନ ରାୟ ବିରୁଦ୍ଧରେ ଏଇ ଆନ୍ଦୋଳନରେ ଯୋଗଦାନ କରନ୍ତି ପ୍ରଜାସମାଜବାଦୀ ଦଳର ନେତା ସ୍ୱର୍ଗତ ସାରଙ୍ଗଧର ଦାସ କମ୍ୟୁନିଷ୍ଟ ଶ୍ରୀ ଗୁରୁଚରଣ ପଟ୍ଟନାୟକ, ଶ୍ରୀ ମନମୋହନ ମିଶ୍ର, ଶ୍ରୀ ରାମଚନ୍ଦ୍ର ରାମ, ଶ୍ରୀପ୍ରବୀର ପାଲିତ, ଶ୍ରୀ ମନୋଜ ଦାସ, ଗଣତନ୍ତ୍ରଦଳର ସର୍ବଶ୍ରୀ ମଧୁସୂଦନ ମହାନ୍ତି, ହରିହର ପଟେଲ, ସୁନ୍ଦରମଣି ପଟେଲ ଓ ସୁରେନ୍ଦ୍ର ମହାନ୍ତି ସମେତ ମେଡ଼ିକାଲ ଓ ଅନ୍ୟାନ୍ୟ କଲେଜର ଛାତ୍ର ଗୋଷ୍ଠୀ ।

 

ରାଜ୍ୟଗଠନରେ ରାଜନୀତିର ପ୍ରୟୋଗ ସହିତ ସେତେବେଳେ ରାଜନୀତି ଭିତରକୁ ଆସିବା ବାଟ ଫିଟିଯାଇଥାଏ ଯୁବକମାନଙ୍କ ପକ୍ଷରେ । ପୁଣି ଓଡ଼ିଶା ରାଜ୍ୟର ପୁନର୍ଗଠନକୁ ଲକ୍ଷ୍ୟ ରଖି ସ୍ଵତନ୍ତ୍ର, କମ୍ୟୁନିଷ୍ଟ, ସୋସାଲିଷ୍ଟ ଯେ ଏକଜୁଟ୍ ହୋଇଯାନ୍ତି, ତାହା ପ୍ରମାଣ କରେ ସେଇ ପୁରୁଣା ଇଂରାଜୀ ଉକ୍ତିଟିକି—Politics makes strange bed-tellows—ରାଜନୀତିର ବାହାଦୂରୀ ବୋଧହୁଏ ତାହା ସବୁ ପ୍ରକାର ବିଭେଦ ଭିତରେ—ସରକାରୀ ଦଳ ବୋଧ ହୁଏ ଦଳ ଭାବରେ ବୈରତା ସୃଷ୍ଟି କରିବାର ଯେମ‌୍‌ତି ପ୍ରଧାନ କାରଣ ହୁଏ, ସେ ଅଦ୍ଭୁତ ଭାବରେ ପରସ୍ପର ବିରୋଧୀ ମତବାଦୀମାନଙ୍କୁ ଏକାଠି କରି ପକାଏ—କଚେରି ମାମଲାରେ ସପକ୍ଷ ବିପକ୍ଷରେ ଲଢ଼ୁଥିବା ଓକିଲଙ୍କ ଭଳି ।

 

ଶିଶିର ରାଜନୀତିରେ ପଶିବା ପରେ ବୋଧହୁଏ ତାହା ମୋର ଘର ଭିତରେ ଆହୁରି ସଂକ୍ରାମକ ରୂପ ଧରେ ତୁଷାର ପର୍ଯ୍ୟନ୍ତ । କୌଣସି ଦିନ ମୋତେ କିଛି ନ ଜଣାଇ ମଧ୍ୟ ସେ ଯୋଗ ଦିଏ କଂଗ୍ରେସ ସେଚ୍ଛାସେବକ ଦଳଭିତରେ । ବ୍ରହ୍ମପୁରଠାରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ସ୍ୱେଚ୍ଛାସେବକ ସଙ୍ଗଠନରେ ପ୍ରକଟିତ ହୁଏ ତା’ର ସ୍ୱରୁପ । ସେତେବେଳେ ରାଜନୀତିର ଝୁଙ୍କ ଖାଲି ତ ମୋରି ଘର ଭିତରେ ନୁହେଁ, ବ୍ୟାପିଯାଇଥାଏ ଦେଶତମାମ୍ ଏ ମୁଣ୍ଡରୁ ସେମୁଣ୍ଡଯାକେ ।

 

ମୁଁ ହିଁ କେବଳ ଅଲଗା ରହିଯାଏଁ ସକ୍ରିୟ ରାଜନୀତି କ୍ଷେତ୍ରରୁ । ତାହାର କାରଣ ସୁସ୍ପଷ୍ଟ । ଜଣେ ଲେଖକ ଭାବରେ ସକ୍ରିୟ ରାଜନୀତିରେ ଯୋଗ ଦେବାକୁ ମୋର ସମୟାଭାବ ! ପୁଣି ମୋହ ପକ୍ଷରେ ଦୁର୍ବୋଧ୍ୟ ହୋଇ ଉଠେ କମ୍ୟୁନିଷ୍ଟ ଦଳ ଭଳି ଏକ ବୈପ୍ଳବିକ ସଂସ୍ଥାର ଗଣତନ୍ତ୍ର ପଦ୍ଧତିକୁ ଗ୍ରହଣ କରିବା ପଦକ୍ଷେପ । ସେଥିସଙ୍ଗେ କଂଗ୍ରେସ ରାଜନୀତିକୁ ବୁଝିବା ମଧ୍ୟ ଦିନକୁ ଦିନ କଷ୍ଟକର ହୋଇପଡ଼େ—ବିଶେଷ ଭାବେ ତା’ର ଦଳୀୟ କ୍ଷମତା ହାସଲ ଦିଗକୁ ।

 

ନିରସ୍ତ୍ର ଭାରତୀୟ ସାମାଜିକ ଓ ରାଜନୈତିକ ଜଳବାୟୁ ଯେ ରକ୍ତାକ୍ତ ବିପ୍ଳବ ଲାଗି ଆଦୌ ଅନୁକୂଳ ନୁହେଁ, ତାହାର ପ୍ରମାଣ ପାଇବା କଷ୍ଟକର ହୁଏ ନାହିଁ ମୋହ ପକ୍ଷରେ । ରାଜନୀତିରେ ଯୋଗଦେବା କିମ୍ବା ତାହାର ଆନୁଷଙ୍ଗିକ ପରିଣାମ ଜେଲ ଯିବାକୁ ଯେମ‌୍‌ତି ମୋର ସାନ ଭାଇ ଭାଗୁଠାରୁ ଆରମ୍ଭ କରି ଝିଅ ନନ୍ଦିନୀ ପର୍ଯ୍ୟନ୍ତ ସମସ୍ତେ ମୋତେ ବାଟ ଓ ଗାଳି ବସନ୍ତି । ତହୁଁ ମୋର କୋଳି ଗଛ କିଏ ଜଗିବ” କଥା ଭଳି ଶେଷ ଦଶା ହେଲା ସବାଶେଷରେ । ପୁଣି ବାହା ନ ହେଲେ ବି ବରଯାତ୍ରୀ ହେବାକୁ ପଡ଼ିଲା—ସେମାନଙ୍କୁ ଯାଇ ଜେଲ୍‌ରେ ଭେଟିବା କିମ୍ବା ଜେଲ୍‌ରେ ମୁକୁଳାଇବା ଉଦ୍ୟମରେ ଧାଁଧପଡ଼ କରି।

 

ରେଡ଼ିଓ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଙ୍କ ସାକ୍ଷାତ୍‍କାର

 

କଟକ ଆକାଶବାଣୀରେ ସହ୍ଲାକାର (Producer) ରୂପେ କାର୍ଯ୍ୟରେ ନିଯୁକ୍ତ ହୁଏଁ ଭାରତ ସରକାରଙ୍କର ଏକ ଚୁକ୍ତିପତ୍ରରେ ସ୍ଵାକ୍ଷର କରି ୧୯୫୬ ମସିହା ଜୁଲାଇ ୨ ତାରିଖରେ । ଝିଣ୍ଟିକା ଭଳି ଗୋଟାଏ ଥାନରୁ ଡେଇଁ ଅନ୍ୟଠି ଦଣ୍ଡେ ଥକା ମାରି ପୁଣି ଥୋଡ଼ାଏ ଡେଇଁବା । ଚୁକ୍ତିପତ୍ରରେ ମୋର କାର୍ଯ୍ୟକାଳ ସ୍ଥିର କରାଯାଇଥାଏ ତିନି ବର୍ଷ ପାଇଁ । ଅଥଚ ପ୍ରତି ତିନି ବର୍ଷରେ ଛାଏଁ ପୁଣି ମୋର ବିନା ଚେଷ୍ଟାରେ ଆହୁରି ତିନି ବର୍ଷ ପାଇଁ ଚୁକ୍ତିପତ୍ରରେ ସ୍ଵାକ୍ଷର କରିବାକୁ ହୁଏ ମୋତେ । ଅତଏବ ଧରିନିଏଁ ଏଣିକି ନିଶ୍ଚିନ୍ତରେ ମାରିବି ଶେଷନିଃଶ୍ୱାସ ! ମୋର ୫୬ ବର୍ଷ ବୟସରେ ଅର୍ଥାତ୍ ସରକାରୀ ଚାକିରୀରୁ ବିଦାୟ ଘେନି ପେନ୍‍ସନ୍ ପାଇବାର ଠିକଣା ସମୟରେ ହିଁ ଆକାଶବାଣୀ ପକ୍ଷରୁ ଏଇ ନୂଆ ନିଯୁକ୍ତି ପ୍ରଥମେ ପାଏଁ । ଦଶ ବର୍ଷ କାର୍ଯ୍ୟକଲା ପରେ କିନ୍ତୁ ଶୁଣାହୁଏ ସରକାରି କାର୍ଯ୍ୟପାଇଁ ଏଣିକି ମୋର ବୟସର ସୀମା ଅତିକ୍ରମ ହୋଇ ସାରିଛି, ଅତଏବ ମୋତେ ନିଶ୍ଚୟ ବିଦାୟ ଘେନିବାକୁ ହେବ !

 

ଅଥଚ ପ୍ରାୟ ପେନ୍‍ସନ୍ ପାଇବା ବୟସରେ ହିଁ ମୋର ପ୍ରଥମ ନିଯୁକ୍ତି ରେଡ଼ିଓରେ । ମୋହ ସହିତ ବଙ୍ଗ, ବିହାର, ମାନ୍ଦ୍ରାଜ, ଆନ୍ଧ୍ର, ମହୀଶୂର, ଗୁଜରାଟ ପ୍ରଭୃତି ରାଜ୍ୟର ପ୍ରବୀଣ ବୟସ୍କ ଲେଖକମାନଙ୍କର ମଧ୍ୟ ପ୍ରାୟ ଏକ ସମୟରେ ଆକାଶବାଣୀ ପରାମର୍ଶ ଦାତା ରୂପେ ନିଯୁକ୍ତି ମିଳିଥାଏ । ପୁଣି ପ୍ରାୟ ସବୁ ଭାଷାଭାଷୀ ନବ ନିଯୁକ୍ତ ପୁରୁଖା ସାହିତ୍ୟିକମାନେ ସରକାରୀ ନିର୍ଦ୍ଧାରିତ ବୟସର ସୀମା ଅତିକ୍ରମ କରି ସାରିଥାନ୍ତି । ଗୋବରା ଚଢ଼େଇକୁ ପାଚିଲା କଦଳୀ ଦେଖାଇ ଶେଷରେ ଏମ‌୍‌ତି ପକଡ଼ିସାରି ପୁଣି ଅଚାନକ ବିଦା କରିଦେବାଟା କାହାରିକି ସୁଖ ଲାଗୁ ନଥାଏ । ଓଡ଼ିଆରେ ଗୋଟାଏ ସାଧାରଣ ପରିହାସ ଅଛି—ଆହେ ଭାଇ କେଉଟ । ଯେଉଁ ବାଟେ ଆସିଥିଲ ସେଇ ବାଟେ ଲେଉଟ !

 

ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସେତେବେଳେ ଆକାଶବାଣୀର ମନ୍ତ୍ରୀ । ତାଙ୍କୁ ଚିଠି ଲେଖି ଜଣାଏଁ ମୋର ନିଯୁକ୍ତି ଓ କାର୍ଯ୍ୟକାଳ ସମାପ୍ତି ବିଷୟରେ । ସେଥିସଙ୍ଗେ ମୋର ନିଯୁକ୍ତି ସମୟରୁ ହିଁ ମୁଁ ଯେ ସରକାରୀ ନିୟମ ଅନୁସାରେ ବୟସର ସୀମା ଅତିକ୍ରମ କରିଥିଲି, ତାହା ମଧ୍ୟ ସୂଚାଇ-ଥାଏଁ-। ‘ଆକାଶବାଣୀରେ ମନ୍ତ୍ରୀରୂପେ ଲେଖକ କଳାକାରମାନଙ୍କ କାର୍ଯ୍ୟ- କାଳର ସୀମା ଓ ଆର୍ଥିକ ଅବ୍ୟବସ୍ଥା ପ୍ରତି ତାଙ୍କର ସ୍ନେହ ସହାନୁଭୂତି ସେତେବେଳେ ଚାରିଆଡ଼େ ପ୍ରଚାରିତ ହୋଇଥାଏ; ଅଥଚ ମୋ ପତ୍ରର କୌଣସି ଉତ୍ତର ନ ପାଇ ହତାଶ ହୋଇ ପଡ଼େ ମୁଁ । ମନେ ପଡ଼େ ସେଇ “ଧର୍ମ କ’ଣ ନାଇଁ ?” କାହାଣିଟି ନଈ ସୁଅରେ ଭାସିଯାଉଥିବା ବାଘକୁ ରକ୍ଷାକରେ ଡଙ୍ଗାଉପରକୁ ଉଠେଇ ଆଣି ବିଚରା ନାଉରୀ । ତହୁଁ ବାଘ ଅନେକ ଦିନୁ ଉପାସ ଭୋକରେ ପଡ଼ିଥିବାରୁ ନାଉରୀକୁ ଆହାର କରିବାକୁ ବାହାରେ ।

 

ନାଉରୀ କହେ ବାଘକୁ—“ହଇରେ, ମୁଁ ତୋତେ ମରଣ ମୁହଁରୁ ରକ୍ଷାକଲି, ତୁଇ ମୋତେ ଖାଇବାକୁ ବସିଛୁ ? ଧର୍ମ କ’ଣ ନାଇଁ ?” ବାଘର ଜବାବ୍—“ମୋ ଧର୍ମ ତ ମଣିଷକୁ ଖାଇବା” । ତହୁଁ ପ୍ରମାଣ ଖୋଜନ୍ତି ଦୁହେଁ ରାଜିହୋଇ । ହଡ଼ା ବଳଦ, ପତର ଗୋଟେଇ ବୁଢ଼ୀ ଆଦି ଯାହାକୁ ଭେଟନ୍ତି, ସମସ୍ତେ କହନ୍ତି ଯେଝା ଦୁର୍ଦ୍ଦଶା—କାମ କରିବାକୁ ଅକ୍ଷମ ହେଲେ କିଏ ବା କାହାକୁ ପଚାରେ । ଶେଷରେ ବିଲୁଆ ତା’ର ଚତୁରତା ବଳରେ ରକ୍ଷାକରେ ବିଚରା ନାଉରୀ ପ୍ରାଣ ।

 

ପତ୍ରରେ ମୋର ଜଣାଇଥାଏଁ ଯେ, କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ ବୈଠକରେ ଯୋଗଦେବାକୁ ମୁଁ ଦିଲ୍ଲୀକୁ ଯାଉଛି । ସେହି ସମୟ ମଧ୍ୟରେ ତାଙ୍କର ସାକ୍ଷାତ୍‍କାର ଲାଭ କଲେ ଉପକୃତ ହେବି । ରେଡ଼ିଓ ମନ୍ତ୍ରୀଙ୍କଠାରୁ କୌଣସି ଉତ୍ତର ନପାଇ ସାକ୍ଷାତ୍କାର ଆଶା ଛାଡ଼ି ଦେଇଥାଏ । କିନ୍ତୁ ସେଥର ଦିଲ୍ଲୀ ରବୀନ୍ଦ୍ର ଭବନରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀ ବୈଠକରେ ତାଙ୍କୁ ଅକସ୍ମାତ୍ ଉପସ୍ଥିତ ହୋଇଥିବା ଦେଖି ବିସ୍ମିତ ହୁଏ । ସେତେବେଳେ ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତକଳା ଏକାଡେମୀ ଆଦି ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକର ମଧ୍ୟ ଶ୍ରୀମତୀ ଇନ୍ଦିରା ମନ୍ତ୍ରୀ ଥିଲେ ହେଁ ବୈଠକ ସବୁରେ ଯୋଗ ଦିଅନ୍ତି କ୍ଵଚିତ୍ । ଅବଶ୍ୟ ତାଙ୍କର ସ୍ଵର୍ଗୀୟ ପିତା ଜବାହରଲାଲ୍‌ଙ୍କ ଦର୍ଶନ ପ୍ରାୟ ସବୁ ସାଂସ୍କୃତିକ ସଭାରେ ମିଳିଥାଏ ।

 

ରବୀନ୍ଦ୍ରଭବନରେ ଶ୍ରୀମତୀ ଗାନ୍ଧୀଙ୍କୁ ଦେଖି ସେ ଦିନ ମନରେ ମୋର ଆଶାର ସଞ୍ଚାର ହୁଏ । ସଭାଭଙ୍ଗ ପରେ ଶ୍ରୀମତୀ ଗାନ୍ଧୀଙ୍କ ସହିତ ଆସାମର ଲେଖକ ଓ ରାଜନୀତିଜ୍ଞ ଶ୍ରୀ ହେମଚନ୍ଦ୍ର ବରୁଆ କିଛି ସମୟ ବସି କଥାବାର୍ତ୍ତା କଲେ । ତହୁଁ ଦ୍ୱାରଦେଶରେ ମୁଁ ଅପେକ୍ଷା କରି ରହିଲି ।

 

ଶ୍ରୀମତୀ ଗାନ୍ଧୀ ପଦାକୁ ବାହାରିବା ସମୟରେ ମୁଁ ଓଡ଼ିଶାରୁ ଆସିଛି କହି ଟିକିଏ ସ୍ମରଣ କରାଇଦିଏଁ ତାଙ୍କ ପାଖକୁ ଲେଖିଥିବା ମୋର ପତ୍ର ବିଷୟରେ । ତହୁଁ ସେ କେବଳ ସଙ୍କେତ କରନ୍ତି ମୋତେ ତାଙ୍କ ଗାଡ଼ି ଭିତରେ ବସିବା ପାଇଁ । ଆଶା କରିଥିଲି, ସେହି ସାହିତ୍ୟ ଏକାଡେମୀ ଗୃହରେ ଦୁଇ ମିନିଟିରେ ମୋ କଥାଟା ଶେଷ କରିଦେବାକୁ । ଟିକିଏ ଇତଃସ୍ତତ ହେଲି ଗାଡ଼ି ଭିତରକୁ ତାଙ୍କର ପଶିବା ପାଇଁ । ମାତ୍ର ସାହିତ୍ୟ ଏକାଡେମୀର ସେକ୍ରେଟାରୀ କବି ରବୀନ୍ଦ୍ର ନାଥଙ୍କ ନାତୁଣୀ ଜ୍ୱାଇଁ ଶ୍ରଦ୍ଧେୟ ବନ୍ଧୁ ଶ୍ରୀ କୃଷ୍ଣ କୃପାଳିନୀ ମୋତେ ଇନ୍ଦିରାଙ୍କ ନିର୍ଦ୍ଦେଶ ମାନି ଗାଡ଼ିରେ ବସିବାକୁ ଇଙ୍ଗିତ କରନ୍ତି । ଏଭଳି ଅପ୍ରତ୍ୟାଶିତ ଆହ୍ୱାନରେ ସେଇ ପ୍ରକାଣ୍ଡ ଧଳାଗାଡ଼ି ଭିତରେ ଦେହକୁ ଭର୍ତ୍ତି କରେଁ ସନ୍ତର୍ପଣରେ । ଗାଡ଼ିରେ ବସି ଯାତ୍ରା କଲାବେଳେ ସ୍ମରଣ କରାଇଦିଏଁ ମୋର ପତ୍ରବିଷୟ । ପତ୍ରଖଣ୍ଡି ମୋର ପାଇଛନ୍ତି ବୋଲି କାହିଁ ତ ସେ କିଛି କହିଲେ ନାହିଁ ! ପଞ୍ଜୁରୀ ଭିତରେ ନୂଆ ଚଢ଼େଇଟା ଧରା ହୋଇ ପଡ଼ିଲା ଭଳି ମନ ମୋ’ର ଖାଲି ସେ ଗାଡ଼ିଟା ଭିତରେ ଛଟ ପଟ ହେଉଥାଏ ।

 

ମୋର ନିବେଦନ ଉପରେ ସେ କି ନିର୍ଦ୍ଦେଶ ଦେବେ, ତାହାର କୌଣସି ସୂଚନା ସୁଦ୍ଧା ମିଳିଲା ନାହିଁ ମୋତେ । ରେଡ଼ିଓ ମନ୍ତ୍ରୀ ପୁଣି ଜବାହର ଲାଲ୍‍ଙ୍କ କନ୍ୟା ଇନ୍ଦିରାଙ୍କୁ ଆଉ କି କଥା କହିବି ! ପଇଟିଲାନି କିଛି । ତହୁଁ ମୂକବଧିର ବିଦ୍ୟାଳୟର ଜଣେ ଦୋରସ୍ତ ଛାତ୍ର ରୂପେ ବସିରହବାକୁ ମନ ଖାଲି ଛଟପଟ ହେଉଥାଏ । ଶେଷରେ ତାହା ଅସହ୍ୟ ହୋଇ ପଡ଼େ । କାହିଁକି କେଜାଣି ମୁହଁରୁ ମୋର ନୀରବତା ଭାଙ୍ଗି ପ୍ରଶ୍ନ ଗୋଟେ ବାହାରି ପଡ଼ିଲା What about Orissa politics ?

 

“ଓଡ଼ିଶାର ରାଜନୀତି କ’ଣ ହେବ ?” ମୋ ପ୍ରଶ୍ନଟା ନିଶ୍ଚୟ ରେଡ଼ିଓ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଙ୍କ ପକ୍ଷରେ ଏକାବେଳେ ଅପ୍ରତ୍ୟାଶିତ ଓ କୌତୂହଳ ଉଦ୍ଦୀପକ ଥିଲା କାରଣ ସେଇ ଭଳି ସହଜ ଦୃଷ୍ଟିରେ ମୋ ଆଡ଼କୁ ସେ ଚାହାନ୍ତି ମୃଦୁହସି । ତାଙ୍କୁ ଚାହିଁ ମନେ ହେଲା, ମୋର ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ଦେଲା ଭଳି । “ମୋ ଦାନା ପାଣି କାହାଘରେ— ମୁଁ ଯାଇଥିଲି ବାହାଘରେ !”

 

ସଙ୍ଗେ ସଙ୍ଗେ ଇନ୍ଦିରାଙ୍କ ଉତ୍ତର ଆସେ “What do you think about it ?—ତୁମେ କ’ଣ ଭାବୁଛ ସେ ବିଷୟରେ ?” ମୋହ ପ୍ରଶ୍ନର ଏଭଳି ପାଲଟା ଜବାବ ମିଳିବ ବୋଲି ଆଦୌ ତ ମୁଁ ପ୍ରସ୍ତୁତ ନ ଥିଲି ! ଅପ୍ରସ୍ତୁତ ହୋଇ ଜବାବ୍ କିଛି ହେଲେ ପଇଟିଲା ନାହିଁ ମୋତେ । ଟିକିଏ ଇତସ୍ତତଃ ହେଲି—ଚଢ଼ାକୁ ତ ଉତ୍ତର ଅଛି—ପ୍ରଶ୍ନକୁ ଜବାବ । କିନ୍ତୁ ଜବାବଟା ପଇଟିଲେ ସିନା ! ଅପ୍ରତିଭ ହୋଇ ମୁହଁରୁ ମୋର ବାହାରି ଆସେ— ମୁଁ ତାହା କହିବି କେମ୍‍ତି ? କ’ଣ ଜାଣେ ମୁଁ ?

 

ପ୍ରଶ୍ନ କରିଥିଲି ସିନା କେବଳ ଗାଡ଼ି ଭିତରେ ବସି ଅସହ୍ୟ ନୀରବତାଟାକୁ ଭାଙ୍ଗିବା ପାଇଁ-! ଏହି ଦୟନୀୟ ଅବସ୍ଥାକୁ ମୋର ତୁଟାଇବାକୁ ଅବା ହୃଦୟରେ ପୁଣି ଦୟା ବସିଲା ଶ୍ରୀମତୀ ଇନ୍ଦିରାଙ୍କର ।

 

ମୁହଁକୁ ମୋର କୌତୁହଳ ଦୃଷ୍ଟିରେ କିଛି କ୍ଷଣ ସେ ନିରୀକ୍ଷଣ କରନ୍ତି । ତା’ ପରେ ସେମ‌୍‌ତି ସରଳ ଇଂରାଜୀ ଭାଷାରେ ପଚାରନ୍ତି ସହାସ୍ୟରେ, “Where do you stay in Delhi ? —ଦିଲ୍ଲୀରେ ଆପଣ କେଉଁଠି ରହନ୍ତି ?”

 

“I stay with my daughter—ମୋ ଝିଅ ଘରେ ରହୁଛି । ପୁଣି ପ୍ରଶ୍ନ । “who is she ? — ସେ କିଏ ?”

 

“She is a member of the Rajya Sabha— Nandini Satpathy—ରାଜ୍ୟସଭାର ସେ ଜଣେ ସଦସ୍ୟା– ନନ୍ଦିନୀ ଶତପଥୀ ।

 

ତହୁଁ ମୃଦୁ ହସି ଆହୁରି କୌତୂହଳରେ ମୁହଁକୁ ମୋର ଚାହିଁଲେ ସେ । “Oh Yes. I was marking her facial similarity with that of yours—ଆପଣଙ୍କ ମୁହଁର ସାଦୃଶ୍ୟ ତା’ଠାରେ ଦେଖି ମୁଁ ସେଇ କଥା ପରା ଭାବୁଥିଲି ।”

 

ଆଉ କିଛି ନକହି ମୋତେ ସେ ରାସ୍ତାର ଦୁଇ କଡ଼ରେ ରହୁଥିବା କେନ୍ଦ୍ରମନ୍ତ୍ରୀମାନଙ୍କର ଘରଗୁଡ଼ିକୁ ଚିହ୍ନାଇ ଦିଅନ୍ତି । ଅଥଚ ଘର ଚିହ୍ନିବାକୁ ମନରେ ମୋର ଆଦୌ କୌତୂହଳ ଜନ୍ମୁ ନଥାଏ—ମଣିଷକୁ ନଦେଖି ଖାଲି ତାଙ୍କ ଘର ଠାବ କରିବା ଯାହା, ଇତିହାସ ଇତିହାସ ପଢ଼ିବା କି ଆଗ୍ରା ଦିଲୀ, ଲକ୍ଷ୍ନୌ ପ୍ରଭୃତିର ବାଦଶାହୀ ପ୍ରାସାଦ ଦେଖିବା ତାହା । ପୁଣି ତା’ ଭିତରୁ କୌଣସି ଘରେ କେବେହେଲେ ରହିବା ଉଚ୍ଚାକାଂକ୍ଷା ମୋର ତ କଳ୍ପନାର ବାହାରେ !

 

ଶେଷରେ ରେଡ଼ିଓ ମନ୍ତ୍ରୀ ଇନ୍ଦିରାଙ୍କ ସରକାରୀ ଘର ପୋର୍ଟିକୋ ଭିତରେ ତାଙ୍କ ଗାଡ଼ି ଅଟକେ; ଗାଡ଼ିରୁ ଓହ୍ଲାଇ ରେଡ଼ିଓ ମନ୍ତ୍ରୀ କଟକ ଆକାଶବାଣୀର ଏହି ଦୟନୀୟ ସହ୍ଲାକାରକୁ ଘରଭିତରକୁ ଡାକି ବୈଠକଖାନାରେ ବସାନ୍ତି ମଧ୍ୟ—

 

“Tea ? Coffee ? Cold-drink ?”

“ଚାହା ? କଫି ? ସରବତ ?”

 

ଧନ୍ୟବାଦ ଜଣାଇ ମନା କରିଦିଏଁ । କେବଳ ତାହା ଲୌକିକତା ବିଚାରରୁ ନୁହେଁ; ଯଥାର୍ଥରେ ଯେମ‌୍‌ତି ଥଣ୍ଡାଗରମ ସବୁ ପ୍ରକାରେ ମନବୋଧ ଚଉତିଶା ଲେଖିବା ଶକ୍ତି ମୋର ଆସି ଯାଇଥାଏ ସେଇ କ୍ଷଣରେ !

 

ଏହି ସଂକ୍ଷିପ୍ତ ସାକ୍ଷାତ୍‍କାର ପରେ ଇନ୍ଦିରା ପୁଣି ନିର୍ଦ୍ଦେଶ ଦିଅନ୍ତି—“ଗାଡ଼ି ନେଇ ଛାଡ଼ିଦେଇ ଆସୁ ଆପଣଙ୍କୁ ।”

 

ଘର ଭିତରେ ତାଙ୍କର ପଶିବା ଆଗରୁ ମୁଁ ଅବଶ୍ୟ ଟାକ୍ସି ମଗାଇବା ବ୍ୟବସ୍ଥା କରି ସାରିଥାଏଁ । ସେଇ କଥା ଜଣାଇ ବିଦାୟ ଘେନିଲି । ବିଦାୟ ନେବା ସମୟରେ ଆଶ୍ଵାସନା କଣ୍ଠରେ ଶ୍ରୀମତୀ ଇନ୍ଦିରା ମୋତେ କହନ୍ତି—ଯେତେବେଳେ ଯାହା ମୋର ଇଚ୍ଛା, ସେ ବିଷୟରେ ତାଙ୍କ ସହିତ ପତ୍ରାଳାପ କରିବା ଲାଗି; କିନ୍ତୁ କେବେ ହେଲେ ଆଉ ତାହା ମୋର ଘଟିନାହିଁ । ଯାହା ବା ଘଟିଥାନ୍ତା, ଏହି ସାକ୍ଷାତ୍‌କାରର ବର୍ଷକ ପରେ କିମ୍ବା ତହିଁରୁ ଅଳ୍ପକାଳ ମଧ୍ୟରେ ତାସ୍‌କେଣ୍ଟ୍ ଠାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ତିରୋଧାନ ହୁଏ ।

 

ତହୁଁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତା ହୁଅନ୍ତି ଶ୍ରୀମତୀ ଇନ୍ଦିରା । ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ରେଡ଼ିଓ ଥିଲା ତାଙ୍କର ଦପ୍ତର ଅନ୍ତର୍ଭୁକ୍ତ । ସେତେବେଳେ ତାଙ୍କ ସହିତ ପତ୍ରାଳାପ ପରିସର ନ ଥାଏ । ମୋର ବ୍ୟକ୍ତିଗତ ସମସ୍ୟା ଆଉ ଉତ୍‌ଥାପନ କରିବା ଅବାନ୍ତର ହୋଇପଡ଼େ ପୁଣି ଅତି ତୁଚ୍ଛ ହୋଇପଡ଼େ ମଧ୍ୟ ।

 

୧୯୬୭ ସାଧାରଣ ନିର୍ବାଚନରେ ଫେବୃୟାରୀ ୮ ତାରିଖ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଆସନ୍ତି ଭୁବନେଶ୍ଵର । ସେଦିନ ସଭାରେ ଭାଷଣ ଦେଲାବେଳେ କୌଣସି ଦୁର୍ବୃର୍ତ୍ତଦ୍ୱାରା କଦର୍ଯ୍ୟ ଭାବରେ ଆହତ ହୁଅନ୍ତି ସେ । ଦେଶବ୍ୟାପୀ ଏହି ଦୁର୍ଘଟଣାର ସମ୍ବାଦ ଓଡ଼ିଶାକୁ ହୀନ ପ୍ରତିପନ୍ନ କରେ ସାଧାରଣ ଦୃଷ୍ଟିରେ । କବି ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ ଓ ଡକ୍ଟର ମାୟାଧର ମାନସିଂଙ୍କ ସମେତ ଆମେ କେତେଜଣ ଲେଖକ ଏହି ଦୁଷ୍କର୍ମକୁ ନିନ୍ଦାକରୁଁ ସମ୍ବାଦପତ୍ର ମାଧ୍ୟମରେ-। ସମଗ୍ର ଉପମହାଦେଶ ଭାରତୀୟ ରାଜନୀତି ଇତିହାସରେ ଓଡ଼ିଶାର ନିର୍ଲ୍ଲଜ୍ଜ କଳଙ୍କମୟ ଅଧ୍ୟାୟ ରୂପେ ଅକ୍ଷମଣୀୟ ଏହି ଦୁର୍ଘଟଣା ଲପିବଦ୍ଧ ହୋଇ ରହିଗଲା ବୋଲି ପ୍ରତିବାଦ ଜଣାଉଁ ।
 

ସାହିତ୍ୟ ହିଁ ଯୁଗେ ଯୁଗେ ସାମାଜିକ ତଥା ରାଜନୈତିକ ଅନ୍ୟାୟ ଅତ୍ୟାଚାର ଧର୍ଷଣକୁ ପଦାକୁ ଓଟାରି ଆଣି ନ୍ୟାୟ ଧର୍ମ ପ୍ରତିଷ୍ଠା କରି ଆସିଛି ସୀତା ଦ୍ରୌପଦୀଙ୍କ ଯୁଗାବଧି । ଶ୍ରୀମତୀ ଇନ୍ଦିରା ପ୍ରଧାନ ମନ୍ତ୍ରୀ ରୂପେ ଯେଉଁ ଅଭୂତପୂର୍ବ ଶକ୍ତି ସାହସ ବଳରେ ବାଙ୍ଗଲା ଦେଶରେ ଅମାନୁଷିକ ନାରୀ-ହତ୍ୟା ଓ ନର ମେଧର ନିରାକରଣ କରି ବିଶ୍ୱଶାନ୍ତି ପ୍ରତିଷ୍ଠାର ସାହାଯ୍ୟ କଲେ—ପ୍ରତିଷ୍ଠାକଲେ ଏ ଯୁଗରେ ନାରୀ ନେତୃତ୍ୱର ଅବିସ୍ମରଣୀୟ ଦୃଷ୍ଟାନ୍ତ—ତାହାର ଯଥାଯୋଗ୍ୟ ସ୍ୱୀକୃତି କୌଣସି ଭାଷାରେ ତ ଯଥେଷ୍ଟ ହେବନାହିଁ ।

 

ପଲକେ ପଲକେ ପୁଲକ ବିସୟ

 

ଜୀବନ-ନାଟ୍ୟ ରଙ୍ଗମଞ୍ଚରେ ଅନୁକ୍ଷଣ ଦୃଶ୍ୟପଟର ଅଦଳ-ବଦଳ ଏକାଧିକ ଚରିତ୍ରର ପ୍ରବେଶ—ପ୍ରସ୍ଥାନ—ଆବିର୍ଭାବ—ଅନ୍ତର୍ଦ୍ଧାନର ଘଟଣାବଳୀ ପୁଣି ଛାୟାମୟ ହେଇଯାଏ ଚାହୁଁ ଚାହୁଁ — ନବ ନବ ରସର ନିତ୍ୟ ଅଭିନୟ – କଳନା ତାହାର କାହିଁ ! ସବୁ ଯେପରି ଆକସ୍ମିକ ପୁଣି ଛାୟାଚିତ୍ର ଭଲ ମୁହୁର୍ମୁହୁ ବଦଳିଯାଏ ଅଲକ୍ଷ୍ୟରେ— ନିଶ୍ଚିହ୍ନ ହୋଇ ନିଭିଯାଏ ନିତ୍ୟ ବିସ୍ମୃତିର ବିସ୍ମୟରେ ! ଜୀବନର ଲକ୍ଷଣ ହେଲା ମୁହୁର୍ମୁହୂ ବିସ୍ମୟ । ନିଃଶ୍ୱାସ ପ୍ରଶ୍ୱାସ ଭଳି ତାହା ଯେତିକି ସହଜ, ସେତିକି ଆଶ୍ଚର୍ଯ୍ୟ, ଚମକପ୍ରଦ । କେବଳ ବିସ୍ମୟ ଭିତରେ ହିଁ ମଣିଷ ଅବା ବଞ୍ଚିରହେ !—ପଛକୁ ଯେତେ ମୁଁ ଆଖି ଫେରାଏଁ ସେତିକି ବିହ୍ୱଳ କରେ ମୋତେ ଏଇ ଅହେତୁକ ବିସ୍ମୟ !

 

କଲେଜ ପଢ଼ା ଶେଷହେବା ମାତ୍ରେ ଯେପରି ସମବାୟ ବିଭାଗରେ ମୁଁ ନିଯୁକ୍ତି ପାଏଁ, ଅନାୟାସ ଅଯାଚିତ ଭାବରେ, ତହିଁରୁ ଅବ୍ୟାହତି ମଧ୍ୟ ଅବିକଳ ଆକସ୍ମିକ ପରମ ଆଶ୍ଚର୍ଯ୍ୟ ଜନ୍ମାଏ ସେ ମୋର ସବୁ କର୍ମରେ ନିଯୁକ୍ତି ପୁଣି ତହିଁରୁ ଅପସାରଣ—ସତେ ଅବା ଏକ ସ୍ୱୟଂକ୍ରିୟ ଯନ୍ତ୍ରଭଳି-!

 

ଏକାଦି କ୍ରମେ ମାସ ମାସ ହୃଦ୍‍ରୋଗରେ ଶଯ୍ୟଶାୟୀ ହୋଇ ଉଠିବା ପରେ ଅଚାନକ ଆକାଶବାଣୀର ସଲ୍ଲାକାର (producer) ନିଯୁକ୍ତି ପତ୍ର ମିଳେ ମୋତେ । ଅବିକଳ ସେମ‌୍‌ତି ଛାଏଁ ତହିଁରୁ ବିଦାୟ ନିଏଁ, କଟକ ବଡ଼ ଡାକ୍ତର ଖାନାରେ ଅସ୍ତ୍ରଚିକତ୍ସାଦ୍ୱାରା ମୃତ୍ୟୁ ମୁଖରୁ ଉଦ୍ଧାର ପାଇ । ଏହିଭଳି ପ୍ରତି କାର୍ଯ୍ୟରେ ମୋର ନିଯୁକ୍ତି ଯେପରି ଅକସ୍ମାତ, ତହିଁରୁ—ଅବ୍ୟାହତ ମଧ୍ୟ ସେହିପରି ; ଅଥଚ ସ୍ଵୟଂ ଯେବେ ଯେଉଁ କାର୍ଯ୍ୟଲାଗି ଉଦ୍ୟମ କରୁଛି, ତହିଁରେ କେବଳ ଶୋଚନୀୟ ବିଫଳତା ଦୀର୍ଘକାଳ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ କେତେ ବିଚିତ୍ର ଅଭିଜ୍ଞତା ମୋର ମଧ୍ୟ ଜାତ ହୁଏ-। ଯାହାର କାରଣ ଅନୁସଂଧାନ କରି ପାଇବା ଏବେ ମଧ୍ୟ ଅସମ୍ଭବ । ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ପୂର୍ବେ ୧୯୧୭।୧୮ରେ ସ୍କୁଲ ଛାତ୍ର ଥିବାବେଳେ ମହାତ୍ମା ଗାନ୍ଧିଙ୍କ ସ୍ଵାସ୍ଥ୍ୟରକ୍ଷା ବିଷୟକ ବହିପଢ଼ି ତଦନୁଯାୟୀ ଖାଦ୍ୟ ପେୟାଦିରେ କଠୋର ସଂଯମ ଅଭ୍ୟାସ କରିବା-ପୁଣି ସ୍ୱାମୀ ନିଗମାନନ୍ଦଙ୍କ ବ୍ରହ୍ମଚର୍ଯ୍ୟ ପାଳନ ପୁସ୍ତକରୁ ପ୍ରାଣାୟମ, ଧୌତିଆଦିର ନିୟମ ପାଳିବା ସତ୍ତ୍ୱେ ପରବର୍ତ୍ତୀ ଜୀବନରେ ଆଧୁନିକ ଚିକତ୍ସାର ଆଶ୍ରୟ ନେବାକୁ ହୁଏ ମୋତେ ।

 

ବାରମ୍ବାର ହୃଦ୍‌ରୋଗରେ ପୀଡ଼ିତ ହୋଇ ଶ୍ରଦ୍ଧେୟ ଡାକ୍ତର ଶ୍ରୀ ଭଗବତୀ ପ୍ରସାଦ ଆଶ୍ଚର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଦାର୍ଘକାଳ ଶଯ୍ୟାଶାୟୀ ହୁଏଁ— ସେଇ ସମୟରେ ମୁଁ ସ୍ପଷ୍ଟ ଦେଖିଲା ଭଳି ଅନୁଭବ କରେଁମୋର ମୁଣ୍ଡ ଆଉ ଗୋଡ଼ ପାଖରେ ଦୁଇଟି ଛାୟା ମୂର୍ତ୍ତି ଅନୁକ୍ଷଣ ଠିଆ ହୋଇ ମୋତେ ଜଗି ରହିଛନ୍ତି ନୀରବରେ ଅବା ! ହେତୁବାଦି ଚିତ୍ତ ମୋର ସେତେବେଳେ ସମ୍ପୂର୍ଣ୍ଣ ଅସମର୍ଥ ହୁଏ ସେ ଛାୟାର ବିଶ୍ଳେଷଣ କରିବାକୁ, ବାରମ୍ବାର ଆଖି ବନ୍ଦ କରି ଫିଟାଏଁ । ଶତ ଚେଷ୍ଟାରେ ବୁଝିବା ଉଦ୍ୟମ କରି ହାର ମାନିଯାଏଁ । ଶେଷରେ, ବିଫଳତାରେ ପରିଣତ ହୁଏ ସବୁ ବିଶ୍ଳେଷଣ ? ପୁଣି ଏକାଦିକ୍ରମେ ପ୍ରତି ନିଶାର୍ଦ୍ଧରେ ଶୁଣେ ଏକ ବିକଟ ହାସ୍ୟ ରାସ୍ତା ଉପରୁ, ହାସ୍ୟ କରୁଥିବା ଯୁବକଟି ଜଣେ ବିକଳାଙ୍ଗ ଭିକାରୀ ବାଳକ ବୋଲି ପରେ ଅବଶ୍ୟ ଜାଣି ପାରେଁ, କିନ୍ତୁ ତା’ର ପ୍ରତି ରାତ୍ରିରେ ହିଁ ମୋର ଦ୍ୱାର ସାମନାରେ ଅଟ୍ଟହାସର ହେତୁ ଆଜିସୁଦ୍ଧ। ଭୁଲି ପାରିନାହିଁ । ମୋର ବେତନ, ଅର୍ଦ୍ଧଚେତନ କିମ୍ବା ଅବଚେତନ ଅବସ୍ଥାନର ସବୁ ଅହମିକାକୁ ଏକାବେଳେ ଯେମ‌୍‌ତି ଧୂଳିସାତ୍ କରି କରାଳ ବିକଟ ଭୟ ଉପୁଜାଏ ସେଇ ଅଟ୍ଟହାସ, ପୀଡ଼ିତାବସ୍ଥାରେ—ପ୍ରାୟ ସବୁବେଳେ ପାଖରେ ମୋର ଜଗି ରହିଥାନ୍ତି ସହଧର୍ମିଣୀ ।

 

ସେ ମଧ୍ୟ ଶୁଣନ୍ତି ସେଇ ଛାତି ଫଟା ହସ ନିର୍ଜନ ରାସ୍ତାର ଭିକାରୀ—ଯୁବକଠାରୁ, ତାଙ୍କୁ ମଧ୍ୟ ଘର ଭିତରେ ଅହେତୁକ ଛାୟାମୂର୍ତ୍ତିର ଆବିର୍ଭାବ ଦେଖାଯାଏ । ଆଉ ସେଇ ମୂର୍ତ୍ତିର ତାଙ୍କ ପ୍ରତି ନିର୍ଦ୍ଦେଶ-ମୋତେ ଛାଡ଼ି ସେ ଅଲଗା ହୋଇଯିବା ପାଇଁ, ପାତିବ୍ରତ୍ୟର ଅହେତୁକ ଅନ୍ଧ (?) ବିଶ୍ୱାସରେ ପରିଚାଳିତ ହୋଇ ସବୁ ନିର୍ଦ୍ଦେଶକୁ ଅବଶ୍ୟ ବାରମ୍ବାର ସେ ଉପେକ୍ଷା କରନ୍ତି । ଏ ଯେମ‌୍‌ତି ଗୋଟାଏ ଭେଳ୍ କି, ଗୋଟାଏ ମ୍ୟାଜିକ୍ !— ହ୍ୟାଲୁସିନେସନ୍ ।

 

ମନସ୍ତତ୍ତ୍ୱର ଗବେଷଣା ବିଷୟୀଭୂତ ଏହି ସବୁ ଘଟଣା ବ୍ୟତୀତ ଆଉ ଗୋଟିଏ ଦୃଶ୍ୟ—ବିଛଣା ଉପରେ ଚିତ୍ ହୋଇ ଶୋଇରହି—ଦିନ ପରେ ଦିନ—ମାସପରେ ମାସ ବିତିଯାଏ— ଝରକା ବାଟେ ଚାରିକଣିଆ ନୀଳ ଆକାଶଟିକି ଚାହିଁରହି । କାହିଁ ଦୂରେ ସେଇ ଆକାଶ ! ଖଣ୍ଡ ଖଣ୍ଡ ସଫେଦ୍ ବୌଦମାଳ ଆକାଶର ନୀଳିମାକୁ ଆତ୍ମର ସ୍ୱଚ୍ଛ ସୁନ୍ଦର ମହନୀୟ କରି ସେହିବାଟେ ଭାସିଯାଏ । କେଉଁଠାରେ ସେଇ ବଉଦ ଏତେ ପାତଳା ଯେ ତା’ଭିତରୁ ଉଙ୍କି ମାରେ ଆକାଶର ଗାଢ଼ ନୀଳିମା ଆହୁରି ତାହାକୁ ତୋଫାକରି । ସତେ ଯେମ‌୍‌ତି ଫିନ୍ ଫିନ୍ ସଫେଦ୍ ଶାଢ଼ୀରେ ନୀଳ ଛିଟ ପଡ଼ିଛି ଠାଆକୁ ଠାଆ !

 

ବଉଦ ତଳେ ଉଡ଼ି ଉଡ଼ି ଯାଏ କେତେ ସାନ ସାନ ଚଢ଼େଇମାନଙ୍କୁ ରୋଷଣୀ—କିଏ ନିକଟରେ ଆଉ କିଏ କାହିଁ କେଉଁ ଦୂର –ଦୂରାନ୍ତରେ ! କିଏ ସାନ କିଏ ବଡ଼— ବାରିହୁଏ ନାହିଁ ତାଙ୍କ ଭିତରୁ । ଥରେ ଏମ‌୍‌ତି ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟ କରେ, ନୀଳ ଆକାଶ ତଳେ ଛିଟିକି ପଡ଼ିଥିବା ପତଳା ବଉଦ ଭିତରେ ଚଢ଼େଇ ଦଳଟିକି ଛିନିଛତର କରି କାହୁଁ ଗୋଟାଏ ବଡ଼ ଚଢ଼େଇ—ହୁଏ ତ ଶାଗୁଣା, ଛଞ୍ଚାଣ କିମ୍ବା ବାଜପକ୍ଷୀ—ପ୍ରକାଣ୍ଡ ଦୁଇଟା ଡେଣା ମେଲି ସମୁଦ୍ରରେ ଆହୁଲା ମାରିଲା ଭଳି ଉଡ଼ିଆସେ—ଅତି ସହଜରେ ସେହି ପକ୍ଷିପନ୍ତି ଭିତରେ ଚହଳ ପକାଇ ଗୋଟିଏ ସାନ ଚଢ଼େଇକି ନିଜ ପଞ୍ଜାରେ ଧରି ନିଶ୍ଚିନ୍ତରେ ଉଡ଼ିଚାଲିଲେ ।

 

ପଞ୍ଝାରେ ଲାଖି ସାନ ଚଢ଼େଇଟି ଅବା ଛଟପଟ ହୁଏ ଉଦ୍ଧାର ପାଇବାକୁ । ଆହୁରି ଦେଖେଁ—ଆକ୍ରମଣକାରୀ-କବଳରୁ ଅକସ୍ମାତ୍ ମୁକ୍ତି ଲାଭକରି ଉଡ଼ି ଉଡ଼ି ତା’ର ଫେରିଆସିବା ଦୃଶ୍ୟ, ପୁଣି ତାହାରି ମେଣ୍ଟ ଅଭିମୁଖରେ । ଶିକାରୀ ପକ୍ଷୀ ମଧ୍ୟ ଲେଉଟି ପଡ଼ି ଅନୁଧାବନ କରେ ତା’ର ସେଇ ଶିକାରକୁ ତା’ର । ତହୁଁ ଅଳ୍ପଦୂର ଯାଇ ଅବଲୀଳାକ୍ରମେ ପୁଣି ଧରିନିଏ ତା’ର ସେଇ ଶିକାରକୁ । ବୋଧ ହୁଏ ବେଶି ସାବଧାନରେ ଏଥର ଆପଣା ପଞ୍ଜା ଭିତରେ ଶିକାରଟିକି ଧରି ନିଶ୍ଚିନ୍ତରେ ସେ ନିଜ ଗନ୍ତବ୍ୟ ପଥରେ ଉଡ଼ିଚାଲେ ପୂର୍ବପରି ।

 

ଦୃଶ୍ୟଟି ଦେଖି ଯେତିକି କୌତୂହଳ ମନରେ ମୋର ଜନ୍ମେ, ସେତିକି ମଧ୍ୟ ବୁଝିପାରେଁ—ଏଇ ଆକସ୍ମିକ ଅନାହୂତ ବିଚିତ୍ର ଦୃଶ୍ୟର ଇଙ୍ଗିତ । ଯେମ‌୍‌ତି ଏଇ ଚିରନ୍ତନ ଆକାଶ ମୁହୁର୍ମୁହୁ ତା’ର ରଙ୍ଗ ବଦଳୁଥିବା ବ୍ଲାକ୍‌ବୋର୍ଡ଼ଟାରେ, ମୋରି ସାମନାରେ ଏକ ଜୀବନ୍ତ ଚିତ୍ର ଆଙ୍କି ଦେଇ ହଠାତ୍ ନିଭାଇ ମୃତ୍ୟୁର ଆକ୍ରମଣ ଅବା ମୋତେ ଏମ‌୍‌ତି ଦୀର୍ଘ ଦିନ ଶଯ୍ୟାଶାୟୀ କରିଗଲା ପ୍ରଥମ ଘଣ୍ଟି ବଜାଇ ଦେଇ—ଆହୁରି ଥରେ ଲେଉଟି ଆସି ଏଠାରୁ ଚିର ଦିନପାଇଁ ଧରି ନେଇ ଯିବ ବୋଲି !

 

ଘଟଣାଚକ୍ରର ବୈଚିତ୍ର୍ୟରେ ଏଇଭଳି ଦୀର୍ଘ କାଳ ସ୍ଥାୟୀ ରୋଗଶଯ୍ୟାରୁ ଉଠିବା ପରେ ନିଯୁକ୍ତି ପତ୍ର ପାଏଁ କଟକ ଆକାଶବାଣୀରେ ଯୋଗଦେବା ଲାଗି । ଠିକ୍ ସେହିପରି ଅକସ୍ମାତ୍ କଠିନ ରୋଗାକ୍ରାନ୍ତ ହୋଇ କଟକ ଡାକ୍ତରଖାନାକୁ ମୋତେ ନିଆଯାଏ ଅସ୍ତ୍ର ଚିକତ୍ସା ଲାଗି । ୧୯୭୦ ଶେଷ ଭାଗରେ । ତାହା ପରେ ଆପେ ଆପେ ରହିତ ହୋଇଯାଏ ଆକାଶବାଣୀରେ ମୋର କାର୍ଯ୍ୟକାଳ । ଏଇ ସଦା ଶବ୍ଦାୟମାନ ଆଧୁନିକ ଅନୁଷ୍ଠାନକୁ ନୀରବରେ ମୋର ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟାୟର ଅବସାନ ଘଟେ ଦୁନିଆର ଅହରହ ଅସଂଖ୍ୟ ଆବିର୍ଭାବ ଅନ୍ତର୍ଦ୍ଧାନ ଭଳି ।

 

ଆଜି ମୋତେ ଲାଗୁଚି ଯେ ଯେଉଁଠି ଥିଲି ମୁଁ ସେଇଠି ରହିଛି ସ୍ଥିର ହୋଇ । ଆଉ ଚାରିପାଖରେ ମୋର ଗୋଟିକ ପରେ ଗୋଟିଏ ଘଟଣା,—ପାରିବାରିକ, ବ୍ୟକ୍ତିଗତ ପୁଣି ସଙ୍ଗେ ସଙ୍ଗେ ସାମାଜିକ ମଧ୍ୟ କେତେବେଳେ ଆସି କାହିଁ ଅବା ଅପସରି ଯାଏ ଅଲକ୍ଷ୍ୟରେ, ନିଃଶବ୍ଦରେ । ଶେଷରେ ପୁଣି ସେ ପୁରୁଣା ପ୍ରଶ୍ନବାଚୀଟା ସାମନାରେ ମୋର ସିଧା ସଳଖ ଠିଆ ହୋଇପଡ଼ି ମୋତେ ପଚାରେ—କେଉଁଠୁ ଅବା କାହିଁକି ତୋର ଆଗମନ ? କେଉଁଠିକି ପୁଣି କାହିଁକି ତୋ’ର ପ୍ରତ୍ୟାବର୍ତ୍ତନ କାହିଁକି ? ମଝିରେ କେତେଟା ଦିନ ମାସ ବା ବର୍ଷର ସଂଖ୍ୟା ତ ହିସାବ କରାଯାଇପାରେ ଆଙ୍ଗୁଠି ଅଗରେ ? ସେଇ ସେ ପୁରୁଣା ପ୍ରଶ୍ନର ମୋର ମଧ୍ୟ ପୁରୁଣା ଜବାବ— ତଥାପି ଆହୁରି ମୋର ଜାଣିବାକୁ ପୁଣି ଜଣାଇବାକୁ ସେ ଦାବୀ ! କିନ୍ତୁ କହିଁକି ? କାହିଁକି ? କାହିଁକି-?

 

ସମ୍ମାନ−ସମ୍ବର୍ଦ୍ଧନା−ସଙ୍କଟ

 

ଆବିଷ୍କାରକ, ବୈଜ୍ଞାନିକ, ଶିଳ୍ପ, ସାହିତ୍ୟିକ, କବି, ଲେଖକ, କଳାକାର ପ୍ରଭୃତିଙ୍କୁ ଜୀବିତାବସ୍ଥାରେ ସମ୍ବର୍ଦ୍ଧନା ଜଣାଇବା ପ୍ରଥା ରହିଛି । ବ୍ୟକ୍ତିଗତଭାବରେ ଏଭଳି ସମ୍ବର୍ଦ୍ଧନା ଲାଭକରିବାରୁ ମୁଁ ଏକ ସଙ୍କଟ ବୋଲି ଜ୍ଞାନ କରେଁ । ଯେଉଁମାନେ ସମ୍ବର୍ଦ୍ଧନା ଜଣାନ୍ତି, ତାଙ୍କର ଆନ୍ତରିକତା ଓ ମହାନୁଭବତା ଯେଭଳି ପରଷ୍ଫୁଟ, ସେହିଭଳି ଆଉ କାହାରି ଇର୍ଷା, ବୈରତା ବା ଅସୂୟାଭାବ ରହିବା ମଧ୍ୟ ସ୍ଵାଭାବିକ । ତଥାପି ସମ୍ବର୍ଦ୍ଧନା ଯେତେବେଳେ ରାଷ୍ଟ୍ରୀୟ ସ୍ତରରେ କରାଯାଏ, ତାହାକୁ ଏଡ଼ିଦେବା ଅସମୀଚୀନ ହୋଇପଡ଼େ ।

 

ସେହିପରି ନିରୂପାୟ ଅବସ୍ଥାରେ ସୁଦ୍ଧା ପ୍ରଥମେ ମୁଁ ରାଷ୍ଟ୍ରୀୟ ସମ୍ମାନ ଲାଭ କରିବାକୁ ବିନୀତ ଭାବରେ ପ୍ରତ୍ୟାଖ୍ୟାନ କରେ । ଓଡ଼ିଶାର ଶିକ୍ଷାମନ୍ତ୍ରୀ ଓ ବନମାଳୀ ପଟ୍ଟନାୟକ ମୋତେ ଏଥିଲାଗି ବାରମ୍ବାର ପ୍ରବର୍ତ୍ତାଇଥିଲେ ମୁଁ କଟକ ଆକାଶବାଣୀରେ ନିଯୁକ୍ତ ଥିବା ସମୟରେ । ପୁଣି ପର ବର୍ଷ ସେହି ସରକାରୀ କାର୍ଯ୍ୟାଳୟରୁ “ପଦ୍ମଭୂଷଣ” ସମ୍ମାନ ଦେବାଲାଗି ମୋର ସ୍ଵୀକୃତୀ ଲୋଡ଼ା ହୁଏ । ସେତେବେଳେ ତାହାକୁ ପ୍ରତ୍ୟାଖ୍ୟାନ କରିବାଟା ମୋତେ ସାଧାରଣ ଅସୌଜନ୍ୟ ଓ ରାଷ୍ଟ୍ରୀୟ ଅବମାନନା କଲା ଭଳି ବୋଧହୁଏ । ସେଥି ସହିତ ନିଜ ଅହମିକା ଦୋଷ ମଧ୍ୟ ଦଂଶନ କରେ । ତେଣୁ ଏହି ଦ୍ୱିତୀୟ ଆହ୍ୱାନ ନିକଟରେ ମୁଣ୍ଡ ନୁଆଁଇବା ଛଡ଼ା ଅନ୍ୟ ଉପାୟ ମୋତେ ଦେଖାଯାଏ ନାହିଁ ।

 

ସେହି ବର୍ଷ (୧୯୭୧ ମସିହା ଅକ୍ଟୋବର) ଭାରତୀୟ ସାହିତ୍ୟ ଏକାଡେମୀର ଉଚ୍ଚ ସମ୍ମାନିତ ସଦସ୍ୟ (Fellow) ହେବା ସୌଭାଗ୍ୟ ଲାଭ କରେଁ ମଧ୍ୟ । ଶିକ୍ଷାମନ୍ତ୍ରୀ ମାନନୀୟ ଶ୍ରୀ ନୁରୁଲ ହୁସେନ୍‌ଙ୍କ ଅଧ୍ୟକ୍ଷତାରେ ଏଥିଲାଗି ଅନୁଷ୍ଠିତ ହୁଏ ସାହିତ୍ୟ ଏକାଡେମୀର ଏକ ବିଶେଷ ଅଧିବେଶନ ଭାରତର ରାଜଧାନୀ ଦିଲ୍ଲୀରେ ।

 

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀ ବରାହଗିରି ଭେଙ୍କଟଗିରିଙ୍କଠାରୁ ମଧ୍ୟ ‘‘ପଦ୍ମଭୁଷଣ” ସମ୍ମାନ ଲାଭକରେଁ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧି, ତାଙ୍କ ମନ୍ତ୍ରୀ ମଣ୍ଡଳର ବିଶିଷ୍ଠ ସଦସ୍ୟବୃନ୍ଦ ଓ ଦିଲ୍ଲୀର ସୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଏକ ସର୍ବୋଚ୍ଚ ସ୍ତରୀୟ ଦରବାରରେ । ସେଥର ଦିଲ୍ଲୀ ରହଣି ଅବସରରେ ଓଡ଼ିଆ ସମାଜ ପୁଣି ଉଭୟ ବିଭିନ୍ନ ଭାଷାଭାଷୀଙ୍କ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ୱର୍ଦ୍ଧନା ଲାଭ କରେଁ ।

 

ଉତ୍ତର ପ୍ରଦେଶ ଆଦି ଭାରତର ବିଭିନ୍ନ ରାଜ୍ୟରେ ଏକାଧିକ ସମ୍ବର୍ଦ୍ଧନା ଲାଭକରିବା ସୌଭାଗ୍ୟ ମଧ୍ୟ ମୋତେ ମିଳୁଛି । କଟକ “ଡଗର” ପତ୍ରିକାଦ୍ୱାରା ଆୟୋଜିତ ୧୬-୯-୬୨ ରେ ଯେପରି ସମ୍ଵର୍ଦ୍ଧିତ ହୁଏଁ ଶ୍ରୀରାମଚନ୍ଦ୍ର ଭବନରେ, ସେହିଭଳି ମୋର ଶିକ୍ଷାସମାପ୍ତି ପରେ ପ୍ରଥମ କର୍ମସ୍ଥଳ କୁଜଙ୍ଗରେ ଶ୍ରୀ ପରମାନନ୍ଦ ଅଧିକାରୀ ପ୍ରମୁଖ ବନ୍ଧୁମାନଙ୍କର ସମ୍ମିଳିତ ସମ୍ବର୍ଦ୍ଧନା ଲାଭକରେଁ ନିଜେ ଉପସ୍ଥିତ ହୋଇ ନ ପାରି ମଧ୍ୟ । କଟକ ପ୍ରଗତିଶୀଳ ବଙ୍ଗୀୟ ସମାଜ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୁଏଁ ପ୍ୟାରିମୋହନ ଏକାଡେମୀ ପ୍ରାଙ୍ଗଣରେ । ଭାରତୀୟ କେନ୍ଦ୍ର ରାଷ୍ଟ୍ରଭାଷା (ଦିଲ୍ଲୀରେ ଅବସ୍ଥିତ) ପକ୍ଷରୁ ଏକ ସଦ୍‌ଭାବନା ପରିଭ୍ରମଣରେ ଦିଲ୍ଲୀ ତଥା ଉତ୍ତରପ୍ରଦେଶର ଆଗ୍ରା, ଏହ୍ଲାବାଦ, ବନାରସ ଓ ଲକ୍ଷ୍ନୌ ନଗରୀମାନଙ୍କର ବିଭିନ୍ନ ରାଷ୍ଟ୍ରଭାଷା ଅନୁଷ୍ଠାନରେ ଆୟୋଜିତ ବିପୁଳ ସମ୍ବର୍ଦ୍ଧନା ଲାଭକରେଁ ମଧ୍ୟ ।

 

ଉତ୍ତର ପ୍ରଦେଶରେ ଏହି ସକଳ ସମ୍ବର୍ଦ୍ଧନା ସଭାରେ (୧୯୬୯ ମାର୍ଚ୍ଚ) ସହଯାତ୍ରୀ ହୋଇଥାନ୍ତି ଦକ୍ଷିଣଭାରତର ଶ୍ରେଷ୍ଠ ତେଲୁଗୁ କବି ଶ୍ରୀ ବିଶ୍ୱନାଥ ସତ୍ୟନାରାୟଣ ଓ ମାନ୍ଦ୍ରାଜର ପ୍ରତିଷ୍ଠିତ ଲେଖକ ଶ୍ରୀ କା−ନା−(କାଶୀନାଥ) ସୁବ୍ରମନ୍ୟମ୍ । ରାଷ୍ଟ୍ରଭାଷା ସଂସ୍ଥା ପକ୍ଷରୁ ଆୟୋଜିତ ହୋଇଥାଏ ଯଥାକ୍ରମେ ଆମ ତିନିଙ୍କର ଓଡ଼ିଆ−ତେଲୁଗୁ−ତାମିଲ ଭାଷା ଭାଷଣଗୁଡ଼ିକର ହିନ୍ଦି ତର୍ଜମା କରିଦେବାପାଇଁ ।

 

ପର୍ଯ୍ୟଟନ ସମାପ୍ତକରି ଦିଲ୍ଲୀ ଫେରିଆସିବା ପରେ ସେଠାରେ ଏହି ସଦ୍‍ଭାବନା-ମଣ୍ଡଳୀ ଯଜ୍ଞର ପୂଣ୍ଣାହୂତି ଦିଆଯାଏ ଶିକ୍ଷାମନ୍ତ୍ରଣାଳୟରେ ଅନୁଷ୍ଠିତ ଏକ ସଭାରେ । ଉତ୍ତର ପ୍ରଦେଶର ଉଚ୍ଛ୍ଵସିତ ସମ୍ବର୍ଦ୍ଧନାରେ ଯେତେ ପୁଷ୍ପମାଲ୍ୟ ମିଳିଥିଲା, ସର୍ବ ଶେଷରେ ଭାରତର ରାଜଧାନୀରେ ଅନୁଷ୍ଠିତ ସଭାରେ ପୁଷ୍ପମାଲ୍ୟ ଗ୍ରହଣକରି ମୁଁ କହିଥିଲି—

 

“ଉତ୍ତର ପ୍ରଦେଶର ବିଭିନ୍ନ ଐତିହାସିକ ଓ ପୌରାଣିକ ମହାନଗରୀମାନଙ୍କରେ ପୁଷ୍ପମାଲ୍ୟରେ ଭୂଷିତ ହୋଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ସେହି ଫୁଲଶର-ଆକ୍ରମଣରୁ ଆମମାନଙ୍କୁ ତ୍ରାହି ମିଳିଲାନାହିଁ । ଏହା ଯେ ଏକ ମହାମୈତ୍ରୀର ଆକ୍ରମଣ--ଫୁଲଧନୁ ଓ ଫୁଲଶରର ଆକ୍ରମଣ—ଯେଉଁ ଆକ୍ରମଣ ବଳରେ ମହାଯୋଗୀ ଶିବଙ୍କର ସୁଦ୍ଧା ଯୋଗଭଙ୍ଗ ଘଟିଥାଏ— ଆମେ ଛାର ମନୁଷ୍ୟ ମାତ୍ର ହୋଇଥିବାରୁ ଅନ୍ତର ଆମର ମହାଭାରତୀୟ ମିଳନପୀଠରେ ମିଳିତ ହୋଇଛି କୋଟି କୋଟି ଜନତାର ଅନ୍ତର ସହିତ ।

 

“—ଆହୁରି ଏକ ଭାବ ମଧ୍ୟ ଉଦ୍ରେକ ହୁଏ ମୋର ଏହି ବିପୁଳ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଲାଭକରି । ଆଖିଆଗରେ ନାଚିଯାଏ ମୋର ଏହି ପୁଷ୍ପମାଲ୍ୟ ଅର୍ପଣ ସମ୍ଭାର ସନ୍ଦର୍ଶନରୁ ପାର୍ବଣ ପୂଜାର ଗୋଟିଏ ସୁପରିଚିତ ଚିତ୍ର,—ଦେବୀଙ୍କ ସମକ୍ଷରେ ପଶୁବଳି ଦେଲାବେଳେ ମଧ୍ୟ ପଶୁକଣ୍ଠରେ ଏଇ ଭଳି ଫୁଲମାଳ ପିନ୍ଧାଇ ଦିଆଯାଏ । ଦେଶମାତୃକା ନିକଟରେ ଏହି ମାଳ ମୋ ବେକରେ ପିନ୍ଧାଇଦେବାଦ୍ୱାରା ଆପଣମାନେ ଯେପରି ଅବା ଅନିଚ୍ଛୁକ ପଶୁଭଳି ଜବରଦସ୍ତି ମୋତେ ବାନ୍ଧି ଘୋଷାରି ଦେଶମାତୃକା ନିକଟରେ ବଳିଦେବାର ଆୟୋଜନ କରୁଛନ୍ତି ।”

 

ମୋର ଭାଷଣ ଶୁଣି ସଭାଗୃହ ବିପୁଳ ହାସ୍ୟରୋଳ ଓ କରତାଳି ଧ୍ଵନିରେ ପୂର୍ଣ୍ଣ ହୋଇ ଉଠେ ।

 

କଲିକତାର ଶରତ୍ ସାହିତ୍ୟ ସମିତି ଓ ବଙ୍ଗ ସାହିତ୍ୟ ସମ୍ମିଳନୀ ପୁଣି କଟକ ବଙ୍ଗୀୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଅଯାଚିତ ସ୍ନେହ ସମ୍ବର୍ଦ୍ଧନା ଲାଭକରିବା ସୌଭାଗ୍ୟ ମୋର ଯୁଟିଛି ।

 

ଏଇ ବିଶାଳ ଉପମହାଦେଶର ପାଣି, ପବନ ଭଳି ସ୍ନେହ ଶୁଭେଚ୍ଛାର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ହୋଇଛି ଅନ୍ତର ମୋର-ଯାହାର ପ୍ରତିଦାନ କଳ୍ପନାତୀତ । ଦେଶ ବିଦେଶର କେତେ ନିମନ୍ତ୍ରଣ ରକ୍ଷାକରିବାକୁ ଅସମର୍ଥ ହୋଇପଡ଼ିଛି ମଧ୍ୟ ।

ଏଇପରି ଅସାମର୍ଥ୍ୟର ସ୍ମୃତି ଆଜି ବି ମନଭିତରେ ଦାଗ ତା’ର ନିଭାଇ ପାରିନାହିଁ । ସବୁଠାରୁ ବଡ଼ ସ୍ମୃତି ଦୁଇ ତିନିଥର ରୁଷ୍ ଭ୍ରମଣରେ ଯିବାକୁ ନିମନ୍ତ୍ରଣ । ଶେଷ ଥର ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ମଧ୍ୟ ସେଠାରୁ ଲେଉଟି ଆସିବାକୁ ପଡ଼ିଛି ମୋତେ । କମ୍ୟୁନିଷ୍ଟ ରାଷ୍ଟ୍ରରେ ପାଦଦେଲେ ମୁଁ ରେଡ଼ିଓରେ ଯଦି ସେଇ କଥା ପ୍ରଚାର କରେଁ ! ସେତେବେଳେ ରେଡ଼ିଓ ଡାଇରେକ୍ଟର ଥାନ୍ତି ଶ୍ରୀ ଜଗଦୀଶଚନ୍ଦ୍ର ମାଥୁର, ଆଇ. ସି. ଏସ; ତଥାପି ଯେତେ ଦେଶ ଦେଖିପାରିନି, ତାହା ଆଜି ମୋର ସ୍ଵପ୍ନର ସମ୍ପଦ ହୋଇଛି । ଯେତେ ବାସ୍ତବବାଦୀ ମୁଁ ହେଲେ ବି ସ୍ୱପ୍ନ ଛଡ଼ା ଯେ ସୃଷ୍ଟି ନାହିଁ !

 

୧୯୭୦ ଖ୍ରୀଷ୍ଟାବ୍ଦ ମଧ୍ୟ ଭାଗରେ ଅକସ୍ମାତ୍ ଉଦର-ବ୍ୟାଧିଗ୍ରସ୍ତ ହୋଇ ଯେବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ମୋର ଅସ୍ତ୍ରଚିକିତ୍ସା କରାଯାଏ, ଅଙ୍ଗେ ନିଭା ଆଉ ଏକ ଦୁର୍ଘଟଣା ତାହା । ଜୀବନର ଆଶା କ୍ଷୀଣ ହୋଇ ପଡ଼ିଥିବା ଶୁଣେ ସୁସ୍ଥ ହୋଇ ସାରିବା ପରେ—ସେତେବେଳେ ମୋର ସ୍ଵପ୍ନ ଓ ଜାଗରଣ ଦୁଇଟାଯାକ ଅବସ୍ଥା ସମାନ ହୋଇପଡ଼େ । ବନ୍ଧୁମାନଙ୍କ ଅଯାଚିତ ସ୍ନେହ−ଶୁଭେଚ୍ଛାର ପ୍ରାଚୁର୍ଯ୍ୟରେ, ପୁଣି କବି ବନ୍ଧୁ ଶ୍ରଦ୍ଧେୟା ଶ୍ରୀମତୀ ସୀତାଦେବୀ ଖାଡ଼େଙ୍ଗାଙ୍କର ସୁପୁତ୍ର କଟକ ମେଡ଼ିକାଲ କଲେଜରେ ଅସ୍ତ୍ରଚିକିତ୍ସକ ଶ୍ରୀ ମଧୁସୂଦନ ଖାଡ଼େଙ୍ଗା ତାଙ୍କର ସହକର୍ମୀମାନଙ୍କ ଚିକତ୍ସା ଫଳରେ ସୁସ୍ଥ ହୋଇ ଫେରିଆସେଁ ଘରକୁ ।

 

ଅସରନ୍ତି ଏଇ ଆତ୍ମକଥାକୁ ଶେଷ କରିବା ପୂର୍ବରୁ ୧୯୭୨ ଆୟୋଜନ କରାଯାଏ ଆହୁରି ଏକ ସମ୍ବର୍ଦ୍ଧନା ଓଡ଼ିଶାର କବି ସାହିତ୍ୟିକମାନଙ୍କ ପକ୍ଷରୁ—ଉତ୍କଳ ସାହିତ୍ୟସମାଜ, ପୂଜ୍ୟ-ପୂଜା ସଂସଦ ଆଦି ବିଭିନ୍ନ ଅନୁଷ୍ଠାନଦ୍ୱାରା । ଆହୁରି ମୋତେ ହାଟମଝିରେ ହଟହଟାକରି ଅକାରଣ ବଳି ପକାଇବାରୁ ନିରସ୍ତ ହେବାପାଇଁ ବନ୍ଧୁମାନଙ୍କୁ ସବିନୟ ଅନୁରୋଧ କରିବା ସତ୍ତ୍ୱେ ମୋ ଦ୍ୱାରରେ ପଦଧୂଳି ଦେଇ ସେମାନେ ଆପ୍ୟାୟିତ କରିଯାନ୍ତି ମୋତେ । ଏକାମ୍ର ଥିଏଟର୍ସ ପକ୍ଷରୁ ମଧ୍ୟ ତା’ପରେ ପୁଣି ସମ୍ବର୍ଦ୍ଧନାର ଆୟୋଜନ । ଉପସ୍ଥିତ ହେବାକୁ ଅକ୍ଷମହେଲେ ସୁଦ୍ଧା ଘରେ ଆସି ପହଞ୍ଚେ ନବବସ୍ତ୍ର ଉପଢ଼ୌକନ ।

 

ଏତେ ସ୍ନେହ, ଏତେ ପ୍ରାଣ ! ପ୍ରତିଦାନ ଲାଗି ସମ୍ବଳ ମୋର କାହିଁ ? ଏ ଜନ୍ମରେ ତ ସମ୍ଭବପର ନୁହେଁ—ଆଉ କେତେ ଜନ୍ମ ଜନ୍ମାନ୍ତର’-ତ ହେଲେ ? ମୁକ୍ତି ମୋର କେବେ କଣ ସମ୍ଭବପର ନୁହେଁ !

 

“ଜନଗଣମନ ଅଧିନାୟକ ଜୟ ହେ”

 

କ୍ଷମତା-ରାଜନୀତିରୁ ଯେତିକି ଦୁରରେ ରହିବାକୁ ସ୍ୱେଚ୍ଛାରେ ମୁଁ ଲୋଡ଼ିଛି, ସେତିକି ସେ ଲାଗି ଲାଗି ଆସି ଘରେ ମୋର ପ୍ରବେଶ କରିଛି —ଦୁଆରେ ଅବା ଧକ୍‍କା ମାରି ଜବରଦସ୍ତି ! ଜୀବନବ୍ୟାପୀ ଏଇ ପରସ୍ଥିତିରେ ସାହିତ୍ୟସାଧନା ମୋର ପଦେ ପଦେ ବ୍ୟାହତ ହେଲା ଭଳି ବୋଧ କରିଛି ମୁଁ । ତଥାପି ସେଇ ଧକ୍‍କାକୁ ରୋକିବା ପାଇଁ ଅସମର୍ଥ ହୁଏଁ,—ମୋରି ଭିତରେ ପୁଣି ବାହାରେ ଅବା ହୋଇପଡ଼େ ସେ ଅଲଙ୍ଘନୀୟ, ଅନିବାର୍ଯ୍ୟ !

 

ଆଦର୍ଶବାଦୀ ରୁପେ ମୋର ଚିନ୍ତା ଓ ଲେଖନୀ ରାଜନୀତିକୁ କେବେ ହେଲେ ସଂକୀର୍ଣ୍ଣ ପରସରକୁ ଓଟାରି ଆଣି କ୍ଷମତାର ଗଣ୍ଡି ଭିତରେ ସୀମିତ କରି ବିଚାରି ପାରିନାହିଁ । କ୍ଷମତା ଲାଳସାର ବଶବର୍ତ୍ତୀ ହେଲା ଭଳି ଅକ୍ଷମତାକୁ ମୁଁ ଅସ୍ୱୀକାର କରଛି । ଅଥବା ସେଥିଲାଗି ମୋର ଅସାମର୍ଥ୍ୟ ହେତୁ ବିଲୁଆ ବିଚାରାର ମୁହଁ ଅଙ୍ଗୁର ପେନ୍ଥାକୁ ନ ପାଇବାରୁ ମନବୋଧ ଚଉତିଶା ବୋଲିଛି “ଅଙ୍ଗୁର କୋଳି ଖଟା” !

 

ତାହାର ଅନ୍ୟତମ କାରଣ ପୁଣି ହୁଏ ତ କ୍ଷମତା ରାଜନୀତିର ପ୍ରଲୋଭନ ପାଖରେ ଆପଣାକୁ ଉତ୍ସର୍ଗ କଲାଭଳି ଦୀନତା ମୋର ଅହମିକାକୁ ଆଘାତ କରିଛି—ଯେତେବେଳେ ସ୍ଵର୍ଗତ କନିଷ୍ଠ ଭଗବତୀ ଓ ତା’ପରେ ବଡ଼ ଝିଅ କୁନି (ନନ୍ଦିନୀ) ଓତପ୍ରୋତଃ ଭାବରେ ଜଡ଼ିତ ହୋଇ ପଡ଼ନ୍ତି ସକ୍ରିୟ ରାଜନୀତିରେ, ସତେ ଯେ ଆଗରୁ ମୋର ବାଟ ଓଗାଳି !

 

କୁନି ଏବେ ଓଡ଼ିଶାର ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଗ୍ରହଣ କଲାଣି । ତହିଁରେ ମୋର ଅନୁଭୂତିକୁ ଆସେ, କ୍ଷମତା-ରାଜନୀତି ଯେମ‌୍‌ତି ସତେ “ମୋର କତରା ଜଳରେ ମାଧୋଇ” ଭଳି ପହଞ୍ଚିଗଲାଣି । ସେଥି ସଙ୍ଗେ ଅତି ନିକଟରୁ ଓଡ଼ିଶା ରାଜନୀତିକୁ ନିରୀକ୍ଷଣ କରିବା ସୁଯୋଗ ମୋତେ ମିଳିଛି । ଓଡ଼ିଶାର କ୍ଷମତା-ରାଜନୀତି ଯେ ଗୋଟିଏ ପିଲାଖେଳ, ଆଉ କୁନି ସେଇ ପିଲା ଖେଳର ଯେ ମହା ଓସ୍ତାଦ୍ ପାଲ୍‍ଟି ଗଲାଣି—ଆଜି ତାହାର ନିର୍ବାଚନ ବିଜୟ ପରେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରଦକ୍ଷେପକୁ ମୁଁ ସ୍ଵାଗତ କରେଁ ପୂର୍ଣ୍ଣ ପ୍ରାଣରେ ।

 

ମହାତ୍ମାଗାନ୍ଧୀ ଓଡ଼ିଶାକୁ କେବଳ ଗୋଟିଏ ଭୌଗୋଳିକ ସୀମାବିଶିଷ୍ଟ (Geographical Boundary) ରାଜ୍ୟ ରୂପେ ଅଭିହିତ କରିଥିଲେ । ଓଡ଼ିଶାର ରାଜନୀତି ଆଜି ଯେମ‌୍‌ତି ଏହି ମୁହୂର୍ତ୍ତରେ ମୋତେ ପିଲାଖେଳ ଭଳି ଜଣାପଡ଼େ—ତାହାଠାରୁ ଯେତେବେଳେ ମୁଁ ଦୂରେଇ ରହିଥିଲି, ସେତେବେଳେ ମଧ୍ୟ ଏହି କାରଣରୁ ହୁଏତ ବାରମ୍ବାର ଆହୂତ ହୋଇ ଓଡ଼ିଶାର କ୍ଷମତା-ରାଜନୀତିରେ ମୁଁ ଯୋଗଦିଏଁ ନାହିଁ ।

 

ବୃଦ୍ଧ ବୟସରେ ପିଲାଖେଳ ଖେଳିବାଟା ଅବଶ୍ୟ ଅସମୀଚୀନ ନୁହେଁ—“ବାଳବୃଦ୍ଧ ସମାଚରେତ୍” ଉକ୍ତି ଅନୁଯାୟୀ ବୁଢ଼ାମାନଙ୍କର ମଧ୍ୟ ରାଜନୀତି-ଖେଳରେ ଆଗ୍ରହ ଉତ୍ସାହ ରହିବାଟା ପୂର୍ବ ଅଭ୍ୟାସ ଦୋଷରୁ ଅସ୍ୱାଭାବିକ ନୂହେ । ମୋହ ପକ୍ଷରେ କିନ୍ତୁ ସେବାଟ ଏଣିକି ଏକାବେଳେ ବନ୍ଦ । ଯଦିବା ମୋହଠାରୁ ବେଶି ବୁଢ଼ାମାନେ ଓଡ଼ିଶା ରାଜନୀତିରେ ଏବେ ବାହାଫୁଟୁକି ମାରିଲେଣି ତ ! ନୂଆ-ପୁରୁଣାର ଲଢ଼େଇ ଏହା !

 

ରାଜନୀତି, ଅର୍ଥନୀତି ଓ ସମାଜନୀତି ଯେ ଏକ ସାଥିରେ ଗତି କରିବାହିଁ ଅବଶ୍ୟମ୍ଭାବୀ—ଏହି ବିଶ୍ୱାସ ଜୀବନବ୍ୟାପୀ ମୋର ଦୃଢ଼ରୁ ଦୃଢ଼ତର ହୋଇ ପଡ଼ିଛି । ସେଥି-ସହିତ ବସ୍ତୁ-ବିଜ୍ଞାନର ନବ ନବ ପରୀକ୍ଷା ନିରୀକ୍ଷା ଓ ଆଶ୍ଚର୍ଯ୍ୟ ପ୍ରଗତି ସେଇ ବିଶ୍ୱାସକୁ କରିପକାଇଛି ଅଟଳ, ଅବିଚଳିତ । ଆନ୍ତର୍ଜାତିକ ରାଜନୀତିର ପ୍ରଗତି ଓ ଆଭିମୁଖ୍ୟ ସୂର୍ଯ୍ୟ ଭଳି ସୁସ୍ପଷ୍ଟ । ବସ୍ତୁ-ବିଜ୍ଞାନ ନିୟନ୍ତ୍ରଣରେ ମାର୍କସ-ଏଞ୍ଜଲ୍‍ସ-ଲେନିନ୍ ପ୍ରଦର୍ଶିତ ଅଲଘଂନୀୟ ଐତିହାସିକ ପରିଣତିର ସତ୍ୟ ଉପରେ ମଧ୍ୟ ପ୍ରତିଷ୍ଠିତ, ଦୁଇଟି ପୃଥିବୀ–ମହାଯୁଦ୍ଧ ଭିତରେ ଜୀବନ ଯାପନ କରି ମର୍ମେ ମର୍ମେ ତାହା ମୁଁ ଅନୁଭବ କରିଛି । ପୁଣି ସାକ୍ଷାତ୍ ପ୍ରମାଣ ପାଇଛି, ତାହାରି ଭିତରେ ବିଶ୍ୱବ୍ୟାପୀ ଏକତ୍ୱବୋଧର ଏକାଧିକ ଚାକ୍ଷୁଷ ଦୃଷ୍ଟାନ୍ତ ଦ୍ୱାରା ।

 

ପାଠ୍ୟ ପୁସ୍ତକରେ “ବେଗହିଁ ଉନ୍ନତିର ଲକ୍ଷଣ” ଶୀର୍ଷକ ଯେଉଁ ପ୍ରବନ୍ଧଟି ଲେଖି ବହୁମୁଖରୁ ପ୍ରଶଂସା ଶୁଣିଥିଲି, ବାସ୍ତବ କ୍ଷେତ୍ରରେ ତାହାରି ଯଥାର୍ଥତା ଅନୁଭବ କରିଛି । ବସ୍ତୁ ବିଜ୍ଞାନର ଅଦ୍ଭୁତ ଉଦ୍ଭାବନ ଯେ ସମୁଦାୟ ପୃଥିବୀକୁ କ୍ଷୁଦ୍ରରୁ କ୍ଷୁଦ୍ରତର କରି ପକାଇବା ସଙ୍ଗେ ସଙ୍ଗେ ସବୁ ଜାତିଧର୍ମ ଓ ରୂପ ରଙ୍ଗର ମଣିଷଙ୍କୁ ନିକଟରୁ ନିକଟତର କରିପାରିଛି— ତାହାର ସୁଦୂରପ୍ରସାରୀ ପ୍ରଭାବ ହିଁ ଭାରତ ପୁଣି ଓଡ଼ିଶା ରାଜନୀତିକୁ ପ୍ରବଳ ଭାବରେ ପ୍ରଭାବିତ କରୁଥିବା ଅନୁଭୂତି ମୋର ଦୃଢ଼ରୁ ଦୃଢ଼ତର ହୋଇଛି ।

 

ଏହି ପରିପ୍ରେକ୍ଷୀରେ ସ୍ମରଣକୁ ଆସେ—ଭାରତ ସ୍ଵାଧୀନତା ଲଢ଼େଇର ସେଇ ଦୁର୍ଗମ ପଥରୁ ମୋ ଝିଅ ନନ୍ଦିନୀକୁ ନିବର୍ତ୍ତାଇବା ପାଇଁ କେତେ ଯେ ଉଦ୍ୟମ ନ କରିଛି ମୁଁ ! ମନେ ପଡ଼େ, ଯେବେ କେରଳ ରାଜ୍ୟରେ କଂଗ୍ରେସବିରୋଧୀ ରାଜନୀତିକ ମହାସଙ୍କଟ ଆସି ପହଞ୍ଚେ, ସେତେବେଳେ ଭାରତ ଜାତୀୟ କଂଗ୍ରେସର ପୁନଃ ପ୍ରତିଷ୍ଠା ଲାଗି ନେତୃତ୍ୱ ଗ୍ରହଣ କରନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା । ଆଉ ସେଇ ବିଜୟରେ ଉତ୍‍ଫୁଲ୍ଲ ହୋଇ ପ୍ରଧାନମନ୍ତ୍ରୀ ନେହରୁ ଉଚ୍ଚାରଣ କରନ୍ତି—I am proud of my daughter—, I am proud of Indira !”—“ମୋ ଝିଅ ପାଇଁ ମୁଁ ଗର୍ବିତ— ଇନ୍ଦିରା ପାଇଁ ମୁଁ ଗର୍ବିତ ।”

 

ନେହରୁଙ୍କ ଉକ୍ତି ମୋହ ପକ୍ଷରେ ଉଦ୍ଧାର କରି ସ୍ଫୀତ ଗର୍ବିତ ହେବା ଲାଗି ପ୍ରାରମ୍ଭରୁ ହିଁ ମୁଁ ନିଜ ପାଇଁ ସକ୍ରିୟ ରାଜନୀତିର ବାଟ ବନ୍ଦ କରିସାରିଛି । ପୁଣି ମହାକବି କାଳିଦାସଙ୍କ “ରଘୁ ବଂଶ” ମହାକାବ୍ୟ ବର୍ଣ୍ଣନା ପ୍ରାରମ୍ଭରେ—“କ୍ଵ ସୂର୍ଯ୍ୟ-ପ୍ରଭବୋ- ବଂଶଃ କ୍ୱ ଚାଳ୍ପଃ । ବିଷୟାମତିଃ” ଶ୍ଲୋକଟି ସ୍ମରଣ କରି ନିଜ ହୀନମ୍ମନ୍ୟତା ପ୍ରକାଶ ଲାଗି ମୁଁ ଅବକାଶ ରଖିନାହିଁ ତ !

 

ଓଡ଼ିଶାରେ ଦୀର୍ଘ କାଳର ରାଜନୀତିକ ଅସ୍ଥିରତା ଓ ବିଶୃଙ୍ଖଳା ଦୂର କରିବା ଦାୟିତ୍ୱ ଶେଷରେ ନନ୍ଦିନୀ ଉପରେ ନ୍ୟସ୍ତ ହୁଏ । ସେ ତା’ର ନିର୍ବାଚନ ଲଢ଼େଇକୁ ଯିବା ଆଗରୁ ବୋଉ ପାଦତଳେ ମୁଣ୍ଡ ରଖି ଆଶୀର୍ବାଦ ଲୋଡ଼େ, ଆଉ କୁଆଡ଼େ ଆଗରେ ତା’ର ପ୍ରକାଶ କରେ ଯେ, ଆସିଲା ବାଟରେ ସେ ମନେ ମନେ ଆବୃତ୍ତି କରୁଥିଲା ମୋହ ରଚିତ “ଗାନ୍ଧାରୀର ଆର୍ଶୀବାଦ—“ଜନନୀର ପଦେ ନତ କରି ଶିର ମାଗେ କୁରୁଚୂଡ଼ା ମଣି”—“ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ ।’’ ସେମ୍‍ତି ଏବେ ଥରେ ଭୁବନେଶ୍ଵର ଯିବା ବାଟରେ ତା ମୁହଁରୁ ଶୁଣେ ମୁଁ ଉତ୍କଳମଣିଙ୍କ “ବନ୍ଦୀର ଆତ୍ମକଥା”ରୁ ଅନେକାଂଶ । ଓଡ଼ିଆ ସାହିତ୍ୟରେ ତାହା ବାଇବ୍ଳ ହୋଇ ପଡ଼ିଚି ଅବା !

 

ଏଇ ପରିପ୍ରେକ୍ଷୀରେ ସ୍ମରଣକୁ ଆସେ—ଭାରତ-ସ୍ଵାଧୀନତା ଲଢ଼େଇର ପ୍ରାରମ୍ଭ ଯୁଗରେ ଆମେରିକାର କଲମ୍ବିଆ ଗ୍ରାମୋଫୋନ୍ କମ୍ପାନୀ ଏଜେଣ୍ଟ୍ ଦ୍ୱାରା ଅନୁରୁଦ୍ଧ ହୋଇ ନିଜ ମହୀଶୂରର ଗସ୍ତ-ଅଭିଜ୍ଞତାର ଯେଉଁ ଅପୂର୍ବ ବର୍ଣ୍ଣନା ରେକଡ଼ କରିଥିଲେ ମହାତ୍ମାଗାନ୍ଧୀ । ମହୀଶୂରର ସାଧାରଣ ଦୀନହୀନ ଚାଷୀଙ୍କୁ ସେ ଗୋଟିଏ ପ୍ରଶ୍ନ ପଚାରନ୍ତି “who rules Mysore ?”— ‘‘ମହୀଶୂରୀକୁ ଶାସନ କରନ୍ତି କିଏ ?” ତହୁଁ ସେଇ କେତେକ ଲୋକଙ୍କଠାରୁ ଅତି ସହଜ ସ୍ୱରରେ ଉତ୍ତର ପାଇଥିଲେ ଗାନ୍ଧିଜୀ, “God rules Mysore ”— “ଭଗବାନ ମହୀଶୂରକୁ ଶାସନ କରନ୍ତି !

 

ନରନାରାୟଣର ଏଇ ସୁଦୃଢ଼ ବିଶ୍ୱାସ ହିଁ ଗାନ୍ଧୀ-ନେତୃତ୍ୱକୁ ବିଜୟଶ୍ରୀ ମଣ୍ଡିତ କରେ । ନିରକ୍ଷର ମଣିଷ ମୁହଁରୁ ଏଇ ଜବାବ ଗାନ୍ଧୀ ଚେତନାକୁ ଉଦ୍ଦୀପ୍ତ କରେ ଅକସ୍ମାତ୍ । ସେତେବେଳେ ରେଡ଼ିଓ ପୂର୍ବବର୍ତ୍ତୀ ଯୁଗରେ ଏଇ ଗ୍ରାମୋଫୋନ ରେକର୍ଡ଼ଟି ମୋର ଅତି ପ୍ରିୟ ଥିଲା ବାରମ୍ବାର ଗାନ୍ଧୀଙ୍କ ସ୍ୱର ଶୁଣିବାକୁ । ଲୋକ ମୁଖରୁ ଏଇ ଉତ୍ତର ପାଇ ଗାନ୍ଧୀ ଦେଖନ୍ତୁ ତା’ର ଅନ୍ତର୍ନିହିତ ଆଲୋକ-ଶିଖା ! ଶୁଣନ୍ତୁ ତା’ର ବାଣୀ “Inner Voice !” ଯେଉଁ କଥାଟି ସେ ବାରମ୍ବାର ଉଲ୍ଲେଖ କରନ୍ତି ବିଭିନ୍ନ ସମୟରେ । ମହୀଶ୍ୱର ମହାରାଜା ହିଁ ଶାସକ ବୋଲି କାହିଁ ତାଙ୍କ ପ୍ରଜାଙ୍କ ମୁହଁରୁ ତ ବାହାରିଲାନି ! ଏଇ ଭାବନା ଗାନ୍ଧୀଙ୍କୁ ବିହ୍ଵଳ କରିପକାଏ । ଉଦ୍ଭାସିତ ହୁଏ ଅନ୍ତରାଲୋକ । ଅସମ୍ଭବ ଅଗମ୍ୟ ଭିତରେ ତାଙ୍କୁ ବାଟ ବତାଏ—ପୁଣି ସେଇ ବାଣୀହିଁ ଯୋଗାଏ ଗାନ୍ଧୀଙ୍କ ଜୀବନବ୍ୟାପୀ ଅସଂଖ୍ୟ ବ୍ୟର୍ଥତା ଭିତରେ ବିପୁଳ ଉତ୍ସାହ, ଉଦ୍ଦୀପନା, ଅପରିସୀମ ଧୈର୍ଯ୍ୟ, ସାହସ, ପ୍ରେରଣା । ଭାରତୀୟ ରାଜନୀତିକ ଚିତ୍ରପଟରେ ସେଇ ଐତିହାସିକ ପରିଣତି ହିଁ ଉଜ୍ଜ୍ୱଳରୁ ଉଜ୍ଜ୍ଵଳତର ଆଜି । ଗାନ୍ଧୀ ନ ହେଲେବି କିଏ ହେଲେ “ନିମିତ୍ତମାତ୍ର” ହୋଇ ତାଙ୍କ ସ୍ଥାନ ପୂରଣ କରନ୍ତେ ।

 

ଯୁଗ-ଯୁଗବ୍ୟାପୀ ବିଧ୍ଵସ୍ତ ବିଖଣ୍ଡିତ ଭାରତବର୍ଷ ଅବଶ୍ୟମ୍ଭାବୀ ଐତିହାସିକ ସତ୍ୟ ରୂପେ ନିଶ୍ଚୟ ହୁଅନ୍ତା ପୃଥିବୀ ପୃଷ୍ଠରେ ପୁଣି ଅପରାଜେୟ ମହତୀ ଶକ୍ତି—ଅସଂଖ୍ୟ ବୈଷମ୍ୟ ବିଭେଦ—ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ କ୍ଷେତ୍ରରେ । ତଥାପି ଭାରତ ଆଜି ଜଗତ ସଭାରେ ଶ୍ରେଷ୍ଠ ଆସନର ଅଧିକାରୀ । ଗାନ୍ଧୀ-ବିନୋବା-ନେହରୁ ନେତୃତ୍ୱରେ ଲବ୍‍ଧ ସେଇ ତା’ର ନ୍ୟାୟ ଆସନ । ତହିଁରୁ ତାକୁ ପୁଣି ହଟାଇବା ପାଇଁ ପୃଥିବୀର ସବୁ ପ୍ରତିକ୍ରିୟାଶୀଳ ଶକ୍ତି ଦେଶରେ କିମ୍ବା ବାହାରେ ଛାଏଁ ହାରି ଯେପରି ମଳିନ ନିଷ୍ପ୍ରଭ ହୋଇ ପଡ଼ୁଛନ୍ତି, ତାହା ତ ଦୈନନ୍ଦିନ ଘଟଣାରେ ଆଜି ପରିଣତ ହେଲାଣି । କେଉଁ ଭାବୁକ, କେଉଁ ଲେଖକ, କେଉଁ କବି ଅବା ବାସ୍ତବବାଦୀ ଅସ୍ୱୀକାର କରିପାରିବ ତାହା !

 

ଜବାହରଲାଲ ଅହମଦାନଗର ବନ୍ଦୀଶାଳାରେ ୧୯୪୪ ରେ ଲେଖି ଥିବା (Discovery of India) “ଭାରତ ଆବିଷ୍କାର” ଗ୍ରନ୍ଥରେ ଲେନିନ୍‍ଙ୍କ ଉକ୍ତି ଉଦ୍ଧାର କରନ୍ତି— Man’s dearest possession is life and since it is given to him to live but once he must so live as not to be scared witn the shame of a cowardly and trivial past, so live as not to be tortured for years without purpose, so live that dying he can say— “All my life and my strength were given to the first cause of the world–the liberatkion of Mankind.”

 

ମୁକ୍ତି ! ମଣିଷ ସମାଜର ମୁକ୍ତି ! ପୁନର୍ଜନ୍ମ ଦୁଃଖରୁ ମୁକ୍ତିଲାଗି ଆମ ଶାସ୍ତ୍ର ପୁରାଣ କାବ୍ୟ ନାଟକରେ କେତେ ଯେ ବିଚିତ୍ର ପ୍ରକାଶ । କନ୍ତୁ ଲେନିନ୍‌ଙ୍କ ମତରେ ଗୋଟିଏ ଥରପାଇଁମାତ୍ର ମନୁଷ୍ୟର ଜନ୍ମ । ସେ ଜନ୍ମ ସାର୍ଥକ ହୁଏ, ମୃତ୍ୟୁବେଳେ, ଯଦି ସେ କହିପାରେ “ମୋର ସମୁଦାୟ ଜୀବନ ଓ ଶକ୍ତି, ଦୁନିଆର ପ୍ରଥମ କର୍ତ୍ତବ୍ୟରେ ମୁଁ ଖଟାଇଛି—“ମଣିଷ ସମାଜର ମୁକ୍ତି !” ତୁଚ୍ଛ ଓ ଭୀରୁ ଅତୀତରେ ତା’ର ନିରୁଦ୍ଦେଶ୍ୟ ଲକ୍ଷ୍ୟହୀନ ଜୀବନଦ୍ୱାରା ବିବ୍ରତ ନ ହୋଇ ଅନ୍ତିମ ଜୀବନରେ ଏତିକି ମାତ୍ର କହିଲା ଭଳି ବଞ୍ଚିବା ତା’ର ଲୋଡ଼ା । ଅଂପାକ୍ତେୟ ଅତୀତ ଦ୍ୱାରା ସେ ଯନ୍ତ୍ରଣା ନ ପାଏ ଯେପରି— ଗତାସୂନ ଗତାଂଶୂଶ୍ଚ ନାନୁ ଶୋଚନ୍ତି ପଣ୍ଡିତାଃ ।

 

ଉପୋଦ୍‌ଘାତ—ଉପସଂହାର

 

ଦୁଇଟିଯାକ ଶବ୍ଦର ଗୋଟିଏ ଉପସର୍ଗରେ ହିଁ ଆରମ୍ଭ ପୁଣି ଶେଷ ମଧ୍ୟ । ସେଇପରି ଉଭୟ ଶବ୍ଦର ଗୋଟିଏ ଅର୍ଥ ବୁଝାଉଥିବା ଧାତୁ ପ୍ରତ୍ୟୟ ! ତେଣୁ ଗ୍ରନ୍ଥାରମ୍ଭ, ଗ୍ରନ୍ଥ-ସମାପ୍ତି ଏକତ୍ର ବିଚାର୍ଯ୍ୟ ।

 

‘ଉପୋଦ୍‌ଘାତ’ ଶବ୍ଦଟି ‘ହନ୍’ ଧାତୁରୁ ଯେପରି ନିଷ୍ପନ୍ନ, ଅର୍ଥାତ୍ ମାତୃଗର୍ଭରୁ ପତନ ଘଟି ପୃଥିବୀ ପୃଷ୍ଠରେ ଆଘାତଦ୍ୱାରା ପିଲାଟି ଖାଲି କାନ୍ଦି ଉଠେ—ଶେଷରେ ପୁଣି ଏଇ ଧରିତ୍ରୀ ତାକୁ ‘ସଂହାର’ କରି ନିଜ କ୍ରୋଡ଼ରେ ସ୍ଥାନ ଦିଅନ୍ତି । ଦୁଇଟି ମଧ୍ୟରେ ଫରକ କେବଳ ଅଚିର ସ୍ଥାୟୀ ଏ ଜୀବନ । ଏହି ମଧ୍ୟବର୍ତ୍ତୀ କାଳୀନ ପରିସର ଭିତରେ ସୁଦ୍ଧା ପଦେ ପଦେ ଆଘତ, ପଦେ ପଦେ ବ୍ୟର୍ଥତା—ଉତ୍ଥାନ ପୁଣି ପତନ । କେଉଁଠି କେବେ ଫାଙ୍କ ଭିତରେ ସୁଖ ଅବା ସାର୍ଥକତା ଭଳି ଜାବୁଡ଼ି ଧରିବାକୁ ଯାହାକୁ ଯାଏଁ, ସେ ଯେମ‌୍‌ତି ଖସି ପଳାଏ ହାତ ମୁଠାକୁ ମୋର ଅତି ସହଜରେ ଫିଟାଇ ଦେଇ । ସୁଖ ବା ସାର୍ଥକତା ବୋଲି ଯାହାକୁ ବିଚାରେଁ , ପର ମୁହୂର୍ତ୍ତରେ ତାହା ହିଁ ହୋଇ ପଡ଼େ ବ୍ୟର୍ଥତାରେ ପରିଣତ ।

 

ତଥାପି କାହିଁ ଆତ୍ମ–ଜୀବନୀକୁ ତ ମୋର ସାରିହେଲା ନାହିଁ !–ପଦେ ପଦେ ଆଘାତ ଓ ସଂହାର କରି ମଧ୍ୟ ଚିନ୍ତା ଓ କର୍ମର ଦ୍ୱନ୍ଦ୍ୱ ଭିତରେ ! ଯେତେ ବୁଝାଇଲେ ମନ ବୁଝେନି । ଆରମ୍ଭରୁ ତ ଆଘାତ, ଶେଷରେ ପୁଣି ସଂହାର ! ଖାଲି ତ ଲଢ଼େଇ, ଅନବରତ ଯୁଦ୍ଧ ।—ତହିଁରେ ଭାଇ ବନ୍ଧୁ କୁଟୁମ୍ବ ଜାତି ଧର୍ମର ବାଛବିଚାର କିଛି ଯେପରି କେଉଁଠି ନାହିଁ—ଯେତେ ଶେଷ କରିବାକୁ ଲୋଡ଼ିଲେ ବି କାହିଁ ଏହି ସଂହାର ମଧ୍ୟ ସରେନାହିଁ । ଆଘାତ ଦେଇ ଆଘାତ ପାଇବାଟା ଜୀବନର ପ୍ରାରମ୍ଭରୁ ପୁଣି ସଂହାର ଯେ ସର୍ବଶେଷରେ; ଅଥଚ ସବୁ ଦାଗ କାହିଁ ପୁଣି ନିଭିଯାଏ, ଏଇ ଅଙ୍ଗରେ ମୋର ଚଳଚ୍ଚିତ୍ରର ପର୍ଦ୍ଧାଭଳି ତ ! ବାପାଙ୍କର ପ୍ରୟାଣ କାଳର ଚିତ୍ର ଆଖି ଆଗରେ ପୁଣି ଭାସିଯାଏ-। ଦୀର୍ଘଦିନ ସେ ପ୍ରାୟ ବିନିଦ୍ର ହୋଇ ବସି ରହନ୍ତି । ପ୍ରବୀଣ ହୋମିଓପ୍ୟାଥିକ୍ ଡାକ୍ତର ସାତକଡ଼ି ବାବୁ ବାପାଙ୍କୁ ଦେଖି ଆସି ତାଙ୍କଠାରୁ ଶୁଣନ୍ତି —“ସଂସାର ପରିବାର ସାତକଡ଼ି ବାବୁ ! ସବୁ ଦେଖିଲି, ଅନୁଭବ କଲି,— କିନ୍ତୁ ଜୀବନଟାକୁ ଏବେ ପୁଣି ଜାବୁଡ଼ି ଧରିଛି ! ନଇଲେ ତାହା ଅନେକ ଆଗରୁ ବାହାରି ଯାଇ ସାରନ୍ତ।ଣି ।” ସଶ୍ରଦ୍ଧ ହସ ହସି ସାତକଡ଼ି ବାବୁ କୋମଳ ସ୍ଵରରେ ପଚାରନ୍ତି—“କାହିଁକି ତା’ହେଲେ ? ଆଉ କ’ଣ ବାକି ରହିଲାକି ?”

 

“ହଁ, ବାକି ରହିଗଲା—ଅନେକ—ଅ-ନେ-କ !”

 

“ଅ-ନେ-କ ? ସାତକଡ଼ି ବାବୁଙ୍କ ଔତ୍ସୁକ୍ୟ ବହୁଗୁଣିତ ହୋଇପଡ଼େ । ସସ୍ନେହ କରୁଣ ହାସ୍ୟ ଉକୁଟି ଉଠେ ତାଙ୍କ ବିଶାଳ ମୁଖମଣ୍ଡଳର ଅଧର ପ୍ରାନ୍ତରେ !

 

“ହଁ, ହଁ——ଆଉ ଟିକିଏ ଦେଖିବାକୁ ଇଚ୍ଛା, ଭୋଗିବାକୁ ଇଚ୍ଛା— ଆଉ ଟିକିଏ ଦୁଃଖ, ଆଉ ଟିକିଏ ସୁଖ !” ।

 

ମୁଁ ଜାଣେ,— ମୋର ମଧ୍ୟ ବାପାଙ୍କ ଭଳି ପୁଣି ଏଇ ଦୁନିଆର ସବୁ ମଣିଷଙ୍କ ଭଳି ସଂସାର ଦେଖା କେବେହେଲେ ସରିବ ନି ଆଉ ! ମୁଁ ବି କେବେ ହେଲେ ସରିଯିବନି—ଯଦି ବା ମୋର ଅଙ୍ଗେ ନିଭାଇବା କଥା ଗୁଡ଼ା ଏବେ ସରିଗଲାଣି— ଆଉ ଯାହା ବାକି ରହିଛି, ସେମ‌୍‌ତି ଅଳ୍ପ ଦିନେ ବଦଳି ଯିବ—ତୁଚ୍ଛା ଧୂଳି ପାଉଁଶ ହୋଇ । ସେ ପାଉଁଶ ପୁଣି ମୋର କି କେବଳ ଏଇ ଦେହଟାକୁ ମୋର ଜାଳି ଦେଇଥିବା ଛଖଣ୍ଡି ମାତ୍ର କାଠର—ତାହା ବାରିବାର ଉପାୟ ବି ନ ଥିବ ତ-!

 

ଦୁନିଆ’କୁ ଆସି ପୁଣି ଦେଖିଲି ଅବା ମୁଁ କଣ ? କେତେ ବିଶାଳ ଭୁଖଣ୍ଡ— କେତେ ନଈ,ପର୍ବତ, ହ୍ରଦ ଅରଣ୍ୟ — କେତେ ପଶୁପକ୍ଷୀ ଜୀବ ଜନ୍ତୁ କୀଟପତଙ୍ଗ ସହିତ କେତେ ଯେ ମଣିଷ ଅଚିହ୍ନା ହୋଇ ଦେଶ ବିଦେଶରେ ରହିଗଲେ ମୋର !—କେତେ ଯେ ବନ୍ଧୁ, କେତେ ଯେ ଶତ୍ରୁ ଆହୁରି ! ତାଙ୍କର ସହସ୍ର ରଙ୍ଗ, ସହସ୍ର ଢଙ୍ଗ, ଭାଷା ବ୍ୟବହାର ସହ ପ୍ରତି ମଣିଷ ସାଥିରେ ତ ମୋର ଦେଖା ଚାହାଁ ଚିହ୍ନା ପରିଚିତ ହୋଇ ପାରିଲାନି କାହିଁ ।

 

ଉପସଂହାରରେ କାହାରିକି ଆଉତ ଖୋଜି ପାଉନାହିଁ ପରା ସଂହାର କରିବା ପାଇଁ ! ଉପୋଦ୍ ଘାତରେ ଯେ ନିଜକୁ କେବଳ ସୁପ୍ରତିଷ୍ଠିତ କରିବା ପାଇଁ ଅନେକ ଦୋଷ, ଅସଂଖ୍ୟ ଭୁଲ୍ ତ୍ରୁଟି ମୋର କେତେ ଯେ ଜଣା ଅଜଣାରେ ଲୁଚି ଛପି ରହିଗଲା ! କୌଣସି ଆଘାତରେ କାହିଁ ସେଗୁଡ଼ିକୁ ପଦାରେ ପକାଇବା ତ ସମ୍ଭବପର ହେଲା ନାହଁ ! କେତେ ବଂଧୁଙ୍କର ଅମୂଲ୍ୟ ସ୍ନେହୀ ସଦ୍ଭାବର କିମ୍ବା କେତେ ଶତ୍ରୁଙ୍କୁ ଆଘାତରେ ପ୍ରତିଘାତ ! କାମ-କ୍ରୋଧ-ଲୋଭ-ମୋହ-ମଦ-ମାତ୍ସର୍ଯ୍ୟ ଷଡ଼୍‍ରିପୁର ମୋହ ଉପରେ ବିଜୟର କେତେ ଘଟଣା ବା ଦୁର୍ଘଟଣା !

 

ଜୀବନ-ଯୁଦ୍ଧ ! ସେ ଲଢ଼େଇ ଯେ ଭୂମିଷ୍ଠ ହେବାକାଳରୁ ଆରମ୍ଭ କରି ପୁଣି ଭୂମିଷ୍ଠ ହୋଇ ନିଃଶେଷ ହେବା ପର୍ଯ୍ୟନ୍ତ—କେତେ ଅପୂର୍ଣ୍ଣ ଆଶାର ଅବଶେଷ—କେତେ ସମ୍ପୂର୍ଣ୍ଣ କାର୍ଯ୍ୟର ନୈରାଶ୍ୟ । କେତେ ହଜାଇବା ଅବା ମଜାଇବାର କୌଶଳ ସତେ ଏ ଜୀବନ ! କେଉଁ ସଂଜ୍ଞା ଯେ ଦୁନିଆର ଭାଷାକୋଷରେ ନିହତ, ଯାହା ଆଦୌ ପ୍ରଯୁଜ୍ୟ ନୁହେଁ ଏଇ ମୋର ଜୀବନ ପ୍ରତି ! ଲେଖିଲା ବେଳେ ସଂଶୟ ମଧ୍ୟ ଜାତ ହୁଏ—ଏହା କେବଳ ମୋର କି ଆଉ କାହାର କାମ ନୁହେଁ ତ ! ସବୁ ପ୍ରକାଶ୍ୟ ଓ ଅପ୍ରକାଶ୍ୟ ଘଟଣାବଳୀ ସମେତ !

 

ଅଙ୍ଗେ ନିଭାଇବା ସବୁ ଘଟଣା ସବୁ ଭାଷା, ସବୁ ବିଜ୍ଞାନ ଦର୍ଶନ ସବୁ ସାହିତ୍ୟ, ସମସ୍ତ ଉଦ୍ୟମ ନିରୁଦ୍ୟମ, ପରୀକ୍ଷା -ନିରୀକ୍ଷା, ହସ କାନ୍ଦ, ସାର୍ଥକତା ବ୍ୟର୍ଥତା—କ’ଣ ଏକା ମୋରି ନା ଯାହାଙ୍କ ଭିତରେ ଚକିଲି ଖେଳିଲି, ବଢ଼ିଲି, ହୁଡ଼ିଲି, ପଡ଼ିଲି, ଉଠିଲି ସେଇ ସବୁ ମଣିଷ—ଜୀବଜନ୍ତୁ ଜଡ଼ ପ୍ରକୃତିର ! ଜୀବନ ନିଭିଲେ ସବୁ ଆଲୁଅ ସବୁ ଅନ୍ଧାର ଯେ ନିଭିଯାଏ । କେଉଁ ସୀମା ହୀନ ସମୟର ଗଣ୍ଡି ଭିତରେ—ସମୟ ! ମହାକାଳ— ଉପୋଦ୍‍ଘାତ-ଉପସଂହାର ! ମଧ୍ୟବର୍ତ୍ତୀ ଫାଙ୍କ ଭିତରେ କେତେ ପ୍ରିୟଜନଙ୍କୁ ନାମୋଲ୍ଲେଖ ନ କଲା ଭଳି ମହାଅପରାଧ ଅର୍ଜନ କରିଛି । କେତେ ଅହେତୁକ ଉପକାର ସ୍ଵୀକାର କରିବାକୁ ପାସୋରି ଦେଇ ବହୁ ଗୁଣରେ ହୋଇଛି ଅପରାଧୀ । କାହିଁ ବା କେଉଁଠି ତା’ର କ୍ଷମା !

 

ଅସୀମ ଏଇ ମହାକାଳ ବକ୍ଷରେ କୋଟି କୋଟି ଅଗଣିତ ଜୀବଜଗତରେ ଅହରହ ସଂଗ୍ରାମ—ଅନ୍ତିମ ଲକ୍ଷ୍ୟ ଯାହାର ଜୀବନକୁ ଜାବୁଡ଼ି ଧରି ରଖିବା—ଚିରକାଳ ପାଇଁ । କାରଣ ଯାହାର ଆତ୍ମବିଶ୍ୱାସର ଅଭାବ । ମୃତ୍ୟୁ ପରେ ସୁଦ୍ଧା ଆତ୍ମା ଅମର ବୋଲି ବାରମ୍ବାର ଶୁଣିଲେ ପଢ଼ିଲେ ବି କାହିଁ ମିଳେ ଅବା ଆତ୍ମଦର୍ଶନ ? କେଉଁଠାରେ ତାହା ସମ୍ଭବପର ଦେହଧର୍ମୀ, ଦେହ ସର୍ବସ୍ୱ ମଣିଷର ? ଯାହା ପୁଣି ଅବ୍ୟକ୍ତ ଅଚିନ୍ତନୀୟ ! ଯେତେ ଚିହ୍ନିଲି, ଯେତେ ଦେଖିଲି, ଶୁଣିଲି, ବୁଝିଲି—ତଥାପି ବାକି ଯେ ରହିଗଲା ଅନେକ—ଅନେକ ! ସେ ବାକୀ ଖାତା କେବେ କେଉଁଠି ପୁରଣ ହୁଏ ? କେଉଁଠି ?

 

ଯେଉଁ ପାରିବାରିକ ବେଷ୍ଟନୀ ଭିତରେ ଜନ୍ମଲାଭ କରି ମୁଁ ବଢ଼ି ଆସିଲି, ତାହା ଯେ ଏକ ବିରାଟ ଅର୍ଗଳଶୁନ୍ୟ ଭାବପ୍ରବଣତାର ମୂର୍ତ୍ତିମନ୍ତ ପ୍ରକାଶ ! ସେଇ ବେଷ୍ଟନୀର ବାହାରେ ରହିଥବା ମଣିଷ ସମାଜରୁ ଅବା ତାହା ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ମୋର ଜନ୍ମ ଓ ବାଲ୍ୟ ଜୀବନର ଗ୍ରାମ୍ୟ ପଡ଼ୋଶୀ ପରିବେଶ ଭିତରୁ ଆମ ପରିବାର ଯେମ‌୍‌ତି ଏଇ ଦୋଷ କିମ୍ବା ଗୁଣ ଯୋଗୁଁ ସ୍ଵତନ୍ତ୍ର ହୋଇ ପଡ଼ିଥିଲୁ-। ଗାଁ ଛାଡ଼ି ସହରକୁ ଆସି ଅଜଣା ଅଶୁଣା ଯେତେ ଆମର ଜଣା ଶୁଣା ହେଲେ ହେଁ ପାରିବାରିକ ଏଇ ଦୋଷ ବା ଗୁଣରୁ କେହି ଯେମ‌୍‌ତି ଆମେ ଆଜି ସୁଦ୍ଧା ମୁକ୍ତ ହୋଇ ପାରିଲୁଁ ନାହିଁ-

 

ମୁକ୍ତ ହେବାର ଉଦ୍ୟମ ଅବଶ୍ୟ ଏ କ୍ଷେତ୍ରରେ ଆଉ କେହି କରିଥିଲା ଭଳି ମୋର ତ ମନେ ପଡ଼ୁନି, ଏକ ମାସ ବୋଧହୁଏ ମୋହର ବ୍ୟତୀତ ! ମୁଁ ବୋଧହୁଏ ବଂଶ ପରମ୍ପରାର ବ୍ୟତିକ୍ରମ । ତଥାପି ମୁଁ ଅଳ୍ପ କଥାରେ ପୁଣି ସାମାନ୍ୟ କାରଣରୁ କାନ୍ଦେ, ହସେ ଓ କ୍ରୁଦ୍ଧ ହୁଏଁ— ବୋଲି ଘରେ ବାହାରେ ଯେମ‌୍‌ତି ମୋତେ ସମସ୍ତେ ଚେତାଇ ଦିଅନ୍ତି, ମୁଁ ବି ସେମ‌୍‌ତି ଅନୁଭବ କରେ ନିବିଡ଼ ଭାବରେ । ପାଗଳାମି ଭଳି କେତେ ବ୍ୟାଧି ଯେପରି ବଂଶାନୁକ୍ରମିକ, ଏହା ବୋଧହୁଏ ସେଇପରି ।

 

ହୋସ୍ ଆସିବା କାଳରୁ ଯେମ‌୍‌ତି ବାଁ ଡାହାଣ ଦି’ହାତରେ ମୁଁ ରାଜନୀତି ଆଉ ସାହିତ୍ୟକୁ ଯଥାକ୍ରମେ ଧରି ଚାଲିଛି । କେବେ ହେଲେ ହାତ ବଦଳାଇ ନାହିଁ । ଅର୍ଥାତ୍ ଡାହାଣ ହାତରେ ରାଜନୀତିକୁ ଧରି ସାହିତ୍ୟକୁ ବାଁ ହାତରେ ରଖିନି ହେତୁ ହେବାଠାରୁ ଆଜିଯାକେ । ପୁଣି ଏହା ମୁଁ ଜାଣି ଶୁଣି କରିଛି କିମ୍ବା ଅବସ୍ଥାଚକ୍ରରେ ପଡ଼ି ବାଧ୍ୟ ହୋଇଛି ? ବୋଧହୁଏ ଶେଷ କଥାଟା ହିଁ ଠିକ୍-

 

ଭାରତୀୟ ରାଜନୀତିରେ ଜାତୀୟ କଂଗ୍ରେସ ଯେପରି ମୋର ଅବାଲ୍ୟ ଆଦର୍ଶ, ସେଇପରି ଗାନ୍ଧୀ-ନେହରୁ- ଶାସ୍ତ୍ରୀ-ଇନ୍ଦିରାଙ୍କ ନେତୃତ୍ୱରେ ମୁଁ ଅନୁପ୍ରାଣିତ । ଶ୍ରୀମଦ୍ ଭଗବଦ୍ ଗୀତାରେ ମହାଭାରତ ଯୁଦ୍ଧକୁ ଅହିଂସାର ମହତ୍ତମ ଆଦର୍ଶ ରୂପେ ଗାନ୍ଧୀ-ବିନୋବା ଗ୍ରହଣ କରିଛନ୍ତି-। ମୁଁ ତହିଁରେ ସମ୍ପୂର୍ଣ୍ଣ ବିଶ୍ୱାସୀ । କେବଳ ସେତିକି ନୁହେଁ,–ମୋର ଦୃଢ଼ ପ୍ରତ୍ୟୟ ଯେ, ଆଧୁନିକ ରୁଷ୍ ଜନ୍ମଦାତା ଲେନିନ୍‍ଙ୍କ ସାମନ୍ତବାଦ ସମେତ ପୁଞ୍ଜିବାଦର ଉନ୍‍ମୂଳନ (Extermination) ତଥ୍ୟର ନିକଟତମ ମେଳ ରହିଛି ମହାଭାରତ ଯୁଦ୍ଧର ଅହିଂସା ଗୀତା-ଧର୍ମ ସହିତ–ବୁଦ୍ଧଦେବଙ୍କ ଅହିଂସା ସହିତ, ଯିଶୁଙ୍କ କ୍ଷମା ଧର୍ମ ଓ ଶ୍ରୀ ଚୈତନ୍ୟଙ୍କ ପ୍ରେମ-ଧର୍ମର ମୌଳକ ସାମଞ୍ଜସ୍ୟ ଭଳି । ସମୂହର ହିତପାଇଁ ସକଳ ଉପାୟ ହିଁ ଧର୍ମସମ୍ମତ, ନ୍ୟାୟସଙ୍ଗତ ପୁଣି ଅହିଂସା ନ ହୋଇ ଆଉ କିଛି ହୋଇ ନ ପାରେ—ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ।

 

ଶେଷରେ ମୋର ପୁଣି ସେଇ ପ୍ରାଥମିକ କବିତାଟି ସତ୍ୟ ହୋଇ ଉଠୁଛି ବାରମ୍ବାର ଯେମ‌୍‌ତି—ଯେଉଁ କବିତାକୁ ସୁବିଖ୍ୟାତ “ଉତ୍କଳ ସାହିତ୍ୟ” ପତ୍ରିକାର ଧର୍ମପ୍ରାଣ ସମ୍ପାଦକଙ୍କ ମନକୁ ବାରମ୍ବାର ମୁଁ ପଠାଇ ସୁଦ୍ଧା ତାହା ପ୍ରକାଶ ପାଏ ନାହିଁ ପ୍ରାଣକୁ ମୋର ଅସୀମ ହତାଶାରେ ଭରି ଦେଇ—

 

“ଏକାକୀ ପଥରେ ମୁଁ

ଏକାକୀ ପଥରେ !”

 

ଚରମ ସହାୟହୀନ ହତାଶାର ଏଇ ଗୀତ ଅବା ଏକ ବିରୋଧାଭାଷର ପ୍ରଭାବରେ ଅପରିସୀମ ଶକ୍ତି ସଞ୍ଚାର କରିଛି ପ୍ରାଣରେ ମୋର ! ଧ୍ୱନିତ ହେବାକୁ ଲୋଡ଼ିଛି ଗୋଟିଏ କଣ୍ଠରେ କୋଟି କୋଟି ସ୍ଵର-ନିଜକୁ ଯେ ଖୋଜି ପାଇଛି ମୁଁ କୋଟି କୋଟି ନିପୀଡ଼ିତ ନିର୍ଯ୍ୟାତିତ ନିଷ୍ପେସିତମଣିଷ ଭିତରେ । ମୋହରି ସାଥିରେ ଚାଲେ ଯେଉଁ ଶତ ସହସ୍ର ଅଗଣିତ ମଣିଷର ରୋଶଣୀ । ପଥରେ ମୋର କେତେ ଯେ ଗଡ଼ାଣି ଉଠାଣି–ତଥାପି ଆହୁରି ଅନେକ ବ୍ୟର୍ଥତା ସତ୍ତ୍ୱେ ଆହୁରି ଅନେକ ପୁଲକ, ସ୍ପନ୍ଦନ !—ଆହୁରି ଅନେକ ! –ଅନେକ !

 

ପରିଶିଷ୍ଟ

କମ୍ରେଡ଼ ଶ୍ରୀ ରାମକୃଷ୍ଣ ପତିଙ୍କ ଦୃଷ୍ଟିରେ ମୋର ସାହିତ୍ୟ-

ମୂଲ୍ୟାୟନ

 

ଶ୍ରେଷ୍ଠ କମ୍ୟୁନିଷ୍ଟ ନେତା ଶ୍ରୀ ପୂରଣ ଚନ୍ଦ୍ର ଯୋଷୀଙ୍କ ସମ୍ପାଦନାରେ ପ୍ରକାଶିତ “ଜନଯୁଦ୍ଧ” (People’s War) ଇଂରାଜୀ ପତ୍ରିକାର ୧୯୪୫ ଖ୍ରୀଷ୍ଟାବ୍ଦ ଜୁନ୍ ୧୭ ତାରିଖ ସଂଖ୍ୟାରେ ଓଡ଼ିଶାର ପ୍ରବୀଣ କମ୍ୟୁନିଷ୍ଟ ନେତା ଓ ସାହିତ୍ୟ-ସମାଲୋଚକ ଶ୍ରୀ ରାମକୃଷ୍ଣ ପତି ମୋହ ସହିତ ସାକ୍ଷାତ କରି ଏକ ନିବନ୍ଧ ପ୍ରକାଶ କରନ୍ତି । ଆଜକୁ ୨୮ ବର୍ଷ ପୂର୍ବେ ସୂତା ହାଟ “ଭାରତୀ ତପୋବନ” ଘରଟିରେ ଏଇ ସ୍ମରଣୀୟ ସାକ୍ଷାତ୍‍କାର ସ୍ମୃତି ଆଜି ମଧ୍ୟ ରାମକୃଷ୍ଣ ବାବୁଙ୍କ ସହିତ ଜୀବନ୍ତ ବାସ୍ତବ ରୂପେ ମୋହ ସାମନାରେ ଭାସି ଉଠୁଚି ଅବିକଳ । ଘରର-ସ୍ଵାଧୀନତା ପୂର୍ବର ଏହି ସାକ୍ଷାତ୍‍କାର ନିବନ୍ଧଟି ବର୍ତ୍ତମାନ ମୋର ହସ୍ତଗତ ହୁଏ “ଅମୃତବଜାର ପତ୍ରିକା’ର ତତ୍‍କାଳୀନ ଓଡ଼ିଶା-ପ୍ରତିନିଧି ଶ୍ରୀଯୁକ୍ତ ସଚିନ ଦତ୍ତଙ୍କ ସହୃଦୟତାରୁ ଆକସ୍ମିକ ଭାବରେ । ସେଇ ତାରିଖ “People’s war” ପତ୍ରିକାରୁ ଲେଖାଟିକି କାଟି ସେ ରଖିଥିଲେ । ଏହି ଘଟଣା ମୋର ସ୍ୱାଭାବିକ ବିସ୍ମୟ ଉଦ୍ରେକ କରିବା ସଙ୍ଗେ ସଙ୍ଗେ ସଚିନ୍ ବାବୁଙ୍କ ବନ୍ଧୁ–ପ୍ରୀତିର ନିଦର୍ଶନ ରୂପେ ଅବସ୍ମରଣୀୟ ।

 

ଭାରତ ସ୍ୱାଧୀନତା ପୂର୍ବରୁ ଶ୍ରଦ୍ଧେୟ କମ୍ରେଡ୍ ରାମକୃଷ୍ଣଙ୍କ ପତିଙ୍କ ମୂଲ୍ୟାୟନ ଗଭୀର କୃତଜ୍ଞତା ସହ ଉଦ୍ଧାର କରୁଛି ମୂଳ ଇଂରାଜୀ ଓ ତାହାର ଓଡ଼ିଆ ରୂପାନ୍ତର ସହିତ ।

 

“People’s War” June 17th 1945.

Foremost Living Oriya Literatteur

Kalindi Charana Panigrahi

By

Ramakrishna Pati

 

The modern renaissance in Oriya literature was ushered in with Radhanath, the foremost poet of the late eighties of the 19th century. He can be characterised as a poet of the Romantic Age in Oriya literature.

 

With him dawned a new era, giving new life to the literary world after the Bhanja Age. Nature was his theme. The beauty of the nature, the unalloyed happiness that nature exhibited reminded him of the sorrows and mystries that are latent in human society. The sordid aspects of life were too much for him and he eagerly wanted to escape from the society of his day to the bosom of nature. No remedy could he suggest, no way could he point out to better the drab and dull life.

 

FAKIRMOHAN’S LEGACY

But Fakirmohan, the first and the foremost novelist of that age was the first to point out the vices that had crept into society and had gradually overpowered it. He narrates the meanness and prejudices of village-folk, the unscrupulousness of village Mamlatkars (Touts), their selfish designs, crooked manoeuvres and the daily growing corruption of simple rural life. His descriptions are real and he writes in a style most living and inimitable, hitherto unknown in Oriya literature.

 

His fomous books Mamu (Maternal Uncle) and Prayaschitta (Repentance) were translated long ago into Hindi.

 

Fakirmohan goes a little further than Radhanath in bringing out in vivid colours and boldness how ignorance has gripped the masses, how the rich and the shrewd few oppress the rest. He voiced the feeling of the intelligentia with bitter sarcasm for so-called civilization and hatred for the oppressors. His works appealed because the facts were real and bore the stamp of rationality.

 

But they lived and wrote at the end of the 19th century and the beginning of the 20th. The change in feudal society was very slow; education confined to a few, the external influence meagre; naturally, therefore, the productions of both Radhanath and Fakirmohan could not break through the shell of naturalistic romanticism in the case of the former and social rationalism in the case of the latter.

 

KALINDI-POET OF PROGRESS

But Kalindi did not rest in only rationalizing the facts nor was he content in exposing only the vices and prejudices that are abundantly prevalent in a feudal society. Though he followed the legacy of the noble tradition that Radhanath and Fakirmohan had left and this being the link between the old and the new-he was quick to understand the volatile changes that were daily taking place in society. He did not grope in the dark in helplessness to find out what was happening to society, and to the world at large.

 

He is neither an visionary nor an utopian evangelist. Realist as he is, the silent yearnings of the down-trodden human heart find expression in his writings. His poem “Baji Rout” did not only ignite the dormant feelings of revolt against oppression, black reaction and despicable feudalism but immortalised ‘Baji Rout’, the martyr hero (12 to 13 years of age) of the historic Dhenkanal (a feudatory state in Orissa) movement (1938) by taking the story of his patriotism into every nook and corner of Orissa.

 

Kalindi is a man of the earth. Everything earthly is dear to him. So he knows only himself, his dear and near ones and the society in which he lives. Thus he sings of them, their woes and sufferings, joys and sorrows. According to the poet himself, his philosophy, rather his outlook on life is contained in the poem “Puri Mandir” (Puri Temple). Therein addressing the ‘dumb God' he says,—

 

‘Nothing is dearer than the present life-the people around, with their joys and sorrows, miseries and happiness. The affections of the mother, the blessings of the father, the love of wife and what is more, the love of society in its entierity—these are more celestial than the imaginary heavens.’

 

In another stanza he proclaims that it :

 

‘Does not matter if I am considered an atheist because I do not beg salvation of you; still I bow before thee the because thou, the great monument of huamn skill and art, speak volumes of human sacrifices, miseries and tragedies, that have no parallel in history, I still hear from around you the piteous wailings of thousands of young ladies who have either lost their husbands or sons’.

 

The whole theme of the poem is a revolt against the sentimental tradition of the feudal society which exploits the masses in the name of God and turns a deat ear to the wailings of the oppressed and the down-trodden have-nots. It is these tortured souls who are the real gods that can turn the world into an elysian field. He is not a dreamer. nor ethereal like Shelley, wishfully thinking to see ‘spring’ coming automatically after ‘winter.’

 

He boldly asserts in one of his latest poems Agami (that which is comming), published in “Sahakar”, an Oriya monthly, towards, the end of 1943, that a newer and fuller society is coming into being. It is comming through bitter fighting and the conscious efforts of the unfed and the famished, the exhausted and the exploited. The enemies of progress are dying. Here, in such a society, human values will really be properly evaluated, the integrity of status and interest on the basis of common goodwill, maintained. This is the society of which he sings, the society where human happiness would spring from solid reality,

 

NOVELIST-VOICE OF OUR ERA

Kalindi is not only known as the greatest poet of the times, but the greatest novelist of the age. He is both respected and loved by the old and the new. Under his placid appearance, there is not the impatience of youth, but the burning fire of the oppressed, the enthusiasm of the patriot. Fakirmohan’s national outlook coming through the spread of education and science, rebelled against the stupor and ignorance of the masses, on the one hand, and the vile corruption of the privileged few, on the other. But Kalindi felt in the people the urge for freedom, heard the indignant voice of those ground trodden.

 

Fakirmohan came out of a middle class family, but when ? Before 1900, and hence he only voiced the prevalent sentiments of the intelligentia. Kalindi also came out of a middle class Oriya family of the Puri district, but when ? After 1900. He was born in 1901. So when a new era was dawning, he was also growing accordingly. The changing times, the great impact of the national upsurge, the new civilization in Russia—these had a great impact on him.

 

AGAINST FEUDAL OPPRESSION.

Thus in his novels it comes out markedly that he feels most acutely the feudal oppression and thinks correctly that the economic structure of feudal society is at the bottom of human misery.

 

Kalindi produces ‘Matir Manis’ (Man of Soil) in 1931, the greatest novel yet produced in Oriya literature.

 

This book electrified the literary world of Orissa and so far has been the best-seller. Its theme is the fight against feudal society, the revolt against evil but these through forbearance and sacrifice. The hero ‘Baraju Padhan,' the symbol of sacrifice, fights against all sorts of selfish instincts of the village folk, and also against the intrigueing exploiters like the village mahajans, through self-immolation. At last he, with his wife and baby son, leave their house and property in favour of his younger brother and live in another village. A new life begins.

 

The national movement of the day in India had a great influence over the author—the undertone of the book is Gandhian.

 

Amarchita (the Pyre Immortal) and Mukta-Gadar Khyudha (The Hunger of Muktagada)these two volumes from one story and were published in 1933. They depict the 1866 famine in the context of the 1932 social setting. The author becomes more conscious of social changes and their causes. The two volumes show the struggle between the two opposite forces, the two classes-the peasantry and the feudal zamindars.

 

Here the author has shown however deepening famine has brought in its trail, abject moral degeneration and the gradual decadence of the peasantry. ‘Sanatan’, the real hero of the novel, fights against the local hoarder and tyrant on behalf of the famished people. Unheard-of cruelty and oppression and the moral travesties of the tyrant drive Sanatan to maddening anger. He kills the tyrant, presents himself before the court. Sanatan is excuted. A Gandhian current, though subdued, runs throughout the book.

 

GRASP OF SOCIAL CHANGE

The novel, Luhar Manisa, is still in manuscript. It completes the process of transformation. From 1932 until to-day society had undergone dynamic changes. The decay of feudal society, the concentration of land in the hands of the propertied class, capitalistic society shooting up, village economy going to pieces, and thus the poor peasant from agriculture takes to the machine and works in the factory—all these developments have been very beautifully woven in this novel.

 

The hero, Baraju Padhan, of Matir Manisa (Man of the Earth becomes the hero of Luhar Manisa (Machine Man). In other words, the man of agriculture becomes the man of the factory. Though there is a wide gap ot fourteen long years between the two volumes, it was a period of flux when the author was imbibing the shape of the growing society and its growing contradictions, with new ways and new interests emerging out of it.

 

In Matir Manisa, Baraju fought againt feudal society and all its evils through sacrifice in the Gandhian way. Here in this book Luhar Manisa, he courts imprisonment during the national movement and in jail much hard thinking and the bitter experiences outside, make him change his outlook. He works in a factory and at once fights against the capitalistic society and factory bosses, not through Satyagraha but proletarian organisation. His son becomes at last the leader of the workers’ organisation with a strong conviction to end the epocb of misery through struggle against capitalism.

 

This shows how scientifically Kalindi evalutes the progress of change and himself marches with it. He has revolutionised Oriya literature both in manner of exposition and content. He is not only a poet and novelist, but a play-wright and essayist too. In every branch of literature his position remains unassailed.

 

LOVER OF SOVIET

One would very much like to know about Kalindi's attitude towards international politics, great literary personage and exponent of realism as he is.

 

As late as 1936 when the Soviet did not loom large before the public, rather anti-Soviet feeling was being fostered through British and re-actionary circles, Kalindi was the first intellectual to declare in his presidential address in a literary conference that a new civilisation is developing in the once barbarous country, Russia. It is now a vast laboratory of experiment on humanity, where the imaginary heaven is in process of being made real.

 

That was in the distant past. But the other day in his presidential address, at the inaugural meeting of the Friends of the Soviet Union, held on 24th November 1944, he said— “The Soviet is being bracketed as one with other Imperialistic Powers. Some say the Soviet has gone Imperialist. But it is the greatest fallacy of the day. Amongst the Allied Powers, the Soviet is the only Power championing freedom and democracy. She has brought freedom to nations who were groaning under fascist dictatorship. Naturally, therefore, we, the enslaved people, want Soviet friendship.

 

Lastly he appealed to the audience to read Soviet literature and from it know the Soviet people, their mind and art, their ways and their politics.

 

HIS POLITICAL VIEWS

What about India ?

 

It was a sultry evening. I stepped into his room. The almirahs were all packed with books of varied subjects and interest.

 

Kalindi Babu came in. After coffe he earnestly began the topic, which varied round literature, both national and international. He said, ‘A true artist can not but be a communist in spirit. The main trend of his talk was- to bypass reality, to be blind to what is comming up around us is to misjudge life.

 

I was seeking an opportunity to know his attitude about present-day politics. I had to make no effort. He himself came round. So I asked him about the present Congress-Communist tangle. His face showed interest as he said,

 

It will be a great calamity if Congress takes the unwise step of driving away the Communists. Congressmen and Communists are the tried and only fighters for freedom. So utmost unity in this critical time of our country is the need of the hour. If Congress at all takes such a step, it will become very very small and remain a sect, allowing disrupttion to run rampant.

 

In the same breath he said with utmost feeling that Orissa being the poorest, where misery is most acute, the patriots should not have the luxury of dabbling in disruptive moves. Epidemics and food crisis are ravaging the dumb millions. It is the greatest duty to save them. It is the land of the poorest, and the poorest should be best looked after.

 

It was late. I took leave. The patches of clouds above, running so fast, chimed in with my own thoughtsthe intense feeling infused in me by Kalindi Babu.

 

“କାଳିନ୍ଦୀଚରଣ ପାଣିଗ୍ରାହୀ—ସର୍ବୋତ୍ତମ ଜୀବିତ ଓଡ଼ିଆ ସାହିତ୍ୟିକ

ଲେଖକ—ଶ୍ରୀ ରାମକୃଷ୍ଣ ପତି ”

 

ଓଡ଼ିଆ ସାହିତ୍ୟରେ ନବଯୁଗର ଅଭ୍ୟୁତ୍ଥାନ ଘଟେ ଉନବିଂଶ ଶତାବ୍ଦୀର ଶେଷଭାଗରେ ସର୍ବଶ୍ରେଷ୍ଠ କବି ରାଧାନାଥଙ୍କ ଆବିର୍ଭାବ ଦ୍ୱାରା ଓଡ଼ିଆ ସାହିତ୍ୟିରେ ତାଙ୍କୁ କାଳ୍ପନିକ ଯୁଗର କବି ଆଖ୍ୟା ଦିଆଯାଇପାରେ । ଭଞ୍ଜ ଯୁଗ ପରେ ତାଙ୍କ ଆବର୍ଭାବ ଆବାହନ କରେ ସାହିତ୍ୟ ଜଗତରେ ଏକ ନବ ଯୁଗର ପ୍ରଭାତୀ । ପ୍ରକୃତି ଥିଲା ତାଙ୍କ ରଚନାର ପ୍ରଧାନ ଉପଜୀବ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରକୃତି ଦତ୍ତ ଅନାବିଳ ଆନନ୍ଦ ହିଁ କବିଙ୍କ ପକ୍ଷରେ ମଣିଷ ସମାଜରେ ନର ଦୁଃଖ-ଦୁର୍ଦ୍ଦଶାର ସ୍ମାରକ ହୋଇଉଠେ । ଜୀବନର ଦୁଃଖ-ଜଞ୍ଜାଳ ତାଙ୍କ ପକ୍ଷରେ ଅସହ୍ୟ ହୁଏ । ତହୁଁ ସେ ସମସାମୟିକ ସାମାଜିକ ପରିସ୍ଥିତିରୁ ପଳାୟନ କରି ପ୍ରକୃତି–କ୍ରୋଡ଼ରେ ଆଶ୍ରୟ ପାଇବା ପାଇଁ ଆଗ୍ରହୀ ହୋଇ ପଡ଼ନ୍ତି । ଏହାର କୌଣସି ପ୍ରତିକାର କବି ରାଧାନାଥ ସୂଚାଇ ନାହାନ୍ତି କିମ୍ବା ଦୁଃଖ-ଜଞ୍ଜାଳପୂର୍ଣ୍ଣ ଜୀବନର ସମୁନ୍ନତି ଲାଗି କୌଣସି ପନ୍ଥା ବତାଇ ନାହାନ୍ତି ।

 

ଫକୀର ମୋହନ ପରମ୍ପରା—

କିନ୍ତୁ ସେ ଯୁଗର ସର୍ବପ୍ରଥମ ଓ ସର୍ବଶ୍ରେଷ୍ଠ ଔପନ୍ୟାସିକ ଫକୀରମୋହନ ସମାଜରେ ପ୍ରବେଶ କରିଥିବା ଦୁର୍ନୀତିକୁ ପ୍ରଥମେ ଉଲ୍ଲେଖ କରନ୍ତି ଓ କ୍ରମେ ତାହାକୁ ଆୟତ୍ତ କରନ୍ତି । ଗ୍ରାମବାସୀମାନଙ୍କ ନୀଚତା ଓ କୁସଂସ୍କାର, ମାମଲତକାରଙ୍କ ଅତ୍ୟାଚାର, ସ୍ଵାର୍ଥନ୍ଵେଷୀର ଅଭିସନ୍ଧି, କୁଟିଳ ଷଡ଼ଯନ୍ତ୍ର ଓ ପଲ୍ଲୀଜୀବନରେ ଦୈନନ୍ଦିନ ବଢ଼ି ଉଠୁଥିବା କଳୁଷର ବାସ୍ତବ ବର୍ଣ୍ଣନା; ପୁଣି ତାଙ୍କ ଅନୁକରଣୀୟ ଜୀବନ୍ତ–ଶୈଳୀ ଓଡ଼ିଆ ସାହିତ୍ୟରେ ସେ ପର୍ଯ୍ୟନ୍ତ ଅଜ୍ଞାତ ଥିଲା । ଫକୀରମୋହନଙ୍କ ବିଖ୍ୟାତ ଉପନ୍ୟାସ “ମାମୁଁ” ଓ “ପ୍ରାୟଶ୍ଚିତ୍ତ” ବହୁ ପୂର୍ବରୁ ହିନ୍ଦିରେ ଅନୂଦିତ ହୁଏ-

 

ସାଧାରଣ ଜନତାକୁ ଅଜ୍ଞତା କିପରି ଗ୍ରାସ କରିଛି—ଧନିକର କୌଶଳ ପୁଣି ଅଳ୍ପ କେତେକ ଚତୁର ବ୍ୟକ୍ତି ଅନ୍ୟମାନଙ୍କ ପ୍ରତି କି ଭଳି ଅତ୍ୟାଚାର କରନ୍ତି, ତାହାର ଏକ ଜୀବନ୍ତ ଚିତ୍ର ସେ ଆଙ୍କିଛନ୍ତି । ସେ ବୁଦ୍ଧିଜୀବୀମାନଙ୍କର ଅନୁଭୂତିକୁ ପ୍ରକାଶ କରି ତଥାକଥିତ ସଭ୍ୟତାର ତୀବ୍ର ବ୍ୟଙ୍ଗଦ୍ୱାରା ଅତ୍ୟାଚାରୀ ବିରୁଦ୍ଧରେ ଘୃଣା ଉଦ୍ରେକ କରିଛନ୍ତି । ତାଙ୍କ ରଚନା ବଳୀରେ ବାସ୍ତବତା ଓ ନ୍ୟାୟର ପ୍ରତିଷ୍ଠା ହୋଇଥିବାରୁ ତାହା ସମ୍ବେଦନଶୀଳ ।

 

ସେମାନେ ହେଲେ ଉନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗର ଲେଖକ । ସେତେବେଳେ ମଧ୍ୟ ଯୁଗୀୟ ସମାଜର ପରିବର୍ତ୍ତନ ଅତି ଶିଥିଳ ଥିଲା । ଶିକ୍ଷା ଥିଲା ଅଳ୍ପ ଲୋକଙ୍କ ଭିତରେ ସୀମାବଦ୍ଧ । ବାହାରର ପ୍ରଭାବ ଥିଲା ଅତି ସାମାନ୍ୟ । ସ୍ଵଭାବତଃ ରାଧାନାଥ ପ୍ରାକୃତିକ ଓ କାଳ୍ପନିକ ଖୋଳପାକୁ ଭାଙ୍ଗିପାରି ନାହାନ୍ତି ଓ ଫକୀର ମୋହନ ସାମାଜିକ ବନ୍ଧନରୁ ମୁକ୍ତ ହୋଇ ନାହାନ୍ତି ।

 

ପ୍ରଗତିର କବି କାଳିନ୍ଦୀ—

କିନ୍ତୁ କାଳିନ୍ଦୀ କେବଳ ମଧ୍ୟଯୁଗୀୟ ସମାଜରେ ବ୍ୟାପୀ ଯାଇଥିବା ତ୍ରୁଟି ବିଚ୍ୟୁତି ଓ କୁସଂସ୍କାର ସବୁ ବିଶ୍ଳେଷଣ କରିବା ଦ୍ୱାରା ସେଗୁଡ଼ିକୁ ପଦାରେ ପକାଇ ସନ୍ତୁଷ୍ଟ ରହିନାହାନ୍ତି । ରାଧାନାଥ ଓ ଫକୀରମୋହନଙ୍କ ମହାନ୍ ପରମ୍ପରାକୁ ସେ ଅନୁସରଣ କରି ନୂତନ ସଙ୍ଗେ ପ୍ରାଚୀନ ସମ୍ପର୍କକୁ ରକ୍ଷା କଲେ ମଧ୍ୟ ସମାଜରେ ଦୈନନ୍ଦିନ ଯେଉଁ ବିରାଟ ପରିବର୍ତ୍ତନ ଆସି ଯାଇଛି-ତାହାର ତୁରନ୍ତ ଅବଧାରଣ କରିଛନ୍ତି । ସେ ଅସହାୟ ଭାବରେ ଅନ୍ଧାରରେ ଅଣ୍ଡାଳି ହୋଇ ସମାଜ ତଥା ଦୁନିଆଁରେ ଘଟି ଯାଉଥିବା ଘଟଣାଭିତରେ ଥୟ ହୋଇ ରହିନାହାନ୍ତି ।

 

ସେ ଜଣେ କଳ୍ପନାବିଳାସୀ ହୋଇ କେବଳ ଅବାସ୍ତବତାରସ୍ୱପ୍ନ ଦେଖି ନାହାନ୍ତି । ବାସ୍ତବବାଦୀ ଲେଖକ ରୂପେ ଦଳିତ ନିପୀଡ଼ିତ ମାନବପ୍ରାଣର ନୀରବ ନିସ୍ତେଜ ଆଶା ଆକାଂକ୍ଷା ତାଙ୍କ ରଚନାରେ ରୂପାୟିତ । ତାହାଙ୍କ “ବାଜିରାଉତ” କବିତା କେବଳ ଅତ୍ୟାଚାରୀ ବିରୁଦ୍ଧରେ ସୁପ୍ତ ମନର ଭାବକୁ ପ୍ରଜ୍ଜ୍ଵଳିତ କରିନାହିଁ କିମ୍ବା ପ୍ରତିକ୍ରିୟାର କାଳିମା ଓ ଘୃଣିତ ସାମନ୍ତବାଦ ବିରୁଦ୍ଧରେ ଅଗ୍ନି, ପ୍ରଜ୍ଜ୍ଵଳିତ କରିନାହିଁ; ମାତ୍ର ବାର ତେର ବର୍ଷ ବୟସ୍କ ଢେଙ୍କାନାଳର ଐତିହାସିକ ଶହୀଦ୍ ବାଜିରାଉତକୁ ଓଡ଼ିଶାର ଘରେ ଘରେ ତାହା ଚିହ୍ନାଇ ଦେଇଛି ।

 

କାଳିନ୍ଦୀ ଜଣେ ମାଟିର ସନ୍ତାନ । ମାଟିର ପ୍ରତ୍ୟେକ ବସ୍ତୁ ତାଙ୍କର ପ୍ରିୟ । ତେଣୁ ସେ କେବଳ ନିଜକୁ ଜାଣନ୍ତି । ନିଜର ପ୍ରିୟ ଓ ନିକଟତମ ବ୍ୟକ୍ତିମାନଙ୍କୁ ତଥା ନିଜେ ଚଳ ପ୍ରଚଳ ହେଉଥିବା ସମାଜକୁ ବୁଝନ୍ତି । ତହୁଁ ସେଇମାନଙ୍କ ଗୀତ ସେ ଗାଆନ୍ତି । ସେହିମାନଙ୍କ ଦୁଃଖ ଦୁର୍ଦ୍ଦଶା ଆନନ୍ଦ ବିଷାଦ ହିଁ ତାଙ୍କର କବିତା । କବିଙ୍କ ନିଜ ମନ୍ତବ୍ୟ ହେଲା—ତାଙ୍କ ଦର୍ଶନ ଓ ଜୀବନର ଆଭିମୁଖ୍ୟ “ପୁରୀମନ୍ଦିର” କବିତାରେ ରୂପାୟିତ ହୁଏ । ଏହି କବିତାରେ “ମୂକ ଭଗବାନ”ଙ୍କୁ ସମ୍ବୋଧନ କରି ସେ କହନ୍ତି—

 

“ଏ ଧରାର ସୁଖ ଦୁଃଖ ସ୍ନିଗ୍‍ଧ ରୂକ୍ଷ ସୁନ୍ଦର କୁତ୍ସିତ

ଅତି ଆଦରର ମୋର, ଏ ଜୀବନେ ଅତି ପରିଚିତ

କେତେ ଆଶା କେତେ ମୋର ଆକାଂକ୍ଷାର ଧନ

ଛାଡ଼ି ସବୁ ନ ଲୋଡ଼ଇଁ ସ୍ଵରଗ ଭୂବନ,

ଜନନୀର ଅମୃତ ସେନେହ

ଲାଳିତ କରଇ ଏ ଯେ ଦେହ

ଆଶିଷ ପିତାର

କଲ୍ୟାଣ ଆଧାର

ଏତେ ପ୍ରାଣ

ଏତ ଦାନ !

 

ବର୍ତ୍ତମାନ ଜୀବନଠାରୁ କିଛି ମାତ୍ର ଆଉ ପ୍ରିୟତର ନୁହେଁ । ନିଜ ବେଷ୍ଟନୀ ଭିତରେ ଆନନ୍ଦ ବିଷାଦର ଦୁଃଖ-ଦୈନଭରା ମଣିଷ—ମାତା ପିତା, ସ୍ତ୍ରୀ ପରିବାର ପୁଣି ସର୍ବୋପରି ସମଗ୍ର ସମାଜ ପ୍ରତି ପ୍ରେମ—ଯେ କୌଣସି କାଳ୍ପନିକ ସ୍ୱର୍ଗଠାରୁ ଅଧିକ ମୂଲ୍ୟବାନ ।

      ଅନ୍ୟ ଏକ ଶ୍ଳୋକରେ ସେ ଘୋଷଣା କରିଛନ୍ତି—

 

ହେ ପାଷାଣ ! ମାଗୁନାହଁ ଶମିବାକୁ ମୋ ମରମ ଭାର

କ୍ଷମିବାକୁ ଅପରାଧ ତୁଟିବାକୁ ବ୍ୟର୍ଥତା ଆଶାର

ଲୋଡ଼ୁନାହିଁ ଲଭିବାକୁ ତବ ଅନୁଗ୍ରହେ

ଧନ, ମାନ, ଯଶ, ଖ୍ୟାତି, ଅଭୟ ହୃଦୟେ,

ମୃତ୍ୟୁ ପରେ ମୁକ୍ତି ନାହିଁ ମାଗେ

ବଇକୁଣ୍ଠ ନାହଁ ଭଲଲାଗେ;

ଏ ମର୍ତ୍ତ୍ୟ ଭୁବନ

ମୋ ସ୍ନେହ ସଦନ,

ଧରଣୀ

ସୁଖମଣି ।

କବିତାଟିର ଅସଲ କର୍ମ ହେଲା ମଧ୍ୟ-ଯୁଗୀୟ ସମାଜରେ ଭାବପ୍ରବଣ ପରମ୍ପରା ବିରୁଦ୍ଧରେ ବୈପ୍ଳବିକ ଆହ୍ୱାନ । ଯେଉଁ ସମାଜ ଈଶ୍ୱରଙ୍କ ନାମ ନେଇ ଜନତାକୁ ଶୋଷଣ କରେ, ଯେଉଁ ସମାଜରେ ଦେବତାଙ୍କୁ ଆରାଧନା କରି ମଣିଷ ଲୋଡ଼େ ଅନ୍ତର ବେଦନାର ଉପଶମ, ମନୁଷ୍ୟ ହିଁ ଯଥାର୍ଥରେ ଦେବତା ରୂପରେ ଜଗତକୁ—ଅର୍ଥାତ୍—

 

ଏହି ମର୍ତ୍ତ୍ୟ ଲୋକକୁ ପରିଣତ କରିପାରେ ସ୍ଵର୍ଗରେ । ଇଂରେଜ କବି ସେଲିଙ୍କ ଭଳି ସେ ଜଣେ ସ୍ଵପ୍ନବିଳାସି ନୁହନ୍ତି ଶୀତପରେ ଯେଉଁ କବି ବସନ୍ତର ଆଗମନକୁ ସ୍ଵାଭାବିକ ଜ୍ଞାନ କରନ୍ତି ।

 

“ଆଗାମୀ” ନାମକ ତାଙ୍କର ଏ ନୂତନ କବିତା “ସହକାର”ରେ ଏବେ ୧୯୪୩ ଖ୍ରୀଷ୍ଟାବ୍ଦ ଶେଷ ଭାଗରେ ପ୍ରକାଶିତ ହୋଇଛି, ତହିଁରେ ଏକ ନବତର ଓ ପୂର୍ଣ୍ଣତର ବାସ୍ତବ ସମାଜର ଆଗମନୀ ବାର୍ତ୍ତା ଧ୍ୱନିତ । ଏହି ସମାଜ ଏକ ତୀବ୍ର ସଂଘର୍ଷ ଭିତରେ ପୁଣି ଏକ ସଚେତନ ଲୁଣ୍ଠିତ ନିଷ୍ପେସିତ ଶ୍ରେଣୀର ସଂଘର୍ଷପୂର୍ଣ୍ଣ ଉଦ୍ୟମ ଫଳରେ ରୂପ ନିଏ । ସମାଗତ ପ୍ରଗତିର ଶତ୍ରୁ ଆଜି ଧ୍ୱଂସମୁଖୀ । ଏହିଠାରେ—ଏହିଭଳି ଏକ ସମାଜରେ, ମାନବିକ ମୂଲ୍ୟବୋଧର ଯଥାର୍ଥ ପ୍ରତିପାଦନ କରାଯିବ । ସାଧାରଣ ଜନତାର କଲ୍ୟାଣଭିତ୍ତି ଉପରେ ପ୍ରତିଷ୍ଠିତ ହେବ ସକଳ ସ୍ଵାର୍ଥ ଓ ସକଳ ସ୍ଥାନର ମୂଲ୍ୟାୟନ ।

 

ଏହି ସମାଜର ସଂଗୀତ ହିଁ ଧ୍ୱନିତ ହୋଇଛି ତାଙ୍କର ଭାଷାରେ—

 

“କବିତା ରଚେଁ ଏକ ନୂତନ ସମାଜର

ସବୁରି ପାଇଁ ଯହିଁ ବଖୁରେ ଅଛି ଘର ।

ସବୁରି ଅଧିକାର କହିବା ପାଇଁ ଅଛି

 

ମୁଁ ସେଇ ସମାଜର କବିତା ବସେଁ ରଚି”। ଇତ୍ୟାଦି ଯେଉଁ ସମାଜରେ ମାନବିକ ସୁଖ ନିରାଟ ବାସ୍ତବତା ଭିତରୁ ହିଁ ଜନ୍ମଲାଭ କରେ ।

 

ଔପନ୍ୟାସିକ–ଆମରି ଯୁଗର ବାଣୀ—

କାଳିନ୍ଦୀ କେବଳ ସମସାମୟିକ ସର୍ବଶ୍ରେଷ୍ଠ କବି ରୂପେ ପରିଚିତ ନୁହନ୍ତି; ମାତ୍ର ଏ ଯୁଗର ସର୍ବଶ୍ରେଷ୍ଠ ଔପନ୍ୟାସିକ ସେ । ପ୍ରାଚୀନ ଓ ନବୀନ–ଉଭୟ ଶ୍ରେଣୀର ସ୍ନେହସମ୍ମାନ ସେ ଆକର୍ଷଣ କରିଛନ୍ତି । ତାଙ୍କର ପ୍ରଶାନ୍ତ ରୂପ ଭିତରେ ଯୌବନର ଅଧୀରତା ନାହିଁ , କିନ୍ତୁ ନିପୀଡ଼ତର ପ୍ରଜ୍ଜ୍ୱଳିତ ଅଗ୍ନି ସହିତ ଦେଶଭକ୍ତିର ଉତ୍ସାହ ନିହିତ ଅଛି ।

 

ଫକୀରମୋହନଙ୍କ ଜାତୀୟ ଆଭିମୁଖ୍ୟ ହେଲା, ଶିକ୍ଷାର ପ୍ରସାର ସହିତ ଜନତାର ଅଜ୍ଞତା ଓ ସୁଷୁପ୍ତି ବିରୁଦ୍ଧରେ ବୈପ୍ଳବିକ ଅଭିଯାନ । ଶିକ୍ଷା ପ୍ରସାରଦ୍ୱାରା ପୁଣି ଗୋଟିଏ ଦିଗରେ ଜନତାର ଅଜ୍ଞତା ଏବଂ ଅନ୍ୟ ଦିଗରେ ସ୍ଵଳ୍ପସଂଖ୍ୟକ ସୁବଧା-ଭୋଗୀଙ୍କର ଦୂଷିତ କଳୁଷ ବିରୁଦ୍ଧରେ ବିପ୍ଳବ; କିନ୍ତୁ କାଳିନ୍ଦୀ ଅନୁଭବ କରିଛନ୍ତି ଜନତା ଭିତରେ ହିଁ ମୁକ୍ତିର ଦାବୀ; ପୁଣି ଶୁଣିଛନ୍ତି—ନିମ୍ନତମ ସ୍ତରରେ ରହୁଥିବା ମଣିଷର ବିଦ୍ରୁପ ଚିତ୍କାର ।

 

ଫକୀର ମୋହନ ଆସିଛନ୍ତି ଏକ ମଧ୍ୟ ବିତ୍ତଶ୍ରେଣୀ ପରିବାର ଭିତରୁ; କିନ୍ତୁ କେତେବେଳେ-? ୧୯୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ । ସେହି କାରଣରୁ ସେ ସେତେବେଳେ ପ୍ରଚଳିତ ବୁଦ୍ଧିଜୀବୀମାନଙ୍କର ଅନୁଭୂତିକୁ ପ୍ରକାଶ କରିଛନ୍ତି । କାଳିନ୍ଦୀ ମଧ୍ୟ ପୁରୀଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି, କିନ୍ତୁ କେତେବେଳେ ? ୧୯୦୦ ଖ୍ରୀଷ୍ଟାବ୍ଦ ପରେ । ୧୯୦୧ରେ ତାଙ୍କର ଜନ୍ମ । ତେଣୁ ଏକ ନୂତନ ଯୁଗର ପ୍ରତ୍ୟୁଷରେ । ତାହାରି ଅନୁରୂପ ସେ ବଢ଼ି ଉଠନ୍ତି ପରିବର୍ତ୍ତିତ ପରସ୍ଥିତି ଭିତରେ । ଜାତୀୟ ଅଭ୍ୟୁତ୍‍ଥାନର ବିପୁଳ ପ୍ରଭାବରେ ରୁଷ୍ ଦେଶରେ ନବ ସଭ୍ୟତାର ଅଭ୍ୟୁଦୟ ସଙ୍ଗେ ପାରିପାର୍ଶିକ ବିଶ୍ୱବ୍ୟାପୀ ପ୍ରଭାବରେ ସେ ପ୍ରଭାବିତ ।

 

ମଧ୍ୟ ଯୁଗୀୟ ଅତ୍ୟାଚାର ବିରୁଦ୍ଧରେ :--

ଏହି ରୂପେ ତାଙ୍କର ଉପନ୍ୟାସଗୁଡ଼ିକରେ ସୁସ୍ପଷ୍ଟ ପ୍ରତିଫଳିତ ହୋଇଛି ଯେ, ମଧ୍ୟ ଯୁଗୀୟ ଅତ୍ୟାଚାରଦ୍ୱାରା ସେ ଅତି ଉତ୍କଟ ଭାବରେ ଆହତ ହୋଇଛନ୍ତି ଏବଂ ଚିନ୍ତା ତାଙ୍କର ଉପନୀତ ହୋଇଛି ଯଥାର୍ଥରେ ମାନବୀୟ ଦୁର୍ଦ୍ଦଶା ମୂଳରେ ନିହିତ ରହିଛି ମଧ୍ୟଯୁଗୀୟ ସମାଜର ଅର୍ଥନୈତିକ ମେରୁଦଣ୍ଡ ।

 

୧୯୩୧ ଖ୍ରୀଷ୍ଟାବ୍ଦରେ କାଳିନ୍ଦୀ ସୃଷ୍ଟି କରନ୍ତି “ମାଟିର ମଣିଷ ।” ଓଡ଼ିଆ ସାହିତ୍ୟରେ ଏହା ସର୍ବୋତ୍ତମ ଉପନ୍ୟାସ । ଏହି ପୁସ୍ତକଟି ଓଡ଼ିଆ ସାହିତ୍ୟ–ଜଗତକୁ ବିଦ୍ୟୁତ୍-ଶକ୍ତି ଭଳି ପ୍ରଭାବିତ କରେ ଏବଂ ଆଜି ପର୍ଯ୍ୟନ୍ତ ଏହାର ବିକ୍ରି ସବୁଠାରୁ ବେଶି । ଏହାର ବିଷୟବସ୍ତୁ ହେଲା–ମଧ୍ୟଯୁଗୀୟ ସମାଜ ବିରୁଦ୍ଧରେ ଯୁଦ୍ଧ–ମନ୍ଦ ବିରୁଦ୍ଧରେ ବିପ୍ଳବ–ମାତ୍ର ଏ ସମସ୍ତ ହିଁ ସହନଶୀଳତା ଓ ତ୍ୟାଗର ମାଧ୍ୟମରେ । ଗ୍ରନ୍ଥର ନାୟକ ବରଜୁ ପ୍ରଧାନ ତ୍ୟାଗର ପ୍ରତିମୂର୍ତ୍ତି ରୂପେ ସକଳ ପ୍ରକାର ସ୍ୱାର୍ଥପରତା ବିରୁଦ୍ଧରେ ପୁଣି ପଲ୍ଲୀ ମହାଜନମାନଙ୍କ ଭଳି ଶୋଷକଙ୍କର ବିରୁଦ୍ଧରେ ସ୍ୱାର୍ଥ ତ୍ୟାଗର ଜ୍ୱଳନ୍ତ ଆଦର୍ଶ ଘେନି ଯୁଦ୍ଧ ଘୋଷଣା କରିଛି । ସର୍ବଶେଷରେ ସେ ଓ ତାହାର ସ୍ତ୍ରୀ ଶିଶୁ ପୁତ୍ର କନ୍ୟାକୁ ଘେନି ନିଜର ଘର ସମ୍ପତ୍ତି ତ୍ୟାଗ କରିଛନ୍ତି ଆପଣା ସାନଭାଇ ପାଖରେ ଓ ଅନ୍ୟ ଗୋଟିଏ ଗ୍ରାମରେ ଯାଇ ବାସ କରିଛନ୍ତି । ତାହାପରେ ଆରମ୍ଭ ହୁଏ ଏକ ନୂତନ ଜୀବନ ।

 

ଭାରତରେ ସମସାମୟିକ ଜାତୀୟ ଆନ୍ଦୋଳନର ପ୍ରବଳ ପ୍ରଭାବ ଲେଖକଙ୍କ ଉପରେ ପଡ଼ିଛି ଓ ଗ୍ରନ୍ଥଟିର ପ୍ରଚ୍ଛନ୍ନ ବାଣୀ ହେଲା ଗାନ୍ଧିବାଦ ।

 

“ଅମରଚିତା” ଓ “ମୁକ୍ତାଗଡ଼ର କ୍ଷୁଧା” ଦୁଇଟି ଉପନ୍ୟାସ ଗୋଟିଏ ଧାରାବାହିକ ଗଳ୍ପର ଚିତ୍ରଣ କରେ । ପ୍ରକାଶ କାଳ ୧୯୩୩; ଓଡ଼ିଶାରେ ୧୮୬୬ ଖ୍ରୀଷ୍ଟାବ୍ଦର ନଅଙ୍କ ଦୁର୍ଭିକ୍ଷର ବର୍ଣ୍ଣନା ୧୯୩୨ର ସାମାଜିକ ପରସ୍ଥିତି ଉପରେ ଆଧାରିତ ହୋଇଛି । ଲେଖକ ସାମାଜିକ ପରିବର୍ତ୍ତନ ଓ ତାହାର ହେତୁଗୁଡ଼ିକ ପ୍ରତି ଅଧିକ ଅବହିତ ହୋଇଛନ୍ତି । ଦୁଇଟି ଉପନ୍ୟାସ—ଦୁଇଟି ବିରୋଧୀ ଶକ୍ତିର ପାର୍ଥକ୍ୟ—ରାଜା ଜମିଦାର ଶ୍ରେଣୀ ସହିତ ଚାଷୀ-ମୂଲିଆ ଶ୍ରେଣୀର ବିଭେଦକୁ ପରିପୁଷ୍ଟ କରଛି । ଏଥିରେ ଲେଖକ ଦର୍ଶାଇଛନ୍ତି କିପରି ଦୁର୍ଭିକ୍ଷ ଓ ମରୁଡ଼ି ପରେ ଚାଷୀ–ମୂଲିଆ ଶ୍ରେଣୀର ଲୋକଙ୍କର ନୈତିକ ଅଧୋଗତି ଘଟିଛି । ଉପନ୍ୟାସର ଯଥାର୍ଥ ନାୟକ ସନାତନ ସ୍ଥାନୀୟ ପୁଞ୍ଜିପତି ଓ ଅତ୍ୟାଚାରୀ ବିରୁଦ୍ଧରେ ଅନାହାର-କ୍ଲିଷ୍ଟ ଜନତା ପକ୍ଷରେ ଲଢ଼େଇ କରିଛି । ଅଭୁତପୂର୍ବ ନିଷ୍ଠୁରତା ଓ ଅତ୍ୟାଚାର ବିଦ୍ଧ ଦୁର୍ବୃତ୍ତ ମଣିଷର ନୈତିକ ପତନ ବିପ୍ଲବୀ ସନାତନକୁ କ୍ରୋଧ ଜର୍ଜରିତ କରି ପକାଇଛି । ଅତ୍ୟାଚାରୀକୁ ହତ୍ୟାକରି ନିଜକୁ ସେ ଛିଡ଼ା କରାଇଛି କୋର୍ଟ ଭିତରେ ! ସନାତନର ଫାଶି ହୋଇଛି । ଗ୍ରନ୍ଥ ଭିତରେ ଗାନ୍ଧୀବାଦର ଭାବ ପ୍ରାବଲ୍ୟ ଅନ୍ତର୍ନିହିତ ଫଲ୍ଗୁଧାରା ଭଳି ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ପ୍ରବାହିତ ।

 

ସୃଷ୍ଟି ମାଧ୍ୟମରେ ସାମାଜିକ ପରିବର୍ତ୍ତନ

“ଲୁହାର ମଣିଷ” ଉପନ୍ୟାସଟି ଏବେ ମଧ୍ୟ ପାଣ୍ଡୁଲିପି ଆକାରରେ ରହିଛି । ଏହା ପରିବର୍ତ୍ତନର ପୂର୍ଣ୍ଣତା ଆଣିବା ଦିଗରେ ସହାୟକ ହେବ । ୧୯୩୨ ଖ୍ରୀଷ୍ଟାବ୍ଦରୁ ଆଜି ପର୍ଯ୍ୟନ୍ତ ସମାଜ ବିରାଟ ପରିବର୍ତ୍ତନ ଭିତରେ ଗତି କରୁଛି । କ୍ଷୟିଷ୍ଣ ସାମନ୍ତବାଦୀ ଧନିକ–ଶ୍ରେଣୀ ହସ୍ତରେ ଭୂମିର ଏକତ୍ରୀକରଣ ହେବାରୁ ପୁଞ୍ଜିବାଦୀ ସମାଜର ମୁଣ୍ଡ ଟେକି ଉଠିବା, ଗ୍ରାମ୍ୟ ଅର୍ଥନୀତି ଖଣ୍ଡ ଖଣ୍ଡ ହୋଇପଡ଼ିବା ଫଳରେ ଦରିଦ୍ର ଚାଷୀ କୃଷିକୁ ଛାଡ଼ି କଳକାରଖାନା ଭିତରେ କାର୍ଯ୍ୟ ଅନୁସନ୍ଧାନ କରିବା ଆଦି ଚିତ୍ର ଏହି ଉପନ୍ୟାସର ପରିକଳ୍ପନା ଭିତରେ ନିହିତ ଅଛି ।

 

“ମାଟିର ମଣିଷ” ଉପନ୍ୟାସର ପ୍ରଧାନ ନାୟକ ବରଜୁ ମଧ୍ୟ “ଲୁହାର ମଣିଷ”ରେ ଆବିର୍ଭୁତ ହୋଇଛି । ଅନ୍ୟ କଥାରେ—କୃଷିର ମଣିଷ କାରଖାନାର ମଣିଷରେ ପରିଣତ । ଦୁଇଟି ଗ୍ରନ୍ଥ ମଧ୍ୟରେ ବିସ୍ତୃତ ଚଉଦ ବର୍ଷର ବ୍ୟବଧାନ ରହିଥିଲେ ହେଁ ଏହା ସମୟଟି ବର୍ଦ୍ଧିଷ୍ଣୁ ସମାଜର କ୍ରିୟା ପ୍ରତିକ୍ରିୟା ସମ୍ପର୍କରେ ଲେଖକଙ୍କୁ ଅବହିତ କରିଛି । ପୁଣି ଏହି ସମାଜର ପରସ୍ପର—ବିରୋଧୀ ଭାବସ୍ରୋତ ନୂତନ ପଥର ଅନୁସନ୍ଧିତ୍ସା ଘେନି ଧାବିତ ହୋଇଛି । “ମାଟିର ମଣିଷ”ରେ ବରଜୁ ମଧ୍ୟବିତ୍ତ ସମାଜ ବିରୁଦ୍ଧରେ ପୁଣି ତାହାର ସମସ୍ତ ଅବାଞ୍ଛିତ ଅସ୍ୱାଭାବିକ ଶକ୍ତି ବିରୁଦ୍ଧରେ ଲଢ଼େଇ କରିଛି ଗାନ୍ଧିବାଦର ଆଦର୍ଶ ଘେନି । ପରବର୍ତ୍ତୀ “ଲୁହାର ମଣିଷ’’ରେ ଜାତୀୟ ଆନ୍ଦୋଳନରେ ଯୋଗ ଦେଇ ବରଜୁ ବନ୍ଦୀ ହୁଏ । ଏଥିରୁ ଜଣାପଡ଼େ ପରିବର୍ତ୍ତିତ ଯୁଗର ପ୍ରଗତି କାଳିନ୍ଦୀ—ସୃଷ୍ଟିରେ କି ଭଳି ମୂଲ୍ୟାୟନ କରାଯାଇଛି । ଓଡ଼ିଆ ସାହିତ୍ୟକୁ ବିଷୟବସ୍ତୁର ବିନ୍ୟାସ ମାଧ୍ୟମରେ ଏକ ବୈପ୍ଳବିକ ସ୍ତରକୁ ଆଣିବା ଉଦ୍ୟମ ହିଁ ତାଙ୍କର ଲକ୍ଷିତ ହୋଇଥାଏ ।

 

ସେ କେବଳ ଜଣେ କବି କିମ୍ବା ଔପନ୍ୟାସିକ ନୁହନ୍ତି; କିନ୍ତୁ ଜଣେ ନାଟ୍ୟକାର ଓ ପ୍ରାବନ୍ଧିକ ମଧ୍ୟ । ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଙ୍କ ସ୍ଥାନ ଅନିତିକ୍ରମ୍ୟ ହୋଇ ରହିଛି ।

 

ସୋଭିଏତ୍ ପ୍ରେମୀ—

ଜଣେ ମହାନ୍ ସାହିତ୍ୟ–ରଥୀ ଓ ବାସ୍ତବବାଦୀ ବ୍ୟାଖ୍ୟାକାର ରୂପେ ଆନ୍ତର୍ଜାତୀୟ ରାଜନୀତି ପ୍ରତି କାଳିନ୍ଦୀଙ୍କ ମନୋଭାବ ଜାଣିବା ପାଇଁ ଯେ କାହାରି ଆଗ୍ରହ ଜନ୍ମିବା କଥା ।

 

ଅତୀତ କାଳର ୧୯୩୬ ଖ୍ରୀଷ୍ଟାବ୍ଦରେ ସାଧାରଣ ସମକ୍ଷରେ ସୋଭିଏଟ୍ ପ୍ରତିବିମ୍ବିତ ହୋଇ ନଥିଲା ବେଳେ—ବରଂ ଇଂରେଜ ଓ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ମଧ୍ୟରେ ସୋଭିଏଟ୍ ବିରୋଧୀ ଭାବଧାରା ପ୍ରସାର ଲଭୁଥିବାବେଳେ କାଳିନ୍ଦୀ ହିଁ ଏକ ମାତ୍ର ସର୍ବପ୍ରଥମ ମନନଶୀଳ ବ୍ୟକ୍ତି, ଯାହାଙ୍କ ସଭାପତି ଭାଷଣ ଏକ ସାହିତ୍ୟ ସମ୍ମିଳନୀରେ ଘୋଷଣା କରେ— “ଏକଦା ଅତି ଅନୁନ୍ନତ ଦେଶ ରୁଷିଆରେ ବର୍ତ୍ତମାନ ନୂତନ ସଭ୍ୟତାର ଆବିର୍ଭାବ ଘଟିଛି । ମାନବୀୟ ପରୀକ୍ଷା ନିରୀକ୍ଷା ଲାଗି ଏହା ଆଜି ଏକ ବିରାଟ ଲାବରେଟରୀରେ ପରିଣତ–ଯେଉଁଠାରେ କାଳ୍ପନିକ ସ୍ୱର୍ଗ ବାସ୍ତବତାରେ ପରିଣତ ହେବାକୁ ଯାଉଛି ।”

 

ଏହା ହେଲା ଦୂର ଅତୀତର କଥା, ମାତ୍ର ସେଦିନ ୧୯୪୪ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୪ ତାରିଖରେ ସୋଭିଏତ୍ ମୈତ୍ରୀ ସଂଘର ଉଦ୍‌ଘାଟନ ଉତ୍ସବରେ ଭାଷଣ ଦେଇ ସେ କହିଥିଲେ—

 

“ସୋଭିଏତ୍‍କୁ ଅନ୍ୟାନ୍ୟ ସାମ୍ରାଜ୍ୟବାଦୀ ଶକ୍ତି ସହିତ ଗୋଟିଏ ବନ୍ଧନୀ ଭିତରେ ରଖାଯାଉଛି । କେତେକଙ୍କ ମତରେ ସୋଭିଏତ୍ ସାମ୍ରାଜ୍ୟବାଦୀ ହୋଇପଡ଼ିଛି; ମାତ୍ର ଆଜି ଏକଥା ସର୍ବ ଶ୍ରେଷ୍ଠ ଭ୍ରମ । ମହାଯୁଦ୍ଧର ମିତ୍ର-ଶକ୍ତିମାନଙ୍କ ମଧ୍ୟରେ ସୋଭିଏଟ୍ ହେଲା ଏକମାତ୍ର ଶକ୍ତି, ଯାହା ସ୍ୱାଧୀନତା ଓ ଗଣତନ୍ତ୍ରର କର୍ଣ୍ଣଧାର । ପୃଥିବୀର ଯେଉଁ ସବୁ ଜାତି ସାମନ୍ତବାଦୀ ଓ ସ୍ୱେଚ୍ଛାଚାରୀ ପ୍ରଭୁତ୍ୱର ହୁକୁମ ତଳେ ଆର୍ତ୍ତନାଦ କରୁଥିଲେ, ତାହା ତାଙ୍କ ଭିତରେ ସ୍ୱାଧୀନତା ପ୍ରତିଷ୍ଠା କରିଛି । ସ୍ଵଭାବତଃ ସେଇ କାରଣରୁ ଆମେ ଆଜି ଦାସତ୍ୱ କବଳରେ ପଡ଼ିଥିବା ଜାତି ସୋଭିଏଟ୍‍ର ବନ୍ଧୁତା ଲୋଡ଼ି ଥାଉଁ ।

 

ଶେଷରେ ସେ ଶ୍ରୋତାମାନଙ୍କୁ ନିବେଦନ କରିଥିଲେ, ରୁଷ ସାହିତ୍ୟ ଅଧ୍ୟୟନ କରିବାକୁ ଏବଂ ତହିଁରୁ ସୋଭିଏତ୍ ଜନତାର ଚିନ୍ତା ଓ କଳା ନୈପୁଣ୍ୟ, ସେମାନଙ୍କୁ ଆଚାର ବ୍ୟବହାର ଓ ରାଜନୀତି ଅଧ୍ୟୟନ କରିବାକୁ ।

 

ତାହାଙ୍କ ରାଜନୈତିକ ମତବାଦ—

ଭାରତ ବର୍ଷ କେଉଁଠି ?

 

ପରିଣାମ ରମଣୀୟ ସନ୍ଧ୍ୟା । ମୁଁ ତାଙ୍କ ଘର ଭିତରକୁ ପ୍ରବେଶ କରେ । ଆଲମିରାଗୁଡ଼ିକ ବିଭିନ୍ନ ବିଷୟକ ଗ୍ରନ୍ଥରେ ଭର୍ତ୍ତି । କାଳିନ୍ଦୀ ବାବୁ ଆସିଲେ । କଫି ପରେ ସେ ଆନ୍ତରିକତା ସହିତ ଆରମ୍ଭ କଲେ, ଜାତୀୟ ଓ ଆନ୍ତର୍ଜାତୀୟ ସାହିତ୍ୟ ସମ୍ପର୍କରେ ଆଲୋଚନା—“ଜଣେ ଯଥାର୍ଥ ଶିଳ୍ପୀ ସ୍ଵଭାବତଃ କମ୍ୟୁନିଷ୍ଟ ନ ହୋଇ ଆଉ ତ କିଛି ହୋଇ ନ ପାରେ ।” ତାଙ୍କ ଆଲୋଚନାର ପ୍ରଧାନ ଦିଗ ଥିଲା—ବାସ୍ତବତାକୁ ଏଡ଼ିଯିବା, ଯାହା ଆମ ଚାରିପଟେ ଘୋଟି ଆସୁଛି, ସେଥିପ୍ରତି ଅନ୍ଧହେବା ଅର୍ଥ–ଜୀବନକୁ ଭୁଲ୍ ବିଚାର କରିବା ।

 

ମୁଁ ସୁଯୋଗ ଖୋଜୁଥିଲି ବର୍ତ୍ତମାନ ରାଜନୀତି ସମ୍ପର୍କରେ ତାଙ୍କ ମତାମତ ଜାଣିବା ପାଇଁ । ସେଥିଲାଗି ମୋତେ କୌଣସି ଉଦ୍ୟମ କରିବାକୁ ପଡ଼ିଲା ନାହିଁ । ସେ ନିଜେ ସେହି ବିଷୟକୁ ଘୂରି ଆସିଲେ ।

 

ତେଣୁ ତାଙ୍କୁ ମୁଁ ବର୍ତ୍ତମାନ କଂଗ୍ରେସ-କମ୍ୟୁନିଷ୍ଟ ବିବାଦ ବିଷୟରେ ପଚାରେଁ । ତାଙ୍କ ମୁଖରେ ଆଗ୍ରହ ରେଖା–ଫୁଟି ଉଠିଲା–ଯେତେବେଳେ ସେ କହନ୍ତି—“କମ୍ୟୁନିଷ୍ଟମାନଙ୍କୁ ଯଦି କଂଗ୍ରେସ ବିତାଡ଼ିତ କରେ, ତେବେ ଏହା ଏକ ଭୀଷଣ ବିପଜ୍ଜନକ ବ୍ୟାପାର ହୋଇ ପଡ଼ିବ । କଂଗ୍ରେସ ଲୋକେ ଓ କମ୍ୟୁନିଷ୍ଟମାନେ ଖାଣ୍ଟି ସ୍ୱାଧୀନତା-ସଂଗ୍ରାମୀ ଭାବେ ପରୀକ୍ଷିତ । ତେଣୁ ଆମ ଦେଶର ଏହି ଘଡ଼ିସନ୍ଧିବେଳେ ଉଭୟ ମଧ୍ୟରେ ନିବିଡ଼ ମିଳନହିଁ ଏକାନ୍ତ ଲୋଡ଼ା । କଂଗ୍ରେସ ଯଦି ସେଭଳି ପଦକ୍ଷେପ ନ ନିଏ, ତାହା ହେଲେ ଅତ୍ୟନ୍ତ ସୀମିତ ହୋଇ ପଡ଼ିବ ଓ ଏହା ଭିତରେ ବାଦବିବାଦ ବ୍ୟାପିଯିବ !”

 

ଏକ ସ୍ୱରରେ ସେ କହିବାକୁ ଲାଗନ୍ତି, ଅତ୍ୟନ୍ତ ଭାବପ୍ରବଣ ଭାଷାରେ ଯେ, ଓଡ଼ିଶା ଦରିଦ୍ରତମ ରାଜ୍ୟ ହୋଇଥିବାରୁ ପୁଣି ଏହାର ଦୁର୍ଦ୍ଦଶା ସବୁଠାରୁ ଉତ୍କଟ ହୋଇଥିବାରୁ ଦେଶପ୍ରେମୀମାନେ ବିଭେଦ ସୃଷ୍ଟି କରିବାରେ ଅଗ୍ରସର ହେବାର ବିଳାସ ତ୍ୟାଗ କରିବା ଉଚିତ । ସଂକ୍ରାମକ ବ୍ୟାଧି ଓ ଖାଦ୍ୟାଭାବ ଏ ରାଜ୍ୟର ମୂକ ଜନତାକୁ ଛାରଖାର କରି ଦେଉଛି ।

 

ସବୁଠାରୁ ବଡ଼ କର୍ତ୍ତବ୍ୟ ହେଲାଣି, ସେମାନଙ୍କୁ ରକ୍ଷାକରିବା । ଦରିଦ୍ରତମ ଜନତାର ରାଜ୍ୟ ଏହା । ତେଣୁ ଦରିଦ୍ରତମ ଲୋକଙ୍କ ପ୍ରତି ସବୁଠାରୁ ବେଶି ନଜର ଦେବା ଉଚିତ ।

 

ବିଳମ୍ବ ହୋଇଗଲା, ମୁଁ ତାଙ୍କଠାରୁ ବିଦାୟ ନିଏଁ । ଆକାଶରେ ଖଣ୍ଡ ଖଣ୍ଡ ବଉଦ ଦ୍ରୁତ ଗତିରେ ଧାବିତ ହୋଇ କାଳନ୍ଦୀବାବୁଙ୍କଦ୍ୱାରା ମୋହ ଭିତରେ ସଂକ୍ରମିତ ଗଭୀର ଭାବଧାରାକୁ ଏକ ନିରବଚ୍ଛିନ୍ନ ଛନ୍ଦରେ ଧୂନୀତ କଲା ।

 

***